ସୁଟକେସରେ ମୃତଦେହ । ସାମନାକୁ ଆସିଲା ଛାତିଥରା କାହାଣୀ

କନକ ବ୍ୟୁରୋ : ମୁମ୍ବାଇ କ୍ରାଇମବ୍ରାଂଚର ତଦନ୍ତ ପରେ ଜଣାପଡିଛି, ସୁଟକେସରେ ଥିବା ମୃତଦେହ ଜଣେ ଓଡିଆ ଯୁବତୀଙ୍କର ଥିଲା । ଯୁବତୀ ଜଣଙ୍କ ସୁନ୍ଦରଗଡ ଲେଫ୍ରିପଡା ଥାନା ବନ୍ଦଲିକାନିର ପ୍ରତିମା କିଶପଟ୍ଟା । ଆଉ ତାଙ୍କୁ ତଂଟି ଚିପି ହତ୍ୟା କରିଛି ବୟଫ୍ରେଣ୍ଡ ଅସକର ମନୋଜ ବାର୍ଲା । ବଡ କଥା ହେଉଛି, ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତ ଅସକର, ମୃତଦେହକୁ ଟ୍ରଲି ବ୍ୟାଗରେ ପୂରାଇ ଏଣେତେଣେ ଘୁରି ବୁଲିଥିଲା । ଶେଷରେ ନିର୍ମାଣଧୀନ କୁଲା ମେଟ୍ରୋ ପ୍ରକଳ୍ପ ନିକଟରେ ଟ୍ରଲି ବ୍ୟାଗକୁ ଛାଡି ଫେରାର ହୋଇଯାଇଥିଲା । କିନ୍ତୁ ମୁମ୍ବାଇ ପୋଲିସ ସିସିଟିଭି ଫୁଟେଜ ଆଧାରରେ ଯାଂଚ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ତାପରେ ସାମନାକୁ ଆସିଛି ପୂରା କାହାଣୀ ।

ମୁମ୍ବାଇର ଧରାବୀରେ ପ୍ରାୟ ଦୁଇ ବର୍ଷ ହେବ ପ୍ରତିମା, ଅସକର ସହ ଲିଭଇନରେ ରହୁଥିଲେ । ପ୍ରତିମା କିଶପଟ୍ଟା ଜଣଙ୍କ ଘରେ କାମ କରୁଥିଲେ । ଅସକର ଏକ ମିଠା ଦୋକାନରେ କାମ କରୁଥିଲେ । କିନ୍ତୁ ପ୍ରତିମାଙ୍କ ଚରିତ୍ରକୁ ନେଇ ଅସକର ସନ୍ଦେହ କରୁଥିଲା । ଆଉ ସେଥିପାଇଁ ସେ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି ।

ପ୍ରତିମାଙ୍କ ମୃତ୍ୟୁ ଖବର ପାଇବା ପରେ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତକଙ୍କ ପରିବାର ।ଅଭିଯୁକ୍ତ ଅସକରକୁ ୩ ଦିନିଆ ରିମାଣ୍ଡରେ ନେଇଛି ମୁମ୍ବାଇ କ୍ରାଇମବ୍ରାଂଚ । ହତ୍ୟା ପଛର ପ୍ରକୃତ କାରଣ କଣ ସେ ନେଇ ଅଭିଯୁକ୍ତକୁ ପଚରାଉଚୁରା କରୁଛି । ତେବେ ଏହି ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ, ମ୍ବମ୍ବାଇ ପୋଲିସ ସେ ଦିଗରେ ମଧ୍ୟ ତଦନ୍ତ କରିବ ବୋଲି ସୂଚନା ଦେଇଛି ।

The post ସୁଟକେସରେ ମୃତଦେହ । ସାମନାକୁ ଆସିଲା ଛାତିଥରା କାହାଣୀ first appeared on Kanak News.

from Kanak News
via <a href="https://ifttt.com/?

ବିଧାନସଭାରେ ଆଦିବାସୀଙ୍କ ଜମି ହସ୍ତାନ୍ତର ତାତି । ବିରୋଧୀଙ୍କ ହଙ୍ଗାମା, ଚାଲିପାରିଲାନି ଗୃହ

କନକ ବ୍ୟୁରୋ : ଆଦିବାସୀଙ୍କ ଜମି ବିକ୍ରି ନେଇ କ୍ୟାବିନେଟ ନିଷ୍ପତ୍ତିକୁ ସରକାର ସ୍ଥଗିତ ରଖିଛନ୍ତି । କିନ୍ତୁ ଏହାକୁ ନେଇ ତାତି କମୁନାହିଁ । ବିଧାନସଭାରେ ସରକାରଙ୍କୁ ଆକ୍ରମଣ କରି ଗୃହକୁ ଚଲାଇଦେଇନାହାନ୍ତି ବିରୋଧୀ । ଫଳରେ ବିଧାନସଭା ଶୀତ ଅଧିବେଶର ଦ୍ୱିତୀୟ ଦିନ ଚାଲିପାରିନାହିଁ । ବିଜେପି ବୁଧବାରଦିନ ଆଦିବାସୀ ଜମି ହସ୍ତାନ୍ତର ନେଇ ମୁଲତବୀ ପ୍ରସ୍ତାବ ଆଣିଥିଲା । ଗୃହର ସମସ୍ତ କାର୍ଯ୍ୟକୁ ବନ୍ଦ କରି ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ପ୍ରଶ୍ନ କାଳ ଆରମ୍ଭ ହେବା ମାତ୍ରେ ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ଓ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ । ପେସା ଆଇନ ଲାଗୁ କରିବାକୁ କଂଗ୍ରେସ ଦାବି କରିଥିଲା । ବିଜେପି ସଦସ୍ୟ ଆଦିବାସୀ କପଡାରେ ବୁଣାଯାଇଥିବା ଉତରୀୟ ପକାଇ ଗୃହକୁ ପ୍ରବେଶ କରିଥିଲେ । ହଟ୍ଟଗୋଳ ଯୋଗୁଁ ଗୃହକୁ ପ୍ରଥମେ ଦିନ ୧୨ଟା ଓ ପରେ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି ।

ବିିଧାନସଭାକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବର୍ଦଳୀୟ ବୈଠକ ଡାକିଥିଲେ । କିନ୍ତୁ ଏହା ବିଫଳ ହୋଇଛି । ଅପରାହ୍ନ ୪ଟା ପରେ ବି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକୁ ଗୁରୁବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ବିଜେପି ଅଭିଯୋଗ ଆଣିଛି, ଆଦିବାସୀଙ୍କ ଜମି ଅଣ ଆଦିବାସୀ କିଣିବା ନିଷ୍ପତିକୁ ସ୍ଥଗିତ ନୁହେଁ ପ୍ରତ୍ୟାହାର କରାଯାଉ । ଏହାପଛରେ ରାଜ୍ୟ ସରକାରଙ୍କ ବଡ ଚକ୍ରାନ୍ତ ଓ ଷଡଯନ୍ତ୍ର ରହିଛି । କଂଗ୍ରେସ କହିଛି, କ୍ୟାବିନେଟ ନିଷ୍ପତ୍ତିସଂପୂର୍ଣ୍ଣ ଆଦିବାସୀମାରଣ ନୀତି । ଆଦିବାସୀଙ୍କ ପ୍ରତି ଦରଦ ଥିଲେ ସରକାର ତୁରନ୍ତ ପେଶା ଆଇନ ଲାଗୁ କରନ୍ତୁ । ଜବାବରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ବିରୋଧୀ ଶସ୍ତା ରାଜନୀତି କରୁଛନ୍ତି । ଗୋଳିଆ କରି ଗୃହକୁ ବନ୍ଦ କରୁଛନ୍ତି ।

ଆଦିବାସୀ ଜମି ପ୍ରସଙ୍ଗରେ ଧୋଇହୋଇଯାଇଛି ବିଧାନସଭାର ଦ୍ୱିତୀୟ ଦିନର ଗୃହକାର୍ଯ୍ୟ । ଗୁରୁବାର ବିରୋଧୀ ଗୃହରେ କି ଆଭିମୁଖ୍ୟ ଦେଖାଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

The post ବିଧାନସଭାରେ ଆଦିବାସୀଙ୍କ ଜମି ହସ୍ତାନ୍ତର ତାତି । ବିରୋଧୀଙ୍କ ହଙ୍ଗାମା, ଚାଲିପାରିଲାନି ଗୃହ first appeared on Kanak News.

from Kanak News
via <a href="https://ifttt.com/?

ସମାଜ ଗଠନରେ ଶିକ୍ଷାର ଭୂମିକା ସବୁଠୁ ଗୁରୁତ୍ୱ । ମା’ ଓ ମାତୃଭାଷା ଉପରେ ଗୁରୁତ୍ୱ, ମା’ ସମଲେଶ୍ୱରୀଙ୍କୁ ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ

କନକ ବ୍ୟୁରୋ : ପ୍ରକୃତରେ ମା’ ହିଁ ପ୍ରଥମ ଗୁୁରୁ । ଘରୁ ପଡ଼ିଥାଏ ଶିକ୍ଷାର ମୂଳଦୂଆ । ସମାଜ ଗଠନରେ ଶିକ୍ଷାର ଭୂମିକା ସମ୍ପର୍କରେ ରାଷ୍ଟ୍ରପତି ଯେତେବେଳେ ଆଲୋକପାତ କରୁଥିଲେ, ସେତେବେଳେ ମା’ ଓ ମାତୃଭାଷାକୁ ଶୀର୍ଷରେ ରଖିଥିଲେ । ଅବସର ଥିଲା- ନୂଆ ଭାରତ, ନୂଆ ଶିକ୍ଷା ନୀତି କାର୍ଯ୍ୟକ୍ରମ । ସମ୍ବଲପୁରରେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମାଜ ଓ ଦେଶର ପରିର୍ବତନ ପାଇଁ ଶିକ୍ଷାର ଭୂମିକା ସମ୍ପର୍କରେ କହିଥିଲେ ମହାମହିମ ରାଷ୍ଟ୍ରପତି । ଶିକ୍ଷା କିଭଳି, ସେବା, ସମାନତା ଓ ସହାନୁଭୁତି ଭଳି ନୈତିକ ଓ ମାନବିକ ମୂଲ୍ୟବୋଧର ଆଧାର ପକାଇଥାଏ, ତାହା ଅତି ସୁନ୍ଦର ଓ ସରଳ ଢ଼ଙ୍ଗରେ ଉପସ୍ଥାପନ କରିଥିଲେ ଦ୍ରୌପଦୀ ମୁର୍ମୁ ।

