ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବାମଦଳର ଶକ୍ତି ପ୍ରଦର୍ଶନ । ବିଜେପି ଓ ଟିଏମସିକୁ ଟାର୍ଗେଟ୍

କନକ ବ୍ୟୁରୋ : ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗିପଡିଛନ୍ତି । ଏହି କ୍ରମରେ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ଆଜି ପଶ୍ଚିମବଙ୍ଗରେ ତା’ର ଶକ୍ତି ପ୍ରଦର୍ଶନ କରିଛି । ପଶ୍ଚିମବଙ୍ଗ ରାଜଧାନୀ କୋଲକତାର ବ୍ରିଗେଡ ପଡିଆରେ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା । ଏହି ସଭାକୁ ସିପିଆଇ (ଏମ୍) ର ଯୁବଶାଖା ଡିୱାଇଏଫଆଇ ଆୟୋଜନ କରିଥିଲା । ୨ମାସ ଧରି ଚାଲିଥିବା ଇନସାଫ୍ ରାଲି ସରିବା ପରେ ଏହି ରାଲିର ଆୟୋଜନ କରାଯାଇଥିଲା ।

ଡିୱାଇଏଫଆଇର ରାଜ୍ୟ ମୁଖ୍ୟ ମିନାକ୍ଷୀ ମୁଖାର୍ଜୀ ରାଲିକୁ ସମ୍ବୋଧିତ କରିବା ଅବସରରେ ବିଜେପି ଓ ଟିଏମସି ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି ରାଜ୍ୟରେ ଟିଏମସି ଓ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଦେଶବାସୀ ଓ ରାଜ୍ୟବାସୀଙ୍କ ଦୈନଦିନ ଜୀବନ ବିଷମୟ ହୋଇାଯାଇଛି । ୨୦୨୧ ମସିହାରେ ମିନାକ୍ଷୀ ମୁଖାର୍ଜୀଙ୍କୁ ସିପିଆଇଏମ ମମତା ବାନାର୍ଜୀଙ୍କ ବିପକ୍ଷରେ ପ୍ରାର୍ଥୀ କରିଥିଲା । ଏହାପରେ ସାରା ରାଜ୍ୟରେ ମିନାକ୍ଷୀ ଏକ ପରିଚିତ ଚେହେରା ହୋଇସାରିଛନ୍ତି ।

ସେହିପରି ସିପିଆଇଏମର ମହାସଚିବ ମହମ୍ମଦ ସଲିମ ମଧ୍ୟ ମମତା ବାନାର୍ଜୀ ଓ ତାଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦୀ ଓ ମମତା ବାନାର୍ଜୀଙ୍କ ମଧ୍ୟରେ ଦୁର୍ନୀତି ନେଇ ବୁଝାମଣା ହୋଇଛି । ଏହାସହ ସେ ଟିଏମସି କାର୍ଯ୍ୟକର୍ତ୍ତାଙ୍କୁ ଏକ ସନ୍ଦେଶ ଦେଇ କହିଛନ୍ତି କି, ମମତା ବାନାର୍ଜୀ କେବଳ ନିଜ ପରିବାର ପାଇଁ କାମ କରୁଛନ୍ତି, ତଳସ୍ତରର କାର୍ଯ୍ୟକର୍ତ୍ତାଙ୍କ ପାଇଁ କିଛି ବି କରିନାହାଁନ୍ତି ।

ଆଜିର ଏହି ବିଶାଳ ରାଲିରେ ଲକ୍ଷ ଲକ୍ଷ ଯୁବ ଛାତ୍ରଙ୍କୁ ଦେଖିବାକୁ ମିଳିଥିଲା । ସେମାନେ ହାତରେ ଛାତ୍ରସଂଘ ଓ ଯୁବସଂଘ ସହ ବାମଦଳର ପତାକା ଧରି ନାରାବାଜୀ କରିବା ସହ ବ୍ରିଗେଡ ଗ୍ରାଉଣ୍ଡରେ ପହଂଚିଥିଲେ ।

The post ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବାମଦଳର ଶକ୍ତି ପ୍ରଦର୍ଶନ । ବିଜେପି ଓ ଟିଏମସିକୁ ଟାର୍ଗେଟ୍ first appeared on Kanak News.

from Kanak News
via <a href="https://ifttt.com/?

ମାଛ ଚାଷ କରି ଚର୍ଚ୍ଚାରେ ଗୁଣୁପୁର ଭାଲେରୀକୁଡ଼ିଆ ଗାଁର ମହିଳା । ପୋଖରୀ ଲିଜ୍ ନେଇ ଏସଏଚଜି ମହିଳା ମାନେ କରୁଛନ୍ତି ମାଛ ଚାଷ

କନକ ବ୍ୟୁରୋ : ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାରେ ଲୋକଙ୍କ ଜୀବନ ଜୀବିକା କହିଲେ, ଧାନ, କପା ଓ ପରିବା ଚାଷ । କିନ୍ତୁ ସମୟ ସହ ତାଳ ଦେଇ ଏଠାକାର ମହିଳାଙ୍କ ଜୀବନ ଜୀବିକାରେ ଆସିଛି ପରିବର୍ତ୍ତନ । ଦିନେ ଦିନମଜୁରୁଆ ଭାବେ କାମ କରୁଥିବା ମହିଳା ଏବେ କରୁଛନ୍ତି ମାଛ ଚାଷ । ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ପଂଚାୟତର ଏକ ପୋଖରୀକୁ ଲିଜ୍ ନେଇ ମାଛ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଗୁଣୁପୁର ଭାଲେରୀକୁଡିଆ ଗାଁର ୧୦ ମହିଳା ।

ମହିଳା ମାନେ ୨ଲକ୍ଷ ୫୦ ହଜାର ଟଙ୍କା ଲୋନ୍ ନେଇ ଉନ୍ନତମାନର ମାଛ ଚାଷ କରିଛନ୍ତି । ମିଶନ ଶକ୍ତି ସହାୟତାରେ ଫିସେରୀ ଡିପାର୍ଟମେଂଟ ପକ୍ଷରୁ ତାଲିମ ମଧ୍ୟ ନେଇଛନ୍ତି । ପୋଖରୀରୁ ଉତ୍ପାଦିତ ହେଉଥିବା ମାଛକୁ ସ୍ଥାନୀୟ ବଜାର ସହ ଆଖପାଖ ବ୍ୟବସାୟୀଙ୍କୁ ବିକ୍ରି କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ।

