ତୃତୀୟ ଦିନରେ ଆଇଟି ରେଡ୍: ୩ କୋଟି ଓ କେଜିଏ ସୁନା ଜବତ!

କନକ ବ୍ୟୁରୋ: କୁବେର କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢାଉ ଜାରି ରହିଛି । ତିନି ଦିନ ଧରି ଚଢାଉ ଚାଲିଥିବା ବେଳେ ନଗଦ ୩ କୋଟି ଟଙ୍କା ଓ ପୁଳା ପୁଳା ସୁନା ଜବତ ହୋଇଛି । ଚଢାଉ ଜାରି ରହିଥିବା ବେଳେ ଆଗକୁ ସଂପତିର ପରିମାଣ ବଢିବା ସମ୍ଭାବନା ରହିଛି ।

ଆୟକର ବିଭାଗର ରାଡାରରେ ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆ । ଛତିଶଗଡ ଓ ଓଡିଶା ସୁନ୍ଦରଗଡ, ରାଜଗାଙ୍ଗପୁର ଓ ରାଉରକେଲା ସମେତ ବିଭିନ୍ନ ଠିକଣାରେ ତୃତୀୟ ଦିନ ପାଇଁ ରେଡ ଚାଲିଛି । ଆୟକର ବିଭାଗର ଶହ ଶହ ଅଧିକାରୀ ଓ ସିଆରପିଏଫ ଏହି ରେଡରେ ସାମିଲ ହୋଇଛନ୍ତି । ସୁନ୍ଦରଗଡ ଓ ଛତିଶଗଡର ବିଶିଷ୍ଟ କୋଇଲା ବ୍ୟବସାୟୀ ହେଉଛନ୍ତି ଘନଶ୍ୟାମ ଡାଲମିଆ ।

ରେଡ୍ ଚାଲିଛି
-ସୁନ୍ଦରଗଡ, ଗୋପାଳପୁରରେ ଥିବା କୋଠା ଓ ଅଫିସ
-ବିଲେଇମୁଣ୍ଡାର ଅଫିସ, ଘର, ଶୋ ରୁମ ଓ ସ୍ପଞ୍ଜ ଆଇରନ କାରଖାନା
-ଏମସିଏଲ କୋଇଲା ପରିବହନ ସାଇଟ
-ଛତିଶଗଡ ରାୟଗଡର ଷ୍ଟିଲ, ଆଇରନ, ପାୱାର ପ୍ଲାଂଟ କାରଖାନା ଓ ବାସଭବନ
-ରାୟପୁର ଘର ଓ ଅଫିସ
-ବିଳାସପୁର ହୋଟେଲ

ଏହାଛଡା ଘନଶ୍ୟାମ ଡାଲମିଆଙ୍କ ବଡଭାଇ ବବୁଲ ଡାଲମିଆଙ୍କ ରାଉରକେଲା ଧର ଓ ବରପାଲିସ୍ଥିତ ଫ୍ୟାକ୍ଟ୍ରିରେ ବି ରେଡ୍ ହୋଇଛି । ଘନଶ୍ୟାମ ଡାଲମିଆଁଙ୍କ ଛତିଶଗଡ, ଓଡିଶା, କୋଲକାତା ମୁମ୍ବାଇ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ କୋଇଲା, ହୋଟେଲ ଓ ଅନ୍ୟାନ୍ୟ ବ୍ୟବସାୟ ରହିଛି । ରେଡ ସମୟରେ ୩ କୋଟି ଓ କେଜିଏ ସୁନା ଜବତ ହୋଇଥିବା କୁହାଯାଉଛି ।  ଚଢାଉ ସ୍ଥାନକୁ ସିଲ କରାଯାଇଛି । ମୋବାଇଲକୁ ବି ସିଜ କରାଯାଇଛି । ରାଜ୍ୟର ୧୦ଟି ସ୍ଥାନରେ ଏହି ରେଡ ଚାଲିଛି । ଏହାଛଡା ମୁମ୍ବାଇ, କୋଲକାତା, ମଧ୍ୟପ୍ରଦେଶ ଓ ଛତିଶଗଡରେ ବି ରେଡ୍ ଚାଲିଛି । କୋଇଲା ପରିବହନରେ କିଭଳି ଶହ ଶହ କୋଟିର ଟିକସ ଠକେଇ କରାଯାଏ ତାହା ଏହି ରେଡରୁ ପଦାକୁ ଆସିବ ବୋଲି କୁହାଯାଉଛି ।

The post ତୃତୀୟ ଦିନରେ ଆଇଟି ରେଡ୍: ୩ କୋଟି ଓ କେଜିଏ ସୁନା ଜବତ! first appeared on Kanak News.

from Kanak News
via <a href="https://ifttt.com/?

