କନକ ବ୍ୟୁରୋ: କିଛି ଦିନର ଆଶ୍ୱସ୍ତି ପରେ ପୁଣି ମୁଣ୍ଡ ଟେକିଛି କରୋନା ଭୟ । ଓମିକ୍ରନର ଉପପ୍ରଜାତି ଜେଏନ ଡଟ ୱାନକୁ ନେଇ ଡର ବଢ଼ୁଛି । ୨୪ଘଂଟା ଭିତରେ କେରଳରୁ ୪ଜଣ ଓ ଉତରପ୍ରଦେଶରୁ ଜଣେ କୋଭିଡ ସଂକ୍ରମିତଙ୍କ ମୃତ୍ୟୁ ସୂଚନା ରହିଛି । ସେପଟେ କର୍ଣ୍ଣାଟକ ସରକାର ବୟସରଙ୍କ ମାସ୍କ ବ୍ୟବହାର ପାଇଁ ପରାର୍ମଶ ଦେବା ସହ କେରଳରେ ହେବ ସମୂହ ନମୁନା ପରୀକ୍ଷା । ଅନ୍ୟପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଭୟଭୀତର କୌଣସି କାରଣ ନାହିଁ ତେବେ ସଜାଗ ରହିବା ଜରୁରୀ । ବିଶ୍ୱ ସ୍ୱାସ୍ଥ୍ୟ ସଗଂଠନ ମଧ୍ୟ ଆଡଭାଇଜରୀ ଜାରି କରିଛି ।
ଦେଶରେ ପୁଣି ମୁଣ୍ଡ ଟେକିଛି କୋଭିଡ ଡର । କୋଭିଡର ନୂଆ ସବଭ୍ୟାରିଆଂଟ ଜେଏନଡଟୱାନ ସଂକ୍ରମିତ ଦେଶରେ ଚିହ୍ନଟ ହେବା ପରେ ଭୟ ଦ୍ୱିଗୁଣ ବଢ଼ିଛି । ସେପଟେ ୨୪ଘଂଟା ଭିତରେ କେବଳ କେରଳରୁ ୪ଜଣ ଓ ଉତରପ୍ରଦେଶରେ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୃତକମାନେ ନୂଆ ସବ ଭ୍ୟାରିଆଂଟରେ ଆକ୍ରାନ୍ତ ଥିଲେ ନା ନାହିଁ ଏନେଇ କୌଣସି ସୂଚନା ମିଳିପାରିନି ।
ଦେଶରେ ଗତ ୨୪ ଘଂଟା ମଧ୍ୟରେ ୩୩୫ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ପୁଣି କୋଭିଡକୁ ନେଇ ମନରେ ସେହି ଡର ଆରମ୍ଭ ହୋଇଛି । ନୂଆ ସଂକ୍ରମଣକୁ ମିଶାଇ ଦେଶରେ ମୋଟ କୋଭିଡ ରୋଗୀଙ୍କ ସଂଖ୍ୟା ଏକ ହଜାର ୭ଶହ ଏକରେ ପହଁଚିଛି । ସେପଟେ କର୍ଣ୍ଣାଟକରେ ସରକାର ବୟସ୍କ ଓ ବହୁବାଧୀ ରୋଗୀଙ୍କୁ ମାସ୍କ ପିନ୍ଧିବାକୁ ପରାର୍ମଶ ଦେଇଛନ୍ତି । କାରଣ ରାଜ୍ୟରେ ୩ମାସ ମଧ୍ୟରେ ସବୁଠୁ ଅଧିକ ସଂକ୍ରମଣ ବଢ଼ିଥିବା ସୂଚନା ରହିଛି ।
ନୂଆ କୋଭିଡ ଭ୍ୟାରିଆଂଟ‘ଜେଏନ୍ ଡଟ୍ ୱାନ
-‘ଜେଏନ୍ଡଟ୍ ୱାନ’ଓମିକ୍ରନ ଭ୍ୟାରିଆଂଟ୍ ‘ବିଏ ଡଟ୍ ଟୁ ପଏଂଟ ଏଇଟ ସିକ୍ସର’ ର ସବ୍ ଭ୍ୟାରିଆଂଟ ଅଟେ ।
-ସେପ୍ଟେମ୍ବର ମାସରେ ପ୍ରଥମେ ଆମେରିକାରେ ସଂକ୍ରମିତ ଚିହ୍ନଟ ହୋଇଥିଲେ
-ଡିସେମ୍ବର ୮ରେ କେରଳରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲେ
-୭୯ ବର୍ଷୀୟ ମହିଳା ସିଙ୍ଗାପୁରରୁ ଫେରିଥିବା ସୂଚନା
-ଡିସେମ୍ବର ୧୫ରେ ଚୀନରେ ୭ଜଣ ରୋଗୀ ହ୍ନଟ ହୋଇଥିଲେ
କୋଭିଡର ପୂର୍ବ ଭ୍ୟାରିଆଂଟ ପରି ନୂଆ ସବ ଭ୍ୟାରିଆଂଟ ସଂକ୍ରମିତଙ୍କ ନିକଟରେ ସମାନ ଲକ୍ଷଣ ପ୍ରକାଶ ପାଉଛି । ଯେପରି ଲକ୍ଷଣ—ଜର, ମୁଣ୍ଡବିନ୍ଧା, ଖାସ, ନାକରୁ ପାଣି ଗଡିବା, ଗଳାରେ ଯନ୍ତ୍ରଣା ଦେଖିବାକୁ ମିଳୁଛି । ରାଜ୍ୟମାନଙ୍କୁ କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାର ସବୁଥର ପରି ଏଥରକ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥିିିତି ଉପର ନଜର ରଖାଯାଇ ସର୍ଭିଲାନ୍ସ କରାଯାଉଥିବା ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି । ସବୁଠୁ ଚିନ୍ତା ବଢ଼ାଇଛି ସିଙ୍ଗାପୁର, ଇଣ୍ଡୋନେସିଆ, ମାଲେସିଆ । କାରଣ ଏଠାରେ ସପ୍ତାହକ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣା ବୃଦ୍ଧି ହୋଇଛି । ଦୁଇବର୍ଷ ଧରି କୋଭିଡ ମହାମାରୀ ସାରା ବିଶ୍ୱକୁ ନାକେଦମ କରିଥିଲା । ସମୟକ୍ରମେ ସଂକ୍ରମଣ କମିବା ଆଶ୍ୱସ୍ତି ମଧ୍ୟ ମିଳିଥିଲା । ଏବେ ପୁଣି ଆରମ୍ଭ ହୋଇଛି କୋଭିଡ ଭୟ ।
The post କେରଳରେ କୋଭିଡ ଆତଙ୍କ: ଭୟ ବଢ଼ାଉଛି ନୂଆ ସବ୍ ଭ୍ୟାରିଆଂଟ ‘ଜେଏନ୍ ଡଟ୍ ୱାନ’ first appeared on Kanak News.
from Kanak News
via <a href="https://ifttt.com/?