‘ସାହାରାଶ୍ରୀ’ ସୁବ୍ରତ ରୟ: ସାଇକେଲ ଚାଳକରୁ ବିମାନ କମ୍ପାନୀର ମାଲିକ

କନକ ବ୍ୟୁରୋ: ବିଶିଷ୍ଟ ବ୍ୟବସାୟୀ ସୁବ୍ରତ ରୟଙ୍କ ୭୫ ବର୍ଷ ବୟସରେ ପରଲୋକ । ମଙ୍ଗଳବାର ରାତିରେ ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି । ସାହାରା ଗ୍ରୁପ୍ର ମୁଖିଆ ସୁବ୍ରତ ରୟ ଗତ କିଛି ଦିନରୁ ରୋଗାଗ୍ରସ୍ତ ଥିଲେ । ମୁମ୍ବାଇର ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କ ମୃତ୍ୟୁ ପରେ ସୁବ୍ରତ ରୟଙ୍କ ବ୍ୟବସାୟିକ ଯାତ୍ରାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଚର୍ଚ୍ଚା ହେବନି ବା କାହିଁ, ସାଇକେଲ ଚାଳକରୁ ବିମାନ କମ୍ପାନୀର ମାଲିକ ହେବାର ତାଙ୍କ ଯାତ୍ରା ଏକ ରୋମାଂଚକର ସିନେମା ଠାରୁ କିଛି କମ୍ ନୁହେଁ ।

ଆଉ ନାହାଁନ୍ତି ଭାରତର ବିଶିଷ୍ଟ ବ୍ୟବସାୟୀ ସୁବ୍ରତ ରୟ । ମୁମ୍ବାଇ ସ୍ଥିତ ଘରୋଇ ଡାକ୍ତରଖାନାରେ ଆଖି ବୁଜିଛନ୍ତି । ଆଉ ତାଙ୍କ ମୃତ୍ୟୁ ପରେ ପୁଣି ଥରେ ସୁବ୍ରତ ରୟଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଯେତିକି ଅଦ୍ଭୁତ, ସେତିକି ରୋମାଂଚକର ଥିଲା ସାହାରା ଶ୍ରୀ ସୁବ୍ରତ ରୟଙ୍କ ଜୀବନ ଯାତ୍ରା । ଦିନ ଥିଲା ତାଙ୍କ କମ୍ପାନୀ ସାହାରା ବନିଯାଇଥିଲା ଦେଶର ସବୁଠାରୁ ବଡ କମ୍ପାନୀ । ଭାରତୀୟ ରେଳ ବିଭାଗ ପରେ ସବୁଠାରୁ ଅଧିକ ନିଯୁକ୍ତି ଦେଉଥିଲା ସାହାରା କମ୍ପାନୀ । କ୍ରିଡା ଠାରୁ ଫିଲ୍ମ, ଏୟାରଲାଇନ୍ସରୁ ବୀମା ସବୁ ସେକ୍ଟରରେ ଥିଲା ସାହାରର ଦବଦବା ।
ସ୍ୱପ୍ନ ବିକି ଧନୀ ହୋଇଥିବା ସୁବ୍ରତ ରୟଙ୍କ ବ୍ୟବସାୟର ଯାତ୍ରା ଆରମ୍ଭ ହୋଇଥିଲା ଏକ ସାଇକେଲରୁ । ମାତ୍ର ୨ ହଜାର ଟଙ୍କାର ପୁଂଜି ଆଉ ପାଖରେ ଥିବା ସାଇକେଲ ଧରି ପ୍ରଥମେ ଚିଟ୍ ଫଣ୍ଡ କାମ ଆରମ୍ଭ କରିଥିଲେ ସୁବ୍ରତ ରୟ । ଟଙ୍କା କିଭଳି ଦୁଇ ଗୁଣା ହେବ ଏଭଳି ବଡ ବଡ ସ୍ୱପ୍ନ ନିମ୍ନ ମଧ୍ୟବିତ ଲୋକଙ୍କୁ ଦେଖାଇ ଟଙ୍କା ଆଦାୟ କଲେ । ବାସ ଏହିଠାରୁ ହିଁ ଆରମ୍ଭ ହେଲା କାରୋବାର

୧୦ଜୁନ୍ ୧୯୪୮ ମସିହା ବିହାରର ଆରାରିଆରେ ସୁବ୍ରତ ରୟଙ୍କ ଜନ୍ମ ହୋଇଥିବା ସୁବ୍ରତ ଉତର ପ୍ରଦେଶ ଗୋରଖପୁରରୁ ଆରମ୍ଭ କରିଥିଲେ ନିଜ ଚିଟ୍ଫଣ୍ଡ ସଂସ୍ଥାର ପରିକଳ୍ପନା । ତେବେ ନିଜ କ୍ୟାରିଅର ଆରମ୍ଭରୁ ନମ୍କିନ୍ ସ୍ନାକ୍ସ, ବିୟୁଟି ପ୍ରଟକ୍ଟ ଆଦି ବିକ୍ର କରୁଥିଲେ । ୧୯୭୮ରେ ଗୋରଖପୁରରେ ସାହାର କମ୍ପାନୀର ନିଅଁ ପକାଇଥିଲେ ସୁବ୍ରତ । ସାଇକେଲରେ ବୁଲି ବୁଲି ଲୋକଙ୍କ ପାଖରୁ ଟଙ୍କା ଆଦାୟ କରିବା ଓ ତାକୁ ନିବେଶ କରି ଡବଲ କରିବାର ସ୍ୱପ୍ନ ଦେଇଥିଲେ ଆଉ ପୂରଣ ବି କରିଥିଲେ ସୁବ୍ରତ । ଧିରେ ଧିରେ ସାହାରା ଭାରତର ଏକ ନମ୍ବର କମ୍ପାନୀ ଭାବେ ପ୍ରତିଷ୍ଠିତ ହେଲା । ଲକ୍ଷାଧିକ ଲୋକେ ଏହି କମ୍ପାନୀ ସହ ଯୋଡି ହୋଇଗଲେ । ଆଉ ଦେଖୁ ଦେଖୁ ସାହାରାଶ୍ରୀ ବନିଗଲେ ସୁବ୍ରତ ରୟ ।

ସାହାରା ଅନେକ ପ୍ରକାର ପୁଂଜି ନିବେଶ ପ୍ଲାନ୍ ଚଳାଉଥିଲା । ଅନ୍ୟ ବ୍ୟାଙ୍କ ତୁଳନାରେ ୩-୪ ପ୍ରତିଶତ ଅଧିକ ସୁଧ ଦେଉଥିଲା ସାହାରା କମ୍ପାନୀ । ଆଉ ବାର୍ଷିକ ୧୧-୧୨ ପ୍ରତିଶତ ସୁଧ ଦେବାର ପ୍ରତିଶ୍ରୁତି ଦେଉଥିଲା ସାହାରା । ଅନେକ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ଭଲ ରିଟର୍ଣ୍ଣ ବି ମିଳିଥିଲା ।