ଫୁଲକୋବିର ଅଭାବୀ ବିକ୍ରି: କିଲୋକୁ ମାତ୍ର ୨ ଟଙ୍କା

କନକ ବ୍ୟୁରୋ: ଅଭାବି ବିକ୍ରି ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ବଜାରରେ ଯେଉଁ ଫୁଲକୋବି ଗୋଟାକୁ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଥିଲା । ସେହି ଫୁଲକୋବିକୁ ଏବେ କିଲୋ ପିଛା ୨ ଟଙ୍କାରେ ବିକ୍ରି କଲେ ବି କେହି ନେଉ ନାହାନ୍ତି । ଗଂଜାମ ଜିଲ୍ଲା ଛତ୍ରପୁରରୁ ଆସିଛି ଫୁଲକୋବି ଅଭାବୀ ବିକ୍ରିର ଖବର । ସେହିପରି ଘନ କୁହୁଡି ଯୋଗୁଁ ପନିପରିବା ଚାଷରେ ରୋଗପୋକର ପ୍ରାଦୁର୍ଭାବ ବଢିଛି । ଯାହାକୁ ନେଇ ଅସ୍ତରଙ୍ଗର ଚାଷୀ ବ୍ୟାପକ କ୍ଷତି ସହୁଛନ୍ତି ।

ଅଭାବୀ ବିକ୍ରିର ଶିକାର ଚାଷୀଙ୍କୁ ହତାଶ କରିିଛି । ଅନ୍ୟପଟେ ରାଜ୍ୟରେ ଜାରି ଘନ କୁହୁଡି ମଧ୍ୟ ଚାଷୀର ଅଂଟା ଭାଙ୍ଗି ଦେଇଛି । ଚାଷୀ ଦୁର୍ଦ୍ଦଶାର ଦୁଇଟି ଖବର ଆସିଛି ଗଂଜାମ ଓ ପୁରୀ ଜିଲ୍ଲାରୁ ।

ହାଡ ଭଙ୍ଗା ପରିଶ୍ରମ କରି କ୍ଷେତରେ ସୁନା ଫଳାଇଛି ଚାଷୀ । ଏଥର ଅମଳ ବି ଭଲ ହୋଇଛି । ହେଲେ ଫୁଲ କୋବି କିଣିବାକୁ କେହି ଆସୁ ନାହାନ୍ତି । ମାସେ ହେଲା ଅଭାବି ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଗଂଜାମ ଜିଲ୍ଲା ସାନରାମଚନ୍ଦ୍ରପୁର, ଝାରେଡି ରାଧାଗୋବିନ୍ଦପୁର ଓ ସୁବଳୟା ପଂଚାୟତରେ ଫୁଲକୋବିର ଅଭାବି ବିକ୍ରି ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । କିଛି ଉପାୟ ନପାଇ ଫୁଲକୋବି କିଲୋ ପିଛା ୨ ଟଙ୍କାରେ ବିକ୍ରି କରିବାକୁ ଚାଷୀ ବାଧ୍ୟ ହେଉଛି । ସେହି ଦରରେ ବି ନେବାକୁ ବ୍ୟବସାୟୀ ଆସୁନଥିବାରୁ କୋବି କ୍ଷେତରେ ପଡି ପଡି ନଷ୍ଟ ହେବାକୁ ବସିଛି ।

କ୍ଷେତରେ ଫଳିଥିବା ଫୁଲକୋବିକୁ ଦେଖି ଚାଷୀ ଆଶା ରଖିଥିଲା, ବିକ୍ରି ବଟା କରି ଆଣିଥିବା ରୁଣ ସୁଝିବ । ବଳକା ଟଙ୍କାକୁ ପରିବାର ଚଳଣି ଓ ପରବର୍ତି ଚାଷ ପାଇଁ ରଖିବ । ହେଲେ ଅଭାବୀ ବିକ୍ରି ଏମିତି ସ୍ଥିତି କଲା ଯେ ଚାଷ ବାବଦକୁ ହୋଇଥିବା ଖର୍ଚ୍ଚ ବି ବାହାରିବା ମୁସ୍କିଲ ହୋଇପଡିଛି ।

ଘନ କୁହୁଡିର ପ୍ରଭାବ ପରିବା ଚାଷ ଉପରେ ପଡିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳରେ ପନିପରିବା ଅମଳ ବେଳକୁ ଘନ କୁହୁଡି ଦାଉ ସାଧୁଛି । କୁହୁଡି ଯୋଗୁଁ ଫୁଲକୋବି ଉପରେ ନୀଳ ଓ ଗୋଲାପି ଆସ୍ତରଣ ପଡି ପୋକ ଲାଗୁଛି । ବନ୍ଧା କୋବିରେ ପୋକ ଲାଗିବାରୁ ପତ୍ରଗୁଡିକ ହଳଦିଆ ପଡିଗଲାଣି । ବାଇଗଣର ଫୁଲ ଝଡି ଯାଉଛି ଓ କଲରା ଲତାରେ ମଧ୍ୟ ପୋକ ଲାଗି ନଷ୍ଟ ହେଉଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଛି ।

ଅନ୍ୟପଟେ ବଜାରରେ ପନିପରିବା ନେଲେ ପୋକରା କହି ଗ୍ରାହକ କିଣୁ ନାହାନ୍ତି । ତେଣୁ ଚାଷୀଙ୍କ ପରିବା ନେବାକୁ ବ୍ୟବସାୟୀ ମଧ୍ୟ ଆସୁ ନାହାନ୍ତି । ଯାହା ଚାଷୀଙ୍କ ଆର୍ଥିକ ଓ ମାନସିକ କ୍ଷତି ପହଂଚାଇଛି ।

The post ଫୁଲକୋବିର ଅଭାବୀ ବିକ୍ରି: କିଲୋକୁ ମାତ୍ର ୨ ଟଙ୍କା first appeared on Kanak News.

from Kanak News
via <a href="https://ifttt.com/?

