ଜାନୁଆରୀରେ ଓଡ଼ିଶା ଆସିବେ ରାହୁଲ: ନେତା, କର୍ମୀଙ୍କ ଭିତରେ ଭରିବେ ନୂଆ ଜୋସ୍

କନକ ବ୍ୟୁରୋ: ଓଡ଼ିଶାରେ ଲଢ଼େଇ ପାଇଁ ଦିଲ୍ଲୀରେ ପ୍ରସ୍ତୁତ ହୋଇଛି କଂଗ୍ରେସର ରଣନୀତି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଓଡ଼ିଶା କଂଗ୍ରେସ ନେତା ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏଥିସହ ଜାନୁୟାରୀ ମାସରେ କଂଗ୍ରେସର ପୋଷ୍ଟରବୟ ରାହୁଲ ଗାନ୍ଧୀ, ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି କଂଗ୍ରେସ ନେତା ।

୨୦୨୪ ନିର୍ବାଚନ ପ୍ରସ୍ତୁତି ପାଇଁ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ରଣନୀତି କରିବା ପରେ ଓଡିଶା ଫେରିଛନ୍ତି ରାଜ୍ୟ କଂଗ୍ରେସ ନେତା । ଦଳକୁ ତୃଣମୂଳସ୍ତରରୁ ସଂଗଠିତ କରି ସାଧାରଣ ନିର୍ବାଚନ ମଇଦାନକୁ ପୂର୍ଣ୍ଣ ଶକ୍ତି ସହ ଓହ୍ଲାଇବାକୁ ଯୋଜନା ହୋଇଛି । ଆଉ ଏଥିପାଇଁ ନୂଅବର୍ଷରୁ ଜାତୀୟ ସ୍ତରର ନେତାଙ୍କ ମାରାଥନ ଗସ୍ତ ଆରମ୍ଭ ହେବ ବୋଲି ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ ନେତା କହିଛନ୍ତି ।

ଓଡିଶାରେ ଲଢିବା ପାଇଁ ଦିଲ୍ଲୀରେ କଂଗ୍ରେସର ରଣନୀତି ପ୍ରସ୍ତୁତ ହୋଇଛି । ଓଡିଶାରେ ୯୦ ଆସନ ଜିତିବାକୁ ରଣନୀତି ହୋଇଛି । ତେବେ ରଣନୀତି ନେଇ ନେତା ମୁହଁ ଖୋଲୁନଥିଲେ ମଧ୍ୟ, କଂଗ୍ରେସ ମହଲର ସୂଚନା ବେରୋଜଗାର, ନାରୀ ନିର୍ଯ୍ୟାତନା, ଦୁର୍ନୀତି ସହ ବିଜେଡି-ବିଜେପି ସଲାସୁତୁରା ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ । ଏପରିକି ପଡୋଶୀ ରାଜ୍ୟ ତେଲେଙ୍ଗାନାର ସଫଳତା ପରେ ତେଲେଙ୍ଗାନା ମୋଡେଲ ଆପଣେଇପାରେ ଦଳ । ରାଜ୍ୟରେ ଦୁର୍ବଳ ସ୍ଥିତିରେ ଥିବା କଂଗ୍ରେସରେ ନୂଆ ଜୋସ ଭରିବାକୁ, ନୂଆ ରାସ୍ତା ଦେଖାଇବାକୁ ଜାନୁଆରିରେ ଆସୁଛନ୍ତି ରାହୁଲ ଗାନ୍ଧୀ । କେବଳ ରାହୁଲ ନୁହଁନ୍ତି କଂଗ୍ରେସ ଅଧ୍ୟକ୍ଷ ଖଡେଗ ଓ ଦଳର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି ।

ସବୁଠୁ ପୁରୁଣା କଂଗ୍ରେସର ବଡ ସମସ୍ୟା ହେଉଛି ଦଳୀୟ କନ୍ଦଳ । ରାଜ୍ୟରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଏକଜୁଟ ହୋଇ ଶାସକ ଦଳ ବିରୋଧରେ ଲଢେଇ ବଦଳରେ ଦଳୀୟ କନ୍ଦଳରେ ମାତି ଶକ୍ତି କ୍ଷୟ କରିବାର ଅନେକ ନଜିର ରହିଛି । ଏପରି କି ଦିଲ୍ଲୀ ଗସ୍ତରେ ଯାଇଥିବା ନେତା ହାଇକମାଣ୍ଡଙ୍କ ଆଗରେ ମଧ୍ୟ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । କୌଣସି କଥାକୁ ନେଇ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଓ ବିଧାୟକ ତାରାପ୍ରସାଦ ବାହିନୀପତି କଥା କଟାକଟି ହୋଇଥିବା କୁହାଯାଉଛି । ଏଣୁ ରାହୁଲ, ଖଡେଗଙ୍କ ଓଡିଶା ଗସ୍ତ ଦଳର ଅର୍ନ୍ତକନ୍ଦଳକୁ ତୁଟାଇବାରେ କେତେ ସହାୟକ ହେବ ତାହା ସମୟ କହିବ ।

ତେଲେଙ୍ଗାନାରେ ଯେମିତି କଂଗ୍ରେସ ତୃତୀୟ ସ୍ଥାନରେ ଥାଇ ସରକାର ଗଢିଲା । ଠିକ୍ ସେହି ଢଙ୍ଗରେ, ସେହି ରଣନୀତି ଓଡିଶାରେ ସରକାର ଗଢିବାକୁ କଂଗ୍ରେସ ଯୋଜନା କରିଛି । ଜାତୀୟସ୍ତରର ଶୀର୍ଷ ନେତାଙ୍କୁ ଓଡିଶା ଆଣି ତୃଣମୂଳସ୍ତରରେ ଲଢୁଥିବା କର୍ମୀଙ୍କ ମଧ୍ୟରେ ଜୋସ ଭରିବାକୁ ଯୋଜନା ହୋଇଛି ।

The post ଜାନୁଆରୀରେ ଓଡ଼ିଶା ଆସିବେ ରାହୁଲ: ନେତା, କର୍ମୀଙ୍କ ଭିତରେ ଭରିବେ ନୂଆ ଜୋସ୍ first appeared on Kanak News.

from Kanak News
via <a href="https://ifttt.com/?

ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ୨୪ ଘଂଟାରେ ୬୪୦ ସଂକ୍ରମିତ ଚିହ୍ନଟ, କେରଳରେ ସବୁଠୁ ଅଧିକ ସଂକ୍ରମିତ

କନକ ବ୍ୟୁରୋ : ଦେଶରେ ପୁଣି ମୁଣ୍ଡ ଟେକିଛି କୋଭିଡ ଭୟ । ଲଗାତର ଦେଶରେ ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଓମିକ୍ରନର ସବ୍ ଭ୍ୟାରିଆଂଟ ଜେଏନଡଟୱାନ ଭୂତାଣୁ ୧୫ରୁ ଅଧିକ ରାଜ୍ୟରେ ବ୍ୟାପିସାରିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ କହିଛନ୍ତି । କୋଭିଡର ନୂଆ ଭାଇରସକୁ ନେଇ ବର୍ତମାନ ଭୟଭୀତ ହେବା କାରଣ ନାହିଁ କିନ୍ତୁ ସର୍ତକ ରହିବା ଜରୁରୀ ।

ରାଜ୍ୟକୁ ରାଜ୍ୟ ଡେଉଁଛି ‘ଜେଏନ୍ଡଟ୍ୱାନ୍’
-ଶୁକ୍ରବାର ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ଛୁଇଁଛି
-୨୪ଘଂଟାରେ ୬୪୦ କୋଭିଡ ସଂକ୍ରମିତ ଚିହ୍ନଟ
-କେବଳ କେରଳରୁ ୨୬୫ ସଂକ୍ରମିତ ଚିହ୍ନଟ, ୧ମୃତ
-ରାଜସ୍ଥାନ ଓ ପଶ୍ଚିମବଙ୍ଗରୁ ନୂଆ ସଂକ୍ରମିତ ଚିହ୍ନଟ
-ମୋଟ ୧୬ରାଜ୍ୟରେ ବ୍ୟାପିଛି ଜେଏନଡଟୱାନ ଭୂତାଣୁ

କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ନୂଆବର୍ଷ ଆରମ୍ଭରୁ କର୍ଣ୍ଣାଟକର ସମସ୍ତ ଘରୋଇ ଓ ସରକାରୀ ସ୍କୁଲରେ କୋଭିଡ ପ୍ରୋଟୋକଲ ଲାଗୁ କରାଯାଇପାରେ । କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସମୀକ୍ଷା ବୈଠକ । ଦେଶବାସୀଙ୍କୁ ଭୟଭୀତ ନରହି ଓ ସତର୍କ ରହିବାକୁ ପରାର୍ମଶ ଦିଆଯାଇଛି । ବଡଦିନ, ନୂଆବର୍ଷ ଓ ଭିଡରୁ ଦୂରେଇ ରହିବାକୁ କୁହାଯାଉଛି । ବୃଦ୍ଧ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ସେପଟେ ସିଙ୍ଗାପୁର, ଇଣ୍ଡୋନେସିଆ, ମାଲେସିୟା, ଚୀନରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି । ଏହି ଦେଶମାନଙ୍କରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲିଛି ।

The post ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ୨୪ ଘଂଟାରେ ୬୪୦ ସଂକ୍ରମିତ ଚିହ୍ନଟ, କେରଳରେ ସବୁଠୁ ଅଧିକ ସଂକ୍ରମିତ first appeared on Kanak News.

from Kanak News
via <a href="https://ifttt.com/?

ପୁଂଛ ଆତଙ୍କୀ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ । ଘଟଣାସ୍ଥଳରୁ ଆମେରିକା ଅସ୍ତ୍ରଶସ୍ତ୍ର ଜବତ

କନକ ବ୍ୟୁରୋ : ଗୁରୁବାର ରୌଜରୀ ଜିଲ୍ଲା ପଂଛ୍ ସେକ୍ଟରରେ ଆତଙ୍କୀ ଆକ୍ରମଣ ପରେ ଆକ୍ସନ ମୋଡକୁ ଆସିଛି ଭାରତୀୟ ସେନା । ସ୍ଥଳ ସେନା ଓ ବାୟୁସେନା ପୁଂଛ ସେକ୍ଟରରେ ତନ୍ନ ତନ୍ନ କରି ସର୍ଚ୍ଚ ଅପରେସନ କରୁଛନ୍ତି । ଯେଉଁଠି ଆତଙ୍କୀ ଲୁଚି ରହିଥିବା ସହେନ୍ଦ ହେଉଛି ସେ ସ୍ଥାନକୁ ବୋମା ମାଡରେ ଉଡାଯାଉଛି । ଆକାଶଠୁ ନେଇ ସ୍ଥଳପଥ ସବୁଠି ପଇଁତରା ମାରୁଛି ସେନା । ଗୁରୁବାର ଜମ୍ମୁ-କାଶ୍ମୀର ରଜୌରି ଥାନାମଣ୍ଡି- ସୁରନକୋଟ୍ ରୋଡ୍, ଡେରା କି ଗଲି ଠାରେ ଆତଙ୍କବାଦୀ ମାନେ ଅତର୍କିତ ଆକ୍ରମଣ କରିଥିଲେ । ଯବାନ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଯବାନ ଓ ଆତଙ୍କବାଦୀଙ୍କ ଭିତରେ ମୁହାଁମୁହିଁ ଲଢେଇ ହୋଇଥିଲା । ଏପରିକି ଉଭୟ ପକ୍ଷ ଭିତରେ ହାତାହାତି ଲଢେଇ ହୋଇଥିବା ସୂଚନା ଆସୁଛି । ସହିଦ ୨ ଯବାନଙ୍କ କ୍ଷତ ବିକ୍ଷତ ଶରୀରରୁ ଏକଥା ଅନୁମାନ କରାଯାଉଛି । ଆତଙ୍କବାଦୀମାନେ ଯବାନଙ୍କୁ ଆକ୍ରମଣ କରିବା ପରେ ସେମାନଙ୍କ ଅସ୍ତ୍ରଶସ୍ତ୍ର ମଧ୍ୟ ଲୁଟି ନେଇଥିଲେ ।

