ବଡ଼ଠାକୁରଙ୍କ ବାହୁଡ଼ା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି : ଆଜି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ଯାଏଁ କର୍ଫ୍ୟୁ

କନକ ବ୍ୟୁରୋ : ବାହୁଡ଼ା ପାଇଁ ପୁରୀରେ ଜୋର ଧରିଲାଣି ପ୍ରସ୍ତୁତି । ଆଜି ଠାରୁ ପୁରୀ ସହରରେ ୪୮ ଘଂଟିଆ କର୍ଫ୍ୟୁ ଲାଗୁ ହେବ । ଏହା ଆଗରୁ ଅମାନିଆଙ୍କୁ ସାବାଡ କରିବାକୁ ପୁରୀ ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ । ବାହୁଡ଼ା ଯାତ୍ରା ଦିନ କେବଳ ଅମାନିଆଙ୍କ ଉପରେ ନଜର ରଖିବାକୁ ୨୦ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ପ୍ରତ୍ୟେକ ସ୍କ୍ୱାର୍ଡରେ ଜଣେ ମାଜିଷ୍ଟ୍ରେଟ, ପୋଲିସ ଟିମ, ଭିଡିଓ ଗ୍ରାଫର ରହିବେ । ପ୍ରତ୍ୟେକ ୨୦ ମିଟର ଦୂରତାରେ ବଡ଼ଦାଣ୍ଡରେ ରହିବେ ଗୋଟିଏ ଲେଖାଏଁ ସ୍କ୍ୱାର୍ଡ । କୌଣସି ପ୍ରକାର ନିୟମ ଉଲ୍ଲଙ୍ଘନ କଲେ ଅମାନିଆଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ।

ଆଜି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ଯାଏଁ ପୁରୀରେ କର୍ଫ୍ୟୁ ଲାଗୁ ହେବ । ଏହା ପୂର୍ବରୁ ବଡ଼ଦାଣ୍ଡରେ ପୋଲିସ ଫ୍ଲାଗ ମାର୍ଚ୍ଚ କରି ବଡ଼ଦାଣ୍ଡ ନିକଟରେ ଥିବା ଲୋକଙ୍କୁ ସଚେତନ କରିଛି । କୌଣସି ଲୋକ ଛାତ ଉପରେ ରହିବେ ନାହିଁ । ଲଜିଂ ଓ ଘର ମାଲିକଙ୍କୁ ଏନେଇ ତାଗିଦ୍ କରିଛି ପୋଲିସ । ସେହିପରି ଫେସବୁକ୍ ଓ ଟୁଇଟରକୁ ରଥଯାତ୍ରାକୁ ନେଇ ଭିଡିଓ ଅପଲୋଡ୍ କରିଥିବା ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଚିଠି କରାଯାଇଥିବା ପୁରୀ ଏସପି କହିଛନ୍ତି ।

from Kanak News
via <a href="https://ifttt.com/?

ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ : ତେଲଦର ବୃଦ୍ଧି ଓ କରୋନା ମୁକାବିଲା ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଘେରି ପାରନ୍ତି ବିରୋଧୀ

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ ତାରିଖରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ଏଥିରେ ୧୯ଟି କାର୍ଯ୍ୟ ଦିବସ ରହିଛି । ଏଥର ସଂସଦର ମୌସୁମୀ ଅଧିବେଶନ ତୋଫାନୀ ହେବ ବୋଲି ଆଶଙ୍କା କରାଯାଉଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସବୁ ରାଜନୈତିକ ଦଳକୁ ଡାକି ବୈଠକ କରିଛନ୍ତି । ପ୍ରାୟ ୩୦ଟି ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇଥିବା ଏହି ବୈଠକରେ ମୋଦୀ ଆଶ୍ୱାସନା ଦେଇଛନ୍ତି, ଯେ ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗୃହରେ ସାର୍ଥକ ଓ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଆଲୋଚନା ହେବା ଉଚିତ୍ ।

କରୋନାର ଦ୍ୱିତୀୟ ଲହରରେ ଦେଶରେ ୪ ଲକ୍ଷ ୧୩ ହଜାର ଲୋକଙ୍କ ମୃତ୍ୟୁ ଓ ସରକାର ଉପରେ ଉଠୁଥିବା ପ୍ରଶ୍ନ ଏହି ଅଧିବେଶନରେ ଝଡ ସୃଷ୍ଟି କରିବ । ଏହା ଛଡା ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ । ଏହା ଛଡା ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେଇ ମଧ୍ୟ ସରକାରଙ୍କୁ ଘେରିପାରନ୍ତି ବିରୋଧୀ । ଏପଟେ ସର୍ବଦଳୀୟ ବୈଠକରେ ବିଜୁ ଜନତା ଦଳ ବିଧାନ ପରିଷଦ କଥା ଉଠାଇଛି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ଓ ପିନାକୀ ମିଶ୍ର ବିଧାନପରିଷଦ ବିଲ୍ ସହ ମହିଳା ସଂରକ୍ଷଣ ବିଲ୍ ଓ ଅନୁସୂଚିତ ଜନଜାତି ତାଲିକା ସଂକ୍ରାନ୍ତୀୟ ବିଲ୍ ଆଣିବା ପାଇଁ ଦାବି କରିଛନ୍ତି ।

from Kanak News
via <a href="https://ifttt.com/?

