ଘରେ କେହି ନଥିବା ବେଳେ ଆଲମିରା ଖୋଲି ଲକ୍ଷେ ଟଙ୍କା ଚୋରିକଲା କାମବାଲି । ସିସିଟିଭିରେ କଏଦ ହେଲା ଟଙ୍କା ଗଣିବାର ଦୃଶ୍ୟ

କନକ ବ୍ୟୁରୋ : ଭୁବନେଶ୍ୱର ଜଗନ୍ନାଥନଗରର ରୋଡ ନମ୍ବର ୪ ପ୍ଲଟ ନମ୍ବର ୧୫୩୫-୩୮୨୯ । ଏଠାରେ ରୁହନ୍ତି ବିଭୁ ପ୍ରସାଦ ମହାପାତ୍ର । ଘର କାମ ପାଇଁ ମାସିକ ୪ ହଜାର ଟଙ୍କା ଦେଇ କାମବାଲୀ ରଖିଥିଲେ । ହେଲେ ଏହି କାମବାଲୀ କେବଳ ବାସନ ଆଉ ଘର ସଫା କରେନାହିଁ, ଘରେ କେହି ନଥିବା ବେଳେ ଦାମୀ ଜିନିଷ ବି ସଫା କରିଦିଏ । ଭରସା ଓ ବିଶ୍ୱାସରେ କାମବାଲୀ ହାତରେ ଘରର ଚାବିକାଠି ଦେଇ ଦିଅନ୍ତି ଘର ମାଲିକ, କିନ୍ତୁ ବିଶ୍ୱାସରେ ବିଷ ଦେଇ ପଛ ପଟେ ଛୁରି ଭୁଶନ୍ତି । ଆଉ ଏହି କାମବାଲୀର କାରନାମା ଶୁଣିଲେ ଆପଣଂକ ହୋସ ଉଡିଯିବ । ଦେଖନ୍ତୁ କେମିତି ବେଡରୁମର କପବୋର୍ଡ ଖୋଲି ଗୋଟିଏ ପରେ ଗୋଟିଏ ନୋଟ ଗଣି ଚାଲିଛି ସରଳ ଦେଖାଯାଉଥିବା ଏହି କାମବାଲୀ । ଯେମିତି କାହାର ସନ୍ଦେହ ନହେବ ସେଥିପାଇଁ ବିଡା ବିଡା ଟଙ୍କା ଧରି ସେଥିରୁ ଅଧା କାଢି ନେଉଛି ଆଉ ବାକି ଟଙ୍କାକୁ ସେହି ପର୍ସ ଭିତରେ ପୁଣିଥରେ ଭର୍ତି କରି ରଖିଦେଉଛି । ପାଖାପାଖି ଲକ୍ଷେ ଟଙ୍କା ଚଳୁ କରିବା ପରେ, କପବୋର୍ଡରେ ଲାଗିଥିବା ହିଡେନ କ୍ୟାମେରାରେ ସବୁ କାରନାମା କଏଦ ହୋଇଛି । ଅଭିଯୋଗ ପାଇବା ପରେ ଲକ୍ଷ୍ମୀସାଗର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ଚନ୍ଦ୍ରଶେଖରପୁର ଥାନା ଅଧିନରେ ପୁଣି ଏକ ଲୁଟ ନେଇ ଅଭିଯୋଗ ହୋଇଛି । ଘର ଭିତରେ ପଶି ସୁନା ଗହଣା ଓ ଟଙ୍କା ଲୁଟ କରିବା ସହ ଡ୍ରେସିଂ ଟେବୁଲ ,ଟିଭି, ଆଲମାରୀ ଓ କପବୋର୍ଡକୁ ଭଙ୍ଗାରୁଜା କରିଛନ୍ତି ଲୁଟେରା । ମହିଳା ଜଣକ ଘର ବାହାରକୁ ଯାଇଥିବା ବେଳେ ଦୁର୍ବୁତମାନେ ଘର ଭିତରେ ପଶି କଳାକନା ବୁଲାଇ ଦେଇଥିବା ମହିଳା କହିଛନ୍ତି । ଏଭଳି ଘଟଣା ପରେ ନିଜର ସୁରକ୍ଷାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଆଉ ନ୍ୟାୟ ମିଳିଲା ପରେ ରାଜଧାନୀ ଛାଡି ଗାଁକୁ ପଲାଇବେ ବୋଲି ନିଷ୍ପତି ନେଇଛନ୍ତି ।

କିଛିଦିନ ହେବ ରାଜଧାନୀରେ ଚୋର ଆଉ ଡକାୟତଙ୍କ ଆତଙ୍କ ଖେଳାଇ ଥିବା ବେଳେ ନାକେଦମ ହୋଇଛି କମିସନରେଟ୍ ପୁଲିସ । ପ୍ରତିଦିନ ଏପରି ଖବର ଦେଖିବା ପରେ ଏବେ ପୁଲିସ ଉପରୁ ଆସ୍ଥା ହରାଇ ସାରିଲେଣି ରାଜଧାନୀବାସୀ । କେତେବେଳେ କାହା ପାଳି ପଡିବ ଆଉ କିଏ ହେବ ନେକ୍ସଟ ଟାର୍ଗେଟ ସେହି ଭୟରେ ସମସ୍ତେ ।

The post ଘରେ କେହି ନଥିବା ବେଳେ ଆଲମିରା ଖୋଲି ଲକ୍ଷେ ଟଙ୍କା ଚୋରିକଲା କାମବାଲି । ସିସିଟିଭିରେ କଏଦ ହେଲା ଟଙ୍କା ଗଣିବାର ଦୃଶ୍ୟ first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଫେରିବ ଭକ୍ତକବି ମଧୁସୂଧନ ରାଓଙ୍କ ବର୍ଣ୍ଣବୋଧ । ଅବିକଳ ପ୍ରକାଶ କରିବେ ସରକାର, ମୁଦ୍ରଣ ପାଇଁ ଓଡ଼ିଶା ଭାଷା ପ୍ରତିଷ୍ଠାନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଭକ୍ତକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ଓଡ଼ିଆ ଶିକ୍ଷାର ଏନ୍ତୁଡିଶାଳ । ଏହି ପୁସ୍ତକ ସହ ପ୍ରତ୍ୟେକ ଓଡ଼ିଆଙ୍କର ଭାବ ପ୍ରବଣତା ଯୋଡି ହୋଇ ରହିଛି । ଖୁସିର କଥା ହେଉଛି, ହଜି ଯାଇଥିବା ମଧୁସୂଦନ ରାଓଙ୍କ ମୂଳ ବର୍ଣ୍ଣବୋଧ ପୁଣି ଥରେ ପ୍ରକାଶ କରିବେ ସରକାର । ଏଥିପାଇଁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡିଆ ଭାଷା ପ୍ରତିଷ୍ଠାନକୁ ବର୍ଣ୍ଣବୋଧର ମୂଳ କପି ସଂଗ୍ରହ ଓ ସଂପାଦନ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ମଧୂସୂଦନ ରାଓଙ୍କ ପରିବାରଠୁ ମୂଳ କପି ସଂଗ୍ରହ କରିବା ସହିତ ଏକ କମିଟି କରାଯାଇ ଡ୍ରାଫ୍ଟ ପ୍ରସ୍ତୁତ କରାଯାଉଛି । ଡିସେମ୍ବର ୩୧ ସୁଦ୍ଧା ମୁଦ୍ରଣ ଶେଷ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ।

