କୋବି ଚାଷରୁ ମିଳୁଛି ଭଲ ଲାଭ । କାମାକ୍ଷାନଗରରେ ଏକର ଏକର ଜମିରେ କୋବି ଚାଷ କରି ଲାଭବାନ ହେଉଛନ୍ତି ଚାଷୀ ।

କନକ ବ୍ୟୁରୋ: ଫୁଲକୋବି ଚାଷ କରି ସ୍ୱାବଲମ୍ବୀ ହେଲେ କାମାକ୍ଷାନଗର ରାଣୀବୋଲ ସାହିର ଚାଷୀ । ଏହି ଅଂଚଳର ଲୋକମାନେ ବିଶେଷକରି ଧାନ ଚାଷ ଉପରେ ନିର୍ଭର କରୁଥିବା ବେଳେ ଏବେ କୋବି ଓ ବିଭିନ୍ନ ପ୍ରକାରର ପନିପରିବା ଚାଷ କରୁଛନ୍ତି । ଏକର ଏକର ଜମିରେ ଫୁଲ କୋବି, ବନ୍ଧା କୋବି ଓ ଉଲ କୋବି ଚାଷ କରିଛନ୍ତି ଚାଷୀ । ଆଜିର ଯୁବ ପିଢ଼ି ଚାଷ ଉପରୁ ମୁହଁ ଫେରାଉଥିବା ବେଳେ ରାଣୀବୋଲ ଗାଁର ଯୁବକ ମାନେ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।

ବର୍ଷା ଓ ଶୀତ ସମୟରେ କୋବି ଚାଷ କରି ଚାଷୀ ମାନେ ବର୍ଷକୁ ୨ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ଏବେ ଶୀତ ସମୟ ଥିବାରୁ ଭଲ କୋବି ଚାଷ ହୋଇଛି । କୋବି ନେବା ପାଇଁ ଚାଷୀଙ୍କ ବିଲ ନିକଟରେ ବ୍ୟବସାୟୀଙ୍କ ଗହଳି ଲାଗୁଛି । କଟକ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ପୁରୀ, ଆଠଗଡ଼ ଅଂଚଳରୁ ବ୍ୟବସାୟୀ ମାନେ ଗାଡ଼ି ଲଗାଇ କୋବି କିଣି ନେଉଛନ୍ତି । କିଛି ପ୍ରୋତ୍ସାହନ ମିଳିଲେ ଆହୁରି ଉନ୍ନତମାନର ଚାଷ ହୋଇପାରିବ ବୋଲି କହିଛନ୍ତି ଚାଷୀ । ତେବେ ଚାକିରୀ ପଛରେ ନଗୋଡ଼ାଇ ଚାଷ କରି ଭଲ ରୋଜଗାର କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।

ବର୍ତ୍ତମାନ ସମୟରେ ନିଜସ୍ୱ ଉଦ୍ୟମରେ ରୋଜଗାର କରିବାକୁ ପସନ୍ଦ କରୁଛନ୍ତି ଯୁବପିଢ଼ି । ସେ ଚାଷ କାମ ହେଉ ଅବା ବ୍ୟବସାୟ । ଉନ୍ନତମାନର ଚାଷ କରି ଅନ୍ୟମାନଙ୍କ ଉଦାହରଣ ପାଲଟୁଛନ୍ତି ଚାଷୀ ଓ ଯୁବବର୍ଗ । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟୁଛି ।

The post କୋବି ଚାଷରୁ ମିଳୁଛି ଭଲ ଲାଭ । କାମାକ୍ଷାନଗରରେ ଏକର ଏକର ଜମିରେ କୋବି ଚାଷ କରି ଲାଭବାନ ହେଉଛନ୍ତି ଚାଷୀ । first appeared on Kanak News.

from Kanak News
via <a href="https://ifttt.com/?

ଯୁବ ଇଞ୍ଜିନିୟର କରୁଛନ୍ତି କୁୁକୁଡ଼ା ଚାଷ । ଅତ୍ୟାଧୁନିକ ପ୍ରଣାଳୀରେ କରିଛନ୍ତି ଫାର୍ମ । ମଣିଷ ବଦଳରେ ମେସିନ୍ କରୁଛି କାମ ।

କନକ ବ୍ୟୁରୋ: ଅତ୍ୟାଧୁନିକ ପ୍ରଣାଳୀରେ କୁକୁଡ଼ା ଚାଷ କରି ଚର୍ଚ୍ଚାରେ ଯୁବ ଚାଷୀ କାହ୍ନା । ଏଥିପାଇଁ ତାଙ୍କୁ ଖର୍ଚ୍ଚ କରିବାକୁ ପଡ଼ିଛି ଲକ୍ଷାଧିକ ଟଙ୍କା । ସମ୍ବଲପୁର କିଲ୍ଲା କୁଚିଣ୍ଡା ଉପଖଣ୍ଡର ଯୁବ ଇଞ୍ଜିନିୟର କାହ୍ନା ସାହୁ ପଢିଥିବା ପାଠକୁ ଉପଯୋଗ କରି ଉପଖଣ୍ଡର ସବୁଠୁ ବଡ କୁକୁଡା ଫାର୍ମ କରି ପାଇଛନ୍ତି ସଫଳତା । ଆଉ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

ଯୁବ ଇଞ୍ଜିନିୟରଙ୍କ କୁକୁଡା ଚାଷ । କୃଷି ବିଜ୍ଞାନରେ ଇଞ୍ଜିନିୟରିଂ ପାସ୍ କରିବା ପରେ କୁକୁଡ଼ା ଚାଷ କରିଛନ୍ତି ସମ୍ବଲପୁର କୁଚିଣ୍ଡା ବ୍ଲକ ବକ୍ସମା ଗାଁର କାହ୍ନା ସାହୁ । ଏହି କୁକୁଡ଼ା ଫାର୍ମଟି ଅତ୍ୟାଧୁନିକ ପଦ୍ଧତିରେ କରାଯାଇଛି । ଏହି ଫାର୍ମରେ ମଣିଷ ବଦଳରେ ମେସିନ୍ କରୁଛି କାମ । ମେସିନ୍ ଦେଉଛି କୁକୁଡ଼ାଙ୍କୁ ଖାଦ୍ୟ, ପାନୀୟ । ଏଭଳି ଏକ କୁକୁଡ଼ା ଫାର୍ମ କରି ଭଲ ରୋଜଗାର କରୁଛନ୍ତିି ଯୁବ ଇଞ୍ଜିନିୟର ।

