
କନକ ବ୍ୟୁରୋ: ୨୦୧୯ ନିର୍ବାଚନ ପୂର୍ବରୁ ଯେମିତି ବରିଷ୍ଠ ନେତା ଦାମ ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା । ଆଉ ଆଗକୁ ଯେତେବେଳେ ୨୦୨୪ ନିର୍ବାଚନ ଆସୁଛି, ଠିକ୍ ତା’ ପୂର୍ବରୁ ତାଙ୍କ ଉପରୁ ବହିଷ୍କାର ଆଦେଶକୁ ଉଠାଇ ନେଇଛି ଦଳ । ଏହାକୁ ନେଇ ଦାମଙ୍କ ସମର୍ଥକ ବେଶ୍ ଖୁସି ଓ ଉତ୍ସାହିତ ହୋଇପଡ଼ିଛନ୍ତି । ବହିଷ୍କାର ହଟିବା ପରେ ଦାମଙ୍କ ଘର ଆଗରେ ବାଣଫୁଟାଇ, ବାଜା ବଜାଇ ଜୋରଦାର ସେଲିବ୍ରେସନ୍ ହୋଇଛି ।
- ଦାମଙ୍କ ଉପରୁ ହଟିଲା ବିଜେଡିରୁ ବହିଷ୍କାର ଆଦେଶ
- ୬ ବର୍ଷ ପରେ ହଟାଇଲେ ବିଜେଡି ସୁପ୍ରିମୋ
ରାଜ୍ୟ ରାଜନିତୀର ବରିଷ୍ଠ ତଥା ଅଭିଜ୍ଞ ରାଜନେତା ଦାମୋଦର ରାଉତଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ । ନୂଆ ବର୍ଷ ଅବସରରେ ଦୀର୍ଘ ୬ ବର୍ଷ ପରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦାମଙ୍କ ଉପରୁ ବହିଷ୍କାର ଆଦେଶକୁ ହଟାଇଛନ୍ତି । ଆଉ ବହିଷ୍କାର ହଟିବା ପରେ, ଦାମ ରାଉତଙ୍କ ସମର୍ଥକ ଉତ୍ସବ ମନାଇଛନ୍ତି । ସେ ରହୁଥିବା ସରକାରୀ ବାସଭବନ ନିକଟରେ ବାଣ ଫୁଟାଇ, ମିଠା ଖୁଆଇ, ଜିନ୍ଦାବାଦ ନାରା ଦେଇଛନ୍ତି ତାଙ୍କ ସମର୍ଥକ । ଏପରିକି ପାରାଦୀପ ବିଧାୟକ ତଥା ଦାମଙ୍କ ପୁଅ ସମ୍ବିତ ରାଉତଙ୍କୁ କାନ୍ଧରେ ବସାଇ ନାଚିଥିଲେ ଦାମଙ୍କ ସମର୍ଥକ । ତେବେ ବାପାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର ପରେ ଭାବବିହ୍ୱଳ ହୋଇପଡିଛନ୍ତି ପୁଅ ସମ୍ବିତ ରାଉତରାୟ ।
୨୦୧୮ ସେପ୍ଟେମ୍ବର ୧୨ ତାରିଖରେ ଏକ ନାଟକୀୟ ଢଙ୍ଗରେ ଦାମଙ୍କୁ ବିଜେଡିରୁ ବହିଷ୍କାର କରିଥିଲେ ନବୀନ ପଟ୍ଟନାୟକ । ବ୍ରାହ୍ମଣ ସମାଜ ପ୍ରତି ଅରୁଚିକର ତଥା କଟୁ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା । କିନ୍ତୁ ତାଙ୍କ ଉପରୁ ବହିଷ୍କାର ଆଦେଶ ହଟିଯାଉ ବୋଲି ସେ ଚାହୁଁଥିଲେ ।
ସୂଚନାଯୋଗ୍ୟ ଯେ, ବିଜେଡିରୁ ବହିଷ୍କାର ପରେ ୧୪ ମାର୍ଚ୍ଚ ୨୦୧୯ରେ ବିଜେପିରେ ସାମିଲ ହୋଇଥିଲେ ଦାମ । ବାଲିକୁଦା-ଏରସମା ପାଇଁ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇ ପରାଜୟବରଣ କରିଥିଲେ ହେଭିୱେଟ ନେତା । କିନ୍ତୁ ଦାମୋଦର ରାଉତ ଏବେ କିଛି ଦିନ ହେଲା ଅସୁସ୍ଥ ଅଛନ୍ତି । ତାଙ୍କ ଚିକିତ୍ସା ଏକ ଘରୋଇ ହସ୍ପିଟାଲରେ ଚାଲିଛି ।
The post ଦାମ ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଲେ ବିଜେଡି ସୁପ୍ରିମୋ । ୨୦୧୮ରେ ହୋଇଥିଲେ ବହିଷ୍କୃତ । first appeared on Kanak News.
from Kanak News
via <a href="https://ifttt.com/?