ଓଡିଶାର ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଲାଭ ନେଉଛି ଆନ୍ଧ୍ର । ପ୍ରକଳ୍ପରୁ ସମାନ ଅନୁପାତରେ ବିଜୁଳି ମିଳୁନଥିବା ବେଳେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳୁନଥିବା ଅଭିଯୋଗ

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ମାଛକୁଣ୍ଡରେ ଓଡ଼ିଶାର ପ୍ରଥମ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ହୋଇଥିଲା । ପ୍ରକଳ୍ପ ପାଇଁ ଓଡ଼ିଶାର ୧୫୬ଟି ଗାଁର ୧୮ ହଜାର ୨୦୦ ହେକ୍ଟର ଜମି ଓ ଆନ୍ଧ୍ରପ୍ରଦେଶର ୫ ହଜାର ୮୦୦ ହେକ୍ଟର ଜମି ଅଧିଗ୍ରହଣ ହୋଇଥିଲା । ଏବେ ଲମତାପୁଟବାସୀଙ୍କ ପାଇଁ ମାଛକୁଣ୍ଡ ବିଦ୍ୟୁତ୍ ସାତ ସପନ ଭଳି ହୋଇଛି । ଆନ୍ଧ୍ରପ୍ରଦେଶ ନିର୍ଦ୍ଦେଶରେ ହିଁ ପ୍ରକଳ୍ପ ଚାଲୁଥିବାରୁ ପ୍ରକଳ୍ପରୁ ଅଂଚଳବାସୀ କୌଣସି ସୁବିଧା ସୁଯୋଗ ପାଇପାରୁନଥିବା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ପ୍ରକଳ୍ପରୁ ଗୋଟିଏ ଦିନରେ ୧୨୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ବିଦ୍ୟୁତ୍ ବିକ୍ରିରୁ କୋଟି କୋଟି ଟଙ୍କା ଲାଭ ହେଉଛି । ସମସ୍ତ ପ୍ରକାର ଲାଭ ଆନ୍ଧ୍ର ଉଠାଉଛି । ପ୍ରକଳ୍ପରେ କାର୍ଯ୍ୟରତ ୮୧ ଠିକା କର୍ମଚାରୀ ବିଭିନ୍ନ ଦାବିରେ ଆନ୍ଦୋଳନ ରେ ବସିଥିଲେ ମଧ୍ୟ ଦାବି ପୂରଣ ଦିଗରେ ଧ୍ୟାନ ଦେଉନାହାନ୍ତି ପରିଚାଳନା କର୍ତୃପକ୍ଷ । ଏପରିକି ପ୍ରକଳ୍ପ ପାଇଁ ଜମି ହରାଇଥିବା ବିସ୍ଥାପିତଙ୍କୁ ଚିହ୍ନଟ କରି କ୍ଷତିପୂରଣ ଦିଆନଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

The post ଓଡିଶାର ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଲାଭ ନେଉଛି ଆନ୍ଧ୍ର । ପ୍ରକଳ୍ପରୁ ସମାନ ଅନୁପାତରେ ବିଜୁଳି ମିଳୁନଥିବା ବେଳେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳୁନଥିବା ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ଚାଷୀଙ୍କ ଗାଁ କେନ୍ଦୁଝର ଆନନ୍ଦପୁରର ବଳଦୁଆଁ । ହେଲେ ବିକ୍ରି ପାଇଁ ବଜାର ବ୍ୟବସ୍ଥା ନଥିବା ବେଳେ ଜଳ ସେଚନ ନଥିବାରୁ ବଢୁଛି ଅସନ୍ତୋଷ

କନକ ବ୍ୟୁରୋ : ଚାଷ ଓ ଚାଷୀଙ୍କ ଗାଁ । ପୁରା ଗାଁରେ ରୋଜଗାରର ମାଧ୍ୟମ କହିଲେ ଚାଷ । ପେଟ ପୋଷୁଛି ପରିବା ବିଲ । ଅହରହ ପରିଶ୍ରମ କରି ଚାଷ ଜମିକୁ ସବୁଜିମା କରିଛନ୍ତି ଚାଷୀ । ବାଇଗଣ, ଟମାଟୋ, କୋବି, ପୋଇ, କଲରା, ଭେଣ୍ଡି ଓ ପିଆଜ ଅମଳ କରି ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ଭୁବନେଶ୍ୱରକୁ ରପ୍ତାନି କରିଥାନ୍ତି କେନ୍ଦୁଝର ଆନନ୍ଦପୁର ବ୍ଲକ ଶାଳବଣୀ ପଂଚାୟତ ବଳଦୁଆଁ ଗାଁର ଚାଷୀ ।

