ପୋଖରୀ ପୁନଃରୁଦ୍ଧାର ନକରି କରାଯାଇଛି ବିଲ୍ । ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମିଳିବା ପରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କନକ ବ୍ୟୁରୋ : ଗଂଜାମ ଧରାକୋଟ ବ୍ଲକ ବାହାରପୁର ପଂଚାୟତର ପଦ୍ମପୁର ଗାଁରେ ଥିବା ବେଙ୍ଗେଇ ବନ୍ଧ କାମ ପାଇଁ ୫ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା । ବନ୍ଧରେ ମାଟି ମୁଠାଏ ବି ପଡିନାହିଁ, ବିଲକୁଲ୍ କାମ ହୋଇନି କହିଲେ ଭୁଲ ହେବ ନାହିଁ । କୌଣସି କାମ ନକରି ବିଲ୍ କରାଯାଇଥିବା ତଥ୍ୟ ସାମ୍ନାକୁ ଅସିଛି । ଏହାପରେ ବାହାରପୁର ଗାଁର ପ୍ରଶନ୍ନ ପ୍ରଧାନ ଓ କେନ୍ଦୁପଲ୍ଲି ଗାଁର ପଂଚୁ ପାତ୍ର ବି.ଡି.ଓ, ଜେ.ଇ, ପଂଚାୟତ ପି.ଇ.ଓ ଓ ଜି.ଆର୍.ଏସଙ୍କ ବିରୋଧରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହାସହ ତରବିରଆ ଭାବେ ହେଉଥିବା କାମକୁ ବିରୋଧ କରିଛନ୍ତି ।

ଘାସ ଭର୍ତି ପୋଖରିରେ ବିଲ୍କୁଲ କାମ ହେଇନାହିଁ । ହେଲେ କାମ ସରିଥିବା ଦର୍ଶାଇ ବିଲ ହୋଇସାରିଛି । ସ୍ଥାନୀୟ ଲୋଲ ଏହି ଅଭିଯୋଗ ନେଇ ଲୋକୟୁକ୍ତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ଲୋକଙ୍କ ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରିବା ପାଇଁ ତରବରିଆ ଭାବେ କାମ ଚାଲିଛି । ଗାଁ ଲୋକେ ଏକାଠି ହୋଇ ସେହି କାମକୁ ବନ୍ଦ କରିଛନ୍ତି । ବନ୍ଧରେ ବାଡ ଦେବା ପାଇଁ ଖୋଳା ଯାଇଥିବା ସ୍ଥାନକୁ ପୋତି ଦେଇଛନ୍ତି । ଗାଁ ଲୋକଙ୍କ ଏପରି ପ୍ରତିବାଦ ଧରାକୋଟ ବି.ଡି.ଓ, ଜେ.ଇ , ପି.ଇ.ଓ ଓ ଜି.ଆର୍.ଏସ୍ ଗାଁ ଲୋକଙ୍କୁ ମନାଇବା ପାଇଁ ଲାଗିଛନ୍ତି । ହେଲେ ଗାଁ ଲୋକଙ୍କ ଗୋଟିଏ ଜିଦ୍, ମିଛ ବିଲ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ କାମ କରିବାକୁ ଦିଆଯିବ ନାହିଁ ।

ପୂର୍ବରୁ ମଧ୍ୟ ଏହି ପଂଚାୟତରେ ୧୦ଟି କାମ ବାବଦରେ ୩୩ ଲକ୍ଷରୁ ଉର୍ଦ୍ଧ ଟଙ୍କାର ମିଥ୍ୟା ବିଲ୍ କରାଯାଇଥିଲା । ଏନେଇ ଲୋକାୟୁକ୍ତରେ ଅଭିଯୋଗ ହୋଇଥିଲା । ଏବେ ବି ସେହି ମାମଲା ବିଚାରଧିନ ରହିଛି ।

The post ପୋଖରୀ ପୁନଃରୁଦ୍ଧାର ନକରି କରାଯାଇଛି ବିଲ୍ । ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମିଳିବା ପରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ first appeared on Kanak News.

from Kanak News
via <a href="https://ifttt.com/?

କୁଡିଆରେ ଶର୍ଯ୍ୟାଶାୟୀ ରୋଗିଣା ସ୍ୱାମୀ । ପିଲାଙ୍କୁ ଦାନା ଦେବା ସହ ସୁହାଗକୁ ସୁସ୍ଥ କରିବା ପାଇଁ ସ୍ତ୍ରୀଙ୍କ ସଂଘର୍ଷ

