ଉତ୍ତରାଖଣ୍ଡ ଚମୋଲୀରେ ସୃଷ୍ଟି ହୋଇଛି ହ୍ରଦ । ୩୫୦ ମିଟର ଲମ୍ବା ଓ ୬୦ ମିଟର ଗଭୀର ହ୍ରଦରେ ଜମିଛି ୭୦କୋଟି ଲିଟର ପାଣି ।

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଚମୋଲୀରେ ଗତ ରବିବାରର ହିମସ୍ଖଳନ ପରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ରୈନି ଗାଁ ନିକଟରେ ସୃଷ୍ଟି ହୋଇଥିବା ହ୍ରଦର ଆକାର ବଢିବାରେ ଲାଗିଛି । ତେବେ ଏହାର ଆକାର ବଢିଥିଲେ ମଧ୍ୟ ଆଶ୍ୱସ୍ତିକର କଥା ଏହା ଯେ ଏଥିରୁ ପାଣି ଝରିବା ଲାଗିଥିବାରୁ ବନ୍ୟା ଆଶଙ୍କା କମିବାରେ ଲାଗିଛି । ହିମସ୍ଖଳନ ହୋଇଥିବା ସ୍ଥାନରୁ ପ୍ରାୟ ୩ରୁ ୪କିଲୋମିଟର ଦୂରରେ ଏହି କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ତେବେ ଡିଆରଡିଓ ଏବଂ ଏନଡିଆରଏଫ ଏହା ଉପରେ ନଜର ରଖିଥିବା ବେଳେ ସାଟେଲାଇଟରୁ ଏହି ନୂଆ ହ୍ରଦର ଫଟୋ ସଂଗ୍ରହ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଏହି ହ୍ରଦରେ ୦.୭ ମିଲିୟନ କ୍ୟୁବିକ ମିଟର ଅର୍ଥାତ ପ୍ରାୟ ୭୦ କୋଟି ଲିଟର ପାଣି ଜମା ହୋଇରହିଛି । ଏହା ପ୍ରାୟ ୩୫୦ମିଟର ଲମ୍ବା ଅର୍ଥାତ ଏକ ଫୁଟବଲ ଷ୍ଟାଡିୟମର ତିନି ଗୁଣ ବଡ ଓ ୬୦ମିଟର ଗଭୀର ରହିଛି । ସମୁଦ୍ର ପତନ ଠାରୁ ୨୩୮୩ ମିଟର ଉଚ୍ଚରେ ଥିବା ଏହି ହ୍ରଦ ଭାଙ୍ଗିଗଲେ ବନ୍ୟା ମାଡି ଆସିବ । ତେବେ ଏହି ହ୍ରଦରୁ ପାଣି ଝରିବା ଆରମ୍ଭ ହୋଇଥିବାରୁ ଏହା ଭାଙ୍ଗିବାକୁ ନେଇ ଆଶଙ୍କା କମିଛି ।

ହିମସ୍ଖଳନରେ ଭାସି ଆସିଥିବା ମାଟି ଓ ପଥର ଯୋଗୁଁ ଋଷିଗଙ୍ଗା ନଦୀର ପ୍ରବାହ ବନ୍ଦ ହୋଇଯାଇଛି । ଫଳରେ ଏଠାରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ଫଳରେ ସେଠାରେ ପାଣି ଜମା ହୋଇ ଏହାର ଆକାର ବଢିବାରେ ଲାଗିଛି । ତେବେ ପାଣି ବଢିବା ସହିତ ମାଟି ବନ୍ଧ ଦୁର୍ବଳ ହେଲେ ଏହା ଯେକୌଣସି ମୁହୁର୍ତରେ ଫାଟି ଯାଇପାରେ । କିନ୍ତୁ ପାଣି ଝରିବା ଆରମ୍ଭ ହୋଇଥିବାରୁ କିଛି ଦିନ ଭିତରେ ପାଣି ସାମାନ୍ୟ ହୋଇଯିବ ବୋଲି ଅନୁମାଦନ କରାଯାଉଛି । ତେବେ ଗତ ରବିବାର ୭ତାରିଖ ଦିନ କେମିତି ବନ୍ୟା ଆସିଥିଲା ସେ ସମ୍ପର୍କରେ ସବିଶେଷ ତଥ୍ୟ ଦେଇଛନ୍ତି ୱାଡିୟଆ ଇନଷ୍ଟିଚ୍ୟୁଟ ଅଫ ହିମାଲୟନ ଜିଓଲୋଜିର ନିର୍ଦ୍ଦେଶକ ।

