ଆମେରିକା ରାଜଧାନୀ ୱାସିଂଟନରେ ଗାନ୍ଧୀ ପ୍ରତିମୂର୍ତ୍ତିକୁ ଅସମ୍ମାନ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲା ହ୍ୱାଇଟ ହାଉସ, ଘଟଣାକୁ ଅତ୍ୟନ୍ତ ଭୟାବୟ ଓ ଦୁଃଖଦ ବୋଲି କହିଲେ ମିଡିଆ ସଚିବ

କନକ ବ୍ୟୁରୋ : ଗାନ୍ଧୀ ମୂର୍ତି ଉପରେ ଖଲିସ୍ତାନୀ ପତାକା । କୃଷି ଆଇନକୁ ନେଇ ଆମେରିକାର ୱାସିଂଟନ ଡିସି ସ୍ଥିତି ଭାରତୀୟ ଦୂତାବାସ ସମ୍ମୁଖରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ଦିଲ୍ଲୀ ଦରବାରରେ ଚାଷୀ ଆନ୍ଦୋଳନ ଜୋର ଧରୁଥିବା ବେଳେ ଆମେରିକାରେ କୃଷକଙ୍କ ସମର୍ଥନରେ ଖାଲିସ୍ତାନ ସମର୍ଥକ କରିଥିବା ବିରୋଧ ପ୍ରଦର୍ଶନ ବେଳେ ଗାନ୍ଧୀ ପ୍ରତିମୂର୍ତିକୁ ଅସମ୍ମାନ ପ୍ରଦର୍ଶନ କରାଯାଇଥିଲା ।

ଭାରତୀୟ ଦୂତାବାସ ସମ୍ମୁଖରେ ଗାନ୍ଧୀ ପ୍ରତିମୂର୍ତିର ଅସମ୍ମାନ କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛି ଆମେରିକା । ହ୍ୱାଇଟ ହାଉସ ଏହି ଘଟଣାକୁ ଭୟାବହ ଓ ଦୁଃଖଦ ବୋଲି କହିଛି । ମହାତ୍ମା ଗାନ୍ଧୀ ଯେଉଁ ଆଦର୍ଶ ପାଇଁ ଲଢେଇ କରୁଥିଲେ ଆମେରିକା ସେହି ଆଦର୍ଶର ପ୍ରତିନିଧିତ୍ୱ କରେ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି । ବିଗତ ୬ମାସ ଭିତରେ ଆମେରିକାରେ ଏଭଳି ଦୁଇଟି ଘଟଣା ଘଟିସାରିଛି ।
ହ୍ୱାଇଟ ହାଉସ ମିଡିଆ ସଚିବ କାୟଲେ ମ୍ୟାକନ ଏନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତର ରଖି ଏହା କହିଛନ୍ତି । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିକୁ ଅସମ୍ମାନ କରିବା ଘଟଣା ଅତ୍ୟନ୍ତ ଦୁଃଖଦ ବୋଲି ହ୍ୱାଇଟ ହାଉସ ମିଡିଆ ସଚିବ କହିଛନ୍ତି ।

କୃଷି ଆଇନକୁ ବିରୋଧ କରାଯାଇ ଆମେରିକାର ୱାସିଂଟନ ଡିସି ସ୍ଥିତି ଭାରତୀୟ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଗାନ୍ଧୀ ପ୍ରତିମୂର୍ତିକୁ ଅସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରତିବାଦରେ ଖାଲିସ୍ତାନ ପତାକା ବି ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ଆମେରିକା ଦୂତାବାସ ଓ ଆମେରିକା ପ୍ରଶାସନ ନିକଟରେ ଆପତି ଉଠାଇଥିଲା ଭାରତ । ଏବଂ ଘଟଣାର ତଦନ୍ତ ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନକୁ ବଡ ରାଷ୍ଟ୍ରୀୟ ପ୍ରସଙ୍ଗ କହି ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ । ସମସ୍ୟାର ସମାଧାନ ପାଇଁ କମିଟି ଗଠନ କରିବେ ସର୍ବୋଚ୍ଚ ଅଦାଲତ । 

କନକ ବ୍ୟୁରୋ : ୨୧ ଦିନ ଧରି ଦିଲ୍ଲୀ ସୀମାରେ ଜୋରଦାର ଆନ୍ଦୋଳନ ଚଳାଇଛନ୍ତି ଚାଷୀ । ସରକାର ଓ ଚାଷୀନେତାଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ପରେ ବି ସମାଧାନର ବାଟ ଫିଟୁନାହିଁ । ଏହାରି ଭିତରେ ସୁପ୍ରିମକୋର୍ଟରେ ହୋଇଛି ଶୁଣାଣୀ । କୋର୍ଟ କହିଛନ୍ତି, ଏହି ସମସ୍ୟାର ତୁରନ୍ତ ସମାଧାନ ହେବା ଦରକାର । ଏଥିପାଇଁ ଏକ ପ୍ୟାନେଲ ଗଠନ କରାଯିବ । ଏହା ଏକ ବଡ଼ ରାଷ୍ଟ୍ରୀୟ ପ୍ରସଙ୍ଗ ହୋଇଥିବାରୁ ସହମତି ଭିତ୍ତିରେ ସମାଧାନ ହେବା ଜରୁରୀ ।

