ପିଏମ୍-ଉଷା ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ କରିବାରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଆଞ୍ଚଳିକ ବୈଷମ୍ୟ ଦୂର କରିବା ଦିଗରେ ହେବ ସହାୟକ

କନକ ବ୍ୟୁରୋ : ଓଡ଼ିଶାରେ ଉଚ୍ଚ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ପିଏମ୍-ଉଷା ଯୋଜନାକୁ କାର୍ଯ୍ୟକାରୀ କରିବା ତଥା ଏହି ଯୋଜନାର ଲାଭ ନେବା ପାଇଁ ନିରନ୍ତର ସମର୍ଥନ ଓ ସହଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା)କୁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ-ଉଷା) ନାମରେ ଶୁଭାରମ୍ଭ କରାଯାଇଛି । ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନକୁ ଜାରି ରଖିବା ପାଇଁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସୁଦ୍ଧା କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା ପିଏମ ଉଷାକୁ ଅନୁମୋଦନ ମିଳିଥିବା ବେଳେ ୧୨ ହଜାର ୯୨୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ସମୟରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ ଦିଗରେ ପିଏମ-ଉଷା କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନୂଆ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ଏବଂ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡିକର ସାମଗ୍ରିକ ଉନ୍ନତି କରିବା ଏହି ଯୋଜନାର ଲକ୍ଷ୍ୟ ରହିଛି । ବିଶେଷ ଭାବରେ ଦୁର୍ଗମ, ଜନଜାତି ଅଧ୍ୟୁଷିତ, ମାଓ ପ୍ରଭାବିତ ଅଞ୍ଚଳରେ ଉଚ୍ଚତର ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି କରିବାର ଉଦ୍ଦେଶ୍ୟ ରହିଛି । ସେହିପରି ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଆଞ୍ଚଳିକ ବୈଷମ୍ୟ ଦୂର କରିବା ଦିଗରେ ଏହି ଯୋଜନା ସହାୟକ ହେବ ।

ପିଏମ ଉଷା ଯୋଜନାକୁ କ୍ରିୟାନ୍ୱୟନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ଏମଓୟୁ କରିବା ଦରକାର । ଏମଓୟୁରେ ପିଏମ ଉଷାର ସଠିକ୍ ଯୋଜନା, କାର୍ଯ୍ୟକାରିତା ଏବଂ ତଦାରଖ ସମ୍ପର୍କିତ ବିବରଣୀ ପ୍ରଦାନ କରାଯାଇଛି । ରୁସାର ପୂର୍ବ ପର୍ଯ୍ୟାୟରେ ଓଡ଼ିଶା ସକ୍ରିୟ ଅଂଶଗ୍ରହଣ କରି ରାଜ୍ୟରେ ଉଚ୍ଚଶିକ୍ଷାର ଉନ୍ନତି ପାଇଁ ଯୋଜନା ଅନ୍ତର୍ଗତ ଆସିଥିବା ଆର୍ଥିକ ସହାୟତାକୁ ଉପଯୋଗ କରିବାରେ ସଫଳ ହୋଇଛି । ତେବେ ପିଏମ ଉଷାର ନୂତନ ପର୍ଯ୍ୟାୟରେ ଓଡ଼ିଶା ଏ ପର୍ଯ୍ୟନ୍ତ ଏମଓୟୁ ସ୍ୱାକ୍ଷର କରିନାହିଁ । ଏହି ଯୋଜନାରେ ଅନୁଦାନ ପାଇବା ପାଇଁ ପ୍ରସ୍ତାବ ଗୁଡିକର ଦାଖଲ ପ୍ରକ୍ରିୟା ଗତ ବର୍ଷ ଅକ୍ଟୋବର ୨୧ ତାରିଖରୁ ଆରମ୍ଭ ହୋଇସାରିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପିଏମ ଉଷା ଯୋଜନାର କ୍ରିୟାନ୍ୱୟନ ପାଇଁ ସହଯୋଗ ଏବଂ ନିରନ୍ତର ସମର୍ଥନ ଦେବା ପାଇଁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହି ଯୋଜନାର ଲାଭ ନେବାରେ ଓଡ଼ିଶା ଯେପରି ବଞ୍ଚିତ ନ ହେବ, ସେଥିପାଇଁ ତୁରନ୍ତ ଏହା ଉପରେ ଧ୍ୟାନ ଦେବା ପାଇଁ ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।

The post ପିଏମ୍-ଉଷା ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ କରିବାରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଆଞ୍ଚଳିକ ବୈଷମ୍ୟ ଦୂର କରିବା ଦିଗରେ ହେବ ସହାୟକ first appeared on Kanak News.

from Kanak News
via <a href="https://ifttt.com/?

ଦିନେ ବନ୍ଧୁକ ଧରି ଆଦିବାସୀଙ୍କ ଅଧିକାର ପାଇଁ ଜଙ୍ଗଲରେ କରୁଥିଲେ ଲଢେଇ, ଆଜି ରେବାନ୍ତଙ୍କ ସରକାରରେ ମନ୍ତ୍ରୀ ଭାବେ ନେଲେ ଶପଥ

କନକ ବ୍ୟୁରୋ : ଦନସାରୀ ଅନସୁୟା ସୀତାକ୍କା । ନାମ ଯେମିତି ଦମଦାର କାମ ବି ସେମିତି ଦମଦାର । ଲୋକମାନେ ତାଙ୍କୁ ସ୍ନେହଁରେ ସୀତାକ୍କା ବୋଲି ଡାକିଥାନ୍ତି । ଏବେ ସେ ତେଲେଙ୍ଗାନାର ରେବାନ୍ତ ରେଡ୍ଡୀଙ୍କ ସରକାରରେ ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ମୁଲୁଗା ଆସନରୁ ନିର୍ବାଚିତ ହୋଇଥିବା ସୀତାକ୍କା ଯେତେବେଳେ ଶପଥ ନେବାକୁ ମଞ୍ଚ ଉପରକୁ ଆସିଥିଲେ ସେତେବେଳେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଠିଆ ହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ । କାରଣ ତାଙ୍କ ଜୀବନ ଏକ ସିନେମାର କାହାଣୀ ଠାରୁ କିଛି କମ୍ ନୁହେଁ ।

ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢିଥିବା ସୀତାକ୍କା ୧୯୮୮ ମସିହାରେ ନକ୍ସଲ ଆନ୍ଦୋଳନ ସହ ଯୋଡି ହୋଇଯାଇଥିଲେ । ଏହାପରେ ଧିରେ ଧିରେ ସେ ନକ୍ସଲ ଆନ୍ଦୋଳନର କମାଣ୍ଡର ହୋଇଯାଇଥିଲେ    । ସେ ଏକା ନୁହଁନ୍ତି ଏହି ନକ୍ସଲ ଆନ୍ଦୋଳନରେ ସୀତାକ୍କାଙ୍କ ସ୍ୱାମୀ ଓ ଭାଇ ମଧ୍ୟ ଥିଲେ । ପୋଲିସ ସହ ଗୁଳି ବିନିମୟ ବେଳେ ସେମାନଙ୍କର ମୃତ୍ୟୁ ହୋଇଥିଲା । ହଠାତ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁଙ୍କ ସଂସ୍ପର୍ଶରେ ଆସିଥିଲେ ସୀତାକ୍କା । ଏହାପରେ ସେ ଚନ୍ଦ୍ରବାବୁ ନାଇଡୁଙ୍କ କଥାରେ ମୁଖ୍ୟ ଧାରାରେ ସାମିଲ ହୋଇଥିଲେ   ।

ଆତ୍ମସମର୍ପଣ କରିବା ପରେ ସୀତାକ୍କା ଜଙ୍ଗଲରେ ରହୁଥିବା ଆଦିବାସୀମାନଙ୍କ ବିକାଶ ପାଇଁ କାମ କରିବା ଆରମ୍ଭ କରିଦେଇଥିଲେ । ତେଣୁ ଧିରେ ଧିରେ ସେ ଆଦିବାସୀ ଅଞ୍ଚଳରେ ଲୋକପ୍ରିୟ ହୋଇପାରିଥିଲେ । ୨୦୦୯ ମସିହାରେ ଟିଡିପି ତାଙ୍କୁ ବିଧାନସଭା ଟିକେଟ ଦେଇଥିଲା । ସେ ମୁଲୁଗ ଆସନରୁ ପ୍ରଥମ ଥର ନିର୍ବାଚନ ଲଢି ବିଧାୟକ ଭାବେ ବିଧାନସଭାକୁ ଆସିଥିଲେ । ହେଲେ ଅବିଭକ୍ତ ଆନ୍ଧ୍ରପ୍ରଦେଶ ଭାଙ୍ଗି ଦୁଇଟି ରାଜ୍ୟ ହୋଇଥିଲା ଓ ମୁଲୁଗ ଆସନଟି ତେଲେଙ୍ଗାନା ରାଜ୍ୟରେ ପଡିଥିଲା । ଏହାପରେ ସୀତାକ୍କା ଟିଡିପି ଛାଡି ରେବାନ୍ତ ରେଡ୍ଡୀଙ୍କ ନେତୃତ୍ୱରେ କଂଗ୍ରେସରେ ଯୋଗ ଦେଇଥିଲେ ।

ଏଥର ନିର୍ବାଚନରେ ବିଜୟୀ ହୋଇ ସୀତାକ୍କା ହାଟ୍ରିକ କରିଛନ୍ତି । ଗୋଟିଏ ପଟେ ରେବାନ୍ତ ରେଡ୍ଡୀଙ୍କ ପରେ ମୁଖ୍ୟମନ୍ତ୍ରୀ ଦୌଡରେ ସୀତାକ୍କା ମଧ୍ୟ ଥିଲେ । ହେଲେ ଆଜି ସେ ତେଲେଙ୍ଗାନା କ୍ୟାବିନେଟର ଜଣେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସାର୍ବଜନୀକ ଜୀବନର ବ୍ୟସ୍ତତା ମଧ୍ୟରେ ସୀତାକ୍କା ପାଠ ପଢା ଛାଡିନାହାଁନ୍ତି । ସେ ୨୦୨୨ ରେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ସୀତାକ୍କାଙ୍କ ପାଖରେ ମୋଟ ୮୨ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।

The post ଦିନେ ବନ୍ଧୁକ ଧରି ଆଦିବାସୀଙ୍କ ଅଧିକାର ପାଇଁ ଜଙ୍ଗଲରେ କରୁଥିଲେ ଲଢେଇ, ଆଜି ରେବାନ୍ତଙ୍କ ସରକାରରେ ମନ୍ତ୍ରୀ ଭାବେ ନେଲେ ଶପଥ first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ ବିଜୟ ପାଇଁ ବିଜେପିକୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ । ଜନସମ୍ପର୍କ ସ୍ଥାପନ କରିବାକୁ ଦେଲେ ଆହ୍ୱାନ, କର୍ମୀଙ୍କୁ ଦେଲେ ବିଜୟର ଶ୍ରେୟ ।