ଚାକିରି ପଛରେ ନପଡ଼ି ନିଜସ୍ୱ ଉଦ୍ୟମରେ କରିଛନ୍ତି କୁକୁଡ଼ା ଫାର୍ମ । ବ୍ୟାଙ୍କରୁ କିଛି ରୁଣ ନେଇ କୁକୁଡ଼ା ଚାଷ କରିଛନ୍ତି ଯୁବ ଇଞ୍ଜିନିୟର । ଭୁବନେଶ୍ୱରର ଏକ ସଂସ୍ଥା ସହିତ ଚୁକ୍ତିନାମା କରିଛନ୍ତି କାହ୍ନା । କୁକୁଡା ଚିଆଁ ଦେବା ସହ କୁକୁଡା ବଡ ହୋଇଗଲେ ବିକିବା ଦାୟିତ୍ୱ ଏହି ସଂସ୍ଥା ନେଇଛି । ଏହି ଫାର୍ମରେ ୧୮ ହଜାର କୁକୁଡାଚିଆଁ ରହିବାର କ୍ଷମତା ରହିଛି । ୩୫ରୁ ୪୦ ଦିନରେ କୁକୁଡା ସବୁ ବିକ୍ରି ଉପଯୋଗୀ ହେବା ପରେ ଏହାକୁ ବିକ୍ରି କରାଯାଉଛି । କାହ୍ନା ନିଜେ କାମ କରିବା ସହ କିଛି କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରିଛନ୍ତି ।

କୃଷି ବିଜ୍ଞାନରେ ପାଠ ପଢ଼ିଥିବାରୁ ଏହି କ୍ଷେତ୍ରରେ କାମ କରିବା ତାଙ୍କୁ ବେଶ ସହାୟକ ହୋଇଛି । ଚାକିରି କରିବା ଅପେକ୍ଷା ଏଭଳି କିଛି କାମ କରି ଆତ୍ମନିର୍ଭର ହୋଇଛନ୍ତି ଯୁବ ଇଞ୍ଜିନିୟର ।

The post ଯୁବ ଇଞ୍ଜିନିୟର କରୁଛନ୍ତି କୁୁକୁଡ଼ା ଚାଷ । ଅତ୍ୟାଧୁନିକ ପ୍ରଣାଳୀରେ କରିଛନ୍ତି ଫାର୍ମ । ମଣିଷ ବଦଳରେ ମେସିନ୍ କରୁଛି କାମ । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟ ବାହାରକୁ ଯାଉଛି ଖୋର୍ଦ୍ଧା ଶୁଖୁଆ । ଆସାମ, ନାଗାଲାଣ୍ଡ ଓ ମଣିପୁରକୁ ହେଉଛି ରପ୍ତାନୀ ।

କନକ ବ୍ୟୁରୋ: ଏ ଦୃଶ୍ୟ ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟ ୧୬ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଶୁଖୁଆ ଖଳାର ଦୃଶ୍ୟ । ଧାଡ଼ି ଧାଡ଼ି ହୋଇ ପଡ଼ିଛି ବେଡ଼ । ଏଥିରେ କେରାଣ୍ଡି, ଗଣିଆ, ତୋଡ଼ି, ବାଳିଆ ଭଳି ଶୁଖୁଆ ସୁଖୁଛି । ପୁରା ଦେଶୀ ଷ୍ଟାଇଲରେ ପ୍ରସ୍ତୁତ ହେଉଥିବା ଏହି ଶୁଖୁଆ ଓଡ଼ିଶା ଅପେକ୍ଷା ବାହାର ରାଜ୍ୟରେ ରହିଛି ଚାହିଦା । ତେଣୁ ଏଠାରୁ ପ୍ରାୟ ଟନ୍ ଟନ୍ ଶୁଖୁଆ ଆସାମ, ନାଗାଲାଣ୍ଡ ଓ ମଣିପୁରକୁ ରପ୍ତାନୀ ହେଉଛି ।  ପ୍ରତି ବର୍ଷ ଶୀତ ରୁତୁ ଆସିଲେ ଆସାମରୁ ବ୍ୟବସାୟୀ ମାନେ ଆସି ମାସ ମାସ ଧରି ଏଠାରେ ରହିବା ସହ ଶୁଖୁଆ ପ୍ରସ୍ତୁତ କରନ୍ତି । ଚିଲିକା, ଭୁଷଣ୍ଡପୁର ଓ କାଳୁପଡ଼ା ଅଂଚଳରୁ କଂଚା ମାଛ ସଂଗ୍ରହ କରି ଶୁଖୁଆ ପସ୍ତୁତ କରି ନିଜ ରାଜ୍ୟରେ ବିକ୍ରି କରନ୍ତି ।

ଆସାମରୁ କିଛି ବ୍ୟବସାୟୀ ଏଠାକାର ଲୋକଙ୍କ ସହଯୋଗରେ ଏହି ବ୍ୟବସାୟ କରୁଥିବା ବେଳେ ପାଖାପାଖି ୨୦ରୁ ୨୫ ଜଣ ଉପକୃତ ହେଉଛନ୍ତି । ଓଡ଼ିଶାରେ ଏହି ଶୁଖୁଆର ଚାହିଦା ନଥିବାବେଳେ ଆସମରେ ଏହାର ଅଧିକ ଚାହିଦା ରହିଛି । ତେଣୁ ବର୍ଷର ୬ରୁ ୭ ସାମ ଏଠାରେ ବ୍ୟବସାୟୀ ମାନେ ରହି ଶୁଖୁଆ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ।

