ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ : ଚତୁରତାର ସହ କାବୁକଲେ ରାସ୍ତାରେ ଯାଉଥିବା ବାଟୋଇ, ପାଣିକୋଇଲି ପୋଲିସକୁ ଦେଲେ ଜିମା 

କନକ ବ୍ୟୁରୋ : ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିବାବେଳେ ଚତୁରତାର ସହ ଉଦ୍ଧାର କଲେ କିଛି ଲୋକ । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଆଖୁଆପଦା ନିକଟ ବୈତରଣୀ ନଦୀ ବ୍ରିଜ ଉପରରେ ମହିଳା ଜଣଙ୍କ ନଦୀକୁ ଡେଇଁବା ପାଇଁ ପୋଲର ବାଡା ଉପରେ ଚଢ଼ି ଯାଇଥିଲେ  ଏବଂ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ଏହା ଦେଖି ରାସ୍ତାରେ ଯାତାୟତ କରୁଥିବା ବାଟୋଇମାନେ ଅଟକି ଦୂରରୁୁ ରହି ମହିଳା ଜଣଙ୍କୁ ନଦୀକୁ ନଡେଇଁବାକୁ ବୁଝାଇଥିଲେ ଏବଂ କଥାରେ ଭୁଲାଇ ରଖିଥିଲେ ।

ଏହି ସମୟରେ ଜଣେ ବାଟୋଇ ମହିଳାଙ୍କୁ ଅତି ଚତୁରତାର ସହ କାବୁ କରି ନେଇଥିଲେ । ତାପରେ ମହିଳାଙ୍କୁ ନିକଟସ୍ଥ ପାଣିକୋଇଲି ପୋଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁସାରେ ମହିଳାଙ୍କ ଘର ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଅଂଚଳରେ । ମାତ୍ର ମାସେ ତଳେ କେନ୍ଦୁଝର ଜିଲ୍ଲାରେ ଭଲ ପାଇଁ ବିବାହ କରିଥିଲେ । ତେବେ କଣ ପାଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହାର କାରଣ ଜଣାପଡି ନାହିଁ ।

from Kanak News
via <a href="https://ifttt.com/?

୧୮ ଦିନରେ ଚାଷୀ ଆନ୍ଦୋଳନ: ଆଜି ରାଜସ୍ଥାନରୁ ବାହାରିବ ଟ୍ରାକ୍ଟର ରାଲି; ୧୪ରେ ଦେଶବ୍ୟାପୀ ପ୍ରତିବାଦ, ଆମରଣ ଅନଶନ କରିବାକୁ କୃଷକ ନେତାଙ୍କ ଚେତାବନୀ

କନକ ବ୍ୟୁରୋ: ୧୮ ଦିନରେ ପହଁଚିଲା ଚାଷୀ ଆନ୍ଦୋଳନ । ଗୋଟିଏ ପଟେ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଅଡି ବସିଛନ୍ତି ଏକାଧିକ କୃଷକ ସଂଗଠନ । ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କୁ ସମର୍ଥନ କରି ୟୁପି, ରାଜସ୍ଥାନ, ପଞ୍ଜାବ ଓ ହରିୟାଣାର ଆହୁରି ଚାଷୀ ଆସୁଛନ୍ତି । ଫଳରେ ଆନ୍ଦୋଳନ କମିବା ବଦଳରେ ବଢ଼ିବାରେ ଲାଗିଛି । ସରକାର ଆଇନକୁ ପ୍ରତ୍ୟାହାର କରିବାକୁ ମନା କରିବା ପରେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ । ଶନିବାର ଏକାଧିକ ଟୋଲ ପ୍ଲାଜାକୁ ଆନ୍ଦୋଳନକାରୀ କୃଷକ ନିଜ କବଜାକୁ ନେଇ ଟିକସ ଆଦାୟକୁ ଫ୍ରି କରିବା ପରେ ଆଜି ଟ୍ରାକ୍ଟର ରାଲି ବାହାର କରିବାର କାର୍ଯ୍ୟକ୍ରମ ରହିଛି ।

ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକଙ୍କ ସମର୍ଥନରେ ଆଜି ରାଜସ୍ତାନର ବହୁ ସଂଖ୍ୟାରେ ଚାଷୀ ଟ୍ରାକ୍ଟର ରାଲି ବାହାରି କରିବାକୁ ଘୋଷଣା କରିଛନ୍ତି । ଏବଂ ଦିଲ୍ଲୀ – ଜୟପୁର ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି । ଆସନ୍ତାକାଲି ଅର୍ଥାତ ୧୪ ତାରିଖରେ ଦେଶବ୍ୟାପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ସିଂଘୁ ବର୍ଡରରେ କୃଷକ ନେତାମାନେ ଆମରଣ ଅନଶନରେ ବସିବେ ବୋଲି ଘୋଷଣା କରିଛନ୍ତି । ଶନିବାର ସିଂଘୁ ସୀମରେ କୃଷକ ସଂଗଠନର ବୈଠକ ପରେ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି ଚାଷୀ ନେତା । କୃଷକ ନେତା କହିଛନ୍ତି, କେନ୍ଦ୍ର ସରକାରଙ୍କ ନିକଟରେ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ କିଛି ବାଟ ନାହିଁ । ସେଥିପାଇଁ ନିଜର ଜିଦକୁ ଲୁଚାଇବା ପାଇଁ କୃଷକ ଆନ୍ଦୋଳନକୁ ବିଭିନ୍ନ ବାହାନା କରି ବଦନାମ କରିବାକୁ ଯୋଜନା କରୁଛନ୍ତି ସରକାର ।