ବଳଦୁଆଁ ଗାଁର ୫ଟି ସାହିରେ ୫ଶହ ପରିବାର ବସବାସ କରନ୍ତି । ମୋଟ ଜନ ସଂଖ୍ୟାର ସିଂହଭାଗ ଅର୍ଥାତ୍ ୯୫ ପ୍ରତିଶଥ ଲୋକ ଚାଷ ଉପରେ ନିର୍ଭରଶୀଳ । ପିଢି ପିଢି ପରେ ପନିପରିବା ଚାଷ ପରିବାର ପୋଷିବା ସହ ପିଲା ଛୁଆଙ୍କୁ ପାଠ ପଢାଇଛାନ୍ତି । ହେଲେ ପରିବା ବ୍ରିକ୍ରି ପାଇଁ ବଜାର ବ୍ୟବସ୍ଥା କି ଜଳ ସେଚନର ସୁବିଧା ନାହିଁ । ତେଣୁ ଜମି ଠାରୁ ୧ କିଲୋମିଟର ଦୂର ନାଳରୁ ପାଣି ସଂଗ୍ରହ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି ।

The post ଚାଷୀଙ୍କ ଗାଁ କେନ୍ଦୁଝର ଆନନ୍ଦପୁରର ବଳଦୁଆଁ । ହେଲେ ବିକ୍ରି ପାଇଁ ବଜାର ବ୍ୟବସ୍ଥା ନଥିବା ବେଳେ ଜଳ ସେଚନ ନଥିବାରୁ ବଢୁଛି ଅସନ୍ତୋଷ first appeared on Kanak News.

from Kanak News
via <a href="https://ifttt.com/?

ସ୍ୱାଭିମାନ ଅଂଚଳରେ ସ୍ୱାସ୍ଥ୍ୟସେବାରେ ବିଚିତ୍ର ବ୍ୟବସ୍ଥା । ଉଦଘାଟନର ୨ ବର୍ଷ ପରେ ସେବା ଯୋଗାଇବାରେ ଅସମର୍ଥ ବଡପଡା କ୍ରିଟିକାଲ୍ କେୟାର ସେଂଟର

କନକ ବ୍ୟୁରୋ : ମାଲକାନଗିରି ସ୍ୱାଭିମାନ ଅଂଚଳରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ କରିବା ପାଇଁ ୧୫୧ ଗାଁର ଲୋକଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲାଗି ଆମେରିକା ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ଏହି ୫୦ ସଜ୍ଜା ବିଶିଷ୍ଟ ଡାକ୍ତରଖାନା କରାଯାଇଛି । ବଡପଡା ଠାରେ ଅତ୍ୟାଧୁନିକ ପୋରଟେବୁଲ ହେଲ୍ଥ କେୟାର ୟୁନିଟ୍କୁ ୨୦୨୨ ଜାନୁଆରୀ ୧୦ରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଉଦଘାଟନର ୨ ବର୍ଷ ପରେ ମଧ୍ୟ ଏହା ଲୋକଙ୍କ କାମରେ ଲାଗି ପାରୁନାହିଁ । କ୍ରିଟିକାଲ କେୟାର ସେଂଟରରେ କେଉଁଠି ଅକ୍ସିଜେନ ପାଇପ ଫାଟି ଗଲାଣି, ତ ଆଉ କେଉଁଠି ପ୍ଲାଇ ଫାଟି ଆଁ କରିଛି ।

ପାଣିରେ ପଡିଲା ଆମେରିକା ଇଣ୍ଡିଆ ଫାଉଣ୍ଡେସନର ୨ କୋଟି ଅନୁଦାନ! ୨ କୋଟି ବ୍ୟୟରେ ନିର୍ମିତ ୫୦ ଶଯ୍ୟା ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ କ୍ରିଟିକାଲ କେୟାର ୟୁନିଟରେ ରହିଛି ୪ ଶଯ୍ୟା ବିଶିଷ୍ଟ ଆଇସିୟୁ । ୧୦ଟି ଏଟିୟୁ ଶଯ୍ୟା ଏବଂ ୩୬ଟି ସାଧାରଣ ବର୍ଗର ଶଯ୍ୟା ବ୍ୟବସ୍ଥା ରହିଛି ଏହି ଡାକ୍ତରଖାନାରେ । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଏକ କୋଟିରୁ ଉର୍ଧ ଟଙ୍କା ଖର୍ଚ କରିଛନ୍ତି ।

ସେପଟେ ବଡପଡା ନିକଟସ୍ଥ ଜାନବାଇ ଠାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି, ତାହା କିନ୍ତୁ ବେସରକାରୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ । ତେବେ ଏତେ ବଡ ଭିତିଭୁମି ଥାଇ ଡାକ୍ତରଖାନା ଲୋକଙ୍କ କାମରେ ନଲାଗିବାରୁ ସ୍ୱାଭିମାନ ଅଂଚଳବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

The post ସ୍ୱାଭିମାନ ଅଂଚଳରେ ସ୍ୱାସ୍ଥ୍ୟସେବାରେ ବିଚିତ୍ର ବ୍ୟବସ୍ଥା । ଉଦଘାଟନର ୨ ବର୍ଷ ପରେ ସେବା ଯୋଗାଇବାରେ ଅସମର୍ଥ ବଡପଡା କ୍ରିଟିକାଲ୍ କେୟାର ସେଂଟର first appeared on Kanak News.

from Kanak News
via <a href="https://ifttt.com/?