କନକ ବ୍ୟୁରୋ : ଏଭଳି ଏକ ଯନ୍ତ୍ରଣାପୂର୍ଣ୍ଣ କାହାଣୀ ହେଉଛି, କେନ୍ଦ୍ରାପଡା ଜିଲ୍ଲା ଚରିଗାଁ ପଂଚାୟତର ନିରାକାର କାଣ୍ଡିଙ୍କର । ରାଜ୍ୟ ବାହାରେ କମ୍ପାନୀରେ କାମଧନ୍ଦା କରି ପରିବାର ପୋଶୁଥିଲେ । ହେଲେ ହଠାତ୍ ତାଙ୍କ ଜୀବନ ଆକାଶରେ ଘୋଟିଆସିଲା ଘନ ଅନ୍ଧାର । ଶରୀର ଅସୁସ୍ଥ ହେବାରୁ ନିରାକାର ଘରକୁ ଚାଲି ଆସିଲେ । ଦିନକୁ ଦିନ ଯନ୍ତ୍ରଣା ବଢିଲା, ଡାକ୍ତରଖାନାକୁ ଯିବାରୁ ଜଣାପଡିଲା, ସେ ଆଙ୍କୋଲୋଟି ସ୍ପଂଡିଲାଇଟ ରୋଗରେ ପୀଡିତ । ବାସ୍ ତା’ପରେ ଏମିତି ବିଛଣାରେ କଟୁଛି ନିରାକାରଙ୍କ ଜୀବନ ।

ଘରର ରୋଜଗାରିଆ ବ୍ୟକ୍ତି ବିଚ୍ଛାଣାରେ ପଡିଥିବା ବେଳେ ପିଲାଛୁଆ ଓଳିଏ ଖାଇଲେ ଓଳିଏ ଉପାସରେ ରହିବାକୁ ବାଧ୍ୟ ହେଉଛନ୍ତି । ଏଭଳି ସ୍ଥିିତିରେ ସ୍ୱାମୀଙ୍କୁ କଟକ-ଭୁବନେଶ୍ୱରର ବଡ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇବା ସମ୍ଭବ ହେଉନାହିଁ । ନିରାକାରଙ୍କ ସ୍ତ୍ରୀ ନିରୁପମା ଗାଁରେ ପଲା ବାନ୍ଧି ଦୋକାନଟିଏ କରିଛନ୍ତି । ସେଥିରୁ ଦିନରୁ ୨୦ରୁ ୩୦ ଟଙ୍କା ରୋଜଗାରରେ ଘର ଚଳୁଥିବା ବେଳେ ପିଲାଙ୍କ ପାଠପଢା, ଦେହ ପା’ ଓ ପର୍ବ ପର୍ବାଣୀ କେବଳ ସ୍ୱପ୍ନ ।

ଦୁଃଖି ପରିବାରର ଏଭଳି ସ୍ଥିତିରେ ସହଯୋଗର ହାତ ବଢାଇବା ପାଇଁ ଉଭୟ ସରକାର ଓ ସହହୃଦୟ ବ୍ୟକ୍ତିଙ୍କୁ ନିବେଦନ କରିଛନ୍ତି ନିରାକାର ଓ ନିରୁପମା ।

The post କୁଡିଆରେ ଶର୍ଯ୍ୟାଶାୟୀ ରୋଗିଣା ସ୍ୱାମୀ । ପିଲାଙ୍କୁ ଦାନା ଦେବା ସହ ସୁହାଗକୁ ସୁସ୍ଥ କରିବା ପାଇଁ ସ୍ତ୍ରୀଙ୍କ ସଂଘର୍ଷ first appeared on Kanak News.

from Kanak News
via <a href="https://ifttt.com/?

ପରିବାରର ପେଟ ପାଇଁ ପରିଣତ ବୟସରେ ବୃଦ୍ଧା ବାହୁଛନ୍ତି ନାଆ । କେନ୍ଦ୍ରାପଡା ମାର୍ଶାଘାଇରେ ଭରା ନଦୀରେ ଲୋକଙ୍କୁ ଜଳଯାତ୍ରା କରାଉଛନ୍ତି ୯୨ ବର୍ଷିୟ ନାଉରୀ

କନକ ବ୍ୟୁରୋ : ଛାତିର ପଂଜରା ଗଣି ହୋଇଯାଉଛି । ଶରୀର କହିଲେ, କେଇ ଖଣ୍ଡ ହାଡ ଉପରେ ଚମଡାର ଚାଦରଟିଏ ଘୋଡେଇ ହୋଇଛି । ବୟସ ୯୦ ପାର୍, କିନ୍ତୁ ଆଜି ବି ଗୁଜୁରାଣ ମେଂଟାଇବା ପାଇଁ ହାତରେ କାତ ଧରିଛନ୍ତି । ଭରା ନଈର ଅକାତ କାତ ପାଣିକୁ କାଟି ନାଆ ବାହି ନେଉଛନ୍ତି । ଯାତ୍ରୀଙ୍କୁ ଏପାରିରୁ ସେପାରିରେ ପହଂଚାଇ ଯାହା ମିଳେ ସେଥିରେ ପରିବାର ଚଳେ । ଗରିବୀ ଆଗରେ ମୁଣ୍ଡ ନନୁଆଁଇ ନିଜ ବୃତିକୁ ଭରସା କରି ଆଜି ବି କର୍ମ କରି ଚାଲିଛନ୍ତି କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ଉପରବଟିରା ଗାଁର ଫଗୁ ବେହେରା ।