ଚାଷୀ ଆନ୍ଦୋଳନର ସମାଧାନ ପାଇଁ ସରକାର ଓ ଚାଷୀ ପ୍ରତିନିଧିଙ୍କୁ ନେଇ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି କମିଟି ଗଠନ କରାଯିବ । ସୁପ୍ରିମକୋର୍ଟ ଦ୍ୱାରା ଗଠିତ କମିଟି ସବୁ ଦିଗକୁ ଆଖି ଆଗରେ ରଖି ସମାଧାନର ରାସ୍ତା ବାହାର କରିବ ବୋଲି ଆଶା ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦେଶବ୍ୟାପୀ ଚାଷୀ ସଂଗଠନ ପ୍ରତିନିଧିଙ୍କୁ କମିଟିରେ ସାମିଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ପକ୍ଷ ରଖିବାକୁ ଚାଷୀ ସଂଗଠନକୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି ।

ଗତ ୨୧ ଦିନ ହେବ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ଚାଷୀ ମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି । ସୀମାରେ ଆନ୍ଦୋଳନରତ ଚାଷୀଙ୍କୁ ହଟାଇବା ମାମଲାର ଶୁଣାଣୀ କରି କୋର୍ଟ କେନ୍ଦ୍ର ସରକାର, ପଂଜାବ ଓ ହରିୟାଣା ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

ବିଚାରପତି ଏସଏ ବୋବଡେ, ବିଚାରପତି ଏଏସ ବୋପନ୍ନା ଓ ବିଚାରପତି ଭି ରାମସୁବ୍ରମଣ୍ୟମ ମାମଲାର ଶୁଣାଣୀ କରିଛନ୍ତି । ଗୁରୁବାର ଦିନ ପୁଣି ମାମଲାର ଶୁଣାଣୀ ହେବ । ଯେ କୌଣସି ପରିସ୍ଥିତିରେ ବି ହେଉ, ଆଇନ୍ ପ୍ରତ୍ୟାହାର ନହେଲେ ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି କୃଷକ କହୁଛନ୍ତି । ସେପଟେ ସରକାର କହୁଛନ୍ତି, ଆଇନ୍ର ପ୍ରତ୍ୟେକ ଧାରା ଉପରେ ଚାଷୀଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଏବଂ ନୂଆ କୃଷି ଆଇନକୁ ନେଇ ବିରୋଧୀ ଅପପ୍ରଚାର କରୁଥିବା ସରକାର କହୁଛନ୍ତି ।

ସରକାର ଓ ଚାଷୀଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ଏକପ୍ରକାର ବନ୍ଦ ହୋଇଯାଇଥିବା ବେଳେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, ମାମଲା ସମାଧାନର ନୂଆ ବାଟ ଫିଟାଇଛି । ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ନେଇ ଆଶା କରାଯାଉଛି ।

from Kanak News
via <a href="https://ifttt.com/?

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର କାହାଣୀ । ଭାରତୀୟ ସେନା ବାହିନୀର ଫିଲ୍ଡ ମାର୍ସାଲ ସାମ ମାନେକସା ପାକିସ୍ତାନକୁ ଦେଇଥିଲେ ଚେତାବନୀ । କହିଥିଲେ, ଆତ୍ମସମର୍ପଣ କର ନଚେତ ଆମେ ତୁମକୁ ଫୋଛିନେବୁ 

କନକ ବ୍ୟୁରୋ : ୧୯୭୧ ମସିହାରେ ଯେତେବେଳେ ପାକିସ୍ତାନ ସହିତ ଭାରତର ଯୁଦ୍ଧ ଚାଲିଥିଲା ସେତେବେଲେ ଫିଲ୍ଡ ମାର୍ସାଲ ସାମ ମାନେକସା କହିଥିଲେ, ତୁମେ ଆତ୍ମସମର୍ପଣ କର ନଚେତ ଆମେ ତୁମକୁ ଫୋଛିନେବୁ । ମାନେକ ସାଙ୍କ କଥା ସତ ହୋଇଥିଲା । ସାରା ବିଶ୍ୱ ଦେଖିଥିଲା କିପରି ୯୩ ହଜାର ପାକିସ୍ତାନ ସୈନ୍ୟ ଆତ୍ମସମର୍ପଣ କରିଥିଲେ । ୧୯୭୧ ମସିହାରେ ଏହି ଯୁଦ୍ଧ ଲଢାଯାଇଥିଲା ପାକିସ୍ତାନ ଏବଂ ବାଂଲାଦେଶର ମୁକ୍ତି ବାହିନୀ ଏବଂ ଭାରତୀୟ ସେନା ମଧ୍ୟରେ । ଭାରତୀୟ ସେନାର ନେତୃତ୍ୱ ନେଉଥିଲେ ଫିଲଡ ଜେନେରାଲ ସାମ ମାନେକ ସା ।