ଗୋଟେପଟେ ଦେଶ ତାର ବୀର ଯବାନଙ୍କୁ ହରାଇଛି ଅନ୍ୟପଟେ ଆତଙ୍କୀ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେପି ସରକାରଙ୍କ ଶାସନରେ ସବୁଠୁ ଅଧିକ ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଥିବାକହିଛି ଶିବସେନା । ପୁଂଛ ଆକ୍ରମଣକୁ ପୁଲୱାମା ଆକ୍ରମଣ ସହ ଦଳ ତୁଳନା କରିଛି । ସେପଟେ ନ୍ୟାଶନାଲ କନଫେରେନ୍ସ ନେତା ଫାରୁକ ଅବଦୁଲ୍ଲା କହିଛନ୍ତି ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରୁ କମିନି ଆତଙ୍କୀ କାର୍ଯ୍ୟକଳାପ । ସରକାର କେବଳ ପର୍ଯ୍ୟଟନ କଥା କହୁଛନ୍ତି ଅଥଚ ସେନା ଓ ଜନତାଙ୍କୁ ସୁରକ୍ଷା ଦେବାରେ ବିଫଳ ସାବ୍ୟସ୍ତ ହୋଇଛନ୍ତି ।

ଆତଙ୍କୀ ଆକ୍ରମଣ ଘଟଣାକୁ ବିରୋଧ କରି ଜମ୍ମୁରେ ଜୋରଦାର ବିକ୍ଷୋଭ କରିଛି ଡୋଗରା ଫ୍ରଂଟ । ପାକିସ୍ତାନ ସରକାର ଓ ସେନାର ଫଟୋ ଜାଳି ସ୍ଲୋଗାନ ଦେଇଛନ୍ତି ପ୍ରଦର୍ଶନକାରୀ । ଆତଙ୍କବାଦୀଙ୍କ ବିରୋଧରେ ଭାରତ ସରକାର ଓ ସେନା କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଡୋଗରା ଫ୍ରଣ୍ଟ ।

The post ପୁଂଛ ଆତଙ୍କୀ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ । ଘଟଣାସ୍ଥଳରୁ ଆମେରିକା ଅସ୍ତ୍ରଶସ୍ତ୍ର ଜବତ first appeared on Kanak News.

from Kanak News
via <a href="https://ifttt.com/?

ଜନ୍ତରମନ୍ତରରେ ପହଁଚିଲା ବିରୋଧୀଙ୍କ ଆନ୍ଦୋଳନ । ସାଂସଦଙ୍କୁ ନିଲମ୍ବନକୁ ବିରୋଧ କରି ସାରା ଦେଶରେ ଇଣ୍ଡିଆ ମେଣ୍ଟର ପ୍ରତିବାଦ

କନକ ବ୍ୟୁରୋ : ମିିଳିତ ମଂଚରେ ବିରୋଧୀ ମେଂଟଙ୍କ ଶକ୍ତିପ୍ରଦର୍ଶନ । ସଂସଦରୁ ୧୪୬ଜଣ ସାଂସଦଙ୍କୁ ନିଲମ୍ବନ ଘଟଣାରେ ଶୁକ୍ରବାର ଜନ୍ତରମନ୍ତରରେ ବିରୋଧୀ ଗଣତନ୍ତ୍ର ବଂଚାଅ ଅଭିଯାନ ସହ ଧାରଣା ଦେଇଛନ୍ତି । କଂଗ୍ରେସ ନେତୃତ୍ୱରେ ସବୁ ବିରୋଧୀ ଦଳ ଏକାଠି ମିଶି ସରକାରଙ୍କ ବିରୋଧରେ ଧାରଣା ଦେଇ ସରକାରଙ୍କୁ ସଂସଦ ସୁରକ୍ଷା ତ୍ରୁଟି ଓ ସାଂସଦଙ୍କ ନିଲମ୍ବନ ପ୍ରସଙ୍ଗରେ ପ୍ରଶ୍ନ ପଚାରିଛନ୍ତି । ସଂସଦ ସୁରକ୍ଷା ତ୍ରୁଟି କାହିଁକି ହେଲା ଓ ଏହା ଉପରେ ସରକାର ସଂସଦରେ କ’ଣ ପାଇଁ ବିବୃତ୍ତି ରଖୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏଥିସହ ରାହୁଲ କହିଛନ୍ତି ଗଣତନ୍ତ୍ରକୁ ଶ୍ୱାସରୁଦ୍ଧ କରାଯାଉଛି । ଦେଶରେ ବିଚାରଧାରାର ଲଢେଇ ଚାଲିଛି । ଘୃଣା ଓ ପ୍ରେମର ଲଢେଇ ଆଗକୁ ମଧ୍ୟ ଜାରି ରହିବ ।

ବିଜେପି କହିଛି ୪ବିଧାନସଭା ନିର୍ବାଚନରେ ହାରିବା ପରେ କଂଗ୍ରେସ ହତାଶ ହୋଇପଡିଛି । ତେଣୁ ଜାଣିଶୁଣି ସଂସଦ କାମରେ ବାଧା ଆଣୁଛି । ଗଣତନ୍ତ୍ର ମନ୍ଦିରରେ ବିରୋଧୀ ମେଂଟର ଏଭଳି ଆଚରଣ ସେମାନଙ୍କ ଅଂହକାରକୁ ଦର୍ଶାଉଛି । ଆଗାମୀ ନିର୍ବାଚନରେ ମେଂଟକୁ ଏହାର ପରିଣାମକୁ ସାମ୍ନା କରିବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକରୁ ।