ବୁଢା ନାଉରୀଙ୍କ ଜୀବନ ଯାତ୍ରା ଯେତିକି ପ୍ରେରଣାଦାୟୀ, ସେତିିକି ସଂଘର୍ଷପୂର୍ଣ୍ଣ । ଜୀବନର ଅପରାହ୍ଣରେ ବିଶ୍ରାମ ନେବା ବୟସରେ ସଂସାର ଡଙ୍ଗା ପାଇଁ ପାଇକା ନଈରେ ଡଙ୍ଗା ବୋହୁଛନ୍ତି ଫଗୁ ମଉସା । କାରଣ ସ୍ତ୍ରୀ ଓ ବଡ ପୁଅ ଆରପାରିକୁ ଚାଲି ଗଲା ପରେ ତାଙ୍କ ମୁଣ୍ଡରେ ପରିବାରର ଦାୟିତ୍ୱ । କେନ୍ଦ୍ରାପଡା ଓ ଜଗତସିଂହପୁର ଜଳଯାତ୍ରା ପାଇଁ ଫଗୁ ମଉସାଙ୍କ ଡଙ୍ଗା ଚାଲିଲେ ୬ ପ୍ରାଣୀଙ୍କ ପେଟକୁ ଦାନା ଯିବ ।

୪୦ ବର୍ଷ ହେଲା ପାଇକାର ପାଣି, ଡଙ୍ଗା ଓ ଫଗୁ ମଉସାଙ୍କ ସଂପର୍କ । ଜୀବନ ଯେତେ ବୁଢା ହେଉଛି, ଏ ସଂପର୍କ ସେତେ ନିବିଡ ହେଉଛି ।

The post ପରିବାରର ପେଟ ପାଇଁ ପରିଣତ ବୟସରେ ବୃଦ୍ଧା ବାହୁଛନ୍ତି ନାଆ । କେନ୍ଦ୍ରାପଡା ମାର୍ଶାଘାଇରେ ଭରା ନଦୀରେ ଲୋକଙ୍କୁ ଜଳଯାତ୍ରା କରାଉଛନ୍ତି ୯୨ ବର୍ଷିୟ ନାଉରୀ first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ବଡ ଧରଣର ଆଇଟି ରେଡ୍ ଓଡିଶା ପାଇଁ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ।

କନକ ବ୍ୟୁରୋ: ଓଡିଶାରେ ଆଇଟି ରେଡ୍ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଲେ, ସାରା ଦେଶରେ ଥରକେ ଏତେ ଟଙ୍କା ଜବତ ହେବା ପ୍ରଥମ ଘଟଣା । ଏହା ଓଡିଶା ସରକାରଙ୍କ ସ୍ୱଚ୍ଛତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଘଟଣାରେ ସିବିଆଇ ତଦନ୍ତ ଦାବି କରି ମନମୋହନ କହିଛନ୍ତି, କେନ୍ଦ୍ରକୁ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଜଣାନ୍ତୁ ତାସହ ଗୃହ ବିଭାଗ ଫେଲ୍ ମାରିଥିବା ସ୍ୱୀକାର କରନ୍ତୁ… ଓଡିଶା ପାଇଁ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ଘଟଣା ।

ତେବେ ଘଟଣାରେ ଯଦି କୌଣସି ବିଜେପି ନେତାଙ୍କ ସଂପୃକ୍ତି ଅଛି ବୋଲି ବିଜେଡି କହୁଛି ତେବେ ରାଜ୍ୟ ସରକାରଙ୍କ ସମସ୍ତ ଗୋଇନ୍ଦା ସଂସ୍ଥା ମିଶି ଏହାକୁ ପ୍ରମାଣିତ କରନ୍ତୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏହି କଳା ସାମ୍ରାଜ୍ୟ ବିଷୟରେ କେନ୍ଦ୍ର ସରକାର ଜାଣିଛନ୍ତି ହେଲେ ରାଜ୍ୟ ସରକାର ଏହା ବିଷୟରେ ଜାଣିନାହାନ୍ତି । ଏହା କିପରି ସମ୍ଭବ ? ଓଡ଼ିଶାର ଗୋଇନ୍ଦା ସଂସ୍ଥା ବା ଗୃହ ବିଭାଗ ଆଉ ଇଓଡବ୍ଲୁ ପାଖକୁ ଏ ବିଷୟରେ ଖବର ଆସିଲାନି କେମିତି ? ଏହି କଳା ସାମ୍ରାଜ୍ୟ ଓଡ଼ିଶା ସରକାରଙ୍କ ସହାୟତାରେ ଚାଲିଥିଲା । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଆରୋପ ଲଗାଇଛନ୍ତି ବିଜେପି ସଭାପତି ।

