ଆଇପିଏଲର ୧୭ତମ ସଂସ୍କରଣ ପାଇଁ ହେବ ମିନି ନିଲାମ । ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରୁଥିବା ନେଇ ଚର୍ଚ୍ଚା

କନକ ବ୍ୟୁରୋ: ଡିସେମ୍ବର ୧୯ରେ ଆଇପିଏଲର ୧୭ତମ ସଂସ୍କରଣ ପାଇଁ ଦୁବାଇରେ ଅନୁଷ୍ଠିତ ହେବ ମିନି ନିଲାମ । ସମସ୍ତ ୧୦ଟି ଯାକ ଫ୍ରାଞ୍ଚାଇଜି ବଛା ବଛା ଖେଳାଳିଙ୍କୁ ରିଟେନ ରଖିବା ସହିତ ଅନ୍ୟ ମାନଙ୍କୁ ନିଲାମ ପାଇଁ ବାଦ୍ ଦେବାକୁ ତାଲିକା ପ୍ରସ୍ତୁତ ଆରମ୍ଭ କରିଛନ୍ତି । ଏସବୁ ମଧ୍ୟରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨ବର୍ଷ ପରେ ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରୁଥିବା ଚର୍ଚ୍ଚା ହେଉଛି ।

୨୦୨୨ରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସରେ ଯୋଗ ଦେଇଥିବା ବେଳେ ଦଳକୁ ଚାମ୍ପିୟାନ କରାଇଥିଲେ । ଗତ ଦୁଇଟି ଯାକ ସିଜିନରେ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସ ଦମଦାର ପ୍ରଦର୍ଶନ କରିବା ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା । ପ୍ରାଞ୍ଚାଇଜି ମାନଙ୍କ ମଧ୍ୟରେ ଖେଳାଳି ବଦଳ ପ୍ରକ୍ରିୟାରେ ପାଣ୍ଡ୍ୟା ନିଜର ପୁରୁଣା ଦଳକୁ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରୁଛନ୍ତିି । ଏ ବାବଦକୁ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟନ୍ସକୁ ୧୫କୋଟି ଟଙ୍କା ସହ ଟ୍ରାନ୍ସଫର ଫି ମଧ୍ୟ ଦେବ ବୋଲି କୁହାଯାଉଛି । କେବଳ ହାର୍ଦ୍ଦିକ ପାଣ୍ଡ୍ୟା ନୁହେଁ ରୋହିତ ଶର୍ମା, ଇଷାନ କିଷାନଙ୍କୁ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଅନ୍ୟ ଦଳ ସହ ବଦଳ କରିପାରେ ବୋଲି ଚର୍ଚ୍ଚା ହେଉଛି । ଖେଳାଳି ଅଦଳବଦଳ ପ୍ରକ୍ରିୟାର ଶେଷ ତାରିଖ ନଭେମ୍ବର ୨୬ ରହିଥିବା ବେଳେ ଆସନ୍ତାକାଲି ସୁଦ୍ଧା ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ।

ବିଶ୍ୱକପ ପରେ ଆସନ୍ତା ଡିସେମ୍ବର ୧୯ରେ ଦୁବାଇରେ ଆଇପିଏଲର ୧୭ତମ ସଂସ୍କରଣ ପାଇଁ ଅନୁଷ୍ଠିତ ହେବ ନିଲାମ ପ୍ରକ୍ରିୟା, ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ସମେତ ଅନେକ ଷ୍ଟାର ଖେଳାଳି ଆଗାମୀ ସିଜନରେ ଅନ୍ୟ ଦଳରେ ନଜର ଆସିପାରନ୍ତି ।

  • ନିଲାମ ପ୍ରକ୍ରିୟାରେ ଫୋକସରେ ରହିବେ ନବାଗତ
  • ରାଚିନ ରବିନ୍ଦ୍ରଙ୍କ ବଢିପାରେ ଡିମାଣ୍ଡ

ନିଲାମ ପ୍ରକ୍ରିୟାରେ ବିଶ୍ୱକପ ପ୍ରର୍ଦଶନକୁ ନେଇ କିଛି ଚେହେରାକୁ ବିଶେଷ ନଜରରେ ରଖିପାରନ୍ତି ୧୦ଟି ଯାକ ଫ୍ରାଞ୍ଚାଇଜି । ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ, ଟ୍ରେଭିସ୍ ହେଡ୍ ନ୍ୟୁଜିଲାଣ୍ଡ ଓପନର ରାଚିନ ରବୀନ୍ଦ୍ର, ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଗେରାଲ୍ଡ କୋଏଜିଙ୍କ ବେଶ ଡିମାଣ୍ଡ ରହିବ ବୋଲି ଆଶା ରହିଛି । ଗତ ସିଜିନରେ ଅଧିକ ଦାମରେ ବିକ୍ରି ହୋଇଥିବା କିଛି ଖେଳାଳି ଆଗାମୀ ସିଜିନରେ ବାଦ ପଡିପାରନ୍ତି । ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ, ବିସ୍ମୟ ହ୍ୟାରି କ୍ରୁକ୍, ସାମ କୁରାନ, ଜୋଫ୍ରା ଆର୍ଚର, ଆନରିଚ ନର୍ଜ, ହର୍ଷେଲ ପଟେଲଙ୍କ ଭଳି ଭଳି ଖେଳାଳିଙ୍କୁ ଫ୍ରାଞ୍ଚାଇଜି ମାନେ ବାଦ ଦେବା ନେଇ ଚର୍ଚ୍ଚା ହେଉଛି ।

ନିଲାମରେ ପ୍ୟାଟ୍ କମିନ୍ସ, ଟ୍ରେଭିସ୍ ହେଡ, ରାଚିନ ରବୀନ୍ଦ, ଗେରାଲ୍ଡ କୋଏଜିଙ୍କୁ ନେଇ ଫ୍ରାଞ୍ଚାଇଜି ମାନଙ୍କ ମଧ୍ୟରେ ଦେଖିବାକୁ ମିଳିପାରେ ଟକ୍କର । ସେହିପରି ବେନ ଷ୍ଟୋକ୍ସ, ସାମ କୁରାନଙ୍କ ଭଳି ଖେଳାଳିଙ୍କୁ ଆଗାମୀ ସିଜିନରେ ପଡିପାରନ୍ତି ବାଦ ।

୨୦୨୪ ମାର୍ଚ୍ଚ ମାସରେ ଆଇପିଏଲର ୧୭ତମ ସଂସ୍କରଣ ଅନୁଷ୍ଠିତ ହେବ । ସାଧାରଣ ନିର୍ବାଚନ କାରଣରୁ ବିଦେଶରେ ଖେଳାଯାଇପାରେ ଫଟାଫଟ କ୍ରିକେଟ । ଅସନ୍ତା ବର୍ଷ ଜୁଲାଇରେ ଟି-୨୦ ବିଶ୍ୱକପ ଖେଳାଯିବାକୁ ଥିବା ବେଳେ ଆଇପିଏଲ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।

The post ଆଇପିଏଲର ୧୭ତମ ସଂସ୍କରଣ ପାଇଁ ହେବ ମିନି ନିଲାମ । ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରୁଥିବା ନେଇ ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

ଯୁଦ୍ଧ ବିରତି ଚୁକ୍ତି ସଫଳ! ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡୁଛି ହମାସ । ପାଲେଷ୍ଟାଇନ ପଣବନ୍ଦୀଙ୍କୁ ମୁକ୍ତ କରୁଛି ଇସ୍ରାଏଲ