ସଂସଦ ସୁରକ୍ଷା ତ୍ରୁଟି ଘଟଣା ପରେ ସଂସଦରେ ବାରମ୍ବାର ହଟ୍ଟଗୋଳ କରୁଛନ୍ତି ବିରୋଧୀ । ଗୃହକାମରେ ବାଧା ଆଣିବାରୁ ଏବେ ସୁଦ୍ଧା ୧୪୬ଜଣ ସାଂସଦଙ୍କୁ ନିଲମ୍ନ କରାଯାଇଛି । ଯାହା ବିରୋଧରେ ଗୋଟେପଟେ ଜନ୍ତରମନ୍ତରରେ ବିରୋଧୀ ଧାରଣା ଦେଇଥିବାବେଳେ ସେପଟେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛନ୍ତି ଯୁବ କଂଗ୍ରେସକର୍ମୀ ।

The post ଜନ୍ତରମନ୍ତରରେ ପହଁଚିଲା ବିରୋଧୀଙ୍କ ଆନ୍ଦୋଳନ । ସାଂସଦଙ୍କୁ ନିଲମ୍ବନକୁ ବିରୋଧ କରି ସାରା ଦେଶରେ ଇଣ୍ଡିଆ ମେଣ୍ଟର ପ୍ରତିବାଦ first appeared on Kanak News.

from Kanak News
via <a href="https://ifttt.com/?

ଲୋକସଭା ନିର୍ବାଚନୀ ପ୍ରସ୍ତୁତି ପଥରେ ବିଜେପି । ଶୁକ୍ରବାରଠୁ ଦିଲ୍ଲୀରେ ଦଳୀୟ ପଦାଧିକାରଙ୍କୁ ନେଇ ଦୁଇ ଦିନିଆ ବୈଠକ ଆରମ୍ଭ

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଏବେଠୁ ଆରମ୍ଭ କରିଦେଲେଣି ପ୍ରସ୍ତୁତି । ଏହାରି ଭିତରେ ବିଜେପି ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି । ଦଳର ପଦାଧିକାରୀଙ୍କୁ ନେଇ ଘନ ଘନ ବୈଠକ କରୁଛି ବିଜେପି । ଶୁକ୍ରବାରଠୁ ଦିଲ୍ଲୀରେ ଦଳ ଦୁଇ ଦିନିଆ ବୈଠକ ଆରମ୍ଭ ହୋଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ସମେତ ଅନେକ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ୨୦୨୪ରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ବସିଛି । ତେବେ ଏଥର ନିର୍ବାଚନ ପାଇଁ ଦଳର ସ୍ଲୋଗାନ୍ ରହିଛି, ସପନେ ନେହିଁ, ହକିକତ ବୁନତେ , ଇସିଲିଏ ତୋ ସବ୍ ମୋଦୀକୋ ଚୁନତେ’ । ସେହିପରି ୨୦୧୪ରେ ବିଜେପିର ସ୍ଲୋଗାନ୍ ‘ଅଚ୍ଛେ ଦିନ୍ ଆନେ ୱାଲା ହେଁ’ ରହିଥିବା ବେଳେ ୨୦୧୯ରେ ରହିଥିଲା, ଫିର୍ ଏକ ବାର୍ ମୋଦୀ ସରକାର ।

The post ଲୋକସଭା ନିର୍ବାଚନୀ ପ୍ରସ୍ତୁତି ପଥରେ ବିଜେପି । ଶୁକ୍ରବାରଠୁ ଦିଲ୍ଲୀରେ ଦଳୀୟ ପଦାଧିକାରଙ୍କୁ ନେଇ ଦୁଇ ଦିନିଆ ବୈଠକ ଆରମ୍ଭ first appeared on Kanak News.

from Kanak News
via <a href="https://ifttt.com/?

ରେଳ ଧାରଣା ଉଡାଇଦେଲେ ମାଓବାଦୀ: ମୁମ୍ବାଇ-ହାୱଡା ରେଳ ଚଳାଚଳ ପ୍ରଭାବିତ

କନକ ବ୍ୟୁରୋ: ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଓଡ଼ିଶା ଓ ଓଡ଼ିଶା ସୀମାନ୍ତ ଅଂଚଳରେ ସକ୍ରିୟ ହୋଇଛନ୍ତି ମାଓବାଦୀ । କନ୍ଧମାଳ ବୌଦ୍ଧ ଠାରୁ ଆରମ୍ଭ କରି ସୁନ୍ଦରଗଡ଼ ସୀମାନ୍ତ ଅଂଚଳରେ ସେମାନଙ୍କର ଉପସ୍ଥିତି ଜାହିର କରିଛନ୍ତି । ଭାରତ ବନ୍ଦ ଡାକରା ଦେବା ସହ ଗୁରୁବାର ରାଉରକେଲା ଷ୍ଟେସନ୍ ନିକଟରେ ଥିବା ଟ୍ରେନ୍ ଟ୍ରାକକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି ।
ବେଶ କିଛି ଦିନର ନିରବତା ପରେ ନିଜ ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । ଭାରତ ବନ୍ଦ ଡାକରା ଦେଇଥିବା ମାଓବାଦୀ ଗୁରୁବାର ରାଉରକେଲା ଷ୍ଟେସନ ନିକଟରେ ଟ୍ରେନ ଟ୍ରାକକୁ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି ।

