ମାଘ ସପ୍ତମୀରେ ମନ୍ତ୍ରମୟ ଖଣ୍ଡଗିରି : କୁମ୍ଭମେଳାର ଶୁଭାରମ୍ଭ

ପବିତ୍ର ମାଘ ସପ୍ତମୀରେ ଆରମ୍ଭ ହୋଇଛି ଖଣ୍ଡଗିରି କୁମ୍ଭମେଳା। ସୂର୍ଯ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ଜପତପ, ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି। ଏବେ ଖଣ୍ଡଗିରିର ଗିରିକନ୍ଦରରେ ଗୁଞ୍ଜରିତ ହେଉଛି ସେମାନଙ୍କ ମନ୍ତ୍ର ଧ୍ବନି। ସନ୍ଥମାନଙ୍କ ଅସ୍ଥାୟୀ ତପ ଶିବିରରେ ଜଳୁଛି ଅଖଣ୍ଡ ଯଜ୍ଞ ଯୂପ। ଦିନବେଳା ‌ମନ୍ତ୍ର ଧ୍ବନି, ସଂଜ ନଇଁଲେ ଜମୁଛି ଭଜନ କୀର୍ତ୍ତନ। ଏକ ଭାବଗମ୍ଭୀର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ବନଭୂମି ଖଣ୍ଡଗିରିରେ। ସାଧୁସନ୍ଥମାନଙ୍କ ଦର୍ଶନ ପାଇଁ ଲାଗିଛି ଗହଳଚହଳ। କଟକଣା ସତ୍ତ୍ବେ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଦାନଧର୍ମ ବି ଚାଲିଛି। ସନ୍ଥମାନଙ୍କ ଆଶୀର୍ବାଦ ଲାଭ କରି ଶ୍ରଦ୍ଧାଳୁମାନେ କୃତାର୍ଥ ହେଉଛନ୍ତି। ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏମିତି ଆଧ୍ୟାତ୍ମିକ ପରିବେଶ ଲାଗି ରହିବ ଏହି ତପୋଭୂମିରେ। ରାଜଧାନୀର କଂକ୍ରିଟ୍‌ ଜଙ୍ଗଲ ଭିତରେ ଆଜି ବି ଭାରତ ବର୍ଷର ପ୍ରାଚୀନ ଜାଗଯଜ୍ଞ ଓ ଜପତପର ପରମ୍ପରା ଜୀବିତ ରହିଛି, ତାହାର ପ୍ରମାଣ ଦେଉଛି ଖଣ୍ଡଗିରି।

ନାଗାମଠରୁ ରାଣୀଗୁମ୍ଫା ଯାତ୍ରା କଲେ ଅନନ୍ତକେଶରୀ
ଖଣ୍ଡଗିରି : ମାଘସପ୍ତମୀ ଓ କୁମ୍ଭମେଳା ଅବସର‌ରେ ଆଜି ପ୍ରଭୁ ଅନନ୍ତକେଶରୀଙ୍କ ରାଣୀ ଗୁମ୍ଫା ଯାତ୍ରା ସମ୍ପନ୍ନ ହୋଇଯାଇଛି। ଘଣ୍ଟ, ଘଣ୍ଟା ଓ ମୃଦଙ୍ଗ ବାଦ୍ୟ ସମାହାରରେ ଓ ରଙ୍ଗିନ୍‌ ଆଲୋକମାଳା ମଧ୍ୟରେ ଏକ ବିରାଟ ଶୋଭାଯାତ୍ରାରେ ପ୍ରଭୁଙ୍କୁ ନିଆଯାଇଥିଲା। ସନ୍ଧ୍ୟା ପ୍ରାୟ ୭ଟାରେ ପ୍ରଭୁ ଅନନ୍ତକେଶରୀ ଜାଗମରା ଗାଁସ୍ଥିତ ନାଗାମଠରୁ ବାହାରି ଉଦୟଗିରି ରାଣୀଗୁମ୍ଫାସ୍ଥିତ ରାଣୀ ହଂସପୁରକୁ ବିଜେ କରିଥିଲେ। ସୁସଜ୍ଜିତ ବିମାନରେ ପ୍ରଭୁଙ୍କ ବିଗ୍ରହ ବେଶ୍ ଶୋଭା ପାଉଥିଲା। ପ୍ରଭୁ ମଠରୁ ବାହାରିବା ପରେ ବିମାନରେ ଗାଁ ପରିକ୍ରମା କରିଥିଲେ। ଗାଁରୁ ବାହାରିବା ପରେ ୬ଟି ଯାକ ଯାତ୍ରା ପେଣ୍ଡାଲ୍ ପକ୍ଷରୁ ପ୍ରଭୁଙ୍କ ଆଗରେ ପଂକ୍ତି ଭୋଗ ଲାଗି କରାଯାଇଥିଲା। ବିମାନ ଆଗରେ ଗ୍ରାମର ଓଡ଼ିଶୀ ସଂକୀର୍ତ୍ତନ ମଣ୍ଡଳୀ ନାମ କୀର୍ତ୍ତନ କରିଥିଲେ। ଦୀର୍ଘ ୩ ଘଣ୍ଟା କାଳ ଶୋଭାଯାତ୍ରାରେ ଯିବା ପରେ ବିମାନ ଉଦୟଗିରି ପାହାଡ଼ ଉପରେ ଥିବା ରାଣୀ ଗୁମ୍ଫାରେ ପହଞ୍ଚିଥିଲା। ସେଠାରେ ପ୍ରଭୁଙ୍କ ପୂଜାବିଧି ସମ୍ପନ୍ନ ହେବା ପରେ ଲଳିତା କୁଣ୍ଡରେ ଚାପ ଖେଳ ଅନୁଷ୍ଠିତ ହୋଇଥିଲା। ପରେ ଦୋଳବେଦିରେ ପ୍ରଭୁ ବିଜେ କରିଥିଲେ ଓ ନୀତିକାନ୍ତି ଅନୁଯାୟୀ ପୂଜା ପାଇଥିଲେ। ଏହା ପରେ ଠାକୁର ନାଗାମଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା କରୋନା ମାର୍ଗଦର୍ଶିକା ଅନୁଯାୟୀ ଏହି ଶୋଭାଯାତ୍ରାରେ କମ୍‌ ସଂଖ୍ୟକ ଗ୍ରାମବାସୀଙ୍କୁ ସାମିଲ୍ କରାଯାଇଥିଲା। ପୂର୍ବ ବର୍ଷ ଭଳି ଆତସବାଜି ପ୍ରତିଯୋଗିତା ହୋଇନଥିଲା। ଶୋଭାଯାତ୍ରାରେ ଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ୍ ପୁଲିସ ନିୟୋଜିତ ହୋଇଥିଲେ।

