ପିଏଲଏର କମାଣ୍ଡରଙ୍କୁ ବଦଳି କଲା ଚୀନ୍ ସରକାର । ଜେନେରାଲ ଜାଓଙ୍କ ସ୍ଥାନରେ ଆସିଲେ ଜାଙ୍ଗ୍ ଜୁଡୋଙ୍ଗ୍, କଣ ରହିବ ଚୀନର ପରବର୍ତ୍ତୀ ରଣନୀତି?

ପୂର୍ବ ଲଦାଖରରେ ଦୀର୍ଘ ସାତ ମାସ ହେବ ଭାରତ ସହ ଲାଗି ରହିଥିବା ବିବାଦ ପାଇଁ ଦାୟୀ ‘ପିପୁଲସ୍‌ ଲିବରେସନ୍‌ ଆର୍ମି’ର କ୍ଷମତାଶାଳୀ ‘ୱେଷ୍ଟର୍ଣ୍ଣ ଥିଏଟର୍‌ କମାଣ୍ଡର୍‌’ ଜେନେରାଲ୍‌ ଜାଓ ଜୋଙ୍ଗକ୍ୱିଙ୍କୁ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌‌ ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ଆସିଛନ୍ତି ଜେନେରାଲ୍‌ ଜାଙ୍ଗ୍‌ ଜୁଡୋଙ୍ଗ୍‌ । ପୂର୍ବରୁ ଜେନେରାଲ୍‌ ଜୁଡୋଙ୍ଗ୍‌ ଭାରତୀୟ ସୀମାନ୍ତରେ କାମ କରି ନାହାନ୍ତି । ଏବର୍ଷ ଗ୍ରୀଷ୍ମଋତୁରେ ଅବସର ଗ୍ରହଣ ବୟସ ୬୫ ବର୍ଷରେ ପଦାର୍ପଣ କରିଥିବା ଜେନେରାଲ୍‌ ଜାଓଙ୍କ ଠାରୁ ସେ ଯଥେଷ୍ଟ ସାନ । ଜେନେରାଲ୍‌ ଜାଙ୍ଗ୍‌ଙ୍କୁ ଏବେ ୫୮ ବର୍ଷ ।

ଜେନେରାଲ୍‌ ଜାଙ୍ଗ୍‌ଙ୍କର କୌଣସି ରାଜନୈତିକ ଅଭିସନ୍ଧି ଅଛି କି, ନାହିଁ ତାହା ଜଣାପଡ଼ିନାହିଁ ବୋଲି ଘଟଣା ଉପରେ ଦୃଷ୍ଟି ରଖିଥିବା ଚୀନ୍‌ ପର୍ଯ୍ୟବେକ୍ଷକମାନେ କହିଛନ୍ତି । ଜେନେରାଲ୍‌ ଜାଓ କିନ୍ତୁ, ଚୀନ୍‌ କମ୍ୟୁନିଷ୍ଟ୍‍ ପାର୍ଟିର କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲେ ଏବଂ ‘ସେଣ୍ଟ୍ରାଲ୍‌ ମିଲିଟାରି କମିସନ୍‌’ରେ ଆସନଟିଏ ଚାହୁଁଥିଲେ । ସେ ଆସନ ପାଇଥିଲେ ୭୨ ବର୍ଷ ବୟସ ପର୍ଯ୍ୟନ୍ତ ସେ ଚାକିରି କରି ପାରି ଥାଆନ୍ତେ ବୋଲି ଭାରତୀୟ ସେନାବାହିନୀ ଅନୁମାନ କରୁଥିଲା । ୨୦୧୬ରେ ଜେନେରାଲ୍‌ ଜାଓ ‘ୱେଷ୍ଟର୍ଣ୍ଟ ଥିଏଟର୍‌ କମାଣ୍ଡ୍‌’ର ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଥିଲା । ଏଥର ଗ୍ରୀଷ୍ମକାଳରେ ସେ ଅବସର ଗ୍ରହଣ କରିବା ବୟସରେ ପହଞ୍ଚିଥିଲେ ମଧ୍ୟ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ତାଙ୍କୁ ଚାକିରିରେ ରହିବାକୁ ଅନୁମତି ପ୍ରଦାନ କରିଥିଲେ।

from Kanak News
via <a href="https://ifttt.com/?

ବ୍ରିଟେନ୍ ପରେ ଭାରତରେ ବଢିବକି କରୋନା ସଂକ୍ରମଣ ? ଦ୍ୱିତୀୟ ଲହର ଆରମ୍ଭ ହେଲେ କେତେ ସାଂଘାତିକ ହେବ ସ୍ଥିତି? ପଢନ୍ତୁ, ବିଶେଷଜ୍ଞଙ୍କ ମତ କଣ…

ବ୍ରିଟେନରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ, ଭାରତରେ ସଂକ୍ରମଣ ବଢିବା ନେଇ ଚିନ୍ତା ବଢୁଛି । ଯଦି ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୁଏ ତେବେ ଏହା ଭୟଙ୍କର ରୂପ ନେବ ନା ସ୍ଥିତି ସାଧାରଣ ଅବସ୍ଥାରେ ରହିବ ଏନେଇ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି

ଭାରତରେ ଦିନକୁ ଦିନ କରୋନାଭୂତାଣୁ ସଂକ୍ରମଣ ମାମଲା କମିଚାଲିଥିବାରୁ ଦେଶରେ ମହାମାରୀ କୋଭିଡ୍‌-୧୯ର ଦ୍ବତୀୟ ଥର ଲାଗି ସଂକ୍ରମଣ ଶୀର୍ଷ ଦେଖାଦେଇନପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି। ଏପରିକି ଯଦି ବି ଏହା ଘଟେ, ତାହା ପୂର୍ବ ଭଳି ଘାତକ ସାବ୍ୟସ୍ତ ହେବନାହିଁ ବୋଲି ସେମାନେ ଆଶାବାଦୀ ଅଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁଯାୟୀ, ଦେଶରେ ଅଦ୍ୟାବଧି ମୋଟ ସଂକ୍ରମିତଙ୍କ ସଂଖ୍ୟା କୋଟିଏ ଡେଇଁ ସାରିଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ୨୬,୬୨୪ ନୂତନ ସଂକ୍ରମଣ ସହ ୩୪୧ଟି ମୃତ୍ୟୁ ଦେଖିବାକୁ ମିଳିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ଅପେକ୍ଷା ଆରୋଗ୍ୟ ଲାଭ କରୁଥିବା ପୀଡ଼ିତଙ୍କ ସଂଖ୍ୟା ଅଧିକ ରହିବାର ଧାରା ବଜାୟ ରହିଛି ଏବଂ ଗତ ୨୪ ଘଣ୍ଟାରେ ୨୯,୬୯୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଗତ ସେପ୍ଟେମ୍ବର ମଧ୍ୟଭାଗରେ ଭାରତରେ କୋଭିଡ୍‌ ସଂକ୍ରମଣ ଶୀର୍ଷ ଛୁଇଁଥିବା ବେଳେ ଏବେ ଦୈନିକ ମାମଲା କମିବାରେ ଲାଗିଛି। ଶୀର୍ଷ ବେଳେ ଦୈନିକ ହାରାହାରି ୯୩ ହଜାର ମାମଲା ଆସୁଥିବା ବେଳେ ଏବେ ସାଢ଼େ ୨୫ ହଜାରରେ ସୀମିତ ରହିଛି। ସଂକ୍ରମଣର ସବୁଠୁ ଖରାପ ସମୟ କଟିଯାଇଛି ବୋଲି ପ୍ରଖ୍ୟାତ ଭୂତାଣୁ ବିଶେଷଜ୍ଞ ଡା. ସାହିଦ ଜମିଲ କହିଛନ୍ତି। ତେବେ ଗତ ନଭେମ୍ବରରେ ଦେଖାଦେବା ଭଳି ଆଗକୁ ମଧ୍ୟ ନିମ୍ନ ଧରଣର ସଂକ୍ରମଣ ଶୀର୍ଷ ଘଟିପାରେ ବୋଲି ସେ କହିଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ରବିବାର ଆଶ୍ବସ୍ତି ପ୍ରକାଶ କରିଛି ଯେ ଏବେ ଦେଶରେ ମୋଟ ଚିକିତ୍ସାଧୀନ ଥିବା କୋଭିଡ୍‌ ପୀଡ଼ିତଙ୍କ ସଂଖ୍ୟା ୩ ଲକ୍ଷ ୫ ହଜାରକୁ ଖସି ଆସିଛି ଯାହା କି ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ମାତ୍ର ୩.୦୪ ପ୍ରତିଶତ। ଏ ସବୁ ଦୃଷ୍ଟିରୁ ଆଗରୁ ଯେପରି ସଂକ୍ରମଣର କ୍ଷିପ୍ରତା ଅଧିକ ରହିଥିଲା ଆଗକୁ ସେପରି ରହିନପାରେ ବୋଲି ବରିଷ୍ଠ ନୈଦାନିକ ବୈଜ୍ଞାନିକ ଡା. ଗଙ୍ଗାଦୀପ କାଙ୍ଗ କହିଛନ୍ତି। ସୁତରାଂ ଦ୍ବିତୀୟ ସଂକ୍ରମଣ ଶୀର୍ଷ ଆସିଲେ ବି ତାହା ପୂର୍ବ ପରି ଏତେ ଅଧିକ ହେବନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷେ, ସର୍ବାଧିକ ସଂକ୍ରମଣ ମାମଲା ଦେଖାଦେଇଥିବା ପ୍ରଥମ ୧୫ଟି ଦେଶ ମଧ୍ୟରୁ କେବଳ ଭାରତ, ଆର୍ଜେଣ୍ଟିନା ଓ ପୋଲାଣ୍ଡରେ ହିଁ ଦ୍ବିତୀୟ ସଂକ୍ରମଣ ଢେଉ ଦେଖିବାକୁ ମିଳିନାହିଁ। ଯଦି ବି ଭବିଷ୍ୟତରେ ଦେଖାଦିଏ, ତାହା ଅନ୍ୟ ଏକ ପ୍ରଜାତିର ଭୂତାଣୁ ଦ୍ବାରା ସଂଘଟିତ ହେବ ଯେଉଁଥିରେ ମୃତ୍ୟୁହାର କମ୍‌ ରହିବ ଏବଂ ଲୋକଙ୍କ ଗୋଷ୍ଠୀ ରୋଗପ୍ରତିରୋଧକତା ବିକଶିତ କରାଇବ ବୋଲି ପ୍ରସିଦ୍ଧ ହୃଦ୍‌ରୋଗ ବିଶେଷଜ୍ଞ ଡା. କେ କେ ଅଗ୍ରଵାଲ କହିଛନ୍ତି।

from Kanak News
via <a href="https://ifttt.com/?

କାର ଚାଳକଙ୍କ ପାଇଁ ବଡ ଖବର । ଏଣିକି କାର‌ରେ ସାଇଟ୍ ଏୟାରବ୍ୟାଗକୁ ବାଧ୍ୟତାମୂଳକ କଲେ ସରକାର । ନିୟମ ପାଳନ ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ

ବର୍ତମାନ ହେଲମେଟ୍ ଚେକିଂ ଜୋରଦାର ହେଉଥିବା ବେଳେ ସରକାର ଆଉ ଏକ ନିୟମକୁ କଡାକଡି କରିଛନ୍ତି । ଏଣିକି କାରରେ ସାଇଟ୍ ଏୟାରବ୍ୟାଗ୍ ରହିବା ବାଧ୍ୟତାମୂଳକ ହେବ । କାର ଚାଳକଙ୍କ ସମେତ ଯାତ୍ରୀଙ୍କ ସୁରକ୍ଷା ଉପରେ ବି ସରକାର ଗୁରୁତ୍ୱ ଦେଇଛନ୍ତି ।

