ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତ୍ତି 

କନକ ବ୍ୟୁରୋ : ବିଧାନସଭା ଆରମ୍ଭରୁ ଗୃହରେ ହଟ୍ଟଗୋଳ । ଆଜି ବଜେଟ୍ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ । ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ପ୍ରସଙ୍ଗ ଉଠାଇ ଜୋରଦାର ହଙ୍ଗାମା କଲେ ବିରୋଧୀ । ଗୃହରେ ଉଭୟ କଂଗ୍ରେସ ଓ ବିଜେପି ପ୍ଲାକାର୍ଡ ଦେଖାଇ ନାରାବାଜି କରିଥିଲେ । ତେଣୁ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତ୍ତି ।
ଗତକାଲି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହୋହାଲ୍ଲା କରିଥିଲେ ବିରୋଧୀ । ଯାହାକୁ ନେଇ ପ୍ରଥମେ ଦିନ ସାଢେ ୧୧ଟା ଯାଏଁ ଗୃହ ମୁଲତବି ହୋଇଥିଲା ଏବଂ ପରେ ପୁଣି ଗୃହରେ ବିଜେପି ଓ କଂଗ୍ରେସ ଉଭୟ ହଙ୍ଗାମା କରିବାରୁ ସାଢେ ୪ଟା ଯାଏଁ ପୁଣି ଗୃହକୁ ମୁଲତବି କରିଥିଲେ ବାଚସ୍ପତ୍ତି

from Kanak News
via <a href="https://ifttt.com/?

କାହାକୁ ଦିଆଯିବ କରୋନା ଟିକା? ନିଷ୍ପତ୍ତି ନେବେ ସରକାର, ଜରୁରୀ ଆବଶ୍ୟକତା ଓ ପରିସ୍ଥିତିକୁ ଦେଖି ଟିକାକରଣ କରିବାକୁ କହିଲେ ହାଇକୋର୍ଟ ।

କନକ ବ୍ୟୁରୋ : ପ୍ରାଥମିକତା ଭିତ୍ତିରେ କାହାକୁ ଦିଆଯିବ କରୋନା ଟିକା ଏନେଇ ନିଷ୍ପତି ନେବେ ସରକାର । ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । କୋର୍ଟର ସଦସ୍ୟମାନଙ୍କୁ ପ୍ରାଥମିକତା ଦେବା ପାଇଁ ଏକ ଆବେଦନ ହୋଇଥିଲା । ଏହାର ଶୁଣାଣି କରି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ଟିକା ସୀମିତ ପରିମାଣରେ ଉପଲବ୍ଧ ରହିଛି । ତେଣୁ ଜରୁରୀ ଆବଶ୍ୟକତା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଟିକାକରଣ ପ୍ରସଙ୍ଗରେ କେଉଁ ବର୍ଗକୁ ପ୍ରାଥମିକତା ଦେବେ ତାର ନିଷ୍ପତି କରିବେ ବୋଲି କୋର୍ଟ କହିଛନ୍ତି । ସେହିପରି କରୋନା ଯୋଗୁଁ ବନ୍ଦ ଥିବା ଉଚ୍ଛେଦ, ନିର୍ମାଣ ଭଙ୍ଗା ଓ ସମ୍ପତି ନିଲାମ କଟକଣାକୁ ହଟାଇ ଦେଇଛନ୍ତି କୋର୍ଟ । ଗତବର୍ଷ ମେ ୫ରୁ ଏହି ଅଙ୍କୁଶ ବଳବତ୍ତର ରହିଥିଲା । ଗତ ୨ ମାସ ହେବ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଛି, କୋର୍ଟ କାର୍ଯ୍ୟ ମଧ୍ୟ ସ୍ୱାଭାବିକ ଭାବେ ଚାଲିଛି । ତେଣୁ କୋର୍ଟ ଏସବୁ କାର୍ଯ୍ୟ ପୂର୍ବ ପରି ଚାଲିପାରିବ ବୋଲି ଅନୁମତି ଦେଇଛନ୍ତି ।

ଏସବୁ ଭିତରେ ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କଡ଼ାକଡ଼ି ଭାବେ ପାଳନ କରାଯିବ କରୋନା ଗାଇଡଲାଇନ । ରାଜ୍ୟର ସମସ୍ତ ଜିଲ୍ଲାପାଳ, ପୁଲିସ କମିସନର, ଡିସିପି, ଏସପି ଓ ସିଡିଏମଓଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ପୁଣିଥରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢିବା ପରେ ସତର୍କ ରହିବାକୁ କୁହାଯାଇଛି ।

ଜିଲ୍ଲା ଗୁଡିକରେ କୋଭିଡ ଗାଇଡଲାଇନ୍, ଯେପରି କଡ଼ାକଡ଼ି ପାଳନ ହେବ, ତାହାକୁ ସୁନିଶ୍ଚିତ କରିବାକୁ କୁହାଯାଇଛି । ସାରାଦେଶରେ ସ୍ୱାଭାବିକ ଭାବେ ଯିବା ଆସିବା ହେଉଛି । ସତର୍କ ନହେଲେ ମହାରାଷ୍ଟ୍ର ଭଳି ପରିସ୍ଥିତି ଓଡ଼ିଶାରେ ଉପୁଜିପାରେ ବୋଲି ଆଶଙ୍କା କରିଛନ୍ତି ପ୍ରଦୀପ୍ତ ମହାପାତ୍ର । କରୋନା ଗାଇଡଲାଇନକୁ କଡ଼ାକଡ଼ି ପାଳନ କରି ସଂକ୍ରମଣ ରୋକିବାକୁ ସେ ପରାମର୍ଶ ଦେଇଛନ୍ତି । ବିଶେଷ କରି ବଜାର, ମନ୍ଦିର ଓ ଧର୍ମପୀଠ ଭଳି ଜନଗହଳିପୂର୍ଣ୍ଣ ଅଂଚଳରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

ସେହିପରି କୋଭିଡ ପରୀକ୍ଷାକୁ ମଧ୍ୟ ଜୋର ଦିଆଯାଇଛି । ଗାଇଡଲାଇନ ଅନୁଯାୟୀ ଯଥେଷ୍ଟ ପରିମାଣରେ କୋଭିଡ୍ ପରୀକ୍ଷା କରିବାକୁ ଜିଲ୍ଲାପାଳ, ମୁନିସପାଲ କମିସନରଙ୍କୁ ପରାମର୍ଶ ଦିଆଯାଇଛି । ନିୟମର ଖିଲାପ ନକରିବା ପାଇଁ ସତର୍କବାଣୀ ଶୁଣାଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

from Kanak News
via <a href="https://ifttt.com/?