କନକ ବ୍ୟୁରୋ: ଦୁଇ ଦିନ ପୂର୍ବରୁ ହମାସ-ଇସ୍ରାଏଲ ମଧ୍ୟରେ ଯେଉଁ ବୁଝାମଣା ଚୁକ୍ତି ହୋଇଥିଲ କ୍ରମଶ ତାହା ସଫଳ ହେଉଛି । ଶୁକ୍ରବାର ପ୍ରଥମ ପଯ୍ୟାୟରେ ୨୪ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବା ପରେ ଶନିବାର ୨ୟ ପର୍ଯ୍ୟାୟରେ ଆଉ କିଛି ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ । ଏମାନଙ୍କ ମଧ୍ୟରେ ୧୩ଜଣ ଇସ୍ରାଏଲ, ୧୦ଜଣ ଥାଇଲ୍ୟାଣ୍ଡ ଓ ଜଣେ ଫଲିିଫିନୋ ନାଗରିକ ରହିଛନ୍ତି । ଶନିବାର ଆଉ ୧୩ଜଣ ପଣବନ୍ଦୀଙ୍କୁ ମୁକ୍ତ କରିପାରେ ହମାସ । ବାକି ଥିବା ଆଉ ୧୨ଜଣ ପଣବନ୍ଦୀଙ୍କୁ ରବିବାର ମକ୍ତ କରିବା ନେଇ ହମାସ ପକ୍ଷରୁ କୁହାଯାଇଛି ।

୪ ଦିନର ଯୁଦ୍ଧ ବିରତି ପାଇଁ ହମାସ-ଇସ୍ରାଏଲ ପକ୍ଷରୁ ଚୁକ୍ତି ହୋଇଛି । କତାର ଏହାର ମଧ୍ୟସ୍ତତା କରିଛି । ପଣବନ୍ଦୀଙ୍କୁ ଛାଡିବା ବଦଳରେ ୪ଦିନ ପାଇଁ ଯୁଦ୍ଧରେ ଲାଗିଛି ବିରାମ । ତେବେ ଚୁକ୍ତି ଅନୁଯାୟୀ ଯେତେଜଣ ପାଲେଷ୍ଟାଇନ ନାଗରିକଙ୍କୁ ଇସ୍ରାଏଲ ବନ୍ଧକ ରଖିଛି ସେମାନଙ୍କୁ ମଧ୍ୟ ମୁକ୍ତ କରାଯିବ । ୩୫୦ଜଣ ପାଲେଷ୍ଟାଇନ ନାଗରିକଙ୍କ ମଧ୍ୟରୁ ଶନିବାର ୪୨ଜଣ ପାଲେଷ୍ଟେନୀୟଙ୍କୁ ମୁକ୍ତ କରିଛି ଇସ୍ରାଏଲ ।

ଯୁଦ୍ଧ ବିରତି ଭିତରେ ଉଭୟ ପଟୁ ପଣବନ୍ଦୀଙ୍କ ମୁକ୍ତ କରାଯାଉଛି । ଏହା ଉପରେ ପ୍ରତିକ୍ରିୟା ରଖିଛି ଆମେରିକା । ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଚାପ ଯୋଗୁଁ ମୁଣ୍ଡ ନୁଅାଁଇଛି ହମାସ । ଆଉ କିଛି ଯୁଦ୍ଧ ବିରତି ଅବଧି ବୃଦ୍ଧି ପାଇଁ ଚେଷ୍ଟା କରାଯିବା ଉଚିତ୍ ।

ଯୁଦ୍ଧକୁ ନେଇ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି । ଅନ୍ୟପଟେ ଶିବସେନା ଉଦ୍ଧବ ଗୋଷ୍ଠୀ ସାଂସଦଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ବିବାଦ ସୃଷ୍ଟି କରିଛି । ସଂଜୟ ରାଉତ ସ୍ପେଶ ଏକ୍ସରେ ଇସ୍ରାଏଲକୁ ଇଙ୍ଗିତ କରି ହିଟଲର ଲେଖିଥିଲେ । ଏନେଇ ଭାରତ ସରକାରଙ୍କୁ ଚିଠି ଲେଖି ବିରୋଧ ପ୍ରକାଶ କରିଛି ଇସ୍ରାଏଲ ହାଇ କମିଶନ । ସୂଚନାଯୋଗ୍ୟ ଯେ, ୪୯ ଦିନରେ ପହଞ୍ଚିଛି ଯୁଦ୍ଧ । ଉଭୟ ପଟୁ ହଜାର ସଂଖ୍ୟକ ଲୋକଙ୍କ ପ୍ରାଣହାନି ସହ ବେହିସାବ କ୍ଷୟକ୍ଷତି ହେଉଛି । ଏହା ଭିତରେ ୪ଦିନର ଯୁଦ୍ଧ ବିରତି ପରେ ଇସ୍ରାଏଲ ଆଗାମୀ ଆଭିମୁଖ୍ୟ କ’ଣ ରହିବ ଏହା ଉପରେ ସାରା ବିଶ୍ୱର ନଜର ରହିଛି ।

The post ଯୁଦ୍ଧ ବିରତି ଚୁକ୍ତି ସଫଳ! ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡୁଛି ହମାସ । ପାଲେଷ୍ଟାଇନ ପଣବନ୍ଦୀଙ୍କୁ ମୁକ୍ତ କରୁଛି ଇସ୍ରାଏଲ first appeared on Kanak News.

from Kanak News
via <a href="https://ifttt.com/?

ମହାରାଷ୍ଟ୍ର ପୁଣେରେ ଲୋମଟାଙ୍କୁରା ହତ୍ୟାକାଣ୍ଡ । ସ୍ୱାମୀକୁ ମୁଥା ମାରି ହତ୍ୟାକଲା ସ୍ତ୍ରୀ । ଜନ୍ମଦିନରେ ଦୁବାଇ ବୁଲାଇ ନନେବାରୁ ହତ୍ୟା ହୋଇଥିବା ଅଭିଯୋଗ

କନକ ବ୍ୟୁରୋ: ମହାରାଷ୍ଟ୍ର ପୁଣେରୁ ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ଆସିଛି ଯାହା ସଭିଁଙ୍କୁ ସ୍ତବ୍ଧ କରି ଦେଇଛି । ଜଣେ ପତ୍ନୀ ନିଜ ସ୍ୱାମୀକୁ ମୁଥା ମାରି ହତ୍ୟା କରିଛି । ଆଉ ହତ୍ୟାକାଣ୍ଡ ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜନ୍ମଦିନରେ ଦୁବାଇ ବୁଲାଇ ନନେବାରୁ ସ୍ୱାମୀଙ୍କ ସହ ପ୍ରଥମେ ଝଗଡା ପରେ ତାଙ୍କୁ ମୁଥା ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଏଭଳି କିଛି ଭୟଙ୍କର ଆଉ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ମହାରାଷ୍ଟ୍ରର ପୁଣେରେ । ପୁଣେର ୱାନିବାଡି ଅଂଚଳରେ ଜଣେ ସ୍ତ୍ରୀ ରାଗରେ ଆସି ନିଜ ସ୍ୱାମୀକୁ କରିଛି ହତ୍ୟା । ବଡ କଥା ହେଉଛି ସ୍ୱାମୀ ମୁହଁକୁ ମୁଥା ଉପରେ ମୁଥା ମାରି ହତ୍ୟା କରିଛି ସ୍ତ୍ରୀ । ଯାହା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

  • ୨୪ ନଭେମ୍ବର, ଶୁକ୍ରବାର
  • ସ୍ଥାନ- ଗଙ୍ଗା ସାଟେଲାଇଟ୍, ୱାନିୱାଡ଼ି, ପୁଣେ
  • ସମୟ – ରାତି ପାଖାପାଖି ୯ଟା

ହଠାତ୍ ନିଖିଲଙ୍କ ବାପା ଡାକ୍ତର ପୁଷ୍ପରାଜ ଖନ୍ନାଙ୍କୁ ବୋହୂ ରେଣୁକାର ଫୋନ୍ ଆସେ । ରେଣୁକା ଫୋନରେ ନିଜ ଶ୍ୱଶୁରଙ୍କୁ କୁହନ୍ତି, ପାପା, ଜଲଦି ଆମ ଘରକୁ ଆସ । ନିଖିଲ ଓ ମୋ ଭିତରେ ଝଗଡା ହୋଇଛି ଆପଣ ଶୀଘ୍ର ଆସନ୍ତୁ । ବୋହୂର କଥା ଶୁଣି ତୁରନ୍ତ ଗଙ୍ଗା ସାଟେଲାଇଟ୍ ଅଭିମୁଖେ ବାହାରି ପଡନ୍ତି ଡାକ୍ତର ପୁଷ୍ପରାଜ । ଏ ଭିତରେ ରେଣୁକା ପୁଣି ଫୋନ୍ କରେ ଆଉ କୁହେ, ଜଲଦି ଆସନ୍ତୁ ପାପା । ଡାକ୍ତର ପୁଷ୍ପରାଜ ଯେତେବେଳେ ନିଖିଲ ଓ ରେଣୁକାଙ୍କ ଫ୍ଲାଟରେ ପହଁଚନ୍ତି ସେଠାରେ ଦେଖନ୍ତି…