ଯାତ୍ରୀଙ୍କ ନିରାପତ୍ତା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ବିଭିନ୍ନ ସମୟରେ ନୂଆ ନୂଆ ନିୟମ ପ୍ରସ୍ତୁତ କରାଯାଉଛି। କାର୍‌ ଯାତ୍ରୀଙ୍କ ସୁରକ୍ଷାରେ ଉନ୍ନତି ଆଣିବା ଲାଗି ଭାରତ ସରକାର ଖୁବଶୀଘ୍ର ଆଗ ସିଟରେ ବସୁଥିବା ଯାତ୍ରୀଙ୍କ ପାଇଁ ସାଇଡ୍‌ ଏୟାରବ୍ୟାଗକୁ ବାଧ୍ୟତାମୂଳକ କରିବା ଯୋଜନା ରଖିଛନ୍ତି। ଦାମୀ କାର୍‌ ଠାରୁ ଆରମ୍ଭ କରି ସୁଲଭ ମୂଲ୍ୟର କାର‌ରେ ମଧ୍ୟ ଏହି ବ୍ୟବସ୍ଥା କରାଯିବ। ବର୍ତ୍ତମାନ ବ୍ୟବସ୍ଥାରେ କେବଳ ଡ୍ରାଇଭର ପାର୍ଶ୍ବ ଏୟାରବ୍ୟାଗ୍‌ ବାଧ୍ୟତାମୂଳକ ରହିଛି। ରେନୋ କ୍ବିଡ, ଡାଟସନ ରେଡି-ଗୋ, ମାରୁତି ଅଲ୍ଟୋ ଏବଂ ଏସ-ପ୍ରେସୋ ଭଳି ଷ୍ଟାଣ୍ଡାର୍ଡ କାରରେ ଡ୍ରାଇଭର ପାର୍ଶ୍ବ ଏୟାରବ୍ୟାଗ ରହିଛି।

ତେବେ ସୁରକ୍ଷା ମାନଦଣ୍ଡ ନିର୍ଦ୍ଧାରଣ ପାଇଁ ଥିବା ସର୍ବୋଚ୍ଚ ବୈଷୟିକ କମିଟି ସବୁ କାରରେ ଆଗ ସିଟର ଯାତ୍ରୀଙ୍କ ପାଇଁ ପାର୍ଶ୍ବ ଏୟାରବ୍ୟାଗ୍‌କୁ ବାଧ୍ୟତାମୂଳକ କରିବାକୁ ସବୁଜ ସ‌ଂକେତ ଦେଇଥିବା କୁହାଯାଉଛି। ସରକାର ଏକ ଗାଡ଼ିର ସୁରକ୍ଷା ବ୍ୟବସ୍ଥା ପାଇଁ ଉଦ୍ଦିଷ୍ଟ ଅଟୋମୋଟିଭ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆଇଏସ)ରେ ସଂଶୋଧନ ଆଣିବା ଲାଗି ଏକ ଚିଠା ପ୍ରସ୍ତାବ ଆଣିଛନ୍ତି। ଏହି ଚିଠା ପ୍ରସ୍ତାବ ଉପରେ ସରକାରୀ ଅଧିକାରୀମାନେ ମତ ଦେବାକୁ ଯାଇ କହିଛନ୍ତି, ବିଶ୍ବରେ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଥାଏ। ତେଣୁ ଭାରତରେ ମଧ୍ୟ ଯାତ୍ରୀଙ୍କ ସୁରକ୍ଷାରେ କୌଣସି ସାଲିସ କରାଯିବା ଉଚିତ ନୁହେଁ। ତେବେ ନୂଆ ନିୟମ କେବେଠାରୁ କାର୍ଯ୍ୟକାରୀ ହେବ ତାହା ଉପରେ ସଡ଼କ ପରିବହନ ମନ୍ତ୍ରାଳୟ ବିଚାରବିମର୍ଶ ଚଳାଇଛି। ତେବେ କାରରେ ନୂଆ ସୁରକ୍ଷା ବ୍ୟବସ୍ଥା କରିବା ଲାଗି ଅଟୋମୋବାଇଲ କମ୍ପାନି ଗୁଡ଼ିକୁ ୧ ବର୍ଷ ସମୟ ଦିଆଯାଇପାରେ ବୋଲି ଆଶା ରଖାଯାଇଛି।

from Kanak News
via <a href="https://ifttt.com/?

ନେପାଳରେ ଘନେଇଲା ରାଜନୈତିକ ସଂକଟ : ପ୍ରଧାନମନ୍ତ୍ରୀ ଓଲିଙ୍କ କ୍ୟାବିନେଟର ସୁପାରିଶ ପରେ ସଂସଦକୁ ଭଙ୍ଗ କଲେ ରାଷ୍ଟ୍ରପତି

କନକ ବ୍ୟୁରୋ : ନେପାଳରେ ରାଜନୈତିକ ସଂକଟ ଗମ୍ଭୀର ହେବାରେ ଲାଗିଛି । ନେପାଳରେ ଏକ ବଡ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ କ୍ୟାବିନେଟର ସୁପାରିଶ ପରେ ସଂସଦକୁ ଭଙ୍ଗ କରିଦେଇଛନ୍ତି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନିଜେ କ୍ୟାବିନେଟ ସୁପାରିଶକୁ ଧରି ରାଷ୍ଟ୍ରପତିଙ୍କ ପାଖକୁ ଯାଇଥିଲେ । ଏହା ପରେ ରାଷ୍ଟ୍ରପତି ସଂସଦ ଭଙ୍ଗ ସୁପାରିଶକୁ ଔପଚାରିକ ମଂଜୁରୀ ଦେଇଥିବା ସୂଚନା ମିଳିଛି ।

