ଜାନୁଆରୀ ୨୨ ତାରିଖରେ ଅଧା ଦିନ ଛୁଟି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଘୋଷଣା କଲେ କେନ୍ଦ୍ର ସରକାର

କନକ ବ୍ୟୁରୋ : ଚଳଚଂଚଳ ଅଯୋଧ୍ୟା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ଏକ ପ୍ରକାର ରାମମୟ ହୋଇପଡିଛି । ଜୟ ଶ୍ରୀରାମ ନାରା ଦେଇ ଶ୍ରଦ୍ଧାଳୁ ଏବେ ପ୍ରଭୁ ରାମଙ୍କୁ ସ୍ମରଣ କରିବା ଆରମ୍ଭ କରିଛନ୍ତି । ଆଉ ଗୁରୁବାର ଗର୍ଭ ଗୃହରେ ସ୍ଥାପିତ ହୋଇଛନ୍ତି ପ୍ରଭୁ ରାମଲଲା । ମନ୍ତ୍ର ଉଚ୍ଚାରଣ ସହିତ ପାଖାପାଖି ୪ ଘଂଟା ପରେ ଗର୍ଭ ଗୃହରେ ବିରାଜମାନ ହୋଇଛନ୍ତି ରାମଲାଲା । ଏହାରି ଭିତରେ କେନ୍ଦ୍ର ସରକାର ଏକ ଚିଠି ଜାରି କରିଛନ୍ତି । ଯେଉଁଥିରେ ୨୨ ତାରିଖ ଦିନ ଅପରାହ୍ନ ୨ଟା ୩୦ ଯାଏଁ ଛୁଟି ରହିବ ବୋଲି ଘୋଷଣା ହୋଇଛି । ଅର୍ଥାତ ଅଧା ଦିନ କେନ୍ଦ୍ର ସରକାରଙ୍କ ସମସ୍ତ ସଂସ୍ଥା ଅଧା ଦିନ ଛୁଟି ରହିବ । ଏହାରି ଭିତରେ ଅନେକ ରାଜ୍ୟରେ ମଧ୍ୟ ଛୁଟି ଘୋଷଣା ପାଇଁ ଦାବି ହୋଇଆସୁଛି । ଓଡିଶା ସରକାରଙ୍କୁ ସେହି ଦିନ ଛୁଟି ଘୋଷଣା କରିବାକୁ ଦାବି କରି ଆସୁଛି ରାଜ୍ୟ ବିଜେପି । ଏହାରି ଭିତରେ ଛତିଶଗଡ, ମଧ୍ୟପ୍ରଦେଶ, ଗୋଆ, ହରିଆଣା, ଉତ୍ତର ପ୍ରଦେଶ ସରକାର ୨୨ରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ।

ଅଯୋଧ୍ୟାରେ ତିଆରି ଚାଲିଥିବା ଏହି ଭବ୍ୟ ମନ୍ଦିର ତିଆରିରେ ଯୋଡି ହୋଇଛନ୍ତି ଓଡିଆ । ମନ୍ଦିର ଆଖପାଖରେ ବିଭିନ୍ନ କାରୁ କାର୍ଯ୍ୟ ତିଆରି ହୋଇଛି । ଯାହାକୁ ଜୀବନ୍ତ କରି ପଥରରେ ତୋଳାଯାଇଛି । ଯେଉଁଥିରେ ସାମିଲ ହୋଇଛନ୍ତି ବାଲେଶ୍ୱରର ୪୦ରୁ ଅଧିକ କାରିଗର । ଆଠ ମାସ ହେବ ନିର୍ମାଣ କାମରେ ନିୟୋଜିତ ଥିଲେ । ଏବେ କିନ୍ତୁ ଛୁଟିରେ ଘରକୁ ଆସିଛନ୍ତି । ଆଉ ମନ୍ଦିର ତିଆରି କଥା ବଖାଣି ହୋଇଯାଇଛନ୍ତି ଭାବବିହ୍ୱଳ । ସେହିପରି ଅଯୋଧ୍ୟାରେ ବାଲୁକା କଳାରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତି ତିଆରି କରି ଚର୍ଚ୍ଚାରେ ଦୁଇ ଓଡ଼ିଆ ବାଲୁକା ଶିଳ୍ପୀ । ଗଂଜାମ ଜିଲ୍ଲାର କୁକୁଡ଼ା ଖଣ୍ଡି ବ୍ଲକ ବୋରି ଗାଁର ନାରାୟଣ ସାହୁ ଓ କଟକ ଆଠଗଡ଼ର ଓମ୍ ପ୍ରକାଶ ବାରିକ ୨୫ ଫୁଟ ଲମ୍ବ ଓ ସାଢ଼େ ୭ ଫୁଟ ଉଚ୍ଚତାର ଶ୍ରୀରାମଙ୍କ ମୂର୍ତି ତିଆରି କରିଛନ୍ତି ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମ୍ବଲପୁରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ୧ ଲକ୍ଷ ୨୭ ହଜାର ଲଡୁ ବାଂଟିବାକୁ ପ୍ରସ୍ତୁତି ଚାଲିଛି । ଏଥିପାଇଁ କାମରେ ଲାଗିପଡିଛନ୍ତି କାରିଗର । ଧାର୍ଯ୍ୟ ସମୟ ପୂର୍ବରୁ କିଭଳି କାମ ସରିବ ତାହା ଏବେ ଚ୍ୟାଲେଂଜ ।

The post ଜାନୁଆରୀ ୨୨ ତାରିଖରେ ଅଧା ଦିନ ଛୁଟି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଘୋଷଣା କଲେ କେନ୍ଦ୍ର ସରକାର first appeared on Kanak News.

from Kanak News
via <a href="https://ifttt.com/?

କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତିରେ ଅନିୟମିତତା ଅଭିଯୋଗ । ଓସେଫା ଅଫିସ ଆଗରେ ଶହ ଶହ ପରୀକ୍ଷାର୍ଥୀ

କନକ ବ୍ୟୁରୋ : କେଉଁ ଆଧାରରେ କନିଷ୍ଠ ଶିକ୍ଷକଙ୍କ ପାଇଁ ହୋଇଥିବା ପରୀକ୍ଷା ଫଳ ପ୍ରକାଶ ପାଇଛି, ତାହା ଜାଣିବା ପାଇଁ ଓସେଫା ଅଫିସ ସାମ୍ନାରେ ଭିଡ଼ ଜମିଛି । କାହାର କେତେ ମାର୍କ ରହିଛି ଜାଣିବା ପାଇଁ ଆରଟିଆଇରେ ଆବେଦନ କରିବାକୁ ଚାହୁଁଛନ୍ତି ପରୀକ୍ଷାର୍ଥୀ । ୨୦ ହଜାର ପଦବୀ ପାଇଁ ଆବେଦନ କରିଥିଲେ ୯୩ ହଜାର ପରୀକ୍ଷାର୍ଥୀ । ପରୀକ୍ଷା ପରେ ମାତ୍ର ୧୮ ହଜାର ଯୋଗ୍ୟ ବିବେଚିତ ।

ଆସନ୍ତା ୨୦ ଓ ୨୧ ତାରିଖରେ ଡକ୍ୟୁମେଂଟ ଭେରିଫିକେସନ୍ ଥିବା ବେଳେ କେଉଁ ଆଧାରରେ ନିଯୁକ୍ତି ଦିଆଯାଇଛି, ନଜଣାଇଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି ଚାକିରି ଆଶାୟୀ ।

ଏପରିକି ବିନା ଯାଂଚରେ ପରୀକ୍ଷା ପାଇଁ ଆଡମିଟକାର୍ଡ ଦିଆଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ଓସେପା ଅଫିସ ଆଗରେ ପିଲାଙ୍କ ଭିଡ଼ ପରେ ୫ ଜଣିଆ ପ୍ରତିନିଧି ଦଳ ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି । ସେଥିରେ କୌଣସି ସୁଫଳ ନପାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଓସେପା ଅଫିସରୁ ଲମ୍ବାଲାଇନରେ ଯାଇଥିଲେ ପରୀକ୍ଷାର୍ଥୀ । ଡିସିପି ପ୍ରତୀକ ସିଂ ସେମାନଙ୍କ ସହ ଆଲୋଚନା କରିବା ପରେ ସ୍କୁଲ ଓ ଗଣଣିକ୍ଷା ସଚିବଙ୍କ ଏକ ଟିମ୍ ଏ ସଂପର୍କରେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଲୋୟର ପିଏମଜିରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଚାକିରି ଆଶାୟୀ ।

The post କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତିରେ ଅନିୟମିତତା ଅଭିଯୋଗ । ଓସେଫା ଅଫିସ ଆଗରେ ଶହ ଶହ ପରୀକ୍ଷାର୍ଥୀ first appeared on Kanak News.

from Kanak News
via <a href="https://ifttt.com/?

ପୁଷ୍ଟି ଅପେକ୍ଷା ପ୍ରଚାର ପାଇଁ ଅଧିକ ଚିନ୍ତା । ମଧ୍ୟାହ୍ନଭୋଜନର ପାଣିଆ ଡାଲିରେ ପୋଷଣ ଖୋଜୁଛନ୍ତି ପିଲା, ହେଲେ ୱାଲ ପେଟିଂ ପାଇଁ ୫ହଜାର ଟଙ୍କା ମଞ୍ଜୁର

କନକ ବ୍ୟୁରୋ : ମଧ୍ୟାହ୍ନ ଭୋଜନ ଥାଳିରେ ନିମ୍ନମାନର ସୋୟାବିନ୍, ପାଣିଆ ଡାଲିକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ପିଏମ୍ ପୋଷଣ ସଂପର୍କିତ ତଥ୍ୟ ସ୍କୁଲ କାନ୍ଥରେ ଲେଖିବାକୁ ଚିଠି ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ପିଏମ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏହି ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି, ମଧ୍ୟାହ୍ନ ଭୋଜନ ସଂପର୍କିତ ତଥ୍ୟ ଲିଭି ଯାଇଥିବାରୁ ଏହାକୁ ପୁଣିଥରେ ଲେଖାଯିବ । ପ୍ରତ୍ୟେକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲକୁ ଏଥିପାଇଁ ୫,୦୦୦ ଟଙ୍କା ମଂଜୁର କରାଯାଇଛି ।