ମୂଳ ବର୍ଣ୍ଣବୋଧରେ କୌଣସି ପରିବର୍ତନ ହେବନାହିଁ । ଏହାର ଅବିକଳ ମୁଦ୍ରଣ କରାଯିବ । ବର୍ତମାନ ସମୟରେ ପ୍ରାସଙ୍ଗିକତା ନଥିବା ଶବ୍ଦକୁ ହଟେଇ ଦଆଯିବ, କିନ୍ତୁ ପୁସ୍ତକର ଶେଷରେ ସେଗୁଡିକୁ ସ୍ଥାନିତ କରାଯିବ, ଯାହାଦ୍ୱାରା ପିଲାମାନେ ମୂଳ ବର୍ଣ୍ଣବୋଧରେ ଥିବା ଶବ୍ଦଗୁଡିକ ବିଷୟରେ ଜାଣିପାରିବେ ।

ସେହିଭଳି ମୁଦ୍ରଣ ପରେ ଓସେପା ମାଧ୍ୟମରେ ରାଜ୍ୟର ପ୍ରାଥମିକ ସ୍କୁଲର ପିଲାମାନଙ୍କ ପାଖକୁ ପଠାଯିବ । ଏହାଛଡା ଓଡିଶା ପରିବାର ଜରିଆରେ ଓଡିଶା ବାହାରେ ଏବଂ ଦେଶ ବାହାରେ ଯେଉଁ ପିଲାମାନେ ରହୁଛନ୍ତି , ସେମାନଙ୍କ ପାଖକୁ ଭର୍ଚୁଆଲ ବର୍ଣ୍ଣବୋଧ ପହଁଚାଇବାକୁ ଯୋଜନା କରୁଛି ଭାଷା ପ୍ରତିଷ୍ଠାନ ।

ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ସଂଶୋଧୀତ ବର୍ଣ୍ଣବୋଧରେ ଅନେକ ତ୍ରୁଟି ଥିବା ଅଭିଯୋଗ ଆସିଥିଲା ଏବଂ ଏହାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ ହୋଇଥିଲା । ମାନ୍ୟବର ହାଇକୋର୍ଟଙ୍କ ସଂଶୋଧିତ ବର୍ଣ୍ଣବୋଧ ଉପରେ ରହିତାଦେଶ ପରେ, ମୂଳ ବର୍ଣ୍ଣବୋଧକୁ ଅଧାର କରି ପୁଣି ଥରେ ମୁଦ୍ରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

The post ପୁଣି ଫେରିବ ଭକ୍ତକବି ମଧୁସୂଧନ ରାଓଙ୍କ ବର୍ଣ୍ଣବୋଧ । ଅବିକଳ ପ୍ରକାଶ କରିବେ ସରକାର, ମୁଦ୍ରଣ ପାଇଁ ଓଡ଼ିଶା ଭାଷା ପ୍ରତିଷ୍ଠାନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ବସ୍ ଧର୍ମଘଟ୍ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ । ସରକାର ମାନିନେଲେ ସଂଘର ଦାବି ।

କନକ ବ୍ୟୁରୋ: ବସ୍ ଧର୍ମଘଟ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ । ଆଜି ସଚିବାଳୟରେ ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ବସ୍ ଧର୍ମଘଟକୁ ସଂଘ ପ୍ରତ୍ୟାହାର କରିଛି । ଏନେଇ ଖୋଦ୍ ଘରୋଇ ବସ୍ ମାଲିକ ସଂଘ ଗଣମାଧ୍ୟମକୁ ସୂଚନା ଦେଇଛି । ତେବେ ଘରୋଇ ବସ୍ ମାଲିକ ସଂଘ ଲକ୍ଷ୍ମୀ ବସର ଚଳାଚଳକୁ ନେଇ ଧର୍ମଘଟର ଡାକରା ଦେଇଥିଲା । ହେଲେ ଏବେ ଲକ୍ଷ୍ମୀ ବସକୁ ନେଇ ସଂଘ କରିଥିବା କିଛି ଦାବିକୁ ସରକାର ମାନି ନେଇଥିବା ଜଣାପଡିଛି । ଏହାବାଦ୍ ଘରୋଇ ବସ୍ ମାଲିକ ସଂଘ ଏବଂ ସରକାରଙ୍କ କିଛି ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଯେଉଁ କମିଟି କି ମୋ ବସର ରିଭ୍ୟୁ କରି ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ଦେବ ।

https://platform.twitter.com/widgets.js

The post ବସ୍ ଧର୍ମଘଟ୍ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ । ସରକାର ମାନିନେଲେ ସଂଘର ଦାବି । first appeared on Kanak News.

from Kanak News
via <a href="https://ifttt.com/?

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୁଦୃଶ୍ୟ ହେଲା ଲଘୁଚାପ କ୍ଷେତ୍ର । କାଲି ନେଇପାରେ ଅବପାତର ରୂପ, ଡିସେମ୍ବର ୨ରେ ବାତ୍ୟା ଆଶଙ୍କା

କନକ ବ୍ୟୁରୋ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ହୋଇଛି ଲଘୁଚାପ କ୍ଷେତ୍ର । ଏହା ଅଧିକ ଘନୀଭୂତ ହୋଇ ୩୦ତାରିଖରେ ନେବ ଅବପାତର ରୂପ । ଦୁଇ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣପୂର୍ବ ବଂଗୋପସାଗରର ଆଖପାଖ ଅଂଚଳରେ ବାତ୍ୟାର ରୂପ ନେଇପାରେ । ଏମିତି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । । ତେବେ ବାତ୍ୟାର ଗତିପଥ ନେଇ ଏପର୍ଯ୍ୟନ୍ତ ବିସ୍ତୃତ ତଥ୍ୟ ମିଳିନାହିଁ । ଏପରିକି ତୀବ୍ରତା ନେଇ ମଧ୍ୟ କୌଣସି ତଥ୍ୟ ଜଣାପଡିନାହିଁ ।

ଲଘୁଚାପ କ୍ଷେତ୍ରର ଗତିବିଧି ଉପରେ ମଧ୍ୟ ଆଇଏମଡି ସତର୍କ ନଜର ରଖିଛି । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ଭାବରେ ପଡି ନପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ଓଡିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ । ତେଣୁ ୧ତାରିଖରୁ କେନ୍ଦ୍ରୀୟ ବଂଗୋପସାଗର ଅଂଚଳର ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି ।

ଓଡିଶା ଉପରେ ବାତ୍ୟାର ପ୍ରଭାବ ପଡିବନି ବୋଲି କୁହାଯାଉଥିଲେ ବି ୭ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଚିଠିରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସଜାଗ ରହିବାକୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧ ଓ ଗଂଜାମ ଜିଲ୍ଲାପାଳନଙ୍କୁ ନର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଭୟଭୀତ ନହୋଇ କଟା ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ । ଏବଂ ସତର୍କ ସୂଚନା ଆସିବା ପରେ ଆଡଭାଇରଜରୀ ଜାରି କରାଯିବ ବୋଲି କୃଷି ସଚିବ କହିଛନ୍ତି ।

The post ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୁଦୃଶ୍ୟ ହେଲା ଲଘୁଚାପ କ୍ଷେତ୍ର । କାଲି ନେଇପାରେ ଅବପାତର ରୂପ, ଡିସେମ୍ବର ୨ରେ ବାତ୍ୟା ଆଶଙ୍କା first appeared on Kanak News.

from Kanak News
via <a href="https://ifttt.com/?

