ରାଜଧାନୀ ଖଣ୍ଡଗିରିରେ ବଡ଼ ଧରଣର ଲୁଟ୍ । ଘରେ କଳାକନା ବୁଲାଇଲେ ଲୁଟେରା । ୧୦ ଲକ୍ଷ ଟଙ୍କାର ସୁନାଗହଣାଧରି ଲୁଟେରା ଚମ୍ପଟ

କନକ ବ୍ୟୁରୋ: ଧିରେ ଧିରେ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ । ଆଗରୁ ଚାବି ପକାଇ ବାହାରକୁ ଯିବାକୁ ଡର ଲାଗୁଥିଲା, ଏବେ ଘରେ ଥିଲେ ବି ଚୋରିର ଭୟ । ଖଣ୍ଡଗିରି ତାଳବଣିଆ ଅଞ୍ଚଳରେ ହୋଇଛି ଏମିତି ଏକ ଚୋରି । ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା ।

  • ଆତଙ୍କ ଖେଳାଉଛନ୍ତି କପବୋର୍ଡ ତଡା ଲୁଟେରା
  • ରାଜଧାନୀବାସୀଙ୍କ କୋକୁଆ ଭୟ

ଭୁବନେଶ୍ୱରବାସୀଙ୍କ ଛାତି ଥରାଉଛନ୍ତି ଲୁଟେରା । ଏବେ ଆଉ ଏକୁଟିଆ ଘର ନୁହେଁ ବରଂ ସିଧାସଳଖ ଘର ଭିତରେ ପଶି ଲୁଟିବାକୁ ପଛାଉନାହାଁନ୍ତି । ଘରର ବେଡରୁମରେ ମାଲିକ ଶୋଇଥିବା ବେଳେ, ଘରେ ପଶି କଳାକନା ବୁଲାଇ ଆତଙ୍କ ଖେଳାଇଛନ୍ତି କପବୋର୍ଡ ତଡା ଗ୍ୟାଙ୍ଗ । ଏ ଏମିତି ଏକ ଘଟଣା ଯାହା ପ୍ରଥମ ଥର ପାଇଁ ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧିନ ତାଳବଣିଆ ଅଞ୍ଚଳରେ ଦେଖିବାକୁ ମିଳିଛି ।

ଲେନ ୬, ପ୍ଲଟ ନମ୍ବର ୧୮୭୯ରେ ରୁହନ୍ତି ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦେଶକ ଛୋଟେଲାଲ ଶର୍ମା ଓ ତାଙ୍କ ପତ୍ନୀ । ବଡି ଭୋରରୁ ଲୁଟେରାମାନେ ଘର ଭିତର ପଶି ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ବେଳେ, ଦେଢ ଲକ୍ଷରୁ ଅଧିକ ନଗଦ ଟଙ୍କା ଏବଂ ଦାମୀ ଜିନିଷ ନେଇ ଚମ୍ପଟ ମାରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃ୍ଷ୍ଟି ହୋଇଛି ।

ସବୁଠୁ ବଡ କଥା ହେଉଛି ବେଡରୁମ ଏବଂ ଘରର ମୁଖ୍ୟ ଦ୍ୱାର ସମ୍ପୁର୍ଣ୍ଣ ଭାବରେ ବନ୍ଦ ରହିଥିଲା । ଲୁଟେରା ମାନେ ବିନା କୌଣସି ଭଙ୍ଗାରୁଜାରେ ଘର ଭିତରେ ପଶିଛନ୍ତି । ଆଉ ଅତି ଚତୁରତାର ସହ କପବୋର୍ଡ ଚାବି ଖୋଲି ସବୁ ଲୁଟି ନେଇଛନ୍ତି । ଏହି କପବୋର୍ଡ ତଡା ଲୁଟେରାଙ୍କୁ ନେଇ ପୁଲିସ ଖୋଳତାଡ ଆରମ୍ଭ କରିଥିବା ଡିସିପି କହିଛନ୍ତି । ପୂର୍ବରୁ ଲୁଟେରାମାନେ ଏକୁଟିଆ ଖାଲି ଘର ଦେଖି ଲୁଟପାଟ କରୁଥିଲେ । କିନ୍ତୁ ଏବେ ଘରେ ଲୋକଥିବା ଅବସ୍ତାରେ ଘରେ ପଶି ଲୁଟୁଛନ୍ତି । ଲୁଟେରାଙ୍କ ଏଭଳି ଉତ୍ପାତ ଦେଖି ଏବେ ତ୍ରାହି ତ୍ରାହି ଡାକିଲେଣି ରାଜଧାନୀବାସୀ । ସମସ୍ତଙ୍କ ମୁହଁରେ କେବଳ ଗୋଟିଏ କଥା, ଭୁବନେଶ୍ୱରରେ ଆଉ ରହି ହେବନି ।

The post ରାଜଧାନୀ ଖଣ୍ଡଗିରିରେ ବଡ଼ ଧରଣର ଲୁଟ୍ । ଘରେ କଳାକନା ବୁଲାଇଲେ ଲୁଟେରା । ୧୦ ଲକ୍ଷ ଟଙ୍କାର ସୁନାଗହଣାଧରି ଲୁଟେରା ଚମ୍ପଟ first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟ ବିମାନସେବା ମାନଚିତ୍ରରେ ମାଲକାନଗିରି ସାମିଲ । ମୁଖ୍ୟମନ୍ତ୍ରୀଙ୍କ ହାତରେ ବିମାନବନ୍ଦର ଲୋକାର୍ପଣ

କନକ ବ୍ୟୁରୋ: ସ୍ୱପ୍ନ ସତ ହୋଇଛି, ଉପାନ୍ତ ମାଲକାନଗିରି ସହ ଯୋଡି ହୋଇଛି ବିମାନ ସେବା । ସ୍ୱାଭିମାନ ଅଞ୍ଚଳର ଲୋକ ବି ଏଣିକି ନିଜ ମାଟିରେ ପାଇବେ ବିମାନ ଯାତ୍ରାର ସୁବିଧା । ଆଜି ମାଲକାନଗିରି ବିମାନ ବନ୍ଦରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହଜାର ହଜାର ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ବଣ୍ଡା ଆଦିବାସୀଙ୍କ ସହ ଫଟୋ ଉଠାଇଛନ୍ତି । ଆଉ ଜିଲ୍ଲା ପାଇଁ ୪ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ।

