ବ୍ୟାରିକେଡ୍ ବ୍ୟବସ୍ଥାକୁ ବିରୋଧ କରି ଧବଳେଶ୍ୱର ପୀଠରେ ଧାରଣାରେ ବସିଲେ ପୂଜକ । ପୂଜାର୍ଚ୍ଚନା କରି ନପାରିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

କନକ ବ୍ୟୁରୋ: ଧବଳେଶ୍ୱର ପୀଠରେ ବଡ଼ଓଷା ପୂର୍ବରୁ ବଡ଼ ବିଭ୍ରାଟ । ଦର୍ଶନ ବ୍ୟବସ୍ଥାକୁ ନେଇ ବିବାଦ ଦେଖାଦେଇଛି । ଭିଡ଼କୁ ନଜରରେ ରଖି ପୀଠରେ ଲଗାଯାଇଥିବା ବ୍ୟାରିକେଡ ଯୋଗୁ ଦର୍ଶନ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିବା ପୂଜକ ଅଭିଯୋଗ କରିଛନ୍ତି । ବ୍ୟାରିକେଡ ଯୋଗୁଁ ଶ୍ରଦ୍ଧାଳୁଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡିରେ ଠିଆ ହେବାକୁ ପଡୁଥିବା ପୂଜକ ଅଭିଯୋଗ କରିଛନ୍ତି ।

  • ବଡ ଓଷା ପୂର୍ବରୁ ବଡ ବିବାଦ
  • ପ୍ରଶାସନ, ପୂଜକ ମୁହାଁମୁହିଁ

ଦିନକ ପରେ ବଡଓଷା । ଏଥିପାଇଁ ଧବଳେଶ୍ୱରଙ୍କ ପୀଠରେ ଜମିଲାଣି ଶ୍ରଦ୍ଧାଳୁଙ୍କ ଭିଡ । କାଲି ଭିଡ ଆହୁରି ବଢ଼ିବ ବୋଲି କୁହାଯାଉଛି । କିନ୍ତୁ ବଡ ଓଷା ପୂର୍ବରୁ ଦର୍ଶନ ବ୍ୟବସ୍ଥାକୁ ନେଇ ବିବାଦ ସୃଷ୍ଟି ହୋଇଛି । ପୀଠରେ ଲଗାଯାଇଥିବା ବ୍ୟାରିକେଡ ଯୋଗୁ ଦର୍ଶନ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିବା ପୂଜକ ଅଭିଯୋଗ କରିଛନ୍ତି । ବ୍ୟାରିକେଡ ଯୋଗୁଁ ଶ୍ରଦ୍ଧାଳୁଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡିରେ ହେବାକୁ ପଡୁଥିବା ପୂଜକ ଅଭିଯୋଗ କରିଛନ୍ତି ।

ଧବଳେଶ୍ୱର ପୀଠରେ, ବ୍ୟବସ୍ଥାକୁ ନେଇ ଶ୍ରଦ୍ଧାଳୁମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଶାସନ ଓ ପୂଜକଙ୍କ ବିବାଦ ଯୋଗୁଁ ଭକ୍ତମାନେ ପୂଜାର୍ଚ୍ଚନା କରିପାରିନଥିବାରୁ ଅସନ୍ତୋଷ ପ୍ରକାଶ କରଛନ୍ତି ।

ତେବେ ବିବାଦ ପରେ ପୂଜକଙ୍କୁ ବୁଝାଇବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପୂଜକଙ୍କ ସହ ଆଲୋଚନା କରିଛନ୍ତି । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି କରାଯିବ ଗଜଭୋଗ ଓ ତରଣ । ବଡ଼ ଓଷା ତଥା କାର୍ତିିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇ ବ୍ରତ ଉଦଯାପନ କରିବେ । ଏଥିପାଇଁ କାଲିଠାରୁ ଭିଡ ବଢ଼ିବ । ତେଣୁ ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ପୋଲିସ , ନଦୀ ଘାଟରେ ଓଡ୍ରାଫ , ଅଗ୍ନିଶମ ବାହିନୀ , ମେଡିକାଲ ଟିମ ମୁତୟନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

The post ବ୍ୟାରିକେଡ୍ ବ୍ୟବସ୍ଥାକୁ ବିରୋଧ କରି ଧବଳେଶ୍ୱର ପୀଠରେ ଧାରଣାରେ ବସିଲେ ପୂଜକ । ପୂଜାର୍ଚ୍ଚନା କରି ନପାରିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ first appeared on Kanak News.

from Kanak News
via <a href="https://ifttt.com/?

ଚାଲିଛି ପଞ୍ଚୁକ, ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ । ଭିଡ଼ର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ଜୋତା, ମୋବାଇଲ ଷ୍ଟାଣ୍ଡ ନାଁରେ ଶୋଷଣ

କନକ ବ୍ୟୁରୋ: ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଭିଡ ଯୋଗୁଁ ପଞ୍ଚୁକ ଆରମ୍ଭରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଭିତର କାଠ ଦର୍ଶନକୁ ବନ୍ଦ କରାଯାଇଛି । ବାହାରକାଠ ନିକଟରୁ ଜଗା ଦର୍ଶନ କରି ଫେରୁଛନ୍ତି ଶ୍ରଦ୍ଧାଳୁ । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ନିକଟରେ ଧଡା ପକାଯାଇ ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ଛଡା ଯାଉଛି । ବ୍ୟାରିକେଡକୁ ମରିଚିକୋଟ ଛକ ଯାଏଁ ବଢାଇ ଦିଆଯାଇଛି । ହେଲେ ଭକ୍ତଙ୍କ ଏହି ଗହଳି ଭିତରେ ସବୁଠୁ ଅଧିକ ଅସୁବିଧା ଭୋଗୁଛନ୍ତି ବୟସ୍କ ଓ କୁନି କୁନି ଶ୍ରଦ୍ଧାଳୁ । ଜଗା ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧାଡିରେ ଛିଡା ହେବା ବୃଦ୍ଧବୃଦ୍ଧାଙ୍କୁ ବେଶ ବାଧୁଛି ।