ପଖାଳ ସାଙ୍ଗକୁ ଶୁଖୁଆର ମଜା ଟିକେ ନିଆରା । ଅନେକ ଲୋକଙ୍କର ଏହା ପ୍ରିୟ ଖାଦ୍ୟ ହୋଇଥିବା ବେଳେ କେହି କେହି ଏହାକୁ ଖାଇବାକୁ ନାପସନ୍ଦ କରନ୍ତି । କିନ୍ତୁ ଏଠାରୁ ପ୍ରସ୍ତୁତ ହେଉଥିବା ଶୁଖୁଆ ଆସାମ ଓ ନାଗାଲାଣ୍ଡ ଲୋକଙ୍କର ଅଧିକ ପସନ୍ଦ ବୋଲି କହିଛନ୍ତି ବ୍ୟବସାୟୀ ।

The post ରାଜ୍ୟ ବାହାରକୁ ଯାଉଛି ଖୋର୍ଦ୍ଧା ଶୁଖୁଆ । ଆସାମ, ନାଗାଲାଣ୍ଡ ଓ ମଣିପୁରକୁ ହେଉଛି ରପ୍ତାନୀ । first appeared on Kanak News.

from Kanak News
via <a href="https://ifttt.com/?

ପୁଷ୍ଟି ଶସ୍ୟ ଶୁଆଁ ଚାଷ କରି ଚର୍ଚ୍ଚାରେ ସରିତା । ୧୫ ଏକର ଜମିରେ ଫଳାଇଛନ୍ତି ସୁନାର ଫସଲ ।ବର୍ଷକୁ କରୁଛନ୍ତି ୩ଲକ୍ଷରୁ ଅଧିକ ରୋଜଗାର ।

କନକ ବ୍ୟୁରୋ: ମିଲେଟ କହିଲେ ଆମେ କେବଳ ମାଣ୍ଡିଆ କୁ ହିଁ ବୁଝିଥାଉ, ହେଲେ ମିଲେଟର ଆହୁରି ଅନେକ ପ୍ରକାରର ଶସ୍ୟ ରହିଛି । ସେଥିମଧ୍ୟରୁ ଆଉ ଏକ ପୁଷ୍ଟି ଶସ୍ୟ ହେଉଛି ଶୁଆଁ । ଯାହା ଏବେ ବିଲୁପ୍ତ ପ୍ରାୟ । ଏହି ଶୁଆଁକୁ ୧୫ ଏକର ଜମିରେ ଚାଷ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବାଲିଶଙ୍କରା ବ୍ଲକ ତଳସରା ଗାଁର ମହିଳା ଚାଷୀ ସରିତା ସାହୁ । ମାଣ୍ଡିଆକୁ ରାଜ୍ୟ ସରକାର ବିଶେଷ ପ୍ରାଧାନ୍ୟ ଦେଇ ତାର ବ୍ୟବହାର ଏବଂ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଦେଉଛନ୍ତି କିନ୍ତୁ ମାଣ୍ଡିଆ ଠାରୁ ପୁଷ୍ଟିକର ଏହି ଶୁଆଁକୁ ଚାଷ କରି ମିଲେଟ ମିଶନକୁ ଏକ ନୂଆ ଦିଗ ଦେଖାଇଛନ୍ତି ଏହି ମହିଳା ଚାଷୀ ।

ସବୁଜ କ୍ଷେତରେ ଫଳିଛି ସୁନାର ଫସଲ । ଲହଡି ଭଙ୍ଗୁଛି କେଣ୍ଡା କେଣ୍ଡା ଶସ୍ୟ । ଆପଣ ଭାବୁଥିବେ ଏହା ଚାଷୀର କ୍ଷେତରେ ଅମଳ ହେବାକୁ ଥିବା ଧାନ କି ଗହମ ବୋଲି, ହେଲେ ତାହା ନୁହେଁ ଏହା ହେଉଛି ବିଲୁପ୍ତ ପ୍ରାୟ ଶୁଆଁ ଚାଷର କେଣ୍ଡା । ଆଉ ଏହାକୁ ଫଳାଇଛନ୍ତି ସୁନ୍ଦରଗଡ ବାଲିଶଙ୍କରା ବ୍ଲକ ତଳସରା ଗାଁର ମହିଳା ଚାଷୀ ସରିତା ସାହୁ । ନିଜର ବୋଲି ଜମି କିଛି ନାହିଁ ଅନ୍ୟ ଚାଷୀଙ୍କ ଠାରୁ ୧୫ଏକର ପଡିଆ ଜମି ଆଣି ଭାଗଚାଷ କରିଛନ୍ତି ସରିତା । ଅନେକ ଦିନରୁ ଲୁପ୍ତ ହୋଇଥିବା ଏହି ଫସଲକୁ ସହଜରେ କେହି ଚାଷୀ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁନଥିବା ବେଳେ ମହିଳା ଜଣଙ୍କ ଭାଗଚାଷ କରି ସଫଳ ହୋଇଛନ୍ତି । ଚଳିତ ବର୍ଷ ଏହି ଚାଷରୁ ୩ଲକ୍ଷରୁ ଉର୍ଦ୍ଧ ଆୟର ଲକ୍ଷ୍ୟ ରଖିଛନ୍ତି ସରିତା ।

ଶୁଆଁ ଚାଷ ପ୍ରତି ସରିତାଙ୍କ ଆଗ୍ରହ ଦେଖି କୃଷି ବିଭାଗ, ମିଲେଟ ମିଶନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସେବକ ପକ୍ଷରୁ ତାଙ୍କୁ ଯୋଗାଇ ଦିଆଯାଇଛି ବୈଷୟିକ ଜ୍ଞାନ କୌଶଳ ଏବଂ ଚାଷ କରିବା ପାଇଁ ଯନ୍ତ୍ରାଂଶ । ବର୍ତମାନ ସୁଦ୍ଧା ସରାକର ଏହି ଶୁଆଁର ଏମଏସପି ଧାର୍ଯ୍ୟ କରିନଥିବା ବେଳେ ଖୋଲା ବଜାରରେ ଏହା କିଲୋପ୍ରତି ୫୧ ଟଙ୍କା ଦରରେ ବିକ୍ରି ହେଉଛି । ତେବେ ମାଣ୍ଡିଆ ଭଳି ଖୁବଶୀଘ୍ର ଏହି ପୁଷ୍ଟିଶସ୍ୟର ଏମଏସପି ଧାର୍ଯ୍ୟ କରିବା ସହିତ ଅଧିକରୁ ଅଧିକ ଚାଷୀଙ୍କୁ ଚାଷ ପାଇଁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖାଯାଇଛି ।