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ଅଡି ବସିଥିଲେ ମଧ୍ୟ ଏକ ଭଲ ଖବର ସାମନାକୁ ଆସିଛି । ଦିଲ୍ଲୀ – ନୋଇଡା ଚିଲ୍ଲା ସୀମାକୁ ଖୋଲି ଦିଆଯାଇଛି । ରାସ୍ତା ଉପରେ କରାଯାଇଥିବା ସମସ୍ତ ବ୍ୟାରିକେଡିଂକୁ ହଠାଇ ଦେଇଛି ପୋଲିସ । ଚିଲ୍ଲା ସୀମା ୧୨ ଦିନ ହେଲା ବନ୍ଦ ଥିଲା । କୃଷକ ସଂଗଠନର ଏକ ପ୍ରତିନିଧି ଦଳ ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ଆଲୋଚନା କରିବା ପରେ ଏହି ସୀମାକୁ ଖୋଲା ଯାଇଥିବା ଜଣାପଡିଛି । ପ୍ରତିରକ୍ଷା ମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ହୋଇଥିଲା । ଏଥିରେ ୫ ଜଣିଆ କୃଷକ ପ୍ରତିନିଧି ଉପସ୍ଥିତ ଥିଲେ । କୃଷକ ନେତାମାନେ ରାଜନାଥଙ୍କ ସମ୍ମୁଖରେ ୧୮ ସୂତ୍ରୀ ଦାବି ରଖିଥିଲେ । ଏଥିରେ କୃଷକ ଆୟୋଗ ଗଠନ ମୁଖ୍ୟ ଦାବି ରହିଛି । ତେବେ ଦାବି ମଧ୍ୟରେ ଏମଏସପି ନଥିବା ଜଣାପଡିଛି । ତେବେ ପ୍ରଶ୍ନ ଉଠୁଛି ରାଜନାଥଙ୍କ ସହ ଆଲୋଚନା କରିଥିବା ଏହି ପ୍ରତିନିଧି ଦଳ ଆନ୍ଦୋଳନ କରୁଥିବା କୃଷକଙ୍କ ନେତା ନା ଅନ୍ୟ କେହି । କାରଣ ଆନ୍ଦୋଳନକାରୀ କୃଷକଙ୍କ ପ୍ରଥମ ଦାବି ଏମଏସପି ରହିଥିବାବେଳେ ଏମାନଙ୍କ ଦାବିରେ ଏହା ସ୍ଥାନ ପାଇ ନାହିଁ ।

from Kanak News
via <a href="https://ifttt.com/?

ଆସନ୍ତା ୨ ଦିନ ଘନ କୁହୁଡ଼ି ! ୧୭ରୁ ଶୀତ ବଢ଼ିବ…୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଖସିବ ପାରଦ

କନକ ବ୍ୟୁରୋ: ରାଜ୍ୟରେ ଏବେ ଶୀତର ପ୍ରକୋପ ଟିକେ କମିଛି। ୧୦ ଡିଗ୍ରି ତଳକୁ ରାଜ୍ୟର ମାତ୍ର ଗୋଟିଏ ସ୍ଥାନ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୨ରୁ ୧୫ ଡିଗ୍ରି ମଧ୍ୟରେ ରହିଛି। ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୬ରୁ ୧୮ ଡିଗ୍ରି ମଧ୍ୟରେ ରହିଛି। ଆସନ୍ତା ୧୬ ତାରିଖ ଦିନ ଉତ୍ତର ପଶ୍ଚିମ ଓଡ଼ିଶାର ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ରାଜ୍ୟର ଅବଶିଷ୍ଟ ଜିଲ୍ଲାର ପାଗ ମେଘୁଆ ବା ଆଂଶିକ ମେଘୁଆ ରହିବ। ଫଳରେ ୧୬ ତାରିଖ ଆଡ଼କୁ ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ବଢ଼ିବ ଓ ଶୀତ କମିବ। ତେବେ ୧୭ ତାରିଖରୁ ରାଜ୍ୟରେ ପାରଦସ୍ତର ପୁଣି ଖସିବା ଆରମ୍ଭ କରିବ। ଫଳରେ ୧୭ ପରେ ରାଜ୍ୟରେ ପୁଣି ଥରେ ଶୀତ ଆରମ୍ଭ ହୋଇଯିବ ଓ କୁହୁଡ଼ି ବି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ରଖିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିବ। ବିଶେଷ କରି ଉପକୂଳ ଓଡ଼ିଶା ଓ ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡ଼ି ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ ପଡ଼ିବ। ଆସନ୍ତାକାଲି ସକାଳୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ନୟାଗଡ଼, ଖୋର୍ଧା, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଉପକୂଳର ସମସ୍ତ ଜିଲ୍ଲା ସହ ଆଭ୍ୟନ୍ତରର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

କେନ୍ଦ୍ର ଆହୁରି କହିଛି, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ୧୬ ତାରିଖ ଆଡ଼କୁ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ବରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ପାଗ ଆଂଶିକ ମେଘୁଆ ରହିବ। ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ୧୫ ଓ ୧୬ ତାରିଖ ଆଡ଼କୁ ଉତ୍ତର ଆଭ୍ୟନ୍ତରିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଯୋଗୁଁ ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ରାତ୍ରି ତାପମାତ୍ରା ବଢ଼ିବ ଓ ଶୀତ ସାମାନ୍ୟ କମିବ ବୋଲି ଜଣାପଡ଼ିଛି। କିନ୍ତୁ ମେଘୁଆ ପାଗ ଯୋଗୁଁ ସେହି ସମୟରେ ଦିନ ତାପମାତ୍ରା କମିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

from Kanak News
via <a href="https://ifttt.com/?

