ଚୁରମାର ହେଲା ନୀତୀଶଙ୍କ ପ୍ରଧାନମନ୍ତ୍ରୀ ସ୍ୱପ୍ନ! ମୋଦୀଙ୍କୁ ଚ୍ୟାଲେଞ୍ଜ କରୁଥିଲେ, ଏବେ ଦୋସ୍ତିର ହାତ ବଢ଼ାଇଲେ

କନକ ବ୍ୟୁରୋ: ସ୍ୱପ୍ନ ତ ଅନେକ ଦେଖନ୍ତି । କିନ୍ତୁ ଅନେକ ପୂରଣ କରିବାକୁ ଯାଇ ବାରମ୍ବାର ତଳେ କଚାଡି ପଡନ୍ତି । ଯାହା ନୀତୀଶଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଦେଶର ରାଜନୀତିରେ ନୀତୀଶ କୁମାର ଏବଂ ନରେନ୍ଦ୍ର ମୋଦୀ ଦୁଇ ସମସ୍କନ୍ଧ ନେତା । ଜଣେ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ । ଅନ୍ୟଜଣେ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନ ଏବେ ବି ଅଧୁରା ରହିଛି ।

୨୦୧୪ରୁ ନୀତୀଶ ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନ ଦେଖୁଛନ୍ତି । କିନ୍ତୁ ତାଙ୍କର ଏହି ସ୍ୱପ୍ନ ଧୂୂଳିସାତ ହୋଇ ଚାଲିଛି । ଏଥର ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀଙ୍କ ଭଳି ଚେହେରାକୁ ମାତ୍ ଦେବାକୁ ଇଣ୍ଡିଆ ମେଣ୍ଟ ଗଠନ ହୋଇଥିଲା । ଆଉ ଏହାର ମଞ୍ଜି ପୋତିଥିଲେ ନିଜେ ନୀତୀଶ କୁମାର । ଜେଡିୟୁ ସୁପ୍ରିମୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରେ ମମତାଙ୍କୁ ଭେଟିବା ପରେ ଏହି ମେଣ୍ଟ ରୂପ ନେଇଥିଲା । କିନ୍ତୁ ଏବେ ନିଜେ ମେଣ୍ଟରୁ ଓହରି ଆସିବା ଏବଂ ବିଜେପି ସହ ମିଶି ବିହାରରେ ସରକାର ଗଢିବା ପରେ ନୀତୀଶଙ୍କ ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନ ପୁଣିଥରେ ଧୂଳିସାତ ହୋଇଛି । ଆଉ ନିଜେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କହିଛନ୍ତି, ସେ ଆଉ ବିଜେପିଠୁ ଅଲଗା ହେବେନି । ତେବେ ପଲଟୁରାମ ଭାବେ ପରିଚିତ ଏହି ନେତାଙ୍କ ବୟାନ କିନ୍ତୁ ସମୟ ଅନୁସାରେ ବଦଳେ ।

  • ୧୦ ଅଗଷ୍ଟ ୨୦୨୨
  • ବିହାରରେ ଏନଡିଏରୁ ଅଲଗା ହେଲା ଜେଡିୟୁ

ଗତ ବର୍ଷ ଜୁନ୍ ୨୩ ତାରିଖରେ ନୀତୀଶ ପାଟନାରେ ବିରୋଧୀ ଦଳଗୁଡ଼ିକର ଏକ ବୈଠକ କରିବା ପରେ ଏବଂ ୧୫ଟି ଆଗଧାଡ଼ିର ବିରୋଧୀ ଦଳଙ୍କୁ ଗୋଟିଏ ମଞ୍ଚକୁ ଆଣିବା ପରଠାରୁ ଜେଡିୟୁ ବାରମ୍ବାର ନୀତୀଶଙ୍କୁ “ପ୍ରଧାନମନ୍ତ୍ରୀ” ପ୍ରାର୍ଥୀ ବୋଲି କହୁଥିଲା । ଏହାପରେ ବେଙ୍ଗାଲୁରୁ, ମୁମ୍ବାଇ ଏବଂ ଦିଲ୍ଲୀରେ ବିରୋଧୀଙ୍କ ଆଉ ତିନୋଟି ବୈଠକ ଅନୁଷ୍ଠିତ ହୋଇଥିଲା । କିନ୍ତୁ ବିରୋଧୀ ଏକତାର ନିର୍ମାତା ନୀତୀଶଙ୍କୁ ମେଣ୍ଟର ଆବାହକ ଭାବେ ନିଯୁକ୍ତ କରିବା ନେଇ ସର୍ବସମ୍ମତି ହୋଇନଥିଲା । ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଖଡଗେଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଆପ୍ ମଧ୍ୟ ଏହାକୁ ସମର୍ଥନ କରିଥିଲା । ଏହାପରେ ନୀତୀଶ ଧୈାର୍ଯ୍ୟ ହରାଇଥିବା କୁହାଯାଏ ।

  • ହଠାତ୍ ନୀତୀଶଙ୍କ ପାଇଁ କାହିଁକି ବିଜେପି ଖୋଲିଲା ଦ୍ୱାର?
  • କ’ଣ ରହିଛି ବିଜେପିର ଭିତିରିଆ ରାଜନୀତି?

୨୦୨୨ରେ ବିଜେପି ସହ ସଂପର୍କ ଛିନ୍ନ କରିବା ପରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, ସବୁଦିନ ପାଇଁ ନୀତୀଶଙ୍କ ବାଟ ବନ୍ଦ । କିନ୍ତୁ ଏବେ ବିଜେପି ରଣନୀତି ପରିବର୍ତନ କରିବା ପଛରେ ଇଣ୍ଡିଆ ମେଣ୍ଟକୁ ଦୁର୍ବଳ କରିବା ଉଦ୍ଦେଶ୍ୟ ବୋଲି କୁହାଯାଉଛି । ନୀତୀଶ କୁମାର ବିଜେପି ସହ ଆସିବା ପରେ ବିହାରରେ ୪୦ଟି ଲୋକସଭା ଆସନକୁ ଅଧିକ ଲାଭବାନ ହେବ ବୋଲି ଦଳ ଆଶା ରଖିଛିି । ଏନଡିଏ ବିହାରରେ ସାଧାରଣ ନିର୍ବାଚନରେ ସମସ୍ତ ଆସନ ଜିତିବାକୁ ଚାହୁଁଛି । ପଶ୍ଚିମବଙ୍ଗରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ଏବଂ ପଞ୍ଜାବରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଆସନ ବୁୁଝାମଣା ନେଇ ତିକ୍ତତା ରହିଛି । ଏହି ପର୍ଯ୍ୟାୟରେ ବିହାରରେ ଆରଜେଡି-ଜେଡିୟୁ ମେଣ୍ଟର ଅନ୍ତ ଇଣ୍ଡିଆ ମେଣ୍ଟ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଛି । ତେବେ ଏଥିରୁ ବିଜେପିକୁ ବହୁତ ଫାଇଦା ମିଳିବ ବୋଲି କୁହାଯାଉଛି । ବିହାରରେ ଜେଡିୟୁ କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଛି । ୨୦୧୦ ବିହାର ନିର୍ବାଚନରେ ୧୧୫ଟି ଆସନ ଜିତିଥିବା ବେଳେ ୨୦୧୫ରେ ୭୧ଟି ଓ ୨୦୨୦ରେ ମାତ୍ର ୪୩ଟି ଆସନ ଜିତିଥିବା ବେଳେ ବିଧାନସଭାରେ ଜେଡିୟୁର ସଂଖ୍ୟା କମିଚାଲିଛି ।