ଚିନ୍ତାରେ ଯାଜପୁର ଜିଲ୍ଳା କଂଟାବଣିଆ ଗାଁର ବେତ କାରିଗର । କରୋନା ସ୍ଥିତି ଛଡ଼ାଇ ନେଇଛି ରୋଜଗାର, ବିକ୍ରି ବଟା ନାହିଁ, କେମିତି ଚଳାଇବେ ପରିବାର ।

କନକ ବ୍ୟୁରୋ : ଚିନ୍ତାରେ ଏବେ ବେତ କାରିଗର । ବୃତିରେ ଏବେ କରୋନା ସାଜିଛି ବାଧକ । ସମସ୍ୟା ଘେରରେ ବେତ କାରିଗରଙ୍କ ଜୀବିକା । ଦୀର୍ଘ ପଚାଶ ବର୍ଷ ଧରି ଚଳିଆସୁଥିବା ବୃତି ଏବେ କରୋନା ପାଇଁ ବାଧାପ୍ରାପ୍ତ । ନା ଅଛି ବିକ୍ରି ନା ମିଳିଛି କିଛି ସରକାରୀ ସହାୟତା । ଏହେଉଛି ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ କଂଟାବଣିଆ ଗାଁର କୁଶଳୀ ବେତ କାରିଗରଙ୍କ କଥା । କରୋନା ସତେ ଯେମିତି ସେମାନଙ୍କ ମୁହଁରୁ ଛଡାଇ ନେଇଛି ହସ ।

ଧର୍ମଶାଳା ବ୍ଲକ ମିର୍ଜାପୁର ପଂଚାୟତ କଂଟାବଣିଆ ଗାଁ । ଏଇ ଗାଁରେ ବସବାସ କରନ୍ତି ପାଖାପାଖି ପଚାଶଟି ପରିବାର । ଏମାନେ ପିଢ଼ି ପରେ ପିଢ଼ି ବେତରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଆସୁଛନ୍ତି, ଆଉ ବିକ୍ରିବଟା କରି ପରିବାର ଗୁଜୁରାଣ ମେଂଟାଇଥାନ୍ତି । ଏପରିକି ଏମାନଙ୍କ ହାତ ତିଆରି ବେତ ସାମଗ୍ରୀର ମଧ୍ୟ ଓଡିଶାର ବାଲେଶ୍ୱର, ବାରିପଦା, କେନ୍ଦ୍ରାପଡା, କଟକ, ଜଗତସିଂପୁର ପ୍ରଭୃତି ଜିଲ୍ଳାରେ ବେଶ୍ ଚାହିଦା ରହିଛି । ମାତ୍ର କରୋନା ସ୍ଥିତି ପାଇଁ କାରବାରରେ ଏକ ପ୍ରକାର ରୋକ୍ ଲାଗିଯାଇଥିବା ଯୋଗୁଁ ଘୋର ଆର୍ଥିକ ଦୁଃସ୍ଥିତିରେ ଜୀବନ ଯାପନ କରୁଛନ୍ତି ବୋଲି କହନ୍ତି କାରିଗରମାନେ ।

ଏହି କଂଟାବଣିଆ ଗାଁର ବେତ କାରିଗରମାନେ ବିଭିନ୍ନ ସମୟରେ ବୁଲିବୁଲି ଲୋକଙ୍କ ବାଡି ବଗିଚାରୁ ବେତ ସଂଗ୍ରହ କରି ତାକୁ ଚିରି ବିଭିନ୍ନ ଡିଜାଇନର ଘରକରଣା ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ଏମାନଙ୍କ ହାତ ତିଆରି ବେତ ସାମଗ୍ରୀ ଯଥା ଗୋଉଣୀ, କୁଂଚ, ମାଣ, ଶେର, ଟୋକେଇ, ସୋଫା ଓ ଘର ସଜା ଉପକରଣକୁ ଦେଖିଲେ ବୁଝିହୁଏ ଏମାନେ କେତେ କୁଶଳୀ କାରିଗର । ନିକଟରେ ଜିଲ୍ଳା ଶିଳ୍ପକେନ୍ଦ୍ର କଳିଙ୍ଗନଗର ପକ୍ଷରୁ ଏହି କାରିଗରମାନଙ୍କୁ ଅଧିକ ପ୍ରଶିକ୍ଷିତ କରି ବ୍ୟବସାୟ ବଢାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ମାତ୍ର ତାହା କରୋନା ଦ୍ୱିତୀୟ ଲହର ଯୋଗୁଁ ବନ୍ଦ ରହିଥିବା ବେଳେ କାରିଗରମାନଙ୍କୁ ପ୍ରଶିକ୍ଷଣ ବାବଦକୁ ଅର୍ଥ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି ।

from Kanak News
via <a href="https://ifttt.com/?

ସଫଳ ଚିଙ୍ଗୁଡ଼ି ଚାଷୀ ପି ଜଗନ୍ନାଥମ । ଗୁଣପୁରରେ ଚିଙ୍ଗୁଡ଼ି ଚାଷରୁ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟଙ୍କୁ ଦେଇଛନ୍ତି କର୍ମନିଯୁକ୍ତି, ୧୧ ଏକର ଜମିରେ କରୁଛନ୍ତି ମାଛ ସହ ଚିଙ୍ଗୁଡି ଚାଷ । 

କନକ ବ୍ୟୁରୋ : ଅବବ୍ୟବହୃତ ଜମିରେ ଚିଙ୍ଗୁଡ଼ି ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟକୁ ରୋଜଗାର ଯୋଗାଇଛନ୍ତି ଜଣେ ଚାଷୀ । ଗୁଣପୁରରେ ଚିଙ୍ଗୁଡ଼ି ଚାଷ କରି ସଫଳ ହୋଇ ଉଦାହରଣ ପାଲଟିଛନ୍ତି ଆନ୍ଧ୍ରପ୍ରଦେଶ ୱେଷ୍ଟ ଗୋଦାବରୀ ଜିଲ୍ଲାରୁ ଆସିଥିବା ଜଣେ ଯୁବ ଚାଷୀ ପି ଜଗନାଥମ  । ସେ ୧୧ ଏକର ଜମିରେ ବଡ ବଡ ପଖୋରୀ ନିର୍ମାଣ କରି ପଲିକାଲଚର ପଦ୍ଧତିରେ ମାଛ ସହ ଚିଙ୍ଗୁଡି ଚାଷ କରୁଛନ୍ତି  ।

