ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଟିଏମସି ସାଂସଦଙ୍କ ନକଲ ଓ କଟାକ୍ଷକୁ କଡ଼ା ନିନ୍ଦା: ଉଦବେଗ ପ୍ରକାଶ କଲେ ରାଷ୍ଟ୍ରପତି

କନକ ବ୍ୟୁରୋ: ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଟିଏମସି ସାଂସଦଙ୍କ ନକଲ ଓ କଟାକ୍ଷକୁ କଡ଼ା ନିନ୍ଦା କରାଯାଉଛି । ଟିଏମସି ସାଂସଦ କଲ୍ୟାଣ ବାର୍ନାଜୀଙ୍କ ଆଚରଣ ଏକ ନିନ୍ଦନ୍ଦୀୟ ଆଚରଣ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେପଟେ ଧନଖଡଙ୍କ ସହ ଫୋନରେ କଥା ହୋଇ ମୋଦୀ କହିଛନ୍ତି ୨୦ବର୍ଷ ହେବ ସମାନ ଅପମାନ ସହି ଆସୁଛି । ସଂସଦର ବାରମ୍ବାର ଅପମାନ କରୁଛନ୍ତି ବିରୋଧୀ ସାଂସଦ । ସେପଟେ ସଫେଇ ରଖି କଲ୍ୟାଣ ବାର୍ନାଜୀ, କହିଛନ୍ତି ମିମିକ୍ରି ଏକ କଳା, କାହାରି ମନୋଭାବନା ଆଘାତ ନଥିଲା ତାଙ୍କ ଉଦ୍ଦେଶ୍ୟ ।

ମଙ୍ଗଳବାର ଟିଏମସି ସାଂସଦ କଲ୍ୟାଣ ବାର୍ନାଜୀ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ନକଲ କରି ତାଙ୍କୁ କଟାକ୍ଷ କରିଥିଲେ । ଏହାପରେ କଲ୍ୟାଣ ବାର୍ନାଜୀ ଘଟଣାକୁ ନେଇ ସଫେଇ ରଖିଛନ୍ତି । ବିବାଦ ଭିତରେ ଫସିବା ପରେ କଲ୍ୟାଣ କହିଛନ୍ତି ମିମିକ୍ରି ଏକ କଳା ଅଟେ ଓ ସେ କାହା ମନୋଭାବନାକୁ ଆଘାତ ଦେବା ଉଦ୍ଦେଶ୍ୟରେ କିଛି ବି କହିନାହାଁନ୍ତି । ସେପଟେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ କହିଛନ୍ତି ସେ ନିଜ ଅପମାନ ସହିବେ କିନ୍ତୁ ସେ ବସିଥିବା ଆସନର ନୁହେଁ । ସଂସଦର ଗରିମାର ରକ୍ଷା ଦାୟିତ୍ୱ ଅଧ୍ୟକ୍ଷ ଓ ସାଂସଦମାନଙ୍କର । ନକଲ ଓ କଟାକ୍ଷ କରି ସାଂସଦମାନେ କେବଳ ସଂସଦର ବଂର ରାଜ୍ୟସଭା ଅଧ୍ୟକ୍ଷ ପଦର ମଧ୍ୟ ଅପମାନ କରିଛନ୍ତି ।

ଘଟଣାକୁ ସବୁ ଆଡୁ କଡ଼ା ନିିନ୍ଦା କରାଯାଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଉପରାଷ୍ଟ୍ରପତିଙ୍କୁ ଯେଉଁଭଳି ଭାବେ ଅପମାନିତ କରାଯାଇଛି ତାହା ଗ୍ରହଣୀୟ ନୁହେଁ । ନିର୍ବାଚିତ ପ୍ରତିନିଧିଙ୍କ କହିବାର ସ୍ୱାଧୀନତା ଅଛି । କିନ୍ତୁ ତାହା ଶାଳୀନତା ଭିତରେ ରହିବା ଆବଶ୍ୟକ । ଭାରତର ସଂସଦୀୟ ପରମ୍ପରାକୁ ନେଇ ଆମେ ଗର୍ବିତ । ଏହି ଧାରା ବଜାୟୀ ରଖିବାକୁ ଭାରତର ଜନସାଧାରଣ ମଧ୍ୟ ଆଶା କରନ୍ତି । ଅନ୍ୟପଟେ ଫୋନ କରି ଧନଖଡଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଘଟଣାକୁ ନେଇ ଦୁଖ ପ୍ରକାଶ କରିବା ସହ ମୋଦୀ କହିଛନ୍ତି ସେ ୨୦ବର୍ଷ ଭଳି ଏଭଳି ଅପମାନ ସହ୍ୟ କରି ଆସୁଛନ୍ତି । ସାଂସଦଙ୍କ ଆଚରଣ ନିନ୍ଦନୀୟ । ସଂସଦର ଅପମାନ ଅଟେ । ବିବାଦରେ ଫସିବା ପରେ ଘଟଣାକୁ ନେଇ ବିଜେପି ଓ ଗଣମାଧ୍ୟମ ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।

କଲ୍ୟାଣଙ୍କ ବିରୋଧରେ ଦିଲ୍ଲୀ ପୁଲିସ ମାମଲା ରୁଜୁ କରିବା ସହ ସୁପ୍ରିମକୋର୍ଟ ଆଇନଜୀବୀ ବିନିତ ଜିନ୍ଦଲ ଲୋକସଭା ଏଥିକ୍ସ କମିଟି ନିକଟରେ ଅଭିଯୋଗ କରିଛନ୍ତି । କଲ୍ୟାଣ ବାର୍ନାଜୀ, ରାହୁଲ ଗାନ୍ଧୀ ଓ ଘଟଣାରେ ସମ୍ପୃକ୍ତ ସାଂସଦଙ୍କୁ ବହିଷ୍କାର କରିବା ପାଇଁ ନିଜ ଅଭିଯୋଗ ପତ୍ରରେ ସେ ଉଲ୍ଲେଖ କରିଛନ୍ତି । ସଂସଦରୁ ସାଂସଦଙ୍କ ନିଲମ୍ବନ ଘଟଣାକୁ ବିରୋଧରେ କଲ୍ୟାଣ ବାର୍ନାଜୀ ସାଂସଦଙ୍କ ଗହଣରେ ମିମିକ୍ରି କରିଥିଲେ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋବାଇଲ ଏହାକୁ ସୁଟ କରିଥିଲେ । ସାଂସଦଙ୍କ ଏହି ଘଟଣା କ୍ରମଶ ବିବାଦର ରୂପ ନେଉଛି ।

The post ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଟିଏମସି ସାଂସଦଙ୍କ ନକଲ ଓ କଟାକ୍ଷକୁ କଡ଼ା ନିନ୍ଦା: ଉଦବେଗ ପ୍ରକାଶ କଲେ ରାଷ୍ଟ୍ରପତି first appeared on Kanak News.

from Kanak News
via <a href="https://ifttt.com/?