ଗୁରୁବାର ରାତିରେ ଓଡିଶା ସୀମାନ୍ତ ଝାଡଖଣ୍ଡର ଚକ୍ରଧରପୁର ଡିଭିଜନର ଗୋଇଲକେରା-ପୋସାଇଟା ମଧ୍ୟରେ ରେଳ ଧାରଣାକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ ମାଓବାଦୀ । ସେଠାରେ ମାଓବାଦୀ ପୋଷ୍ଟର, ବ୍ୟାନର ମାରି ବନ୍ଦ ପାଳନ ପାଇଁ ଜନତାଙ୍କୁ ଅପିଲ କରିଛନ୍ତି । ଖବର ପାଇ ତୁରନ୍ତ ସେହି ରୁଟରେ ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଥିଲା । ଫଳରେ ରାଉରକେଲା ଷ୍ଟେସନରେ ଏକାଧିକ ଟ୍ରେନ ଅଟକି ଯିବାରୁ ଯାତ୍ରା ନାହିଁନଥିବା ହଇରାଣ ହୋଇଛନ୍ତି । ରାଉରକେଲା ଷ୍ଟେସନରେ ମଶା, ଅନିଦ୍ରାରେ ପୁରା ରାତି କାଟିଛନ୍ତି ଟ୍ରେନ ଯାତ୍ରୀ । ରେଳ ଧାରଣା ସଜଡା ଯିବା ପରେ ସକାଳ ୯ଟା ୧୫ରେ ମୁମ୍ବାଇ-ହାୱଡା ରେଳ ଚଳାଚଳ ସ୍ୱାଭାବିକ ହୋଇଛି । ପୋଲିସ ମାଓ ପୋଷ୍ଟର, ବ୍ୟାନର ଜବତ କରିଛି ।

ସୁନ୍ଦରଗଡ ଟାଉନଥାନା ଘରୋଇ ବସ୍ଷ୍ଟାଣ୍ଡ ନିକଟ ଓଭରବ୍ରିଜ କାନ୍ଥରେ ମାଓ ପୋଷ୍ଟର । ଶୁକ୍ରବାର ସକାଳେ ସହରେ ଭିତରେ ମାଓ ପୋଷ୍ଟର ଲାଗିବା ଖବର ସୁନ୍ଦରଗଡରେ ଚାଂଚଲ୍ୟ ଖେଳାଇ ଦେଇଥିଲା ।

ମାଓ ପୋଷ୍ଟରରେ ପିପୁଲ୍ସ ଲିବରେସନ ଫ୍ରଂଟ ଅଫ ଇଣ୍ଡିଆ ବା ପିଏଲଏଫଆଇର ଏହି ପୋଷ୍ଟରରେ ଗୋଚାଲାଣ ବନ୍ଦ କରିବାକୁ କୁହାଯାଇଛି । ବନ୍ଦ ନହେଲେ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ଦିଆଯାଇଛି । ପୋଷ୍ଟରକୁ ଦେଖିବା ପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ଖେଳିଯାଇଛି ।

୨୦୧୪ ମସିହାରେ ପିଏଲଏଫଆଇ ପୋଲିସ ଇନଫର୍ମର ସନ୍ଦେହରେ ୬ ଜଣ ନୀରିହ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଏବେ ପୁଣି ପିଏଲଏଫଆଇର ପୋଷ୍ଟର ସୁନ୍ଦରଗଡରେ ଲାଗିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

The post ରେଳ ଧାରଣା ଉଡାଇଦେଲେ ମାଓବାଦୀ: ମୁମ୍ବାଇ-ହାୱଡା ରେଳ ଚଳାଚଳ ପ୍ରଭାବିତ first appeared on Kanak News.

from Kanak News
via <a href="https://ifttt.com/?

ବର୍ଷର ଚର୍ଚ୍ଚିତ ଘଟଣାକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ: ସିନେମାରୁ ରାଜନୀତି ଯାଏଁ ସବୁ ପ୍ରସଙ୍ଗରେ ମତ ରଖିଲେ ଅତିଥି

କନକ ବ୍ୟୁରୋ: ବର୍ଷ ର ଚର୍ଚ୍ଚିତ ଘଟଣାକୁ ନେଇ କନକ ନ୍ୟୁଜ୍ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନ୍ୟୁଜ୍ ମେକର-୨୦୨୩ର ଆୟୋଜିତ ହୋଇଛି । ଜାନୁଆରୀ ମାସରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଠାରୁ ଆରମ୍ଭ କରି ଉତରାଖଣ୍ଡର ସିଲକ୍ୟାରା ଟନେଲରେ ଫସିଥିବା ୪୧ ଜୀବନ କିପରି ୧୭ ଦିନ ସଂଘର୍ଷ କରି ବାହାରକୁ ଆସିଥିଲେ, ଏବଂ ଆଉକିଛି ଘଟଣାକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା କରାଯାଇଥିଲା ।

ଚଳିତ ବର୍ଷର ଚର୍ଚ୍ଚିତ ଘଟଣାବଳୀକୁ ନେଇ କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନ୍ୟୁଜ୍ ମେକର-୨୦୨୩ ଭୁବନେଶ୍ୱରର ସ୍ୱସ୍ତି ପ୍ରିମିୟରରେ ଆୟୋଜିତ ହୋଇଛି । ୨୦୨୩ର ସବୁଠାରୁ ଦୁଃଖଦ ଓ ଚର୍ଚ୍ଚିତ ଘଟଣା ଥିଲା ବାହାନଗା ଟ୍ରେନ୍ ଟ୍ରାଜେଡି । ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ଏହି ଟ୍ରେନ୍ ଦୁର୍ଘଟଣାରେ ଯାଇଥିଲା ୨୯୬ ଜୀବନ । ଯାହା ଭାରତ ଇତିହାସର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ବୋଲି କୁହାଯାଉଛି । ଦୁର୍ଘଟଣା ପରର ଉଦ୍ଧାରକାର୍ଯ୍ୟକୁ ନେଇ ସାରା ବିଶ୍ୱରେ ଖୁବ୍ ପ୍ରଶଂସିତ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ କେମିତି ଥିଲା ପୂରା ଅପରେସନ୍, ସେ ସମ୍ବନ୍ଧରେ ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ସେହିପରି ରାଜନୀତିରେ ବୟସର ଗୁରୁତ୍ୱ କେତେ ରଖେ । ତାକୁ ନେଇ ସ୍ୱତନ୍ତ୍ର ବିତର୍କ ‘ରାଜନୀତିରେ ବୟସ’ରେ ଯୋଗ ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ, ବିଜେପି ନେତା ରମାରଂଜନ ବଳିୟାରସିଂ ଓ ବିଜେଡି ବିଧାୟକ ଅମର ଶତପଥୀ ।

