ବିଜେପି କରିବ ନେତା ଆମଦାନୀ! ଅନ୍ୟ ଦଳର ନେତାଙ୍କ ଉପରେ ଆଖି

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ରଣନୀତି କରୁଛି ବିଜେପି । କଣ କଲେ ଆଗାମୀ ନିର୍ବାଚନରେ ଦଳ ଅଧିକରୁ ଅଧିକ ଆସନ ହାତେଇବ, ତା ଉପରେ ଗୁରୁତ୍ୱ ଦେଉଛି । ଏହିକ୍ରମରେ ଅନ୍ୟ ଦଳର ବିଜୟ ସମ୍ଭାବନା ଥିବା ନେତାଙ୍କୁ ବିଜେପିରେ ମିଶାଇ ନିର୍ବାଚନରେ ବିଜୟୀ ହେବାକୁ ଯୋଜନା କରୁଛି । ଏପରିକି ଅନ୍ୟ ଦଳରୁ ନେତା ଆମଦାନୀ କରି ଉଭୟ ବିଧାନସଭା ଓ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଓ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ୨୦୧୯ ନିର୍ବାଚନ ପୂର୍ବରୁ ଏହି ଦୁଇ ନେତା ଥିଲେ ବିଜେଡିରେ । କିନ୍ତୁ ଟିକେଟ ବଂଟନ ପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିବା ପରେ ବିଜେପିରେ ମିଶିଥିଲେ ଏବଂ ଦଳୀୟ ଟିକେଟ ପାଇ ନିର୍ବାଚନ ଜିତିଥିଲେ । ଗତ ନିର୍ବାଚନ ପୂର୍ବରୁ ସେହପରି ଦାମ ରାଉତ, ରଘୁ ମହାନ୍ତି, ଜୟରାମ ପାଙ୍ଗୀ, ବିଭୂ ତରାଇ, ଅମର ନାୟକଙ୍କ ଭଳି କିଛି ନେତା ମଧ୍ୟ ପୁରୁଣା ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ଯଦିଓ ସେମାନେ ଜିତି ପାରିନଥିଲେ, କିନ୍ତୁ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ୨୦୨୪ ନିର୍ବାଚନ ସମୟରେ ଏଭଳି ଅଙ୍କ କଷିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ରାଜ୍ୟ ବିଜେପି ।

ଜାତୀୟ ସ୍ତରରେ ମଧ୍ୟ ନେତା ଆମଦାନୀ ପାଇଁ ବିଜେପି ଜୋରଦାର କସରତ ଆରମ୍ଭ କରିଦେଇଛି । ଲକ୍ଷ୍ୟ ହେଉଛି, ଆସନ୍ତା ସାଧାରଣ ନିର୍ବାଚନରେ ୪୦୦ରୁ ଅଧିକ ସଂସଦୀୟ କ୍ଷେତ୍ରରେ ପଦ୍ମ ଫୁଟାଇବା । ବିଶେଷ କରି ୨୦୧୯ ନିର୍ବାଚନରେ ଯେଉଁ ୧୬୦ଟି ଆସନ ହରାଇଥିଲା, ସେହି ଆସନଗୁଡକ ଉପରେ ରହିଛି ଦଳର ଫୋକସ । ଏଥିପାଇଁ ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ ବିନୋଦ ତାୱଡ଼େଙ୍କ ନେତୃତ୍ୱରେ ଗଠନ ହୋଇଛି ଜଏନିଂ କମିଟି ବା ମିଶ୍ରଣ କମିଟି । ଏ ନେଇ ଗତ ମଙ୍ଗଳବାର ଦିନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ଦଳର ଏକ ବୈଠକ ବସିଥିଲା । ଏହି ବୈଠକରେ ପୂରା ବ୍ଲୁ-ପ୍ରିଂଟ ପ୍ରସ୍ତୁତ ହୋଇଛି । କେଉଁ ନେତାଙ୍କୁ ଦଳରେ ସାମିଲ କରାଯିବ, ଏ ନେଇ ଚୂଡ଼ାନ୍ତ ହୋଇଛି ରୂପରେଖ । ଯେଉଁମାନଙ୍କର
କାହାକୁ ଦଳରେ ମିଶାଇବ ବିଜେପି?
ତୃଣମୂଳ ସ୍ତରରେ ପ୍ରଭାବ ରହିଥିବ
ଲୋକଙ୍କ ବିଶ୍ୱାସ ଜିତିଥିବେ
ସାଂସଦ କିମ୍ବା ବିଧାୟକ ରହିଥିବେ
ଆସନ୍ତା ନିର୍ବାଚନରେ ବିଜୟ ସମ୍ଭାବନା ଅଧିକ ଥିବ
ଏହି ନେତାମାନେ ବିଜେପିରେ ସାମିଲ ହେବାକୁ ଚାହିିଁଲେ, ସବୁଦିଗକୁ ଦୃଷ୍ଟିରେ ରଖି ତର୍ଜମା କରାଯିବ । ଏହାପରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଗଢ଼ା ଯାଇଥିବା ମିଶ୍ରଣ କମିଟି ଏ ନେଇ ନିଷ୍ପତି ନେବେ ।

ଯଦି ସାଂସଦ କିମ୍ବା ବରିଷ୍ଠ ନେତା ହୋଇଥିବେ, ତେବେ କେନ୍ଦ୍ରୀୟ କମିଟି ତର୍ଜମା କରିବ ଏବଂ ସେମାନଙ୍କ ପାଇଁ ଦିଲ୍ଲୀରେ ଆୟୋଜିତ ହେବ ମିଶ୍ରଣ ପର୍ବ । ବିଧାୟକ ଓ ରାଜ୍ୟସ୍ତରୀୟ ନେତା ହୋଇଥିଲେ ଏ ନେଇ ରାଜ୍ୟ ମିଶ୍ରଣ କମିଟି ନିଷ୍ପତି ନେବ ।

କେନ୍ଦ୍ରସ୍ତରରେ ବିଜେପି ମିଶ୍ରଣ କମିଟି ଗଠନ କରିଥିବା ବେଳେ ଖୁବଶୀଘ୍ର ରାଜ୍ୟରେ ଗଠନ ହେବାକୁ ଯାଉଛି ମିଶ୍ରଣ କମିଟି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅନ୍ୟ ଦଳର ଅନେକ ନେତା ଯୋଗାଯୋଗରେ ରହିଥିବା କହିଆସୁଛି ରାଜ୍ୟ ବିଜେପି ।

The post ବିଜେପି କରିବ ନେତା ଆମଦାନୀ! ଅନ୍ୟ ଦଳର ନେତାଙ୍କ ଉପରେ ଆଖି first appeared on Kanak News.

from Kanak News
via <a href="https://ifttt.com/?

ଆର୍ଥିକ ଅନଗ୍ରସର ସଂପ୍ରଦାୟର ଯୁବତୀମାନଙ୍କୁ ସଶକ୍ତ କରିବାକୁ ବେଦାନ୍ତ ଓଡିଶାର ପ୍ରଚେଷ୍ଠା । ‘ପ୍ରୋଜେକ୍ଟ ‘ପଂଛି’ର ହେଲା ଶୁଭାରମ୍ଭ