ସବୁ ବ୍ୟବସାୟରେ ‘ସାହାରାଶ୍ରୀ’ଙ୍କ ଦବଦବା ସୁବ୍ରତ ରୟଙ୍କ ନେତୃତ୍ୱରେ ସାହାରା ପ୍ରାୟ ସବୁ କ୍ଷେତ୍ରରେ ବ୍ୟବସାୟ ବଢାଇଥିଲା । ତାଙ୍କ ସାମ୍ରାଜ୍ୟ ଫାଇନାନ୍ସ, ରିୟଲ ଇଷ୍ଟେଟ୍, ମିଡିଆ, ଏୟାରଲାଇନ୍ସ, ହସ୍ପିଟାଲିଟି ଆଦି ସବୁ କ୍ଷେତ୍ରରେ ସଫଳ ହୋଇଥିଲା ସାହାରା କମ୍ପାନୀ । ୧୯୯୧ରେ ଏୟାର ସାହାରର ସ୍ଥାପନା କରିଥିଲେ ସୁବ୍ରତ ରୟ । ୧୦ ହଜାର ଏକରରେ ବ୍ୟାପିଥିବା ଏମ୍ବ ଭ୍ୟାଲି ପ୍ରୋଜେକ୍ଟ ସୁବ୍ରତ ରୟଙ୍କ ସ୍ୱପ୍ନ ଥିଲା । ସାହାରା ଗ୍ରୁପ୍ ଟିମ୍ ଇଣ୍ଡିଆର ସ୍ପନ୍ସର୍ ବି ଥିଲା । କହିବାକୁ ଗଲେ ଦେଶରେ ବ୍ୟବସାୟର ସବୁଠାରୁ ବଡ଼ ନାଁ ଥିଲା ସାହାରା ।

ସୁବ୍ରତଙ୍କ ‘ସାହାରା’ କାହାଣୀ
– ୧୯୭୮ରେ ସାହାରା ଚିଟ୍ ଫଣ୍ଡ ସଂସ୍ଥାର ଆରମ୍ଭ
– ୧୯୯୧ରେ ‘ଏୟାର ସାହାରା’ର ସ୍ଥାପନା ୧୯୯୩ରୁ ଉଡାଣ ଆରମ୍ଭ
– ଲୋନାବଲା ସ୍ଥିତ ବିଶାଳ ‘ଏମ୍ବି ଭ୍ୟାଲି’ର ପରିକଳ୍ପନା ବି କରିଥିଲେ ସୁବ୍ରତ
– ୨୦୦୩ରେ ସାହାରା ନ୍ୟୁଜ୍ ଚ୍ୟାନେଲର ଆରମ୍ଭ
– ପରେ ଆଂଚଳିକ, ମନୋରଂଜନ ଭିତିକ ଚ୍ୟାନେଲ ଆଣିଲା ସାହାରା
– ‘ସାହାରା ୱାନ୍ ମୋସନ୍ ପିକ୍ଚର୍ସ’ ଚଳଚ୍ଚିତ୍ର ନିର୍ମାଣରେ ବଡ଼ ନାଁ
– ୨୦୦୧ ରୁ ୨୦୧୩ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଟିମ୍ର ସ୍ପନ୍ସର୍ ଥିଲା ସାହାରା

ଚିଟ୍ଫଣ୍ଡରୁ ବୀମା, କ୍ରୀଡା, ଏୟାର ଲାଇନ୍ସ, ହୋଟେଲ, ବିୟୁଟି ପ୍ରଡକ୍ଟ, ଗଣମାଧ୍ୟମ ସଂସ୍ଥା ସବୁ ଶିଳ୍ପରେ ପ୍ରବେଶ କରିଥିଲା ସାହାରା । ଆଉ ସାହାରା କମ୍ପାନୀ ଦେଶରେ ସର୍ବାଧିକ ନିଯୁକ୍ତି ବି ଦେଇଥିଲା । ଯେଉଁମାନେ ସୁବ୍ରତଙ୍କୁ ‘ସାହାରାଶ୍ରୀ’ ଭାବେ ସମ୍ବୋଧିତ କରୁଥିଲେ । ହେଲେ ୨୦୧୨ରେ ଠକେଇ ଅଭିଯୋଗ ପରଠାରୁ ସାହାରା ସ୍ଥିତି ଖରାପ ହେବାରେ ଲାଗିଲା । ଆଉ ଧିରେ ଧିରେ କମ୍ପାନୀ ଦେବାଳିଆ ହୋଇଗଲା ।

The post ‘ସାହାରାଶ୍ରୀ’ ସୁବ୍ରତ ରୟ: ସାଇକେଲ ଚାଳକରୁ ବିମାନ କମ୍ପାନୀର ମାଲିକ first appeared on Kanak News.

from Kanak News
via <a href="https://ifttt.com/?

ହସ୍ପିଟାଲରେ ପଶିଲା ଇସ୍ରାଏଲ ସେନା: ଖୋଜିଖୋଜି ହମାସକୁ କରୁଛି ହତ୍ୟା

କନକ ବ୍ୟୁରୋ: ଯୁଦ୍ଧ ପହଁଚିଛି ୩୯ଦିନରେ । ଦୁର୍ବଳ ହେଉଛି ହମାସ, ଆଗେଇ ଚାଲିଛି ଇସ୍ରାଏଲ ସେନା । ଗାଜାର ସର୍ବ ବୃହତ ହସ୍ପିଟାଲ ଅଲଶିଫାରେ ପଶିଛି ଆଇଡିଏଫ । ପଣବନ୍ଦୀଙ୍କୁ ମୁକୁଳାଇ ହମାସକୁ ନିପାତ କରିବାକୁ ଲକ୍ଷ୍ୟ ରଖିଛି । ଏବେ ସୁଦ୍ଧା ଯୁଦ୍ଧରେ ୧୨ହଜାର ନାଗରିକଙ୍କ ପ୍ରାଣହାନି ହୋଇଛି । ମୃତକଙ୍କ ମଧ୍ୟରେ ସବୁଠୁ ଅଧିକ ରହିଛି ଶିଶୁ ଓ ମହିଳାଙ୍କ ସଂଖ୍ୟା ।
କିଛି ଦିନର ଛକାପଂଝା ପରେ ଶେଷରେ ନିଜର ଟାର୍ଗେଟ ହାସଲ କରିଛି ଇସ୍ରାଏଲ ସେନା । ଗାଜାର ସର୍ବବୃହତ ହସ୍ପିଟାଲ ଅଲଶିଫାରେ ପ୍ରବେଶ କରିଛି ଆଇଡିଏଫ । ଏହି ହସ୍ପିଟାଲର ଅଣ୍ଡରଗ୍ରାଉଣ୍ଡରେ ହମାସା ମୁଖ୍ୟାଳୟ ରହିଛି ଓ ଏହାକୁ ନଷ୍ଟ କରିବା ପାଇଁ ସେନା ହସ୍ପିଟାଲକୁ ଚାରିପଟୁ ଘେରିଥିବା କହିଛି ଇସ୍ରାଏଲ । ସେନା କହିଛି …