ଓଡ଼ିଶାର ୭ ପଡ଼ୋଶୀ ଜିଲ୍ଲାଙ୍କ ସହିତ ରହିଛି ସୀମା ବିବାଦ ।  ବିଧାନସଭାରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, କହିଲେ ସୀମାନ୍ତବର୍ତୀ ଲୋକଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି ସରକାର ।

କନକ ବ୍ୟୁରୋ : ଓଡ଼ିଶା ସୀମାରେ ପଡ଼ିଶାଙ୍କ ଆଖି । ୭ଟି ଜିଲ୍ଲାରେ ଓଡ଼ିଶାର ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ସୀମା ବିବାଦ ରହିଛି । ଏହି ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ନୂଆଁପଡ଼ା କୋରାପୁଟ, ଗଂଜାମ ଓ ଗଜପତି । ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଏସମ୍ପର୍କିତ ଏକ ଲିଖିତ ପ୍ରଶ୍ନର ଉତର ଦେଇଛନ୍ତି । ପଡ଼ୋଶୀ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ସୀମା ବିବାଦର ସମାଧାନ ପାଇଁ ସରକାର ଉଦ୍ୟମ କରୁଛନ୍ତି ।

ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ସୀମାନ୍ତବର୍ତୀ ଲୋକମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସରକାର ପ୍ରୟାସ କରୁଛନ୍ତି । ସେହିପରି କୋଟିଆର ବିକାଶ ପାଇଁ ୧୫ ସୁତ୍ରୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।  ପୂର୍ବରୁ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାଇ ରଖିବାକୁ କହିଥିଲେ । ଏବେ ମାମଲା ସୁପ୍ରିମକୋର୍ଟରେ ଥିବାରୁ କୋଟିଆ ପ୍ରସଙ୍ଗରେ ଓଡ଼ିଶାର ବିଜୟ ହେବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଓଡ଼ିଶା ସୀମାରେ ପଶି ଆନ୍ଧ୍ର କୋଟିଆରେ ପଞ୍ଚାୟତ ନିର୍ବାଚନ କରିଥିବା ବେଳେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ସମସ୍ତଙ୍କର ନଜର ରହିଛି । କୋଟିଆ କଳିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଖଣ୍ଡପୀଠ ଆବେଦନର ଶୁଣାଣୀ କରି ପ୍ରତିଜବାବ ଦାଖଲ ପାଇଁ ଓଡିଶାକୁ ୪ ସପ୍ତାହର ମହଲତ ଦେଇଛନ୍ତି ।

from Kanak News
via <a href="https://ifttt.com/?

ପରୀ ମୃତ୍ୟୁ ମାମଲାରେ ଏସଆଇଟିକୁ ନିରାଶ କଲେ କୋର୍ଟ ।ଏଲଭିଏ ଟେଷ୍ଟ ପାଇଁ ମିଳିଲାନି ଅନୁମତି ।

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଏସଆଇଟି ନିରାଶ । ପୂର୍ବରୁ ଅଭିଯୁକ୍ତ ନାବାଳକର ନାର୍କୋ ଆନାଲିସିସ୍ ଟେଷ୍ଟ ଓ ବ୍ରେନ ମାପିଂ ଟେଷ୍ଟ କରାଇବାକୁ ଚାହୁଁଥିଲା ଏସଆଇଟି । ୨ଟି ଯାକ ପରୀକ୍ଷା ପାଇଁ ଅଭିଯୁକ୍ତର ସ୍ୱୀକୃତି ଆବଶ୍ୟକ ଥିବାରୁ ଏହା ସମ୍ଭବ ହୋଇପାରିନଥିଲା । ହେଲେ ପରୀ ମାମଲାରେ କ୍ରାଇମବ୍ରାଞ୍ଚ ଏସଆଇଟି କେବଳ ବୈଜ୍ଞାନିକ ପ୍ରମାଣ ଉପରେ ଅଧିକ ନିର୍ଭରଶୀଳ ହୋଇଥିବାରୁ ଅଭିଯୁକ୍ତର ଏଲଭିଏ ଅର୍ଥାତ ଲାୟର ଭଏସ ଆନାଲିସିସ୍ ଟେଷ୍ଟ ପାଇଁ ଆବେଦନ କରିଥିଲା । ଏଥିପାଇଁ ଅଭିଯୁକ୍ତର ସହମତି ଆବଶ୍ୟକ ନଥିବାରୁ ଏଥିରୁ ଫାଇଦା ମିଳିବ ବୋଲି ଏସଆଇଟି ଭାବିଥିଲା । ହେଲେ ଶେଷରେ ନିରାଶ ହେବାକୁ ପଡ଼ିଛି ।

ଅଭିଯୁକ୍ତର ଏଲଭିଏ ଟେଷ୍ଟ ପାଇଁ ଅନୁମତି ଦେଇନାହାନ୍ତି ନୟାଗଡ଼ ଚିଲଡ୍ରେନ କୋର୍ଟର ବିଚାରପତି ଇତିଶ୍ରୀ ମହାପାତ୍ର । ପରୀ ମାମଲାରେ ଏସଆଇଟି ଚାର୍ଜସିଟ ଦାଖଲ କରି ସାରିଛି । ଚାର୍ଜସିଟ ଦାଖଲ ପୂର୍ବରୁ ଏଲଭିଏ ଟେଷ୍ଟ ପାଇଁ ଅନୁମତି ଦେବାକୁ ଆବେଦନ କରିଥିଲା । ହେଲେ ଚାର୍ଜସିର୍ଟରେ ଏହି କଥା ଉଲ୍ଲେଖ କରିନଥିଲା । ତେଣୁ ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ । ଜର୍ଜଙ୍କ ଅସନ୍ତୋଷକୁ ଦେଖି ବାଧ୍ୟ ହୋଇ ଏଲଭିଏ ଆବେଦନରୁ ଓହରି ଯାଇଛି ଏସଆଇଟି । ଏହାପୂର୍ବରୁ ପରୀ ଅଭିଯୁକ୍ତର ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଅଭିଯୁକ୍ତ ଜଣକ କିଭଳି ପରୀକୁ ହତ୍ୟା କରିଥିଲା ଓ ପ୍ରମାଣ ନଷ୍ଟ କରିଥିଲା ତାହା ସ୍ୱୀକାର କରୁଥିବାର ଦେଖିବାକୁ ମିଳିଥିଲା । ତେବେ ଏଭଳି ପ୍ରମାଣ କୋର୍ଟରେ ଗ୍ରହଣୀୟ ହେଉନଥିବାରୁ ଏବେ ଅଡୁଆରେ ପଡିଛି ଏସଆଇଟି ।

from Kanak News
via <a href="https://ifttt.com/?

