ବୁଢ଼ା ହେଉଛି ଓଡ଼ିଶା: ୨୦୩୬ରେ ପ୍ରତି ୧୦ଜଣରେ ୨ ଜଣ ବୟସ୍କ

କନକ ବ୍ୟୁରୋ: ବୁଢ଼ା ହେଉଛି ଓଡ଼ିଶା । ୨୦୩୬ ବେଳକୁ ପ୍ରତି ୧୦ ଜଣରେ ୨ ଜଣ ବୟସ୍କ ବ୍ୟକ୍ତି ଥିବେ । ସିୱାଇଏସଡି ଓ ୟୁଏନ୍ଏଫ୍ପିଏର ମିଳିତ ଗବେଷଣାରୁ ଏପରି ତଥ୍ୟ ମିଳିଛି । ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଜନ୍ମହାର ହ୍ରାସ ପାଉଛି ଏବଂ ହାରାହାରି ଆୟୁ ମଧ୍ୟ ବୃଦ୍ଧି ପାଉଛି । ଫଳରେ ୨୦୩୬ବେଳକୁ ଓଡ଼ିଶାରେ ପ୍ରାୟ ୮୦ଲକ୍ଷ ବୟସ୍କ ବ୍ୟକ୍ତି ରହିଥିବେ ବୋଲି ଆକଳନ କରାଯାଇଛି ।

ସିୱାଇଏସଡି ଓ ୟୁଏନଏଫପିଏର ମିଳିତ ଗବେଷଣାରୁ ମିଳିଥିବା ଏହି ତଥ୍ୟ ଉପରେ ନଜର ପକାନ୍ତୁ । ୨୦୨୧ ମସିହାରେ ୬୦ ବର୍ଷରୁ ଅଧିକ ବୟସ୍କ ମୋଟ ଜନସଂଖ୍ୟାର ୧୧.୫ ପ୍ରତିଶତ ଥିବା ବେଳେ ୨୦୩୬ ବେଳକୁ ଏହା ୧୭ ପ୍ରତିଶତରେ ପହଁଚି ଯାଇଥିବ । ସେହିପରି ୨୫ରୁ ୫୯ ବର୍ଷ ବୟସର ବ୍ୟକ୍ତି ୨୦୨୧ରେ ୪୭.୩ ପ୍ରତିଶତ ରହିଥିବା ଏହା ୨୦୩୬କୁ ଏହା ବୃଦ୍ଧି ପାଇ ୫୦.୩ ପ୍ରତିଶତରେ ପହଁଚି ଯାଇଥିବ । ତେବେ ଏହି ସମୟ ମଧ୍ୟରେ ୧୫ରୁ ୨୪ ବର୍ଷ ମଧ୍ୟରେ ଥିବା ଯୁବଗୋଷ୍ଠୀ ୧୭.୬ ପ୍ରତିଶତରୁ ୧୩.୭ ପ୍ରତିଶତକୁ ହ୍ରାସ ପାଇଥିବ । ସେହିପରି ୧୪ ବର୍ଷ ମଧ୍ୟରେ ଥିବା ଶିଶୁ ଓ କିଶୋରଙ୍କ ହାର ହ୍ରାସ ପାଇବ ବୋଲି ଗବେଷଣାରୁ ଜଣାପଡିଛି ।

ପରିବର୍ତ୍ତନଶୀଳ ଜନସଂଖ୍ୟା
ମସିହା          ୬୦+          ୨୫-୫୯            ୧୫-୨୪        ୫-୧୪        ୦-୪
୨୦୨୧       ୧୧.୫%      ୪୭.୩%          ୧୭.୬% ୧     ୬.୧%        ୭.୬%
୨୦୩୧      ୧୫%           ୪୯.୯%           ୧୪.୮%       ୧୩.୮%     ୬.୫%
୨୦୩୬      ୧୭%           ୫୦.୩%           ୧୩.୭%       ୧୨.୯%     ୬.୦%

୨୦୧୧ରେ ରାଜ୍ୟରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ୩୯ ଲକ୍ଷ ଥିଲା
୨୦୩୬ ବେଳକୁ ଏହା ବୃଦ୍ଧି ପାଇ ୮୦ ଲକ୍ଷରେ ପହଁଚିବ
ରାଜ୍ୟର ୨୭ ଜିଲ୍ଲାରେ କମୁଛି ପ୍ରଜନନ ହାର
ବୃଦ୍ଧି ପାଉଛି ହାରାହାରି ଆୟୁ

ଆଫ୍ରିକୀୟ ଦେଶକୁ ଛାଡ଼ି ଦେଲେ ସାରା ବିଶ୍ୱରେ ପ୍ରଜନନ ହାର କମିବାରେ ଲାଗିଛି । ଭାରତର ଅଧିକାଂଶ ରାଜ୍ୟରେ ମଧ୍ୟ ଜନ୍ମହାର କମୁଛି । ତେବେ ଜାତୀୟ ହାର ଠାରୁ ଓଡ଼ିଶା ପ୍ରଜନନ ହାର କମ୍ ରହିଛି । ସେହିପରି ଲୋକଙ୍କ ହାରହାରି ଆୟୁ ମଧ୍ୟ ବଢିବାରେ ଲାଗିଛି । ଫଳରେ ରାଜ୍ୟରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ୨୦୩୬ ବେଳକୁ ମହିଳାଙ୍କ ଜନସଂଖ୍ୟା, ପୁରୁଷଙ୍କୁ ଟପିଯିବ ବୋଲି ଗବେଷଣାରୁ ଜଣାପଡିଛି ।

ବୃଦ୍ଧ/ବୃଦ୍ଧା, ବିଧବାଙ୍କ ରୋଜଗାର ଦୃଷ୍ଟିରୁ ପଛରେ ପଡ଼ିଛି ଓଡ଼ିଶା
ବୟସ୍କଙ୍କୁ ହିତାଧିକାରୀ ନଭାବି ଅଭିଜ୍ଞତାକୁ କାମରେ ଲଗାଇବାକୁ ପରାମର୍ଶ

ପରିବର୍ତ୍ତନଶୀଳ ଜନସଂଖ୍ୟା ଓ ବିକାଶକୁ ନେଇ ସିୱାଇଏସଡି ପକ୍ଷରୁ ଆୟୋଜିତ ହୋଇଥିଲା ଓଡ଼ିଶା ବିକାଶ କନକ୍ଲେଭ୍ । ଦୁଇଦିନ ବ୍ୟାପୀ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବୟସ୍କଙ୍କ ସଂଖ୍ୟା, ସହରୀକରଣ, ସ୍ୱାସ୍ଥ୍ୟ, ପୁଷ୍ଟି, ଶିକ୍ଷା, ଡିଜିଟାଲ୍ ପ୍ରଯୁକ୍ତି ଓ ବିକାଶକୁ ନେଇ ଆଲୋଚନା ହୋଇଥିଲା ।

The post ବୁଢ଼ା ହେଉଛି ଓଡ଼ିଶା: ୨୦୩୬ରେ ପ୍ରତି ୧୦ଜଣରେ ୨ ଜଣ ବୟସ୍କ first appeared on Kanak News.

from Kanak News
via <a href="https://ifttt.com/?