ସ୍କୁଲ କାନ୍ଥରେ ରହିବ ମଧ୍ୟାହ୍ନ ଭୋଜନର ଲୋଗୋ, ସାପ୍ତାହିକ ଖାଇବା ମେନୁ, ଛାତ୍ରଛାତ୍ରୀଙ୍କ ଅଧିକାର, ପାଂଚଟି ନିୟମ, ହେଲ୍ପଲାଇନ ଆଦିର ପେଂଟିଙ୍ଗ ।

ସବୁଠାରୁ ବିଡ଼ମ୍ବନାର କଥା ହେଉଛି, ମଧ୍ୟାହ୍ନ ଭୋଜନ ପାଇଁ ପ୍ରାଥମିକ ସ୍କୁଲ ପିଲା ପିଛା ମାତ୍ର ୫ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ୮ ଟଙ୍କା ୮୨ ପଇସା ଖର୍ଚ୍ଚ କରାଯାଉଛି । ଯେଉଁଠି ଅଣ୍ଡା ଗୋଟିକୁ ୭ରୁ ୮ ଟଙ୍କା, ଡାଲି କିଲୋ ଦେଢ଼ ଶ’ରୁ ୨ ଶହ ଟଙ୍କା, ସେଠି ଏତେ ଅଳ୍ପ ଟଙ୍କାରେ କେଉଁ ପ୍ରକାର ପୋଷଣ ଦେବା ସମ୍ଭବ, ତାହା ଜଳଜଳ ହୋଇ ଦିଶୁଛି । ଏ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ବି ଏଥିପାଇଁ କେହି ଦୃଷ୍ଟି ଦେଉନାହାନ୍ତି । କାନ୍ଥରେ ଖାଇବା ମେନୁ ଲେଖିଦେଲେ ଯେ ପିଲା ଭଲ ଖାଦ୍ୟ ଖାଇବେ, ଏଭଳି ଚିନ୍ତା ଦୁଭାର୍ଗ୍ୟଜନକ ବୋଲି କହିଛନ୍ତି ଶିକ୍ଷାବିତ ।

ତେବେ ସର୍ବସାଧାରଣରେ ଦେଖିପାରିବା ଭଳି ସ୍କୁଲ କାନ୍ଥରେ ପିଏମ୍ ପୋଷଣ ସଂପର୍କିତ ତଥ୍ୟ ଲେଖିବାକୁ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦେବାପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ଖାଦ୍ୟ ସଂପର୍କିତ ସୂଚନା, ସାପ୍ତାହିକ ମେନୁ, ସ୍ୱଚ୍ଛତା ଓ ପରିମଳ ସଂପର୍କିିତ ସୂଚନା ସହ ଜରୁରୀକାଳୀନ ସେବା ଆଦିର ନମ୍ବର ଏଥିରେ ରହିବ ।

The post ପୁଷ୍ଟି ଅପେକ୍ଷା ପ୍ରଚାର ପାଇଁ ଅଧିକ ଚିନ୍ତା । ମଧ୍ୟାହ୍ନଭୋଜନର ପାଣିଆ ଡାଲିରେ ପୋଷଣ ଖୋଜୁଛନ୍ତି ପିଲା, ହେଲେ ୱାଲ ପେଟିଂ ପାଇଁ ୫ହଜାର ଟଙ୍କା ମଞ୍ଜୁର first appeared on Kanak News.

from Kanak News
via <a href="https://ifttt.com/?

ପୁରୀକୁ ଗଡିଲା ଜଗନ୍ନାଥ ଏକ୍ସପ୍ରେସ । ପରିକ୍ରମା ପ୍ରକଳ୍ପ ଦେଖିବାର ସୁଯୋଗ ପାଇବେ ଦୂରଦୂରାନ୍ତର ଶ୍ରଦ୍ଧାଳୁ, ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲା ସାମିଲ

କନକ ବ୍ୟୁରୋ : ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ, ଏହି ଐତିହାସିକ ରୂପାନ୍ତରଣକୁ ଦେଖିବା ପାଇଁ ରାଜ୍ୟ ସରକାର ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ନୂଆ ଅଭିଯାନରେ ବିଭିନ୍ନ ଜିଲ୍ଲା ସଦର ମହକୁମାରୁ ପୁରୀକୁ ଗଡିଛି ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଲକ୍ଷ୍ମୀ ଯୋଜନାରେ ଏହି ବସ୍ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଯାତ୍ରା କରିବ ।

ପ୍ରାଥମିକ ପର୍ଯ୍ୟାୟରେ ୧୨ଟି ଜିଲ୍ଳା ସଦର ମହକୁମାରୁ ପୁରୀକୁ ଏହି ସେବା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀର, ବରଗଡ, ଗଂଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ପୁରୀକୁ ଜଗନ୍ନାଥ ଏକ୍ସପ୍ରେସ ଗଡିଛି । ପରବର୍ତି ପର୍ଯ୍ୟାୟରେ ପ୍ରତି ପଂଚାୟତରୁ ପୁରୀକୁ ଏହି ବସ୍ ଚାଲିିବ । ଆସନ୍ତା ୨୧ ତାରିଖରୁ ପ୍ରତି ପଂଚାୟତରୁ ବାହାରିବ ବସ୍ । ଆଉ ସେହି ବସରେ ପ୍ରତ୍ୟେକ ଦିନ ପ୍ରାୟ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ପୁରୀକୁ ନେଇ ପରିକ୍ରମା ପ୍ରକଳ୍ପ ଦର୍ଶନ କରାଇବାର ବ୍ୟବସ୍ଥା କରିଛନ୍ତି ସରକାର ।