ତେବେ ଏତେ ଟଙ୍କା ଗୋଟେ ଜାଗାରୁ ବାହାରିବା ରାଜ୍ୟ ପାଇଁ ଲଜ୍ୟାର ବିଷୟ । ବାର୍ଷିକ ୧୨୦ କୋଟି ଟଙ୍କାର ବ୍ୟବସାୟ କରୁଥିବା କମ୍ପାନୀରୁ ୫୦୦ କୋଟି ବାହାରିବ କେମିତି ? ଓଡ଼ିଶା ଓ ଝାଡ଼ଖଣ୍ଡ ସେମାନଙ୍କ ପାଇଁ ସୁରକ୍ଷିତ ଜାଗା ଥିଲା । ସାହୁ ବ୍ରଦର୍ସ ଆଣ୍ଡ କମ୍ପାନୀରେ ରାଜ୍ୟସରକାରଙ୍କ କଣ ଲିଙ୍କ ରହିଛି ? ରାଜ୍ୟ ସରକାର ମଦ ସାମ୍ରାଜ୍ୟ ଠାରୁ ପଇସା ପାଉଛନ୍ତି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ବହୁ ମନ୍ତ୍ରୀ ଏବେ ବିବାଦ ଘେରରେ ଅଛନ୍ତି । ସରକାରୀ ଦଳର ଛତ୍ରଛାୟା ତଳେ ଏହି ସାମ୍ରାଜ୍ୟ ସୁରକ୍ଷିତ ରହିଥିଲା । ଏହାକୁ ନେଇ କେନ୍ଦ୍ର କୌଣସି ପ୍ରକାରର ସାଲିସ କରିବନି ବୋଲି ସିଧା ଆକ୍ରମଣ କରିଛନ୍ତି ମନମୋହନ ।

The post ରାଜ୍ୟରେ ବଡ ଧରଣର ଆଇଟି ରେଡ୍ ଓଡିଶା ପାଇଁ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ । first appeared on Kanak News.

from Kanak News
via <a href="https://ifttt.com/?

ଚୋରି ହୋଇଗଲା ଜଗନ୍ନାଥଙ୍କ ହୁଣ୍ଡି । କାଳିଆ ଟଙ୍କାକୁ ବି ଛାଡିଲେ ନାହିଁ ଦୁର୍ବୃତ

କନକ ବ୍ୟୁରୋ : ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଚୋରି । ନବରଙ୍ଗପୁର ଜିଲ୍ଲା ଝରୀଗାଁ ଜଗନ୍ନାଥ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରିଛନ୍ତି ଦୁର୍ବୃତ । ଜଗନ୍ନାଥ ମନ୍ଦିର ପୂଜକ ସକାଳୁ ମନ୍ଦିର ଖୋଲିବାକୁ ଯାଇଥିବା ବେଳେ ମୁଖ୍ୟ ଦ୍ୱାରର ତାଲା କଟାଯାଇଥିବା ଦେଖିଥିଲେ । ମନ୍ଦିରରୁ ଚୋରି ହୋଇଥିବା ସନ୍ଦେହ କରି ମନ୍ଦିର କମିଟିକୁ ଜଣାଇଥିଲେ । ପରେ ମନ୍ଦିର ଭିତରେ ହୁଣ୍ଡି ନଥିବା ଦେଖିବାକୁ ମିଳିଥିଲା । ଖୋଜାଖୋଜି ପରେ ହୁଣ୍ଡିଟି ରୋଷେଇ ଘର ପଛପଟେ ରଖାଯାଇଥିବା ବେଳେ ହୁଣ୍ଡିର ତାଲା ଭାଙ୍ଗି ସମସ୍ତ ଟଙ୍କା ଚୋରି ହୋଇ ଯାଇଛି । ଦୁଇ ବର୍ଷ ହେବ ହୁଣ୍ଡି ଖୋଲା ଯାଇନଥିବା ବେଳେ ହୁଣ୍ଡିରେ ଆନୁମାନିକ ପଚାଶ ହଜାରରୁ ଉର୍ଦ୍ଧ ଟଙ୍କା ଥିବା କହିଛନ୍ତି ମନ୍ଦିର ପୂଜକ । ଝରିଗାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

The post ଚୋରି ହୋଇଗଲା ଜଗନ୍ନାଥଙ୍କ ହୁଣ୍ଡି । କାଳିଆ ଟଙ୍କାକୁ ବି ଛାଡିଲେ ନାହିଁ ଦୁର୍ବୃତ first appeared on Kanak News.

from Kanak News
via <a href="https://ifttt.com/?