ବ୍ୟାଙ୍କ ଟଙ୍କା ଖାଇଗଲେ ମ୍ୟାନେଜର: ଋଣ ଦେବା ନାଁରେ କୋଟି କୋଟି ଚଳୁ

କନକ ବ୍ୟୁରୋ: ୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି । ବଡ଼ କଥା ହେଉଛି ବ୍ୟାଙ୍କର ବଡ଼ ବଡ଼ିଆ ଅଧିକାରୀ ଖାଇଯାଇଛନ୍ତି କୋଟି କୋଟି ଟଙ୍କା । ନକଲି ହିତାଧିକାରୀ ଦର୍ଶାଇ ସବସିଡି ଟଙ୍କା ଚଳୁ କରିଯାଇଛନ୍ତି ଅଧିକାରୀ । ପୂର୍ବତନ ବ୍ରାଂଚ ମ୍ୟାନେଜର ଓ ଫାଇନାନ୍ସ ଅଫିସରଙ୍କ ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆସିଛି । ମାମଲାର ତଦନ୍ତ କରି ଉଭୟ ଅଭିଯୁକ୍ତଙ୍କୁ ଇଓଡବ୍ଲୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଡମ୍ବୁରୁଧର ନାୟକ, ଦେବୀଦତ୍ତ ପାଣିଗ୍ରାହୀ । ଡମ୍ବୁରୁଧର ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ପୁର୍ବତନ ବ୍ରାଂଚ୍ ମ୍ୟାନେଜର ହୋଇଥିବା ବେଳେ ଦେବୀଦତ୍ତ ହେଉଛନ୍ତି ସେହି ବ୍ୟାଙ୍କର ପୁର୍ବତନ ଏଗ୍ରିକଲଚର ଫାଇନାନ୍ସ ଅଫିସର । ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ଏହି ଦୁଇ ଜଣ ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର କଟକ ସ୍ଥିତ ଭଦ୍ରେଶ୍ୱର ବ୍ରାଂଚ୍ରେ କାର୍ଯ୍ୟରତ ଥିବା ସମୟରେ ଲୋକଙ୍କୁ ଲୋନ ଦେବା ନାଁରେ କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହପରେ ଉଭୟଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା । ଲୋନ ଦେବା ନାଁରେ ହୋଇଥିବା ବଡ ଧରଣର ଦୁର୍ନିତୀ ବିଷୟରେ ସୁରାକ ପାଇବା ପରେ ଇଓଡବ୍ଲୁରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ବ୍ୟାଙ୍କର ରିିଜିଓନାଲ ହେଡ୍ ଅନାଦିି ବିଶ୍ୱାଶ । ମାମଲାର ତଦନ୍ତ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

କିଷାନ କ୍ରେଡିଟ୍ କାର୍ଡ ନାଁରେ ବଡ଼ ଦୁର୍ନୀତି
ବାବୁ ଖାଇଦେଲେ ସରକାରୀ ସବସିଡି
ଇଓଡବ୍ଲୁରୁ ମିଳିଥିବା ସୂଚନା ଅନୁସାରେ
– ଏହି ଦୁଇଜଣ ମିଳିତ ଭାବେ ଲୋକଙ୍କୁ ଠକି ଟଙ୍କା ଆତ୍ମସାତ ପାଇଁ ଯୋଜନା କରିଥିଲେ
– ଲୋକଙ୍କୁ ନଜଣାଇ ସେମାନଙ୍କ ଅଜାଣତରେ ତାଙ୍କ ନାଁରେ ଲୋନ ସାଂସନ କରୁଥିଲେ
– ଲୋନ ସାଂସନ କରିବା ପାଇଁ ଜାଲି ଡକ୍ୟୁମେଂଟର ବ୍ୟବହାର କରୁଥିଲେ
– ୬୮ଟି ସେଂଟ୍ରାଲ କିଷାନ କ୍ରେଡିଟ୍ କାର୍ଡରେ ୮୫ ଲକ୍ଷ ୪୯ ହଜାର ଟଙ୍କା ଚଳୁ କରିଥିଲେ
– ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମରେ ୧ କୋଟି ୪୯ ଲକ୍ଷ ଟଙ୍କା ହରିଲୁଟ କରିଥିଲେ
– ୧୫ ଲକ୍ଷ ୬୦ ହଜାର ଟଙ୍କାର ସରକାରୀ ସବସିଡିକୁ ମଧ୍ୟ ଆତ୍ମସାତ କରିଥିଲେ
– ସମୁଦାୟ ୩ କୋଟି ୩୩ ଲକ୍ଷ ୫୨ ହଜାର ୬୦୨ ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡିଛି

ଏହି ଘଟଣା ସାମ୍ନାକୁ ଆସିବା ପରେ ବ୍ୟାଙ୍କ ପକ୍ଷରୁ ଏହି ଦୁଇଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି । ଠକେଇ ଅଭିଯୋଗରେ ଆଜି ଉଭୟଙ୍କୁ କେନ୍ଦ୍ରୁଝର ଓ ଭୁବନେଶ୍ୱରରୁ ଗିରଫ କରି କୋର୍ଟଚାଲାଣ କରିଛି ଇଓଡବ୍ଲୁ । ପରବର୍ତ୍ତୀ ସମୟରେ ଉଭୟଙ୍କୁ ରିମାଣ୍ଡରେ ଆଣି ଅଧିକା ପଚରାଉଚରା କରାଯିବ ।

The post ବ୍ୟାଙ୍କ ଟଙ୍କା ଖାଇଗଲେ ମ୍ୟାନେଜର: ଋଣ ଦେବା ନାଁରେ କୋଟି କୋଟି ଚଳୁ first appeared on Kanak News.

from Kanak News
via <a href="https://ifttt.com/?