  • ନିଖିଲ ଅଚେତ ଅବସ୍ଥାରେ ତଳେ ପଡି ରହିଛି
  • ନିଖିଲଙ୍କ ନାକ ପାଟିରୁ ପ୍ରବଳ ରକ୍ତସ୍ରାବ ହେଉଛି
  • ପୁଷ୍ପରାଜ ଡାକ୍ତର ହୋଇଥିବାରୁ ପୁଅକୁ ତୁରନ୍ତ ସିପିଆର ଦେବାକୁ ଲାଗନ୍ତି

ନିଖିଳ-ରେଣୁକାଙ୍କ ଫ୍ଲାଟରେ ଡାକ୍ତର ପୁଷ୍ପରାଜ ପହଁଚିବା ବେଳକୁ ସବୁକିଛି ସରି ଯାଇଥିଲା । ନିଖିଲ ଚେତାଶୂନ୍ୟ ଥିଲେ । ମାତ୍ର ତାଙ୍କୁ ପ୍ରାଥମିକ ଚିକିତ୍ସା ଦେବାବେଳେ ପୁଷ୍ପରାଜ ଜାଣି ସାରିଥିଲେ, ନିଖିଲ ଆଉ ଜୀବିତ ନାହାଁନ୍ତି ।

  • ସବୁବେଳେ ନିଖିଲଙ୍କ ସହ ଝଗଡ଼ା କରୁଥିଲେ ରେଣୁକା
  • ଜନ୍ମଦିନ ଓ ବିବାହ ବାର୍ଷିକିରେ ଉପହାର ନଦେବାକୁ ନେଇ ଥିଲେ କ୍ଷୁବ୍ଧ

ନିଖିଲଙ୍କ ମୃତ୍ୟୁ ପରେ ତୁରନ୍ତ ୱାନାବାଡି ଥାନାରେ ଅଭିଯୋଗ କରିଥିଲେ ନିଖିଲଙ୍କ ବାପା ପୁଷ୍ପରାଜ ଖନ୍ନା । ଅଭିଯୋଗ କ୍ରମେ ପୋଲିସ ମଧ୍ୟ ରେଣୁକାଙ୍କୁ ଗିରଫ କରି ତଦନ୍ତ କରିବା ଆରମ୍ଭ କରିଛି । ଏ ଭିତରେ ରେଣୁକାଙ୍କୁ ନେଇ ଚକିତ କଲା ଭଳି ତଥ୍ୟ ପୋଲିସକୁ ଦେଇଛନ୍ତି ଶ୍ୱଶୁର ପୁଷ୍ପରାଜ । ତାଙ୍କ ଅଭିଯୋଗ ଅନୁସାରେ….

  • ନିଖିଲ ଓ ରେଣୁକା ୨୦୧୭ ମସିହାରେ ପ୍ରେମ ବିବାହ କରିଥିଲେ
  • ରେଣୁକା, ନିଖିଲଙ୍କ ଠାରୁ ବୟସରେ ୨ ବର୍ଷ ବଡ଼ ଥିଲେ
  • ବିବାହ ପରେ ଦୁହିଁଙ୍କ ଭିତରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା
  • ଛୋଟ ଛୋଟ କଥାରେ ରାଗି ଯାଉଥିଲେ ରେଣୁକା ଓ ନିଖିଲଙ୍କୁ ଦୁର୍ବ୍ୟବହାର କରୁଥିଲେ
  • ଘରେ କାମ କରୁଥିବା ଚାକର, ଚାକରାଣୀଙ୍କୁ ବି ଦୁର୍ବ୍ୟବହାର କରନ୍ତି ରେଣୁକା
  • ସ୍ୱାମୀ, ସ୍ତ୍ରୀଙ୍କ ଝଗଡ଼ା ପାଇଁ ପରିବାରଠାରୁ ଦୁରରେ ଗଙ୍ଗା ସାଟେଲାଇଟ୍ରେ ଆପାର୍ଟମେଂଟ୍ରେ ରହୁଥିଲେ
  • ସେପ୍ଟେମ୍ବର ୧୮ରେ ରେଣୁକାଙ୍କ ଜନ୍ମଦିନ ଥିଲା,
  • ଜନ୍ମଦିନ ସେଲିବ୍ରେସନ୍ ପାଇଁ ଦୁବାଇ ଯିବାକୁ ଜିଦ୍ କରିଥିଲେ ରେଣୁକା
  • ଯାହାକୁ ଗୁରୁତ୍ୱ ଦେଇ ନଥିଲେ ନିଖିଲ
  • ଗତ ନଭେମ୍ବର ୫ ତାରିଖରେ ଉଭୟଙ୍କ ବିବାହ ବାର୍ଷିକି ଥିଲା
  • ଏଥିରେ ବି ରେଣୁକାଙ୍କୁ କିଛି ଉପହାର ଦେଇ ନଥିଲେ ନିଖିଲ

ଶୁକ୍ରବାର ରାତିରେ ପୁରୁଣା କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ପୁଣି ହୋଇଥିଲା । ଆଉ ଏଥିରେ ଏତେ ରାଗିଯାଇଥିଲେ ରେଣୁକା ଯେ, ନିଜ ହିତାହିତ ଜ୍ଞାନ ଭୁଲି ଯାଇଥିଲେ । ଆଉ ମୁଥା ମାରି ସ୍ୱାମୀ ନିଖିଲଙ୍କୁ ହତ୍ୟା କରିଥିଲେ ।

ପୋଲିସ ଘଟଣାର ତଦନ୍ତ କରୁଛି । ରେଣୁକା ହାତରେ ମୁଥା ମାରିଛନ୍ତି କି କୌଣସି ବସ୍ତୁରେ ତାହାର ବି ତଦନ୍ତ କରାଯାଉଛି । ତେବେ ରାଗରେ ଆସି ସ୍ୱାମୀଙ୍କୁ ମାରିଥିବା କଥା ପୋଲିସ କଷ୍ଟଡିରେ ସ୍ୱିକାର କରିଛନ୍ତି ରେଣୁକା । କ୍ଷଣିକ ରାଗ ପାଇଁ ସ୍ୱାମୀଙ୍କ ମୃତ୍ୟୁ ଆଉ ଏଥିପାଇଁ ଜେଲ ଯିବାକୁ ପଡିଛି ରେଣୁକାଙ୍କୁ ।

The post ମହାରାଷ୍ଟ୍ର ପୁଣେରେ ଲୋମଟାଙ୍କୁରା ହତ୍ୟାକାଣ୍ଡ । ସ୍ୱାମୀକୁ ମୁଥା ମାରି ହତ୍ୟାକଲା ସ୍ତ୍ରୀ । ଜନ୍ମଦିନରେ ଦୁବାଇ ବୁଲାଇ ନନେବାରୁ ହତ୍ୟା ହୋଇଥିବା ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ଟନେଲ ଟ୍ରାଜେଡି: ବାଧା ଭିତରେ ବି କମିନି ଜୋସ୍, ମଉଳିନି ମନୋବଳ । ଥକି ନାହାନ୍ତି ଉଦ୍ଧାରକାରୀ ଦଳ । ସେମାନେ ଜିତିବେ, ଜୀବନ ଜିତିବ…