ଅନ୍ୟ ହାତକୁ ଫୋନ ଦେଉଥିଲେ ସାବଧାନ । ସ୍ମାର୍ଟ ଫୋନରେ ହେଉଛି ସ୍ମାର୍ଟ ଠକେଇ

କନକ ବ୍ୟୁରୋ : ସ୍ମାର୍ଟ ଫୋନ ଧରିଛନ୍ତି କି, ସାବଧାନ । ଆପଣଙ୍କ ଫୋନ କାହାରି ହାତକୁ ଦେବା ଆଗରୁ ୧୦ଥର ଚିନ୍ତା କରିବେ । ନଚେତ୍ ଠକାମିର ଶିକାର ହୋଇପାରନ୍ତି । ଆପଣଙ୍କ ବନ୍ଧୁ ମଧ୍ୟ ଆପଣଙ୍କୁ ଠକି ଦେଇପାରନ୍ତି । ସ୍ମାର୍ଟ ଫୋନରେ ହେଉଛି ସ୍ମାର୍ଟ ଠକେଇ । ସେମିତି ଏକ ଠକେଇ ଖବର ଆସିଛି ବାଲେଶ୍ୱର ଜିଲ୍ଲା ରେମୁଣା ଅଂଚଳରୁ । ତେବେ ଖବର ଅନୁସାରେ, ରେମୁଣା ଗୋଲେଇ ଛକରେ ଛୋଟ ହୋଟେଲଟି କରିଛନ୍ତି କରୁଣାକର ଗାଆଣ । କରୁଣାକର ସ୍ମାର୍ଟ ଫୋନ ବାବଦରେ ବିଶେଷ କିଛି ଜାଣି ନାହାନ୍ତି । ତେଣୁ ସେ ଫୋନରେ କିଛି କରିବା ପାଇଁ ଚାହିଁଲେ ବନ୍ଧୁ ଭଗବାନ ଓଝାଙ୍କ ସହଯୋଗ ନେଇଥାନ୍ତି । ଆଉ ଏହାର ସୁଯୋଗ ନେଇ ଭଗବାନ, କରୁଣାକରଙ୍କ ଫୋନ ଯୋଗେ ଅନଲାଇନ୍ ମୀର ଆପ ଜରିଆରେ ୨୧ ହଜାର ୫ଶହ ଟଙ୍କାର ଲୋନ ନେଇ ଯାଇଛନ୍ତି । ଅନଲାଇନ୍ ମାଧ୍ୟମରେ କରୁଣାକରଙ୍କ ଆକାଉଂଟରୁ ଟଙ୍କା ଉଠାଇ ନେବା ପରେ ଆଉ ଧରା ଛୁଆଁ ଦେଉନଥିଲେ । ତେବେ ଆଜି କରୁଣାକର କୌଶଳ କ୍ରମେ ଭଗାବନଙ୍କୁ ଧରିବା ପରେ ସେ ସବୁ କଥା ମାନି ଯାଇଛନ୍ତି ।

The post ଅନ୍ୟ ହାତକୁ ଫୋନ ଦେଉଥିଲେ ସାବଧାନ । ସ୍ମାର୍ଟ ଫୋନରେ ହେଉଛି ସ୍ମାର୍ଟ ଠକେଇ first appeared on Kanak News.

from Kanak News
via <a href="https://ifttt.com/?

ସ୍ୱରେଜ ଲାଇନ୍ ତିଆରି ପାଇଁ ରାଜଧାନୀରେ ବେପାରୁଆ ଭାବେ ରାସ୍ତା ଖୋଳୁଛି ୱାଟକୋ, ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକ

କନକ ବ୍ୟୁରୋ : ସ୍ୱରେଜ ଲାଇନ୍ ତିଆରି ପାଇଁ ୱାଟକୋ ରାଜଧାନୀର ବିଭିନ୍ନ ଅଂଚଳରେ ରାସ୍ତା ଘାଟ ଖୋଳି ପକାଉଛି । ରାସ୍ତାରେ ସାରା ବେପରୁଆ ଭାବେ ଖୋଳାଯାଇଥିବାରୁ ପ୍ରତିଦିନ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ସେହିଭଳି ଖାଲରେ ପଡି ଜଣେ ମହିଳା ଆହତ ହୋଇଥିବା ଜଣାପଡିଛି । ଖୋଳାଯାଇଥିବା ୧୦ଫୁଟ ଗାତରେ ମହିଳା ଜଣକ ଖସିପଡିଥିଲେ । ପିଲାକୁ ସ୍କୁଲରୁ ଆଣିବାକୁ ମହିଳା ଜଣକ ଯାଇଥିବା ବେଳେ ଶିବନଗରରେ ଖୋଳା ହୋଇଥିବା ସ୍ୱରେଜ ଖାଲରେ ପଡିଯାଇଥିଲେ । ବ୍ୟାରିକେଡ ନଥିବାରୁ ଭାରସାମ୍ୟ ହରାଇ ମହିଳା ଜଣକ ସ୍କୁଟି ସହ ଖସିପଡିଥିଲେ । ସ୍ଥାନୀୟ ଲୋକେ ମହିଳା ଜଣଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତି କରିଥିଲେ । ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖିବାକୁ ମିଳିିଥିଲା । ଶିବନଗରରେ ବର୍ଷ ବର୍ଷ ଧରି ସ୍ୱରେଜ କାମ ହେଉଛି । ହେଲେ ସରିବାର ନାଁ ନାହିଁ । ରାସ୍ତା ସାରା ବେପରୁଆ ଭାବେ ଖୋଳାଯାଇଥିବାରୁ ଲୋକଙ୍କ ବିରୋଧ ବଢିଚାଲିଛି । ୱାଟକୋଟରୁ କାମ ପାଇଥିବା ଠିକାସଂସ୍ଥା ରାସ୍ତାକୁ ଖୋଳି ଦେଉଛି । ହେଲେ ମାସ ମାସ ବିତିଯାଇଥିଲେ ବି ରାସ୍ତାକାମ ସରିପାରୁନି । ଯାହାକୁନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