କେଉଁ ଗାଡି ପାଇଁ ଫାସ-ଟ୍ୟାଗ୍ ନିହାତି ଜରୁରୀ? ଦୁଇ ଚକିଆ ପାଇଁ ଲାଗୁ ହୋଇନି ତ ଫାସ୍-ଟ୍ୟାଗ୍ ବ୍ୟବସ୍ଥା? ଏହି ଖବର ଆପଣ ଜାଣିବା ନିହାତି ଆବଶ୍ୟକ 

କନକ ବ୍ୟୁରୋ : ୧୬ ଫେବୃଆରୀରୁ ଦେଶରେ ଲାଗୁ ହୋଇଛି ଫସ୍-ଟ୍ୟାଗ୍ ବ୍ୟବସ୍ଥା । ଏହାକୁ ନେଇ ଅନେକ ଗାଡି ମାଲିକଙ୍କ ଚିନ୍ତା ବଢିଯାଇଛି । କାରଣ ଅନେକ ଲୋକ ଠିକ ଭାବେ ଜାଣି ନାହାନ୍ତି ଫାସ-ଟ୍ୟାଗ୍ ଲଗାଯାଏ କେମିତି? ତେବେ ଆସନ୍ତୁ ଜାଣିବା ଫାସ-ଟ୍ୟାଗ୍ କେଉଁ କେଉଁ ଗାଡି ପାଇଁ ଲାଗୁ ହୋଇଛି, କେମିତି କରିବେ ଫାସ୍-ଟ୍ୟାଗ୍ ଏବଂ ଏହାକୁ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ହେବ ।

ଧଳା ନମ୍ବର ପ୍ଲେଟ୍ ଥିବା ଚାରିଚକିଆ ଗାଡି, ଅର୍ଥାତ୍ ନିଜଶ୍ୱ କାମରେ ବ୍ୟବହାର ହେଉଥିବା ଗାଡି ଉପରେ ଫାସ୍-ଟ୍ୟାଗ୍ ଲାଗୁ ରହିବ । ସେହିଭଳି ହଳଦିଆ ନମ୍ବର ପ୍ଲେଟ୍ ଲାଗିଥିବା, ଅର୍ଥାତ୍ କମର୍ସିଆଲ ଗାଡି ଯେପରିକି ଟ୍ରକ୍, ଓଲା କ୍ୟାବ୍ ଭଳି ବ୍ୟବସାୟ କ୍ଷେତ୍ରରେ ବ୍ୟବହାର ହେଉଥିବା ଗାଡି ଗୁଡିକ ପାଇଁ ମଧ୍ୟ ଫାସ୍-ଟ୍ୟାଗ୍ ଅନିବାର୍ଯ୍ୟ ଅଟେ । 

ଆପଣ ଭାବୁଥିବେ ଏସବୁ କଥାତ ଆମେ ଜାଣିଛୁ ଏବେ ଏସବୁର ଜାଣିବା ଆମର କିଛି ଦରକାର ନାହିଁ । କିନ୍ତୁ ଏଠାରେ ଆମେ ଆପଣଙ୍କୁ ଏମିତି ଏକ ସୂଚନା ଦେବାକୁ ଯାଉଛୁ ଯାହା ଆପଣ ଜାଣିବା ନିହାତି ଉଚିତ୍ । ଯଦି ଆପଣ ବୁଲେଟ୍ ବାଇକ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ମଧ୍ୟ ଫାସ୍-ଟ୍ୟାଗ୍ ଆବଶ୍ୟକ ପଡିବ । ଆପଣ ସାଧାରଣ ଭାବେ ହାଇୱେରେ ବୁଲାବୁଲି କରିବା ସମୟରେ ଆପଣଙ୍କୁ ଫାସ୍-ଟ୍ୟାଗର ଆବଶ୍ୟକତା ପଡିବ ନାହିଁ ସତ କିନ୍ତୁ ଯଦି ଆପଣ ଏକ୍ସପ୍ରେସୱେ ଧରୁଛନ୍ତି ତାହେଲେ ଆପଣଙ୍କ ପାଇଁ ଫାସ୍-ଟ୍ୟାଗ୍ ନିହାତି ଆବଶ୍ୟକ ହେବ 

କେଉଁଠୁ ମିଳିବ ଫାସ୍-ଟ୍ୟାଗ୍ ଓ ମୂଲ୍ୟ : 

ଏନଏଚ୍ଆଇ ସାରା ଦେଶରେ ପ୍ରାୟ ୪୦ ହଜାରରୁ ଅଧିକ ଫାସ-ଟ୍ୟାଗ୍ କେନ୍ଦ୍ର ସ୍ଥାରିତ କରିଛି । ଏହା ବ୍ୟତିତ ଫ୍ଲିପ୍କାର୍ଟ, ପେଟିଏମ୍, ଡିଜିଟାଲ ୱାଲେଟ୍, ଆମାଜନ୍ ଭଳି ଅନଲାଇନ୍ କମ୍ପାନିରୁ ମଧ୍ୟ ଘରେ ବସି ମଗେଇପାରିବେ । ତେବେ ଏହାର ମୂଲ୍ୟ ମାତ୍ର ୧୦୦ ଟଙ୍କ ରହିଛି 

ତେବେ ଡେରି ନକରି ଯେଉଁ ଗାଡି ମାଲିକମାନେ ଫାସ-ଟ୍ୟାଗ୍ କରିନାହାନ୍ତି ସେମାନେ ତୁରନ୍ତ କରାଇ ନିଅନ୍ତୁ । ନଚେତ୍ ଆଗକୁ ଆପଣଙ୍କୁ ଟୋଲପ୍ଲାଜାରେ ଦୁଇଗୁଣା ଟଙ୍କା ଦେବାକୁ ପଡିପାରେ 

from Kanak News
via <a href="https://ifttt.com/?

କିଏ ଦେଉଛି ମାଫିଆଙ୍କୁ ସୁରକ୍ଷା? ଓଡ଼ିଶାର ବଜ୍ରକାପ୍ତା ଚୀନରେ ପହଞ୍ଚୁଛି, ଭାୟା ସାଜିଛି ମିଆଁମାର । କିନ୍ତୁ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଖସି ଯାଉଛନ୍ତି ବଡ ବଡ ମାଫିଆ ।

