ସରକାରୀ ଖାତାରେ କିଏ ମୃତ କିଏ ଜୀବିତ? ହାଇଟେକ୍ ହାଇଡ୍ରାମା ପରେ ପୁଅର ଶବକୁ ଅନାଇ ବସିଛି ମା’

କନକ ବ୍ୟୁରୋ: ହାଇଟେକ ହସ୍ପିଟାଲର ହାଇଡ୍ରାମା ଜଣେ ମାଆର ଦୁଃଖକୁ ବଢ଼ାଇଦେଇଛି । ପ୍ରଥମେ କୁହାଗଲା ପୁଅର ମୃତ୍ୟୁ ହୋଇସାରିଛି । ଶବ ନେଇ ସକ୍ରାର କରିବା ପରେ ହସ୍ପିଟାଲ କହିଲା, ପୁଅ ବଂଚିଛି । ପୁଅକୁ ଦେଖିବାର ଆଶା ନେଇ ହସ୍ପିଟାଲକୁ ଧାଇଁ ଆସିଥିବା ମାଆକୁ ପୁଣି ଖବର ମିଳିଲା ପୁଅ ଆଉ ନାହିଁ । ତିନି ଦିନ ହେଲାଣି ନଖାଇ ନପିଇ ମାଆ ଅପେକ୍ଷା କରିଛି କେବେ ଡିନଏ ଟେଷ୍ଟ ହେବ, ନ୍ୟାୟିକ ପ୍ରକ୍ରିୟା ସରିବା ପରେ ପୁଅର ଶବ ମିଳିବ ।

ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ମାଆ ଅହଲ୍ୟା ସାମନ୍ତରାୟ । ପୁଅର ମୃତ ଦେହ ଗାଁକୁ ନେଇ ଯିବାକୁ କାକୁତି ମିନତି କରୁଛନ୍ତି । ତାଙ୍କ ପାଖରେ ଆଉ ଧର୍ୟ୍ୟ ନାହିଁ । ତିନି ଦିନ ହେଲାଣି ନଖାଇ ନପିଈ ହସ୍ପିଟାଲ ଦୁଆରେ ପଡିରହିଛନ୍ତି । ନା କିଏ କଥା ବୁଝିବାକୁ ଅଛି ନା କିଏ ଲୁହ ପୋଛିବାକୁ । ଲୁହ ଛଳ ଛଳ ଆଖିରେ କହୁଛନ୍ତି ସେ ଆଉ ପାରୁନାହାନ୍ତି, ଆତ୍ମହତ୍ୟା କରିବା ଛଡା ତାଙ୍କ ପାଖରେ ଆଉକିଛି ଉପାୟ ନାହିଁ ।

ଘରର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ଆଉ ଏହି ଅସମୟରେ ବୋହୂର ଆତ୍ମହତ୍ୟା ଘଟଣା ସତେ ଯେମିତି ଦୁନିଆର ସବୁ ଦୁଃଖ ଏହି ମାଆକୁ ମିଳିଛି । ପୁଅକୁ ହରେଇବାର କୋହକୁ ଛାତିରେ ଚାପି ରଖି ଧର୍ୟ୍ୟର ସହ ପୁଅ ଶବ ନେଇ ଗାଁକୁ ଫେରିଯିବାକୁ ଅଡ଼ି ବସିଛି ମାଆ । ଯେଉଁ ହାତ ଧରି ଦିନେ ଚାଲି ଶିଖାଇଥିଲା, ସେହି ହାତରେ ପୁଅର ଶବ ସତ୍କାର ଯେ କେମିତି କରିବ ସେ କଥା ମାଆର ମନ ହିଁ ଜାଣେ । ସରକାରୀ ଖାତାରେ ପୁଅର ମୃତ୍ୟୁ ହୋଇ ସାରିଥିଲା, ହସ୍ପିଟାଲ ତାକୁ ପୁଣି ବଞ୍ଚାଇଲା ଆଉ ଏବେ ପୁଣି ପୁଅ ଚାଲିଗଲା । କିନ୍ତୁ ପୁଅର ଶବ ପାଖକୁ ମାକୁ ଯିବାକୁ ମନା । ହେଲେ ପୁଲିସ ବାବୁଙ୍କ ନିୟମ କାନୁନ ଭିତରେ ପେଷି ହୋଇ ଯାଉଛି ଏହି ନିରୀହ ମାଆ ଜଣକ ।

ସେପଟେ ଏମ୍ସରେ ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ଶବ ବ୍ୟବଚ୍ଛେଦ କରିବା ସହ ତାଙ୍କ ପରିବାରର ଡିଏନଏ ସାମ୍ପୁଲ ସଂଗ୍ରହ କରିଛି ମଞ୍ଚେଶ୍ୱର ପୁଲିସ । ସେହିପରି ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ମୃତ ଦେହ ଦାହ ସାରିଥିବାରୁ, ସଂଗ୍ରହ ହୋଇଥିବା ଭିସେରା ଓ ତାଙ୍କ ପରିବାର ଲୋକଙ୍କ ଡିଏନଏକୁ ମେଳ କରାଯିବ । ଉଭୟଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ପାଇଁ ଡିଏନଏ ନମୁନା ସୋମବାର ଏସଏଫଏସଏଲ କୁ ପଠାଯିବ ।
ପ୍ରଶ୍ନ ଉଠୁଛି
କାହାର ଭୁଲ ଯୋଗୁଁ ଚାଲିଗଲା ତିନି ତିନିଟି ଜୀବନ?
ମୃତଦେହ ଜଣଙ୍କର, କିନ୍ତୁ କାହିଁକି ଦୁଃଖ ପାଇଲା ଆଉଏକ ପରିବାର?
ମିଛ ଖବର ପାଇ ଦିଲ୍ଲୀପଙ୍କ ସ୍ତ୍ରୀ ଆତ୍ମହତ୍ୟା କରିବା ଘଟଣାରେ କାହାକୁ ବାନ୍ଧିବ ପୋଲିସ?