ଏହାପୂର୍ବରୁ ମହାରାଷ୍ଟ୍ରରେ ଏନସିପି-କଂଗ୍ରେସ ଏବଂ ଶିବସେନା ଗୋଷ୍ଠୀ ବିଜେପି ତୁଳନାରେ ବେଶ ପ୍ରଭାବଶାଳୀ ଥିଲା । ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇବା ପରେ କିନ୍ତୁ ପର୍ଯ୍ୟାୟକ୍ରମେ ଶିବସେନା ଓ ଏନସିପି ଦୁଇ ଭାଗ ହୋଇଗଲା । ଏପରି କରି ବିଜେପି ନିଜ ଉଦ୍ଦେଶ୍ୟରେ ସଫଳ ହୋଇଛି ।

The post ଚୁରମାର ହେଲା ନୀତୀଶଙ୍କ ପ୍ରଧାନମନ୍ତ୍ରୀ ସ୍ୱପ୍ନ! ମୋଦୀଙ୍କୁ ଚ୍ୟାଲେଞ୍ଜ କରୁଥିଲେ, ଏବେ ଦୋସ୍ତିର ହାତ ବଢ଼ାଇଲେ first appeared on Kanak News.

from Kanak News
via <a href="https://ifttt.com/?

କେମିତି ବଢ଼ିବ ଭାଷାଜ୍ଞାନ ଓ ସୃଜନଶୀଳତା? ‘ମୋ ସ୍କୁଲ ଅଭିଯାନ’ର ନିଆରା ପ୍ରୟାସ

କନକ ବ୍ୟୁରୋ: ଫେବ୍ରୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଏହି ଅବସରରେ ପିଲାଙ୍କ ମଧ୍ୟରେ ଭାଷାଜ୍ଞାନ ଓ ସୃଜନଶୀଳତା ବୃଦ୍ଧି କରିବା ପାଇଁ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋ ସ୍କୁଲ ଅଭିଯାନ । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।

ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଇତିହାସରେ ସେମାନଙ୍କ ନାଁ ଲିପିବଦ୍ଧ କରିବା ପାଇଁ ଏହି ଅବସରରେ ଏକ ବିଶ୍ୱ ରେକର୍ଡ କରିବାକୁ ଲକ୍ଷ୍ୟ ରଖାଯାଇଛି ।

  • ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ବିଶ୍ୱ ରେକର୍ଡ ପାଇଁ ଉଦ୍ୟମ
  • ‘ମୋ ସ୍କୁଲ ଅଭିଯାନ’ ପେଜରେ ଲେଖା ଅପଲୋଡ୍ କରିବେ ପ୍ରାୟ ୧ ଲକ୍ଷ ଛାତ୍ରଛାତ୍ରୀ

ନିକଟରେ ସାହିତ୍ୟ ସୃଜନୀ କ୍ଲବ ପକ୍ଷରୁ ସମସ୍ତ ରୂପାନ୍ତରିତ ହାଇସ୍କୁଲର ଛାତ୍ରଛାତ୍ରୀମାନେ ନଜ ସୃଜନଶୀଳତାର ପ୍ରଦର୍ଶନ କରିଥିଲେ । ବିଶ୍ୱ ରେକର୍ଡ ପାଇଁ ହାତଲେଖା ନୋଟ୍ଗୁଡିକର ଫଟୋ ଅପଲୋଡ କରିବେ ଛାତ୍ରଛାତ୍ରୀ ।

  • ରେକର୍ଡ ପାଇଁ ଛାତ୍ରଛାତ୍ରୀ ଗୋଟିଏ ଲେଖାଁଏ ହାତଲେଖା ନୋଟ୍ ପ୍ରସ୍ତୁତ କରିବେ
  • ଏ-୪ ସାଇଜ କାଗଜରେ ଲେଖିବାକୁ ହେବ
  • ଫେବ୍ରୁଆରୀ ୨ ତାରିଖ ଦିନ ୧୨ଟାରୁ ଗୋଟାଏ ମଧ୍ୟରେ ଅପଲୋଡ୍ କରିବାକୁ ପଡ଼ିବ

‘ଧନ୍ୟବାଦ ମୋ ସ୍କୁଲ, ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଓଡ଼ିଆ ଭାଷାରେ ମୋ କଥା ମୋ କାହାଣୀ ଲେଖି ମୁଁ ଗର୍ବିତ’ଲେଖିବା ସହ ଛାତ୍ରଛାତ୍ରୀମାନେ ନିଜ ନାଁ ସହ ସ୍କୁଲର ନାଁ ଲେଖିବେ । ଆମ ଓଡ଼ିଶା ପକ୍ଷରୁ ପ୍ରତିବର୍ଷ ସ୍କୁଲ ପିଲାଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି ପାଇଁ ଶ୍ରୁତଲିଖନ ଓ ଭାଷା ଜ୍ଞାନ ପରୀକ୍ଷା ହୋଇଥାଏ । ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ସ୍କୁଲରେ ଏହାକୁ କାର୍ଯ୍ୟକାରୀ କରିବାକୁ ପାଇଁ ପରାମର୍ଶ ଦେଇଛନ୍ତି ଭାଷାବିତ ଅସିତ ମହାନ୍ତି ।

ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ପାଇଁ ବଡ଼ ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ୩ ଦିନ ଧରି ଚାଲିବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ।

The post କେମିତି ବଢ଼ିବ ଭାଷାଜ୍ଞାନ ଓ ସୃଜନଶୀଳତା? ‘ମୋ ସ୍କୁଲ ଅଭିଯାନ’ର ନିଆରା ପ୍ରୟାସ first appeared on Kanak News.

from Kanak News
via <a href="https://ifttt.com/?