ଲାଗି ହେଲା ‘ଖଣ୍ଡଖିରି’, ରାମଚରିତ ମାନସ ପାରାୟଣରେ କମ୍ପିଲା ବାରଭୁଜା ପୀଠ
ଶୁକ୍ରବାର ଭୋର୍‌ରୁ ମା’ ବାରଭୁଜାଙ୍କ ପୀଠରେ ପୂଜା ବିଧି ଶେଷ ହେବା ପରେ ରାମଚରିତ ମାନସ ପାରାୟାଣ ଆରମ୍ଭ ହୋଇଥିଲା। ସାଧୁସନ୍ଥମାନେ ମିଳିତଭାବେ ରାମଚରିତ ମାନସ ପାଠ କରିଥି‌ଲେ। ଠାକୁରାଣୀଙ୍କ ସନ୍ଧ୍ୟା ଆଳତି ସମ୍ପନ୍ନ ହେବା ପର୍ଯ୍ୟନ୍ତ ନାଗା ସାଧୁମାନେ ରାମଚରିତ ମାନସ ପାଠ କରିବା ଦେଖା ଯାଇଥିଲା। ଏହାଛଡ଼ା ଆଜି ମାଘମେଳାର ସ୍ବତନ୍ତ୍ର ‘ଖଣ୍ଡଖିରି’ ପ୍ରସ୍ତୁତ କରାଯାଇ ଶ୍ରଦ୍ଧାଳୁ ଓ ସାଧୁମାନଙ୍କୁ ବଣ୍ଟାଯାଇଥିଲା। କେବଳ ବାରଭୁଜା ପୀଠରେ ନୁହେଁ, ଜାଗମରା, କପିଳପ୍ରସାଦ, ପୁରୁଣା ଭୁବନେଶ୍ବର ଆଦି ଅଞ୍ଚଳରୁ କିଛି ପରିବାର ପ୍ରତିବର୍ଷ ଭଳି ପରମ୍ପରା ଅନୁସାରେ ମାଟି ହାଣ୍ଡିରେ ଖଣ୍ଡଖିରି ପ୍ରସ୍ତୁତ କରି ସାଧୁମାନଙ୍କୁ ପରଶିଥିଲେ।

ଅନ୍ୟପକ୍ଷରେ ଆଜି ଦିନବେଳା ଖାରବେଳ ପାର୍କ ନିକଟରେ ଥିବା ମାଧବାନନ୍ଦ ଆଶ୍ରମରୁ ବାବା ଓ ଶିଷ୍ୟମାନେ ଏକ ବିରାଟ ପଟୁଆରରେ ବାରଭୁଜାଙ୍କ ପୀଠକୁ ଆସିଥିଲେ। ମା’ଙ୍କ ନିକଟରୁ ଆଜ୍ଞାମାଳ ନେଇ ଆଶ୍ରମକୁ ଫେରିବା ପରେ ସେଠାରେ ଗୀତା ଯଜ୍ଞ ଆରମ୍ଭ କରିଥିଲେ। ସେହିଭଳି ନିମେଇ ଆଶ୍ରମ ପକ୍ଷରୁ ମଧ୍ୟ ବାରଭୁଜା ଠାକୁରାଣୀଙ୍କ ଆଜ୍ଞାମାଳ ନିଆଯାଇ ସେଠାରେ ବିଶ୍ବଶାନ୍ତି ଯଜ୍ଞ ଆରମ୍ଭ କରାଯାଇଛି।

from Kanak News
via <a href="https://ifttt.com/?

ଜଣେ ପୁଅର ବିନତୀ, ‘ମୋ ମା’ଙ୍କୁ କ୍ଷମା କରିଦିଅ, ଫାଶୀ ଦିଅନି’

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଅମରୋହା ହତ୍ୟା ମାମଲାରେ ଦୋଷୀ ସବନମଙ୍କୁ ଫାଶୀ ପାଇଁ ମଥୁରା ଜେଲରେ ପ୍ରସ୍ତୁତି ଆରମ୍ଭ ‌ହୋଇଯାଇଛି। ସବନମ୍‌ ତାଙ୍କ ପ୍ରେମିକ ସଲିମଙ୍କ ସହ ମିଶି ପରିବାରର ୭ ଜଣ ସଦସ୍ୟଙ୍କୁ ଅତି ବର୍ବର ଭାବେ ହତ୍ୟା କରିଥିଲେ। ୨୦୦୮ ମସିହାର ଏହି ହତ୍ୟା ମାମଲାରେ ସବନମ୍‌ ଦୋଷୀସାବ୍ୟସ୍ତ ହୋଇ ଫାଶୀଦଣ୍ଡରେ ଦଣ୍ଡିତ ହୋଇଥିଲେ। ଏହି ମାମଲାରେ ସବନମଙ୍କ ରିଭ୍ୟୁ ପିଟିସନ୍‌ ସୁପ୍ରିମକୋର୍ଟରେ ଖାରଜ ହେବାପରେ ରାଷ୍ଟ୍ରପତି ମଧ୍ୟ ତାଙ୍କ କ୍ଷମା ଆବେଦନକୁ ଖାରଜ କରିଛନ୍ତି।

ଅନ୍ୟପ‌କ୍ଷେ ସବନମ୍‌ ଅଲିଙ୍କ ୧୨ ବର୍ଷୀୟ ପୁଅ ତାଙ୍କ ମା’ଙ୍କୁ କ୍ଷମା କରିଦେବାପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ତାଙ୍କ ମା’ଙ୍କ କ୍ଷମା ଆବେଦନ ଉପରେ ବିଚାର କରିବାପାଇଁ ସେ ରାଷ୍ଟ୍ରପତିଙ୍କୁ ସୋସିଆଲ ମିଡିଆରେ ଅନୁ‌ରୋଧ କରିଛନ୍ତି। ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ସବନମଙ୍କ ପୁଅ ହାତରେ ଏକ ପ୍ଲାକାର୍ଡ ଧରିଛନ୍ତି ଏବଂ ଏଥିରେ ଲେଖାଅଛି ‘ପ୍ରେସିଡେଣ୍ଟ୍‌ ଅଙ୍କଲ୍‌, ମୋ ମା’ଙ୍କୁ ମୁଁ ବହୁତ ଭଲ ପାଉଛି ଏବଂ ତାଙ୍କୁ ଦୟାକରି କ୍ଷମା କରିଦିଅନ୍ତୁ। ମା’ଙ୍କ ଫାଶୀଦଣ୍ଡ କାର୍ଯ୍ୟକାରୀ ହେବ ବୋଲି ଶୁଣି ସବନମଙ୍କ ପୁଅ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ବୋଲି କୁହାଯାଉଛି।