କନକ ବ୍ୟୁରୋ : ରାଜ୍ୟରେ ବନୀକରଣରେ ଦୁର୍ନୀତି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। କୋଟି କୋଟି ଟଙ୍କା ହଡ଼ପର ଗନ୍ଧ ଓଡ଼ିଶାର ସବୁ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଲାଣି। ତିନି ତିନିଟି ମାମଲାରେ ଲୋକାୟୁକ୍ତ ତନାଘନା କରୁଛନ୍ତି। ବନ ବିଭାଗର ସର୍ବୋଚ୍ଚସ୍ତରରେ ଥିବା ଅଧିକାରୀ ଅଭୟ ପାଠକଙ୍କ ଦୁର୍ନୀତିର ପେଡ଼ି ପ୍ରଶାସନିକ ଇତିହାସରେ ସବୁଦିନପାଇଁ ଆଲୋଚନା ଭିତରେ ରହିବ। ଏହାସତ୍ତ୍ବେ ବନ ବିଭାଗର ବାବୁମାନେ ଏତେ ବେଫିକର ଯେ ଯାଜପୁର ଜିଲ୍ଲାରେ ଭୂତ ଗାଡ଼ିରେ ଗଛରେ ପାଣି ଦେଇ ବିଲ୍ ହଡ଼ପ କରିବାର ଦୁଃସାହସ କରୁଛନ୍ତି। ସରକାର କାର୍ଯ୍ୟାନୁଷ୍ଠାନ ବଦଳରେ ହାତ ବାନ୍ଧି ବସିଛନ୍ତି।

ସେହିଭଳି ଦୁଇ ସପ୍ତାହ ଭିତରେ ଛଅଟି ହାତୀ ମୃତ୍ୟୁ ଘଟଣା ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଆନ୍ଦୋଳିତ କଲାଣି। ଜଙ୍ଗଲ ବିଭାଗ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ହେଉ ବା ଉଭୟଙ୍କ ସଲାସୁତୁରାରେ ଶିକାରୀ ମାତିଛନ୍ତି। ପରିଣାମ ହେଲା ଗୋଟିଏ ପରେ ଗୋଟିଏ ଦନ୍ତା ଟଳି ପଡ଼ୁଛି ଘଞ୍ଚ ଜଙ୍ଗଲ ଭିତରେ। କେନ୍ଦ୍ର ସରକାର ଏହା ଉପରେ ତନାଘନା ଆରମ୍ଭ କଲେଣି। କିନ୍ତୁ ଓଡ଼ିଶାରେ କାହା ଉପରେ ଉତ୍ତରଦାୟିତ୍ବ ନ୍ୟସ୍ତ ହୋଇଛି?

ରାଜ୍ୟରେ କେବଳ ଜଙ୍ଗଲ ଓ ହାତୀ ଯେ ବିପଦରେ ଅଛନ୍ତି, ତା’ ନୁହେଁ। ଆହୁରି ଗୁରୁତ୍ବପୂର୍ଣ୍ଣ ଅର୍ଥାତ୍ ଭାରତରେ ୧ ନମ୍ବର ସିଡ୍ୟୁଲଭୁକ୍ତ ବନ୍ୟ ପ୍ରାଣୀ ବଜ୍ରକାପ୍ତା ବି ଓଡ଼ିଶାରେ ଭୀଷଣ ସଙ୍କଟ ଭିତରେ ଗତି କରୁଛି। କଟକ ଜିଲ୍ଲାର ଆଠଗଡରୁ ସୋନପୁର, ବଲାଙ୍ଗୀର ଏବଂ ଏପଟେ ମାଲକାନଗିରିରୁ ନୟାଗଡ଼ ପର୍ଯ୍ୟନ୍ତସବୁଠି ଏହି ଅତି ବିରଳ ପତଙ୍ଗଭୋଜୀ ପ୍ରାଣୀକୁ ଶିକାର ଲାଗି ଏକ ବିଶାଳ ଅନ୍ତର୍ଜାତିକ ରାକେଟ୍ କାମ କରୁଛନ୍ତି। ଏ ସଂକ୍ରାନ୍ତ ରେକର୍ଡ ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ଓ ବନ ବିଭାଗ ପାଖରେ ଅଛି।

‘ସମ୍ବାଦ’ ଏହି ପ୍ରାଣୀର ସୁରକ୍ଷା ପାଇଁ ପନ୍ଦରମାସ ହେଲାଣି ଜନସଚେତନତା ଜାରି ରଖିଛି। ହେଲେ ଚିନ୍ତାର ବିଷୟ ହେଉଛି, ଶିକାରୀ ଏମିତି ପରିସ୍ଥିତି ସୃଷ୍ଟି କଲେଣି ଯେ ବିଶେଷଜ୍ଞ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି ସମ୍ଭବତଃ ବିରଳ ବଜ୍ରକାପ୍ତାର ଉପସ୍ଥିତି ଓଡ଼ିଶାରେ ଥିଲା ବୋଲି ଆମ ପରବର୍ତ୍ତୀ ପିଢି ଗୋଟିଏ ସମୟରେ ଇତିହାସ ପୃଷ୍ଠାରେ ପଢ଼ିବେ। ଖୋଦ୍ ରାଜ୍ୟ ସରକାର, ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ, ସଚିବ, ବନ ବିଭାଗର ବଡ଼ ବାବୁମାନେ ଏହି ବିରଳ ସ୍ତନ୍ୟପ୍ରାୟୀ ପ୍ରାଣୀର ଗୁରୁତ୍ବ ସଂପର୍କରେ ଯେମିତି ନ ବୁଝିବା ଭଳି ଅଭିନୟ କରୁଛନ୍ତି। ଅନ୍ୟଥା ଆଜି ବିଶ୍ବ ବଜ୍ରକାପ୍ତା ଦିବସ ପରିପ୍ରେକ୍ଷୀରେ ବିଶ୍ବର ସବୁ ପ୍ରମୁଖ ରାଷ୍ଟ୍ରରେ ଏହା ସପକ୍ଷରେ ବ୍ୟାପକ ଅଭିଯାନ ଚାଲିଥିବା ବେଳେ ଓଡ଼ିଶା କିଭଳି ନିରବ ରହିଥାନ୍ତା? ରିପୋର୍ଟ ଲେଖା ହେବାପର୍ଯ୍ୟନ୍ତ ବନ ବିଭାଗ କହିପାରିନାହିଁ ଯେ ସରକାରୀସ୍ତରରେ ହେବାକୁ ଥିବା ଦଶମ ବଜ୍ରକାପ୍ତା ଦିବସ କେଉଁଠି ଓ କିଭଳି ପାଳନ ହେବ। ସମ୍ଭବତଃ ଏହା ମାଧ୍ୟମରେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରକୃଷ୍ଟ ସମୟ ଥିଲା।
ଗୋଟିଏ ପଟେ ବଜ୍ରକାପ୍ତା ମାଫିଆଙ୍କ ବିରୋଧରେ ବ୍ୟାପକ ଅଭିଯାନ ଲାଗି ଠୋସ୍ ପଦକ୍ଷେପ ନେଉନାହିଁ ବନ ବିଭାଗ। ଅନ୍ୟପଟେ ବଜ୍ରକାପ୍ତା ସପକ୍ଷରେ ଜନସଚେତନତା ସୃଷ୍ଟି ଲାଗି କାର୍ଯ୍ୟକ୍ରମ ହାତକୁ ନେବା ବଦଳରେ ନିରବ ରହିବା ଘଟଣା ପରୋକ୍ଷରେ ବଜ୍ରକାପ୍ତା ମାଫିଆଙ୍କୁ ଉତ୍ସାହିତ କରୁଛି।