ଟିକାକରଣ ପାଇଁ ଏସଓପି ଜାରି: ଗୋଟିଏ କେନ୍ଦ୍ରରେ ଦିନକରେ ଅତିବେଶୀରେ ଶହେ ଜଣଙ୍କୁ ଦିଆଯିବ ଟିକା; ପ୍ରତି ଟିକାକରଣ କେନ୍ଦ୍ର ପାଇଁ ରହିବେ ୫ଜଣିଆ ଟିମ୍

କନକ ବ୍ୟୁରୋ: କରୋନା ଟିକା କେବେ ଆସିବ ଏହାକୁ ସମସ୍ତେ ଚାହିଁ ରହିଛନ୍ତି । ତେବେ କରୋନା ଟିକା ଆସିବା ପୂର୍ବରୁ ଭାରତ ସରକାର ଟିକାକରଣ କେମିତି ହେବ, ସେଥିପାଇଁ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଟିକା ଆସିବାର ୬ ରୁ ୮ ମାସ ମଧ୍ୟରେ କିଭଳି ୬୦ କୋଟି ଡୋଜକୁ ୩୦ କୋଟି ଲୋକଙ୍କ ପାଖରେ ପହଁଚା ଯିବ ସେଥିପାଇଁ ଏସଓପି ଜାରି କରିଛନ୍ତି କେନ୍ଦ୍ର ସରକାର । ଟିକାକରଣକୁ ସହଜ ଏବଂ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ କେନ୍ଦ୍ରରେ ଦିନକରେ ୧୦୦ ଜଣଙ୍କୁ କରୋନା ଟିକା ଦେବାକୁ ନିଷ୍ପତି ନେଇଛନ୍ତି ସରକାର । ଏସଓପି ଅନୁଯାୟୀ ପ୍ରତ୍ୟକ ଟିକାକରଣ କେନ୍ଦ୍ରରେ ୫ଜଣଙ୍କୁ ନିୟୋଜିତ କରାଯିବ । ୫ଜଣଙ୍କ ମଧ୍ୟରେ ଜଣେ ମୁଖ୍ୟ ଅଧିକାରୀଙ୍କୁ ଅନ୍ୟ ୪ଜଣ ସଦସ୍ୟ ସାହାଯ୍ୟ କରିବେ ।

ମୁଖ୍ୟ ବ୍ୟକ୍ତି ଜଣେ ଡାକ୍ତର, ନର୍ସ , ଫାର୍ମାସିଷ୍ଟ କିମ୍ବା ଇଞ୍ଜେକ୍ସନ ଦେବା ପାଇଁ ଆଇନଗତ ଭାବେ ଯୋଗ୍ୟ ବ୍ୟକ୍ତି ହୋଇଥିବା ଆବଶ୍ୟକ । ଦ୍ୱିତୀୟ ଅଧିକାରୀ ସୁରକ୍ଷା ପାଇଁ ରହିବେ, ଯିଏ ଉପଭୋକ୍ତା ପଞ୍ଜିକରଣ ଯାଂଚ କରିବେ ଏବଂ ଟିକାକରଣ କେନ୍ଦ୍ରର ପ୍ରବେଶ ପଥ ଜଗିବେ । ତୃତୀୟ ଅଧିକାରୀ ପ୍ରମାଣପତ୍ର ଯାଂଚ କରିବା ସହ ଚତୁର୍ଥ ଓ ପଂଚମ ଅଧିକାରୀ ଭିଡ ପରିଚାଳନା ଏବଂ ଯୋଗଯୋଗ ପାଇଁ ରହିବେ । ଏଥିସହ ପ୍ରତ୍ୟକ ଟିକାକରଣ କେନ୍ଦ୍ରରେ ପ୍ରତୀକ୍ଷା କରିବା, ଟିକାକରଣ ଏବଂ ପର୍ଯ୍ୟବେକ୍ଷଣ ପାଇଁ ୩ଟି କକ୍ଷ ରହିବ ।

ଗୋଟିଏ ଦିନରେ ଯେକୌଣସି ବ୍ୟକ୍ତିଙ୍କୁ ଟିକା ଦିଆଯିବ, ତାକୁ ପରବର୍ତି ଅଧଘଂଟା ପାଇଁ ପର୍ଯ୍ୟବେକ୍ଷଣ କକ୍ଷରେ ତତ୍ୱାବଧାନରେ ରଖାଯିବ । ଯଦି କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଏ ତେବେ ତୁରନ୍ତ ତାଙ୍କର ଚିକିତ୍ସା କରାଯିବ । କରୋନା ଟିକା ନେବା ପାଇଁ ଟିକାକରଣ କୋଠରୀ ପ୍ରସ୍ତୁତ କରାଯିବ । ଏହି କୋଠରୀଗୁଡିକରେ, ଜଣେ ବ୍ୟକ୍ତିଙ୍କୁ କେବଳ ଥରେ ଯିବାକୁ ଅନୁମତି ଦିଆଯିବ । ଟିକାକରଣ ଅଭିଯାନ ସମୟରେ ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ୱ ଦେବାକୁ କୁହାଯାଇଛି ।

from Kanak News
via <a href="https://ifttt.com/?

