କନକ ବ୍ୟୁରୋ : ଆସନ୍ତା ୨୩ରୁ ଖୋଲିବ ପୁରୀ ଶ୍ରୀମନ୍ଦିର । ଶ୍ରୀମନ୍ଦିର ସହ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । କୋଭିଡ୍ କଟକଣା ମାନି ଷ୍ରଦ୍ଧାଳୁ ଦର୍ଶନ କରିବେ । ଶ୍ରୀମନ୍ଦିରରେ ପ୍ରଥମେ ପୁରୀବାସୀଙ୍କୁ ଅଗ୍ରାଧୀକାର ଦିଆଯିବ । ବିଭିନ୍ନ ପର୍ଯ୍ୟାୟରେ ୱାର୍ଡବାସୀଙ୍କୁ ଦର୍ଶନ ସୁବିଧା ମିଳିବ । ସବୁ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ପ୍ରଥମ ଜିଲ୍ଲା ଭାବେ ପୁରୀରେ ଖୋଲିବ ସମସ୍ତ ମନ୍ଦିର ।
ଭକ୍ତଙ୍କ ଲାଗି ମହାପ୍ରଭୁଙ୍କୁ ଦର୍ଶନ କରିବାର ବେଳ ପାଖେଇ ଆସୁଛି । ପ୍ରଥମେ ୫ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବ। ପରେ ସ୍ଥିତି ଦେଖି ସଂଖ୍ୟା ବୃଦ୍ଧି କରାଯିବ। କେବଳ ସେତିକି ନୁହେଁ, ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ କୋଭିଡ୍ ନେଗେଟିଭ୍ ଦେଖାଇବାକୁ ପଡ଼ିବ ବୋଲି ସର୍ତ୍ତ ରଖାଯାଇଛି । ନୂଆବର୍ଷରେ ଭିଡ଼ ବଢ଼ିବା ଆଶଙ୍କା ଥିବାରୁ ଜାନୁଆରି ୧ ଓ ୨ ତାରିଖରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ବନ୍ଦ ରଖାଯିବ। ଜାନୁଆରି ୩ରୁ ପୁରୀ ସହ ଜିଲ୍ଲା ତଥା ରାଜ୍ୟ ବାହାର ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଦୈନିକ ୫ ହଜାର ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ। ସପ୍ତାହେ ଧରି ଅର୍ଥାତ୍ ଜାନୁଆରି ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷାମୂଳକ ଦର୍ଶନ ଚାଲିବ।
ସ୍ଥିତି ଭଲ ରହିଲେ, ଦ୍ବିତୀୟ ସପ୍ତାହରୁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି କରାଯିବ। ଉତ୍ସବ ଆଦିରେ ନିର୍ଦ୍ଦିଷ୍ଟ କଟକଣା ରହିବ। ନୀତିକାନ୍ତିକୁ ପ୍ରଭାବିତ କରିବା ଭଳି କୌଣସି ନିଷ୍ପତ୍ତି ନିଆଯିବ ନାହିଁ। ତେବେ କୋଭିଡ୍-୧୯ ନିୟମ କଡ଼ାକଡ଼ି ଅନୁପାଳନ ହେବ। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତଙ୍କ ପାଇଁ ମାସ୍କ, ସାନିଟାଇଜର୍, ସାମାଜିକ ଦୂରତା ନିୟମ କଡ଼ାକଡ଼ି ପାଳନ କରାଯିବ। ଚାରିଦ୍ବାରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାନିଟାଇଜର ବ୍ୟବସ୍ଥା କରାଯିବ। ଏହାଛଡ଼ା ପ୍ରବେଶ ପୂର୍ବରୁ ଭକ୍ତମାନଙ୍କ ପାଇଁ କୋଭିଡ୍-୧୯ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୪୮ ଘଣ୍ଟା ଭିତରର ନେଗେଟିଭ୍ ରିପୋର୍ଟ ଦେଖାଇ ଭକ୍ତମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ। ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଅବା ଆର୍ଟିପିସିଆର୍, ଯେ କୌଣସି ରିପୋର୍ଟ ଦେଖାଇ ଭକ୍ତ ଶ୍ରୀମନ୍ଦିରକୁ ଯାଇପାରିବେ।
ପୂର୍ବଭଳି ନୀତିକାନ୍ତି ଅନୁଯାୟୀ ଭକ୍ତମାନେ ଉଭୟ ବାହାର ଓ ଭିତର କାଠରୁ ଦର୍ଶନ କରିପାରିବେ। ଫୁଲ, ଦୀପ ଆଦି ଦେବାରେ କଟକଣା ଲାଗିବ। ଏଥିପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଫୁଲ, ଦୀପ ଓ ଧୂପ ଆଦି ବିଶୋଧନ ହେବ। ମନ୍ଦିର ଭିତରେ ଓ ବାହାରେ ସାମାଜିକ ଦୂରତା ରକ୍ଷା ପୂର୍ବକ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ। ସେବାୟତ ହୁଅନ୍ତୁ କି କର୍ମଚାରୀ, ପ୍ରବେଶ ପୂର୍ବରୁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। କୋଭିଡ୍ ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ବୟସର ଭକ୍ତଙ୍କୁ ଦର୍ଶନ ପାଇଁ ନ ଆସିବାକୁ ନିବେଦନ କରାଯାଇଛି। ମହାପ୍ରସାଦ ସମସ୍ତେ ପାଇପାରିବେ। ଆନନ୍ଦ ବଜାରରେ ପୂର୍ବଭଳି ମହାପ୍ରସାଦ ମିଳିବ। ଶୃଙ୍ଖଳିତ ନୀତିକାନ୍ତି ଓ ଶୃଙ୍ଖଳିତ ଦର୍ଶନକୁ ସର୍ବାଧିକ ଗୁରୁତ୍ବ ଦିଆଯିବ। ସାହାଣମେଲା ଦର୍ଶନ ବନ୍ଦ ରହିବ। ଗଙ୍ଗା ସାଗର ବୁଡ଼ ପରେ ଅର୍ଥାତ୍ ଫେବ୍ରୁଆରିରୁ ଦର୍ଶନ ସ୍ବାଭାବିକ ହୋଇପାରେ ବୋଲି ଆଶା କରାଯାଉଛି।
from Kanak News
via <a href="https://ifttt.com/?