ରାୟଗଡା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ବହୁଳ ଜିଲ୍ଲା । ଏଠାକାର ଅଧିବାସୀଙ୍କ ଜୀବନ ଜୀବିକା କହିଲେ ଧାନ ଓ କପା ଚାଷ  । ତେବେ ଏଠାରେ ଚିଙ୍ଗୁଡ଼ି ଚାଷ କରି ସଫଳ ହୋଇ ଉଦାହରଣ ପାଲଟିଛନ୍ତି ଆନ୍ଧ୍ରପ୍ରଦେଶ ୱେଷ୍ଟ ଗୋଦାବରୀ ଜିଲ୍ଲାରୁ ଆସିଥିବା ଜଣେ ଯୁବ ଚାଷୀ ପି ଜଗନାଥମ  । ୨୦୦୮ରୁ ସେ ଏଠାରେ ମାଛ ଚାଷ କରିଆସୁଥିବା ବେଳେ ଦେଢ ବର୍ଷ ହେଲା ଚିଙ୍ଗୁଡି ଚାଷ ଆରମ୍ଭ କରିଛନ୍ତି  । ୧୧ ଏକର ଜମିରେ ବଡ ବଡ ପଖୋରୀ ନିର୍ମାଣ କରି ପଲିକାଲଚର ପଦ୍ଧତିରେ ମାଛ ସହ ଚିଙ୍ଗୁଡି ଚାଷ କରୁଛନ୍ତି ଚାଷୀ ଜଣକ । ଆନ୍ଧ୍ରର ଶ୍ରୀକାକୁଲମ ଅମୃତା ହେଚେରିରୁ ସିଡ୍ସ ଆଣି ୱୋନାମିଆ ପ୍ରଜାତିର ଚିଙ୍ଗୁଡ଼ି ଚାଷ କରୁଛନ୍ତି  ।

ଏକର ପିଛା ଚିଙ୍ଗୁଡି ଚାଷ ପାଇଁ ଚାଷୀ ଜଣକ ୩ ଲକ୍ଷ ଟଙ୍କା ବିନିଯୋଗ କରୁଥିବା ବେଳେ ପ୍ରତି ୪ ମାସରେ ଥରେ ପଖୋରୀରୁ ଚିଙ୍ଗୁଡି ଉତ୍ପାଦନ କରୁଛନ୍ତି  । ଉତ୍ପାଦିତ ଚିଙ୍ଗୁଡିକୁ ଚାଷୀ ଜଣକ ସ୍ଥାନୀୟ ବଜାରକୁ ଯୋଗାଇବା ସହ ଭୁବନେଶ୍ୱର, କଟକ , ରାୟଗଡା, ଭବାନୀପାଟଣା ଓ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଓ କାକୀନାଡା ପ୍ରମୁଖ ସହରକୁ ରପ୍ତାନି କରାଯାଉଛି । ଯୁବଚାଷୀଙ୍କ ଏହି ସଫଳ ଚିଙ୍ଗୁଡ଼ି ଚାଷ ଚର୍ଚ୍ଚା ଓ ପ୍ରଶଂସା ସାଉଣ୍ଟୁଛି  ।

from Kanak News
via <a href="https://ifttt.com/?

ବାଉଁଶରେ ତିଆରି ହେଉଛି ଭଳିକି ଭଳି ଅଳଙ୍କାର । ରାୟଗଡା ଚାନ୍ଦିଲି ଗାଁର ଆଦିବାସୀ ଯୁବତୀଙ୍କ ପ୍ରୟାସ, ମାସକୁ ୧୦ରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ କରୁଛନ୍ତି ରୋଜଗାର ।

କନକ ବ୍ୟୁରୋ : ବାଉଁଶରେ ତିଆରି ହେଉଛି ଭଳିକି ଭଳି ଅଳଙ୍କାର । ଏସବୁ ପ୍ରସ୍ତୁତ କରୁଛନ୍ତି ରାୟଗଡା ବ୍ଲକ ଚାନ୍ଦିଲି ଗ୍ରାମ ଆଦିବାସୀ କଲେଜର ଯୁୂବତୀମାନେ । ଏହି ଅଳଙ୍କାର ପ୍ରସ୍ତୁତ କରି ମାସିକ ୧୦ରୁ ୧୨ହଜାର ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି । ୨୫ ଜଣ ଯୁବତୀ ମିଶି ବାଉଁଶରୁ ଅଳଙ୍କାର ପ୍ରସ୍ତୁତି ଉଦ୍ୟୋଗ ଗଢ଼ିଛନ୍ତି ।

ଚାଲିଛି କାନଫୁଲ, କ୍ଲିପ୍, ଚୁଡି ଆଦି ତିଆରି । କିଏ ବାଉଁଶ କାଟୁଛି ତ ଆଉ କିଏ ଏହାକୁ ଛୋଟ ଛୋଟ ଖଣ୍ଡ କରି ରଖୁଛନ୍ତି । କିଛି ଜଣ ବାଉଁଶକୁ ପାଲିଶ କରୁଛନ୍ତି ତ ଆଉ କିଛି ସେହି ବାଉଁଶ ଖଣ୍ଡରେ ଚିତ୍ର ଆଙ୍କି ଭଳିକି ଭଳି ରଙ୍ଗ ଦେଇ ଅଳଙ୍କାର ତିଆରି କରିବାର ପ୍ରସ୍ତୁତିରେ ଲାଗିଛନ୍ତି । ଏ କାହାଣୀ ହେଉଛି ରାୟଗଡା ଜିଲ୍ଲାର ଆଉ ଏସବୁ ପ୍ରସ୍ତୁତ କରୁଛନ୍ତି ରାୟଗଡା ବ୍ଲକ ଚାନ୍ଦିଲି ଗ୍ରାମ ଆଦିବାସୀ କଲେଜର ଯୁୂବତୀମାନେ । ଏହି ଅଳଙ୍କାର ପ୍ରସ୍ତୁତ କରି ମାସିକ ୧୦ରୁ ୧୨ହଜାର ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି ।