କନକ ବ୍ୟୁରୋ : ‘ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ଝାରସୁଗୁଡାରେ ପ୍ରୋଜେକ୍ଟ ପଂଛିର ତୃତୀୟ ପର୍ୟ୍ୟାୟର ଶୁଭାରମ୍ଭ କରିଥିଲା । ବେଦାନ୍ତର ଚେୟାରମ୍ୟାନ୍ ଶ୍ରୀ ଅନୀଲ ଅଗ୍ରୱାଲଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ପ୍ରୋଜେକ୍ଟ ପଂଛି ହେଉଛି ବେଦାନ୍ତର ଅଭିନବ କର୍ପୋରେଟ୍ ନିଯୁକ୍ତି ଡ୍ରାଇଭ୍ ଯାହା ଧାତୁ, ଖଣି, ତୈଳ ଏବଂ ଗ୍ୟାସ୍ ସ୍ଥିତ ପାନ-ଇଣ୍ଡିଆରେ ବିଭିନ୍ନ ବ୍ୟବସାୟରେ ଆରô୍ଥକ ଅନଗ୍ରସର ପଛୁଆ ସମ୍ପ୍ରଦାୟର ୧୦୦୦ ବାଳିକାଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛି । ଏହି ଡ୍ରାଇଭର ଲକ୍ଷ ହେଉଛି ସ୍ୱଳ୍ପ ଆୟ ପରିବାରର ବାଳିକାମାନେ, ଯେଉଁମାନେ ଆର୍ଥିକଏବଂ ସାମାଜିକ ପ୍ରତିବନ୍ଧକ ହେତୁ ପରବର୍ତୀ ଅଧ୍ୟୟନ ତଥା ଏକ ପୂର୍ଣ୍ଣ କ୍ୟାରିୟର ଗଢି ପାରୁନାହାଁନ୍ତି, ସେମାନଙ୍କୁ ସାହାଯ୍ୟ କରିବା ।

ଝାରସୁଗୁଡାରେ ପ୍ରକଳ୍ପର ତୃତୀୟ ପର୍ୟ୍ୟାୟର ଅଂଶ ଭାବରେ ୪୫ ଜଣ ଯୁବତୀ ନିଯୁକ୍ତି ପାଇଁ ଚିହ୍ନଟ ହୋଇଛନ୍ତି । ଯୁବତୀମାନଙ୍କୁ ସେମାନଙ୍କର ଅଫର ପତ୍ର ପ୍ରଦାନ କରାଯାଇଥିଲା ଏବଂ ଜିଲ୍ଲା ଶ୍ରମ ଅଧିକାରୀ ସୁଶ୍ରୀ ସୁନୀତା କିସାନ ଏବଂ ଜିଲ୍ଲା ନିଯୁକ୍ତି ବିନିମୟ ଅଧିକାରୀ ସୁଶ୍ରୀ ସଂଗୀତ ମେହେରଙ୍କ ଦ୍ୱାରା ସମର୍ପିତ ହୋଇଥିବାବେଳେ ଶ୍ରୀମତୀ ଦୀପାଲି ଦାସ, ବିଧାୟକଙ୍କ ସହ କଲେକ୍ଟର ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଶ୍ରୀମତୀ ଅବୋଲି ସୁନୀଲ ନାରାଭାନେ ପ୍ରମୁଖ ଭାର୍ଚୁଆଲ ମୋଡରେ ଯୋଗଦାନ କରିଥିଲେ ।

ଆଜି ପର୍ୟ୍ୟନ୍ତ, ଏହି ପଦକ୍ଷେପ ଦ୍ୱାରା ୨୦୦ ରୁ ଅଧିକ ବାଳିକାଙ୍କୁ ଚୟନ କରାଯାଇଛି, ସେମାନଙ୍କ ମଧ୍ୟରୁ ଅନେକ ପ୍ରଥମ ପିଢିର ଶିକ୍ଷାର୍ଥୀ ଅଟନ୍ତି ଯାହାକି ସେମାନଙ୍କ ବିଦ୍ୟାଳୟର ଶେଷ ପର୍ୟ୍ୟାୟରେ ପହଂଚିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅସୁବିଧାକୁ ଅତିକ୍ରମ କରି ଆସିଥାନ୍ତି । ଅନୁଷ୍ଠାନଗୁଡିକରୁ ଥରେ ଚୟନ ହେବା ପରେ ଏହି ପ୍ରତିଜ୍ଞାକାରୀ ବ୍ୟକ୍ତିମାନେ ପ୍ରସିଦ୍ଧ ଜାତୀୟ ସ୍ତରରେ ସେମାନଙ୍କର ଉଚ୍ଚଶିକ୍ଷା ପାଇଁ ପ୍ରାୟୋଜକ ପାଇପାରିବେ । ସେମାନଙ୍କର ସ୍ନାତକୋତର ସମାପ୍ତି ପରେ, ଚାକିରି ଅଫରଗୁଡିକ ଆନୁଷ୍ଠାନିକ ହେବାସହିତ ଏହି ଯୁବତିମାନେ ମୂଳ କାର୍ୟ୍ୟରେ ସ୍ନାତକ ପ୍ରଶିକ୍ଷକ ଭାବରେ ବେଦାନ୍ତ କାର୍ୟ୍ୟରେ ଯୋଗଦେବେ । ପୂର୍ବରୁ ଏହା ଛତିଶଗଡର କୋରବା, ଓଡିଶାର ଲାଞିଗଡ ଏବଂ ସୁନ୍ଦରଗଡ ଥିବା ବେଦାନ୍ତ ଆଲୁମିନିୟମ୍ ଅପରେସନରେ ଏହି କାର୍ୟ୍ୟକ୍ରମ ସଫଳତାର ସହ ପରିଚାଳିତ ହୋଇଥିଲା ।

ପ୍ରୋଜେକ୍ଟ ପଂଛି ବେଦାନ୍ତର ଅଦମ୍ୟ ଉତ୍ସର୍ଗୀକୃତତାକୁ ଦର୍ଶାଉଛି ଯେ ଓଡ଼ିଶା, ଛତିଶଗଡ, ରାଜସ୍ଥାନ, ଝାଡଖଣ୍ଡ, କର୍ଣ୍ଣାଟକ, ଗୋଆ ଇତ୍ୟାଦିରେ କମ୍ପାନୀର ଧାତୁ, ଖଣି ଏବଂ ତୈଳ ଏବଂ ଗ୍ୟାସ ବ୍ୟବସାୟର ନିକଟବର୍ତୀ ଅଂଚଳର, ସୁଦୂର ସମ୍ପ୍ରଦାୟର ଯୁବତୀମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି । ଧାତୁ ଏବଂ ଖଣି କ୍ଷେତ୍ର ମଧ୍ୟରେ ଥିବା ଲିଙ୍ଗଗତ ଅସନ୍ତୁଳନକୁ ଦୂର କରିବା ପାଇଁ ପ୍ରକଳ୍ପ ପଂଛି ପ୍ରସ୍ତୁତ ହୋଇଛି, ଏବଂ ଉତ୍ପାଦନ, ଭାରୀ ଇଞ୍ଜିନିୟରିଂ ଏବଂ ଖଣିଜ ସମ୍ପଦ ଶିଳ୍ପରେ କ୍ୟାରିୟର କରିବାକୁ ଇଚ୍ଛା କରିବା ପାଇଁ ଭାରତର ଗ୍ରାମାଂଚଳର ହଜାର ହଜାର ବାଳିକା ଏବଂ ମହିଳାଙ୍କ ପାଇଁ ଏକ ପ୍ରେରଣା ଭାବରେ କାର୍ୟ୍ୟ କରୁଛି ।

ଏହି ଅବସରରେ ନିଜର ମତବ୍ୟକ୍ତ କରି ଶ୍ରୀ ସୁନୀଲ ଗୁପ୍ତା, ସିଇଓ, ବେଦାନ୍ତ ଆଲୁମିନିୟମ କହିଛନ୍ତି, “ପ୍ରୋଜେକ୍ଟ ପଂଛି ମହିଳା ସଶକ୍ତିକରଣ ପାଇଁ ବେଦାନ୍ତ ଆଲୁମିନିୟମର ପ୍ରତିବଦ୍ଧତାର ଏକ ଉଦାହରଣ । ଆମର ଅଧ୍ୟକ୍ଷଙ୍କ ଦର୍ଶନ କେବଳ ଏହି ଯୁବତୀମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରତିଜ୍ଞାକରେ ନାହିଁ ଆମକୁ ଘେରି ରହିଥିବା ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତନକୁ ବିକିରଣ କରିଥାଏ । ଆମେ ବାଧାବିଘ୍ନକୁ ଦୂର କରିବା ତଥା ସେମାନଙ୍କର ଆକାଂକ୍ଷା ହାସଲ କରିବା ପାଇଁ ଯୁବକ, ବିଶେଷକରି ଯୁବତୀଙ୍କୁ ସଶକ୍ତ କରିବାରେ ବିଶ୍ୱାସ କରୁ । ଏହି ପଦକ୍ଷେପ ଶିକ୍ଷାର ପରିବର୍ତନଶୀଳ ଶକ୍ତି ଏବଂ ଏହି ଯୁବକମାନଙ୍କ ସାମର୍ଥ୍ୟ ଉପରେ ଆମ ବିଶ୍ୱସର ପ୍ରମାଣ ଅଟେ । ଏକ ଉତମ ଭବିଷ୍ୟତ ଗଠନ କରିବାକୁ ଆମେ ସର୍ବଦା ପ୍ରେରଣା ଦେଇଥାଉ ।