ଖୋଲୁଛି ଆଇଆଇସି ସୁଶାନ୍ତ ଶତପଥୀଙ୍କ କଳାକାରନାମାର ଗୁମର । କ୍ୟାରିୟରରେ ଲାଗିଥିଲା ଏକାଧିକ ବ୍ଲାକ୍ ମାର୍କ । ତଥାପି ପାଇଥିଲେ ପ୍ରମୋସନ

କନକ ବ୍ୟୁରୋ: ଖୋଲୁଛି ଗିରଫ ବୈପାରୀଗୁଡା ଥାନା ଅଧିକାରୀଙ୍କ କଳାକାରନାମା । ଆଇଆଇସିଙ୍କ ଘରୁ, କ୍ୱାର୍ଟର ଓ ବସରୁ ୩୭ ଲକ୍ଷ ନଗଦ ଟଙ୍କା ଜବତ ହେବା ପରେ ଏବେ ଗୋଟିଏ ପରେ ଗୋଟିଏ କାରନାମା ସାମ୍ନାକୁ ଆସୁଛି । ୩ ଜିଲ୍ଲାର ଏସପି ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ନାଁରେ ଏକାଧିକ ପ୍ରୋସିଡିଙ୍ଗ ଓ ବ୍ଲାକମାର୍କ ଥିଲା । ତାସତ୍ୱେ ସେ ପ୍ରମୋଶନ କିଭଳି ପାଇଲେ ତାହା ବଡ ପ୍ରଶ୍ନ ସୃଷ୍ଟି କରିଛି ।

  • ଖୋଲୁଛି ପୁଲିସବାବୁଙ୍କ ଗୁମର
  • ସୁଶାନ୍ତଙ୍କ ନାଁରେ ଥିଲା ବ୍ଲାକମାର୍କ

ସରକାରୀ ଘରୁ , ବସ ଓ ଅଫିସ ଚାମ୍ବରରୁ ନଗଦ ୩୭ ଲକ୍ଷ ଟଙ୍କା ମିଳିବା ପରେ ଏବେ ଚର୍ଚ୍ଚାରେ ଗିରଫ ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀ । ଧୀରେ ଧୀରେ ଖୋଲୁଛି ଏହି ଥାନା ଅଧିକାରୀଙ୍କ ଚିଠା । ସେ ୧୯୯୯ ମସିହାରେ କନଷ୍ଟେବଳ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ୨୦୦୮ରେ ପରୀକ୍ଷା ଦେଇ ସିଧାସଳଖ ଏସଆଇ ପାହ୍ୟା ପାଇଥିଲେ । ୩ ଜିଲ୍ଲାର ଏସପିଙ୍କ ନିର୍ଦ୍ଦେଶରେ ତାଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ କରାଯାଇଥିଲା । ତାଙ୍କ ନାଁରେ ରହିଥିଲା ଏକାଧିକ ପ୍ରୋସିଡିଙ୍ଗ ଓ ବ୍ଲାକମାର୍କ ।

  • ୨୦୧୨ରେ ଜଗତସିଂହପୁର ଏସପିଙ୍କ ସୁଶାନ୍ତଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
  • ୨୦୧୮ରେ କଟକ ଏସପି ବି ଏଭଳି ନିର୍ଦ୍ଦେଶ ଦେଇଥିଲେ
  • ୨୦୨୦ରେ ରାୟଗଡା ଏସପି ସୁଶାନ୍ତଙ୍କୁ ତାଗିଦ ପରେ ସସପେଣ୍ଡ କରିଥିଲେ
  • ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବି ନିଆଯାଇଥିଲା

ତେବେ ପ୍ରଶ୍ନ ଉଠୁଛି, ଏଭଳି ବ୍ଲାକମାର୍କ ଓ ପ୍ରୋସିଡିଙ୍ଗ ସତ୍ୱେ ୨୦୨୩ରେ ଆଇଆଇସି ପଦବକୁ ପ୍ରମୋସନ ପାଇଲେ କିଭଳି? ଏହାପଛରେ କାହାର ହାତ ଥିଲା? ଗଂଜେଇ ଚୋରାଚାଲଣର ହବ୍ କୁହାଯାଉଥିବା ବୈପାରୀଗୁଡା ଥାନାରେ ସୁଶାନ୍ତ ଆଇଆଇସି କେମିତି ହେଲେ ତାହା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

  • ବିଜେପି ଆଣିଲା ସାଂଘାତିକ ଅଭିଯୋଗ
  • ଗିରଫ ଥାନା ଅଧିକାରୀଙ୍କ ଥିଲା ଓଲିଉଡ ଲିଙ୍କ୍!

ସେପଟେ ବିଜେପି ଗିରଫ ଥାନା ଅଧିକାରୀଙ୍କ ନାଁରେ ଅନେକ ସାଂଘାତିକ ଅଭିଯୋଗ ଆଣିଛି । ସୁଶାନ୍ତଙ୍କ ଥିଲା ଫିଲ୍ମ ସଉକ । କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଏନେଇ ଅଭିଯୋଗ କରିଛି ବିଜେପି । ଏହା ସହ ସେ ଅଭିନୟ କରିଥିବା ଫିଲ୍ମର ଫଟୋ ମଧ୍ୟ ଜାରି କରିଛି ବିଜେପି । ଚଳଚ୍ଚିତ୍ରରେ କେତେ ଟଙ୍କା ଲାଗିଛି, ତାର ତଦନ୍ତ କରିବାକୁ ଦାବି କରିଛି ବିଜେପି । ତେବେ ପ୍ରକୃତରେ ସୁଶାନ୍ତଙ୍କ ଟଙ୍କା ଲାଗିଛି କି ନାହିଁ, ତହା ସ୍ପଷ୍ଟ ହୋଇନି । ସୁଶାନ୍ତଙ୍କ ପଛରେ କିଛି ନେତା ଓ ମନ୍ତ୍ରୀଙ୍କ ହାତ ଥିବା ବି ଅଭିଯୋଗ ଆଣିଛି ଦଳ । କନଷ୍ଟେବଳରୁ ସେ କିଭଳି ଆଇଆଇସି ହେଲେ ତା ପଛରେ ଓପିଏସସି ଜବ ରାକେଟର ଅଭିଯୋଗ ଆଣିଛି ବିଜେପି । ଆଉ ଏହାର ଜବାବ ରଖିଛି ବିଜେଡି ।

ସୁଶାନ୍ତ ଶତପଥୀ ଇନସ୍ପେକ୍ଟର ଭାବେ ପଦୋନ୍ନତି ପାଇ କୋରାପୁଟ ଜିଲ୍ଲାକୁ ଆସିଥିଲେ । ଅଗଷ୍ଟ ୨୦, ୨୦୨୩ରେ ବୈପାରୀଗୁଡା ଥାନା ଆଇଆଇସି ଭାବେ ଯୋଗଦେଇଥିଲେ । ବ୍ଲାକମାର୍କ ଓ ପ୍ରୋସିଡିଙ୍ଗ ଯୋଗୁଁ ତାଙ୍କ ପଦୋନ୍ନତି ବିଳମ୍ବ ହୋଇଥିଲା । ପ୍ରଶ୍ନ ଉଠୁଛି…

  • ବିବାଦ ସତ୍ତ୍ୱେ କଳାଦାଗ ଥିବା ଅଫିସରଙ୍କୁ କେମିତି ପଦୋନ୍ନତି ପାଇଲେ?
  • କାହା ଛତ୍ରଛାୟାତଳେ ଥିଲେ ଏହି ବିବାଦୀୟ ଅଫିସର?
  • ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଅଭିନୟରେ କିଏ ଲଗାଉଥିଲା ଟଙ୍କା?