ପାଠପଢା ପରେ ସ୍ୱାବଲମ୍ବୀ ହେବାକୁ ଯୋଜନା କରି ୨୫ ଜଣ ଯୁବତୀ ମିଶି ଗଠନ କଲେ ମାଆ ସନ୍ତୋଷୀ ପ୍ରଡ୍ୟୁସର ଗ୍ରୁପ୍ । ଲୋକେ ବାଉଁଶରୁ କୁଲା, ଢାଲା, ତାଟ, ମଶିଣା, ତଲାରି ଭଳି ବହୁ ସୁନ୍ଦର ସୁନ୍ଦର ଜିନିଷ ତିଆରି କରି ବ୍ୟବହାର କରୁଥିଲେ । ତାକୁ ବର୍ତମାନ ନୂଆ ରୂପ ଦେଇ ଜାତୀୟ ଆର୍ନ୍ତଜାତୀୟ ସ୍ତରରେ ଚମକାଇବା ପାଇଁ ଚିନ୍ତା କରି ଆରମ୍ଭ କରିଛନ୍ତି ଏହି ସଙ୍ଗଠନ । ଏହି ଯୁବତୀମାନଙ୍କୁ ସହଯୋଗର ହାତ ବଢାଇଛି ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଥିବା ସ୍ପର୍ଶ ଅନୁଷ୍ଠାନ । ତେବେ ଅଳଙ୍କାର ନିର୍ମାଣ ପାଇଁ ସରକାରୀ ସହାୟତା ସାଙ୍ଗକୁ ଉଚିତ ବଜାର ମିଳିପାରିଲେ ଭଲ ବ୍ୟବସାୟ ହେବା ନେଇ ଆଶାବାଦୀ ଅଛନ୍ତି ଏହି ଯୁବତୀମାନେ ।

from Kanak News
via <a href="https://ifttt.com/?

ଉପାନ୍ତ ଅଞ୍ଚଳର ସଫଳ ଯୁବ ଚାଷୀ । ଛତୁ ଚାଷ କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟଙ୍କୁ ଦେଇଛନ୍ତି ନିଯୁକ୍ତି, ଲଗାଇଛନ୍ତି ୯୦୦ରୁ ଅଧିକ ଛତୁ ବେଡ ।

କନକ ବ୍ୟୁରୋ : ଉପାନ୍ତ ଅଞ୍ଚଳର ସଫଳ ଯୁବ ଚାଷୀ  । ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟକୁ ରୋଜଗାର ଦେବା ଭଳିି ଚାଷ କରି ଦେଖାଇଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ଅଂଚଳର ଯୁବ ଛତୁ ଚାଷୀ ତରଣୀସେନ ନାଏକ  । ଛତୁ ଚାଷ କରି ଅଂଚଳରେ ସେ ଏବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି  । ପାଞ୍ଚ ବର୍ଷ ପୂର୍ବରୁ ସେ ଛତୁ ଚାଷ ଆରମ୍ଭ କରିଥିଲେ  । ଏବେ ପ୍ରାୟ ୯୦୦ରୁ ଅଧିକ ଛତୁ ବେଡ ଲଗାଇଛନ୍ତି  । ଏବେ ତରଣୀଙ୍କ ଛତୁ ଫାର୍ମରେ ୧୫ ଜଣ ପୁରୁଷ ଓ ମହିଳା ଶ୍ରମିକ କାମ କରନ୍ତି  ।

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଚର୍ଦାପାଲି ଗ୍ରାମର ଯୁବ ଚାଷୀ ତରଣୀସେନ ନାଏକ  ।  ଛତୁ ଚାଷ କରି ଅଞ୍ଚଳରେ ସେ ଏବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି  । ପାଞ୍ଚ ବର୍ଷ ପୂର୍ବରୁ ବ୍ରହ୍ମପୁରରେ ଏକ ଘରୋଇ ପ୍ରତିଷ୍ଠାନରୁ ଛତୁ ଚାଷ ତାଲିମ ପରେ ୩ ଡେସିମିଲ ଜାଗାରେ ଛତୁ ଚାଷ ଆରମ୍ଭ କରିଥିଲେ  । ପ୍ରଥମେ ୩୦୦ ବେଡରୁ ଛତୁ ଚାଷ ଆରମ୍ଭ କରିଥିଲେ ତରଣୀସେନ  । ଏବେ ୫ ଡେସିମିଲ ଜାଗାରେ ପ୍ରାୟ ୯୦୦ରୁ ଅଧିକ ବେଡ ତିଆରି କରି ଛତୁ ଚାଷ କରୁଛନ୍ତି ଏବଂ ଲାଭବାନ ହେଉଛନ୍ତି  । ତରଣୀ ପ୍ରତିଦିନ ୩୦ରୁ ୩୫ କିଲୋ ଛତୁ ଅମଳ କରିଥାନ୍ତି  । ତାଙ୍କ ଛତୁର ଚାହିଦା ଥିବା କାରଣରୁ ପଦ୍ମପୁର ଅଂଚଳର ବ୍ୟବସାୟୀ ତାଙ୍କ ଘରକୁ ଯାଇ ୨୦୦ ରୁ ୨୭୦ ଟଙ୍କା କେଜି ପ୍ରତି ଛତୁ କିଣି ନେଉଛନ୍ତି

ଏବେ ତରଣୀଙ୍କ ଛତୁ ଫାର୍ମରେ ୧୫ ଜଣ ପୁରୁଷ ଓ ମହିଲା ଶ୍ରମିକ କାମ କରନ୍ତି  ।  ଛତୁ ଚାଷ ପାଇଁ ପ୍ରଥମେ ଭାଡି ତିଆରି କରାଯାଇଥାଏ  । ପରେ ପାଳ ବିଡା ତିଆରି କରି ପାଳ ବିଡାର ଉଭୟ ମୁଣ୍ଡକୁ ସାଇଜରେ କାଟି ଚୂନ ପାଣିରେ ବତୁରାଇ ଦିଆଯାଏ  । ଏହା ପରେ ପାଳ ବିଡା ଗୁଡିକରେ ଛତୁ ମଞ୍ଜି ଦେଇ ପ୍ରଥମରୁ ତିଆରି ହୋଇଥିବା ଭାଡିରେ ବେଡ ତିଆରି କରାଯାଏ ଏବଂ ତାକୁ ପଲିଥିନରେ ଘୋଡାଇ ରଖାଯାଇଥାଏ  । ୧୫ରୁ ୧୮ ଦିନ ମଧ୍ୟରେ ଛତୁ ଅମଳ ଆରମ୍ଭ ହୋଇଥାଏ  ।

ନିଜ ଦୃଢ଼ ଇଚ୍ଛା ଶକ୍ତି ଓ ପରିଶ୍ରମ ଯୋଗୁଁ ଛତୁଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାର ଯୋଗାଇବାରେ ସଫଳ ହୋଇଛନ୍ତି ଯୁବ ଚାଷୀ ତରଣୀସେନ  ।

from Kanak News
via <a href="https://ifttt.com/?

