ପ୍ରପଲସନ୍ ମଡ୍ୟୁଲଠାରୁ ଅଲଗା ହେଲା ଲ୍ୟାଣ୍ଡର: ସଫଳତାର ଆଉ ଏକ ପାଦ ଆଗେଇଲା ଚନ୍ଦ୍ରଯାନ-୩

କନକ ବ୍ୟୁରୋ: ୩୪ଦିନର ଯାତ୍ରା ଶେଷ କରିବା ପରେ ଚନ୍ଦ୍ରର ଆହୁରି ନିକଟତର ହୋଇଛି ଚନ୍ଦ୍ରଯାନ-୩ । ଇସ୍ରୋର ଉଦ୍ୟମରେ ଆଜି ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୋପାନ ଅତିକ୍ରମ କରିଛି । ଲ୍ୟାଣ୍ଡରକୁ ଧରି ଚନ୍ଦ୍ର କକ୍ଷପଥରେ ବୁଲୁଥିବା ପ୍ରପଲସନ ମଡ୍ୟୁଲ ସଫଳତାର ସହ ଅଲଗା ହୋଇଛି । ଏଣିକି ଲ୍ୟାଣ୍ଡରକୁ ଧିରେ ଧିରେ ଚନ୍ଦ୍ରରେ ଅବତରଣ ପାଇଁ ପ୍ରୟାସ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ସବୁକିଛି ଠିକ୍ ଠାକ୍ ହେଲେ ୨୩ତାରିଖ ବେଳକୁ ଭାରତର ମୁନ୍ ମିଶନ ସଫଳ ହେବ ଓ ଦକ୍ଷିଣ ମେରୁରେ ଚନ୍ଦ୍ରଯାନର ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିବ ଇସ୍ରୋ ।

ଭାରତର ଚନ୍ଦ୍ର ଅଭିଯାନ ଗୁରୁତ୍ୱପୂର୍ଣ୍ଣ ସୋପାନ ଅତିକ୍ରମ କରିଛି । ଇସ୍ରୋ ଯେପରି ଯୋଜନା କରିଥିଲା, ସେହି ଅନୁସାରେ ଆଜି ଦିନ ଗୋଟାଏ ୧୫ମିନିଟରେ ପରସ୍ପରଠାରୁ ଅଲଗା ହୋଇଛନ୍ତି ଲ୍ୟାଣ୍ଡର ଓ ପ୍ରପଲସନ ମଡ୍ୟୁଲ । ଇସ୍ରୋ ଟ୍ୱିଟ କରି ଏହି ସୂଚନା ଦେଇଛି । ପ୍ରପଲ୍ସନ୍ ମଡ୍ୟୁଲ ପ୍ରେରକର କାର୍ଯ୍ୟ କରି ନିର୍ଦ୍ଧାରିତ କକ୍ଷପଥରେ ‘ବିକ୍ରମ’ ଲ୍ୟାଣ୍ଡର ଠାରୁ ଅଲଗା ହୋଇଯାଇଛି । ଏବେ ‘ପ୍ରଜ୍ଞାନ’ ରୋଭରକୁ ନେଇ ବାକି ଯାତ୍ରା ଶେଷ କରିବ ଲ୍ୟାଣ୍ଡର । ଲକ୍ଷ୍ୟପଥରେ ପହଁଚାଇ ଥିବାରୁ ପ୍ରପଲସନ ମଡ୍ୟୁଲକୁ ଧନ୍ୟବାଦ ଜଣାଇଛି ଲ୍ୟାଣ୍ଡର । ପ୍ରପଲସନ ମଡ୍ୟୁଲ ଯେଉଁ କକ୍ଷପଥରେ ବୁଲୁଛି, ଏବେ ଲ୍ୟାଣ୍ଡର ଟିକେ ତଳେ ରହି ଚନ୍ଦ୍ର ଚାରିପଟେ ପ୍ରଦକ୍ଷିଣ କରୁଛି ।