ଭକ୍ତ ବୁଲିବେ ପରିକ୍ରମା ମାର୍ଗ । ପ୍ରଥମ ଦିନରେ ଦଶ ହଜାର କଲେ ଜଗା ଦର୍ଶନ

କନକ ବ୍ୟୁରୋ: ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ୧୭ ତାରିଖର ଲୋକାର୍ପଣ ପରେ ରାଜ୍ୟବାସୀ ମାଗଣାରେ ବୁଲିବେ ପରିକ୍ରମା ମାର୍ଗ । ମାର୍ଗ ବୁଲାଇବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଆଜିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ଜିଲ୍ଲାରୁ ଦୈନିକ ପ୍ରାୟ ଦଶ ହଜାର ଭକ୍ତଙ୍କୁ ପୁରୀ ଆଣି ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ଅନ୍ତଃ ପ୍ରଦକ୍ଷିଣ କରାଯିବ । ପ୍ରଥମ ଦିନରେ ଗଞ୍ଜାମ, କଟକ, ମୟୁରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାର ଭକ୍ତ ସ୍ୱତନ୍ତ୍ର ବସରେ ଆସି ପରିକ୍ରମା ପ୍ରକଳ୍ପ ଦେଖିଛନ୍ତି । ସେମାନଙ୍କୁ ପ୍ରସାଦ ସ୍ୱରୂପ ଖଜା ପୁଡିଆ ଦିଆଯାଇଛି ।

ଆଜି ବିଭିନ୍ନ ଜିଲ୍ଲାରୁ ଆସିଥିବା ଭକ୍ତ ୩୦ଟି ସ୍ୱତନ୍ତ୍ର ବସରେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିଥିଲେ । ସେଠାରୁ ଶ୍ରୀଦାଣ୍ଡ ଦେଇ ପରିକ୍ରମା ମାର୍ଗ ଦେଖିଛନ୍ତି । ଆଉ ପରିକ୍ରମା ମାର୍ଗରେ ଅନ୍ତଃପ୍ରଦକ୍ଷିଣ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରି ଦିବ୍ୟ ଅନୁଭୂତି ଲାଭ କରିଛନ୍ତି । ଜଗନ୍ନାଥ ବଲ୍ଲଭ ପିଲିଗ୍ରୀମ ସେଣ୍ଟରରେ କରାଯାଇଥିବା ମ୍ୟୁଜିୟମ ବୁଲି ବି ଦେଖିଛନ୍ତି ଭକ୍ତ । ରାଜ୍ୟ ସରକାରଙ୍କ ଏହି ବ୍ୟବସ୍ଥା ଆଜିଠାରୁ ଆରମ୍ଭ ହୋଇ ଫେବୃଆରୀ ୧୮ ତାରିଖ ଯାଏଁ ଚାଲିବ । ପ୍ରତିଦିନ ବିଭିନ୍ନ ଜିଲ୍ଲାରୁ ୧୦ ହଜାର ଭକ୍ତ ପରିକ୍ରମା ପ୍ରକଳ୍ପ ବୁଲିବା ସହ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

The post ଭକ୍ତ ବୁଲିବେ ପରିକ୍ରମା ମାର୍ଗ । ପ୍ରଥମ ଦିନରେ ଦଶ ହଜାର କଲେ ଜଗା ଦର୍ଶନ first appeared on Kanak News.

from Kanak News
via <a href="https://ifttt.com/?

ନବ ଦାସ ହତ୍ୟାକାଣ୍ଡକୁ ପୂରିଲା ୧ ବର୍ଷ । ଶ୍ରଦ୍ଧାବାର୍ଷିକୀରେ ଝାରସୁୁଗୁଡ଼ାରେ ପ୍ରତିମୂର୍ତି ଉନ୍ମୋଚିତ, ମିନି ମାରାଥନ ଆୟୋଜିତ

କନକ ବ୍ୟୁରୋ: କାଲି ଭଳି ଲାଗୁଛି, ହେଲେ ଚାହୁଁଚାହୁଁ ଗୋଟିଏ ବର୍ଷ ବିତିଗଲାଣି । ଝାରସୁଗୁଡ଼ା ତଥା ସାରା ଓଡ଼ିଶାର ଲୋକପ୍ରିୟ ନେତା, ନବ କିଶୋର ଦାସଙ୍କ ମୃତ୍ୟୁକୁ ଗୋଟିଏ ବର୍ଷ ପୁରିଛି । ନବ ଦାସଙ୍କ ସ୍ମୃତି ସାଇତି ରଖିବା ପାଇଁ ଏବଂ ତାଙ୍କ ଅବଦାନକୁ ମନେ ପକାଇବା ପାଇଁ ଝାରସୁୁଗୁଡ଼ାରେ ଏକ ପ୍ରତିମୂର୍ତି ଉନ୍ମୋଚିତ ହୋଇଛି । ସେହିପରି ସର୍ବ ଧର୍ମସଭା ସହ ନବ ଦାସଙ୍କ ସ୍ମୃତିରେ ଏକ ମିନି ମାରାଥନର ଆୟୋଜନ ହୋଇଛି । ଆଉ ଏହାରି ଭିତରେ ନବ ଦାସଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରି ସରକାରଙ୍କୁ ଟାର୍ଗେଟ୍ କରିଛି ବିରୋଧୀ ।

ନବ କିଶୋର ଦାସ । କେବଳ ଝାରସୁଗୁଡ଼ା କାହିଁକି ସମଗ୍ର ଓଡ଼ିଶାର ଜଣେ ଜନପ୍ରିୟ ନେତା । ତାଙ୍କ ଅନୁପସ୍ଥିତିରେ ଯେମିତି ଝୁରି ହେଉଛି ଝାରସୁଗୁଡ଼ା ସହର । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରଥମ ଶ୍ରଦ୍ଧାବାର୍ଷିକୀରେ ତାଙ୍କୁ ମନେ ପକାଇବା ପାଇଁ ଝାରସୁୁଗୁଡ଼ାରେ ଏକ ପ୍ରତିମୂର୍ତି ଉନ୍ମୋଚିତ ହୋଇଛି । ସେହିପରି ସର୍ବ ଧର୍ମସଭା ଆୟୋଜନ କରାଯିବା ସହ ଏକ ମିନି ମାରାଥନର ଆୟୋଜନ ହୋଇଛି । ଝାରସୁଗୁଡ଼ା ସହରର ବିକାଶ ପାଇଁ ନବ ଦାସଙ୍କ ଅବଦାନକୁ ମନେ ରଖିବା ପାଇଁ ଏସପି ଅଫିସ୍ ନିକଟ ଛକକୁ ନବ ଦାସ ଛକ ନାଁରେ ନାମିତ କରାଯାଇଛି । ଏହି ଅବସରରେ ନବ ଦାସଙ୍କ ପରିବାର ଉପସ୍ଥ୍ିିତ ଥିଲେ । ଆଉ ଝାରସୁଗୁଡ଼ା ବିଧାୟକ ଦୀପାଳୀ ଦାସ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ ବୋଲି କହିଥିଲେ ।

ଏପଟେ ନବ ଦାସଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟର ଆଇନଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇଛି ବିରୋଧୀ ବିଜେପି । ଦଳ ଘଟଣା ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ଦାବି କରିଛି । ତେବେ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି ।