ଯୁଦ୍ଧର ଆରମ୍ଭ ହୋଇଥିଲା କିଛି ଏହିପରି । ୧୯୭୦ ମସିହାରେ ପାକିସ୍ତାନରେ ହୋଇଥିବା ନିର୍ବାଚନରେ ଆୱାମି ଲିଗର ବିଜୟକୁ ସହଜରେ ଗ୍ରହଣ କରୁନଥିଲା ପାକିସ୍ତାନ ସରକାର । ଫଳରେ ଆୱାମୀ ଲିଗର ନେତା ଶେଖ ମୁଜିବୁର ରେହମାନ ସାରା ଦେଶରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ପାକିସ୍ତାନର ଭୟ ଥିଲା ପୂର୍ବ ପାକିସ୍ତାନ ଅଧିକ ସ୍ୱାଧୀନତା ଦାବି କରିବ । ଏହି ଭୟରେ ପାକିସ୍ତାନ ସରକାର ରେହେମାନଙ୍କୁ ଗିରଫ କରି ଲାହୋର ଜେଲରେ ବନ୍ଦୀ କଲେ । ତାଙ୍କ ବିରୋଧରେ ଅଭିଯୋଗ ଥିଲା ଦେଶଦ୍ରୋହର । ରହମାନଙ୍କୁ ଗିରଫ କରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ୟାହିୟା ଖାନ ବିଦ୍ରୋହକୁ ରୋକିବା ପାଇଁ ଜେନେରାଲ ଟିକା

ମାର୍ଚ୍ଚ-୧୯୭୧ । ଟିକା ଖାନ ବାଂଲାଦେଶର ନେତା, ଛାତ୍ର ଏବଂ ସଂଖ୍ୟାଲଘୁଙ୍କ ଉପରେ କଟକଣା ଲଗାଇବା ଆରମ୍ଭ କରିଦେଲେ । ଟିକା ଖାନଙ୍କ ଏହି କାର୍ଯ୍ୟ କୌଣସି ଅପରାଧିକ ଯୁଦ୍ଧ ଠାରୁ କମ ନଥିଲା । ପାକିସ୍ତାନ ସେତେବେଳେ ଭାରତକୁ ଏହି ଯୁଦ୍ଧ ଭିତରକୁ ଟାଣି ଆଣିିଥିଲା  ଯେତେବେଳେ ଡିସେମ୍ବର ୩ ତାରିଖରେ ପାକିସ୍ତାନ ବାୟୁ ସେନା ଭାରତର ଏୟାର ବେସ ଅମୃତସର, ଅମ୍ବାଲା, ଆଗ୍ରା, ଅୱନ୍ତିପୁର, ବିକାନେର, ହଲୱାରା, ଜୋଧପୁର, ଜୈସାଲମେର, ପଠାନକୋଟ, ଭୁଜ, ଶ୍ରୀନଗର, ଉତରଲାଇ ଉପରେ ଆକ୍ରମଣ କରିଥିଲା । ସେହି ସମୟରେ ଭାରତୀୟ ସେନା ଏହାର କଡା ଯବାବ ଦେଇଥିଲା । ଏଥିସହିତ ପୂର୍ବ ପାକିସ୍ତାନ ଭିତରେ ପଶିବା ଆରମ୍ଭ କରିଥିବା ଭାରତୀୟ ବାୟୁସେନା

ଡିସେମ୍ବର ୧୪ ସୁଦ୍ଧା ଏହା ସ୍ପଷ୍ଟ ହୋଇଯାଇଥିଲା ଯେ ପାକିସ୍ତାନର ସେନା ବାହିନୀ କ୍ଷମତା ହରାଉଛି । ସେମାନଙ୍କ ସଂଖ୍ୟା କମି କମି ଯାଉଛି । ଫିଲଡ ମାର୍ସାଲ ମାନେକ ସା ପାକିସ୍ତାନ ସେନାର କମାଣ୍ଡୋ ନିଆଜିଙ୍କୁ ଭାରତୀୟ ସେନା ସମ୍ମୁଖରେ ବିନା ସର୍ତରେ ଆତ୍ମସମର୍ପଣ କରିବାକୁ କହିଛନ୍ତି । ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ୯୩ ହଜାର ପାକିସ୍ତାନ ସୈନ୍ୟ ଭାରତୀୟ ସେନା ପାଖରେ ଆତ୍ମସମର୍ପଣ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଠାରୁ ଏ ପର୍ଯ୍ୟନ୍ତ ଏହା ସବୁଠାରୁ ବଡ ଆତ୍ମସମର୍ପଣ ବୋଲି କୁହାଯାଉଛି ।

from Kanak News
via <a href="https://ifttt.com/?

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ଅକୁହା କାହାଣୀ । କେମିତି ପାକ ସେନାକୁ ପାଣି ପିଆଇଥିଲେ ଭାରତୀୟ ଯବାନ, ଅନୁଭୂତି ବଖାଣିଲେ ତ୍ରିପୁରା ରେଜିମେଣ୍ଟର ସୈନିକ ଦୁର୍ଯୋଧନ ମହାନ୍ତି ।

କନକ ବ୍ୟୁରୋ : ସାରା ଦେଶ ଆଜି ପାଳନ କରୁଛି ବିଜୟ ଦିବସ । ଠିକ୍ ୫୦ ବର୍ଷ ତଳେ ୧୯୭୧ରେ ପାକିସ୍ତାନ ବିରୋଧରେ ଚାଲିଥିବା ଯୁଦ୍ଧରେ ବିଜୟୀ ହୋଇଥିଲା ଭାରତ । ଆଉ ପରାସ୍ତ ହୋଇଥିଲା ପାକିସ୍ତାନ । ପାକିସ୍ତାନ ସେନା ନିସର୍ତ ସମର୍ପଣ କରିବା ସହ ପୂର୍ବ-ପାକିସ୍ତାନର ବିଲୋପ ଘଟି ଜନ୍ମ ନେଇଥିଲା ବାଂଲାଦେଶ । ବାଂଲଦେଶ ମୁକ୍ତିବାହିନୀ ଓ ଭାରତ ଭାରତୀୟ ସେନା ଏକତ୍ର ଲଢି ଏହି ଐତିହାସିକ ବିଜୟ ହାସଲ କରିଥିଲେ । ସେହି ଯୁଦ୍ଧରେ ଯୋଦ୍ଧା ଥିଲେ ବୀର ଓଡିଆ ଦୁର୍ଯୋଧନ ମହାନ୍ତି । ଆଜି ସେ ସେହି ଦିନର କାହାଣିକୁ ବଖାଣିଛନ୍ତି ।