ରାମ ମନ୍ଦିର ପାଇଁ ଅକ୍ଷତ କଳସ ଯାତ୍ରା: ମନ୍ଦିର ପ୍ରତିଷ୍ଠାରେ ସାମିଲ ପାଇଁ ଦିଆଯିବ ନିମନ୍ତ୍ରଣ

କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟା ରାମମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ସାରା ଦେଶରେ ଅକ୍ଷତ କଳସ ଯାତ୍ରା କରି ମନ୍ଦିର ପ୍ରତିଷ୍ଠାରେ ସାମିଲ ପାଇଁ ନିମନ୍ତ୍ରଣ ଦିଆଯାଉଛି । ଏହି କଳସ ଯାତ୍ରା ଓଡ଼ିଶାରେ ପହଂଚିଛି । ଦେଶବ୍ୟାପୀ ୭ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଜାନୁୟାରୀ ୧ରୁ ୧୫ରୁ ତାରିଖ ଯାଏଁ ସାରା ଓଡିଶାର ଲୋକଙ୍କୁ ମନ୍ଦିର ପ୍ରତିଷ୍ଠାରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯିବ ।

ଶ୍ରଦ୍ଧାଳୁଙ୍କ ଜୟଶ୍ରୀରାମ ନାରାବାଜି । ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶରେ ରାମଭକ୍ତଙ୍କ ଗହଣରେ ରାଜଧାନୀ ରାସ୍ତାରେ ଚାଲିଛି ଅକ୍ଷତ କଳସ ଯାତ୍ରା । ଅଯୋଧ୍ୟାରେ ପ୍ରତିଷ୍ଠା ହେବ ରାମଲଲାଙ୍କ ଭବ୍ୟ ମନ୍ଦିର । କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ଜନ୍ମଭୂମୀ ଅଯୋଧ୍ୟାରେ ଜାନୁୟାରୀ ୨୨ ତାରିଖରେ ପ୍ରତିଷ୍ଠା ହେବାକୁ ଯାଉଛି । ଏଣୁ ସାରା ଦେଶରେ ଅକ୍ଷତ କଳସ ଯାତ୍ରା କରି ମନ୍ଦିର ପ୍ରତିଷ୍ଠାରେ ସାମିଲ ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ଦିଆଯାଉଛି । ଭୁବନେଶ୍ୱରରେ ଅଯୋଧ୍ୟା ତୀର୍ଥ କ୍ଷେତ୍ରରୁ ଆସିଥିବା ଅକ୍ଷତ କଳସ ପହଂଚିବା ପରେ ଶୋଭାଯାତ୍ରାରେ ସହର ସାରା ବୁଲାଯାଇଛି ।

ଅପରାହ୍ଣ ୪ଟା ୨୦ରେ ହଂସପାଳ ଦେଇ ରସୁଲଗଡରେ ପହଂଚିଥିଲା ଅକ୍ଷତ କଳସ ଯାତ୍ରା । ଏହାପରେ ଅକ୍ଷତ କଳସ ଯାତ୍ରା ବମିଖାଲ, ଝାରପଡା, କଳ୍ପନା ଛକ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ ଛକ, ରାଜ୍ୟ ବିଜେପି କାର୍ଯ୍ୟାଳୟ, ରାମମନ୍ଦିର ପରିସର, ଏଜି ଛକ, ଗଭର୍ଣ୍ଣର ହାଉସ ଛକ, ଗୋପବନ୍ଧୁ ଛକ ଦେଇ ଜୟଦେବ ପାଠାଗାରରେ ପହଂଚିଛି  । ଜାନୁୟାରୀ ୧ରୁ ୧୫ରୁ ତାରିଖ ଯାଏଁ ସାରା ଓଡିଶାର ଲୋକଙ୍କୁ ଅକ୍ଷତ ଓ ରାମାଲଲାଙ୍କ ଫଟୋ ଦେଇ ମନ୍ଦିର ପ୍ରତିଷ୍ଠାରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯିବ ।

ଅଯୋଧ୍ୟାରେ ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠା ସମାରୋହ ପାଇଁ ୩ ହଜାର ଭିଭିଆଇପିଙ୍କ ସମେତ ୭ ହଜାର ମାନ୍ୟଗଣ୍ୟ ଅତିଥୀଙ୍କୁ ନିମନ୍ତ୍ରଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଥମେ ନିମନ୍ତ୍ରଣ ଦିଆଯାଇଛି । ଏଥିରେ ବଲିଉଡର ବିଗ ବି ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଆସା ଭୋଁସେଲଙ୍କ ସମେତ ରାମାୟଣରେ୍ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିୟା ଓ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କୁ ନିମନ୍ତ୍ରଣ ଦିଆଯାଇଛି । ସେହିପରି କ୍ରିକେଟର ସଚ୍ଚିନ ତେନ୍ଦୁଲକର, ବିରାଟ କୋହଲି, ଉଦ୍ୟୋଗପତି ମୁକେଶ ଅମ୍ବାନୀ, ରତନ ଟାଟା, ଗୌତମ ଅଡାନୀ, ଯୋଗ ଗୁରୁ ବାବା ରାମଦେବ, ଆରଏସଏସ ମୁଖ୍ୟ ମହୋନ ଭାଗବତ ପ୍ରମୁଖ ସାମିଲ ହେବେ । ଏହାଛଡା ରାମ ମନ୍ଦିର ଆନ୍ଦୋଳନରେ ପ୍ରାଣ ହରାଇଥିବା ପରିବାର ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିବା ସୂଚନା ରହିଛି ।

The post ରାମ ମନ୍ଦିର ପାଇଁ ଅକ୍ଷତ କଳସ ଯାତ୍ରା: ମନ୍ଦିର ପ୍ରତିଷ୍ଠାରେ ସାମିଲ ପାଇଁ ଦିଆଯିବ ନିମନ୍ତ୍ରଣ first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତା ୧୪ରେ ବିଜେଡି କାର୍ଯ୍ୟକାରିଣୀ: ବିଜେଡି ମହଲରେ ଚର୍ଚ୍ଚା, ହୋଇପାରେ ବଡ଼ ନିଷ୍ପତ୍ତି