The post ସ୍ୱରେଜ ଲାଇନ୍ ତିଆରି ପାଇଁ ରାଜଧାନୀରେ ବେପାରୁଆ ଭାବେ ରାସ୍ତା ଖୋଳୁଛି ୱାଟକୋ, ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକ first appeared on Kanak News.

from Kanak News
via <a href="https://ifttt.com/?

ବିଏସପିରୁ ବିଦାହେଲେ ସାଂସଦ ଦାନୀଶ ଅଲ୍ଲୀ । ଦଳ ବିରୋଧୀ କାର୍ଯ୍ୟପାଇଁ ନିଲମ୍ବନ କଲେ ମାୟାବତୀ

କନକ ବ୍ୟୁରୋ : ବହୁଜନ ସମାଜବାଦୀ ପାର୍ଟିର ସାଂସଦ ଦାନୀଶ ଅଲ୍ଲୀଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳର ହାଇକମାଣ୍ଡ ମାୟାବତୀ ନିଲମ୍ବନ କରିଛନ୍ତି । ଏନେଇ ପାର୍ଟିର ମହାସଚିବ ସତୀଶ ଚନ୍ଦ୍ର ମିଶ୍ରା ଅମରୋହାର ଲୋକସଭା ସାଂସଦ ଦାନୀଶ ଅଲ୍ଲୀଙ୍କ ନିଲମ୍ବନ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ପାର୍ଟିର ନୀତି, ବିଚାରଧାରା ଓ ଅନୁଶାସନ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି ।

ସେପଟେ ଦାନୀଶ ଅଲ୍ଲୀ ଲଗାତାର ଭାବେ କଂଗ୍ରେସ ପାର୍ଟି ନେତାଙ୍କ ସହ ସଂପର୍କରେ ରହିଥିଲେ । ଏନେଇ ବହୁଜନସମାଜବାଦୀ ପାର୍ଟି ତରଫରୁ ଦାନୀଶଙ୍କୁ ବାରମ୍ବାର ସତର୍କ କରାଯାଇଥିଲା । ଏହାସହ ରମେଶ ବିଧୂଡି ଓ ଦାନିଶ ଅଲ୍ଲୀଙ୍କ ମଧ୍ୟରେ ଥିବା ବିବାଦକୁ ନେଇ ବିଏସପି ସର୍ବଦା ଦାନୀଶଙ୍କ ସହ ଥିବା ବେଳେ ଦାନୀଶ କିନ୍ତୁ କଂଗ୍ରେସ ପାର୍ଟି ସହ ଠିଆ ହେଉଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ନିଲମ୍ବନ କରାଯିବାର ପ୍ରମୁଖ କାରଣ ଭାବେ କଂଗ୍ରେସ ସହ ସଂପର୍କ ରଖିବା ବୋଲି କୁହାଯାଉଛି ।

The post ବିଏସପିରୁ ବିଦାହେଲେ ସାଂସଦ ଦାନୀଶ ଅଲ୍ଲୀ । ଦଳ ବିରୋଧୀ କାର୍ଯ୍ୟପାଇଁ ନିଲମ୍ବନ କଲେ ମାୟାବତୀ first appeared on Kanak News.

from Kanak News
via <a href="https://ifttt.com/?