ଘନ କୁହୁଡିରେ ଆଚ୍ଛାଦିତ ହେଲା ଟୁଇନସିଟି: ଗାଡି ଚଳାଚଳ ପ୍ରଭାବିତ; ଶହେ ମିଟର ଦୂରରୁ ଦେଖାଯାଉନି ମୁହଁ

କନକ ବ୍ୟୁରୋ: ଘନ କୁହୁଡିରେ ଆଛାଦିତ ହେଲା ଟୁଇନସିଟି । ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । କୁହୁଡି ଏତେ ମାତ୍ରାରେ ହୋଇଛି ଯେ ମାତ୍ର ଶହେ ମିଟର ଦୂରରୁ ମୁହଁ ଦେଖାଯାଉନି । କୁହୁଡି ଯୋଗୁଁ ଗାଡି ଚଳାଚଳ ପ୍ରଭାବିତ ହୋଇଛି । ଲୋକମାନେ ରାସ୍ତାରେ ଗାଡି ଲଗାଇ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି । ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ଅବସ୍ଥା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

from Kanak News
via <a href="https://ifttt.com/?

ଭୁବନେଶ୍ୱରର ବିଭିନ୍ନ ବାରରେ କମିଶନରେଟ ପୋଲିସର ଚଢାଉ । କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ : ରାଜଧାନୀରେ ରାତି ଅଧିଆ ଚଢଉ । ସହରରେ ଏକାଧିକ ବାର ଓ ରେଷ୍ଟୁରାଂଟ ଉପରେ ଆଜି କମିଶନରେଟ୍ ପୁଲିସର ଚଢଉ । କୋଭିଡ୍ ନିୟମ ଉଲ୍ଲଂଘନ କରି ଚାଲିଥିଲା ବାର ଓ ଏଠାରେ ନିଶାସେବନ ଚାଲିଥିବା ଜଣାପଡିଛି । କ୍ୟାପିଟାଲ ଓ ଖାରବେଳ ଥାନା ଅଂଚଳରେ ଥିବା ୮ଟି ବାରରେ ଚଢଉ ହୋଇଛି ।

ସେଥିମଧ୍ୟରୁ ଖାରବେଳ ଥାନା ମ୍ୟାଡ ମୁଲ ଓ କ୍ୟାପିଟାଲ ଥାନା ଅଂଚଳ ୟୁନିଟ୍-୮ ଅଜିତ ବାର ନିୟମ ଉଲ୍ଲଂଘନ କରିଥିବା ଜଣାପଡିଛି । ବାରରେ ନିଶା ସେବନ କରୁଥିବା ୫୦ ଜଣରୁ ଅଧିକଙ୍କ ପାଖରୁ ଫାଇନ୍ ଆଦାୟ କରିଛି ପୁଲିସ । ଏଥି ସହିତ ବାର୍ ମ୍ୟାନେଜରଙ୍କ ଠାରୁ ଫାଇନ୍ ଆଦାୟ କରିଛି ।

ଆଇନ ଉଲ୍ଲଂଘନ କରିଥିବା ବାର ସିଲ୍ କରିବା ଲାଗି ଅବକାରୀ ବିଭାଗ ଚିଠି ଲେଖିବ ପୋଲିସ । ସେହିପରି ଲକ୍ଷ୍ମୀସାଗର ଥାନା ଅଂଚଳର ମହାନ୍ତି ବାର, ଖଣ୍ଡଗିରି, ସହିଦନଗର, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି ପ୍ରଭୃତି ଥାନା ଅଂଚଳରେ ଥିବା ବାର୍ରେ ପୋଲିସ ରେଡ୍ କରିଛି ।

from Kanak News
via <a href="https://ifttt.com/?

ବିଶ୍ୱର ସବୁଠାରୁ ଥଣ୍ଡା ସ୍କୁଲ । -୫୧ ଡିଗ୍ରୀ ଶୀତରେ ବି ଚାଲିଛି ସ୍କୁଲ । ହାଡଭଙ୍ଗା ଶୀତରେ ପିଲା ଯାଉଛନ୍ତି ସ୍କୁଲ, ପଢୁଛନ୍ତି ପାଠ ।

କନକ ବ୍ୟୁରୋ : ସମସ୍ତେ ଥଣ୍ଡାକୁ ପସନ୍ଦ କରନ୍ତି । ଆଉ ବରଫ ପଡୁଥିବା ସ୍ଥାନକୁ ଯିବାକୁ ଭଲପାଆନ୍ତି । ହେଲେ ଏଠାରେ ବସବାସ କରୁଥିବା ଲୋକଙ୍କ ପାଇଁ ଏହା କେତେ କଷ୍ଟଦାୟକ ତାହା କେବେ ବି ଆମ ମନରେ ଆସି ନଥାଏ । ଆଉ ଏଠାରେ ଲୋକମାନେ ଥଣ୍ଡା ସହ ବଞ୍ଚିବାକୁ ସଂଘର୍ଷ କରିଥାନ୍ତି ।

ସାଇବେରିଆ, ବିଶ୍ୱର ସବୁଠାରୁ ଥଣ୍ଡା ଜାଗା ଭାବରେ ପରିଚିତ । ଏଠାରେ ତାପମାତ୍ରା -୫୦ ଡିଗ୍ରୀ ସେଲିସୟସ ପାଖାପାଖି ରହିଥାଏ । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ହାଡଭଙ୍ଗା ଶୀତରେ ବି ପିଲାମାନେ ଏଠାରେ ସ୍କୁଲ ଯାଆନ୍ତି । ଆଉ ଶୀତରେ ପାଠ ପଢନ୍ତି । ଶୀତ ବସ୍ତ୍ର ପିନ୍ଧି ଛୋଟ ଛୋଟ ପିଲାମାନେ ଏହି ଶୀତରେ ସ୍କୁଲ ଯିବାର ଦେଖାଯାଇଥାଏ । । ଏହି ସ୍କୁଲରେ ୧୧ ବର୍ଷରୁ କମ ପିଲାଙ୍କୁ ସେତେବେଳେ ସ୍କୁଲ ମନା କରାଯାଇଥାଏ, ଯେତେବେଳେ ଏଠାରେ ତାପମାତ୍ରା -୫୨ ଡିଗ୍ରୀରେ ପହଞ୍ଚିଥାଏ ।