ଧୂପକାଠି ପ୍ରସ୍ତୁତ କରି ନିଜେ ହୋଇଛନ୍ତି ସ୍ୱାବଲମ୍ବୀ । ଅନ୍ୟ ମାନଙ୍କ ପାଇଁ ଖୋଲିଛନ୍ତି ରୋଜଗାରର ବାଟ, ସଫଳ ଉଦ୍ୟୋଗୀ ଡମାଇଙ୍କ ପ୍ରେରଣାଦାୟୀ କାହାଣୀ ।

କନକ ବ୍ୟୁରୋ : ଧୂପକାଠି ପ୍ରସ୍ତୁତ କରି ସେ ନିଜେ ସ୍ୱାବଲମ୍ବୀ ହୋଇଛନ୍ତି  । ଏହାସହ ଅନ୍ୟଙ୍କୁ ଦେଇଛନ୍ତି ରୋଜଗାରର ମାଧ୍ୟମ  । ଏ ହେଉଛନ୍ତି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକର ମାଠପଡ଼ା ଗ୍ରାମର ଜଣେ ସଫଳ ମହିଳା ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ  ।  ଡ଼ମାଇ ନାୟକ  ଧୂପକାଠି ପ୍ରସ୍ତୁତି ଉଦ୍ୟୋଗ କରି ଗାଁକୁ ଦେଇଛନ୍ତି ଏକ ନୂଆ ପରିଚୟ । ଜଙ୍ଗଲରୁ ସଂଗ୍ରହ ହେଉଥିବା ଝୁଣାକୁ  ନିଜେ ଧୂପକାଠି ତିଆରି କରି ବ୍ୟବସାୟ ଆରମ୍ବ କରିଥିଲେ  । ବିନା କେମିକାଲରେ ତିଆରି ହୋଇଥାଏ ଏହି ଧୂପକାଠି  । ଏବେ ଗାଁର ମହିଳାମାନେ ମଧ୍ୟ ଏହି କାମରେ ନିଜକୁ ନିୟୋଜିତ କରି ରୋଜଗାର କରିପାରୁଛନ୍ତି  ।

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକର ମାଠପଡ଼ା ଗ୍ରାମ । ବିକାଶ କହିଲେ ଗାଁରେ କେବଳ  ଖଣ୍ଡିଏ ସ୍କୁଲ । ଜୀବିକା କହିଲେ  କୁଲି କାମ  କରିବା ସହ ବଣ ଜଙ୍ଗଲରୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ବିକ୍ରି କରିବା । ହେଲେ ଏହି ଗ୍ରାମର  ଜଣେ ମହିଳା ଡ଼ମାଇ ନାୟକ  ଗାଁକୁ ଦେଇଛନ୍ତି ଏକ ନୂଆ ପରିଚୟ । ପରିବାରର ଆର୍ଥିକ ଅବସ୍ଥାକୁ ପରିବର୍ତନ କରିବାକୁ ଯାଇ  ନିଜେ ସ୍ୱାବଲମ୍ବୀ ହେବା ସହ ଗାଁ  ମହିଳା ମାନଙ୍କୁ କରିଛନ୍ତି ସ୍ୱାବଲମ୍ବୀ ।

ବୋହୂ ହୋଇ ମାଠପଡ଼ା ଗାଁକୁ  ଆସିଥିଲେ ଡ଼ମାଇ । ପରିବାରର ଆର୍ଥିକ ଅବସ୍ଥା ଦେଖି ନିଜେ ରୋଜଗାର କରିବାକୁ ଅଣ୍ଟା ଭିଡ଼ିଥିଲେ  । ଜଙ୍ଗଲରୁ ସଂଗ୍ରହ ହେଉଥିବା ଝୁଣାକୁ  ନିଜେ ଧୂପକାଠି ତିଆରି କରି ବ୍ୟବସାୟ ଆରମ୍ଭ କଲେ  । ବିନା କେମିକାଲରେ ତିଆରି ହେଉଥିବା ଏହି ଧୂପକାଠିର ଚାହିଦା ବଢିବାରୁ  ଗାଁର ମହିଳା ମାନଙ୍କୁ ଏକାଠି କରି ଡ଼ୋକ୍ରା ସ୍ୱୟଂ ସହାୟକ ଦଳ ଗଠନ କଲେ । ଅଧିକ ବ୍ୟବସାୟ କରିବା ପାଇଁ ପ୍ରଶିକ୍ଷଣ କେନ୍ଦ୍ରରୁ ତାଲିମ ନେଲେ ।  ଝୁଣା ସହ ମଶା ଧୂପ କାଠି  ମଧ୍ୟ ତିଆରି  କଲେ  । ଚାହିଦା ବଢିଲା । ବ୍ୟବସାୟ ବଢ଼ି଼ିଲା । ଆଖ ପାଖ ଗ୍ରାମରେ ପ୍ରଶିକ୍ଷଣ ପାଇଁ ଡ଼ମାଇକୁ ଡ଼ାକିଲେ । ପ୍ରଶାସନର ଦୃଷ୍ଟି ଆକର୍ଷଣ  ହେଲା । କୋରାପୁଟର ରାଜ୍ୟସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରବ ଭଳି ରାଜ୍ୟର ପ୍ରତ୍ୟେକ ଜିଲ୍ଳାସ୍ତରୀୟ ମହୋତ୍ସବରେ ପ୍ରଶାସନ ତରଫରୁ ନିମନ୍ତ୍ରଣ ମିଳିଲା । ରାଜଧାନୀ ଠାରୁ ଆରମ୍ଭ କରି ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ବୌଦ୍ଧ, ଯାଯପୁର, କଟକ, ବାଲେଶ୍ୱର, କଟକ, ବଲାଙ୍ଗୀର, ଝାରସୁଗୁଡ଼ା, ନୟାଗଡ଼ ଗୁଣପୁରରେ  ସେ ନିଜର  ବ୍ୟବସାୟକୁ ପହଞ୍ଚାଇଛନ୍ତି ଓ ଏହାସହ ଅନେକ ପୁରସ୍କାର ମଧ୍ୟ ହାତେଇଛନ୍ତି ।

from Kanak News
via <a href="https://ifttt.com/?