ମିଲେଟ କହିଲେ କେବଳ ମାଣ୍ଡିଆ ନୁହେଁ, ଶୁଆଁ, କଦୋ, ଗଙ୍ଗେଇ ଭଳି ପୁଷ୍ଟିଶସ୍ୟ ମଧ୍ୟ ରହିଛି । ସାଧାରଣତଃ ଚାଷୀ ମାଣ୍ଡିଆ ଓ ଗଙ୍ଗେଇକୁ ଚାଷ କରୁଥିବା ବେଳେ କଦୋ ଏବଂ ଶୁଆଁ ଚାଷ ଖୁବ୍ କମ୍ ସ୍ଥାନରେ ହେଉଛି । ଅନ୍ୟପଟେ ମାଣ୍ଡିଆ ଅପେକ୍ଷା ଶୁଆଁ ଅଧିକ ପୁଷ୍ଟିକର ଏବଂ ଏଥିରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇପାରେ । ଏଥିରୁ ବିସ୍କୁଟ, କେକ୍, କ୍ଷୀରି ଭଳି ଅନେକ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ । ତେଣୁ ଏହି ଚାଷ କରି ମହିଳା ଚାଷୀ ଜଣଙ୍କ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

The post ପୁଷ୍ଟି ଶସ୍ୟ ଶୁଆଁ ଚାଷ କରି ଚର୍ଚ୍ଚାରେ ସରିତା । ୧୫ ଏକର ଜମିରେ ଫଳାଇଛନ୍ତି ସୁନାର ଫସଲ ।ବର୍ଷକୁ କରୁଛନ୍ତି ୩ଲକ୍ଷରୁ ଅଧିକ ରୋଜଗାର । first appeared on Kanak News.

from Kanak News
via <a href="https://ifttt.com/?

ସନ୍ଦେହ ବିଗାଡିଦେଲା ସଂସାର: ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ସ୍ୱାମୀ

କନକ ବ୍ୟୁରୋ: ନୟାଗଡ ବାଣିଗୋଛା ଥାନା ବିଡାପାଜୁ ଗାଁରେ ଅର୍ଜୁନ ବାଗ ।  ସ୍ତ୍ରୀକୁ ସନ୍ଦେହ କରି ନିଜ ସଂସାରକୁ ଉଜାଡିଦେଇଛନ୍ତି ଅର୍ଜୁନ । ପରକୀୟ ପ୍ରୀତି ସନ୍ଦେହରେ ନୃଂଶସ ପାଲଟିଯାଇଛି ସ୍ୱାମୀ । ଆଉ ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କରି  ମୁଣ୍ଡ-ଗଣ୍ଡି ଅଲଗା କରିବା ପରେ କଟାମୁଣ୍ଡକୁ ଧରି ଥାନାରେ ଆତ୍ମସମର୍ପଣ କରିଛନ୍ତି ।  ଗତକାଲି ଏହି ଘଟଣା ଘଟିବା ପରେ ପୁଲିସ ଘଟଣାସ୍ଥଳରେ ପଂହଚି ଛାନଭିନ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅର୍ଜୁନ ଗତ ୩ ମାସ ହେଲ ବିଚଳିତ ଅବସ୍ଥାରେ ରହୁଥିଲେ । ପାରିବାରିକ କଳହ ଲାଗି ରହୁଥିଲା ।

ଅର୍ଜୁନ ବାଗ୍  ୬ ବର୍ଷ ତଳେ  ଧରିତ୍ରୀ ବାଗଙ୍କୁ ବିବାହ କରିଥିଲେ । କିନ୍ତୁ ସ୍ତ୍ରୀର ପରକୀୟା ପ୍ରତି ଥିବା ଅର୍ଜୁନ ସବୁବେଳେ ସନ୍ଦେହ କରୁଥିଲେ । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା ।  ହେଲେ ଶନିବାର ଦିନ ଧରିତ୍ରୀ ବିଲକୁ କାମ କରିବାକୁ ଯାଇଥିବାବେଳେ ଝିଅ କାନ୍ଦିବା ବାହାନାରେ ଡାକିଥିଲେ ଅର୍ଜୁନ । ସ୍ତ୍ରୀ ଘରକୁ ଫେରିବା ପରେ ଟାଙ୍ଗିଆରେ ଚୋଟ ମାରିଥିଲେ । ପରେ କଟାମୁଣ୍ଡକୁ ବସ୍ତାରେ ବାନ୍ଧି ବାଣିଗୋଛା ଥାନାରେ ଆତ୍ମସମର୍ପଣ କରିଥିଲେ । ଧରିତ୍ରୀଙ୍କ ବାପାଙ୍କ ଏତଲାକ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।  ଅର୍ଜୁନ ଓ ଧରିତ୍ରୀଙ୍କ ଜଣେ ୫ ବର୍ଷର ପୁଅ ଓ ୩ ମାସର ଝିଅ ଅଛି । ଆଉ ଏଭଳି ଘଟଣା ସ୍ଥାନୀୟ ଅଂଚଳକୁ ସ୍ତବ୍ଧ କରିଦେଇଛି ।

The post ସନ୍ଦେହ ବିଗାଡିଦେଲା ସଂସାର: ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ସ୍ୱାମୀ first appeared on Kanak News.

from Kanak News
via <a href="https://ifttt.com/?