ଦ୍ରୁତ ଗତିରେ ଦେଶରେ ମାଡୁଛି କରୋନାର ନୂଆ ସବଭ୍ୟାରିଆଂଟ: ରାଜ୍ୟକୁ ରାଜ୍ୟ ଡେଉଁଛି ଭୂତାଣୁ ଜେଏନ-ଡଟ-ୱାନ

କନକ ବ୍ୟୁରୋ: ଦ୍ରୁତ ଗତିରେ ଦେଶରେ ମାଡୁଛି କରୋନାର ନୂଆ ସବଭ୍ୟାରିଆଂଟ । ରାଜ୍ୟକୁ ରାଜ୍ୟ ଡେଉଁଛି ସବଭ୍ୟାରିଆଂଟ ଜେଏନଡଟୱାନ । କୋଭିଡ ମୁକାବିଲା ପାଇଁ ଆକ୍ସନ ମୋଡରେ କେନ୍ଦ୍ର ସରକାର । ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ବସିଛି ସମୀକ୍ଷା ବୈଠକ । ଭୟଭୀତ ନହୋଇ ସର୍ତକ ରହିବାକୁ ପରାର୍ମଶ ଦେଇଛନ୍ତି ସରକାର । ଦ୍ରୁତିଗତିରେ ନୂଆ ସବଭ୍ୟାରିଆଂଟ ମାଡୁଥିବାରୁ ଚିନ୍ତା ବଢ଼ୁଛି ।

ଦେଶରେ କୋଭିଡ ନୂଆ ସବ ଭାରିଆଂଟ ‘ଜେଏନ୍-ଡଟ-ୱାନ’ ସଂକ୍ରମିତ ଚିହ୍ନଟ ପର ଆକ୍ସନ ମୋଡରେ କେନ୍ଦ୍ର ସରକାର । କୋଭିଡକୁ ନେଇ ଦେଶର ସ୍ଥିତି କ’ଣ ରହିଛି ଏନେଇ ବୁଧବାର ସମୀକ୍ଷା ବୈଠକ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କ ସହ ବୈଠକ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆତଙ୍କିତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏବେ ଶୀତ ଓ ପାର୍ବଣ ଋତୁ ଚାଲୁଥିବାରୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି…..

ଡରନ୍ତୁ ନାହିଁ, ସର୍ତକ ରୁହନ୍ତୁ
-ଆତଙ୍କିତ ନହୋଇ ସତର୍କ ରହିବାକୁ ପରାମର୍ଶ
-ହସ୍ପିଟାଲରେ ମକ୍ଡ୍ରିଲ କରାଯିବ
-ପ୍ରତି ତିନି ମାସରେ ଥରେ ସବୁ ହସ୍ପିଟାଲରେ ମକ୍ଡ୍ରିଲ କରାଯିବ
-ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ସ୍ୱାସ୍ଥ୍ୟ ସୁବିଧା ଉପରେ ଫୋକସ କରାଯାଉଛି
-ସଂକ୍ରମଣ ରୋକିବାକୁ ସବୁ ଦିଗରୁ ପ୍ରୟାସ କରାଯିବ
-ପାର୍ବଣ ଋତୁରେ ଅଧିକ ସର୍ତକ ରହିବାକୁ ପରାର୍ମଶ
-ସ୍ଥିତି ଦେଖି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ
-ସ୍ୱାସ୍ଥ୍ୟସେବାକୁ ନେଇ ରାଜନୀତି କରାନଯାଉ

ଦେଶରେ ପୁଣି କଡ଼ ଲେଉଟାଇଛି କରୋନା । କେରଳ, କର୍ଣ୍ଣାଟକ, ଉତରପ୍ରଦେଶ ପରେ ଦିଲ୍ଲୀ ଓ ଗୋଆ, ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ସହ ନୂଆ ସବଭ୍ୟାରିଆଂଟ ଜେଏନଡଟୱାନ ରୋଗୀ ଚିହ୍ନଟ ହେବା ପରେ ଚିନ୍ତା ଦ୍ୱିଗୁଣ ହୋଇଛି । ଗୋଆରେ ୧୯ଜଣ ଓମିକ୍ରନ ଭ୍ୟାରିଆଂଟ ସଂକ୍ରମିତ ଚିହ୍ନଟ ହେବା ପରେ ଭୟ ବୃଦ୍ଧି ପାଇଛି

ରାଜ୍ୟକୁ ରାଜ୍ୟ ଡେଉଁଛି ‘ଜେଏନ୍ଡଟୱାନ’
-୨୪ଘଂଟାରେ ଦେଶରେ ୬୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
-ଗୋଆରେ ୧୯ଜଣ ଓମିକ୍ରନ ‘ଜେଏନଡଟ୍ୱାନ’ ସଂକ୍ରମିତ ଚିହ୍ନଟ
-କେରଳରେ ୨୪ ଘଂଟାରେ ୨୯୨ ସଂକ୍ରମିିତ ଚିହ୍ନଟ ସହ ୩ଜଣ ମୃତ୍ୟୁ ହୋଇଛି ।
-କର୍ଣ୍ଣାଟକରେ ଜଣେ କୋଭିଡ ସଂକ୍ରମିତଙ୍କ ମୃତ୍ୟୁ…….ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ସମୟ ଥାଉ ଥାଉ କରୋନାଠୁ ସର୍ତକ ରହିବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ବାରମ୍ବାର ପରାମର୍ଶ ଦେଉଛନ୍ତି । ବଡଦିନ ଓ ନୂଆବର୍ଷ ସହ ପିକନିକ ଏବଂ ପର୍ବପର୍ବାଣୀ ସମୟରେ ଅଧିକ ସର୍ତକ ରହିବାକୁ କହିଛି କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରାଳୟ । କିଛି ରାଜ୍ୟରେ କଟକଣା ଫେରିଛ । ବିଶେଷଜ୍ଞଙ୍କ ମତରେ ଦୁନିଆରୁ ସମ୍ପୂର୍ଣ୍ଣଭାବେ ଯାଇନି କୋଭିଡ୍ । ଆମେରିକା, ସିଙ୍ଗାପୁର, ଇଣ୍ଡୋନେସିଆ, ଚୀନ, ମାଲେସିୟାରେ ସପ୍ତାହକ ମଧ୍ୟରେ ଦ୍ୱିଗୁଣା ହୋଇଛି ସଂକ୍ରମଣ । ଏହା ପଛରେ ଜେ-ଏନ-ଡଟୱାନ ସବଭାରିଆଂଟ କାରଣ ବୋଲି କୁହାଯାଉଛି ।

The post ଦ୍ରୁତ ଗତିରେ ଦେଶରେ ମାଡୁଛି କରୋନାର ନୂଆ ସବଭ୍ୟାରିଆଂଟ: ରାଜ୍ୟକୁ ରାଜ୍ୟ ଡେଉଁଛି ଭୂତାଣୁ ଜେଏନ-ଡଟ-ୱାନ first appeared on Kanak News.

from Kanak News
via <a href="https://ifttt.com/?

ଓଡିଶା ବିଜେପି ଆପଣାଇବ ମଧ୍ୟପ୍ରଦେଶ ଫର୍ମୁଲା । ଆଶାୟୀ ପ୍ରାର୍ଥୀଙ୍କୁ ଆଗୁଆ ଦେବ ଟିକେଟ୍ । ବିଜେଡିକୁ ଚେକ୍ ଦେବାକୁ ବିଜେପିର ମାଷ୍ଟରପ୍ଲାନ୍ ।

କନକ ବ୍ୟୁରୋ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜୟ ପରେ ରାଜ୍ୟ ବିଜେପି ଏବେ ଜୋଶରେ ଅଛି । ଆଉ ରାଜ୍ୟରେ ୨୦୨୪ରେ ମଧ୍ୟପ୍ରଦେଶ ଫର୍ମୁଲା ଆପଣେଇବ ବିଜେପି । ଦଳ ଅଧିକାଂଶ ନିର୍ବାଚନମଣ୍ଡଳୀରେ ଆଗୁଆ ଟିକେଟ ଦେବାକୁ ଯୋଜନା କରୁଛି । ବିଶେଷକରି କଡା ଟକ୍କର ହୋଇଥିବା ୪୦ଟି ସିଟରେ ଏମପି ଫର୍ମୁଲାରେ ଆଗୁଆ ଟିକେଟ୍ ଘୋଷଣା କରିପାରେ ବିଜେପି ।

  • ରାଜ୍ୟରେ ବିଜେପି ଦେବ ଆଗୁଆ ଟିକେଟ!
  • ମଧ୍ୟପ୍ରଦେଶ ଫର୍ମୁଲା ଆପଣାଇବ ରାଜ୍ୟ ବିଜେପି ?