କନକ ବ୍ୟୁରୋ : ‘ମୋଦୀ ଜୀ’ ନକହି ମୋଦୀ ବୋଲି ସମ୍ବୋଧନ କରିବାକୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ । ବିଜେପି ସଂସଦୀୟ ବୋର୍ଡ ବୈଠକରେ ଦଳୀୟ ନେତାଙ୍କୁ ଏଭଳି ଆହ୍ୱାନ କରିଛନ୍ତି । ହିନ୍ଦୀ ହାର୍ଟଲ୍ୟାଣ୍ଡର ହାରିବା ପରେ ଗୋଟିଏ ପଟେ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟ ଭୁଲରୁ ଶିକ୍ଷାଲାଭ କରି ସାଧାରଣ ନିର୍ବାଚନ ଲଢିବାକୁ ରଣନୀତି ପ୍ରସ୍ତୁତ କରୁଛି । ଅନ୍ୟପଟେ ବିଜେପି ଏବେ ତିନି ରାଜ୍ୟରେ ବିଜୟୀ ହୋଇ ଉତ୍ସାହିତ । ଆଉ କୌଣସି ଭୁଲ ନକରି କିଭଳି ବିରେଧୀଙ୍କୁ ଚେକ୍ ଦେଇ ହେବ ସେଥିପାଇଁ ପ୍ରସ୍ତୁତ ହେଉଛି । କେଉଁଭଳି ଶୈଳୀରେ ଦଳ ଲୋକଙ୍କ ପାଖକୁ ଯିବ ଏବଂ ଆଗାମୀ ଦିନରେ ନିର୍ବାଚନ ଲଢିବ ସେଥିପାଇଁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଆଜି ବିଜେପିର ସଂସଦୀୟ ବୋର୍ଡ ବୈଠକରେ ଉପସ୍ଥିତ ଦଳର ସମସ୍ତ ସାଂସଦଙ୍କୁ ବିଜୟର ମନ୍ତ୍ର ଦେଇଛନ୍ତି ମୋଦୀ । ତିନି ରାଜ୍ୟରେ ବିଜୟ ପାଇଁ ମୋଦୀ ଗ୍ୟାରେଂଟିକୁ ସାଂସଦମାନେ ଶ୍ରେୟ ଦେଇଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜୟ କେବଳ ଜଣେ ବ୍ୟକ୍ତିର ହୁଏନାହିଁ । ଏହା ସମସ୍ତ ଦଳୀୟ କର୍ମୀଙ୍କର । ଏବେ କିଛି ଦିଗ ଉପରେ ଏବେ ନଜର ପକାନ୍ତୁ ଯାହା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
– ମୋଦୀ ଜୀ ନକହି କେବଳ ମୋଦୀ ସମ୍ବୋଧନ କର
– ଡିସେମ୍ବର ୨୨ରୁ ଜାନୁଆରୀ ୨୫ ବିକାଶ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେବେ ମନ୍ତ୍ରୀ ଓ ସାଂସଦ
– ବିଜେପିର ବିଜୟ ଜଣଙ୍କର ନୁହେଁ ସମସ୍ତ କର୍ମୀଙ୍କ କଠିନ ପରିଶ୍ରମର ଫଳ
– ରାଜ୍ୟଗୁଡିକରେ ଲଗାତାର ଜିତିବାରେ କଂଗ୍ରେସ ତୁଳନାରେ ବିଜେପିର ହାର ଅଧିକ
– ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ପ୍ରସ୍ତୁତି କର
– ନିଜ ନିଜ ନିର୍ବାଚନୀ କ୍ଷେତ୍ରକୁ ଯାଇ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ପରାମର୍ଶ

The post ୨୦୨୪ ବିଜୟ ପାଇଁ ବିଜେପିକୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ । ଜନସମ୍ପର୍କ ସ୍ଥାପନ କରିବାକୁ ଦେଲେ ଆହ୍ୱାନ, କର୍ମୀଙ୍କୁ ଦେଲେ ବିଜୟର ଶ୍ରେୟ । first appeared on Kanak News.

from Kanak News
via <a href="https://ifttt.com/?

ଅବ ତକ୍ ୨୨

କିଛି ବର୍ଷ ପୂର୍ବେ ନାନା ପାଟେକରଙ୍କ ଏକ ଫିଲ୍ମ ଆସିଥିଲା ତା ନାଁ ଥିଲା ‘ଅବ ତକ୍ ଛପନ୍” , ଚଳଚ୍ଚିତ୍ରର ମୁଖ୍ୟ ନାୟକ ଜଣେ ଏନକାଉଣ୍ଟର ସ୍ପେସାଲିଷ୍ଟ । ସେ ମାରିଥିବା ଅପରାଧୀଙ୍କ ସଂଖ୍ୟା ହେଉଛି ୫୬ । ଯାହାକୁ କୁହା ଯାଉଥିଲା  ‘ଅବ ତକ୍ ଛପନ୍” ଅର୍ଥ ସେ ପର୍ଯ୍ୟନ୍ତ ସିଏ ୫୬ ଜଣଙ୍କୁ ଏନକାଉଣ୍ଟର କରିଛନ୍ତି ।

ସମ୍ପୂର୍ଣରୂପେ ସେମିତି ନହେଲେ ମଧ୍ୟ ସେହି ଭଳି ପାକିସ୍ଥାନରେ ଜଣକ ପରେ ଜଣେ ହେଇ ୨୨ ଜଣ ଆତଙ୍କବାଦୀଙ୍କୁ ପାକିସ୍ତାନରେ ହତ୍ୟା କରାଗଲାଣି । ଆତଙ୍କବାଦୀ ମାନଙ୍କ ପାଇଁ ସ୍ଵର୍ଗ କୁହାଯାଉଥିବା ପାକିସ୍ଥାନରେ ପୁଣି  କିଏ କରୁଛି ଭାରତର ଶତ୍ରୁମାନଙ୍କୁ ଏମିତି ହତ୍ୟା  ???

ଗତ ୪ ତାରିଖ ଦିନ ମୁମ୍ବାଇରେ ହୋଇଥିବା ୨୬/୧୧  ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା ର କୁଖ୍ୟାତ ଆତଙ୍କବାଦୀ ସାଜିଦ ମୀରକୁ  ପାକିସ୍ଥାନର ଏକ ଜେଲରେ ବିଷ ଦେଇଥିବାର ଅଭିଯୋଗ ହୋଇଥିଲା । ତାକୁ ବାହାବଲପୁରର ସାମରିକ ଡାକ୍ତରଖାନାକୁ ନିଆଯାଇଥିଲା । ତାର  ଅବସ୍ଥା ଗୁରୁତର ଥିବା କୁହାଯାଉଛି । ବର୍ତ୍ତମାନ ତାର ଅବସ୍ଥା କେମିତି ଅଛି ସେ ବିଷୟରେ କିଛି ଖବର ମିଳିପାରିନାହିଁ । ଏହି ମାମଲାରେ ଜେଲର ଜଣେ ରୋଷେଇଆକୁ ଖୋଜା ଚାଲିଛି ।

ସାଜିଦ ମୀରକୁ ହତ୍ୟା ଉଦ୍ୟମ ଓ ହଞ୍ଜାଲା ଅହମ୍ମଦକୁ ହତ୍ୟା ପ୍ରାୟ ଏକ ସମୟରେ ହେଇଥିବାର ଜଣାପଡିଛି । ପାକିସ୍ଥାନ ସେନାର ଓ ISI ଚାପରେ ଏପରି ଖବର ସବୁକୁ ଯଥାସମ୍ଭବ ଚାପି ଦିଆଯାଉଛି ।