ସାଇବେରିଆର ଓମାୟାକୋନ ସହରରେ ଏହି ସ୍କୁଲ ଅବସ୍ଥିତ । ଏଠାରେ ବ୍ୟାଙ୍କ ଓ ପୋଷ୍ଟ ଅଫିସର ସୁବିଧା ମଧ୍ୟ ରହିଛି । ଏହି ସ୍କୁଲକୁ ୧୯୩୨ ମସିହାରେ ଷ୍ଟାଲିନର ରାଜା ନିର୍ମାଣ କରିଥିଲେ । ଏହି ସ୍କୁଲକୁ ଖରା ତୁମୁଲ ଓ ବେରେଗ ୟୁର୍ଡେ ଗାଁର ପିଲାମାନେ ପାଠ ପଢିବାକୁ ଆସନ୍ତି ।

ତେବେ ଏଠାରେ ଏତେ ଥଣ୍ଡା ହୋଇଥାଏ ଯେ ଦେହରେ ସପୂର୍ଣ୍ଣ ବରଫର ଆସ୍ତରଣ ପଡିଯାଇଥାଏ । କୁହାଯାଏ ଯେ ଯଦି ଏହି ପାଗରେ ଗରମ ପାଣିକୁ ଏଠାରେ ରଖାଯାଏ ତାହା ସଙ୍ଗେ ସଙ୍ଗେ ବରଫରେ ପରିଣତ ହୋଇଯାଏ । ଏହି ପାଗରେ ଅଧିକାଶଂ ଲୋକ ଏଠାରେ ଥଣ୍ଡା ସର୍ଦ୍ଦିର ସମସ୍ୟାରେ ମଧ୍ୟ ପଡିଥାନ୍ତି । ଏଭଳି ସ୍ଥିତିରେ ଅନୁମାନ କରିହେବ ଯେ ପିଲାମାନେ ସେଠାରେ କେମିତି ପରିସ୍ଥିତିକୁ ସାମ୍ନା କରି ସ୍କୁଲକୁ ଯାଆନ୍ତି ।

-୫୦ ଡିଗ୍ରୀ ତାପମାତ୍ରାରେ ଏଠାରେ ହାଇପୋଥର୍ମିଆର ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଥାଏ । ହାଇପୋଥର୍ମିଆରେ ଶରୀର ତାପମାତ୍ରା ଅତି ଶୀଘ୍ର ହ୍ରାସ ହୋଇଥାଏ । ଫଳରେ ବ୍ଲଡ ପ୍ରେସର, ହାର୍ଟ ବିଟ ଦ୍ରୁତ ବଢିବା ଓ କେତେକ କ୍ଷେତ୍ରରେ ମୃତ୍ୟୁ ବି ହୋଇପାରେ । ଏହି ତାପମାତ୍ରାରେ ଡାକ୍ତରମାନେ ମଧ୍ୟ ଗଭୀର ନିଶ୍ୱାସ ନେବାକୁ ମନା କରନ୍ତି । କାରଣ ନିଶ୍ୱାସ ନେବା ଏଠାରେ କଷ୍ଟକର ହୋଇଥାଏ । ଏହାସହ ଫୁସଫୁସରେ ଥଣ୍ଡା ପବନ ବାଜିବା ଦ୍ୱାରା ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ତେବେ ଏଭଳି କ୍ଷେତ୍ରରେ କେବଳ ସ୍କୁଲ ନୁହେଁ ସାଧାର ଜୀବନଯାପନ ମଧ୍ୟ ବିପଦଜ୍ଜନକ ହୋଇଥାଏ ।

from Kanak News
via <a href="https://ifttt.com/?

ଶ୍ରୀନଗରରେ ପ୍ରବଳ ହିମପାତ । ବରଫ ଚାଦରରେ ଘୋଡେଇ ହୋଇ ରହିଛି ସହର । ରାସ୍ତା ଉପରେ ଜମିଗଲାଣି ଦେଢଫୁଟର ଆସ୍ତରଣ । ହିମପାତର ମଜା ନେଉଛନ୍ତି ପର୍ଯ୍ୟଟକ ।

କନକ ବ୍ୟୁରୋ : ଥଣ୍ଡାରେ ଥରୁଛି ଉତର ଭାରତ । ଦେଶର ଉତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଜମ୍ମୁକଶ୍ମୀରରୁ ଆସିଛି ବରଫପାତର ଚିତ୍ର । ଶ୍ରନଗରରେ ବର୍ଷର ପ୍ରଥମ ବଡଧରଣର ବରଫ ବର୍ଷା ହୋଇଛି । ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ସହର । ରାସ୍ତା ଉପରେ ଜମିଗଲାଣି ଦେଢଫୁଟର ବରଫ ଆସ୍ତରଣ ।