ମହିଳା ମାନଙ୍କର ଏଭଳି ପ୍ରୟାସ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ ନିଶ୍ଚୟ ।

The post ମାଛ ଚାଷ କରି ଚର୍ଚ୍ଚାରେ ଗୁଣୁପୁର ଭାଲେରୀକୁଡ଼ିଆ ଗାଁର ମହିଳା । ପୋଖରୀ ଲିଜ୍ ନେଇ ଏସଏଚଜି ମହିଳା ମାନେ କରୁଛନ୍ତି ମାଛ ଚାଷ first appeared on Kanak News.

from Kanak News
via <a href="https://ifttt.com/?

ଗ୍ରାମାଂଚଳରେ ମହିଳାଙ୍କୁ ରୋଜଗାର ଦେଉଛି କୁଟିର ଶିଳ୍ପ । ତେଜପତ୍ର, ସଞ୍ଜବତୀ ଓ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି କରି ରୋଜଗାର କରୁଛନ୍ତି ଭୋଗରାଇ ଅଂଚଳର ମହିଳା

କନକ ବ୍ୟୁରୋ : ସଞ୍ଜବତୀ, ତେଜପତ୍ର ଓ ବିଭିନ୍ନ ପ୍ରକାରର ଖାଇବା ଜିନିଷ ପ୍ରସ୍ତୁତ କରୁଛନ୍ତି ଭୋଗରାଇ ଦେହୁର୍ଦା ଅଂଚଳର ମହିଳା । ସ୍ଥାନୀୟ ଅଂଚଳରେ ପ୍ରଚୁର ପରିମାଣର ତେଜପତ୍ର ମିଳୁଥିବା ବେଳେ ଏହାକୁ ସଂଗ୍ରହ କରି ତାଙ୍କୁ ଶୁଖାଇବା ପରେ ମହିଳା ମାନେ ମେସିନରେ ପ୍ୟାକେଟିଂ କରୁଛନ୍ତି । ବିକ୍ରି କରିବା ପାଇଁ କଟକ, ଭୁବନେଶ୍ୱର, ପୁରୀ, ଗଂଜାମ, ବ୍ରହ୍ମପୁର ଭଳି ସହରକୁ ପଠାଉଛନ୍ତି   ।

ଖାଲି ତେଜପତ୍ର ବ୍ୟବସାୟ ନୁହେଁ ବଜାରରୁ ତୁଳା କିଣି ସଞ୍ଜବତୀ ପ୍ରସ୍ତୁତ କରୁଛନ୍ତି । ଏହାକୁ ବିଡ଼ା ବାନ୍ଧି ବିଭିନ୍ନ ଦୋକାନ କିମ୍ବା ପୂଜା ସାମଗ୍ରୀ ଦୋକାନରେ ବିକ୍ରି କରୁଛନ୍ତି । ସେହିପରି ବାଦାମ, ଚଣା, ମସଲା, ମଟର ପ୍ୟାକେଟ୍ କରି ବିକ୍ରି କରୁଛନ୍ତି ମହିଳା । ୨୦୧୩ ମସିହାରେ ୫୦ ଜଣ ମହିଳା ମିଶି ଦୁର୍ଗତିନାଶିନୀ ଆଂଚଳିକ ମଂଚ ଗଠନ କରିଥିଲେ । ସେଥିରୁ ୧୦ ଜଣ ମହିଳା ୨୦୧୫ରେ ୫୦ ହଜାର ଟଙ୍କା ରୁଣ ନେଇ ତେଜପତ୍ର ବ୍ୟବସାୟ ଆରମ୍ଭ କଲେ । ଭଲ ବ୍ୟବସାୟ ହେବାରୁ ଅଧିକ କାମ ହାତକୁ ନେଇ ଲାଭବାନ ହେଉଛନ୍ତି ।

୧୦ ବର୍ଷ ଭିତରେ ୧୨ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କଲାଣି ଏହି ଅନୁଷ୍ଠାନ । ଏଥିରୁ ମାସକୁ ପ୍ରତି ମହିଳା ମାନେ ୨ର ୩ ହଜାର ଟଙ୍କା ପର୍ୟ୍ୟନ୍ତ ରୋଜଗାର କରିପାରୁଛନ୍ତି । ନିଜର ଖର୍ଚ୍ଚ ନିଜେ ତୁଲାଇପାରୁଛନ୍ତି ।

The post ଗ୍ରାମାଂଚଳରେ ମହିଳାଙ୍କୁ ରୋଜଗାର ଦେଉଛି କୁଟିର ଶିଳ୍ପ । ତେଜପତ୍ର, ସଞ୍ଜବତୀ ଓ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି କରି ରୋଜଗାର କରୁଛନ୍ତି ଭୋଗରାଇ ଅଂଚଳର ମହିଳା first appeared on Kanak News.

from Kanak News
via <a href="https://ifttt.com/?

ଗାଁରେ ଖୋଲିଛି ବିୟୁଟି ପାର୍ଲର । ମହିଳାଙ୍କୁ ମେକଅପ୍ ଦେଇ ଭଲ ରୋଜଗାର କରୁଛନ୍ତି ନିଆଳିର ପପିନା ପଟ୍ଟାୟତ