୨୦୧୬ ପମ୍ପୋର ଆତଙ୍କବାଦୀ ଆକ୍ରମଣ ମାଷ୍ଟରମାଇଣ୍ଡ ହଞ୍ଜାଲା ଅହମ୍ମଦକୁ କରାଚିରେ ଗୁଳି କରି ହତ୍ୟା କରାଯାଇଛି ।  । ଏହି ଘଟଣା ତିନି-ଚାରି ଦିନ ପୂର୍ବରୁ ଘଟିଥିଲା ​​କିନ୍ତୁ ଗତକାଲି ଗଣମାଧ୍ୟମରେ ଆସିଥିଲା । ଏହା ପ୍ରଥମ ଘଟଣା ନୁହେଁ। ବିଗତ କିଛିଦିନ ମଧ୍ୟରେ ଆମେ ଦେଖିଛୁ ଯେ ଗୋଟିଏ ପରେ ଗୋଟିଏ, ପ୍ରାୟ ଦୁଇ ଡଜନ ଆତଙ୍କବାଦୀ ବିଭିନ୍ନ ଆକ୍ରମଣରେ ହତ୍ୟାର ଶିକାର ହୋଇଛନ୍ତି । ଗତକାଲି ପାକିସ୍ତାନ, କରାଚିରୁ ଏକ ଚଞ୍ଚଲ୍ୟକାର ଖବର ଆସିଥିଲା । ​​ଯେଉଁଠାରେ କରାଚିରେ ଲଶ୍କର ଆତଙ୍କବାଦୀ ଅଦନନ୍ ଅହମ୍ମଦ ଓରଫ ହଞ୍ଜାଲା ଅହମ୍ମଦଙ୍କୁ ଗୁଳି କରାଯାଇଥିଲା । ଜାମ୍ମୁ କାଶ୍ମୀରରେ ଆଦନନ୍ ବହୁବର୍ଷ  ଧରି ସକ୍ରିୟ ରହିଛି । ସେ ୨୦୧୫ ଓ ୨୦୧୬ ରେ ଉଦ୍ଧାମପୁର ଏବଂ ପାମ୍ପୋରରେ ସୁରକ୍ଷା ବାହିନୀ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି ।

କୌତୁହଳ  ବିଷୟ ହେଉଛି ଯେ ହାନଜାଲା ଅହମ୍ମଦକୁ ଡିସେମ୍ବର ୨ ତାରିଖ ରାତିରେ ଆକ୍ରମଣ କରାଯାଇଥିଲା କିନ୍ତୁ ଗତକାଲି ଏହି ସୂଚନା ଗଣମାଧ୍ୟମକୁ ଆସିଥିଲା । ପାକିସ୍ଥାନୀ ସେନା ଏହି ଖବରକୁ ଲୁଚେଇବାକୁ ବହୁତ ପ୍ରୟାସ କରିଥିଲା । ପୂର୍ବ ପରି, ଏହି ଅପରାଧ କିଏ କରିଛି ତାହା ସ୍ପଷ୍ଟ ହୋଇନାହିଁ । କିଏ ଅଦନନ୍ ଅହମ୍ମଦ ଓରଫ ହଞ୍ଜାଲା ଅହମ୍ମଦର ଜୀବନ ନେଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଚଳିତ ବର୍ଷ ଏପର୍ଯ୍ୟନ୍ତ ପ୍ରାୟ ଦୁଇ ଡଜନ ଆତଙ୍କବାଦୀ ରହସ୍ୟମୟ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ଦାଉଦ ମଲିକ, ସହିଦ ଲତିଫ ଏବଂ ମୁଫତି କାଇସ ଛଡା ଏମାନଙ୍କ ପୂର୍ବରୁ ମୌଲନା କରିମ, ଖ୍ୱାଜା ସହିଦ, ଜାହିଦ ମିଷ୍ଟ୍ରି, ପରମଜିତ୍ ସିଂ ପଞ୍ଜୱାଡ ଏବଂ ମଲ୍ଲିକା ବାରହରାର ଆତଙ୍କବାଦୀମାନେ ଅଜ୍ଞାତ ଆତତାୟୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ।

ଅବ ତକ୍ ୨୨ ଏହା ବ୍ୟତୀତ ଲଶ୍କର ମୁଖ୍ୟ ହାଫିଜ ସଇଦଙ୍କ ଭାଇ ହମିଦ, ଅଲ ବଦର କମାଣ୍ଡର ସୟଦ ଖାଲିଦ, ଲଶ୍କର କମାଣ୍ଡର ଆକ୍ରାମ ଗାଜି, ଲଶ୍କର ଆତଙ୍କବାଦୀ ରେହମାନ ଏବଂ ଜୈସର ଅନ୍ୟ କେତେକ କମାଣ୍ଡରଙ୍କୁ ହତ୍ୟା କରାଯାଇଛି । ଏଭଳି ପରିସ୍ଥିତିରେ କୁହାଯାଉଛି ଯେ ନିକଟ ଅତୀତରେ ଏଭଳି ହତ୍ୟାକାଣ୍ଡ ଯୋଗୁଁ ଭାରତ ବିରୋଧରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅନେକ ଆତଙ୍କବାଦୀ କ୍ରମାଗତ ଭାବରେ ସେମାନଙ୍କ ସ୍ଥାନ ପରିବର୍ତ୍ତନ କରୁଛନ୍ତି । ଏଥିରେ ଦାଉଦ ଇବ୍ରାହିମ, ହାଫିଜ ସଇଦ, ଟାଇଗର ମେମୋନ, ମାସୁଦ ଅଜହର ଏବଂ ସୟଦ ସଲାହୁଦ୍ଦିନ୍ ଭଳି ଆତଙ୍କବାଦୀଙ୍କ ନାମ ଅନ୍ତର୍ଭୁକ୍ତ । ନିକଟରେ ହଞ୍ଜାଲା ଅହମ୍ମଦ ସ୍ଥାନ ପରିବର୍ତ୍ତନ କରିଥିଲା ଏହି ଆକ୍ରମଣରେ ପ୍ରାୟ ଦୁଇ ଡଜନ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି । ଅଜଣା ଆକ୍ରମଣକାରୀଙ୍କ ଟାର୍ଗେଟରେ ଆଉ କିଛି ଆତଙ୍କବାଦୀ ରହିଥିବାର ସମ୍ଭାବନା ରହିଛି । ସେଥିପାଇଁ କୁହାଯାଉଛି ଯେ ଦାଉଦ ଇବ୍ରାହିମ, ହାଫିଜ ସଇଦ ଭଳି ଆତଙ୍କବାଦୀମାନେ ଆଇଏସଆଇ ଅର୍ଥାତ୍ ପାକିସ୍ତାନର ଇଣ୍ଟେଲିଜେନ୍ସ ଏଜେନ୍ସିର ସେଫ ହାଉସରେ ବି ସେଫ ନାହାନ୍ତି । କରାଚିରେ ଅଦନନ୍ ଅହମ୍ମଦ ଛଦ୍ମନାମ ହଞ୍ଜାଲା ଅହମ୍ମଦଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ରାୱଲପିଣ୍ଡିରୁ କରାଚିକୁ ତା ଅପରେସନ୍ ବେସ୍ ସ୍ଥାନାନ୍ତର କରିଥିଲା କିନ୍ତୁ ଏହି ସ୍ଥାନାନ୍ତର ହିଁ ତା ଜୀବନ ନେଇଥିଲା ।

The post ଅବ ତକ୍ ୨୨ first appeared on Kanak News.

from Kanak News
via <a href="https://ifttt.com/?