ଆସନ୍ତା ବର୍ଷ ଅପ୍ରେଲ ୩୦ ଓ ମେ ୧୦ ତାରିଖ ମଧ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ କେପି ଓଲିଙ୍କ ଏହି ନିଷ୍ପତିକୁ ତାଙ୍କ ଦଳ ସମେତ ନେପାଳରେ ଜୋରଦାର ବିରୋଧ କରାଯାଉଛି । ତେବେ ନେପାଳ ସମ୍ବିଧାନରେ ସଂସଦ ଭଙ୍ଗ ନେଇ କୌଣସି ବ୍ୟବସ୍ଥା ନଥିବାରୁ ଏହି ନିଷ୍ପତିକୁ ନ୍ୟାୟାଳୟରେ ଚାଲେଞ୍ଜ କରିପାରିବେ ବିରୋଧୀ ଦଳ । ଗଣମାଧ୍ୟମର ଖବର ଅନୁସାରେ ସମ୍ବିଧାନିକ ପରିଷଦ ଅଧିନିୟମ ସଂପର୍କିତ ଏକ ଅଧ୍ୟାଦେଶକୁ ପ୍ରତ୍ୟାହାର ପାଇଁ ଓଲିଙ୍କ ଉପରେ ଚାପ ପକାଉଥିଲେ ବିରୋଧୀ ଦଳ ।

ଯାହାକୁ ନେଇ ଗତକାଲି ଜରୁରୀକାଳୀନ କ୍ୟାବିନେଟ ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ଆଶା କରାଯାଉଥିଲା କ୍ୟାବିନେଟ ବୈଠକରେ ଅଧ୍ୟାଦେଶ ପ୍ରତ୍ୟାହାରକୁ ମଂଜୁରୀ ଦିଆଯିବ, ହେଲେ ବୈଠକରେ ସଂସଦ ଭଙ୍ଗ ପାଇଁ ସୁପାରିଶକୁ ମଂଜୁରୀ ଦିଆଯାଇଥିଲା । ଅଧ୍ୟାଦେଶକୁ ନେଇ ବିରୋଧୀ ଦଳ ସହ ମତାନ୍ତର ପରେ ବେଇଜ୍ଜତରୁ ବଂଚିବା ପାଇଁ କେପି ଓଲି ସଂସଦ ଭଙ୍ଗ ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି ।

from Kanak News
via <a href="https://ifttt.com/?

ହାପି ବାର୍ଥ ଡେ’ ଗୋବିନ୍ଦା । ଆଜି ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ଜନ୍ମଦିନ । ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା ।

କନକ ବ୍ୟୁରୋ : ଗୋବିନ୍ଦା । ଏହି ନାଁ ଆଜିବି ଲୋକଙ୍କ ମନରେ ରାଜ କରୁଛି । ୯୦ ଦଶକରେ ତାଙ୍କ ଅଭିନୟ ଲୋକଙ୍କ ମନକୁ ବେଶ ଛୁଇଁଥିଲା । ଏବେ ବି ତାଙ୍କ ଗୀତ ବାଜିଲେ ପିଲାଠୁ ବୁଢା ଯାଏଁ ସବୁ ଝୁମି ଉଠନ୍ତି । ଆକ୍ଟିଙ୍ଗ ହେଉ ଅବା ଡ୍ୟାନ୍ସ ସବୁଠି ସେ ନିଜର କରାମତି ଦେଖାଇଛନ୍ତି । କମେଡିଠାରୁ ଆକ୍ସନ ସବୁ ଫିଲ୍ମରେ ତାଙ୍କର ଅଭିନୟର ଯାଦୁ ବେଶ ଆକର୍ଷଣୀୟ ରହିଛି । ନିକ୍ଷୁଣ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ବଲିଉଡର ଛୋଟେ ମିଆଁଙ୍କ ଆଜି ଜନ୍ମ ଦିନ । ଆଜି ଗୋବିନ୍ଦା ୫୭ ବର୍ଷରେ ପାଦ ଦେଇଛନ୍ତି । ଗୋବିନ୍ଦା ଫିଲ୍ମରୁ ଦୂରେଇଯାଇଛନ୍ତି ସତ ହେଲେ ବଲିଉଡରେ ତାଙ୍କ କ୍ରେଜ ଏବେ ବି ରହିଛି ।

ଫିଲ୍ମରେ ତାଙ୍କୁ ଡ୍ୟାନ୍ସ ଶିଖାଇବାର ଆବଶ୍ୟକତା ପଡି ନଥାଏ । କାରଣ ତାଙ୍କ ଭିନ୍ନ ଶୈଳୀର ଡ୍ୟାନ୍ସ ଓ ଆକ୍ସନ ପାଇଁ ସେ ଅନେକଙ୍କୁ ଦିୱାନା କରିଛନ୍ତି । ଆଉ ତାଙ୍କ ଅଭିନୀତ ଗୀତ ଗୁଡିକ ମଧ୍ୟ ବେଶ ମନଛୁଆଁ । ତାଙ୍କ ଅଭିନୀତ ଗୀତ ଗୁଡିକ ହେଲା ସୁନୋ ମିଆଁ, ଲାଲ ଦୁପଟା ବାଲି, କିସି ଡିସ୍କୋମେଁ ଯାଏଁ, ଓଏ ରାଜୁ, ଆଖିଓଁ ସେ ଗୋଲି ମାରେ ଏମିତି ଆହୁରି ଅନେକ । ଗୋବିନ୍ଦାଙ୍କ ଡ୍ୟାନ୍ସ ଷ୍ଟାଇଲ ଯୋଗୁଁ ସେ ବଲିଉଡରେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ।

ଗୋବିନ୍ଦାଙ୍କ ପୂରା ନାଁ ଗୋବିନ୍ଦ ଅରୁଣ ଆହୁଜା । ଜନ୍ମ ୨୧ ଡିସେମ୍ବର ୧୯୬୩ ମସିହା ମୁମ୍ବାଇରେ । ଗୋବିନ୍ଦାଙ୍କ ବାପା ଅରୁଣ କୁମାର ଅହୁଜା ଓ ମା ହେଉଛନ୍ତି ନିର୍ମଳା ଦେବୀ । ତାଙ୍କ ବାପା ମା ଉଭୟ ଫିଲ୍ମ ସହ ଜଡିତ । ବାପା ଅରୁଣ ଆହୁଜା ଏକ ହି ରାସ୍ତା ଓ ଔରତ ଭଳି ଫିଲ୍ମରେ ଅଭିନୟ କରିଥିଲେ । ପରେ ସେ ନିଜର ଏକ ଫିଲ୍ମ ପ୍ରଡ୍ୟୁସ କରିଥିଲେ । ହେଲେ ଏହି ଫିଲ୍ମ ବକ୍ସ ଅଫିସରେ ବୁଡି ଯାଇଥିଲା । ଏହାପରେ ତାଙ୍କ ପରିବାରକୁ ଆର୍ଥିକ ସମସ୍ୟା ଘାରିଥିଲା ।