କନକ ବ୍ୟୁରୋ : ମେକଅପ୍ ହେଉ କି ବ୍ୟୁଟି ପାର୍ଲର ବ୍ୟବସାୟ । ଏହା ଏବେ କେବଳ ସହରର ବ୍ୟବସାୟ ନୁହେଁ । ଏବେ ଗାଁ ଗଣ୍ଡାରେ ବି ଏହି ବ୍ୟବସାୟ କରି ବେଶ ଲାଭବାନ ହେଉଛନ୍ତି ମହିଳାମାନେ । ସିଲେଇ ମେସିନ୍ ଓ ବିୟୁଟି ପାର୍ଲର ଖୋଲି ମହିଳାଙ୍କୁ ମେକଅପ୍ ଦେଉଛନ୍ତି କଟକ ନିଆଳି ଅଂଚଳର ପପିନା ପଟ୍ଟାୟତ । ୧୮ ବର୍ଷ ତଳେ ସେ କଟକରେ ଜନଶିକ୍ଷଣ ସଂସ୍ଥାରୁ ବିୟୁଟି ପାର୍ଲର ତାଲିମ ନେଇଥିଲେ । ଏହା ପରେ ବ୍ୟାଙ୍କରୁ କିଛି ରୁଣ ନେଇ ଆରମ୍ଭ କରିଥିଲେ ପାର୍ଲର କାମ । ଆଉ ସେବେଠୁ ସେ ପଛକୁ ଫେରି ଚାହିଁନାହାଁନ୍ତି । ଏବେ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ପପିନା । ସୁନ୍ଦର ମେକଅପ୍ ଦେଉଥିବାରୁ ତାଙ୍କୁ ବିଭିନ୍ନ ସଂସ୍ଥା ପକ୍ଷରୁ ମଧ୍ୟ ସମ୍ମାନୀତ କରାଯାଇଛି ।

ଖାଲି ବିୟୁଟି ପାର୍ଲର ନୁହେଁ ତା ଭିତରେ ଟେଲରିଙ୍ଗ୍ କାମ ବି ଚାଲିଛି । ଭଳିକି ଭଳି ଡିଜାଇନର କପଡା ସିଲେଇ କରି ସେଥିରୁ ମଧ୍ୟ ସେ ଭଲ ରୋଜଗାର କରୁଛନ୍ତି । ପପିନା ନିଜେ ସ୍ୱାବଲମ୍ବୀ ହେବା ସହିତ ୮ ଜଣ ଝିଅ ବୋହୁଙ୍କୁ ଆତ୍ମନିର୍ଭରଶୀଳ କରାଇପାରିଛନ୍ତି । ମହିଳା ଓ ଝିଅମାନେ ନିଜ ଘର କାମ ସାରି ଏହି ପାର୍ଲର କାମ କରି କିଛି ରୋଜଗାର କରିପାରୁଛନ୍ତି । ଗାଁର ଝିଅ ବୋହୁ ମାନଙ୍କୁ ଏଣିକି ମେକଅପ୍ ନେବା ପାଇଁ ଆଉ ବାହାରକୁ ଯିବାକୁ ପଡ଼ନାହିୁଁ । ନିଜ ଗାଁରେ ନିଜେ ସଜେଇ ହୋଇ ବେଶ ଖୁସି ହେଉଛନ୍ତି ମହିଳା ମାନେ । କୁହାଯାଏ, ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳିଥାଏ । ଯାହା ପପିନା ପଟ୍ଟାୟତ ପ୍ରମାଣ କରିଛନ୍ତି ।

The post ଗାଁରେ ଖୋଲିଛି ବିୟୁଟି ପାର୍ଲର । ମହିଳାଙ୍କୁ ମେକଅପ୍ ଦେଇ ଭଲ ରୋଜଗାର କରୁଛନ୍ତି ନିଆଳିର ପପିନା ପଟ୍ଟାୟତ first appeared on Kanak News.

from Kanak News
via <a href="https://ifttt.com/?

ଚିଲିକା ଅଂଚଳରେ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଶୁଖୁଆ ବ୍ୟବସାୟ । ବିଭିନ୍ନ ପ୍ରକାରର ଶୁଖୁଆ ବିକ୍ରି କରି ସ୍ୱାବଲମ୍ବୀ ହେଉଛନ୍ତି ଡାଇମଣ୍ଡ ପ୍ରଡ୍ୟୁସର ଗ୍ରୁପର ସଦସ୍ୟା

କନକ ବ୍ୟୁରୋ : ଚିଲିକାରୁ ମାଛ ସଂଗ୍ରହ କରି ଶୁଖୁଆ ପ୍ରସ୍ତୁତ କରୁଛନ୍ତି କୃଷ୍ଣପ୍ରସାଦ ବ୍ଲକ ନୂଆପଡ଼ା ପଂଚାୟତ ଖଟିସାହି ଗାଁର ୩୪ ଜଣ ମହିଳା । ଚିଲିକା ଡାଇମଣ୍ଡ ପ୍ରଡ୍ୟୁସର ଗ୍ରୁପ୍ ଗଠନ କରି ଏହି ମହିଳା ମାନେ ଶୁଖୁଆ ପ୍ରସ୍ତୁତ କରୁଛନ୍ତି । ନିଜର ଘର କାମ ସହ ଏହି କାମ ପାଇଁ ଦିନକୁ ୨ ଘଂଟା ସମୟ ଦେଉଛନ୍ତି । ରାଜ୍ୟର ବିଭିନ୍ନ ବଜାର ଓ ମେଳା ମହୋତ୍ସବରେ ମହିଳା ମାନେ ଏହି ଶୁଖୁଆ ବିକ୍ରି କରୁଛନ୍ତି । ଏଥିରୁ ଭଲ ଲାଭ ମିଳୁଥିବାରୁ ମହିଳା ମାନେ ମଧ୍ୟ ବେଶ ଖୁସି ଅଛନ୍ତି । ବିଭିନ୍ନ ପ୍ରକାରର ଶୁଖୁଆ ପ୍ରସ୍ତୁତ କରି ଅନେକ ପ୍ରଶଂସା ସାଉଁଟିଛନ୍ତି ଏହି ଗ୍ରୁପର ସଦସ୍ୟା ।