  • ଭିଡରେ ମାତିଛନ୍ତି ଅସାଧୁ ବ୍ୟବସାୟୀ
  • ଜୋତା, ମୋବାଇଲ ଷ୍ଟାଣ୍ଡ୍ ନାଁରେ ଶୋଷଣ

ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇପଡିଛି । ପୂର୍ବବର୍ଷ ଭଳି ଚଳିତ ବର୍ଷ ଭକ୍ତଙ୍କ ଜୋତା ମୋବାଇଲ ରଖିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନାହିଁ । ଆଉ ଏହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ବଡଦାଣ୍ଡରୁ ମରିଚିକୋଟ ଛକା ଯାଏଁ ମାଳ ମାଳ ଜୋତା ଷ୍ଟାଣ୍ଡ ଖୋଲିଛି । ସେଥିରେ ଜୋତା ରଖିଲେ ଦୁଇଗୁଣା ଦର ଓ ମୋବାଇଲ ପିଛା ୨୫ ଟଙ୍କା ଦାବି କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ ପରେ ଦର୍ଶନ ବ୍ୟବସ୍ଥାରେ କିଛିଟା ସୁଧାର ଆସିଛି । ଭକ୍ତଙ୍କ ଲାଗି ସ୍ୱତନ୍ତ୍ର ବାୟୋ ଟଏଲେଟ, ବ୍ୟାରିକେଡରେ ବିଶୁଦ୍ଧ ପାନୀୟ ଜଳ ସୁବିଧା, ପାଦ ନ ତାତିବା ପାଇଁ ସ୍ୱତନ୍ତ୍ର କାର୍ପେଟ, ବରିଷ୍ଠ ନାଗରିକଙ୍କ ପାଇଁ ହେଲପ ଡେସ୍କ ଓ ବସିବା ବ୍ୟବସ୍ଥା କରାଯାଇଛି । ଖୋଦ ଏସପି ବ୍ୟାରିକେଡ ବୁଲି ଭକ୍ତଙ୍କ ସୁବିଧା ଅସୁବିଧା ପଚାରି ଫିଡବ୍ୟାକ ନେବା ସହ ବରିଷ୍ଠ ନାଗରିକଙ୍କୁ ବ୍ୟାରିକେଡରୁ ବାହାର କରି ଆଗୁଆ ଦର୍ଶନ କରାଇଛନ୍ତି ।

ତେବେ ପଞ୍ଚୁକର ଦ୍ୱିତୀୟ ଦିନରେ ଶ୍ରୀଜିଉ ବାଙ୍କଚୂଡ ବା ବାମନ ବେଶରେ ଦର୍ଶନ ଦେଇଛନ୍ତି । ଶନିବାର ତ୍ରିବିକ୍ରମ ବେଶ ବା ଲକ୍ଷ୍ମୀନୃସିଂହ ବେଶରେ କଳାଠାକୁର ଦର୍ଶନ ଦେବାକୁ ଥିବାରୁ ଭିଡ ଆହୁରି ବଢିବା ସମ୍ଭାବନା ରହିଛି । ଭିଡକୁ ନିୟନ୍ତ୍ରଣ କରି ଶୃଙ୍ଖଳିତ ଦର୍ଶନ ଏବେ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇପଡିଛି ।

The post ଚାଲିଛି ପଞ୍ଚୁକ, ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ । ଭିଡ଼ର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ଜୋତା, ମୋବାଇଲ ଷ୍ଟାଣ୍ଡ ନାଁରେ ଶୋଷଣ first appeared on Kanak News.

from Kanak News
via <a href="https://ifttt.com/?

ଶେଷ ପର୍ଯ୍ୟାୟରେ ପହଁଚିଲା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ । ପାଇପ ଯୋଗେ କେମିତି କରାଯିବ ଉଦ୍ଧାର, ଡେମୋ ଦେଖାଇଲା ଏନଡିଆରଏଫ୍

କନକ ବ୍ୟୁରୋ: ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରେ ଫସିରହିଥିବା ଶ୍ରମିକଙ୍କୁ ଖୁବଶୀଘ୍ର ଉଦ୍ଧାର କରାଯିବ । ଉଦ୍ଧାର ପାଇଁ ପ୍ରାୟ ୯୦୦ ମିଲିମିଟରର ଯେଉଁ ପାଇପ ଖଞ୍ଜା ଯାଇଛି, ତା ମଧ୍ୟଦେଇ ଷ୍ଟ୍ରେଚରରେ ଶ୍ରମିକମାନଙ୍କୁ ଦଉଡି ସାହାଯ୍ୟରେ ଟଣାଯିବ । ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ ଯିବ । ବାହାର ପଟରୁ ଏକ ଶକ୍ତ ଦଉଡି ଏହି ଷ୍ଟ୍ରେଚରରେ ବନ୍ଧା ହୋଇଥିବ । ସେପଟୁ ଜଣେ ଶ୍ରମିକ ଷ୍ଟ୍ରେଚର ଉପରେ ଶୋଇ ରହିବେ ଓ ଏପଟୁ ଉଦ୍ଧାରକାରୀ ଟିମ୍ ଦଉଡି ମାଧ୍ୟମରେ ଷ୍ଟ୍ରେଚର ସହ ଶ୍ରମିକଙ୍କୁ ଟାଣି ଆଣିବେ । ଏହିପରି ଜଣଙ୍କ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରତିଥର ଷ୍ଟ୍ରେଚରକୁ ଭିତରକୁ ପଠାଯିବ । ଆଉ କେମିତି ଏହି ଷ୍ଟ୍ରେଚର ମାଧ୍ୟମରେ ଉଦ୍ଧାର ହେବେ ଶ୍ରମିକ ତାର ଏକ ପରୀକ୍ଷା ଏନଡିଆରଏଫ୍ ତରଫରୁ କରାଯାଇଛି । ତେବେ ଏହାରି ଭିତରେ ଶ୍ରମିକଙ୍କ ପରିବାର ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ମଝିରେ ମଝିରେ ଉଦ୍ଧାରକାରୀ ଦଳର ନେତୃତ୍ୱ ନେଉଥିବା ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ଅପରେସନ୍ ବାବଦରେ ତାଜା ତଥ୍ୟ ରଖୁଛନ୍ତି ।