ମହାଦେବଙ୍କ ପାଇଁ ନାହିଁ ମନ୍ଦିର । ୨୦୧୫ରୁ ଯୋଜନା ହୋଇଥିବା ବେଳେ ଏଯାଏଁ ହୋଇନି ନିର୍ମାଣ, ଟିଣ ତଳେ ପୂଜା ପାଉଛନ୍ତି ଭୋଗରାଇର ବାବା ଭୂଷଣ୍ଡେଶ୍ୱର

କନକ ବ୍ୟୁରୋ : ଭୋଗରାଇ ବ୍ଲକ କୁମ୍ଭୀରଗଡିରେ ରହିଛି ବାବା ଭୁଷଣ୍ଡେଶ୍ୱରଙ୍କ ପୀଠ । ୧୮ ଏକର ଜମିରେ ରହିଛି ୧୨ ଫୁଟ୍ ୬ ଇଂଚ ଚଉଡା ଓ ୩୭ ଫୁଟ୍ ଗୋଲେଇର ହରହର ମହାଦେବଙ୍କ ଏହି ଲିଙ୍ଗ । ଏଠାରେ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ ଲାଗେ । ହେଲେ ଦୁଃଖର ବିଷୟ ଏଠି ମହାଦେବଙ୍କ ପାଇଁ ଭବ୍ୟ ମନ୍ଦିରଟିଏ ନିର୍ମାଣ ହୋଇପାରିନାହିଁ । ଟିଣ ଛପର ତଳେ ପୂଜା ପାଉଛନ୍ତି ବାବା ମହେଶ୍ୱର ।

୧୯୮୯ରେ ବାବା ଭୁଷଣ୍ଡେଶ୍ୱରଙ୍କ ପାଇଁ ଏକ ଅସ୍ଥାୟୀ ମନ୍ଦିର ତିଆରି ହୋଇଥିଲା । ୨୦୧୩ ଫାଇଲିନ୍ ବାତ୍ୟା ସମୟରେ ମନ୍ଦିରଟି ଭାଙ୍ଗି ଯିବା ପରେ ସ୍ଥାୟୀ ମନ୍ଦିର ପାଇଁ ଦାବି ହୋଇଥିଲା । ୨୦୧୫ରେ ମନ୍ଦିର ପାଇଁ ଜନମତ ପ୍ରକାଶ ପାଇବା ସହ ପ୍ରାଥମିକ ପର୍ଯ୍ୟାୟରେ ୨୩ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଦର୍ଶା ଗଲା । କାମ ବି ଆରମ୍ଭ ହେଲା । ମୂଳଦୁଆ ସ୍ଥାପନରେ ୧ କୋଟି ୮୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ପରେ କାମ ଆଉ ଆଗଉ ନାହିଁ । ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ନିଅଂଟ ହେବାରୁ କାମ ବନ୍ଦ ରହିଥିବା ବୈଷୟିକ କମିଟି ଓ ଭକ୍ତମାନେ ଅଭିଯୋଗ କରିଛନ୍ତି ।

ବାବା ଭୁଷଣ୍ଡେଶ୍ୱରଙ୍କ ମନ୍ଦିର ନିର୍ମାଣ ପାଇଁ ୫୦ କୋଟିର ଆବଶ୍ୟକତା ଥିବା ବେଳେ ମାତ୍ର ୩ କୋଟି ଟଙ୍କା ମଂଜୁର ହୋଇଛି । ତେଣୁ ମନ୍ଦିର ନିର୍ମାଣ ହୋଇପାରୁନାହିଁ । ଫଳରେ ବର୍ଷ ବର୍ଷ ଧରି ଖରା-ବର୍ଷାରେ ଖୋଲାମେଲାରେ ରହିଛନ୍ତି ମହାଦେବ । ଯାହା ଭକ୍ତଙ୍କୁ ବ୍ୟଥିତ କରୁଛି ।

The post ମହାଦେବଙ୍କ ପାଇଁ ନାହିଁ ମନ୍ଦିର । ୨୦୧୫ରୁ ଯୋଜନା ହୋଇଥିବା ବେଳେ ଏଯାଏଁ ହୋଇନି ନିର୍ମାଣ, ଟିଣ ତଳେ ପୂଜା ପାଉଛନ୍ତି ଭୋଗରାଇର ବାବା ଭୂଷଣ୍ଡେଶ୍ୱର first appeared on Kanak News.

from Kanak News
via <a href="https://ifttt.com/?

ମାଆ କୋଳକୁ ଫେରିଛି ଚୋରି ହୋଇଥିବା ଶିଶୁ ପୁତ୍ର । ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ସତ ସାମ୍ନାକୁ ଆଣିଛି ପୁଲିସ

କନକ ବ୍ୟୁରୋ : ମା କୋଳକୁ ଫେରି ଆସିଛି ମମତା । ପୁଅକୁ ପାଇ ଦୁନିଆର ସବୁ ସୁଖ ପାଇଯାଇଛି ମା । ପୁଅକୁ ହଜେଇବାର ଦୁଃଖକୁ ଭୁଲି ତା ହସରେ ହଜିଯାଇଛି । ଆଉ କୁନି ପୁଅ ବି ମା କୋଳକୁ ଫେରିବା ପରେ ତା ମୁହଁରେ ହସ ଫୁଟି ଉଠିଛି ।