ଶ୍ରୀ ଦିଲୀପ ସିହ୍ନା, ସିଏଚଆରଓ, ବେଦାନ୍ତ ଆଲୁମିନିୟମ୍ କହିଛନ୍ତି, “ବେଦାନ୍ତରେ ଆମେ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବାର ମହତ୍ୱକୁ ସ୍ୱୀକାର କରୁଛୁ ଏବଂ ପ୍ରତିଭା, ବିବିଧତା ଏବଂ ସମାନତା ବୃଦ୍ଧି ପାଇଁ ଆମର ପ୍ରତିବଦ୍ଧତା ସହିତ ପ୍ରୋଜେକ୍ଟ ପଂଛି ସମ୍ପୂର୍ଣ୍ଣ ରୂପେ ସଜାଗ ହୋଇଛି । ଶିକ୍ଷା କ୍ଷେତ୍ରରେ ବିନିଯୋଗ କରି ଏବଂ ଏହି ଛୋଟ ବାଳିକାମାନଙ୍କର ସଶକ୍ତିକରଣ କରିବା ପାଇଁ ଆମେ ସମ୍ମୁଖୀନ ହେଉଥିବା ସୀମାବଦ୍ଧତାର ଚକ୍ରକୁ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛୁ, ତେଣୁ ସେମାନଙ୍କ ପାଇଁ ଏବଂ ସେମାନଙ୍କ ସମ୍ପ୍ରଦାୟ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମେ ଦ୍ୱାର ଉମ୍ନୁକ୍ତ ରଖିଛୁ ।

ଭାର୍ଚୁଆଲ ମୋଡରେ ଯୋଗଦେଇ ଶ୍ରୀମତୀ ଦିପାଲି ଦାସ, ବିଧାୟକ, ଝାରସୁଗୁଡା କହିଛନ୍ତି, “ମହିଳାମାନେ ଶିଖରରେ ପହଂଚିବା ପାଇଁ ସକ୍ଷମ କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚଶିକ୍ଷା ପାଇଁ ସମର୍ଥ ହୋଇନଥାନ୍ତି । ପ୍ରୋଜେକ୍ଟ ପଂଛି ପରି କାର୍ୟ୍ୟକ୍ରମ ଆଣିଥିବାରୁ ମୁଁ ବେଦାନ୍ତକୁ ପ୍ରଶଂସା କରୁଛି ଏବଂ ଭବିଷ୍ୟତରେ ଏହିପରି ପଦକ୍ଷେପ ଗ୍ରହଣ କରିବାକୁ ସେମାନଙ୍କୁ ଅନୁରୋଧ କରୁଛି । ଝାରସୁଗୁଡା ଏହାର ଆଖପାଖରେ ପ୍ରମୁଖ ଶିଳ୍ପଗୁଡିକ କାର୍ୟ୍ୟ କରିବାରେ ଭାଗ୍ୟବାନ୍ ଏବଂ ବେଦାନ୍ତ ସର୍ବଦା ସେମାନଙ୍କର ସିଏସଆର ପଦକ୍ଷେପରେ ସକ୍ରିୟ ରହିଆସିଛି । କଲେକ୍ଟର ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ଅବୋଲି ସୁନୀଲ ନାରାଭାନେ ଆହୁରି କହିଛନ୍ତି, “ଏହି ଚମତ୍କାର ପଦକ୍ଷେପ ପାଇଁ ମୁଁ ବେଦାନ୍ତ ଆଲୁମିନିୟମକୁ ମୋର କୃତଜ୍ଞତା ଜଣାଉଛି, ଯାହା ଯୁବତୀମାନଙ୍କୁ ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରୁଛି । ଏହିପରି ପରିବର୍ତନଶୀଳ ପଦକ୍ଷେପ ପାଇଁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ସର୍ବଦା ସହାୟତା କରିବ ।

ନିଯୁକ୍ତି ଡ୍ରାଇଭ୍ର ଅଂଶ ଭାବରେ ମନୋନୀତ ହୋଇଥିବା ଯୁବତିମାନଙ୍କ ମଧ୍ୟରୁ ଶ୍ରୀମତୀ ଅଲିଭା ପଟେଲ ତାଙ୍କ ଭାବନାକୁ ପ୍ରକାଶ କରି କହିଛନ୍ତି, “ମୋ ମା ମୋତେ ଉଚ୍ଚ ଅଧ୍ୟୟନ କରିବାକୁ ଉତ୍ସାହିତ କରିଥିଲେ କାରଣ ସେ ନିଜେ ଏହା କରିପାରିନଥିଲେ । ଏହି ପଦକ୍ଷେପକୁ ଆଗେଇ ନେଇଥିବାରୁ ଏବଂ ଆମ ପରି ଝିଅମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବାରେ ସାହାଯ୍ୟ କରିବା ସହିତ ଆମର ଯତ୍ନ ନେବା ପାଇଁ ମୁଁ ବେଦାନ୍ତଙ୍କୁ ଧନ୍ୟବାଦ ଜଣାଉଛି । ଆମର ବଡ଼ ସ୍ୱପ୍ନ ଅଛି ଏବଂ ବେଦାନ୍ତ ତାହାକୁ ସଫଳ କରିବାରେ ସାହାଯ୍ୟ କରୁଛି । ”

ବେଦାନ୍ତ ଆଲୁମିନିୟମ, ବେଦାନ୍ତ ଲିମିଟେଡ଼ର ଏକ ବ୍ୟବସାୟ ଅଟେ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ, ଏହା ଭାରତର ଅଧାରୁ ଅଧିକ ଆଲୁମିନିୟମ ନିର୍ମାଣ କରିଥାଏ, ଯାହାକି ଆର୍ଥିକ ବର୍ଷ ୨୦୨୩ ରେ ୨.୨୯ ମିଲିଅନ ଟନ୍ । ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦଗୁଡ଼ିକରେ ଏହା ଅଗ୍ରଣୀ ଅଟେ । ବେଦାନ୍ତ ଆଲୁମିନିୟମ ଡ଼ୋ ଜୋନ୍ସ ସଷ୍ଟେନେବିଲିଟି ଇଣ୍ଡେକ୍ସ (ଡ଼ିଜେଏସଆଇ) ୨୦୨୨ ରେ ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ସାରା ବିଶ୍ୱରେ ୨ୟ ସ୍ଥାନ ଅଧିକାର କରିଛି । ଏହା ସ୍ଥାୟୀ ବିକାଶ ଅଭ୍ୟାସର ପ୍ରତିଫଳନ ଅଟେ । ଭାତରରେ ଏହାର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲ୍ଟର, ଆଲୁମିିନା ରିଫାଇନାରୀ ଓ ପାୱାର ପ୍ଲାଂଟ ସହିତ କମ୍ପାନୀ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ଭବିଷ୍ୟତର ଧାତୁ ଭାବରେ ତ୍ୱରାନ୍ୱିତ କରିବାର ଲକ୍ଷ୍ୟ ପୂରଣ କରେ ।

The post ଆର୍ଥିକ ଅନଗ୍ରସର ସଂପ୍ରଦାୟର ଯୁବତୀମାନଙ୍କୁ ସଶକ୍ତ କରିବାକୁ ବେଦାନ୍ତ ଓଡିଶାର ପ୍ରଚେଷ୍ଠା । ‘ପ୍ରୋଜେକ୍ଟ ‘ପଂଛି’ର ହେଲା ଶୁଭାରମ୍ଭ first appeared on Kanak News.

from Kanak News
via <a href="https://ifttt.com/?