ବିଶ୍ବର ପ୍ରମୁଖ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ରଖିଛନ୍ତି ଯେ ଏହି ପ୍ରାଣୀର ଅସ୍ତିତ୍ବ ଏବେ ଭୀଷଣ ସଙ୍କଟ ଦେଇ ଗତି କରୁଛି। ବିଶ୍ବରେ ସବୁଠାରୁ ଅଧିକ ଶିକାର ହେଉଥିବା ପ୍ରାଣୀ ହେଉଛି ବଜ୍ରକାପ୍ତା। ଖାସ୍ ଏଇଥିପାଇଁ ଏହାର ସୁରକ୍ଷାକୁ ଦୃଷ୍ଟିରେ ରଖି ୧୮୦ଟି ଦେଶର ସରକାର ଏକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଭାରତରେ ମଧ୍ୟପ୍ରଦେଶ ଭଳି ରାଜ୍ୟ ବଜ୍ରକାପ୍ତାଙ୍କ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ସେମାନଙ୍କ ନିକଟରେ ରେଡିଓ ଟ୍ୟାଗ୍ ଖଞ୍ଜୁଛନ୍ତି। ଏହା ଦ୍ବାରା ସେମାନଙ୍କ ଗତିବିଧି, କାର୍ଯ୍ୟକଳାପ ଓ ସୁରକ୍ଷା ଦିଗରେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇପାରିବ।

ଅଥଚ ଓଡ଼ିଶା ସରକାରଙ୍କ ପାଖରେ ଏଯାଏ ହିସାବ ନାହିଁ ଯେ ଏହି ବିରଳ ପ୍ରଜାତିର ପ୍ରାଣୀ ରାଜ୍ୟରେ କେତେ ସଂଖ୍ୟାରେ ଅଛନ୍ତି? କେଉଁ କେଉଁ ଜିଲ୍ଲାରେ ସେମାନଙ୍କର ଉପସ୍ଥିତି ଅଛି? ବିଦେଶାଗତ ପକ୍ଷୀ, ପାଣି ଭିତରେ କୁମ୍ଭୀର, କଇଁଛ, ଡଲଫିନ୍ ଗଣନା କରିପାରୁଥିବା ସରକାର କାହିଁକି ଏ ଦିଗରେ ଏତେ ବୀତସ୍ଫୃହ, ତାହା ଚିନ୍ତାର କାରଣ। ଆହୁରି ଉଲ୍ଲେଖନୀୟ କଥା ହେଲା, ଓଡ଼ିଶାର ଆଠଗଡ଼ ହେଉ କି ସୋନପୁର, ଏଠାରେ ଯେଉଁମାନେ ବଜ୍ରକାପ୍ତା ଚାଲାଣ କରୁଥିବା ଅଭିଯୋଗରେ ଗିରଫ ହେଲେ, ସେମାନେ ବେଶୀ ଦିନ ଜେଲ୍ କାନ୍ଥ ଭିତରେ ଅଟକିପାରିଲେ ନାହିଁ। ଅଧାପନ୍ତରିଆ ଭାବେ କେତେଜଣଙ୍କୁ ଗିରଫ କରିଦିଆଯାଉଛି। ହେଲେ ଏହି ରାକେଟରେ କିଙ୍ଗିପିନକୁ କିଏ ସୁରକ୍ଷା ଦେଉଛନ୍ତି? କାହା ସାହସରେ ଏମାନେ ଓଡ଼ିଶାରେ ବେଫିକର ଭାବେ ବ୍ୟବସାୟ କରିପାରୁଛନ୍ତି?

ଉଲ୍ଲେଖଯୋଗ୍ୟ ଯେ ବିଶ୍ବରେ ୮ ପ୍ରକାରର ବଜ୍ରକାପ୍ତା ଦେଖାଯାନ୍ତି। ଏମଧ୍ୟରୁ ୪ଟି ପ୍ରଜାତିର ବଜ୍ରକାପ୍ତା ଏସିଆ ମହାଦେଶରେ ଦେଖାଯାନ୍ତି। ଭାରତୀୟ ବଜ୍ରକାପ୍ତାର ଚାହିଦା ବିଶ୍ବ ବଜାରରେ ଢେର୍ ଅଧିକ। ଶିକାରର ସଂଖ୍ୟା ଡରାଉଛି ଯେ ଓଡ଼ିଶାରେ ଏମାନଙ୍କର ସଂଖ୍ୟା କମୁଛି। ୨୦୧୮ରେ ‘ଟ୍ରାଫିକ୍’ ନାମକ ଏକ ଅନ୍ତର୍ଜାତୀୟ ବନ୍ୟ ପ୍ରାଣୀ ପରିଚାଳନା ସଂସ୍ଥା ସୂଚାଇଥିଲା ଯେ ୨୦୦୯ରୁ ୨୦୧୭ ମଧ୍ୟରେ ଭାରତରେ ପ୍ରାୟ ୬୦୦୦ ବଜ୍ରକାପ୍ତାଙ୍କୁ ମାରିଦିଆଯାଇଛି। ୧୦ ପ୍ରତିଶତ କ୍ଷେତ୍ରରେ ଅପରାଧୀ ଧରା ପଡିଛନ୍ତି। ଓଡ଼ିଶା କ୍ଷେତ୍ରରେ ଏହାର ହାର ଆହୁରି ନଗଣ୍ୟ।