ରାଜନୀତିର ମଞ୍ଚରେ ବାପା ସହ ଲଢୁଛି ଝିଅ । ମାଲକାନଗିରିରେ ବାପା-ଝିଅ ଲଢେଇକୁ ନେଇ ଚର୍ଚ୍ଚା, ବାପା କହିଲେ ଝିଅ କଥାରେ ନାହିଁ ଦମ୍, ଝିଅ କହିଲେ, ନିଭାଉଛନ୍ତି ନିଜ ଧର୍ମ ।

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ମାଲକାନଗିରିର ବାକା ପରିବାର । ଗତ ୧୫ ତାରିଖରେ ମାଲକାନଗିରି ଜିଲ୍ଲା ଯୋଜନା ବୈଠକରେ ବିଧାୟକ ବାପା ଓ ଜିଲ୍ଲା ପରିଷଦ ଝିଅଙ୍କ କଳି ପରେ ଏହି ଚର୍ଚ୍ଚା ସୃଷ୍ଟି ହୋଇଛି । କନକ ନ୍ୟୁଜକୁ ମନ୍ତବ୍ୟ ଦେଇ ବାପା ପୂର୍ଣ୍ଣଚନ୍ଦ୍ର ବାକା କହିଛନ୍ତି, ଝିଅ କଥାରେ ଦମ ନାହିଁ । ସେପଟେ ଝିଅ କହିଛନ୍ତି, ସେ ବିଜେପି ନେତ୍ରୀ ହିସାବରେ ନିଜ ଧର୍ମ ନିଭାଉଛନ୍ତି ।

ମଞ୍ଚ ଉପରେ ବିଧାୟକ ବାପା, ଆଉ ମଞ୍ଚ ତଳେ ଝିଅ ଶାନ୍ତିଲତା ମାଝୀଙ୍କ ହୋ ହାଲ୍ଲା । । ଝିଅ ହେଉଛନ୍ତି ବିଜେପି ଜିଲ୍ଲା ପରିଷଦ ସଦସ୍ୟା । ମାଲକାନଗିରି ଜିଲ୍ଲା ଯୋଜନା କମିଟିର ବୈଠକ ଚାଲୁ ଥିବା ବେଳେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା ଓ  ଶାନ୍ତିଲତାଙ୍କ ପାଟିତୁଣ୍ଡର ଚିତ୍ର ଆସିବା ପରେ ଏବେ ପୁଣି ଚର୍ଚ୍ଚାରେ ବାକା ପରିବାର ।

୨୦୧୯ ସାଧାରଣ ନିର୍ବାଚନରେ  ପୂର୍ଣଚନ୍ଦ୍ର ବାକାଙ୍କ ସମେତ ତାଙ୍କ ଝିଅ ଶାନ୍ତିଲତା ମାଝୀ ଏବଂ ଝିଆରୀ ଲକ୍ଷ୍ମୀପ୍ରିୟା ନାୟକ ବିଧାୟକ ପ୍ରାର୍ଥୀ ଲାଗି ଆଶାୟୀ ଥିଲେ । ପୂର୍ଣଚନ୍ଦ୍ର ବାକା ବିଜେଡି ଟିକଟ ପାଇଥିବା ବେଳେ ଝିଆରି ଲକ୍ଷ୍ମୀପ୍ରିୟା ନାୟକ ଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା । ତେବେ ଝିଅ ଶାନ୍ତିଲତାଙ୍କୁ କିନ୍ତୁ ଟିକଟ ଦେଇ ନ ଥିଲା ବିଜେପି । ଆଉ ଝିଆରି କୁ ୨୫୪୦ ଭୋଟରେ ହରାଇ ବିଧାୟକ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର ବାକା । ତେବେ ଏବେ ଯୋଜନା କମିଟି ବୈଠକରେ ଝିଅର ହୋ-ହଲ୍ଲା ପରେ ପୁଣି ମାଲକାନଗିରି ଜିଲ୍ଲାରେ ବାକା ପରିବାରର ରାଜନୀତି ଚର୍ଚ୍ଚାକୁ ଆସିଛି ।

ମାଲାକନଗିରି ଜିଲ୍ଲା ଗମ୍ଫାକୋଣ୍ଡା ଉଚ୍ଚ ବିଦ୍ୟାଳୟ ରେ ମାଟ୍ରିକ ପାସ କରି ଜଣେ ସରକାରୀ କିରାଣୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ପୂର୍ଣ୍ଣଚନ୍ଦ୍ର ବାକା ବିଜେଡି ଟିକଟ ପାଇ ଚାକିରିରୁ ଅବସର ନେଇ ଥିଲେ । ଆଉ ଝିଅ ଶାନ୍ତିଲତା ମଧ୍ୟ ଗତ ୪ ବର୍ଷ ଧରି ବିଜେପିର ଜିଲ୍ଲା ପରିଷଦ ସଦସ୍ୟା । ଆଗକୁ ପଞ୍ଚୟତ ନିର୍ବାଚନ ଥିବାରୁ ବାକା ପରିବାର ଉପରେ ସମସ୍ତଙ୍କ ନଜର ।

from Kanak News
via <a href="https://ifttt.com/?