ହସ୍ପିଟାଲରେ ହମାସ
ଆଇଡିଏଫରଏଟ୍ରିଂ
-ପଣବନ୍ଦୀ ଓ ରୋଗୀଙ୍କୁ ଦୃଷ୍ଟିରେ ରଖି ହସ୍ପିଟାଲ ଉପରେ କୌଣସି ଆକ୍ରମଣ କରାଯାଇନି
-ସାଧାରଣ ନାଗରିକଙ୍କ ଜୀବନ ରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ
-ହମାସକୁ ମୂଳପୋଛ ଲକ୍ଷ୍ୟରେ ତଲାସି କରାଯାଉଛି
-ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ କରାଯିବ
-ହସ୍ପିଟାଲରେ କିଛି ଗୁପ୍ତ ସୁଡ଼ଙ୍ଗ ଠାବ କରାଯାଇଛି
-ହସ୍ପିଟାଲରେ ୭ହଜାର ନାଗରିକ ଓ ୭ଶହ ରୋଗୀ ଅଛନ୍ତି
-୪୨ଟି ନବଜାତ ଶିଶୁ ରହିଛନ୍ତି
-୨୩ଶହ ଲୋକଙ୍କୁ ପଣବନ୍ଦୀ କରିଛି ହମାସ
-ସେନା ଓ ହମାସ ଯୁଦ୍ଧରେ ୪୦ଜଣଙ୍କ ମୃତ୍ୟୁ ହୋଇସାରିଛି
-ସ୍ଥାନ ଅଭାବରୁ ମୃତଦେହକୁ ହସ୍ପିଟାଲ ପରିସରରେ ପୋତାଯାଉଛି

ଆତ୍ମରକ୍ଷା କରିବା ପାଇଁ ହସ୍ପିଟାଲକୁ ସବୁଠୁ ଅଧିକ ସୁରକ୍ଷିତ ସ୍ଥାନ ମଣିଛି ହମାସ । ରୋଗୀ, ଶରଣାର୍ଥୀ ଓ ହସ୍ପିଟାଲ କର୍ମଚାରୀଙ୍କୁ ଢ଼ାଲ କରୁଥିବା ହମାସକୁ ଏଣିକି ଟାର୍ଗେଟ କରି ଗାଜାର ଏହି ସର୍ବବୃହତ ହସ୍ପିଟାଲକୁ ଚାରିପଟୁ ଘେରି ରହିଛି ଇସ୍ରାଏଲସେନା ।

ହମାସକୁ ମାଟିରେ ମିଶାଇବାକୁ ପ୍ରତିଜ୍ଞା କରିଛି ଇସ୍ରାଏଲ । ଗାଜାର କୋଣ ଅନୁକୋଣରେ ଲୁଚି ରହିଥିବା ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି ଆଇଡିଏଫ । ଯୁଦ୍ଧ ଭିତରେ ସାଧାରଣ ନାଗରିକଙ୍କ ଜୀବନ ଯିବା ଘଟଣାରେ ବ୍ୟତିଥ ସାରା ବିଶ୍ୱ । ସାଧାରଣ ନାଗରିକଙ୍କୁ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ଅଧିକାଂଶ ରାଷ୍ଟ୍ର ଇସ୍ରାଏଲକୁ ଅପିଲ କରିଆସୁଛନ୍ତି ।

The post ହସ୍ପିଟାଲରେ ପଶିଲା ଇସ୍ରାଏଲ ସେନା: ଖୋଜିଖୋଜି ହମାସକୁ କରୁଛି ହତ୍ୟା first appeared on Kanak News.

from Kanak News
via <a href="https://ifttt.com/?

ସମୟ ଗଡୁଛି, ଆଶଙ୍କା ବଢ଼ୁଛି: ୪ଦିନ ହେବ ଟନେଲରେ ଫସିଛନ୍ତି ୪୦ ଶ୍ରମିକ

କନକ ବ୍ୟୁରୋ: ସମୟ ଗଡୁଛି, ଆଶଙ୍କା ବଢ଼ୁଛି । ୪ଦିନ ହେବ ଟନେଲରେ ଫଶିରହିଥିବା ଶ୍ରମିକଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରାଯିବ ସେନେଇ ସବୁ ଚେଷ୍ଟା ଚାଲିଛି । ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଉତରାଖଣ୍ଡରେ ପହଁଚିଛି ଅତ୍ୟାଧୁନିକ ମେସିନ । କିଛି ଘଂଟା ଭିତରେ ମିସନ ସଫଳତାର ଶେଷ ହେବ ବୋଲି ଆଶା କରାଯାଉଛି । ସେପଟେ ଉଦ୍ଧାରକାର୍ଯ୍ୟରେ ବିଳମ୍ବ ଦେଖି ଧର୍ଯ୍ୟହରା ହୋଇପଡିଛନ୍ତି ଶ୍ରମିକଙ୍କ ପରିବାର । ଟନେଲ ନିକଟରେ ପୁଲିସ ଓ ଶ୍ରମିକଙ୍କ ସର୍ମ୍ପକୀୟ ମଧ୍ୟରେ ଗଣ୍ଡଗୋଳ ହୋଇଛି ।

ଉତରାଖଣ୍ଡର ଉତରକାଶୀରେ ନିର୍ମାଣାଧୀନ ସୁଡଙ୍ଗ ଭୁଶିଡିବାକୁ ୮୭ଘଂଟାରୁ ଅଧିକ ସମୟ ହେଲାଣି । ହେଲେ ଏବେ ବି ସୁଡ଼ଙ୍ଗ ଭିତରେ ଫସି ରହିଛନ୍ତି ୪୦ ଜଣ ଶ୍ରମିକ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏନ୍ଡିଆରଏଫ୍, ଏସ୍ଡିଆରଏଫ୍, ଆଇଟିବିପି, ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଉଛି । ଯଥା ଶିଘ୍ର ସମସ୍ତଙ୍କୁ ଉଦ୍ଧାର ପାଇଁ ଲକ୍ଷ୍ୟ ରଖାଯାଇଛି ।

ସୁଡ଼ଙ୍ଗ ତଳେ ଜୀବନ ସଂଘର୍ଷ
-ସୁଡ଼ଙ୍ଗ ଭିତରେ ଜୀବନ ବଂଚାଇବାକୁ ଶ୍ରମିକଙ୍କ ସଂଘର୍ଷ
-ଅନ୍ଧକାର ଓ କମ୍ ଅମ୍ଳଜାନ ଶ୍ରମିକଙ୍କୁ ପ୍ରଭାବିତ କରୁଛି
-ଦୁଇ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଥିବା ସୂଚନା

