ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ମାଡ୍ରାସ ଆଇଆଇଟିରେ କୋଭିଡ ସଂକ୍ରମଣ ଭୟ : ପ୍ରାୟ ୭୦ ଜଣ ଆକ୍ରାନ୍ତ ଚିହ୍ନଟ;ସବୁ ବିଭାଗ, ଲାବରୋଟୋରୀ ଓ ଲାଇବ୍ରେରୀ ବନ୍ଦ କଲେ କର୍ତ୍ତୃପକ୍ଷ

କନକ ବ୍ୟୁରୋ : ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ମାଡ୍ରାସ ଆଇଆଇଟି କ୍ୟାମ୍ପସରେ କରୋନା ସଂକ୍ରମଣ ଭୟ । ୭୦୦ ଛାତ୍ରଙ୍କ କରୋନା ପରୀକ୍ଷା ପରେ ପ୍ରାୟ ୭୦ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି । କିଛି ସଂକ୍ରମିତ ଚିହ୍ନଟ ହେବା ପରେ କୋଭିଡ୍ ଟେଷ୍ଟକୁ ବ୍ୟାପକ କରାଯାଇଥିଲା । ଯେତିକି ସ୍ୱାବ ନମୁନା ପରୀକ୍ଷା ପାଇଁ ଯାଇଥିଲା, ସେଥି ମଧ୍ୟରୁ ପ୍ରାୟ ୧୦ ପ୍ରତିଶତ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ।

ଏହା ପରେ ଶିକ୍ଷାନୁଷ୍ଠାନର ସମସ୍ତ ବିଭାଗ, ଲାବୋରେଟାରୀ, ଲାଇବ୍ରେରୀକୁ ବନ୍ଦ କରି ଦେଇଛନ୍ତି ମାଡ୍ରାସ ଆଇଆଇଟି କର୍ତୃପକ୍ଷ । ଅଧ୍ୟାପକ, କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମିତ ହୋଇଥିବା ଛାତ୍ରମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ବେଳେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି । ତାମିଲନାଡୁ ଓ ଚେନ୍ନାଇରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ମାଡ୍ରାସ ଆଇଆଇଟିରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢ଼ାଇ ଦେଇଛି ।

from Kanak News
via <a href="https://ifttt.com/?

୧୮ରୁ ପୁଣି ଶୀତ ବଢ଼ିବ…! ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୁଖିଲା ପାଗ: ୧୬ରେ କିଛି ସ୍ଥାନରେ ବର୍ଷା ସମ୍ଭାବନା

କନକ ବ୍ୟୁରୋ: ରାଜ୍ୟର ସର୍ବନିମ୍ନ ତାପମାତ୍ରା ବଢ଼ିବାରୁ ଏବେ ଶୀତ କମିଛି। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ଏବେ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨/୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। ୧୬ ତାରିଖ ଆଡ଼କୁ ଉପାନ୍ତ ଉତ୍ତର-ପଶ୍ଚିମ ଜିଲ୍ଲାଗୁଡ଼ିକରେ ସ୍ବଳ୍ପ ବର୍ଷା ହୋଇପାରେ। ଅବଶିଷ୍ଟ ଅଞ୍ଚଳର ପାଗ କୋହଲା ରହିବ। ଫଳରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ। ୧୮ ତାରିଖ ଆଡ଼କୁ ପୁଣି ରାଜ୍ୟର ସର୍ବନିମ୍ନ ତାପମାତ୍ରା ଖସିବ। ୧୯ ତାରିଖ ସୁଦ୍ଧା ରାତ୍ରି ତାପମାତ୍ରା ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ ଓ ରାଜ୍ୟରେ ଶୀତ ଆରମ୍ଭ ହୋଇଯିବ ବୋଲି କେନ୍ଦ୍ର କହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ରହିଥିଲା। କଟକ, ଜଗତସିଂହପୁର, ଅନୁଗୁଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି ଓ ନୟାଗଡ଼ ଆଦି ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିଛି। ରାଜ୍ୟ ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୧୨ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ୧୬ ତାରିଖ ଉପାନ୍ତ ଉତ୍ତର-ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକ ଯଥା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବ। ଅବଶିଷ୍ଟ ଜିଲ୍ଲାରେ ପାଗ ଶୁଖିଲା ଓ କୋହଲା ରହିବ।

ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ବୌଦ୍ଧ ଆଦି ଜିଲ୍ଲାରେ ଆଜି ହାଲ୍କାରୁ ମଧ୍ୟମଧରଣର ବର୍ଷା ହେବ। ଆସନ୍ତା ୩/୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହା ପରେ ୪ ଡିଗ୍ରି ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନର ତାପମାତ୍ରା ହ୍ରାସ ପାଇବ। ୧୮ ଓ ୧୯ ତାରିଖ ଆଡ଼କୁ ରାଜ୍ୟର ପାରଦ ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ। ଭୁବନେଶ୍ବରର ତାପମାତ୍ରା ଆଜି ବି ୧୯ ଡିଗ୍ରି ପାଖାପାଖି ରହିବ ବୋଲି କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।

from Kanak News
via <a href="https://ifttt.com/?

ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ: ପ୍ରଶାସନର ସ୍ୱତନ୍ତ୍ର ନୀତି ନିର୍ଘଂଟ; ୧୪ ତାରିଖ ଯାଏଁ ଚାଲିବ ନୀତିକାନ୍ତି

କନକ ବ୍ୟୁରୋ: ଆଜି ହେଉଛି ଧନୁ ସଂକ୍ରାନ୍ତି । ଆଉ ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆଜିଠୁ ଏକମାସ ଯାଏଁ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି । ପ୍ରତ୍ୟୁଷରୁ ଠାକୁରଙ୍କ ପହିଲି ଭୋଗ ନୀତି ହେବ । ଧନୁ ସଂକ୍ରାନ୍ତିଠାରୁ ଆସନ୍ତା ୧୪ ମକର ସଂକ୍ରାନ୍ତି ଯାଏଁ ପହିଲି ଭୋଗ ନୀତି ପାଳନ କରାଯିବ । କିମ୍ବଦନ୍ତୀ ଅନୁସାରେ, ମା ଲକ୍ଷ୍୍ମୀ ଏହି ସମୟରେ ବାପଘରକୁ ଯାଇଥିବାକୁ ଯଶୋଦା ଅତି ଆଗ୍ରହର ସହ ଶ୍ରୀକୃଷ୍ଣଙ୍କ ପାଇଁ ସ୍ୱାଦିଷ୍ଟ ପିଠା ତିଆରି କରି ପରସିଦେଇଥାନ୍ତି  ।

ଏହାକୁ ସ୍ମରଣ କରାଯାଇ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ହେଉଛି । ପହିଲି ଭୋଗରେ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାରର ଭୋଗ ଅର୍ପଣ କରାଯିବ । ଶ୍ରୀମନ୍ଦିର ପ୍ରଶାସନ  ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟ ରଖି  ନୀତିକାନ୍ତି ଶୃଙ୍ଖଳିତ କରିବାକୁ ନିଷ୍ପତି ହୋଇଛି । ଏହି ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ଅନୁଷ୍ଠାନ ଓ ଘରେ ଘରେ ପହିଲି ଭୋଗ ହେବାର ପରମ୍ପରା ରହିଆସିଛି ।

from Kanak News
via <a href="https://ifttt.com/?

ନୂଆ ଆଶା ଦେଖାଇଲା ଋଷିଆ ଟିକା ସ୍ପୁଟନିକ୍-ଭି । ପ୍ରଥମ ଡୋଜର ୨୧ ଦିନ ପରେ ୯୧.୪% ଫଳପ୍ରଦ ହୋଇଥିବା ଦାବି

କନକ ବ୍ୟୁରୋ: ନୂଆ ଆଶା ଦେଖାଇଲା ଋଷିଆ ଟିକା ସ୍ପୁଟନିକ୍- ଭି । ପ୍ରଥମ ଡୋଜର ୨୧ ଦିନ ପରେ ୯୧ ଦଶମିକ ୪ ପ୍ରତିଶତ ଫଳପ୍ରଦ ହୋଇଥିବା ଦାବି କରିଛନ୍ତି ନିର୍ମାତା ।  ଏନେଇ  ସ୍ଫୁଟନିକ- ଭି ଟିକା ପ୍ରସ୍ତୁତ କରୁଥିବା ଋଷିଆର ଗାମେଲିଆ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏକ ପ୍ରେସ ରିଲିଜ୍ କରି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି, ସ୍ଫୁଟନିକ- ଭି ଟିକାର ପ୍ରଥମ ଡୋଜ୍ ନେଇଥିବା ୨୨ ହଜାର ୭୧୪ ଜଣ ସ୍ୱେସ୍ଥାସେବୀଙ୍କ ଦେହରେ ୨୧ ଦିନ ପରେ ସୃଷ୍ଟି ହୋଇଥିବା ଫଳାଫଳକୁ ଆଧାର କରି ଏହି ଡାଟା ପ୍ରସ୍ତୁତ କରାଯାଇଛି ।