ପରିବାରର ଅବସ୍ଥା ବିଗିଡିବା ସହ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ପରିବାର ଚଳାଇବା ପାଇଁ ଆଉ ପିଲାମାନଙ୍କୁ ପଠାପଢାଇବା ପାଇଁ ଶେଷରେ ଗୋବିନ୍ଦାଙ୍କ ମା କାମ କରିଥିଲେ । ପାରିବାରିକ ସମସ୍ୟା ଭିତରେ କମର୍ସରେ ଗ୍ରାଜୁଏସନ ସେଷ କରିଥିଲେ ଗୋବିନ୍ଦା । ହେଲେ ତାଙ୍କୁ କେଉଠି ଚାକିରି ମିଳିନଥିଲା । ପରେ କିଛି ଲୋକ ତାଙ୍କୁ ଫିଲ୍ମରେ ଆସିବାକୁ ପରାମର୍ଶ ଦେଇଥିଲେ ।

ଏହାପରେ ସେ ଫିଲ୍ମରେ ପ୍ରବେଶ କରିଥିଲେ । ‘ତନ ବଦନ’ ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ସେ କେବେ ବି ପଛକୁ ଫେରିନଥିଲେ । ଦୁହ୍ଲେ ରାଜା, ହଦ କରଦି ଆପନେ, ଆଖେଁ, ରାଜା ବାବୁ, ଜୋଡି ନମ୍ବର ୧, ସ୍ୱର୍ଗ, ସୋଲା ଓର ସବନମ, ବଡେ ମିଆଁ ଛୋଟେ ମିଆଁ, କୁଆଁରା ଓ ହିରୋ ନମ୍ବର ୱାନ ଭଳି ହିଟ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ଗୋବିନ୍ଦା ।

ଏହାରି ମଧ୍ୟରେ ଗୋବିନ୍ଦା ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ୧୧ ମାର୍ଚ୍ଚ ୧୯୮୭ ମସିହାରେ ଗୋବିନ୍ଦା ସୁନିତା ଆହୁଜାଙ୍କୁ ବିବାହ କରିଥିଲେ । ଗୋବିନ୍ଦାଙ୍କ ଗୋଟିଏ ପୁଅ ୟଶବର୍ଦନ ଆହୁଜା ଓ ଝିଅ ଟିନା ଆହୁଜା । ୨୦୦୪ରେ ଗୋବିନ୍ଦା କଂଗ୍ରେସରେ ଯୋଗ ଦେଇଥିଲେ । ଏହାସହ ମୁମ୍ବାଇରୁ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ହେଲେ ୨୦୦୮ରେ ସେ ରାଜନୀତି ଛାଡି ପୁଣି ଫିଲ୍ମ ଦୁନିଆରେ ପ୍ରବେଶ କରିଛନ୍ତି ।

from Kanak News
via <a href="https://ifttt.com/?

ବ୍ରିଟେନରେ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନ୍ ବଢାଇଲା ଚିନ୍ତା : ମୁକାବିଲା ରଣନୀତି ପାଇଁ ଆଜି ବସିବ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜରୁରୀ ବୈଠକ

କନକ ବ୍ୟୁରୋ : ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ଓ ପଜିଟିଭ ମାମଲା ବଢିବା ଖବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଚିନ୍ତା ବଢାଇ ଦେଇଛି । ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଆଜି ଜଏଂଟ ମନିଟରିଂ ଗ୍ରୁପର ଜରୁରୀକାଳୀନ ବୈଠକ ଡକାଯାଇଛି । ଡାଇରେକ୍ଟର ଜେନେରାଲ ଅଫ ହେଲଥ ସର୍ଭିସ ବା ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟ କ୍ଷତାରେ ଆଜି ବୈଠକ ବସିବ । ଏଥିରେ ଭାରତରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓର ପ୍ରତିନିଧି ଡକ୍ଟର ରାଡରିକୋ ଏଚ୍ ଆଫ୍ରିନ ମଧ୍ୟ ସାମିଲ ହୋଇପାରନ୍ତି ।

କୁହାଯାଉଛି ଇଂଲଣ୍ଡରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପଛରେ କରୋନାର ନୂଆ ଷ୍ଟ୍ରେନ ଦାୟୀ । ବ୍ରିଟେନ ସରକାର ଭୂତାଣୁର ଏହି ନୂଆ ଷ୍ଟ୍ରେନକୁ ନିୟନ୍ତ୍ରଣ ବାହାରେ ଘୋଷଣା କରି ଚେତାବନୀ ଜାରି କରିଛନ୍ତି । ଏହାପରେ ୟୁରୋପୀୟ ମହାଦେଶର ଅନେକ ରାଷ୍ଟ୍ର ବ୍ରିଟେନରୁ ଆସୁଥିବା ଉଡାଜାହଜ ସେବା ଉପରେ ରୋକ ଲଗାଇଛନ୍ତି । ବ୍ରିଟେନରେ ମଧ୍ୟ ଗତକାଲିଠାରୁ ଲକଡାଉନ୍ କଡାକଡି ଭାବେ ଲାଗୁ କରାଯାଇଛି । କରୋନାର ନୂଆ ଷ୍ଟ୍ରେନର ମାରାତ୍ମକ ସଂକ୍ରମଣକୁ ଆଖିରେ ରଖି ଜର୍ମାନୀ ସରକାର ବ୍ରିଟେନ ଓ ଆଫ୍ରିକାର ଆସୁଥିବା ବିମାନ ଉପରେ ରୋକ ଲଗାଇବା ପାଇଁ ବିଚାର ବିମର୍ଶ କରୁଛନ୍ତି । ସେହିପରି ନେଦରଲାଣ୍ଡ ଓ ବେଲଜିୟମ ପୂର୍ବରୁ ବ୍ରିଟେନରୁ ଆସୁଥିବା ବିମାନ ଓ ଟ୍ରେନ ସେବା ଉପରେ ରୋକ ଲଗାଇ ସାରିଛନ୍ତି ।