କୁନିପିଲାଙ୍କୁ ଘରେ ଛାଡି ବିଲକୁ ଯାଇଥିଲେ ବାପାମାଆ: ଫେରିଲା ବେଳକୁ ଘରେ ନଥିଲେ ୨ ଶିଶୁ, ଦିନକ ପରେ କୂଅ ଭିତରୁ ମିଳିଲା ମୃତଦେହ

କନକ ବ୍ୟୁରୋ: ବିଲକୁ ଯାଇଥିଲେ ବାପା-ମା’ । ଘରେ ଖେଳୁଥିଲେ, ଛୋଟ ଛୋଟ ଦୁଇଟି ପିଲା । ଜଣଙ୍କର ବୟସ ୫ ବର୍ଷ, ଆଉ ଜଣଙ୍କ ବୟସ ୪ ବର୍ଷ । ଭଲ-ମନ୍ଦ ଜାଣିବା ବୟସ ବି ହୋଇନଥିଲା । ସାନ ଭାଇକୁ କାଖ କରି, ବଡ଼ ଭାଇ ଖେଳୁଥିଲା । ବାପା-ମା’ଙ୍କ ଅନୁପସ୍ଥିତିରେ ଖେଳୁଖେଳୁ ଅଚାନକ୍ ଘଟିଗଲା ଅଘଟଣ । କୂଅରେ ପଡ଼ି ଆଖି ବୁଜି ଦେଲେ ଦୁଇ ଶିଶୁ । ଦେଖନ୍ତୁୁ-ଢ଼େଙ୍କାନାଳ ଜିଲ୍ଲାରୁ ଆସିଥିବା ଏକ ଦୁଃଖଦ କାହାଣୀ ।

ଶ୍ମଶାନ ଅଭିମୁଖେ ବାହାରିଥିବା ଏହି ସ୍ୱର୍ଗରଥ, ଗୋଟିଏ ଗରିବ ପରିବାରର ହସଖୁସିକୁ ସବୁଦିନ ପାଇଁ ସାଥୀରେ ନେଇ ଯାଉଛି । ଛାତିକୁ ପଥର କରି, ମା’ଟି ଯାହା ଗାଡ଼ିରେ କିଛି ବାଟ ପାଇଁ ସହଯାତ୍ରୀ ହୋଇଛନ୍ତି । ନହେଲେ ସ୍ୱର୍ଗରଥରେ ଶବାରୀ ହୋଇ, ଯେଉଁ ଶବ ଶ୍ମାସନକୁ ଯାଇଛି, ସେ କେବେ ଫେରିଛି ଯେ, ଏହି କୁନି କୁନି ଦୁଇ ନିଷ୍ପାପ ଶିଶୁ ଫେରିବେ ।

ଡଉଳ-ଡାଉଳ ଛ୍ରୁଆ ଦୁଇଟି । କେଡ଼େ ଶ୍ରଦ୍ଧାରେ ବାପା-ମା’ ନାଁ ରଖିଥିଲେ ରଞ୍ଜିତ ଆଉ ସଂଜିତ । ବଡ଼ ଭାଇର ବୟସ ଥିଲା ୫ ବର୍ଷ । ଏବଂ ସାନ ଭାଇର ବୟସ ଥିଲା ୪ ବର୍ଷ । ଯଦିଓ ଏହି ଫଟୋ ଦୁଇଟି ପୁରୁଣା, ତଥାପି ଏହି ଫଟୋରେ ବାରି ହେଉଛି, ପିଲାଙ୍କ କୋମଳ ଓ ନିଷ୍ପାପ ଚେହେରା ।

କାହାଣୀଟି ହେଉଛି ଢ଼େଙ୍କାନାଳ ଜିଲ୍ଲା ନଟକଟା ଗାଁର । ଗାଁର କଂପାନୀ ପ୍ରଧାନ ଏବଂ ତାଙ୍କ ପତ୍ନୀ ସରସ୍ୱତୀ ପ୍ରଧାନ, ପିଲାଛୁଆଙ୍କୁ ଛାଡ଼ି ବିଲକୁ ଯାଇଥିଲେ । ଛୋଟ ପିଲାଙ୍କ ଦାୟୀତ୍ୱରେ ଦୁଇ ଭାଇଙ୍କୁ ଛାଡ଼ି ଧାନ କାଟିବାକୁ ଯାଇଥିଲେ । ହେଲେ ଫେରିଲା ବେଳକୁ ରଞ୍ଜିତ ଓ ସଞ୍ଜିତ ନିଖୋଜ ହୋଇଯାଇଥିଲେ । ଖୋଜାଖୋଜି କରି ନୟାନ୍ତ ହେବା ପରେ ପୁଲିସରେ ଖବର ଦେଇଥିଲେ । ହେଲେ ପରଦିନ ସକାଳୁ କୂଅରୁ ଉଦ୍ଧାର ହୋଇଥିଲା ଦୁଇ ଭାଙ୍କ ମୃତଦେହ ।

ଢ଼େଙ୍କାନାଳ ଜିଲ୍ଲା ନଟକଟା ଗାଁର ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକରେ ଛାୟା ଖେଳିଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଳା ସିଂହପାଲି ଗାଁରେ ବି ଏକ ହୃଦୟବିଦାରକ ଘଟଣା ଘଟିଛି । ବାର୍ହା ଶିକାର ପାଇଁ ବିଛାଇଥିଲେ ଫାଶରେ ପଡ଼ି ଚାଲିଯାଇଛି ଦୁଇ ଭାଇଙ୍କ ଜୀବନ ।

The post କୁନିପିଲାଙ୍କୁ ଘରେ ଛାଡି ବିଲକୁ ଯାଇଥିଲେ ବାପାମାଆ: ଫେରିଲା ବେଳକୁ ଘରେ ନଥିଲେ ୨ ଶିଶୁ, ଦିନକ ପରେ କୂଅ ଭିତରୁ ମିଳିଲା ମୃତଦେହ first appeared on Kanak News.

from Kanak News
via <a href="https://ifttt.com/?