ମଧ୍ୟପ୍ରଦେଶରେ ୨୦୧୮ରେ ବିଜେପି ହାରିଥିବା ୩୪ଟି ଆସନରେ ୨୦୨୩ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଥିଲା । ଆଉ ପଲଟି ଯାଇଥିଲା ଫଳାଫଳ । ୩୪ଟିରୁ ୨୪ଟି ବାଜି ମାରିଛି ଭାରତୀୟ ଜନତା ପାର୍ଟି ।

  • ଆଗୁଆ ପ୍ରାର୍ଥୀ ଘୋଷଣାର ଫାଇଦା
  • ଆଗୁଆ ପ୍ରାର୍ଥୀ ଘୋଷଣା କରି ଦଳ ଭିତରେ ଅସନ୍ତୋଷକୁ ନିୟନ୍ତ୍ରଣ କରାଯାଇପାରିଲା
  • ଦଳର ପ୍ରାର୍ଥୀଙ୍କୁ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ମିଳିଲା
  • ଯେତେବେଳେ କି ଅନ୍ୟ ଦଳର ପ୍ରାର୍ଥୀମାନେ ଟିକେଟ୍ ପାଇବାକୁ କସରତ କରୁଥିଲେ

ଓଡିଶାରେ ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ ବିଜେପି ୫ ହଜାର ଭୋଟ୍ ବ୍ୟବଧାନରେ ୧୦ଟି ସିଟରେ ହାରିଥିବାବେଳେ ୫ ହଜାରରୁ ୧୦ ହଜାର ଭିତରେ ୩୦ଟି ସିଟରେ ହାରିଥିଲା । ତେଣୁ ଏହି ୪୦ଟି ସିଟରେ ଏମପି ଫର୍ମୁଲାରେ ଆଗୁଆ ଟିକେଟ୍ ଘୋଷଣା କରି ଆସନ ହାତେଇବାକୁ ଯୋଜନା କରିପାରେ ଦଳ ।

  • ଦିଲ୍ଲୀରେ ବିଜେପି ନେତାଙ୍କ ଡେରା
  • ୨୪ ଲାଗି ପ୍ରସ୍ତୁତ ହେବ କି ରଣନୀତି ?

୨୦୨୪ ନିର୍ବାଚନରେ ବିଜେଡି ବିପକ୍ଷରେ ଲଢେଇ କରିବାକୁ କେନ୍ଦ୍ରିୟ ନେତୃତ୍ୱଙ୍କଠାରୁ ଗୁରୁମନ୍ତ୍ର ପାଇଁ ଦିଲ୍ଲୀରେ ଡେରା ପକାଇଛନ୍ତି ବିଜେପି ବିଧାୟକ । ଏହି ଗସ୍ତ ସମୟରେ ବିଜେପି ବିଧାୟକମାନେ ରାଜ୍ୟ ସଭାପତିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟି ରାଜ୍ୟ ରାଜନୀତି ବିଷୟରେ ଆଲୋଚନା କରିବେ । ୨୨ ତାରିଖରେ ବିଜେପି ରାଷ୍ଟ୍ରୀୟ ପଦାଧୀକାରୀ ବୈଠକ, ଏହାପରେ ତୁଙ୍ଗ ନେତୃତ୍ୱଙ୍କ ସହ ଆଲୋଚନା ନେଇ ସମୟ ଧାର୍ଯ୍ୟ ହୋଇଛି । ସେପଟେ ବିଜେଡି କହିଛି ଓଡିଶାବାସୀ ବିଜେଡି ସହିତ ଅଛନ୍ତି, ବିରୋଧୀଙ୍କ ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ ।

ଚର୍ଚ୍ଚା ହେଉଛି ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟରେ ହୋଇଥିବା ସେମିଫାଇନାଲ ଲଢେଇ ୩-୨ରେ ଜିତିନେଇଛି ଭାରତୀୟ ଜନତା ପାର୍ଟି । ହିନ୍ଦି ହାର୍ଟଲ୍ୟାଣ୍ଡରେ ବିଜୟ ପରେ ରାଜ୍ୟ ବିଜେପିରେ ବି ନୂଆ ଉତ୍ସାହ ଭରି ରହିଛି । ଆଉ କେନ୍ଦ୍ରୀୟ ନେତୃତ୍ୱଙ୍କଠୁ ଗୁରୁମନ୍ତ୍ର ପାଇବା ପରେ ୨୦୨୪ ପାଇଁ କିଛି ସ୍ୱତନ୍ତ୍ର ରଣନୀତି କରିବ ରାଜ୍ୟ ୟୁନିଟ୍ ।

The post ଓଡିଶା ବିଜେପି ଆପଣାଇବ ମଧ୍ୟପ୍ରଦେଶ ଫର୍ମୁଲା । ଆଶାୟୀ ପ୍ରାର୍ଥୀଙ୍କୁ ଆଗୁଆ ଦେବ ଟିକେଟ୍ । ବିଜେଡିକୁ ଚେକ୍ ଦେବାକୁ ବିଜେପିର ମାଷ୍ଟରପ୍ଲାନ୍ । first appeared on Kanak News.

from Kanak News
via <a href="https://ifttt.com/?

ଅଗ୍ରୱାଲ ପରିବାରର ଉତ୍ତରାଧିକାରୀ କିଏ? ବେଦପ୍ରକାଶଙ୍କ ଜନ୍ମଜୟନ୍ତୀରେ ଦୁଇଫାଳ ପରିବାର !

କନକ ବ୍ୟୁରୋ: ପାଟକୁରାରେ ଅଗ୍ରୱାଲ ପରିବାରରେ ଉତ୍ତରାଧିକାରୀ ପାଇଁ ଟଣାଓଟରା ଦେଖିବାକୁ ମିଳିଛି । ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଜନ୍ମଦିନରେ ତାଙ୍କ ପୁଅ ଓ ଝିଅ ଅଲଗା ଅଲଗା କାର୍ଯ୍ୟକ୍ରମ କରି ପତିଆରା ପ୍ରଦର୍ଶନ କରିଛନ୍ତି । ସବୁଠାରୁ ବଡ କଥାହେଲା, ଦୁଇଟି ଯାକ କାର୍ଯ୍ୟକ୍ରମରେ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ତଥା ସ୍ଥାନୀୟ ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କୁ ଦେଖିବାକୁ ମିଳିନଥିଲା, ଯାହାକୁ ନେଇ ସ୍ଥାନୀୟ ରାଜନୀତି ସରଗରମ ହୋଇଛି ।