ଗୋଟିଏ ପଟେ ଥିଲା ପାକିସ୍ତାନ ସେନା, ଅନ୍ୟ ପଟେ ଥିଲେ ଭାରତୀୟ ସେନା ଓ ବାଙ୍ଗଲାଦେଶ ମୁକ୍ତି ବାହିନୀ । ନିଜର ଅସ୍ତିତ୍ୱ ବଜାୟ ରଖିବା ପାଇଁ ଶେଷ ଉଦ୍ୟମ ଜାରି ରଖିଥିଲା ପାକିସ୍ତାନୀ ସେନା । ଏପଟେ ପାକିସ୍ତାନୀ ସେନାକୁ ଧୂଳି ଚଟାଇବା ପାଇଁ ପଣ କରି ଆଗକୁ ବଢ଼ୁଥିଲେ ଭାରତୀୟ ଯବାନ । ଶତ୍ରୁ ଉପରେ ଆକ୍ରମଣ କରିବା ପାଇଁ କେବଳ କମାଣ୍ଡରଙ୍କ ନିର୍ଦ୍ଦେଶକୁ ଥିଲା ଅପେକ୍ଷା ।

ଯେତେବେଳେ ଭାରତ ଓ ବାଙ୍ଗଲାଦେଶ ହୋଇଥିବା ଏହି ଲଢ଼େଇରେ ସେତେବେଳେ ଲଢ଼ିଥିଲେ ଓଡିଆ ବୀର ଦୁର୍ଯୋଧନ ମହାନ୍ତି । ସେଦିନର ଅନୁଭୂତିକୁ ବଖାଣି କହନ୍ତି, କିଭଳି ଭାରତ ସୀମାରେ ସେମାନେ ପ୍ରସ୍ତୁତ ହୋଇ ରହିଥିଲେ ଶେଷ ଆକ୍ରମଣ ପାଇଁ ।  ଏହି ଯୁଦ୍ଧରେ ତାଙ୍କ ଆଖି ଆଗରେ ଅନେକ ସାଥୀ ଯବାନ ଶହୀଦ ହୋଇଯାଇଥିଲେ । କିନ୍ତୁ ଶେଷରେ ବିଜୟ ଲାଭ କରିଥିଲା ଭାରତ । ଆଉ ବାଙ୍ଗଲାଦେଶ ପାକିସ୍ତାନ କବଳରୁ ମୁକ୍ତ ହୋଇ ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ପରିଚୟ ପାଇଲା ।

from Kanak News
via <a href="https://ifttt.com/?

ପାରଳାଖେମୁଣ୍ଡି ଷ୍ଟେସନରେ ସେଲଫି ନେବାବେଳେ ଅଘଟଣ । ବଗିରେ ଚଢି ସେଲଫି ନେବା ବେଳେ ଜଳିଗଲେ ଯୁବକ ।

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଷ୍ଟେସନରେ ସେଲଫି ନେବାବେଳେ ଅଘଟଣ । ବଗିରେ ଚଢି ସେଲଫି ନେବା ବେଳେ ଜଳିଗଲେ ଯୁବକ । ଯୁବକ ସହ ଟ୍ରେନରେ ମଧ୍ୟ ଲାଗିଗଲା ନିଆଁ । ଗୁରୁତର ଅବସ୍ଥାରେ ସରକାରୀ ହସ୍ପିଟାଲରେ ଭର୍ତ୍ତି ହେଲେ ଯୁବକ । କିଛି ଦିନ ହେବ ଷ୍ଟେସନରେ ଛିଡା ହୋଇ ରହିଥିଲା ଟ୍ରେନ ।

ଉକ୍ତ ଯୁବକ ଜଣକ ସେଲଫି ନେବା ପାଇଁ ଟ୍ରେନର ବଗି ଉପରେ ଚଢିଥିଲେ । ସେଲଫି ନେବା ବେଳେ ତାର ସଂସ୍ପର୍ଶରେ ଆସି ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଯୋଗୁଁ ଯୁବକ ଜଣକ ଜଳିଯାଇଥିଲେ । ପରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ପରେ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

from Kanak News
via <a href="https://ifttt.com/?

ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଫେସବୁକରେ ଲାଇଭ କରି ନିଦ ବଟିକା ଖାଇଲେ ବିଦ୍ୟାଶ୍ରୀ । କଟକ ବଡ ଡାକ୍ତରଖାନାରେ ଭର୍ତି ।

କନକ ବ୍ୟୁରୋ : ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଠି ନଥିବାବେଳେ ଆଜି ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାଙ୍କ ପତ୍ନୀ ବିଦ୍ୟାଶ୍ରୀ । ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବାରୁ ଏଭଳି ଚରମ ନିଷ୍ପତି ନେଇଛନ୍ତି ବୋଲି ସେ  ଲାଇଭ ଭିଡିଓରେ କହିଛନ୍ତି ।

ଫେସବୁକ ଲାଇଭରେ ଏଭଳି ଚରମ ନିଷ୍ପତି ନେଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ । ଭିଡିଓରେ ବିଦ୍ୟାଶ୍ରୀ କହୁଥିଲେ ସେ ଆଉ ବଂଚିବାକୁ ଚାହୁଁନାହାଁନ୍ତିି  । ଏହି ଭିଡିଓରେ ସେ କିଛି ନିଦ ବଟିକା ଖାଉଥିବାର ଦେଖିବାକୁ ମିଳୁଛି । ଏହି ଘଟଣା ପରେ ତୁରନ୍ତ ତାଙ୍କୁ କଟକ ବଡ ଡାକ୍ତରଖାନା ନିଆଯାଇଛି ।

ଆତ୍ମହତ୍ୟା ପୂର୍ବରୁ ବିଦ୍ୟାଶ୍ରୀଙ୍କ ହାତରେ ଥିବା ଏହି ଡାଏରୀରେ ସେ କାହିଁକି ଏଭଳି ଚରମ ନିଷ୍ପତି ନେବାକୁ ବାଧ୍ୟ ହେଲେ, ସେ କଥା ଲେଖିଥିବା କହିଛନ୍ତି । ଏବଂ ଏହି ଡାଏରୀରେ ଆଦିତ୍ୟଙ୍କ ମୃତ୍ୟୁ ପରେ ତାଙ୍କୁ ଜାଣିଶୁଣି ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଜୁଲାଇ ମାସରେ ହଠାତ ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ଲିଙ୍ଗରାଜ ଷ୍ଟେସନ ନିକଟରୁ ମୃତ ଦେହ ମିଳିଥିଲା । ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଛି । କିନ୍ତୁ ସୋସିଆଲ ମିଡିଆରେ ସ୍ୱାମୀ-ସ୍ତ୍ରୀଙ୍କ ଝଗଡାକୁ ଆତ୍ମହତ୍ୟାର କାରଣ ବୋଲି ଦର୍ଶା ଯାଇ ବିଦ୍ୟାଶ୍ରୀଙ୍କୁ ଟାର୍ଗେଟ କରାଗଲା ।

from Kanak News
via <a href="https://ifttt.com/?

ଧାନ ବିକିବାକୁ କୁଚିଣ୍ଡା ମଣ୍ଡିରେ ରାତି ଅନିଦ୍ରା କୃଷକ । ପ୍ରଶାସନନର ଉଦାସିନତା ଯୋଗୁଁ ମଣ୍ଡିରୁ ଉଠୁନି ଧାନ । ଖୋଲା ଆକାଶ ତଳେ ପଡି ରହିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ 

କନକ ବ୍ୟୁରୋ : ଟୋକନ ପାଇଲେ ଆଉ ମଣ୍ଡିକୁ ଧାନ ବି ଆଣିଲେ । ହେଲେ ଧାନ ବିକ୍ରି  ହୋଇନପାରି  ବିଭିନ୍ନ ମଣ୍ଡିରେ ପଡିରହିଥିବା ବେଳେ ଏବେ ବିଭିନ୍ନ ସମସ୍ୟା ଓ ଚିନ୍ତାରେ ଜୁଝି ହେଉଛନ୍ତି କୁଚିଣ୍ଡା ଉପଖଣ୍ଡର ଶହ ଶହ ଚାଷୀ । ଧାନ ନେବାକୁ ଆସୁନାହାଁନ୍ତି ମିଲର । ପ୍ରଥମରୁ କଟନି ଛଟନି ବିବାଦ ଲାଗିରହିଥିବା ବେଳେ ଏବେ ମିଲରଙ୍କ ମନମାନି ଓ ପ୍ରଶାସନର ଉଦାସିନତା ଯୋଗୁଁ ଉପଖଣ୍ଡର ବିଭିନ୍ନ ମଣ୍ଡିରେ ପ୍ରାୟ ତିନି ଲକ୍ଷରୁ ଉର୍ଦ୍ଧ ଧାନ ବସ୍ତା ପଡିରହିଛି । ଶୀତ କାକରରେ ଧାନ ଜଗି ବସିଛନ୍ତି ଚାଷୀ ।

ପ୍ରଶାସନନର ଉଦାସିନତା ଯୋଗୁଁ ମଣ୍ଡିରୁ ଉଠୁନି ଧାନ । ଫଳରେ ଟୋକନ ପାଇ ମଣ୍ଡିକୁ ଧାନ ଆଣିଥିବା ଚାଷୀ ଏମିତି ଶୀତ କାକରରେ ରାତି ଉଜାଗର ରହି ଜଗି ରହୁଛନ୍ତି  । ରାତିରେ ପଡୁଥିବା ଥଣ୍ଡାରୁ ରକ୍ଷା ପାଇବା ପାଇଁ ଚାଷୀମାନେ କାଠ ଜାଳି ନିଆଁ ପୁଉଁଛନ୍ତି । ଏହା ହେଉଛି କୁଚିଣ୍ଡା ଉପଖଣ୍ଡର ଡିମିରିମୁଣ୍ଡା ମଣ୍ଡିର ଦୃଶ୍ୟ । ତେବେ ଏହି ସମସ୍ୟା କୌଣସି ଗୋଟିଏ ମଣ୍ଡିର ନୁହେଁ । କୁଚିଣ୍ଡା ଉପଖଣ୍ଡ ଅଂଚଳରେ ଥିବା ଏକାଧିକ ମଣ୍ଡିରେ ସମାନ ଅବସ୍ଥା ।