୨୦୨୩ ମସିହା ଜାନୁୟାରୀ ୨୯ ତାରିଖ । ଦଳୀୟ କାର୍ଯ୍ୟକ୍ରମ ପାଇଁ ବ୍ରଜରାଜନଗର ଗସ୍ତ କରିଥିଲେ ନବ ଦାସ । ଏହି ସମୟରେ ଗାନ୍ଧୀଛକ ଫାଣ୍ଡୀ ଏଏସଆଇ ଗୋପାଳ ଦାସ ନବ ଦାସଙ୍କୁ ଗୁଳି କରିଥିଲେ । ତୁରନ୍ତ ନବ ଦାସଙ୍କୁ ଉଦ୍ଧାର କରି ଝାରସୁଗୁଡା ହସ୍ପିଟାଲ ଓ ପରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଆଉ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜି ଦେଇଥିଲେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି, ତଦନ୍ତ ଚାଲିଛି, କିନ୍ତୁ ଗୁଳିକାଣ୍ଡର କାରଣକୁ ନେଇ ଏବେ ବି ଲୋକ ଅନ୍ଧାରରେ ଅଛନ୍ତି । ସତ କେବେ ସାମ୍ନାକୁ ଆସିବ ତାକୁ ଏବେ ବି ଅପେକ୍ଷା କରାଯାଇଛି । ଜଣେ ପୁଲିସ ଅଧିକାରୀ କାହିଁକି ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ପାଖରୁ ଗୁଳିମାରିଲେ ମୃତ୍ୟୁର ବର୍ଷେ ପରେ ବି ପର୍ଦ୍ଦାଫାସ ହୋଇପାରନାହିଁ ।

The post ନବ ଦାସ ହତ୍ୟାକାଣ୍ଡକୁ ପୂରିଲା ୧ ବର୍ଷ । ଶ୍ରଦ୍ଧାବାର୍ଷିକୀରେ ଝାରସୁୁଗୁଡ଼ାରେ ପ୍ରତିମୂର୍ତି ଉନ୍ମୋଚିତ, ମିନି ମାରାଥନ ଆୟୋଜିତ first appeared on Kanak News.

from Kanak News
via <a href="https://ifttt.com/?

ଦାୟିତ୍ୱ ନେଲେ ନୂଆ ପୁଲିସ କମିସନର ସଂଜୀବ ପଣ୍ଡା । ନୂଆ ଆହ୍ୱାନର ହେବେ ସମ୍ମୁଖୀନ । ସବୁ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ପ୍ରସ୍ତୁତ କହିଲେ ସଂଜୀବ

କନକ ବ୍ୟୁରୋ: ଦ୍ୱୈତ ନଗରୀର ଦାୟିତ୍ୱ ନେଇଛନ୍ତି ନୂଆ ପୁଲିସ କମିସନର । ୧୯୯୪ ବ୍ୟାଚର ଆଇପିଏସ ଅଫିସର ସଂଜୀବ ପଣ୍ଡା ନେଇଛନ୍ତି ଏହି ଗୁରୁ ଦାୟିତ୍ୱ । ପୂର୍ବରୁ ଗୁଇନ୍ଦା ବିଭାଗର ନିର୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଥିବା ଏହି ଅଫିସରଙ୍କ ଭରଷାରେ କଟକ ଏବଂ ଭୁବନେଶ୍ୱର । ଆଉ ନୂଆ କମିଶନର ହିସାବରେ ଦାୟିତ୍ୱ ନେବା ପରେ ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି ।

ନୂଆ କମିସନରଙ୍କ ପାଇଁ ଚ୍ୟାଲେଞ୍ଜ

  • ଆଗାମୀ ନିର୍ବାଚନକୁ ନେଇ ଭିଆଇପି ଓ ଭିଭିଆଇପିଙ୍କ ମୁଭମେଂଟ
  • ରାଜ୍ୟ ବାହାରୁ ଭୁବନେଶ୍ୱର ଆସୁଥିବା ଡେଲିଗେଟଙ୍କ ସୁରକ୍ଷା
  • ନେତା,ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ
  • ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ ସୁରକ୍ଷା
  • ଟ୍ୱିନସିଟିର ଅପରାଧ ନିୟନ୍ତ୍ରଣ ସହ ସାଇବର ଠକଙ୍କ ଉତ୍ପାତ
  • ପ୍ରୋ ପିପୁଲ ପୁଲିସିଂ, ଗ୍ରୀଭାନ୍ସ ଏବଂ ସିନିୟର ସିଟିଜନଙ୍କ ସୁରକ୍ଷା

ଅନ୍ୟପଟେ ଆଜି ଶେଷ ଦିନ ଭାବେ କାର୍ଯ୍ୟ କରି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ୧୯୯୫ ବ୍ୟାଚର ପୂର୍ବତନ ପୁଲିସ କମିଶନର ସୌମେଦ୍ର ପ୍ରିୟଦର୍ଶୀ । କୋଭିଡ ପରିଚାଳନା ଠାରୁ ହକି ବିଶ୍ୱକପ ୨୦୨୩ ପରିଚାଳନା ଥିଲା ବଡ ସଫଳତା । ପୁର୍ବରୁ ୨୦୧୩ ମସିହାରେ ଆଇଜି ଅପରସେନ ଭାବେ କାର୍ଯ୍ୟ କରି ପାରଦର୍ଶିତା ଲାଭ କରିଥିବା ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦେଶକ ଦାୟିତ୍ୱ ଦିଆଯାଇଛି ।

ଭୁବନେଶ୍ୱର ଓ କଟକର ଟ୍ରାଫିକ ସମସ୍ୟାଠାରୁ ଆରମ୍ଭ କରି ଅପରାଧୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଅଭିଯୁକ୍ତଙ୍କ ଗିରଫଦାରୀଠୁ ଆରମ୍ଭ କରି ଦଣ୍ଡବିଧାନ ଓ ଅପରାଧୀଙ୍କ ଉପରେ ନଜର ରଖିବା ଏକ ବଡ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି ।

The post ଦାୟିତ୍ୱ ନେଲେ ନୂଆ ପୁଲିସ କମିସନର ସଂଜୀବ ପଣ୍ଡା । ନୂଆ ଆହ୍ୱାନର ହେବେ ସମ୍ମୁଖୀନ । ସବୁ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ପ୍ରସ୍ତୁତ କହିଲେ ସଂଜୀବ first appeared on Kanak News.

from Kanak News
via <a href="https://ifttt.com/?