ବିଶ୍ୱର ପ୍ରଥମ ଟିକା ଭାବେ ସ୍ଫୁଟନିକ ଭି ଫଳପ୍ରଦ ହୋଇଥିବା ନେଇ ଋଷିଆ ପକ୍ଷରୁ ଦାବି କରାଯାଇଥିଲା । ହେଲେ ଏହାର ପରୀକ୍ଷଣ ଠିକ୍ ଭାବରେ ହୋଇନଥିବାରୁ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ବିଶ୍ୱର ଅନେକ ଦେଶ ପ୍ରଶ୍ନ ଉଠାଇଥିଲେ । ତାପରେ ଋଷ୍ିଆରେ ଏହି ଟିକାର ମାନବ ପରୀକ୍ଷଣ ଚାଲିଛି ।

from Kanak News
via <a href="https://ifttt.com/?

ଆମେରିକାରେ ଆରମ୍ଭ ହେଲା ବଡ ଟିକାକରଣ କାର୍ଯ୍ୟକ୍ରମ: ନର୍ସଙ୍କୁ ଦିଆଗଲା ପ୍ରଥମ ଟିକା

କନକ ବ୍ୟୁରୋ: ଆମେରିକାର ଆରମ୍ଭ ହୋଇଛି କରୋନା ଟିକାକରଣ ଅଭିଯାନ । ଗତକାଲି ଦେଶରେ କରୋନା ଟିକାର ପ୍ରଥମ ଡୋଜ ଦିଆଯାଇଛି । ଏହି ପ୍ରଥମ ଡୋଜ ନ୍ୟୁୟର୍କର ଜଣେ ନର୍ସଙ୍କୁ ଦିଆଯାଇଛି । କରୋନା ଟିକାକରଣ ଏହି କାର୍ଯ୍ୟକ୍ରମ ଟିଭିରେ ବି ପ୍ରସାରିତ ହୋଇଥିଲା । ଆମେରିକାରେ ପ୍ରଥମ କରୋନା ଟିକା ଦିଆଯିବା ପରେ ଟ୍ୱିଟ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁସି ଜାହିର କରିଛନ୍ତି । ଆମେରିକାରେ ଫାଇଜରକୁ ଜରୁରୀକାଳୀନ ବ୍ୟବହାରକୁ ଅନୁମତି ମିଳିଛି । ଆଉ ଏହାର ପ୍ରଥମ ଉତ୍ପାଦନ ମିଶିଗନ ଗୋଦାମରୁ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଇଛି ।

ଏହି ପ୍ରଥମ ଡୋଜ ସହ କରୋନା ପାଇଁ ଆମେରିକାରେ ବଡ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମିଶିଗନ ସ୍ଥିତ ଫାଇଜର ନିର୍ମାତା କମ୍ପାନୀ ଆମେରିକାରେ ୬୩୬ ସ୍ଥାନ ପାଇଁ ଟିକା ପଠାଯାଇଛି । ଦେଶରେ କରୋନା ସଂକ୍ରମଣ ରୋଗୀ ସର୍ବାଧିକ ହୋଇଛି । ଆଉ ଏହି ସମୟରେ ଦେଶରେ ଟିକାକରଣ ଆରମ୍ଭ ହୋଇଛି । କରୋନାରେ ଆକ୍ରାନ୍ତ ଦେଶମାନଙ୍କ ମଧ୍ୟରେ ଆମେରିକା ବିଶ୍ୱର ପ୍ରଥମ ସ୍ଥାନରେ ରହିଛି । କରୋନା ଯୋଗୁଁ ଦେଶରେ ୩ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଏହାକୁ ଦୃଷ୍ଟିର ରଖି ଆମେରିକାର ବଡ ଧରଣର ଟିକାକରଣ ଆରମ୍ଭ ହୋଇଛି ।

from Kanak News
via <a href="https://ifttt.com/?

