ବିଜେଡି ଆଭିମୁଖ୍ୟରେ ବଡ଼ ପରିବର୍ତନ । କାର୍ଯ୍ୟକାରିଣୀରେ ବିଜେପିକୁ ଟାର୍ଗେଟ୍ କଲେ ନବୀନ । କହିଲେ, ହିନ୍ଦୀ ଭାଷା ଉପରେ ଜୋର ଦେଉଛନ୍ତି ଜାତୀୟ ଦଳ

କନକ ବ୍ୟୁରୋ : ୨୧ ବର୍ଷର ଶାସନ ଭିତରେ ଏମିତି କମ ଅବସରର ଥିବ, ଯେତେବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୁହଁରୁ ଆପଣ ଭାଷଣ ଶୁଶିଥିବେ, ଯାହା ରାଜ୍ୟ ଯୁବ କାର୍ଯ୍ୟକାରିଣୀ ବୈଠକରେ ଶୁଣିବାକୁ ମିଳିଛି । ସିଧାସଳଖ ଜାତୀୟଦଳ ଗୁଡ଼ିକର ଆଭିମୁଖ୍ୟ ଓ ମନ୍ତ୍ରୀଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି ନବୀନ ପଟ୍ଟନାୟକ ।

ପ୍ରାୟ ୧୨ ମିନିଟ୍ର ଅଭିଭାଷଣରେ ନବୀନଙ୍କ ଫୋକସ୍ରେ ଥିଲା ଓଡ଼ିଶା । ଓଡ଼ିଶା, ଓଡ଼ିଆ ଭାଷା, ଓଡ଼ିଶାର ସଂସ୍କୃତି, ଓଡ଼ିଶାର ଐତିହ୍ୟ, ଓଡ଼ିଶାର ସ୍ୱାର୍ଥ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଓଡ଼ିଶାକୁ କେନ୍ଦ୍ରର ବୈମାତୃକ ଭାବ । ଏଭଳି ତମାମ୍ ପ୍ରସଙ୍ଗ ଉଠାଇ ଉଭୟ ବିଜେପି ଓ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ବିଜେଡି ସୁପ୍ରିମୋ ।

ବିଜେଡି ସୁପ୍ରିମୋଙ୍କ ବୟାନ୍ ଠିକ୍ ସେତିକି ବେଳେ ଆସିଛି, ଯେତେବେଳେ ପରୀ ପ୍ରସଙ୍ଗକୁ ନେଇ ଉଭୟ ବିଜେପି ଓ କଂଗ୍ରେସ, ପ୍ରତିଦିନ ଟାର୍ଗେଟ୍ କରୁଛନ୍ତି । ଆଉ ନବୀନ ସାମ୍ନାକୁ ଆସି, ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି ।

ସାରା ଦେଶରେ ଗୋଟିଏ ଭାଷା, ଗୋଟିଏ ସଂସ୍କୃତିର କଥା ଉଠାଇ, କେନ୍ଦ୍ରର ମୋଦି ସରକାରଙ୍କ ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସୁପ୍ରିମୋ । କେବଳ ସେତିକି ନୁହେଁ ଜାତୀୟ ଦଳ ଆପଣମାନଙ୍କୁ ସାଗରରେ ଗୋଟିଏ ଛୋଟ ଜଳବିନ୍ଦୁ କରି ହଜାଇ ଦେବେ ବୋଲି ଚେତାଇ ଦେଇଛନ୍ତି ।

ନବୀନ ପଟ୍ଟନାୟକଙ୍କ ଏହି ଅଭିଭାଷଣ ଓ ଆଭିମୁଖ୍ୟ ବିରୋଧୀଙ୍କୁ ଯେମିତି ଚକିତ କରିନି, ରାଜନୈତିକ ମହଲରେ ତାଠୁ ଅଧିକ ଚର୍ଚ୍ଚା ସୃଷ୍ଟି କରୁଛି । ନିର୍ବଚାନର ଦେଢ଼ ବର୍ଷ ଯାଏଁ ନୀରବ ଥିବା ନବୀନ, ଏଭଳି ଅଭିମୁଖ୍ୟ ରଖି କଣ ବର୍ତା ଦେଉଛନ୍ତି, ତାକୁ ନେଇ ଚର୍ଚ୍ଚା ବଢିଛି ।

from Kanak News
via <a href="https://ifttt.com/?

କରୋନା ଟିକାକରଣ ପାଇଁ ଓଡିଶାର ଜୋରଦାର ପ୍ରସ୍ତୁତି । ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟକର୍ମୀ ଓ ୧ ଲକ୍ଷ ୪୦ ହଜାର ଆଇସିଡିଏସ ଚିହ୍ନଟ । 

କନକ ବ୍ୟୁରୋ : ଓଡ଼ିଶାରେ ଟିକାକରଣ ପାଇଁ ସଂପୂର୍ଣ୍ଣ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ କେଉଁମାନେ ଟିକା ନେବେ, ତା’ର ଚୂଡ଼ାନ୍ତ ଡାଟାବେସ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କର ତାଲିକା ପ୍ରସ୍ତୁତ କରାଯାଇଛି । ସେଥିରେ ଅଛନ୍ତି ୧ଲକ୍ଷ ୪୦ ହଜାର ଅଙ୍ଗନବାଡ଼ି କର୍ମୀ, ସହାୟିକା, ସୁପରଭାଇଜର ଓ ସିଡିପିଓ । ଟିକାକରଣ ପାଇଁ ୨୯ ହଜାର ୨୭୬ଟି କେନ୍ଦ୍ର ଚିହ୍ନଟ କରାଯାଇଛି ।

