କନକ ବ୍ୟୁରୋ: ରାଜସ୍ଥାନରେ ଏଥର ପୁଣି କମବ୍ୟାକ୍ କରୁଛି ବିଜେପି । କଂଗ୍ରେସକୁ ହଟେଇ ପୁଣିଥରେ ମରୁଭୂମି ରାଜ୍ୟ ଫୁଟୁଛି ପଦ୍ମ । ବର୍ତ୍ତମାନ ସୁଦ୍ଧା ୧୯୯ ଆସନରୁ ବିଜେପି ୧୧୩ ଆସନରେ ଆଗୁଆ ଥିବାବେଳେ, କଂଗ୍ରେସ କେବଳ ୭୧ ଆସନରେ ଆଗୁଆ ରହିପାରିଛି । ତେଣୁ ଗେହଲଟ ସରକାରକୁ ଝଟକା ଦେଇ ଏଠାରେ ବିଜେପି ପୁଣିଥରେ ସରକାର ଗଢୁଥିବା ଏକପ୍ରକାର ସ୍ପଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ହେଲେ ଏସବୁ ଭିତରେ ରାଜସ୍ଥାନରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ? ବସୁନ୍ଧରା ରାଜେ ନୁହେଁ ତ ଆଉ କିଏ? ପ୍ରଶ୍ନ ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି ।
ଏଥର ନିର୍ବାଚନରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ମୈଦାନକୁ ଓହ୍ଲାଇଥିଲା ବିଜେପି । ଏପରିକି ବସୁନ୍ଧରା ରାଜେଙ୍କୁ ସାମ୍ନାକୁ ଆଣିବାକୁ ମଧ୍ୟ ବିଜେପି ଉଚିତ୍ ମଣିନଥିଲା । ତେଣୁ ରାଜସ୍ଥାନରେ ଯଦି ବିଜେପି ବହୁମତ ହାସଲ କରେ, ତେବେ କିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଚର୍ଚ୍ଚା ବଢିଛି । ତେବେ କିଛି ନୂଆ ଚେହେରା ଏଥର ମୁଖ୍ୟମନ୍ତ୍ରୀ ରେସରେ ରହିଛି । ତା ସହିତ କିଛି ଅଭିଜ୍ଞ ନେତା ମଧ୍ୟ ରାଜସ୍ଥାନର ମଙ୍ଗ ଧରିବାକୁ ଆଗ୍ରହୀ ଥିବା ଜଣାପଡିଛି ।
ବାଲକନାଥ
ରାଜସ୍ଥାନରେ ଯଦି ବିଜେପି ୟୁପି ଫର୍ମୁଲା ଲାଗୁ କରେ, ତେବେ ବସୁନ୍ଧରାଙ୍କ ପରେ ଜଣେ ହିଁ ଚେହେରା ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିବେ । ସେ ହେଉଛନ୍ତି ତିଜାରା ବିଧାନସଭା ସିଟରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ବାଲକନାଥ । ସେ ପୂର୍ବରୁ ଦଳର ସାଂସଦ ରହିବା ସହିତ ବସୁନ୍ଧରାଙ୍କ ପରେ ଦଳର ଜଣେ ଲୋକପ୍ରିୟ ଚେହେରା । ତେଣୁ ଯୋଗୀ ଆଦିତ୍ୟନାଥଙ୍କ ପରି ତାଙ୍କୁ ସାମ୍ନାକୁ ଆଣିପାରେ ଭାରତୀୟ ଜନତା ପାର୍ଟି । ତେବେ ବାଲକନାଥ ମଧ୍ୟ ସେହି ନାଥ ସମ୍ପ୍ରଦାୟରୁ ଆସନ୍ତି, ଯେଉଁ ନାଥ ସମ୍ପ୍ରଦାୟରୁ ଯୋଗୀ ଆଦିତ୍ୟନାଥ ଆସିଛନ୍ତି । ବର୍ତମାନ ବାଲକନାଥ ରୋହତକର ବାବା ମସ୍ତନାଥ ମଠର ମହନ୍ତ ରହିଛନ୍ତି ।
ଦୀୟା କୁମାରୀ
ଜୟପୁର ରାଜପରିବରାର ଦୀୟା କୁମାରୀଙ୍କୁ ବସୁନ୍ଧରା ରାଜେ ସିନ୍ଧିଆଙ୍କ ବିକଳ୍ପ ବୋଲି କୁହାଯାଉଛି । ଦୀୟା କୁମାରୀ ଦଳର ସାଂସଦ ରହିସାରିଥିବାବେଳେ, ଏଥର ବିଧାନସଭା ନିର୍ବାଚନ ଲଢୁଛନ୍ତି । ଜୟପୁରର ବିଦ୍ୟାଧରନଗର ସିଟରୁ ସେ ଏଥର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତେଣୁ ଯଦି ବସୁନ୍ଧରା କିମ୍ବା ବାଲକନାଥଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଆସନରେ ନବସାଏ, ତେବେ ଦୀୟା କୁମାରୀଙ୍କୁ ହିଁ ଦଳ ମୁଖ୍ୟମନ୍ତ୍ରୀ କରିପାରେ ବୋଲି ରାଜନୈତିକ ପଣ୍ଡିତାମାନେ ଅନୁମାନ କରୁଛନ୍ତି ।
ସିପି ଜୋଶୀ
ଏହି ଦୁଇ ଜଣଙ୍କ ବ୍ୟତୀତ ରାଜସ୍ଥାନ ବିଜେପି ଅଧ୍ୟକ୍ଷ ସିପି ଜୋଶୀ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ସାମିଲ ଅଛନ୍ତି । ସିପି ଜୋଶୀଙ୍କ ନେତୃତ୍ୱରେ ହିଁ ଏଥର ମୈଦାନକୁ ଓହ୍ଲାଇଥିଲା ରାଜସ୍ଥାନ ବିଜେପି । ତେବେ ନିର୍ବାଚନ ଲଢିବା ପୂର୍ବରୁ ସେ ଦଳର ସାଂସଦ ମଧ୍ୟ ରହିଥିଲେ । ଦଳ ତାଙ୍କୁ ପ୍ରଦେଶ ଅଧ୍ୟକ୍ଷ ଦାୟିତ୍ୱ ଦେବା ପରେ ତାଙ୍କ ନେତୃତ୍ୱରେ ଦଳ ଆଗକୁ ବଢିଥିଲା । ତେଣୁ ଏ ସଫଳତା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
ଏହାବାଦ୍ ଗଜେନ୍ଦ୍ର ସିଂହ ଶେଖାୱତ, ଭୂପେନ୍ଦ୍ର ଚୌଧୁରୀଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ସାମିଲ ଅଛି । ଏହାସହିତ ଅର୍ଜୁନରାମ ମେଘବାଲ, ସୁନୀଲ ବଂଶଲଙ୍କ ଭଳି ନେତାଙ୍କୁ ମଧ୍ୟ ସତ୍ତା ସମ୍ଭାଳିବାକୁ ଜୟପୁର ପଠାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
The post ରାଜସ୍ଥାନରେ ବସୁନ୍ଧରା ରାଜେ ନୁହେଁ ତ ଆଉ କିଏ? କିଏ ହେବ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ? ବାଲକନାଥଙ୍କ ନାଁକୁ ନେଇ ବଢିଲା ଚର୍ଚ୍ଚା… first appeared on Kanak News.
from Kanak News
via <a href="https://ifttt.com/?