ତେବେ ରାଜ୍ୟ ସରକାରଙ୍କ ଏହି ଅଭିଯାନକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ବିରୋଧୀ ଏହାକୁ ସମାଲୋଚନା କରିଥିବାବେଳେ ଜବାବ ରଖିଛି ଶାସକ ଦଳ ।

ମାଗଣାରେ ଓଡିଶାବାସୀଙ୍କୁ ଶ୍ରୀକ୍ଷେତ୍ର ବୁଲାଇବା ପାଇଁ ରାଜ୍ୟ ସରକାର ଏହି ଅଭିଯାନ ଆରମ୍ଭ କରୁଛନ୍ତି ।

The post ପୁରୀକୁ ଗଡିଲା ଜଗନ୍ନାଥ ଏକ୍ସପ୍ରେସ । ପରିକ୍ରମା ପ୍ରକଳ୍ପ ଦେଖିବାର ସୁଯୋଗ ପାଇବେ ଦୂରଦୂରାନ୍ତର ଶ୍ରଦ୍ଧାଳୁ, ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲା ସାମିଲ first appeared on Kanak News.

from Kanak News
via <a href="https://ifttt.com/?

କଡା କଟକଣା ଲଗାଇଲେ କେନ୍ଦ୍ରସରକାର । ୧୬ବର୍ଷରୁ କମ ବୟସର ପିଲା ଯାଇପାରିବେନି କୋଚିଂ ସେଂଟର

କନକ ବ୍ୟୁରୋ : ୧୬ ବର୍ଷରୁ କମ୍ ବୟସର ପିଲା ଯାଇପାରିବେନି କୋଚିଂ ସେଂଟର । ଏ ସଂପର୍କରେ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ସାରାଦେଶରେ ଛତୁ ଫୁଟିଲା ଭଳି କୋଚିଂ ସେଂଟର ଖୋଲାଯାଉଛି । ଯାହା ଉପରେ ସରକାରଙ୍କ ନିୟନ୍ତ୍ରଣ ରହୁନାହିଁ ।

– କୋଚିଂ ସେଂଟର ଯାଇପାରିବେନି ୧୬ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ
– ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଯାଇପାରିବେ କୋଚିଂ ସେଂଟର
– ଭଲ ର୍ୟାଙ୍କ ମିଳିବାର ଗ୍ୟାରେଂଟି ଦେଇପାରିବେନି କୋଚିଂ ସେଂଟର
– ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଦେଇ ପାରିବେନି ବିଭ୍ରାନ୍ତିକର ପ୍ରତିଶ୍ରୁତି
– ଅଣଗ୍ରାଜୁଏଟ୍ ଶିକ୍ଷକଙ୍କୁ କୋଚିଂ ସେଂଟର ଦେଇପାରିବେନି ନିଯୁକ୍ତି
– ବିନା ସ୍ୱୀକୃତିରେ କୋଚିଂ ସେଂଟର ଖୋଲି ପ୍ରଚୁର ଟଙ୍କା ଆଦାୟ କରାଯାଉଛି
– ଅକୃତକାର୍ଯ୍ୟ ଛାତ୍ରଛାତ୍ରୀ ଆତ୍ମହତ୍ୟା ଭଲି ଚରମ ପଦେକ୍ଷପ ନେଉଛନ୍ତି
– ତେଣୁ ନିୟମ ନମାନିଲେ ଜୋରିମାନା ବ୍ୟବସ୍ଥା କରାଯାଇଛି
– ୧ ଲକ୍ଷ ଟଙ୍କା ଯାଏଁ ଜରିମାନା କିମ୍ବା ପଞ୍ଜିକରଣ ବାତିଲ ହୋଇପାରେ
– ନିର୍ଦ୍ଦେଶନାମାର ୩ ମାସ ମଧ୍ୟରେ ପଞ୍ଜିକୃତ ହେବେ ସମସ୍ତ କୋଚିଂ ସେଂଟର
– କେନ୍ଦ୍ରର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର

The post କଡା କଟକଣା ଲଗାଇଲେ କେନ୍ଦ୍ରସରକାର । ୧୬ବର୍ଷରୁ କମ ବୟସର ପିଲା ଯାଇପାରିବେନି କୋଚିଂ ସେଂଟର first appeared on Kanak News.

from Kanak News
via <a href="https://ifttt.com/?