୮୨୭୬ ଜଣ ଟିକାଦାନ କର୍ମୀ ନିୟୋଜିତ ହେବେ । ସବୁଠୁ ବଡ଼ କଥା ହେଉଛି, ଟିକା ମହଜୁଦ ରଖିବାକୁ କୋଲ୍ଡ ଚେନ୍ ବା ଶୀତଳ ଶୃଙ୍ଖଳ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରସ୍ତୁତି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏଥିପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ଟିକାକୁ ସୁରକ୍ଷିତ ଭାବେ ଗଚ୍ଛିତ ରଖିବା ପାଇଁ ମୋଟ ୧୨୨୨ କୋଲ୍ଡ ଚେନ୍ ପଏଂଟ କରାଯାଇଛି ।

ଗୋଟିଏ ରାଜ୍ୟସ୍ତରୀୟ  ଟିକାକରଣ ଷ୍ଟୋର ରହିଥିବା ବେଳେ ୯ଟି ଆଂଚଳିକ ଷ୍ଟୋର ଏବଂ ଭୁବନେଶ୍ୱର ଓ ରାଉରକେଲା ସମେତ ୩୨ଟି ଜିଲ୍ଲାସ୍ତରୀୟ ଷ୍ଟୋର ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ବ୍ଳକ ସ୍ତରରେ ୧୧୮୦ କୋଲ୍ଡ ଚେନ୍ ପଏଂଟ କାର୍ଯ୍ୟ କରିବ । ଟିକାକରଣ ନେଇ ରାଜ୍ୟ ଷ୍ଟିୟରିଂ କମିଟି, ରାଜ୍ୟ ଟାସ୍କ ଫୋର୍ସ କମିଟି, ଜିଲ୍ଲା କମିଟି ଓ ବ୍ଳକ କମିଟି ଗଠନ କରାଯାଇଛି । ଏହସବୁ କମିଟି ପରସ୍ପର ସହ ସମନ୍ୱୟ ରକ୍ଷା କରି ଟିକାକରଣ କାର୍ଯ୍ୟର ସମୀକ୍ଷା କରିବେ ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ଖୋଲିବ ମନ୍ଦିର । ଆସନ୍ତା ୩ ତାରିଖରୁ ରାଜଧାନୀର ସବୁ ମନ୍ଦିର ଖୋଲିବାକୁ ଅନୁମତି ।

କନକ ବ୍ୟୁରୋ: ଭୁବନେଶ୍ୱରରେ ଖୋଲିବ ମନ୍ଦିର । ରାଜଧାନୀର ସବୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି । ଆସନ୍ତା ୩ ତାରିଖରେ ଭୁବନେଶ୍ୱରର ସମସ୍ତ ମନ୍ଦିର ଖୋଲିବାକୁ ବିଏମସିର ଅନୁମତି । ଲିଙ୍ଗରାଜଙ୍କ ମନ୍ଦିର ବ୍ୟତିତ ଅନ୍ୟ ମନ୍ଦିର ଖୋଲିବାକୁ ବି ନିଷ୍ପତ୍ତି ନିଆଯାଇଛି । ତେବେ କରୋନା କଟକଣା ପାଇଁ ସାଧାରଣ ଦର୍ଶନ ଓ ଶ୍ରଦ୍ଧାଳୁଙ୍କ ଯାଆସ ଉପରେ କଟକଣା ଲଗାଯାଇଥିଲା । ମନ୍ଦିର ଭିତରେ ରୀତିନୀତି ଚାଲିଥିବା ବେଳେ ଦର୍ଶନ ବନ୍ଦ ରହିଥିଲା । ମାତ୍ର ଆସନ୍ତା ୩ରୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି ।

ତେବେ ଦୀର୍ଘ ୯ ମାସ ପରେ ଖୋଲିବାକୁ ଯାଉଛି ଶ୍ରୀଲିଙ୍ଗରାଜ ମନ୍ଦିର । ପୁରୀ ଜଗନ୍ନାଥ ମନ୍ଦିର ପରେ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଆସନ୍ତା ୨୭ରୁ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଥିବା ବେଳେ ୨୭ରୁ ୩୧ ଯାଏଁ ଦର୍ଶନ କରିପାରିବେ ସେବାୟତଙ୍କ ପରିବାର । ନୂଆବର୍ଷ ଅଥାର୍ତ ଜାନୁଆରୀ ୧ ଓ ୨ରେ ବନ୍ଦ ରହିବ ଲିଙ୍ଗରାଜ ମନ୍ଦିର । ଏହି ସମୟରେ କୌଣସି ଭକ୍ତ କିମ୍ବା ସେବାୟତଙ୍କ ପରିବାରକୁ ମନ୍ଦିର ଭିତରକୁ ଛଡାଯିବ ନାହିଁ ।

ତେବେ ୩ରୁ ଭକ୍ତଙ୍କ ପାଇଁ ଖୋଲାଯିବ ମନ୍ଦିର । ୩ରୁ ୫ ତାରିଖ ଯାଏଁ ରାଜଧାନୀ ବାସିନ୍ଦାଙ୍କୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ । ଜାନୁଆରୀ ୬ରୁ ୩୧ ଯାଏଁ ରାଜ୍ୟର ଅନ୍ୟାନ୍ୟ ସ୍ଥାନର ଭକ୍ତଙ୍କୁ ଲିଙ୍ଗରାଜଙ୍କ ଦର୍ଶନ ନେଇ ସୁଯୋଗ ମିଳିବ । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୋଭିଡ ନେଗେଟିଭ ରିପୋର୍ଟ ଦେଖାଇଲେ ହିଁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ଭକ୍ତ । ଏହାସହ ଦର୍ଶନ ବେଳେ କୋଭିଡ ଗାଇଡଲାଇନକୁ ଗୁରୁତ୍ୱ ଦିଆଯିବ ।

from Kanak News
via <a href="https://ifttt.com/?