  • ବାରମ୍ବାର ବାଧା ଆସୁଥିବାରୁ ଅଟକୁଛି କାମ
  • ପଥର ପଡି଼ଲେ ମୋଡି ହୋଇଯାଉଛି ପାଇପ୍

ଉଦ୍ଧାରସ୍ଥଳରେ ନିୟୋଜିତ ଅଧିକାରୀମାନେ କହିଛନ୍ତି, ଡ୍ରିଲିଂ ବେଳେ ବାରମ୍ବାର ବାଧା ଆସୁଥିବାରୁ ଅଟକୁଛି କାମ । ଯେଉଁଥିପାଇଁ ଉଦ୍ଧାରକାର୍ଯ୍ୟ ବିଳମ୍ବିତ ହେଉଛି । ଶୁକ୍ରବାର ଡ୍ରିଲିଂ କରି ପାଇପ ଖଞ୍ଜିବାବେଳେ ହଠାତ୍ ପଥର ଆସିଯିବାରୁ ପାଇପ୍ ମୋଡି ହୋଇଯାଇଥିଲା । ଫଳରେ ୧.୨ ମିଟରର ପାଇପକୁ କାଟିବାକୁ ପଡିଥିଲା । ଅନୁମାନ କରାଯାଉଛି ଆଗାମୀ ସାଢେ ୫ ମିଟର ଯାଏଁ କୌଣସି ବାଧା ଆସିବ ନାହିଁ । କୁହାଯାଉଛି ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ୬ ମିଟର ଲେଖାଏଁ ଆଉ ୨ଟି ପାଇପ ଖଞ୍ଜିବାକୁ ପଡିବ । ଯଦି ଆଉ କୌଣସି ବାଧା ନଆସେ ରାତି ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଅଧିକାରୀଙ୍କ ଏହି କଥା ପୁରା ଘଟଣା ଉପରେ ନଜର ରଖିଥିବା ଶ୍ରମିକଙ୍କ ସଂପର୍କୀୟ ଓ ଆତ୍ମୀୟଙ୍କୁ ଉତ୍ସାହିତ କରୁଛି । ହେଲେ ସମୟ ଗଡିଚାଲିଛି ।

ଏପଟେ ଟନେଲରେ ଫସି ରହିଥିବା ନବରଙ୍ଗପୁରର ଭଗବାନ ଭତ୍ରାଙ୍କ ଭାଇ ଫୁଲ ଚାନ୍ଦ ଉତ୍ତରକାଶୀ ଯାଇଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ସେ ଉତ୍ତରକାଶୀ ଅଭିମୁଖେ ବାହାରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ । ତେବେ ଗତକାଲି ଟନେଲରୁ ସମସ୍ତ ଶ୍ରମିକ ଉଦ୍ଧାର ହେବେ ବୋଲି କୁହାଯାଉଥିଲା । ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ହେଲେ ଶ୍ରମିକମାନେ ଏପର୍ଯ୍ୟନ୍ତ ଉଦ୍ଧାର ହୋଇନପାରିବାରୁ ପରିବାର ଲୋକଙ୍କ ଚିନ୍ତା ବଢିଯାଇଛି । ମୋବାଇଲରେ ବାରମ୍ବାର ଉଦ୍ଧାରର ଖବର ଦେଖୁଛନ୍ତି । ରାତି ଅନିଦ୍ରା ହୋଇ ଖୁସି ଖବରକୁ ଅପେକ୍ଷା କରି ରହିଛନ୍ତି ।

The post ଶେଷ ପର୍ଯ୍ୟାୟରେ ପହଁଚିଲା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ । ପାଇପ ଯୋଗେ କେମିତି କରାଯିବ ଉଦ୍ଧାର, ଡେମୋ ଦେଖାଇଲା ଏନଡିଆରଏଫ୍ first appeared on Kanak News.

from Kanak News
via <a href="https://ifttt.com/?

ସାପ ଓ ହତ୍ୟାକାଣ୍ଡର ଜଘନ୍ୟ ଷଡ଼ଯନ୍ତ୍ର । ନାଗସାପ ଚୋଟରେ ନିଜ ସ୍ତ୍ରୀ ଓ ୨ ବର୍ଷର କୁନିଝିଅକୁ ମାରିଦେଲା ଜହ୍ଲାଦ

କନକ ବ୍ୟୁରୋ: କବିସୂର୍ଯ୍ୟନଗରରେ ଛାତିଥରା ଘଟଣା । ନିଜ ସ୍ତ୍ରୀ ଓ ଜନ୍ମକଲା ଝିଅକୁ ସାପ ଚୋଟରେ ମାରିଦେଲା ଜହ୍ଲାଦ । ହତ୍ୟାକାଣ୍ଡର ଏପରି ସାଂଘାତିକ ଷଡ଼ଯନ୍ତ୍ର ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଛି । କାହାଣୀଟି ଯେତିକି ଭୟଙ୍କର, ସେତିକି ହୃଦୟ ବିଦାରକ ।

  • ଅକ୍ଟୋବର ୬ ତାରିଖ ବିଳମ୍ବିତ ରାତି
  • କବିସୂର୍ଯ୍ୟନଗରର ଅଢ଼େଇବର ଗାଁ

ଘରେ ୨ ବର୍ଷର କୁନିଝିଅକୁ ଧରି ନିଶ୍ଚିନ୍ତରେ ଶୋଇଥିଲେ ୨୩ ବର୍ଷୀୟା ବାସନ୍ତୀ ପାତ୍ର । ସେ ଜାଣିନଥିଲେ, ରାତିର ଅନ୍ଧାର ଭିତରେ ହତ୍ୟାର ଷଡ଼ଯନ୍ତ୍ର ରଚିଛନ୍ତି ତାଙ୍କ ସ୍ୱାମୀ କେ. ଗଣେଶ ପାତ୍ର । ଆଉ ସେ ନିଦରେ ଶୋଇଥିବା ବେଳେ କାଳସର୍ପ ତାଙ୍କୁ ଅପେକ୍ଷା କରି ରହିଛି । ଭୋର ସମୟ.. ଗଭୀର ନିଦରେ ଶୋଇଥିଲେ ବାସନ୍ତୀ, ଏପଟେ ହାତରେ କପଡ଼ା ଗୁଡାଇ ନାଗ ସାପ ଧରି ଘର ଭିତରେ ପଶିଥିଲା ସଇତାନ ସ୍ୱାମୀ ଗଣେଶ । ଅତି ସତର୍କତାର ସହ ଉଭୟ ମାଆଝିଅଙ୍କ ନିକଟକୁ ସାପ ନେଇଥିଲେ, ଆଉ ସାପ ଚୋଟରେ ଦୁହେଁ ଚିରନିଦ୍ରାରେ ଶୋଇ ଯାଇଥିଲେ ।

