ଦେଶର ଇସ୍ପାତ ହବ୍ ହେବ ଓଡିଶା । ମୁଖ୍ୟମନ୍ତ୍ରୀ କହିଲେ, ୨୦୩୦ ସୁଦ୍ଧା ଓଡିଶାକୁ ଦେଶର ଇସ୍ପାତ ହବ୍‌ କରାଯିବ । ସେପଟେ, ଇସ୍ପାତ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଢେଙ୍କାନାଳବାସୀ

କନକ ବ୍ୟୁରୋ: ୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍‌ରେ ପହଞ୍ଚିବ। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି, ଯାହାଦ୍ବାରା କି ରାଜ୍ୟରେ ପୁଞ୍ଜି ବିନିଯୋଗ ବଢିଛି । କୋଭିଡ ସତ୍ତ୍ବେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପୁଞ୍ଜି ବିନିଯୋଗ ୪.୪୧ ଲକ୍ଷକୁ ବୃଦ୍ଧି ପାଇଛି । ନିକଟରେ ରାଜ୍ୟ ସରକାର ଓଡିଶାରେ ୧ ଲକ୍ଷ ୪୭ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି । ଏଥିରେ ମୁଖ୍ୟତଃ ଇସ୍ପାତ ଶିଳ୍ପ ହିଁ ରହିଛି । ଏହି ପ୍ରକଳ୍ପ ମଧ୍ୟରେ ୧୧ ହଜାର କୋଟି ଟଙ୍କାର ଢେଙ୍କାନାଳ ରୁଙ୍ଗଟା ମାଇନ୍‌ସ ଲିମିଟେଡର ସମନ୍ବିତ ଇସ୍ପାତ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପରୁ ବର୍ତ୍ତମାନ ୩ ମିଲିଅନ ଟନ୍‌ ଇସ୍ପାତ ଉତ୍ପାଦନ ହେଉଥିବା ବେଳେ, ବର୍ତ୍ତମାନ ଏଥିରୁ ୭.୫୫ ମିଲିଅନ ଟନ୍‌ ଇସ୍ପାତ ଉତ୍ପାଦିତ ହେବ । ଏହି ସଂପ୍ରସାରିତ ପ୍ରକଳ୍ପ  ଢେଙ୍କାନାଳ ଜିଲ୍ଲାରେ ଖୁସି ଆଣିଛି । ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ଲୋକପ୍ରତିନିଧି ମାନଙ୍କୁ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ଧନ୍ୟବାଦ ଜଣାଇଛନ୍ତି ।

ଢେଙ୍କାନାଳ ଜିଲ୍ଲାବାସୀଙ୍କ ଧନ୍ୟବାଦର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଢେଙ୍କାନାଳ ଜିଲ୍ଲା ପ୍ରଭୁ ଚନ୍ଦ୍ରଶେଖରଙ୍କ ପୀଠ ତଥା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପାଇଁ ପ୍ରସିଦ୍ଧ । ଢେଙ୍କାନାଳର ଖଣିଜ ସଂପଦର ବିନିଯୋଗ କରି ଏହାକୁ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବରେ ଗଢିତୋଳିବା ତାଙ୍କର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏ ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୦ ମସିହାରେ ସେ ଶାସନ ଦାୟିତ୍ବ ନେବାବେଳେ ରାଜ୍ୟରେ ମାତ୍ର ୨ ମିଲିଅନ ଟନ୍‌ ଇସ୍ପାତ ଉତ୍ପାଦିତ ହୋଇଥିବା ବେଳେ ବର୍ତ୍ତମାନ ଏହା  ୩୦ ମିଲିଅନ ଟନ୍‌ରେ ପହଞ୍ଚିପାରିଛି ।

ଇସ୍ପାତ କାରଖାନା ଯୋଗୁ ହିଁ ଆମେ ଆଜି ଦେଶର ୧୭ଟି ରାଜ୍ୟକୁ କୋଭିଡର ଦ୍ବିତୀୟ ଲହର ସମୟରେ ଅକ୍‌ସିଜେନ ଯୋଗାଇ ବହୁ ଜୀବନ ରକ୍ଷା କରିପାରିଛୁ । ତେଣୁ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଯେପରି ଠିକ୍‌ ସମୟରେ ଶେଷ ହେବ, ସେଥିପାଇଁ ଲୋକପ୍ରତିନିଧି ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନସାଧାରଣ ସମସ୍ତଙ୍କ ସହଯୋଗ ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଢେଙ୍କାନାଳ ଜିଲ୍ଲାରେ ବର୍ତ୍ତମାନ ଚାଲିଥିବା ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହାଦ୍ବାରା ଜିଲ୍ଲାର ୮ଟି ବ୍ଲକ ଓ ସବୁ ସହରାଞ୍ଚଳରେ ଘରେ ଘରେ ପାଇପ ପାଣି ସୁବିଧାରେ ମିଳିପାରିବ । ଜିଲ୍ଲାରେ ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ ଢେଙ୍କାନାଳ ଜିଲ୍ଲାର ବିକାଶ କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ମାଇଲ ଖୁଣ୍ଟ ହେବ। ଢେଙ୍କାନାଳ ଜିଲ୍ଲାକୁ ଶିଳ୍ପ ସମୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ଉଦ୍ୟମକୁ ମନ୍ତ୍ରୀ ସ୍ବାଗତ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର ସାମଲ, ଡଃ ନୃସିଂହ ସାହୁ, ହିନ୍ଦୋଳ,ଓଡାପଡା ବ୍ଲକ୍‌ର ଅଧ୍ୟକ୍ଷ, ପ୍ରକଳ୍ପ ଅଞ୍ଚଳର ଲୋକପ୍ରତିନିଧି ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଜିଲ୍ଲାର ଆର୍ଥିକ ବିକାଶରେ ଏହି ପ୍ରକଳ୍ପ ବିଶେଷ ସହାୟକ ହେବା ସହ ଯୁବ ସମାଜ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବ ବୋଲି ଆଶାପ୍ରକାଶ କରିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

from Kanak News
via <a href="https://ifttt.com/?