କନକ ବ୍ୟୁରୋ: ଦିନ ପରେ ଦିନ ବିତୁଛି । ଘଣ୍ଟା କଣ୍ଟାର ଟିକ୍ ଟିକ୍ ଶବ୍ଦ ସହ ତାଳ ଦେଇ ସମୟ ଗଡିଚାଲିଛି ଆଉ କ୍ୟାଲେଣ୍ଡରର ତାରିଖ ବି ତା ହିସାବରେ ବଦଳି ଚାଲିଛି । କିନ୍ତୁ ଯାହା ବଦଳୁନି ତାହା ହେଉଛି ସୁଡଙ୍ଗ ଭିତରର ସ୍ଥିତି । ଅନେକ ଉଦ୍ୟମ ହେଉଛି, ଅପରେସନ ‘ଟନେଲ’ ଚାଲିଛି, ଜୀବନ ପାଇଁ ଜିଜାନ୍ ଲଗାଇ ଦିଆହୋଇଛି । ହେଲେ ପରିସ୍ଥିତି ସୁଧୁରିବାର ନାଁ ହିଁ ନେଉନି । ସବୁଦିନ ସକାଳେ ନୂଆ ଜୋସ୍ ନୂଆ ଉତ୍ସାହ ନେଇ ଅପରେସନ ଆରମ୍ଭ ହେଉଛି କିନ୍ତୁ ସଞ୍ଜକୁ ସେ ଆଶା ମଉଳିଯାଉଛି । ବାରମ୍ବାର ସମସ୍ୟା ସାମ୍ନାରେ ଅସୁଥିବାରୁ ଉଦ୍ଧାରର ଆଶା ଧିରେଧିରେ ଲମ୍ବି ଲମ୍ବି ଯାଉଛି । ଆଉ ଅନ୍ଧାରୀ ଜୀବନରୁ ମୁକ୍ତି ପାଇ ଆଲୋକ ଦେଖିବାର ସେ ସମୟ ଉପନୀତ ହେବା ସମ୍ଭବ ହେଉନି । କିନ୍ତୁ ତଥାପି ପ୍ରଶାସନ ତରଫରୁ ସବୁ ବ୍ୟବସ୍ଥା ହେଉଛି । ଉଦ୍ଧାରକାରୀ ଦଳ ଭାଙ୍ଗି ନାହାନ୍ତି ମନୋବଳ । ସେମାନେ ଜିତିବେ, ଜୀବନ ଜିତିବ ଆଉ ସୁଦୀର୍ଘ ସୁଡଙ୍ଗର ଅନ୍ଧାର ଭିତରୁ ଜୀବନ ଉଦ୍ଧାର ହେବ । ଏଇ ପଣ ନେଇ ଥକୁନି ରେସ୍କୁ ଟିମର ପାଦ ଓ ହାତ ।

ତେବେ ଉତ୍ତରକାଶୀ ଟନେଲରେ ଫଶିଥିବା ଶ୍ରମିକମାନେ ଯେତେ ଶୀଘ୍ର ବାହାରକୁ ଆସିବେ ବୋଲି ଆଶା କରାଯାଉଥିଲା, ତାହା ବିଳମ୍ବ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଖନନ ସମୟରେ ବାରମ୍ବାର ଲୁହା ଆସୁଥିବାରୁ ମେସିନର ବ୍ଲେଡ ଭାଙ୍ଗିବା ପରେ ଏହି ଆଶଙ୍କା ସୃଷ୍ଟି ହୋଇଛି । ତେବେ ପାହାଡର ଉପର ପଟୁ ସୁଡଙ୍ଗ କରି ଉଦ୍ଧାର ପାଇଁ ବିକଳ୍ପ ପନ୍ଥା ଆପଣାଯାଇଛି । ଆଉ ଉଦ୍ଧାରକାର୍ଯ୍ୟରେ ସହାୟତା ପାଇଁ ହାଇଦ୍ରାବାଦରୁ ଆସୁଛି ପ୍ଲାଜମା କଟର । ରବିବାର ସକାଳୁ ମେସିନ ଡ୍ରିଲିଂ ବଦଳରେ ମାନୁଆଲ ଡ୍ରିଲିଂ କରାଯିବ । ଆଉ ଏହା ସମୟ ସାପେକ୍ଷ ହେବା ଯୋଗୁଁ ଉଦ୍ଧାରକାର୍ଯ୍ୟରେ ବିଳମ୍ବ ହେବାର ଆଶଙ୍କା କରାଯାଉଛି ।

ସେପଟେ ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟରେ ବାଧା ଭିତରେ ଭଲ ଖବର ସାମ୍ନାକୁ ଆସିଛି । ଟନେଲ ଭିତରେ ଥିବା ସବୁ ଶ୍ରମିକ ସୁସ୍ଥ ଅଛନ୍ତି । ଶ୍ରମିକଙ୍କ ପାଖକୁ ଠିକ ସମୟରେ ଖାଦ୍ୟପାନୀୟ ପଠାଯାଉଛି । ଶ୍ରମିକଙ୍କ ସହ ଲଗାତାର ଯୋଗାଯୋଗରେ ଥିବା ନେଇ କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।

ଚଳିତ ମାସ ନଭେମ୍ବର ୧୨ ତାରିଖରେ ସୁଡ଼ଙ୍ଗ କାମ କରୁଥିବାବେଳେ ମାଟି ଅତଡ଼ା ଓ ପଥର ପଡ଼ି ଶ୍ରମିକ ମାନେ ଟନେଲ ଭିତରେ ଫସିରହିଥିଲେ । ଉତ୍ତରକାଶୀରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ସିଲକ୍ୟାରା ସୁଡ଼ଙ୍ଗରେ ଏହି ଖନନ ଚାଲିଥିଲା । ଟନେଲ ନିର୍ମାଣ କାର୍ଯ୍ୟରେ ୮ଟି ରାଜ୍ୟର ୪୧ ଜଣ ଶ୍ରମିକ ଫସିରହିଛନ୍ତି । ଯେଉଁଥିରେ ଝାରଖଣ୍ଡର ସର୍ବାଧିକ ୧୫ଜଣ, ଉତ୍ତରପ୍ରଦେଶର ୮ଜଣ, ଓଡ଼ିଶାର ୫ଜଣ, ବିହାରର ୫ଜଣ, ଆସାମର ୨ଜଣ, ଉତ୍ତରାଖଣ୍ଡର ୨ଜଣ ଓ ପଶ୍ଚିମବଙ୍ଗର ୩ଜଣ, ହିମାଚଳ ପ୍ରଦେଶର ଜଣେ ଶ୍ରମିକ ଅଛନ୍ତି । ଶ୍ରମିକମାନେ ଭଲରେ ଭଲରେ ଉଦ୍ଧାର ହୋଇଯାଆନ୍ତୁ ଆଉ ସେମାନେ ସେମାନଙ୍କ ଘରକୁ ଫେରନ୍ତୁ । ଏହାହିଁ ପ୍ରାର୍ଥନା କରୁଛନ୍ତି ଦେଶବାସୀ ।

The post ଟନେଲ ଟ୍ରାଜେଡି: ବାଧା ଭିତରେ ବି କମିନି ଜୋସ୍, ମଉଳିନି ମନୋବଳ । ଥକି ନାହାନ୍ତି ଉଦ୍ଧାରକାରୀ ଦଳ । ସେମାନେ ଜିତିବେ, ଜୀବନ ଜିତିବ… first appeared on Kanak News.

from Kanak News
via <a href="https://ifttt.com/?

ବିଧାନସଭା ନିର୍ବାଚନ ପାଇଁ ରାଜସ୍ଥାନ ଦେଲା ଭୋଟ୍ । ସଂଧ୍ୟା ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ । ଭୋଟବେଳେ ବିଭିନ୍ନ ସ୍ଥାନରେ ଫୁଟିଲା ଗୁଳି,ବୋମା

କନକ ବ୍ୟୁରୋ: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଶେଷ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇଛି । ମୋଟ ୧୯୯ ଆସନ ପାଇଁ ପଡ଼ିଛି ଭୋଟ । ୧୮୬୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୫କୋଟି ଭୋଟର । ସମସ୍ତ ବିଧାନସଭା ଆସନରେ ମହିଳା ମତଦାନ କେନ୍ଦ୍ର, ଦିବ୍ୟାଙ୍ଗ ଓ ଯୁବପୀଢ଼ିଙ୍କ ପାଇଁ ସ୍ୱତନ୍ତ୍ର ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା । କଡ଼ା ସୁରକ୍ଷାବଳୟ ଭିତରେ ସୁରୁଖୁରରେ ଶେଷ ହୋଇଛି ଭୋଟିଂ । ଅନ୍ୟପଟେ ଭୋଟର ଲିଷ୍ଟରେ ନାଁ ନଥିବା ନେଇ କିଛି ଲୋକ ଅସନ୍ତୋଷ ଜାହିର କରିଛନ୍ତି ।