ସ୍ତ୍ରୀ ଓ ଝିଅକୁ ହତ୍ୟା କରିବ, କେହି ତାକୁ ସନ୍ଦେହ କରିବେ ନାହିଁ, ସେଥିପାଇଁ କିଛି ଦିନ ହେଲା ପୂରା ଦମ୍ ଲଗାଇ ହତ୍ୟାକାଣ୍ଡର ପ୍ରାକ୍ସିସ୍ କରିଥିଲା ଗଣେଶ । ହରର୍ କାହାଣୀର କଥାବସ୍ତୁ ଭଳି ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢ଼ାଇଥିଲା ଅଭିଯୁକ୍ତ । ଶୁଣିବାକୁ ମିଳୁଛି, ପୋଲସରାର ଜଣେ ସାପୁଆ ସହ ଯୋଗାଯୋଗ କରି ତାକୁ ୨ ହଜାର ଟଙ୍କା ଦେଇ ନାଗ ସାପ ଆଣିଥିଲା ଗଣେଶ । ସାପ ଧରିବା ଠାରୁ ଆରମ୍ଭ କରି ତାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ, ସେଥିପାଇଁ ତାଲିମ ମଧ୍ୟ ନେଇଥିଲା । ସାପ ଚୋଟରେ ସ୍ତ୍ରୀ ଓ ଝିଅକୁ ମାରିଦେବା ପରେ ନାଟକର ଚତୁର ଖଳନାୟକ ଭଳି ସାପକୁ ବି ବାଡେଇ ମାରି ଦେଇଥିଲା । ଭାବିଥିଲା ସାପ ସହ ପ୍ରମାଣ ମଧ୍ୟ ନଷ୍ଟ ହୋଇଗଲା । ହେଲେ, ବାସନ୍ତୀଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିବା ପରେ ପୁଲିସକୁ ମିଳିଯାଇଥିଲା ସୁରାଗ । ତଦନ୍ତ ବେଳେ ସାପୁଆର ସନ୍ଧାନ ପାଇଥିଲା କବିସୂର୍ଯ୍ୟନଗର ପୁଲିସ । ତା’ପରେ ଗଣେଶର ମୃତ୍ୟୁର ଖେଳ ଉପରୁ ଉଠିଥିଲା ପରଦା ।

୩ ବର୍ଷ ତଳେ ବାସନ୍ତୀଙ୍କୁ ବିବାହ କରିଥିଲା ଗଣେଶ । କିଛି ଦିନ ଖୁସି ସଂସାର ଚାଲିଥିବା ବେଳେ ପରକୀୟା ସଂପର୍କ ସନ୍ଦେହରେ ଦୁହିଁଙ୍କ ଭିତରେ ବିବାଦ ସୃଷ୍ଟି ହୋଇଥିଲା । ଶ୍ୱଶୁର ଘରେ ସ୍ତ୍ରୀକୁ ଛାଡ଼ି ଦେଇଥିଲେ, ଥାନାରେ ଅଭିଯୋଗ ପରେ ବୁଝାମଣା ହୋଇଥିଲା । ସ୍ତ୍ରୀ ବାସନ୍ତୀ ଓ ଝିଅକୁ ଘରକୁ ଆଣିଥିଲା ଗଣେଶ । ସେତେବେଳେ ସମସ୍ତେ ଭାବୁଥିଲେ ବିବାଦର ସମାଧାନ ହୋଇଗଲା, ଅଭିଯୁକ୍ତ ଗଣେଶ କିନ୍ତୁ ଷଡ଼ଯନ୍ତ୍ରର ଜାଲ ବିଛାଇ ସମୟକୁ ଅପେକ୍ଷା କରି ରହିଥିଲା । ଶେଷରେ ନାଗସାପ ଆଣି ଦୀର୍ଘଦିନର ଯୋଜନାକୁ ସଫଳ କରିଥିଲା । ହେଲେ ଆଇନର ଲମ୍ବା ହାତ କବଳରୁ ରକ୍ଷା ପାଇନଥିଲା ଅଭିଯୁକ୍ତ । ପୁଲିସ ଗିରଫ କରିବା ପରେ ବି ଅପରାଧରୁ ଖସିବା ପାଇଁ କିଛି ଜାଣିନଥିବାର ଅଭିନୟ କରୁଛି

ଅଭିଯୁକ୍ତ ଗଣେଶ ଏବେ ଆଇନର ହାତକଡ଼ି ପିନ୍ଧିଛି । ପୁଲିସ ଆଗରେ ଅଭିଯୁକ୍ତ ସତ ମାନିଯାଇଛି । ଏପଟେ ସାପୁଆ କହିଛି, ପୂଜା ପାଇଁ ନାଗ ସାପ ମାଗି ଆଣିଥିଲା ଅଭିଯୁକ୍ତ । ସାପୁଆକୁ ଏହି ହତ୍ୟାକାଣ୍ଡର ପ୍ରମୁଖ ସାକ୍ଷୀ ଭାବେ ଗ୍ରହଣ କରିଛି ପୁଲିସ ।

The post ସାପ ଓ ହତ୍ୟାକାଣ୍ଡର ଜଘନ୍ୟ ଷଡ଼ଯନ୍ତ୍ର । ନାଗସାପ ଚୋଟରେ ନିଜ ସ୍ତ୍ରୀ ଓ ୨ ବର୍ଷର କୁନିଝିଅକୁ ମାରିଦେଲା ଜହ୍ଲାଦ first appeared on Kanak News.

from Kanak News
via <a href="https://ifttt.com/?