ପାଟକୁରା ନିର୍ବାଚନମଣ୍ଡଳୀରେ ବୁଧବାର ଦୁଇଟି ଖବରକୁ ନେଇ ଚର୍ଚ୍ଚା ଜୋର । ଦିନେ ପାଟକୁରରା ଟାଣୁଆ ନେତା ଥିବା ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ୮୮ ତମ ଜନ୍ମଜୟନ୍ତୀରେ ଝିଅ ମଧୁମତି ଅଗ୍ରୱାଲ ଓ ପୁଅ ସଞ୍ଜୟ ଅଗ୍ରୱାଲ ଦୁଇଟି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ , ଯାହା ପାରିବାରିକ ବିବାଦ ଚାଲିଥିବା ଆଲୋଚନାକୁ ବଳ ଯୋଗାଇଛି । କେନ୍ଦ୍ରପଡାର ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ବେଦପ୍ରକାଶ ଅଗ୍ରୱାଲଙ୍କ ଝିଅ ମଧୁମତି ଅଗ୍ରୱାଲ । ଏଠାରେ ମଧୁମତିଙ୍କ ସମର୍ଥକ ଏକାଠି ହୋଇଥିଲେ । ଏଥିରେ କଟକ ମେୟର ସୁବାସ ସିଂ ବି ସାମିଲ ହୋଇଥିଲେ । ମଧୁମିତା କହିଛନ୍ତି, ସୁଯୋଗ ମିଳିଲେ ସେ ପାଟକୁରାରୁ ଲଢିବେ ।

ସେପଟେ ବେଦପ୍ରକାଶଙ୍କ ପୁଅ ସଂଜୟ ଅଗ୍ରୱାଲ ସମାନ୍ତରାଳ ଭାବେ ଚାନ୍ଦୋଳ କାକତିଆରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ଏଥିପାଇଁ ଲଗାଯାଇଥିବା ବ୍ୟାନରର ଶଙ୍ଖ ଚିହ୍ନ ସହ ବିଜେଡି ସୁପ୍ରିମୋ, ବେଦପ୍ରକାଶ ଅଗ୍ରୱାଲ ଓ ତାଙ୍କ ପତ୍ନୀ ତଥା ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ଫଟୋ ଥିଲା । କିନ୍ତୁ ସାବିତ୍ରୀ ଅଗ୍ରୱାଲ ଅନୁପସ୍ଥିତ ଥିଲେ । କେବଳ ସଂଜୟଙ୍କ ସମର୍ଥକଙ୍କୁ ଦେଖିବାକୁ ମିଳିଥିଲା । ସଂଜୟ କହିଛନ୍ତି, ତାଙ୍କ ଭଉଣୀଙ୍କ କାର୍ଯ୍ୟକ୍ରମ ବିଷୟରେ ସେ ଅବଗତ ନାହାନ୍ତି ।

ସବୁଠାରୁ ବଡ କଥା ହେଲା, ଦୁଇ ଦୁଇଟି କାର୍ଯ୍ୟକ୍ରମରେ ବିଧାୟିକା ସାବିତ୍ରୀ ଅଗ୍ରୱାଲ ଅନୁପସ୍ଥିତ ରହିବା ଏକ ନୂଆ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଆଉ ଏହା ଅଗ୍ରୱାଲ ପରିବାରରେ ସବୁ କିଛି ଠିକଠାକ ଚାଲିନାହିଁ ବୋଲି ଆଲୋଚନା ହେଉଛି ।

ପାଟକୁରାର ୨୦୦୯ ଓ ୨୦୧୪ରେ ବିଧାୟକ ହୋଇଥିଲେ ବେଦପ୍ରକାଶ ଅଗ୍ରୱାଲ । ତାଙ୍କ ପରଲୋକ ପରେ ଅନୁକମ୍ପାମୂଳକ ଭୋଟ ପାଇବାକୁ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଏବେ ଏଠାରୁ ପ୍ରାର୍ଥୀ କିଏ ହେବ ଚର୍ଚ୍ଚା ଜୋର ଧରିଥିବାବେଳେ ବେଦପ୍ରକାଶଙ୍କ ପୁଅ-ଝିଅଙ୍କ ଅଲଗା ଅଲଗା କାର୍ଯ୍ୟକ୍ରମ ସ୍ଥାନୀୟ ରାଜନୀତିକୁ ସରଗରମ କରିଛି ।

The post ଅଗ୍ରୱାଲ ପରିବାରର ଉତ୍ତରାଧିକାରୀ କିଏ? ବେଦପ୍ରକାଶଙ୍କ ଜନ୍ମଜୟନ୍ତୀରେ ଦୁଇଫାଳ ପରିବାର ! first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ରେ ମୋଦୀ ବନାମ କିଏ? କିଏ ହେବ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ଦେଖନ୍ତୁ, ଭୋଟ୍ ରାଜନୀତିର ସଂଖ୍ୟାଗଣିତ…

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନରେ ମୋଦୀ ବନାମ କିଏ? ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିବାବେଳେ ଗତକାଲି ଇଣ୍ଡିଆ ମେଣ୍ଟ ବୈଠକରେ ମମତା ବାନାର୍ଜୀଙ୍କ ଏକ ପ୍ରସ୍ତାବ ନୂଆ ବିତର୍କ ସୃଷ୍ଟି କରିଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ମମତା ପ୍ରସ୍ତାବ ଦେଇଛନ୍ତି । ଆଉ ଏହାକୁ ନେଇ ଦେଶର ରାଜନୀତି ସରଗରମ ହୋଇଛି ।

ତେବେ ରାଜନୀତିର ପ୍ରତିଟି ରଣନୀତି ଯଦି ଭୋଟ୍ ଗଣିତ ସହ ଯୋଡ଼ି ଦିଆଯାଏ, ତେବେ ସେହି ସଂଖ୍ୟାଟି ହେବ ବହୁମତ । ଅର୍ଥାତ୍ ସରକାର ଗଢ଼ିବା ପାଇଁ ଆବଶ୍ୟକ ହେଉଥିବା ସଂଖ୍ୟା ହିଁ ପ୍ରତି ଦଳର ଲକ୍ଷ୍ୟ ।

  • ଲୋକସଭାର ନିର୍ବାଚିତ ସଦସ୍ୟଙ୍କ ସଂଖ୍ୟା- ୫୪୩
  • ସରକାର ଗଢ଼ିବା ପାଇଁ ବହୁମତ- ୨୭୨ କିମ୍ବା ତା’ଠୁ ଅଧିକ

ଏକ ସର୍ଭେରେ ୫୪୩କୁ ୩ ଭାଗରେ ବିଭକ୍ତ କରାଯାଇଛି ।  ଶହେ, ୨ ଶହ ଏବଂ ୨୪୩ । ସର୍ଭେର ଯୁକ୍ତି ଅନୁସାରେ, ଦେଶର ୧୦୦ଟି ଲୋକସଭା ଆସନରେ ବିଜେପି ଜିତିବା ସମ୍ଭବ ନୁହେଁ । କାରଣ, ଏହି ଶହେ ଆସନରେ ବିଜେପିର ଚିହ୍ନବର୍ଣ୍ଣ ନାହିଁ । ଦକ୍ଷିଣ ଭାରତରେ ବିଜେପିର ଦୁର୍ବଳ ପ୍ରଦର୍ଶନ, ସ୍ୱାଧୀନ ପ୍ରାର୍ଥୀ କିମ୍ବା ଆଞ୍ଚଳିକ ଦଳ ଏହି ଆସନରେ ବିଜେପି ବିଜୟ ପାଇଁ ବାଧା ହେବେ ।