ଫେବ୍ରୁଆରୀ ୭ତାରିଖରେ ଉତ୍ତରାଖଣ୍ଡ ଚମୋଲୀ ଜିଲ୍ଲାରେ ପ୍ରକୃତର କରାଳ ରୂପ ଦେଖିବାକୁ ମିଳିଥିଲା । ପାହାଡ଼ ଉପରୁ କ୍ଷୀପ୍ର ବେଗରେ ମାଡି ଆସିଥିଲା ଜଳସ୍ରୋତ । ଏହାର ଶିକାର ହୋଇଥିଲା ଋଷିଗଙ୍ଗା ପାୱାର ପ୍ରୋଜେକ୍ଟ । ଆଖି ପିଛୁଳାକେ ପାହାଡ ଉପରୁ ମାଡି ଆସୁଥିବା ହିମସ୍ଖଳନ, ଶକ୍ତିଶାଳୀ କଂକ୍ରିଟ ଓ ଲୁହାରେ ନିର୍ମିତ ବନ୍ଧଙ୍କୁ ବି ଭସେଇ ନେଇଥିଲା । କେବଳ ଏତିକି ନୁହଁ ପାହାଡ ତଳେ ଥିବା ଗାଁ ପୁରା ଭାସି ଯାଇଛି । ଏବେ ଘଟଣାର ୭ଦିନ ପରେ ବି ଶତାଧିକ ଲୋକ ନିଖୋଜ ରହିଥିବା ବେଳେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

from Kanak News
via <a href="https://ifttt.com/?

ଦର୍ଶକ ଆସିଲେ, ଖେଳ ଜମିଲା । ପୁଣି କମ୍ପିଲା ଷ୍ଟାଡିୟମ୍ । ଦର୍ଶକଙ୍କ ଉପସ୍ଥିତିରେ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ସହ ମୁହାଁମୁହିଁ ଭାରତୀୟ ଦଳ ।

କନକ ବ୍ୟୁରୋ : ଶେଷରେ ପ୍ରତିକ୍ଷାର ଅନ୍ତ ଘଟିଛି । ପାଖାପାଖି ୧ ବର୍ଷ ପରେ ପୁଣି ଥରେ କ୍ରିକେଟ୍ ପଡିଆକୁ ଫେରିଛନ୍ତି ଦର୍ଶକ । ଏଥର କରୋନା ପରେ ଦର୍ଶକଙ୍କ ଉପସ୍ଥିତିରେ ଆୟୋଜନ ହୋଇଛି କ୍ରିକେଟ୍ ମ୍ୟାଚ । ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଚେପକ୍ ଷ୍ଟାଡିୟମକୁ ଦର୍ଶକଙ୍କ ପ୍ରବେଶ ଅନୁମତି ପରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ ।