ଚିଲିକା ଖଇଁଙ୍ଗା, କବଳା, ଡାଙ୍ଗାଳା, ଚାଉଳି, ପାତୁଆ, ପୋଲଗଣା, ରସ ପାତୁଆ, କଂଟି, ପଥରମୁଣ୍ଡି, ଗାଁଆଣ, ପାରେଇ, ଚାନ୍ଦି, ମରଡାଚିଙ୍ଗୁଡି ଏବଂ ପାନୁଚିଙ୍ଗୁଡି ଶୁଖୁଆ କରି ଭଲ ବ୍ୟବସାୟ କରୁଛନ୍ତି ଏହି ମହିଳା ମାନେ । ୨୦୨୦ ମସିହାରୁ କିଛି ରୁଣ ନେଇ ଏହି ବ୍ୟବସାୟ ଆପଣାଇଛନ୍ତି ଏହି ପ୍ରଡ୍ୟୁସର ଗ୍ରୁପ । ବିଭିନ୍ନ ଗାଁରୁ ଲୋକମାନେ ଆସି ଖଟିସାହି ଗାଁରୁ ଶୁଖୁଆ କିଣି ନେଉଛନ୍ତି । କମ୍ ଟଙ୍କା ଖର୍ଚ୍ଚ କରି ଅଧିକ ପରିମାଣର ଲାଭବାନ ହେଉଥିବା କଥା କହିଛନ୍ତି ଚିଲିକା ଡାଇମଣ୍ଡ ପ୍ରଡ୍ୟୁସର ଗୃପର ସଦସ୍ୟା । ଏହି ଶୁଖୁଆ ବ୍ୟବସାୟ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିଛି ।

ଗାଁ ମହିଳା ମାନେ କେବଳ ଘର କାମରେ ସୀମିତ ରୁହନ୍ତି ତା’ ନୁହେଁ, ସେମାନେ ମଧ୍ୟରେ କିଛି କାମ କରି ରୋଜଗାର କରିପାରନ୍ତି ତାହା ପ୍ରମାଣିତ କରିଛନ୍ତି ଏହି ଅଂଚଳର ମହିଳା । ଶୁଖୁଆ ବ୍ୟବସାୟ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଛନ୍ତି ଚିଲିକା ଡାଇମଣ୍ଡ ପ୍ରଡ୍ୟୁସର ଗ୍ରୁପ୍ର ସଦସ୍ୟା ।

The post ଚିଲିକା ଅଂଚଳରେ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଶୁଖୁଆ ବ୍ୟବସାୟ । ବିଭିନ୍ନ ପ୍ରକାରର ଶୁଖୁଆ ବିକ୍ରି କରି ସ୍ୱାବଲମ୍ବୀ ହେଉଛନ୍ତି ଡାଇମଣ୍ଡ ପ୍ରଡ୍ୟୁସର ଗ୍ରୁପର ସଦସ୍ୟା first appeared on Kanak News.

from Kanak News
via <a href="https://ifttt.com/?

ମାଟିର ମୂୂର୍ତ୍ତିକୁ ସେ ଦେଉଛନ୍ତି ଜୀବନ୍ତ ରୂପ । ଭଳିକି ଭଳି ମୂୂର୍ତ୍ତି ଗଢ଼ିବା ତାଙ୍କର ପାଲଟିଛି ପେଶା ଆଉ ନିଶା

କନକ ବ୍ୟୁରୋ : ମାଟି, ପଥର, ସିମେଣ୍ଟ, କାଠ ଓ ଫାଇବରରେ ପ୍ରସ୍ତୁତ ହୋଇଛି ସୁନ୍ଦର ସୁନ୍ଦର ହସ୍ତକଳା । ହୋମ ଡେକୋରେଟ୍, ଗାର୍ଡେନିଂ, କୁକିଙ୍ଗ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଶିଳ୍ପୀ ପ୍ରଦୀପ ମୁଦୁଲି   । ଏହି ସବୁ ସାମଗ୍ରୀ ଭିତରେ ଦେବାଦେବୀଙ୍କ ପ୍ରତି ମୂର୍ତ୍ତି ଓ ଜଗନ୍ନାଥଙ୍କ ମୂର୍ତ୍ତି ବେଶ ଆକର୍ଷଣୀୟ ହୋଇଛି । ଯୁବାବସ୍ଥାରେ ଏଭଳି କଳାର ସାଧକ ପାଲଟିଛନ୍ତି ଖୋର୍ଦ୍ଧା କୋଦୁଅବେରଣି ଗାଁର ପ୍ରଦିପ ମୁଦୁଲି ।

ଲୋକଙ୍କ ଚାହିଦା ମୁତାବକ ଫାଉଣ୍ଟେନ୍, ଟେରାକୋଟା ମୂର୍ତ୍ତି, ରାଧା କୃଷ୍ଣ, ଫୁଲଦାନୀ, ଘୋଡ଼ା, ସୁରେଇ ଗଢ଼ନ୍ତି ଶିଳ୍ପୀ ପ୍ରଦୀପ ମୁଦୁଲି । ବିଭିନ୍ନ ମନ୍ଦିର ଓ ପାର୍କରେ ବି ସେ ମୂର୍ତ୍ତି ଗଢ଼ା କାମ କରନ୍ତି । ବିବାହ ମଣ୍ଡପର ସାଜସଜା ପାଇଁ ଆବଶ୍ୟକ ହେଉଥିବା ଉପକରଣ ପ୍ରଦୀପଙ୍କ ଠାରୁ ଯାଇଥାଏ । ବିଭିନ୍ନ ପୂଜା ସିଜନ ଆସିଲେ ପ୍ରଦୀପଙ୍କ ହାତକୁ ତର ନଥାଏ । ଗଣେଶ ପୂଜା ହେଉ କି ଭାଲୁକୁଣୀ, ବିଶ୍ୱକର୍ମା ହେଉ କି ସରସ୍ୱତୀ ପୂଜା ମୂର୍ତ୍ତି କିଣିନେବାକୁ ଲୋକଙ୍କ ଗହଳି ଜମିଥାଏ । ୮ରୁ ୧୦ ଜଣ ଯୁବକଙ୍କୁ ତାଲିମ ଦେଇ ଏହି କାମରେ ନିୟୋଜିତ କରିଛନ୍ତି ପ୍ରଦୀପ । ଏହି କାମ କରିବା ଦ୍ୱାରା ତାଙ୍କ ମନକୁ ଶାନ୍ତି ମିଳେ ବୋଲି ସେ କୁହନ୍ତି ।