The post ସରକାରୀ ଖାତାରେ କିଏ ମୃତ କିଏ ଜୀବିତ? ହାଇଟେକ୍ ହାଇଡ୍ରାମା ପରେ ପୁଅର ଶବକୁ ଅନାଇ ବସିଛି ମା’ first appeared on Kanak News.

from Kanak News
via <a href="https://ifttt.com/?

ଚୋର ଧରିବାକୁ ପୋଲିସର ପୋଷ୍ଟର: ସୂୂଚନା ଦେଲେ ୧୦ ହଜାର ପୁରସ୍କାର

କନକ ବ୍ୟୁରୋ: ଚୋରଙ୍କୁ ଧରାଅ, ପୁରସ୍କାର ପାଅ । ଚୋର ଧରାଇଲେ ମିଳିବ ୧୦ ହଜାର ଟଂକା । ରାଜଧାନୀରେ ବଢୁଥିବା ଚୋରୀ ଓ ଲୁଟକୁ ଚେକ୍ ଦେବାକୁ କମିଶନରେଟ ପୋଲିସ ଏପରି ଅଭିନବ ପ୍ରୟାସ ଆରମ୍ଭ କରିଛି । ପୋଲିସ୍ ପକ୍ଷରୁ ସାର୍ବଜନୀନ ସ୍ଥାନରେ ଲୁଟେରାଙ୍କ ଫଟୋ ମରାଯାଇଛି । ଆଉ ଏମାନଙ୍କ ବିଷୟରେ ଯିଏ ସୂଚନା ଦେବ, ସେମାନଙ୍କୁ ପୁରସ୍କାର ମିଳିବ । ଏହାସହ ସୂଚନା ଦେଇଥିବା ଲୋକଙ୍କ ନାମ ଗୋପନ ରହିବ କହିଛି କମିଶନରେଟ ପୋଲିସ ।

ଦୁଇରୁ ତିନି ମାସ ଭିତରେ ରାଜଧାନୀର ବିଭିନ୍ନ ଆପାର୍ଟମେଂଟରୁ ସିରିଜ ଲୁଟ ଜାରି ରହିଛି । ଘରେ କେହି ନଥିବା ସମୟରେ ଫ୍ଲାଟରେ କଳା କନା ବୁଲାଇ ଫେରାର ହୋଇଯାଉଛନ୍ତି ଲୁଟେରା । ହେଲେ ଏସବୁ ଘଟଣାରେ ଏବେ ବି ପୋଲିସର ହାତ ଖାଲି । ତେଣୁ ସେହି ଦୁର୍ବୁତମାନଙ୍କୁ କାବୁ କରିବା ପାଇଁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡିଛି କମିଶନରେଟ ପୋଲିସ । ରାଜଧାନୀର ବିଭିନ୍ନ ଜନଗହଳିପୁର୍ଣ ସ୍ଥାନରେ ଏହି ଫେରାର ଥିବା ଅପରାଧୀମାନଙ୍କ ପୋଷ୍ଟର ମାରିଛି ପୋଲିସ । ପୋଷ୍ଟରରେ ରହିଛି ଫେରାର ଅପରାଧୀଙ୍କ ଫୋଟୋ । ଖାଲି ଫୋଟୋ ନୁହେ, ଯେଉଁ ବ୍ୟକ୍ତି ବିଶେଷ ଏହି ଫୋଟୋ ଦେଖି ଲୁଟେରାଙ୍କୁ ଚିହ୍ନିଟ କରିବେ ଓ ଧରାଇ ଦେବେ । ସେମାନଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ଦିଆଯିବ ବୋଲି ଘୋଷଣା ହୋଇଛି ।

ରାଜଧାନୀରେ ଚୋରଙ୍କ ଆତଙ୍କରାଜ
ଧରାପଡୁନାହାନ୍ତି ଆପାର୍ଟମେଂଟ ଲୁଟେରା!

ରାଜଧାନୀର ଆପାର୍ଟମେଂଟରେ ସିରିଜ ଲୁଟ କରୁଥିବା ଲୁଟେରା ଗ୍ୟାଙ୍ଗ ଏବେ କମିଶନରେଟ ପୋଲିସର ମୁଣ୍ଡ ବିନ୍ଧା ବଢେଇ ଦେଇଛି । ଲୁଟେରା ଲୁଟ କରି ଫେରାର ହୋଇଯାଉଥିବା ବେଳେ ସେମାନଙ୍କ ଟେର ପାଇପାରୁନି ପୋଲିସ । ନଜର ପକାନ୍ତୁ ଗତ କିଛି ମାସ ମଧ୍ୟରେ ରାଜଧାନୀର କିଛି ପ୍ରମୁଖ ଆପାର୍ଟମେଂଟ ଲୁଟ ଉପରେ
-ଗତ ଅକ୍ଟୋବର ୧୪ ତାରିଖରେ ଚନ୍ଦକା ଥାନା ଅଧିନସ୍ଥ ଏମ.ଜେ ଉଡ ଆପାର୍ଟମେଂଟରେ ପଶି କଳା କନା ବୁଲାଇଥିଲେ ଲୁଟେରା
-ଅକ୍ଟୋବର ୧୭ ତାରିଖରେ ଇନ୍ଫୋସିଟି ଥାନା ଅଧୀନ ରାଜବାଟିକା ଆପାର୍ଟମେଂଟର ୪ଟି ଫ୍ଲାଟରେ ସିରିଜ ଚୋରି କରି କୋଟିଏରୁ ଅଧିକ ଟଙ୍କା ଲୁଟ
-ନଭେମ୍ବର ୬ ତାରିଖରେ ଭରତପୁର ଥାନା ଅଧିନ ଶ୍ରୀକ୍ଷେତ୍ର ରେସିଡେନ୍ସିର ଦୁଇଟି ଫ୍ଲାଟରେ ସିରିଜ ଲୁଟ
-ଡିସେମ୍ବର ୧୨ ତାରିଖରେ ମଞ୍ଚେଶ୍ୱର ଥାନା ଅଧୀନ ସ୍ପେଶଟାଉନ ଆପାର୍ଟମେଂଟର ସବୁ ବିଲଡିଙ୍ଗରୁ ସିରିଜ ଲୁଟ
ତେଣୁ ଏହିସବୁ ଲୁଟରେ ସାମିଲ ଥିବା ଲୁଟେରାଙ୍କୁ କାବୁ କରିବା ପାଇଁ ବସ୍ଷ୍ଟାଣ୍ଡ, ହସ୍ପିଟାଲ, ରେଳଷ୍ଟେସନ, ସିନେମା ହଲ, ବଜାର, ଛକ ଓ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ କମିଶନରେଟ ପୋଲିସର ସ୍ୱତନ୍ତ୍ର ବିଭାଗ ‘ଟିମ୍ ୬୦’ର ଅଧିକାରୀ ମାନେ ବୁଲିବୁଲି ଏହି ୱାଂଟେଡ ପୋଷ୍ଟର ମାରିଛନ୍ତି ।