ବିଧାନସଭା ପ୍ରଶ୍ନକାଳରେ କୋଶଳୀ ଭାଷାରେ ପ୍ରଶ୍ନ କଲେ ନରସିଂହ । ସମାନ ଭାଷାରେ ଉତ୍ତର ରଖିଲେ ଶିଳ୍ପ ମନ୍ତ୍ରୀ । ସେପଟେ ପ୍ରତାପ ଦେବ ଓ ରୋହିତ ପୂଜାରୀ କଥା କଟାକଟି

କନକ ବ୍ୟୁରୋ: ପ୍ରାୟ ୩ ଦିନର ଅଚଳାବସ୍ଥା ପରେ ସ୍ୱାଭାବିକ ହୋଇଛି ବିଧାନସଭା । ସ୍ୱାଭାବିକ୍ ହୋଇଛି ପ୍ରଶ୍ନକାଳ, ସୁରୁଖୁରୁରେ ଚାଲିଛି ଗୃହକାର୍ଯ୍ୟ । ଆଉ ଏସବୁ ଭିତରେ ପ୍ରଶ୍ନକାଳରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ । ଶିଳ୍ପ ବିଭାଗର ଆଲୋଚନା ଚାଲିଥିବା ବେଳେ କୋଶଳୀ ଭାଷାରେ ପ୍ରଶ୍ନ କରୁଥିଲେ କଂଗ୍ରେସ ବିଧାୟକ ଦଳ ନେତା । ଆଉ ସମସ୍ତଙ୍କୁ ଚକିତ କଲା ଭଳି, ସମାନ କୋଶଳୀ ଭାଷାରେ ଉତ୍ତର ରଖିଥିଲେ ଶିଳ୍ପମନ୍ତ୍ରୀ ।

  • କୋଶଳୀ ଭାଷାରେ କଥା କଟାକଟି
  • ନରସିଂହ ବନାମ ପ୍ରତାପ ଦେବ
  • କୋଶଳୀରେ ପ୍ରଶ୍ନ, କୋଶଳୀରେ ଉତ୍ତର

ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ନରସିଂହ କହିଥିଲେ, ୨୪ ବର୍ଷର ସରକାର ବଲାଙ୍ଗୀର ଜିଲ୍ଲାରେ କେଉଁ ଗୋଟିଏ ଶିଳ୍ପ ପ୍ରତିଷ୍ଠା କରିଛନ୍ତି? କଂଗ୍ରେସ ସରକାର ସମୟରେ ଯାହା ଶିଳ୍ପ ଥିଲା ବିଜେଡି ସରକାରରେ ବନ୍ଦ ହୋଇଗଲା । ତେବେ ନରସିଂହଙ୍କ ଆକ୍ରମଣର ଜବାବ୍ ରଖିଥିଲେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ଅନ୍ୟପଟେ ସେହି ପ୍ରଶ୍ନ କାଳରେ ମୁହାଁମୁହିଁ ହୋଇଛନ୍ତି ରେଢ଼ାଖୋଲ ବିଧାୟକ ଓ ଶିଳ୍ପମନ୍ତ୍ରୀ । ନରସିଂହ ମିଶ୍ରଙ୍କ ଭଳି ରୋହିତ ପୂଜାରୀ ମଧ୍ୟ କୋଶଳୀ ଭାଷାରେ ଶିଳ୍ପମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । କହିଥିଲେ, ଓଡ଼ିଶାର ଯୁବକମାନଙ୍କୁ ମାର୍ଗଦର୍ଶନ କରି ବ୍ରିକ ଆଣ୍ଡ ମଟୋର ଶିଳ୍ପ ଦିଗରେ ପ୍ରୋତ୍ସାହନ ଦିଆଯାଉ । ବିଧାନସଭାରେ ଉତ୍ତର ରଖି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଥିଲେ, ପୂର୍ବ ଭାରତର ଇଣ୍ଡଷ୍ଟ୍ରିଆଲ ହବ୍ ହେବ ଓଡ଼ିଶା, ଏଥିପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।

ଏହାରି ଭିତରେ ମୁଲତବୀ ଆଲୋଚନା ବେଳେ ବିଜେପି ବିଧାୟକ, ସାନ୍ତାଳି ଭାଷାରେ ନିଜର ପ୍ରତିକ୍ରିୟା ରଖିଥିଲେ । ଆଦିବାସୀଙ୍କ ସ୍ୱାର୍ଥ ସମ୍ପର୍କରେ କହିବା ବେଳେ ସାନ୍ତାଳୀ ଭାଷାର ବ୍ୟବହାର କରିଥିଲେ ନବ ମାଝୀ । ତେବେ ପ୍ରସଙ୍ଗ ଯାହା ଥାଉ, ଆଲୋଚନା ଯାହା ହେଉ । ବିଧାନସଭା ଗୃହରେ, ଅଚାନକ୍ ନିଜ ନିଜ ଭାଷାରେ ପ୍ରଶ୍ନ କରିବା ଏବଂ ମତ ରଖିବା ପଛରେ, ହୁଏତ ଗୋଟିଏ ଉଦ୍ଦେଶ୍ୟ ଥାଇପାରେ । ତାହା ହେଉଛି ୨୦୨୪ ନିର୍ବାଚନ । ଭାବପ୍ରବଣତାର ସ୍ରୋତ ବୁହାଇବା ପାଇଁ ଭାଷାଠୁ ଅଧିକ ପ୍ରଭାବଶାଳୀ ମାଧ୍ୟମ କ’ଣ ହୋଇପାରେ? ଏହା ନେତାଙ୍କ ଭାଷା ପ୍ରୀତି ନା’ ଭୋଟ୍ ରାଜନୀତି ତାକୁ ନେଇ ଚର୍ଚ୍ଚ ଆରମ୍ଭ ହୋଇଛି ।

The post ବିଧାନସଭା ପ୍ରଶ୍ନକାଳରେ କୋଶଳୀ ଭାଷାରେ ପ୍ରଶ୍ନ କଲେ ନରସିଂହ । ସମାନ ଭାଷାରେ ଉତ୍ତର ରଖିଲେ ଶିଳ୍ପ ମନ୍ତ୍ରୀ । ସେପଟେ ପ୍ରତାପ ଦେବ ଓ ରୋହିତ ପୂଜାରୀ କଥା କଟାକଟି first appeared on Kanak News.

from Kanak News
via <a href="https://ifttt.com/?

ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତିରେ ହେବ ସଂଶୋଧନ । କ୍ୟାବିନେଟ୍ ନିଷ୍ପତିକୁ ନେଇ ବିବାଦ ପରେ ନରମିଲେ ସରକାର

କନକ ବ୍ୟୁରୋ: ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗରେ ବିବାଦ ଉପୁଜିବା ପରେ, ରାଜ୍ୟ ସରକାର ନିଷ୍ପତିର ତର୍ଜମା କରୁଛନ୍ତି । ଏହି ପ୍ରସଙ୍ଗକୁ ନେଇ ଦୁଇ ଦିନ ବିଧାନସଭା ଅଚଳ ହେବା ପରେ, ଅଧିକ ତର୍ଜମା ପାଇଁ ଆଦିବାସୀ ଉପଦେଷ୍ଟା କମିଟିକୁ ପଠାଇ ଦେଇଛନ୍ତି ସରକାର । ଆଉ କମିଟିର ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ନିଷ୍ପତି ନେବେ ବୋଲି ଗୃହରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

  • ପ୍ରତ୍ୟାହୃତ ହେବ ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତି!
  • ସରକାରଙ୍କ ନିଷ୍ପତିକୁ ନେଇ ତେଜିଲା ରାଜନୀତି

ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗକୁ ସରକାର ଉପଦେଷ୍ଠା କମିଟିକୁ ପଠାଇବା ପରେ ତେଜିଛି ରାଜନୈତିକ ବୟାନବାଜି । ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଏହି ପ୍ରସଙ୍ଗରେ ବିରୋଧୀ ମୂଲତବୀ ପ୍ରସ୍ତାବ ଆଣିଥିବାରୁ ସରକାର ତରବରିଆ ଭାବେ ଏଭଳି ନିଷ୍ପତି ନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ବିଧାୟକ ନରସିଂହ ମିଶ୍ର । ସେହିପରି ନିଷ୍ପତିର ପ୍ରତ୍ୟାହାର ନହେଲେ, ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେପି । ତେବେ ସରକାର ଆଦିବାସୀଙ୍କ ସହ ଅଛନ୍ତି ବୋଲି କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ।

ଅନ୍ୟପଟେ ନିଷ୍ପତିର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ବିଜେପି ବିଧାୟକଙ୍କ ପରେ ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଆଦିବାସୀ ଜମି ବିକ୍ରି ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଗତ ୧୪ ତାରିଖରେ ମୋହର ମାରିଥିଲା । ନିଷ୍ପତି ଅନୁସାରେ, ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିବା ସହ ଶିକ୍ଷା,ଶିଳ୍ପ ଓ ବ୍ୟବସାୟ ପାଇଁ ବ୍ୟାଙ୍କରେ ଜମିକୁ ବନ୍ଧକ ରଖିପାରିବେ ବୋଲି ପ୍ରସ୍ତାବରେ ଉଲେଖ ରହିଥିଲା । କିନ୍ତୁ ବିରୋଧୀଙ୍କ ବିରୋଧ ଓ ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ବିରୋଧ ହେବା ପରେ, ନିଷ୍ପତିର ୪୮ଘଣ୍ଟା ପରେ ଏହାକୁ ସ୍ଥଗିତ ରଖାଗଲା ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଥିଲେ ।

The post ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତିରେ ହେବ ସଂଶୋଧନ । କ୍ୟାବିନେଟ୍ ନିଷ୍ପତିକୁ ନେଇ ବିବାଦ ପରେ ନରମିଲେ ସରକାର first appeared on Kanak News.

from Kanak News
via <a href="https://ifttt.com/?

ମାତ୍ର ୪ ଦିନରେ ସରିଗଲା ବିଧାନସଭା ଶୀତ ଅଧିବେଶନ । ୨୬ଟି କାର୍ଯ୍ୟଦିବସ ପୂର୍ବରୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ହଟ୍ଟଗୋଳ କରି ବିରୋଧୀଙ୍କ କକ୍ଷତ୍ୟାଗ ।

କନକ ବ୍ୟୁରୋ: ମାତ୍ର ୪ ଦିନରେ ସରିଗଲା ବିଧାନସଭା ଶୀତ ଅଧିବେଶନ । ୨୬ଟି କାର୍ଯ୍ୟଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି । ତେବେ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବିଧାନସଭା ଶୀତ ଅଧିବେଶନ ଚାଲିବାକୁ ଥିବାବେଳେ, ଏହାର ଯଥେଷ୍ଟ ପୂର୍ବରୁ ବିଧାନସଭାକୁ ମୁଲତବୀ ଘୋଷଣା କରିଦିଆଯାଇଛି ।

ଶୁକ୍ରବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ମୋସନ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଯାହାକୁ କି ସମର୍ଥନ ଜଣାଇଥିଲେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା ଓ ଭୁପିନ୍ଦର ସିଂ । ତେବେ ଆଗୁଆ ବିଧାନସଭା ବନ୍ଦ କରାଯିବା ନିଷ୍ପତ୍ତିକୁ ବିରୋଧ କରି ବିଜେପି ଓ କଂଗ୍ରେସର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ତେବେ ଏହି ୪ ଦିନ ମଧ୍ୟରେ ଗୋଟିଏ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିବା ବେଳେ ଦୁଇ ଦିନ ଧରି ଆଦିବାସୀ ଜମି ହସ୍ତାନ୍ତର ଆଇନକୁ ନେଇ ପ୍ରବଳ ହୋ ହଲ୍ଲା ହୋଇଥିଲା । ଯାହାପରେ ବିଧାନସଭାକୁ ଆଜି ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଦିଆଯାଇଛି ।

The post ମାତ୍ର ୪ ଦିନରେ ସରିଗଲା ବିଧାନସଭା ଶୀତ ଅଧିବେଶନ । ୨୬ଟି କାର୍ଯ୍ୟଦିବସ ପୂର୍ବରୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ହଟ୍ଟଗୋଳ କରି ବିରୋଧୀଙ୍କ କକ୍ଷତ୍ୟାଗ । first appeared on Kanak News.

from Kanak News
via <a href="https://ifttt.com/?

ନେପାଳକୁ ଫେରିବ କି ରାଜତନ୍ତ୍ର ? ପୁଣି ହେବ କି ନେପାଳ ହିନ୍ଦୁ ରାଷ୍ଟ୍ର ?