ସାରା ବିଶ୍ୱର ବିଶ୍ୱର ଚିନ୍ତା ବଢାଇଲାଣି ବ୍ରିଟେନରେ ଦେଖା ଦେଇଥିବ କରୋନାର ନୂଆ ଷ୍ଟ୍ରେନ୍ । ବର୍ତମାନ ଦେଖା ଦେଇଥିବା କରୋନା ଷ୍ଟ୍ରେନ୍ , ପୁରୁଣା ଅପେକ୍ଷା ଅଧିକ ମାରାତ୍ମକ ବୋଲି କୁହାଯାଉଛି । ଏବେ କରୋନା ଭୂତାଣୁର ନୂଆ ରୂପ ଆଗ ଅପେକ୍ଷା ୭୦ ପ୍ରତିଶତରୁ ଅଧିକ ବେଗରେ ସଂକ୍ରମିତ ହେଉଛି । ଏପରି ସଂକ୍ରମଣର ଲଣ୍ଡନ ସମେତ ଦକ୍ଷିଣ ପୂର୍ବ ଇଂଲଣ୍ଡରେ ଜାରି ହେଲା ଲକଡାଉନ୍ ।

from Kanak News
via <a href="https://ifttt.com/?

ଶୀତରେ ଥରହର ଭୁବନେଶ୍ବର : ଆସନ୍ତା ୩ ଦିନରେ ୧୦ ଡିଗ୍ରୀକୁ ଖସିବ ତାପମାତ୍ରା; ସେପଟେ,୫ଟି ଜିଲ୍ଲା ପାଇଁ ଅରେଂଜ ଓ ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ସକାଳୁ ସକାଳୁ କମ୍ବଳରୁ ମୁହଁ କାଢ଼ିବାକୁ ଇଚ୍ଛା ହେଉନି । ମୁହଁ ଧୋଇଲା ବେଳକୁ ଟାଙ୍କି ପାଣି ବରଫ ଭଳି ଲାଗୁଛି । ସକାଳର କାଲୁଆ ପବନକୁ କୁହୁଡ଼ିଆ ପାଗ ଓ ପ୍ରବଳ ଜାଡ଼ ରାଜଧାନୀକୁ ଥରାଇ ଦେଇଛି । ରାଜଧାନୀବାସୀ ଆଜି ସକାଳୁ ପ୍ରବଳ ଶୀତ ଅନୁଭବ କରିଛନ୍ତି। ବିଶେଷକରି ବସ୍ତି ଅଞ୍ଚଳରେ ରହୁଥିବା ଲୋକେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି । ଶୀତରୁ ରକ୍ଷା ପାଇବା ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଲୋକେ ନିଆଁ ଜାଳି ବସିଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ହେଲା ସ୍ବାଭାବିକ ପାଖାପାଖି ରହୁଥିବା ରାଜଧାନୀର ସର୍ବନିମ୍ନ ତାପମାତ୍ରା ଆଜି ୧୩ ଡିଗ୍ରୀକୁ ଖସିଛି ।

୧୫ ତାରିଖ ଦିନ ରାଜଧାନୀର ସର୍ବନିମ୍ନ ରାତି ତାପମାତ୍ରା ୧୯.୨ଡିଗ୍ରୀ ରେକର୍ଡ ହୋଇଥିଲା। ଆଜି ସକାଳେ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୩.୯ ଡିଗ୍ରୀ ରହିଥିଲା। ଅର୍ଥାତ ୫ ଦିନରେ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୬ ଡିଗ୍ରୀ ଖସିଛି। ଗତକାଲି ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ରହିଥିଲା, ଆଜି ତାହା ପ୍ରାୟ ୩ ଡିଗ୍ରୀ ତଳକୁ ଖସିଛି। ଆସନ୍ତା ୨ରୁ ୩ ଦିନ ଭିତରେ ରାଜଧାନୀର ପାରଦ ସ୍ତର ଆହୁରି ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ଫଳରେ ରାଜଧାନୀର ସର୍ବନିମ୍ନ ତାପମାତ୍ରା ଆସନ୍ତା ୩ ଦିନରେ ୧୦ ଡିଗ୍ରୀକୁ ଖସିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି।

ଆଗାମୀ ଦୁଇ ଦିନ ଯାଏଁ ପ୍ରବଳ ଥଣ୍ଡା ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇ ଦେଇଛନ୍ତି ସ୍ୱତନ୍ତ୍ର ରିଲଫ କମିଶନର । ଶୀତର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହ ନିରାଶ୍ରୟଙ୍କୁ ଥଣ୍ଡାରୁ ରକ୍ଷା କରିବା ପାଇଁ ରାତ୍ରୀକାଳୀନ ଆଶ୍ରୟ ସ୍ଥଳୀରେ ରଖିବାର ବ୍ୟବସ୍ଥା କରିବାକୁ କୁହାଯାଇଛି । ଭାରତୀୟ ପାଣିପାଗ ବିଭାଗ- ଆଇଏମଡି ଆଗାମୀ ଦୁଇଦିନ ପାଇଁ ମୟୁରଭଞ୍ଜ, ଅନୁଗୁଳ, ଝାରସୁଗୁଡା, ସୁୁନ୍ଦରଗଡ ଓ ବରଗଡ ଜିଲ୍ଲା ପାଇଁ ଅରେଜ ୱାର୍ଣ୍ଣିଂ ଜାରି କରିଛି ।… ସେହିପରି କୋରାପୁଟ, କନ୍ଧମାଳ, ବାଲେଶ୍ୱର, କନ୍ଦୁଝର, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡା, ଢେଙ୍କାନାଳ, କଟକ ଓ ଦେବଗଡ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଅର୍ଥାତ ଏସବୁ ଜିଲ୍ଲାରେ ପାରଦ କମିବାର ଆଶଙ୍କା ଥିବାରୁ ଜିଲ୍ଲାପାଳମାନଙ୍କୁ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

 

from Kanak News
via <a href="https://ifttt.com/?