ସୀମାରେ ସଜାଗ ସେନା, ଏଲଏସିରେ ବଡ ଧରଣର ପ୍ରସ୍ତୁତି ।

କନକ ବ୍ୟୁରୋ : ଏଲଏସିରେ ଭାରତ ଓ ଚୀନ୍ ଉତ୍ତେଜନା ଭିତରେ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡା ସନ୍ଦେଶ । ଲଦାଖରେ ସେନା ବଡ ଧରଣର ପ୍ରସ୍ତୁତି କରିଥିବା କହିଛନ୍ତି ରାଜନାଥ ସିଂ । ଭାରତୀୟ ସେନା ପିଏଲଏ ସହ ଦୃଢତାର ଲଢି ତାଙ୍କୁ ପଛଘୁଂଚା ଦେବାକୁ ବାଧ୍ୟ କରିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ତେବେ ହିମାଳୟ ସୀମାନ୍ତରେ ପ୍ରତିପକ୍ଷର ଏକପାଖିଆ ଆକ୍ମମଣାତ୍ମକ ଭଙ୍ଗୀ ହେଉଛି ପରିବର୍ତନଶୀଳ ବିଶ୍ୱ ଓ ରାଜିନାମା ଗୁଡିକୁ କିପରି ଚ୍ୟାଲେଂଜ କରାଯାଉଛି ତାର ଏକ ନମୂନା ବୋଲି କହିଛନ୍ତି ରାଜନାଥ ।

ବଦଳୁଛି ବିଶ୍ୱ ବଦଳୁଛି ମାନସିକତା । ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନରୁ ମିଳିଲା ସଙ୍କେତ । ଲଦାଖ ଠାରେ ବେଜିଂର ଏକପାଖିଆ ଆକ୍ରମଣାତ୍ମକ ଭଙ୍ଗୀ ପରିବର୍ତନଶୀଳ ବିଶ୍ୱର ଏକ ନମୂନା । ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ଦୀର୍ଘ ମାସର ଉତ୍ତେଜନା ନେଇ ପ୍ରତିକ୍ରିୟା ରଖି ଏପରି କହିଛନ୍ତି ରାଜନାଥ । ହିମାଳୟ ସୀମାନ୍ତରେ ପ୍ରତିପକ୍ଷର ଏକପାଖିଆ ଆକ୍ମମଣାତ୍ମକ ଭଙ୍ଗୀ ହେଉଛି ପରିବର୍ତନଶୀଳ ବିଶ୍ୱ ଓ ରାଜିନାମା ଗୁଡିକୁ କିପରି ଚ୍ୟାଲେଞ୍ଜ କରାଯାଉଛି ତାର ଏକ ନମୂନା । କେବଳ ହିମାଳୟ ନୁହେଁ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଥିବା କହିଛନ୍ତି ରାଜନାଥ ।

ସୀମାରେ ସଜାଗ ସେନା, ଏଲଏସିରେ ବଡ ଧରଣର ପ୍ରସ୍ତୁତି । ଚୀନ୍ ସହ ଉତ୍ତେଜନା ଭିତରେ ପ୍ରତିରକ୍ଷା ମନ୍ତ୍ରୀ ବେଜିଂକୁ କଡା ସନ୍ଦେଶ ଦେଇଛନ୍ତି । ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ବଡ ଧରଣର ପ୍ରସ୍ତୁତି କରିଛି ସେନା । ଏବଂ ଚୀନ୍ ସେନା ସହ ଦୃଢତାର ଲଢି ତାଙ୍କୁ ପଛଘୁଂଚା ଦେବାକୁ ବାଧ୍ୟ କରିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ସେପଟେ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ମଧ୍ୟ ଚେତାବନୀ ଦେଇ କହିଛନ୍ତି ଯେ ଚୀନ୍ ସହ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି ଭାରତ ।

ପାକିସ୍ତାନକୁ ମଧ୍ୟ ଟାର୍ଗେଟ କରିଛନ୍ତି ରାଜନାଥ । ଭାରତ ସୀମାପାର ଆତଙ୍କବାଦର ଶିକାର ହୋଇଛି ଏବଂ ଏକାକି ଏହାର ମୁକାବିଲା କରିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଗତ ମେ’ ମାସଠାରୁ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ସମାଧାନ ପାଇଁ ବିଭିନ୍ନ ପର୍ଯ୍ୟାୟରେ ବୈଠକ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉତ୍ତେଜନା ଲାଗିରହିଛି ।

from Kanak News
via <a href="https://ifttt.com/?