କନକ ବ୍ୟୁରୋ: ଆଗାମୀ ୧୪ତାରିଖରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ । ଚର୍ଚ୍ଚା ହେଉଛି ନେତାମାନେ ଏକାଠି ହୋଇ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ । ସେହିପରି ଡିସେମ୍ବର ୨୬ରେ ହେବାକୁ ଥିବା ବିଜେଡି ପ୍ରତିଷ୍ଠା ଦିବସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ । ଏହି ଦିନ ବିଜେଡି କିଛି ବଡ଼ ନିଷ୍ପତି କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଯାହା ରାଜନୈତିକ ମହଲର ଉକ୍ରଣ୍ଠାକୁ ବଢ଼ାଇଦେଇଛି ।

୨୦୨୪ ନିର୍ବାଚନକୁ ଆହୁରୀ ତିନି ମାସ ବାକି । କିନ୍ତୁ ଏବେଠୁଁ ନିର୍ବାଚନ ପାଇଁ ପାଗ ଭିଡ଼ିଲାଣି ଶାସକ ଦଳ । କେମିତି ନିର୍ବାଚନ ଲଢ଼ିବ? ଏବଂ କେଉଁ ରଣନୀତିରେ ମୈଦାନକୁ ଓହ୍ଲାଇବ? ସେ ନେଇ ନୀଳନକ୍ସା ପ୍ରସ୍ତୁତ ହେଲାଣି । ଏହାରି ଭିତରେ ଆସନ୍ତା ୧୪ ତାରିଖରେ ବସୁଛି ବିଜେଡିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀଣି ବୈଠକ । ବୈଠକରେ ଦଳର ଆଭ୍ୟନ୍ତରୀଣ ବ୍ୟାପର ସଂକ୍ରାନ୍ତରେ କିଛି ବଡ଼ ନିଷ୍ପତି ନିଆଯାଇପାରେ ବୋଲି ବିଜେଡି ଶିବିରରେ ଚର୍ଚ୍ଚା ହେଉଛି ।

ଗତ ନଭେମ୍ବର ୨୭ରେ ଭିକେ ପାଣ୍ଡିଆନ ବିଜେଡିରେ ସାମିଲ ହେବା ପରେ ବିଜେଡି କ୍ୟାମ୍ପ ବେଶ ଉତ୍ସାହିତ । ମନ୍ତ୍ରୀ, ବିଧାୟକଙ୍କଠାରୁ ଆରମ୍ଭ କରି ଦଳର ଛାମୁଆ ସଂଗଠନର ନେତା, ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟୁଛନ୍ତି । କୁହାଯାଉଛି ଡିସେମ୍ବର ୨୬ରେ ହେବାକୁ ଥିବା ଦଳର ପ୍ରତିଷ୍ଠା ଦିବସରେ ପାଣ୍ଡିଆନଙ୍କୁ ଇନଟରଡ୍ୟୁସ୍ କରିବ ଦଳ । ଖୁବ ଧମୁଧାମରେ ପ୍ରତିଷ୍ଠା ଦିବସ ପାଳନ କରିବ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ତେବେ ୨୪ ମୁକାବିଲା ପାଇଁ ରାଜ୍ୟସ୍ତରରୁ ଆରମ୍ଭ କରି ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ଖସଡା ପ୍ରସ୍ତୁତ ହେଉଛି । ଏଥିରେ
– ନବୀନ ଓଡ଼ିଶା ହେବ ପ୍ରମୁଖ ପ୍ରସଙ୍ଗ
– ସରକାରଙ୍କ ଯୋଜନା ନେଇ ଲୋକଙ୍କ ପାଖକୁ ଯିବ ଦଳ
– ନବୀନ ବ୍ରାଣ୍ଡର ପ୍ରଚାର କରିବେ ବିଜେଡି ନେତା
– ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, କାଳିଆ, ମିଶନ ଶକ୍ତି ବଡ଼ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ
– ବିଭିନ୍ନ ପଂଚାୟତରେ ହୋଡିଂ, ବ୍ୟାନର ଓ ବିଭିନ୍ନ କାର୍ଯ୍ୟକ୍ରମରେ ଲୋକଙ୍କୁ ଅବଗତ କରିବ ଦଳ

ବଡ଼ କଥା ହେଉଛି କାର୍ଯ୍ୟକାରିଣୀ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ସଂଙ୍କଳ୍ପ ସହ କିଛି ବଡ଼ ନିଷ୍ପତି ପାରିତ ହୋଇପାରେ୍ । ଯାହା ୨୪ ପାଇଁ ଦଳର ବଡ ଷ୍ଟ୍ରାଟେଜି ବୋଲି କୁହାଯାଉଛି ।

The post ଆସନ୍ତା ୧୪ରେ ବିଜେଡି କାର୍ଯ୍ୟକାରିଣୀ: ବିଜେଡି ମହଲରେ ଚର୍ଚ୍ଚା, ହୋଇପାରେ ବଡ଼ ନିଷ୍ପତ୍ତି first appeared on Kanak News.

from Kanak News
via <a href="https://ifttt.com/?

କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସେଲଫି ପଏଂଟକୁ ନେଇ ଦ୍ୱନ୍ଦ୍ୱ: କେଉଁ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା ଦ୍ୱନ୍ଦ୍ୱରେ କର୍ତୃପକ୍ଷ

କନକ ବ୍ୟୁରୋ: ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ୟୁଜିସି ଚିଠି କରିଥିଲା । କଲେଜ ଓ ବିଶ୍ୱବିଦ୍ୟାଳୟ ପରିସରରେ ମୋଦୀଙ୍କ ସେଲଫି ପଏଂଟ ଖୋଲିବାକୁ କୁହାଯାଇଥିଲା । କିନ୍ତୁ ଏଥିପାଇଁ ଅର୍ଥ କିଏ ଦେବ ସେ ନେଇ କୌଣସି ଉଲ୍ଲେଖ କରାଯାଇନଥିଲା । ତେଣୁ ଏବେ ଦ୍ୱନ୍ଦ୍ୱ ଯେ କେମିତି ଖୋଲାଯିବ ସେଲଫି ପଏଂଟ । ସେହିପରି ରାଜ୍ୟ ସରକାର ମଧ୍ୟ ନୂଆ ଓଡ଼ିଶା ନାଁରେ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ପାଇଁ ଟଙ୍କାର ଅଭାବ ରହିବ ନାହିଁ । କିନ୍ତୁ ୟୁଜିସି ଚିଠି ପ୍ରସଙ୍ଗରେ ଟଙ୍କା କଥାକୁ ଏଡାଇ ଯାଇଛନ୍ତି ।