ରାଜସ୍ଥାନରେ ଦୁଇମୁଖୀ ଲଢେଇରେ ବିଜୟ ନେଇ ଉଭୟ ବିଜେପି ଓ କଂଗ୍ରେସ ଦୃଢୋକ୍ତି ପ୍ରକାଶ କରିଛନ୍ତି । ନିର୍ବାଚନୀ ଇସ୍ତାହାରରେ ପୁଳାପୁଳା ପ୍ରତିଶ୍ରୁତି ସହ ହାଇଭୋଲଟେଜ ପ୍ରଚାର କରି ଭୋଟ ମାଗିଥିଲେ ଉଭୟ ଦଳ । ଅନ୍ୟପଟେ ରାଜନୈତିକ ବିଶେଷଜ୍ଞଙ୍କ ମତରେ ଏଥରକ ରାଜସ୍ଥାନରେ ପଦ୍ମଫୁଟିବା ସମ୍ଭାବନା ବେଶ ଅଧିକ ରହିଛି । ଯାହାର ପ୍ରମୁଖ କାରଣ ରହିଛି…

  • ବିଜେପି ସାଂସଦଙ୍କ ସହ ଚର୍ଚ୍ଚିତ ଚେହେରାଙ୍କୁ ଓହ୍ଲାଇଛି
  • ଜାତିଗତ ସମୀକରଣ କାର୍ଡ ଖେଳିଛି ବିଜେପି
  • ଗୁର୍ଜର, ମୀଣା, କିରୋଡୀ ସମ୍ପ୍ରଦାୟଙ୍କ ସହ ଦଳିତ ଚେହେରାକୁ ପ୍ରାର୍ଥୀ କରିଛି
  • ଅସନ୍ତୁଷ୍ଟ ନେତାଙ୍କୁ ବୁଝାଇବାରେ ସଫଳ ହୋଇଛି
  • ମୋଦୀ ମ୍ୟାଜିକରେ ଧରାଶାୟୀ ହୋଇପାରେ କଂଗ୍ରେସ

ସେପଟେ କଂଗ୍ରେସ ପାଇଁ ହୁଏତ ଏତେ ଶୁଭଙ୍କର ହୋଇନପାରେ ଚଳିତ ନିର୍ବାଚନ । ଯାହାର ପ୍ରମୁଖ କାରଣ ହୋଇପାରେ …

  • କଂଗ୍ରେସର ଦଳୀୟ କନ୍ଦଳ
  • ଗେହଲଟ-ପାଇଲଟ ବିବାଦ
  • ପେପର ସ୍କାମ ଓ ସାମ୍ପ୍ରଦାୟିକ ହିଂସା

ବିଜେପି କହୁଛି ରାଜ୍ୟରେ କଂଗ୍ରେସ ବିରୋଧୀ ଲହରରେ ସରକାର ଭାଙ୍ଗିବ ଓ ଦଳ କ୍ଷମତାକୁ ଫେରିବ । ସେପଟେ କଂଗ୍ରେସର ଦାବି ପୁଣି ଥରେ ରାଜସ୍ଥାନବାସୀଙ୍କ ବିଶ୍ୱାସ ଜିତି ପୁଣି ସରକାର ଗଢ଼ିବ । ବିଜେପିର ଦଳୀୟ କନ୍ଦଳ ଦଳକୁ ନିରାଶ କରିବ । ଲୋକସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ ସହ ୫ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ସେମିଫାଇନାଲ କୁହାଯାଉଛି । ସେପଟେ ରାଜସ୍ଥାନରେ ପ୍ରତ୍ୟେକ ଥର ସତ୍ତା ପରିବର୍ତନ ଟ୍ରେଣ୍ଡ ମଧ୍ୟ ରହିଆସିଛି । ତେବେ ପ୍ରାର୍ଥଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ ହୋଇଛି । ଅପେକ୍ଷା ଡିସେମ୍ବର ୩କୁ । ଫଳାଫଳ କହିବ ରାଜସ୍ଥାନ ଏଥରକ କାହାର ।

The post ବିଧାନସଭା ନିର୍ବାଚନ ପାଇଁ ରାଜସ୍ଥାନ ଦେଲା ଭୋଟ୍ । ସଂଧ୍ୟା ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ । ଭୋଟବେଳେ ବିଭିନ୍ନ ସ୍ଥାନରେ ଫୁଟିଲା ଗୁଳି,ବୋମା first appeared on Kanak News.

from Kanak News
via <a href="https://ifttt.com/?

ଓଡିଶାରେ ମହାରାଷ୍ଟ୍ରର ମହାବଳ । ଅଳାଁବର ଜଙ୍ଗଲରେ ଆତଙ୍କ । ଗାଈଗୋରୁ ମାରି ଖାଉଛି ବାଘ ।

କନକ ବ୍ୟୁରୋ: ଗଜପତିରେ ମହାରାଷ୍ଟ୍ରର ବାଘ । ୪ଟି ରାଜ୍ୟ ଡେଇଁ ଓଡ଼ିଶା ଆସିଛି ମହାବଳ । ମହାରାଷ୍ଟ୍ରରୁ ଓଡ଼ିଶା ପ୍ରାୟ ୨ ହଜାର କିଲୋମିଟର ଅତିକ୍ରମ କରି ବାଘଟି ଆସିଥିବା କୁହାଯାଉଛି । ଓଡ଼ିଶା-ଆନ୍ଧ୍ର ସୀମା ଗଜପତି ଜିଲ୍ଲା ରାୟଗଡ଼ ଅଞ୍ଚଳରେ ଘୁରି ବୁଲୁଛି ମହାବଳ, ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ଗଜପତି ଜିଲ୍ଲା ଅଳାଁବର ଜଙ୍ଗଲରେ ଆତଙ୍କ ସୃଷ୍ଟି କରିଛି ଏହି ମହାବଳ ବାଘ । ଗାଈଗୋରୁ ମାରି ଖାଉଛି , ଆଉ ଲୋକଙ୍କୁ ବି ଆତଙ୍କିତ କରିଛି । ୱାଇଲଡ ଲାଇଫ ଇନ୍ୟଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ରିପୋର୍ଟ ଆଧାରରେ ବନବିଭାଗ କହିଛି ….

  • ବାଘର ଷ୍ଟ୍ରାଇପ ବା ଦେହରେ ଥିବା କଳାପଟି ଦାଗରୁ ଏହା ସ୍ପଷ୍ଟ ହେଉଛି
  • ମହାରାଷ୍ଟର ଚନ୍ଦ୍ରପୁରୀ ବ୍ରହ୍ମପୁରୀ ଫରେଷ୍ଟ ଡିଭିଜିନରୁ ଆସିଛି ମହାବଳ
  • ପ୍ରାୟ ୨ ହଜାର କିଲୋମିଟର ଅତିକ୍ରମ କରି ମହେନ୍ଦ୍ରଗିରି ରେଞ୍ଜକୁ ଆସିଛି
  • ପଶ୍ଚିମର ବିଦର୍ଭ ଅଞ୍ଚଳରୁ ବାଘଟି ପୂର୍ବାଞ୍ଚଳକୁ ଆସିଛି
  • ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ ଦେଇ ଓଡିଶା ଆସିଛି 

ମହାରାଷ୍ଟ୍ରରୁ ଓଡିଶାକୁ ମହାବଳ ଆସିବା ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି । ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, ଏଭଳି ମହାବଳ ବାଘର ଫଟୋ ୨୦୨୧ ମସିହାରେ ବ୍ରହ୍ମପୁରୀ ଜଙ୍ଗଲରେ କ୍ୟାମେରା ଟ୍ରାପରେ କଏଦ ହୋଇଥିଲା ।