ଫେରାର ଲୁଟେରାଙ୍କୁ ଧରିବାକୁ କମିସନରେଟ ପୋଲିସ ଏବେ ଲୋକଙ୍କ ସହାୟତା ଲୋଡିଛି । ଲୁଟେରାମାନଙ୍କ ତଥ୍ୟ ଦେଉଥିବା ଲୋକଙ୍କ ପରିଚୟ ସମ୍ପୁର୍ଣ ଗୋପନ ରଖାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

The post ଚୋର ଧରିବାକୁ ପୋଲିସର ପୋଷ୍ଟର: ସୂୂଚନା ଦେଲେ ୧୦ ହଜାର ପୁରସ୍କାର first appeared on Kanak News.

from Kanak News
via <a href="https://ifttt.com/?

ନୂଆ ବର୍ଷରେ ବିଜେଡିର ନୂଆ ରଣନୀତି: ତ୍ରି-ସୂତ୍ରୀ ଫମୁର୍ଲା ଆପଣାଇବ ଶାସକ ଦଳ !

କନକ ବ୍ୟୁରୋ: ନୂଆବର୍ଷରେ ନୂଆ ରଣନୀତିକୁ ନେଇ ମୈଦାନକୁ ଯିବ ବିଜେଡି । ମହିଳା, ବୟସ୍କ, ଯୁବ । ଏହି ତିନିଟି ବର୍ଗକୁ କେନ୍ଦ୍ରରେ ରଖି, ଶାସକ ବିଜେଡି ଦଳ ଏକ ତ୍ରି-ସୂତ୍ରୀ ଫର୍ମୁଲା ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି । ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳା, ନୂଆ-ଓ ଏବଂ ନବୀନ ଓଡ଼ିଶା ଜରିଆରେ ଯୁବ ପୀଢ଼ି ଭୋଟର୍ଙ୍କୁ ଆକର୍ଷିତ କରିବା ପାଇଁ ପ୍ରୟାସ ଜାରି ରଖିଛି । ଆଉ ଏଥର ବରିଷ୍ଠ ତଥା ବୟସ୍କ ଭୋଟର୍ଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି ରାଜ୍ୟ ସରକାର ।

ମହିଳା, ବୟସ୍କ, ଯୁବ । ଏହି ତିନୋଟି ବର୍ଗକୁ କେନ୍ଦ୍ରରେ ରଖି, ଶାସକ ବିଜେଡି ଦଳ ଏକ ତ୍ରି-ସୂତ୍ରୀ ଫର୍ମୁଲା ପ୍ରସ୍ତୁତ କରିଥିବା ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ନୂଆବର୍ଷରେ ନୂଆ ରଣନୀତିକୁ ନେଇ ମୈଦାନକୁ ଯିବ ବିଜେଡି । ବିଜେଡିର ଏହି ରଣନୀତି ବେଶ୍ ପ୍ରଭାବି ହୋଇପାରେ, କାରଣ ଜନ ସଂଖ୍ୟାର ପ୍ରାୟ ଅଧା ହେଉଛନ୍ତି ମହିଳା ଭୋଟର୍ । ଆଉ ୨୪ ନିର୍ବାଚନରେ ଓଡ଼ିଶାରେ ମହିଳା ଭୋଟ୍ଙ୍କ ସଂଖ୍ୟା ହେଉଛି- ୧ କୋଟି, ୬୩ ଲକ୍ଷ ୮୨ ହଜାର ୩୧ । ସେହିପରି ଗଣତନ୍ତ୍ରର ପ୍ରକିୟାରେ ଉତ୍ସାହର ସହ ସାମିଲ ହେଉଥିବା ଯୁବ ଭୋଟର୍ଙ୍କ ସଂଖ୍ୟା ହେଉଛି- ୭ ଲକ୍ଷ ୫୪ ହଜାର ୯୪୯ । ଏପଟେ ବରିଷ୍ଠ ତଥା ପରିପକ୍ୱ ଭୋଟରଙ୍କ ସଂଖ୍ୟା ହେଉଛି, ୬ ଲକ୍ଷ ୮୫ ହଜାର ୪୮ । ଅର୍ଥାତ୍ ଏହି ତିନିବର୍ଗର ମୋଟ୍ ଭୋଟ୍ ହାର, ପ୍ରାୟ ୫୪%
ନୂଆ ଫର୍ମୁଲା, ସରଳ ସୂତ୍ର
– ଓଡ଼ିଶାରେ ମହିଳା ଭୋଟର୍: ୧ କୋଟି, ୬୩ ଲକ୍ଷ ୮୨ ହଜାର ୩୧
– ଯୁବ ଭୋଟର୍: ୭ ଲକ୍ଷ ୫୪ ହଜାର ୯୪୯ (୧୮ରୁ ୧୯ ବର୍ଷ ଭିତରେ)
– ବରିଷ୍ଠ ଭୋଟର: ୬ ଲକ୍ଷ ୮୫ ହଜାର ୪୮
– ତିନିବର୍ଗର ମୋଟ୍ ଭୋଟ୍ ହାର, ପ୍ରାୟ ୫୪%
ମହିଳା ଓ ଯୁବକଙ୍କୁ ସାଥୀରେ ରଖିବା ପାଇଁ ପୂର୍ବରୁ ଉଦ୍ୟମ ଜାରି ରହିଛନ୍ତି ବିଜେଡି ସରକାର । ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳା, ନୂଆ-ଓ ଏବଂ ନବୀନ ଓଡ଼ିଶା ଜରିଆରେ ଯୁବ ପୀଢ଼ି ଭୋଟର୍ଙ୍କୁ ଆକର୍ଷିତ କରିବା ପାଇଁ ପ୍ରୟାସ ଜାରି ରଖିଛି । ଆଉ ଏଥର ବରିଷ୍ଠ ତଥା ବୟସ୍କ ଭୋଟର୍ଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି ରାଜ୍ୟ ସରକାର ।
ମହିଳା ଓ ଯୁବ ଶକ୍ତିଙ୍କ ସହ ଯଦି ବୟସ୍କ ତଥା ପରିପକ୍ୱ ଭୋଟର୍ଙ୍କୁ ଶାସକ ଦଳ ନିଜ ପକ୍ଷରେ କରିପାରିବ । ତେବେ ବିଜେଡିର ପରିକଳ୍ପତ ତ୍ରି-ସୂତ୍ରୀ ଫମୁର୍ଲା ଆଉ ବେଶ ଫଳପ୍ରଦ ହେବ ବୋଲି ବିଜେଡି ବିଧାୟକ କହିଛନ୍ତି । ଏପଟେ ବିରୋଧୀ ଚିରାଚରିତ ଢ଼ଙ୍ଗରେ ଶାସକ ଦଳକୁ ସମାଲୋଚନା କରିଛନ୍ତି ।
ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳ ଗୁଡ଼ିକ ନୂଆ ନୂଆ ରଣନୀତି ନେଇ ଲୋକଙ୍କ ପାଖକୁ ଯିବାକୁ ଉଦ୍ୟମ କରିବେ । ତେବେ ଦେଖିବାର କଥା ଯେଉଁ ଦଳର ନୀତି ଓ ରଣନୀତି ପରେ ଜନତାଙ୍କ ମୋହର ବାଜୁଛି ।