ବାଲିଯାତ୍ରା ମହୋତ୍ସବରେ ଦୁର୍ନୀତି ଅଭିଯୋଗ: ଆନ୍ଦୋଳନ କରିବାକୁ ମୋକିମଙ୍କ ଚେତାବନୀ 

କନକ ବ୍ୟୁରୋ: ଯେଉଁଠି ଗତ ସପ୍ତାହରେ ଭଳିକି ଭଳି ଦୋକାନ ବଜାର ପଡିଥିଲା, ଲୋକଙ୍କ ଗହଳି ଲାଗିଥିଲା, ଏବେ ସେଠି ପଡିଛି କୁଢ଼ କୁଢ଼ ଅଳିଆ, ଆବର୍ଜନା । ଜରି, ଛିଡା କାଗଜ, ଚିରା କପଡା, ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ଗ୍ଲାସ ପଡିଆ ସାରା ବିଛାଡି ହୋଇ ପଡିଛି । ଯାହା ପରିବେଶକୁ ପ୍ରଦୂଷିତ କରୁଛି ।

ଅଳିଆ ଉଠାଇବା ପାଇଁ ସିଏମସି ପକ୍ଷରୁ ସଫେଇ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କଟକବାସିନ୍ଦା ।

ଗୋଟିଏ ପଟେ ବାଲିଯାତ୍ରା ପଡିଆରେ ଅଳିଆ ଗଦା ହୋଇଥିବାବେଳେ, ଆଉ ଗୋଟିଏ ପଟେ ଏହି ଐତିହାସିକ ମହୋତ୍ସବର ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଅଭିଯୋଗ କରି କହିଛନ୍ତି, ବାଲିଯାତ୍ରାରେ ହୋଇଥିବା ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଛି । ପଡିଆ ସଫେଇ ଠାରୁ ଆରମ୍ଭ କରି ୨ଟି ଗେଟ୍ ଏବଂ ଲେଜର ସୋରେ ଲକ୍ଷ ଲକ୍ଷ ଟଙ୍କା ଟେଣ୍ଡର କରି ହରିଲୁଟ୍ କରାଯାଇଛି । ଅଭିଯୋଗକୁ ଖଣ୍ଡନ କରିବା ସହ କଡା ଜବାବ ଦେଇଛନ୍ତି କଟକ ମେୟର ।

ବର୍ଷ ବର୍ଷର ପରମ୍ପରା ଓ ସଂସ୍କୃତି ସହ ଜଡିତ କଟକ ବାଲିଯାତ୍ରା ମହୋତ୍ସବରେ ଦୁର୍ନୀତି ହୋଇଥିବା ଅଭିଯୋଗ, ଆସିବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି ।

The post ବାଲିଯାତ୍ରା ମହୋତ୍ସବରେ ଦୁର୍ନୀତି ଅଭିଯୋଗ: ଆନ୍ଦୋଳନ କରିବାକୁ ମୋକିମଙ୍କ ଚେତାବନୀ  first appeared on Kanak News.

from Kanak News
via <a href="https://ifttt.com/?

ଦୁଇ ଦିନ ହେଲା ପାଣି ପାଇଁ କଲବଲ ହେଉଛନ୍ତି ଅଧା ରାଜଧାନୀବାସୀ: କୁଆଖାଇରୁ ପାଣି ଉଠାଉଥିବା ପାଇପ ଫାଟି ଯାଇଥିବାରୁ ଜଳ ଯୋଗାଣ ବାଧାପ୍ରାପ୍ତ

କନକ ବ୍ୟୁରୋ: ରାଜଧାନୀରେ ତିନି ଦିନ ହେଲା ପାଣି ପାଇଁ ଘାଂଟି ହୋଇଛନ୍ତି । ମାଟିତଳେ ପାଇପ୍ ଫାଟି ଯିବାରୁ ଭୁବନେଶ୍ୱରର ଅଧା ଅଂଚଳକୁ ପାଣି ଯୋଗାଣ ବାଧାପ୍ରାପ୍ତ ହୋଇଛି । ୱାଟକୋ ପକ୍ଷରୁ ଟ୍ୟାଙ୍କର ଯୋଗେ ଯେଉଁ ପାଣି ଯୋଗାଇ ଦିଆଯାଇଛି । ହେଲେ ଲୋକଙ୍କ ଆବଶ୍ୟକତା ପୂରଣ ହୋଇନଥିବାରୁ ଅସନ୍ତୋଷ ବଢିଛି । ଆଜି ଫାଟିଥିବା ପାଇପର ମରାମତି କରାଯାଇଥିବାରୁ ଶୀଘ୍ର ପାଣି ଯୋଗାଣ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି ।

ରାସ୍ତାରେ ପାଣି ଟ୍ୟାଙ୍କର ଲାଗିଛି, ଲୋକଙ୍କ ଗହଳି ଜମିଛି । ଘଂଟା ଘଂଟା ଧାଡିରେ ଆସି ଲୋକେ ବାଲଟି ଗରା ଧରି ପାଣି ପାଇଁ ଅପେକ୍ଷା କରୁଛନ୍ତି । କୌଣସି ଉପାନ୍ତ ଅଂଚଳ ନୁହେଁ, ସରକାରଙ୍କ ଡ୍ରିଙ୍କ ଫର ଟ୍ୟାପ କାର୍ଯ୍ୟକାରୀ ହେଉଥିବା ଖୋଦ୍ ରାଜଧାନୀରେ ଦେଖିବାକୁ ମିଳିଛି ଏହି ଚିନ୍ତାଜନକ ଦୃଶ୍ୟ ।

ଘରେ ଟ୍ୟାପ ଖୋଲିଲେ ପାଣି ଆସୁନି । ବାଲଟି, ଗରା ସବୁ ଖାଲି ପଡିଛି । ନିତ୍ୟକର୍ମ, ରୋଷେଇ, ଘର କାମ କଥା ଛାଡନ୍ତୁ ପିଇବା ପାଇଁ ମଧ୍ୟ ପାଣି ନାହିଁ । ପହରେ କି ଦୁଇ ପହର ନୁହେଁ ଦୁଇ ଦିନ ହେଲା ରାଜଧାନୀର ଅଧା ଅଂଚଳ ଶୋଷରେ ରହିଛନ୍ତି । ପଳାସୁଣୀ, ରସୁଲଗଡ, ମଂଚେଶ୍ୱର, ବାଣୀବିହାର, ଲକ୍ଷ୍ମୀସାଗର, ଆଚାର୍ଯ୍ୟନଗର, ସତ୍ୟନଗରରେ ପାଣି ପାଇଁ ହାହାକାର ପଡିଛି । ଜଳ ଯୋଗାଣ ବନ୍ଦ ହୋଇଯିବାରୁ ୱାଟ୍କୋ ଡିଭିଜନ୍-୧ ଅଧିନରେ ଥିବା ପ୍ରାୟ ୮୦ ହଜାର ପରିବାର ହଇରାଣ ହୋଇଛନ୍ତି ।