ଇତି ମଧ୍ୟରେ ମଥୁରା ଜେଲରେ ସବନମଙ୍କୁ ଫାଶୀ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମଥୁରାର ଏହି ଜିଲ୍ଲା ଜେଲ୍‌ ୧୫୦ ବର୍ଷ ପୂର୍ବେ ୧୮୭୦ରେ ନିର୍ମାଣ ହୋଇଥିଲା। ଦେଶରେ ଏହି ଏକମାତ୍ର ଜେଲରେ କେବଳ ମହିଳା ଫାଶୀ ଗୃହ ରହିଛି। କିନ୍ତୁ ସ୍ବାଧୀନତା ପରଠାରୁ ଏଠାରେ କୌଣସି ଜଣେ ହେଲେ ମହିଳାଙ୍କୁ ଫାଶୀ ଦିଆଯାଇନଥିଲା। ଦେଶର ପ୍ରଥମ ମହିଳା ଭାବେ ସବନମଙ୍କୁ ସ୍ବାଧୀନତା ପରେ ପ୍ରଥମ ଫାଶୀ ମିଳିବ। ସବନମଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାପାଇଁ ପବନ ଜହ୍ଲାଦ ଜେଲ୍‌ ପରିସର ଯାଇ ସ୍ଥିତି ଯା‌ଞ୍ଚ କରିଛନ୍ତି। ତେବେ ଫାଶୀ ଗୃହରେ ରକ୍ଷଣାବେକ୍ଷଣର ଆବଶ୍ୟକତା ରହିଛି। ଫାଶୀ ପୂର୍ବରୁ ଏହାକୁ ଭଲଭାବେ ସଜାଡ଼ିବାକୁ ପଡ଼ିବ ବୋଲି ପବନ ଜହ୍ଲାଦ କହିଛନ୍ତି।

from Kanak News
via <a href="https://ifttt.com/?

ଜିଦରେ ଅଟଳ ରହିଲା ଭାରତ, ପଛକୁ ଘୁଞ୍ଚିଲା ଚୀନ୍ ।  ପେଙ୍ଗୋଙ୍ଗ୍ ଅଞ୍ଚଳ ଖାଲି କଲା ଡ୍ରାଗନବାହିନୀ, ଆଜି ଶୀର୍ଷ କମାଣ୍ଡରସ୍ତରୀୟ ଆଲୋଚନା ।

କନକ ବ୍ୟୁରୋ : ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳରେ ଦୀର୍ଘ ୮ ମାସ ଧରି ଭାରତ ଓ ଚୀନ୍‌ ସେନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିର ଅବସାନ ଘଟିଛି। ପୂର୍ବ ଲଦାଖ୍‌ ସ୍ଥିତ ପେଙ୍ଗୋଙ୍ଗ୍‌ ହ୍ରଦର ଉଭୟ ଉତ୍ତର ଏବଂ ଦକ୍ଷିଣ ପାଶ୍ୱର୍କୁ ଚୀନ୍‌ ସୈନିକ ଖାଲି କରିଦେଇଛନ୍ତି। ସମସ୍ତ ଚୀନ୍‌ ସୈନିକ ସେଠାରୁ ଫେରିଥିବା ବେଳେ ଭାରୀ ଯୁଦ୍ଧାସ୍ତ୍ର ମଧ୍ୟ ହଟାଇ ଦିଆଯାଇଛି । ଚୀନ୍‌ ସୈନିକଙ୍କ ସ୍ଥାୟୀ ଶିବିରଗୁଡ଼ିକୁ ମଧ୍ୟ ରାତାରାତି ନଷ୍ଟ କରିଦିଆ ଯାଇଥିବାରୁ ଏକ ବହୁତ ବଡ଼ ବିବାଦର ସାମୟିକ ପରିସମାପ୍ତି ଘଟିଛି । ଏକ ନିର୍ଦ୍ଦିଷ୍ଟ ଅଂଚଳକୁ ବିବାଦୀୟ କରି ତାହାକୁ ନିଜ୍‌ କବଜାକୁ ନେବାପାଇଁ ଚୀନର ବିଶାଳ ଚାଲ୍‌ ପଣ୍ଡ ହୋଇଯାଇଥିବାରୁ ଏହାକୁ ଭାରତର ବଡ଼ କୂଟନୈତିକ ବିଜୟ ବୋଲି କୁହାଯାଉଛି।

ଭାରତ ପେଙ୍ଗୋଙ୍ଗ୍‌ ଅଂଚଳରେ ଯେଭଳି ଦୃଢ଼ତାର ସହ କାଏମ ରହିଲା ଏବଂ ନିଜ ଶକ୍ତିର ପରିଚୟ ଦେଲା ତାହା ଆମେରିକା ଓ ରୁଷକୁ ମଧ୍ୟ ବିସ୍ମିତ କରିଦେଇଛି। ଏବେ ପରବର୍ତ୍ତୀ ପର୍ଯ୍ୟାୟରେ ଗୋଗରା, ହଟ୍‌ ସ୍ପ୍ରିଂଗ୍‌ ଏବଂ ଡେପସାଙ୍ଗ ଅଂଚଳରୁ ସେନା ପ୍ରତ୍ୟାହାର ଦିଗରେ ଗୁରୁତ୍ୱାରୋପ କରାଯାଉଛି। ଆସନ୍ତାକାଲି ଏ ବାବଦ ବୈଠକରେ ବିସ୍ତୃତ ଆଲୋଚନା ହେବ। ଲଦାଖରେ ଭବିଷ୍ୟତରେ ସଂଘର୍ଷପୂର୍ଣ୍ଣ ସ୍ଥିତିକୁ ଏଡ଼ାଇବାକୁ ଏଲଏସି‌ ପାଇଁ ନୂଆ ପାଟ୍ରୋଲିଂ ନୀତି ନିର୍ଦ୍ଧାରଣ କରିବାକୁ ମଧ୍ୟ ଯୋଜନା ଚାଲିଛି।

ପେଙ୍ଗୋଙ୍ଗ୍‌ ଅଂଚଳରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଗତ ରାତିରେ ଏହା ସଂପୂର୍ଣ୍ଣ ହୋଇଥିବା ଜଣାପଡ଼ିଛି। ଫିଙ୍ଗର ୪ ଅଂଚଳ ଏବେ ଖାଲି ହୋଇଯାଇଥିବାରୁ ଭାରତୀୟ ସେନା ମଧ୍ୟ ତା’ର ପୂର୍ବ ସ୍ଥିତିକୁ ଫେରି ଆସିଛି। ଭାରତୀୟ ସେନା ଫିଙ୍ଗର ୨-୩ ମଧ୍ୟବର୍ତ୍ତୀ ଅଂଚଳ ଧାନ୍‌ ସିଂହ ଥାପାରେ ରହିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଚୀନ୍‌ ସେନା ପଛକୁ ହଟିବା ସତ୍ତ୍ବେ ଭାରତ ନିଜର ସୁରକ୍ଷା ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଲଦାଖରେ ଶକ୍ତିଶାଳୀ ତୋପ ମୁତୟନ କରାଯିବା ସହ ବିଭିନ୍ନ ଶ୍ରେଣୀର ଯୁଦ୍ଧ ବିମାନ ନିୟମିତ ବ୍ୟବଧାନରେ ଉଡ଼ାଣ ଭରୁଛନ୍ତି।

from Kanak News
via <a href="https://ifttt.com/?