ବାପା, ଜେଜେବାପା ଅମଳରୁ ତାଙ୍କ ପରିବାରରେ ଏହି କାମ ଚାଲିଥିବାରୁ ପିଲାଦିନୁ ତାଙ୍କର କଳା ପ୍ରତିଥିଲା ଦୁର୍ବଳତା । ବିଏ ପାସ୍ କରିବା ପରେ କଳାକେନ୍ଦ୍ରରେ ୨ ବର୍ଷିୟ ପ୍ରଶିକ୍ଷଣ ନେଇ ଏହି କାମରେ ଆଗେଇ ଚାଲିଛନ୍ତି ପ୍ରଦୀପ । ତାଙ୍କ କଳାକୃତି ଅନ୍ୟମାନଙ୍କୁ ବେଶ ଆକୃ୍ଷ୍ଟ କରିଛି ।

The post ମାଟିର ମୂୂର୍ତ୍ତିକୁ ସେ ଦେଉଛନ୍ତି ଜୀବନ୍ତ ରୂପ । ଭଳିକି ଭଳି ମୂୂର୍ତ୍ତି ଗଢ଼ିବା ତାଙ୍କର ପାଲଟିଛି ପେଶା ଆଉ ନିଶା first appeared on Kanak News.

from Kanak News
via <a href="https://ifttt.com/?

କାନ୍ଧରେ ପରିବାରର ବୋଝ: ୮୪ ବର୍ଷ ବୟସରେ ବି ବେଳାଭୂମିରେ କରୁଛନ୍ତି ଖେଳଣା ବେପାର

କନକ ବ୍ୟୁରୋ: କାନ୍ଧରେ ପରିବାରର ବୋଝ । ତେଣୁ ସେ ୮୪ ବର୍ଷ ବୟସରେ ବି ବେଳାଭୂମିରେ ଖେଳଣା ବେପାର କରୁଛନ୍ତି । ମାନସିକ ଭାରସାମ୍ୟ ହରାଇ ପୁଅ କୁଆଡେ ଚାଲିଯାଇଛନ୍ତି । ଘରେ ବୋହୂ ଓ ୨ ନାତି । ସେମାନଙ୍କ ମୁହଁରେ ଆହାର ଦେବାକୁ ନାଚିୟ ମଉସା ଏ ବୟସରେ ବି ପଣ କରିଛନ୍ତି, ଆଉ ସଂଘର୍ଷ ଜାରି ରଖିଛନ୍ତି ।

ଯେବେ ମନ ମରିିଯିବ, ପେଟ ଜଳୁଥିବ, ବୟସର ବୋଝରେ କେଉଁ କାନ୍ଧ ବା’ ନଇଁଯିବ । ବେଳାଭୂମିରେ କେମିତି ପାଦ ଅଟକି ଯିବ । ବଂଚିବା ମାନେ ଜୀବନ, ଆଉ କାହା ପାଇଁ ହୋଇପାରେ, କିନ୍ତୁ ଆଗକୁ ବଢ଼ୁଥିବା ପ୍ରତିପାଦରେ ଏହି ମଣିଷର ପେଟ ଚିନ୍ତା, ପରିବାର ଚିନ୍ତା । ହାତରେ ଥିବା ଖେଳଣା, ପେଟର ଭୋକ ମେଂଟାଇବାର ରାହା ଯୋଗାଉଛି ।
ଖେଳଣା ନିଅ… ଖେଳଣା
ଫୁଟବଲ ଗୋଟାକ ୫୦ ଟଙ୍କା
କିଏ କିଣୁଛି, କିଏ ଆଡ଼େଇ ଯାଉଛି । ଶୀତୁଆ ସନ୍ଧ୍ୟାରେ ହାପ୍ ସ୍ୱିଟର ଖଣ୍ଡେ ପିନ୍ଧି ଘୁରି ବୁଲୁଥିବା ଏହି ମଉସା ଜଣକ ହେଉଛନ୍ତି ଜି. ନାଚିୟ । ଘର ପୁରୀ ବାଲି ନୋଳିଆ ସାହିରେ । ଘରେ ୪ ପ୍ରାଣୀ କୁଟୁମ୍ବ । ରୋଜଗାର କରିବା ପାଇଁ ଘରେ ଆଉ କେହି ନାହିଁ । ମାନସିକ ଭାରସାମ୍ୟ ହରାଇ ପୁଅ କୁଆଡେ ଚାଲିଯାଇଛନ୍ତି । ବୋହୂ ଓ ୨ ନାତିଙ୍କୁ ନେଇ ସଂଘର୍ଷ କରୁଛନ୍ତି ୮୪ ବର୍ଷିୟ ନାଚିୟ ମଉସା ।

ସବୁ କିଛି ଆଗରୁ ଏମିତି ନଥିଲା । ଡଙ୍ଗା ଚଲାଇବାରେ ଓ ମାଛ ଧରିବାରେ ବେଶ ନିପୁଣ ଥିଲେ ନାଚିୟ ମଉସା । ଦିନ ଥିଲା, ତାଙ୍କର ଖୋଜା ପଡୁଥିଲା । ବାପା-ପୁଅ ମିଶି ମାଛ ଧରି ବେଶ ରୋଜଗାର କରୁଥିଲେ । ହେଲେ କିଛି ବର୍ଷ ପୂର୍ବେ ପୁଅ ମାନସିକ ଭାରସାମ୍ୟ ହରାଇ କୁଆଡ଼େ ଚାଲିଗଲେ । ଆଉ ନାଚିୟ ମଉସାଙ୍କ ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଗଲା ।

ହସ ଖୁସିର ପରିବାରରେ ଯେମିତି ଘୋଟି ଆସିଲା, କଳା ବାଦଳ । ବୃଦ୍ଧ ବୟସରେ ଭଙ୍ଗାଗୋଡ଼ରେ ପରିବାର ପାଇଁ ବାହାରି ଆସିଥିଲେ ନାଚିୟା । ଆଉ ବୁଲି ବୁଲି ଖେଳଣା ଫୁଟବଲ୍ ବିକ୍ରି କରନ୍ତି । ସେଥିରୁ ଯାହା ରୋଜଗାର ହୁଏ, ସେଥିରେ ବହୁ କଷ୍ଟରେ ଚଳୁଛି ପରିବାର । ସରକାରୀ ସହାୟତା କହିଲେ କେବଳ ୫ଶହ ଟଙ୍କା ଭାର୍ଦ୍ଧକ୍ୟ ଭତା ।

The post କାନ୍ଧରେ ପରିବାରର ବୋଝ: ୮୪ ବର୍ଷ ବୟସରେ ବି ବେଳାଭୂମିରେ କରୁଛନ୍ତି ଖେଳଣା ବେପାର first appeared on Kanak News.

from Kanak News
via <a href="https://ifttt.com/?