ରହସ୍ୟରେ ବିଡିଓଙ୍କ ମୃତ୍ୟୁର କାରଣ: ସନ୍ଦେହ ବଢ଼ାଉଛି ସମ୍ପର୍କୀୟଙ୍କ ଅଭିଯୋଗ

କନକ ବ୍ୟୁରୋ: ରହସ୍ୟରେ ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ । ସେ କାହିଁକି ଏଭଳି ଚରମ ନିଷ୍ପତି ନେଲେ ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିିଛି । ଅନ୍ୟପଟେ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଓ ସମ୍ପର୍କୀୟ ଅଭିଯୋଗ ଆଣିବା ପରେ, ସନ୍ଦେହ ଆହୁରି ବଢ଼ି ଯାଇଛି । ଏସବୁ ଭିତରେ ଶୋକାକୂଳ ପରିବେଶ ଭିତରେ ବିଶ୍ୱରଞ୍ଜନଙ୍କ ଅନ୍ତିମ ସଂସ୍କାର ହୋଇଛି ।

ବୁଢ଼ା ବୟସରେ ଆଶ୍ରା ପାଲଟିଥିବା ପ୍ରୁଅ ଯେତେବେଳେ ପରପାରିକୁ ଚାଲିଯାଇଛି, ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥିବା ସ୍ୱାମୀ ଯେତେବେଳ ମଝିବାଟରେ ହାତ ଛାଡି ଚରମ ନିଷ୍ପତି ନେଇ, ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ସେତେବେଳେ ଚାରିଆଡେ ଛାଇ ଯାଇଛି ଶୋକାକୂଳ ପରିବେଶ । ଆଉ ସେହି ଶୋକାକୂଳ ପରିବେଶ ଭିତରେ ପରିବାର, ପ୍ରିୟଜନ, ସାଂଗ, ସାଥୀଙ୍କ ଉପସ୍ଥିତିରେ ଗାଁ ମଶାଣିରେ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଜୁଇ ଜଳିଛି । କିନ୍ତୁ ବିଶ୍ୱରଞ୍ଜନଙ୍କ ଶେଷକୃତ୍ୟ ପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ବିଡିଓଙ୍କ ପତ୍ନୀ ନିବେଦିତା ରାଉତ । ସ୍ୱାମୀଙ୍କ ଅନ୍ତିମ ସଂସ୍କାରରେ କୌଣସି ପ୍ରଶାସନିକ ଅଧିକାରୀ ଉପସ୍ଥିତ ନରହିବାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ବିଶ୍ୱରଞ୍ଜନଙ୍କ ଶେଷକୃତ୍ୟ ହୋଇଯାଇଥିଲେ ବି ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପରିବାର । ସେ ଜଣେ ଦୃଢ଼ ମାନସିକ ବ୍ୟକ୍ତି ଥିଲେ ଓ କେବେ ଆତ୍ମହତ୍ୟା କରିପାରିବେ ନାହିଁ ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି । ଏଥିସହ ତାଙ୍କୁ କିଏ ହତ୍ୟା କରି ଟାଙ୍ଗି ଦେଇଥିବା ତାଙ୍କ ମାମୁଁ ଅଭିଯୋଗ କରିଛନ୍ତି । ଏବଂ ମୃତ୍ୟୁର କାରଣ କଣ ତାହା ସ୍ପଷ୍ଟ ହେବା ଆବଶ୍ୟକ ବୋଲି କହିଛନ୍ତି ।

ପୂର୍ବରୁ ବିଡିଓଙ୍କ ବାପା ଦେଇଥିବା ପ୍ରତିକ୍ରିୟା ମଧ୍ୟ ସନ୍ଦେହ ସୃଷ୍ଟି କରିଥିଲା । ପୁଅକୁ ଛୁଟି ମିଳୁନଥିଲା, ସେ ମାନସିକ ଚାପରେ ଥିଲେ ବୋଲି କହିଥିଲେ । ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କର ଗୁରୁବାର ଅପରାହ୍ନରେ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଥିଲା । ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲିପଡିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । କିନ୍ତୁ ଅଚାନକ ବିଶ୍ୱରଞ୍ଜନ ଏଭଳି ନିଷ୍ପତି କାହିଁକି ନେଲେ ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଯାହାକୁ ନେଇ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି, ବାରିପଦା ବିଧାୟକ । ପ୍ରଶ୍ନ ଉଠୁଛି ବିଶ୍ୱରଞ୍ଜନଙ୍କ ମୃତ୍ୟୁର କାରଣ କଣ? ଯଦି ସେ ଆତ୍ମହତ୍ୟା କରିଛନ୍ତି, ତାହେଲେ ଚରମ ନିଷ୍ପତି ନେବାର କାରଣ କଣ?

The post ରହସ୍ୟରେ ବିଡିଓଙ୍କ ମୃତ୍ୟୁର କାରଣ: ସନ୍ଦେହ ବଢ଼ାଉଛି ସମ୍ପର୍କୀୟଙ୍କ ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ବଡ଼ ଅକ୍ଷରରେ ଲେଖିବେ ଡାକ୍ତର: ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା

କନକ ବ୍ୟୁରୋ: ବଡ଼ ଅକ୍ଷରରେ ଲେଖିବେ ଡାକ୍ତର । ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଜିଗଜାଗ୍ ହ୍ୟାଣ୍ଡରାଇଟିଂରେ ଲେଖିବା ଡାକ୍ତରଙ୍କ ଅଭ୍ୟାସ କିନ୍ତୁ ସାଧାରଣ ଲୋକଙ୍କ ପକ୍ଷରେ ଏହା ବୁଝିବା ଅସମ୍ଭବ । ତେଣୁ ସ୍ପଷ୍ଟ ଅକ୍ଷରରେ କିମ୍ବା ଟାଇପ କରି ଔଷଧ ଚିଠା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଛି ନିର୍ଦ୍ଦେଶନାମା । ଏଥିରେ କୁହାଯାଇଛି,
– ସ୍ପଷ୍ଟ ଅକ୍ଷରରେ ଔଷଧ ଚିଠା ଲେଖିବେ ଡାକ୍ତର
– କିମ୍ବା ଟାଇପ କରି ରୋଗୀଙ୍କୁ ଔଷଧ ଚିଠା ଦେବେ
– ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲର ଡାକ୍ତରଙ୍କୁ ନିର୍ଦ୍ଦେଶ
– କ୍ୟାପିଟାଲ ଲେଟରରେ ଲେଖିବେ ଶବ ବ୍ୟବଚ୍ଛେଦ ରିପୋର୍ଟ
– ସ୍ପଷ୍ଟ ଅକ୍ଷରରେ ଲେଖିଲେ ନ୍ୟାୟିକ ପ୍ରକ୍ରିୟାରେ ସୁବିଧା

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ଏଭଲି ବିଜ୍ଞପ୍ତି ପ୍ରକାଶ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରସାନନ୍ଦ ଭୋଇ ବନାମ ରାଜ୍ୟ ସରକାର ମାମଲାରେ ଏଭଳି ସର୍କୁଲାର ଜାରି କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