କେଉଁଠି କଟନି ଛଟନି ତ ଆଉ କେଉଁଠି ମିଲରଙ୍କ ମନମାନି  । ଏ ସବୁ ଭିତରେ ପୁରାପୁରି ଘାଂଟି ହୋଇପଡିଛନ୍ତି ଚାଷୀ । ଧାନ ବିକିବେ କଣ , ସମସ୍ୟା ପରେ ସମସ୍ୟା ତାଙ୍କୁ ଚିନ୍ତାରେ ପକାଇଛି । ପ୍ରାୟତଃ ଅନେକ ମଣ୍ଡିରେ ମିଲର ଆସୁ ନଥିବା ଏବଂ ଗାଡି ପଠାଉ ନଥିବା ଯୋଗୁଁ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡିରହିଛି ।

from Kanak News
via <a href="https://ifttt.com/?

‘ପରୀ’ ଗାଁରେ ପରୀର ପିଶାଚ ! ହତ୍ୟା ପୂର୍ବରୁ ହୋଇଥିଲା ଦୁଷ୍କର୍ମ । ପରୀର ପିନ୍ଧା ପୋଷାକରେ ଅଭିଯୁକ୍ତର ସିମେନ୍ ।

କନକ ବ୍ୟୁରୋ: ନୟାଗଡ ପରୀ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ହାଇକୋର୍ଟରେ ଏସଆଇଟି ତଦନ୍ତ ରିପୋର୍ଟରୁ ଖୁଲାସା । ୫ ବର୍ଷର ଶିଶୁକନ୍ୟା ପରୀ ମୃତ୍ୟୁ ପ୍ରସଙ୍ଗ, ସାରା ରାଜ୍ୟକୁ ଦୋହଲାଇ ଦେଇଥିବାବେଳେ ଏବେ ଏହି ମାମଲାରେ ଆସିଛି ନୂଆ ମୋଡ । ହାଇକୋର୍ଟରେ ପରୀ ମୃତ୍ୟୁ ତଦନ୍ତରେ ହୋଇଥିବା ଅଗ୍ରଗତି ନେଇ ରିପୋର୍ଟ ଦାଖଲ କରିଛି କ୍ରାଇମବ୍ରାଂଚର ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ । ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଥିରେ ଉଲ୍ଲେଖ ଅଛି…

– ହତ୍ୟା ପୂର୍ବରୁ ପରୀକୁ ଦିଆଯାଇଥିଲା ଯୌନ ନିର୍ଯାତନା
– ସଂପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ମିଳିଥିଲା ପରୀର ମୃତଦେହ
– ପରୀର ପିନ୍ଧା ପୋଷାକ ମଧ୍ୟ ପାଇଛି ତଦନ୍ତକାରୀ ଟିମ୍
– ସେହି ପୋଷାକରେ ଅଭିଯୁକ୍ତର ସିମେନ୍ ଲାଗିଛି

ହାଇକୋର୍ଟଙ୍କ ନୀରିକ୍ଷଣରେ ପରୀ ମୃତ୍ୟୁ ମାମଲାର ଛାନଭିନ କରୁଥିବା କ୍ରାଇମବ୍ରାଂଚ ଏସଆଇଟି ତାର ତଦନ୍ତରେ ହୋଇଥିବା ଅଗ୍ରଗତିକୁ ନେଇ ଯେଉଁ ରିପୋର୍ଟ ଦାଖଲ କରିଛି, ତାହା ସମଗ୍ର ମାମଲାକୁ ଏକ ଭିନ୍ନ ମୋଡ ଦେଇଛି । କାରଣ ପରୀର ମୃତ୍ୟୁ କିଭଳି ହେଲା? ତାକୁୁ ହତ୍ୟା କରାଯାଇଛି କି? ଏହିଭଳି ଏକାଧିକ ପ୍ରଶ୍ନ ଚାରିପାଖେ ଘୁରିବୁଲୁଥିଲା ପୁରା ମାମଲା । ଆଉ ଏହି ରହସ୍ୟ ଉପରୁ ଏସଆଇଟି ପରଦା ହଟାଇପାରେ ବୋଲି ସମ୍ଭାବନା ବଢିଯାଇଛି । ପ୍ରାୟ ୫ ମାସ ହେଲାଣି ନୟାଗଡ ପୋଲିସ ଯେଉଁ ମାମଲାର ଧାର ଧରିପାରୁନଥିଲା, ଏସଆଇଟି ସେହି ମାମଲାକୁ ଅଳ୍ପ କେଇଦିନରେ ନିର୍ଯାସ ଆଡକୁ ନେଇ ଆସିଛି । ଏପରିକି ବିଶ୍ୱସ୍ତ ସୂତ୍ରରୁ କନକ ନ୍ୟୁଜକୁ ମିଳିଥିବା ସୂଚନା ଅନୁସାରେ, ପରୀକୁ ଯୌନି ନିର୍ଯାତନା ଦେଇଥିବା ଅଭିଯୁକ୍ତ ପରୀର ଗାଁ ଅର୍ଥାତ ନୟାଗଡ ଯଦୁପୁରର ବୋଲି ଜଣାପଡିଛି ।