ପଞ୍ଚାୟତ ନିର୍ବାଚନ ପାଇଁ ଭିତିରିଆ ଚାଲିଛି ପ୍ରସ୍ତୁତି । ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ଉପରେ ପଞ୍ଚାୟତିରାଜ ବିଭାଗ ନେଉଛି ପଦକ୍ଷେପ । ନେତା, ମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନାରୁ ମିଳୁଛି ସଙ୍କେତ ।

କନକ ବ୍ୟୁରୋ: ରାଜନୈତିକ ପାଣିପାଗକୁ ଦେଖି ଅନୁମାନ କରାଯାଉଛି ୨୦୨୨ ଆରମ୍ଭରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇପାରେ । କାହିଁକି ନା, ୨ ଦିନ ହେଲା ବିଜେଡି ସୁପ୍ରିମୋ ଦଳର ବିଧାୟକ ଓ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ନେଇ ମାରାଥନ ବୈଠକ କରୁଛନ୍ତି । ଆଉ ସୂଚନା ଅନୁସାରେ ନେତାଙ୍କୁ ତୃଣମୂଳ ସ୍ତରରେ ପ୍ରସ୍ତୁତ ହେବା ପାଇଁ କହିଛନ୍ତି ସୁପ୍ରିମୋ ।

ତେବେ ପଞ୍ଚାୟତ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା । କାରଣ, ଆସନ ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ପଞ୍ଚାୟତିରାଜ ବିଭାଗ ଆଗକୁ ବଢାଇନଥିଲା । ଏନେଇ ରାଜ୍ୟ ନିର୍ବାଚନ କମିଶନ, ବିଭାଗକୁ ୩ ଥର ମଧ୍ୟ ଚିଠି ଲେଖିଥିଲେ ବି, କୌଣସି ଜବାବ ମିଳୁନଥିଲା । ହେଲେ ଦୁଇ ଦିନ ତଳେ ହଠାତ୍ ସକ୍ରିୟ ହୋଇ ଏହି ଚିଠିର ଜବାବ ରଖିଛି ପଞ୍ଚାୟତିରାଜ ବିଭାଗ ।

ଫେବୃଆରୀ ମାସ ୨୦୨୨ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରୁଛି । ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ନେଇ ବିଜେଡି ଆଗୁଆ ପ୍ରସ୍ତୁତି କରୁଥିବା ଚର୍ଚ୍ଚା ହେଉଛି । ପ୍ରଥମେ ଜିଲ୍ଲା ସ୍ତରରେ ପର୍ଯ୍ୟବେକ୍ଷକ ବଦଳିଲେ, ନୂଆ କାର୍ଯ୍ୟାଳୟ ପାଇଁ ଭିତିପ୍ରସ୍ତର ସ୍ଥାପନ ସହ ନେତା, ମନ୍ତ୍ରୀ, ବିଧାୟକଙ୍କ ସହ ନବୀନଙ୍କ ଆଲୋଚନା ଏସବୁର ଏକ ସଂକେତ ଦେଉଛି । କୁହାଯାଉଛି, ବିଜେଡି ଭିତରେ ଭିତରେ ତାର ପ୍ରସ୍ତୁତି ଚଲାଇଛି, ଆଉ ଉପରକୁ ବାର୍ତ୍ତା ଦିଆଯାଉଛି, ଯେ କରୋନା ସମୟ ଥିବାରୁ ନିର୍ବାଚନକୁ ଗୁରୁତ୍ୱ ଦିଆଯାଉ ନାହିଁ । ଆଉ ସଠିକ ସମୟରେ କାର୍ଡ ଖୋଲି ବିରୋଧୀଙ୍କୁ ଚେକ୍ ଦେବାକୁ ରଣନୀତି କରୁଛି ଦଳ ।

ପୂର୍ବରୁ ଅର୍ବାନ ଇଲେକ୍ସନ କରିବା ପାଇଁ ଆଗ୍ରହ ନଦେଖାଇବା କାରଣରୁ ଦଳ ଉପରେ ଅନେକ ପ୍ରଶ୍ନବାଚୀ ତିଆରି ହୋଇଛି । ପୈାରସଂସ୍ଥାରେ ପ୍ରଶାସକଙ୍କ ଦ୍ୱାରା ବ୍ୟବସ୍ଥାକୁ ଚଲାଇବାକୁ ଅନେକ ନାପସନ୍ଦ କରିଛନ୍ତି । ଏପରିକି ଏହା ସୁସ୍ଥ ଗଣତନ୍ତ୍ରର ପ୍ରକ୍ରିୟା ନୁହେଁ ବୋଲି ଲୋକ ଖୋଲାଖୋଲି ମତ ରଖୁଛନ୍ତି । ଏଭଳି ସ୍ଥଳେ ପଞ୍ଚାୟତ ନିର୍ବାଚନ ପାଇଁ ଯଦି ପଦକ୍ଷେପ ନିଆନଯାଏ, ତେବେ ଏହା ବୁମେରାଂ ହୋଇପାରେ ।

ଉଭୟ ପଞ୍ଚାୟତ ଓ ସହର ନିର୍ବାଚନରେ ୬୪ ପ୍ରତିଶତ ଆସନ ସଂରକ୍ଷଣ ରହିବା ନେଇ ହିଁ ମୂଳ ବିବାଦ ରହିଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ୫୦ ପ୍ରତିଶତ ଭିତରେ ସଂରକ୍ଷଣ ରହିବ । ତେଣୁ ପଞ୍ଚାୟତିରାଜ ବିଭାଗ ଖୁବଶୀଘ୍ର ୩ଟି ଆଇନର ସଂଶୋଧନ କରି ପଞ୍ଚାୟତ ନିର୍ବାଚନ ପାଇଁ ବାଟ କଢେଇପାରନ୍ତି ବୋଲି ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

ଜୁଲାଇ ୧୬ ପରେ ଆଂଶିକ ନା ସଂପୂର୍ଣ୍ଣ ଅନଲକ୍ । ଆସନ୍ତାକାଲି ଆସିପାରେ ନୂଆ ଗାଇଡଲାଇନ୍ । ଚାରିଆଡୁ ଆସୁଛି ଦୁର୍ଦ୍ଦଶାର ଚିତ୍ର ।