ବଦଳିଲା ଟ୍ରମ୍ପଙ୍କ ନିଷ୍ପତ୍ତି । ପ୍ୟାରିସ ଆକର୍ଡକୁ ଫେରିଲା ଆମେରିକା, ବିଶ୍ୱ ଜଳବାୟୁ ପରିବର୍ତନ ଚୁକ୍ତିରେ ସାମିଲ ଅଛନ୍ତି ବିଶ୍ୱର ୧୯୫ ଦେଶ ।

କନକ ବ୍ୟୁରୋ : ପ୍ୟାରିସ କ୍ଲାଇମେଟ୍ ଆକର୍ଡ ବା ପ୍ୟାରିସ ଜଳବାୟୁ ଚୁକ୍ତିକୁ ଫେରିଲା ଆମେରିକା । ଏହି ଚୁକ୍ତିରୁ ଟ୍ରମ୍ପ ପ୍ରଶାସନ ଓହରି ଯାଇଥିବା ବେଳେ ଏହି ନିଷ୍ପତିକୁ ବଦଳାଇଛନ୍ତି ବାଇଡେନ୍ ପ୍ରଶାସନ । ବିଶ୍ୱ ଜଳବାୟୁ ସଂକଟରେ ପଡିଥିବା ବେଳେ ଏହାର ସୁରକ୍ଷା ପାଇଁ ୨୦୧୫ରେ ପ୍ୟାରିସ ଜଳବାୟୁ ଚୁକ୍ତିି ହୋଇଥିଲା । ୧୯୫ଟି ଦେଶ ଏଥିରେ ଯୋଗ ଦେଇଥିଲେ । ବ୍ୟାପକ ଶିଳ୍ପକରଣ ଯୋଗୁଁ ଜଳବାୟୁ ସଂକଟକୁ ମିଳିତ ଭାବେ ମୁକାବିଲା କରିବା ପାଇଁ ଏହି ଅନ୍ତର୍ଜାତୀୟ ଚୁକ୍ତିରେ ସ୍ୱାକ୍ଷର କରିଥିଲେ ।

ତେବେ ଗତବର୍ଷ ନଭେମ୍ବର ମାସରୁ ଏଥିରୁ ଓହରି ଯାଇଥିଲା ଆମେରିକା । ଏହାର ତିନି ମାସ ପରେ ପୁଣି ଥରେ ଏହି ଚୁକ୍ତିିରେ ସାମିଲ ହୋଇଛି । ଜଳବାୟୁ ସଂକ୍ରାନ୍ତ ଆମେରିକା ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ପ୍ରତିନିଧି ଜନ୍ କେରୀ କହିଛନ୍ତି, କୌଣସି ଦେଶ ଏକକ ଭାବେ ଜଳବାୟୁ ସଂକଟର ସାମ୍ନା କରିପାରିବ ନାହିଁ । ତେଣୁ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ହେବ । ଚଳିତ ବର୍ଷ ଗ୍ଲାସଗୋ ଠାରେ ହେବାକୁ ଥିବା ଜାତିସଂଘ ଜଳବାୟୁ ସମ୍ମିଳନୀକୁ ସଫଳ କରିବା ପ୍ରଥମ ଲକ୍ଷ୍ୟ ହେବ ବୋଲି କହିଛି ଆମେରିକା । ପ୍ୟାରିସ କ୍ଲାଇମେଟ୍ ଆକର୍ଡରେ ପୁଣିଥରେ ଆମେରିକା ଯୋଗ ଦେବ ବୋଲି ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ତାଙ୍କର ନିର୍ବାଚନ ପ୍ରଚାର ବେଳେ ଆମେରିକାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

from Kanak News
via <a href="https://ifttt.com/?

ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା ଦିଶା ରବି ଜେଲ ଗଲେ । ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ପଟିଆଲା ହାଉସ୍ କୋର୍ଟ ଜେଲକୁ ପଠାଇ ଦିଆଯାଇଛି ।

କନକ ବ୍ୟୁରୋ: ଟୁଲ୍ କିଟ୍ ମାମଲାରେ ଗିରଫ ହୋଇଥିବା ଦିଶା ରବି ଜେଲକୁ ଯାଇଛନ୍ତି । ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଜେଲକୁ ନିଆଯାଇଛି । ଆସନ୍ତା ସପ୍ତାହରେ ତାଙ୍କୁ ପୁଣି ପଚରାଉଚରା ପାଇଁ ଆବେଦନ କରିବ ପୋଲିସ । ସେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନଥିବା ନେଇ ଦିଲ୍ଲୀ ପୋଲିସ କୋର୍ଟକୁ ଜଣାଇଛି ।

ଟୁଲ କିଟ ମାମଲାରେ ଛନ୍ଦି ହୋଇଥିବା କ୍ଲାଇମେଟ ଚେଂଜ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ପଟିଆଲା ହାଉସ କୋର୍ଟ ଜେଲକୁ ପଠାଇ ଦେଇଛନ୍ତି । ଟୁଲ୍ କିଟ ମାମଲାରେ ପଚରା ଉଚରା ବେଳେ ଦିଶା ଉତ୍ତର ଦେବାକୁ ଅନିଚ୍ଛା ପ୍ରକାଶ କରିବା ସହ ସବୁ ଦୋଷ ସହଯୋଗୀ ଶାନ୍ତନୁ ଓ ନିକିତାଙ୍କ ଉପରେ ଲଦି ଦେଇଥିବା ପୋଲିସ କୋର୍ଟରେ କହିଛି । ତେଣୁ ଏହି ମାମଲାରେ ପୋଲିସ ନିକିତା ଓ ଶାନ୍ତନୁଙ୍କ ସାମ୍ନାରେ ଦିଶାଙ୍କୁ ବସାଇ ପଚରାଉଚରା କରିବାକୁ ଚାହୁଁଛି ।

from Kanak News
via <a href="https://ifttt.com/?