ଏହି ଖୁସିର କିଛି ଘଂଟା ପୂର୍ବରୁ ଶିଶୁ ପୁତ୍ରକୁ ଚୋରି କରି ନେଇଥିଲା ଜଣେ ମହିଳା । ଛୁଆ ଚୋରି କରିଥିବା ମହିଳା ଜଣଙ୍କ  ଖଲ୍ଲିକୋଟ ଥାନା ଅଧିନ ବାଣିଆ ଗ୍ରାମର ସ୍ୱାମୀ ପରିତ୍ୟକ୍ତ ମାମା ଗୌଡଙ୍କ ୯ମାସର ଶିଶୁ ପୁତ୍ର ରାହୁଲକୁ ଚୋରି କରି ନେଇଥିଲେ । କିନ୍ତୁ ସୌଭାଗ୍ୟ ବସତଃ ସ୍ଥାନୀୟ ଅଂଚଳରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଯାଇଥିଲା ପିଲା ଚୋରି ସମୟର ସମସ୍ତ ଦୃଶ୍ୟ । ଆଉ ସେହି ସିସିଟିଭି ଫୁଟେଜ ଓ ଅଭିଯୁକ୍ତର ମୋବାଇଲ ନମ୍ବରକୁ ଟ୍ରାକ କରି ଭୁବନେଶ୍ୱରରୁ ଶିଶୁ ପୁତ୍ରକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ଗଞ୍ଜାମ ପୋଲିସ ।

ଅଭିଯୁକ୍ତକୁ ଗିରଫ କରିବା ପରେ ପୋଲିସ ଅଧିକ ତଦନ୍ତ କରିଥିଲା । ତଦନ୍ତରୁ ଜଣାପଡିଥିଲା ଅଭିଯୁକ୍ତ ପ୍ରଭାସିନି ଏହି ଶିଶୁ ପୁତ୍ରକୁ ବିକ୍ରି କରିବା ଉଦେଶ୍ୟରେ ଚୋରି କରିଥିଲା । ତେବେ ପ୍ରଭାସିନୀ ପ୍ରଥମ ଥର ପାଇଁ ପିଲା ଚୋରି କରିନଥିଲା । ଏହା ପୂର୍ବରୁ ମଧ୍ୟ ସେ ଆଉ ଜଣେ ଶିଶୁ କନ୍ୟାକୁ ଚୋରି କରିଥିବା ଜଣାପଡିଥିଲା । ଖଲ୍ଲିକୋଟ ପୋଲିସ ସେହି ଶିଶୁ କନ୍ୟାକୁ ମଧ୍ୟ ଉଦ୍ଧାର କରିଥିଲା ।

ମାତ୍ର କେତେ ଟଙ୍କା ପାଇଁ ଜଣେ ମହିଳାଙ୍କ କୋଳରୁ ପିଲାକୁ ଚୋରି କରି ନେବା ଓ ତାକୁ ବିକ୍ରି କରିବା ଖବର ସାମନାକୁ ଆସିବା ପରେ ଏହା ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି ।

The post ମାଆ କୋଳକୁ ଫେରିଛି ଚୋରି ହୋଇଥିବା ଶିଶୁ ପୁତ୍ର । ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ସତ ସାମ୍ନାକୁ ଆଣିଛି ପୁଲିସ first appeared on Kanak News.

from Kanak News
via <a href="https://ifttt.com/?

ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ଆଞ୍ଚଳିକ ଭାଷାରେ ପ୍ରସ୍ତୁତ କରିବେ ଡିଜିଟାଲ ଅଧ୍ୟୟନ ସାମଗ୍ରୀ । କେନ୍ଦ୍ର ସରକାର ଦେଲେ ୩ ବର୍ଷ ସମୟ

କନକ ବ୍ୟୁରୋ : କେନ୍ଦ୍ର ସରକାର ଦେଶର ସମସ୍ତ ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ପାଠ୍ୟକ୍ରମ ପାଇଁ ଆଂଚଳିକ ଭାଷାରେ ଡିଜିଟାଲ ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତ କରିବାକୁ । ଏହା ପାଇଁ ସରକାର ତିନି ବର୍ଷ ସମୟ ଦେଇଛନ୍ତି । ଏଭଳି ନିଷ୍ପତ୍ତି ନେବା ପଛରେ କେନ୍ଦ୍ର ସରକାର କହିଛନ୍ତି କି, ଛାତ୍ରଛାତ୍ରୀମାନେ ସେମାନଙ୍କର ଆଂଚଳିକ ଭାଷାରେ କିମ୍ବା ମାତୃଭାଷାରେ ଯେକୌଣସି ଷ୍ଟ୍ରିମ ସହିତ ଜଡିତ କୌଣସିବି ପାଠ୍ୟକ୍ରମ ପଢିପାରିବେ ।