ସବୁଜ ବନାନୀ ଭିତରେ ମନ ମୋହୁଛି ପାହାଡି ଝରଣା । ପ୍ରଭୁ ହନୁମାନଙ୍କ ବାଟିକାର ମନଲୋଭା ଦୃଶ୍ୟ, ଶାନ୍ତିଝରରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ

କନକ ବ୍ୟୁରୋ : ପିକନିକ୍ ରୁତୁରେ ପର୍ଯ୍ୟଟକଙ୍କ ଭିଡ । ଗଂଜାମ ଜିଲ୍ଲାର ଧରାକୋଟ ଥାନା ନିକଟରୁ ୨ କିଲୋ ମିଟର ଦୁରରେ ରହିଛି ଶାନ୍ତିଝର । ଉଭୟ ପାଶ୍ୱରେ ସବୁଜ ଗଛଲତାରେ ଭରପୁର ରାସ୍ତା ଦେଇ କିଛି ଦୁୁର ଗଲେ ପ୍ରକୃତିର ଅନନ୍ୟ ଶୋଭାରାଜି ଭରା ଏହି ସ୍ଥାନଟି ପଡେ । ବଣ ପାହାଡ ଘେରା ମନୋରମ ପରିବେଶ ଭିତର ପାହାଡି ଝରଣା ପାଲଟିଛି ମୁଖ୍ୟ ଆକର୍ଷଣ । ଶାନ୍ତି ଝରର ପାହାଡ ଉପରେ ଥିବା ହିଲ୍ ପଇନଟ୍ ଓ ହନୁମାନ ବାଟିକାର ଦୃଶ୍ୟ ଅତିବ ମନୋରମ । ଏହି ଜାଗାକୁ ଆସୁଥିବା େଲୋକେ ଭୋଜିଭାତ କରିବା ସବୁଜିମା ଜଙ୍ଗଲ ଭିତରେ କିଛି ସମୟ ବିତାଇବାକୁ ଭୁଲନ୍ତି ନାହିଁ । ବିଭିନ୍ନ ଜାଗାରୁ ସେଲଫି ନେବା ସହିତ ପାହାଡ ଉପରୁ ବହି ଆସିଥିବା ଝରଣା ପାଣିରେ ଗାଧୋଇ ମଜା ନେଇଥାନ୍ତି ।

ଶିତ ଦିନ ଆସିଲେ ଶାନ୍ତିଝର ବୁଲି ଆସୁଛନ୍ତି ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକ । ବନରାଜି ବୁଲିବା ସହ ଛୋଟ ଛୋଟ ପିଲା ମାନେ ମଧ୍ୟ ଏଠାରେ ଥିବା ଶିଶୁ ଉଦ୍ୟାନରେ ବୁଲି ମଜା ଉଠାନ୍ତି । ଖାସ୍ କରି ଯୁବ ପୀଢିଙ୍କ ପାଇଁ ଏହା ମନପସନ୍ଦର ଜାଗା । ଏଠାରେ ଥିବା ହିଲ୍ ପଏଂଟରେ ସେଲ୍ଫି ନେବାକୁ କେହି ଭୁଲନ୍ତି ନାହିଁ । ହେଲେ ଏଠାକୁ ଆସିବାକୁ ଭଲ ରାସ୍ତା ନଥିବା ବେଳେ ଅନେକ ସମସ୍ୟା ରହିଛି ଯାହା ଏଯାଏ ସମାଧାନ ହୋଇନି । ପଯ୍ୟଟନ ବିଭାଗ ଏହି ଶାନ୍ତି ଝର ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଏହା ଏକ ସୁନ୍ଦର ପଯ୍ୟଟନ କ୍ଷେତ୍ର ହୋଇପାରନ୍ତା ।

ବଣ ପାହାଡ ଘେରା ଏହି ମନୋରମ ପରିବେଶ ଭିିତରେ କିଛି ସମୟ ବିତାଇବା ସହ ସବୁଜିମାର ଚିତ୍ର ନିଜ କ୍ୟାମେରା ଲେନ୍ସରେ ନେବାକୁ ଭୁଲନ୍ତି ନାହିଁ ପର୍ଯ୍ୟଟକ ମାନେ ।

The post ସବୁଜ ବନାନୀ ଭିତରେ ମନ ମୋହୁଛି ପାହାଡି ଝରଣା । ପ୍ରଭୁ ହନୁମାନଙ୍କ ବାଟିକାର ମନଲୋଭା ଦୃଶ୍ୟ, ଶାନ୍ତିଝରରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ first appeared on Kanak News.

from Kanak News
via <a href="https://ifttt.com/?

କେନାଲରୁ ମିଳୁନି ପାଣି । ଶୁଖିଗଲାଣି ଚାଷ ଜମି, ଏକର ଏକର ଫସଲ ଝାଉଁଳି ନଷ୍ଟ । ଚିନ୍ତାରେ ପୁରୀ ସଦର ବ୍ଲକର ଚାଷୀ