୨୦୨୩ରେ ଓଡ଼ିଶା ସିନେମାରେ ଖୁବ୍ ଚର୍ଚ୍ଚାରେ ଥିଲା କଳାକାରଙ୍କ କଳି । ‘ସିନେମା କରିବାକୁ ଡର ଲାଗୁଛି’ ବିଷୟବସ୍ତୁକୁ ନେଇ ଆୟୋଜିତ ବିତର୍କରେ ସାମିଲ ହୋଇଥିଲେ ଅଭିନେତ୍ରୀ ନୈନା ଦାସ, ଅଭିନେତ୍ରୀ ପ୍ରିୟା ଚୌଧୁରୀ ଓ ପ୍ରଯୋଜିକା ସନଲିସା ପଟେଲ । କାହିଁକି ଓଡ଼ିଶା ସିନେମା ପ୍ରତି ଲୋକଙ୍କ ଆଗ୍ରହ କମୁଛି, ସେ ନେଇ ଆଲୋଚନା କରିଥିଲେ ଓଲିଉଡ୍ର ଏହି କଳାକାରମାନେ ।

ଏହାବ୍ୟତୀତ ଚଳିତ ବର୍ଷ ଚର୍ଚ୍ଚା ସାଉଂଟିଥିବା କିଛି ଚର୍ଚ୍ଚିତ ଚେହେରାଙ୍କୁ କନକ ନ୍ୟୁଜ୍ ତରଫରୁ ନ୍ୟୁଜ ମେକର ଭାବେ ସମ୍ବର୍ଦ୍ଧନା ଦିଆଯାଇଛି । କଟକ ପ୍ରସିଦ୍ଧ ଦହିବରା ବ୍ୟବସାୟୀ ରଘୁ ସାହୁ, ଆଦିବାସୀଙ୍କ ଖାଦ୍ୟ ପରିବେଷଣ କରୁଥିବା ୟୁଟ୍ୟୁବର ରାଣୀ ସିଂ ଏବଂ ଉତରାଖଣ୍ଡର ସିଲକ୍ୟାରା ଟନେଲରେ ଫସିଥିବା ୫ ଓଡ଼ିଆଙ୍କ ମଧ୍ୟରୁ ୪ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଜଣାଶୁଣା ରାଜନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ସହ ଓଲଟା ପାଲଟାର ଉପସ୍ଥାପିକା ଜଲି ନିଜର ମଜାକିଆ ଅନ୍ଦାଜରେ ଆଲୋଚନା କରିଥିଲେ । ଶେଷରେ ‘ସଂଗୀତର ସୀମା ନାହିଁ’ କାର୍ଯ୍ୟକ୍ରମ ସହ ଶେଷ ହୋଇଥିଲା ନ୍ୟୁଜ୍ ମେକର-୨୦୨୩ ।

The post ବର୍ଷର ଚର୍ଚ୍ଚିତ ଘଟଣାକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ: ସିନେମାରୁ ରାଜନୀତି ଯାଏଁ ସବୁ ପ୍ରସଙ୍ଗରେ ମତ ରଖିଲେ ଅତିଥି first appeared on Kanak News.

from Kanak News
via <a href="https://ifttt.com/?

ଏଏସଓ ମେରିଟ୍ ଲିଷ୍ଟ କାଏମ: ଜଣିକିଆ ଖଣ୍ଡପୀଠଙ୍କ ରାୟ ଡିଭିଜନ ବେଞ୍ଚରେ ଖାରଜ

କନକ ବ୍ୟୁରୋ: ଏଏସଓ ମେରିଟ୍ ଲିଷ୍ଟକୁ ନେଇ ଦୀର୍ଘ ଦିନ ହେଲା ବାଦ ବିବାଦ ଜାରି ରହିଥିଲା । ମାମଲା ହାଇକୋର୍ଟରେ ପହଂଚିଥିଲା । ଜଣିକିଆ ବେଂଚ ମାମଲାର ଶୁଣାଣି କରି ପୁରୁଣାକୁ ରଦ୍ଦ କରି ନୂଆ ମେରିଷ୍ଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହି ମାମଲାର ଶୁଣାଣି କରି ଦୁଇ ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶକୁ ଖାରଜ କରିବା ସହ ମେରିଷ୍ଟ ଲିଷ୍ଟକୁ କାଏମ ରଖିଛନ୍ତି ।

ଏଏସଓ ପରୀକ୍ଷାରେ ଯେଉଁ ମେଧା ତାଲିକା ପ୍ରକାଶ କରିଥିଲା ଓପିଏସସି, ତାକୁ କାଏମ ରଖିଛନ୍ତି ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ । ଯୋଗ୍ୟତା ପାଇଁ କେତେ ମାର୍କ ଆବଶ୍ୟକ ପୂର୍ବରୁ ଓପିଏସସି ଜଣାଇ ନଥିବାରୁ ପୂର୍ବ ମେଧା ତାଲିକାକୁ ରଦ୍ଦ କରି ନୂଆ ତାଲିକା ପାଇଁ ରାୟ ଦେଇଥିଲେ ଜଣିକିଆ ଖଣ୍ଡପୀଠ ଏହି ରାୟକୁ ପୁଣିଥରେ ତର୍ଜମା କରିବା ପାଇଁ ହାଇକୋର୍ଟରେ ଅପିଲ୍ କରିଥିଲେ ପୂର୍ବ ମେଧା ତାଲିକାରେ ଥିବା କିଛି ପରୀକ୍ଷାର୍ଥୀ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ପୂର୍ବ ମେରିଟ୍ ଲିଷ୍ଟକୁ କାଏମ ରଖିଛନ୍ତି