ଯେଉଁ ରୋମାଞ୍ଚକୁ ଅପେକ୍ଷା କରିଥିଲେ କ୍ରିକେଟ ଖେଳାଳି, ଚେନ୍ନାଇ ଚେପକ୍ ଷ୍ଟାଡିୟମରେ ସେହି ରୋମାଂଚ ଦେଖିବାକୁ ମିଳିଛି । କରୋନା କାଳରେ ପ୍ରଥମ ଥର ପାଇଁ ଷ୍ଟାଡିୟମରେ ବସି ଖେଳ ଦେଖୁଛନ୍ତି ଦର୍ଶକ । ସାମ୍ନାରେ ଚାଲିଛି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ । ବାସ୍ ଏହି ସମୟକୁ ତ ଅପେକ୍ଷା କରିଥିଲେ କ୍ରିକେଟ ପ୍ରେମୀ । ପ୍ରାୟ ବର୍ଷେ ହେବ କରୋନା କାରଣରୁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚକୁ ଷ୍ଟାଡିୟମରେ ବସି ଦେଖିବାର ଯେଉଁ ଆଶା ରହିଥିଲା, ତାହା ଆଜି ପୂରଣ ହୋଇଛି । ଏଥିପାଇଁ ବିସିସିଆଇର ଅନୁମତି ମିଳିବା ପରେ, ପୁଣି ଥରେ ଦର୍ଶକଙ୍କ ତାଳି ଓ ହୁଇସିଲରେ କମ୍ପିଛି ପରିବେଶ ।

ଅଷ୍ଟ୍ରେଲିଆ ଗସ୍ତରେ ଥିଲା ଭାରତୀୟ କ୍ରିକେଟ ଟିମ୍ । ସେତେବେଳେ ସ୍ୱଳ୍ପ ସଂଖ୍ୟକ ଦର୍ଶକରେ ଆୟୋଜନ ହୋଇଥିଲା ଟେଷ୍ଟ ସିରିଜ । ଏବେ ଭାରତ ଗସ୍ତରେ ଆସିଛି ଇଂଲଣ୍ଡ । ଏତିକି ବେଳେ ଦର୍ଶକଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ଦେଇଛି ବିସିସିଆଇ । ବିସିସିଆଇର ଏପରି ନିଷ୍ପତି ପରେ ଗହଳିରେ ଫାଟି ପଡିଛି ଷ୍ଟାଡିୟମ୍ ।

ମୁହଁରେ ମାସ୍କ । ଷ୍ଟାଡିୟମ ଭିତରେ ବସିଛନ୍ତି ଦର୍ଶକ । ଟେଷ୍ଟ ସିରିଜ ହୋଇଥିଲେ ମଧ୍ୟ କରୋନା କାଳରେ ଦିନିକିଆ କ୍ରିକେଟ ପରି ଦର୍ଶକଙ୍କର କ୍ରିକେଟ୍ ପ୍ରତି କ୍ରେଜ୍ କିଛି ବି କମ୍ ପଡିନି । ଏହି ସମୟରେ ଦର୍ଶକଙ୍କୁ ବି ନିରାଶ କରିନାହାନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ରୋହିତ ଶର୍ମା ଦମଦାର ଶତକ ଜମେଇ ଘରୋଇ ଦର୍ଶକଙ୍କ ମନ କିଣିନେଇଛନ୍ତି । ସେପଟେ ନାଚି ଉଠିଛି ଡ୍ରେସିଂ ରୁମ୍ ।

ତେବେ କରୋନା ପାଇଁ ଷ୍ଟାଡିୟମରେ ଦର୍ଶକଙ୍କ ପାଇଁ କଡା ନିମୟ କରାଯାଇଛି ।
୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ମିଳିଛି
ଷ୍ଟାଣ୍ଡରେ ସ୍ଥାନ ପାଇଛନ୍ତି ଭଲ୍ୟୁଣ୍ଟିୟର
ପ୍ରତ୍ୟେକ ଛକା ପରେ ବଲକୁ କରାଯାଉଛି ସାନିଟାଇଜ୍
ସିସିଟିଭି ମନିଟର କରିବାକୁ ସ୍ୱତନ୍ତ୍ର କ୍ରିଉ ନିଯୁକ୍ତ ହୋଇଛନ୍ତି
ଶୃଙ୍ଖଳା ଭଙ୍ଗ ଅଭିଯୋଗ ବାରମ୍ୱାର ଆସିଲେ ଷ୍ଟାଡିୟମରୁ ତଡା ଖାଇବେ ଦର୍ଶକ
ଷ୍ଟାଡିୟମର ସମସ୍ତ ପ୍ରବେଶ ପଥରେ ରହିଛି ତାପାମାତ୍ରା ଯାଞ୍ଚ ମେସିନ
ସମସ୍ତ ଦର୍ଶକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
ଷ୍ଟାଡିୟମ ଭିତରେ ରହିଛି ୫ଟି ମେଡିକାଲ କିଓସ୍କୋ, ୪ଟି ଆମ୍ବୁଲାନ୍ସ
ଆଇସୋଲେସନ୍ ରୁମ୍ ସହିତ ମହଜୁଦ୍ ଅଛନ୍ତି ଜଣେ ଡାକ୍ତର