ଗାଁ ଭୋଟ ଉପରେ ବିଜେପିର ନଜର । ବିଜେପି ଆରମ୍ଭ କରିବ ଗାଁକୁ ଚାଲ ଅଭିଯାନ । ଫେବୃଆରୀ ୯ ତାରିଖରୁ ୧୧ ତାରିଖ ଯାଏଁ କାର୍ଯ୍ୟକ୍ରମ

କନକ ବ୍ୟୁରୋ: ୨୪ ନିର୍ବାଚନ ପାଇଁ ସବୁବର୍ଗର ଭୋଟରଙ୍କ ପାଖରେ ପହଞ୍ଚିବାକୁ ବିଜେପିର ଯୋଜନା । ମହିଳା, ଯୁବ ଓ ପଛୁଆବର୍ଗଙ୍କ ପରେ ବିଜେପି ଫୋକସରେ ଏବେ ଗାଁ ଭୋଟ । ଏଥିପାଇଁ ବିଜେପି ଆରମ୍ଭ କରିବ ଗାଁକୁ ଚାଲ ଅଭିଯାନ । ଫେବୃଆରୀ ୯ ତାରିଖରୁ ୧୧ ତାରିଖ ଯାଏଁ ୩ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଗାଁ ଭୋଟରଙ୍କୁ ନିଜ ଆଡକୁ ଆଣିବାକୁ ନକ୍ସା ପ୍ରସ୍ତୁତ କରିଛି ବିଜେପି ।

ଗାଁକୁ ଚାଲ ଅଭିଯାନ

  • ପ୍ରତି ବିଧାନସଭାରେ ଜଣେ ଜଣେ ସଂଯୋଜକ ନିଯୁକ୍ତ ହେବେ
  • ସବୁ ବର୍ଗର ଯୋଜନା ବିଷୟରେ ବୁଝାଯିବ
  • କର୍ମକର୍ତ୍ତା ଗାଁର ପ୍ରତ୍ୟେକ ପରିବାର ପାଖକୁ ଯିବେ
  • ଜଣେ କାର୍ଯ୍ୟକର୍ତ୍ତା ଗୋଟିଏ ଗାଁର ଦାୟିତ୍ୱ ନେବେ

ଗାଁକୁ ଚାଲ ଅଭିଯାନ ପାଇଁ ବିଜେପି ଯେଉଁ ନକ୍ସା ପ୍ରସ୍ତୁତ କରିଛି, ତାହା ଗାଁ ଭୋଟରଙ୍କୁ ପ୍ରଭାବ ପକାଇବ ବୋଲି ଆଶା ରଖିଛି ବିଜେପି । ପ୍ରସ୍ତୁତ ନକ୍ସା ଅନୁସାରେ…

ଗାଁକୁ ଚାଲ ଅଭିଯାନ ନକ୍ସା

  • କେନ୍ଦ୍ରୀୟ ଯୋଜନାର ଗାଁରେ ପହଞ୍ଚୁଛି କି ନାହିଁ, ସ୍ଥିତି ପରଖିବେ ନେତା
  • ଲୋକଙ୍କୁ କେନ୍ଦ୍ର ସହାୟତା ବାବଦରେ ପ୍ରଶ୍ନ କରାଯାଇ ସଚେତନ କରାଯିବ
  • କୋଟିଏ ପରିବାର ସହ ଜନସମ୍ପର୍କ କରିବେ ନେତା ଓ କର୍ମୀ
  • କେନ୍ଦ୍ର ସହାୟତା ବାବଦରେ ଲୋକଙ୍କୁ କୁହାଯିବ

ସେପଟେ ବିଜେଡି କହିଛି ନିର୍ବାଚନ ଆସିଲେ ବିରୋଧୀଙ୍କ ଗାଁ କଥା ମନେପଡେ । ବିଜେଡି ଗାଁ ଲୋକଙ୍କ ସହ ଥିଲା ଓ ଅଛି । ଦିଲ୍ଲୀରେ ଗତବର୍ଷ ବିଜେପି ବିଧାୟକ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଏହି ସମୟରେ ବିଧାୟକଙ୍କୁ ଏକ କୋଟି ପରିବାରଙ୍କ ପାଖରେ ପଂହଚିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏବେ ଗାଁକୁ ଚାଲ ଅଭିଯାନ ମାଧ୍ୟମରେ ସେହି ପରିବାରକୁ ଭେଟିବେ ବିଜେପି ନେତା ଓ କର୍ମୀ ।

The post ଗାଁ ଭୋଟ ଉପରେ ବିଜେପିର ନଜର । ବିଜେପି ଆରମ୍ଭ କରିବ ଗାଁକୁ ଚାଲ ଅଭିଯାନ । ଫେବୃଆରୀ ୯ ତାରିଖରୁ ୧୧ ତାରିଖ ଯାଏଁ କାର୍ଯ୍ୟକ୍ରମ first appeared on Kanak News.

from Kanak News
via <a href="https://ifttt.com/?

ବିଜେଡିରେ ମିଶିଲେ ଯାତ୍ରା କଳାକାର । ଦୈତାରୀ ପଣ୍ଡା, ବାପି ପଣ୍ଡାଙ୍କ ସମେତ ଦଳରେ ସାମିଲ ହେଲେ ୩୦୦ କଳାକାର

କନକ ବ୍ୟୁରୋ: ଯାତ୍ରା ମଞ୍ଚରେ ଦର୍ଶକଙ୍କୁ ମୋହିତ କରୁଥିବା କଳାକାରଙ୍କୁ ରାଜନୀତିର ମଞ୍ଚରେ ଦେଖିବାକୁ ମିଳିବ । ଯାତ୍ରା ଦୁନିଆର ପରିଚିତ ନାଁ ଦୈତାରୀ ପଣ୍ଡା, ବାପି ପଣ୍ଡା, ଶିବରାମ ପଣ୍ଡା, ସୁବାସ ବେହେରାଙ୍କ ଭଳି ବଛା ବଛା ୨୯ ଜଣ କଳାକାର ବିଜେଡିରେ ଯୋଗ ଦେଇଛନ୍ତି । ସେହିପରି ୩୦ଟି ଜିଲ୍ଲାରୁ ପ୍ରାୟ ୩ଶହ କଳାକାର ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତି ତାଙ୍କୁ ରାଜନୀତି ଆଡକୁ ଟାଣି ଆଣିଛି ।

ମଞ୍ଚ ଉପରେ ଜୀବନ୍ତ ଅଭିନୟ କରି, ଦର୍ଶକଙ୍କୁ ବାନ୍ଧି ରଖିପାରୁଥିବା କଳାକାର, କାହାଣୀ ଅନୁସାରେ ଭୂମିକା ତୁଳାନ୍ତି । କେତେବେଳେ ନାୟକ, ତ ଆଉ କେତେବେଳେ ଖଳନାୟକ । କେତେବେଳେ ଖାକି ବର୍ଦ୍ଦି ପିନ୍ଧି ପୁଲିସ ଅଫିସର୍, ତ ଆଉ କେତେବେଳେ ଖଦି ପୋଷାକ ପିନ୍ଧି ରାଜନେତା । ଅଭିନୟ ଦୁନିଆରେ ବାସ୍ତବ ଚରିତ୍ରକୁ ଜିଉଁଥିବା ଏମିତି କିଛି କଳାକାରଙ୍କୁ ରାଜନୀତିରେ ମଞ୍ଚରେ ଦେଖିବାକୁ ମିଳିବ । କାରଣ, ଯାତ୍ରା ଦୁନିଆର କିଛି ବଛା ବଛା କଳାକାର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