ସମାଜରେ ସକରାତ୍ମକ ପରିବର୍ତନ ଆଣିବାରେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ହେଉଥିବା ଉଦ୍ୟମକୁ ରାଷ୍ଟ୍ରପତିଙ୍କ ଭଳି ରାଜ୍ୟପାଳ ରଘୁବର ଦାସ ମଧ୍ୟ ପ୍ରଶଂସା କରିଥିଲେ ।

ସମ୍ବଲପୁର ଗସ୍ତର ଦ୍ୱିତୀୟ ଦିନରେ ବ୍ରହ୍ମାକୁମାରୀଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁୁକୁନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ମୟୁରଭଞ୍ଜ ଓ ସମ୍ବଲପୁର ଜିଲ୍ଳାକୁ ଯାଇଥିଲେ । ଜନ୍ମମାଟି ମୟୁରଭଞ୍ଜରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ବାଦାମପାହାଡ଼ରୁ ୩ଟି ଟ୍ରେନ୍ର ଶୁଭାରମ୍ଭ କରିଥିଲେ । ସେହିପରି ସମ୍ବଲପୁରରେ ଭିସୁଟ୍ ସମାବର୍ତନ ଉତ୍ସବରେ ସାମିଲ୍ ହେବା ପରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ ।

The post ସମାଜ ଗଠନରେ ଶିକ୍ଷାର ଭୂମିକା ସବୁଠୁ ଗୁରୁତ୍ୱ । ମା’ ଓ ମାତୃଭାଷା ଉପରେ ଗୁରୁତ୍ୱ, ମା’ ସମଲେଶ୍ୱରୀଙ୍କୁ ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ first appeared on Kanak News.

from Kanak News
via <a href="https://ifttt.com/?

ସୁଡ଼ଙ୍ଗରୁ ଶୀଘ୍ର ବାହାରିବେ ଶ୍ରମିକ । ଉଦ୍ଧାର ପାଇଁ ଆଜି ରାତିକ ଅପେକ୍ଷା!

କନକ ବ୍ୟୁରୋ :  ଉତ୍ତରକାଶୀର ସିଲକ୍ୟାରା ସୁଡ଼ଙ୍ଗ ସାମ୍ନାରେ ପ୍ରସ୍ତୁତ ହୋଇ ରହିଥିବା ଏହି ଆମ୍ବୁଲାନ୍ସ, ବଡ଼ ଆଶ୍ୱସ୍ତି ଆଣିଦେଇଛି । ଫସିରହିଥିବା ଶ୍ରମିକମାନେ ଶୀଘ୍ର ଉଦ୍ଧାର ପାଇବେ ବୋଲି ଆଶା ସଂଚାର ହୋଇଛି । ସୁଡ଼ଙ୍ଗର ଭଗ୍ନାବଶେଷ ଦେଇ ସମାନ୍ତରାଳ ଭାବେ ଯେଉଁ ପାଇପ ଖଞ୍ଜା ଯାଉଛି, ତାହା ପ୍ରାୟ ୬୭ ପ୍ରତିଶତ ପ୍ରବେଶ କରିସାରିଛି । ଆଉ ମାତ୍ର କିଛି ମିଟରେ ପରେ ଶ୍ରମିକଙ୍କ ପାଖରେ ଏହି ପାଇପ ପହଂଚିଯିବ । ଏବଂ ପ୍ରାୟ ୯୦୦ ମିଟର ଗୋଲେଇର ଏହି ପାଇପ୍ ଦେଇ ସୁଡଙ୍ଗ ଭିତରେ ଫସିରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ । ତେଣୁ ଆଗାମୀ କିଛି ଘଂଟା ଉଦ୍ଧାରକାରୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସଡକ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ମହମୁଦ ଅହମ୍ମଦ ।

ବଡକଥା ହେଉଛି ଶ୍ରମିକମାନଙ୍କ ସହ ଯୋଗାଯୋଗ ଆହୁରି ସହଜ ହୋଇଛି । ମଙ୍ଗଳବାରଠାରୁ ଶ୍ରମିକମାନଙ୍କ ପାଖରେ ପହଂଚିସାରିଥିବା ୬ ଇଂଚ୍ ଓସାରର ଏକ ପାଇପ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚିପାରୁଛି । ଯାହାକୁ କୁହାଯାଉଛି ଦ୍ୱିତୀୟ ଲାଇଫ ଲାଇନ୍ । ଏହି ପାଇପ ଜରିଆରେ ଶ୍ରମିକଙ୍କୁ ରୁଟି, ତରକାରୀ, ଖେଚେଡି଼, ଦଲିଆ, କମଳା, କଦଳି ଭଳି ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଟି-ସାର୍ଟ, ଅନ୍ତଃବସ୍ତ୍ର, ଟୁଥପେଷ୍ଟ ଓ ସାବୁନ ଆଦି ଯୋଗାଇ ଦିଆଯାଇଛି । ଗତ ୧୨ ତାରିଖରୁ ଉତରାଖଣ୍ଡର ଏହି ସୁଡଙ୍ଗ ଭିତରେ ୪୧ ଜଣ ଶ୍ରମିକ ଫସିରହିଛନ୍ତି   । ଏମାନଙ୍କ ଉଦ୍ଧାର ନେଇ ସାକାରାତ୍ମକ ଖବର ଆସିବା ପରେ ଆଶ୍ୱସ୍ତ ହୋଇଛନ୍ତି ଓଡିଶାରୁ ଯାଇଥିବା ୫ ଶ୍ରମିକଙ୍କ ପରିବାର ।