ଶ୍ରୀନଗରରେ ଚଳିତ ବର୍ଷର ପ୍ରଥମ ତୁଷାରପାତ । ପର୍ଯ୍ୟଟକଙ୍କ ଭିତରେ ଖୁସି ଭରିଦେଇଥିବା ବେଳେ ପର୍ଯ୍ୟଟନ ଉପରେ ନିର୍ଭରଶୀଳ ବ୍ୟବସାୟୀଙ୍କ ପାଇଁ ଦୁଇ ପଇସା ରୋଜଗାର କରିବାର ବାଟ ଫିଟାଇ ଦେଇଛି । ମୁଖ୍ୟତଃ ଦକ୍ଷିଣ କଶ୍ମୀର ଓ ପାହାଡିଆ ଅଂଚଳରେ ପ୍ରଥମ ତୁଷାରପାତ ଯୋଗୁଁ ସବୁଆଡେ ଧଳା ରଙ୍ଗର ଚାଦର ଘୋଡାଇ ହୋଇଛି । ପାଣିପାଗରେ ପରିବର୍ତନ ହୋଇଥିବା ଯୋଗୁଁ ଲଦାଖ ଓ କଶ୍ମୀର ଅଂଚଳରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଶ୍ରୀନଗରରେ ପ୍ରବଳ ତୁଷାରପାତ ଫଳରେ ପୁରା ଶ୍ରୀନଗର ସହର ବରଫ ଚାଦରରେ ଘୋଡେଇ ହୋଇଯାଇଛି । ଗାଡି ମୋଟର ଉପରେ ବରଫର ବହଳିଆ ଆସ୍ତରଣ ଚଢି ଯାଇଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେ ଲୋକେ ବରଫ ହଟାଉଥିବା ଦେଖିବାକୁ ମିଳିଛି । ସେପଟେ ପ୍ରବଳ ବରଫପାତ ପରେ ଶ୍ରୀନଗର ଜାମ୍ମୁ ଜାତୀୟ ରାଜପଥରେ ଗମନାଗମନ ଠପ୍ ହୋଇଛି । ପାଗ ପରିବର୍ତନ ଫଳରେ ଦିଲ୍ଲୀରେ ମଧ୍ୟ ଶୀତର ପ୍ରକୋପ ବଢିବାରେ ଲାଗିଛି । ସକାଳୁ ସକାଳୁ ଘନ କୁହୁଡି ଦେଖିବାକୁ ମିଳିଥିବା ବେଳେ ବର୍ଷା ମଧ୍ୟ ହୋଇଛି ।

ଉତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ମଧ୍ୟ ଜାରି ରହିଛି ପ୍ରବଳ ତୁଷାରପାତ । ଉତରାଖଣ୍ଡର ପ୍ରସିଦ୍ଧ ବଦ୍ରିନାଥ ମନ୍ଦିର ବରଫ ଚାଦରରେ ଘୋଡାଇ ହୋଇଛି । ଏଠାରେ ଆଗାମୀ ୫ଦିନ ଯାଏଁ ପ୍ରବଳ ତୁଷାରପାତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାସ୍ତା ଘାଟ, ଘର ଦ୍ୱାର ଯେଉଁଆଡେ ଆଖି ପକାଇଲେ ଖାଲି ବରଫ ଓ ବରଫ ଦେଖିବାକୁ ମିଳୁଛି । ସେପଟେ ହିମାଚଳ ପ୍ରଦେଶରେ ମଧ୍ୟ ପାଗ ପରିବର୍ତନ ଯୋଗୁଁ ପ୍ରବଳ ବରଫପାତ ହୋଇଛି । ସିମଲାରେ ବରଫ ବର୍ଷା ଯୋଗୁଁ ସ୍ଥାନୀୟ ଲୋକଙ୍କ ସମସ୍ୟା ବଢିଥିବା ବେଳେ ପର୍ଯ୍ୟଟକ ମାନେ ବେଶ ଖୁସି ପ୍ରକାଶ କରିଛନ୍ତି ।

from Kanak News
via <a href="https://ifttt.com/?

ସେଞ୍ଚୁରି ମାରିଲେ ଡିଫେନ୍ସ ମ୍ୟାନ୍ । ଶହେତମ ଜନ୍ମଦିନ ପାଳନ କଲେ କର୍ଣ୍ଣେଲ ପ୍ରିଥୀପାଲ ସିଂ ଗିଲ । ନୌସେନା, ବାୟୁସେନା ଓ ସ୍ଥଳସେନାରେ କାମ କରି ଜୀବନ ଉତ୍ସର୍ଗ କରିଛନ୍ତି ଶତାୟୁ ସୈନିକ ।

କନକ ବ୍ୟୁରୋ : ଶହେ ବର୍ଷ ପୂରଣ କଲେ କର୍ଣ୍ଣେଲ ପ୍ରିଥୀପାଲ ସିଂ ଗିଲ । ପ୍ରିଥିପାଲ ହେଉଛନ୍ତି ଏମିତି ଜଣେ ଅଧିକାରୀ ଯିଏ ଭାରତୀୟ ନୌସେନା, ବାୟୁସେନା ଓ ସ୍ଥଳସେନାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି । ସେ ପ୍ରଥମେ ବ୍ରିଟିଶ ଶାସନ ଅଧିନରେ ରୟାଲ ଇଣ୍ଡିଆନ ଏୟାର ଫୋର୍ସରେ ଯୋଗ ଦେଇଥିଲେ । ପରିବାର ଲୋକଙ୍କ ବିନା ଅନୁମତିରେ ୧୯୪୨ରୁ ସେ ରୟାଲ ଇଣ୍ଡିଆନ ଏୟାର ଫୋର୍ସରେ ଜଣେ ପାଇଲଟ ଭାବେ ଯୋଗଦେଇଥିଲେ । କରାଚିରେ ନିଯୁକ୍ତି ବେଳେ ହାୱାର୍ଡ଼ ବିମାନ ଉଡ଼ାଉଥିଲେ କର୍ଣ୍ଣେଲ ପ୍ରିଥୀପାଲ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ୧୯୬୫ରେ ହୋଇଥିବା ଭାରତ ପାକିସ୍ତାନ ଯୁଦ୍ଧକୁ ଅତି ନିକଟରୁ ଦେଖିଛନ୍ତି ଏହି ଶତାୟୁ ସୈନିକ ।