୨୦୧୫ରେ ଢେଙ୍କାନାଳ ଜିଲ୍ଲା କଣସରା ଗାଁର ସୌଭାଗ୍ୟ ରଞ୍ଜନ ଭୋଇଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଥିଲା । ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଅସ୍ପଷ୍ଟ ହସ୍ତାକ୍ଷର ପାଇଁ ପରିବାରକୁ କ୍ଷତିପୂରଣ ମିଳିନଥିଲା । ଏନେଇ ସୌଭାଗ୍ୟଙ୍କ ବାପା ରସାନନ୍ଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ ସଂଜୀବ ପାଣିଗ୍ରାହୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଡାକ୍ତରଙ୍କୁ ସ୍ପଷ୍ଟ ହସ୍ତାକ୍ଷର ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ କୋର୍ଟ ଯେଉଁ ଟିପ୍ପଣୀ କରିଥିଲେ ତାହା ବେଶ ଗୁରୁତ୍ୱପୂର୍ଣ୍ଣ । ଅତି କଡା ଶବ୍ଦରେ କୋର୍ଟ କହିଥିଲେ-

– ଜିଗଜାଗ୍ ହ୍ୟାଣ୍ଡରାଇଟିଂ ଅର୍ଥାତ ଅଙ୍କବଙ୍କା ଲେଖା ଡାକ୍ତରଙ୍କ ଅଭ୍ୟାସ
– ଫ୍ୟାସନ ଅର୍ଥାତ ଡାକ୍ତରମାନେ ଏହାକୁ ଏକ ସଉକରେ ପରିଣତ କରିଛନ୍ତି
– ହେଲେ ସାଧାରଣ ଲୋକ ଏଭଳି ଲେଖାକୁ ବୁଝିବା ଅସମ୍ଭବ
– ଏପରିକି ବିଚାର ବ୍ୟବସ୍ଥାରେ ଥିବା ଅଧିକାରୀ ମଧ୍ୟ ବୁଝି ପାରୁନାହାନ୍ତି

ତେଣୁ ବାରମ୍ବାର ନିର୍ଦ୍ଦେଶ ସତ୍ୱେ ଡାକ୍ତରମାନେ ସ୍ପଷ୍ଟ ଅକ୍ଷରରେ ଲେଖୁନଥିବାରୁ ଏ ସଂପର୍କିତ ସର୍କୁଲାର ଜାରି କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଅଧିକାଂଶ ଡାକ୍ତର ଖରାପ ଅକ୍ଷରରେ ଔଷଧ ଚିଠା ଲେଖୁଥିବାବେଳେ ଏମିତି କିଛି ପ୍ରତିଷ୍ଠିତ ଡାକ୍ତର ମଧ୍ୟ ଅଛନ୍ତି ଯେଉଁମାନେ ମୁଦ୍ରିତ ଅକ୍ଷରରେ ଡାକ୍ତରୀ ଚିଠା ରୋଗୀଙ୍କୁ ଦେଇଥାନ୍ତି ।

The post ବଡ଼ ଅକ୍ଷରରେ ଲେଖିବେ ଡାକ୍ତର: ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା first appeared on Kanak News.

from Kanak News
via <a href="https://ifttt.com/?

ମାହାଙ୍ଗା ମାଟିରେ ମାହାଙ୍ଗା ବିଧାୟକଙ୍କୁ ଟାର୍ଗେଟ୍: ବିଧାୟକଙ୍କୁ ନୃଶଂସ କହି ଟାର୍ଗେଟ କଲେ ଧର୍ମେନ୍ଦ୍ର

କନକ ବ୍ୟୁରୋ: ଦୀର୍ଘ ଦିନ ପରେ ଆଜି ପୁଣି ଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳିଥିଲା । ଯୁବ ସଂକଳ୍ପ ସମାବେଶରେ ଯୋଗଦେବା ଅବସରରେ ସିଧାସଳଖ ରାଜ୍ୟ ସରକାର, ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି । ଏପରିକି ସରକାର ଦୁର୍ନୀତିରେ ବୁଡ଼ିଥିବା କହି ସମାଲୋଚନା କରିଛନ୍ତି । ସେହିପରି ଫାଇଭ୍-ଟି ଅଧ୍ୟକ୍ଷଙ୍କ ଆହ୍ୱାନର ଉତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁଳିଆରେ ରାଜ୍ୟର ଆଇନଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇବା ସହ ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଭିଯୋଗ ଆଣି ଧର୍ମେନ୍ଦ୍ର କହିଛନ୍ତି-
ଅଧା ଡଜନ ମନ୍ତ୍ରୀଙ୍କ ନାଁରେ ମାମଲା ଚାଲୁଛି । ଡଜନ ଡଜନ ମନ୍ତ୍ରୀଙ୍କ ନାଁରେ ସଂଗୀନ ମାମଲା ଚାଲୁଛି । ସ୍ଥାନୀୟ ଅଂଚଳ ନୃଶଂସ ବିଧାୟକ ଖୋଲା ଆକାଶ ତଳେ ବୁଲୁଛନ୍ତି । ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ ଉଠାଇ
କୁଳମଣି ବରାଳଙ୍କ ହତ୍ୟାକାରୀଙ୍କୁ ନୃଶଂସ କୁହାଯିବନି ତ’ ଆଉ କ’ଣ କୁହାଯିବ ବୋଲି ମଂଚ ଉପରୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ରଣପୁରର ଜବାବ୍ ମାହାଙ୍ଗାରେ ରଖିଲେ ଧର୍ମେନ୍ଦ୍ର
କହିଲେ, କ୍ଷମତାକୁ ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ ହେବ

ଫାଇଭ୍-ଟି ଅଧ୍ୟକ୍ଷଙ୍କ ଆହ୍ୱାନର ଉତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର କହିଛନ୍ତି- ଭାରତୀୟ ଜନତା ପାର୍ଟି ନକାରାତ୍ମକ ବିଷୟରେ ବିଶ୍ୱାସ କରେ ନାହିଁ । କିଛି ବନ୍ଦ କରିବାର ଆବଶ୍ୟକତା ନାହିଁ । କିନ୍ତୁ ବିଜେପି କ୍ଷମତାକୁ ଆସିଲେ ‘ଆୟୁଷ୍ମାନ’ ଯୋଜନାକୁ ପ୍ରଥମେ ଲାଗୁ କରିବ । କିଛି ବନ୍ଦ କରିବାର ଆବଶ୍ୟକତା ନାହିଁ, କାହାକୁ ଛୋଟ କରିବାକୁ ପଡ଼ିବ ନାହିଁ । ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ, ବିଜୁ ସ୍ୱାସ୍ଥ୍ୟ କାର୍ଡ ନେଇ ପ୍ରଶ୍ନ ଉଠାଇଥିଲେ । ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁଛି କି ବୋଲି ପ୍ରଶ୍ନ କରିଥିଲେ । ଏହାର ଜବାବ୍୍ରେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍, ଯଦି ସାହସ ଅଛି ଯୋଜନାକୁ ବନ୍ଦ କରିବାକୁ ବିଜେପିକୁ ଚ୍ୟାଲେଞ୍ଜ ଦେଇଥିଲେ ।

ରାଜନୀତିର ଏହି ପ୍ରତିଦ୍ୱନ୍ଦିତା ଭିତରେ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର । ସରକାର ଦୁର୍ନୀତିରେ ବୁଡ଼ିଥିବା କହି ସମାଲୋଚନା କରିବା ସହ ତଳତଳିଆ ବାବୁଙ୍କୁ ବାନ୍ଧୁଥିବା ବେଳେ ବଡ଼ବଡ଼ିଆଙ୍କୁ ଛାଡ଼ିଦେଉଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀଙ୍କ ଅଭିିଯୋଗ ଉପରେ ଉତର ରଖିଛି ବିଜେଡି ।

କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଆୟୋଜିତ ଯୁବ ସଂକଳ୍ପ ସମାବେଶରେ ସାମିଲ୍ ହୋଇଥିଲେ ଧର୍ମେନ୍ଦ୍ର । ଏକ ବିଶାଳ ମୋଟର ସାଇକେଲ ରାଲିରେ ସାଲେପୁରରୁ ବାହାରି କୁଳିଆରେ ପହଂଚିଥିଲେ । ଯେଉଁଠି ମା’ ଓ ଶିଶୁଙ୍କ ରକ୍ତହୀନତା, ଅପପୃଷ୍ଠି, ସ୍ୱାସ୍ଥ୍ୟସେବା ଆଦି ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ।

The post ମାହାଙ୍ଗା ମାଟିରେ ମାହାଙ୍ଗା ବିଧାୟକଙ୍କୁ ଟାର୍ଗେଟ୍: ବିଧାୟକଙ୍କୁ ନୃଶଂସ କହି ଟାର୍ଗେଟ କଲେ ଧର୍ମେନ୍ଦ୍ର first appeared on Kanak News.

from Kanak News
via <a href="https://ifttt.com/?