ଗୋଟିଏ ପଟେ ଆମେରିକାରୁ ଅଣାଯାଇଥିବା ଆର୍ଥ ଅଗର ମେସିନ୍ ସାହାଯ୍ୟରେ ଏକ ପାଇପ ସୁଡଙ୍ଗର ସମାନ୍ତରାଳ ଭାବେ ଖଞ୍ଜା ଯାଉଛି । ଅନ୍ୟପଟେ ସୁଡଙ୍ଗର ଉପରପଟୁ ତେରେଛା ଭାବେ ଆଉଏକ ବିକଳ୍ପ ବାଟ ମଧ୍ୟ କରାଯାଉଛି । ଏଥିପାଇଁ ବର୍ଡର ରୋଡ ଅର୍ଗାନାଇଜେସନ୍- ବିଆରଓ ଏକ ରାସ୍ତା ତିଆରି କରିଥିଲା । ଏହାଫଳରେ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ସମ୍ଭବ ହେବ । ବିଭିନ୍ନ ପ୍ରକାର ବାଧା ଓ ବାରମ୍ବାର ଯୋଜନା ପରିବର୍ତନ ସତ୍ୱେ ଏବେ ଶ୍ରମିକଙ୍କ ମୁକ୍ତି ନେଇ ଆଶା ଦେଖା ଦେଇଛି । ଶୀଘ୍ର ଶ୍ରମିକମାନେ ବାହାରକୁ ବାହାରିଲେ ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି ।

The post ସୁଡ଼ଙ୍ଗରୁ ଶୀଘ୍ର ବାହାରିବେ ଶ୍ରମିକ । ଉଦ୍ଧାର ପାଇଁ ଆଜି ରାତିକ ଅପେକ୍ଷା! first appeared on Kanak News.

from Kanak News
via <a href="https://ifttt.com/?

କାଲିଠୁ କାର୍ତ୍ତିକ ପଞ୍ଚକ ବ୍ରତ । କଟକ ଧବଳେଶ୍ୱରଙ୍କ ପାଖରେ ହେବ ପ୍ରବଳ ଭିଡ, ସୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତ

କନକ ବ୍ୟୁରୋ : ରାତି ପାହିଲେ ପ୍ରଥମ ପଞ୍ଚକ , ଧବଳେଶ୍ଵରଙ୍କ ପୀଠରେ ସମାଗମ ହେବେ ହଜାର ହଜାର ଶ୍ରଦ୍ଧାଳୁ। ଏଥର ଝୁଲାପୋଲ ନୂହେଁ ନୂତନ ଭାବେ ନିର୍ମିତ କଂକ୍ରିଟ୍ ସେତୁ ଦେଇ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ସେଥିପାଇଁ ଦେବତ୍ତୋର ବିଭାଗ ପକ୍ଷରୁ କଂକ୍ରିଟ୍ ସେତୁ ଠାରୁ ମନ୍ଦିର ବେଢା ପର୍ୟ୍ୟନ୍ତ ସଂପୂର୍ଣ୍ଣ ବ୍ୟାରିକେଟ କରାଯାଇଛି। ରାତି ୪ଟାରୁ ନୀତିକାନ୍ତି ସଂପୂର୍ଣ୍ଣ କରାଯାଇ ସର୍ବସାଧାରଣ ଦର୍ଶନ ପାଇଁ ଦ୍ବାର ଫିଟାଯିବା ସହ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ପୂଜକ ସମିତି ପକ୍ଷରୁ କୁହାଯାଇଛି। ବାବା ଧବଳେଶ୍ଵରଙ୍କ ବଡଓଷା ଓ ପଞ୍ଚକ ଯାତ୍ରା ପାଇଁ ସଜେଇ ହୋଇଛି ମନ୍ଦିର ସହ ମନ୍ଦିର ବେଢା ।