  • କାହିଁକି ଏତେ ବାଟ ଆସିଲା ମହାବଳ?
  • ଏତେ ବାଟ ଅତିକ୍ରମ କରିବା ବିରଳ ଘଟଣା

ଅନୁମାନ କରାଯାଉଛି , ସୁରକ୍ଷିତ ବାସ ସ୍ଥାନ କିମ୍ବା ସାଥୀ ସନ୍ଧାନରେ ବାଘ ଏତେ ଦୂରକୁ ଆସିଥାଇପାରେ । ତେବେ ମହାବଳ ବାଘଟି ଏତେ ଦୂରରୁ ନଦୀନାଳ, ବିଲ , ରାସ୍ତା ଓ ଜନବସତି ଡେଇଁ ଏତେ ବାଟ କେମିିତି ଆସିଲା ତାହା ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି । ବାଟରେ କୌଣସି ମଣିଷକୁ ବି ଆକ୍ରମଣ କରିବାର ସୂଚନା ମିଳିନାହିଁ । କିଛି ଦିନ ତଳେ ଗଜପତି ଜିଲ୍ଲାର ରାୟଗଡ ଅଞ୍ଚଳରେ ବାଘଟି ବୁଲୁଥିବା ଓ ଗାଈଗୋରୁ ଶିକାର କରୁଥିବା ଜଣାପଡିବା ପରେ ଆତଙ୍କ ଖେଳିଯାଇଥିଲା । ବନବିଭାଗ ପକ୍ଷରୁ କ୍ୟାମେରା ଟ୍ରାପରେ ଏହାର ଚିତ୍ର କଏଦ ହୋଇଥିଲା । ଏହି ଚିତ୍ର ଓ ପାଦଚିହ୍ନକୁ ଡେରାଡୁନର ୱାଇଲଡ ଲାଇଫ ଇନ୍ୟଷ୍ଟିଚ୍ୟୁଟକୁ ପଠାଯିବ ପରେ ମହାବଳ ମହାରାଷ୍ଟରୁ ଆସିଥିବା ସ୍ପଷ୍ଟ ହୋଇଛି । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଦେଖାଦେଇଛି ।

ବର୍ତ୍ତମାନ ମହାବଳ ବାଘ ଉପରେ କଡା ନଜର ରଖିଛି ବନବିଭାଗ । ୫ଟି ସ୍ୱତନ୍ତ୍ର ଟିମ ବି ଗଠନ କରାଯାଇଛି । ଟିମରେ ମୋଟ ୩୫ ଜଣ ଅଛନ୍ତି । ଏମାନେ ଲୋକଙ୍କୁ ସଚେତନ କରାଉଛନ୍ତି । ଶିକାରୀଙ୍କ କବଳେରେ ଯେଭଳି ବାଘ ନ ପଡେ ତା ଉପରେ ବି ନଜର ରଖାଯାଇଛି ।

The post ଓଡିଶାରେ ମହାରାଷ୍ଟ୍ରର ମହାବଳ । ଅଳାଁବର ଜଙ୍ଗଲରେ ଆତଙ୍କ । ଗାଈଗୋରୁ ମାରି ଖାଉଛି ବାଘ । first appeared on Kanak News.

from Kanak News
via <a href="https://ifttt.com/?

ଡ୍ୟାମ ପାଲଟିଲା ଶୁଖିଲା ଖେଳପଡିଆ । ଡ୍ୟାମ ମଝିରେ କ୍ରିକେଟ୍ ଖେଳିଲେ ପିଲା । ଚିନ୍ତାରେ ପଡିଛନ୍ତି ଚାଷୀ ।

କନକ ବ୍ୟୁରୋ: ମାତ୍ର କିଛି ସପ୍ତାହ ପୂର୍ବରୁ ରାଜ୍ୟରୁ ମୌସୁମୀ ବିଦାୟ ନେଇଥିଲା । କିନ୍ତୁ ଏବେ ଡ୍ୟାମ ଗୁଡିକର ଜଳସ୍ତର ଯେଉଁ ସ୍ତରରେ ପହଞ୍ଚିିଛି ତାହା ଚିନ୍ତାଜନକ । ଏମିତି କି କେତେକ ଡ୍ୟାମର ଜଳସ୍ତର ଅତି ମାତ୍ରାରେ ଖସିଯାଇଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ ।

ଡ଼୍ୟାମ ପାଲଟିଛି ଖେଳ ପଡ଼ିଆ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଘୋଡ଼ାହାଡ଼ ଡ୍ୟାମ ଭିତର ଶୁଖିଯିିବା ପରେ ସେଠାରେ କ୍ରିକେଟ ଖେଳୁଛନ୍ତି ସ୍ଥାନୀୟ ପିଲା । ଯାହା କ୍ରିକେଟ ପଡିଆର ଭ୍ରମ ସୃଷ୍ଟି କରୁଛି । କେବଳ ଏତିକି ନୁହେଁ, ଡ୍ୟାମ ମଧ୍ୟଭାଗରେ ରହିଛି ଖେମୁଣ୍ଡି ରାଜାଙ୍କ ଜଗନ୍ନାଥ ମନ୍ଦିର । ଡ଼୍ୟାମରେ ପାଣିଥିବା ବେଳେ ଏହି ମନ୍ଦିର ପାଖକୁ କେବଳ ବୋଟରେ ହିଁ ଯାଇ ହେଉଥିଲା । ହେଲେ ଏବେ ସ୍ଥିତି ବଦଳି ଯାଇଛି, ପାଣି ନଥିବାରୁ ଚାଲି ଚାଲି ମନ୍ଦିରକୁ ଯାଉଛନ୍ତି ଶ୍ରଦ୍ଧାଳୁ ।

ତଥ୍ୟ ଅନୁସାରେ, ଘୋଡ଼ାହାଡ଼ ଡ୍ୟାମରେ ୩୦୫୨ ହେକ୍ଟର ମିଟର ପାଣି ରହେ । ହେଲେ ଏଥର ପାଣିର ପରିମାଣ ଖୁବ୍ କମିଯାଇଛି । ଡ୍ୟାମରେ ମାତ୍ର ୫ ପ୍ରତିଶତ ପାଣି ରହିଛି । କମ୍ ବର୍ଷା ଯୋଗୁଁ ସ୍ଥିତି ଏପରି ହୋଇଥିବା କୁହାଯାଉଛି । ଏହି ଡ଼୍ୟାମର କାମ ୧୯୭୦ରେ ଆରମ୍ଭ ହୋଇଥିବା ବେଳେ ୧୯୭୬ ମସିହାରେ ଏହା କାର୍ଯ୍ୟକ୍ଷମ ହୋଇଥିଲା । ପରବର୍ତି ସମୟରେ ଏହା ଏକ ପର୍ଯ୍ୟଟନ ସ୍ଥଳୀ ପାଲଟି ଯାଇଥିଲା । ଏଠାରେ ବହୁ କୁମ୍ଭୀର ମଧ୍ୟ ରହୁଥିଲେ । କିନ୍ତୁ ପାଣି ଶୁଖିଯିବା ପରେ କୁମ୍ଭୀର ମାନେ କୁଆଡେ ଗଲେ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏଥିସହ ପାଣି ଶୁଖିଯିବାରୁ ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକର ଚାଷୀମାନେ ଚିନ୍ତା ପ୍ରକଟ କରିଛନ୍ତି ।

The post ଡ୍ୟାମ ପାଲଟିଲା ଶୁଖିଲା ଖେଳପଡିଆ । ଡ୍ୟାମ ମଝିରେ କ୍ରିକେଟ୍ ଖେଳିଲେ ପିଲା । ଚିନ୍ତାରେ ପଡିଛନ୍ତି ଚାଷୀ । first appeared on Kanak News.

from Kanak News
via <a href="https://ifttt.com/?