ସେହିପରି ୨ଶହ ଆସନରେ କଂଗ୍ରେସ ସହ ସିଧାସଳଖ ବିଜେପିର ଟକ୍କର ହେବ । ଯେଉଁଠି ପ୍ରାୟ ୯୦ରୁ ୯୫ ପ୍ରତିଶତ ବିଜେପି ଜିତିବାର ସମ୍ଭାବନା ରହିଥିବା ସର୍ଭେ ରିପୋର୍ଟ କହୁଛି । କେନ୍ଦ୍ର ସରକାରଙ୍କ ପ୍ରଦର୍ଶନ, ମୋଦୀଙ୍କ ଲୋକପ୍ରିୟତା ଏବଂ ରାଷ୍ଟ୍ରବାଦୀ ଛବି, ବିଜେପିକୁ ୨ଶହ ଆସନରେ ସହାୟତା ଦେଇପାରେ । ଅନ୍ୟପଟେ ୨୪୩ ଟି ଆସନରେ ଆଞ୍ଚଳିକ ଦଳ, ସ୍ୱାଧୀନ ପ୍ରାର୍ଥୀ, ଇଣ୍ଡିଆ ମେଣ୍ଟରେ ଥିବା ଦଳ ସହ ବିଜେପିର ବହୁମୂଖୀ ଲଢ଼େଇ ହେବ । ଏହି ୨୪୩ରୁ ଯଦି ସଂଖ୍ୟାଧିକ ଆସନ ବିଜେପି ବା ଏନଡିଏ ଖାତାକୁ ଯିବ, ତେବେ ବିଜେପିକୁ ଅଟକାଇବା ହୁଏତ ଆଉ ସମ୍ଭବ ହେବ ନାହିଁ ।

ଏସବୁ ବାଦ ଆଉ ଏକ ବଡ଼ ପ୍ରସଙ୍ଗ ହୋଇପାରେ ଚେହେରା । ବିଜେପି ତଥା ଏନଡିଏର ଅପ୍ରତିଦ୍ୱନ୍ଦୀ ନେତା ହେଉଛନ୍ତି ନରେନ୍ଦ୍ର ମୋଦୀ । ତେଣୁ ବିଜେପିର ଚେହେରାକୁ ନେଇ କୌଣସି ଦ୍ୱନ୍ଦ ନାହିଁ । ଦ୍ୱନ୍ଦ୍ୱ ହେଉଛି ଇଣ୍ଡିଆ ମେଣ୍ଟର । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମେଣ୍ଟର ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନାଁକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଏକାଧିକ ନେତା ସ୍ୱାଗତ ମଧ୍ୟ କରିଛନ୍ତି । ତେବେ ନୀତିଶ କୁମାର ଓ ଲାଲୁ ଯାଦବଙ୍କ ଭଳି ନେତା ଏହାକୁ ଅପସନ୍ଦ କରିଥିଲେ ମଧ୍ୟ ଖୋଲାଖୋଲି ପ୍ରତିକ୍ରିୟା ଦେଇନାହାନ୍ତି ।
ତେବେ ଦୀର୍ଘ ରାଜନୈତିକ ଅଭିଜ୍ଞତା ଓ ଦଳିତ ଚେହେରା ଭାବେ ଖଡଗେ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଗ୍ରହଣୀୟ ହୋଇପାରିବେ ବୋଲି ରାଜନୀତି ବିଶେଷଜ୍ଞଙ୍କ ମତ ଦେଇଛନ୍ତି ।

  • ଦଳିତ ଚେହେରା ଭାବେ ଖଡଗେଙ୍କୁ ଆଗକୁ କରି କର୍ଣ୍ଣାଟକରେ ସଫଳତା ପାଇଛି କଂଗ୍ରେସ
  • ପରମ୍ପରାଗତ ଭାବେ କଂଗ୍ରେସକୁ ଦଳିତଙ୍କ ଭୋଟ୍ ମିଳିଆସିଥିବାରୁ ଲାଭ ମିଳିବା ସମ୍ଭାବନା
  • ସେ ଦକ୍ଷିଣ ଭାରତରୁ ଆସିଥିବାରୁ ଓ କଂଗ୍ରେସର ଗଡ଼ ହୋଇଥିବାରୁ ଫାଇଦା ମିଳିପାରେ

The post ୨୦୨୪ରେ ମୋଦୀ ବନାମ କିଏ? କିଏ ହେବ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ଦେଖନ୍ତୁ, ଭୋଟ୍ ରାଜନୀତିର ସଂଖ୍ୟାଗଣିତ… first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟପାଳଙ୍କ ଜନ ଶୁଣାଣି: ଲୋକଙ୍କ ସମସ୍ୟା ଶୁଣିଲେ ମହାମହିମ, ଯୁବତୀକୁ ପଢିବାକୁ ଦେଲେ ୧ଲକ୍ଷ ଟଙ୍କା

କନକ ବ୍ୟୁରୋ: ଉପାନ୍ତ ଅଂଚଳରେ ରାଜ୍ୟପାଳ ରଘୁବର ଦାସ । ବିଭିନ୍ନ ଅଂଚଳକୁ ଯାଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ରାଜ୍ୟପାଳ । ମାଲକାନଗିରିର ମାଥିଲି ବ୍ଲକ ପଙ୍ଗାମ ପଂଚାୟତର ବଡାଗୁଡା ଗାଁରେ ପହଂଚିଥିଲେ ରାଜ୍ୟପାଳ । ଏଠାରେ ଜଣେ ଶିକ୍ଷିତ ଯୁବତୀ କବିତା ଖରା ଆଇଏଏସ ହେବାକୁ ଲକ୍ଷ୍ୟ ରଖିଛନ୍ତି ଓ ଏଥିପାଇଁ ଟଙ୍କା ନାହିଁ ବୋଲି କହିଥିଲେ । ଆଉ ଏହା ଶୁଣିବା ପରେ ତୁରନ୍ତ ରାଜ୍ୟପାଳ ପାଣ୍ଠିରୁ ୧ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରଘୁବର ଦାସ ।

ରାଜଭବନ ଛାଡି ଉପାନ୍ତ ଅଂଚଳରେ ରାଜ୍ୟପାଳ । ଲୋକଙ୍କ ପାଖକୁ ଗଲେ, ଗ୍ରାମବାସୀଙ୍କ ଅଭିଯୋଗ ଶୁଣିଲେ । ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ ପରେ ରାଜ୍ୟପାଳ ରଘୁବର ଦାସ ପ୍ରଥମ ଥର ପାଇଁ ଆଦିବାସୀ ବହୁଳ ମାଲକାନଗିରି ଗସ୍ତ କରିଛନ୍ତି । ଜିଲ୍ଲାର ଗାଁକୁ ଗାଁ ବୁଲି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଏହି କ୍ରମରେ ମାଥିଲି ବ୍ଲକ ପଙ୍ଗାମ ପଂଚାୟତର ବଡାଗୁଡା ଗାଁରେ ପହଂଚିଥିଲେ ରାଜ୍ୟପାଳ । ରାଜ୍ୟପାଳଙ୍କୁ ପାଖରେ ପାଇ କିଏ ଦାଦନ ସମସ୍ୟା ଉଠାଇଥିଲା ପୁଣି କିଏ ମଦ ବନ୍ଦ କରିବାକୁ କହିଥିଲେ । ମହିଳାମାନେ ଡାକ୍ତରଖାନାରେ ପ୍ରସୂତି ବିଶେଷଜ୍ଞ ଓ ବ୍ଲଡ ବ୍ୟାଙ୍କ ପାଇଁ ଦାବି କରିଥିଲେ । ଏହି ସମୟରେ ଗାଁର ଶିକ୍ଷିତ ଯୁବତୀ କବିତା ଖରା ରାଜ୍ୟପାଳଙ୍କୁ କହିଥିଲେ ସେ ଆଇଏଏସ ହେବାକୁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ପାଠ ପଢାରେ ଅର୍ଥ ବାଧକ ସାଜୁଛି । ଏହା ଶୁଣିବା ପରେ ତୁରନ୍ତ ରାଜ୍ୟପାଳ ପାଣ୍ଠିରୁ ୧ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରଘୁବର ଦାସ ।