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭବ୍ୟ ହୋଟେଲ ମାଟିରେ ମିଶିଲା । ଅସୁରକ୍ଷିତ ଥିବାରୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ସହରର ମେୟର ।

କନକ ବ୍ୟୁରୋ: ମାଟିରେ ମିଶିଲା ଟ୍ରମ୍ଫ ପ୍ଲାଜା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ଫଙ୍କ ଏକ ଭବ୍ୟ ହୋଟେଲକୁ ପ୍ରାୟ ୩ହଜାର ଡ଼ିନାମାଇଟ୍ ଲଗାଇ ଭଙ୍ଗାଯାଇଛି । ଆମେରିକାର ଆଂଟଲାଂଟିକ ସହରରେ ଥିବା ଟ୍ରମ୍ଫ ପ୍ଲାଜା ହୋଟେଲ କସିନୋ ବେଶ ଜଣାଶୁଣା ଥିଲା ।

ଟ୍ରମ୍ଫ ପ୍ଲାଜା ୧୯୮୪ ମସିହାରେ ନିର୍ମାଣ କରାଯାଇଥିଲା ଏବଂ ୨୦୧୪ରେ ଏହାକୁ ବନ୍ଦ କରିଦିଆଯାଇଥିଲା । ଘୂର୍ଣ୍ଣିବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ଟ୍ରମ୍ଫ ପ୍ଲାଜା ଅଟାଳିକା ଅସୁରକ୍ଷିତ ହୋଇପଡ଼ିଥିଲା । ତେଣୁ ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସହରର ମେୟର । ୩୪ ମହଲା ବିଶିଷ୍ଟ ଏହି ଅଟ୍ଟାଳିକା ମାତ୍ର ୨୦ ସେକେଣ୍ଡ ମଧ୍ୟରେ ଭାଙ୍ଗି ମାଟିରେ ମିଶିଯାଇଥିଲା । ଆଉ ସେହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ବିଲ୍ଡିଂ ଭାଙ୍ଗିବା ପରେ ୮ମହଲା ବିଶିଷ୍ଟ ଉଚ୍ଚତାରେ ଏହାର ଭଗ୍ନାଂଶ ଗଦା ହୋଇ ରହିଛି । ଆଉ ଏହାକୁ ସଫା କରିବା ପାଇଁ ଜୁନ୍ ମାସ ଯାଏଁ ସମୟ ଲାଗିବ ।

from Kanak News
via <a href="https://ifttt.com/?

ମୁମ୍ବାଇ ଇଣ୍ଡିଆନ୍ସରେ ଅର୍ଜୁନ ତେନ୍ଦୁଲକର ସାମିଲ ହେବା ପରେ ଚର୍ଚ୍ଚା । ସେପଟେ କୋଟି କୋଟି ଟଙ୍କାରେ ନିଲାମ ହେଲେ ଅନକ୍ୟାପ୍ପ ଖେଳାଳି ।

କନକ ବ୍ୟୁରୋ: ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରକୁ ଆଇପିଏଲ ନିଲାମୀରେ ୨୦ଲକ୍ଷ ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ କିଣିବା ପରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଗୁରୁବାର ଚେନ୍ନାଇରେ ହୋଇଥିବା ଅକ୍ସନରେ ୨୧ବର୍ଷୀୟ ଅର୍ଜୁନ ପ୍ରଥମ ଥର ଲାଗି ସାମିଲ ହୋଇଥିବା ବେଳେ ତାଙ୍କୁ ୨୦ ଲକ୍ଷ ବେସ୍ ପ୍ରାଇସରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ଅର୍ଜୁନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାମ୍ପରେ ସାମିଲ ହୋଇସାରିଛନ୍ତି ।

ଆଇପିଏଲରେ ସାମିଲ ହେବା ପରେ ପ୍ରତିକ୍ର୍ରିୟା ରଖି ଅର୍ଜୁନ ଏମଆଇକୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ମୁମ୍ବାଇ ଇଣ୍ଡିଆନ୍ସ ମାଲିକ ଆକାଶ ଅମ୍ବାନୀ ମଧ୍ୟ ଅର୍ଜୁନଙ୍କ ନିଲାମୀ ନେଇ ପ୍ରତିକ୍ରିୟା ରଖିଛନ୍ତି । ଗୁରୁବାର ଆୟୋଜିତ ଆଇପିଏଲ ଅକ୍ସନରେ କେତେକ ଖେଳାଳିଙ୍କ ନିଲାମୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିିଛି । ନଜର ପକାନ୍ତୁ କେତେକ ଅନକ୍ୟାପ୍ପଡ ଖେଳାଳିଙ୍କ ଉପରେ …

କର୍ଣ୍ଣାଟକର ଖେଳାଳି କୃଷ୍ଣପ୍ପା ଗୌତମଙ୍କୁ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ ୯କୋଟି ୨୫ଲକ୍ଷ ଟଙ୍କାରେ କିଣିଛି । ୨୦୧୭ରେ କୃଷ୍ଣପ୍ପା ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ ହୋଇଥିଲେ । ଏହାପରେ ୨୦୧୮ରେ ଦଳ ତାଙ୍କୁ ରିଲିଜ କରିଦେଇଥିଲା । ଏହାପରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ନେଇଥିଲା । ଏହି ସିଜିନରେ ସେ ୧୨୬ରନ୍ କରିବା ସହ ୧୧ଟି ୱିକେଟ ନେଇଥିଲେ । ଏହାପରେ ୨ବର୍ଷ କୌଣସି ଟିମରେ ନଥିଲେ ।

ଅଷ୍ଟ୍ରେଲିଆର ରିଲେ ମେରିଡିଥଙ୍କ ନାଁ ହୁଏତ ପୂର୍ବରୁ ଭାରତରେ କେହି ଶୁଣିନଥିଲେ । କିନ୍ତୁ ଅଷ୍ଟ୍ରେଲିଆର ବିଗ୍ ବାସ୍ ଲିଗ୍ ବା ବିବିଏଲରେ ତାଙ୍କର ଦମଦାର ପ୍ରଦର୍ଶନ ଯୋଗୁଁ ୮କୋଟି ଟଙ୍କାର ତାଙ୍କର ନିଲାମୀ ହୋଇଛି । ପ୍ରୀତି ଜିଂଟାଙ୍କର ପଂଜାବ କିଙ୍ଗସ ତାଙ୍କୁ ୮କୋଟି ଟଙ୍କାରେ କିଣିଛି ।