କଳେବଳେ କୌଶଳେ କିଭଳି ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଟନେଲରୁ ଉଦ୍ଧାର କରାଯିବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ଉଦ୍ଧାର କରିବା ପାଇଁ ‘ଆର୍ଥ ଅଗର’ ସହ ମେସିନକୁ ବ୍ୟବହାର କରାଯାଇଥିଲା । ତେବେ ଏଥିରେ ତ୍ରୁଟି ଦେଖାଯିବା ପରେ ଦିଲ୍ଲୀରୁ ପୁଣି ଅତ୍ୟାଧୁନିକ ମେସିନ ଅଣାଯାଇଛି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଉତରାଖଣ୍ଡରେ ପହଁଚିଛି ମେସିନ । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିବ ଏହି ମେସିନ । ଏହି ମେସିନର କାର୍ଯ୍ୟ ଉପରେ ଉଦ୍ଧାରକାର୍ଯ୍ୟ ନିର୍ଭର କରୁଛି । ତେବେ ଭୁସ୍ଖଳନ ଓ ବୈଷୟିକ ତ୍ରୁଟି ଉଦ୍ଧାରକାମରେ ବାଧା କରୁଥିବା ସୂଚନା ମିଳିଛି । ସେପଟେ ବୈଷୟିକ ଜ୍ଞାନ ସାହାଯ୍ୟ ପାଇଁ ନରୱେ, ଥାଇଲ୍ୟାଣ୍ଡ ଓ ଦିଲ୍ଲୀ ମେଟ୍ରୋର ବରିଷ୍ଠ ଇଂଜିନିୟର ଓ ଅଧିକାରୀଙ୍କ ସହ ଆଲୋଚନା କରାଯାଉଛି ।

ଶ୍ରମିକ କିଭଳି ସୁରକ୍ଷିତ ଫେରିବେ ସେ ନେଇ ଚିନ୍ତାରେ ପରିବାର ପରିଜନ । ବୁଧବାର ଟନେଲ ନିକଟରେ ଫସିଥିିବା ଶ୍ରମିକଙ୍କ ସର୍ମ୍ପକୀୟ, ଅନ୍ୟ ଶ୍ରମିକ ଓ ପୁଲିସ ମଧ୍ୟରେ ପ୍ରବଳ ଗଣ୍ଡୋଗଳ ଦେଖିବାକୁ ମିଳିଛି । ଉଦ୍ଧାରକାର୍ଯ୍ୟ ବିଳମ୍ବ ନେଇ ଏମାନେ ଆକ୍ରୋଶ ପ୍ରକାଶ କରି ଅଭିଯୋଗ ରହିଛି । ଘଟଣାସ୍ଥଳରେ ପ୍ରାୟ ଏକଘଂଟା ଧରି ଉତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଥିଲା । ତେବେ ସ୍ଥାନୀୟପ୍ରଶାସନ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ବର୍ତମାନ ନିୟନ୍ତ୍ରଣରେ ରହିଛି ।

ରବିବାର ଉତରକାଶୀର ଏହି ନିର୍ମାଣଧୀନ ଟନେଲର କାମ ଚାଲୁଥିବାବେଳେ ହଠାତ ଭୋରୁ ସମୟରୁ କିଛି ଅଂଶ ଭାଙ୍ଗିପଡିଥିଲା । ଘଟଣାରେ ୪୦ଜଣ ଶ୍ରମିକ ଫସିଯାଇଥିଲେ । ପାଇପରେ ଖାଦ୍ୟ, ପାଣି, ଔଷଧ ଓ ଅକ୍ସିଜେନ ପଠାଯାଉଛି । ରବିବାରଠୁ ଉଦ୍ଧାରକାର୍ଯ୍ୟ ଚାଲିଛି ।

The post ସମୟ ଗଡୁଛି, ଆଶଙ୍କା ବଢ଼ୁଛି: ୪ଦିନ ହେବ ଟନେଲରେ ଫସିଛନ୍ତି ୪୦ ଶ୍ରମିକ first appeared on Kanak News.

from Kanak News
via <a href="https://ifttt.com/?

ପାକିସ୍ତାନ ଟିମକୁ ବଡ ଝଟକା । ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟରୁ ବିଦାୟ ପରେ ଅଧିନାୟକ ପଦ ଛାଡିଲେ ବାବର ଆଜମ୍ ।

କନକ ବ୍ୟୁରୋ: ଦିନିକିଆ ବିଶ୍ୱକପରେ ନୈରାଶଜନକ ପ୍ରଦର୍ଶନ ପରେ ପାକିସ୍ତାନ ଟିମର ଅଧିନାୟକ ପଦ ଛାଡିଲେ ବାବର ଆଜମ୍ । ବୁଧବାର ସେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ପାକିସ୍ତାନ ଟିମ୍ ଏଥର ବିଶ୍ୱକପର ଲିଗ୍ ପର୍ଯ୍ୟାୟରୁ ବାଦ୍ ପଡିବା ପରେ ବାବରଙ୍କ କ୍ୟାପଟେନ୍ ପଦକୁ ନେଇ ପ୍ରଶ୍ନ ଉଠିଥିଲା । ଏମିତି କି ବାବର ମଧ୍ୟ ପୂରା ଟୁର୍ଣ୍ଣାମେଣ୍ଟରେ ଭଲ ରନ୍ ସ୍କୋର କରିପାରିନଥିଲେ । ଯାହାପରେ ବାବର ଆଜମ୍ ଆଜି ଏହି ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ଟିମ୍ ୯ଟି ଲିଗ୍ ମ୍ୟାଚରୁ କେବଳ ୪ଟି ମ୍ୟାଚରେ ବିଜୟୀ ହେଇପାରିଥିଲା । ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଥିଲା ପାକିସ୍ତାନ । ଯାହାକୁ ନେଇ ଅନେକ ପୂର୍ବତନ ପାକିସ୍ତାନୀ ଖେଳାଳି ବାବରଙ୍କ ଉପରେ ଆଙ୍ଗୁଠି ଉଠାଇଥିଲେ । ଫ୍ୟାନ୍ସମାନେ ମଧ୍ୟ ଏହାକୁ ନେଇ ଆଲୋଚନା କରିଥିଲେ । ତେଣୁ ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟ ଶେଷ ହେବାର ଦିନ କେଇଟା ପରେ ବାବର କ୍ୟାପଟେନ୍ ପଦରୁ ଅବ୍ୟାହତି ନେଇଛନ୍ତି ।