ଏଣକି ମସ୍ତିଷ୍କକୁ ପଢିବ ଫେସବୁକ । ଫେସବୁକ ତିଆରି କରୁଛି ଏକ ନୂଆ ଟୁଲ, ୟୁଜର୍ସଙ୍କ ମସ୍ତିଷ୍କକୁ ପଢିପାରିବ ଏହି ଫେସବୁକ ଟୁଲ୍ ।

କନକ ବ୍ୟୁରୋ : ଏଣକି ମସ୍ତିଷ୍କକୁ ପଢିବ ଫେସବୁକ । ଆଗାମୀ ଦିନରେ ଫେସବୁକ ଆଣିବାକୁ ଯାଉଛି ନୂଆ ଫିଚର । ଫେସବୁକ ଏକ ନୂଆ ଟୁଲ ତିଆରି କରୁଛି ଯାହା ମାଧ୍ୟମରେ ୟୁଜର୍ସଙ୍କ ମସ୍ତିଷ୍କକୁ ପଢିପାରିବ ଏହି ଫେସବୁକ ଟୁଲ୍୍ । ୟୁଜର୍ସ ଯାହା ଚିନ୍ତା କରୁଥିବେ ବା ଭାବୁଥିବେ ତାହା ଫେସବୁକରେ ଆକ୍ସନ ମାଧ୍ୟମରେ ପରିବର୍ତ୍ତନ ହୋଇଯିବ । ଏଭଳି ଏକ ନୂଆ ପ୍ରୋଜେକ୍ଟ  ଉପରେ କାମ କରୁଛି ଫେସବୁକ ।

ପୂର୍ବରୁ ମଧ୍ୟ ଏଲୋନ ମସ୍କ କମ୍ପାନୀ ମସ୍ତିସ୍କକୁ ପଢିପାରୁଥିବା ମେସିନ ଉପରେ କାମ କରି ସାରିଛି । ମୁଣ୍ଡରେ ଅତି ସୂଖ୍ମ ଚିପ୍ ଲଗାଯାଇ ତାକୁ ଫୋନରେ ସଂଯୋଗ କରାଯାଏ ଫଳରେ ୟୁଜର୍ସଙ୍କ ଭାବନାକୁ ପଢିହେବ । ଏଲୋନ ମସ୍କ କମ୍ପାନୀ ଚିକିତ୍ସା ପାଇଁ ଏହି ଟେକ୍ନୋଲୋଜିକୁ ବ୍ୟବହାର କରିବାକୁ ଚାହୁଁଛି । ଯାହାକି କଥା କହିପାରୁନଥିବା ଲୋକଙ୍କ ପାଇଁଇ ସହାୟକ ହେବ ।

ଏହାସହ ଫେସବୁକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆସିଷ୍ଟାଣ୍ଟ ନାମକ ଏକ ଟୁଲ୍ ତିଆରି କରିଛି । ଏହି ଟୁଲ୍ ନ୍ୟୁଜ ଆର୍ଟିକିଲର ସମରି ତିଆରି କରିବ । ଯାହା ଫଳରେ ୟୁଜର୍ସଙ୍କୁ ବଡ ବଡ ନ୍ୟୁଜ ପଢିବାକୁ ପଡିବ ନାହିଁ । ଏହି ଟୁଲ ମାଧ୍ୟମରେ କେବଳ ସମରି ପଢି ୟୁଜର୍ସ ଖବରଟିକୁ ବୁଝିପାରିବେ ।

ମାର୍ଚ୍ଚ ୨୦୨୦ରେ ଫେସବୁକ ନିଜ ବ୍ଲଗରେ ପୋଷ୍ଟ କରି କହିଥିଲା ଯେ, ଆମେ ଏଭଳି ଏକ କମ୍ପାନୀ ଏଭଳି ଏକ ଡିଭାଇସ ତିଆରି କରିବାକୁ ଚାହୁଁଛୁ ଯେଉଁଥିରେ ଲୋକଙ୍କୁ ଭାବନାକୁ ପଢିହେବ । ହେଲେ ଏହା ପରଠୁ ଫେସବୁକ କୌଣସି ପ୍ରକାର ପ୍ରତିକ୍ରିୟ ରଖିନଥିଲା ।

ପୂର୍ବରୁ ଫେସବୁକ ଉପରେ ୟୁଜର୍ସଙ୍କ ଗୋପନୀୟତା ଓ ଡାଟା ଚୋରୀ ହେବାର ଅନେକ ଅଭିଯୋଗ ଲାଗିଛି । ଏହାରି ମଧ୍ୟରେ ଫେସବୁକ ମସ୍ତିଷ୍କ ପଢିପାରୁଥିବା ଟୁଲ ତିଆରି କରିବା କାମରେ ଲାଗିଛି । ଏହି ଟୁଲ ଅନେକ କ୍ଷେତ୍ରରେ ଲୋକଙ୍କୁ ସହାୟକ ହୋଇପାରେ । ନିଜ ମନର କଥାକୁ ଲୋକମାନେ ନକହି ମଧ୍ୟ ଫେସବୁକରେ ଆକ୍ସନ ମାଧ୍ୟମରେ ଦେଖାଇପାରିବେ । ଏହାସହ କେତେକ କ୍ଷେତ୍ରରେ ଏଭଳି ଟୁଲକୁ ଲୋକମାନେ ସ୍ୱାଗତ କରିନାହାନ୍ତି । କାରଣ ଏହି ଟୁଲ ମାଧ୍ୟମରେ ୟୁଜର୍ସଙ୍କ ଗୋପନୀୟତାରେ ହସ୍ତକ୍ଷେପ କରାଯାଉଛି ବୋଲି କୁହାଯାଉଛି ।

from Kanak News
via <a href="https://ifttt.com/?