ନେପାଳର ରାଜଧାନୀ କାଠମାଣ୍ଡୁରେ ରାଜତନ୍ତ୍ରର ପୁନ ପ୍ରଚଳନ ଦାବିରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଛି । କେପି ଓଲିଙ୍କ ଦଳର କର୍ମୀ ଏବଂ ରାଜତନ୍ତ୍ର ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ହିଂସାତ୍ମକ ରୂପ ନେଇଥିଲା । ଏହି କାରଣରୁ କାଠମାଣ୍ଡୁ ପୋଲିସକୁ ପ୍ରଦର୍ଶନକାରୀଙ୍କ ଉପରେ ଲୁହବୁହା ଗ୍ୟାସ ସେଲ ଛାଡିବାକୁ ପଡିଥିଲା ।

କାଠମାଣ୍ଡୁ: ନେପାଳରେ ରାଜତନ୍ତ୍ରର ପ୍ରତ୍ୟାବର୍ତ୍ତନ ପାଇଁ ଦାବି ଜୋର ଧରିଛି । ଗୁରୁବାର ରାଜଧାନୀ କାଠମାଣ୍ଡୁରେ ରାଜତନ୍ତ୍ର ସମର୍ଥକମାନେ ପ୍ରଦର୍ଶନ କରିବା ପରେ ହିଂସା ଆରମ୍ଭ ହୋଇଥିଲା । ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା । ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ପୋଲିସକୁ ଲୁହବୁହା ଗ୍ୟାସ ଚଳାଇବାକୁ ପଡିଥିଲା । ଏହି ସମୟରେ ନେପାଳର ସେନାକୁ ସତର୍କ କରାଯାଇଛି । ଏହି ରାଜତନ୍ତ୍ର ସପକ୍ଷ ପ୍ରଦର୍ଶନକୁ ଦୁର୍ଗା ପାର୍ସାଇଙ୍କ ନାମକ ଜଣେ ଉଦ୍ୟୋଗୀ  ନେତୃତ୍ବ ନେଉଛନ୍ତି । ରୋଚକର କଥା ହେଲା ସେ ନିଜେ ଜଣେ ମାଓବାଦୀ ଥିଲେ ।

ନେପାଳ ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସେନାକୁ ସତର୍କ ରଖାଯାଇଛି କିନ୍ତୁ ଏହାକୁ ବ୍ୟବହାର କରିବାର କୌଣସି ଆବଶ୍ୟକତା ପଡ଼ିବ ନାହିଁ ବୋଲି ଆମେ ବିଶ୍ବାସ କରୁଛୁ । କୁହାଯାଉଛି ଯେ ଏହି ପ୍ରତିବାଦ ସମୟରେ ଦୁର୍ଗା ପାର୍ସାଇ ତାଙ୍କ ବିରୋଧର ମୂଳ ସ୍ଥାନରୁ ବଜାର ଆଡକୁ ଯାଇଥିଲେ ଯେଉଁଠାରେ ସେ ରାଜତନ୍ତ୍ରର ପୁନରୁଦ୍ଧାର ପାଇଁ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ‘ଦାମୀ ଫେଡେରାଲ ସିଷ୍ଟମ’କୁ ମଧ୍ୟ ବନ୍ଦ କରିବାକୁ ସେ ଦାବି କରିଛନ୍ତି । ଏହି ସମୟରେ, କେପି ଓଲିଙ୍କ ପାର୍ଟି UML ର ଯୁବ ମୋର୍ଚ୍ଚା ସଦସ୍ୟଙ୍କ ସହ ଏକ ବଡ଼ ସଂଘର୍ଷ ହୋଇଥିଲା ।

ଓଲିଙ୍କ ସମର୍ଥକମାନେ ରାଜତନ୍ତ୍ର ସମର୍ଥକମାନଙ୍କୁ ଚେତାବନୀ ଦେଇଛନ୍ତିଯେତେବେଳେ ଯୁବ ସଂଘ  ସଦସ୍ୟମାନେ ପ୍ରଦର୍ଶନ ପାଇଁ ପାର୍ସାଇ ଗ୍ରୁପକୁ ଦିଆଯାଇଥିବା ଅଞ୍ଚଳରେ ଜବରଦସ୍ତ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, କାଠମାଣ୍ଡୁ ପୋଲିସକୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଥିଲା। ବିରୋଧ ସ୍ଥାନ ନିକଟରେ ନେପାଳ ପୋଲିସ ପ୍ରତିବନ୍ଧକ ଲଗାଇ ପାର୍ସାଇଙ୍କ  ସମର୍ଥକଙ୍କ ଉପରେ ନଜର ରଖିବା ପାଇଁ ରାସ୍ତାରେ ୱାଟର କେନନ ଲଗାଇଥିଲା। ଏହା ବ୍ୟତୀତ ସିସିଟିଭି ମଧ୍ୟ ସ୍ଥାପନ କରାଯାଇଥିଲା ଯାହା ଦ୍ଵାରା ପାର୍ସାଇ ସମର୍ଥକମାନେ ସର୍ବଦା ନଜରରେ ରହିପାରିବେ। ଏହି ସମୟରେ, ଯୁବ ସଂଘ ସଦସ୍ୟମାନେ ଟିଙ୍କୁନରେ ଏକ ପୃଥକ ରାଲି କରିଥିଲେ ଯେଉଁଠାରେ ସେମାନଙ୍କୁ ପ୍ରଦର୍ଶନ ପାଇଁ ସ୍ଥାନ ଦିଆଯାଇଥିଲା । ଓଲିଙ୍କ ଘନିଷ୍ଠ ସହଯୋଗୀ ମହେଶ ବାସ୍ନେଟ ଚେତାବନୀ ଦେଇଛନ୍ତି ଯେ ସେ କୌଣସି ପରିସ୍ଥିତିରେ ମଧ୍ୟ ପାରସାଇଙ୍କ ସମର୍ଥକମାନଙ୍କୁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ଦେବେ ନାହିଁ । ପରେ ପାର୍ସାଇ କହିଛନ୍ତି ଯେ ତାଙ୍କର ଏହି ଆନ୍ଦୋଳନ ବର୍ତ୍ତମାନର ବ୍ୟବସ୍ଥା ବିରୁଦ୍ଧରେ ଜନବିଦ୍ରୋହ। ପାରସାଇ ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲ ପ୍ରଚଣ୍ଡଙ୍କୁ ‘ଲୋକଙ୍କ ନିକଟରେ ଆତ୍ମସମର୍ପଣ କରିବା ଏବଂ ନେପାଳର ଲୋକଙ୍କ ଇଚ୍ଛା ଅନୁଯାୟୀ ରାଜନୈତିକ  ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କହିଥିଲେ ।

The post ନେପାଳକୁ ଫେରିବ କି ରାଜତନ୍ତ୍ର ? ପୁଣି ହେବ କି ନେପାଳ ହିନ୍ଦୁ ରାଷ୍ଟ୍ର ? first appeared on Kanak News.

from Kanak News
via <a href="https://ifttt.com/?