୨୦୨୦ ଫେବ୍ରୁଆରି ମାସରେ ଗୋଟିଏ ରିପୋର୍ଟ ପ୍ରକାଶ ପାଇଲା ଯେ ବଜ୍ରକାପ୍ତା ଠାରୁ କରୋନା ବ୍ୟାପିଥାଇପାରେ। ଏହା ଉପରେ ବିଶେଷ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସିନାହିଁ। କିନ୍ତୁ ଏକଥା ଜଣାପଡ଼ିଛି କରୋନା ସଂପର୍କ ଜଣାପଡ଼ିବା ପରେ ବି ବିଶ୍ବ ବଜାରରେ ଏହି ବ୍ୟବସାୟ କମିନାହିଁ; ଓଡ଼ିଶାରେ ବଜ୍ରକାପ୍ତା ଶିକାର ସଂଖ୍ୟା ଏକାଧିକ ଜିଲ୍ଲାରେ ସାମ୍ନାକୁ ଆସିଛି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଓଡ଼ିଶାର ବଜ୍ରକାପ୍ତା ମିଆଁମାର ଦେଇ ଚୀନ ଓ ଭିଏତନାମ ପର୍ଯ୍ୟନ୍ତ ଯାଉଛି। ଏହାର ମାଂସର ମୂଲ୍ୟ ବଜାରରେ ଅମୂଲ୍ୟ। କାତିର ଚାହିଦା ରହିଛି, ଏଇଥିପାଇଁ ଯେ ଏହା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତିରେ ବ୍ୟବହାର ହୁଏ। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଭାରତର ବନ୍ୟପ୍ରାଣୀ ସୁରକ୍ଷା ଆଇନ୍, ୧୯୭୨ ଅନୁସାରେ ବଜ୍ରକାପ୍ତା ଧରିବା, ମାରିବା ବା ତାର ଦେହାବଶେଷ ରଖିବା ଏକ ଧର୍ତ୍ତବ୍ୟ ଅପରାଧ। ଏହା ସତ୍ତ୍ବେ ରାଜ୍ୟ ସରକାରଙ୍କ ବନ ବିଭାଗ କାହିଁକି ଏ ଦିଗରେ ବିଶେଷ ଆଗ୍ରହ ନେଉନାହିଁ, ତାହା ସବୁ ଅବୁଝା ରହିଛି।

from Kanak News
via <a href="https://ifttt.com/?

ମହାରାଷ୍ଟ୍ରରେ ପୁଣି ବ୍ୟାପିଲାଣି କରୋନା ମହାମାରୀ!  ୨୪ ଘଣ୍ଟାରେ ଚିହ୍ନଟ ହେଲେଣି ୬ ହଜାରରୁ ଅଧିକ ଆକ୍ରାନ୍ତ, କଡା କଟକଣା ଜାରି କଲେ ମହାରାଷ୍ଟ୍ର ସରକାର । 

କନକ ବ୍ୟୁରୋ :  ଶୁକ୍ରବାର ଦିନ ୬,୧୧୨ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ଓ ୪୪ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହେବା ପରେ ମହାରାଷ୍ଟ୍ରରେ କଡ଼ା କଟକଣା ଜାରି କରାଯାଇଛି। ବିଶେଷକରି ମହାରାଷ୍ଟ୍ରର ୩ଟି ଜିଲ୍ଲା ଯବତମଲ, ଅକୋଲା ଏବଂ ଅମରାବତୀରେ ସପ୍ତାହନ୍ତ ମାନଙ୍କରେ ସାମାଜିକ ଦୂରତ୍ୱ ନିୟମ ଜାରି କରିବାକୁ ଆଦେଶ ଦିଆଯାଇଛି। ଏହାଛଡ଼ା, ରବିବାର ଦିନ ଏହି ଜିଲ୍ଲାମାନଙ୍କରେ ଲକଡାଉନ୍‌ ପାଇଁ ଘୋଷଣା କରାଯାଇଛି। ଜନ ସମାବେଶ ନିମନ୍ତେ ଅନୁମତି ନ ଦେବାକୁ ମଧ୍ୟ ଜିଲ୍ଲା ଅଧିକାରୀମାନଙ୍କୁ କୁହାଯାଇଛି।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର୍‌ କହିଛନ୍ତି ଯେ, କୋଭିଡ୍‌-୧୯ ମାମଲା ବୃଦ୍ଧି ପାଉଥିବା ବେଳେ ସର୍ବସାଧାରଣରେ ମାସ୍କ୍‌ ନ ପିନ୍ଧୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଭୂତାଣୁ ସଂକ୍ରମଣ ଦମନ କରିବା ଲାଗି ଯେଉଁ ପଦକ୍ଷେପ ସବୁ ଗ୍ରହଣ କରାଯିବ ସେ ସଂକ୍ରାନ୍ତରେ ଆଲୋଚନା ନିମନ୍ତେ ସେ ୨୧ ତାରିଖ ଦିନ ପୁଣେରେ ଏକ ବୈଠକରେ ଅଧ୍ୟକ୍ଷତା କରିବେ। ପରିସ୍ଥିତିର ସମୀକ୍ଷା କରି ଆବଶ୍ୟକ ସ୍ଥଳେ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଲକଡାଉନ୍‌ ଘୋଷଣା ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, କରୋନା ଭାଇରସର ପରିବର୍ତ୍ତିତ ପ୍ରଜାତିର ନମୁନା ଗୁରୁବାର ଦିନ ପୂର୍ବ ମହାରାଷ୍ଟ୍ରର ଅମରାବତୀ ଏବଂ ଯବତମଲ ଜିଲ୍ଲାରେ ଚିହ୍ନଟ କରାଯାଇଥିଲା। କିନ୍ତୁ, ଉକ୍ତ ଭୂତାଣୁର ଗୁଣସୂତ୍ର ଅନୁକ୍ରମ ଇଂଲଣ୍ଡ୍‌ କିଂବା ଦକ୍ଷିଣ ଆଫ୍ରିକାରେ ପରିବର୍ତ୍ତିତ ହୋଇଥିବା ଭୂତାଣୁର ଗୁଣସୂତ୍ର ଅନୁକ୍ରମ ସହ ମେଳ ଖାଉନାହିଁ।

from Kanak News
via <a href="https://ifttt.com/?

ଏ କେମିତି ହେଲା, ବାଂଲାଦେଶୀ ନାଗରିକ ଉତ୍ତର ମୁମ୍ବାଇର ବିଜେପି ସଂଖ୍ୟାଲଘୁ ସେଲର ସଭାପତି । ଟ୍ୱିଟ୍ କରି କଂଗ୍ରେସ କଲା ଟାର୍ଗେଟ? 

କନକ ବ୍ୟୁରୋ : ଜଣେ ବାଂଲାଦେଶୀ ନାଗରିକଙ୍କ ଗିରଫକୁ ନେଇ ଏବେ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଦଳର ମୁଖପାତ୍ର ସଚିନ ସାୱନ୍ତ ଏନେଇ ଟ୍ୱିଟ୍ କରିବା ସହ ବିଜେପି ଉପରେ ବର୍ଷିଛନ୍ତି । ତେବେ ଏହି ବାଂଲାଦେଶୀ ନାଗରିକଙ୍କ ପରିଚୟ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । କାରଣ ଗିରଫ ହୋଇଥିବା ବାଂଲାଦେଶୀ ନାଗରିକ ଜଣକ ହେଉଛନ୍ତି ବିଜେପିର ଉତ୍ତର ମୁମ୍ବାଇ ସଂଖ୍ୟାଲଘୁ ସେଲର ସଭାପତି । ଯିଏ ଦୀର୍ଘ ବର୍ଷ ହେବ ଜାଲ କାଗଜପତ୍ର ଦେଖାଇ ମୁମ୍ବାଇରେ ରହି ଆସୁଥିଲେ । ୨୪ ବର୍ଷୀୟ ଏହି ଯୁବକଙ୍କ ନାଁ ହେଉଛି ରୁବେଲ ଜୋନୁ ଶେଖ ।