The post ନୂଆ ବର୍ଷରେ ବିଜେଡିର ନୂଆ ରଣନୀତି: ତ୍ରି-ସୂତ୍ରୀ ଫମୁର୍ଲା ଆପଣାଇବ ଶାସକ ଦଳ ! first appeared on Kanak News.

from Kanak News
via <a href="https://ifttt.com/?

ନୂଆ ପ୍ରଭାରୀଙ୍କ ନୂଆ ରଣନୀତି: ୨୧ ତାରିଖରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ

କନତ ବ୍ୟୁରୋ: ରାଜ୍ୟ କଂଗ୍ରେସରେ ବଳ ଭରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ନୂଆ ପ୍ରଭାରୀ ଡକ୍ଟର ଅଜୟ କୁମାର । ଜାନୁଆରୀ ୨୧ ତାରିଖରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ୍ । ପ୍ରଭାରୀଙ୍କ ସହ ବରିଷ୍ଠ ନେତାମାନେ ସବୁ ନିର୍ବାଚନମଣ୍ଡଳୀ ବୁଲିବେ । ଏହାସହ ୧୦ ଦିନ ଭିତରେ କମିଟି ଗଠନ କରିବାକୁ ବ୍ଲକ ସଭାପତି, ଜିଲ୍ଲା ସଭାପତିଙ୍କୁ କୁହାଯାଇଛି । ସେପଟେ ଉଭୟ ବିଜେପି ଓ ବିଜେଡି ବିରୋଧରେ ବର୍ଷିଛନ୍ତି ଅଜୟ କୁମାର ।

ରାଜ୍ୟରେ ତିନି ନମ୍ବର ସ୍ଥାନକୁ ଖସି ଆସିଥିବା କଂଗ୍ରେସ ପାର୍ଟିକୁ ପୁଣିଥରେ ଉପରକୁ ଉଠାଇବା ଲାଗି ଜୋରଦାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ନୂଆ ପ୍ରଭାରୀ । ଦଳ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଉଭୟ ବିଜେପି ଓ ବିଜେଡି ବିରୋଧରେ ବର୍ଷିଛନ୍ତି । କହିଛନ୍ତି, ରାଜ୍ୟରେ ଏକମାତ୍ର ବିରୋଧୀ ଦଳ ହେଉଛି କଂଗ୍ରେସ ।

୨୦୨୪ରେ ଦଳ କିପରି ପ୍ରଭାବୀ ପ୍ରଦର୍ଶନ କରିବ, ତା’ ଉପରେ ଜୋର ଦେଇଛନ୍ତି ଅଜୟ କୁମାର । ଜାନୁଆରୀ ୨୧ ତାରିଖରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ । ପ୍ରଭାରୀଙ୍କ ସହ ବରିଷ୍ଠ ନେତାମାନେ ସବୁ ନିର୍ବାଚନମଣ୍ଡଳୀ ବୁଲିବେ । ସରକାରଙ୍କ ଅପାରଗତା ନେଇ ସାରା ରାଜ୍ୟରେ ପୋଷ୍ଟର ଓ ଲିଫ୍ଲେଟ୍ ବଂଟାଯିବ । କେବଳ ଏତିକି ନୁହେଁ –
ଦଳୀୟ ନେତାଙ୍କୁ ନୂଆ ପ୍ରଭାରୀଙ୍କ ତାଗିଦ
୧୦ ଦିନ ଭିତରେ କମିଟି ଗଠନ କର
ନହେଲେ ପଦ ଛାଡ଼