  • ଆକାଶପଥ ସହ ଯୋଡ଼ି ହେଲା ମାଲକାନଗିରି
  • ଲୋକାର୍ପଣ ହେଲା ମାଲକାନଗିରି ବିମାନବନ୍ଦର
  • ପୂରଣ ହେଲା ଉପାନ୍ତର ଆକାଶରେ ଉଡ଼ିବା ସ୍ୱପ୍ନ

ଦିନେ ସଡ଼କ ପଥରେ ଯେଉଁଠି ଯିବା ଆସିବା ସମ୍ଭବ ହେଉନଥିଲା, ଆଜି ସେଠି ବିମାନ ଉଠିଛି । ଉପାନ୍ତ ଓ ପଛୁଆ ପଣର ଆଖ୍ୟାକୁ ପଛରେ ପକାଇ ବିକାଶ ମାର୍ଗରେ ଆଗେଇ ଚାଲିଛି ମାଲକାନଗିରି । ଜିଲ୍ଲାର ବହୁ ଆକାଂକ୍ଷିତ ବିମାନବନ୍ଦରକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ପ୍ରାୟ ୧୨ଟା ୧୦ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ବିମାନରେ ମାଲକାନଗିରିର ନବନିର୍ମିତ ରନୱେରେ ଅବତରଣ କରିଥିଲେ । ଅବତରଣ ପରେ ବିମାନ ବନ୍ଦରକୁ ମୁଖ୍ୟମନ୍ତ୍ରୀ ପ୍ରଥମେ ବୁଲି ଦେଖିବା ପରେ ଏହାକୁ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ ।

ବିମାନବନ୍ଦର ପରିସରରେ ଉପସ୍ଥିତ ହଜାର ହଜାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବା ସହ ବଣ୍ଡା ଆଦିବାସୀଙ୍କ ସହ ଫଟୋ ଉଠାଇଲେ । ସେହିପରି ବିଭିନ୍ନ ପ୍ରକଳ୍ପକୁ ମଂଜୁରୀ ଦେଇ ୪୧୮୦ କୋଟି ଟଙ୍କାର ଭେଟି ପ୍ରଦାନ କରିିଥିଲେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ୫-ଟି ଅଧ୍ୟକ୍ଷ ।

ଜୟପୁର, ଉକ୍ରେଲା, ରାଉରକେଲା ଓ ରଙ୍ଗେଇଲୁଣ୍ଡା ପରେ ଆକାଶପଥ ମାନଚିତ୍ରରେ ସ୍ଥାନ ପାଇଛି ମାଲାକାନଗିରି । ୨୩୩ ଏକର ଜମିରେ ମାତ୍ର ୧୪ ମାସରେ ନିର୍ମିତ ଏହି ବିମାନ ବନ୍ଦରର ରନୱେ ଲମ୍ବ ୧୬୨୦ ମିଟର ହୋଇଥିବା ବେଳେ ଓସାର ୩୦ ମିଟର ରହିଛି । ପ୍ରାୟ ୭୦ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଏହି ବିମାନ ବନ୍ଦରରେ ଖୁବଶୀଘ୍ର ଯାତ୍ରୀବାହି ବିମାନ ଉଡିବ ବୋଲି ଆଶା କରାଯାଉଛି ।

ତେବେ ଏହାରି ଭିତରେ ଗୋବିନ୍ଦପାଲି ବୃହତ ଜଳସେଚନ ପ୍ରକଳ୍ପକୁ ଅନୁମୋଦନ ଦେବା ସହ ଏହି ପ୍ରକଳ୍ପ ପାଇଁ ୪୦୦୦ କୋଟି ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସପ୍ତଧାରା ନଦୀ ଉପରେ ଗୋଟିଏ ଓ ଗାରିଆ ନଦୀ ଉପରେ ଗୋଟିଏ ଡ୍ୟାମ ନିର୍ମାଣ ଦାବିକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।

The post ରାଜ୍ୟ ବିମାନସେବା ମାନଚିତ୍ରରେ ମାଲକାନଗିରି ସାମିଲ । ମୁଖ୍ୟମନ୍ତ୍ରୀଙ୍କ ହାତରେ ବିମାନବନ୍ଦର ଲୋକାର୍ପଣ first appeared on Kanak News.

from Kanak News
via <a href="https://ifttt.com/?

ଛାତ୍ରଛାତ୍ରୀଙ୍କ ପରେ ଅଧ୍ୟାପକ ଦେବେ ଘୋଷଣାନାମା । ନିଶା ଖାଇ ଯିବେନି କଲେଜ । ଉଚ୍ଚଶିକ୍ଷା ବିଭାଗର ନିଷ୍ପତିକୁ ସ୍ୱାଗତ କଲା ଅଧ୍ୟାପକ ସଂଘ

କନକ ବ୍ୟୁରୋ: ଶିକ୍ଷାନୁଷ୍ଠାନ ପରିସର ହେବ ସଂପୂର୍ଣ୍ଣ ନିଶା ମୁକ୍ତ । ଛାତ୍ରଛାତ୍ରୀଙ୍କ ଭଳି ଅଧ୍ୟାପକ ବି ଦାଖଲ କରିବେ ନିଶା ଗ୍ରହଣ କରୁନଥିବା ଘୋଷଣାନାମା । ଆଜି ବିଧାନସଭାରେ ବସିଥିବା ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ସୁପାରିଶ ହୋଇଥିବା କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ କହିଛନ୍ତି । ତେବେ ପୂର୍ବରୁ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ନିୟମ ଥିଲା ଯେ, ସେମାନେ ନିଶା ସେବନ କରି ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଆସିପାରିବେ ନାହିଁ । ଏବେ ଏଥିରେ ଶିକ୍ଷକ ଓ ଅଧ୍ୟାପକ ବି ସାମିଲ ହେବେ ।

ତେବେ ଗତବର୍ଷ ଅଗଷ୍ଟ ମାସରେ ଅନଲାଇନରେ ଛାତ୍ରଛାତ୍ରୀଙ୍କଠାରୁ ନିଆଯାଇଥିବା ଫିଡ୍ ବ୍ୟାକକୁ ପବ୍ଲିକ ଡୋମେନରେ ଛାଡିଥିଲା ଉଚ୍ଚ ଶିକ୍ଷା ବିଭାଗ । ଆଉ ଫିଡ୍ ବ୍ୟାକରେ ସାମ୍ନାକୁ ଆସିଥିବା ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଯେଉଁ ତଥ୍ୟ ଉଚ୍ଚଶିକ୍ଷା ବିଭାଗ ଦେଇଥିଲା ସେଥିରୁ ଜଣାପଡିଲା ଯେ, ଅଧ୍ୟାପକମାନେ ୭ ଘଣ୍ଟା ଶିକ୍ଷାନୁଷ୍ଠାନରେ ରହୁନାହାନ୍ତି । ଏପରିକି କିଛି ଅଧ୍ୟାପକ ମଦ ଖାଇ ଆସୁଥିବା ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ ।