କନକ ବ୍ୟୁରୋ : କେନାଲରୁ ମିଳୁନି ପାଣି । ଜମି ଫାଟି ଆଁ କରିଥିବା ବେଳେ ଚିନ୍ତାରେ ପଡିଛି ଚାଷୀ କୁଳ । ପୁରୀ ସଦର ବ୍ଲକ ଅନ୍ତିକେରାରୁ ନେଇ ବେଣାକେରା ନରେନ୍ଦ୍ରପୁର ଭଳି ଗାଁର ଚାଷୀ କେନାଲ ଉପରେ ନିର୍ଭର କରି ଚଳୁଛନ୍ତି । କେବଳ ଜଳସେଚନ ବିଭାଗର ମନମୁଖୀ କାମ ପାଇଁ ଚାଷୀଙ୍କୁ ଆବଶ୍ୟକ ପାଣି ମିଳିପାରୁନି । କେନାଲରୁ ପାଣି ଆସୁନଥିବାରୁ ଏକର ଏକର ଚାଷ ଜମି ଶୁଖିଲା ପଡିଛି । ଆଉ କେଉଁଠି ଧାନ ବିଲ ଫାଟି ଆଁ କରିଛି ତ କେଉଁଠି ଗଛ ସବୁ ଝାଉଁଳି ନଷ୍ଟ ହେବାରେ ଲାଗିଲାଣି । କେନାଲରେ ଦଳ ଭର୍ତି ହୋଇଥିବା ବେଳେ ଗଛ ଉଠି ଜଙ୍ଗଲ ପାଲଟିଗଲାଣି । ରକ୍ଷଣାବେକ୍ଷଣର ଅଭାବରୁ କେନାଲ ପୋତି ହୋଇଗଲାଣି । ଚାଷୀଙ୍କୁ ବୁନ୍ଦାଏ ପାଣି ମିଳୁନଥିବା ବେେଳେ ବହୁବାର ଅଭିଯୋଗ କରାଯାଇଥିଲ ବି ଶୁଣିବାକୁ ଯେମିତି କେହି ନାହିଁ ।

ବିଲକୁ ପାଣି ମାଡୁନଥିବା ବେଳେ ଜମି ଫାଟି ଆଁ କରିଛି । ଅଭିଯୋଗ ପରେ ଅଭିଯୋଗ ହୋଇଥିଲେ ବି ସମାଧାନ ହେବାର ନାଁ ନାହି । ସେପଟେ ଚାଷୀ ଆତ୍ମହତ୍ୟା କରିବାର ନଜିର ମଧ୍ୟ ରହିଛି । ଯଦି ସଠିକ୍ ସମୟରେ ବିଲକୁ ପାଣି ଦିଆନଯାଏ ତେବେ ଏକର ଏକର ଫସଲ ନଷ୍ଟ ହୋଇଯିବ ।

ସମସ୍ୟା ଭିତରେ ରହିଥିବା ଚାଷୀ ମାନଙ୍କ ପ୍ରତି ଗୁରୁତ୍ୱ ଦିଆଯିବା ସହ କେନାଲର ପୁନରୁଦ୍ଧାର କରାଯାଇପାରିଲେ ଚାଷୀ ମାନେ ଉପକୃତ ହୋଇପାରିବେ ।

The post କେନାଲରୁ ମିଳୁନି ପାଣି । ଶୁଖିଗଲାଣି ଚାଷ ଜମି, ଏକର ଏକର ଫସଲ ଝାଉଁଳି ନଷ୍ଟ । ଚିନ୍ତାରେ ପୁରୀ ସଦର ବ୍ଲକର ଚାଷୀ first appeared on Kanak News.

from Kanak News
via <a href="https://ifttt.com/?

ଅସୁସ୍ଥତା ଭିତରେ ବି ବାଲେଶ୍ୱର ଦେଭୋଗର ଛାତ୍ରୀ ସସ୍ମିତାଙ୍କ ସଂଘର୍ଷ ଜାରି । ରଙ୍ଗବେରଙ୍ଗର କଣ୍ଢେଇ ଗଢି ବିକ୍ରିି କରି ମୁଣ୍ଡାଇଛନ୍ତି ଘର ବୋଝ

କନକ ବ୍ୟୁରୋ : ସଜେଇ ହୋଇ ରହିଛି ରଙ୍ଗ ବେରଙ୍ଗର କଣ୍ଢେଇ । ଛୋଟରୁ ବଡ ଭଳିକିଭଳି ମନଲୋଭା କଣ୍ଢେଇ କିଣିବାକୁ ଲାଗୁଛି ଭିଡ । ଆଉ କଣ୍ଢେଇ ବିକିଲେ ଚଳୁଛି ଘର । ଏ କୌଣସି ବଡ ଚିତ୍ର ଶିଳ୍ପୀର କାରିଗରି କଳା ନୁହେଁ । ପରିବାର ଚଳାଇବାକୁ ଏ ହେଉଛି ଜଣେ ଛାତ୍ରୀର ପ୍ର୍ରୟାସ । ବାଲେଶ୍ୱର ବାଲିଆପାଳ ବ୍ଲକ ଦେଭୋଗର ଯୁକ୍ତ ତିନିର ଛାତ୍ରୀ । ଅଭାବ ଅନଟନ ଭିତରେ ରହୁଥିବା ପରିବାର କିଭଳି ଚଳିବ । ନିଜ ପାଠ ପଢା କିଭଳି ହେବ । ଏଥିରେ ଭାଙ୍ଗି ନପଡି ନିଜ ପ୍ରୟାସରେ ଭଳିକିଭଳି କଣ୍ଢେଇ ତିଆରି କରି ବିକ୍ରି କରୁଛନ୍ତି । ପରିବାର ଚଳାଇବା ପାଇଁ ମାଟିରେ କଣ୍ଢେଇ ତିଆରି କରିବା ସହ ପ୍ଲାଷ୍ଟିକ କଣ୍ଢେଇ ଆଣି ବିଭିନ୍ନ ପ୍ରକାର ରୁପ ଦେଉଛନ୍ତି । ଏହିସବୁ କଣ୍ଢେଇ ସ୍ଥାନୀୟ ବଜାରରୁ ନେଇ ବିଭିନ୍ନ ମେଳା ମହୋତ୍ସବରେ ବିକ୍ରି କରୁଛନ୍ତି । ଛାତ୍ରୀ ଜଣକ ମଧ୍ୟ ଅସୁସ୍ଥ ଥିବା ବେଳେ ନିଜ ଟଙ୍କାରୁ ନିଜ ମେଡିସିନ୍ ଖର୍ଚ୍ଚ ତୁଲାଉଛନ୍ତି ।