ବ୍ଲକ ସଭାପତି, ଜିଲ୍ଲା ସଭାପତିଙ୍କୁ କ’ଣ କରିଛ ପଚାରିବା ସହ ଅସନ୍ତୋଷ ଝାଡ଼ିଛନ୍ତି କଂଗ୍ରେସର ନୂଆ ପ୍ରଭାରୀ । ଏହା ସହ ସେମାନଙ୍କୁ ୧୦ ଦିନିଆ ଟାର୍ଗେଟ ଦେଇଛନ୍ତି । ଏହି ସମୟ ମଧ୍ୟରେ ବୁଥ୍ କମିଟି, ପଂଚାୟତ କମିଟି ଓ ବ୍ଲକ କମିଟି ଗଠନ କରି ନପାରିିଲେ ପଦ ଛାଡି ଦେବାକୁ ଡେଡଲାଇନ୍ ଦେଇଛନ୍ତି ଡକ୍ଟର ଅଜୟ କୁମାର । ଦଳୀୟ ନେତା ଓ କର୍ମୀଙ୍କୁ ତୃଣମୂଳ ସ୍ତରରେ କି କି କାର୍ଯ୍ୟ କରିଛ, ତା’ର ହିସାବ ମାଗିଛନ୍ତି । ସିଧା ସିଧା ଶବ୍ଦରେ କାହାକୁ ଟିକେଟ ମିଳିବ, କାହାକୁ ଟିକେଟ ଦିଆଯିବ ନାହିଁ, ମଂଚ ଉପରୁ ଶୁଣାଇ ଦେଇଛନ୍ତି ଅଜୟ କୁମାର । କହିଛନ୍ତି –
ବିଜେପି-ବିଜେଡି ସହ ଭିତିରିଆ ସଂପର୍କ ରଖିଥିବା ନେତାଙ୍କୁ ମିଳିବନି ଟିକେଟ
ପରସ୍ପର ବିରୋଧରେ ଚୁଗୁଲି କରୁଥିବା ନେତାଙ୍କ କଥା ଶୁଣିବେ ନାହିଁ
କଥା କମ୍, କାମ ଅଧିକ କରି ଦେଖାଅ
ସେ କ’ଣ କରିବେ ନପଚାରି ନିଜେ କ’ଣ କରିଛ ହିସାବ ଦିଅ

୨୦୨୪ ନିର୍ବାଚନ ପାଇଁ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିବା ସହ ଅଜୟ କୁମାର କହିଛନ୍ତି – ଜଣେ ବରିଷ୍ଠ ନେତା ବା ବିଧାୟକ ନିଜ ନିର୍ବାଚନମଣ୍ଡଳୀ ସହ ୩ଟି ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କାର୍ଯ୍ୟ କରିବେ । ସାଂସଦ, ବିଧାୟକ ଏକ ହୋଇ ନିର୍ବାଚନ ଲଢ଼ିବେ ।

ଦାୟିତ୍ୱ ନେବା ପରେ ପ୍ରଥମ ଓଡ଼ିଶା ଗସ୍ତ, କିନ୍ତୁ ଦଳୀୟ ସଂଗଠନକୁ ସଜାଡିବା ପାଇଁ ପୂରା ଦମ୍ ଲଗାଇ ଦେଇଛନ୍ତି ଅଜୟ କୁମାର । ନିର୍ବାଚନ ସରିବା ପର୍ଯ୍ୟନ୍ତ ଫ୍ଲାଟ୍ ନେଇ ଓଡ଼ିଶାରେ ରହିବା ପାଇଁ ସେ ନିଷ୍ପତି ନେଇଛନ୍ତି । ତେବେ ଅଜୟ କୁମାରଙ୍କ ରଣନୀତି, ନିଷ୍କ୍ରିୟ ହୋଇପଡିଥିବା ସଂଗଠନକୁ କେତେ କ୍ରିୟାଶୀଳ କରିପାରିବ, ତାହା ଦେଖିବାକୁ ବାକି ରହିଲା ।

The post ନୂଆ ପ୍ରଭାରୀଙ୍କ ନୂଆ ରଣନୀତି: ୨୧ ତାରିଖରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ first appeared on Kanak News.

from Kanak News
via <a href="https://ifttt.com/?

କଟକରୁ ଲଢିବେ କି ଅଶ୍ୱିନୀ? ମାରାଥନ କାର୍ଯ୍ୟକ୍ରମରୁ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ: କଟକର ଜିଲ୍ଲାପାଳ ଥିଲେ ଅଶ୍ୱିନୀ ବୈଷ୍ଣବ । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ମୋଦୀ ସରକାରରେ ମିଳିଲା ଗୁରୁତ୍ୱପୂର୍ଣ୍ଣ ବିଭାଗ । କିନ୍ତୁ କୁହାଯାଉଛି, ୨୦୨୪ରେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବାକୁ ପଡ଼ିବ । ଆଉ ସେହିକ୍ରମରେ କଟକ ଉପରେ ଆଖି ରଖିଛନ୍ତି ରେଳମନ୍ତ୍ରୀ । ଗୋଟିଏ ଦିନରେ କଟକରେ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ କାର୍ଯ୍ୟକ୍ରମ ଏହି ଚର୍ଚ୍ଚାକୁ ବଢ଼ାଇ ଦେଇଛି । କେନ୍ଦ୍ରମନ୍ତ୍ରୀ ବି ପ୍ରତିକ୍ରିିୟାରେ କହିଛନ୍ତି, ଦଳ ଯେଉଁ ଦାୟିତ୍ୱ ଦେବ, ତାକୁ ତୁଲାଇବେ ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ଲୋକସଭା ନିର୍ବାଚନମଣ୍ଡଳୀରେ ମାରାଥନ ଗସ୍ତ । କେନ୍ଦ୍ର ରେଳମନ୍ତ୍ରୀ ଆଠଗଡରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ଆଠଗଡ, ତିଗିରିଆ ଓ ବଡମ୍ବାକୁ ମାରାଥନ ଗସ୍ତ କରିଛନ୍ତି । ସଙ୍ଗଠନ ସମ୍ପର୍କରେ ନେତାଙ୍କ ସହ ଆଲୋଚନା କରିଛନ୍ତି ଆଉ ଲୋକଙ୍କୁ ପୁଳାପୁଳା ପ୍ରତିଶ୍ରୃତି ବି ଦେଇଛନ୍ତି । ଆଠଗଡ ଘଂଟିଖାଲରେ ଓଭରବ୍ରିଜ କରିବାକୁ ଘୋଷଣା କରିଛନ୍ତି । ଘଂଟିଖାଲ ଓ ରାଜାଆଠଗଡରେ ରେଳଷ୍ଟେସନରେ ଏକ୍ସପ୍ରେସ ରହଣି କରିବ ବୋଲି କହିଛନ୍ତି । ତିଗିରିଆ ପାଂଚଗାଁ ଖେଳପଡିଆରେ ଫୁଟବଲ ଟୁର୍ଣ୍ଣାମେଂଟରେ ସାମିଲ ହୋଇଛନ୍ତି । ଆଉ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ଯେ, କଟକରୁ ଅଶ୍ୱିନୀ ବୈଷ୍ଣବ ଲୋକସଭା ପ୍ରାର୍ଥୀ ହୋଇପାରନ୍ତି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ।

ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କେନ୍ଦ୍ରମନ୍ତ୍ରୀ ଓ ନେତାଙ୍କୁ ପଠାଇ ବିଜେପି ନିଜ ସପକ୍ଷରେ ମାହୋଲ ତିଆରି କରିଥିଲା । ତେଣୁ ସେହି ଆଧାରରେ ଅଶ୍ୱିନୀଙ୍କୁ ବି କଟକ ଭଳି ହାଇ ଭୋଲଟେଜ ଆସନରୁ ପ୍ରାର୍ଥୀ କରାଇବା ଯୋଜନା କରୁଛି ବିଜେପି । ୨୦୧୯ରେ କଟକରେ ବିଜେଡି ସାଂସଦ ଭର୍ତୃହରି ମହାତାବଙ୍କ ବିରୋଧରେ ଲଢିଥିଲେ ପ୍ରକାଶ ମିଶ୍ର ।

-ବିଜେପିର ପରାଜୟର ବ୍ୟବଧାନ ଲକ୍ଷେ ୨୧ ହଜାରରୁ ଅଧିକ ଥିଲା
-ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେପିର ଭୋଟ ପ୍ରତିଶତ ବଢିଥିଲା
-ବିଜେଡି ୨୦୧୪ ଅପେକ୍ଷା ୨୦୧୯ରେ ୧୦% କମ ଭୋଟ ପାଇଥିଲା
-ବିଜେପିର ଭୋଟ ପ୍ରତିଶତ ୨୩% ବଢିଥିଲା

ତେଣୁ ଅଶ୍ୱିନୀ ବୈଷ୍ଣବ କଟକରୁ ପ୍ରାର୍ଥୀ ହେଲେ ଏକ ବଡ ସମ୍ଭାବନା ସୃଷ୍ଟି ହୋଇପାରେ ହୋଲି ବିଜେପି ଆକଳନ କରୁଛି । ବିଜେଡି କହିଛି, ଏହାର କିଛି ପ୍ରଭାବ ପଡିବନି । ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱରରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ବାଲେଶ୍ୱରରେ ସେ ଜିଲ୍ଲାପାଳ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଆଉ ୧୯୯୯ ମହାବାତ୍ୟା ବେଳେ କଟକର ଜିଲ୍ଲାପାଳ ରହି ଗୁରୁ ଦାୟିତ୍ୱ ତୁଲାଇଥିଲେ । ତେଣୁ କଟକ ତାଙ୍କୁ ବେଶ୍ ସୁହାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

The post କଟକରୁ ଲଢିବେ କି ଅଶ୍ୱିନୀ? ମାରାଥନ କାର୍ଯ୍ୟକ୍ରମରୁ ବଢିଲା ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବାଦୀୟ ବୟାନ ଦେଇ ଫଶିଲେ ୩ ମାଲଦୀପ ମନ୍ତ୍ରୀ । ମାଲଦୀପ ସରକାର ତୁରନ୍ତ ନେଲେ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ମାଲଦୀପ ଓ ଭାରତ ମଧ୍ୟରେ ଲାକ୍ଷାଦୀପକୁ ନେଇ ବିବାଦ ଉପୁଜିଛି । ଏହାରି ମଧ୍ୟରେ ମାଲଦୀପ ସରକାରଙ୍କ ୩ ଜଣ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବାଦୀୟ ବୟାନ ଦେଇଥିଲେ । ଏହାକୁ ନେଇ ଭାରତ ପ୍ରତିକ୍ରିୟା ପ୍ରକାଶ କରିବା ପରେ ମାଲିଦୀପ ସରକାର ସେହି ୩ ମନ୍ତ୍ରୀଙ୍କୁ ସସ୍ପେଣ୍ଡ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମାଲଦୀପ ଗସ୍ତର କିଛି ଫଟୋ ପୋଷ୍ଟ କରିଥିଲେ । ଏହା ଉପରେ ମାଲଦୀପର ଯୁବ ସଶକ୍ତିକରଣ ମନ୍ତ୍ରୀ ମାରିୟମ ଶିଓନା ଏହି ପୋଷ୍ଟ ଉପରେ କିଛି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଭାରତୀୟ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଦ୍ୱାରା ଏହାକୁ ସମାଲୋଚନା କରାଯିବା ପରେ ସେ ତାଙ୍କ ଟିପ୍ପଣୀ ଡିଲିଟ୍ କରିଦେଇଥିଲେ   । ଏନେଇ ଭାରତ ତରଫରୁ ସମାଲୋଚନା କରାଯିବା ପରେ ମାଲଦୀପ ସରକାର କହିଥିଲେ କି, ଏହା ତାଙ୍କର ବ୍ୟକ୍ତିଗତ ମତ, ଏଥିରେ ମାଲଦୀପ ସରକାରଙ୍କର କୌଣସି ସଂପୃକ୍ତି ନାହିଁ ।

The post ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବାଦୀୟ ବୟାନ ଦେଇ ଫଶିଲେ ୩ ମାଲଦୀପ ମନ୍ତ୍ରୀ । ମାଲଦୀପ ସରକାର ତୁରନ୍ତ ନେଲେ କାର୍ଯ୍ୟାନୁଷ୍ଠାନ first appeared on Kanak News.