ଗସ୍ତ ସମୟରେ ଗାଁ ଗାଁରେ ଅଙ୍ଗନୱାଡି କେନ୍ଦ୍ର ଓ ଡାକ୍ତରଖାନା ବୁଲି ଦେଖିଥିଲେ ରାଜ୍ୟପାଳ । ବଡାଗୁଡା ଗାଁରେ ଅଭିଯୋଗ ଶୁଣାଣି ବେଳେ ପାଂଗାମ ପଂଚାୟତରେ ଆବଶ୍ୟକତା ଅନୁଯାଇ ଆଙ୍ଗନଓାଡି କେନ୍ଦ୍ର ନଥିବା ରାଜ୍ୟପାଳଙ୍କୁ ଜଣାଇଥିଲେ ସ୍ଥାନୀୟ ସରପଂଚ । ଆଉ ଆକାଂକ୍ଷା ଜିଲ୍ଲାର ପଂଚୟାତଗୁଡିକରେ ଆବଶ୍ୟକତା ଅନୁସାରେ ଅଙ୍ଗନୱାଡି କେନ୍ଦ୍ର ନ ଥିବା ଜାଣି ଉଦବେଗ ପ୍ରକାଶ କରିଥିଲେ । ମାଲକାନଗିରି ଜିଲ୍ଲା ଗସ୍ତ ଅବସରେ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଜଣାଇ ଏହାର ଲାଭ ଉଠାଇବାକୁ ଅପିଲ କରିଛନ୍ତି ରାଜ୍ୟପାଳ ।

The post ରାଜ୍ୟପାଳଙ୍କ ଜନ ଶୁଣାଣି: ଲୋକଙ୍କ ସମସ୍ୟା ଶୁଣିଲେ ମହାମହିମ, ଯୁବତୀକୁ ପଢିବାକୁ ଦେଲେ ୧ଲକ୍ଷ ଟଙ୍କା first appeared on Kanak News.

from Kanak News
via <a href="https://ifttt.com/?

୨୦୨୩ ପାଇଁ ଭାରତୀୟ କ୍ରୀଡା ପୁରସ୍କାର ଘୋଷଣା: ମହମ୍ମଦ ସାମିଙ୍କୁ ମିଳିବ ଅର୍ଜୁନ ପୁରସ୍କାର

କନକ ବ୍ୟୁରୋ: ୨୦୨୩ ବର୍ଷ ପାଇଁ ଭାରତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ପୁରସ୍କାର ‘ଖେଳ ରତ୍ନ’ ପାଇଁ ଦୁଇ ଜଣ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଚୟନ କରାଯାଇଛି। ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କୁ ଏହି ବଡ ପୁରସ୍କାର ମିଳିବାକୁ ଯାଉଛି । ସେହିପରି କ୍ରିକେଟ ଖେଳାଳି ମହମ୍ମଦ ସାମିଙ୍କୁ ‘ଅର୍ଜୁନ ପୁରସ୍କାର’ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୨୬ ଜଣ କ୍ରୀଡ଼ାବିତଙ୍କ ତାଲିକାରେ ପାରା ତୀରନ୍ଦାଜ ଶୀତଲ ଦେବୀଙ୍କ ନାମ ମଧ୍ୟ ରହିଛି।

ଚଳିତ ବର୍ଷ ବ୍ୟାଡମିଣ୍ଟନ୍ କ୍ଷେତ୍ରରେ ଭାରତର ପତାକା ଜିତିଛନ୍ତି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ। ହାଙ୍ଗଜୋରେ ଖେଳାଯାଇଥିବା ଏସୀୟ କ୍ରୀଡ଼ାରେ ଏହି ଯୋଡ଼ି ଭାରତକୁ ଐତିହାସିକ ବିଜୟ ଦେଇଥିଲେ। ଅନ୍ୟପକ୍ଷରେ ମହମ୍ମଦ ସାମି ୨୦୨୩ ବିଶ୍ୱକପ୍ ରେ ଧମାକାଦାର ପ୍ରଦର୍ଶନ କରିଥିଲେ। ଚଳିତ ବିଶ୍ବକପ୍ ରେ ସେ ସର୍ବାଧିକ ୱିକେଟ୍ ନେଇଥିଲେ।

ଖେଳ ରତ୍ନ ପୁରସ୍କାର: ଚିରାଗ ସେଟ୍ଟୀ (ବ୍ୟାଡମିଣ୍ଟନ) ଓ ସାତ୍ବିକସାଇରାଜ ରାଙ୍କି ରେଡ୍ଡୀ (ବ୍ୟାଡମିଣ୍ଟନ)

ଅର୍ଜୁନ ପୁରସ୍କାର: ଓଜସ ପ୍ରବୀଣ ଦେଓତାଲେ (ତୀରନ୍ଦାଜି), ଅଦିତି ଗୋପୀଚାନ୍ଦ ସ୍ୱାମୀ (ତୀରନ୍ଦାଜି), ଶ୍ରୀଶଙ୍କର (ଆଥଲେଟିକ୍ସ), ପାରୁଲ ଚୌଧୁରୀ (ଆଥଲେଟିକ୍ସ), ମହମ୍ମଦ ହୁସାମୁଦ୍ଦିନ (ବକ୍ସର), ଆର ବୈଶାଳୀ (ଚେସ୍), ମହମ୍ମଦ ସାମି (କ୍ରିକେଟ୍), ଅନୁଷ ଅଗ୍ରୱାଲ (ଅଶ୍ୱାରୋହୀ), ଦିକ୍ଷା ଡାଗର (ଗଲ୍ଫ), କ୍ରିଷନ ବାହାଦୁର ପାଠକ (ହକି), ସୁଶୀଲା ଚାନୁ (ହକି), ପବନ କୁମାର (କବାଡି), ରିତୁ ନେଗି (କବାଡି), ନସରିନ (ଖୋ-ଖୋ), ପିଙ୍କି (ଲନ୍ ବାଉଲ୍ସ), ଐଶ୍ୱର୍ୟ୍ୟା ପ୍ରତାପ ସିଂହ ତୋମାର (ସୁଟିଂ)। ଇଶା ସିଂହ (ସୁଟିଂ), ହରିନ୍ଦର ପାଲ ସିଂହ (ସ୍କ୍ୱାଶ), ଆୟିକା ମୁଖାର୍ଜୀ (ଟେବୁଲ ଟେନିସ), ସୁନୀଲ କୁମାର (କୁସ୍ତି), ଆଣ୍ଟିମ୍ (କୁସ୍ତି), ରୋଶିବିନା ଦେବୀ (ଉଶୁ), ଶୀତଲ ଦେବୀ (ପାରା ଆର୍ଚରୀ), ଅଜୟ କୁମାର (ଦୃଷ୍ଟିହୀନ କ୍ରିକେଟ), ପ୍ରାଚୀ ଯାଦବ (ପାରା କ୍ୟାନୋଇଙ୍ଗ୍)।

The post ୨୦୨୩ ପାଇଁ ଭାରତୀୟ କ୍ରୀଡା ପୁରସ୍କାର ଘୋଷଣା: ମହମ୍ମଦ ସାମିଙ୍କୁ ମିଳିବ ଅର୍ଜୁନ ପୁରସ୍କାର first appeared on Kanak News.

from Kanak News
via <a href="https://ifttt.com/?