ଦେଶର ଭିନ୍ନ ଭିନ୍ନ କେନ୍ଦ୍ରିୟ ବିଦ୍ୟାଳୟ ସ୍କୁଲ ଆଗରେ ଲାଗିଥିବା ସେଲଫି ପଏଂଟ ଉପରେ ନଜର ପକାନ୍ତୁ । କେନ୍ଦ୍ର ସରକାରଙ୍କ ଶିକ୍ଷା କ୍ଷେତ୍ରରେ ଯୋଜନାଗୁଡିକୁ କଟ ଆଉଟ ଯୋଗେ ଏଭଳି ସେଲଫି ପଏଂଟର ରୁପ ଦିଆଯାଇଛି । ଏହିଭଳି ସେଲଫି ପଏଂଟ କରିବା ପାଇଁ ୟୁଜିସି ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଲଗାଇବାକୁ ନିର୍ଦ୍ଦେଶ ଦେଇଛି ।..ସେହିଭଳି ନୂଆ ଓଡିଶା ନାମରେ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ କ୍ରୀଡା, ସାଂସ୍କୃତିକ ଓ ସାମାଜିକ ଓ ପ୍ରତିଯୋଗୀତା ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀଙ୍କ ଫଟୋସହ କଲେଜ ଓ ବିଶ୍ୱବିଦ୍ୟାଳୟରେ ଫ୍ଲେକ୍ସ ଲଗାଇବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।

ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ମୋଦୀଙ୍କ ସେଲଫି ପଏଂଟ କରିବା ପାଇଁ ୟୁଜିସିର ନିର୍ଦ୍ଦେଶ ପରେ କର୍ତୁପକ୍ଷଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକର କର୍ତୁପକ୍ଷ ୟୁଜିସି ନିୟମ ଅନୁଯାୟୀ ପ୍ରସ୍ତୁତ ହେଉଥିବାବେଳେ ଆଉ ଗୋଟିଏ ପଟେ, ରାଜ୍ୟ ସରକାରଙ୍କ ଅଧୀନସ୍ଥ ଶିକ୍ଷାନୁଷ୍ଠାନଗୁଡିକ ୟୁଜିସିର ନିର୍ଦ୍ଦେଶ ପାଳନ କରିବେ କି ନାହିଁ ଦ୍ୱନ୍ଦ୍ୱରେ ପଡିଛନ୍ତି ।

ଏଥିସହ ୟୁଜିସି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ସେଲଫି ପଏଂଟ କରିବା ପାଇଁ ଆବଶ୍ୟକ ଅର୍ଥ କେଉଁଠୁ ଆସିବ ସେ ନେଇ ତଥ୍ୟ ଦିଆଯାଇନଥିବାରୁ ସେମାନଙ୍କ ଦ୍ୱନ୍ଦ୍ୱ ଆହୁରି ବଢିଯାଇଛି ।

କ୍ୟାମ୍ପସରେ ସେଲଫି ପଏଂଟକୁ ନେଇ କତୁର୍ପକ୍ଷ ଦ୍ୱନ୍ଦ୍ୱରେ ଥିବାବେଳେ, ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ତେବେ ରାଜ୍ୟ ଓ କେନ୍ଦ୍ର ସରକାର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାନୁଷ୍ଠାନକୁ ଉନ୍ନତ କରିବାକୁ ଉଦ୍ୟମ କରନ୍ତୁ ବୋଲି ମତ ରଖିଛନ୍ତି ଶିକ୍ଷାବିତ୍ ।

ଏହି ସେଲଫି ପଏଂଟ ଆଗରେ ଛାତ୍ରଛାତ୍ରୀମାନେ ସେଲଫି ଉଠାଇ ସୋସିଆଲ ମିଡିଆରେ ସେୟାର କରିବାକୁ କୁହାଯାଇଛି । ତେବେ ଯୁବ ଏବଂ ନୂଆ ଭୋଟରଙ୍କ ଭୋଟ ହାତେଇବା ପାଇଁ ବିଶ୍ୱବିଦ୍ୟାଳୟ ସ୍ତରରେ ବିଭିନ୍ନ ଯୋଜନାକୁ ବିଜ୍ଞାପନ ଆଳରେ ପ୍ରଚାର ପ୍ରସାର କରାଯାଉଥିବା ସାଧାରଣରେ ଚର୍ଚ୍ଚା ହୋଉଛି ।

The post କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସେଲଫି ପଏଂଟକୁ ନେଇ ଦ୍ୱନ୍ଦ୍ୱ: କେଉଁ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା ଦ୍ୱନ୍ଦ୍ୱରେ କର୍ତୃପକ୍ଷ first appeared on Kanak News.

from Kanak News
via <a href="https://ifttt.com/?

ସାଂସଦ ପଦ ହରାଇଲେ ମହୁଆ ମୋଇତ୍ରା: ଲାଂଚ ନେଇ ପ୍ରଶ୍ନ ପଚାରିବା ମାମଲାରେ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ନେଇ ଯେଉଁ ଆକଳନ କରାଯାଉଥିଲା ତାହା ସତ ହୋଇଛି । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ସାଂସଦ ପଦ ହରାଇଛନ୍ତି ମହୁଆ । ତେବେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ମହୁଆ ନିଜକୁ ଦ୍ରୌପଦୀ ବୋଲି କହିବା ସହ ବସ୍ତ୍ରହରଣ ପାଇଁ ଆଗକୁ ମହାଭାରତ ଯୁଦ୍ଧ ଦେଖିବାକୁ ଆହ୍ୱାନ ଦେଇଥିଲେ । ଆଉ କାର୍ଯ୍ୟାନୁଷ୍ଠାନ ପରେ ଆଗାମୀ ୩୦ ବର୍ଷ ଯାଏଁ ବିଜେପି ବିରୋଧରେ ଲଢ଼େଇ କରିବେ ବୋଲି ଘୋଷଣା କରିଛନ୍ତି ।

ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏ ସଂପର୍କିତ ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ମହୁଆଙ୍କ ସାଂସଦ ପଦ ରଦ୍ଦ କରିଛନ୍ତି ଲୋକସଭାର ବାଚସ୍ପତି ଓମ ବିର୍ଲା । ଏହି ପ୍ରସଙ୍ଗକୁ ନେଇ ଆଜି ଲୋକସଭାରେ ପ୍ରବଳ ହଙ୍ଗାମା ହୋଇଥିଲା । କିନ୍ତୁ ଶେଷରେ ମହୁଆଙ୍କୁ ବହିଷ୍କାର କରିବା ନେଇ ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଛି ।

ବିରୋଧୀ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି ଅଭିଯୋଗ କରୁଥିବାବେଳେ ବିଜେପି କହିଛି ମହୁଆ ତାଙ୍କ ବିଶେଷ ଅଧିକାରର ଅନୁଚିତ ବ୍ୟବହାର କରିଛନ୍ତି । ଯାହା ଗଣତନ୍ତ୍ରର ଉପହାସ କରୁଛି । କାର୍ଯ୍ୟାନୁଷ୍ଠାନ ପରେ ମହୁଆ ମୋଇତ୍ରା ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି । ମହୁଆ କହିଛନ୍ତି ତାଙ୍କୁ ୪୯ ବର୍ଷ, ତେଣୁ ଆଗାମୀ ୩୦ ବର୍ଷ ଯାଏଁ ସେ ସବୁଠି ବିଜେପି ବିରୋଧରେ ଲଢେଇ କରିବେ । ଟିଏମସି ମୁଖ୍ୟ ମମତା ବାନାର୍ଜୀ ମଧ୍ୟ ମହୁଆଙ୍କ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ।

ପଶ୍ଚିମବଙ୍ଗ କୃଷ୍ଣନାଗରରୁ ଟିଏମସି ଟିକେଟରେ ଲୋକସଭାକୁ ନିର୍ବାଚିତ ମହୁଆ ମୋଇତ୍ରଙ୍କ ବିରୋଧରେ ଦୁଇଟି ସଂଗୀନ ଅଭିଯୋଗ ରହିଥିଲା । ପ୍ରଥମଟି ହେଲା- ୨୦୧୯ୁ ୨୦୨୩ ମଧ୍ୟରେ ମହୁଆଙ୍କ ଲଗଇନରେ ୬୧ଟି ପ୍ରଶ୍ନ କରାଯାଇଥିଲା । ଯାହାକୁ ମହୁଆଙ୍କ ପକ୍ଷରୁ ପଚାରିଥିଲେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ।

ଦ୍ୱିତୀୟ ଅଭିଯୋଗ ହେଉଛି ଯେ, ସାଂସଦ ଭାବେ ମହୁଆ ତାଙ୍କ ପଦବୀର ଦୂରୁପଯୋଗ କରିଛନ୍ତି । ସାଂସଦ ଭାବେ ତାଙ୍କୁ ଦିଆଯାଇଥିବା ଲଗଇନ୍, ପାସୱାର୍ଡକୁ ଅନ୍ୟ ବ୍ୟକ୍ତିଙ୍କୁ ବ୍ୟବହାର କରିବା ପାଇଁ ଦେଇଛନ୍ତି । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ ଆଧାରରେ ଏହାର ତଦନ୍ତ କରିଥିଲା ଏଥିକ୍ସ କମିଟି ।

ବିଜେପିର କହିବା ହେଲା ନିୟମ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବରୁ ସମାନ ଅଭିଯୋଗରେ କଂଗ୍ରେସର ୧୦ ଜଣ ସାଂସଦଙ୍କୁ ମଧ୍ୟ ବହିଷ୍କୃତି କରାଯାଇଥିଲା । ଜଣେ ସାଂସଦ ଭାବେ ଶପଥ ନେଇ ମହୁଆ ଯେଉଁ କାର୍ଯ୍ୟ କରିଛନ୍ତି ତାହା ନିନ୍ଦନୀୟ ।

କୁହାଯାଉଛି ଏବେ ମହୁଆଙ୍କ ନିକଟରେ ୩ଟି ବିକଳ୍ପ ରହିଛି
ବିକଳ୍ପ- ୧
– ମହୁଆ ଚାହିଁଲେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ସଂସଦକୁ ଅନୁରୋଧ କରିପାରିବେ
ବିକଳ୍ପ- ୨
– ମୌଳିକ ଅଧିକାରର କ୍ଷୁର୍ଣ୍ଣ ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି
ବିକଳ୍ପ- ୩
– ନିଷ୍ପତ୍ତିକୁ ସ୍ୱୀକାର କରି ପୁଣି ୪ ମାସ ଭିତରେ ନିର୍ବାଚିତ ହୋଇ ଲୋକସଭା ଆସିପାରିବେ

The post ସାଂସଦ ପଦ ହରାଇଲେ ମହୁଆ ମୋଇତ୍ରା: ଲାଂଚ ନେଇ ପ୍ରଶ୍ନ ପଚାରିବା ମାମଲାରେ କାର୍ଯ୍ୟାନୁଷ୍ଠାନ first appeared on Kanak News.

from Kanak News
via <a href="https://ifttt.com/?

୩ ଦିନ ହେଲା ମଦ ସାମ୍ରାଜ୍ୟରେ ଜାରି ରହିଛି ଆଇଟି ରେଡ୍: ଟଙ୍କାର ପାହାଡ଼ ଦେଖି ସାରାଦେଶରେ ହଲଚଲ୍

କନକ ବ୍ୟୁରୋ: ଦୁଇ ଦିନ ହେଲା ନ୍ୟୁଜରେ ଆପଣ ଯେଉଁ ଟଙ୍କାର ପାହାଡ଼ ଦେଖୁଛନ୍ତି, ତା ପଛର ଚେହେରା କିଏ? ଯଦିଓ ମଦ ବ୍ୟବସାୟୀ ଧୀରଜ ସାହୁ ଆୟକର ଫାଙ୍କି ଜମା କରିଥିବା ଏହି ଟଙ୍କା ବୋଲି କୁହାଯାଉଛି । କିନ୍ତୁ ଓଡ଼ିଶାରେ ଚଢ଼ାଉ ପରେ ରାଜନୀତି ତେଜିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି ଲୁଟ୍ ଟଙ୍କାର ଗୋଟିଏ ଗୋଟିଏ ପଇସା ସୁଝିବାକୁ ପଡ଼ିବ । ସେପଟେ ବିଜେଡି ନେତା ମନ୍ତ୍ରୀଙ୍କ ଫଟୋ ଦେଖାଇ ଟାର୍ଗେଟ କରିଛି ବିଜେପି । ଆଉ ବିଜେଡି କହିଛି, ଯିଏ ଦୋଷୀ ସିଏ ଦଣ୍ଡ ପାଇବ ।