ଚମକାଇ ଦେଲା ଜାତୀୟ କ୍ରାଇମ ବ୍ୟୁରୋର ରିପୋର୍ଟ । ଦେଶରେ ୧୨ ପ୍ରତିଶତ ବୃଦ୍ଧି ପାଇଛି ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା

କନକ ବ୍ୟୁରୋ : ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋର ଏକ ନୂଆ ତଥ୍ୟ ମୁତାବକ ୨୦୨୧ ତୁଳନାରେ ୨୦୨୨ ରେ ଦେଶରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ୧୨.୫ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୧ ରେ ଦେଶରେ ହୃଦଘାତରେ ୨୮,୪୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ବୃଦ୍ଧିପାଇ ୩୨,୪୫୭ରେ ପହଂଚିଛି । ରିପୋର୍ଟରେ ଏହା ବି ଖୁଲାସା କରାଯାଇଛି କି, କୋଭିଡ ମହାମାରୀ ପରେ ଦେଶରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଲଗାତର ବୃଦ୍ଧି ପାଇବାରେ ଲାଗିଛି । କିଛି ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି କି, କରୋନା ଭୂତାଣୁ କାରଣରୁ ଲୋକଙ୍କର ହାର୍ଟ ଫଙ୍କସନ ଉପରେ ପ୍ରଭାବ ପକାଇଛି । ଗତ ୩ ବର୍ଷ ମଧ୍ୟରେ ଦେଶରେ ହୃଦଘାତ କାରଣରୁ ୫୬,୪୫୦ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକି ଚିନ୍ତାର ବିଷୟ ବୋଲି ଏନସିଆରବି ତାର ରିପୋର୍ଟରେ ପ୍ରକାଶ କରିଛି ।

ହୃଦଘାତକୁ ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ କାରଣ ଦର୍ଶାଉଛନ୍ତି । ସେଗୁଡିକ ମଧ୍ୟରୁ ଖାଦ୍ୟରେ ସର୍ବାଧିକ ସୋଡିୟମ, କମ୍ ବ୍ୟାୟାମ କରିବା, ଅତ୍ୟାଧିକ ଧ୍ରୁମପାନ କରିବା, ମଦ୍ୟପାନ କରିବା ଭଳି କାରଣମାନ ଦର୍ଶା ଯାଇଛି । ବିଶେଷଜ୍ଞଙ୍କ ମତରେ ଉଚ୍ଚ ହିମୋଗ୍ଲୋବିନ ସ୍ତର ମଧ୍ୟ ହୃଦଘାତର ଅନ୍ୟ ଏକ ପ୍ରମୁଖ କାରଣ ।

The post ଚମକାଇ ଦେଲା ଜାତୀୟ କ୍ରାଇମ ବ୍ୟୁରୋର ରିପୋର୍ଟ । ଦେଶରେ ୧୨ ପ୍ରତିଶତ ବୃଦ୍ଧି ପାଇଛି ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା first appeared on Kanak News.

from Kanak News
via <a href="https://ifttt.com/?

ଦୁନିଆର ସବୁଠୁ ଥଣ୍ଡା ସହର । ଏଠାରେ ଟିକିଏ ବି ଭୁଲ ନେଇଯାଇପାରେ ଜୀବନ

କନକ ବ୍ୟୁରୋ : ବିଶ୍ୱର ସବୁଠୁ ଥଣ୍ଡା ସହର । ଯେଉଁଠି ତାପମାତ୍ରା ମାଇନସ୍ ୫୮ଡିଗ୍ରୀକୁ ଖସିଆସିଥାଏ । ଏଠାରେ ଖାଦ୍ୟପଦାର୍ଥ ସବୁକିଛି ପଥର ଭଳି ଟାଣ ହୋଇଯାଇଥାଏ । ଲୋକଙ୍କୁ ଏଠାରେ ଜୀବନ ବଞ୍ଚିବା ପାଇଁ ପ୍ରତି ମୁହୁର୍ତ୍ତରେ ସଂଘର୍ଷ କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା କେଉଁଠି ରହିଛି ଏପରି ସହର ।
ଋଷର ରାଜଧାନୀ ମସ୍କୋଠୁ ୫ହଜାର କିଲୋମିଟର ଦୂରରେ ପୂର୍ବ ଦିଶାରେ ଦୁନିଆର ସବୁଠୁ ଥଣ୍ଡା ସହର ରହିଛି । ଏହି ସହରର ନାଁ ହେଉଛି ୟାକୁତସ୍କ୍ । ଏହା ସାଇବେରିଆର ଜଙ୍ଗଲ ଅଞ୍ଚଳରେ ଆସିଥାଏ । ଡିସେମ୍ବର ଆରମ୍ଭରୁ ଏଠାରେ ପ୍ରବଳ ଥଣ୍ଡା ପଡିବା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ତାପମାତ୍ରା ମାଇନସ୍ ୫୮ଡିଗ୍ରୀ ଟପିଯାଇଛି । ଚାରିଆଡେ ଖାଲି ବରଫ ଆଉ ବରଫ । ଯେଉଁଆଡେ ଦେଖ ଖାଲି କୁହୁଡି । ଏହି ସମୟରେ ଆକାଶ ଦେଖାଯାଇନଥାଏ । ଏଠାକୁ ବୁଲିବା ପାଇଁ ଆସିଥିବା ଜଣେ ପର୍ଯ୍ୟଟକ ଯାହାଙ୍କ ନାଁ ଡନିଲାଙ୍କ କହିବା ଅନୁସାରେ, ଏହି ସହରକୁ ଆସି ଦିନ କାଟିବା ଆଦ୍ୱଂ ସହଜ ନୁହେଁ । କିନ୍ତୁ ଡିସେମ୍ବର ମାସରେ ଏଭଳି ସ୍ଥିତି ଉପୁଜିବ ତାହା ଜଣାନଥିଲା ।