ବାପାଙ୍କୁ ଆର୍ଥିକ ସହଯୋଗ ପାଇଁ ନିଜର କଷ୍ଟକୁ ଭୁଲି କଣ୍ଡେଇ ତିଆରି କରି ବିକ୍ରୀ କରୁଛନ୍ତି ସସ୍ମିତା । ଏହା ସହିତ ପ୍ରତି ୩ ମାସରେ ରୋଗର ପରିକ୍ଷା ପାଇଁ କଟକ ଯିବାକୁ ପଡୁଥିବାରୁ ପାଖାପାଖି ୫ ହଜାର ଟଙ୍କା ଆବଶ୍ୟକ ହେଉଛି । ଏନେଇ ନିଜ ଉପାର୍ଜିତ ଅର୍ଥ ବିନିଯୋଗ କରନ୍ତି । ହେଲେ ତାହା ବି ସମୁଦ୍ରକୁ ଶଙ୍ଖେ ଭଳି । ବାପା ରୋଗଗ୍ରସ୍ତ ହୋଇ ରୋଜଗାର ପାଇଁ ଅକ୍ଷମ ଥିବା ବେଳେ ପୁରା ପରିବାର ଭାର ସସ୍ମିତାଙ୍କ ଉପରେ । ସେପଟେ ସସ୍ମିତାଙ୍କ ବ୍ୟବସାୟ ବୃଦ୍ଧି ପାଇଁ ମିଶନ ଶକ୍ତି ବଜାର ମାଧ୍ୟମରେ ସମସ୍ତ ସାମଗ୍ରୀ କ୍ରୟ କରାଯିବା ସହିତ ଘର ଆଦି ସହାୟତା ଦିଆଯିବାକୁ ମିଳିଛି ପ୍ରତିଶ୍ରୁତି ।

ଦୁଃଖ କଷ୍ଟରେ ଚଳୁଥିବା ସସ୍ମିତାଙ୍କ ପରିବାକୁ ସାହାଯ୍ୟ କରିଲେ ଛାତ୍ରୀ ଜଣକ ନିଜ ପଢା ଜାରି ରଖିବା ସହ ନିଜ ଚିକତ୍ସା ମଧ୍ୟ ପାରିବେ ।

The post ଅସୁସ୍ଥତା ଭିତରେ ବି ବାଲେଶ୍ୱର ଦେଭୋଗର ଛାତ୍ରୀ ସସ୍ମିତାଙ୍କ ସଂଘର୍ଷ ଜାରି । ରଙ୍ଗବେରଙ୍ଗର କଣ୍ଢେଇ ଗଢି ବିକ୍ରିି କରି ମୁଣ୍ଡାଇଛନ୍ତି ଘର ବୋଝ first appeared on Kanak News.

from Kanak News
via <a href="https://ifttt.com/?

ପାହାଡ ତଳକୁ ଆସିଲେ ମିଳୁଛି ପାଣି । ଶୀତ ଦିନରେ ବି ଗଜପତି ଟୁବୁରସିଂରେ ପିଇବା ପାଣି ସମସ୍ୟା, ନାଳରୁ ଦୂଷିତ ପାଣିି ପିଇ ରୋଗାକ୍ରାନ୍ତ ଲୋକେ

କନକ ବ୍ୟୁରୋ : ପାହାଡ ତଳକୁ ଆସିଲେ ମିଳୁଛି ପାଣି । ଶୀତ ଦିନରେ ବି ପାଣି ସମସ୍ୟା । ଶୀତ ଦିନ ସରିନି ହେଲେ ଗଜପତି ଟୁବୁରସିଂ ଗାଁରେ ପିଇବା ପାଣି ସମସ୍ୟା ଉପୁଜିଲାଣି । ଗାଁର ଲୋକେ ଦୁଇ କିଲୋମିଟର ପାହାଡ ତଳକୁ ଆସି ପାଣି ସଂଗ୍ରହ କରୁଛନ୍ତି । ତାହା ପୁଣି ନାଳ ପାଣି । ଏହି ଦୂଷିତ ପାଣିକୁ ଲୋକେ ବାଧ୍ୟ ହୋଇ ପିଉଛନ୍ତି । ଆଉ ବିଭିନ୍ନ ରୋଗରେ ପଡୁଛନ୍ତି । ସମସ୍ତ ସମସ୍ୟା ନେଇ ଗାଁର ଲୋକେ ଅଭିଯୋଗ ଆଣିଛନ୍ତି । ହେଲେ ଗାଁରେ ପାଣି ସୁବିଧା କରାଯାଉନି ।

The post ପାହାଡ ତଳକୁ ଆସିଲେ ମିଳୁଛି ପାଣି । ଶୀତ ଦିନରେ ବି ଗଜପତି ଟୁବୁରସିଂରେ ପିଇବା ପାଣି ସମସ୍ୟା, ନାଳରୁ ଦୂଷିତ ପାଣିି ପିଇ ରୋଗାକ୍ରାନ୍ତ ଲୋକେ first appeared on Kanak News.

from Kanak News
via <a href="https://ifttt.com/?