ତେବେ ଆମେ ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ ଯେ, ଛାତ୍ରଛାତ୍ରୀଙ୍କଠାରୁ ଫିଡବ୍ୟାକ ନେଇ ଉଚ୍ଚଶିକ୍ଷା ବିଭାଗ ତାର ୱେବସାଇଟରେ ଯେଉଁ ତଥ୍ୟ ଦେଇଥିଲା ତାହା ହିଁ ଆମେ ପ୍ରକାଶ କରିଛୁ । ଅବଶ୍ୟ ତରବରିଆ ଭାବେ ଏବଂ ବିନା ଯାଞ୍ଚରେ ଫିଡବ୍ୟାକ ପ୍ରକାଶ କରିଥିବା କିଛି ତଥ୍ୟରୁ ଜଣାପଡିଥିଲା । ହେଲେ କେଉଁ ଅଧ୍ୟାପକ ୭ ଘଣ୍ଟିଆ ଡ୍ୟୁଟି କରୁନାହାନ୍ତି ପ୍ରଶ୍ନର ଉତ୍ତରରେ ନିଶା ମହାରଣା ବୋଲି ଲେଖିଥିଲେ ଅନୁଗୁଳ ସରକାରୀ କଲେଜର ଛାତ୍ରଛାତ୍ରୀ । ସେହିପରି ମଦ ଖାଇ ଆସୁଥିବା ଅଧ୍ୟାପକଙ୍କ କଲମରେ ରାଣୀ ପଣ୍ଡା ଲେଖାଯାଇଥିଲା । ଯାହାକୁ ପରବର୍ତ୍ତୀ ସମୟରେ ପବ୍ଲିକ ଡୋମେନରୁ ହଟାଇ ଦିଆଗଲା ।

ବୋଧହୁଏ ପିଲାଙ୍କଠାରୁ ଫିଡବ୍ୟାକ ପାଇବା ପରେ କ୍ୟାମ୍ପସକୁ ନିଶାମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏଣିକି ଅଧ୍ୟାପକ ନିଶା ଗ୍ରହଣ କରୁନଥିବା ଘୋଷଣାନାମା ଦାଖଲ କରିବାକୁ ସୁପାରିଶ କରିଛି ବିଧାନସଭା ଷ୍ଟାଣ୍ଡିଂ କମିଟି । ଆଜି ବିଧାନସଭାରେ ବସିଥିବା ଷ୍ଟାଣ୍ଡିଂ କମିଟି ବୈଠକରେ ଏନେଇ ସୁପାରିଶ କରାଯାଇଥିବା ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ । ଯାହାକୁ ସ୍ୱାଗତ କରିଛନ୍ତି ଶିକ୍ଷାବିତ୍ ।

ତେବେ କିଛିଦିନ ପୂର୍ବରୁ ଏ ସଂପର୍କରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଥିଲା ଉଚ୍ଚଶିକ୍ଷା ବିଭାଗ । ନାମଲେଖା ସମୟରେ ଛାତ୍ରଛାତ୍ରୀମାନେ ନିଶା ଗ୍ରହଣ କରୁନଥିବା ଘୋଷଣାନାମା ଦାଖଲ କରିବାକୁ କୁହାଯାଇଥିଲା । ଏବେ କିନ୍ତୁ ଅଧ୍ୟାପକଙ୍କୁ ବି ଦାଖଲ କରିବାକୁ ପଡ଼ିବ ସମାନ ଧରଣର ଘୋଷଣାନାମା । ରାଜ୍ୟର ସବୁ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ପାଇଁ ଏହି ସୁପାରିଶ କରାଯାଇଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ ସୂଚନା ଦେଇଛନ୍ତି ।

The post ଛାତ୍ରଛାତ୍ରୀଙ୍କ ପରେ ଅଧ୍ୟାପକ ଦେବେ ଘୋଷଣାନାମା । ନିଶା ଖାଇ ଯିବେନି କଲେଜ । ଉଚ୍ଚଶିକ୍ଷା ବିଭାଗର ନିଷ୍ପତିକୁ ସ୍ୱାଗତ କଲା ଅଧ୍ୟାପକ ସଂଘ first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀରେ ଅତିଥି ବନିବେ ଗରିବ ଓଡିଆ । ସାଧାରଣତନ୍ତ୍ର ଦିବସ ପାଇଁ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ନିମନ୍ତ୍ରଣ

କନକ ବ୍ୟୁରୋ: ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଇଁ ଆସିଛି ନିମନ୍ତ୍ରଣ । ସ୍ୱତନ୍ତ୍ର ଅତିଥି ଭାବେ ଏମାନେ ଦିଲ୍ଲୀ ଯିବେ । ହେଲେ ଏମାନେ କୌଣସି ବିଶିଷ୍ଟ ବ୍ୟକ୍ତି ନୁହଁନ୍ତି, ବରଂ ସାଧାରଣ ଲୋକ, ପିଏମ୍ ଆବାସ ହିତାଧିକାରୀ । ଦିନେ ଛାତ ଘର ଖଣ୍ଡେ ପାଇବା ପାଇଁ ସଂଘର୍ଷ କରୁଥିଲେ, ଆଉ ଏବେ କେନ୍ଦ୍ର ସରକାରଙ୍କ ଅତିଥି । ୧୦ ଜଣ ହିତାଧିକାରୀ ଉତ୍ସବରେ ସାମିଲ ହେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଆସିଛି । ଏପଟେ ଏହି ଚିଠିକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।

  • ଦିଲ୍ଲୀରୁ ଆସିଲା ଆବାସ ହିତାଧିକାରୀଙ୍କୁ ନିମନ୍ତ୍ରଣ
  • ସାଧାରଣତନ୍ତ୍ର ଦିବସରେ ଅତିଥି ହେବେ ହିତାଧିକାରୀ
  • ଦିଲ୍ଲୀରୁ ନିମନ୍ତ୍ରଣ ପରେ ଓଡ଼ିଶାରେ ତେଜିଲା ରାଜନୀତି

ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଏଥର ନଜର ଆସିବେ ପିଏମ୍ ଆବାସ ହିତାଧିକାରୀ । ସାଧାରଣତନ୍ତ୍ର ଦିବସ ଅବସରରେ ହିତାଧିକାରୀଙ୍କୁ ସ୍ୱତନ୍ତ୍ର ଅତଥି ଭାବେ ନିମନ୍ତ୍ରଣ ହୋଇଛି । ଏ ସମ୍ପର୍କରେ ସୂଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ଏଥିରେ କୁହାଯାଇଛି, ଆସନ୍ତା ୨୫ ତାରିଖ ସକାଳ ସୁଦ୍ଧା ସ୍ୱତନ୍ତ୍ର ଅତିଥି ପିଏମ୍ ଆବାସ ହିତାଧିକାରୀଙ୍କୁ ନେଇ ନୋଡାଲ୍ ଅଫିସର ଦିଲ୍ଲୀ ପହଞ୍ଚିବେ ।

  • ୨୫ ତାରିଖରେ କ୍ଷେତ୍ର ପରିଦର୍ଶନ
  • କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସହ ରାତ୍ରିଭୋଜନ
  • ୨୬ ତାରିଖରେ କର୍ତ୍ତବ୍ୟପଥରେ ସାଧାରଣତନ୍ତ୍ର ପରେଡ୍ କାର୍ଯ୍ୟକ୍ରମରେ ସାମିଲ୍

ଦିଲ୍ଲୀର ଏହି କାର୍ଯ୍ୟକ୍ରମକୁ ନେଇ ଓଡ଼ିଶାରେ ରାଜନୀତି ତୀବ୍ର ହୋଇଛି । ଶାସକ ବିଜେଡି ଅଭିଯୋଗ ଆଣିି କହିଛି, ଅ।।ବାସ ପୋର୍ଟାଲ ବନ୍ଦ କରି ହିତାଧିକାରୀଙ୍କୁ ହଇରାଣ କରାଯାଉଛି । ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ ପୋର୍ଟାଲ ଖୋଲିବା ପାଇଁ ଜଣାଇଥିଲେ ମଧ୍ୟ ଖୋଲାଯାଇ ନଥିଲା । ଏବେ ଆବାସ ହିତାଧିକାରୀଙ୍କୁ ଦିଲ୍ଳୀ ଡାକିବା ଉଦ୍ୟମ ହାସ୍ୟାସ୍ପଦ ।

ସମାନ ଢ଼ଙ୍ଗରେ କଂଗ୍ରେସ ଅଭିଯୋଗ କରିଛି, ଆଗକୁ ନିର୍ବାଚନ ଥିବାରୁ ଡ୍ରାମା କରାଯାଉଛି । ପ୍ରଚାର, ପ୍ରସାର ପାଇଁ ବିଜେପି ଡ୍ରାମା କରିବା ଦୁର୍ଭାଗ୍ୟଜନକ । ବିରୋଧୀଙ୍କ ଅଭିଯାଗର ଜବାବରେ ବିଜେପି କହିଛି, କେନ୍ଦ୍ର ସରକାର ଚାହୁଁଛନ୍ତି ସିଧାସଳଖ ହିତାଧିକାରୀଙ୍କ ସହ କଥା ହେବେ । ପିଏମ ଆବାସ ଯୋଜନା ଲୋକଙ୍କ ନିକଟରେ ପହଞ୍ଚୁଛି କି ନାହିଁ ତାର ତଦାରଖ କରିବେ । ତେବେ ରାଜନୀତିର ଏହି ବୟାନବାଜି ଏଥିପାଇଁ ତୀବ୍ର ହେଉଛି, କାରଣ ଆଗକୁ ଆସୁଛି ସାଧାରଣ ନିର୍ବାଚନ । ତେଣୁ ପିଏମ୍ ଆବାସ ହିତାଧିକାରୀଙ୍କୁ ସ୍ୱତନ୍ତ୍ର ଅତିଥି କରିବା ପ୍ରସଙ୍ଗକୁ ଭିନ୍ନ ଢ଼ଙ୍ଗରେ ଆଲୋଚନା କରୁଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।

The post ଦିଲ୍ଲୀରେ ଅତିଥି ବନିବେ ଗରିବ ଓଡିଆ । ସାଧାରଣତନ୍ତ୍ର ଦିବସ ପାଇଁ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ନିମନ୍ତ୍ରଣ first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୬୦ ଟିକେଟ ଫାଇନାଲ । ପୁଣିଥରେ ଟିକେଟ ପାଇବେ ବର୍ତ୍ତମାନର ୯ ବିଧାୟକ । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ବୟାନ ନେଇ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖଉଛି, ନିର୍ବାଚନ ଜିତିବା ପାଇଁ ରାଜନୈତିକ ଦଳ ଗୁଡିକ ସେତିକି ଅଣ୍ଟା ଭିଡୁଛନ୍ତି । ଏ କ୍ରମରେ ରାଜ୍ୟରେ ତୃତୀୟ ସ୍ଥାନକୁ ଖସି ଆସିଥିବା କଂଗ୍ରେସ, ବଳ ଗୋଟାଇବାରେ ଲାଗି ପଡିଛି । ନୂଆ ପ୍ରଭାରୀ ଆସିବା ପରେ ଦଳରେ ଏବେ ନୂଆ ଉତ୍ସାହ । ଏତେ ଉତ୍ସାହ, ଯେ ନେତା ଏବେଠୁ କହିଲେଣି, କଂଗ୍ରେସର ୬୦ରୁ ୭୦ ଟିକେଟ୍ ଚୂଡାନ୍ତ । ଏପରିକି ଫେବୃଆରୀରେ ଟିକେଟ୍ ଘୋଷଣା ହୋଇଯିବ ।

  • ଆଗୁଆ ଟିକେଟ ଦେବ କଂଗ୍ରେସ!
  • ‘୬୦ରୁ ୭୦ ଆସନରେ ଟିକେଟ ଫାଇନାଲ’

କଂଗ୍ରେସର ନୂଆ ପ୍ରଭାରୀ ଅଜୟ କୁମାର ଭୁବନେଶ୍ୱର ଆସି ରାଜ୍ୟ ନେତାଙ୍କୁ ମନ୍ତ୍ର ଦେବା ପରେ ଆଗାମୀ ନିର୍ବାଚନ ପାଇଁ ପାଗଭିଡା ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । ରବିବାର ନିର୍ବାଚନମଣ୍ଡଳୀ ମୁହାଁ ହେବାକୁ ନେତାଙ୍କୁ ପରାମର୍ଶ ଦେଇଥିଲେ ନୂଆ ପ୍ରଭାରୀ । ଆଉ ଏକ ପାଦ ଆଗକୁ ବଢି କଂଗ୍ରେସ ନେତା ତଥା ଜୟପୁର ବିଧାୟକ ବଡ ବୟାନ ଦେଇଛନ୍ତି । ତାରାଙ୍କ କହିବା ଅନୁସାରେ…