ତେଜୁଛି ନୂଆ କୃଷି ଆଇନ ହଟାଓ ଦାବି : ଆଜି ୨୪ ଘଂଟିଆ ଉପବାସ ଅନଶନ କରିବେ କୃଷକ

କନକ ବ୍ୟୁରୋ : ତିନି ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । କୃଷି ଆଇନ ହଟାଇବା ଦାବିରେ ଆଜି ୨୪ ଘଂଟିଆ ଉପବାସ ଅନଶନ କରିବାକୁ ଘୋଷଣା କରିଛନ୍ତି ଆନ୍ଦୋଳନରତ କୃଷକ ସଂଗଠନ । ଦିଲ୍ଲୀର ବିଭିନ୍ନ ସୀମାରେ ବିରୋଧ ପ୍ରଦର୍ଶନ କରୁଥିବା ୧୧ ଜଣ କୃଷକ ଆଜି ଅନାହାର ରହି କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ପ୍ରଦର୍ଶନ କରିବେ । ଡିସେମ୍ବର ୨୩ ତାରିଖ କୃଷକ ଦିବସରେ ଉପବାସ ରହି କୃଷି ଆଇନକୁ ବିରୋଧ କରିବା ପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି କୃଷକ ସଂଗଠନ ।

ସେହିପରି ଡିସେମ୍ବର ୨୫ରୁ ୨୭ ତାରିଖ ଯାଏଁ ହରିୟାଣାର ସମସ୍ତ ରାଜପଥରେ ଟୋଲ ପ୍ଲାଜା ନିକଟରେ ବିରୋଧ ପ୍ରଦର୍ଶନ କରାଯିବ ଏବଂ ଏହି ସମୟରେ ଟୋଲ ଅସୁଲି କରିବାକୁ ଦେବେ ନାହିଁ ବୋଲି ଭାରତୀୟ କିଷାନ ୟୁନିଅନ ଘୋଷଣା କରିଛି । ସେହିପରି ଡିସେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ସମୟରେ ଥାଳି ବଜାଇବାକୁ କୃଷକ ସଂଗଠନ ଗୁଡିକ ଚାଷୀଙ୍କୁ ଅପିଲ କରିଛନ୍ତି । କହିଛନ୍ତି ମନ କି ବାତ କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ହେବା ଯାଏଁ ଥାଳି ବଜାଇ ବିରୋଧ ପ୍ରଦର୍ଶନ କରାଯିବ ।

ଦିଲ୍ଲୀ ସୀମାରେ ଗତ ୪ ସପ୍ତାହ ହେଲା ହଜାର ହଜାର କୃଷକ ଶୀତ କାକରରେ ପଡି ରହି ନୂଆ କୃଷି ଆଇନକୁ ବିରୋଧ କରୁଛନ୍ତି । ଗତକାଲି କୃଷି ଆଇନ ବିରୋଧୀ ପ୍ରଦର୍ଶନରେ ସାମିଲ ମୃତ ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ କୃଷକମାନେ । କୃଷକ ସଂଗଠନର ଦାବି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ତେଜିଥିବା ଆନ୍ଦୋଳନରେ ସାମିଲ ୪୦ ଜଣ କୃଷକ ପ୍ରାଣ ହରାଇଛନ୍ତି । ସେପଟେ କେନ୍ଦ୍ର ସରକାର ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକଙ୍କ ଚିଠି ଲେଖି ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏଥିସହ ଆଲୋଚନାର ତାରିଖ ସ୍ଥିର କରି ଜଣାଇବାକୁ ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସରକାର ।

from Kanak News
via <a href="https://ifttt.com/?

ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପଦଯାତ୍ରାର ଆଜି ଦ୍ୱିତୀୟ ଦିନ : ରାଜଧାନୀରୁ ନୟାଗଡ ଯଦୁପୁରକୁ ବାହାରିଛନ୍ତି ବିଜେପିର ତୁଙ୍ଗ ନେତା

କନକ ବ୍ୟୁରୋ : ପରୀ ପାଇଁ ବିଜେପିର ମହାପଦଯାତ୍ରାର ଆଜି ଦ୍ୱିତୀୟ ଦିନ । ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟର ୧୪୭ ନିର୍ବାଚନମଣ୍ଡଳିରେ ପଦ ଯାତ୍ରା କରିବା ସହ ଭୁବନେଶ୍ୱରରୁ ପରୀର ଗାଁ ଯଦୁପୁରକୁ ଚାଲିବା ଆରମ୍ଭ କରିଛନ୍ତି ବିଜେପି ନେତା ଓ କର୍ମୀ । ଏଥିରେ ୫ ଦିନ ଧରି ହେବାକୁ ଥିବା ଏହି ପଦଯାତ୍ରାରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବନତି ଶ୍ରୀନିବାସନ୍, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟର ତୁଙ୍ଗ ନେତା ଓ ଶହ ଶହ କର୍ମୀ ସାମିଲ ହୋଇଛନ୍ତି ।

୫ ଦିନରେ ମହାପଦଯାତ୍ରାରେ ବିଜେପି ଚାଲିବ ୧୦୦ କିମି । ଭୁବନେଶ୍ୱରରୁ ବାହାରିଥିବା ପଦଯାତ୍ରା ଆସନ୍ତା ୨୪ ତାରିଖରେ ପରୀର ଗାଁ ଯଦୁପୁରରେ ପହଁଚିବ । ସେହିଦିନ ଯଦୁପୁର ଗାଁରେ ବିଶାଳ ସମାବେଶ ଆୟୋଜନ କରିବ ଦଳ । ସିବିଆଇ ତଦନ୍ତ ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ଜୋରଦାର ଉଦ୍ୟମ କରୁଛି ବିଜେପି । ଗତକାଲି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ବାହାରିଥିବା ପଦ ଯାତ୍ରା ଯାଆଁଳାରେ ପହଂଚିଥିଲା, ଆଜି ଯାଆଁଳାରୁ ପୁଣି ପଦଯାତ୍ରା ନୟାଗଡ ଅଭିମୁଖେ ବାହାରିବ ।