ଭାରତ-ଅଷ୍ଟ୍ରେଲିଆ ପିଙ୍କ ବଲ୍ ଟେଷ୍ଟ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୬୨ ରନରେ ଆଗୁଆ ଟିମ ଇଣ୍ଡିଆ ।

କନକ ବ୍ୟୁରୋ : ରୋଚକ ମୋଡରେ ଭାରତ-ଅଷ୍ଟ୍ରେଲିଆ ପିଙ୍କ ବଲ୍୍ ଟେଷ୍ଟ । ଏହି ମ୍ୟାଚର ଦ୍ୱିତୀୟ ଦିନ ଖେଳ ସରିଯାଇଛି । ଏହାସହ ୬୨ ରନରେ ଆଗୁଆ ରହିଛି ଟିମ ଇଣ୍ଡିଆ । ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ ଭାରତ ୬ ଓଭର ଖେଳି ୧ ୱିକେଟ ହରାଇ ୯ ରନ କରିଛି । ମୟଙ୍କ ଅଗ୍ରୱାଲ ଓ ଯଶପ୍ରୀତ ବୁମରାହ ନଟ ଆଉଟ ରହିଛନ୍ତି ।

ଏହି ଡେ ନାଇଟ ଟେଷ୍ଟରେ ଭାରତ ପ୍ରଥମ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ଆରମ୍ଭ କରିଥିଲେ ଟିମ ଇଣ୍ଡିଆର ଦୁଇ ଓପନର । ଦଳ ପକ୍ଷରୁ କୋହଲି ୭୪, ଚେତେଶ୍ୱର ପୂଜାରା ୪୩, ରାହାଣେ ୪୨ ରନ କରିଛନ୍ତି । ହେଲେ ଆଉ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନଥିଲେ । ଫଳରେ ଭାରତ ଦ୍ୱିତୀୟ ଦିନ ସୁଦ୍ଧା ଖେଳି ୯୩ ଓଭରରେ ୨୪୪ ରନ କରି ଅଲଆଉଟ ହୋଇଯାଇଥିଲା ।

ପରେ ଅଷ୍ଟ୍ରେଲିଆ ଆଜି ତାର ପ୍ରଥମ ଇଂନିସ ଆରମ୍ଭ କରିଥିଲା । ହେଲେ ଘରୋଇ ମାଟିରେ ବିଫଳ ହୋଇଥିଲା କଙ୍ଗାରୁ ଦଳ । ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲା ଅଷ୍ଟ୍ରେଲିଆ ଦଳ । ଅଷ୍ଟ୍ରେଲିଆ ପକ୍ଷରୁ ଟିମ ପାଇନ୍ ୭୩ ଓ ଲାବ୍ରୁସଚେଞ୍ଚ ୪୭ ରନ କରିଥିଲେ । ହେଲେ ଆଉ କେହି ସଫଳ ହୋଇପାରିନଥିଲେ । ଫଳରେ ୭୨ ଓଭର ଖେଳି ଅଷ୍ଟ୍ରେଲିଆ ୧୯୧ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଅଶ୍ୱିନୀ ୪, ଉମେଶ ଯାଦବ ୩ ଓ ବୁମରା ୨ଟି ୱିକେଟ ହାସଲ କରିଛନ୍ତି ।

ତେବେ ଆଜିର ମ୍ୟାଚରେ ଟିମ ଇଣ୍ଡିଆର ଦମଦାର ବୋଲିଂ ଦେଖିବାକୁ ମିଳିଥିଲା । ଫଳରେ ଅଷ୍ଟ୍ରେଲିଆ ତାର ପ୍ରଥମ ଇନିଂସରେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଏହାସହ ଏବେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬୨ ରନରେ ଆଗୁଆ ରହିଛି ।

from Kanak News
via <a href="https://ifttt.com/?

ପରୀ ମୃତ୍ୟୁ ମାମଲାରେ ଓଡିଶା ପୋଲିସର ସ୍ପଷ୍ଟୀକରଣ । କହିଲା, ତଦନ୍ତକାରୀ ସଂସ୍ଥା ଉପରେ ଜଣେ ବ୍ୟକ୍ତି ଭିତ୍ତିହୀନ ଆରୋପ ଲଗାଉଛନ୍ତି ।

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଓଡିଶା ପୋଲିସର ସ୍ପଷ୍ଟୀକରଣ । ଏନେଇ ଓଡିଶା ପୋଲିସ କହିଛି, ଏସଆଇଟି ତଦନ୍ତ ପ୍ରସଙ୍ଗରେ ଭିତ୍ତିହୀନ ଅଭିଯୋଗ ଚିନ୍ତାର ବିଷୟ । ମାମଲାରେ ଅନେକ ଲୋକଙ୍କୁ ପଚରା ଉଚରା କରାଯାଇଛି । ତଦନ୍ତରେ ସବୁ ଗ୍ରାମବାସୀ ସହଯୋଗ କରୁଛନ୍ତି । ତଦନ୍ତକାରୀ ସଂସ୍ଥାରେ ଉପରେ ଜଣେ ବ୍ୟକ୍ତି ଭିତ୍ତିହୀନ ଆରୋପ ଲଗାଉଛନ୍ତି । ଏହାଦ୍ୱାରା ତଦନ୍ତକାରୀ ଅଧିକାରୀ ହତୋତ୍ସାହିତ ହେବେ ।

ପରୀ ମାମଲାରେ ଏସଆଇଟି ନୟାଗଡ ଯଦୁପୁର ଗାଁକୁ ଯାଇଁ ତଦନ୍ତ କରୁଛି । ତେବେ କିଛି ବ୍ୟକ୍ତି ଏସଆଇଟି ଓ ଅରୁଣ ବୋଥ୍ରାଙ୍କ ନାଁରେ ଅଭିଯୋଗ କରାଯାଉଛି । ପୋଲିସ ତାଙ୍କୁ ହଇରାଣ କରୁଥିବା କିଛି ଲୋକ କହିଛନ୍ତି । ତେବେ ଏହାରି ମଧ୍ୟରେ ପୋଲିସ ନିଜ ସ୍ପଷ୍ଟୀକରଣ ରଖିଛି ।

ପରୀ ମୃତ୍ୟୁ ମାମଲାରେ ଏସଆଇଟି କୋର୍ଟରେ ରିପୋର୍ଟ ଦାଖଲ କରିସାରିଛି । ତେବେ ପରୀକୁ ହତ୍ୟା ପୂର୍ବରୁ ଯୌନ ନିର୍ଯାତନା ଦିଆଯାଇଥିବା ସୂତ୍ରରୁ ପ୍ରକାଶ ପାଇଛି । ଏହାସହ ଏସଆଇଟି ପରୀ ଡ୍ରେସରୁ ମିଳିଥିବା ସିମେନ ଜରିଆରେ ଅଭିଯୁକ୍ତକୁ ଚିହ୍ନଟ କରିବ ବୋଲି ସୂଚନା ମିଳିଛି ।

from Kanak News
via <a href="https://ifttt.com/?