ୟୁଜିସି, ଆଇସିଟିଇ, ଏନଆଇଓଏସ୍ କେନ୍ଦ୍ର ସରକାର ଉଚ୍ଚଶିକ୍ଷା ନିୟାମକ ସଂସ୍ଥାକୁ କହିଛନ୍ତି । ଅଧ୍ୟୟନ କରିବାକୁ ଏନସିଇଆରଟି, ଏନଆଇଟି ଓ ସେଣ୍ଟ୍ରାଲ ୟୁନିଭରସିଟି ପରି ଦେଶର ପ୍ରମୁଖ ଅନୁଷ୍ଠାନଗୁଡିକୁ ମଧ୍ୟ ଆସନ୍ତା ତିନି ବର୍ଷ ଭିତରେ ଏହି ସବୁ କାର୍ଯ୍ୟକୁ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗଣମାଧ୍ୟମ ସହ ଏକ ଆଲୋଚନାରେ ଶିକ୍ଷା ମନ୍ତ୍ରଣାଳୟ କହିଛି କି ରାଜ୍ୟ ସ୍ତରରେ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡିକୁ ଏହି ସବୁ ସାମଗ୍ରୀ ଯୋଗାଇବା ପାଇଁ ୟୁଜିସି, ଆଇସିଟିଇ ଏବଂ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଜାତୀୟ ଶିକ୍ଷାନୀତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି ଯେ, ଏନଇପିର ଉଦ୍ଦେଶ୍ୟ ହେଉଛି କି ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ପ୍ରବେଶ ସ୍ତରରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଆଂଚଳିକ ଭାଷାରେ ଅଧ୍ୟୟନ ଜାରି ରଖିବାର ବିକଳ୍ପ ରହିବା ଉଚିତ୍ ।

ଶିକ୍ଷା ମନ୍ତ୍ରାଳୟରେ ଜଡିତ ହୋଇଥିବା ଅଧିକାରୀମାନେ କହିଛନ୍ତି ଯେ ସେମାନେ ଆଂଚଳିକ ଭାଷାରେ ପଢିବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଚିନ୍ତାଧାରା ଏବଂ ନୂତନତା ବୃଦ୍ଧି ପାଇଥାଏ । ଏହା ଫଳରେ ଦେଶର ସାମାଜିକ, ସାଂସ୍କୃତିକ ଓ ଶିକ୍ଷାଗତ ବିକାଶ ଘଟିବ । ୨୦୪୭ ସୁଦ୍ଧା ଏହି ପଦକ୍ଷେପ ଦେଶକୁ ଏକ ବିକଶିତ ଭାରତ କରିବାର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବ ଏବଂ ଏହାକୁ ବିକଶିତ ଦେଶ ତାଲିକାରେ ଅନ୍ତର୍ଭୁକ୍ତ କରିବ ।

ଶିକ୍ଷାମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ଇଞ୍ଜିନିୟରିଂ, ମେଡିକାଲ, ଆଇନ, ୟୁଜି, ପିଜି ଏବଂ ଅନ୍ୟାନ୍ୟ ସବୁ ପୁସ୍ତକକୁ ହିନ୍ଦୀରେ ଅନୁବାଦ କରିବାର କାର୍ଯ୍ୟ ଦୁଇ ବର୍ଷ ହେଲାଣି ଚାଲିଛି । ଏବଂ ହିନ୍ଦୀ ଅନୁବାଦ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆପର ସାହାଯ୍ୟ ନିଆଯାଉଛି ।

The post ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ଆଞ୍ଚଳିକ ଭାଷାରେ ପ୍ରସ୍ତୁତ କରିବେ ଡିଜିଟାଲ ଅଧ୍ୟୟନ ସାମଗ୍ରୀ । କେନ୍ଦ୍ର ସରକାର ଦେଲେ ୩ ବର୍ଷ ସମୟ first appeared on Kanak News.

from Kanak News
via <a href="https://ifttt.com/?

ବିଜୟୱାଡାରେ ବାବା ସାହେବ ଆମ୍ବେଦକରଙ୍କ ସର୍ବୋଚ୍ଚ ପ୍ରତିମୂର୍ତ୍ତୀ । ଉନ୍ମୋଚନ କଲେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ବିଜୟୱାଡାରେ ଉନ୍ମୋଚନ କରିଛନ୍ତି ବାବା ସାହେବ ଆମ୍ବେଦକରଙ୍କର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତୀ । ଆମ ସମ୍ବିଧାନର ଜନକ ତଥା ଦଳିତ ଗୋଷ୍ଠୀଙ୍କ ଉନ୍ନତି ପାଇଁ ସର୍ବଦା ଲଢି ଆସିଥିବା ଆମ୍ବେଦକରଙ୍କର ଏହି ସୁଉଚ୍ଚ ପ୍ରତିମାକୁ ଷ୍ଟାଚ୍ୟୁ ଅଫ ସୋସିଆଲ ଜଷ୍ଟିସ୍ ନାମ ଦିଆ ଯାଇଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏହାକୁ ବିଜୟୱାଡାର ସ୍ୱରାଜ ମୈଦାନରେ ଅନାବରଣ କରିଛନ୍ତି ।

ରାଜ୍ୟ ସରକାର ଏହାର ଉଦଘାଟନ ପାଇଁ ବିଭିନ୍ନ ଆୟୋଜନ କରିଥିବା ବେଳେ ଏହା ପାଖରେ ଥିବା ଗାନ୍ଧୀ ମ୍ୟୁନିସିପାଲ କର୍ପୋରେସନ ଷ୍ଟାଡିୟମରେ ମିଟିଂ କରାଯାଇ ବିଶାଳ ଜନ ସମାବେଶ ସହିତ ମୂର୍ତ୍ତୀ ଉଦଘାଟନ କରାଯାଇଥିଲା । ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ୱାଇଏସଆରସିପି ଦ୍ୱାରା ପାର୍ଟି ମୁଖ୍ୟ କାର୍ଯ୍ୟାଳୟରୁ ବାଇକ ରାଲିର ଆୟୋଜନ ମଧ୍ୟ କରାଯାଇଥିଲା । ଶୃଙ୍ଖଳା ଦୃଷ୍ଟିରୁ ସହରର ସମସ୍ତ ଭାରୀ ଯାନ ଗୁଡିକୁ ଅନ୍ୟ ରାସ୍ତାରେ ଯିବାକୁ ନିର୍ଦ୍ଦେଶ ଦିଆଯିବା ସହ ଟ୍ରାଫିକ ସୁରକ୍ଷା ବ୍ୟବସ୍ତା କଡା କଡି କରାଯାଇଥିଲା ।