କନକ ବ୍ୟୁରୋ: କରୋନାର ସଂଘର୍ଷ ଭିତରେ ଅର୍ଥନୀତିର ଅଣ୍ଟା ଦୋହଲି ଯାଇଛି, ଜୀବନକୁ ସୁରକ୍ଷା ଦେବାକୁ ଯାଇ ଜୀବିକା ଉଜୁଡ଼ିବାକୁ ବସିଲାଣି । ଜୀବନ-ଜୀବିକାର ଦୋଛକିରେ ଆଗକୁ କ’ଣ ହେବ ତାକୁ ନେଇ ଏବେ ଚର୍ଚ୍ଚା । ୧୬ ତାରିଖ ସକାଳେ ସରୁଛି ଆଂଶିକ ତାଲାବନ୍ଦର ଅବଧି । ଏହି ଅବଧି ସରିବା ପରେ ଯଦି ଅର୍ଥନୀତିକୁ ଖୋଲିବା ପାଇଁ ନିଷ୍ପତ୍ତି ନହୁଏ, ତେବେ ଭୂତାଣୁ ଠାରୁ ଅଧିକ ଲୋକ ଭୋକରେ ପ୍ରଭାବିତ ହେବାର ଆଶଙ୍କା ରହିଛି । କାରଣ, କଟକଣା ଭିତରେ କେତେ ଦିନ ଓ କେମିତି ଜୀବିକା ନିର୍ବାହ କରିବ ସାଧାରଣ ମଣିଷ ତାହା ହିଁ ଏବେ ବଡ ପ୍ରଶ୍ନ ।

ପିତବାସ ସାହୁ ନାମକ ଜଣେ ବ୍ୟକ୍ତି କଟକଣାର ଭାଷାରେ କ୍ୟାଟାଗୋରୀ-ବି ଜିଲ୍ଲାର ବାସିନ୍ଦା । କଟକରେ ଚା’ ଦୋକାନଟିଏ କରି ବହୁ କଷ୍ଟରେ ସେ ପରିବାର ଚଳାନ୍ତି । ଏବେ ଲକଡାଉନ୍ କାରଣରୁ ଗାଡ଼ି ମଟର ଚାଲୁନି, ୨ଟା ପରେ ବଜାର ବନ୍ଦ । ସେଥିରେ କେତେ ବା ରୋଜଗାର ହେବ? ଖାଲି ଏକା ପିତବାସ ନୁହଁନ୍ତି ତାଙ୍କ ପରି ଅନ୍ତନ୍ତଙ୍କ କାହାଣୀ ମଧ୍ୟ ସମାନ । ଅନ୍ତନ୍ତ ପେଶାରେ ଜଣେ ଫଳବେପାରୀ । ଆଉ ଏହି କଟକଣା ସମୟରେ ସପ୍ତାହାନ୍ତ ହେଲେ ଦୁଇ ଦିନ ଫଳ ଦୋକାନ ବନ୍ଦ ରହୁଛି ତେଣୁ ଏହି ଦୁଇ ଦିନରେ ବଳକା ରହୁଥିବା ଫଳ ପଚିସଢି ଯାଉଥିବା ସେ କୁହନ୍ତି ।

ତେବେ ଏମିତି ଘଟଣା କେବଳ ପୀତବାସ କିମ୍ବା ଅନ୍ତନଙ୍କର ନୁହେଁ । ଛୋଟ ଛୋଟ ଦୋକାନ କରି ଚଳୁଥିବା ଜନସଂଖ୍ୟାର ଏକ ବଡ ଭାଗ ଲୋକ, କଟକଣା ଯୋଗୁଁ ସଂଘର୍ଷ କରୁଛନ୍ତି । ଏତିକି ବେଳେ ମନକୁ ଆସିଛି ୧୬ ତାରିଖ ପରେ ଏମାନଙ୍କର କ’ଣ ହେବ?

ସୂଚନା ଅନୁସାରେ ଖୋର୍ଦ୍ଧା ଓ କଟକ ଜିଲ୍ଲା ଉପରେ ରହିଛି ସରକାରଙ୍କ ନଜର । ଅବଶିଷ୍ଟ ୨୮ଟି ଜିଲ୍ଲାରେ ଆହୁରି କୋହଳ ହୋଇପାରେ ତାଲାବନ୍ଦ କଟକଣା । ତେବେ ଦିନ ଦୁଇଟା ବଦଳରେ ସନ୍ଧ୍ୟା ୬ ଯାଏଁ କଟକଣା କୋହଳ ହୋଇପାରେ । ନାଇଟ୍ କର୍ଫ୍ୟୁ ହଟାଇବା ଉପରେ ମଧ୍ୟ ବିଚାର ଚାଲିଛି । ବସ୍ ଚଳାଚଳ କରିପାରେ ଏବଂ ଜିମ୍ ଏବଂ ସ୍ପା ଖୋଇବା ସପକ୍ଷରେ ନିଷ୍ପତ୍ତି ନେଇପାରନ୍ତି ସରକାର । ମଲ୍ ଖୋଲିବା ନିଷ୍ପତ୍ତି ଜିଲ୍ଳା ପ୍ରଶାସନ ନେଇପାରନ୍ତି । ତେବେ ଚୂଡାନ୍ତ ନିଷ୍ପତ୍ତି କଣ ହେବ ତାକୁ ହିଁ ଅପେକ୍ଷା ରହିଛି ।