୧୩ଟି ବିରଳ ରୋଗ ପାଇଁ ଭାରତରେ ମିଳିବ ଔଷଧ । ତାହା ପୁଣି ଶସ୍ତା ଦାମରେ

କନକ ବ୍ୟୁରୋ : ଦେଶରେ ସେହି ରୋଗୀମାନଙ୍କ ପାଇଁ ଖୁସି ଖବର ଯେଉଁମାନେ ବିରଳ ରୋଗରେ ପୀଡିତ । ଏବେ ସରକାର ସେମାନଙ୍କୁ କମ୍ ଦାମରେ ଔଷଧ ପ୍ରଦାନ କରିବେ । ଏହି ୧୩ଟି ବିରଳ ରୋଗ ପାଇଁ ଦେଶରେ ଔଷଧ ପ୍ରସ୍ତୁତ ହୋଇଛି । ଏବେ ଏହି ଔଷଧର ଦାମ କୋଟି କୋଟି ଟଙ୍କା ନୁହେଁ ବରଂ କମ୍ ଦାମରେ ଉପଲବ୍ଧ ହେବ ।

ଏହି ବିରଳ ରୋଗ ମଧ୍ୟରେ ରହିଛି ସିକିଲ ସେଲ ବା ଏନିମିୟା । ଯାହାର ସିରଫ ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ଉପଲବ୍ଧ ହେବ । ଏହି ଔଷଧ ଆସିବା ପରେ ଲକ୍ଷ ଲକ୍ଷ ଏନିମିୟା ରୋଗୀ ଉପକୃତ ହେବେ । ସେହିଭଳି ଟାଇରୋସିନେମିଆ, ଗାଉଚରର୍ସ, ୱିଲସନସ୍, ଡ୍ରାଭେଟ, ଫେନିଲକେଟୋନୁରିଆ, ହାଇପରମମୋନେମିଆ ଭଳି ବିରଳ ରୋଗ ରହିଛି । ଏହି ରୋଗର ଔଷଧ ୬ ଲକ୍ଷ ରୁ ଆରମ୍ଭ କରି ୨ କୋଟି ଟଙ୍କା ପର୍ଯ୍ୟନ୍ତ ଲାଗିଥାଏ । ସେହିଭଳି ନିଟିସିନୋନେ, ଏଇଗ୍ଲୋସଟ, ଟ୍ରିନଟିନେ ଓ କାନାବାଇଡୋଲ ଭଳି ବିରଳ ରୋଗର ଔଷଧ ଉପଲବ୍ଧ ହେବ । ଅନ୍ୟପଟେ ଏଲିଗୁସ୍ଟା ରୋଗ ପାଇଁ ଔଷଧର ଦାମ ୬୯ କୋଟି ଟଙ୍କା ଥିବା ବେଳେ ଏହା ୩ ରୁ ୬ ଲକ୍ଷ ଟଙ୍କା ମଧ୍ୟରେ ଉପଲବ୍ଧ ହେବ ।

ଏହି ବିରଳ ରୋଗର ନିରାକରଣ ପାଇଁ ୮ ଟି ଔଷଧ ଉପରେ ଅନୁସନ୍ଧାନ ଚାଲିଥିବା ବେଳେ ଏବେ ୪ଟି ଔଷଧକୁ ଅନୁମତି ମିଳିଛି ।

The post ୧୩ଟି ବିରଳ ରୋଗ ପାଇଁ ଭାରତରେ ମିଳିବ ଔଷଧ । ତାହା ପୁଣି ଶସ୍ତା ଦାମରେ first appeared on Kanak News.

from Kanak News
via <a href="https://ifttt.com/?

ଖବର ବାଜିବାର ୨୪ ଘଂଟା ନପୁରୁଣୁ ଚେତିଲା ପ୍ରଶାସନ । ରାତି ପାହୁ ପାହୁ ବାଙ୍କୀରେ ଆରମ୍ଭ ହେଲା ରାସ୍ତା କାମ

କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ଖବର ପ୍ରସାରଣର ୨୪ ଘଂଟା ନପୂରୁଣୁ ଅଧାପନ୍ତରିଆ ଭାବରେ ପଡ଼ିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । କଟକ ବାଙ୍କୀ ବ୍ଲକ ଅନ୍ତର୍ଗତ କଢ଼ାମଲ୍ଲ – ପୁଇଁଚା ରାସ୍ତା ନିର୍ମାଣ କାର୍ଯ୍ୟ ଦୀର୍ଘ ୮ ମାସ ଧରି ଅଧା ପନ୍ତରିଆ ଅବସ୍ଥାରେ ପଡି ରହିଥିଲା । ଏନେଇ ଗତକାଲି କନକ ନ୍ୟୁଜରେ ଖବର ପ୍ରସାରିତ ହୋଇଥିଲା । ଖବର ବାଜିବା ପରେ ପ୍ରଶାସନର ନିଦ ଭାଙ୍ଗିଛି । ଆଉ ଆଜି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଛି । ଆଠଗଡ଼ ଗ୍ରାମ୍ୟ ନିର୍ମାଣ ଉପବିଭାଗ ଅଧିକାରୀ ଅଜୟ ମହାପାତ୍ର ନିଜେ ଉପସ୍ଥିତ ରହି ରାସ୍ତା କାର୍ଯ୍ୟ ତଦାରଖ କରୁଥିବା ବେଳେ ଖୁବଶୀଘ୍ର ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

The post ଖବର ବାଜିବାର ୨୪ ଘଂଟା ନପୁରୁଣୁ ଚେତିଲା ପ୍ରଶାସନ । ରାତି ପାହୁ ପାହୁ ବାଙ୍କୀରେ ଆରମ୍ଭ ହେଲା ରାସ୍ତା କାମ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started