ତାମିଲନାଡୁର ଖେଳାଳି ଶାହରୁଖ ଖାନ୍ । ଚଳିତ ବର୍ଷର ସୟଦ ମୁସ୍ତାକ ଅଲ୍ଲି ଟ୍ରଫିରେ ଦମଦାର ପ୍ରଦର୍ଶନ ଯୋଗୁଁ ତାଙ୍କୁ ହାର୍ଡ ହିଟିଙ୍ଗ ବ୍ୟାଟ୍ସମ୍ୟାନ ଭାବେ ସେ ବେଶ ଚର୍ଚ୍ଚାରେ ରହିଛନ୍ତି । ଶାହରୁଖଙ୍କ ବେସ୍ ପ୍ରାଇସ ୨୦ଲକ୍ଷ ଥିବା ବେଳେ ପ୍ରୀତି ଜିଂଟାଙ୍କ ମାଲିକାନାରେ ଥିବା ପଂଜାବ କିଙ୍ଗସ ଶାହରୁଖଙ୍କୁ ୫କୋଟି ୨୫ଲକ୍ଷ ଟଙ୍କାରେ କିଣିଛି ।

from Kanak News
via <a href="https://ifttt.com/?

ଜଜଙ୍କ ଜାଲି ଦସ୍ତଖତ ପଡିଲା ମହଙ୍ଗା । ଗିରଫ ହେଲେ ସମ୍ପୃକ୍ତ ଏଏସଆଇ

କନକ ବ୍ୟୁରୋ: ଏଏସଆଇଙ୍କୁ ମହଙ୍ଗା ପଡିଲା ଜଜଙ୍କ ଜାଲି ଦସ୍ତଖତ । ଜଜଙ୍କ ଜାଲି ଦସ୍ତଖତ କରି ଆସାମୀକୁ ବେଲ୍ ଦେବା ଘଟଣାରେ ଗିରଫ ହୋଇଛନ୍ତି ସମ୍ପୃକ୍ତ ଏଏସଆଇ । ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳରେ ଜଣେ ଏଏସଆଇ ଜଜଙ୍କର ଜାଲି ଦସ୍ତଖତ କରି ବାବୁଲି ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଜାମିନ ଦେଇଥିଲେ । ତାଙ୍କ ବିରୋଧରେ ତାଙ୍କ ପୁତୁରାକୁ ହତ୍ୟା କରିବା ଭଳି ସଙ୍ଗୀନ ଅଭିଯୋଗ ରହିଥିଲା । ଗିରଫ ହେବାର ୧୨ ଦିନ ପରେ ଝିଅ ବାହାଘର ନାଁରେ ଅଭିଯୁକ୍ତ ଜଣକ ଜାମିନ ପାଇଁ ଆବେଦନ କରିଥିଲା । ଯେଉଁଥିପାଇଁ ଜଜଙ୍କ ଜାଲି ଦସ୍ତଖତ କରି ଆଣିଥିଲେ ସମ୍ପୃକ୍ତ ଏଏସଆଇ ଜଣକ । ଆଜି ଏହି ଘଟଣାରେ ତାଙ୍କୁ ଗିରଫ କରାଯାଇଛି ।

from Kanak News
via <a href="https://ifttt.com/?

ଉତ୍ତରାଖଣ୍ଡର କୃତ୍ରିମ ହ୍ରଦ ପାଖରେ ପହଞ୍ଚିଲା ଆଇଟିବିପି ଓ ଡିଆରଡିଓ ଟିମ୍ । ସ୍ଥିତିର ସମୀକ୍ଷା ପାଇଁ ରହିବ ୫ ଜଣିଆ ଟିମ୍ । ନିର୍ମାଣ ହେବ ଅସ୍ଥାୟୀ ହେଲିପ୍ୟାଡ୍

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଚମୋଲୀରେ ହିମସ୍ଖଳନ ପରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ରୈନି ଗାଁ ନିକଟରେ ସୃଷ୍ଟି ହୋଇଥିବା ହ୍ରଦକୁ ନେଇ ଚିନ୍ତା ବଢିବାରେ ଲାଗିଥିବା ବେଳେ ଆଇଟିବିପି ଓ ଡିଆରଡିଓର ଟିମ ହ୍ରଦ ନିକଟରେ ପହଂଚିଛନ୍ତି । ଚମୋଲି ଠାରୁ ଉପରେ ଥିବା ମୁରେଣ୍ଡା ଠାରେ ଏହି କୃତ୍ରିମ ହ୍ରଦ ଉପରେ ନଜର ରଖିଛି ଆଇଟିବିପି ଓ ଡିଆରଡିଓ ଟିମ । ଏହାସହ ୫ଜଣଙ୍କୁ ନେଇ ଗଠିତ ଟିମ ଏଠାରେ ରହିବ ଏବଂ ଏକ ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ କରିବ । ଯାହାଦ୍ୱାରା ବିଶେଷଜ୍ଞ ଟିମ ଯିବା ସହ ଅନ୍ୟ ଉପକରଣ ମଧ୍ୟ ପହଂଚାଯାଇପାରିବ । ଏହି କୃତ୍ରିମ ହ୍ରଦ ଉପରେ ନଜର ରଖାଯିବା ସହ ହ୍ରଦରୁ ପାଣି ବାହାର କରିବା ପାଇଁ ବାଟ ମଧ୍ୟ ବାହାର କରାଯିବ ।

ରୈନି ଗାଁ ଠାରୁ ଉଚ୍ଚରେ ସୃଷ୍ଟି ହୋଇଥିବା ଏହି ହ୍ରଦ ନିକଟରେ ପଂହଚିବା ପାଇଁ ୫ରୁ ୬ଘଂଟା ସମୟ ଲାଗୁଛି । ଏହା ପୂର୍ବରୁ ଆକାଶମାର୍ଗରୁ ଏହି ହ୍ରଦ ଉପରେ ନଜର ରଖାଯାଇଥିବା ବେଳେ ଏହାର ସାଟେଲାଇଟ ଫଟୋ ମଧ୍ୟ ସଂଗ୍ରହ କରାଯାଇଥିଲା । ହିମସ୍ଖଳନ ହୋଇଥିବା ସ୍ଥାନରୁ ପ୍ରାୟ ୩ରୁ ୪କିଲୋମିଟର ଦୂରରେ ଏହି କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ତେବେ ଡିଆରଡିଓ ଓ ଆଇଟିବିପି ଏହା ଉପରେ ନଜର ରଖିଛନ୍ତି ।