କ୍ରିକେଟ ପରେ ଏବେ ଫାର୍ମିଂ ବିଜେନସରେ ମହେନ୍ଦ୍ର ସିଂ ଧୋନୀ । ନିଜ ଫାର୍ମରେ ପରିବା ଚାଷ କରିବା ସହ ଏହାକୁ ନେଇ ମାର୍କେଟରେ ବିକୁଛନ୍ତି ଧୋନୀ ।

କନକ ବ୍ୟୁରୋ : କ୍ରିକେଟରେ ନିଜ କ୍ୟାରିୟର ପରେ ଏବେ ଫାର୍ମିଂ ବିଜେନସରେ ମହେନ୍ଦ୍ର ସିଂ ଧୋନୀ । ଫାର୍ମିଂ ବିଜନେସରେ ନିଜ ଦ୍ୱିତୀୟ ଇଂନିସ ଆରମ୍ଭ କରିଛନ୍ତି ଏହି ଦକ୍ଷ କ୍ରିକେଟର । ନିଜ ଫାର୍ମରେ ପରିବା ଚାଷ କରିବା ସହ ଏହାକୁ ନେଇ ମାର୍କେଟରେ ବିକୁଛନ୍ତି ଧୋନୀ । ଧୋନୀ ନିଜ ଫାର୍ମରେ ବିଭିନ୍ନ ଅର୍ଗାନିକ ପରିବା ଚାଷ କରୁଛନ୍ତି । ଆଉ ଏହି ପରିବା ଏବେ ମାର୍କେଟରେ ଯାଇ ବିକ୍ରି ହେଉଛି । ଧୋନୀଙ୍କ ପରିବା ମାର୍କେଟକୁ ଆସିବା ପରେ ଲୋକମାନେ ଏହାକୁ ବେଶ ପସନ୍ଦ କରିଛନ୍ତି ।

ବଜାରରେ ସେୟାର ପାଇଁ ଧୋନୀ ଅନୁପ୍ରବେଶକାରୀ ମୂଲ୍ୟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଅନୁପ୍ରବେଶକାରୀ ମୂଲ୍ୟ ଅର୍ଥାତ ଆରମ୍ଭରୁ ନିଜ ଦ୍ରବ୍ୟକୁ ବଜାର ମୂଲ୍ୟଠୁ କମ ଦାମରେ ବିକିବା । ତାଙ୍କ ପରିବା ଅର୍ଗାନିକ ହୋଇଥିଲେ ମଧ୍ୟ ବଜାରରେ ଅନ୍ୟ ପରିବା ଠାରୁ ତାଙ୍କ ପରିବାର ମୂଲ୍ୟ କମ ରହିଛି ।

ବଜାରରେ ଧୋନୀଙ୍କ କୋବି କିଲୋ ପିଛା ୧୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଟମାଟୋ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଛି । ଯାହାକି ବଜାର ମୂଲ୍ୟଠାରୁ ଢେର କମ ଦାମ ରହିଛି । ତେବେ ଧୋନୀଙ୍କ ଫାର୍ମରୁ ଆସୁଥିବା ଏହି ପରିବା ଧୋନୀଙ୍କ ଟ୍ୟାଗ ଲଗାଯାଇ ବିକ୍ରି ହେଉଛି । ଫଳରେ ଲୋକମାନେ ଏଥିପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ଏହାସହ ଧୋନୀଙ୍କ ପରିବା ଦୋକାନ ଦାୟିତ୍ୱରେ ରହିଛନ୍ତି ଅର୍ସଦ ଆଲମ ନାମକ ଜଣେ ବ୍ୟକ୍ତି ।

ଏନେଇ ଅର୍ସଦ ଆଲମ କହିଛନ୍ତି, ଆମର ସବୁ ପନିପରିବା ଆର୍ଗାନିକ ଅଟେ । ଆଉ ଏଥିପାଇଁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି । ଏହାସହ ଧୋନୀଙ୍କ ଟ୍ୟାଗ ଲାଗୁଥିବାରୁ ଲୋକମାନଙ୍କର ଏହି ପରିବା ପ୍ରଥମ ପସନ୍ଦ ରହୁଛି ।

ରାଞ୍ଚିର ଧୁର୍ବାସ୍ଥିତ ସେମ୍ଭୋଠାରେ ୫୫ ଏକର ଜମିରେ ଧୋନୀ ଏହି ଫାର୍ମ କରିଛନ୍ତି । ବର୍ତ୍ତମାନ ତାଙ୍କ ଫାର୍ମରେ ଟମାଟୋ, ଫୁଲ କୋବି ଓ ବ୍ରୋକୋଲି ଚାଷ କରାଯାଉଛି । ଏହାସହ ଧୋନୀଙ୍କ ଏକ ଡାଏରୀ ଫାର୍ମ ମଧ୍ୟ ରହିଛି । ନିଜ ଡାଏରୀ ଫାର୍ମରେ ଧୋନୀ ଭାରତୀୟ ପ୍ରଜାତିର ସାହିୱାଲ ଓ ଫ୍ରାନ୍ସ ପ୍ରଜାତିର ଫିଜିଆନ ଗାଇ ରଖିଛନ୍ତି । ତାଙ୍କ ଡାଏରୀ ଫାର୍ମରୁ ଆସୁଥିବା ଦୁଗ୍ଧ ବଜାରରେ ବିକ୍ରି ହେଉଛି । ଯାହାର ଲିଟର ପିଛା ଦାମ ରହିଛି ୫୫ ଟଙ୍କା ।

