
କନକ ବ୍ୟୁରୋ: ନିର୍ବାଚନ ଆସିଲେ ଚିଲିକା ଟାପୁରେ ଥିବା ଲୋକଙ୍କ କଥା ମନେପଡେ । ଚିଲିକାର ନୀଳ ଜଳରାଶି ପାରି ହୋଇ ଲୋକଙ୍କ ପାଖକୁ ଧାଇଁ ଆସନ୍ତି ନେତା । ଆଉ ସବୁ ଥର ଚିଲିକାରେ ସେତୁ କରିଦେବୁ କହି ନିର୍ବାଚନ ବୈତରଣୀ ପାର ହୁଅନ୍ତି । ଭୋଟ ଗଣତି ସରିଲେ, ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ବି ସରିଯାଏ । ପୋଲ ଯାଏ ପାଣିକୁ, ଲୋକ ପାଣି ପାରି ହୁଅନ୍ତି ଡଙ୍ଗା ଓ ଭସା ପୋଲରେ । ବିନା ନିରାପତ୍ତାରେ, ବିନା ଲାଇଫ ଜାକେଟରେ, ଚିଲିକା ବାହିଯାଏ ଯାତ୍ରୀବାହି ଡଙ୍ଗା ।
- ପାଖେଇ ଆସୁଛି ବିଧାନସଭା ନିର୍ବାଚନ
- କିଏ କରିବ ଚିଲିକା ଉପରେ ସେତୁ?
- ଭୋଟର କେତେ ଶୁଣିବେ ନେତାଙ୍କ ପ୍ରତିଶୃତି?
- ଏଥର ଚିଲିକାରେ ସେତୁ ଖୋଲି ଦେବ ନେତାଙ୍କ ଭାଗ୍ୟ!
ପର୍ଯ୍ୟଟନ ସ୍ଥଳି ଭାବେ ରାଜ୍ୟରେ ସର୍ବାଧିକ ରାଜସ୍ୱ ଦେଉଥିବା ଚିଲିକାରେ ଗମନାଗମନକୁ ସହଜ କରିବା ଦିଗରେ ପ୍ରଶାସନ ନଜର ଦେଉନଥିବା ଅଭିଯୋଗ ହୋଇଛି । ଚିଲିକା ଟାପୁକୁ ସ୍ଥାୟୀ ପୋଲଟିଏ ଦାବିରେ ୨୦୨୧ରେ ମିଳି ବାନ୍ଧିଥିଲେ କୃଷ୍ଣପ୍ରସାଦବାସୀ । ଖାଲି ସେତିକି ନୁହେଁ, କମଳେଶ୍ୱର ମନ୍ଦିର ପରିସରରେ ଖୋଲା ମଞ୍ଚରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁବିଦ୍ୟାଧର ମହାପାତ୍ର ଏବଂ ପୂର୍ବତନ ବିଧାୟକ ସଂଜୟ ଦାସବର୍ମାଙ୍କୁ ନେଇ ବୈଠକ କରିଥିଲେ । ହେଲେ ତା’ବି କାମ ଦେଲାନାହିଁ ।
ଏବେ ଆଉ ପ୍ରତିଶ୍ରୁତି ଶୁଣିବାର ନାହିଁ । ୨୦୨୪ରେ ନେତାଙ୍କ କଥାରେ ଭଳିକି ନୁହେଁ, ନିଜ ପସନ୍ଦର ନେତାଙ୍କୁ ବାଛିବାକୁ ମନସ୍ଥ କରିଛନ୍ତି ଟାପୁ ବାସିନ୍ଦା । ତେଣୁ ସାତପଡା–ଜହ୍ନିକୁଦା-ଚିଲିକାରେ ସ୍ଥାୟୀ ସେତୁ ପ୍ରସଙ୍ଗ ଆସନ୍ତା ସାଧାରଣ ନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେପି-ବିଜେଡି ଓ କଂଗ୍ରେସ ଉପରେ ବଡ ପ୍ରଭାବ ପକାଇପାରେ । ସେପଟେ ବିଜେପି ରାଷ୍ଟ୍ରୀୟ ପ୍ରବୋକ୍ତା ସମ୍ବିତ୍ ପାତ୍ର କହିଛନ୍ତି, ଖୁବ୍ଶୀଘ୍ର ଚିଲିକାରେ ନିର୍ମାଣ ହେବ ସ୍ଥାୟୀ ପୋଲ । ତେବେ ଲୋକମାନେ ଜୀବନକୁ ବାଜି ଲଗାଇ ପ୍ରତିଦିନ ୫ କିଲୋମିଟର ଜଳଯାତ୍ରା କରୁଛନ୍ତି । ଚିଲିକା ଉପରେ ସ୍ଥାୟୀ ସେତୁ ହେଲେ କୃଷ୍ଣପ୍ରସାଦ ବ୍ଲକ ତଥା ଚିଲିକାଟାପୁରେ ଥିବା ୧୪ଟି ପଞ୍ଚାୟତର ୮୦ ହଜାର ଲୋକ ଉପକୃତ ହେବେ ।
The post ୨୦୨୪ରେ ଚିଲିକାରେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ପୋଲ । କୃଷ୍ଣପ୍ରସାଦବାସୀଙ୍କ ଚେତାବନୀ, ଭୋଟ୍ ପୂର୍ବରୁ ପୋଲ ନଦେଖିଲେ ବାଛିବେନି ନେତା first appeared on Kanak News.
from Kanak News
via <a href="https://ifttt.com/?








