
କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ନାରୱେକର ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା ବୋଲି କହିଛନ୍ତି । ତେଣୁ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ପାରିବ ନାହିଁ ବୋଲି ରାୟ ଶୁଣାଇଛନ୍ତି । ଅର୍ଥାତ୍ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ପଦ ବଜାୟ ରହିବ । ଯାହା ଉଦ୍ଧବ ଠାକରେଙ୍କ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରିଛି । ବାଚସ୍ପତି କହିଛନ୍ତି ଯେ ୨୦୧୮ରେ ନେତୃତ୍ୱ ଢାଂଚା ଶିବସେନାର ସମ୍ବିଧାନ ଅନୁଯାୟୀ ନଥିଲା । ୧୯୯୯ରେ ନିର୍ବାଚନ କମିଶନ ନିକଟରେ ଦାଖଲ ହୋଇଥିବା ଦଳର ସମ୍ବିଧାନ ଅନୁଯାୟୀ ଶିବସେନା ପାର୍ଟିର ମୁଖ୍ୟ କାହାକୁ ଦଳରୁ ବହିଷ୍କାର କରିପାରିବେ ନାହିଁ । ତେଣୁ ୨୦୨୨ ଜୁନରେ ଉଦ୍ଧବ ଠାକରେଙ୍କ ଦ୍ୱାରା ଏକନାଥ ସିନ୍ଦେଙ୍କୁ ହଟାଇବା ଶିବସେନା ସମ୍ବିଧାନ ଆଧାରରେ ଗ୍ରହଣୀୟ ନୁହେଁ ।
ବାଚସ୍ପତି କହିଛନ୍ତି ଯେ ଜୁନ୍ ୨୧, ୨୦୨୨ରେ ଯେତେବେଳେ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ଉଭା ହୋଇଥିଲେ, ସେତେବେଳେ ସିନ୍ଦେ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ଥିଲା । ବାଚସ୍ପତିଙ୍କ ନିଷ୍ପତି ପୂର୍ବରୁ ମୁମ୍ବାଇରେ ଗଣମାଧ୍ୟମ ସହ କଥାବାର୍ତା କରି ଏକନାଥ ସିନ୍ଦେ କହିଛନ୍ତି ଯେ ନିର୍ବାଚନ ଆୟୋଗ ତାଙ୍କ ଦଳକୁ ଶିବସେନାର ନାମ ଓ ଚିହ୍ନ ଆବଂଟନ କରିଛନ୍ତି । ଆନୁଷ୍ଠାନିକ ଭାବେ ସେ ଶିବସେନା ଗୋଷ୍ଠୀର ନେତା । ବିଧାନସଭାରେ ସଂଖ୍ୟାଗରିଷ୍ଠତା ରହିଛି ।
ଅନ୍ୟପକ୍ଷରେ ଉଦ୍ଧବ ଗୋଷ୍ଠୀର ବିଧାୟକ ଆଦିତ୍ୟ ଠାକରେ ବାଚସ୍ପତିଙ୍କ ସହ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ବୈଠକକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବାଚସ୍ପତି ରାୟ ଦେବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ବୋଲି ଦେଖିଥିବା କହିଛନ୍ତି । ଇତିହାସରେ ଏପରି କେବେ ହୋଇନଥିଲା ବୋଲି କହିଛନ୍ତି । ବାଚସ୍ପତି ଗଣତନ୍ତ୍ରକୁ ଅନୁସରଣ କରୁଛନ୍ତି କି ନାହିଁ ତାହା ଲୋକମାନେ ଜାଣିପାରିବେ ବୋଲି ଆଦିତ୍ୟ ଠାକରେ କହିଛନ୍ତି ।
୨୦ ଜୁନ ୨୦୨୨ରେ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀର ୩୯ ଜଣ ବିଧାୟକ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ବିରୋଧରେ ବିଦ୍ରୋହ କରି ବିଜେପି ସହ ମେଂଟ କରିଥିଲୋ ଏହା ପରେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା ଏବଂ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେହିପରି ଦେବେନ୍ଦ୍ର ଫଡନାଭିସଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯାଇଛି । ଏହା ଉପରେ ଉଦ୍ଧବ ଗୋଷ୍ଠୀ ଦଳବଦଳ ଆଇନର ବାଚସ୍ପତିଙ୍କୁ ନୋଟିସ୍ ଦେଇଥିଲେ । ଏହାପରେ ମାମଲା ମଧ୍ୟ ସୁପ୍ରିମ୍ କୋର୍ଟରେ ପହଂଚିଥିଲା । ମାମଲା ଶୁଣାଣି କରିବାକୁ ବହୁତ ବିଳମ୍ବ ହୋଇଥିଲା । ପରେ ଏହାକୁ ନେଇ ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
The post ଶିବସେନା ବନାମ ଶିବସେନା ଲଢ଼େଇରେ ଉଦ୍ଧବ ଗୋଷ୍ଠୀକୁୁ ବଡ଼ ଝଟକା । ମହାରାଷ୍ଟ୍ରର ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ଉଦ୍ଧବ ଗୋଷ୍ଠୀର ଆବେଦନ ଖାରଜ first appeared on Kanak News.
from Kanak News
via <a href="https://ifttt.com/?