The post ଖୋଲୁଛି ଆଇଆଇସି ସୁଶାନ୍ତ ଶତପଥୀଙ୍କ କଳାକାରନାମାର ଗୁମର । କ୍ୟାରିୟରରେ ଲାଗିଥିଲା ଏକାଧିକ ବ୍ଲାକ୍ ମାର୍କ । ତଥାପି ପାଇଥିଲେ ପ୍ରମୋସନ first appeared on Kanak News.

from Kanak News
via <a href="https://ifttt.com/?

ସ୍କୁଟିରେ କଲେଜ ଯାଉଥିବା ବେଳେ ଓଭରବ୍ରିଜରେ ମାଡ଼ିଗଲା ଟ୍ରକ । ଓୟୁଟିଆରର ବି-ଟେକ୍ ଛାତ୍ର ପ୍ରତ୍ୟୁତପର୍ଣ୍ଣ ଦାସଙ୍କ ମୃତ୍ୟୁ । ପରିବାର ଉପରେ ଭାଙ୍ଗି ପଡ଼ିଲା ଦୁଃଖର ପାହାଡ଼

କନକ ବ୍ୟୁରୋ: ସବୁଦିନ ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଭୁବନେଶ୍ୱର ବାଣୀବିହାରରୁ ହଂସପାଳ ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ ହୋଇଥାଏ । କଲେଜ ଓ ଅଫିସ ଟାଇମ ହୋଇଥିବାରୁ ରାସ୍ତାରେ ଭିଡ ହୋଇଥାଏ । ଆଜି ବି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଏହି ରାସ୍ତାରେ ଟ୍ରାଫିକ୍ ଜାମ ହୋଇଥିଲା କିନ୍ତୁ ଟ୍ରାଫିକ୍ ଜାମର କାରଣ ଥିଲା ଭିନ୍ନ । ବାଣୀବିହାର ଓଭର ବ୍ରିଜରେ ଜଣେ ଛାତ୍ର ଉପରେ ମାଡି ଯାଇଥିଲା ଟ୍ରକ୍ । ଆଉ ଦୁର୍ଘଟଣା ପରେ ଯେଉଁ ଦୁଃଖ କାହାଣୀ ସାମନାକୁ ଆସିଥିଲା, ତାହା ଛାତିକୁ ଥରାଇ ଦେଇଥିଲା ।

ଭୁବନେଶ୍ୱର ବାଣୀବିହାର ଓଭରବିଜ୍ର ଉପରେ ପଡିଥିଲା ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ । ପାଖରେ ପଡିଥିଲା ଏକ ସ୍କୁଟି ଓ ଭଙ୍ଗା ମୋବାଇଲ । ଏହି ଦୃଶ୍ୟ ଦେଖି ସ୍ତବ୍ଧ ହୋଇ ଯାଇଥିଲେ ବାଟରେ ଯାଉଥିବା ଲୋକ । ଅଟକି ଯାଇଥିଲା ଶହ ଶହ ସଂଖ୍ୟାରେ ଗାଡ଼ି ।

ସକାଳ ପ୍ରାୟ ସାଢ଼େ ୯ଟା

ସ୍ଥାନ- ବାଣୀବିହାର ଓଭରବ୍ରିଜ

ପ୍ରତ୍ୟୁତପର୍ଣ୍ଣ ଦାସ ଓରଫ ଶିବୁନ । ଓୟୁଟିଆରର ବିଟେକ୍ ଇଲେକଟ୍ରୋନିକ୍ସ ଇଂଜିନିୟରିଂ ବିଭାଗର ପ୍ରଥମ ବର୍ଷର ଛାତ୍ର । ଜିଜିପି କଲୋନୀରେ ରହୁଥିବା ଶିବୁନ୍ ଘରୁ ବାହାରି କଲେଜ ଯାଉଥିଲେ । ଅନ୍ୟ ଦିନମାନଙ୍କ ଭଳି ଆଜି ବି ସ୍କୁଟି ଚଳାଇ ରସୁଲଗଡ ପଟୁ ଯାଉଥିବା ବେଳେ ବାଣୀବିହାର ଓଭରବ୍ରିଜ ନିକଟରେ ଯିବା ସମୟରେ ଅଚାନକ ପଛରୁ ଧକା ଦେଇଥିଲା ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ । ତଳେ ପଡିଯାଇଥିଲେ ଶିବୁନ । ଆଉ ତାଙ୍କ ଉପରେ ମାଡି ଯାଇଥିଲା ଗାଡିର ଚକ ।

ପାଠପଢ଼ାରେ ମେଧାବୀ ଥିଲେ ଶିବୁନ୍ । ଗତ ରାତିରେ ତାଙ୍କ ସମ୍ପର୍କୀୟଙ୍କ ଜନ୍ମଦିନରେ ବେଶ୍ ଖୁସି ମନାଇଥିଲେ । ଛାଡଖାଇ ପାଇଁ ଶୀଘ୍ର ଘରକୁ ଫେରିବେ କହି କଲେଜ ବାହାରି ଯାଇଥିଲେ । କିନ୍ତୁ ବାଟରେ ଛକିଥିଲା ମୃତ୍ୟୁର ଟ୍ରକ ।

ତେବେ ଟ୍ରକ ମାଡିଯିବାରୁ ଜଣେ ମେଧାବୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ପରିବାର ଉପରେ ଓଜାଡି ହୋଇ ପଡିଛି ଦୁଃଖର ପାହାଡ଼ । ବାପା ପ୍ରଦତ କୁମାର ଦାସ, ବାହାରେ ରୁହନ୍ତି । ପୁଅର ମୃତ୍ୟୁ ଖବର ପାଇବା ପରେ ମାଆ ଅନ୍ନପୂର୍ଣ୍ଣା ଦାସ ବାରମ୍ବାର ବେହୋସ ହୋଇ ପଡୁଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟାଇବା ଟ୍ରକ ଡ୍ରାଇଭର ଥାନାରେ ଅଟକ ରହିଛି । ହେଲେ ଏବେ ପ୍ରଶ୍ନ ଉଠୁଛି….

  • ରାସ୍ତା ଉପରେ ମୃତ୍ୟୁରୁ କେବେ ମିଳିବ ମୁକ୍ତି?
  • କେବେ ବନ୍ଦ ହେବ ବିପଜ୍ଜନକ ଗାଡ଼ି ଚାଳନା?