କାହିଁକି ଗଲା ଦନ୍ତାର ଜୀବନ? ମାତ୍ରାଧିକ ନିଶ୍ଚେତକ ନା’ ଅସୁରକ୍ଷିତ ପରିବହନ?

କନକ ବ୍ୟୁରୋ: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ଯାଇଛି ଆଉ ଏକ ହାତୀର ଜୀବନ ଯାଇଛି । ଶନିବାର ହାତୀକୁ ଏଠାକୁ ଅଣାଯାଇଥିଲା ବେଳେ ରବିବାର ତାର ମୃତ୍ୟୁ ହୋଇଛି । ୨ ଜଣଙ୍କ ଜୀବନ ନେବା ପରେ ଟ୍ରାଙ୍କୁଲାଇଜ୍ କରି ହାତୀକୁ କାବୁ କରିଥିଲା ବୌଦ୍ଧ ବନବିଭାଗ । ରକ୍ଷଣା ବେକ୍ଷଣା ପାଇଁ ଟ୍ରକ ଯୋଗେ କପିଳାସ ସଂରକ୍ଷଣ କେନ୍ଦ୍ରକୁ ଅଣାଯାଇଥିଲା, କିନ୍ତୁ ଦିନକ ପରେ ତା’ର ମୃତ୍ୟୁ ଘଟିଛି । ହେଲେ ହାତୀ କେମିତି ମଲା, ସେ ନେଇ କପିଳାସ ରେଂଜ ସ୍ପଷ୍ଟୀକରଣ ଦେଇ ନାହିଁ ।

ଢେଙ୍କାନାଳ କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ଯାଇଛି ଆଉ ଏକ ହାତୀର ଜୀବନ । ଶନିବାର ଦିନ ଏହି ଦନ୍ତାହାତୀକୁ ଅଣାଯାଇଥିଲା, ରବିବାର ସକାଳୁ ତା’ଣ ମୃତ୍ୟୁ ହୋଇଯାଇଛି । ଏହି ପୋଷା ହାତୀର ମାହୁନ୍ତ ଗଂଜେଇ ଚୋରାଚାଲଣରେ ଗିରଫ ହେବା ପରେ ବୌଦ୍ଧ ଜିଲ୍ଲା କଂଟାମାଳ ଅଂଚଳରେ ଆତଙ୍କ ଖେଳାଇ ଦେଇଥିଲା ଦନ୍ତା । ୨ ଜଣଙ୍କ ଜୀବନ ନେବା ପରେ ଟ୍ରାଙ୍କୁଲାଇଜ୍ କରି ହାତୀକୁ କାବୁ କରିଥିଲା ବୌଦ୍ଧ ବନବିଭାଗ । ରକ୍ଷଣା ବେକ୍ଷଣା ପାଇଁ ଟ୍ରକ ଯୋଗେ କପିଳାସ ସଂରକ୍ଷଣ କେନ୍ଦ୍ରକୁ ଅଣାଯାଇଥିଲା, କିନ୍ତୁ ଦିନକ ପରେ ତା’ର ମୃତ୍ୟୁ ଘଟିଛି । ସୁସ୍ଥ ଥିବା ହାତୀ ୨୪ ଘଂଟାରେ କେମିତି ମୃତ୍ୟ୍ୟୁବରଣ କଲା, ଏ ନେଇ ପ୍ରଶ୍ନ ଉଠିଛି ।

ଏନେଇ ସ୍ପଷ୍ଟୀକରଣ ଦେବା ତ ଦୂରର କଥା, କପିଳାସ ରେଂଜ କାର୍ଯ୍ୟାଳୟ ପରିସରକୁ ଯିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯାଉଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହି ଦୋଷ ଖସାଇବା ପାଇଁ ଉଦ୍ୟମ କରୁଛି ବନବିଭାଗ ।
ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି –
ମାତ୍ରାଧିକ ନିଶ୍ଚେତକ
କଷ୍ଟଦାୟକ ପରିବହନ
ହାତୀ ପାଇଁ ଘାତକ ହେଉଛି । ହୃଦଘାତ ଯୋଗୁଁ ପ୍ରାଣ ହରାଉଛନ୍ତି ହାତୀ । ମାତ୍ରାଧିକ ନିଶ୍ଚେତକ ଯୋଗୁଁ ହାତୀ ପ୍ରାଣ ହରାଉଥିବା ଅଭିଯୋଗ ନୂଆ ନୁହେଁ । ବାରମ୍ବାର ଏପରି ଅଭିଯୋଗ ହେଉଥିବା ବେଳେ ବନବିଭାଗ ଏ ନେଇ କିଛି ପଦକ୍ଷେପ ନେଉନାହିଁ । ଏପଟେ ଗତ ଦେଢ଼ ବର୍ଷ ଭିତରେ କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ୩ଟି ହାତୀର ମୃତ୍ୟୁ ହୋଇଛି ।

The post କାହିଁକି ଗଲା ଦନ୍ତାର ଜୀବନ? ମାତ୍ରାଧିକ ନିଶ୍ଚେତକ ନା’ ଅସୁରକ୍ଷିତ ପରିବହନ? first appeared on Kanak News.

from Kanak News
via <a href="https://ifttt.com/?