ତେଲେଙ୍ଗାନାରେ ଶପଥ ନେଲେ ନାହିଁ ବିଜେପି ବିଧାୟକ । ଜାଣନ୍ତୁ କାରଣ

କନକ ବ୍ୟୁରୋ : ତେଲେଙ୍ଗାନାରେ ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍ର ୮ଟି ଆସନ ମିଳିଛି । ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ରେବାନ୍ତ ରେଡ୍ଡୀ ଶପଥ ନେଇସାରିଛନ୍ତି । ଆଜି ତେଲେଙ୍ଗାନା ବିଧାନସଭାରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେବାର ଥିଲା । ଅନ୍ୟ ସମସ୍ତ ଦଳର ବିଧାୟକମାନେ ଶପଥ ନେଇଥିଲେ ବି ବିଜେପିର ୮ ଜଣ ଯାକ ବିଧାୟକ ଶପଥ ନେଇ ନାହାଁନ୍ତି । ଏହାର କାରଣ ଭାବେ ଏଆଇଏମଆଇଏମର ବିଧାୟକ ଅକବରୁଦ୍ଦିନ ଓୱେସୀଙ୍କ କଥା କୁହାଯାଉଛି । ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରିବା ପରେ ଏଆଇଏମଆଇଏମର ବିଧାୟକ ତଥା ଅସଦୁଦ୍ଦିନ ଓୱେସୀଙ୍କ ଭାଇ ଅକବରୁଦ୍ଦିନଙ୍କୁ ପ୍ରୋଟମ ସ୍ପିକର ଭାବେ ନିଯୁକ୍ତ କରାଯାଇଛି । ଏହାକୁ ବିରୋଧ କରି ବିଜେପି ବିଧାୟକମାନେ ଶପଥ ନେଇ ନାହାଁନ୍ତି ।

ଏହି ମାମଲା ଉପରେ ତେଲେଙ୍ଗାନା ବିଜେପିର ମହାସଚିବ ଗୁଜ୍ଜଲା ପ୍ରେମେନ୍ଦ୍ର ରେଡ୍ଡୀ କହିଛନ୍ତି କି, ଅକବରୁଦ୍ଦିନ ଓୱେସୀଙ୍କୁ ପ୍ରୋଟମ ସ୍ପିକଟ କରାଯାଇଥିବାରୁ ଆମେ ଶପଥ ନେଇନାହୁଁ । ବରିଷ୍ଠ ବିଧାୟକମାନଙ୍କୁ ଅଣଦେଖା କରି ଅକବରୁଦ୍ଦିନଙ୍କୁ ଅସ୍ଥାୟୀ ବାଚସ୍ପତି କରାଯାଇଛି । ଏହା କଂଗ୍ରେସ ତାର ନିଜ ସ୍ୱାର୍ଥ ଉର୍ଦ୍ଦେଶ୍ୟରେ କରିଛି ବୋଲି ବିଜେପି ଅଭିଯୋଗ କରିଛି ।

ଗୋଶାମହଲର ବିଜେପି ବିଧାୟକ ଟି ରାଜା ସିଂ କହିଛନ୍ତି କି, କଂଗ୍ରେସ ଏବେ ବିଆରଏସ ରାସ୍ତାରେ ଚାଲିବା ଆରମ୍ଭ କରିଛି । ୨୦୧୮ରେ ବିଆରଏସ ସରକାର ଗଠନ କରିଥିଲେ ବି ଅଳ୍ପସଂଖ୍ୟକଙ୍କୁ ସନ୍ତୋଷ୍ଟ କରିବାକୁ ଅକବରୁଦ୍ଦିନଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତ କରାଯାଇଥିଲା ।

The post ତେଲେଙ୍ଗାନାରେ ଶପଥ ନେଲେ ନାହିଁ ବିଜେପି ବିଧାୟକ । ଜାଣନ୍ତୁ କାରଣ first appeared on Kanak News.

from Kanak News
via <a href="https://ifttt.com/?

ବଢ଼ିଚାଲିଛି ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଟଙ୍କାର ପରିମାଣ । ଟିଟଲାଗଡ଼ରୁ ମିଳିଛି ଆଉ ୧୧ କୋଟି