ନଜର ପକାନ୍ତୁ, ବିଧାନସଭାରେ ପରିବହନ ମନ୍ତ୍ରୀ ରଖିଥିବା ତଥ୍ୟ ଉପରେ…

  • ଗତ ୫ ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଯାଇଛି ୨୫,୯୩୪ ଜୀବନ
  • ଆହତ ହୋଇଛନ୍ତି ୫୧,୮୭୩
  • ୨୦୨୨ରେ ସର୍ବାଧିକ ୫,୪୬୭ ବ୍ୟକ୍ତିଙ୍କ ମୃତ୍ୟୁ
  • ପ୍ରତିଦିନ ରାଜ୍ୟରେ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ହେଉଛି

The post ସ୍କୁଟିରେ କଲେଜ ଯାଉଥିବା ବେଳେ ଓଭରବ୍ରିଜରେ ମାଡ଼ିଗଲା ଟ୍ରକ । ଓୟୁଟିଆରର ବି-ଟେକ୍ ଛାତ୍ର ପ୍ରତ୍ୟୁତପର୍ଣ୍ଣ ଦାସଙ୍କ ମୃତ୍ୟୁ । ପରିବାର ଉପରେ ଭାଙ୍ଗି ପଡ଼ିଲା ଦୁଃଖର ପାହାଡ଼ first appeared on Kanak News.

from Kanak News
via <a href="https://ifttt.com/?

ସୁଡ଼ଙ୍ଗ ଭିତରେ ୧୭ ଦିନ କେମିତି କାଟିଲେ ଶ୍ରମିକ ? ବାହାରକୁ ଆସିବା ପରେ କହିଲେ ଜୀବନ ସଂଘର୍ଷର କାହାଣୀ । ଖାଉଥିଲେ ମୁଢ଼ି, ମୋବାଇଲରେ ଦେଖୁଥିଲେ ମୁଭି

କନକ ବ୍ୟୁରୋ: ସୁଡଙ୍ଗରୁ ବାହାରିବା ପରେ ଶ୍ରମିକ ବଖାଣିଛନ୍ତି ୧୭ ଦିନର ସଂଘର୍ଷ କାହାଣୀ । ଉଦ୍ଧାର ହୋଇଥିବା ଓଡିଆ ଶ୍ରମିକ ବିଶେଶ୍ୱର ନାୟକ କହିଛନ୍ତି, ପ୍ରଥମ ୧୦ ଦିନ ମୁଢି ଓ ଶୁଖିଲା ଖାଦ୍ୟ ଖାଇ ରହିଥିଲେ । ଭିତରେ ପ୍ରାୟ ଅଢେଇ କିଲୋମିଟର ଖାଲି ସ୍ଥାନ ଥିବାରୁ ତା ଭିତରେ ରହିଥିଲେ ସବୁ ଶ୍ରମିକ । ପରେ ଖାଇବା ଓ ଔଷଧ ପଠାଯାଇଥିଲା । ମୋବାଇଲ ଦେଖି ଓ ଗେମ ଖେଳି ସମୟ ଅତିବାହିତ କରୁଥିଲେ ।

ତେବେ ସୁଡ଼ଙ୍ଗ ଭିତରେ ଶ୍ରମିକମାନେ ଫସିଯିବା ପରେ, ସବୁଠାରୁ ବଡ଼ ଆହ୍ୱାନ ଥିଲା, କେମିତି ଏହି ସ୍ଥିତିର ମୁକାବିଲା କରିବେ । କାରଣ, ବାହାରକୁ ବାହାରିବାର ବାଟ ବନ୍ଦ । ବାହାରୁ ଭିତରକୁ ଯିବା ପାଇଁ ରାସ୍ତା ନାହିଁ । ସଙ୍କଟ ବେଳରେ ଏକାଠି ନରହିଲେ, ଏକାଠି ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ନକଲେ, ବଞ୍ଚିବା ହୁଏତ କଷ୍ଟକର ହୋଇଯିବ । ଏକଥାକୁ ସେମାନେ ଠିକ୍ ବୁଝି ସାରିଥିଲେ । ସେଥିପାଇଁ ସୁଡ଼ଙ୍ଗ ଭିତରେ ପରିବାରଟିଏ ଭଳି ରହୁଥିଲେ । ଏକାଠି ରହୁଥିଲେ, ଏକାଠି ଶୋଉଥିଲେ । ଶ୍ରମିକମାନେ ପ୍ରଥମ ୧୦ ଦିନ ମୁଢ଼ି ଓ ଶୁଖିଲା ଖାଦ୍ୟ ଖାଇ ଜୀବନ ସଂଘର୍ଷ କରିଥିଲେ ।

ନଭେମ୍ବର ୧୨ ତାରିଖ, ଯେତେବେଳେ ଶ୍ରମିକମାନେ ଡ୍ୟୁଟି ସାରି ଫେରୁଥିଲେ । ଅଧାବାଟରେ ଦେଖିଥିଲେ ସୁଡ଼ଙ୍ଗଟି ବନ୍ଦ ହୋଇଯାଇଛି । କୌଣସି ମତେ ଯୋଗାଯୋଗ ହେବା ପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ । କିନ୍ତୁ ଦୀର୍ଘ ୧୭ ଦିନ ସୁଡ଼ଙ୍ଗ ଭିତରେ ସଂଘର୍ଷ କରିବା ସହଜ ନଥିଲା । ତେବେ ସୁଡ଼ଙ୍ଗ ଭିତରେ ପ୍ରାୟ ଅଢ଼େଇ କିଲୋମିଟର ଖାଲି ସ୍ଥାନ ଥିବାରୁ ତା’ ଭିତରେ ସମୟ ଅତିବାହିତ କରିଥିଲେ ୪୧ ଶ୍ରମିକ ।

  • ଖାଉଥିଲେ ମୁଢ଼ି, ଦେଖୁଥିଲେ ମୋବାଇଲ୍
  • ସୁଡ଼ଙ୍ଗ ଭିତରେ ସଂଘର୍ଷର କାହାଣୀ

ସୁଡ଼ଙ୍ଗ ଭିତରେ ଜୀବନ ଜିଇଁବା କେତେ କଷ୍ଟକର ଥିଲା, ତାହା ଉଦ୍ଧାର ପାଇଥିବା ଶ୍ରମିକଙ୍କ ଅଭିଜ୍ଞତାରୁ ଅନୁମାନ କରିହେବ । ସୁଡ଼ଙ୍ଗର ଏକ ସ୍ଥାନରେ ଝରୁଥିବା ପାଣି ବୁନ୍ଦାରେ ଗାଧୋଉଥିଲେ ଶ୍ରମିକ । ଶୌଚ ପାଇଁ ସୁଡ଼ଙ୍ଗରେ ଗୋଟିଏ ନିଦ୍ଧିଷ୍ଟ ସ୍ଥାନକୁ ବାଛିଥିଲେ । ପ୍ରଥମ ୧୦ଦିନ କେବଳ ମୁଢ଼ି ଖାଇ ରହିଥିଲେ । ପରେ ଜଳଖିଆ, ଦିନ ଓ ରାତି ପାଇଁ ଭଳିକି ଭଳି ଖାଦ୍ୟ ପଠାଯାଇଥିଲା । ସୁଡ଼ଙ୍ଗ ବାହାରୁ ଖାଦ୍ୟ, ଔଷଧ, ବ୍ରସ ଏବଂ ତଉଲିଆ ପଠାଯାଇଥିଲା । ମାନସିକ ଅବସାଦରୁ ଦୂରେଇ ରଖିବା ପାଇଁ ସିନେମା ଓ ଗେମ ଭର୍ତ୍ତି ମୋବାଇଲ ପଠାଯାଇଥିଲା ।