ଅନ୍ୟପଟେ ଟିକାକୁ ଭରସା କରି ବିଶ୍ୱ ଖୋଲୁଛି । ଅର୍ଥନୀତିକୁ ବାଟକୁ ଫେରାଇ ଆଣିବାକୁ ଉଦ୍ୟମ ହେଉଛି । ଠିକ୍ ସେତେବେଳେ ପ୍ରଶ୍ନ ଆସୁଛି ରାଜଧାନୀ ଭୁବନେଶ୍ୱର ଖୋଲିବାରେ ପଛଘୁଞ୍ଚା କାହିଁକି? ମଙ୍ଗଳବାର ସୁଦ୍ଧା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୫ ଲକ୍ଷ ୫୫ ହଜାର ୫୯୫ ଡୋଜ୍ ଟିକା ଦିଆସରିଛି । ୧୦ ଲକ୍ଷ ୩ ହଜାର ୮୯୦ ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବା ବେଳେ ୫ ଲକ୍ଷରୁ ଅଧିକ ଲୋକଙ୍କୁ ଦୁଇଟି ଯାକ ଡୋଜ୍ ଦିଆଯାଇଛି । ୯୦% ଲୋକଙ୍କୁ ଅନ୍ତତଃ ଗୋଟିଏ ଡୋଜ୍ ଟିକା ଦିଆସରିଛି । ଏଭଳି ସ୍ଥିତିରେ ଭୁବନେଶ୍ୱରକୁ ଖୋଲିବରେ କୌଣସି ଅସୁବିଧା ହେବା ଉଚିତ ନୁହେଁ । କଟକ ମଧ୍ୟ ଓଡ଼ିଶା ଅର୍ଥନୀତିର ଅନ୍ୟତମ ପ୍ରାଣ କେନ୍ଦ୍ର । ସମସ୍ତେ ଆଶା ରଖିଛନ୍ତି ସରକାର, ଲୋକଙ୍କ ଦୁଃଖକୁ ବୁଝିପାରିବେ ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ହିରୋ ମୋଟକର୍ପର ନୂତନ ଡିଲରସିପ୍ ‘ଅରୁନ୍ଧତୀ ହିରୋ’ର ଶୁଭାରମ୍ଭ ।

କନକ ବ୍ୟୁରୋ: ପୃଥିବୀର ଏକ ନମ୍ବର ଟୁ-ହ୍ୱିଲର ବ୍ରାଣ୍ଡ ହିରୋ ତରଫରୁ ଭୁବନେଶ୍ୱରଠାରେ ଏକ ନୂତନ ଡିଲରସିପ ‘ଅରୁନ୍ଧତୀ ହିରୋ’ର ଶୁଭାରମ୍ଭ ହୋଇଛି । ବୁଧବାର ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର,  ହିରୋ ମୋଟକର୍ପର ଜାତୀୟ  ସେଲସ ମୁଖ୍ୟ ଆଶୁତୋଷ ବର୍ମା ଏବଂ ପୂର୍ବ ଜୋନ୍ ମୁଖ୍ୟ ବି ସ୍ୱାମୀନାଥନଙ୍କ ଉପସ୍ଥିତିରେ ଏହା ଆରମ୍ଭ ହୋଇଛି ।

ଏହି ଅବସରରେ ଅରୁନ୍ଧତୀ ମୋଟରବାଇକସର  ମ୍ୟାନେଜିଂ ପାର୍ଟନର ବ୍ରହ୍ମାନନ୍ଦ ମେହେର କହିଛନ୍ତି ଯେ, ଅରୁନ୍ଧତୀ ଗ୍ରୁପ୍ ହିରୋ ମୋଟକର୍ପ ପରିବାର ସାଙ୍ଗରେ ଦୀର୍ଘ ୧୫  ବର୍ଷରୁ ଅଧିକ ସମୟ ଯୋଡି ହୋଇ ସଫଳତାର ସହ ଗ୍ରାହକ ସେବା ଯୋଗାଇ ଆସୁଛି । ହିରୋ ମୋଟକର୍ପର  ସବୋର୍ଚ୍ଚ ସମ୍ମାନ ‘ଭାରତ ଶ୍ରେଷ୍ଠ’ରେ ଦୁଇ ଥର ସମ୍ମାନୀତ ହେବାର ଗୌରବ ଲାଭ କରିପାରିଛି । ଦେଶ ବିଦେଶ ସ୍ତରରେ ହିରୋ ମୋଟକର୍ପ ଦ୍ୱାରା ୨୦ରୁ ଅଧିକ ଥର ପାଇଁ ସମ୍ମାନୀତ ହୋଇସାରିଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଭୁବନେଶ୍ୱରବାସୀଙ୍କୁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଓ ସେବା ଯୋଗାଇଦେବା ଆମର ପ୍ରାଥମିକତା ରହିବ । ଅନଲାଇନ ମୋଟରସାଇକେଲ୍ କିଣିବା, ସର୍ଭିସିଂ ଓ ବୁକିଂ ଭଳି ବ୍ୟବସ୍ଥା ସେଠାରେ ରହିବ ।  ତା ସହିତ ସିନିୟର ସିଟିଜେନ୍ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବା ସହିତ ହୋମ୍ ପିକଅପ୍ ଆଉ ଡେଲିଭରୀ ବ୍ୟବସ୍ଥା ରହିବ ।

ସୂଚନାଯୋଗ୍ୟ ଯେ, ୨୦ ବର୍ଷ ଧରି ବିଶ୍ୱର ଅଗ୍ରଣୀ ଟୁ-ହ୍ୱିଲର ମାନ୍ୟତା ପାଇଥିବା ହିରୋ ମୋଟକର୍ପ ନିଜର ବିସ୍ତ୍ୃତ ମୋଟର ସାଇକେଲ ବର୍ଗମାଳା, ସମସ୍ତ ବର୍ଗମାଳା ଉପରେ ପାଞ୍ଚ ବର୍ଷର ୱାରେଣ୍ଟି ସହ ଲୋ-ମେଣ୍ଟେନାନ୍ସ କଷ୍ଟ, ଉଚ୍ଚ ରି-ସେଲ ଭାଲ୍ୟୁ , ପୃଥିବୀର ବୃହତ୍ତମ କଷ୍ଟମର ରିଲେସନ ମ୍ୟାନେଜମେଣ୍ଟ ପୋଗ୍ରାମ ସେବା ତାର ୬ ହଜାରରୁ ଅଧିକ ଟଚ୍ ପଏଣ୍ଟ ଦ୍ୱାରା ଯୋଗାଇ ଦେଇ ଶହେ ମିଲିୟନରୁ ଅଧିକ ସନ୍ତୁଷ୍ଟ ଗ୍ରାହକ ସୃଷ୍ଟି କରିବାର ରେକର୍ଡ କରିସାରିଛି ।

from Kanak News
via <a href="https://ifttt.com/?