ସ୍ଥାୟୀ କଂକ୍ରିଟ ମଧୁସୂଦନ ସେତୁ ପାଲଟିଛି ଅତ୍ୟାଧିକ ଜନ ସମାଗମର ପ୍ରମୁଖ କାରଣ। ପଞ୍ଚୁକ ପାଞ୍ଚ ଦିନ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଓ ଭାବାବେଗକୁ ଦୃଷ୍ଟିରେ ରଖି ଏକକ ଯାତାୟତ ବ୍ୟବସ୍ଥା ସହ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଟକ ଗ୍ରାମାଞ୍ଚଳ ଏସପି ମିହିର କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୩ ଜଣ ଆଡିସନାଲ ଏସ୍ ପି, ୮ ଜଣ ଡିଏସପି,୧୬ ଜଣ ଇନ୍ସପେକ୍ଟର, ୬୦ ଜଣ ସଵ ଇନ୍ସପେକ୍ଟର ଙ୍କ ସହିତ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ଓଡ୍ରାଫ,ଏନ୍ ଡି ଆର ଏଫ,ଓ ଅଗ୍ନିଶମ ବିଭାଗ ମଧ୍ୟ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ନିୟୋଜିତ ରହିବେ।

୫ ଦିନ ଧରି ପଞ୍ଚକ ଓ ବଡଓଷା ଯାତ୍ରାରେ ବାବା ଧବଳେଶ୍ଵରଙ୍କ ପୀଠରେ ସମାଗମ ହେବେ ଲକ୍ଷାଧିକ ଭକ୍ତ । ସେଥିପାଇଁ ପ୍ରଶାସନ , ଦେବତ୍ତୋର ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ସରିଥିବା ବେଳେ କେବଳ ଭକ୍ତ ଓ ଶ୍ରଦ୍ଧାଳଙ୍କୁ ଅପେକ୍ଷା, ।

The post କାଲିଠୁ କାର୍ତ୍ତିକ ପଞ୍ଚକ ବ୍ରତ । କଟକ ଧବଳେଶ୍ୱରଙ୍କ ପାଖରେ ହେବ ପ୍ରବଳ ଭିଡ, ସୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତ first appeared on Kanak News.

from Kanak News
via <a href="https://ifttt.com/?

ପଥର କହୁଛି ପାଇକଙ୍କ ବିରତ୍ୱର ଗାଥା । ଇଂରେଜ ବିରୋଧରେ ଖୋର୍ଦ୍ଧା ଗଡ ବିଦ୍ରୋହର କାହାଣୀ କହୁଛି କାଂଜିଆଗଡରେ ମିଳିଥିବା ଶିଳାଖଣ୍ଡ

କନକ ବ୍ୟୁରୋ : ପ୍ରତିଟି ଖଣ୍ଡରେ ଅଙ୍କାଯାଇଛି ବିରତ୍ୱର ଛବି। କିନ୍ତୁ ଏହି ଶିଳାଖଣ୍ଡର ସଂରକ୍ଷଣ ସହ ଖନନ ପାଇଁ ଉଠିଛି ଦାବି। ପାଇକ ସଂଗ୍ରାମର ଏନ୍ତୁଡ଼ିଶାଳ ଖୋର୍ଦ୍ଧାଗଡ଼। ବରୁଣେଇର ଅନତି ଦୂରରେ ଥିବା ନନ୍ଦପୁର ପଂଚାୟତର ମହାତପଲ୍ଲାର କାଞ୍ଜିଆଗଡ଼ରୁ ମିଳିଛି ପାଇକଙ୍କ ପରାକ୍ରମର ପ୍ରମାଣ ଶିଳାଲିପି। କୁହାଯାଏ ଖୋର୍ଦ୍ଧା ଗଡ଼କୁ ଦଖଲ କରିବା ପାଇଁ ଇଂରେଜ ସୈନ୍ୟ ଚାରିପଟୁ ଅଭିଯାନ ଆରମ୍ଭ କରିଥିଲେ । ଦଶହରା ସମୟରେ ଶସ୍ତ୍ର ପୂଜା କରି ଗଡ଼ ଜଗିଥିବା ୧୮ ଜଣ ପାଇକ ବିଶ୍ରାମ ନେଇଥିବା ବେଳେ ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ଇଂରେଜ ସୈନ୍ୟ । ସେହି ପାଇକଙ୍କ ଛବିକୁ ପଥର ମାଧ୍ୟମରେ ଖୋଦେଇ କରି କାଳଜୟି ପାଇଁ ରଖାଯାଇଥିବା କୁହାଯାଏ।

ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଂଚଳରେ ବିଭିନ ସମୟରେ ଉଦ୍ଧାର ହୋଇଛି ପାଇକଙ୍କ ଅନେକ କୀର୍ତିରାଜି। ଇଂରେଜ ବିରୋଧରେ ଲଢେଇର ରହିଛି ଅନେକ ବଳିଷ୍ଠ ପ୍ରମାଣ। କାଞ୍ଜିଆଗଡ଼ର ଏହି ଖୋଦିତ ଶିଳାଖଣ୍ଡକୁ ସଂରକ୍ଷଣ କରି ରଖିବା ସହ ଏହାକୁ ଖନନ କରାଗଲେ ପାଇକ ବିଦ୍ରୋହର ଅନେକ ଅଵଲୋକୀତ ତଥ୍ୟ ମିଳିପାରିବ ବୋଲି କହିଛନ୍ତି ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ  ।

The post ପଥର କହୁଛି ପାଇକଙ୍କ ବିରତ୍ୱର ଗାଥା । ଇଂରେଜ ବିରୋଧରେ ଖୋର୍ଦ୍ଧା ଗଡ ବିଦ୍ରୋହର କାହାଣୀ କହୁଛି କାଂଜିଆଗଡରେ ମିଳିଥିବା ଶିଳାଖଣ୍ଡ first appeared on Kanak News.

from Kanak News
via <a href="https://ifttt.com/?