  • ସିନେ କଳାକାରଙ୍କ ପରେ ଯାତ୍ରା କଳାକାର
  • ବିଜୁ ଜନତା ଦଳରେ ସାମିଲ ହେଲେ ମଞ୍ଚ ଅଭିନେତା

ଦୈତାରୀ ପଣ୍ଡା, ବାପି ପଣ୍ଡା, ଚୈତନ୍ୟ ପାଇକ, ରମେଶ ନାୟକ, ସୁବାସ ବେହେରା, ଶିବରାମ ପଣ୍ଡାଙ୍କ ସମେତ ୨୯ଜଣ କଳାକାର ବିଜେଡିରେ ଯୋଗଦେଇଛନ୍ତି । ସେହିଭଳି ସାରା ଓଡିଶାରୁ ୩ଶହ କଳାକାର ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟରେ ସାମିଲ ହୋଇଛନ୍ତି କଳାକାର । ସିନେ କଳାକାରଙ୍କ ଭଳି ମଞ୍ଚ ଅଭିନୟରେ ବେଶ ସଫଳ ଓ ଲୋକପ୍ରିୟ ଏହି ଯାତ୍ରା କଳାକାର ବିଜେଡିରେ ସାମିଲ ହୋଇଛନ୍ତି । ବଡ଼ କଥା ହେଉଛି, ନିର୍ବାଚନ ରାଜନୀତିରେ ସୁଯୋଗ ମିଳିଲେ, ମୈଦାନକୁ ଓହ୍ଲାଇବା ପାଇଁ ବି ଅନେକ ପ୍ରସ୍ତୁତ ।

ଅଭିନୟ ଜରିଆରେ ଲୋକଙ୍କ ପାଖରେ ପହଞ୍ଚି ପାରିଥିବା ଏବଂ ଲୋକପ୍ରିୟତା ହାସଲ କରିଥିବା ଏହି ମଞ୍ଚ କଳାକାର, ଓଡ଼ିଶାର ଘରେ ଘରେ ପରିଚିତ । ଏହି ଲୋକପ୍ରିୟତାକୁ ରାଜନୀତି ଜରିଆରେ ଜନସେବାରେ ଲଗାଇବା ପାଇଁ ଆଗେଇ ଆସିଛନ୍ତି ମଞ୍ଚ କଳାକାର । ଆଉ ଏମାନଙ୍କୁ ସୁଯୋଗ ଦେଇଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ସ୍ୱଚ୍ଛ ଭାବମୁର୍ତିକୁ ଦୃଷ୍ଟିରେ ରଖି ବିଜେଡିରେ ସାମିଲ ହେବା ପାଇଁ ଏହି କଳାକାରମାନେ ଆଗ୍ରହ ପ୍ରକାଶ କରିଥିଲେ । ଏମିତି କି ବିଧିବଦ୍ଧଭାବେ ଦଳରେ ସାମିଲ ହେବା ପାଇଁ ଆବେଦନ କରିଥିଲେ । ଯାହାକୁ ଅନୁମୋଦନ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ମଞ୍ଚ ଅଭିନୟ ଜରିଆରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଥିବା ଏହି କଳାକାରଙ୍କୁ ଯଦି ସୁଯୋଗ ମିଳେ, ପ୍ରତ୍ୟକ୍ଷ ରାଜନୀତିରେ କେତେ ସଫଳ ହେଉଛନ୍ତି, ତାହା ହୁଏତ ଆଗାମୀ ଦିନରେ ଜଣାପଡ଼ିବ ।

The post ବିଜେଡିରେ ମିଶିଲେ ଯାତ୍ରା କଳାକାର । ଦୈତାରୀ ପଣ୍ଡା, ବାପି ପଣ୍ଡାଙ୍କ ସମେତ ଦଳରେ ସାମିଲ ହେଲେ ୩୦୦ କଳାକାର first appeared on Kanak News.

from Kanak News
via <a href="https://ifttt.com/?

ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ । ମୋବାଇଲରୁ ଦୂରେଇ ରହିବା, ଫିଟନେସ୍ ପ୍ରତି ଦୃଷ୍ଟି ଦେବାକୁ କହିଲେ ମୋଦୀ

କନକ ବ୍ୟୁରୋ: ପରୀକ୍ଷା ପେ’ ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲକ୍ଷ୍ୟସ୍ଥିର କରି ଆଗକୁ ବଢ଼ିବା ସହ ଚାପଗ୍ରସ୍ତ ନ ହେବାକୁ ସେ ପିଲାଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟ ପିଲାଙ୍କ ସହ ତୁଳନା ନକରିବାକୁ ଅଭିଭାବକଙ୍କୁ ବି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଆଜି ପରୀକ୍ଷା ପେ ଚର୍ଚ୍ଚା ବେଳେ ବାଙ୍କୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ମୋଦୀ ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ରାଜଲକ୍ଷ୍ମୀ ଆଚାର୍ଯ୍ୟ ପରୀକ୍ଷା ହଲରେ କିପରି ଚାପମୁକ୍ତ ରହିବେ ସେନେଇ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ । ତାଙ୍କ ପ୍ରଶ୍ନର ଉତ୍ତର ରଖି ଉପାଦେୟ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ।

  • ପରୀକ୍ଷା ଚାପରୁ କେମିତି ରହିବେ ମୁକ୍ତ?
  • ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ

ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଖେଇ ଆସୁଥିବାରୁ କିପରି ଛାତ୍ରଛାତ୍ରୀମାନେ ଚାପମୁକ୍ତ ରହିବେ, ଏ ନେଇ ଉପାଦେୟ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ‘ପରୀକ୍ଷା ପେ’ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି ନରେନ୍ଦ୍ର ମୋଦୀ । ପରୀକ୍ଷା ନେଇ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ପ୍ରତିଯୋଗିତା ଓ ଆହ୍ୱାନ ପ୍ରେରଣା ଦେଇଥାଏ, କିନ୍ତୁ ସୁସ୍ଥ ପ୍ରତିଯୋଗିତା ହେବା ଜରୁରୀ । ପିଲାଙ୍କ ରିପୋର୍ଟ କାର୍ଡକୁ ବାପା-ମାଆ ସେମାନଙ୍କ ଭିଜିଟିଂ କାର୍ଡ ନଭାବନ୍ତୁ ।