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ବଡ଼ ଦୁର୍ଘଟଣା । ଚିତ୍ରକୋଣ୍ଡାରୁ ଯୋଡ଼ାମ୍ବ ଯାଉଥିବା ବେଳେ ହନ୍ତାଳଗୁଡ଼ା ଘାଟିରେ ଓଲଟିଲା ଟିପ୍ପର

କନକ ବ୍ୟୁରୋ: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘାଟିରେ ସିମେଣ୍ଟ ଓ ଲୁହା ଛଡ ବୋଝେଇ ଟ୍ରକ ଓଲଟି ୬ ଶ୍ରମିକ ପ୍ରାଣ ହରାଇଛନ୍ତି । ଚିତ୍ରକୋଣ୍ଡା ଡାକ୍ତରଖାନାରେ ଆହତ ୭ ଶ୍ରମିକଙ୍କ ଚିକିତ୍ସା ଚାଲିଛି । ତେବେ ବାରମ୍ବାର ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡା ଘାଟିରେ କାହିଁକି ଦୁର୍ଘଟଣା ଘଟୁଛି ତାହାକୁ ନେଇ ଉଠିଛି ପ୍ରଶ୍ନ ।

  • ମୃତ୍ୟୁର ଘାଟି ହନ୍ତାଳଗୁଡା
  • ପୁଣି ୬ ଜୀବନ ନେଲା ଘାଟି

ଖିନ୍ ଭିନ୍ ହୋଇ ଏଣେ ତେଣେ ପଡି ରହିଛି ଶ୍ରମିକଙ୍କ ମୃତଦେହ । ଚିତ୍ରକୋଣ୍ଡା ଠାରୁ ଲୁହାଛଡ ଓ ସିମେଣ୍ଟ ବୋଝେଇ କରି ଯୋଡାମ୍ବ ଅଭିମୁଖେ ବାହାରି ଥିଲା ଏକ ହଳଦିଆ ରଙ୍ଗର ଟିପ୍ପର । ଆଉ ଦିନ ପ୍ରାୟ ୧୧.୩୦ ମିନିଟ ସମୟରେ ହନ୍ତାଳଗୁଡା ଘାଟିରେ ଥିବା କ୍ରଶର ପ୍ଲାଂଟ ଅତିକ୍ରମ କରିବା ପରେ ପରେ ଘାଟି ତଳକୁ ଖସି ପଡିଥିଲା ଟିପ୍ପର । ସିମେଣ୍ଟ ଓ ଲୁହା ଛଡ ତଳେ ଚାପି ହୋଇ ଘଟଣା ସ୍ଥଳରେ ୫ଜଣ ଶ୍ରମିକ ପ୍ରାଣ ହରାଇ ଥିବା ବେଳେ ଡାକ୍ତରଖାନାରେ ଜଣେ ଶ୍ରମିକ ପ୍ରାଣ ହରାଇଛନ୍ତି ।

  • ଦେବଦୂତ ସାଜିଲେ ଯବାନ ଓ ଲୋକେ
  • ପେଟ ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ

ଖବର ପାଇ ତୁରନ୍ତ ହନ୍ତାଳଗୁଡା ବିଏସଏଫ କ୍ୟାମ୍ପର ଯବାନ ଓ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ । ଆହତଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ପଠାଯାଇଛି । ଚିତ୍ରକୋଣ୍ଡା ଡାକ୍ତରଖାନାରେ ଆହତ ୭ ଜଣଙ୍କ ଅବସ୍ଥା ଭଲ ଅଛି । ମୃତ ସମସ୍ତ ଶ୍ରମିକଙ୍କ ଘର ନବରଙ୍ଗପୁର ଜିଲ୍ଲା କୋସାଗୁୁମୁଡା ଥାନା ମାଟିଗାଓଁ ଗାଁରେ ବୋଲି ଜଣାପଡିଛି । ମୃତକଙ୍କ ବୟସ ୨୨ରୁ ୩୨ ଭିତରେ ହେବ । ପେଟ ପାଇଁ ଖଟିବାକୁ ଆସି ଘାଟିରେ ଏମାନଙ୍କ ଜୀବନ ଯାଇଛି । ଆହତଙ୍କୁ ଭେଟିବା ସହ ଘଟଣା ସ୍ଥଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ଥାନୀୟ ସାଂସଦ ।

ହନ୍ତାଳଗୁଡା ଘାଟିର ଗଡାଣିୟା ୟୁ-ଟର୍ଣ୍ଣରେ ଭାରସାମ୍ୟ ହରାଇ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟି ଥିବା ଜଣାପଡିଛି । ପୂର୍ବରୁ ଏହି ଘାଟି ରେ ଟ୍ରାକ୍ଟର ଓ ପିକଅପ୍ ଭ୍ୟାନ ଓଲଟି ଯାତ୍ରୀ ପ୍ରାଣ ହରାଇଥିବା ନଜିର ରହିିଛି । ତେବେ ଦୁର୍ଘଟଣା ପାଇଁ ଡ୍ରାଇଭରଙ୍କ ଅସାବଧାନତା ନା ଘାଟି କଟିଙ୍ଗରେ ତ୍ରୁଟି ରହିଛି, ତାହାକୁ ନେଇ ଉଠିଛି ପ୍ରଶ୍ନ ।

The post ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ବଡ଼ ଦୁର୍ଘଟଣା । ଚିତ୍ରକୋଣ୍ଡାରୁ ଯୋଡ଼ାମ୍ବ ଯାଉଥିବା ବେଳେ ହନ୍ତାଳଗୁଡ଼ା ଘାଟିରେ ଓଲଟିଲା ଟିପ୍ପର first appeared on Kanak News.

from Kanak News
via <a href="https://ifttt.com/?

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏ ପ୍ଲସ୍ ପ୍ଲସ୍ ମାନ୍ୟତା । ନାକ୍ ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ମିଳିଲା ମାନ୍ୟତା

କନକ ବ୍ୟୁରୋ: ଇତିହାସ ରଚିଲା ରେଭେନ୍ସା ବିଶ୍ୱବିଦ୍ୟାଳୟ । ରାଜ୍ୟର ପ୍ରଥମ ସରକାରୀ ବିଶ୍ୱବିଦ୍ୟାଳୟ ଭାବେ ପାଇଛି ନାକ୍ ଏ ପ୍ଲସ୍ ପ୍ଲସ୍ ମାନ୍ୟତା । ନାକ୍ର ୫ ଜଣିଆ ଟିମ୍ ଅନୁଧ୍ୟାନ କରିବା ପରେ ଏହି ମାନ୍ୟତା ମିଳିଛି । ଚଳିତ ବର୍ଷ ଉକ୍ରଳ ବିଶ୍ୱବିଦ୍ୟାଳୟ ଏ ପ୍ଲସ୍ ମାନ୍ୟତା ହରାଇବା ପରେ ଚିନ୍ତା ବଢ଼ିଥିଲା । ହେଲେ ରେଭେନ୍ସାକୁ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ଖୁସି ଖବର ଆଣିଛି । ଏବେ ଦେଶର ଅନ୍ୟ ସ୍ଥାନରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ନିଜର ଶାଖା ଖୋଲିପାରିବ । ଏହାସହ ଅଧିକ ଅନୁଦାନ ପାଇବାକୁ ମଧ୍ୟ ଦାବିଦାର ହେବ ।

  • ଇତିହାସ ରଚିଲା ରେଭେନ୍ସା ବିଶ୍ୱବିଦ୍ୟାଳୟ
  • ମିଳିଲା ଏ ++ ମାନ୍ୟତା

ନିଜର ଶିକ୍ଷାନୁଷ୍ଠାନକୁ ନେଇ ସମସ୍ତେ ଗର୍ବ କରନ୍ତି, ଆଉ ନିଜେ ପଢ଼ୁଥିବା ଶିକ୍ଷାନୁଷ୍ଠାନ ଇତିହାସ ରଚେ, ସଫଳତାର କାହାଣୀ ରଚେ, ସେତେବେଳେ ଏଠାରେ ପଢ଼ୁଥିବା ପିଲା ଓ କର୍ତୃପକ୍ଷ ଖୁବ୍ ଖୁସି ହୋଇଯାଆନ୍ତି । ଏପରିକି ଛାତ୍ରଛାତ୍ରୀ ଗୀତ ନାଚ ଜରିଆରେ ନିଜର ଖୁସି ଜାହିର କରନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ମିଳିବା ପରେ ଛାତ୍ରଛାତ୍ରୀମାନେ ଏପରି ଭାବେ ଖୁସିର ମୁହୂର୍ତକୁ ପାଳନ କରିଛନ୍ତି ।