ଉତ୍ତରକାଶୀ ସୁଡ଼ଙ୍ଗରୁ ଶ୍ରମିକଙ୍କୁ ଯେଉଁ ଭଳି ଭାବରେ ଉଦ୍ଧାର କରାଗଲା, ହୁଏତ ତାହା ସବୁ ଦିନ ପାଇଁ ମନେ ରହିବ । ସେହିପରି ସୁଡ଼ଙ୍ଗ ନିର୍ମାଣ ସମୟରେ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦେବା କେତେ ଜୁୁରରୀ ତାହା ଶିଖାଇ ଦେଇଗଲା ଏହି ଟନେଲ୍ ଅଘଟଣ ।

The post ସୁଡ଼ଙ୍ଗ ଭିତରେ ୧୭ ଦିନ କେମିତି କାଟିଲେ ଶ୍ରମିକ ? ବାହାରକୁ ଆସିବା ପରେ କହିଲେ ଜୀବନ ସଂଘର୍ଷର କାହାଣୀ । ଖାଉଥିଲେ ମୁଢ଼ି, ମୋବାଇଲରେ ଦେଖୁଥିଲେ ମୁଭି first appeared on Kanak News.

from Kanak News
via <a href="https://ifttt.com/?

ସରିଛି ସଂଘର୍ଷ, ଏବେ ଘର ବାହୁଡ଼ାର ବେଳ । ଋଷିକେଶ ଏମ୍ସରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

କନକ ବ୍ୟୁରୋ: ସାରା ବିଶ୍ୱ ଦେଖିଛି ମୁକ୍ତିର ଆନନ୍ଦ । ଉତ୍ତରାଖଣ୍ଡ ଟନେଲରେ ଉଦ୍ଧାର ହୋଇ ୪୧ ଜଣ ଶ୍ରମିକ ପାଇଛନ୍ତି ନୂଆ ଜୀବନ, ଯାହାକୁ ନେଇ ଆଜି ସବୁଆଡେ ଚର୍ଚ୍ଚା । ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ଆଜି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏମ୍ସ ନିଆଯାଇଛି । ସୁସ୍ଥ ହେବା ପରେ ଉଦ୍ଧାର ଶ୍ରମିକ ଘରକୁ ଫେରିବେ । ଆଉ ଉଦ୍ଧାର ସମୟର ଚିତ୍ର ଦେଖି ଭାବବିହ୍ୱଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • ସରିଛି ସଂଘର୍ଷ, ଏବେ ଘର ବାହୁଡ଼ାର ବେଳ
  • ଋଷିକେଶ ଏମ୍ସରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରୁ ଉଦ୍ଧାର ୪୧ ଜଣ ଶ୍ରମିକ ଚିନୁକ ହେଲିକପ୍ଟରରେ ବସି ଯାଇଛନ୍ତି ଋଷିକେଶ । ୧୭ ଦିନର ସଂଘର୍ଷ ପରେ ଏମାନେ ସୁଡଙ୍ଗରୁ ମୁକୁଳିଛନ୍ତି । ଆଉ ଚେହେରାରୁ ବାରି ହୋଇପଡୁଛି ମୁକ୍ତିର ଆନନ୍ଦ । ଋଷିକେଶର ଏମ୍ସ ହସ୍ପିଟାଲରେ ଶ୍ରମିକମାନଙ୍କୁ ରଖି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବନ୍ଦୋବସ୍ତ କରାଯାଇଛି । ବୁଧବାର ଏଥିପାଇଁ ସମସ୍ତ ଶ୍ରମିକଙ୍କୁ ଏୟାରଲିଫ୍ଟ କରି ଅଣାଯାଇଥିଲା । ନିଜ ନିଜ ଘରକୁ ଫେରିବା ପୂର୍ବରୁ ଶ୍ରମିକମାନେ ସଂପୂର୍ଣ୍ଣ ସୁସ୍ଥ ହେବେ । ଏଥିପାଇଁ ଉତ୍ତରାଖଣ୍ଡ ସରକାରଙ୍କ ସହ କେନ୍ଦ୍ର ସରକାର ମଧ୍ୟ ବ୍ୟବସ୍ଥା କରିଛନ୍ତି । ୨ ସପ୍ତାହରୁ ଅଧିକ ସମୟ ଧରି ସୁଡଙ୍ଗ ଭିତରେ ଅତି ପ୍ରତିକୂଳ ପରିସ୍ଥିତିରେ ରହିଥିବାରୁ ଏମାନଙ୍କ ସ୍ୱାସ୍ଥ୍ୟରେ ଅବନତି ଆସିଥାଇପାରେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବ । ୨ ଦିନ ନୀରିକ୍ଷଣରେ ରହିବା ପରେ ଘର ବାହୁଡା ପାଇଁ ପ୍ରସ୍ତୁତି କରିବ ପ୍ରଶାସନ ।

ସାରାଦେଶର ପ୍ରାର୍ଥନା ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ପରେ ଶ୍ରମିକମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇଛି । ତେଣୁ ଉଦ୍ଧାରକାରୀ ଦଳ ଓ ବିଶେଷଜ୍ଞଙ୍କୁ ଧନ୍ୟବାଦ ଦେବା ସହ ଶ୍ରମିକଙ୍କ ସାହସକୁ ପ୍ରଶଂସା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ସୁଡଙ୍ଗ ବାହାରେ ତିଆରି କରାଯାଇଥିବା ଅସ୍ଥାୟୀ ହସ୍ପିଟାଲରେ ପହଞ୍ଚି ଶ୍ରମିକମାନଙ୍କୁ ଜଣ ଜଣ କରି ବେଡରେ ସାକ୍ଷାତ କରିଛନ୍ତି ପୁଷ୍କର ସିଂ ଧାମୀ । ଏପରିକି ପ୍ରତ୍ୟେକ ଶ୍ରମିକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଛନ୍ତି । ଏଥିସହ ଉଦ୍ଧାର କାମରେ ନିୟୋଜିତ ସଦସ୍ୟଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ।

ଦେଶ ବିଦେଶର ବିଶେଷଜ୍ଞ ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ଏଜେନ୍ସିକୁ ଅଶେଷ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭଳି ଉଦ୍ଧାର କାମର ଟିକିନିଖି ବିବରଣୀ ନେଉଥିଲେ ସେକଥା ମଧ୍ୟ କହିଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଅନ୍ୟ ପକ୍ଷରେ ଗତକାଲି ସଂଧ୍ୟାରେ ଶ୍ରମିକମାନଙ୍କୁ ଉଦ୍ଧାର ବେଳେ ଏହାର ସିଧା ପ୍ରସାରଣ ଦେଖିଥିଲେ ପ୍ରଧାନମନ୍ତ୍ରୀ । କ୍ୟାବିନେଟ ବୈଠକ ସମୟରେ ଶ୍ରମିକଙ୍କ ଉଦ୍ଧାର ଦେଖି ମୋଦୀ ଭାବ ବିହ୍ୱଳ ହୋଇପଡିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଏପଟେ ଉତରତାଶୀ ସୁଡଙ୍ଗ ଦୁର୍ଘଟଣା ପରେ ରାଜ୍ୟରେ ସମସ୍ତ ସୁଡଙ୍ଗର ସମୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ମଧ୍ୟ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇସାରିଛନ୍ତି ।

The post ସରିଛି ସଂଘର୍ଷ, ଏବେ ଘର ବାହୁଡ଼ାର ବେଳ । ଋଷିକେଶ ଏମ୍ସରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା first appeared on Kanak News.

from Kanak News
via <a href="https://ifttt.com/?

ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି । ଆଉ ୫ ବର୍ଷ ମାଗଣା ଚାଉଳ ପାଇବେ ହିତାଧିକାରୀ । ଉପକୃତ ହେବେ ୮୧ କୋଟିରୁ ଅଧିକ ଲୋକ

କନକ ବ୍ୟୁରୋ: ଦେଶରେ କେହି ବି ଜଣେ ଯେମିତି ଭୋକିଲା ରହିବ ନାହିଁ । ପ୍ରତି ଗରିବ ପରିବାର ମାଗଣାରେ ପାଇବେ ଚାଉଳ ଓ ଗହମ । ଏହି ଲକ୍ଷ୍ୟ ନେଇ କେନ୍ଦ୍ରର ମୋଦୀ ସରକାର ଆରମ୍ଭ କରିଥିବା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ଶେଷ ହେବା ଆଗରୁ ପୁଣି ୫ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି କେନ୍ଦ୍ର ସରକାର ।

  • ଆହୁରି ୫ବର୍ଷ ମିଳିବ ମାଗଣା ଚାଉଳ
  • ବଢ଼ିଲା ପିଏମଜିକେଏୱାଇ ଯୋଜନାର ଅବଧି

୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ବଡ ନିଷ୍ପତି ନେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ, ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ଆହୁରି ୫ବର୍ଷ ବର୍ଷ ପର୍ଯ୍ୟନ୍ତ ବଢ଼ାଇକୁ ନିଷ୍ପତି ହୋଇଛି । କ୍ୟାବିନେଟର ନିଷ୍ପତି ଅନୁସାରେ…

  • ଆହୁରି ୫ ବର୍ଷ ଯାଏଁ ଗରିବ ହିତାଧିକାରୀଙ୍କୁ ମିଳିବ ମାଗଣା ଚାଉଳ
  • ୮୧ କୋଟି ୩୧ ଲକ୍ଷ ଗରିବ ହିତାଧିକାରୀଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ଦେବ କେନ୍ଦ୍ର
  • ପ୍ରତି ମାସରେ ମାଗଣାରେ ୫ କିଲୋ ଖାଦ୍ୟ ସାମଗ୍ରୀ ପାଇବେ ହିତାଧିକାରୀ
  • ଏଥିପାଇଁ କେନ୍ଦ୍ର ସରକାର ୧୧.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ

ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା ୩୧ ଡିସେମ୍ବର ୨୦୨୩ରେ ଶେଷ ହୋଇଥାନ୍ତା । ତେବେ ଏହା ବନ୍ଦ ନହୋଇ ଆସନ୍ତା ୫ ବର୍ଷ ଯାଏଁ ଚାଲିବ । ଅର୍ଥାତ ୨୦୨୮ ପର୍ଯ୍ୟନ୍ତ ଏହି ଯୋଜନରୁ ଲାଭ ପାଇବେ ହିତାଧିକାରୀ । କିନ୍ତୁ କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତି ନେବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିରୋଧୀ ଏହାକୁ ମୋଦୀଙ୍କ ନିର୍ବାଚନୀ ଥୋପ କହିଥିବା ବେଳେ ବିଜେପି କହିଛି, ଗରିବଙ୍କ ପାଇଁ କାମ କରୁଛନ୍ତି କେନ୍ଦ୍ର ସରକାର ।

ମାଗଣା ବଣ୍ଟନ ଯୋଜନାକୁ ନେଇ ଦେଶରେ ସବୁବେଳେ ରାଜନୀତି ହୋଇ ଆସିଛି । ରାଜନୈତିକ ଦଳ ମାନେ ପରସ୍ପରକୁ ଦୋଷ ଦେଇ ଆସିଛନ୍ତି । ଆଉ ଏବେ ଯେତେବେଳେ ମୋଦୀ ସରକାର ପୁଣି ମାଗଣା ଚାଉଳ ଦେବାକୁ ନିଷ୍ପତି ନେଇଛନ୍ତି, ଏହାକୁ ଏକ ନିର୍ବାଚନୀ ରଣନୀତି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

ତେବେ ୨୦୨୦ ମସିହାରେ କରୋନା ସମୟରେ ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ମହାମାରୀ ସରିବା ପରେ ମଧ୍ୟ ସରକାର ଏହି ଯୋଜନାର ଅବଧି ବଢାଇଥିଲେ । ପୂର୍ବରୁ ଚାଉଳ କିଲୋପିଛା ଟଙ୍କାଏ ଲେଖା ହିତାଧିକାରୀ ଦେଉଥିବାବେଳେ ଚଳିତ ବର୍ଷ ଆରମ୍ଭରୁ ସମ୍ପୂର୍ଣ୍ଣ ମାଗଣା କରି ଦେଇଥିଲେ ସରକାର ।

The post ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି । ଆଉ ୫ ବର୍ଷ ମାଗଣା ଚାଉଳ ପାଇବେ ହିତାଧିକାରୀ । ଉପକୃତ ହେବେ ୮୧ କୋଟିରୁ ଅଧିକ ଲୋକ first appeared on Kanak News.

from Kanak News
via <a href="https://ifttt.com/?

କିଏ ସେହି ମଣିପୁରର ଲୀନ ଲେଶରାମ୍  ? ରଣଦୀପ ହୁଡା ଯାହାକୁ ବିବାହ ହେବାକୁ ଯାଉଛନ୍ତି ।

ରଣଦୀପ ଏବଂ ଲିନ୍ ଲେଶରାମ୍ ଙ୍କ ପ୍ରି ୱେଡ଼ିଂ ଫଟୋ  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲିନ ଲେଶରାମ୍ ମଣିପୁରର ଜଣେ ଜଣାଶୁଣା ମଡେଲ ଏବଂ ଅଭିନେତ୍ରୀ ମଧ୍ୟ । କେବଳ ଏତିକି ନୁହେଁ ସେ ଜଣେ ସଫଳ ମହିଳା ଉଦ୍ୟୋଗୀ ମଧ୍ୟ । ଦୁହେଁ ଦୀର୍ଘ ଦିନ ଧରି ରିଲେସନରେ ଥିଲେ । ଗତ ୨୭  ନଭେମ୍ବରରେ ଏହି ଦମ୍ପତି ଇମ୍ଫାଲରେ ପହଞ୍ଚିଛନ୍ତି ।  ଯେଉଁଠାରେ ସେମାନେ ଆଜି ୨୯ ନଭେମ୍ବର ରେ ବିବାହ କରିବାକୁ ଯାଉଛନ୍ତି ।