ଟଙ୍କାର ପାହାଡ଼ରେ ଦୁର୍ନୀତି ଛାପ ! । ଶହ ଶହ କୋଟି ଟଙ୍କାରେ ରାଜନେତାଙ୍କ ସଂପୃକ୍ତି ଅଭିଯୋଗ । ଏବଂ ଟଙ୍କା ଗଣିଗଣି ମେସିନ୍ ହାଲିଆ ହେବା ପରେ ରେଡ୍କୁ ନେଇ ରାଜନୀତି ତୀବ୍ର ହୋଇଛି । ଯାହା ଖବର କାଗଜରେ ପ୍ରକାଶିତ ଏହି ରିପୋର୍ଟ ଏବଂ ରିପୋର୍ଟକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀଙ୍କ କଟାକ୍ଷରୁ ସ୍ପଷ୍ଟ ବାରି ହେଉଛି ।

ଜନତାଙ୍କୁ ବିକାଶର ଗ୍ୟାରେଂଟି ଦେଉଥିବା ପ୍ରଧାନମନ୍ତ୍ରୀ ଏବେ ଦୁର୍ନତିଗ୍ରସ୍ତ ଲୋକଙ୍କୁଠାରୁ ଗୋଟିଏ ଗୋଟିଏ ପାଉଣା ଅସୁଲ କରିବାର ଗ୍ୟାରେଂଟି ଦେଉଛନ୍ତି । ଝାଡ଼ଖଣ୍ଡରୁ ରାଜ୍ୟସଭାକୁ ଯାଇଥିବା ସାଂସଦ ଧୀରଜ ସାହୁଙ୍କ ୧୦ଟି ଠିକଣାରେ ଆୟକର ରୋଡ୍ । ଏବଂ ରେଡ୍୍ରୁ ଶହ ଶହ କୋଟି ଟଙ୍କା ଠାବ ହେବା ପରେ ଆକ୍ରମଣାତ୍ମ ଆଭିମୁଖ୍ୟ ଗ୍ରହଣ କରିଛି ଭାରତୀୟ ଜନତା ପାର୍ଟି ।

ଯେତେ ଗଣିଲେ ବି ଗଣା ସରୁନାହିଁ । ତୃତୀୟ ଦିନରେ ଚାଲିଛି ଟଙ୍କା ଗଣତି । ସମ୍ବଲପୁର ଓ ବଲାଙ୍ଗିର ସମେତ ଓଡ଼ିଶାର ଏକାଧିକ ସ୍ଥାନରେ ଟଙ୍କା ଗଣତି ଓ ଚଢ଼ାଉ ଚାଲିଛି । ଯାହା ସୃଷ୍ଟି କରିଛି ଏକାଧିକ ପ୍ରଶ୍ନ ।

ଏତେ ଟଙ୍କା କାହାର?
କେଉଁଠୁ ଓ କେମିତି ଆସିଲା ଏତେ ଟଙ୍କା?
ଦଳୀୟ ଟଙ୍କା ଲାଗିଛି କି ନାହିଁ?
ନିର୍ବାଚନ ସହ ଟଙ୍କାର କୌଣସି ସଂପୃକ୍ତି ରହିଛି କି?

ମଦ ବ୍ୟବସାୟୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହେବା ପରେ ବିଜେଡି ନେତା ଓ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି ବିଜେପି । ସାହୁ ବ୍ରଦର୍ସଙ୍କ ସହ ରାଜ୍ୟ କ୍ୟାବିନେଟ୍ର ମନ୍ତ୍ରୀଙ୍କ ଫେଟୋ ଦେଖାଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ମୁଖପାତ୍ର । ଯାହାର ଜବାବରେ ବିଜେଡି କହିଛି- ଯିଏ ସଂପୃକ୍ତ ଅଛନ୍ତି ଦଣ୍ଡ ପାଇବେ ।

ରାଜନୀତିର ଏହି ବୟାନବାଜି ଭିତରେ କିନ୍ତୁ ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଏବଂ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ସମୟରେ ୨୫୨ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି ।

The post ୩ ଦିନ ହେଲା ମଦ ସାମ୍ରାଜ୍ୟରେ ଜାରି ରହିଛି ଆଇଟି ରେଡ୍: ଟଙ୍କାର ପାହାଡ଼ ଦେଖି ସାରାଦେଶରେ ହଲଚଲ୍ first appeared on Kanak News.

from Kanak News
via <a href="https://ifttt.com/?

ରାମ ମନ୍ଦିର ପାଇଁ ସାରା ଦେଶରେ ବୁଲୁଛି କଳସ ଯାତ୍ରା: ଜାନୁଆରୀ ୨୨ରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା 

କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହାକୁ ବଡ ଧରଣରେ ଆୟୋଜନ କରାଯାଉଛି । ସାରାଦେଶରେ ବୁଲୁଛି ଅକ୍ଷତ କଳସ ଯାତ୍ରା । ଏହି କଳସ ଯାତ୍ରା ଆଜି ଓଡିଶାରେ ପହଂଚିଛି ।  ଭୁବନେଶ୍ୱର ରସୁଲଗଡରେ ପହଂଚିବା ପରେ ଅକ୍ଷତ କଳସ ଯାତ୍ରା ରାଜଧାନୀ ଭୁବନେଶ୍ୱରରେ ବୁଲିବା ସହ ରାମମନ୍ଦିର ନିକଟରେ ପହଂଚିବାର କାର୍ଯ୍ୟକ୍ରମ ରହିଛି ।

The post ରାମ ମନ୍ଦିର ପାଇଁ ସାରା ଦେଶରେ ବୁଲୁଛି କଳସ ଯାତ୍ରା: ଜାନୁଆରୀ ୨୨ରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା  first appeared on Kanak News.

from Kanak News
via <a href="https://ifttt.com/?