କନକ ବ୍ୟୁରୋ : ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ଟଙ୍କାର ଗଣତି ସରୁନି । ଆଜି ବି ଜାରି ରହିଛି ଟଙ୍କା ଗଣତି । ବଲାଙ୍ଗୀରରେ ଏବେ ଟଙ୍କା ଗଣତି ଚାଲିଛି । ବଲାଙ୍ଗୀର ଏସବିଆଇ ଶାଖା ରିଜିଓନାଲ ମ୍ୟାନେଜର ଭଗତ ବେହେରାଙ୍କ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧୭୬ ପ୍ୟାକେଟ ନୋଟ୍ ଜବତ ହୋଇଛି । ତାଭିତରୁ ୪୦ଟି ପ୍ୟାକେଟ ଗଣତି ସରିଛି । ସେଥିରୁ ପ୍ରାୟ ୪୬ କୋଟି ଟଙ୍କା ବାହାରିଛି । କାଲିଠୁ ଦୁଇ ଦିନ ଛୁଟି ଥିବା ବେଳେ କାମରେ ଦ୍ରୁତରେ କରାଯାଉଛି । ୨୫ଟି ମେସିନ୍ ସାଙ୍ଗକୁୁ ୫୦ ଜଣ ଷ୍ଟାଫଙ୍କୁ ରଖାଯାଇଛି । ଆଉ କିଛି ମେସିନ୍ ମଧ୍ୟ ମଗାଯାଇଛି । ଅନୁଗୁଳରୁ କିଛି ମେସିନ ମଧ୍ୟ ବଲାଙ୍ଗୀରରେ ପହଂଚିଛି । ମେସିନ୍ ଗଣତି ବେଳେ ଖରାପ ହେଲେ ଅନ୍ୟ ମେସିନ ସବୁ ବ୍ୟାକଅପ୍ କରି ରଖାଯାଇଛି । ବ୍ୟାଗରେ ଶହେ ଟଙ୍କିଆରୁ ନେଇ ୫ଶହ ଟଙ୍କିଆ ପର୍ଯ୍ୟନ୍ତ ରହିଛି । ସେଥିପାଇଁ ସଠିକ୍ ମୂଲ୍ୟ ନିର୍ଦ୍ଧାରଣ କରାଯାଇପାରିବନି । ସଠିକ୍ ଭାବେ ମୂଲ୍ୟ କୁହାଯାଇପାରିବନି । ଏତେ ପରିମାଣରେ ଟଙ୍କ ମିଳୁଛି ଯେ ଗଣିବା ପାଇଁ ମେସିନ ମଧ୍ୟ ନିଅଂଟ ପଡ଼ୁଛି । ସେଥିପାଇଁ ବାରମ୍ବାର ଅଧିକ ମେସିନ ମଗାଯାଉଛି । ସେପଟେ ବଲାଙ୍ଗୀରରେ ପହଂଚିଛି ହାଇଦ୍ରାବାଦର ୨୫ ଜଣିଆ ଆନାଲିସିସ୍ ଟିମ୍ । ଏମାନେ ଚଡାଉ ହେଉଥିବା ସ୍ଥାନରେ କମ୍ପ୍ୟୁଟରର ଯାଂଚ କରିବେ । ଟଙ୍କା ନେଣଦେଣ ତର୍ଜମା କରିବେ । ସେହିପରି ବଡ଼ ଚଢାଉ ପାଇଁ ଆୟକର ବିଭାଗର ୧୫୦ ଜଣ ଅଧିକାରୀ ସାମିଲ ହୋଇଛନ୍ତି । ଏମାନେ ବିଭିନ୍ନ ସ୍ଥାନରେ ଚଢାଉରେ ସାମିଲ ହୋଇଛନ୍ତି । ଗତକାଲି ବଲାଙ୍ଗୀର ସୁଦପଡା ମଦଭାଟି ମ୍ୟାନେଜରଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଥିଲା । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ ବେଳେ ପ୍ରାୟ ୫୦ କୋଟି ଟଙ୍କା ଜବତ ହୋଇଛି । କଡା ସୁରକ୍ଷାରେ ଜବତ ଟଙ୍କାକୁ ୧୯ଟି ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଭର୍ତି କରି ଏସବିଆଇ ଶାଖାକୁ ନିଆଯାଇଛି । ଟଙ୍କା ପେଟି ବୋହିବାକୁ ୭ରୁ ୮ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଟଙ୍କା ଗଣିବା ସମୟରେ ମେସିନ୍ ଅଚଳ ହୋଇଥିବା ଜଣାପଡ଼ିଛି । ସେଥିପାଇଁ ଆୟକର ବିଭାଗ ଅଧିକ ମେସିନ୍ ଓ କର୍ମଚାରୀ ମଗାଇଛି । ସେପଟେ ଟିଟଲାଗଡ଼ରୁ ମିଳିଛି ଆଉ ୧୧ କୋଟି ଟଙ୍କା । ଟିଟିଲାଗଡ଼ ଏସବିଆଇ ମୁଖ୍ୟ ଶାଖାରେ ଗଣତି ଶେଷ ହୋଇଛି । ୫ଶହ, ୨ଶହ ଓ ଶହେ ଟଙ୍କିଆ ନୋଟ୍ ମିଳିଛି । ଆସନ୍ତାକାଲି ସୁଦ୍ଧା ଟଙ୍କା ଗଣତି ଶେଷ ହେବା ନେଇ ଆଶା ରହିଛି । ଏବେ ସମ୍ବଲପୁର ଓ ବଲାଙ୍ଗିରରେ ଟଙ୍କା ଗଣତି ଚାଲିଥିବା କହିଛନ୍ତି ସମ୍ବଲପୁର ଏସବିଆଇ ଉପ- ମହାପ୍ରବନ୍ଧକ । ସେପଟେ ସୁନ୍ଦରଗଡ଼ରେ ଆଜି ଟଙ୍କା ଗଣତି ଶେଷ ହୋଇଛି ।

The post ବଢ଼ିଚାଲିଛି ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଟଙ୍କାର ପରିମାଣ । ଟିଟଲାଗଡ଼ରୁ ମିଳିଛି ଆଉ ୧୧ କୋଟି first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started