ପରିକ୍ରମା ମହୋତ୍ସବର ଶୁଭାରମ୍ଭ: ଶ୍ରୀନଅରରେ ଆଚାର୍ଯ୍ୟବରଣ କଲେ ଗଜପତି, ଉତ୍ସବମୁଖର ହେଲା ଶ୍ରୀକ୍ଷେତ୍ର

କନକ ବ୍ୟୁରୋ: ମନ୍ତ୍ରପାଠ ଉଚ୍ଚାରଣ ସହ ଆରମ୍ଭ ହୋଇଯାଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ପୂଜାବିଧି । ଯଜ୍ଞ ପାଇଁ ପରମ୍ପରା ମୁତାବକ ଗୁଆ ଟେକିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏଥିସହ ଯଜ୍ଞ ପାଇଁ ୧୦୮ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟବରଣ କରିଛନ୍ତିି ଗଜପତି ମହାରାଜା । ଆଚାର୍ଯ୍ୟବରଣ ପରେ, ବ୍ରାହ୍ମଣମାନଙ୍କ ସହ ଆଲୋଚନା କରିଛନ୍ତି ଗଜପତି ମହାରାଜ । ଏବଂ ବୁଝାଇ କହିଛନ୍ତି ପରିକ୍ରମା ପ୍ରକଳ୍ପ ଯୋଗୁଁ ଶ୍ରୀକ୍ଷେତ୍ରର କେମିତି ରୂପାନ୍ତରଣ ହୋଇଛି । ଆଉ ଲୋକାର୍ପଣ ଉତ୍ସବ ଦିନ ଶ୍ରୀମନ୍ଦିରର ସଂସ୍କୃତି ଦେଖିବ ସାରାବିଶ୍ୱ । ଆଚାର୍ଯ୍ୟବରଣ ସହ ଲୋକାର୍ପଣ ମହୋତ୍ସବର ଅୟମାରମ୍ଭ ହୋଇଛି । ତାପରେ ବିଧି ଅନୁସାରେ ଅଙ୍କୁରାରୋପଣ କରାଯିବ । ଯଜ୍ଞମଣ୍ଡପର ଐଶାନ୍ୟ କୋଣରେ ଅଙ୍କୁରାରୋପଣ ହେବ । ଆସନ୍ତାକାଲି ଅଙ୍କୁର ପୂଜନ କରାଯିବ । ୧୪ ତାରିଖରେ ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ୱଜା ସ୍ଥାପନ, ତୋରଣ ସ୍ଥାପନ କରାଯିବ । ୧୫ ରେ ଅଖଣ୍ଡ ଦୀପ ସ୍ଥାପନ, ପଂଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ପାରାୟଣ, ଅନ୍ତଃ ପ୍ରଦକ୍ଷିଣ ହେବ । ୧୬ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ମଣ୍ଡଳ ପୂଜା, ହବନ, ଆରତି ଓ ପୁଷ୍ପାଞ୍ଜଳି ଦିଆଯିବ । ୧୭ ତାରିଖରେ ଗଜପତି ମହାରାଜା ପୂର୍ଣ୍ଣାହୁତି ଦେବେ । ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଫଳକ ଉନ୍ମୋଚନ କରିବେ । ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ପରିକ୍ରମା ମାର୍ଗରେ ପ୍ରଦକ୍ଷିଣ କରିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ଏବେଠାରୁ ଲୋକାର୍ପଣ ମହୋତ୍ସବ ପାଇଁ ମୁଖର ହୋଇଛି ଶ୍ରୀକ୍ଷେତ୍ର । ଜମିଲାଣି ଭକ୍ତଙ୍କ ଭିଡ଼ ।

The post ପରିକ୍ରମା ମହୋତ୍ସବର ଶୁଭାରମ୍ଭ: ଶ୍ରୀନଅରରେ ଆଚାର୍ଯ୍ୟବରଣ କଲେ ଗଜପତି, ଉତ୍ସବମୁଖର ହେଲା ଶ୍ରୀକ୍ଷେତ୍ର first appeared on Kanak News.

from Kanak News
via <a href="https://ifttt.com/?

କାମାକ୍ଷାନଗରରେ ରହିଛି ଗୁଣ୍ଡିଚାନାଳୀ ପର୍ଯ୍ୟଟନସ୍ଥଳୀ । ପ୍ରକୃତିର ସୌନ୍ଦଯ୍ୟକୁ ଉପଭୋଗ କରିବାକୁ ଜମୁଛି ପର୍ଯ୍ୟଟକଙ୍କ ଗହଳି

କନକ ବ୍ୟୁରୋ : କାମାକ୍ଷାନଗର ସହରର କିଛି ଦୂରରେ ଅଛି ଗୁଣ୍ଡିଚାନାଳୀ ପର୍ଯ୍ୟଟନସ୍ଥଳୀ । ସହର ଠାରୁ ମାତ୍ର ଛଅ କିଲୋମିଟର ଦୂର କାନପୁରା ପଂଚାୟତ ପ୍ରାକୃତିକ ଶୋଭାରାଜି ମଧ୍ୟରେ ରହିଛି ଗୁଣ୍ଡିଚାନାଳୀ ପର୍ଯ୍ୟଟନସ୍ଥଳୀ । ଗୋଟିଏ ପଟେ ରାମିଆଳ ନଦୀର କୁଳୁକୁଳୁ ନାଦ ଓ ଅନ୍ୟପଟେ ପାହାଡ଼, ପର୍ବତ, ବଣ ଜଙ୍ଗଲ ଘେରା ମନୋରମ ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ସେଥିପାଇଁ ବର୍ଷର ପ୍ରତ୍ୟେକ ସମୟରେ ଗୁଣ୍ଡିଚାନାଳୀକୁ ଛୁଟିଥାଏ ପର୍ଯ୍ୟଟକଙ୍କ ସୁଅ । ବଣଭୋଜି କରିବା ସହ ସ୍ଥାନୀୟ ହନୁମାନ ମନ୍ଦିର ଭଳି ମନୋରମ ସ୍ଥାନ ବୁଲି ଦେଖନ୍ତି ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ସୁରୁଖୁରୁରେ ବଣଭୋଜି କରିବା ପାଇଁ ସରକାରୀ ସହାୟତାରେ ପିକନିକ ସ୍ଥାନରେ ପିଣ୍ଡି ନିର୍ମାଣ, ଶୌଚାଳୟ ନିର୍ମାଣ, କଟେଜ ଇତ୍ୟାଦି ନିର୍ମାଣ କରାଯାଇଛି । ଯାହା ଫଳରେ ପର୍ଯ୍ୟଟକମାନେ ସୁବିଧାରେ ବଣଭୋଜି କରିବା ସହ ଗୁଣ୍ଡିଚାନାଳୀର ମନୋରମ ସୌନ୍ଦର୍ଯ୍ୟ ଉପଭୋଗ କରନ୍ତି ।