ନଜର ପକାନ୍ତୁ
କାହିଁକି ମେଧା ତାଲିକାକୁ ନେଇ ହୋଇଥିଲା ବିବାଦ?
୭୦୬ ଏଏସଓ ପଦବୀ ପାଇଁ ଦେଢ଼ ଲକ୍ଷରୁ ଅଧିକ ଆବେଦନ ହୋଇଥିଲା
୨୪୦୦ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ
କ୍ୱାଲିଫାଇଙ୍ଗ ମାର୍କ ଅନୁସାରେ ୧୧୦୪ ଜଣଙ୍କ ନାଁ ମେରିଟ୍ ଲିଷ୍ଟରେ ପ୍ରକାଶ ପାଇଥିଲା
ଏ ସଂପର୍କରେ କାହିଁକି ପୂର୍ବରୁ ଓପିଏସସି ଜଣାଇନଥିଲା ଅଭିଯୋଗ କରିଥିଲେ କିଛି ପରୀକ୍ଷାର୍ଥୀ

ଓପିଏସସି ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାର ଶୁଣାଣି କରି ଜଣିକିଆ ଖଣ୍ଡପୀଠ ନୂଆ ମେରିଟ୍ ଲିଷ୍ଟ ପ୍ରକାଶ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଦୁଇ ଜଣିଆ ଖଣ୍ଡପୀଠ ଏହାକୁ ଖାରଜ କରି ପୂର୍ବ ମେରିଟ୍ ଲିଷ୍ଟକୁ କାଏମ ରଖିଛନ୍ତି । ଚୟନ ପ୍ରକ୍ରିୟାରେ ତ୍ରୁଟି ନଥିବା କହିଛନ୍ତି ହାଇକୋର୍ଟ ।

ଓପିଏସସି ଯୁକ୍ତି ଦର୍ଶାଇଥିଲା
କେଉଁ ବ୍ୟବସ୍ଥାରେ ଚୟନ କରାଯିବ, ସେନେଇ ସଂପୂର୍ଣ୍ଣ ଅଧିକାର ଓପିଏସସିର ରହିଛି
ଏଏସଓ ପରୀକ୍ଷା ପାଇଁ ଦିଆଯାଇଥିବା ବିଜ୍ଞାପନରେ ଏହା ଉଲ୍ଲେଖ କରାଯାଇଛି
ଏପଟେ ଦୁଇଜଣିଆ ଖଣ୍ଡପୀଠ ଦେଇଥିବା ରାୟକୁ ଦୁର୍ଭାଗ୍ୟଜନକ କହିବା ସହ ଏହାକୁ ଚ୍ୟାଲେଂଜ କରାଯିବ ବୋଲି କହିଛନ୍ତି ପ୍ରତିପକ୍ଷ ଆବେଦନକାରୀ ।

The post ଏଏସଓ ମେରିଟ୍ ଲିଷ୍ଟ କାଏମ: ଜଣିକିଆ ଖଣ୍ଡପୀଠଙ୍କ ରାୟ ଡିଭିଜନ ବେଞ୍ଚରେ ଖାରଜ first appeared on Kanak News.

from Kanak News
via <a href="https://ifttt.com/?

ପ୍ରଶାସନ ତତ୍ପର, ଥମୁନି ହଇଜା: କଲେରା ନେଲାଣି ୧୨ ଜୀବନ!

କନକ ବ୍ୟୁରୋ: ରାଉରକେଲାରେ ଚିନ୍ତା ବଢ଼ାଇଛି ହଇଜା । ହଇଜାରେ ଶୁକ୍ରବାର ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ମୃତ୍ୟୁ ସଂଖ୍ୟା ୧୨ରେ ପହଂଚିଛି । ହଇଜା ଜଣଙ୍କ ପରେ ଜଣଙ୍କ ଜୀବନ ନେଉଥିବା ବେଳେ ପ୍ରଶାସନ କିନ୍ତୁ ସ୍ଥିତିରେ ସୁଧାର ଆସୁଥିବା କହିଛି । କିନ୍ତୁ ପ୍ରଶାସନର ଏହି କଥାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ରାଉରକେଲାବାସୀ । ପ୍ରଶାସନର ତ୍ରୁଟି ପାଇଁ ରାଉକେଲାରେ ଏଭଳି ସ୍ଥିତି ଉପୁଜିଛି ବୋଲି ଅଭିଯୋଗ କରିଛନ୍ତି ।

ପ୍ରଶାସନର ତତ୍ପରତା ଓ ବିଭିନ୍ନ ପ୍ରକାର ପଦକ୍ଷେପ ସତ୍ୱେ ଇସ୍ପାତ ନଗରୀ ରାଉରକେଲାରେ ହଇଜା ନିୟନ୍ତ୍ରଣକୁ ଆସୁନି । ସରକାରୀ ଭାବେ କୁହାଯାଇ ନଥିଲେ ବି ଶୁକ୍ରବାର ଆଉ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ପାୱାର ହାଉସ ଅଂଚଳର ୪୨ବର୍ଷିୟ ପଙ୍କଜ ମଣ୍ଡଳଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଝାଡାବାନ୍ତି ହେବାରୁ ପଙ୍କଜଙ୍କୁ ବୁଧବାର ଦିନ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ,ତାଙ୍କୁ ବଂଚାଇବା ସମ୍ଭବ ହୋଇପାରିନି । ଏଥିସହ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିବା କୁହାଯାଉଛି ।