ଚୀନ ସୀମାରେ ଉତ୍ତେଜନା ଭିତରେ ସମ୍ଭାବ୍ୟ ଯୁଦ୍ଧ ସ୍ଥିତିର ମୁକାବିଲା ପାଇଁ ସଜାଗ ଭାରତ । ୧୫ଦିନ ପାଇଁ ଯୁଦ୍ଧକାଳୀନ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ପାଇଁ ସେନାକୁ କେନ୍ଦ୍ରର ଅନୁମତି ।

କନକ ବ୍ୟୁରୋ : ଚୀନ ସୀମାରେ ଉତ୍ତେଜନା ଭିତରେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ସଜାଗ ଭାରତ । ୧୫ଦିନ ପାଇଁ ଯୁଦ୍ଧକାଳୀନ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ପାଇଁ ସେନାକୁ କେନ୍ଦ୍ରର ଅନୁମତି । ପୂର୍ବରୁ ୧୦ଦିନ ପାଇଁ ମହଜୁଦ ରଖାଯାଉଥିଲା ଅସ୍ତ୍ରଶସ୍ତ୍ର । ଅଧିକ ଅସ୍ତ୍ର ଗଚ୍ଛିତ ରଖିବାକୁ ତିନି ସେନାକୁ ପ୍ରାୟ ଅଧିକ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁୁ ହେବ ।

ଲଦାଖ ସୀମାରେ ଚୀନ୍ ସହ ଦୀର୍ଘ ମାସର ଉତ୍ତେଜନା ଜାରି ରହିଥିବା ବେଳେ ଏକ ବଡ଼ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ୧୫ ଦିନର ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଓ ସରଞ୍ଜାମ ମହଜୁଦ ରଖିବାକୁ ସେନାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି ସରକାର । ପୂର୍ବରୁ ୧୦ ଦିନ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରହୁଥିଲା । ହେଲେ ଚୀନ୍ ସହ ଉତ୍ତେଜନା, ଏପଟେ ପାକିସ୍ତାନର ଶତ୍ରୁ ମନୋଭାବକୁ ଦେଖି ଏହି ନିଷ୍ପତି ନିଆଯାଇଛି । ଉଭୟ ପଟୁ କୌଣସି ବି ସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହୁଛି ସେନା ।

ଏବେ ଯୁଦ୍ଧ ପରିସ୍ଥିତିରେ ୧୫ ଦିନ ଲଢ଼ିବା ଭଳି ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖାଯିବ । ଏହି ଅଧିକ ଅସ୍ତ୍ର ଗଚ୍ଛିତ ରଖିବାକୁ ତିନି ସେନାକୁ ପ୍ରାୟ ଅଧିକ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁୁ ହେବ ।

କିଛି ବର୍ଷ ପୂର୍ବରୁ ଯୁଦ୍ଧ ପରିସ୍ଥିତିରେ ୪୦ ଦିନ ପାଇଁ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବାକୁ ନିଷ୍ପତି ହୋଇଥିଲା । ହେଲେ ଏସବୁକୁ ମହଜୁଦ ରଖିବା ଏକ କଷ୍ଟକର ବ୍ୟାପାର । ଏହାଛଡ଼ା ସମୟ ସହ ଯୁଦ୍ଧର କୌଶଳ ଓ ଉପକରଣ ବଦଳୁଥିବାରୁ ଏତେ ଦିନ ପାଇଁ ମହଜୁଦ ରଖିବାକୁ ନେଇ ପ୍ରଶ୍ନ ଉଠିଥିଲା । ଏହାପରେ ଏହାକୁ ୧୦ ଦିନକୁ କମାଇ ଦିଆଯାଇଥିଲା ।

ଉରି ଆକ୍ରମଣ ପରେ ଅନୁଭବ କରାଯାଇଥିଲା ଯେ, ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ର ଗଚ୍ଛିତ ନାହିଁ । ଏହାକୁ ବଢ଼ାଇବା ପାଇଁ ସେତେବେଳର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ସେନାକୁ ଅନୁମତି ଦେଇଥିଲେ । ଏହା ସହ ପ୍ରତିବାହିନୀର ଆର୍ଥିକ କ୍ଷମତାକୁ ଶହେ କୋଟିରୁ ୫ଶହ କୋଟି ଯାଏଁ ବଢାଇ ଦିଆଯାଇଥିଲା ।