ରାମିଆଳ ନଦୀ କୁଳରେ ଘଂଚ ଜଙ୍ଗଲ ଘେରା ଏହି ସ୍ଥାନରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବା ସହ ନଦୀର ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରନ୍ତି ପର୍ଯ୍ୟଟକ । ଏଥିପାଇଁ ବିଭିନ୍ନ ସ୍କୁଲ, କଲେଜ ଠାରୁ ଆରମ୍ଭ କରି ବହୁତ ପୁରୁଣା ସାଙ୍ଗସାଥୀ, କ୍ଳବ ପିଲା, ଓ ଅନୁଷ୍ଠାନର ଲୋକମାନେ ଏଠାକୁ ଧାଇଁ ଆସିଥାନ୍ତି । ସହରର ବ୍ୟସ୍ତ ଜୀବନ ଶୈଳୀ, ଧାଁ ଦୌଡ଼ ଜୀବନରୁ ସମୟ ବାହାର କରି କିଏ ତାସ ଖେଳରେ ମାତିଥାଏ, ତ ଆଉ କିଏ ଭୋଜି ପ୍ରସ୍ତୁତିରେ । କଲେଜ ପିଲାମାନେ ନଦୀ ମଧ୍ୟରେ ଥିବା ପଥର ଉପରେ ବସି ସେଲ୍ଫି ନେବା ସହ ପ୍ରକୃତିର ଏହି ଅନ୍ୟନ୍ୟା ଅବଦାନକୁ ମନଭରି ଉପଭୋଗ କରିଥାନ୍ତି ।

ଶୀତ ଆସିଲେ ବଣଭୋଜୀ ଜମେ ଆଉ ଲୋକମାନେ ଗୁଣ୍ଡିଚାନାଳୀକୁ ବେଶ ଆସନ୍ତି ।

The post କାମାକ୍ଷାନଗରରେ ରହିଛି ଗୁଣ୍ଡିଚାନାଳୀ ପର୍ଯ୍ୟଟନସ୍ଥଳୀ । ପ୍ରକୃତିର ସୌନ୍ଦଯ୍ୟକୁ ଉପଭୋଗ କରିବାକୁ ଜମୁଛି ପର୍ଯ୍ୟଟକଙ୍କ ଗହଳି first appeared on Kanak News.

from Kanak News
via <a href="https://ifttt.com/?

କଳାହାଣ୍ଡି ଜିଲ୍ଲାର ପାହାଡ଼ କସନା ଡଙ୍ଗର । ପାଦଦେଶରେ ପୂଜା ପାଉଛନ୍ତି ଅନେକ ଦେବାଦେବୀ, ହେଲେ ପ୍ରଶାସନ ଦୃ୍ଷ୍ଟି ଆଡ଼ୁଆଳରେ ରହିଯାଇଛି ଏହି ସ୍ଥାନ

କନକ ବ୍ୟୁରୋ : କଳା, ସଂସ୍କୃତି ଏବଂ ଐତିହ୍ୟର ଭୂମି ହେଉଛି କଳାହାଣ୍ଡି । ଏଠାକାର ପାହାଡ଼, ଗୁମ୍ଫାରେ ରହିଛି ଅନେକ କିମ୍ବଦନ୍ତି ଓ ରୋଚକପୂର୍ଣ୍ଣ ଲୋକକଥା । ଜୟପାଟଣା ବ୍ଲକ ବଡ଼ପୂଝାରିଗୁଡ଼ା ଗ୍ରାମପଂଚାୟତ ଅଧିନରେ ରହିଛି ଏହି କସନା ଡଙ୍ଗର ପାହାଡ଼ । ଘନ ଜଙ୍ଗଲ ଭିତରେ ସବିଗୁଡ଼ା ଗାଁ ଠାରୁ ପ୍ରାୟ ୩ କିଲୋମିଟର କଚା ରାସ୍ତା ରହିଛି । ୧ କିଲୋମିଟର ଘାଟି ରାସ୍ତା ପରେ ରହିଛି କସନା ପାହଡ଼ । ଏଠାରେ ଅଷ୍ଟଶମ୍ଭୁ, ଶ୍ୟାମକାଳି, ରାମଶିଳା, ପାତାଳେଶ୍ୱର ମହାଦେବ, ମା ପାର୍ବତୀ, ଚଉଷଠୀ ଯୋଗିନୀ, ଭୈରବ ଚଣ୍ଡୀ ଓ ଶ୍ରୀରାମ ପାଦୁକା ଭଳି ଅନେକ ଦେବାବେଦୀଙ୍କ ପୀଠ ରହିଛି । ସେହିପରି ଜଳକୁଣ୍ଡ ଓ ରହସ୍ୟମୟ ଗୁମ୍ଫା ଏହି ଅଂଚଳ ପାଇଁ ଧର୍ମୀୟ ଓ ପର୍ଯ୍ୟଟକ କ୍ଷେତ୍ରରେ ଲୋକଙ୍କୁ ଆକର୍ଶିତ କରୁଛି ।

ଅନେକ ବର୍ଷ ପୂର୍ବରୁ କିଛି ଭକ୍ତଙ୍କୁ ସ୍ୱପ୍ନାଦେଶ ହେବା ପରେ କେତେକ ଧର୍ମପରାୟଣ ବ୍ୟକ୍ତିଙ୍କ ଉଦ୍ୟମରେ ଏହି ପୀଠ ସବୁ ସ୍ଥାପନ ହୋଇ ପୂଜାର୍ଚ୍ଚନା କରାଯାଉଛି । ୧ ଲକ୍ଷ ଟଙ୍କା ସରକାରୀ ସହାୟତା ଏବଂ ସ୍ଥାନୀୟ ଲୋକଙ୍କ ଚେଷ୍ଟାରେ ଏବେ ପ୍ରାୟ ୭ଶହ ମିଟର ଘାଟି ରାସ୍ତାକୁ କାଟି ଗମନାଗମନ ପାଇଁ ଏକ ନୂତନ କଚା ରାସ୍ତା ନିର୍ମାଣ ହେଉଥବାରୁ ଲୋକେ ଯିବା ଆସିବା କରିପାରୁଛନ୍ତି । ଏବେ ପିକନିକ୍ ଋତୁ ହୋଇଥିବାରୁ ବେସ୍ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି ଏହି କସନା ପାହାଡ଼ରେ । ହେଲେ ଖରା, ବର୍ଷା ଶୀତରେ ଖୋଲା ଜାଗାରେ ପୂଜା ପାଇ ଆସୁଥିବା ଦେବାଦେବୀଙ୍କ ରକ୍ଷଣାବେକ୍ଷଣ ଲାଗି କିଛି ବନ୍ଦୋବସ୍ତ ନଥିବାରୁ କାଠ ଓ ବାଉଁଶ ଛାମୁଣି କରି ରଖା ଯାଇଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ପାଇଁ ବିଶ୍ରାମ ଗୃହ, ପାନୀୟ ଜଳ, ସବୁ ଦିନିଆ ରାସ୍ତା ପାଇଁ ସରକାର ଟିକେ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।

The post କଳାହାଣ୍ଡି ଜିଲ୍ଲାର ପାହାଡ଼ କସନା ଡଙ୍ଗର । ପାଦଦେଶରେ ପୂଜା ପାଉଛନ୍ତି ଅନେକ ଦେବାଦେବୀ, ହେଲେ ପ୍ରଶାସନ ଦୃ୍ଷ୍ଟି ଆଡ଼ୁଆଳରେ ରହିଯାଇଛି ଏହି ସ୍ଥାନ first appeared on Kanak News.

from Kanak News
via <a href="https://ifttt.com/?