ଅସହାୟ, ନିରାଶ୍ରୟଙ୍କ ଦେବଦୂତ ଶ୍ମଶାନ ବନ୍ଧୁ । ପରିଚୟ ନଥିବା ଲୋକଙ୍କ ଶବ ଦାହ କରି ଚର୍ଚ୍ଚାରେ ସୁନ୍ଦରଗଡର ୪ ବନ୍ଧୁ

କନକ ବ୍ୟୁରୋ : ଅସହାୟ, ନିରାଶ୍ରୟଙ୍କ ଦେବଦୂତ ଶ୍ମଶାନ ବନ୍ଧୁ । ନିରାଶ୍ରୟଙ୍କ କେବଳ ଶବଦାହ ନୁହଁ , ହିନ୍ଦୁ ରୀତିନୀତି ଅନୁସାରେ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ଅସ୍ଥି ବିର୍ସଜନ କରୁଛନ୍ତି    । ସୁନ୍ଦରଗଡର ଶ୍ମଶାନ ବନ୍ଧୁ ପାଲଟିଥିବା ଏହି ୪ଜଣ ଅପରିଚିତଙ୍କ ଆତ୍ମାର ମୋକ୍ଷ ପ୍ରାପ୍ତି ପାଇଁ ଅସ୍ଥି ବିର୍ସଜନ କରିବା ସହିତ ବୁଡ ପକାଇ ଦିବଙ୍ଗତ ଆତ୍ମାର ମୋକ୍ଷ ପ୍ରାପ୍ତି ପାଇଁ କାମନା କରନ୍ତି । କେବଳ ଅସ୍ଥି ବିର୍ସଜନ ନୁହେଁ ଗୟାର ଫଲଗୁ ନଦୀରେ ବାଲୁକା ପିଣ୍ଡ ମଧ୍ୟ ପ୍ରଦାନ କରିଥାନ୍ତି ଏହି ୪ ଶ୍ମଶାନ ବନ୍ଧୁ । ସୁନ୍ଦରଗଡ ସହରର ୪ ଶ୍ମଶାନ ବନ୍ଧୁ ହେଉଛନ୍ତି ସିଦ୍ଧାନ୍ତ ପଣ୍ଡା, ଶିଶିର ବେହେରା, ଚିନ୍ଟୁ ରକ୍ସା ଓ ଦେବେନ୍ଦ୍ର ସାହୁ । କରୋନା କାୟା ବିସ୍ତାର କରିଥିବା ସମୟରେ କୁଢ କୁଢ ମୃତ ଦେହ ସଂସ୍କାର ଅସମ୍ଭବ ହୋଇପଡିଥିଲା । ଏହି ସମୟରେ ଆଗେଇ ଆସିଥିଲେ ଏହି ୪ ବନ୍ଧୁ । ଅପରିଚିତଙ୍କ ମୃତଦେହ ସଂସ୍କାର କରି ଥକିଯାଇନଥିଲେ । ତାଙ୍କର ଏହି ନିଷ୍ଠା ଓ ସେବା ପାଇଁ ଶ୍ମଶାନ ବନ୍ଧୁର ପରିଚୟ ମିଳିଛି ତାଙ୍କୁ ।

କରୋନା ସମୟରୁ ଆରମ୍ଭ ହୋଇଛି ତାଙ୍କର ସେବା । ଯହାକି ଏବେ ଯାଏ ଚାଲିଛି । ହଜାରେରୁ ଉର୍ଦ୍ଧ ଶବ ଦାହ କରିବା ସହ ୨୦୦ ରୁ ଉର୍ଦ୍ଧ ଅପରିଚିତଙ୍କ ଅସ୍ଥି ବିର୍ସଜନ କରି ଉଦାହରଣ ସୃଷ୍ଟି କରିଛନ୍ତି ଏହି ୪ ଶ୍ମଶାନ ବନ୍ଧୁ । ତାଙ୍କର ଏହି ସେବା ପାଇଁ ତାଙ୍କୁ ଅନେକ ଅନେକ ପ୍ରଶଂସା ମିଳିଛି ।

ଅପରିଚିତ ଲୋକଙ୍କ ଶବ ଦାହ କରି ଥକିପଡିନାହାନ୍ତି ୪ ବନ୍ଧୁ । ତାଙ୍କର ଏହି ନିରବଚ୍ଛିନ୍ନ ସେବା କାର୍ଯ୍ୟ ଆଜି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି ।

The post ଅସହାୟ, ନିରାଶ୍ରୟଙ୍କ ଦେବଦୂତ ଶ୍ମଶାନ ବନ୍ଧୁ । ପରିଚୟ ନଥିବା ଲୋକଙ୍କ ଶବ ଦାହ କରି ଚର୍ଚ୍ଚାରେ ସୁନ୍ଦରଗଡର ୪ ବନ୍ଧୁ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started