ସ୍ଥଳ, ଜଳ ଓ ବାୟୁସେନା ଜରୁରୀକାଳିନ ପରିସ୍ଥିତିରେ ନିଜର ଆଶୁ ଆବଶ୍ୟକତା ପୂରଣ କରିବା ପାଇଁ ଅତିରିକ୍ତ ୩ଶହ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରିପାରିବେ । ଏହାଦ୍ୱାରା ଶତ୍ରୁପକ୍ଷର କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ମିଳିତ ସେନାର ଆକ୍ରମଣ ଶାଣିତ ହେବା ସହ ତାହା ପୂର୍ବ ଅପେକ୍ଷା ଅଧିକ ଦିନ ଧରି ତିଷ୍ଠି ପାରିବ । ଏବେ ତିନି ସେନା କୌଣସି ଦ୍ୱିପାକ୍ଷିକ ଯୁଦ୍ଧର ୧୫ଦିନିଆ ପ୍ରସ୍ତୁତି ପାଇଁ ଆବଶ୍ୟକ ସରଞ୍ଜାମ ମହଜୁଦ କରିଚାଲିଥିବା ଜଣାପଡିଛି । ମୁଖ୍ୟତଃ ଉତ୍ତର ପଟୁ ଚୀନ ପକ୍ଷରୁ ଜାରି ରହିଥିବା ଗତିରୋଧ ଚରମ ରୂପ ନେବାର ଆଶଙ୍କା ଥିବା ପରିପ୍ରେକ୍ଷୀରେ ସେନା ବାହିନୀକୁ ଏପରି ନିର୍ଦ୍ଦେଶ ଦିଆଯାଇଥିବା ଚର୍ଚ୍ଚା ହେଉଛି ।

from Kanak News
via <a href="https://ifttt.com/?

ନୂଆ ବିବାଦର ସୂତ୍ରପାତ କଲା ଜାଗ୍ରତି ଶୁକ୍ଲାଙ୍କ ପୋଷ୍ଟ । ଫେସବୁକ ପୋଷ୍ଟ ପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ବର୍ଷା । 

କନକ ବ୍ୟୁରୋ : ଲୋକସଭା ଟିଭିର ଉପସ୍ଥାପିକା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କ ଫେସବୁକ ପୋଷ୍ଟ ଏକ ନୂଆ ବିବାଦର ସୂତ୍ରପାତ କରିଛି । ଅନୁଭବଙ୍କ ପତ୍ନୀ ବର୍ଷାଙ୍କୁ ଟାର୍ଗେଟ କରି ଫେସବୁକ୍ ପୋଷ୍ଟ ପରେ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ବର୍ଷା । କିନ୍ତୁ ତାଙ୍କ ପକ୍ଷର ପ୍ରତିକ୍ରିୟା ଜାଣିବା ପାଇଁ ଆମେ କଥା ହୋଇଥିଲୁ ତାଙ୍କ ଓକିଲଙ୍କ ସହ ।

ଜାଗ୍ରତି ଶୁକ୍ଳା ହେଉଛନ୍ତି ଦିଲ୍ଳୀ ମିଡିଆ ଜଗତର ଜଣେ ଜଣାଶୁଣା ଚେହେରା । ଲୋକସଭା ଟିଭିରେ ଉପସ୍ଥାପନା କରନ୍ତି, ରିପୋର୍ଟିଙ୍ଗ ବି କରନ୍ତି ଏବଂ ରାଜନୈତିକ ବ୍ୟକ୍ତିଙ୍କୁ ନେଇ ବିତର୍କ ବି କରନ୍ତି । ଫେସବୁକ ପୋଷ୍ଟରେ ଜାଗ୍ରତି ଲେଖିଛନ୍ତି, ଅନୁଭବ ଜଣେ ସାଂସଦ ହୋଇଥିବାରୁ ବୃତିଗତ ଭାବେ ତାଙ୍କ ସହ ସମ୍ପର୍କ ରହିଛି ଏବଂ ସେ ତାଙ୍କର ଜଣେ ଭଲ ବନ୍ଧୁ ମଧ୍ୟ ।

ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବିବାଦ କୋର୍ଟରେ ପହଁଚିଛି ଏବଂ ଅନୁଭବ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି । ବର୍ଷା ମଧ୍ୟ ତାଙ୍କୁ ଉଚିତ ଭରଣପୋଷଣ ପାଇଁ କୋର୍ଟରେ ଆବେଦନ କରିଥିଲେ । ଏସବୁ ଭିତରେ ଅନୁଭବଙ୍କ ସହ ଜାଗ୍ରତିଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା । ଯାହାକୁ ଆପତିଜନକ ଦର୍ଶାଇ ଫେସବୁକରେ ନିଜ ପ୍ରତିକ୍ରିୟା ରଖିଥିଲେ ଜାଗ୍ରତି ।

 

from Kanak News
via <a href="https://ifttt.com/?

ଉପବାସ ରହି କୃଷି ଆଇନର ପ୍ରତିବାଦ କଲେ ଚାଷୀ । ଦିଲ୍ଲୀରେ ଧାରଣା ଦେଲେ ଦେଶର ହଜାର ହଜାର କୃଷକ, ଚାଷୀଙ୍କୁ ସମର୍ଥନ ଜଣାଇ କେଜ୍ରିୱାଲ ରଖିଲେ ଉପବାସ ।

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । ଆଜି ଦିଲ୍ଲୀ-ହରିୟାଣା ସୀମାରେ ଚାଷୀଙ୍କ ବଡ ଧରଣର ଆନ୍ଦୋଳନ ଦେଖିବାକୁ ମିଳିଛି । କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସବୁ ସୀମାରେ ଚାଷୀମାନେ ଦିନିକିଆ ଅନଶନ କରିଛନ୍ତି । କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବି ଆଜି ଦିନକ ପାଇଁ ଉପବାସ ରଖିଥିଲେ । ତେବେ ଆଲୋଚନା ପାଇଁ ନୂଆ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

୮ ତାରିଖରେ ଭାରତ ବନ୍ଦ, ଆଜି ଚାଷୀଙ୍କ ଉପବାସ ପ୍ରତିବାଦ । ନୂଆ କୃଷି ଆଇନର ପ୍ରତ୍ୟାହାର ଦାବିରେ ଉପବାସ ରହି ମୋଦୀ ସରକାରଙ୍କୁ ସେମାନଙ୍କ ଆଭିମୁଖ୍ୟ ଜଣାଇ ଦେଇଛନ୍ତି ହଜାର ହଜାର ଚାଷୀ । ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରତିବାଦ ଓ ବିକ୍ଷୋଭ ଦେଖିବାକୁ ମିଳିଛି । ଦିଲ୍ଲୀର ସିଂଘୁ ସୀମାରେ ପଂଜାବ, ହରିୟାଣାର ଚାଷୀଙ୍କ ସହ ଓଡ଼ିଶା, ରାଜସ୍ଥାନ ଓ ବିଭିନ୍ନ ରାଜ୍ୟର ଚାଷୀ ଏକାଠି ହୋଇ କୃଷି ଆଇନ ବିରୋଧରେ ବିକ୍ଷୋଭ କରିଛନ୍ତି । ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ନିଜ ନିଜ ଢଙ୍ଗରେ ପ୍ରତିବାଦ କରିଛନ୍ତି ଚାଷୀ ।

କୃଷି ସଂଗଠନର ଡାକରାରେ ସକାଳ ୮ଟାରୁ ଦିନିକିଆ ଉପବାସ ଆରମ୍ଭ କରିଥିଲେ ଚାଷୀ । ବିଭିନ୍ନ ରାଜ୍ୟର ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ ଧାରଣା ଦିଆଯାଇଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପବାସ ରହି ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି । ଦିନକୁ ଦିନ ଆନ୍ଦୋଳନ ତେଜୁଥିବାରୁ ମୋଦୀ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ବୈଠକ ପରେ ବୈଠକ ବସୁଛି ପାୱାର କରିଡରରେ । ତେବେ କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତିି, କୃଷି ଆଇନର ପ୍ରତ୍ୟାହାର କରାଯିବନି, କିନ୍ତୁ ଆଇନର ପ୍ରତ୍ୟକ ଧାରା ଉପରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ।