କୁଆଖାଇରୁ ପାଣି ଉଠାଉଥିବା ପାଇପ ମାଟି ତଳେ ଫାଟି ଯାଇଥିବାରୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଲୋକଙ୍କ ଶୋଷକୁ ପରିହାସ କଲା ଭଳି ୱାଟକୋ ପକ୍ଷରୁ ୮୦ ହଜାର ପରିବାରକୁ ୧୩ଟି ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯାଇଛି । ଆଉ ଲୋକେ ଟ୍ୟାଙ୍କର ପାଖରେ ଭିଡ ଜମାଇ, ଧାଡିରେ ଆସି ବାଲଟି ବାଲଟି ପାଣି ଘରକୁ ବୋହିଛନ୍ତି ।

ରାଜଧାନୀରେ ପାଣି ସମସ୍ୟା ପାଇଁ ଲୋକଙ୍କୁ କ୍ଷମା ମାଗିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । କହିଛନ୍ତି ୱାଟକୋ ଡିଭିଜନ-୧ରେ ଫାଟିଥିବା ପାଇପର ମରାମତି କରାଯାଇଛି, ଖୁବ ଶୀଘ୍ର ଜଳ ଯୋଗାଣ ସ୍ୱାଭାବିକ ହେବ ।

The post ଦୁଇ ଦିନ ହେଲା ପାଣି ପାଇଁ କଲବଲ ହେଉଛନ୍ତି ଅଧା ରାଜଧାନୀବାସୀ: କୁଆଖାଇରୁ ପାଣି ଉଠାଉଥିବା ପାଇପ ଫାଟି ଯାଇଥିବାରୁ ଜଳ ଯୋଗାଣ ବାଧାପ୍ରାପ୍ତ first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ବିଜେପି କରିବ ସ୍କୁଟି ରାଲି: ମହିଳା ଭୋଟ ଉପରେ ବିଜେପିର ଆଖି

କନକ ବ୍ୟୁରୋ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ନିର୍ବାଚନରେ ବିଜେପିର ବିଜୟ ପଛରେ ମହିଳା ଭୋଟରଙ୍କ ସମର୍ଥନକୁ ଶ୍ରେୟ ଦିଆଯାଉଛି । ଏହା ପରେ ରାଜ୍ୟରେ ମହିଳା ଭୋଟ ଉପରେ ରାଜ୍ୟ ବିଜେପି ।ଖି ପକାଇଛି । ଏଥିପାଇଁ ଦଳ ବ୍ଲୁ -ପ୍ରିଂଟ ପ୍ରସ୍ତୁତ କରିଛି । ଆଗାମୀ ମାସରେ ଲକ୍ଷାଧିକ ମହିଳାଙ୍କୁ ନେଇ ବିଜେପି କରିବ ସ୍କୁଟି ରାଲି ।

ବିଜେଡିର ୭୦ ଲକ୍ଷ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଭୋଟ ବ୍ୟାଙ୍କ ଉପରେ ଏବେ ବିଜେପିର ଆଖି । ୨୦୧୯ ନିର୍ବାଚନରେ ଏକ ପ୍ରମୁଖ ଭୂମିକା ନେଇଥିବା ମହିଳା ଭୋଟ ବ୍ୟାଙ୍କକୁ ବିଜେପି ହାତେଇବାକୁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛି । ଆଗାମୀ ମାସରେ ଲକ୍ଷାଧିକ ମହିଳାଙ୍କୁ ନେଇ ବିଜେପି ସ୍କୁଟି ରାଲି କରିବାକୁ ଯୋଜନା କରୁଛି । ପ୍ରତି ମଣ୍ଡଳ ସ୍ତରରେ ଏହି ର୍ୟାଲି ଆୟୋଜିତ କରିବ ବିଜେପି ଏବଂ ପ୍ରତି ମହିଳାଙ୍କୁ ଛୁଇଁବାକୁ ଯୋଜନା କରୁଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ଏନେଇ ବିଜେପି ମହିଳା ମୋର୍ଚ୍ଚାର ବର୍ଦ୍ଧିତ କାର୍ଯ୍ୟକାରିଣୀରେ ନିଷ୍ପତି ନିଆଯାଇଛି ।