ଡନିଲା କହିଛନ୍ତି, ମୁଁ ପୁରା ପ୍ରସ୍ତତ ହୋଇ ଏଠାକୁ ଆସିଥିଲି । ଯଦି ମୁଁ ଶୀତବସ୍ତ୍ର ନଆଣି ଆସିଥାନ୍ତି ତେବେ ଏଠାରେ ମୋ ମୃତ୍ୟୁ ସୁନିଶ୍ଚିତ ହୋଇଥାନ୍ତା । ଶରୀରର ଟିକିଏ ବି ଖାଲି ସ୍ଥାନରେ ବରଫ ଜମିଯାଉଛି । ଆଖି, ନାକ, କେଶର ବରଫ ଜମିଯାଉଛି । ପୋଷାକ ଉପରେ ବି ବରଫ ଜମି ଯାଉଛି । କେବଳ ଏତିକି ନୁହେଁ, ଡନିଲାଙ୍କ ଫୋନ୍ ବ୍ୟାଟେରୀ ବି ଶୀଘ୍ର ଶୀଘ୍ର ଡିସଚାର୍ଜ ହୋଇଯାଉଛି । ଏଠାରେ ଦିନ କାଟିବା ଅସମ୍ଭବ ହୋଇପଡିଛି । ସାମାନ୍ୟ ଭୁଲ ବି ଜୀବନ ନେଇଯାଇପାରେ ବୋଲି ଡନିଲା କହିଛନ୍ତି ।
ମାଛ ମାର୍କେଟରେ ମାଛ ସବୁ ପଥର ଭଳି ଟାଣ ହୋଇଯାଇଛି । ମାଛ ଖାଇବାକୁ ହେଲେ ଅନେକ ପରିଶ୍ରମ କରିବାକୁ ପଡିଥାଏ । ଏହିକୁ ଘରକୁ ନେଇ ଗରମ ପାଣିରେ ସିଝେଇବାକୁ ପଡିଥାଏ । ମାଶର ଶରୀର ନରମ ଅବସ୍ଥାକୁ ଆସିଲେ ତାକୁ କାଟିକି ପୁଣି ସିଝେଇବାକୁ ପଡିଥାଏ । ଏଠାରେ ପିଇବା ପାଣି ବି ବରଫରେ ପରିଣତ ହୋଇଯାଇଥାଏ । ପାଣି ପିଇବା ପାଇଁ ହେଲେ ବରଫକୁ ଏକ ପାତ୍ରରେ ନେଇ ନିଆଁ ଉପରେ ଗରମ କରିବାକୁ ପଡିଥାଏ । ବରଫ ତରଳିବା ପରେ ତାକୁ ମଣିଷ ପିଇଥାନ୍ତି । ଏଠାରେ ପ୍ରତିଟି ମୁହୁର୍ତ୍ତ ସଂଘର୍ଷର ସହ କଟିଥାଏ ।

The post ଦୁନିଆର ସବୁଠୁ ଥଣ୍ଡା ସହର । ଏଠାରେ ଟିକିଏ ବି ଭୁଲ ନେଇଯାଇପାରେ ଜୀବନ first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦୁଝର, ସୁନ୍ଦରଗଡର ଟ୍ରକ୍ ମାଲିକ ସଂଘର ପ୍ରତିବାଦ । ପରିବହନ ପାଇଁ ଉଚିତ୍ ମୂଲ୍ୟ ମିଳୁନଥିବା ଅଭିଯୋଗ ।

କନକ ବ୍ୟୁରୋ: କେନ୍ଦୁଝର ଓ ସୁନ୍ଦରଗଡର ବିଭିନ୍ନ ଟ୍ରକ୍ ମାଲିକ ସଂଘ ପକ୍ଷରୁ ପ୍ରତିବାଦ । ଏହି ଦୁଇଟି ଜିଲ୍ଲା ଖଣି ଖନନ ପାଇଁ ଜଣାଯାଏ, ଆଉ ଏହା ଉପରେ ନିର୍ଭର କରନ୍ତି ହଜାର ହଜାର ଟ୍ରକ୍ ମାଲିକ । ମାଲ ପରିବହନ କରିବା ଏମାନଙ୍କ ମୁଖ୍ୟ ବ୍ୟବସାୟ । ହେଲେ ଏବେ ସ୍ଲରୀ ପାଇପ ଲାଇନ୍ ଟ୍ରକ୍ ମାଲିକଙ୍କ ଚିନ୍ତା ବଢାଇ ଦେଇଛି । ଏହା ସାଙ୍ଗକୁ ବାହାର ରାଜ୍ୟର ଟ୍ରଲର କମ୍ ମୂଲ୍ୟରେ ଲୁହାପଥର ପରିବହନ ହେଉଥିବାରୁ ଏହାକୁ ନେଇ ପ୍ରତିବାଦକୁ ଓହ୍ଲାଇଛନ୍ତି ଟ୍ରକ୍ ମାଲିକ ସଂଘ । ଠିକ୍ ସମୟରେ ଲୋଡିଂ ମିଳୁନଥିବା ଏବଂ ଲୁହାପଥର ପରିବହନ ପାଇଁ ଉଚିତ୍ ମୂଲ୍ୟ ମିଳୁ ନଥିବା ଅଭିଯୋଗ କରିଛନ୍ତି ଟ୍ରକ୍ ମାଲିକ । ଫଳରେ କିସ୍ତି ଦେବାରେ ବି ସମସ୍ୟା ଉପୁଜୁଛି । ତେବେ ମାଲିକ ସଂଘକୁ ନେଇ ଗଠିତ କୋର କମିଟି ପକ୍ଷରୁ ଆଜି ନିଷ୍ପତି ହୋଇ ଚାରି ଜଣିଆ ଟିମ୍ ଗଠନ କରାଯିବ । ଏହି ପ୍ରସଙ୍ଗରେ ସଂଘ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲ ମଧ୍ୟ ନିଷ୍ପତି ନିଆଯାଇଛି ।

The post କେନ୍ଦୁଝର, ସୁନ୍ଦରଗଡର ଟ୍ରକ୍ ମାଲିକ ସଂଘର ପ୍ରତିବାଦ । ପରିବହନ ପାଇଁ ଉଚିତ୍ ମୂଲ୍ୟ ମିଳୁନଥିବା ଅଭିଯୋଗ । first appeared on Kanak News.

from Kanak News
via <a href="https://ifttt.com/?