ଚଳିତବର୍ଷ ଯେତେବେଳେ ରାଜ୍ୟର ସବୁଠୁ ବଡ଼ ବିଶ୍ୱବିଦ୍ୟାଳୟ ଉକ୍ରଳ ବିଶ୍ୱବିଦ୍ୟାଳୟର ଏ ପ୍ଲ୍ଲସ୍ ମାନ୍ୟତା ହଟିଯାଇଥିଲା, ତାକୁ ନେଇ ଶିକ୍ଷାବିତ ଚିନ୍ତା ପ୍ରକଟ କରିଥିଲେ । ହେଲେ ଏବେ ଆସିଛି ଏକ ଭଲ ଖବର । ରେଭେନ୍ସା ୟୁନିଭର୍ସିଟିକୁ ମିଳିଛି ଏ ପ୍ଲସ୍ ପ୍ଲସ୍ ମାନ୍ୟତା । ନାକ୍ ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ମିଳିଛି । ୨୦ ନଭେମ୍ବରରୁ ୨୨ ନଭେମ୍ବର ପର୍ୟ୍ୟନ୍ତ ୫ ଜଣିଆ ଟିମ୍ ଅନୁଧ୍ୟାନ କରିଥିଲେ । ସେତେବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମ, ଶିକ୍ଷାଦାନର ଶୈଳୀ, ଗବେଷଣା ଓ ଉଦଭାବନ, ପରିଚାଳନା ଓ ଭିତିଭୂମିକୁ ନାକ୍ ଟିମ୍ ପ୍ରଶଂସା କରିଥିଲେ । ଏହି ଅନୁଧ୍ୟାନ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ମିଳିଛି । ଓଡ଼ିଶାରେ କୌଣସି ସରକାରୀ ବିଶ୍ୱବିଦ୍ୟାଳୟକୁ ପ୍ରଥମ ଥର ପାଇଁ ଏହି ମାନ୍ୟତା ମିଳିଛି ।

ସୂଚନାଯୋଗ୍ୟ ଯେ, ଏବେ ରେଭେନ୍ସାକୁ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ମିଳିବା ପରେ ଏଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟର ଗୁରତ୍ୱ ଆହୁରି ବଢ଼ିଯିବ ।

The post ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏ ପ୍ଲସ୍ ପ୍ଲସ୍ ମାନ୍ୟତା । ନାକ୍ ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ମିଳିଲା ମାନ୍ୟତା first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ ପୁଣି ଡକାୟତଙ୍କ ଆତଙ୍କ । ନନ୍ଦନକାନନ ମାରୁତି ରେସିଡେନ୍ସି ଅଞ୍ଚଳରୁ ଶସସ୍ତ୍ର ଡକାୟତି । ବାଥରୁମରେ ବନ୍ଦ କରି ଲୁଟିନେଲେ ସୁନା ଗହଣା

କନକ ବ୍ୟୁରୋ: ଭୁବନେଶ୍ୱର ନନ୍ଦନକାନନ ଥାନା ଅଧୀନ ରଘୁନାଥପୁରର ଭୋଳା ରେସିଡେନସି । ଏହି ପରିବାର ସହ ଯେଉଁ ଘଟଣା ଘଟିଛି ତାହା ଯେତିକି ହୃଦୟବିଦାରକ ସେତିକି ଭୟଙ୍କର । ଆଇଟି ଇଞ୍ଜିନିୟର ଭାବେ କାମ କରନ୍ତି ରାକେଶ ଚାନ୍ଦ । ପତ୍ନୀ ଏଲିଶ୍ରୀ ଓ ଦୁଇ ସନ୍ତାନଙ୍କ ସହ ଏହି ଘରେ ରହନ୍ତି । ସବୁଦିନ ଭଳି ରାତ୍ରୀ ଭୋଜନ ପରେ ପୂରା ପରିବାର ବେଡରୁମରେ ଶୋଇଥିଲେ ।

ଶନିବାର ବିଳମ୍ବିତ ରାତି କିନ୍ତୁ ହଠାତ ଆଖି ଖୋଲିଲା ବେଳକୁ ବେଡ ରୁମ ଭିତରେ ଘେରି ରହିଥିଲେ ଡକାୟତ । ଅଧା ନିଦରେ ଥିବା ପରିବାରଙ୍କୁ ଲାଗୁଥିଲା, ସତେ ଯେମିତି ସେମାନେ ସ୍ୱପ୍ନ ଦେଖୁଛନ୍ତି । ୮ ଜଣ ଡକାୟତ ପୁରା ପରିବାରକୁ ଚାରିପଟୁ ଘେରି ଯାଇଛନ୍ତି । ମୁହଁରେ ମୁଖା ପିନ୍ଧି ସଶସ୍ତ୍ର ଡକାୟତି ପାଇଁ ପ୍ରସ୍ତୁତ ରହିଛନ୍ତି । କାହା ହାତରେ କେଉଁ ମାରଣାସ୍ତ୍ର ବୁଝିବା ଆଗରୁ ଫାର୍ସା, ଛୁରୀ ଆଉ ଭୁଜାଲି ବେକରେ ଲଗାଇ ଦେଇଛନ୍ତି । ପାଟି କଲେ ଜୀବନରୁ ମାରିଦେବାର ଧମକ ଦେଇଥିଲେ ଡକାୟତ । ପରିବାରର ଚାରି ଜଣଙ୍କ ହାତ ଗୋଡ ବାନ୍ଧି ବାଥରୁମରେ ଭର୍ତି କରିଦେଇଥିଲେ । କପ ବୋର୍ଡ, ଆଲମାରି ଓ ଡ୍ରୟରରୁ କାଢି ଆଉ ଗୋଟିଏ ପରେ ଗୋଟିଏ ବ୍ୟାଗରେ ସୁନା ଗହଣା ଓ ଦାମୀ ଜିନିଷ ନେଇ ଚମ୍ପଟ ମାରିଲେ । ଆଉ ତଦନ୍ତକୁ ବାଟମଣା କରିବା ପାଇଁ ପାଚେରୀ ପାଖରେ ଝାଡା କରି ଫେରାର ହୋଇଗଲେ ।

ସାଇଣ୍ଟିଫିକ ଟିମ ସହ ସ୍ଥାନୀୟ ପୁଲିସ ପହଞ୍ଚି ଖୋଳତାଡ ଆରମ୍ଭ କରିଛି । ଡକାୟତ ମାନେ ପାଣି ପିଇଥିବା ବୋତଲରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତରୁ ଜଣା ପଡିଛି ଡକାୟତ ମାନେ ରୋଷେଇ ଘରର ଝରକା ତାଡି ଘର ଭିତରକୁ ପ୍ରବେଶ କରିଛନ୍ତି । ଆଉ କୌଶଳକ୍ରମେ ବେଡରୁମ ତାଡି ଘର ଭିତର ପଶିଛନ୍ତି । ଘର ଭିତରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ।

ଘର ଭିତରେ ପରିବାର ଲୋକ ଥିବା ସତ୍ୱେ ସଶସ୍ତ୍ର ଡକାୟତି ଘଟଣା ସ୍ମାର୍ଟସିଟି ବାସିନ୍ଦାଙ୍କ ଛାତି ଥରାଇ ଦେଇଛି । ଡାକାୟତ ମାନଙ୍କ ଏହି ରାତି ଅଧିଆ ଉତ୍ପାତ ଘଟଣାକୁ ନେଇ ପୁଲିସ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃୃଷ୍ଟି କରିଛି ।

  • କ୍ରମାଗତ ଲୁଟ ଘଟଣାରେ କାହିଁକି ବାରମ୍ବାର ଫେଲ୍ ମାରୁଛି କମିସନରେଟ ପୁଲିସ?
  • କେତେ ସଫଳ ହେଉଛି ପାଟ୍ରୋଲିଂ ବ୍ୟବସ୍ଥା?
  • କେତେ ସୁରକ୍ଷିତ ରାଜଧାନୀରେ ରାତି?
  • ନିଜ ଘରେ କେତେ ସୁରକ୍ଷିତ ରାଜଧାନୀବାସୀ?

The post ରାଜଧାନୀରେ ପୁଣି ଡକାୟତଙ୍କ ଆତଙ୍କ । ନନ୍ଦନକାନନ ମାରୁତି ରେସିଡେନ୍ସି ଅଞ୍ଚଳରୁ ଶସସ୍ତ୍ର ଡକାୟତି । ବାଥରୁମରେ ବନ୍ଦ କରି ଲୁଟିନେଲେ ସୁନା ଗହଣା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started