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗ ମୁର୍ସିଦାବାଦରେ ଟିଏମସି ନେତାଙ୍କୁ ଗୁଳିକରି ହତ୍ୟା । ବାଇକରେ ଆସି ଚଳାଇଥିଲେ ଆଖିବୁଜା ଗୁଳି

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁର୍ସିବାଦରେ ଟିଏମସି ନେତା ସତ୍ୟନ ଚୌଧୁରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି । କିଛି ଅଜ୍ଞାତ ବ୍ୟକ୍ତି ସତ୍ୟନଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ରବିବାର ମଧ୍ୟାହ୍ନରେ ବହରାମପୁର ଚଲଟିୟା ଠାରେ କିଛି ଅଜଣା ବ୍ୟକ୍ତି ବାଇକରେ ଆସି ସତ୍ୟନଙ୍କୁ ଅତି ନିକଟରୁ ଗୁଳି ମାରିଥିଲେ । ଏହି ଘଟଣା ପରେ ସତ୍ୟନଙ୍କୁ ତୁରନ୍ତ ମୁର୍ସିଦାବାଦ ହସ୍ପିଟାଲକୁ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସତ୍ୟନ ପ୍ରଥମେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କର ଅତି ନିକଟତର ଥିଲେ । ପରେ ସେ ଟିଏମସିରେ ଯୋଗ ଦେଇଥିଲେ । ହେଲେ ଏବେ କିଛିଦିନ ତଳେ ଟିଏମସି ସହ ସତ୍ୟନଙ୍କର ସଂପର୍କ ଠିକ୍ ନ ଥିଲା । ଏସବୁ ଭିତରେ ସତ୍ୟନକୁ କିଏ ଓ କାହିଁକି ହତ୍ୟା କଲା ତା ଉପରେ ତଦନ୍ତ କରୁଛି ସ୍ଥାନୀୟ ପୋଲିସ

The post ପଶ୍ଚିମବଙ୍ଗ ମୁର୍ସିଦାବାଦରେ ଟିଏମସି ନେତାଙ୍କୁ ଗୁଳିକରି ହତ୍ୟା । ବାଇକରେ ଆସି ଚଳାଇଥିଲେ ଆଖିବୁଜା ଗୁଳି first appeared on Kanak News.

from Kanak News
via <a href="https://ifttt.com/?

ଥାନା ଆଗରେ ଝିଅକୁ ଶୁଦ୍ଧି ହେଲେ ବାପା । ବିବାହିତ ବ୍ୟକ୍ତିଙ୍କୁ ବିବାହ କରିବାକୁ ବିରୋଧ କରିବାରୁ ବାପାଙ୍କ ନାମରେ ଥାନାରେ ଏତଲା ଦେଇଥିଲେ ଝିଅ

କନକ ବ୍ୟୁରୋ : ବାପାଙ୍କ କଥା ନମାନି ପ୍ରେମ ବିବାହ କରିଗଲେ ଝିଅ । ହେଲେ ଝିଅର ଏହି କାମକୁ ବିରୋଧ କଲେ ବାପା । ଏହାକୁ ନେଇ ଝିଅ ବାପାଙ୍କ ନାମରେ ଥାନାରେ ଏତଲା ଦେଲେ । ଏହାପରେ ଝିଅକୁ ଶୁଦ୍ଧି ହୋଇପଡ଼ିଲେ ବାପା । ଭଦ୍ରକ ଚାନ୍ଦବାଲିରୁ ଏପରି ଘଟଣା ସାମ୍ନାକୁ ଆସିଛି । ନାଲଗୁଣ୍ଡା ଇଟୁଆ ଗ୍ରାମର କାଳୀଚରଣ ପଣ୍ଡାଙ୍କ ଝିଅ କଲେଜରେ ପଢ଼ନ୍ତି । ହେଲେ ଏହି ସମୟରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣକ ପୂର୍ବରୁ ବିବାହିତ ଥିବା ବାପା ଜାଣିବାକୁ ପାଇଥିଲେ । ଏହାକୁ ନେଇ ସେ ଝିଅକୁ ବୁଝାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ହେଲେ ଝିଅ ଜଣଙ୍କ ଲୁଚି ପଳାଇ ସମ୍ପୃକ୍ତ ବିବାହିତ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । ଏହାପରେ ସେ ନିଜ ବାପାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ଝିଅର ଅଭିଯୋଗ ପରେ ବାପା ଜଣକ ଥାନା ଆଗରେ ଆସି ନିଆଁ ଜାଳି ଝିଅକୁ ଶୁଦ୍ଧି ହୋଇଛନ୍ତି । ଏପରି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କାରଣ ପାଲଟିଛି ।

The post ଥାନା ଆଗରେ ଝିଅକୁ ଶୁଦ୍ଧି ହେଲେ ବାପା । ବିବାହିତ ବ୍ୟକ୍ତିଙ୍କୁ ବିବାହ କରିବାକୁ ବିରୋଧ କରିବାରୁ ବାପାଙ୍କ ନାମରେ ଥାନାରେ ଏତଲା ଦେଇଥିଲେ ଝିଅ first appeared on Kanak News.

from Kanak News
via <a href="https://ifttt.com/?