ଆଇଟି ରେଡରେ ରାଜନୀତି ରଙ୍ଗ  । ବିଧାୟିକା କୁସୁମ୍ ଟେଟେଙ୍କ ସାଂଘାତିକ ଅଭିଯୋଗ: କହିଲେ, ବିଜେଡି ନେତାଙ୍କ ମା’, ଭାଇଙ୍କ ନାଁରେ ଥିଲା ମଦ ଭାଟି ମାଲିକାନା ।

କନକ ବ୍ୟୁରୋ: ଆଇଟି ରେଡରେ ଲାଗିଲା ରାଜନୀତିର ରଙ୍ଗ । ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି ନେତା । ସୁନ୍ଦରଗଡ, ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ଆଇଟି ରେଡ୍ କରି ୨୦୦ କୋଟି ଜବତ କରିଥିବା ଜଣାପଡିଛି । ବିଡା ବିଡା ନୋଟ ଜବତର ଦୃଶ୍ୟ ଏବେ ସମସ୍ତଙ୍କୁ ଜଳକା କରିଛି । ଏହାରି ଭିତରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଏକ ସାଂଘାତିତ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଯେଉଁ ମଦ କଂପାନୀ ଉପରେ ଆୟକର ଫାଙ୍କି ଥିବା ଅଭିଯୋଗରେ ରେଡ୍ ଚାଲିଛି ତାର ଜମିର ମାଲିକାନା ଯୋଗେଶ ସିଂହଙ୍କ ମା’ ଓ ଭାଇଙ୍କ ନାଁରେ ଥିଲା । ତେଣୁ ଏବେ କଂପାନୀର ମାଲିକାନା କେମିତି ଆଉ ଜଣଙ୍କ ନାଁକୁ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ନିର୍ବାଚନ ବେଳେ ଏଠାରେ ବଢୁଥିବା ମଦ କାରବାରକୁ ବିରୋଧ କରି ସେ ଭୋଟ୍ ମାଗିଥିଲେ ବୋଲି କହିଛନ୍ତି ।

ଜବାବରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ଯୋଗେଶ ସିଂହ କହିଛନ୍ତି, ସେ ବିଧାୟିକା ହେବା ପୂର୍ବରୁ ଦେଶୀ ମଦ ବ୍ୟବସାୟରେ ଲିପ୍ତ ଥିଲେ । ତେବେ ରେଡ୍ ଚାଲିଥିବା ବ୍ୟବସାୟୀଙ୍କ ସହ ପାରିବାରିକ ସମ୍ପର୍କ ଥିବା କଥା ସ୍ୱୀକାର କରିଛନ୍ତି ବିଜେଡି ବିଧାୟକ । ହେଲେ ବ୍ୟବସାୟ ସହ କୌଣସି ସମ୍ପର୍କ ନଥିବା ସେ ସ୍ପଷ୍ଟ କରିଛନ୍ତି ।

The post ଆଇଟି ରେଡରେ ରାଜନୀତି ରଙ୍ଗ  । ବିଧାୟିକା କୁସୁମ୍ ଟେଟେଙ୍କ ସାଂଘାତିକ ଅଭିଯୋଗ: କହିଲେ, ବିଜେଡି ନେତାଙ୍କ ମା’, ଭାଇଙ୍କ ନାଁରେ ଥିଲା ମଦ ଭାଟି ମାଲିକାନା । first appeared on Kanak News.

from Kanak News
via <a href="https://ifttt.com/?

“ମୁଁ ରେବନ୍ତ ରେଡ୍ଡୀ ଇଶ୍ୱରଙ୍କ ନାମରେ ଶପଥ କରୁଛି…” । ତେଲେଙ୍ଗନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ । ୧୧ ମନ୍ତ୍ରୀ ମଧ୍ୟ ନେଲେ ଶପଥ ।

କନକ ବ୍ୟୁରୋ: ତେଲେଙ୍ଗାନାରେ ଆଜିଠୁ ଆରମ୍ଭ ହେଲା ରେବାନ୍ତ ରାଜ୍ । ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ରେବାନ୍ତ ରେଡ୍ଡୀ । ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ତେବେ ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନାର ରାଜ୍ୟପାଳ ରେବନ୍ତଙ୍କୁ ଶପଥ ପାଠ କରାଇଥିବାବେଳେ, ଏହି କାର୍ଯ୍ୟକ୍ରମରେ ମଲ୍ଲିକାର୍ଜୁନଙ୍କ ଖଡଗେଙ୍କ ସମେତ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରୈମୟା, ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସହିତ ତମାମ କଂଗ୍ରେସ ନେତା ଉପସ୍ଥିତ ରହିଥିଲେ ।

ରେବନ୍ତ ରେଡ୍ଡୀ ତେଲେଙ୍ଗାନା ପ୍ରଦେଶ କଂଗ୍ରେସର ସଭାପତି ଥିଲେ । ଆଉ ଏବେ ସେ ରାଜ୍ୟର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ୨୦୧୩ ମସିହାରେ ତେଲେଙ୍ଗାନା ପ୍ରଦେଶ ଗଠନ ହେବା ପରେ ପ୍ରଥମ ଥର ପାଇଁ ଏଠି କଂଗ୍ରେସ ସତ୍ତା ହାସଲ କରିଛି । ଆଉ କେସିଆରଙ୍କ ପରେ ମୁଖ୍ୟମନ୍ତ୍ରୀ ଭାବେ ତେଲେଙ୍ଗାନାର ଦାୟିତ୍ୱ ନେଇଛନ୍ତି ରେବନ୍ତ ରେଡ୍ଡୀ । ଏଥିସହିତ ଭଟ୍ଟି ବିକ୍ରମାର୍କ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରେବନ୍ତ ରେଡ୍ଡୀଙ୍କ ସହିତ ୧୧ ଜଣ ମନ୍ତ୍ରୀ ଆଜି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି ।