ମାଲକାନଗିରି ମାଟିରେ ଓହ୍ଲାଇଲା ବିମାନ: ନୂଆ ବିମାନ ବନ୍ଦରରେ ଉଡାଣର ହେଲା ଟ୍ରାଏଲ ରନ୍

କନକ ବ୍ୟୁରୋ: ଉପାନ୍ତରୁ ଉଡ଼ିଲା ବିମାନ । ଆଜି ବିଧିିବଦ୍ଧ ଭାବେ ମାଲକାନଗିରି ବିମାନ ବନ୍ଦରରୁ ପରୀକ୍ଷାମୂଳକ ଭାବେ ଉଡାଣ ଆରମ୍ଭ ହୋଇଛି । ଆଉ ଅଳ୍ପ ଦିନର ଅପେକ୍ଷା । ନିୟମିତ ମାଲକାନଗିରିରୁ ଉଡିବ ବିମାନ । ଗମନାଗମନରେ ଯୋଡି ହେବ ଆଉ ଏକ ଅଧ୍ୟାୟ । ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟନ କାର୍ଯ୍ୟକ୍ରମ ରହିଛି ।

ମାଲକାନଗିରି ଆକାଶ ରେ ଉଡିଲା ବିମାନ । ମାଲକାନଗିରି ସହର ଉପକଣ୍ଠରେ ନିର୍ମାଣ ହୋଇ ଥିବା ବିମାନବନ୍ଦରର ରନୱେ କାମ ଶେଷ ହେବା ପରେ ରନେଓ ର ଟ୍ରାଏଲ ରନ ଶେଷ ହୋଇଛି । ପ୍ରଥମ ଥର କରି ବି-ଟୁ ୧୦୦ ଜିଟି ବିମାନ ମାଲକାନଗିରି ଆକାଶ ରେ ଉଡିବା ଦେଖି ଜିଲ୍ଲା ବାସୀ ବେଶ ଉତ୍ସାହିତ ହେବା ସହ ଖୁବ ଶିଘ୍ର ଯାତ୍ରୀ ବାହି ବିମାନ ଉଡିବା ନେଇ ଆଶା ବାନ୍ଧିଛନ୍ତି ଜିଲ୍ଲାବାସୀ । ତେବେ ଆଗାମି ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମାଲକାନଗିରି ବିମାନ ବନ୍ଦର କୁ ଉଦଘାଟନ କରିବେ ବୋଲି ସୁଚନା ଦେଇଛନ୍ତି ଜିଲ୍ଲାପାଳ । ଆଉ ଡିଜିସିଏ ର ଅନୁମୋଦନ ପରେ ହିଁ ସାଧାରଣ ଯାତ୍ରୀଙ୍କ ପାଇଁ ବିମାନ ଚଳାଚଳ ହବ ବୋଲି ଜଣା ପଡିଛି ।

ରବିବାର ମାଲକାନଗିରି ବାସୀଙ୍କ ପାଇଁ ଥିଲା ଏକ ଐତିହାସିକ ମୁହୁର୍ତ । ପ୍ରଥମ ଥର କରି ମାଲାକନଗିରି ଆକାଶ ରେ ବିମାନ ଉଡିବା ଦେଖି ଥିଲେ ମାଲକାନଗିରି ବାସୀ । ଆଉ କେଇ ମିନିଟ ଭିତରେ ମାଲକାନଗିରି ସହର ଉପକଣ୍ଠ ନିଲିମାରି ଠାରେ ନିର୍ମାଣାଧିନ ବିମାନବନ୍ଦରରେ ଅବତରଣ କରିଥିଲା ଯାତ୍ରୀବାହୀ ବିମାନ ବିଟୁ-୧୦୦ ଜିଟି ବିମାନ । ମାଲକାନଗିରି ମାଟି ରେ ପ୍ରଥମ ବିମାନ କୁ ଓଟାର କ୍ୟାନନ୍ ସେଲୁଟ୍ ଦେଇ ସ୍ୱାଗତ କରା ଯାଇ ଥିବା ବଳେ ବିମାନ ରୁ ଓହ୍ଲାଇ ମାଲକାନଗିରି ବିମାନ ବନ୍ଦର ଓ ଏହାର ବିଶାଳ ରନୱେ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ନେଇ ସନ୍ତୋଷ ପ୍ରକାଶ କରି ଥିଲେ ଟ୍ରାଏଲ ରନ ରେ ଆସି ଥିବା ପାଏଲଟ । ମାଲାକନଗିରି ବିମାନ ବନ୍ଦର ର ରନେଓ ର ଲମ୍ବ ଯଥେଷ୍ଟ ଅଧିକ ସହ ସମ୍ପ୍ରସାରଣ ସମ୍ଭାବନା ଅଧିକ ରହି ଥିବା ରୁ ଏହା କୁ ଟୁ-ବି କାଟାଗୋରି ରେ ରଖା ଯାଇ ଥିବା ସହ ଏବେ ଏଟିଆର – ୭୨ ବିମାନ ଅବତରଣ କରି ପାରିବ ବୋଲି ଜଣା ପଡିଛି । ଆଗକୁ ସମ୍ପ୍ରସାରଣ ହେଲେ ଏୟାରବସ ଏ-୩୨୦ ଓ ବୋଇଙ୍ଗ- ୭୩୭ ମଧ୍ୟ ଅବତରଣ କରିବା ସମ୍ଭବ ବୋଲି ଜଣା ପଡିଛି ।

ଦେଶ ର ସାଧାରଣ ନାଗରିକଙ୍କୁ ବିମାନସେବା ଯୋଗାଇବା ଉଦ୍ଦେଶ୍ୟ ରେ ୨୦୧୬ ମସିହା ରେ କେନ୍ଦ୍ର ସରକାର ଉଡାନ ଯୋଜନା ର ଶୁଭାରମ୍ଭ କରି ଥିଲେ । ଝାରସୁଗୁଡା, ରାଉରକେଲା, ଉକ୍ରେଲା, ଜୟପୁର ପରେ ଏବେ ଉଡାନ ଯୋଜନାରେ ସାମିଲ ହୋଇଛି ମାଲକାନଗିରି ବିମାନ ବନ୍ଦର । ମାଲକାନଗିରି ବିମାନ ବନ୍ଦରର ଲମ୍ବ ୧୬୨୦ ମିଟର । ଏଥିପାଇଁ ରାଜ୍ୟ ସରକାର ପ୍ରାୟ ୨୩୪ ଏକର ଜମି ଯୋଗାଇଦେଇଛନ୍ତି । ଅକ୍ଟୋବର ୨୦୨୨ ରେ ୩୦ କୋଟି ମୂଲ୍ୟ ରେ ଏହି ବିମାନ ବନ୍ଦର ନିର୍ମାଣ କାମ ଆରମ୍ଭ ହୋଇ ଥିବା ବେଳେ ନିର୍ଧାରିତ ସମୟ ସୀମାରେ ଏହାର ନିର୍ମାଣ କାମ ଶେଷ ହୋଇଛି । ଜାନୁଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ ।

The post ମାଲକାନଗିରି ମାଟିରେ ଓହ୍ଲାଇଲା ବିମାନ: ନୂଆ ବିମାନ ବନ୍ଦରରେ ଉଡାଣର ହେଲା ଟ୍ରାଏଲ ରନ୍ first appeared on Kanak News.

from Kanak News
via <a href="https://ifttt.com/?