  • କଂଗ୍ରେସରେ ୬୦ରୁ ୭୦ ଟିକେଟ ଫାଇନାଲ ହୋଇସାରିଛି
  • ଅଳ୍ପ ଭୋଟ ବ୍ୟବଧାନରେ ହାରିଥିବା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦିଆଯିବ
  • ୯ ବିଧାୟକ ରିପିଟ୍ ହେବେ
  • ଫେବୃଆରୀରେ ଆଗୁଆ ଟିକେଟ ଦିଆଯିବ
  • ଫେବୃଆରୀରେ ରାହୁଲ ଓ ଅନ୍ୟ ବଡ ନେତା ଓଡିଶା ଆସିବେ
  • ଆଗକୁ ବଡ ନେତା କଂଗ୍ରେସରେ ମିଶିବେ

ରାଜସ୍ଥାନ ବିଧାନସଭା ନିର୍ବାଚନ ସମୟରେ ତତକାଳୀନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଆଗୁଆ ପ୍ରାର୍ଥୀ ଘୋଷଣା କରିବାକୁ କଂଗ୍ରେସ ନେତୃତ୍ୱକୁ କହିଥିଲେ । କିନ୍ତୁ ଏହା ସମ୍ଭବ ହୋଇପାରିନଥିଲା । ଏବେ ତାରା ବାହିନୀପତିଙ୍କ କଥାରେ କେତେ ଦମ ଅଛି ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ସେପଟେ ପିସିସି ସଭାପତି କହିଛନ୍ତି, ଜିଲ୍ଲା ସଭାପତିଙ୍କୁ ତାଲିକା ମଗାଯାଇଛି । ସମସ୍ତେ ୩ରୁ ୪ ଜଣଙ୍କ ନାଁ ଦେଇଛନ୍ତି । ୧୪୭ ଆସନରୁ ତାଲିକା ଆସିଯାଇଛି । ୨୧ଟି ଏମପି ଆସନ ପାଇଁ ସର୍ଭେ ଚାଲିଛି । ଖୁବଶୀଘ୍ର ଦିଲ୍ଲୀକୁ ନାଁ ଯିବ ।

ତେବେ ଯେଉଁ ବିଧାନସଭା ଆସନରେ କଂଗ୍ରେସ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିଲା, ସେହି ଆସନଗୁଡିକରେ ଆଗୁଆ ଟିକେଟ ଦେବ ବୋଲି କଂଗ୍ରେସ ସଙ୍କେତ ଦେଇଥିଲା । ଏବେ ତାରାଙ୍କ ବୟାନ ପରେ କେଉଁ ଆସନରେ ପ୍ରାର୍ଥୀ ଚୂଡାନ୍ତ ହୋଇଛି ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି ।

The post ୨୦୨୪ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୬୦ ଟିକେଟ ଫାଇନାଲ । ପୁଣିଥରେ ଟିକେଟ ପାଇବେ ବର୍ତ୍ତମାନର ୯ ବିଧାୟକ । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ବୟାନ ନେଇ ବଢିଲା ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

ବଢ଼ିବ ଆଶା, ଅଙ୍ଗନବାଡ଼ି କର୍ମୀ ଓ ପାଚିକାଙ୍କ ଦରମା । ମଧୁବାବୁ ପେନସନ ଓ କଳାକାରଙ୍କ ଭତ୍ତା ବି ବଢ଼ିବ । ଖୁବଶୀଘ୍ର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଆଜି ଉପାନ୍ତ ନବରଙ୍ଗପୁରରେ ଏମିତି ଏକ ଘୋଷଣା ହୋଇଛି, ଯାହା ରାଜ୍ୟର ବିଭିନ୍ନ କୋଣରେ ଆଶା ଓ ଉତ୍ସାହ ବଢାଇଛି । ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦରମା ବଢିବ । ବୟସ୍କ ଓ ଅସହାୟମାନେ ପାଉଥିବା ମଧୁବାବୁ ପେନସନର ଭତ୍ତା ରାଶି ବି ବୃଦ୍ଧି ପାଇବ । ତେବେ କେବେ ବଢିବ, କେତେ ବଢିବ, ଯଦିଓ ଜଣାନାହିଁ, ହେଲେ ଖୋଦ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ମୁହଁରୁ ଯେହେତୁ ଏ ଘୋଷଣା ହୋଇଛି, ତେଣୁ ବିଭିନ୍ନ କ୍ଷେତ୍ରର ଲୋକ ଉତ୍ସାହିତ ଅଛନ୍ତି ।

  • ‘ବଢ଼ିବ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦରମା’
  • ‘ପାଚିକାଙ୍କ ଦରମା ବୃଦ୍ଧି ପାଇବ’
  • ‘ବଢ଼ିବ ମଧୁବାବୁ ଭତ୍ତା ରାଶି’
  • ‘ଏମବିକେ, ସିଆରପିଙ୍କ ଦରମା ବି ବଢ଼ିବ’
  • ‘କମ୍ୟୁନିଟି ସେଣ୍ଟର କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ’

ନବରଙ୍ଗପୁର ଗସ୍ତରେ ଯାଇଥିବାବେଳେ ରାଇଘରରେ ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚ ଉପରୁ ବଡ ଘୋଷଣା କରିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ଏନେଇ ବିଚାର ଚାଲିଛି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିବେ ଆଉ ଖୁସି ଖବର ପାଇବେ । କେବଳ ଏତିକି ନୁହେଁ ସରକାର ସେମାନଙ୍କୁ ଦେଇଥିବା ଦାୟିତ୍ୱକୁ ସୂଚାରୁ ରୂପେ ସମ୍ପାଦନ କରିବାକୁ ଆହ୍ୱାନ ଦେଇଛନ୍ତି ପାଣ୍ଡିଆନ୍ । ଏଥିସହ ପୂର୍ବ ଗସ୍ତ ସମୟରେ ସେ ଗ୍ରହଣ କରିଥିବା ଅଭିଯୋଗରୁ କେତେ ସମାଧାନ ହୋଇଛି, ଆଉ କେତେ ବାକି ରହିଛି ତାର ହିସାବ ଦେଇଛନ୍ତି । ଏଥିସହିତ ନବରଙ୍ଗପୁର କେମିତି ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିଛି ତାହା ବଖାଣିଛନ୍ତି ଭି.କେ.ପାଣ୍ଡିଆନ ।