କରୋନାର କଡା ନିୟମ ଭିତରେ ଚେନ୍ନାଇର ଚେପକ ଷ୍ଟାଡିୟମରେ ଦର୍ଶକଙ୍କୁ ଖେଳ ଦେଖିବାକୁ ମିଳିଛି ଅନୁମତି । ସବୁ ନିୟମ ପାଳନ କରି ଦର୍ଶକ ମ୍ୟାଚ୍ ଦେଖିବାର ସୁଯୋଗ ପାଇଥିବାରୁ ବେଶ୍ ଖୁସି ଜାହିର କରିଛନ୍ତି ।

from Kanak News
via <a href="https://ifttt.com/?

ପାକିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତର ଜେମ୍ସ ବଣ୍ଡ । ୬ତାରିଖରେ ଗିରଫ ହୋଇଥିବା ଆତଙ୍କୀ ଦେଲା ସୂଚନା, ବଢିଲା ଅଜିତ ଡୋଭାଲଙ୍କ ସୁରକ୍ଷା ।

କନକ ବ୍ୟୁରୋ : ପାକିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ ଜେମ୍ସ ବଣ୍ଡ । ଗତ ୬ତାରିଖରେ ଜମ୍ମୁକଶ୍ମୀରରୁ ଗିରଫ ହୋଇଥିବା ଜୈଶ ଆତଙ୍କୀ ଏନେଇ ସୂଚନା ଦେଇଛି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ କାର୍ଯ୍ୟାଳୟର ରେକି କରିବା ସହ ଭିଡିଓଗ୍ରାଫି କରି ଜୈଶ-ଏ-ମହମ୍ମଦ ହେଣ୍ଡଲର ନିକଟକୁ ଏହା ପଠାଯାଇଥିବା ତଦନ୍ତରୁ ଜଣାପଡିଛି । ଏହାପରେ ଅଜିତ ଡୋଭାଲଙ୍କ ସୁରକ୍ଷା ବଢାଇ ଦିଆଯାଇଛି ।

ପାକିସ୍ତାନର ଟାର୍ଗେଟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଭାରତୀୟ ଜେମ୍ସ ବଣ୍ଡ ଡୋଭାଲ, ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ । ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ କାର୍ଯ୍ୟାଳୟର ରେକି କରିଛି ଜୈଶ ଆତଙ୍କବାଦୀ ହିଦାୟତ ଉଲ୍ଲାହ ମଲ୍ଲିକ । ପାକିସ୍ତାନରୁ ନିୟନ୍ତ୍ରିତ ହେଉଥିବା ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ହିଦାୟତ ଉଲ୍ଲାହ ମଲ୍ଲିକକୁ ଗତ ୬ତାରିଖରେ ସୁରକ୍ଷାକର୍ମୀ ଗିରଫ କରିବା ପରେ ଏନେଇ ସୂଚନା ମିଳିଛି । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ଉପରେ ସମ୍ଭାବ୍ୟ ବିପଦ ସମ୍ପର୍କରେ ଗୁଇନ୍ଦା ସଂସ୍ଥା ସମେତ ଗୃହ ମନ୍ତ୍ରାଳୟକୁ ଅବଗତ କରିଦିଆଯାଇଛି ।