ବଲିଉଡର ଜଣାଶୁଣା ଅଭିନେତା ରଣଦୀପ ହୁଡା ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ସହିତ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।  ଗର୍ଲଫ୍ରେଣ୍ଡ ଲିନ୍ ଲେଶରାମ୍  ଙ୍କ ସହ ସେ ମଣିପୁରର ଇମ୍ଫାଲରେ ବିବାହ କରିବେ । ଏହି ସମୟରେ ରଣଦୀପଙ୍କ ଭାବୀ ପତ୍ନୀ ସୋସିଆଲ ମିଡିଆରେ ପ୍ରି ୱେଡ଼ିଂ ଫଟୋ ସେୟାର କରିଛନ୍ତି । ଫଟୋ ସେୟାର ହେଲାପରେ ଲୋକମାନେ ରଣଦୀପ ହୁଡାଙ୍କ ପତ୍ନୀଙ୍କ ବିଷୟରେ ଜାଣିବାକୁ ବହୁତ ଉତ୍ସୁକତା ଦେଖାଉଛନ୍ତି ।

ଆସନ୍ତୁ ଜାଣିବା ଲିନ୍ ଲେଶରାମ୍ କିଏ ?

ଲିନ ଲେଶରାମ୍ ମଣିପୁରର ଜଣେ ଜଣାଶୁଣା ମଡେଲ ଏବଂ ଅଭିନେତ୍ରୀ ମଧ୍ୟ । କେବଳ ଏତିକି ନୁହେଁ ସେ ଜଣେ ସଫଳ ମହିଳା ଉଦ୍ୟୋଗୀ ମଧ୍ୟ । ସେ କେତେ ଗୁଡିଏ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି । ଲିନ୍ ଜଣେ ସଫଳ ମହିଳା ବ୍ୟବସାୟୀ ମଧ୍ୟ ଅଟନ୍ତି ଯିଏ ସାମ୍ପୋ ସାନା ନାମକ ଏକ ଅଳଙ୍କାର ବ୍ରାଣ୍ଡ ଚଲାଉଛନ୍ତି ।  ରଣଦୀପ ଓ ଲୀନ  ଉଭୟଙ୍କ ମଧ୍ୟରେ ୧୦ ବର୍ଷର ବୟସ ପାର୍ଥକ୍ୟ ଅଛି ।  ରଣଦୀପଙ୍କୁ ୪୭ ହେଇ ଥିବାବେଳେ ଲିନଙ୍କୁ ୩୭ ବର୍ଷ ।

କେଉଁ କେଉଁ ଫିଲ୍ମରେ ଅଭିନୟ କରିଛନ୍ତି ?

ଲିନ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେ ପ୍ରିୟଙ୍କା ଚୋପ୍ରାଙ୍କ ‘ମେରି କମ୍’  ଏବଂ କରୀନା କପୁରଙ୍କ ‘ଜାନେ ଜାନ’ରେ କାମ କରିଛନ୍ତି । କେବଳ ଏତିକି ନୁହେଁ, ଏହା ବ୍ୟତୀତ ସେ ‘ଉମ୍ରିକା’, ‘ରେଙ୍ଗୁନ୍’, ‘କୈଦି ବନ୍ଦୀ’ ଏବଂ ‘ଆକ୍ସନ୍’ ଭଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ଚଳଚ୍ଚିତ୍ର ବ୍ୟତୀତ ଲିନ ରିଆଲିଟି ସୋ’ରେ ମଧ୍ୟ ଅଭିନୟ କରିଛନ୍ତି । ୨୦୧୨ ମସିହାରେ ତାଙ୍କୁ ଟେଲିଭିଜନ ରିଆଲିଟି ସୋ ‘କିଙ୍ଗଫିସର କ୍ୟାଲେଣ୍ଡର ଗାର୍ଲ’ରେ ଦେଖିବାକୁ ମିଳିଥିଲା ।

ପ୍ରି ୱେଡ଼ିଂ ଫଟୋ  ଭାଇରାଲ ହେଉଛି

ରଣଦୀପ ଏବଂ ଲିନଙ୍କ ପ୍ରି ୱେଡ଼ିଂ ଫଟୋ  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଏହି ଫଟୋଗୁଡ଼ିକରେ ଆପଣ ଦମ୍ପତିଙ୍କୁ ସେମାନଙ୍କର ସାଙ୍ଗ ଏବଂ ପରିବାର ସହିତ ମସ୍ତି କରୁଥିବାର ଦେଖିବାକୁ ପାଉଥିବେ । ପ୍ରଥମ ଚିତ୍ରରେ ରଣଦୀପ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ନାଲି ରଙ୍ଗର ପାରମ୍ପାରିକ ମଣିପୁରୀ ଶାଲ ଘୋଡ଼େଇ ହୋଇ  ସେମାନଙ୍କ ସାଙ୍ଗମାନଙ୍କ ସହିତ ପୋଜ୍ ଦେଉଥିବାର ନଜର ଆସିଛନ୍ତି ।୨୭ ରେ ପହଞ୍ଚିଥିଲେ ଇମ୍ଫାଲ ଏଥି ସହିତ ଦ୍ୱିତୀୟ ଫଟୋ ମଧୁ ଖୁବ ମଜାଳିଆ ହେଇଛି ।  ଦ୍ୱିତୀୟ ଫଟୋରେ ରଣଦୀପ ଏକ ନୃତ୍ୟ ପୋଜ୍ ଦେଉଥିବାର ନଜର ଆସିଛନ୍ତି । ଅଭିନେତା ଫଟୋରେ ଏକ ଧଳା ସାର୍ଟ ସହିତ ହାଲୁକା ନୀଳ ରଙ୍ଗର କୁର୍ତ୍ତା ପ୍ୟାଣ୍ଟ ପିନ୍ଧିଛନ୍ତି । ତାଙ୍କ ସହ ଲିନ୍ ଏକ କମଳା ରଙ୍ଗର ସୂତା ଶାଢୀ ପିନ୍ଧି ଖୁବ ସୁନ୍ଦର ଲାଗୁଛନ୍ତି । ତୃତୀୟ ଫୋଟୋଟି ହେଉଛି ରାତ୍ରୀ ଭୋଜନ ସମୟର ।  ଡାଇନିଂ ଟେବୁଲ ଉପରେ ସମସ୍ତେ ଏକାଠି ବସି ଖାଉଥିବାର  ଦେଖାଯାଉଛି । ଏହି ଦମ୍ପତି ସେମାନଙ୍କ ବିବାହ ପାଇଁ ୨୭  ନଭେମ୍ବରରେ ଇମ୍ଫାଲରେ ପହଞ୍ଚିଥିଲେ ।

The post କିଏ ସେହି ମଣିପୁରର ଲୀନ ଲେଶରାମ୍  ? ରଣଦୀପ ହୁଡା ଯାହାକୁ ବିବାହ ହେବାକୁ ଯାଉଛନ୍ତି । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started