ତେବେ ପାଣ୍ଡିଆନଙ୍କ ଏହି ଘୋଷଣା ପରେ ତେଜିଛି ରାଜନୈତିକ ବୟାନବାଜି । ବିରୋଧୀ ଏହାକୁ ନିର୍ବାଚନୀ ଚାଲ ବୋଲି କହି ସମାଲୋଚନା କରିଛନ୍ତି । ତେବେ ବଡ କଥା ହେଉଛି, ଯେଉଁମାନଙ୍କ ଦରମା ବୃଦ୍ଧି ଓ ଭତ୍ତା ବୃଦ୍ଧି ନେଇ ପାଣ୍ଡିଆନ ନବରଙ୍ଗପୁରରେ ଘୋଷଣା କରିଛନ୍ତି, ବିଧାନସଭା ଅଧିବେଶନ ଆରମ୍ଭ ହେଲେ, ସେମାନେ ଲୋୟର ପିଏମଜିରେ ଡେରା ପକାନ୍ତି, ଆନ୍ଦୋଳନ କରନ୍ତି । ଦରମା ବୃଦ୍ଧି ସହ ଅନ୍ୟାନ୍ୟ ଦାବି ନେଇ ବିକ୍ଷୋଭ କରନ୍ତି । ସେମାନଙ୍କ ଦାବି ପୂରଣ ନେଇ ସରକାର ସେମାନଙ୍କୁ ପ୍ରତିଶ୍ରୁତି ଦିଅନ୍ତି । ହେଲେ, ଆଜି ପର୍ଯ୍ୟନ୍ତ ପୂରଣ ହୋଇନଥିଲା । କିନ୍ତୁ ପାଣ୍ଡିଆନଙ୍କ ଘୋଷଣା ସେମାନଙ୍କ ଭିତରେ ନୂଆ ଆଶା ସଞ୍ଚାର କରିଛି ।

The post ବଢ଼ିବ ଆଶା, ଅଙ୍ଗନବାଡ଼ି କର୍ମୀ ଓ ପାଚିକାଙ୍କ ଦରମା । ମଧୁବାବୁ ପେନସନ ଓ କଳାକାରଙ୍କ ଭତ୍ତା ବି ବଢ଼ିବ । ଖୁବଶୀଘ୍ର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ହାତଠାରି ଡାକୁଛି ହୁକିଟୋଲା । ପ୍ରତିଦିନ ଲାଗୁଛି ପର୍ଯ୍ୟଟକଙ୍କ ଭିଡ । ଇଂରେଜଙ୍କ ପୁରୁଣା କୋଠା ପାଲଟିଛି ଆକର୍ଷଣ

କନକ ବ୍ୟୁରୋ: ପର୍ଯ୍ୟଟକଙ୍କୁ ଆକର୍ଷିିତ କରୁଛି ହୁକିଟୋଲା । ସମୁଦ୍ରର ନୀଳ ଜଳ ରାଶିରେ ରୋମାଞ୍ଚକର ନୌଯାତ୍ରା ସାଙ୍ଗକୁ ମନମୋହୁଛି ପୁରୁଣା କୀର୍ତିରାଜି । କେନ୍ଦ୍ରାପଡା ମହାକାଳପଡା ବ୍ଳକରେ ରହିଛି ହୁକିଟୋଲା ପର୍ଯ୍ୟଟନସ୍ଥଳୀ । ଅନ୍ୟଦିନ ଅପେକ୍ଷା ପର୍ଯ୍ୟଟନ ଋତୁରେ ଲାଗୁଛି ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ଭିଡ । ୨ ଘଣ୍ଟାର ରୋମାଞ୍ଚକର ନୌଯାତ୍ରା ସାଙ୍ଗକୁ ମନୋରମ ପରିବେଶ ବେଶ ମନ ମୋହୁଛି । ଖରୀନାସୀ ମାଛଧରା ଜେଟିରୁ ପର୍ଯ୍ୟଟକ ମାନେ ଯନ୍ତ୍ରଚାଳିତ ଡଙ୍ଗାରେ ବସି ନଦୀ ଓ ବଙ୍ଗୋପସାଗରର ମିଳନସ୍ଥଳୀର ମୁହାଣରେ ଥିବା ହୁକିଟୋଲା ଦ୍ୱୀପରେ ପହଞ୍ଚିିଥାନ୍ତି । ଏହି ଦ୍ୱୀପକୁ ନଦୀ ଓ ସମୁଦ୍ରର ନୀଳ ଜଳରାଶି ଘେରି ରହିଛି । ସବୁଠୁ ଆକର୍ଷଣ ହେଉଛି ସେଠାରେ ଥିବା ବିସ୍ତୀର୍ଣ୍ଣ ଲୁଣା ଜଙ୍ଗଲ ।

ହୁକିଟୋଲାର ଅନ୍ୟତମ ଆକର୍ଷଣ ହେଉଛି ଦ୍ୱୀପର ଥିବା ଇଂରେଜ ମାନଙ୍କ ଦ୍ୱାରା ତିଆରି ଅଟ୍ଟାଳିକା । ଏହି ପୁରୁଣା କୀର୍ତିରାଜି ପୁରୁଣା ଇତିହାସକୁ ଏବେ ବି ଜୀବନ୍ତ କରି ରଖିଛି । ଯାହା ଦେଖିବାକୁ ଦର୍ଶକ ମାନେ କେବେ ଭୁଲନ୍ତି ନାହିଁ । ୭ହଜାର ବର୍ଗଫୁଟରେ ନିର୍ମାଣ ହୋଇଥିବା ଏହି ଅଟ୍ଟାଳିକା ଏହି ଦ୍ୱୀପର ଅନ୍ୟତମ ଆକର୍ଷଣ ପାଲଟିଛି କହିଲେ ଚଳେ । ବୁଲି ଆସୁଥିବା ପର୍ଯ୍ୟଟକ ମାନେ ବୋଟିଂ କରିବା ସହିତ ନଦୀ ପଠାରେ ଅନେକ ହରିଣ କୁମ୍ଭୀର ଦେଖିଥାନ୍ତି । ମନୋରମ ପରିବେଶ ଭିତରେ ନୀଳ ଜଳରାଶିରେ ମନଭରି ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ଦୂରଦୁରାନ୍ତରୁ ଆସୁଥିବା ପର୍ଯ୍ୟଟକ ମାନେ ।

The post ହାତଠାରି ଡାକୁଛି ହୁକିଟୋଲା । ପ୍ରତିଦିନ ଲାଗୁଛି ପର୍ଯ୍ୟଟକଙ୍କ ଭିଡ । ଇଂରେଜଙ୍କ ପୁରୁଣା କୋଠା ପାଲଟିଛି ଆକର୍ଷଣ first appeared on Kanak News.

from Kanak News
via <a href="https://ifttt.com/?