https://platform.twitter.com/widgets.js

ଏକ୍ସରେ ପୋଷ୍ଟ ସେୟାର କରି ବାବର ଲେଖିଛନ୍ତି, ମୋତେ ଭଲ ଭାବେ ମନେ ଅଛି, ଯେତେବେଳେ ୨୦୧୯ରେ ଅଧିନାୟକତ୍ୱ କରିବା ପାଇଁ ମୋତେ ପିସିବିରୁ ଫୋନ୍ ଆସିଥିଲା । ଗତ ୪ ବର୍ଷ ଭିତରେ ମୁଁ ପଡିଆରେ ଏବଂ ପଡିଆ ବାହାରେ ଅନେକ ଉତ୍ଥାନ୍ ପତନ ଦେଖିଛି । ହେଲେ ମୁଁ ନିଷ୍ଠାର ସହ କ୍ରିକେଟ୍ ଜଗତରେ ପାକିସ୍ତାନର ଗୌରବ ବଢାଇବାକୁ ଲକ୍ଷ୍ୟ ରଖିଥିଲି । ଧଳାବଲ୍ କ୍ରିକେଟରେ ନମ୍ବର-ୱାନ୍ ସ୍ଥାନରେ ପହଞ୍ଚିବା କୋଚ୍ ଏବଂ ମ୍ୟାନେଜମେଣ୍ଟର ହିଁ ପ୍ରୟାସ ଥିଲା । ଏ ଯାତ୍ରାରେ ପାକିସ୍ତାନ ଟିମର ଫ୍ୟାନ୍ସମାନେ ଅକୁଣ୍ଠ ସମର୍ଥନ ଜଣାଇଥିଲେ ବୋଲି ବାବର ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ, ବାବର ଆଜମ୍ ପାକିସ୍ତାନ ପାଇଁ ୧୩୪ଟି ମ୍ୟାଚରେ ଅଧିନାୟକ ଭାର ସମ୍ଭାଳିଥିଲେ । ଏହା ଭିତରୁ ସେ ୭୮ଟି ମ୍ୟାଚରେ ଦଳକୁ ବିଜୟୀ କରିପାରିଥିବାବେଳେ, ୪୪ଟି ମ୍ୟାଚରେ ପରାଜୟର ସ୍ୱାଦ ଚାଖିଥିଲେ । ୧୯୯୨ ବିଶ୍ୱକପ୍ ବିଜେତା କ୍ୟାପଟେନ୍ ଇମରାନ ଖାନଙ୍କ ପରେ ବାବର ଆଜମ୍ ହେଉଛନ୍ତି ପାକିସ୍ତାନର ଦ୍ୱିତୀୟ ଶ୍ରେଷ୍ଠ କ୍ୟାପଟେନ୍ ।

The post ପାକିସ୍ତାନ ଟିମକୁ ବଡ ଝଟକା । ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟରୁ ବିଦାୟ ପରେ ଅଧିନାୟକ ପଦ ଛାଡିଲେ ବାବର ଆଜମ୍ । first appeared on Kanak News.

from Kanak News
via <a href="https://ifttt.com/?

ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆରମ୍ଭ ହେବ କ୍ରୀଡା ମହାକୁମ୍ଭ । ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର ରାଶି । କ୍ରୀଡା ବିଭାଗ କଲା ବଡ ଘୋଷଣା ।

କନକ ବ୍ୟୁରୋ: ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆରମ୍ଭ ହେବାକୁ ଯାଉଛି କ୍ରୀଡା ମହାକୁମ୍ଭ । କ୍ରିକେଟ, ହକି, ଫୁଟବଲ, କବାଡି, ଖୋ-ଖୋ, ଭଲିବଲ ଭଳି କ୍ରୀଡା ପ୍ରତିଯୋଗିତାର ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ୟସରକାର । ଏଥିସହ ବିଜେତାଙ୍କ ପାଇଁ ଆକର୍ଷଣୀୟ ପୁରସ୍କାର ରାଶି ଦେବା ପାଇଁ ବିଜ୍ଞାପନ ଜରିଆରେ ଘୋଷଣା କରିଛି କ୍ରୀଡାବିଭାଗ ।

କ୍ରିକେଟ,ହକି, ଫୁଟବଲ, କବାଡି, ଖୋ-ଖୋ, ଭଲିବଲ୍ ଭଳି ଖେଳରେ କମ୍ପିବ ଗାଁଠୁ ସହର । ଏଥିପାଇଁ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲଟି, ମହାନଗର ନିଗମରେ ଆୟୋଜନ ହେବ କୀଡା ପ୍ରତିଯୋଗିତା । ଏନେଇ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞାପନ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କ୍ରିକେଟ, ହକି, ଫୁଟବଲ, କବାଡି, ଖୋ-ଖୋ, ଭଲିବଲ,ଭଳି କ୍ରୀଡା ପ୍ରତିଯୋଗିତାର ଆୟୋଜନ କରିବେ ରାଜ୍ୟ ସରକାର । ଯେଉଁଥିରେ ବିଜେତା, ଉପ ବିଜେତାଙ୍କୁ ଟଙ୍କା ବର୍ଷା କରାଯିବ । ୧୩ରୁ ୩୫ ବର୍ଷ ପର୍ଯ୍ୟନ୍ତ ଯୁବବର୍ଗ ଅଂଶଗ୍ରହଣ କରିପାରିବେ ।

କେମିତି କରିବେ ଅଂଶଗ୍ରହଣ?

  • ଉଭୟ ଯୁବକ-ଯୁବତୀ ଅଂଶଗ୍ରହଣ କରିପାରିବେ
  • ବ୍ୟକ୍ତିବଶେଷ ଏକାଧିକ କ୍ରୀଡା ବିଭାଗରେ ଅଂଶଗ୍ରହଣ କରିପାରିବେ
  • sports.odisha.gov.in ୱେବସାଇଟକୁ ଯାଇ ଅନଲାଇନରେ କରିବେ ଆବେଦନ
  • ଆବେଦନର ଶେଷ ତାରିଖ ରହିଛି ୨୦ ନଭେମ୍ବର

ବିଜେତାଙ୍କ ପାଇଁ ଆକର୍ଷଣୀୟ ପୁରସ୍କାର ରାଶି ଘୋଷଣା କରାଯାଇଛି । ଚାମ୍ପିୟନ ଦଳ ଓ ଉପବିଜେତାଙ୍କ ପାଇଁ ରହିଛି ରହିଛି ନଗଦ ଅର୍ଥରାଶି ।

ଚାମ୍ପିୟନ ଦଳ

  • ବ୍ଲକ- ଏନଏସି ଓ ମ୍ୟୁନସିପାଲଟିର ଚାମ୍ପିୟନ ଦଳ ପାଇଁ ୨୦ ହଜାର ଟଙ୍କା
  • ଜିଲ୍ଲା- ମହାନଗର ନିଗମ ପାଇଁ ରହିଛି ୫୦ ହଜାର ଟଙ୍କ
  • ରାଜ୍ୟ ପାଇଁ ରହିଛି ୨ ଲକ୍ଷ ଟଙ୍କା

ପ୍ରଥମ ଉପବିଜେତା

  • ବ୍ଲକ- ଏନଏସି ଓ ମ୍ୟୁନସିପାଲଟିର ଉପବିଜେତା ପାଇଁ ୧୫ ହଜାର ଟଙ୍କା
  • ଜିଲ୍ଲା- ମହାନଗର ନିଗମ ପାଇଁ ରହିଛି ୩୦ ହଜାର ଟଙ୍କ
  • ରାଜ୍ୟ ପାଇଁ ରହିଛି ୧ ଲକ୍ଷ ଟଙ୍କା

ସେପଟେ ସରକାରଙ୍କ ଏହି କ୍ରୀଡା ପ୍ରତିଯୋଗିତା ଆୟୋଜନ ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ । କିନ୍ତୁ ଶାସକ ଦଳ କହିଛି, ଏବେ କ୍ରୀଡାହବ ପାଲଟିଛି ଓଡିଶା ।

The post ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆରମ୍ଭ ହେବ କ୍ରୀଡା ମହାକୁମ୍ଭ । ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର ରାଶି । କ୍ରୀଡା ବିଭାଗ କଲା ବଡ ଘୋଷଣା । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିରରେ ପାନ ବନ୍ଦ ନେଇ ପ୍ରଶାସନର କଟକଣା ପରେ ବଢ଼ିଲା ବିବାଦ । ସେବାୟତ କହିଲେ, ଜଗନ୍ନାଥ ଖାଆନ୍ତି ପାନ । ଉଠିଲା ପ୍ରଶ୍ନ, ପାନ ଛାଡିବେ ତ ସେବାୟତ ?