ନାରୀ ସଶକ୍ତିକରଣ ପାଇଁ ମୋଦୀ ସରକାର ନେଇଥିବା ଏକାଧିକ ପଦକ୍ଷେପ ଓ ଯୋଜନାକୁ ମହିଳାଙ୍କ ପାଖରେ ପହଂଚାଇବାଇବାକୁ ରଣନୀତି କରିଛି ବିଜେପି ମହିଳା ମୋର୍ଚ୍ଚା । ରଣନୀତି ଅନୁସାରେ, ଏସଏଚଜି ପାଉଥିବା ଟଙ୍କା, କେନ୍ଦ୍ର ସରକାର ଦେଉଥିବା ନେଇ ଲୋକଙ୍କୁ ଅବଗତ କରାଇବ । ଏନସିଆରବି ରିପୋର୍ଟର ସତ୍ୟତା ଲୋକଙ୍କ ଆଗରେ ରଖିବ । ମହିଳା ଜନ୍ମହାର କମିବ ଏବଂ ମହିଳାଙ୍କ ବିରୋଧରେ ହେଉଥିବା ଅନ୍ୟାୟ ନେଇ ଆନ୍ଦୋଳନ କରିବ ବିଜେପି । ଏହାସହ ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଦେଶରେ ମହିଳା ଅତ୍ୟାଚାରରେ ଓଡିଶା ଏକ ନମ୍ବର । ମହିଳା ଅତ୍ୟାଚାରରେ ଓଡିଶା ସମସ୍ତଙ୍କ ମୁଣ୍ଡକୁ ତଳକୁ କରୁଛି । ସାରା ଦେଶରେ ଓଡିଶା ଆଜି ନିନ୍ଦିତ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ସେପଟେ ବିଜେଡି କହିଛି ମହିଳା ସଶକ୍ତିକରଣରେ ଓଡିଶା ଅଗ୍ରଣୀ । ୭୦ ଲକ୍ଷ ମହିଳଙ୍କୁ ଏସଏଚଜି ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ୨୦୨୪ ନିର୍ବାଚନରେ ଯୁବ ଏବଂ ମହିଳାଙ୍କ ଭୋଟ ନିର୍ଣ୍ଣାୟକ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖିଛନ୍ତି । ବିଜେଡି ହାତରେ ସ୍ୱୟଂ ସହାୟକ ଗୋଷ୍ଠୀ ରୁପେ ଏକ ବଡ ଭୋଟ ବ୍ୟାଙ୍କ ରହିଛି । ବିଜେପି ଏହାକୁ ହାତେଇବାକୁ ଯୋଜନା ଆରମ୍ଭ କରିଥିବାବେଳେ ଏହି ଭୋଟ କେଉଁ ଦଳକୁ ଯାଉଛି, ତା ଉପରେ ସମସ୍ତଙ୍କ ନଜର ରହିବ ।

The post ରାଜ୍ୟରେ ବିଜେପି କରିବ ସ୍କୁଟି ରାଲି: ମହିଳା ଭୋଟ ଉପରେ ବିଜେପିର ଆଖି first appeared on Kanak News.

from Kanak News
via <a href="https://ifttt.com/?

ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀଙ୍କ ଉପରେ ୫୬ ଲକ୍ଷର ଋଣ! ଜାଣନ୍ତୁ ବିଷ୍ଣୁଦେଓ ସାଏଙ୍କ ସମ୍ପତ୍ତି ତାଲିକା ।

କନକ ବ୍ୟୁରୋ: ଶେଷ ହୋଇଛି ଛତିଶଗଡ ମୁଖ୍ୟମନ୍ତ୍ରୀ ସସପେନ୍ସ । ଘୋଷଣା ହୋଇଛି ମୁଖ୍ୟମନ୍ତ୍ରୀଙ୍କ ନାଁ । ଆଜି ବିଧାୟକ ଦଳର ବୈଠକରେ ଆଦିବାସୀ ନେତା ବିଷ୍ଣୁଦେଓ ସାଏଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା ହୋଇଛି । ୪ଥର ସାଂସଦ, ୨ଥର ବିଧାୟକ ଓ ୨ଥର ପ୍ରଦେଶ ଅଧ୍ୟକ୍ଷ ପଦ ସମ୍ଭାଳିଥିବା ବିଷ୍ଣୁଦେଓ ସାଏଙ୍କ ନେଟଓର୍ଥ କୋଟି କୋଟିରେ । ସଂକ୍ଷେପରେ ଜାଣନ୍ତୁ ତାଙ୍କ ସମ୍ପତ୍ତିର ତାଲିକା ।

ବିଧାନସଭା ନିର୍ବାଚନ ସମୟରେ ବିଷ୍ଣୁଦେଓ ଜମା କରିଥିବା ଆଫିଡେଭିଡ୍ ଅନୁସାରେ , ତାଙ୍କ ପାଖରେ ୩ କୋଟି ଟଙ୍କାର ସମ୍ପତ୍ତି ରହିଛି ।ଘୋଷଣାପତ୍ର ଅନୁସାରେ, ବିଷ୍ଣୁଦେଓ ସାଏ ଓ ତାଙ୍କ ପରିବାର ପାଖରେ ୩ କୋଟି ୮୦ ଲକ୍ଷ ୮୦ ହଜାର ୫୫୦ ଟଙ୍କାର ସମ୍ପତ୍ତି ରହିଛି । ଏବେ ତାଙ୍କ ପାଖରେ ସାଢେ ୩ ଲକ୍ଷ କ୍ୟାସ୍ ଥିବାବେଳେ ତାଙ୍କ ପତ୍ନୀଙ୍କ ପାଖରେ ୨ ଲକ୍ଷ ୨୪ ହଜାର ଟଙ୍କା ରହିଛି । ବିଷ୍ଣୁଦେଓ ସାଏଙ୍କ ବ୍ୟାଙ୍କ ଅଫ୍ ବରୋଦା ଆକାଉଣ୍ଟରେ ୧ ଲକ୍ଷ ଟଙ୍କା ଏବଂ ରାଜ୍ୟ ଗ୍ରାମୀଣ ବ୍ୟାଙ୍କରେ ୮୨ ହଜାର ଟଙ୍କା ରହିଛି । ତାଙ୍କ ପତ୍ନୀଙ୍କ ନାଁରେ ଗ୍ରାମୀଣ ବ୍ୟାଙ୍କରେ ୧୦ ଲକ୍ଷ ଟଙ୍କାର ଜମା ରାଶି ରହିଛି ।

ନିବେଶ ଅକାରରେ ତାଙ୍କର କୌଣସି ଇନଭେଷ୍ଟମେଣ୍ଟ ନାହିଁ । ଅନ୍ୟପଟେ ବିଷ୍ଣୁଦେଓଙ୍କ ନାଁରେ ୭ ଲକ୍ଷ ଟଙ୍କାର କୃଷି ଋଣ ଏବଂ ୪୯ ଲକ୍ଷ ଟଙ୍କାର ହୋମ୍ ଲୋନ୍ ରହିଛି ଘୋଷଣାପତ୍ରରେ ଉଲ୍ଲେଖ କରାଯାଇଛି ।

The post ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀଙ୍କ ଉପରେ ୫୬ ଲକ୍ଷର ଋଣ! ଜାଣନ୍ତୁ ବିଷ୍ଣୁଦେଓ ସାଏଙ୍କ ସମ୍ପତ୍ତି ତାଲିକା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started