ଆଜିର ଛାତ୍ରଛାତ୍ରୀ, ଭାରତର ଭବିଷ୍ୟତ ନିର୍ମାତା ବୋଲି କହିଛନ୍ତି ମୋଦୀ । କିନ୍ତୁ ଛାତ୍ରଛାତ୍ରୀଙ୍କ ଉପରେ ବାପା ମାଆଙ୍କ ଚାପ, ସହପାଠୀଙ୍କ ଚାପ, ନିଜେ ସୃଷ୍ଟି କରିଥିବା ଚାପ ପଡିଥାଏ । ‘ପରୀକ୍ଷା ପେ’ ଚର୍ଚ୍ଚା’ ସପ୍ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଚାପ ଯୋଗୁଁ ପିଲାମାନଙ୍କ ପ୍ରଦର୍ଶନ ପ୍ରଭାବିତ ହୋଇଥାଏ । ତେବେ ଛୋଟ ଛୋଟ ଲକ୍ଷ୍ୟ ସ୍ଥିର କରି ପରୀକ୍ଷା ପ୍ରସ୍ତୁତି କରିବା ଆବଶ୍ୟକ, ଫଳରେ ପରୀକ୍ଷା ପୂର୍ବରୁ ପ୍ରସ୍ତୁତି ଶେଷ ହୋଇ ଯାଇଥିବ ।

  • ପରୀକ୍ଷା ପାଇଁ ପ୍ରସ୍ତୁତି
  • କି ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ?

ସୁସ୍ଥ ଶରୀର, ଗଭୀର ନିଦ୍ରା, ସନ୍ତୁଳିତ ଆହର ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ ।

ପରୀକ୍ଷା ପାଇଁ ପରାମର୍ଶ

  • ମୋବାଇଲରୁ ଦୂରେଇ ରୁହନ୍ତୁ
  • ଗୋଟିଏ ପରେ ଗୋଟିଏ ରିଲ୍ସ ଦେଖିଲେ ଭଲ ନିଦ ହେବନାହିଁ
  • ଗଭୀର ନିଦ ଶରୀର ପାଇଁ ଜରୁରୀ
  • ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଉପରେ ଗୁରୁତ୍ୱ

ମନକୁ ସୁସ୍ଥ ରଖିବାକୁ ହେଲେ ଶରୀର ସୁସ୍ଥ ରହିବା ଆବଶ୍ୟକ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଦୁଇ ଜଣ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକଙ୍କୁ ନିମନ୍ତ୍ରଣ କରାଯାଇଥିଲା । କଳା ଉତ୍ସବର ବିଜେତାମାନେ ମଧ୍ୟ ଉପସ୍ଥିତ ଥିଲେ । ମାଇଁ-ଜିଓଭି ପୋର୍ଟାଲରେ ଏଥର ୨ କୋଟି ୨୬ ଲକ୍ଷ ପଞ୍ଜିକରଣ କରିଥିଲେ ।

The post ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ । ମୋବାଇଲରୁ ଦୂରେଇ ରହିବା, ଫିଟନେସ୍ ପ୍ରତି ଦୃଷ୍ଟି ଦେବାକୁ କହିଲେ ମୋଦୀ first appeared on Kanak News.

from Kanak News
via <a href="https://ifttt.com/?

ବାଜିଲା ରାଜ୍ୟସଭା ବିଗୁଲ୍ । ଓଡ଼ିଶାର ୩ଟି ଆସନ ସହ ଫେବ୍ରୁଆରୀ ୨୭ରେ ୧୫ଟି ରାଜ୍ୟରେ ହେବ ନିର୍ବାଚନ । କାହାକୁ ନୂଆ ଚେହେରା କରିବ ବିଜେଡି, ଆରମ୍ଭ ହେଲା ଚର୍ଚ୍ଚା

କନକ ବ୍ୟୁରୋ: ରାଜ୍ୟରେ ୩ଟି ରାଜ୍ୟସଭା ଆସନ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ଫେବ୍ରୁଆରୀ ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏଥିପାଇଁ ନିର୍ବାଚନ ହେବ । ନିର୍ବାଚନ ପାଇଁ ଫେବ୍ରୁଆରୀ ୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୭ ତାରିଖ ଦିନ ନିର୍ବାଚନ ହେବା ସହ ଫଳାଫଳ ଘୋଷଣା ହେବ ।

  • ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ
  • ୧୫ ରାଜ୍ୟର ୫୬ ଆସନରେ ହେବ ଭୋଟ
  • ଓଡ଼ିଶାରେ ଖାଲି ପଡୁଛି ୩ ଆସନ

ଏପ୍ରିଲ ମାସରେ ଖାଲି ପଡୁଥିବା ୫୬ଟି ଆସନରେ ନିର୍ବାଚନ ପାଇଁ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ କମିସନ ।

ରାଜ୍ୟସଭା ନିର୍ବାଚନ

  • ଫେବ୍ରୁଆରୀ ୮ – ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
  • ଫେବ୍ରୁଆରୀ ୧୫ – ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ
  • ଫେବ୍ରୁଆରୀ ୧୬ – ପ୍ରାର୍ଥୀପତ୍ର ଯାଞ୍ଚ
  • ଫେବ୍ରୁଆରୀ ୨୦ – ପ୍ରାର୍ଥୀପତ୍ର ପ୍ରତ୍ୟାହାର
  • ଫେବ୍ରୁଆରୀ ୨୭ – ରାଜ୍ୟସଭା ନିର୍ବାଚନ

ଏପ୍ରିଲ ୩ ତାରିଖରେ ସରୁଛି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ । ଏହି ୩ ଆସନରେ ଫେବ୍ରୁଆରୀ ୨୭ ତାରିଖରେ ହେବ ଭୋଟ । ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭା ନିର୍ବାଚନ ଘୋଷଣା ହୋଇଥିବାରୁ ଏହା ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ସାଧାରଣ ନିର୍ବାଚନରେ ଯେଉଁ ବରିଷ୍ଠ ନେତା ଟିକେଟ୍ ପାଇନଥାନ୍ତି, ସେମାନଙ୍କୁ ରାଜ୍ୟସଭାରେ ଥଇଥାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଥାଏ । ଏଥର ଏହି ସୁଯୋଗ ମିଳିବ ନାହିଁ ।

ଓଡ଼ିଶାର ରାଜ୍ୟସଭା ଗଣିତ

  • ବିଧାନସଭା ଆସନ ସଂଖ୍ୟା ୧୪୭
  • ବିଜେଡିର ୧୧୪ ଆସନ ଥିବା ବେଳେ ୪ ଜଣ ଦଳରୁ ବହିଷ୍କୃତ
  • ଖାଲି ପଡିଛି ସୂର୍ଯ୍ୟ ପାତ୍ରଙ୍କ ଆସନ
  • ବିଜେପି ପାଖରେ ୨୨ ଆସନ
  • କଂଗ୍ରେସର ୯ ବିଧାୟକ
  • ସ୍ୱାଧୀନ – ୧, ସିପିଏମ୍ – ୧

ଜଣେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତିବା ଲାଗି ୩୭ ପ୍ରଥମ ପସନ୍ଦ ଭୋଟ ଆବଶ୍ୟକ । ଫଳରେ ୩ ପ୍ରାର୍ଥୀଙ୍କ ପାଇଁ ଆବଶ୍ୟକ ୧୧୧ ଭୋଟ । ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିଳିଲେ ୩ଟି ଯାକ ରାଜ୍ୟସଭା ଆସନରେ ବିଜୟୀ ହୋଇପାରିବ ବିଜେଡି ।

୨୦୧୯ରେ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଥିଲା ଉଭୟ ବିଜେପି ଓ ବିଜେଡି । ଯାହାକୁ ନେଇ ସରଗରମ ହୋଇଥିଲା ରାଜନୀତି । ତେବେ ଏଥର ରାଜ୍ୟସଭା ନିର୍ବାଚନରେ ଏପରି କିଛି ଦେଖିବାକୁ ମିଳିବ ନା’ ଆଉ କିଛି ସରପ୍ରାଇଜ୍ ଦେବେ ବିଜେଡି ସୁପ୍ରିମୋ, ତା’ ଉପରେ ରହିଛି ସମସ୍ତଙ୍କ ନଜର ।

The post ବାଜିଲା ରାଜ୍ୟସଭା ବିଗୁଲ୍ । ଓଡ଼ିଶାର ୩ଟି ଆସନ ସହ ଫେବ୍ରୁଆରୀ ୨୭ରେ ୧୫ଟି ରାଜ୍ୟରେ ହେବ ନିର୍ବାଚନ । କାହାକୁ ନୂଆ ଚେହେରା କରିବ ବିଜେଡି, ଆରମ୍ଭ ହେଲା ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶା ବଞ୍ଚାଅ ସମାବେଶରେ ବର୍ଷିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ । କହିଲେ, ବିଜେଡି-ବିଜେପି ଭିତରେ ହେଇଛି ଲଭ୍ ମ୍ୟାରେଜ୍ । ଓଡ଼ିଶାରେ ଯାହାବି ହୋଇଛି କଂଗ୍ରେସ ସମୟରେ

କନକ ବ୍ୟୁୁରୋ: ୨୦୧୯ ପରେ, ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ରଣହୁଙ୍କାର ଦେଇଛି । ରାଜ୍ୟରେ ଦୁର୍ବଳ ହୋଇପଡୁଥିବା କଂଗ୍ରେସ, ଏଆଇସିସି ଅଧ୍ୟକ୍ଷ ମଲ୍ଳିକାର୍ଜ୍ଜୁନ ଖଡଗେଙ୍କ ଗସ୍ତବେଳେ ଶକ୍ତି ପ୍ରଦର୍ଶନ କରିଛି । ଖଡଗେ ଭୁବନେଶ୍ୱର ବିମାନବନନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିବା ସହ ବିଶାଳ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ ଦଳୀୟ ନେତା ଓ କର୍ମୀ । ତାପରେ ଲୋୟର ପିଏମଜିରେ ଆୟୋଜିତ ଓଡିଶା ବଞ୍ଚାଅ ସମାବେଶରେ ସାମିଲ ହୋଇଥିିଲେ ।

  • କଂଗ୍ରେସର ଶକ୍ତି ପ୍ରଦର୍ଶନ
  • ଖଡଗେ ବଜାଇଲେ ନିର୍ବାଚନୀ ବିଗୁଲ
  • ଟାର୍ଗେଟରେ ବିଜେଡି-ବିଜେପି

ସଭାରେ ଉପସ୍ଥିତ ହଜାର ହଜାର କଂଗ୍ରେସ କର୍ମୀଙ୍କୁ ସମ୍ବୋଧନ କରିଥିଲେ ମଲ୍ଳିକାର୍ଜ୍ଜୁନ ଖଡଗେ । ସଭାମଞ୍ଚରୁ ଉଭୟ ବିଜେଡି ଓ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ । ତେବେ କଂଗ୍ରେସ ସରକାର ଅମଳର ସଫଳତା ଓ ବିଜେଡି -ବିଜେପି ସରକାରର ବିଫଳତାକୁ ଗଣାଇଛନ୍ତି ଖଡଗେ । ଏଥିସହ ବିଜେଡି ଓ ବିଜେପି ମଧ୍ୟରେ ଲଭ୍ ମ୍ୟାରେଜ୍ ହୋଇଛି କହି କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

ଅନ୍ୟପଟେ ଅଧ୍ୟକ୍ଷଙ୍କ ଗସ୍ତକୁ ନେଇ ଦଳୀୟ ନେତା ଓ କର୍ମୀ ବେଶ ଉତ୍ସାହିତ ହୋଇପଡିଛନ୍ତି । ଲୋୟର ପିଏମଜିରେ ଆୟୋଜିତ ସମାବେଶର ହଜାର ହଜାର ସଂଖ୍ୟାରେ ଶକ୍ତି ଦେଖାଇଛନ୍ତି । କେବଳ ଏତିକି ନୁହେଁ ସବୁବେଳେ ଦଳୀୟ କନ୍ଦଳ ପାଇଁ ଅପଖ୍ୟାତି ଅର୍ଜନ କରୁଥିବା ରାଜ୍ୟ କଂଗ୍ରେସର ନେତାମାନେ ଏକାଠି ବସି ସଭାମଞ୍ଚରୁ ଏକତାର ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି । ଏହି ସଭାରେ ସାମିଲ ହୋଇ ସ୍ୱର୍ଗତ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ, ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ପ୍ରଭାରୀ ଅଜୟ କୁମାର । ଏଥିସହ ନିର୍ବାଚନୀ ବିଗୁଲ ବାଜି ସାରିଛି, ଆଗକୁ ବ୍ୟାଣ୍ଡ ବାଜିବ ବୋଲି କହିଛନ୍ତି ପିସିସି ପ୍ରଭାରୀ ।

ସମାବେଶ ପରେ ଦଳର ବରିଷ୍ଠ ନେତା ଓ ବିଧାୟକଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି ଖଡଗେ । ଛାମୁଆ ସଂଗଠନର ସଭାପତିମାନଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାବେଳେ ଖଡଗେଙ୍କ ଗସ୍ତ ଦଳୀୟ କର୍ମୀଙ୍କ ଭିତରେ ଜୋସ୍ ଭରିବ ବୋଲି କୁହାଯାଉଛି । ଏଥିସହ ଇଣ୍ଡିଆ ମେଣ୍ଟର ରାଜ୍ୟ ନେତୃତ୍ୱଙ୍କ ସହ ଭେଟି ଆଲୋଚନା କରିଛନ୍ତି ଖଡଗେ ।

The post ଓଡ଼ିଶା ବଞ୍ଚାଅ ସମାବେଶରେ ବର୍ଷିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ । କହିଲେ, ବିଜେଡି-ବିଜେପି ଭିତରେ ହେଇଛି ଲଭ୍ ମ୍ୟାରେଜ୍ । ଓଡ଼ିଶାରେ ଯାହାବି ହୋଇଛି କଂଗ୍ରେସ ସମୟରେ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started