ଚନ୍ଦ୍ରକୁ ଛୁଇଁବାକୁ ଆଉ ୬ ଦିନ..
ଶୁକ୍ରବାର ଅପରାହ୍ଣ ୪ଟାରେ ପ୍ରଥମ ଡିଅର୍ବିଟିଂ କରାଯିବ
ଅର୍ଥାତ ଲ୍ୟାଣ୍ଡରକୁ ଚନ୍ଦ୍ରର ଆହୁରି ନିକଟକୁ ନିଆଯିବ
୨୦ ତାରିଖରେ ‘ବିକ୍ରମ’ ଲ୍ୟାଣ୍ଡରକୁ ପୁଣି ଡିଅର୍ବିଟିଂ କରାଯିବ
ସର୍ବାଧିକ ୧୦୦ କିମି, ସର୍ବନିମ୍ନ ୩୦ କିମି ବିଶିଷ୍ଟ ଅଣ୍ଡାକାର କକ୍ଷପଥରେ ସ୍ଥାପନ ହେବ

ଆଉ ଏଇଠୁ ଆରମ୍ଭ ହେବ ସପ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟା । ପୂର୍ବଥର ଯେଉଁ ତ୍ରୁଟି ଯୋଗୁଁ କ୍ରାସ୍ ଲ୍ୟାଣ୍ଡିଂ ହୋଇଥିଲା, ଏଥର ତାକୁ ଦୂର କରିବା ପାଇଁ ବ୍ୟବସ୍ଥା ହୋଇଛି । ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ କରିବା ପାଇଁ ଲ୍ୟାଣ୍ଡରର ୪ଟି ଗୋଡ ରହିଛି । ଏଥିରେ ଏକାଧିକ ଥ୍ରଷ୍ଟର ବା ଗତିରୋଧକ ମଧ୍ୟ ରହିଛି । ଯାହା ଲ୍ୟାଣ୍ଡିଂ କରିବା ସମୟରେ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ବିରୋଧରେ କାମ କରିବ ଏବଂ ଲ୍ୟାଣ୍ଡରକୁ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସହାୟକ ହେବ । ଏହାଛଡ଼ା ଏଥିରେ ଏକାଧିକ କ୍ୟାମେରା ଓ ସେନ୍ସର ସଂଯୋଗ କରାଯାଇଛି ।

ଅଗଷ୍ଟ ୨୩ରେ ସୁରକ୍ଷିତ ଅବତରଣ ଲକ୍ଷ୍ୟ
ଅବତରଣ ପରେ ଲ୍ୟାଣ୍ଡରରୁ ବାହାରିଯିବ ‘ପ୍ରଜ୍ଞାନ’ ରୋଭର
୧୪ ଦିନ ଯାଏଁ ଇସ୍ରୋକୁ ପଠାଇବ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଏପଟେ ଲ୍ୟାଣ୍ଡର ମଡ୍ୟୁଲ୍ ‘ବିକ୍ରମ’ ନିର୍ଦ୍ଧାରତ କକ୍ଷପଥରେ ଯାତ୍ରା ଜାରି ରଖିବ । ମାସ ମାସ ଧରି କିମ୍ବା ବର୍ଷ ବର୍ଷ ଧରି ବିଭିନ୍ନ ଗବେଷଣାରେ ସାହାଯ୍ୟ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । Spectro-polarimetry of Habitable Planet Earth (SHAPE) ପେଲୋଡ୍ ରହିଛି । ଏହା ଜରିଆରେ ସୌରମଣ୍ଡଳ ବାହାରେ ଥିବା ଗ୍ରହରେ ବସବାସ କରିବା ସମ୍ଭବ କି ନୁହେଁ ଏ ନେଇ ଗବେଷଣା କରିବେ ବୈଜ୍ଞାନିକ ।

The post ପ୍ରପଲସନ୍ ମଡ୍ୟୁଲଠାରୁ ଅଲଗା ହେଲା ଲ୍ୟାଣ୍ଡର: ସଫଳତାର ଆଉ ଏକ ପାଦ ଆଗେଇଲା ଚନ୍ଦ୍ରଯାନ-୩ first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started