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ପାନ, ଗୁଟଖା ସେବନକୁ ବନ୍ଦ କରିବା ପାଇଁ ନିଷ୍ପତି ହୋଇଥିବା ବେଳେ ପାନ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଦଇତାପତି ନିଯୋଗର ସଭାପତି । ରାମକୃଷ୍ଣ ଦାସ ମହାପାତ୍ରଙ୍କ ଯୁକ୍ତି ହେଉଛି, ଠାକୁରଙ୍କ ନିକଟରେ ପାନ ଲାଗି ହେଉଛି । ତେଣୁ ପାନ ବନ୍ଦ କରିବା ବଦଳରେ ଛେପ ପକାଇବାର ବ୍ୟବସ୍ଥା କରାଯାଉ । ଯଦିଓ ଖୁଟଖା, ଜର୍ଦା ଭଳି ସମାଗ୍ରୀକୁ ସେ ମୁକ୍ତକଣ୍ଠରେ ବିରୋଧ କରିଛନ୍ତି ଏବଂ ପ୍ରଶାସନର ନିଷ୍ପତିକୁ ସ୍ୱାଗତ କରିଛନ୍ତି, ତଥାପି ପାନ ଉପରେ କଟକଣା ଲଗାଇବା ପ୍ରସଙ୍ଗରେ ଭିନ୍ନ ମତ ରଖିଛନ୍ତି ।

ଜାନୁଆରୀ ୧ରୁ ଡ୍ରେସକୋର୍ଡ ଭଳି ପାନ ଗୁଟୁଖାକୁ ସଂପୂର୍ଣ୍ଣ ବ୍ୟାନ କରାଯିବ । ଶ୍ରୀମନ୍ଦିର ଭିତରେ କେହି ପାନ ଗୁଟୁଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । ବରାହ ପୁରାଣ ଆଧାରରେ କଟକଣା ଲଗାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ । ତେବେ ବରାହ ପୁରାଣ ଓ ନିଳାଦ୍ରୀ ଶାସ୍ତ୍ରରେ ସେବାୟତଙ୍କ ଲକ୍ଷଣ ସମ୍ପର୍କରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇଥିବା ସୂଚନା ଦେଇଛନ୍ତି ବରିଷ୍ଠ ସେବାୟତ ।

କେବଳ ଯେ, ସେବାୟତ ପାନ ଖାଆନ୍ତି ତାହା ନୁହେଁ ଶ୍ରଦ୍ଧାଳୁ, ସୁରକ୍ଷାକର୍ମୀ ମଧ୍ୟ ପାନ ଖାଇବାର ଦେଖିବାକୁ ମିଳେ । ଆଉ ପାନ ଛେପ ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବାର ମଧ୍ୟ ନଜିର ରହିଛି । ଏଭଳି ସ୍ଥିତିରେ ପାନକୁ ନେଇ ଭିନ୍ନ ମତ ଆସିବା ଚର୍ଚ୍ଚା ସୃଷ୍ଟି କରିଛି । ବଡ଼ କଥା ହେଉଛି, ପୂର୍ବରୁ ମଧ୍ୟ ପାନ ଗୁଟ୍ଖା ଉପରେ କଟକଣା ଲଗାଯାଇଥିଲା । ଆର୍ଥିକ ଦଣ୍ଡର ବ୍ୟବସ୍ଥା କରାଯାଇଥିଲା । ତେଣୁ ପ୍ରଶାସନର ନିଷ୍ପତିକୁ ସ୍ୱାଗତ କରାଯାଉଥିଲେ ମଧ୍ୟ କଡ଼ାକଡ଼ି ଭାବେ ଏହାକୁ ପାଳନ କରିବା ପାଇଁ ଦାବି ହେଉଛି । ଏସବୁ ଭିତରେ ସାମଗ୍ରିକ ଭାବେ ପାନ-ଗୁଟଖାକୁ ବନ୍ଦ କରିବା ନିଷ୍ପତିକୁ ସମସ୍ତେ ସ୍ୱାଗତ କରୁଛନ୍ତି ।

The post ଶ୍ରୀମନ୍ଦିରରେ ପାନ ବନ୍ଦ ନେଇ ପ୍ରଶାସନର କଟକଣା ପରେ ବଢ଼ିଲା ବିବାଦ । ସେବାୟତ କହିଲେ, ଜଗନ୍ନାଥ ଖାଆନ୍ତି ପାନ । ଉଠିଲା ପ୍ରଶ୍ନ, ପାନ ଛାଡିବେ ତ ସେବାୟତ ? first appeared on Kanak News.

from Kanak News
via <a href="https://ifttt.com/?

ଜମି ବିକ୍ରି କରିପାରିବେ ଆଦିବାସୀ । କ୍ୟାବିନେଟର ନିଷ୍ପତି ପରେ ତେଜିଲା ରାଜନୀତି

କନକ ବ୍ୟୁରୋ: ଆଦିବାସୀ ଜମି ବିକ୍ରି ନିୟମ ବଦଳିବା ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏଣିକି ଆଦିବାସୀ ଜମି ହୋଇପାରିବ ହସ୍ତାନ୍ତର । ଆଇନର ସଂଶୋଧନ ହେବା ପରେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚଶିକ୍ଷା, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ । ଏହାସହ ଜଣେ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତି ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

ସରକାରଙ୍କ ନିଷ୍ପତିକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ବିଜେପି ଆଦିବାସୀ ମୋର୍ଚ୍ଚାର ସଭାପତି ନିତ୍ୟାନନ୍ଦ ଗଣ୍ଡ ସରକାରଙ୍କ ନିଷ୍ପତିକୁ କଡା ସମାଲୋଚନା କରିଛନ୍ତି । ରାଜ୍ୟ ସରକାର ଆଦିବାସୀଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ ଆଣିଛନ୍ତି । ଆଦିବାସୀ ନେତା ଲମ୍ବୋଦର କଅଁର ମଧ୍ୟ ସରକାରଙ୍କ ନିଷ୍ପତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତେବେ ଏହି ନିଷ୍ପତି ଆଦିବାସୀଙ୍କ ପାଇଁ ଲାଭଦାୟକ ହେବ ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି ।

The post ଜମି ବିକ୍ରି କରିପାରିବେ ଆଦିବାସୀ । କ୍ୟାବିନେଟର ନିଷ୍ପତି ପରେ ତେଜିଲା ରାଜନୀତି first appeared on Kanak News.

from Kanak News
via <a href="https://ifttt.com/?