ସୁନ୍ଦରଗଡରେ କରୋନାର “ଆର-ଭ୍ୟାଲୁ”କୁ ନେଇ ଆଶଙ୍କା । ନୂଆ ଗଣିତ କହୁଛି, ଜିଲ୍ଲାରେ ସବୁଠୁ ଅଧିକ ସଂକ୍ରମଣ କ୍ଷମତା, ମିଳୁଛି କି ତୃତୀୟ ଲହର ସଂକେତ?

କନକ ବ୍ୟୁରୋ : କରୋନା ସଂକ୍ରମଣ କ୍ଷମତାକୁ ନେଇ ଓଡିଶାର ସୁନ୍ଦରଗଡ ଜିଲ୍ଲାରୁ ଆସିଛି ଚିନ୍ତାଜନକ ଖବର । ଇଣ୍ଡିଆନ୍ ମାଥମେଟିକାଲ ସାଇନ୍ସର ସୂଚନା ଅନୁସାରେ ସୁନ୍ଦରଗଡରେ ଆର ଭାଲ୍ୟୁ ୧ ଉପରେ ରହିଛି । ଆର ଭ୍ୟାଲୁ ବଢ଼ିବା, ସଂକ୍ରମଣ ବଢିବାର ସଂକେତ । ତେଣୁ ସୁନ୍ଦରଗଡରେ ଏହା କରୋନାର ତୃତୀୟ ଲହର ଆରମ୍ଭର ସଙ୍କେତ ବୋଲି ସନ୍ଦେହ କରାଯାଉଛି ।

ଚିନ୍ତା ବଢ଼ାଇଲା ‘ଆର’ ଭ୍ୟାଲୁ । ସୁନ୍ଦରଗଡ଼ରେ ୧ ଟପିଲା ‘ଆର’ ଭ୍ୟାଲୁ । ମିଳୁଛି କି ତୃତୀୟ ଲହର ସଂକେତ? ‘ଆର’ ଭ୍ୟାଲୁ ବା ରିପ୍ରଡକ୍ଟସନ୍ ଭ୍ୟାଲୁ । କରୋନା ମହାମାରୀରେ ଏହାର ଅର୍ଥ ହେଉଛି ଜଣେ ଅନ୍ୟକୁ ସଂକ୍ରମିତ କରିବା କ୍ଷମତା ।ଯେତେବେଳେ ସଂକ୍ରମଣ ହ୍ରାସ ପାଏ, ସେତେବେଳେ ଆର ଭ୍ୟାଲୁ ହ୍ରାସ ପାଇଥାଏ । ଆଉ ଆର ଭ୍ୟାଲୁ ବଢ଼ିଲେ ସଂକ୍ରମଣ ବଢିବାର ସଂକେତ ମିଳିଥାଏ । ଏହି ହିସାବ ଅନୁସାରେ କରୋନା ସଂକ୍ରମଣର ପ୍ରଭାବ ଆକଳନ କରାଯାଇଛି ।

ଚିନ୍ତାର ବିଷୟ ହେଉଛି, ସୁନ୍ଦରଗଡ଼ ଜିଲ୍ଲାରେ ଆର ଭ୍ୟାଲୁ ଜୁଲାଇ ୪ରୁ ୧୫ ମଧ୍ୟରେ ୧.୧୩ ରହିଛି । ପୂର୍ବରୁ ଏହା ୦.୮୨ ଥିଲା । ଖୋର୍ଦ୍ଧାରେ ୧ ପାଖାପାଖି ଥିବା ବେଳେ ଓଡ଼ିଶାର ଆର ଭ୍ୟାଲୁ ଏହି ସମୟ ମଧ୍ୟରେ ୦.୮୬ ରହିଛି । ସେହିପରି ପୁରୀ ଓ ବାଲେଶ୍ୱରରେ ଆର ଭ୍ୟାଲୁ ୦.୮୧ ଏବଂ କଟକ ଜିଲ୍ଲାର ରହିଛି ୦.୭୮ । ଓଡ଼ିଶାର ଏକମାତ୍ର ଜିଲ୍ଲା ଭାବେ ସୁନ୍ଦରଗଡ଼ର ଆର ଭ୍ୟାଲୁ ୧ ଉପରକୁ ଉଠିଯାଇଛି । ଚେନ୍ନାଇ ସ୍ଥିତ ଇଣ୍ଡିଆନ୍ ମାଥମେଟିକାଲ ସାଇନ୍ସର ଗାଣିତିକ ମଡେଲରୁ ଏହି ତଥ୍ୟ ମିଳିଛି ।

ଇଣ୍ଡିଆନ୍ ମାଥମେଟିକାଲ ସାଇନ୍ସର ଗବେଷକ ପ୍ରଫେସର ସୀତାଭ ସିହ୍ନା କହିଛନ୍ତି, ଯେଉଁଠି ଆର ଭ୍ୟାଲୁ ୧ ଉପରକୁ ଚାଲିଯାଏ ସେଠାରେ ସଂକ୍ରମଣ ବଢିବା ନେଇ ଆଭାସ ମିଳିଥାଏ । ଭାରତରେ ଜୁନ ୩୦ରେ ‘ଆର’ ଭ୍ୟାଲୁ ୦.୭୮ ଥିଲା, ଜୁଲାଇ ପ୍ରଥମ ସପ୍ତାହରେ ‘ଆର’ ଭ୍ୟାଲୁ ୦.୮୮କୁ ବୃଦ୍ଧି ପାଇଛି । ପ୍ରଫେସର ସୀତାଭ ସିହ୍ନା କହିଛନ୍ତି, ‘ଆର’ ଭ୍ୟାଲୁ ୦.୧ ବୃଦ୍ଧି ପାଇଲେ ସଂକ୍ରମଣ ଆଖିଦୃଶିଆ ଭାବେ ବଢିଯାଇଥାଏ । ଏହା ଚିନ୍ତାର କାରଣ ବୋଲି ମତ ଦେଇଛନ୍ତି ପ୍ରଫେସର ସିହ୍ନା । ସେପଟେ ଆଇସିଏମଆର ଓ ଇମ୍ପରିଆଲ କଲେଜ ଅଫ୍ ଲଣ୍ଡନର ମିଳିତ ଗବେଷଣା କହୁଛି ଅଗଷ୍ଟ ଶେଷ ବେଳକୁ ତୃତୀୟ ଲହର ଆସିବା ସମ୍ଭାବନା ରହିଛି ।