ମୃତ୍ୟୁର ପୋଲ ସାଜିଛି ଉଦଳାର ଟାଙ୍ଗଣା ନଦୀ ଉପରେ ଥିବା ଗଡ଼ାପୋଲ ।  ଗୋଟିଏ ପଟ ଦବି ଗଲାଣି, ଆରପଟେ ଫାଟି ଆଁ କରିଛି

କନକ ବ୍ୟୁରୋ : ଦିନେ ଦୁଇଟି ବ୍ଲକର ୮ରୁ ଅଧିକ ପଂଚାୟତ ପାଇଁ ଲାଇଫ୍ ଲାଇନ ପାଲଟିଥିବା ପୋଲ ଏବେ ବିପଦସଂକୁଳ ହୋଇପଡିଛି । ମୟୂରଭଂଜ ଉଦଳା ବ୍ଲକ ଅଧିନରେ ଥିବା ଗଡାପୋଲ ଅବସ୍ଥା ଏବେ ଏମିତି ହୋଇଛି ଯେ, କେତେବେଳେ ଅଘଟଣ ନଘଟିବ ତାହା କହିହେବ ନାହିଁ । ଉଦଳା ବ୍ଲକର କୋଚିଳାଡିହା, ରାଢୋ ପଂଚାୟତରୁ ଗୋପବନ୍ଧୁନଗର ବ୍ଲକର ଜୟପୁର, ବରଡିହି, ଭଣ୍ଡଗାଁ ଭଳି ଅନେକ ପଂଚାୟତକୁ ସଂଯୋଗ କରୁଛି ଟାଙ୍ଗଣା ନଦୀ ଉପରେ ଥିବା ଗଡ଼ାପୋଲ । ପୋଲର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଗୋଟିଏ ପାଖ ଦବି ଯାଇଛି । ପୋଲ ତଳେ ଥିବା ହୋମ ପାଇପ୍ କେଉଁଠି ଫାଟିଯାଇଛି ତ ପୁଣି କେଉଁଠି ପ୍ଲାଷ୍ଟର ଛାଡିଯାଇଛି । ମୋଟାମୋଟି ଭାବେ ପୋଲଟି ଫାଟି ଅାଁ କରିଛି । ସପ୍ତାହେ ତଳେ ପୋଲର ଭଙ୍ଗା ଅଂଶକୁ ଜାଣି ନପାରି ଜଣେ ବ୍ୟକ୍ତି ପୋଲରୁ ତଳକୁ ଖସି ପ୍ରାଣ ହରାଇଛନ୍ତି ।

ପୋଲଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି । ପ୍ରତି ମୂହୂର୍ତରେ ବିପଦକୁ ଆମନ୍ତ୍ରଣ କରୁଥିବା ବେଳେ ବିଭାଗ କେବଳ ବ୍ୟାନର ଟିଏ ମାରି କାମ ସାରି ଦେଇଛି । ଲୋକମାନେ ଭୟଭିତ ଅବସ୍ଥାରେ ପୋଲ ଉପରେ ଯାତାୟତ କରୁଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ଏନେଇ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ ।

ଏହି ପୋଲକୁ ଦେଖିବା ପରେ ପ୍ରଶ୍ନ ଉଠେ, ବିପଦ ସଙ୍କୁଳ ପୋଲର ମରାମତି କରିବାରେ ବିଭାଗ କାହିଁକି ବିଳମ୍ବ କରୁଛି? ସପ୍ତାହେ ପୂର୍ବରୁ ଗୋଟିଏ ଜୀବନ ନେଇଥିବା ପୋଲରେ କିଛି ବଡ ଅଘଟଣକୁ ବିଭାଗ ଅପେକ୍ଷା କରିଛି କି?

The post ମୃତ୍ୟୁର ପୋଲ ସାଜିଛି ଉଦଳାର ଟାଙ୍ଗଣା ନଦୀ ଉପରେ ଥିବା ଗଡ଼ାପୋଲ ।  ଗୋଟିଏ ପଟ ଦବି ଗଲାଣି, ଆରପଟେ ଫାଟି ଆଁ କରିଛି first appeared on Kanak News.

from Kanak News
via <a href="https://ifttt.com/?

ବୌଦ୍ଧ ସ୍ପିରିଟ କାରଖାନା ବାହାରେ ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ୍: ବିଡିପିଏଲରେ ୩ଦିନ ହେଲା ଚାଲିଛି ଆୟକର ଚଢ଼ାଉ

କନକ ବ୍ୟୁରୋ: ସ୍ପିରିଟ କାରଖାନା ବାହାରେ ପଡ଼ିଛି ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ୍ । ବୌଦ୍ଧରେ ଥିବା ବଡ଼ ସ୍ପିରିଟ କାରଖାନା ବିଡିପିଏଲ ତଥା ବୌଦ୍ଧ ଡିସଟିଲାରୀ ପ୍ରାଇଭେଟ ଲିମିଟେଡ ଉପରେ ଚଢ଼ାଉ ଚାଲିଥିବା ବେଳେ ପାଚେରୀ ବାହାରେ ଚିରା ୫ଶହ ଟଙ୍କିଆ ନୋଟ୍ ପଡ଼ିଥିବା ଦେଖିବାକୁ ମିଳିଛି । ସ୍ପିରିଟ କାରଖାନା ଉପରେ ୩ଦିନ ହେଲା ଆୟକର ଚଢ଼ାଉ ଚାଲିଥିବା ବେଳେ ୫ଶହ ଟଙ୍କିଆ ଚିରା ନୋଟ୍ ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ପାଚେରୀ ବାହାରେ ପଡ଼ିଛି । ଏତେ ଟଙ୍କା କେଉଁଠୁ ଆସିଲା ଓ କିଏ ଏମିତି ୫ଶହ ଟଙ୍କିଆ ନୋଟ୍ ଚିରି ଫୋପାଡ଼ିଛି ତାକୁ ନେଇ ପ୍ରଶ୍ନ ଉଠିଛି ।

The post ବୌଦ୍ଧ ସ୍ପିରିଟ କାରଖାନା ବାହାରେ ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ୍: ବିଡିପିଏଲରେ ୩ଦିନ ହେଲା ଚାଲିଛି ଆୟକର ଚଢ଼ାଉ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started