ମାଣ୍ଡିଆ କରୁଛି ସ୍ୱାବଲମ୍ବୀ । ଗ୍ରାହକଙ୍କୁ ପସନ୍ଦ ଆସୁଛି ମାଣ୍ଡିଆରେ ତିଆରି କେକ୍, ପାଉଁରୁଟି, ସୁବର୍ଣ୍ଣପୁରରେ ମହିଳାଙ୍କୁ ଦେଉଛି ଭଲ ରୋଜଗାର

କନକ ବ୍ୟୁରୋ : କିଏ ମେସିନ ସାହାର୍ଯ୍ୟରେ ପାଉଡର ଫେଣ୍ଟୁଛି ତ କିଏ ଚୁନା ପ୍ରସ୍ତୁତ କରୁଛି । ପରେ ସମସ୍ତେ ମିଶି ଛାଂଚରେ ପାଗ ହେଉଥବା ଦ୍ରବ୍ୟକୁ ପରସୁଛନ୍ତି । ଏମିତି ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ହଉଡ଼ଖୋଲ ନିକଟରେ ଥିବ ତାରାତାରିଣୀ ବେକରିର । ଭିତରେ କେକ ଓ ପାଉଁରୁଟି ପ୍ରସ୍ତୁତିରେ ଲାଗିଛନ୍ତି ମହିଳାମାନେ । ଏ ହେଉଛି ବଡ଼ବାହାଲି ଅନ୍ନପୂର୍ଣ୍ଣା ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହେଉଥିବା ମାଣ୍ଡିଆ କେକ ଓ ପାଉଁରୁଟି । ସରକାରଙ୍କ ମାଣ୍ଡିଆ ମିଶନ ଅଧିନରେ ଏମାନେ ମାଣ୍ଡିଆରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ବଜାରରେ ବିକ୍ରି କରିବା ସହିତ ଭଲ ଦୁଇ ପଇସା ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି । ଫଳରେ ବେଶ ଆରାମରେ ନିଜ ପରିବାର ଚଳାଇବାକୁ ସକ୍ଷମ ହୋଇଥିବା କହିଛନ୍ତି ।

ସାରା ଦେଶର ଏବେ ମାଣ୍ଡିଆରୁ ଉତ୍ପାଦିତ ସାମଗ୍ରୀର କ୍ରେଜ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ମାଣ୍ଡିଆ ମିଶନ ଜରିଆରେ ଅନ୍ନପୂର୍ଣ୍ଣା ଉତ୍ପାଦକ ଗୋଷ୍ଠୀର ୧୦ ଜଣ ମହିଳା ମାଣ୍ଡିଆ କେକ ପ୍ରସ୍ତୁତ ପାଇଁ ଆଗେଇ ଆସିଥିଲେ । ତେବେ ଏସବୁ ପ୍ରସ୍ତୁତ ପାଇଁ ଆବଶ୍ୟକ ମେସିନ ନଥିବାରୁ ନିକଟରେ ଥିବା ତାରାତାରିଣୀ ବେକରୀ ସହ ଯୋଗଯୋଗ କରିଥିଲେ । ଉଭୟ ପକ୍ଷର ସହଯୋଗରେ ସେମାନେ ନିଜେ ଶ୍ରମଦାନ କରି ଆରମ୍ଭ କରିଥିଲେ ମାଣ୍ଡିଆରୁ ପ୍ରସ୍ତୁତ କେକ୍, ପାଉଁରୁଟି ସହିତ ଅନ୍ୟାନ୍ୟ ସାମଗ୍ରୀ । ଯାହାକୁ ବାହାର ବଜାର ସହିତ ନିଜର ଗୋଷ୍ଠୀରେ ଥିବା ସୁବର୍ଣ୍ଣ ବଜାରରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିପାରିଛନ୍ତି । ଏହାକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଥିବା ମଧ୍ୟ ସେମାନେ କହିଛନ୍ତି ।

ଇଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ । ଆଉ ଏହାକୁ କାର୍ଯ୍ୟକାରୀ କରି ଦେଖାଇଛନ୍ତି ଅନ୍ନପୂର୍ଣ୍ଣା ଉତ୍ପାଦକ ଗୋଷ୍ଠୀ ।

The post ମାଣ୍ଡିଆ କରୁଛି ସ୍ୱାବଲମ୍ବୀ । ଗ୍ରାହକଙ୍କୁ ପସନ୍ଦ ଆସୁଛି ମାଣ୍ଡିଆରେ ତିଆରି କେକ୍, ପାଉଁରୁଟି, ସୁବର୍ଣ୍ଣପୁରରେ ମହିଳାଙ୍କୁ ଦେଉଛି ଭଲ ରୋଜଗାର first appeared on Kanak News.

from Kanak News
via <a href="https://ifttt.com/?

ସେଣ୍ଟ ଜାଭିୟର୍ସ ସ୍କୁଲରେ ଜୀବନ ଦକ୍ଷତା ଅଧିବେଶନ ଆୟୋଜିତ । ଛାତ୍ରଛାତ୍ରୀଙ୍କୁ ଜୀବନରେ ଆଗକୁ ବଢିବାକୁ ପ୍ରେରଣା ଦେଲେ ତାମିଲ ଓ କନ୍ନଡ ଚଳଚିତ୍ରର ପ୍ରଖ୍ୟାତ ଅଭିନେତ୍ରୀ ସଞ୍ଚିତା ।

କନକ ବ୍ୟୁରୋ : ବାରବାଟୀ ଷ୍ଟାଡ଼ିୟମ ନିକଟସ୍ଥ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ପରିସରରେ ଆୟୋଜିତ ଜୀବନ ଦକ୍ଷତା ଅଧିବେଶନରେ ଜନୈକା ତାମିଲ ଏବଂ କନ୍ନଡ ଚଳଚିତ୍ରର ପ୍ରଖ୍ୟାତ ଅଭିନେତ୍ରୀ ସଞ୍ଚିତା ସେଟ୍ଟିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ସେ ତେଲୁଗୁ ଜଗତର ଜଣେ ପ୍ରଖ୍ୟାତ ଅଭିନେତ୍ରୀ ସହିତ ଜଣେ ପ୍ରେରଣାଦାୟୀ ବକ୍ତା ଭାବରେ ସୁପରିଚିତ । ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଅଧିବେଶନରେ ସେ ନିଜ ଜୀବନର ପ୍ରତିଟି ସ୍ତରରେ କରିଥିବା ସଂଘର୍ଷ ଏବଂ ଜୀବନ ଧାରାର ଦକ୍ଷତା ବିଷୟରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଛାତ୍ର ଛାତ୍ରୀ ମାନେ ଅଭିନେତ୍ରୀ ମହାଶୟଙ୍କୁ ଅନେକ ପ୍ରଶ୍ନ ପଚାରି ନିଜର ଜୀବନ ଧାରାର କୌଶଳକୁ ଆୟତ୍ତ କରିବା ଶିଖିଥିଲେ ।

ମିସ ସଞ୍ଚିତା ମଧ୍ୟ ପିଲାମାନଙ୍କର ସମସ୍ତ ଅନୁସନ୍ଧିତ୍ସାକୁ ଦୂର କରି ସେମାନଙ୍କୁ ଆଗକୁ ବଢିବାକୁ ପ୍ରେରଣା ପ୍ରଦାନ କରିଥିଲେ । ନିଜର ପ୍ରେରଣା ମାଧ୍ୟମରେ ସେ ଛାତ୍ରଛାତ୍ରୀଙ୍କର ମନୋବଳକୁ ଦୃଢ କରିଥିଲେ ଓ ସେମାନଙ୍କୁ ନିଜ କର୍ମପନ୍ଥା ସ୍ଥିର କରିବାକୁ ପଥ ଦେଖାଇଥିଲେ । ବିଦ୍ୟାଳୟର ଏହି ଅଧିବେଶନରେ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।
ବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରିୟଦର୍ଶୀ ନାୟକଙ୍କ ତତ୍ତ୍ୱାବଧାନରେ ଉକ୍ତ ଅଧିବେଶନର ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ମହୋଦୟଙ୍କ ଦ୍ୱାରା ଅଭିନେତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶେଷରେ ବିଦ୍ୟାଳୟର ସମସ୍ତ ସଭ୍ୟମାନଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

The post ସେଣ୍ଟ ଜାଭିୟର୍ସ ସ୍କୁଲରେ ଜୀବନ ଦକ୍ଷତା ଅଧିବେଶନ ଆୟୋଜିତ । ଛାତ୍ରଛାତ୍ରୀଙ୍କୁ ଜୀବନରେ ଆଗକୁ ବଢିବାକୁ ପ୍ରେରଣା ଦେଲେ ତାମିଲ ଓ କନ୍ନଡ ଚଳଚିତ୍ରର ପ୍ରଖ୍ୟାତ ଅଭିନେତ୍ରୀ ସଞ୍ଚିତା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started