ଖୋଲା ଆକାଶ ତଳେ ବସ୍ତା ବସ୍ତା ଧାନ । ଥଣ୍ଡା କାକରରେ ଫସଲକୁ ଜଗି ରହିଛନ୍ତି ଚାଷୀ ।

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ କିଣା ଏବେ ପ୍ରହସନ ପାଲଟିଛି । ଭଇଁରିଗୁଡା ମଣ୍ଡିରେ ବର୍ତ୍ତମାନ ମିଲର୍ସ ରାଜ ଚାଲିଥିବା ବେଳେ ଏଥିରେ ଧାନ କିଣୁଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଢାଳ କରି ଧାନ କିଣୁଛନ୍ତି ମିଲର୍ସ । ଚାଷୀ ୧୦ ରୁ ଅଧିକ ଦିନ ହେଲା ମଣ୍ଡିରେ ଦିନରେ ଖରା ଓ ରାତିରେ ଜାଡ ଶୀତରେ ଖୋଲା ଆକାଶ ତଳେ ଧାନକୁ ଜଗିଛି । ମଣ୍ଡିରେ ଦିନ ବିତାଇବା ପାଇଁ ତାସ୍ ଖେଳି ସମୟ କାଟୁଛନ୍ତି ଅର୍ଣ୍ଣଦାତା।

ଖୋଲା ଆକାଶ ତଳେ ପଡିରହିଛି ବସ୍ତା ବସ୍ତା ଧାନ । ଦିନରେ ଖରା ଆଉ ରାତିରେ ଥଣ୍ଡା କାକରରେ ଅମଳ ଫସଲକୁ ଜଗି ରହିଛନ୍ତି ଚାଷୀ । କଳାହାଣ୍ଡି ଜୁନାଗଡ ଭଇଁରିଗୁଡା ମଣ୍ଡିରେ ୧୦ ଦିନରୁ ଅଧିକ ଦିନ ହେଲା ପଡିରହିଛି ମଣ୍ଡି । ମଣ୍ଡିରେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କିଣା ଦାୟିତ୍ୱ ନେଇଛନ୍ତି । ହେଲେ ମଣ୍ଡିରେ ପଡିଥିବା ଧାନ ଏପର୍ଯ୍ୟନ୍ତ ବିକ୍ରି ହୋଇପାରୁନି । ବହୁ ଆଶା ନେଇ ଚାଷୀ ମାନେ ଧାନ ବିକ୍ରି କରିବାର ଆଶା ନେଇ ବସିଛନ୍ତି । ଯେମିତି ଚାଷୀ ବାଳବନ୍ଧୁ ରଣା ଏଠି ଧାନ ବିକିଲେ ଝିଅ ବାହାଘର କରିବେ । ହେଲେ ମିଲର୍ସଙ୍କ ମନମାନି ଯୋଗୁ ଶୀତ କାକରରେ ପଡି ରହିଛି ଧାନ ସବୁ । ସମୟ ଗଡିଚାଲିଥିବାବେଳେ ନା ଚିନ୍ତା କରୁଛି ଏସଏଚଜି ନା ଚିନ୍ତା କରୁଛନ୍ତି ମିଲର୍ସ । ଧାନ ବିକ୍ରିି କରିନପାରି ନିରାଶ ହୋଇ ଧାନକୁ ଜଗି ବସି ରହିଛନ୍ତି ଚାଷୀ ମାନେ ।

ଭଉଁରିଗୁଡା ମଣ୍ଡିରେ ୩୦ ଚାଷୀଙ୍କ ୪ ହଜାର କ୍ୱିଣ୍ଟାଲ ଧାନ ପଡି ରହିଛି । ଗୋଟିଏ ପଟେ ଚାଷୀ କଟନୀ ଛଟନୀର ଶିକାର ହେଉଥିବା ବେଳେ ଏସଏଚଜିକୁ ଢାଲ କରି ଧାନ ଉଠାଣ କରୁଛନ୍ତି ମିଲର୍ସ ମାନେ । ଧାନର ମୂଲ୍ୟ ସଠିକ୍ ରଖୁନଥିବା ବେଳେ ମୂଲ ଚାଲ କରୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ଧାନ କିଣୁଥିବା ଗୋଷ୍ଠୀର ସଭାପତିଙ୍କ ଜଣାଯାଇଥିଲେ ବି କøଣସି ସୁଫଳ ମିଳିପାରିନି । ତେବେ ଥଣ୍ଡା କାକରରେ ମଣ୍ଡିରେ ନିଜ ଅମଳ ଫସଲ ଜଗିଥିବା ଚାଷୀ ମାନଙ୍କ ଧାନ ଖୁବଶୀଘ୍ର କିଣିବାକୁ ଦାବି କରିଛନ୍ତି ଚାଷୀମାନେ ।

The post ଖୋଲା ଆକାଶ ତଳେ ବସ୍ତା ବସ୍ତା ଧାନ । ଥଣ୍ଡା କାକରରେ ଫସଲକୁ ଜଗି ରହିଛନ୍ତି ଚାଷୀ । first appeared on Kanak News.

from Kanak News
via <a href="https://ifttt.com/?

ବୟସ କମ୍, ହେଲେ ସ୍ମରଣ ଶକ୍ତି ପ୍ରଖର । ଇଣ୍ଡିଆ ବୁକ ଅଫ ରେକର୍ଡରେ ଦେବାଂସ ।

କନକ ବ୍ୟୁରୋ: ବୟସ କମ୍, ହେଲେ ସ୍ମରଣ ଶକ୍ତି ପ୍ରଖର । ଇଣ୍ଡିଆ ବୁକ ଅଫ ରେକର୍ଡର ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଛି ୩ ବର୍ଷ ସାତ ମାସର ଶିଶୁ ଡାନିସ ଦେବାଂସ । ଦେବାଂସ ୩୧. ୯୧ ସେକେଣ୍ଡ ମଧ୍ୟରେ ନିର୍ଭୁଲ ଭାବେ ଅଠେଇଶ ରାଜ୍ୟର ରାଜଧାନୀ ଓ ସାତଟି ମହାଦେଶର ନାମ କହି ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇପାରିଛନ୍ତି । ୩ ବର୍ଷର ଏହି ଶିଶୁଟିର ପ୍ରତିଭା ଏବେ ପରିସ୍ଫୁଟିତ ହୋଇଛି ।

ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଜଖପୁରାର ପୂର୍ଣ୍ଣ ଚନ୍ଦ୍ର ରାଉତଙ୍କ ପୁଅ ହେଉଛି ଡାନିସ । ସ୍କୁଲ ନୂଆ ନୂଆ ଯାଉଛନ୍ତି । ଖେଳ କୁଦ ସହିତ ଏହି ପ୍ରତିଭା ରହିଛି ଡାନିସଙ୍କ । ଯାହାକୁ ନେଇ ତାଙ୍କର ପରିବାର ବେଶ ଖୁସି ଅଛନ୍ତି ।

ଡାନିସ ଦେବାଂସ ଠିକ୍ ଭାବରେ କଥା କହିପାରୁନାହାନ୍ତି । ପାଟି ଲାଗୁଥିଲେ ମଧ୍ୟ ତାଙ୍କ ଭିତରେ ଥିବା ପ୍ରତିଭାକୁ ବାପା ମାଆ ଚିହ୍ନି ପାରିଥିଲେ । ତେବେ ଡାନିସଙ୍କ ସଫଳତା ପଛରେ ତାଙ୍କ ପରିବାର ବେଶ ଅବଦାନ ରହିଛି । ଅନ୍ୟପଟେ ୩ ବର୍ଷର ଏହି ଶିଶୁ ଡାନିସଙ୍କ ପ୍ରତିଭାକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି ।

 

The post ବୟସ କମ୍, ହେଲେ ସ୍ମରଣ ଶକ୍ତି ପ୍ରଖର । ଇଣ୍ଡିଆ ବୁକ ଅଫ ରେକର୍ଡରେ ଦେବାଂସ । first appeared on Kanak News.

from Kanak News
via <a href="https://ifttt.com/?

ଉତ୍କଳ ଘଣ୍ଟଙ୍କ ସ୍ମୃତିରକ୍ଷା ଉଦ୍ୟମ । ଜନ୍ମମାଟି ନୟାଗଡ ଇଟାମାଟିରେ ସାଇତା ହୋଇ ରହିଛି କବି ଯଦମଣିଙ୍କ ପୋଥିି, ଚିଠି ଓ ଆସବାବପତ୍ର

କନକ ବ୍ୟୁରୋ: ଓଡିଆ ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ । ସେ କେବଳ ଜଣେ କବି ନୁହନ୍ତି ଏକାଧାରରେ ଚିତ୍ରକର ଓ ଜଣେ କଳାକାର ମଧ୍ୟ । ସେ ଥିଲେ ଉତ୍କଳର ଘଣ୍ଟ କବି ଯଦୁମଣି । ଯାହାଙ୍କ ପାଇଁ ଆଜି ଗର୍ବିତ ନୟାଗଡର ଇଟାମାଟି ଗାଁ । ତେବେ ଗାଁରେ ଏବେ ବି ତାଙ୍କ ସାଇତା ସ୍ମୃତି ଉଦ୍ଜୀବିତ ହୋଇରହିଛି ।

ଉତ୍କଳ ଘଣ୍ଟ ତଥା ଆଶୁ କବି ଯଦୁମଣିଙ୍କ ବାସସ୍ଥାନ ନୟାଗଡ ଇଟାମାଟି ଗାଁ । ଏହି ଗାଁରେ ହିଁ ଥିଲା ଯଦୁମଣୀଙ୍କ ବାସସ୍ଥାନ । ସେତେବେଳେ ଏହା ଚାଳଘର ଥିବାବେଳେ ଏବେ ଏହାର ରୂପରେଖରେ ପରିବର୍ତନ କରାଯାଇଛି । ହେଲେ ଏବେ ବି ସେହି ସ୍ଥାନରେ ତାଙ୍କ ରଚିତ ତାଳପତ୍ର ପୋଥିରୁ ନେଇ ତାଙ୍କ ଦ୍ୱାରା କରାଯାଇଥିବା ଚିତ୍ରକଳା ଓ ତାଙ୍କୁ ପ୍ରେରିତ ତତକାଳିନ ରାଜାଙ୍କ ଚିଠି ମଧ୍ୟ ସାଇତା ହୋଇ ରହିଛି । ଆଉ ଏହି ପୁରୁଣା ସ୍ମୃତିକୁ ସାଉଁଟି ରଖିଛନ୍ତି କବି କରିଛନ୍ତି ଯଦୁମଣୀଙ୍କ ଦାୟାଦ ରୋହନ ମହାପାତ୍ର । ଯଦୁମଣୀଙ୍କ ଖ୍ୟାତିକୁ ପ୍ରଚାର ପସାର କରାଇବା କାମରେ ଲାଗିପଡିଛନ୍ତି ରୋହନ । ଖାଲି ସେତିକି ନୁହେଁ କବିଙ୍କ ପ୍ରତିଟି ସ୍କୃତି ଏବେ ଜୀବନ୍ତ ରହିଛି ଗାଁରେ ।

ସୋମବାର ଓଡିଶା ସାହିତ୍ୟ ଏକାଡେମୀ ଓ ଯଦୁମଣୀ କ୍ଳବ ପକ୍ଷରୁ ଇଟାମାଟି ଠାରେ ତାଙ୍କର ୨୪୪ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଯେଉଁଠି ଯଦୁମଣିଙ୍କ ଜୀବନୀ , ତାଙ୍କ ସର୍ଜ୍ଜନା ଓ ତାଙ୍କ ସଫଳତା ସଂପର୍କରେ ଆଲୋଚନା କରାଯାଇଥିଲା । ତେବେ ଘଣ୍ଟ ପରି ଥିଲା ତାଙ୍କର ଶାଣିତ ସ୍ୱର । ସେ ଥିଲେ ଏକାଧାରରେ ବ୍ୟଙ୍ଗକାର, କବି, ଚିତ୍ରକର ଓ କଳାକାର ମଧ୍ୟ । ତାଙ୍କ ଲେଖନୀ ନିଶୃତ କାବ୍ୟ ଏବେ ବି କାଳଜୟୀ ହୋଇରହିଛି ।

The post ଉତ୍କଳ ଘଣ୍ଟଙ୍କ ସ୍ମୃତିରକ୍ଷା ଉଦ୍ୟମ । ଜନ୍ମମାଟି ନୟାଗଡ ଇଟାମାଟିରେ ସାଇତା ହୋଇ ରହିଛି କବି ଯଦମଣିଙ୍କ ପୋଥିି, ଚିଠି ଓ ଆସବାବପତ୍ର first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started