ଧାରଣା, ପ୍ରତିବାଦ, ବିକ୍ଷୋଭ ଭିତରେ ୧୯ ଦିନରେ ପହଁଚିଛି ଚାଷୀ ଆନ୍ଦୋଳନ । ଶୀତ କାକରରେ ଦିନ ରାତି ଦିଲ୍ଲୀ ସୀମାରେ ଧାରଣା ଦେଇଛନ୍ତି ହଜାର ହଜାର ଚାଷୀ । ବିରୋଧୀ ଦଳଗୁଡିକ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି । ନୂଆ କୃଷି ଆଇନକୁ କେନ୍ଦ୍ର ସରକାର ଐତିହାସିକ ବୋଲି ବର୍ଣ୍ଣନା କରୁଛନ୍ତି, ହେଲେ ଚାଷୀ ସଂଗଠନ ଏପରି ଯୁକ୍ତିକୁ ମାନିବାକୁ ରାଜି ନୁହଁନ୍ତି, କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଚାଷୀ ।

from Kanak News
via <a href="https://ifttt.com/?

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣ ଗିରଫ । ଓଟିଭିର ୨ କର୍ମଚାରୀ ଓ ୨ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ସେପଟେ ଭିଡିଓ କନଫରେନସିଂରେ ହାଜର ହେଲେ ଓଟିଭି ଏମଡି

କନକ ବ୍ୟୁରୋ : ତଦନ୍ତ, କମିଶନ ଏବଂ ଓଟିଭି । ମୁଖ୍ୟତଃ ଏହି ତିନୋଟି ବିନ୍ଦୁ ଭିତରେ ଘୁରିବୁଲୁଥିବା ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଶେଷରେ ଏଭଳି ଏକ ଖବର ଆସିଛି, ଯାହା ହୁଏତ ପୂର୍ବରୁ ଆସିବାର ଥିଲା । ପୀଡ଼ିତାଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିବାର ପ୍ରାୟ ୪ ମାସ ପରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭିର ଦୁଇ କର୍ମଚାରୀ ଓ ୨ ସୁରକ୍ଷା କର୍ମଚାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ । ଆଉ ଘଟଣାରେ ସଂପୃକ୍ତ ପୁଲିସ୍ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ ।

ଏପଟେ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହୋଇଥିଲେ ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡା । କମିଶନଙ୍କ ନୋଟିସ୍ ଅଧାରରେ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇ ଅଭିଯୋଗ ଉପରେ ପକ୍ଷ ରଖିଛନ୍ତି । ତେବେ ଓଟିଭି ଏମ୍ଡିଙ୍କ ଉତର ସନ୍ତୋଷ ଜନକ ନଥିବା କମିଶନ ଅଧ୍ୟକ୍ଷା ଦେଇଥିବା ସୂଚନା ଦେଇଛନ୍ତି । ସେହିପରି ଅଭିଯୋଗକୁ ଖଣ୍ଡନ କରିଦେଇଛନ୍ତି ଜାଗୀ ମଙ୍ଗତ ପଣ୍ଡା । ଏପଟେ ପୀଡ଼ିତାଙ୍କ ଓକିଲ କହିଛନ୍ତି-ତାଙ୍କ ବୟାନରେ କିଛି ତଥ୍ୟ କିମ୍ବା ସତ୍ୟ ନାହିଁ ।

ଏସବୁ ଭିତରେ ଘଟଣାର ତଦନ୍ତରେ ବିଳମ୍ବ ହେଉଥିବା ପ୍ରଶ୍ନ ଉପରେ ଆୟୋଗ ଅଧ୍ୟକ୍ଷା କହିଛନ୍ତି-ବିଳମ୍ବରେ ଅଭିଯୋଗ ହେବାରୁ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ହୋଇଛି । ଲକ୍ଡାଉନ୍ ସମୟରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ଓଟିଭି ଅଫିସରେ କାର୍ଯ୍ୟ କରୁଥିବା ଜଣେ ମହିଳା । ଏଥିରେ ପୁଲିସ କର୍ମଚାରୀ, ଓଟିଭିର କର୍ମଚାରୀ, ସୁରକ୍ଷା କର୍ମଚାରୀଙ୍କ ସହ ୭ଜଣ ସାମିଲ ଥିବା ଅଭିଯୋଗ ହୋଇଥିଲା ।

from Kanak News
via <a href="https://ifttt.com/?

Design a site like this with WordPress.com
Get started