ଛତିଶଗଡ଼ ଓ ଝାରଖଣ୍ଡରୁ ଦ୍ୱିତୀୟ ଲହର ଆରମ୍ଭ ହୋଇ ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ସଂକ୍ରମଣ ବ୍ୟାପିଥିଲା । ଗାଣିତିକ ମଡେଲରେ ସୁନ୍ଦରଗଡ଼ରେ ଆର ଭ୍ୟାଲୁ ୧ ଉପରକୁ ଯାଇଥିବା ବେଳେ ଏହା ପୁଣିଥରେ ଚିନ୍ତାର କାରଣ ହୋଇଛି ।

from Kanak News
via <a href="https://ifttt.com/?

ପଖାଳକୁ ନେଇ ବଢିଲା ବିବାଦ । ଓଡି଼ଶାର ସଂସ୍କୃତିପ୍ରେମୀ କହିଲେ, ରସଗୋଲା ପରେ ପଖାଳକୁ ବି ନେଇଯିବ ପଶ୍ଚିମବଙ୍ଗ । 

କନକ ବ୍ୟୁରୋ : ପଖାଳକୁ ନେଇ ନୂଆ ବିବାଦ ଦେଖା ଦେଇଛି । ଓଡିଆଙ୍କ ପାରମ୍ପରିକ ଖାଦ୍ୟ ପଖାଳକୁ ଏବେ ବିଶ୍ୱ ଦରବାରରେ ପଶ୍ଚିମବଙ୍ଗର ଖାଦ୍ୟ ବୋଲି ପରିଚୟ ଦିଆଯାଉଛି । ଅଷ୍ଟ୍ରେଲିଆର ଏକ ଟିଭି କାର୍ଯ୍ୟକ୍ରମରେ ପଖାଳକୁ ପଶ୍ଚିମବଙ୍ଗର ଖାଦ୍ୟ ବୋଲି କୁହାଯାଇଛି । ତେଣୁ ରସଗୋଲା ପରେ ଏବେ ପଖାଳ ଉପରେ ପଶ୍ଚିମବଙ୍ଗର ଆଖି ପଡିଥିବା ଚର୍ଚ୍ଚା ହେଇଛି । ତୁରନ୍ତ ଓଡିଶା ସରକାର ଏ ଦିଗରେ ପଦକ୍ଷେପ ନନେଲେ ପଖାଳର ଜିଆଇ ଟ୍ୟାଗ ପଶ୍ଚିମବଙ୍ଗ ହାତେଇନେବା ଆଶଙ୍କା ଦେଖାଦେଇଛି ବୋଲି କହିଛନ୍ତି ସଂସ୍କୃତି ଗବେଷକ ।

ପଖାଳ କଂସା ପାଖରେ ବସିଲେ ମେଂଟିଯାଏ ଭୋକ । ଓଡିଆ ସମାଜ, ପରମ୍ପରା ଓ ସଂସ୍କୃତି ସହ ଜଡିତ ଏହି ପ୍ରିୟ ଖାଦ୍ୟ ପଖାଳକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ । ପ୍ରଶ୍ନ ଉଠିଛି, ପଖାଳ କାହାର?

ରସଗୋଲା ପରେ ପଖାଳକୁ ନେଇ ବଢିଲା ବିବାଦ । ରସଗୋଲା ଭଳି ପଖାଳକୁ ନିଜର କରିନନେଉ ବଙ୍ଗ! କିଛି ଦିନ ତଳେ ରିଆଲିଟି ଟିଭି ସୋ -ଅଷ୍ଟ୍ରେଲିଆନ ମାଷ୍ଟର ସେଫ୍–ସିଜନ ୧୩ର ଗ୍ରାଣ୍ଡ ଫିନାଲେରେ ବାଂଲାଦେଶୀ ପ୍ରତିଯୋଗୀ କିଶୱାର ଚୌଧୁରୀ ପଖାଳ ଓ ଆଳୁ ଭର୍ତ୍ତା ପ୍ରସ୍ତୁତ କରିଥିଲେ । ହେଲେ ଏହାକୁ ସେ ବଙ୍ଗାଳି ଖାଦ୍ୟ ‘ପାନ୍ତୋ ଭାତ୍’ ବୋଲି କହିଛନ୍ତି । ତେଣୁ ଏବେଠୁ ଓଡିଶା ଉଦ୍ୟମ ନକଲେ ରସଗୋଲା ଭଳି ପଖାଳର ଜିଆଇ ଟ୍ୟାଗ୍ ମଧ୍ୟ ପଶ୍ଚିମବଙ୍ଗକୁ ମିଳିଯିବା ଆଶଙ୍କା ଦେଖାଦେଇଛି ।

ପଖାଳ ଓଡିଶାର ଘରେ ଘରେ ପରିଚିତ ଖାଦ୍ୟ ହୋଇଥିବା ବେଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଠାରେ ମଧ୍ୟ ଲାଗି କରାଯାଇଥାଏ । ଓଡିଶାରେ ପୁରାତନ କାଳରୁ ଚଳି ଆସୁଥିବା ଏହି ପାରମ୍ପରିକ ଖାଦ୍ୟ କିନ୍ତୁ ବିଦେଶରେ ପଶ୍ଚିମବଙ୍ଗର ଖାଦ୍ୟ ବୋଲି ପରିଚୟ ପାଉଛି । କିଛି ଦିନ ତଳେ ଭୁବନେଶ୍ୱର ଏମ୍ସର ଡାକ୍ତର ଗବେଷଣା କରି ପଖାଳ, ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ବୋଲି ରିପୋର୍ଟ ଦେଇଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started