ପରୀକୁ ଯୌନ ନିର୍ଯାତନା ଦିଆଯାଇଥିଲା ବୋଲି କ୍ରାଇମବ୍ରାଂଚ ଏସଆଇଟି ହାଇକୋର୍ଟଙ୍କୁ ଜଣାଇଛି । ବୈଜ୍ଞାନିକ ପରୀକ୍ଷଣ ପରେ ପରୀର ପିନ୍ଧା ଫ୍ରକରେ ସିମେନ ମିଳିଛି । ହେଲେ ଏହି ମାମଲାରେ ବିରୋଧୀଙ୍କ ହଙ୍ଗାମା ବେଳେ ବିଧାନସଭାକୁ ସୂଚନା ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଥିଲେ ପରୀର ମୃତଦେହ ଯେଉଁଭଳି ଅବସ୍ଥାରେ ଉଦ୍ଧାର ହୋଇଥିଲା ତାକୁ ଯୌନ ନିର୍ଯାତନା ଦିଆଯାଇଥିବା କଥା ସ୍ପଷ୍ଟ କରିହେବ ନାହିଁ । କାରଣ ମୃତଦେହ ଉଦ୍ଧାର ହେଲାବେଳକୁ ସଂପୂର୍ଣ୍ଣ ନଷ୍ଟ ହୋଇସାରିଥିଲା ବୋଲି କହିଥିଲେ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ।

ଏସଆଇଟି ତଦନ୍ତରେ ଯେଉଁ କଥା ସାମ୍ନାକୁ ଆସିଛି, ସେଥିରେ ସନ୍ତୁଷ୍ଟ ନୁହନ୍ତି ପରୀର ବାପା, ମାଆ । ସେମାନେ ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରୁଛନ୍ତି । ଜୁଲାଇ ୨୩ ତାରିଖରେ ପରୀର ମୃତଦେହ ମିଳିଥିଲା । ନୟାଗଡ ପୋଲିସ କୌଣସି ପଦକ୍ଷେପ ନନେବାରୁ ବିଧାନସଭା ଆଗରେ ଆତ୍ମହୂତି ଉଦ୍ୟମ କରିଥିଲେ ପରୀର ବାପା, ମାଆ । ଏହାକୁ ନେଇ ବିଧାନସଭା ଭିତରେ ଓ ବାହାରେ ବିରୋଧୀଙ୍କ ହଙ୍ଗାମା ପରେ ହାଇକୋର୍ଟଙ୍କ ନିରୀକ୍ଷଣରେ କ୍ରାଇମବ୍ରାଂଚ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।

from Kanak News
via <a href="https://ifttt.com/?

ଭିତରକନିକାରେ ଇକୋ-ରିଟ୍ରିଟର ମଜା ନେଉଛନ୍ତି ପର୍ଯ୍ୟଟକ । ମନମୋହୁଛି ତ୍ରିକୋଣା ଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ

କନକ ବ୍ୟୁରୋ : ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ତ୍ରିକୋଣା ଭୂମିରେ ଗଢି ଉଠିଥିବା ଭିତରକନିକାର ପ୍ରାକୃତିକ ପରିବେଶ ବାସ୍ତବିକ ମନମୁଗ୍ଧକର । ଭିତରକନିକାର ବଉଳା କୁମ୍ଭୀର, ରଂଗବେରଂଗର ପକ୍ଷୀ, ହେନ୍ତାଳ ଇଚ୍ଚ ସାରା ବିଶ୍ୱର ପ୍ରକୃତିପ୍ରେମୀ ପ୍ରଥମ ପସନ୍ଦ । ଚଳିତ ବର୍ଷ ପ୍ରଥମଥର ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଇକୋ ରିଟ୍ରିଟ ବ୍ୟବସ୍ଥା କରାଯାଇଥିବା ବେଳେ ପର୍ଯ୍ୟଟକ ତମ୍ବୁ ତଳେ ରହି ରାତି କାଟିବା ସହ ପ୍ରାକୃତିକ ସନ୍ଦୌଯ୍ୟରେ ମଜା ଉଠାଉଛନ୍ତି ।

ବଉଳା କୁମ୍ଭୀରଙ୍କ ଅମରାବତି ପ୍ରାକୃତିକ ବିଭବରେ ଭରପୁର ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ ଲାଗିଛି । ଭିତରକନିକାରେ ହୋଇଥିବା ଇକୋ-ରିଟ୍ରିଟର ରହି ଜୈବ ବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ପାଟ୍ଟଶାଳା ନଦୀର ସୁଦୀର୍ଘ ନୀଳ ଜଳରାଶିରେ ବୋଟିଂ କରି ନୈସର୍ଗିକ ଶୋଭାରାଶିକୁ ଉପଭୋଗ କରୁଛନ୍ତିପର୍ଯ୍ୟଟକ ।