ପ୍ରାୟ ସପ୍ତାହେ ହେଲା ରାଉରକେଲାରେ ଡରାଉଛି ଝାଡାବାନ୍ତି । ଏଥିରେ ଶହ ଶହ ଲୋକ ଆକ୍ରାନ୍ତ ହେବା ସହ ସଂକ୍ରମିତଙ୍କ ଜୀବନ ଯିବା ପରେ ସହରବାସୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ସ୍ଥିତିରେ ସୁଧାର ଆସୁଥିବା ପୁଣି ଦୋହରାଇଛନ୍ତି ରାଉରକେଲା ଏଡିଏମ ।

ଗୋଟିଏ ପଟେ ହଇଜା ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେଇ ଚାଲିଛି, ଆଉ ଗୋଟିଏ ପଟେ ପ୍ରଶାସନ କହୁଛି ସ୍ଥିତିରେ ସୁଧାର ଆସୁଛି । କିନ୍ତୁ ପ୍ରଶାସନର ଏହି କଥାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ରାଉରକେଲାବାସି । ପ୍ରଶାସନର ତ୍ରୁଟି ପାଇଁ ରାଉକେଲାରେ ଏଭଳି ସ୍ଥିତି ଉପୁଜିଛି ବୋଲି ଅଭିଯୋଗ କରିଛନ୍ତି ।

ହଇଜାରେ ରାଉରକେଲାରେ ଏପର୍ଯ୍ୟନ୍ତ ୬ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଉଛି । ଏଥିସହ ଝାଡାବାନ୍ତିକୁ କେମିତି ନିୟନ୍ତ୍ରଣ କରାଯାଇପାରିବ ସେଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ବରିଷ୍ଠ ଅଧିକାରୀମାନେ ରାଉରକେଲାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ୱାଟକୋ ପକ୍ଷରୁ ପାଣି ପାଇପର ଚେକିଂ କରାଯାଇ ମରାମତି କରାଯାଇଛି ।

ଝାଡାବାନ୍ତିର ପ୍ରକୃତ କାରଣ ଖୋଜିବା ପାଇଁ ବିଶେଷଜ୍ଞମାନେ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି । ବିଭିନ୍ନ ସ୍ଥାନରୁ ଜଳ ଓ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି । କିନ୍ତୁ ପ୍ରତିଦିନ ହଇଜା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଚିନ୍ତାର ବିଷୟ ହୋଇଛି ।

The post ପ୍ରଶାସନ ତତ୍ପର, ଥମୁନି ହଇଜା: କଲେରା ନେଲାଣି ୧୨ ଜୀବନ! first appeared on Kanak News.

from Kanak News
via <a href="https://ifttt.com/?

ଭୋଗରାଇର ରୋଗିଣା ଡାକ୍ତରଖାନା । ଚିକିତ୍ସକ ବିହିନ ଚିକିତ୍ସାଳୟରେ ମିଳୁନି ସ୍ୱାସ୍ଥ୍ୟସେବା !

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟସେବା । ଡାକ୍ତରଖାନାରେ ଭିର୍ତ୍ତିଭୂମି ଥିଲେ ବି ନାହାନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର । ତେଣୁ ରୋଗିଣା ପାଲଟିଯାଇଛି ସ୍ୱାସ୍ଥ୍ୟ ସେବା । ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ୧୧ଟି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ଡାକ୍ତରଖାନା ଗୁଡିକରେ ବିଭିନ୍ନ ବିଭାଗରେ ୩୫ ଜଣ ଡାକ୍ତର ଆବଶ୍ୟକ ହେଉଥିବା ବେଳେ ଅଛନ୍ତି ମାତ୍ର ୭ ଜଣ ଡାକ୍ତର । ୭ଟି ଚିକିତ୍ସାଳୟର ସ୍ଥାନରେ ଆଦୌ ଚିକିତ୍ସକ ନାହାନ୍ତି, ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି ।

ବାଲେଶ୍ୱର ଜିଲ୍ଲାର ସୀମାନ୍ତବର୍ତୀ ବ୍ଲକ ଭୋଗରାଇ । ଜିଲ୍ଲାର ସଦର ମହୁକମା ଠାରୁ ବ୍ଲକର ଦୂରତା ପ୍ରାୟ ୧୦୦ କିଲୋମିଟର । ତେଣୁ ସ୍ୱାସ୍ଥ୍ୟସେବା ପାଇଁ ସିଏଚସି ଓ ପିଏସଚି ଉପରେ ନିର୍ଭର କରନ୍ତି ରୋଗୀ । ହେଲେ ଏଠାରେ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଡାକ୍ତର ନଥିବାରୁ ନିରାମୟ କେନ୍ଦ୍ରରୁ ମାଗଣା ଔଷଧ ମଧ୍ୟ ପାଇ ପାରୁନାହାନ୍ତି ଅଂଚଳବାସୀ । ଜରୁରିକାଳୀନ ପରିସ୍ଥିତିରେ ରୋଗୀ ଡାକ୍ତରଖାନାକୁ ଆସିଲେ, ଫାର୍ମାଷିଷ୍ଟ ଓ ନର୍ସ ସେବା ଯୋଗାଉଛନ୍ତି । ଡାକ୍ତର ପଦବୀ ପୂରଣ ପାଇଁ ସ୍ଥାନୀୟ ଲୋକ ବାରମ୍ବାର ଦାବି କରୁଥିଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

ବାଲେଶ୍ୱର ଜିଲ୍ଲାରେ ସର୍ପାଘାତ ଜନିତ ମୃତ୍ୟୁ ସଂଖ୍ୟା ବଢୁଛି । ଭୋଗରାଇ ବ୍ଲକରେ ଏହାର ସଂଖ୍ୟା କିଛି କମ୍ ନୁହେଁ । ତେବେ ସାପ କାମୁଡିବା ପରେ ନିକଟସ୍ଥ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ମିଳୁନଥିବାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

The post ଭୋଗରାଇର ରୋଗିଣା ଡାକ୍ତରଖାନା । ଚିକିତ୍ସକ ବିହିନ ଚିକିତ୍ସାଳୟରେ ମିଳୁନି ସ୍ୱାସ୍ଥ୍ୟସେବା ! first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started