ଦ୍ବିତୀୟ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ନେଇ ଘୋଷଣା କଲା ଆଇସିସି । ଦେଖନ୍ତୁ, ନୂଆ ଖେଳସୂଚୀ…

କନକ ବ୍ୟୁରୋ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ( ଆଇସିସି )ପକ୍ଷରୁ ୨୦୨୧-୨୩ ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏହା ସହିତ ନୂଆ ପଏଣ୍ଟ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି । ଆସନ୍ତା ଅଗଷ୍ଟ ୪ରୁ ଆରମ୍ଭ ହେଉଥିବା ଭାରତ-ଇଂଲଣ୍ଡ ୫ ଟିକିଆ ଟେଷ୍ଟ ସିରିଜଠାରୁ ୨ୟ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଆରମ୍ଭ ହେବ । ୨ୟ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପାଇଁ ଆଇସିସି ପକ୍ଷରୁ ନୂଆ ପଏଣ୍ଟ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି ।

ନୂଆ ବ୍ୟବସ୍ଥା ଅନୁସାରେ ଗୋଟିଏ ଟେଷ୍ଟ ମ୍ୟାଚ ଜିତିଲେ ୧୨ ପଏଣ୍ଟ ମିଳିବ । ସେହିପରି ଟାଏ ହେଲେ ୬ ପଏଣ୍ଟ, ଡ୍ର ରହିଲେ ୪ ପଏଣ୍ଟ ଓ ହାରିଲେ ୦ ପଏଣ୍ଟ ମିଳିବ । ଗୋଟିଏ ସିରିଜରେ ଥିବା ମ୍ୟାଚ ଅନୁସାରେ ପଏଣ୍ଟ ନିର୍ଦ୍ଧାରଣ କରାଯିବ ।ଉଦାହରଣସୂରୂପ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ୫ଟି ମ୍ୟାଚ ଥିବାରୁ ମୋଟ ପଏଣ୍ଟ ସଂଖ୍ୟା ୬୦ ରହିବ । ତେବେ ସୂଚନାଯୋଗ୍ୟ ଯେ, ପ୍ରଥମ ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚାମ୍ପିଅନ ହୋଇଥିଲା ।

https://platform.twitter.com/widgets.js

from Kanak News
via <a href="https://ifttt.com/?

ଗରିବ, ଖଟିଖିଆଙ୍କ ପାଖରେ ପହଞ୍ଚି ପାରୁନି ଆବାସ ଯୋଜନା । ଘର ଭାଙ୍ଗିବା ପରେ ଏବେ ବି ସରକାରୀ ସହାୟତା ଅପେକ୍ଷାରେ କେଦାର ଛତ୍ରିଆ ।

କନକ ବ୍ୟୁରୋ: ଗୃହହୀନ, ଗରିବ ଖଟିଖିଆଙ୍କୁ ପକ୍କା ଘର ଯୋଗାଇବାକୁ ସରକାରଙ୍କ ଆବାସ ଯୋଜନା ରହିିଛି । ହେଲେ ଜୁନାଗଡ ବ୍ଲକରେ ପକ୍କା ଘର ଖଣ୍ଡେ ପାଇବା ଗରିବଙ୍କ ଲାଗି ସାତ ସପନ ପାଲଟି ଯାଇଛି । ଜଣେ ଭୂମିହୀନ ଗରିବ ଖଟିଖିଆଙ୍କୁ ପ୍ରଶାସନିକ ଅଧିକାରୀ ପକ୍କା ଘର ପାଇଁ ୧୯ ବର୍ଷ ହେଲା ପ୍ରତିଶ୍ରୁତି ଦେଇ ଆସୁଛନ୍ତି ।

ବର୍ଷାରେ ଭାଙ୍ଗିଯାଇଛି ଝାଟିମାଟିର ଘର । ଆଉ ଘର ଭାଙ୍ଗିବା ପରେ ପକ୍କା ଘର ପାଇବା ପାଇଁ ସରକାରୀ କଳ ଉପରେ ରହିଛି ଏକମାତ୍ର ଭରସା । ଘର ଭାଙ୍ଗିଯିବା ପରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଚିଲଗୁଡା ଗାଁର କେଦାର ଛତ୍ରିଆଙ୍କୁ ବୁଦ୍ଧି ଦିଶୁନି । କେଦାର ଛତ୍ରିଆଙ୍କ ଜମିବାଡି ବୋଲି କିଛି ନାହିଁ, ମୂଲ ଲାଗିଲେ ପରିବାର ଚଳେ । ଏଇ ବର୍ଷା ଦିନରେ କଣ କରିବେ? କେଉଁଠି ରହିବେ ପରିବାର? ନିଜ ଝାଟିମାଟିର ଘରକୁ ପୁଣି ଠିଆ କରିପାରିବେ ତ? ଏସବୁ ପ୍ରଶ୍ନର ଉତ୍ତର ତାଙ୍କ ପାଖରେ ବି ନାହିଁ ।

ପ୍ରବଳ ବର୍ଷାରେ ରାତିରେ ଘର ଭାଙ୍ଗିଯିବା ପରେ ଭଙ୍ଗା ଘର ତଳେ ଚାପି ହୋଇଯାଇଥିଲେ କେଦାର ଛତ୍ରିଆଙ୍କ ପରିବାର । ଗ୍ରାମବାସୀ ଆସି ଭଙ୍ଗାଘରୁ ତଳୁ ସେମାନଙ୍କୁ ଉଦ୍ଧାର କରିବାରୁ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସରକାରୀ ସହାୟତାରେ ପକ୍କା ଘର ଖଣ୍ଡେ ପାଇବା ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ କେଦାରଙ୍କୁ ଘର ଖଣ୍ଡେ ମିଳି ପାରୁନାହିଁ । ସରକାରୀ ସହାୟତାରେ ପକ୍କାଘର ଖଣ୍ଡେ ପାଇବାକୁ କେଦାର ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡିଛନ୍ତି । ଅନେକ ଥର ପ୍ରତିଶ୍ରୁତି ମିଳିଛି, ପକ୍କା ଘର ପାଇବା ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ୧୯ ବର୍ଷ ହେଲାଣି କେଦାର ଛତ୍ରିଆଙ୍କ ପକ୍କାଘର ଖଣ୍ଡେ ମିଳି ପାରୁନାହିିଁ ।

from Kanak News
via <a href="https://ifttt.com/?