ପ୍ରଶାସନ ଶୁଣିଲା ଛାତ୍ରଙ୍କ ସମସ୍ୟା । ହଷ୍ଟେଲ ଅସୁବିଧା କହିବାକୁ ୩ କିଲୋମିଟର ଚାଲିଲେ ପିଲା

କନକ ବ୍ୟୁରୋ : ବିଭନ୍ନ ସମସ୍ୟା ନେଇ ଛାତ୍ରାବାସରେ ରହୁଥିବା ଛାତ୍ରଙ୍କ ଅଭିଯୋଗ । ହଷ୍ଟଲରେ ଲାଗି ରହିଥିବା ଅବ୍ୟବସ୍ଥା ସମ୍ପର୍କରେ ଜଣାଇବାକୁ ଶତାଧିକ ଛାତ୍ର ପ୍ରାୟ ୩ କିଲୋମିଟର ଚାଲି ଚାଲି ଆସି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଚିଛନ୍ତି । ସେଠାରେ ସମସ୍ୟା ସମ୍ପର୍କୀତ ଘଟଣା କହିବା ସହ ପ୍ରଧାନ ଶିକ୍ଷକଙ୍କ ଦୁର୍ବ୍ୟବହାର ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଗରିବ ଆଦିବାସୀ ପିଲାଙ୍କ ପାଇଁ ସରକାର ହଷ୍ଟେଲରେ ବିଭିନ ସୁବିଧାମାନ କରୁଛନ୍ତି । ହେଲେ ରାୟଗଡା ଆର-ଏସ୍-ଇ-ଡବ୍ଲ୍ୟୁ-ସି ହାଇସ୍କୁଲ ଛାତ୍ରାବାସରେ ଅନେକ ସମସ୍ୟା । ନିମ୍ନମାନର ଖାଦ୍ୟ ଦିଆଯାଉଥିବା ବେଳେ ବିରୋଧ କଲେ ପିଲାଙ୍କୁ ଧମକାଇବା ସହ ଦୁର୍ବର୍୍ୟବହାର କରାଯାଉଥିବା ଅଭିଯୋଗ ଆଣିଛନ୍ତି ପିଲାମାନେ । ହାଇସ୍କୁଲରେ ଷଷ୍ଠ ଶ୍ରେଣୀରୁ ଦେଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ହଷ୍ଟେଲର ବ୍ୟବସ୍ଥା ରହିଛି । ହେଲେ ଏହି ସମସ୍ତ ସମସ୍ୟା ଲାଗି ରହିଥିବା ବେଳେ ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯାଇପାରୁନି । ଯାହାକୁ ବିରୋଧ କରବା ସହ ହଷ୍ଟଲରେ ରହୁଥିବା ୧୯୩ ଜଣ ଛାତ୍ର ୩ କିମି ଚାଲି ଚାଲି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଚିଂ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସେପଟେ ଜିଲ୍ଲାପାଳ ତୁରନ୍ତ ଡିଡବ୍ଲ୍ୟୁଓ ଏବଂ ଡିଇଓଙ୍କୁ ଡାକି ପିଲାଙ୍କ ସମ୍ମୁଖରେ ସମସ୍ୟାର ସମାଧାନ ତୁରନ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

The post ପ୍ରଶାସନ ଶୁଣିଲା ଛାତ୍ରଙ୍କ ସମସ୍ୟା । ହଷ୍ଟେଲ ଅସୁବିଧା କହିବାକୁ ୩ କିଲୋମିଟର ଚାଲିଲେ ପିଲା first appeared on Kanak News.

from Kanak News
via <a href="https://ifttt.com/?

ପାକିସ୍ତାନ ଜେଲ ଜୀବନଠୁ ବଳି ଯାଇଛି ବର୍ତ୍ତମାନର ଜୀବନ । ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ସୁନ୍ଦରଗଡର ବିର୍ଜୁ କୁଲୁ

କନକ ବ୍ୟୁରୋ : ପାକିସ୍ତାନ ଜେଲ ଜୀବନ ଠାରୁ ବଳି ପଡିଛି ବର୍ତ୍ତମାନର ଜୀବନ । ଶତ୍ରୁ ଦେଶର ଜେଲରେ ଥିବା ବେଳେ କିଛି ନହଲେ ଦିନକୁ ତିନି ଓଳି ଦାନା ମିଳୁଥିଲା, ହେଲେ ନିଜ ଭିଟାମାଟିକୁ ଫେରିବା ପରେ ଓଳିଏ ଖାଇବା କଷ୍ଟକର ହୋଇପଡିଛି । ବିଧବା ଭାଇବୋହୂ ମୁଲ ଲାଗି ଆଣିଲେ ଦେଢଶ୍ୱଶୁରଙ୍କ ପେଟ ପୁରୁଛି, ନହେଲେ ଉପାସରେ ଦିନ କଟୁଛି । ଏ କାହାଣୀ ହେଉଛି ୨୫ ବର୍ଷ ଧରି ପାକିସ୍ତାନ ଜେଲରେ ବନ୍ଦୀ ଜୀବନ ବିତାଇଥିବା ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକର ବିର୍ଜୁ କୁଲୁଙ୍କର ।