ସ୍ୱାମୀଙ୍କୁ କରେଣ୍ଟ ଦେଇ  ହତ୍ୟା , ଶବ ସହ ଦୁଇଦିନ

ଆଗ୍ରାରେ ଜଣେ ମହିଳା ନିଜ ସ୍ଵାମୀଙ୍କୁ ଇଲେକ୍ଟ୍ରିକ କରେଣ୍ଟ ଦେ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ ସ୍ୱାମୀଙ୍କୁ ହତ୍ୟା କରିବା ପରେ ମହିଳା ଜଣକ ଶବକୁ ଦୁଇ ଦିନ ଘରେ ବନ୍ଦ କରି ରଖିଥିଲେ । ପରେ ଦୁର୍ଗନ୍ଧ ବାହାରିବା ପରେ ସେ ନିଜେ ପୋଲିସ ଷ୍ଟେସନରେ ପହଞ୍ଚି ହତ୍ୟା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ ।

ସଦର ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ମୃତକଙ୍କ ନାମ ନୀରଜ ବୋଲି ଜଣାପଡିଛି। ପୋଲିସ କହିଛି ଯେ ନୀରଜ କୁଶୱା ତାଙ୍କ ପତ୍ନୀ ପ୍ରୀତି ଏବଂ ଦୁଇ ପିଲାଙ୍କ ସହ ନାଗଲା କାଞ୍ଚିଆନରେ ଏକ ଭଡା ଘରେ ରହୁଥିଲେ। ଆଗ୍ରା କ୍ୟାଣ୍ଟ ରେଳଷ୍ଟେସନରେ ତାଙ୍କର ଏକ ଦୋକାନ ଅଛି ।

ଅଭିଯୁକ୍ତ ମହିଳା ଦାବି କରିଛନ୍ତି ଯେ ସ୍ୱାମୀ ସବୁବେଳେ ମଦ୍ୟପାନ କରୁଥିଲେ । ପୋଲିସ ଅଭିଯୁକ୍ତ ମହିଳାଙ୍କ କହିବା  ଅନୁସାରେ କହିଛି ଯେ ନୀରଜ ମଦ୍ୟପାନରେ ଅଭ୍ୟସ୍ତ ଥିଲେ ଏବଂ ପ୍ରତିଦିନ ନିଶା ଖାଇ ଘରକୁ ଫେରି ପ୍ରୀତିଙ୍କୁ ମାରପିଟ ମଧ୍ୟ କରୁଥିଲେ। ଏସବୁ ଅସହ୍ୟ ହେବାରୁ ଦିନେ ସ୍ତ୍ରୀ ଜଣକ ସ୍ଵାମୀଙ୍କୁ ବାନ୍ଧି ଇଲେକଟ୍ରିକ କରେଣ୍ଟ ଦେଇଥିଲେ । ଯାହାଫଳରେ ସ୍ବାମୀଙ୍କର ମୃତ୍ଯୁ ଘଟିଥିଲା ।

ମୃତଦେହକୁ ଘରେ ରଖି  ପୋଲିସ ଷ୍ଟେସନରେ ପହଞ୍ଚିଥିଲା ସ୍ତ୍ରୀ

ଅଧିକାରୀ କହିଛନ୍ତି ଯେ ବିଦ୍ୟୁତ ଆଘାତ ଯୋଗୁଁ ନୀରଜଙ୍କ ମୃତ୍ୟୁ ଘଟିଛି ଏବଂ ମହିଳା ଜଣକ ମୃତଦେହକୁ ଦୁଇ ଦିନ କୋଠରୀରେ ବନ୍ଦ କରି ରଖିଥିବା ଅଭିଯୋଗ ହୋଇଛି । ସେ କହିଛନ୍ତି ଯେ ସୋମବାର ସକାଳେ ମୃତ ଦେହରୁ ଦୁର୍ଗନ୍ଧ ଆସିବା ଆରମ୍ଭ କଲାବେଳେ ପ୍ରୀତି କୋଠରୀକୁ ତାଲା ପକାଇ ପୋଲିସ ଷ୍ଟେସନକୁ ଯାଇ ଅଧିକାରୀଙ୍କୁ ଚାବି ଦେଇ କହିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ।ଏହି ପରିପ୍ରେକ୍ଷୀରେ ସଦର ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ପ୍ରଦୀପ କୁମାର କହିଛନ୍ତି ଯେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଅଭିଯୁକ୍ତ ପ୍ରୀତି କୁଶୱାଙ୍କୁ ଗିରଫ କରି ପଚରାଉଚରା କରୁଛି। ସେ କହିଛନ୍ତି ଯେ ଘରୋଇ କଳହ ହେଉଛି ହତ୍ୟାକାଣ୍ଡର କାରଣ ବୋଲି ଦର୍ଶାଇଛନ୍ତି ।

The post ସ୍ୱାମୀଙ୍କୁ କରେଣ୍ଟ ଦେଇ  ହତ୍ୟା , ଶବ ସହ ଦୁଇଦିନ first appeared on Kanak News.

from Kanak News
via <a href="https://ifttt.com/?

ମହାଲକ୍ଷ୍ମୀ ପୂଜାକୁ ନେଇ ଚଳଚଞ୍ଚଳ ମୁନିଗୁଡା ସହର: ତୋରଣ ସାଙ୍ଗକୁ ମା’ଙ୍କ ଦର୍ଶନ ପାଇଁ ଜମୁଛି ଭକ୍ତଙ୍କ ଭିଡ଼

କନକ ବ୍ୟୁରୋ: ମହାଲକ୍ଷ୍ମୀ ପୂଜାକୁ ନେଇ ଚଳଚଂଚଳ ହୋଇ ପଡିଛି ରାୟଗଡା ଜିଲ୍ଲା ମୁନିଗୁଡା ସହର । ୧୯୮୮ ମସିହାରୁ ଆରମ୍ଭ ହୋଇଥିବା ଏହି ପୂଜା ଚଳିତ ବର୍ଷ ୩୬ ବର୍ଷରେ ପଦାର୍ପଣ କରିଛି । ପୂଜା କମିଟି ତରଫରୁ ସୁଉଚ୍ଚ ତୋରଣ ସାଙ୍ଗକୁ ମିନାବଜାର ଓ ଅପେରାର ବ୍ୟବସ୍ଥାହୋଇଛି । ମା’ଙ୍କୁ ଦେଖିବାକୁ ସଂଧ୍ୟାରେ ହେଲେ ଜମୁଛି ଲୋକଙ୍କ ଗହଳି ।

ଝିଲିମିଲି ଆଲୋକରେ ଝଲସୁଛି ପୂଜା ପେଣ୍ଡାଲ । ସୁ-ଉର୍ଚ୍ଚ ତୋରଣ ସାଙ୍ଗକୁ ମା’ଙ୍କ ମୂର୍ତି ମନ ମୋହୁଛି । ମହାଲକ୍ଷ୍ମୀ ପୂଜା ପାଇଁ ରାୟଗଡା ଜିଲ୍ଲା ମୁନିଗୁଡା ସହର ଚଳଚଂଚଳ । ୩୬ ବର୍ଷ ହେବ ଏଠାରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି । ସଂଧ୍ୟାରେ ମା’ଙ୍କ ଆଳତୀ ଦେଖିବାକୁ ସହ ମା’ଙ୍କୁ ଦର୍ଶନ କରିବାକୁ ଶହ ଶହ ଲୋକଙ୍କ ଭିଡ଼ ଜମୁଛି । ପୂଜା ବୁଲିବା ସହ ବଜାର ବୁଲାର ମଜା ନେଉଛନ୍ତି ଲୋକେ । ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ପାଲଟିଛି ପୁଜାର ହସ୍ତିନାପୁରର ମହଲ ଆକାରର ତୋରଣ ସାଙ୍ଗକୁ ମିନା ବଜାର ।