ବିରୋଧୀ ଦଳର ଖେଳାଳୀଙ୍କ ଧ୍ୟାନ ଭଙ୍ଗ କରିବା ମୋର କାମ ଥିଲା, ଆଇପିଏଲ ପାଇଁ କ୍ରିକେଟରୁ ଶେଷ ହୋଇଯିବ ସ୍ଲେଜିଙ୍ଗ । ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏମିତି କହିଲେ ୱାର୍ଣ୍ଣର ।

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଡେଭିଡ ୱାର୍ଣ୍ଣର ଟେଷ୍ଟ ଓ ଦିନିକିଆ କ୍ରିକେଟକୁ ଅଲବିଦା କହିଛନ୍ତି । ପାକିସ୍ତାନ ବିପକ୍ଷରେ ନିଜ ଶେଷ ଟେଷ୍ଟ ମ୍ୟାଚ୍ ସିଡନୀରେ ଖେଳିଥିଲେ ୱାର୍ଣ୍ଣର । ତେବେ ଟେଷ୍ଟ ଓ ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ଟି-୨୦ ଖେଳ ଜାରି ରଖିବେ ୱାର୍ଣ୍ଣର । ତେବେ ଏହି ୨ ଫର୍ମାଟରୁ ଅବସର ନେବା ପରେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ୱାର୍ଣ୍ଣର କହିଛନ୍ତି, ଭବିଷ୍ୟତରେ ମୁଁ କୋଚ୍ ହେବାକୁ ଚାହୁଁଛି । ନିଜ ଶେଷ ଟେଷ୍ଟ ମ୍ୟାଚରେ ୱାର୍ଣ୍ଣର ଅର୍ଦ୍ଧଶତକ ମାରିଥିବା ବେଳେ ଅଷ୍ଟ୍ରେଲିଆ ଏହି ମ୍ୟାଚରେ ବିଜୟୀ ହୋଇଥିଲା ।

ୱାର୍ଣ୍ଣରଙ୍କୁ ନେଇ ସାଥୀ ଖେଳାଳୀ ଉସମାନ ଖ୍ୱାଜା କହିଛନ୍ତି, କ୍ୟାରିୟର ଆରମ୍ଭରୁ ୱାର୍ଣ୍ଣରଙ୍କୁ ବିପକ୍ଷ ଦଳର ଖେଳାଳୀଙ୍କୁ ସ୍ଲେଜିଙ୍ଗ କରିବାକୁ କୋଚିଙ୍ଗ ଷ୍ଟାଫ୍ କହୁଥିଲେ । ଏକଥାକୁ ୱାର୍ଣ୍ଣର ମଧ୍ୟ ମାନିଛନ୍ତି । ୱାର୍ଣ୍ଣର କହିଛନ୍ତି, ଯେତେବେଳେ ମୁଁ ଟିମକୁ ଆସିଥିଲି ସେତେବେଳେ ବିରୋଧୀ ଖେଳାଳୀଙ୍କୁ ସ୍ଲେଜିଙ୍ଗ କରିବା ସହ ସେମାନଙ୍କର ଧ୍ୟାନ ଭଙ୍ଗ କରିବାର ଦାୟିତ୍ୱ ମୋତେ ମିଳିଥିଲା । ପଡିଆରେ ମଧ୍ୟ ବିପକ୍ଷ ଦଳର ଖେଳାଳୀଙ୍କୁ ଅନେକ ସମୟରେ ସ୍ଲେଜିଙ୍ଗ କରିଛି । ମୋତେ ପ୍ରଥମରୁ ସେହିଭଳି ହିଁ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏବେ ଆଇପିଏଲ ଭଳି ଫ୍ରାଞ୍ଚାଇଜ ଟି-୨୦ ଲିଗରେ ଖେଳାଳୀ ମାନେ ପରସ୍ପର ସହ ଡ୍ରେସିଂ ରୁମ ସେୟାର କରିବା ପରେ ଭବିଷ୍ୟତରେ ସ୍ଲେଜିଂ ଅତୀତ ହୋଇଯିବ ବୋଲି କହିଛନ୍ତି ୱାର୍ଣ୍ଣର । ୱାର୍ଣ୍ଣର ଏଭଳି ଜଣେ ଖେଳାଳୀ ଯିଏ ବିନା ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ।

The post ବିରୋଧୀ ଦଳର ଖେଳାଳୀଙ୍କ ଧ୍ୟାନ ଭଙ୍ଗ କରିବା ମୋର କାମ ଥିଲା, ଆଇପିଏଲ ପାଇଁ କ୍ରିକେଟରୁ ଶେଷ ହୋଇଯିବ ସ୍ଲେଜିଙ୍ଗ । ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏମିତି କହିଲେ ୱାର୍ଣ୍ଣର । first appeared on Kanak News.

from Kanak News
via <a href="https://ifttt.com/?

ଜୟପୁରର ବଜରଙ୍ଗୀ ଭାଇଙ୍କୁ ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ । -ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ସନାତନ ସନ୍ଥ ବଜରଙ୍ଗୀ

କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଉତ୍ସବମୁଖର । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦେଶର ବିଭିନ୍ନ ସାଧୁ ସନ୍ଥ ତଥା କରସେବକୁ ନିମନ୍ତ୍ରଣପତ୍ର ପଠାଯାଉଛି । ଏହି କ୍ରମରେ ଓଡିଶାର ଜୟପୁରରେ ରହୁଥିବା ବଜରଙ୍ଗୀ ଭାଇଙ୍କୁ ମଧ୍ୟ ଏହି ପବିତ୍ର ଉତ୍ସବରେ ଯୋଗ ଦେବାକୁ ରାମ ମନ୍ଦିର କମିଟି ତରଫରୁ ନିମନ୍ତ୍ରଣପତ୍ର ଆସିଛି । ଏହି ନିମନ୍ତ୍ରଣପତ୍ର ପାଇବା ପରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ନେଇ ସମ୍ମତି ପ୍ରକାଶ କରିଛନ୍ତି ସନାତନ ସନ୍ଥ ବଜରଙ୍ଗୀ ବାବୁ । ପ୍ରଭୁ ରାମଙ୍କର ଜଣେ ଭକ୍ତ ଭାବେ ବେଶ ପରିଚିତ ଜୟପୁରରୁ ବଜରଙ୍ଗୀ ବାବୁ । ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଆନ୍ଦୋଳନରେ ଜଣେ ସକ୍ରିୟ ସଦସ୍ୟ ରହିଛନ୍ତି ବଜରଙ୍ଗୀ ।

The post ଜୟପୁରର ବଜରଙ୍ଗୀ ଭାଇଙ୍କୁ ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ । -ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ସନାତନ ସନ୍ଥ ବଜରଙ୍ଗୀ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started