କୋଶଳ ରାଜ୍ୟ ପ୍ରସଙ୍ଗରେ ନରସିଂହ-ଖାରବେଳ କଥା କଟାକଟି । ନରସିଂହଙ୍କ ଅଭିଯୋଗ ପରେ କଟାକ୍ଷ କଲେ ଖାରବେଳ

କନକ ବ୍ୟୁରୋ: କଳାକାରଙ୍କ କଳି ସମ୍ପୂର୍ଣ୍ଣ ଥମି ନଥିଲେ ବି ଯେତିକି ଜୋରରେ ଚାଲିଥିିଲା ସେତିକି ଜୋରରେ ଆଉ ଚାଲିନି । କିନ୍ତୁ କଳାକାରଙ୍କ କଳି ଭିତରେ ପଶିଥିବା ରାଜନୀତି ଥମିବାର ନାଁ ନେଉନି । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପୁଣି ଥରେ କୋଶଳ ରାଜ୍ୟ କଥା ଉଠାଇ ବିବାଦକୁ ଉଖାରିଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

ଥମି ଆସୁଥିବା କଳାକାରଙ୍କ କଳି ଭିତରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ବୟାନ ପୁଣି ଥରେ ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି । ନରସିଂହଙ୍କ ଭଳି ଜଣେ ଅନୁଭବି ଓ ବରିଷ୍ଠ ନେତା କୋଶଳ ରାଜ୍ୟ କଥା ଦୋହରାଇବା ଓ ବନ୍ଦ ଡାକରାକୁ ସଫଳ କରିବାକୁ ଆହ୍ୱାନ ଦେବା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । କିନ୍ତୁ ନରସିଂହଙ୍କ ଏଭଳି କଥାକୁ ପଶ୍ଚିମ ଓଡିଶାର ସବୁ ନେତା ମଧ୍ୟ ଗ୍ରହଣ କରିପାରି ନାହାନ୍ତି । କୋଶଳ ରାଜ୍ୟ କଥା ବର୍ତମାନ କାହିଁକି ଉଠାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଭୁପିନ୍ଦର ସିଂ ।

ଓଡିଶା ଦୁଇ ଭାଗ ହୋଇଯିବା କଥା ନରସିଂହ ବାରମ୍ବାର କହିବା ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବରିଷ୍ଠ ନେତା ଐର ଖାରବେଳ ସ୍ୱାଇଁ । ନରସିଂହ ନିଜେ ଭୁବନେଶ୍ୱରରେ ରହୁଥିବା କଥା କହି ପ୍ରଶ୍ନ ଛଳରେ ଖାରବେଳ ତାଙ୍କୁ କଟାକ୍ଷ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଲୋଇସିଂହା ଷ୍ଟାଡିୟମରେ ଏକ ଫୁଟବଲ ମ୍ୟାଚର ଉଦଘାଟନ ଅବସରରେ ପୁଣି କୋଶଲ ରାଜ୍ୟ କଥା ଦୋହରାଇଛନ୍ତି ନରସିଂହ ମିଶ୍ର । ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ଅବହେଳା କରୁଛନ୍ତି, ଟଙ୍କା ମଞ୍ଜୁର ହୋଇଥିଲେ ବି ରିଲିଜ କରୁନଥିବା ଅଭିଯୋଗ ଆଣିଛନ୍ତି ନରସିଂହ । ଏପରିକି ମଧ୍ୟପ୍ରଦେଶ ଓ ଛତିଶଗଡର ଉଦାହରଣ ଦେଇ, ପଶ୍ଚିମ ଓଡ଼ିଶାର ଦାବିକୁ ଅଣଦେଖା କଲେ ଓଡ଼ିଶା ଦୁଇଭାଗ ହୋଇଯିବ ବୋଲି କହିଛନ୍ତି ବଲାଙ୍ଗୀର ବିଧାୟକ ।

The post କୋଶଳ ରାଜ୍ୟ ପ୍ରସଙ୍ଗରେ ନରସିଂହ-ଖାରବେଳ କଥା କଟାକଟି । ନରସିଂହଙ୍କ ଅଭିଯୋଗ ପରେ କଟାକ୍ଷ କଲେ ଖାରବେଳ first appeared on Kanak News.

from Kanak News
via <a href="https://ifttt.com/?

ସୁବ୍ରତ ରାୟଙ୍କ ମୃତ୍ୟୁ ପରେ ଚିନ୍ତାରେ ଜମାକାରୀ । କେମିିତି ଫେରିପାଇବେ ଜମା ଟଙ୍କା ବଢ଼ିଲା ଆଶଙ୍କା । ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ

କନକ ବ୍ୟୁରୋ: ସାହାରା ଜମାକାରୀ ଫେରିପାଇବେ ତ ଟଙ୍କା? ସାହାରା ଇଣ୍ଡିଆର ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ ପରେ କିଛି ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଦେଶରେ ଲକ୍ଷ ଲକ୍ଷ ଜମାକାରୀଙ୍କ ଟଙ୍କା ସାହାରା ଇଣ୍ଡିଆରେ ଫସିରହିଛି । ଆଉ ଏହାରି ଭିତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ପୋର୍ଟାଲ ଖୋଲି କ୍ଷୁଦ୍ର ଜମାକାରୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ଦେବା ପ୍ରକ୍ରିୟା ଆରମ୍ଭ କରିଥିଲେ । କିନ୍ତୁ ଏବେ କମ୍ପାନୀ ମୁଖ୍ୟଙ୍କ ପରଲୋକ ପରେ ଭୟ ଓ ଆଶଙ୍କାରେ ରହିଛନ୍ତି ଜମାକାରୀ ।

ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକର ୨୪ ଘଣ୍ଟା ନପୁରୁଣୁ ବ୍ରହ୍ମପୁର ସାହାରା ଅଫିସ ଆଗରେ ଜମାକାରୀ ବିକ୍ଷୋଭ କରିଛନ୍ତି । ସାହାରଶ୍ରୀଙ୍କ ପରଲୋକ ପରେ ଭୟ ଓ ଆଶଙ୍କା ଭିତରେ ଅଛନ୍ତି ସାହାରା ଜମାକାରୀ । ସାହାରା ନିବେଶକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରିଛି ।

  • ନିବେଶକ ଫେରିପାଇବେ କି ଟଙ୍କା?
  • ବଢିଲା କ୍ଷୁଦ୍ର ଜମାକାରୀଙ୍କ ଚିନ୍ତା

ସୁବ୍ରତ ରାୟ ସାହାରା ଇଣ୍ଡିଆ ପରିବାରର ପ୍ରତିଷ୍ଠା କରିଥିଲେ । ଏବେ ତାଙ୍କର ପରଲୋକ ପରେ ଗାଁରେ ରହୁଥିବା ଛୋଟ ଜମାକାରୀଙ୍କ କଣ ହେବ ସେ ନେଇ ଅନେକ ପ୍ରଶ୍ନ ଉଠିଛି । ବ୍ରହ୍ମପୁରରେ ଜମାକାରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାର ଶେଷ ଭରସା ବୋଲି କହିଛନ୍ତି । ଟଙ୍କା ଫେରାଇବାରେ ବିଳମ୍ବ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