ଭିତରକନିକାରେ ରାତିି କାଟିବା ସହ ଦୁଃସାହାସିକ କ୍ରୀଡା ଓ ଭାସମାନ ରେଷ୍ଟୁରାଂଟର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଛି । ନଳିତାପାଟିଆରେ ୩ ପ୍ରକାରର ୨୧ଟି ବିଳାସପୂର୍ଣ୍ଣ କଟେଜ ରହିଛି । ପ୍ରିମିୟମ ସୁଇସ କଟେଜ, ରୟାଲ କଟେଜ ଓ ରୟାଲ ଫ୍ୟାମିଲି କଟେଜ ନିର୍ମାଣ କରାଯାଇଛି । ୨ ଜଣ ପର୍ଯ୍ୟଟକ ଇକୋ ରିଟ୍ରିଟ କଟେଜ ରହିବା ସହ ଖାଦ୍ୟ, ପାନୀୟ ଓ ଭିତରକନିକା ବୁଲିବା ପାଇଁ ସର୍ବନିମ୍ନ ୯ହଜାର ଟଙ୍କା ଦେବାକୁ ପଡୁଛି । ଦିନବେଳା କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲି ଦେଖିବା ପରେ ଭାସମାନ ରେଷ୍ଟୁରାଂଟରେ କ୍ୟାଣ୍ଡେଲ ନାଇଟ୍ ଡିନର ସହ ନାଚଗୀତରେ ଝୁମୁଛନ୍ତି ପର୍ଯ୍ୟଟକ ।

from Kanak News
via <a href="https://ifttt.com/?

ପାହାଡ ଚଢିଲେ ଡାକ୍ତର । ୪ ଘଣ୍ଟା କାଳ ପାଦରେ ଚାଲି ଚାଲି ଆଦିବାସୀଙ୍କ ପାଖରେ ପହଂଚିଲେ ଡାକ୍ତରୀ ଦଳ । ସ୍ୱାସ୍ଥ୍ୟ ପରୀକ୍ଷା କଲେ, ଔଷଧ ବାଣ୍ଟିଲେ ।

କନକ ବ୍ୟୁରୋ : ପାହାଡ ଚଢିଲେ ଡାକ୍ତର । ୪ ଘଂଟା କାଳ ପାଦରେ ଚାଲି ଚାଲି ଆଦିବାସୀଙ୍କ ପାଖରେ ପହଂଚିଲେ ଡାକ୍ତରୀ ଦଳ । ମାଓଗଡ ଭାବେ ପରିଚିତ ଗାଁରେ ପହଂଚିଲେ, ଆଉ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବାଂଟିଲେ ମାଥିଲି ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ପାହାଡ ଚଢିଥିବା ସ୍ୱାସ୍ଥ୍ୟ ଟିମ୍ ।

ପାହାଡି ଗାଁରେ ପହଂଚିଲା ଡାକ୍ତରୀ ଟିମ । ୪ ଘଂଟା ଧରି ପାଦରେ ଚାଲି ଚାଲି ମାଓଗଡରେ ପହଂଚିଥିଲେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ୮ କିଲୋମିଟର ଘଂଚ ଜଙ୍ଗଲ ଓ ପାହାଡି ରାସ୍ତାକୁ ଅତିକ୍ରମ କରି ଅପଂହଚ ଇଲାକାରେ ପହଂଚି ଲୋକଙ୍କ ସ୍ୱାସ୍ଥ୍ୟସେବା ଯୋଗାଇଛନ୍ତି ସ୍ୱାସ୍ଥ୍ୟ ଟିମ୍ ।
ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ମାଓଦୁର୍ଗ ଦଣ୍ଡିପଦର ଠାରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଫେରିଛନ୍ତି ମାଥିଲିର ସ୍ୱତନ୍ତ୍ର ମେଡିକାଲ ଟିମ୍ । ମାଥିଲି ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅମୀୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ ପାହାଡି ଗାଁରେ ଅଦିବାସୀ ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ କରିଛନ୍ତି ।

ଔଷଧ ଦେଇଛନ୍ତି । ଲୋକଙ୍କୁ ମ୍ୟାଲେରିଆ, ନିମୋନିଆ ଭଳି ବିଭିନ୍ନ ରୋଗ ସମ୍ପର୍କରେ ପଚାରି ବୁଝିବା ସହ ରକ୍ତ ପରୀକ୍ଷା କରିଛନ୍ତି । ଏବଂ ରୋଗୀଙ୍କୁ ମାଗଣା ଔଷଧ ଯୋଗାଇ ଦେଇଛି ଡାକ୍ତରୀ ଟିମ୍ । ଏହି ଟିମ୍ରେ ଡାକ୍ତରଙ୍କ ସମେତ ସୁପରଭାଇଜର, ଆଶା ଏବଂ ଅଙ୍ଗନୱାଡି କର୍ମୀ ସାମିଲ ଅଛନ୍ତି ।

ଓଡିଶା–ଛତିଶଗଡର ମାଥିଲି ଅଂଚଳର ତୁଳସୀ ଓ ଦଣ୍ଡିପଦରର ମାଓଗଡ ଭାବେ ପରିଚିତ । ମାଓ ଭୟରେ ପାହାଡ ତଳକୁ ଆସନ୍ତି ନାହିଁ ଲାଲଗଡର ନରୀହ ଆଦିବାସୀ । ପାହାଡ ଉପରେ ହିଁ ଭଗବାନଙ୍କ ଭରସାରେ ଜୀବନ ଜିଅଁନ୍ତି । ତେବେ ସେମାନଙ୍କ ପାଖକୁ ଯାଇ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଉଦ୍ୟମ ଅରମ୍ଭ କରିଛି ମାଥିଲି ସ୍ୱାସ୍ଥ ଟିମ୍ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started