ଦେଶ ସେବାରେ ଜୀବନ ଉତ୍ସର୍ଗ କରିଥିବା ଏହି ସୈନିକ ନିଜର ଶହେ ତମ ଜନ୍ମଦିନ ପାଳନ କରିଛନ୍ତି । ଚଣ୍ଡିଗଡ଼ ସ୍ଥିତ ନିଜ ବାସଭବନରେ ପରିବାର ସହ ମିଶି ଜନ୍ମଦିନ ପାଳନ କରିଛନ୍ତି । ଜନ୍ମଦିନ ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି । ଲେପ୍ଟନାଂଟ ଜେନେରାଲ କେଜେ ସିଂ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଗିଲଙ୍କ ବିଷୟରେ ସୂଚନା ଦେଇଛନ୍ତି । କର୍ଣ୍ଣେଲ ପ୍ରିଥୀପାଲ ସିଂ ଗିଲଙ୍କର ଯୁବାବସ୍ଥାର ଫଟୋ ଏବଂ ବର୍ତମାନର ଫଟୋ ଶେୟାର କରିଛନ୍ତି କେଜେ ସିଂ । ଏବେ ନଜର ପକାନ୍ତୁ କର୍ଣ୍ଣେଲ ପ୍ରିଥୀପାଲ ସିଂ ଗିଲଙ୍କ ଜୀବନି ଉପରେ –

-ରୟାଲ ଇଣ୍ଡିଆନ ଏୟାରଫୋର୍ସରେ କାମ କରିବା ପରେ କର୍ଣ୍ଣେଲ ପ୍ରିଥୀପାଲ ସିଂ ଗିଲଙ୍କୁ ଭାରତୀୟ ନୌସେନାକୁ ସ୍ଥାନାନ୍ତର କରାଯାଇଥିଲା

-ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମାଲ ପରିବହନ ଜାହାଜ ଗୁଡ଼ିକର ତଦାରଖ କରୁଥିଲେ ପ୍ରିଥୀପାଲ ସିଂ 

-ଏହାପରେ ଗିଲଙ୍କୁ ଭାରତୀୟ ସ୍ଥଳସେନାକୁ ସ୍ଥାନାନ୍ତର କରାଯାଇଥିଲା । ଏଠାରେ ଗ୍ୱାଲିଅର ମାଉଣ୍ଟେନ ବ୍ୟାଟେରୀରେ ନିଯୁକ୍ତ କରାଯାଇଥିଲା  

-ଏହା ବ୍ୟତିତ ସେ ମଣିପୁରରେ ଆସାମ ରାଇଫଲ୍ସରେ ମଧ୍ୟ କାର୍ଯ୍ୟ କରିଛନ୍ତି  

ତେବେ କର୍ଣ୍ଣେଲ ପ୍ରିଥୀପାଲ ସିଂ ଗିଲ ଯେ କେବଳ ପ୍ରତିରକ୍ଷା କ୍ଷେତ୍ରରେ କାମ କରିଛନ୍ତି ତାହା ନୁହେଁ, ତାଙ୍କ ପୂର୍ବରୁ ତାଙ୍କର ତିନି ପିଢି ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ କାମ କରି ଦେଶ ସେବା କରଛନ୍ତି ।

from Kanak News
via <a href="https://ifttt.com/?

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକରେ ଖୋଲିଲା କଂଗ୍ରେସର ଗୁମର । ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ରେ ଉଲ୍ଲେଖ, ୨୦୧୪ରେ ଦଳୀୟ ପରାଜୟ ପାଇଁ ସୋନିଆ ଓ ମନମୋହନଙ୍କୁ ଦାୟୀ

କନକ ବ୍ୟୁରୋ : ୨୦୧୪ରେ କଂଗ୍ରେସର ପରାଜୟ ପାଇଁ ସୋନିଆ ଗାନ୍ଧୀ ଓ ମନମୋହନ ସିଂ ଦାୟୀ । ଏପରି ଚାଂଚଲ୍ୟକର ତଥ୍ୟ ଲେଖିଯାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ସେ ତାଙ୍କର ଅନୁଭୂତିର ପୁସ୍ତକ ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ର ଅନ୍ତିମ ସଂସ୍କରଣରେ ଏହା ଲେଖିଛନ୍ତି ।

ଏକାଧିକ ରାଜ୍ୟରେ କଂଗ୍ରେସର ପରାଜୟ ପରେ ଦଳର ଶୀର୍ଷ ନେତ୍ୱତ୍ୱ ସମାଲୋଚନାର ସମ୍ମୁଖିନ ହେଉଛନ୍ତି ଠିକ୍ ସେହି ସମୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ ଦଳ ଭିତରର ଅନେକ ଗୁମର ଖୋଲିଛି । ଏହି ପୁସ୍ତକର ଶେଷ ସଂସ୍କରଣ ଆସନ୍ତା ଜାନୁୟାରୀରେ ପ୍ରକାଶ ପାଇବ । ଏହି ପୁସ୍ତକରେ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ଅତି ଶୋଚନୀୟ ପରାଜୟର ବିଶ୍ଲେଷଣ କରାଯାଇଛି ।