ବୁଝି ହେଉନି ଡାକ୍ତରଙ୍କ ପ୍ରେସକ୍ରିପ୍ସନ: ସ୍ପଷ୍ଟ ହସ୍ତାକ୍ଷର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ: ଡାକ୍ତର ଲେଖୁଥିବା ପ୍ରେସକ୍ରିପ୍ସନ ପଢ଼ିବା ଏତେ ସହଜ ହୋଇନଥାଏ । କେବଳ ଔଷଧ ଦୋକାନୀ ହିଁ ଏହି ଚିଠାକୁ ଦେଖି ଔଷଧ ଦେଇଥାନ୍ତି । ଏନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଡାକ୍ତରମାନେ ସ୍ପଷ୍ଟ ହସ୍ତାକ୍ଷରରେ ପ୍ରେସକ୍ରିପ୍ସନ ଲେଖିବେ, ଫଳରେ ସାଧାରଣ ଲୋକଟିଏ ଔଷଧ ଓ ରୋଗ ବିଷୟରେ ଜାଣିପାରିବ ଓ ବୁଝିପାରିବ ।

ଡାକ୍ତରଙ୍କ ପ୍ରେସକ୍ରିପ୍ସନର ଅସ୍ପଷ୍ଟ ଅକ୍ଷରକୁ ନେଇ ନା କେବଳ ରୋଗୀ, ଔଷଧ ଦୋକାନୀ ମଧ୍ୟ ଅଡୁଆରେ ପଡନ୍ତି । ଡାକ୍ତରଙ୍କ ହସ୍ତାକ୍ଷର ସଂପର୍କିତ ଏକ ରିଟ ପିଟିସନର ଶୁଣାଣି କରି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହାଇକୋର୍ଟ ।

ବୁଝି ହେଉନି ଡାକ୍ତରଙ୍କ ପ୍ରେସ୍କ୍ରିସନ୍
ସ୍ପଷ୍ଟ ହସ୍ତାକ୍ଷର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କୁହାଯାଏ ଡାକ୍ତରଙ୍କ ଅକ୍ଷର କେବଳ ଔଷଧ ଦୋକାନୀ ବୁଝିପାରନ୍ତି । ଏଭଳି ଅସୁବିଧାକୁ ନେଇ ହାଇକୋର୍ଟ ଡାକ୍ତରଙ୍କୁ ସ୍ପଷ୍ଟ ହସ୍ତାକ୍ଷରରେ ପ୍ରେସକ୍ରିପସନ ଲେଖିବାକୁ କହିଛନ୍ତି । ଏନେଇ ମୁଖ୍ୟ ଶାସନ ସଚିବ ସର୍କୁଲାର ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସର୍କୁଲାର ଜାରି କରି ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ, ଘରୋଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲକୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି ଖଣ୍ଡପୀଠ ।

କ’ଣ କହିଲେ ହାଇକୋର୍ଟ?
– ସ୍ପଷ୍ଟ ହସ୍ତାକ୍ଷରରେ ଡାକ୍ତରମାନେ ପ୍ରେସକ୍ରିପ୍ସନ ଲେଖିବେ
– ଯେମିତି ସାଧାରଣ ଲୋକେ ଔଷଧ ଓ ରୋଗ ବିଷୟରେ ସହଜରେ ବୁଝିପାରିବେ
– କ୍ୟାପିଟାଲ ଲେଟରରେ ଔଷଧର ନାମ ଉଲ୍ଲେଖ ରହିବ
– ନିର୍ଦ୍ଦିଷ୍ଟ କଂପାନୀର ଔଷଧ ନଲେଖି ଜେନେରିକ୍ ନାମ ଲେଖିବାକୁ ନିର୍ଦ୍ଦେଶ

ଡାକ୍ତରଙ୍କ ହସ୍ତାକ୍ଷରକୁ ନେଇ ବିବାଦ ନୁଆ ନୁହେଁ । ପୂର୍ବରୁ ୨୦୧୬ ମସିହାରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ବିଜ୍ଞପ୍ତି ଜାରି କରିଥିଲେ । ଏବେ ହାଇକୋର୍ଟ ମଧ୍ୟ ସମାନ କଥା କହିଛନ୍ତି । ଅସ୍ପଷ୍ଟ ହସ୍ତାକ୍ଷର ଯୋଗୁଁ ରୋଗୀ ହଇରାଣ ହେବା ସହ ମେଡିକୋ-ଲିଗାଲ ଡଳ୍ୟୁମେଂଟସ ମଧ୍ୟ ପ୍ରଭାବିତ ହେଉଥିବା କହିଛନ୍ତି ହାଇକୋର୍ଟ ।

୨୦୧୫ରେ ଢେଙ୍କାନାଳ ଜିଲ୍ଲା କଣସରା ଗାଁର ଜଣେ ବ୍ୟକ୍ତିଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଥିଲା । ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ଅସ୍ପଷ୍ଟ ହସ୍ତାକ୍ଷର ପାଇଁ କ୍ଷତିପୂରଣ ମିଳିନଥିଲା । ଏନେଇ ପରିବାର ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ ସଂଜୀବ ପାଣିଗ୍ରାହୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଡାକ୍ତରଙ୍କୁ ସ୍ପଷ୍ଟ ହସ୍ତାକ୍ଷର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

The post ବୁଝି ହେଉନି ଡାକ୍ତରଙ୍କ ପ୍ରେସକ୍ରିପ୍ସନ: ସ୍ପଷ୍ଟ ହସ୍ତାକ୍ଷର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started