୧୨୫ ଫୁଟ ଉଚ୍ଚତା ବିଶିଷ୍ଟ ଆମ୍ବେଦକରଙ୍କ ପ୍ରତିମା ୮୧ ଫୁଟର ପେଡେଷ୍ଟାଲ ପରେ ସ୍ଥାପନ କରା ଯାଇଛି । ଏହି ସ୍ଥାନଟିକୁ ଆକର୍ଷିତ କରିବା ପାଇଁ ଚଲା ପଥ ସହ ସୁନ୍ଦର ଉଦ୍ୟାନ ନିର୍ମାଣ କରିବା ପାଇଁ ମୁଖ୍ୟ ମନ୍ତ୍ରୀ ସ୍ୱତନ୍ତ୍ର ଭାବେ ନିର୍ଦେଶ ଦେଇଛନ୍ତି । କୋଭିଡର ଜଟିଳତା ସତ୍ୱେ ୩୦ ମାସ ମଧ୍ୟରେ ଏହି ମୂର୍ତ୍ତୀ କାର୍ଯ୍ୟ ସମ୍ପାଦନ କରାଯାଇଛି । ଅସୁବିଧା ସତ୍ୱେ ଗଠନ ତଥା ଗୁଣାତ୍ମକ ମାନରେ କୌଣସି ପ୍ରକାର ଆଂଚ ଯେପରି ନ ଆସେ ଏ ନେଇ ସ୍ୱତନ୍ତ୍ର ଧ୍ୟାନ ରଖା ଯାଇଛି ବୋଲି ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ୱାଇ ଶ୍ରୀଲକ୍ଷ୍ମୀ । ନିର୍ମାଣ ସମୟରେ ଯେପରି ଆଖ ପାଖ ସବୁଜିମା ନଷ୍ଟ ନ ହୁଏ ଏବଂ ଏ କଥାକୁ ପ୍ରାଥମିକତା ଦିଆଯାଇଛିି । ଦେଖଣାହାରୀଙ୍କ ପାଇଁ ୮୦୦୦ ବର୍ଗଫୁଟର ଫୁଟ କୋର୍ଟ ତିଆରି କରା ଯାଇଥିବା ବେଳେ ମୈଦାନର ପୂର୍ବ ଓ ପଶ୍ଚିମ ପାଖରେ ବଡ ପାର୍କଂର ବ୍ୟବସ୍ଥା ମଧ୍ୟ କରା ଯାଇଛି ।

The post ବିଜୟୱାଡାରେ ବାବା ସାହେବ ଆମ୍ବେଦକରଙ୍କ ସର୍ବୋଚ୍ଚ ପ୍ରତିମୂର୍ତ୍ତୀ । ଉନ୍ମୋଚନ କଲେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ବଢୁଛି ମୟୂରଭଞ୍ଜ ମଦର ଚହିଦା: ଦାମୀ କାରରେ ଦେଶୀ ମଦ ଚାଲାଣ ବେଳେ ରାଜଧାନୀରେ ଧରିଲା ଅବକାରୀ ବିଭାଗ

କନକ ବ୍ୟୁରୋ: ମୟୂରଭଞ୍ଜର ମଦ, ଭୁବନେଶ୍ୱରରେ ଡିମାଣ୍ଡ । ଦେଶୀ ମଦ ଚାଲାଣ ବେଳେ ବାନ୍ଧିଲା ଅବକାରୀ ବିଭାଗ । ଏକ ଦାମୀ କାରରେ ଦେଶୀ ମଦ ଚାଲାଣ ବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୫୦୦ ଲିଟରରୁ ଅଧିକ ମଦ ଜବତ କରାଯାଇଛି । ମଂଚେଶ୍ୱର ଥାନା ଅଧୀନ ଧିରକୁଟି ବସ୍ତିରେ ଏହି ମଦ ବିକ୍ରି ହୋଇଥାନ୍ତା । ତେବେ ନିର୍ବାଚନକୁ ଆଖି ଆଗରେ ରଖି ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଉପରେ ଜୋରଦାର ଚଢ଼ାଉ ଆରମ୍ଭ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ବିକାଶ କୁମାର ନାୟକ ସୂଚନା ଦେଇଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ଚଢାଉ ଜୋରଦାର ହେବା ଜରୁରି ।

The post ଭୁବନେଶ୍ୱରରେ ବଢୁଛି ମୟୂରଭଞ୍ଜ ମଦର ଚହିଦା: ଦାମୀ କାରରେ ଦେଶୀ ମଦ ଚାଲାଣ ବେଳେ ରାଜଧାନୀରେ ଧରିଲା ଅବକାରୀ ବିଭାଗ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started