ରୁବେଲଙ୍କ ଗିରଫ ପରେ ସଚିନ୍ ସାୱନ୍ତ ଟ୍ୱିଟ୍ କରି କହିଛନ୍ତି, କିଛି ବିଜେପି ନେତା ପୂର୍ବରୁ ଗୋ-ଚାଲାଣ କରୁଥିବା ନେଇ ଧରାପଡିଥିଲେ ଆଉ ଏବେ ଜଣେ ବାଂଲାଦେଶୀ ନାଗରିକ ବିଜେପିର ସଂଖ୍ୟାଲଘୁ ସେଲର ସଭାପତି ଭାବେ କାମ କରୁଛନ୍ତି । କଣ ବିଜେପି ପାଇଁ ନାଗରିକତା ସଂଶୋଧନ ଆଇନରେ କିଛି ଅଲଗା ପ୍ରାବଧାନ ରହିଛି କି?

https://platform.twitter.com/widgets.js

ରୁବେଲକୁ ମୁମ୍ବାଇ ପୋଲିସ ଗତ ସପ୍ତାହରେ ଗିରଫ କରିଥିଲା । ପୋଲିସ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରୁବେଲ ଶେଖ ବାଂଲାଦେଶର ଜସୁର ଜିଲ୍ଲାର ବାସିନ୍ଦା । ୨୦୧୧ ମସିହାରେ ବିନା କୌଣସି ବୈଧ କାଗଜପତ୍ରରେ ଭାରତକୁ ଚାଲିଆସିଥିଲା ରୁବେଲ । ଆଉ ଏହାପରେ ଦୀର୍ଘଦିନ ହେବ ବିଜେପି ପାଇଁ କାମ କରିବା ପରେ ଉତ୍ତର ମୁମ୍ବାଇର ଦଳର ସଂଖ୍ୟାଲଘୁ ସେଲର ସଭାପତି ଭାବେ ନିଯୁକ୍ତି ପାଇଥିଲେ ରୁବେଲ । ଆଉ ଏହାପରେ ନକଲି କାଗଜପତ୍ର ଆଧାରରେ ଭାରତର ବିଭିନ୍ନ କାଗଜପତ୍ର ବନାଇଥିଲେ ରୁବେଲ ।

from Kanak News
via <a href="https://ifttt.com/?

ସାଧୁ ସନ୍ଥଙ୍କୁ ଇଏ କି ସମ୍ମାନ? ଖଣ୍ଡଗିରିରେ ଅନ୍ଧାରରେ ପଡିଛନ୍ତି କୁମ୍ଭମେଳାର ଅତିଥି, ଜଳ ପାଇଁ ଡହଳବିକଳ । 

କନକ ବ୍ୟୁରୋ : ଖଣ୍ଡଗିରିରେ ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହୋଇଯାଇଛି। ନାଗା ସାଧୁଙ୍କ ସହିତ ଓଡ଼ିଶାର ବିଭିନ୍ନ କୋଣ ଅନୁ କୋଣରୁ ସାଧୁସନ୍ଥମାନେ ଜପତପ ପାଇଁ ଖଣ୍ଡଗିରି ପାହାଡ଼ରେ ଆସ୍ଥାନ ଜମାଇଛନ୍ତି। ମାତ୍ର ପରିତାପର କଥା ହେଲା, ଚଳିତ ବର୍ଷ ସେମାନଙ୍କୁ ଏହି ପାହାଡ଼ରେ ଅନ୍ଧାରରେ ରହିବାକୁ ପଡ଼ୁଛି। ନା ସେମାନଙ୍କ ପାଇଁ ଆଲୋକ ବ୍ୟବସ୍ଥା କରାଯାଇଛି, ନା ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ଫଳରେ ମୌଳିକ ସୁବିଧା ନ ପାଇ ସାଧୁସନ୍ଥମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାଧୁମାନେ ସ୍ନାନଶୌଚ ପାଇଁ ଓ ରାତିରେ ରହିବା ପାଇଁ ବହୁ ହଇରାଣ ହେଉଥିବା ଅଭିଯୋଗ ହେଉଛି। ବିଏମସିର ଏହି ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ପୂର୍ବରୁ ଏହି ମେଳାରୁ ବିଏମସି ଟିକସ ବାବଦରେ ପ୍ରଚୁର ଅର୍ଥ ପାଉଥିଲା। ମାତ୍ର କରୋନା ପାଇଁ ଏଥର କଟକଣା ଲାଗୁ ହେବାରୁ ମେଳାରେ ଦୋକାନ ବଜାର ପଡ଼ିନାହିଁ କି ଅପେରା ପାର୍ଟି ନାହିଁ। ତେଣୁ ବିଏମସି ଏଥର ଏହି ମେଳାରୁ ଟଙ୍କାଟିଏ ପାଇବାର ନାହିଁ। ସମ୍ଭବତଃ ସେଥିଲାଗି ଚଳିତ ବର୍ଷ ବିଏମସି ପକ୍ଷରୁ ଖଣ୍ଡଗିରି ମେଳାକୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହେଉଛି। ପୂର୍ବରୁ ମେଳାରେ ବିଏମସି ପକ୍ଷରୁ ସ୍ବଚ୍ଛତା, ପରିମଳଠୁ ଆରମ୍ଭ କରି ସାଧୁ ସନ୍ନ୍ୟାସୀଙ୍କ ରହଣି ନିମନ୍ତେ ଆଲୋକୀକରଣ, ପାନୀୟ ଜଳ ବ୍ୟବସ୍ଥା ଓ ନିତ୍ୟକର୍ମ ବ୍ୟବସ୍ଥା କରାଯାଉଥିଲା। ମାତ୍ର ଏଥର ସାଧୁଙ୍କ ପାଇଁ ବିଏମସି ପକ୍ଷରୁ କୌଣସି ମୌଳିକ ସୁବିଧା ଯୋଗାଇବା ବ୍ୟବସ୍ଥା କରାଯାଇନାହିଁ। ଦେଶର ବିଭିନ୍ନ ପ୍ରାନ୍ତରୁ ବିଶ୍ୱଶାନ୍ତି ଯଜ୍ଞ କରିବାକୁ ଆସିଥିବା ଏହି ସାଧୁମାନେ ଧୂନି ଓ ଯଜ୍ଞ କରିବା ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି। ଅନେକ ନାଗାସାଧୁ ପ୍ରାୟ ୪ ଦିନ ହେବ ଏଠାକୁ ଆସିଥିଲେ ହେଁ ଅନ୍ଧାରରେ ରାତ୍ରି ଯାପନ କରୁଛନ୍ତି। ବିଏମସିକୁ ନିବେଦନ କଲେ ମଧ୍ୟ କୌଣସି ବ୍ୟବସ୍ଥା ହେଉନଥିବା ନାଗାସାଧୁମାନେ କହିଛନ୍ତି।