ପଡ଼ିଆରେ ଚାଲିଛି ପୋଲିସ ପାଇଁ ପ୍ରଶିକ୍ଷଣ । ସକାଳୁ ସକାଳୁ ଆସି ଟ୍ରେନିଂ ଦିଅନ୍ତି ଆଇଆଇସି । ଖାକି ବର୍ଦ୍ଦି ପିନ୍ଧି ସମାଜର ସୁରକ୍ଷା କରିବା ପାଇଁ ଯୁବପୀଢିଙ୍କୁ ଦେଉଛନ୍ତି ବାର୍ତ୍ତା ।

କନକ ବ୍ୟୁରୋ : ପଡ଼ିଆରେ ଚାଲିଛି କସରତ । ଶୁଭୁଛି କଦମତାଲର ଗମ୍ଭୀର ପଦଧ୍ୱନି । ଲାଗୁଛି ସତେ ଯେମିତି ସୁରକ୍ଷାବାହିନୀର କୌଣସି ବାଟାଲିୟନର ଜୋରସୋରରେ ଟ୍ରେନିଂ ଚାଲିଛି । ଏ ଘଟଣା କୌଣସି ଚଳଚ୍ଚିତ୍ରର ଦୃଶ୍ୟ ଠାରୁ କମ୍ ନୁହେଁ । କିନ୍ତୁ ବାସ୍ତବିକତା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଏଠି ପୋଲିସ ଦେଉଛନ୍ତି ପୋଲିସ ପାଇଁ ଟ୍ରେନିଂ । ଜଣେ କି ଦୁଇ ଜଣଙ୍କୁ ନୁହେଁ, ୬୦ରୁ ଅଧିକ ପିଲାଙ୍କ ଦାୟିତ୍ୱ ନେଇଛନ୍ତି ପୋଲିସ ଅଧିକାରୀ । ସକାଳ ହେଉ ହେଉ କଟକ ଜଗତପୁରର ଏହି ପଡିଆରେ ଏମିତି ଚାଲେ ଶାରୀରିକ ପ୍ରଶିକ୍ଷଣ । ଆଉ ଟ୍ରେନିଂ ଦିଅନ୍ତି କଟକ ଜଗତପୁର ଆଇଆଇସି ରବିନ୍ଦ୍ରନାଥ ମେହେର ।

ଦୌଡ, ହାଇଜମ୍ପ, ଲଙ୍ଗଜମ୍ପ, ରୋପ୍ କ୍ଲାଇମ୍ବିଙ୍ଗ ଏମିତି ଅନେକ କିଛି ପ୍ରାକ୍ଟିସ ଚାଲିଥାଏ । ପ୍ରତ୍ୟେକ ଦିନ ସକାଳୁ ୨ ଘଂଟା ସମୟ ବାହାର କରି ପିଲାମାନଙ୍କୁ ଏମିତି ପ୍ରଶିକ୍ଷଣ ଦେଉଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ ରାକେଶ ଭୂୟାଁ ଏବଂ କଟକ ଜଗତପୁର ଆଇଆଇସି ରବିନ୍ଦ୍ରନାଥ ମେହେର । ଖାଲି ଟ୍ରେନିଂ ଦେଉନାହାନ୍ତି ବରଂ ଘରଟିଏ ଭଡାରେ ନେଇ ଭଲ ଶିକ୍ଷକଙ୍କ ଜରିଆରେ ଏହି ପିଲାମାନଙ୍କୁ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ମଧ୍ୟ କରାଉଛନ୍ତି ।

ଆଗକୁ ପୋଲିସ ଏସଆଇ ପାଇଁ ଚୟନ ହେବାକୁ ଯାଉଥିବା ବେଳେ, ଏହି ପିଲାମାନେ କଠିନ ପରିଶ୍ରମ କରୁଛନ୍ତି । ଏପରିକି ଅନେକ ପିଲା ଏଠାରୁ ପ୍ରଶିକ୍ଷଣ ନେଇ ଏବେ ପୋଲିସ ବିଭାଗରେ କାର୍ଯ୍ୟରତ ମଧ୍ୟ ଅଛନ୍ତି । କେବଳ ପୋଲିସ ପାଇଁ ନୁହେଁ ଜାତୀୟସ୍ତରର ଆଥଲେଟ୍ ମିଟରେ ମଧ୍ୟ ଭାଗ ନେଇ ଏଠାକାର ପିଲାମାନେ ପୁରସ୍କୃତ ହୋଇଛନ୍ତି ।

ତେବେ ପୋଲିସ କେବଳ ଫାଇନ୍ କାଟେନି କିମ୍ବା ତାଗିଦ କରେନି, ଯୁବପୀଢିଙ୍କ ଭବିଷ୍ୟତ ଗଢିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ଆଉ ଏହାର ଉଦାହରଣ ସାଜିଛନ୍ତି କଟକ ଜଗତପୁର ଆଇଆଇସି । ଆଉ ତାଙ୍କର ଏଭଳି କାର୍ଯ୍ୟ ପାଇଁ ଅଭିଭାବକ ତଥା ସ୍ଥାନୀୟ ଅଞ୍ଚଳରେ ତାଙ୍କର ଖୁବ୍ ପ୍ରଂଶସା କରାଯାଉଛି ।

from Kanak News
via <a href="https://ifttt.com/?