ନୟାଗଡ ପରୀ ହତ୍ୟାକାଣ୍ଡକୁ ନେଇ ଆଜି ପୋଲିସ କମିଶନର କାର୍ଯ୍ୟାଳୟ ନିକଟରେ ଶାନ୍ତିପୂର୍ଣ୍ଣ ଧାରଣା ଦେବ ଜିଲ୍ଲା କଂଗ୍ରେସ । ରାଜ୍ୟରେ ଦିନକୁ ଦିନ ଶିଶୁ ଅପହରଣ ଏବଂ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ ସରକାର ନିରବଦ୍ରଷ୍ଟା ପାଲଟିଛନ୍ତି । ଏହାର ପ୍ରତିବାଦରେ ପୋଲିସ କମିଶନର କାର୍ଯ୍ୟାଳୟ ନିକଟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ । ଗତକାଲି ଜିଲ୍ଳା କଂଗ୍ରେସ କମିଟି ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଛି । ମଶାଲ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଟିଂନ ପରିକ୍ରମା କରିଥିଲା ।

from Kanak News
via <a href="https://ifttt.com/?

ପରୀ ହତ୍ୟା ମାମଲାରେ ପ୍ରଥମ ଗିରଫଦାରୀ : ଲଗାଇଲା ଦୁଷ୍କର୍ମ, ହତ୍ୟା ଓ ଅପହରଣ ମାମଲା; ଅଭିଯୁକ୍ତକୁ ଆଜି ନୟାଗଡ ପକସୋ କୋର୍ଟରେ କରାଯିବ ହାଜର

କନକ ବ୍ୟୁରୋ : ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ହୋଇଛି ପ୍ରଥମ ଗିରଫଦାରୀ । ଘଟଣାର ଦୀର୍ଘ ୫ ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଂଚ । ଆଜି ତାକୁ ନୟାଗଡ ପକସୋ କୋର୍ଟରେ ହାଜର କରାଯିବ । ପରୀ ହତ୍ୟା ମାମଲାରେ ଖିଅ ଖୋଜୁଥିବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ବା ଏସଆଇଟି ନୟାଗଡର ସେହି ଯଦୁପୁର ଗାଁରୁ ଅଭିଯୁକ୍ତକୁ ଧରିଛି । ଅଭିଯୁକ୍ତ ବିରୋଧରେ ୩୭୬ ଏ, ଅର୍ଥାତ୍ ଦୁଷ୍କର୍ମର ଧାରା ଲଗାଇଛି ଏସଆଇଟି ।

ଏହାଛଡା ଅଭିଯୁକ୍ତ ବିରୋଧରେ ୩୭୬ ଏ , ବି , ଅର୍ଥାତ୍ ୧୨ ବର୍ଷରୁ କମ୍ ନାବାଳିକାକୁ ଦୁଷ୍କର୍ମର ଦଫା ମଧ୍ୟ ଲାଗିଛି । ପରୀକୁ ଅପହରଣ କରାଯାଇ ଦୁଷ୍କର୍ମ କରି ହତ୍ୟା କରା ଯାଇଥିବାରୁ ଅପହରଣର ଧାରା ୩୬୪ ଓ ହତ୍ୟା ପାଇଁ ୩୦୨ ଧାରା ମଧ୍ୟ ଲଗାଯାଇଛି । ସେହିପରି ପ୍ରମାଣ ନଷ୍ଟ ଓ ଭୁଲ ତଥ୍ୟ ଦେଇ ତଦନ୍ତକୁ ବାଟବଣା କରିବା ଅଭିଯୋଗରେ ଆଇପିସିର ଧାରା ୨୦୧ ଲଗାଯାଇଛି । ପକସୋ ଆକ୍ଟର ଧାରା ୬ ମଧ୍ୟ ଅଭିଯୁକ୍ତ ବିରୋଧରେ ଲଗାଇଛି ଏସଆଇଟି ।

ସେପଟେ ନୟାଗଡ ଯଦୁପରରୁ ପରୀ ମୃତ୍ୟୁ ମାମଲାରେ ଏସଆଇଟି କଲେଜ ପଢୁଆ ଛାତ୍ରକୁ ଗିରଫ କରିବା ପରେ ପୁରା ଗାଁ ସ୍ତବ୍ଧ ହୋଇଯାଇଛି । ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥିବ ବୋଲି ଗ୍ରାମବାସୀ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି । ଅନ୍ୟପକ୍ଷରେ ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଏକା ନା ଆଉ କିଏ ସଂପୃକ୍ତ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ହତ୍ୟା‌କାଣ୍ଡ ଘଟାଇ ଶବକୁ ଏକ ସପ୍ତାହରୁ ଅଧିକ ଦିନ ଲୁଚାଇ ରଖିବା ଏବଂ ଏହାପରେ ଆଣି ଫିଙ୍ଗିବା କେମିତି ସମ୍ଭବ ବୋଲି ଆଲୋଚନା ହେଉଛି । ଏଥିସହିତ ସାଧାରଣରେ ବି ଏକାଧିକ ପ୍ରଶ୍ନ ଉଠିଛି। ଯେମିତିକି ପରୀ ଶରୀରର ମାତ୍ର କେତେ ଖଣ୍ଡ ହାଡ଼ ଜବତ ହୋଇଥିବା ବେଳେ ହତ୍ୟାକାରୀ ବାକି ଅଂଶକୁ କେଉଁଠି ଫିଙ୍ଗିଛି ? ପରୀର ଶବକୁ ନଷ୍ଟ କରିଦେବା ପାଇଁ ବ୍ୟବହାର ହୋଇଥିବା କେମିକାଲ୍‌କୁ ଅଭିଯୁକ୍ତ କେଉଁଠୁ ଆଣିଲା ? ଏଥି‌ରେ ତାକୁ କେଉଁମାନେ ସହଯୋଗ କରିଥିଲେ ? କିଭଳି ସ୍ଥିତି‌ରେ ସେ ଦୁଷ୍କର୍ମ କଲା ? ଆସନ୍ତାକାଲି ଏସ୍‌ଆଇଟି ଏନେଇ ସ୍ପଷ୍ଟ କରିବ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started