
କନକ ବ୍ୟୁରୋ: ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି ସଫାରୀ ବସ କର୍ମଚାରୀ । ଆକ୍ରମଣର ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ । ପରିବାର ସହ ହସଖୁସିରେ ସମୟ ବିତାଇବାକୁ ରବିବାର ଦିନ ନନ୍ଦନକାନନ ଆସିଥିଲେ ଛତିଶଗଡ଼ର ଗୋଟିଏ ପରିବାର । ପ୍ରାୟ ୨୬ ଜଣ ପର୍ଯ୍ୟଟକ, ବାଘ ସଫାରୀ ବୁଲିବାକୁ ଦିନ ୨ଟା ସୁଦ୍ଧା କାଉଂଟରରେ ଟିକେଟ କାଟିଥିଲେ । ବିଳମ୍ବ ହେବାରୁ ବସ ସଫାରୀର କର୍ମଚାରୀଙ୍କୁ ପଚାରିବା ପରେ ଆରମ୍ଭ ହୋଇ ଯାଇଥିଲା ବଚସା । ଉତ୍କ୍ଷିପ୍ତ ହୋଇ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ ବସ୍ ସଫାରୀ କର୍ମଚାରୀ । ଚାହୁଁ ଚାହୁଁ ସଫାରୀ କର୍ମଚାରୀଙ୍କ ଆତଙ୍କ ରାଜ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା । ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୩ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ଘଟଣାକୁ ନେଇ ତୀବ୍ର ପ୍ରତିକ୍ର୍ରିୟା ପ୍ରକାଶ ପାଇବା ପରେ ଭିଡିଓ ଫୁଟେଜକୁ ଆଧାର କରି ୩ ଜଣଙ୍କୁ ଗିରଫ କରିଛି ପୁଲିସ ।
ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ସନ୍ତୋଷ ସାହୁ, କାହ୍ନା ମହାପାତ୍ର, ଅମନ ପାଟଶାଣୀଙ୍କୁ ଗିରଫ କରାଯାଉଛି । ଏମାନଙ୍କ ଘର ସ୍ଥାନୀୟ ଦାରୁଠେଙ୍ଗ ଅଂଚଳରେ । ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଛାନଭିନ କରୁଛି ପୁଲିସ । ଏହି ଆକ୍ରମଣଙ୍କୁ ଦୁଭାର୍ଗ୍ୟଜନକ ବୋଲି କହିଛନ୍ତି ପିସିସିଏଫ୍ । ତେବେ ସଫାରୀ ବସ ସର୍ଭିସ କର୍ମଚାରୀ, ନନ୍ଦନକାନନ କର୍ମଚାରୀ ନୁହଁନ୍ତି ବୋଲି ସେ ଯୁକ୍ତି ବାଢିଛନ୍ତି । ଆଉଟ ସୋସିଂ କର୍ମଚାରୀ କହି ଦୋଷ ଛଡ଼ାଇବାକୁ ଉଦ୍ୟମ କରିବା ସହ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପିସିସିଏଫ୍ ।
ଏଠି ପ୍ରଶ୍ନ ଉଠୁଛି,
ଠିକା ସଂସ୍ଥାର କର୍ମଚାରୀଙ୍କୁ କିଏ ଦେଇଥିଲା ନିଯୁକ୍ତି?
ଗୁଣ୍ଡାରାଜ ପାଇଁ କିଏ ଦେଉଛି ସାହସ?
ଆକ୍ରମଣ ବେଳେ କ’ଣ କରୁଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ?
ରଦ୍ଦ ହେବ କି ବସ୍ ସଫାରୀର ଟେଣ୍ଡର ନେଇଥିବା ବ୍ୟକ୍ତିଙ୍କ ଲାଇସେନ୍ସ?
ବର୍ଷକୁ ପ୍ରାୟ ନନ୍ଦନକାନନ ବୁଲିବାକୁ ଆସିଥାନ୍ତି ୨୫ରୁ ୩୦ ଲକ୍ଷ ପର୍ଯ୍ୟଟକ । ଏହି ପର୍ଯ୍ୟଟକଙ୍କ ଯୋଗୁଁ ନନ୍ଦନକାନନ ଚାଲିଛି । କିଏ ନେବ ଏହି ପର୍ଯ୍ୟଟକମାନଙ୍କ ସୁରକ୍ଷା ଦାୟିତ୍ୱ? ଏପରି ଘଟିଲେ ନନ୍ଦନକାନନକୁ ପର୍ଯ୍ୟଟକ ଆସିବେ ତ?
The post ପର୍ଯ୍ୟଟକଙ୍କୁ ଆକ୍ରମଣ କରି ଗିରଫ ହେଲେ ଗୁଣ୍ଡା କର୍ମଚାରୀ: ଉଠିଲା ପ୍ରଶ୍ନ, କ୍ରିମିନାଲଙ୍କୁ କିଏ ଦେଇଥିଲା ନିଯୁକ୍ତି? first appeared on Kanak News.
from Kanak News
via <a href="https://ifttt.com/?