ବଦଳିବ ପାରାଦୀପ ବେଳାଭୂମିର ରୂପ । ସୌନ୍ଦର୍ଯ୍ୟକରଣ କରିବା ପାଇଁ ପ୍ରୟାସ ଆରମ୍ଭ । ନାଚଗୀତ ସହ ସୁଆଦିଆ ଖାଦ୍ୟର ମଜା ଉଠାଇବେ ପର୍ଯ୍ୟଟକ ।

କନକ ବ୍ୟୁରୋ: ପାରାଦୀପ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ନୂଆ ଯୋଜନା । ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ୱ ଦେଇ ସରକାର ଏବେ ସମୁଦ୍ର ବେଳାଭୂମିର ସୈାନ୍ଦର୍ଯ୍ୟକରଣ କରିବା ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି । ଏଥର ବନ୍ଦର ନଗରୀ ପାରାଦୀପ ବେଳାଭୂମିର ରୂପ ବଦଳିବ ଏବଂ ସଜେଇ ହେବ ପାରାଦୀପ ବେଳାଭୂମି । ଖାଲି ସେତିକି ନୁହେଁ, ନାଚ, ଗୀତ ସହ ସୁଆଦିଆ ଖାଦ୍ୟର ମଜା ଉଠାଇବେ ପର୍ଯ୍ୟଟକ । ଓଡିଶାର ବିସ୍ତୃତ ବେଳାଭୂମି ପ୍ରତି ପର୍ଯ୍ୟଟକଙ୍କ ଆଗ୍ରହକୁ ଲକ୍ଷ୍ୟ ରଖି ଏଥିପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟର ବିସ୍ତୃତ ବେଳାଭୂମି ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଟେଣ୍ଡର ଆହ୍ୱାନ କରିଛି ଓଟିଡିସି । ପ୍ରାଥମିକ ପର୍ଯ୍ୟାୟରେ ୬ଟି ବେଳାଭୂମିକୁ ସ୍ଥାନିତ କରାଯାଇଛି, ଏଥିରେ ପାରାଦୀପ ସମୁଦ୍ର ବେଳାଭୂମିକୁ ସାମିଲ କରାଯାଇଛି । ଗୋଆ ସି-ବିଚ୍ ଢାଞ୍ଚାରେ ପାରାଦୀପ ବେଳାଭୂମିରେ ଝୁମ୍ପୁଡି ଘର ତିଆରି ହେବ, ସୁସ୍ୱାଦୁ ଖାଦ୍ୟ, ନାଚ-ଗୀତର ଆସର ପର୍ଯ୍ୟଟକଙ୍କୁ ନିଆରା ଅନୁଭବ ଦେବ । ଫଳରେ ବନ୍ଦର ନଗରୀକୁ ଆସୁଥିବା ବାହାର ରାଜ୍ୟ ତଥା ବିଦେଶୀ ପର୍ଯ୍ୟଟକମାନେ ବେଳାଭୂମି ପ୍ରତି ଆକୃଷ୍ଟ ହେବେ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଓଡିଶା ଏକ ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇପାରିବ ।

ରାଜ୍ୟରେ ୪୮୦ କିଲୋମିଟର ବ୍ୟାପୀ ସମୂଦ୍ର ବେଳାଭୂମି ରହିଛି । ବେଳାଭୂମୀର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହିତ ସ୍ଥାନୀୟ ଅଞ୍ଚଳର ବେକାରୀ ସମସ୍ୟା ଦୂର କରିବା ପାଇଁ ଉଦ୍ୟମ କରାଯାଉଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ପର୍ଯ୍ୟଟକଙ୍କ ଭିଡ ଜମିବା ସହ ସ୍ଥାନୀୟ ଅଞ୍ଚଳରେ ଏକ ବହୁବିଧ ରୋଜଗାରର ମାଧ୍ୟମ ପାଲଟିବ ବୋଲି ମଧ୍ୟ ଆଶା କରାଯାଉଛି ।

from Kanak News
via <a href="https://ifttt.com/?

ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅବଢା । ଭକ୍ତ ଆସିବାରେ କଟକଣା ଲାଗିଥିବାରୁ ଅବଢା କମ୍ କରିବାକୁ ନିଷ୍ପତ୍ତି ।

କନକ ବ୍ୟୁରୋ: ଆଜିଠାରୁ ଗୁଣ୍ଡିଚା ମନ୍ଦିରରୁ ବାହାରିଛି ଆଡପ ଅବଢା । ହେଲେ ଏହା ସୀମିତ ପରିମାଣର ବାହାରିବ । ଯେହେତୁ ଭକ୍ତ ଆସିବା ଉପରେ କଟକଣା ରହିଛି, ତେଣୁ ଆଡପ ଅବଢା କମ୍ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ । ଶ୍ରୀମନ୍ଦିର ଅବଢା ଠାରୁ ଏହି ଆଡପ ଅବଢାର ସ୍ୱାଦ ଭିନ୍ନ । ସେଥିପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏହାର ଚାହିଦା କିଛି ଅଲଗା ରହିଥାଏ।

ସେପଟେ ଆଡ଼ପ ମଣ୍ଡପରେ ଅଛନ୍ତି ଚତୁର୍ଦ୍ଧାମୂରତୀ । ଜନ୍ମବେଦୀରେ ଶ୍ରୀଜୀଉ ବିଜେ କରିବା ପରେ ଚଳଚଞ୍ଚଳ ହୋଇଛି ଗୁଣ୍ଡିଚା ମନ୍ଦିର । ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ଠାରୁ ଆଡପମଣ୍ଡପ ବିଜେ ପର୍ଯ୍ୟନ୍ତ ସଅଳ ହୋଇଥିଲା ନୀତିକାନ୍ତି । ମାତ୍ର ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ବିଜେ ପରେ ବିଳମ୍ବ ହୋଇଛି ନୀତିକାନ୍ତି । ନିତିକାନ୍ତିରେ ଅବହେଳା ଯୋଗୁଁ ପହୁଡ ନିତି ହୋଇପାରିଲା ନାହିଁ । ଅପରାହ୍ନ ୨ଟା ସୁଦ୍ଧା ସଂଧ୍ୟା ଧୂପ ଓ ରାତି ୯ଟା ସୁଦ୍ଧା ପହଣ୍ଡି ସରିଥିବା ବେଳେ ରୁନ୍ଧାନିତି ହୋଇଛି ବିଳମ୍ବ । ଯାହା ପାଇଁ ମହାପ୍ରଭୁଙ୍କ ପହୁଡ ନୀତି ହୋଇପାରି ନାହିଁ । କରୋନା କଟକଣା କାରଣରୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଡପ ଦର୍ଶନ ବନ୍ଦ ରହିଛି । କୌଣସି ଭକ୍ତ ଆଡପ ଦର୍ଶନ କରିପାରିବେ ନାହିଁ । ଜନ୍ମବେଦୀରେ କେବଳ ମହାପ୍ରଭୁଙ୍କ ରୀତିନୀତି ଚାଲିବ ।