ହିମସ୍ଖଳନରେ ଭାସି ଆସିଥିବା ମାଟି ଓ ପଥର ଯୋଗୁଁ ଋଷିଗଙ୍ଗା ନଦୀର ପ୍ରବାହ ବନ୍ଦ ହୋଇଯାଇଛି । ଫଳରେ ଏଠାରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ସେଠାରେ ପାଣି ଜମା ହୋଇ ଏହାର ଆକାର ବଢିବାରେ ଲାଗିଛି । ତେବେ ପାଣି ବଢିବା ସହିତ ମାଟି ବନ୍ଧ ଦୁର୍ବଳ ହେଲେ ଏହା ଯେକୌଣସି ମୁହୁର୍ତରେ ଫାଟି ଯାଇପାରେ ।

ଫେବୃଆରୀ ୭ ତାରିଖରେ ଉତ୍ତରାଖଣ୍ଡ ଚମୋଲୀ ଜିଲ୍ଲାରେ ପ୍ରକୃତର କରାଳ ରୂପ ଦେଖିବାକୁ ମିଳିଥିଲା । ପାହାଡ଼ ଉପରୁ କ୍ଷୀପ୍ର ବେଗରେ ମାଡି ଆସିଥିଲା ଜଳସ୍ରୋତ । ଏହାର ଶିକାର ହୋଇଥିଲା ଋଷିଗଙ୍ଗା ପାୱାର ପ୍ରୋଜେକ୍ଟ । ଆଖି ପିଛୁଳାକେ ପାହାଡ ଉପରୁ ମାଡି ଆସୁଥିବା ହିମସ୍ଖଳନ, ଶକ୍ତିଶାଳୀ କଂକ୍ରିଟ ଓ ଲୁହାରେ ନିର୍ମିତ ବନ୍ଧଙ୍କୁ ବି ଭସେଇ ନେଇଥିଲା । କେବଳ ଏତିକି ନୁହଁ ପାହାଡ ତଳେ ଥିବା ଗାଁ ପୁରା ଭାସି ଯାଇଛି । ଏବେ ଘଟଣାର ୭ଦିନ ପରେ ବି ଶତାଧିକ ଲୋକ ନିଖୋଜ ରହିଥିବା ବେଳେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

from Kanak News
via <a href="https://ifttt.com/?

ଆଇପିଏଲର ଦାମୀ ଖେଳାଳି । ନିଲାମୀରେ ହିରୋ ସାଜିଲେ ମୋରିସ, କିନ୍ତୁ ଏବେ ବି ଅଧିକ ଟଙ୍କା ପାଉଛନ୍ତି କ୍ୟାପଟେନ କୋହଲି ।

କନକ ବ୍ୟୁରୋ : ସରିଛି ଆଇପିଏଲ ନିଲାମୀ । ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର କ୍ରିସ୍ ମୋରିସ ଚଳିତ ନିଲାମୀରେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇ ନୂଆ ରେକର୍ଡ କରିଛନ୍ତି । ଏପରିକି ଆଇପିଏଲ ଇତିହାସରେ ମୋରିସ ସର୍ବାଧିକ ଟଙ୍କାରେ ବିକ୍ରି ହେବାର ରେକର୍ଡ ନିଜ ନାଁରେ କରିଛନ୍ତି । ମୋରିସଙ୍କୁ ୧୬.୨୫ କୋଟିରେ ରାଜସ୍ଥାନ ରୟାଲ୍ସ କିଣିଛି । ଏହାସତ୍ତେ୍ୱ ମଧ୍ୟ ଏପର୍ଯ୍ୟନ୍ତ ଆଇପିଏଲରେ ସର୍ବାଧିକ ଦରମା ନେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି । କୋହଲିଙ୍କ ପରେ ଦ୍ୱିତୀୟ ସର୍ବାଧିକ ଦରମାପ୍ରାପ୍ତ ଖେଳାଳି ଭାବେ ଉଭା ହୋଇଛନ୍ତି ମୋରିସ । ୨୦୧୮ରେ କୋହଲିଙ୍କୁ ୧୭ କୋଟି ଟଙ୍କାରେ ରିଟେନ କରିଥିଲା ଆରସିବି । ତେବେ ଆସନ୍ତୁ ଜାଣିବା ଆଇପିଏଲରେ ସର୍ବାଧିକ ଦରମା ପ୍ରାପ୍ତ ଟପ୍-୧୦ ଖେଳାଳି କିଏ?

ବିରାଟ କୋହଲି : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କୁ ଆଇପିଏଲରେ ସବୁଠୁ ଅଧିକ ଦରମା ମିଳୁଛି । ଆଇପିଏଲ ଇତିହାସରେ ସର୍ବାଧିକ ଦରମା ପାଉଥିବା ଖେଳାଳିଙ୍କ ମଧ୍ୟରେ କୋହଲି ଟପ୍-୧ରେ ରହିଛନ୍ତି । ୧୭ କୋଟି ଟଙ୍କା ଦରମା ସହ ବିରାଟ କୋହଲି ଏହି ତାଲିକାର ଶୀର୍ଷରେ ରହିଛନ୍ତି । ୨୦୧୩ ମସିହାରୁ ଆରସିବିର ଅଧିନାୟକ ଦାୟିତ୍ୱ ସମ୍ଭାଳିଛନ୍ତି କୋହଲି । ତେବେ କୋହଲିଙ୍କ ନେତୃତ୍ୱରେ ଏଯାଏଁ ଥରୁଟିଏ ବି ଚାମ୍ପିୟନ ହୋଇପାରିନାହିଁ ଆରସିବି ।

କ୍ରିସ୍ ମୋରିସ : ବିରାଟ କୋହଲିଙ୍କ ପରେ ସବୁଠୁ ଅଧିକ ଟଙ୍କା ପାଉଥିବା ଖେଳାଳି ଭାବେ ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର ମୋରିସ ସାମ୍ନାକୁ ଆସିଛନ୍ତି । ଆଇପିଏଲ ନିଲାମୀରେ ୧୬.୨୫ କୋଟି ଟଙ୍କାରେ ବିକ୍ରି ହେବା ସହ ଏହି ସଫଳତା ହାସଲ କରିଛନ୍ତି ମୋରିସ । ନିଲାମୀ ପୂର୍ବରୁ ମୋରିସଙ୍କୁ ଆରସିବି ରିଲିଜ କରିଥିଲା । କିନ୍ତୁ ତାଙ୍କର ଚାହିଦା ଯେ ଏତେ ବଢିଯିବ ତାହା କେବେ କଳ୍ପନା ମଧ୍ୟ କରିନଥିଲେ କୋହଲି । ଗତ ଆଇପିଏଲରେ ଆରସିବି ପକ୍ଷରୁ ଦମଦାର ପ୍ରଦର୍ଶନ କରିଥିଲେ ମୋରିସ ।