ଖୁବ ଶୀଘ୍ର ଧୋନୀଙ୍କ ଫାର୍ମରୁ ମଟର, ଷ୍ଟ୍ରବେରୀ ଓ କଡକନାଥ କୁକୁଡା ଅଣ୍ଡା ମଧ୍ୟ ବଜାରରେ ଉପଲବ୍ଧ ହେବ । ଫାର୍ମଠାରୁ ଆରମ୍ଭ କରି ବଜାରର ଆଉଟଲେଟ ଉପରେ ଧୋନୀ ନଜର ରଖିଛନ୍ତି । ନିଜ ଫାର୍ମର ଦାୟିତ୍ୱ ଅନ୍ୟ ଲୋକଙ୍କୁ ଦେଇଥିଲେ ମଧ୍ୟ ଧୋନୀ ଫାର୍ମକୁ ମଝିରେ ମଝିରେ ଆସି ସବୁ ବୁଝାବୁଝି କରିଥାନ୍ତି ।

ଚଳିତ ବର୍ଷ ଧୋନୀ କ୍ରିକେଟକୁ ଅଲବିଦା କହିଥିଲେ । ଅବସର ପରେ ଆଇପିଏଲ ଖେଳିଥିଲେ । ହେଲେ ଏଥିରେ ତାଙ୍କୁ ପ୍ରଦର୍ଶନ କରିବାର ଦେଖିବାକୁ ମିଳି ନଥିଲା । ଏହାପରେ ଏବେ ତାଙ୍କୁ ଫାର୍ମିଂ ବିଜନେଓ କରୁଥିବାର ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଲାଗିଲା ଏନଏସଏ । ଏନଏସଏ ଲାଗୁ ପାଇଁ ନିର୍ଦ୍ଦେଶ ଦେଲା କମିଶନରେଟ ପୋଲିସ ।

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଲାଗିଲା ଏନଏସଏ । ଏନଏସଏ ଅର୍ଥାତ ଜାତୀୟ ନିରାପତ୍ତା ଆଇନ ଲାଗୁ ପାଇଁ ନିର୍ଦ୍ଦେଶ ଦେଲା କମିଶନରେଟ ପୋଲିସ । ଦାଦାବଟି ଅଦାୟ ଓ ଲୋକଙ୍କୁ ଭୟଭୀତ କରୁଥିବାରୁ ଏନଏସଏ ଲାଗୁ ହୋଇଛି । ଏହାସହ ଆଜି ରାଜାକୁ ଏସଡିଜେଏମ କୋର୍ଟରୁ ଜାମିନ ମିଳିଛି ।

ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲ୍୍ ବଣ୍ଡରେ ରାଜାକୁ ଜାମିନ ମିଳିଛି । ରାଜାକୁ ଗତ ଅକ୍ଟୋବର ୧୭ ତାରିଖରେ ଦାଦାବଟି ଆଦାୟ ମାମଲାରେ ଗିରଫ କରିଥିଲା କମିଶନରେଟ ପୋଲିସ ।

ଗ୍ୟାଙ୍ଗଷ୍ଟର ରାଜା ନାଁରେ ଆହୁରି ଅନେକ ଅପରାଧିକ ମାମଲା ରହିଛି । କୋଚ ବିରଞ୍ଚି ଦାସ ହତ୍ୟା ମାମଲାରେ ରାଜାକୁ ଗିରଫ କରିଥିଲା ପୋଲିସ । ସେହିପରି ଏବେ ଲୋକଙ୍କଠାରୁ ଭୟଭୀତ କରି ଦାଦାବଟି ଆଦାୟ କରୁଥିବାରୁ ରାଜା ନାଁରେ ଏନଏସଏ ଲାଗୁ ହୋଇଛି ।

from Kanak News
via <a href="https://ifttt.com/?

କାରାଟଲେନ-ତନିସ୍କର ସହଭାଗୀରେ ରାଉରକେଲା ଠାରେ ନୂଆ ଷ୍ଟୋରର ଶୁଭାରମ୍ଭ । ପୂର୍ବାଞ୍ଚଳରେ ମୋଟ ଷ୍ଟୋର ସଂଖ୍ୟା ୨୦ରେ ପହଞ୍ଚିଲା 

କନକ ବ୍ୟୁରୋ : କାରାଟଲେନ-ତନିସ୍କ ଏକ ସହଭାଗୀରେ ରାଉରକେଲା ଠାରେ ନୂଆ ଷ୍ଟୋରର ଶୁଭାରମ୍ଭ କରିଛନ୍ତି । ବିଭିନ୍ନ ପଦ୍ଧତିରେ ସପିଂ କରାଉଥିବା ଭାରତର ଅଗ୍ରଣୀ ଜୁଏଲାରୀ ରାଉରକେଲା ଠାରେ ପ୍ରଥମ ଷ୍ଟୋର ଖୋଲି ପୂର୍ବାଞ୍ଚଳରେ  ଏହାର ରିଟେଲ୍ ଉପସ୍ଥିତିକୁ ବୃଦ୍ଧି କରିଛି । ଏହି ଷ୍ଟୋରଟି ବିସ୍ରା ରାସ୍ତାରେ ଅବସ୍ଥିତ, ଯାହା ଗ୍ରାହକଙ୍କ ପାଇଁ ଏକ ସପିଂ ଗନ୍ତବ୍ୟସ୍ଥଳ ।