https://platform.twitter.com/widgets.js

ସୂଚନାଯୋଗ୍ୟ ଯେ, ଏଥରର ବିଧାନସଭା ନିର୍ବାଚନରେ ତେଲେଙ୍ଗାନାରେ ଜବରଦସ୍ତ ବିଜୟ ହାସଲ କରିଛି କଂଗ୍ରେସ । ମେଟା ୧୧୯ ଆସନରୁ କଂଗ୍ରେସ ୬୪ଟି ସିଟରେ ବିଜୟ ହାସଲ କରିଛି । ସେହିପରି ବିଆରଏସ ୩୯ ସିଟ୍ ଜିତିବାକୁ ସକ୍ଷମ ହେଇଛି, ଏବଂ ବିଜେପି ୮ଟି ସିଟ୍ ଜିତିପାରିଛି । ତେବେ କର୍ଣ୍ଣାଟକ ପରେ ତେଲେଙ୍ଗାନା ହେଉଛି ଦକ୍ଷିଣ ଭାରତର ଦ୍ୱିତୀୟ ରାଜ୍ୟ, ଯେଉଁଠି କଂଗ୍ରେସ ଏକାକି ନିଜ ଶକ୍ତିରେ ସରକାର ଗଠନ କରିପାରିଛି । ଏଥିସହିତ ତାମିଲନାଡୁର ଡିଏମକେ ସରକାର ସହ ମଧ୍ୟ କଂଗ୍ରେସର ମେଣ୍ଟ ରହିଛି ।

ରେବନ୍ତ ରେଡ୍ଡୀଙ୍କ ଜନ୍ମ ୧୯୬୯ ମସିହାରେ ଅବିଭାଜିତ ଆନ୍ଧ୍ରପ୍ରଦେଶର ମହବୁବନଗରରେ ହେଇଥିଲା । ରେଡ୍ଡୀ ଛାତ୍ର ରାଜନୀତିରେ ଏବିଭିପି ସହ ଜଡିତ ଥିଲେ । ଏହାପରେ ସେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟିରେ ସାମିଲ ହେଇଥିଲେ । ୨୦୦୯ରେ ସେ ଆନ୍ଧ୍ରର କୋଡାଙ୍ଗଲ ଆସନରୁ ଟିଡିପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହେଇଥିଲେ । ୨୦୧୪ ମସିହାରେ ତେଲେଙ୍ଗାନା ବିଧାନସଭାରେ ଟିଡିପି ତାଙ୍କୁ ଗୃହର ନେତା ଭାବେ ଚୟନ କରିଥିଲା ।

୨୦୧୭ ମସିହାରେ ରେବନ୍ତ ରେଡ୍ଡୀ କଂଗ୍ରେସରେ ସାମିଲ ହେଇଥିଲେ । ହେଲେ ୨୦୧୮ ମସିହାରେ ସେ ବିଧାନସଭା ନିର୍ବାଚନ ହାରିଯାଇଥିଲେ । ଏହାପରେ ୨୦୧୯ରେ ସେ ଲୋକସଭା ନିର୍ବାଚନ ଲଢିବା ସହିତ ବିଜୟୀ ହେଇଥିଲେ । ଆଉ ୨୦୨୧ରେ ଦଳ ତାଙ୍କୁ ପ୍ରଦେଶ ଅଧ୍ୟକ୍ଷର ଦାୟିତ୍ୱ ଦେଇଥିଲା । ତାଙ୍କରି ନେତୃତ୍ୱରେ ଦଳ ୨୦୨୩ ନିର୍ବାଚନ ଲଢିବା ସହିତ ଏବେ ତେଲେଙ୍ଗାନାର ସତ୍ତା ହାସଲ କରିଛି ।

The post “ମୁଁ ରେବନ୍ତ ରେଡ୍ଡୀ ଇଶ୍ୱରଙ୍କ ନାମରେ ଶପଥ କରୁଛି…” । ତେଲେଙ୍ଗନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ । ୧୧ ମନ୍ତ୍ରୀ ମଧ୍ୟ ନେଲେ ଶପଥ । first appeared on Kanak News.

from Kanak News
via <a href="https://ifttt.com/?

ଯୌତୁକ ଦାବି କରିବାରୁ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା । ୧୫୦ ଭରି ସୁନା, ଜମି, ବିଏମଡବ୍ଲ୍ୟ କାର ଦାବି କରିଥିଲେ ପୁଅ ଘର ଲୋକ ।

କନକ ବ୍ୟୁରୋ: କଥାରେ ଅଛି ଯିଏ ଯେତେ ଧନୀ ତାର ସେତେ ଲୋଭ । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି କେରଳ ଥିରୁବନନ୍ତପୁରମରେ । ସୁହାନା ନାମକ ଜଣେ ମହିଳା ଡାକ୍ତର ଅନ୍ୟ ଜଣେ ଡାକ୍ତରଙ୍କୁ ଭଲ ପାଉଥିଲେ । ଉଭୟ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । କିନ୍ତୁ ପୁଅ ଘର ଲୋକେ ଯୌତୁକ ଆକାରରେ ୧୫୦ ଭରି ଅର୍ଥାତ୍ ଦେଢ କିଲୋ ସୁନା, ଏକ ବିଏମଡବ୍ଲ୍ୟୁ କାର ସହ ୧୫ ଏକର ଜମି ଦେବାକୁ କହିଥିଲେ । କିନ୍ତୁ ଝିଅ ଘର ଲୋକେ ୫୦ ଭରି ସୁନା, ବିଏମଡବ୍ଲ୍ୟୁ କାର ସହ ୫୦ ଲକ୍ଷ ଟଙ୍କାର ଜମି ଦେବାକୁ ରାଜିଥିଲେ । କିନ୍ତୁ ପୁଅ ଘର ଲୋକେ ଏଥିରେ ସନ୍ତୁଷ୍ଟ ନଥିଲେ । ତେଣୁ ସେମାନେ ବିବାହ ଭାଙ୍ଗି ଦେଇଥିଲେ । ବିବାହ ଭାଙ୍ଗିଯିବା ପରେ ୨୬ ବର୍ଷିୟ ମହିଳା ଡାକ୍ତର ଡିପ୍ରେସନକୁ ଚାଲିଯାଇଥିଲେ । ଆଉ ଶେଷରେ ଆନେସ୍ଥେଟିକ ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି । ସୁହାନା ଏବେ ସର୍ଜରୀ ବିଭାଗରେ ପିଜି ପାଠ ପଢୁଛନ୍ତି । ତାଙ୍କର ମୃତ୍ୟୁ ପରେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମେଡିକାଲ କଲେଜ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

The post ଯୌତୁକ ଦାବି କରିବାରୁ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା । ୧୫୦ ଭରି ସୁନା, ଜମି, ବିଏମଡବ୍ଲ୍ୟ କାର ଦାବି କରିଥିଲେ ପୁଅ ଘର ଲୋକ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started