ପ୍ୟାଟ କମିନ୍ସ : ସର୍ବାଧିକ ଟଙ୍କା ପାଉଥିବା ଖେଳାଳିଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି କୋଲକାତା ନାଇଟ ରାଇଡର୍ସର ପ୍ୟାଟ କମିନ୍ସ । ଅଷ୍ଟ୍ରେଲୀୟ ଦ୍ରୁତ ବୋଲର କମିନ୍ସଙ୍କୁ ଗତ ଆଇପିଏଲ ନିଲାମୀରେ ସର୍ବାଧିକ ୧୫.୫ କୋଟି ଟଙ୍କା ଦେଇ କିଣିଥିଲା କୋଲକାତା ନାଇଟ ରାଇଡର୍ସ ।

ମହେନ୍ଦ୍ର ସିଂ ଧୋନି : ଭାରତର ପୂର୍ବତନ ଅଧିନାୟକ ତଥା ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । ଧୋନି ୧୫ କୋଟି ଟଙ୍କା ପାଉଥିବା ବେଳେ ୨୦୦୮ରୁ ଚେନ୍ନାଇର ଅଧିନାୟକ ରହିଛନ୍ତି । ଏପରିକି ଧୋନିଙ୍କ ନେତୃତ୍ୱରେ ୨୦୧୦, ୨୦୧୧ ଓ ୨୦୧୮ରେ ଚାମ୍ପିୟନ ହୋଇଛି ଚେନ୍ନାଇ । ତେବେ ୨୦୧୯ରେ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ ମଧ୍ୟ ଏବେ ବି ଆଇପିଏଲ ଖେଳିବା ଜାରି ରଖିଛନ୍ତି ।

ରୋହିତ ଶର୍ମା : ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଆଇପିଏଲରେ ସର୍ବାଧିକ ଟଙ୍କା ପାଉଥିବା ଖେଳାଳିଙ୍କ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛନ୍ତି । ହିଟମ୍ୟାନ୍ ରୋହିତ ଶର୍ମାଙ୍କୁ ସିଜିନ୍ ପିଛା ୧୫ କୋଟି ଟଙ୍କା ଦେଉଛି ମୁମ୍ବାଇ ଇଣ୍ଡିଆନ୍ସ । ଆଉ ବଦଳରେ ମୁମ୍ବାଇକୁ ୫ ଥର ଚାମ୍ପିୟନ କରାଇଛନ୍ତି ରୋହିତ । ଏପରିକି କରୋନା କାଳରେ ଖେଳାଯାଇଥିବା ଆଇପିଏଲରେ ମଧ୍ୟ ମୁମ୍ବାଇକୁ ଚାମ୍ପିୟନ କରାଇଥିଲେ ରୋହିତ ।

ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ଋଷଭ ପନ୍ତ ୧୫ କୋଟି ଟଙ୍କା ପାଉଥିବା ବେଳେ ଏହି ତାଲିକାର ଷଷ୍ଠରେ ରହିଛନ୍ତି । ଚଳିତ ଆଇପିଏଲ ନିଲାମୀରେ ସମସ୍ତଙ୍କୁ ଚକିତ କରିଥିବା କାଇଲ ଜେମିସନ ଏହି ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି । ଜେମିସନଙ୍କୁ ୧୫ କୋଟି ଟଙ୍କାରେ କିଣିଛି ବାଙ୍ଗାଲୋର । ପ୍ରଥମ ଥର ପାଇଁ ଡେବ୍ୟୁ କରୁଥିବା ଜେମିସନ ଏତେ ଟଙ୍କାରେ ବିକ୍ରି ହେବେ ତାହା କେହି କଳ୍ପନା ମଧ୍ୟ କରିନଥିଲେ ।

ଚଳିତ ଆଇପିଏଲର ନିଲାମୀ ପରେ ଗ୍ଲେନ ମ୍ୟାକ୍ସୱେଲ ସର୍ବାଧିକ ଟଙ୍କା ପାଉଥିବା ଖେଳାଳିଙ୍କ ତାଲିକାର ଅଷ୍ଟମ ସ୍ଥାନକୁ ଉଠିଛନ୍ତି । ମ୍ୟାକ୍ସୱେଲଙ୍କୁ ୧୪.୨୫ କୋଟି ଟଙ୍କାରେ କିଣିଛି ଆରସିବି । ଏହାପୂର୍ବରୁ ଆଇପିଏଲରେ ମୁମ୍ବାଇ, ପଞ୍ଜାବ, ଦିଲ୍ଲୀ ପକ୍ଷରୁ ଖେଳି ସାରିଛନ୍ତି ମ୍ୟାକ୍ସୱେଲ । ସେହିଭଳି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜାୟ ରିଚାର୍ଡସନଙ୍କୁ ୧୪ କୋଟି ଟଙ୍କାରେ କିଣି ସମସ୍ତଙ୍କୁ ଚମକାଇ ଦେଇଛି ପଞ୍ଜାବ । ଚଳିତଥର ନିଜର ପ୍ରଥମ ଆଇପିଏଲ ଡେବ୍ୟୁ କରିବେ ରିଚାର୍ଡସନ । କିନ୍ତୁ ୧୪ କୋଟି ଟଙ୍କାରେ କିଣାହେବା ସହ ଆଇପିଏଲରେ ସର୍ବାଧିକ ଟଙ୍କା ପାଉଥିବା ଖେଳାଳିଙ୍କ ତାଲିକାର ନବମ ସ୍ଥାନକୁ ଏଣ୍ଟ୍ରି ମାରିଛନ୍ତି ରିଚାର୍ଡସନ । ଆଇପିଏଲରେ ସର୍ବାଧିକ ଟଙ୍କା ପାଉଥିବା ଖେଳାଳିଙ୍କ ତାଲିକାରେ ୧୦ ସ୍ଥାନରେ ରହିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ ୱାର୍ଣ୍ଣର । ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ୍ ୱାର୍ଣ୍ଣରଙ୍କୁ ୧୨.୫ କୋଟି ଟଙ୍କା ଦେଉଛି ସନରାଇଜର୍ସ ହାଇଦ୍ରାବାଦ । ଆଉ ୱାର୍ଣ୍ଣରଙ୍କ ନେତୃତ୍ୱରେ ୨୦୧୬ରେ ଚାମ୍ପିୟନ ମଧ୍ୟ ହୋଇଛି ହାଇଦ୍ରାବାଦ । କୋଲକାତାର ସୁନୀଲ ନାରାୟଣ ଓ ରାଜସ୍ଥାନ ରୟାଲ୍ସର ବେନ ଷ୍ଟୋକ୍ସ ମଧ୍ୟ ୧୨.୫ କୋଟି ଟଙ୍କା ପାଉଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started