କାରାଟଲେନ ରିଟେଲ୍ ଏକ୍ସପାନସନ ବର୍ଷ ସାରା ଜାରି ରହିଛି ଏବଂ ଏହି ଷ୍ଟୋରର ଶୁଭାରମ୍ଭ ସହିତ ବର୍ତମାନ ସୁଦ୍ଧା ସାରା ଭାରତରେ ୯୯ ଟି ଷ୍ଟୋରରେ ପହଂଚିଛି । ଏହି ଷ୍ଟୋରଟି ୧୦୦୦ ବର୍ଗଫୁଟ ପରିମିତ ଏରିଆରେ ମଧ୍ୟରେ ପରିବ୍ୟାପ୍ତ, ଏଥିରେ ପ୍ରାୟ ୧୦୦୦ର ଅନନ୍ୟ ଡ଼ିଜାଇନ ରହିଛି । ଏଠାରେ ଥିବା ପ୍ରତ୍ୟେକ ଡ଼ିଜାଇନରେ ଏକ କାହାଣୀ ଲୁଚି ରହିଛ ଯାହା ସମସ୍ତଙ୍କୁ ବିସ୍ମିତ କରିବ ନିଶ୍ଚିତ ।

ଏହି ଷ୍ଟୋରର ବିଶେଷତ୍ୱ ହେଉଛି ଏକ ସଲିଟାୟାର ଲାଉଞ୍ଜ, ଅଳଙ୍କାର ବିଶେଷଜ୍ଞଙ୍କ ଏକ ଅତ୍ୟନ୍ତ ସହାୟକ ଦଳ ଏବଂ ପାରମ୍ପରିକ ଭାରତୀୟ ଅଳଙ୍କାରର ଅନନ୍ୟ ଡ଼ିଜାଇନ । ଆଧୁନିକ ଓ ସମସାମୟିକ ଅଳଙ୍କାର ପାଇଁ ସର୍ବଦା ସଜାଗ ଥିବା ସବୁ ମହିଳାଙ୍କୁ ସୁସଜ୍ଜିତ କରିବା ପାଇଁ ଏହି ଷ୍ଟୋରଟି ଡ଼ିଜାଇନ୍ କରାଯାଇଛି ।

ଏହି ଅବସରରେ କାରାଟଲେନ୍ର ପ୍ରତିଷ୍ଠାତା ତଥା ସିଇଓ ମିଥୁନ ସାକେତି କହିଛନ୍ତି, ରାଉରକେଲାରେ ଆମର ପ୍ରଥମ ଷ୍ଟୋର ଶୁଭାରମ୍ଭ କରି ଆମେ ବହୁତ ଖୁସି । ଅଧିକରୁ ଅଧିକ ଗ୍ରାହକଙ୍କ ପାଇଁ ସୁନ୍ଦର ଅଳଙ୍କାର ଉପଲବ୍ଧ କରାଇବା ଆମର ସର୍ବଦା ପ୍ରୟାସ । ଆମେ ମଧ୍ୟ ଗ୍ରାହକଙ୍କୁ ଏକ ସର୍ବଭାରତୀୟ ଅଭିଜ୍ଞତା ପ୍ରଦାନ କରିବାକୁ ଚାହୁଁଛୁଯେ ସେମାନେ ଅନଲାଇନରେ ଡ଼ିଜାଇନ୍ ବ୍ରାଉଜ୍ କରିପାରିବେ ଏବଂ ତା ପରେ ରାଉରକେଲାର ନୂତନ ଷ୍ଟୋରରେ ଅଳଙ୍କାରର ଅନୁଭବ ପାଇପାରିବେ ।

ରାଉରକେଲାର ଜଣେ କାରାଟଲେନ୍ ଗ୍ରାହକ ଶ୍ରୀମତୀ ନମିତା ସେନାପତି କହିଛନ୍ତି ଆମେ ବିସ୍ରା ରୋଡ଼ରେ ଥିବା ସୁନ୍ଦର କାରାଟଲେନ୍ ଶୋ’ ରୁମ୍ ପରିଦର୍ଶନ କରିଥିଲୁ । ଡ଼ିଜାଇନଗୁଡ଼ିକ ପ୍ରକୃତରେ ସୂକ୍ଷ୍ମ ଏବଂ ଆମେ ନିଶ୍ଚିତ ଭାବରେ ସେଠାକୁ ଆଉଥରେ ଯିବୁ । କଲେକ୍ସନଗୁଡ଼ିକ ଚମକ୍ରାର ଏବଂ ସୁଲଭ ମୂଲ୍ୟରେ ଉପଲବ୍ଧ ।

ସିନିଅର ଭାଇସ୍ ପ୍ରେସିଡ଼େଂଟ ଅତୁଲ ସିହ୍ନା କହିଛନ୍ତି, କାରାଟଲେନ୍ ଏହାର ଅପୂର୍ବ ଉତ୍ପାଦ ଡ଼ିଜାଇନ ଏବଂ ବିଶ୍ୱ ସ୍ତରୀୟ ସପିଂ ଅଭିଜ୍ଞତା ପାଇଁ ପ୍ରସିଦ୍ଧ । ରାଉରକେଲାର ଆମର ପ୍ରଥମ ଷ୍ଟୋର ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ଚିହ୍ନିତ କରେ ।

from Kanak News
via <a href="https://ifttt.com/?

ମଦ ଦେଲାନି ବୋଲି ସାଙ୍ଗ ସାଜିଲା ସୈତାନ । ବାହାଘର ଦିନ ଛୁରୀ ଭୁସି ବରକୁ କଲେ ହତ୍ୟା । ଛି ! ମଦ ପାଇଁ ଏ କି ମାନସିକତା…