କେବଳ ବ୍ରହ୍ମପୁର ନୁହେଁ ସାରା ରାଜ୍ୟରେ ସାହାରା ଜମାକାରୀଙ୍କ ସେହି ଗୋଟିଏ ଚିନ୍ତା, ଟଙ୍କା ମିଳିବ କେବେ? ସାରା ଦେଶରେ ଲକ୍ଷ ଲକ୍ଷ ଜମାକାରୀଙ୍କ ଟଙ୍କା ସାହାରା ଇଣ୍ଡିଆରେ ଫସି ରହିଛି । ଏପରିକି ମ୍ୟାଚ୍ୟୁରିଟି ପରେ ଟଙ୍କା ମିଳୁନଥିଲା । ଆଉ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଜମାକାରୀଙ୍କ ମଧ୍ୟରେ ଆଶା ସଂଚାର ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୁଲାଇରେ ସାହାରା ରିଫଣ୍ଡ ପୋର୍ଟାଲ ଲଞ୍ଚ୍ କରିଥିଲେ । ଏହି ପୋର୍ଟାଲରେ ଜମାକାରୀ ୧୦ ହଜାର ଯାଏଁ ଟଙ୍କା ଫେରସ୍ତ ପାଇପାରିବେ । ଦେଶରେ ଏଭଳି ପ୍ରାୟ ୪ କୋଟି ଜମାକାରୀ ଅଛନ୍ତି , ଯେଉଁମାନେ ୧୦ ହଜାର ଟଙ୍କା ପାଇବାକୁ ଦାବିଦାର ଅଟନ୍ତି । ଅଗଷ୍ଟ ସୁଦ୍ଧା ୧୮ ଲକ୍ଷ ଲୋକ ଟଙ୍କା ପାଇବାକୁ ଆବେଦନ କରିସାରିଛନ୍ତି । ଏବେ ସାହାରାଶ୍ରୀଙ୍କ ପରଲୋକ ପରେ ଜମାକାରୀ ଚିନ୍ତାରେ ଅଛନ୍ତି ପୋର୍ଟାଲରେ ପଞ୍ଜିକରଣ ପରେ ବି ଟଙ୍କା ମିଳିବ ନା ନାହିଁ ।

ବର୍ତ୍ତମାନ ସାହାରା ଆଣ୍ଡିଆରେ ଜମା ହୋଇଥିବା ନିବେଶକଙ୍କ ଟଙ୍କା ସେବି ପାଖରେ ଅଛି । ଆଉ ଏହି ଟଙ୍କା ଅନଲାଇନରେ ଆବେଦନ କରିଥିବା ଜମାକାରଙ୍କୁ ହିଁ ମିଳିବ । ଏବେ ସୁବ୍ରତ ରାୟଙ୍କ ପରଲୋକ ପରେ ଜମାକାରୀଙ୍କ ଭୟ ଦୂର କରିବାକୁ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି ସେ ଉପରେ ସମସ୍ତଙ୍କ ନଜର ରହିଛି ।

The post ସୁବ୍ରତ ରାୟଙ୍କ ମୃତ୍ୟୁ ପରେ ଚିନ୍ତାରେ ଜମାକାରୀ । କେମିିତି ଫେରିପାଇବେ ଜମା ଟଙ୍କା ବଢ଼ିଲା ଆଶଙ୍କା । ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ first appeared on Kanak News.

from Kanak News
via <a href="https://ifttt.com/?

ସାରାଦେଶରେ କ୍ରିକେଟ ଫିଭର । ଟିଭି ପରଦାରେ ଅଟକିଛି ସମସ୍ତଙ୍କ ନଜର । ଚା ଖଟିଠୁ ହୋଟେଲ ପର୍ଯ୍ୟନ୍ତ ସବୁଠି ଚାଲିଛି ଚର୍ଚ୍ଚା

କନକ ବ୍ୟୁରୋ: ସାରାଦେଶରେ କ୍ରିକେଟର ଫିଭର । ଗାଁଠୁ ସହର, ସବୁଠି ଦେଖିବାକୁ ମିଳିଥିଲା ଗୋଟିଏ ଦୃଶ୍ୟ । କ୍ରିକେଟ ଖେଳ ଦେଖିବା ପାଇଁ ଟିଭି ଆଗରେ ଲାଗିଥିଲା ଭିଡ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଲକ୍ଷ ଲକ୍ଷ ଦର୍ଶକଙ୍କ ସମେତ ଦେଶର କୋଟି କୋଟି କ୍ରିକେଟ ପ୍ରେମୀଙ୍କ ନଜର ଟିଭି ପରଦା ଉପରେ ଅଟକି ଥିଲା । ଆଉ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଟିମ୍ ଆଗରେ ବିଶାଳ ରନର ଟାର୍ଗେଟ ଦେବା ପରେ ଖୁସିରେ ବିଭୋର ହୋଇ ଉଠିଥିଲେ ଭାରତୀୟ ।

କେବଳ ଟିଭି ପରଦା ନୁହେଁ ଯିଏ ଯେଉଁଠି ଥିଲେ ବି କ୍ରିକେଟରେ ମସଗୁଲ ଥିଲେ । ଚା ଖଟିରେ ହେଉ କି ଛକ ବଜାରରେ ହାତରେ ଥିବା ମୋବାଇଲରେ ଭାରତ- ନ୍ୟୁଜିଲାଣ୍ଡର ମ୍ୟାଚ ଦେଖୁଥିଲେ କ୍ରିକେଟ ପ୍ରେମୀ । ଆଉ ମଜା ଉଠାଉଥିଲେ । ତେବେ ଆଜି ସକାଳୁ ଆରମ୍ଭ ହୋଇ ଯାଇଥିଲା ଉତ୍ସବର ମାହୋଲ । ଦେଶର ବିଭିନ୍ନ ସ୍ଥାନରେ ଭାରତର ବିଜୟ କାମନା କରି ପୂଜାର୍ଚ୍ଚନା କରାଯାଇଥିଲା । ହୋମ ଯଜ୍ଞ ହୋଇଥିଲା । ଭାରତୀୟ କ୍ରିକେଟ ଟିମର ଜର୍ସି ପିନ୍ଧି ଆଗୁଆ ଉତ୍ସବ ମନାଇଥିଲେ ।

The post ସାରାଦେଶରେ କ୍ରିକେଟ ଫିଭର । ଟିଭି ପରଦାରେ ଅଟକିଛି ସମସ୍ତଙ୍କ ନଜର । ଚା ଖଟିଠୁ ହୋଟେଲ ପର୍ଯ୍ୟନ୍ତ ସବୁଠି ଚାଲିଛି ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started