from Kanak News
via <a href="https://ifttt.com/?

ମୁଁ ବୁଢା ହେଇଗଲି ବୋଲି ପର କରିଦେଲା ମାଲିକ… ଦିନେ ମୋ ପିଠିରେ ବୋଝ ବୋହି ରୋଜଗାର କରୁଥିଲା ମାଲିକ, ଆଜି ବଳ ହଟିଗଲା ବୋଲି ରାସ୍ତା କଡରେ ଛାଡିଦେଲା…

କନକ ବ୍ୟୁରୋ: ଓଟ ଆଖିରେ ଲୁହ । ସରିଗଲା ସ୍ୱାର୍ଥ, ଛାଡିଦେଲା ମଣିଷ । ସ୍ୱାର୍ଥ ସରିଗଲା ବୋଲି ମାଲିକ ପର କରିଦେଲା । ବୁଢା ହେଇଗଲା ବୋଲି ଓଟକୁ ରାସ୍ତାରେ ଛାଡିଦେଇଗଲା ସ୍ୱାର୍ଥପର ମାଲିକ । ମଣିଷ ମନରୁ ମରିଗଲା ମାନବିକତା । ଦିନେ ଏଇ ଓଟକୁ ନେଇ ନିଜ ସ୍ୱାର୍ଥ ସାଧନ କରୁଥିଲା ମଣିଷ । ନିଜ କାମରେ, ନିଜ ବେପାର ବଣିଜରେ ଖଟାଉଥିଲା ହେଲେ ଆଜି ବୟସ ହେଇଗଲା ବୋଲି, ଦେହରୁ ବଳ ହଟିଗଲା ବୋଲି ଜଙ୍ଗଲିଆ ରାସ୍ତାରେ ଅତି ଅମାନବିକତାର ସହ ବୃଦ୍ଧ ପଶୁକୁ ଦୂରେଇଦେଲା ମାଲିକ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଖଲ୍ଲିକୋଟ ମାନାପୋଲି ଛାଞ୍ଚୁଣିଆ ଜଙ୍ଗଲରେ…

ତେବେ ଗତ କିଛି ଦିନ ହେବ ଏଇ ଜଙ୍ଗଲ ପାଖ ରାସ୍ତାରେ ଏକ ବୃଦ୍ଧ ଓଟକୁ ଦେଖିଥିଲେ ସ୍ଥାନୀୟ ଲୋକେ । ଖାଇବାକୁ ନପାଇ ଭୋକ ଉପାସରେ ଓଟ ପଡିଥିବା ଦେଖିବାକୁ ପାଇଥିଲେ । ଅତି ରୋଗୀଣା ଅବସ୍ଥାରେ ରାସ୍ତା କଡରେ ଓଟର ଏ ଅବସ୍ଥା ଦେଖି କିଛି ସହୃଦୟ ବ୍ୟକ୍ତି ନିରୀହ ପଶୁ ପେଟରେ ଦାନା ଦେଇଥିଲେ । ଆଉ ଖାଦ୍ୟ ଟିକେ ପାଇଁ ଭୋକିଲା ଓଟ ଆଖି ମିଟିମିଟି କରିଥିଲା ।

ସେପଟେ ସ୍ଥାନୀୟ ଲୋକଙ୍କ କହିବା କଥା ଓଟକୁ ତା ମାଲିକ ନିଜ କାମରେ ଲଗାଉଥିଲେ । ଏମିତି କି ବିଭିନ୍ନ ସମୟରେ ଖଲ୍ଲିକୋଟ ଅଞ୍ଚଳରେ ଓଟକୁ ନେଇ ମାଲିକ ବେପାରରେ ଲଗାଉଥିବା ଦେଖିବାକୁ ମିଳିଥିଲା । ଓଟ ସାହାଯ୍ୟରେ ସାରା ଜୀବନ ଟଙ୍କା ରୋଜଗାର କରି ଶେଷରେ ମାଲିକ କାମରେ ଆସୁନଥିବା ଓଟକୁ ରାସ୍ତାରେ ଛାଡି ଦେଇ ପଳାଇଛି । ଏହାଠାରୁ ଅତି ଘୃଣ୍ୟ ଘଟଣା ଆଉ କଣ ହୋଇପାରେ ।

ଦିନେ ଯେଉଁ ପଶୁ ମଣିଷକୁ ଲାଭ ଦେଉଥିଲା ତା କାମରେ ଆସୁଥିଲା ଆଜି ସିଏ କାମରେ ଲାଗୁନି ବୋଲି ତାକୁ ଏମିତି ଅବସ୍ଥାରେ ଛାଡିଦେବା କେତେ ଦୂର ଠିକ । ଯଦି ଓଟକୁ ଭଗବାନ କହିପାରିବାର ଶକ୍ତି ଦେଇଥାନ୍ତେ ହୁଏତ ସେ ଆଜି ଏ ସ୍ୱାର୍ଥପର ମଣିଷକୁ ପ୍ରଶ୍ନ ପଚାରୁଥାନ୍ତା, ମୁଁ ବୁଢା ହୋଇଗଲି ବୋଲି ମୋର କଣ ଜୀବନ ନାହିଁ, ବଞ୍ଚିବାର ଅଧିକାର ନାହିଁ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started