ମାନସିକ ବିକାରଗ୍ରସ୍ତ ବିର୍ଜୁ କୁଲୁ ଦାଦନ ଖଟିବାକୁ ଯାଇ ପାକିସ୍ତାନ ସୀମା ଡେଇଁ ଯାଇଥିଲେ । ତେଣୁ ପାକିସ୍ତାନ ଜେଲରେ ୨୫ ବର୍ଷ ସଜା କାଟିବା ପରେ ୨୦୨୦ ଅକ୍ଟୋବର ୨୬ରେ ନିଜ ଭିଟାମାଟିକୁ ଫେରିଥିଲେ । ସେତେବଳେ ପ୍ରଶାସନ ପକ୍ଷରୁ ୩୦ ହଜାର ଟଙ୍କା ଓ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଳ ଯୋଗାଇବା ପାଇଁ ଏକ କାର୍ଡ ଦିଆଯାଇଥିଲା, ପକ୍କା ଘରଟିଏ ତିଆରି କରିଦେବାକୁ ବ୍ଲକ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା । ହେଲେ ଏହାରି ଭିତରେ ୩ ବର୍ଷ ବିତିଲାଣି, ହେଲେ ଏଯାଏଁ ନା ଚାଉଳ ମିଳୁଛି ନା ପକ୍କା ଘର । ଭାଇବୋହୂଙ୍କ ପାଖରେ ଏଇ କୁଡିଆରେ ରହୁଛନ୍ତି ବିର୍ଜୁ କୁଲୁ । ଆଉ ୭ ପିଲା ଓ ଦେଢଶ୍ୱଶୁରଙ୍କୁ ପୋଷିବା ପାଇଁ ମୁଲ ଲାଗୁଛନ୍ତି ବିର୍ଜୁଙ୍କ ଭାଇବୋହୂ ।

ଜଣେ ମାନସିକ ବିକାଗ୍ରସ୍ତ ବ୍ୟକ୍ତିଙ୍କ ବୟସର ସଠିକ୍ ପ୍ରମାଣ ମିଳୁନଥିବାରୁ ଭତା ମିଳୁନାହିଁ । ସେପଟେ ଏ ସଂପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି କୁତ୍ରା ବ୍ଲକ ବିଡିଓ ।

The post ପାକିସ୍ତାନ ଜେଲ ଜୀବନଠୁ ବଳି ଯାଇଛି ବର୍ତ୍ତମାନର ଜୀବନ । ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ସୁନ୍ଦରଗଡର ବିର୍ଜୁ କୁଲୁ first appeared on Kanak News.

from Kanak News
via <a href="https://ifttt.com/?

୨ ମାସ ହେଲା ଗଜପତି ଜିଲ୍ଲା ସୀମାନ୍ତରେ ବୁଲୁଛି ମହାବଳ । ଗାଈକୁ ଝାମ୍ପି ନେଇ ଖାଇଦେଲା, ଟ୍ରାପ୍ କ୍ୟାମେରାରେ କଏଦ ହେଲା ଦୃଶ୍ୟ

କନକ ବ୍ୟୁରୋ : ଓଡିଶା ସୀମାରେ ପୁଣି ମହାବଳ ଆତଙ୍କ । ମହେନ୍ଦ୍ରଗିରି ବନାଞ୍ଚଳ ଗଣ୍ଡା ହାତୀ ଅଞ୍ଚଳରେ କିଛି ମାସ ତଳେ ଆତଙ୍କ ଖେଳାଇଥିବା ବାଘ ଏବେ ପୁଣି ଗଜପତି ମୁହାଁ ହୋଇଛି । ଗାଈକୁ ଝାମ୍ପି ନେଇଛି ମହାବଳ । ଅଧା ଖାଇ ଛାଡି ପଳାଇଛି । ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଦୃଶ୍ୟ । ରାୟଗଡ଼ ବ୍ଲକରେ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବାଘଟି ରାୟଗଡ଼ ଅଳାବର ଗାଁ ନିକଟ ଜଙ୍ଗଲରେ ଗାଈକୁ ମାରି ଖାଇଛି । ପାଖରେ ବାଘର ପାଦଚିହ୍ନ ରହିଛି ।