ପ୍ରଣବ ଲେଖିଛନ୍ତି, ୨୦୧୪ ସାଧାରଣ ନିର୍ବାଚନରେ ଦଳର ପରାଜୟ ପାଇଁ ସୋନିଆ ଗାନ୍ଧୀ ଓ ମନମୋହନ ସିଂ ଦାୟୀ । ଦଳର କେତେକ ସଦସ୍ୟ ସ୍ୱିକାର କରନ୍ତି ଯେ ମୁଁ ୨୦୦୪ରେ ପ୍ରଧାନମନ୍ତ୍ରୀ ବନିଥିଲେ ୨୦୧୪ର ପରାଜୟକୁ ଏଡାଇ ଦିଆଯାଇ ପାରିଥାନ୍ତା । ତେବେ ମୁଁ ଏହି ବିଚାରକୁ ସ୍ୱିକାର କରୁନାହିଁ । କିନ୍ତୁ ମୁଁ ବିଶ୍ୱାସ କରେ ଯେ, ରାଷ୍ଟ୍ରପତି ଭାବେ ମୋର ଉତଥାନ ହେବା ପରେ ଦଳୀୟ ନେତୃତ୍ୱ ରାଜନୈତିକ ଦୃଷ୍ଟି ଆକର୍ଷଣ ହରାଇଦେଲେ । ସୋନିଆ ଗାନ୍ଧୀ ଦଳର ବିଭିନ୍ନ ସମସ୍ୟାକୁ ସମ୍ଭାଳିବାରେ ଅସମର୍ଥ ଥିଲେ ଏବଂ ଡ.ମନମୋହନ ସିଂଙ୍କ ଦୀର୍ଘ ସମୟର ଅନୁପସ୍ଥିତି ଅନ୍ୟ ସାଂସଦମାନଙ୍କ ସହିତ ତାଙ୍କର କୌଣସି ବ୍ୟକ୍ତିଗତ ସମ୍ପର୍କକୁ ଶେଷ କରିଦେଲା ।

ପ୍ରଣବ ମୁଖାର୍ଜୀ ୨୦୧୨ରେ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ କଂଗ୍ରେସ ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲେ । ସେ ନିଜ ପୁସ୍ତକରେ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ତୁଳନା କରିଛନ୍ତି, ଯେଉଁମାନଙ୍କ ସହିତ ସେ କାମ କରିଛନ୍ତି । ଜଣେ ହେଉଛନ୍ତି ମନମୋହନ ସିଂ ଏବଂ ଅନ୍ୟଜଣେ ହେଉଛନ୍ତି ନରେନ୍ଦ୍ର ମୋଦୀ ।

‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ରେ ପ୍ରଣବ ଆହୁରୀ ମଧ୍ୟ ଲେଖିଛନ୍ତି ଯେ, ମୁଁ ବିଶ୍ୱାସ କରେ ଶାସନ କରିବାର ନୈତିକ ଅଧିକାର ପ୍ରଧାନମନ୍ତ୍ରୀଙ୍କ ସହ ନିହିତ ଥାଏ । ରାଷ୍ଟ୍ରର ସମଗ୍ର ସ୍ଥିତି ପ୍ରଧାନମନ୍ତ୍ରୀଙ୍କ ଏବଂ ତାଙ୍କ ପ୍ରଶାସନର କାର୍ଯ୍ୟକଳାପକୁ ପ୍ରତିଫଳିତ କରେ । କିନ୍ତୁ ମନମୋହନଙ୍କୁ ଦଳୀୟ ମେଂଟର ସୁରକ୍ଷା କରିବାକୁ ପରାମର୍ଶ ଦିଆଯାଇଥିଲା, ଯାହା ତାଙ୍କ ଶାସନ ପଦ୍ଧତି ଉପରେ ଭାରି ପଡିଥିଲା ।

ମାତ୍ର ମୋଦୀ ତାଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ସରକାର, ବ୍ୟବସ୍ଥାପିକା ଏବଂ ନ୍ୟାୟପାଳିକା ମଧ୍ୟରେ ତିକ୍ତ ସମ୍ପର୍କକୁ ଦେଖି ଏକ ନିରଙ୍କୁଶ ଶାସନ ଶୈଳୀ ଆପଣାଇଥିଲେ । ଏହି ସରକାରର ଦ୍ୱିତୀୟ କାର୍ଯ୍ୟକାଳରେ ଏପରି ପ୍ରସଙ୍ଗରେ ଭଲ ବୁଝାମଣା ରହିବ କି ନାହିଁ ତାହା କେବଳ ସମୟ କହିବ ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଲିଖିତ ପୁସ୍ତକ ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ ଆସନ୍ତା ଜାନୁୟାରୀରେ ପ୍ରକାଶ ପାଇବ । ଏହା ପୂର୍ବରୁ ପୁସ୍ତକର କିଛି ଅଂଶ ରିପୋର୍ଟ ଆକାରରେ ପ୍ରକାଶ ପାଇବା ପରେ ଏହାକୁ ନେଇ କଂଗ୍ରେସ ଭିତରେ ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି । ପ୍ରଣବ ଏବେ ଆଉ ନାହାନ୍ତି କିନ୍ତୁ ସେ ତାଙ୍କ ପୁସ୍ତକରେ କଂଗ୍ରେସର ଅନେକ ଗୁମର ସାମ୍ନାକୁ ଆଣିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started