ଜାତି ଧର୍ମ ନିର୍ବିଶେଷରେ ଭାଇଚାରାର ସନ୍ଦେଶ ନେଇ ଏହି ପୂଜା ପାଳନ କରାଯାଇଥାଏ । ଏହି ପୂଜା ଦେଖିବାକୁ ଆଖପାଖ ଅଂଚଳ ସହ ପଡୋଶୀ କଳାହାଣ୍ଡି, କନ୍ଧମାଳ ଏପରିକି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡରୁ ମଧ୍ୟ ଲୋକେ ଏଠାକୁ ଆସିଥାନ୍ତି । ପ୍ରତିବର୍ଷ ମାର୍ଗଶୀର ମାସ ତୃତୀୟ ଗୁରୁବାରରୁ ମହାଲକ୍ଷ୍ମୀଙ୍କ ସ୍ଥାପନା କରିଥାନ୍ତି ପୂଜା କମିଟି । ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଜମେ ।

The post ମହାଲକ୍ଷ୍ମୀ ପୂଜାକୁ ନେଇ ଚଳଚଞ୍ଚଳ ମୁନିଗୁଡା ସହର: ତୋରଣ ସାଙ୍ଗକୁ ମା’ଙ୍କ ଦର୍ଶନ ପାଇଁ ଜମୁଛି ଭକ୍ତଙ୍କ ଭିଡ଼ first appeared on Kanak News.

from Kanak News
via <a href="https://ifttt.com/?

ଧରାକୋଟ ବ୍ଲକର ଦାମଦରପଲ୍ଲି ଗାଁରେ ଲୋକଙ୍କୁ ମିଳୁନି ପିଇବା ପାଣି: ଚୁଆ ପାଣି ଆଣି ଶୋଷ ମେଂଟାଉଛନ୍ତି ଲୋକେ

କନକ ବ୍ୟୁରୋ: ଗ୍ରାମାଚଂଳ ବିକାଶ ପାଇଁ ସରକାରଙ୍କ ପୁଳାପୁଳା ଯୋଜନା ରହିଛି । ହେଲେ ଏହା କେତେ ଦୁର ଲୋକଙ୍କ କାମରେ ଲାଗୁଛି ତାହା ଏହି ଘଟଣାରୁ ସ୍ୱଷ୍ଟ ବାରିହେଉଛି । ଗାଁ ଗହଳିରେ ସ୍ୱଛ ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କ ବସୁଧା ଯୋଜନା ରହିଛି । ଅନେକ ଗାଁରେ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ପାଣି ଟାଙ୍କି ନିର୍ମାଣ କରାଯାଇଛି । କିନ୍ତୁ ତାହା ଲୋକଙ୍କ ଶୋଷ ଦୂର କରିବାରେ କେତେ ଦୁର ସଫଳ ହେଉଛି ତାହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଧରାକୋଟ ବ୍ଲକର ଦାମଦରପଲ୍ଲି ଗାଁରେ ।

ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଦାମଦରପଲ୍ଲିର ୨ଟି ସାହିର ବାସିନ୍ଦା । ପିଇବା ପାଣି ମିଳୁନଥିବାରୁ ହନ୍ତସନ୍ତ ହେଉଛନ୍ତି ଲୋକେ । ଋଷିକୁଲ୍ୟା ନଦୀରେ ଚୁଆ ପାଣିି ଗାଁଲୋକଙ୍କ ପାଇଁ ଏକମାତ୍ର ସାହା । ଏହି ପାଣି ଗାଁ ଲୋକଙ୍କ ଜୀବନ ବଂଚାଉଛି । ଧାଡ଼ି ଧାଡ଼ି ହୋଇ ମହିଳା ନଦୀକୁ ଯାଇ ବାଲିକୁ ଆଡ଼େଇ ଚୁଆ ଖୋଳି ପାଣି ଆଣୁଛନ୍ତି । ଗାଁ ଲୋକଙ୍କୁ ପାନିୟ ଜଳ ଯୋଗାଇବା ପାଇଁ ୫ ବର୍ଷ ପୂର୍ବେ ଗୋଟିଏ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରାଯାଇଛି । ହେଲେ ତାହା ଲୋକଙ୍କ କାମରେ ଆସୁନି । ଟାଙ୍କି କାଯ୍ୟକ୍ଷମ ହେବା ଦିନ ଠାରୁ ହିଁ ଗାଁର ବ୍ରାହ୍ମଣ ସାହି, ସାନ ରମୁଣି ସାହି ଓ ଧୋବା ସାହିକୁ ପାଣି ପାଇପ୍ ଖଞାଯାଇଛି ହେଲେ ଏଥିରେ ପାଣି ଆସୁନାହିଁ ।

ଗାଁରେ ୩୦୦ରୁ ଅଧିକ ଲୋକ ବସବାସ କରନ୍ତି । ପାନିୟ ଜଳ ସମସ୍ୟା ନେଇ ଲୋକେ ବାରମ୍ବାର ଗୁହାରି କରିବା ପରେ ବି କେହିଁ ଶୁଣୁନଥିବା ଅଭିଯୋଗ କରିଛନ୍ତି । ଯେଉଁ ୩ଟି ସାହିରେ ପାଣି ଆସୁନାହିଁ ସେହି ସବୁ ସାହିରେ ଗୋଟିଏ ନଳକୂପ ରହିଛି । ହେଲେ ସେହି ନଳକୂପ ପାଣି ପିଇବା ଯୋଗ୍ୟ ନାହିଁ । ତେଣୁ ଗାଁ ନିକଟ ଦେଇ ଯାଇଥିବା ଋଷିକୁଲ୍ୟା ନଦୀର ପାଣି ଏବେ ଲୋକଙ୍କ ଶୋଷ ଦୂର କରୁଛି । ଲୋକେ ନଦୀର ଦୂଷିତ ପାଣିକୁ ପାନୀୟ ଜଳ ରୁପେ ବ୍ୟବହାର କରୁଛନ୍ତି । ଗାଁର ଏହି ପାନିୟ ଜଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି । ଗାଁ ଲୋକେ ବହୁବାର ସ୍ଥାନୀୟ ଅଂଚଳର ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରିଙ୍କୁ ବି ଗୁହାରି କରିଛନ୍ତି । ତଥାପି ସମସ୍ୟା ସମାଧାନ ହେଉ ନଥିବାରୁ ଏବେ ଲୋକେ କର୍ମକୁ ଆଦିରି ନଦୀର ଦୂଷିତ ପାଣି ପିଉଛନ୍ତି ।

The post ଧରାକୋଟ ବ୍ଲକର ଦାମଦରପଲ୍ଲି ଗାଁରେ ଲୋକଙ୍କୁ ମିଳୁନି ପିଇବା ପାଣି: ଚୁଆ ପାଣି ଆଣି ଶୋଷ ମେଂଟାଉଛନ୍ତି ଲୋକେ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started