ଏ ନେଇ ବିଏମସି ଦକ୍ଷିଣ ପଶ୍ଚିମ ଜୋନାଲ୍ କମିସନରଙ୍କୁ ପଚାରିବାରୁ ସେ ବିଏମ୍‌ସିର ମୁଖ୍ୟାଳୟକୁ ଅଭିଯୋଗ କରିବାକୁ କହି ନିଜ ମୁଣ୍ଡରୁ ଦାୟିତ୍ବ ଖସାଇଛନ୍ତି। ମୁଖ୍ୟାଳୟରେ ପରିମଳ ବିଭାଗ ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଉନାହାନ୍ତି। ତେଣୁ ପ୍ରଶ୍ନ ଉଠୁଛି ଚଳିତ ବର୍ଷ ଏହି ମେଳାକୁ ବିଏମ‌ସି ପକ୍ଷରୁ ଅଣଦେଖା କାହିଁକି କରାଯାଉଛି। ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ପରମ୍ପରାକୁ ଭାଙ୍ଗିବା ପାଇଁ ବିଏମସି ଷଡ୍‌ଯନ୍ତ୍ର କରୁଛି ବୋଲି ସାଧୁମାନେ ଅଭିଯୋଗ କରିଛନ୍ତି।

ପରମ୍ପରା ଅନୁସାରେ ମେଳା ଆରମ୍ଭ ହେଉଥିବା ନେଇ ଖବର ଥିଲେ ମଧ୍ୟ ପ୍ରଶାସନଠାରୁ ଆରମ୍ଭ କରି ପ୍ରତ୍ନତତ୍ତ୍ବ ବିଭାଗ ସମସ୍ତେ କୌଣସି ତତ୍ପରତା ପ୍ରଦର୍ଶନ କରିନଥିଲେ। ଗତକାଲି ସନ୍ଧ୍ୟାରେ ଖଣ୍ଡଗିରି ପାହାଡ଼ ପ୍ରବେଶ ପଥରେ ଥିବା ଗେଟରେ ତାଲା ପକାଇ ଦିଆଯାଇଥିଲା। ଫଳରେ ନାମ ଯଜ୍ଞ କରିବାକୁ ଆସିଥିବା ନାଗାସାଧୁମାନେ ତପ ସାଧନା କରିବେ କଣ, କେଉଁଠିମୁଣ୍ଡ ଗୁଂଜିବେ ବୋଲି ଜାଗା ଖୋଜି ଖୋଜି ନୟାନ୍ତ ହୋଇଥିଲେ। ସେହିଭଳି ଖଣ୍ଡଗିରି ପାହାଡ଼ ପାଦଦେଶରେ ଥିବା ଶୌଚାଳୟରେ ମଧ୍ୟ ତାଲା ଲାଗିଛି। ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ନିର୍ମିତ ଏହି ଶୌଚାଳୟ ବିଶେଷକରି କୁମ୍ଭମେଳାରେ ସାଧୁସନ୍ଥଙ୍କ ପାଇଁ ତିଆରି ହୋଇଥିଲା। ହେଲେ ତାହା ଆଜି ବି ବନ୍ଦ ଥିଲା। ମୟୂରଭଞ୍ଜ ସାତକୋଶିଆରୁ ଆସିଥିବା ସ୍ବାମୀ ଅଗ୍ନିହୋତ୍ରୀ ବାବା କହିଛନ୍ତି ଯେ ପ୍ରତିବର୍ଷ କୁମ୍ଭମେଳା ବେଳକୁ ଏହି ଶୌଚାଳୟ ବନ୍ଦ ରୁହେ। ବାରମ୍ବାର ଅଭିଯୋଗ କରିବା ପରେ ଯାଇ ପ୍ରତ୍ନତତ୍ତ୍ବ ବିଭାଗର ନିଦ ଭାଙ୍ଗେ। ଏଥର ମଧ୍ୟ ସମାନ ଅବସ୍ଥା। ଦୀର୍ଘ ଦିନ ଧରି ଏହା ବ୍ୟବହାର ହୋଇନଥିବାରୁ ଏବେ ବ୍ୟବହାର ଅନୁପଯୋଗୀ ହୋଇଥିବା ସାଧାରଣ କଥା। ତେଣୁ ପ୍ରତ୍ନତତ୍ତ୍ବ ବିଭାଗ ତୁରନ୍ତ ଏହାକୁ ଖୋଲିବା ସହିତ ଶୌଚାଳୟରେ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ସାଧୁମାନେ ଦାବି କରିଛନ୍ତି।

from Kanak News
via <a href="https://ifttt.com/?

ଆଉ ୨୪ ଘଣ୍ଟା ରହିବ କୋହଲା ପାଗ, କିଛି କିଛି ସ୍ଥାନରେ ହୋଇପାରେ ବର୍ଷା

କନକ ବ୍ୟୁରୋ : ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ଏଭଳି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଗତକାଲି ଉପକୂଳ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଓ କୋରାପୁଟ ଜିଲ୍ଲାର ଲମତାପୁଟରେ ୩୦ ମିମି ଲେଖାଏଁ ବର୍ଷା ‌ରେକର୍ଡ ହୋଇଥିବା ବେଳେ କଳାହାଣ୍ଡି, ସୋନପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଦେବଗଡ଼ ଓ ନୂଆପଡ଼ା ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇଥିବା ଜଣାପଡ଼ିଛି। ବର୍ଷା ଯୋଗୁଁ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିଛି ଓ ଶୀତ କମିଛି। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପାଗ କୋହଲା ରହିବ ଓ କିଛି କିଛି ସ୍ଥାନରେ ବର୍ଷା ହେବାର ବି ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମଧ ରଣର ବର୍ଷା ହୋଇପାରେ। ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି ଓ ବଲାଙ୍ଗୀର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହେବା ସହ ପାଗ ମେଘୁଆ ରହିବାର ସମ୍ଭାବନା ରହିଛି। ସେହିଭଳି ଆସନ୍ତା ୨୪ ଘଣ୍ଟା ମଧ୍ୟ‌ରେ ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳରେ ପାଗ ମେଘୁଆ ରହିବ। ସର୍ବାଧିକ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ଭିତରେ ରହିବ ବୋଲି ସୂଚନା ମିଳିଛି।

from Kanak News
via <a href="https://ifttt.com/?

Design a site like this with WordPress.com
Get started