ବାଘଟି ୨ ଦିନ ତଳେ ମହେନ୍ଦ୍ର ତନୟା ନଦୀ ଆରପଟେ ଥିବା ସରାଳି ଗାଁ ନିକଟ ଜଙ୍ଗଲରେ ବୁଲାବୁଲି କରୁଥିବା ଖବର ମିଳିଥିଲା । ପରବର୍ତ୍ତୀ ସମୟରେ ବାଘଟି ଗଜପତିର ଦେବଗିରି ବନାଞ୍ଚଳର ଅଁଳାବର ଗାଁ ନିକଟ ଜଙ୍ଗଲରେ ବୁଲୁଥିବା ଦେଖିବାକୁ ମିଳିଛି । ବାଘ ଚଳପ୍ରଚଳ କରୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ପିଲା ମାନେ ସ୍କୁଲ ବନ୍ଦ କରିଦେଇଥିବା ବେଳେ ଲୋକେ ବାହାରକୁ ଯିବାକୁ ବି ଭୟ କରୁଛନ୍ତି । ରାତିରେ ଅଯଥା ନବାହାରିବା ସହ ଗୃହପାଳିତ ପଶୁଙ୍କୁ ବାନ୍ଧି ରଖିବା ପାଇଁ ବନ ବିଭାଗ ପରାମର୍ଶ ଦେଇଛି । ବାଘ ମାରିଥିବା ଗାଈର ଅନୁକମ୍ପା ମୂଳକ ରାଶି ସରକାରଙ୍କ ଧାର୍ଯ୍ୟ ଅନୁସାରେ ୩୭ ହଜାର ୫ଶହ ଟଙ୍କା ଗାଈ ମାଲିକଙ୍କୁ ପ୍ରଦାନ କରାଯିବ ।

ଗତ ଅକ୍ଟୋବର ୧୯ ତାରିଖରେ ଗଣ୍ଡାହାତୀ ଅନ୍ତର୍ଗତ ସନ୍ତୋଷପୁର ଗାଁର ତେନ୍ତୁଳି ଗଛ ମୂଳରେ ବନ୍ଧା ହୋଇଥିବା ଏକ ଗାଈକୁ ଘୋଷାଡି ନେଇଥିଲା ଏକ ହିଂସ୍ର ଜନ୍ତୁ । ଘଟଣାସ୍ଥଳରୁ ଅଳ୍ପ ଦୂରରେ ଗାଈକୁ ଦରଖିଆ କରି ଛାଡି ଚାଲି ଯାଇଥିଲା । ବନ ବିଭାଗ ପକ୍ଷରୁ ଖଞ୍ଜା ଯାଇଥିବା ଟ୍ରାପ କ୍ୟାମେରା କଏଦ ହୋଇଥିବା ଫଟୋରୁ ସେତେବେଳେ ଜଣାପଡିଥିଲା ଏହା ମହାବଳର କାଣ୍ଡ ।

The post ୨ ମାସ ହେଲା ଗଜପତି ଜିଲ୍ଲା ସୀମାନ୍ତରେ ବୁଲୁଛି ମହାବଳ । ଗାଈକୁ ଝାମ୍ପି ନେଇ ଖାଇଦେଲା, ଟ୍ରାପ୍ କ୍ୟାମେରାରେ କଏଦ ହେଲା ଦୃଶ୍ୟ first appeared on Kanak News.

from Kanak News
via <a href="https://ifttt.com/?

ବିଏମସିର ବଡ ନିଷ୍ପତ୍ତି । ଟ୍ରାଫିକ ସିଗନାଲ ନିକଟରେ ଭିକ ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ: ଭୁବନେଶ୍ୱରକୁ ନେଇ ବର୍ତ୍ତମାନ ସମୟର ସବୁଠୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର । ଏଣିକି ଭୁବନେଶ୍ୱରରେ ମାଗିହେବନି ଭିକ । ରାଜଧାନୀ ଭୁବନେଶ୍ୱରରେ ଭିକ ମଗା ଉପରେ କଟକଣା । ଟ୍ରାଫିକ ସିଗନାଲ ନିକଟରେ ଭିକ ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ । ଜିନିଷ ବିକ୍ରି କରିବା ବାହାନାରେ ଯଦି କେହି ଭିକ ମାଗେ ତେବେ ବିଏମସି ତରଫରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଭିକ ମଗା ଉପରେ ଏକ ଟିମ୍ ଗଠନ କରି ନଜର ରଖିଛି ବିଏମସି ।

ତେବେ ଟ୍ରାଫିକ ସିଗନାଲ ନିକଟରେ ବେଲୁନ ହେଉ କି କଲମ କିମ୍ବା ବିଭିନ୍ନ ଜିନିଷ ବିକ୍ରି କରାଯାଉଥିବା ଅନେକ ସମୟରେ ଦେଖିବାକୁ ମିଳେ । ପ୍ରତି ଟ୍ରାଫିକ ପୋଷ୍ଟ ପାଖରେ ଆପଣ ଏମିତି ଦୃଶ୍ୟ ଦେଖିବାକୁ ପାଇଥିବେ । ଆଉ ବିକ୍ରିର ବାହାନା କରି ଅନେକ ଭିକ୍ଷା ମାଗୁଥିବା ଅଭିଯୋଗ ହୁଏ । ଯାହାକୁ ଅନେକ ଲୋକ ନାପସନ୍ଦ କରନ୍ତି । ତେବେ ଲୋକଙ୍କ ଫିଡବ୍ୟାକ୍ ଆଧାରରେ ବିଏମସି ଏହି ପଦକ୍ଷେପ ନେଇଛି ।

The post ବିଏମସିର ବଡ ନିଷ୍ପତ୍ତି । ଟ୍ରାଫିକ ସିଗନାଲ ନିକଟରେ ଭିକ ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started