
କନକ ବ୍ୟୁରୋ: ଯେଉଁ ମୂହୁର୍ତକୁ ସାରା ଦେଶ ଅପେକ୍ଷା କରିଥିଲା, ସଫଳତା ପାଇଁ ପ୍ରାର୍ଥନା କରୁଥିଲା, ସେଇ ମୂହୁର୍ତରେ ସଫଳତା ସହ ଇତିହାସ ରଚିଛି ଭାରତ । ସଫଳ ହୋଇଛି ଭାରତର ଚନ୍ଦ୍ର ଅଭିଯାନ । ଚନ୍ଦ୍ରରେ ଉଡିଛି ତ୍ରିରଙ୍ଗା । ଜହ୍ନ ମାମୁଁ ଘରେ ପହଂଚି ଯାଇଛି ଭାରତ । ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-ଥ୍ରି । ଏବଂ ଚନ୍ଦ୍ରକୁ ପହଁଚିବାରେ ପୃୃଥିବୀର ଚତୁର୍ଥ ଦେଶର ମାନ୍ୟତା ହାସଲ କରିଛି ।
୧୪୦ କୋଟି ଭାରତବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରି ମହାକାଶରେ ନୂଆ ଇତିହାସ ଲେଖିଛି ଭାରତ । ଅପହଁଚ ହୋଇ ରହି ଆସିଥିବା ଚନ୍ଦ୍ରର ସାଉଥ୍ ପୋଲ୍ ବା ଦକ୍ଷିଣ ମେରୁକୁ ଛୁଇଁଛି ଚନ୍ଦ୍ରଯାନ-୩ । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିବାର ଦୃଶ୍ୟ ଦେଖି ଖୁସିରେ ନାଚି ଉଠିଛନ୍ତି କୋଟି କୋଟି ଭାରତୀୟ । ସଫଳତାର ଏହି ଦୃଶ୍ୟ ଦେଖି ଖୁସିରେ ଆତ୍ମହରା ହୋଇ ଉଠିଛନ୍ତି କଂଟ୍ରୋଲ ରୁମରେ ଥିବା ଇସ୍ରୋର ବୈଜ୍ଞାନିକ । କରତାଳିରେ ଫାଟି ପଡ଼ିଥିଲା ପରିବେଶ । ଭାବବିହ୍ୱଳ ହୋଇ ଉଠିଥିଲେ ଇସ୍ରୋର ଅଧ୍ୟକ୍ଷ ଏସ୍ ସୋମନାଥ । ସୁଦୂର ଜୋହାନ୍ସବର୍ଗରୁ ଲାଇଭ୍ ଟେଲିକାଷ୍ଟ ଦେଖୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରତାଳି ଦେଇ ବୈଜ୍ଞାନିକଙ୍କୁ ଉତ୍ସାହିତ କରିଥିଲେ । କହିଥିଲେ, ଏହା ଅଦ୍ଭୁତପୂର୍ବ ଓ ଅବିସ୍ମରଣୀୟ କ୍ଷଣ । ବିକଶିତ ଭାରତର ଶଙ୍ଖନାଦ । ଯାହା ରୁଷିଆ, ଆମେରିକା ଓ ଚୀନ କରିପାରିନଥିଲେ, ତାହା କରିପାରିଛି ଭାରତ । ଚନ୍ଦ୍ରର ଦକ୍ଷିଣ ମେରୁକୁ ଛୁଇଁ ଇତିହାସ ରଚିଛି ଭାରତ ।
ଚନ୍ଦ୍ରର ଦକ୍ଷିଣ ମେରୁରେ ପହଁଚିବା, ସାରା ଦୁନିଆର ମହାକାଶ ବିଜ୍ଞାନୀଙ୍କ ପାଇଁ ନୂଆ ଉପଳବ୍ଧି ଆଣିଛି । କାରଣ ଦକ୍ଷିଣ ମେରୁର ଏତେ ନିକଟବର୍ତୀ ଅଂଚଳରେ ପୂର୍ବରୁ କେହି ପହଁଚି ପାରିନଥିଲେ । ଭାରତର ଏହି ବିରଳ ସଫଳତା ସମଗ୍ର ମାନବଜାତିକୁ ଆଉ ଏକ ପାଦ ଆଗକୁ ନେଇଛି ।
ଦକ୍ଷିଣ ମେରୁରେ ପହଁଚିଲା ଭାରତ
ସାରା ବିଶ୍ୱରେ ବନିଲା ପ୍ରଥମ ଦେଶ
ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରାଇବାରେ ଭାରତ ଚତୁର୍ଥ
ଅଗଷ୍ଟ ୨୩, ୨୦୨୩
ସମୟ ୬ଟା ୪ ମିନିଟ୍
ଏହି ମୁହୂର୍ତ ଯେତିକି ପାଖେଇ ଆସୁଥିଲା, ହୃଦ୍ସ୍ପନ୍ଦନ ସେତିକି ତୀବ୍ର ହେଉଥିଲା । ଭାରତର ସାଧାରଣ ଜନତାଙ୍କ ଠାରୁ ବୈଜ୍ଞାନିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉକ୍ରଣ୍ଠା ବଢ଼ି ଚାଲିଥିଲା । ଆସିଥିଲା ସେହି ପ୍ରତିକ୍ଷିତ ମୂୁହୂର୍ତ, ଯାହାକୁ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଥିଲେ ଭାରତବାସୀ । ଇତିହାସର ଏହି ସ୍ୱର୍ଣ୍ଣିମ ସମୟର ସାକ୍ଷୀ ରହିବାକୁ ସୁଦୂର ଜେହାନ୍ସବର୍ଗରୁ ଇସ୍ରୋ କଂଟ୍ରୋଲ୍ ରୁମ୍ ସହ ଯୋଡ଼ି ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚନ୍ଦ୍ରଯାନ-୩ର ଜୟଯାତ୍ରା ନେଇ ଯେଉଁ ନୀଳ ନକ୍ସା ଆଙ୍କିଥିଲା ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ, ସେହି ଅନୁସାରେ ସଫ୍ଟ ଲ୍ୟାଣ୍ଡିଂ ବା ସୁରକ୍ଷିତ ଅବତରଣ କରିଥିଲା ବିକ୍ରମ ଲ୍ୟାଣ୍ଡର । ସଫଳତାର ଏହା ଏପରି ମୁହୂର୍ତ ଥିଲା, ଯାହାକୁ କେବଳ ଭାରତ ନୁହେଁ ସାରା ବିଶ୍ୱ ମନେ ରଖିବ । ବର୍ଷ ବର୍ଷ ଧରି ଏହା ଦୁନିଆର ବୈଜ୍ଞାନିକମାନଙ୍କୁ ପ୍ରେରଣା ଯୋଗାଇବ । ଚନ୍ଦ୍ରକୁ ନେଇ ଆଗକୁ ଯେତେ ଗବେଷଣା ହେବ ତା’ର ଆଧାର ଶିଳା ପାଲଟିବ ଇସ୍ରୋର ଏହି ବିରଳ ସଫଳତା ।
The post ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ଇତିହାସ ରଚିଲା ଭାରତ: ଐତିହାସିକ କ୍ଷଣର ସାକ୍ଷୀ ପାଲଟିଲେ ୧୪୦ କୋଟି ଭାରତୀୟ first appeared on Kanak News.
from Kanak News
via <a href="https://ifttt.com/?