କନକ ବ୍ୟୁରୋ: ମଦ ପାଇଁ ମାରିଦେଲେ ସାଙ୍ଗ । ବାହାଘର ଦିନ ବରକୁ ହତ୍ୟା । ମିଳିଲାନି ମଦ, ମାରିଦେଲେ ସାଙ୍ଗ । ବାହାଘରରେ ମଦ ମଳିଲାନି ବୋଲି ବରକୁ ବିଭତ୍ସ ହତ୍ୟାକଲେ ସାଙ୍ଗ । ବେଦୀରୁ ଉଠିବାର କେଇ ଘଣ୍ଟା ଭିତରେ ବଦଲା ନେଲେ ମଦ୍ୟପ ସାଙ୍ଗ । ମଦ ପିଇବାର ନିଶା ଏତେ ଘାରିଥିଲା ଯେ ସବୁ ହିତାହିତ ଜ୍ଞାନ ଭୁଲି ଶେଷରେ ନୂଆ ବାହା ହୋଇଥିବା ନିଜ ସାଙ୍ଗକୁ ନିର୍ମମ ହତ୍ୟା କଲେ । କାହିଁକି ମଦ ଦେଲୁନି କହି… ବର ଉପରେ ସବୁତକ ରାଗ ସୁଝାଇ ଛୁରୀ ଭୁସି ରକ୍ତର ଖେଳ ଖେଳିଛନ୍ତି ସାଙ୍ଗମାନେ । ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି ଉତ୍ତରପ୍ରଦେଶ ଆଲିଗଡ ଅଞ୍ଚଳରେ…

ଆଲିଗଡ ପାଲିମୁକିମପୁର ଗାଁର ୨୮ ବର୍ଷୀୟ ଯୁବକ ବବଲୁ । ନିଜ ବାହାଘର ପାଇଁ ସାଙ୍ଗମାନଙ୍କୁ ନିମନ୍ତ୍ରଣ କରିଥିଲା । ବରଯାତ୍ରୀରେ ଯିବାକୁ ସାଙ୍ଗମାନେ ବବଲୁକୁ ମଦ ମାଗିଥିଲେ । ଆଉ ବାହାଘର ସରିବା ପରେ ସାଙ୍ଗମାନଙ୍କୁ ଭେଟିବାକୁ ଯେତେବେଳେ ବବଲୁ ଯାଇଥିଲା ଠିକ ସେତିକିବେଳେ ସାଙ୍ଗମାନେ ବରକୁ ମଦ ମାଗିଥିଲେ । ସାଙ୍ଗମାନଙ୍କ କଥା ଶୁଣି ମଦ ନଦେବାକୁ ସିଧାସିଧା ମନା କରିଥିଲା ବର । ବାସ୍ ତାପରେ ସାଙ୍ଗମାନଙ୍କ ମୁଣ୍ଡକୁ ପିତ ଚଢି ଯାଇଥିଲା । ମଦ ଦେ.. ନହେଲେ ଜୀବନରୁ ମାରିଦେବୁ କହି ବରକୁ ଧମକ ଦେଇଥିଲେ…

ପୂର୍ବରୁ ମଦ ନିଶାରେ ଚୁର୍ ହୋଇଥିବା ମଦ୍ୟପ ସାଙ୍ଗ ରାଗିପାଚି ପଞ୍ଚମ ହୋଇ ବର ବବଲୁ ସହ ଲଢେଇ କରିଥିଲେ ଆଉ ଏହି ସମୟରେ ନିଶାରେ ଥିବା ଜଣେ ସାଙ୍ଗ ଏକ ଧାରୁଆ ଛୁରୀରେ ବରର ପେଟ, ପିଠି ଓ ଦେହସାରା ଭୁସି ଘାଇଲା କରିଥିଲା । ପରେ ଗୁରୁତର ଅବସ୍ଥାରେ ବରକୁ ମେଡିକାଲ ନେଇଥିଲେ ବି ଶେଷରେ ଆଖି ବୁଜିଥିଲା ବର । ଗୋଟେ ନୂଆ ଜୀବନ ଆରମ୍ଭ କରିବା ଆଗରୁ ସବୁଦିନ ପାଇଁ ଆଖିବୁଜି ଦେଲା ।

ଉତ୍ତର ପ୍ରଦେଶର ଏ ଛାତିଥରା ଘଟଣା ଚାରିଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଲୋମ ଟାଙ୍କୁରା ଘଟଣାରେ ଏବେବି ଫେରାର ଅଛନ୍ତି ୫ ଜଣ ସାଙ୍ଗ । ଏ ବର୍ବର ଘଟଣାରେ ପୋଲିସ ସବୁ ସୈତାନଙ୍କୁ ବାନ୍ଧି ଜେଲରେ ଭରିଦେବ ସତ କିନ୍ତୁ ଫେରି ଆସିବ କି ବରର ଜୀବନ ? ମଦ ପାଇଁ ଉଜୁଡିଯାଇଥିବା ଗୋଟେ ସଂସାର ସଜାଡି ଯିବ କି ? କେମିତି ବିତୁଥିବ ନୂଆ ବାହା ହୋଇଥିବା ନବବଧୂର ଜୀବନ ? ଏ ଘଟଣାକୁ ଥରେ ହୃଦୟଙ୍ଗମ କରନ୍ତୁ ଆଉ ନିଜକୁ ପ୍ରଶ୍ନ କରନ୍ତୁ, ବାହାଘରରେ ମଦ କଣ ନିହାତି ଦରକାର ? ବିବାହ ଉତ୍ସବରେ ମଦ ପିଇବା କଣ ଆମ ପରମ୍ପରା? ସମାଜର ମଦର ମୂଲ୍ୟ କଣ ଏତେ ଅଧିକା ? ମଦ ଆଗରେ କଣ ଜୀବନର ମାନେ ନାହିଁ ? ସମ୍ପର୍କର ମୂଲ୍ୟ କିଛି ନାହିଁ ? ସବୁ ଖୁସି କଣ ମଦ ଦେଇଦିଏ ? ଏ ପ୍ରଶ୍ନ ସମସ୍ତେ ନିଜକୁ ଥରେ ନୁହେଁ ବାରମ୍ବାର ପଚାରିବା ଉଚିତ । ଉତ୍ତର ପ୍ରଦେଶର ଏ ଘଟଣା ଆଉ କାହା ସହ ନହେଉ, ମଦ ପାଇଁ ଜୀବନ ନଯାଉ…

from Kanak News
via <a href="https://ifttt.com/?

Design a site like this with WordPress.com
Get started