୨୦୧୬ରେ ପାକିସ୍ତାନର ଉରିରେ ସର୍ଜିକାଲ ଷ୍ଟ୍ରାଇକ ଓ ବାଲାକୋଟରେ ଭାରତୀୟ ବାୟୁସେନାର ଏୟାର ସର୍ଜିକାଲ ଷ୍ଟ୍ରାଇକ ପଛରେ ଥିଲା ଡୋଭାଲଙ୍କ ମାଷ୍ଟର ମାଇଣ୍ଡ । ଆଉ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ୱାର ରୁମରେ ବସି ପୂରା ଅପରେସନର ପରିଚାଳନା କରିଥିଲେ ଏହି ଜେମ୍ସ ବଣ୍ଡ । ଏହାପରେ ଆତଙ୍କବାଦୀଙ୍କ ସିଧାସଳଖ ଟାର୍ଗେଟରେ ରହିଛନ୍ତି ଅଜିତ ଡୋଭାଲ ।

୨୦୧୯ ମେ’ ୨୪ତାରିଖରେ ସୋପିୟାଁରେ ରହୁଥିବା ଆତଙ୍କବାଦୀ ହିଦାୟତ ଉଲ୍ଲାହ ମଲ୍ଲିକ ଏକ ଇଣ୍ଡିଗୋ ବିମାନ ଯୋଗେ ଶ୍ରୀନଗରରୁ ଦିଲ୍ଲୀ ଆସିଥିଲା । ଏବଂ ସୁରକ୍ଷା ବ୍ୟବସ୍ଥାକୁ ଚକମା ଦେଇ ପହଞ୍ଚି ଯାଇଥିଲା ହାଇ ସିକ୍ୟୁରିଟି ଜୋନରେ ଥିବା ଡୋଭାଲଙ୍କ କାର୍ଯ୍ୟାଳୟ ଭିତରେ । କେବଳ ଏତିକି ନୁହେଁ କାର୍ଯ୍ୟାଳୟକୁ ରେକି କରିବା ସହ ସିଆଇଏସଏଫ ସୁରକ୍ଷା ବ୍ୟବସ୍ଥାର ଏକ ଭିଡିଓ ପ୍ରସ୍ତୁତ କରିଥିଲା ଏବଂ ହ୍ୱାଟ୍ସଆପ ଯୋଗେ ପାକିସ୍ତାନରେ ଥିବା ଜୈଶ-ଏ-ମହମ୍ମଦର ହ୍ୟାଣ୍ଡଲର ନିକଟକୁ ପଠାଇଦେଇଥିଲା । ଏହି ସମୟରେ ଶ୍ରୀନଗରର ବିଭିନ୍ନ ଅଞ୍ଚଳର ରେକି କରି ମଧ୍ୟ ଭିଡିଓ ପ୍ରସ୍ତୁତ କରିଥିଲା ଏହି ଆତଙ୍କବାଦୀ । ବିଭିନ୍ନ ଆତଙ୍କବାଦୀ ଆକ୍ରମଣରେ ହିଦାୟତ ଉଲ୍ଲାହ ମଲ୍ଲିକର ସମ୍ପୃକ୍ତି ରହିଥିବା ସୂଚନା ମିଳିଛି ।

କୁହାଯାଏ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଏନଏସଏ ଅଜିତ ଡୋଭାଲଙ୍କ ଉପରେ ଆଖିବୁଜି ବିଶ୍ୱାସ କରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉରି ଠାରୁ ଆରମ୍ଭ କରି ବାଲାକୋଟ ଏୟାର ଷ୍ଟ୍ରାଇକ ପଛରେ ଅଜିତ ଡୋଭାଲ ହିଁ ମାଷ୍ଟର ମାଇଣ୍ଡ ରହିଛନ୍ତି । ଏପରିକି ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରି ଦୁଇଟି ଅଲଗା ଅଲଗା କେନ୍ଦ୍ର ଶାସିତ ପ୍ରଦେଶ କରିଦେବା ପଛରେ ଥିଲା ଡୋଭାଲଙ୍କ ରଣନୀତି । ଏବଂ ଏଥିପାଇଁ ଗତ ୩ଦଶନ୍ଧି ଧରି ସେ ଆଇଏସଆଇର ଟାର୍ଗେଟରେ ରହିଛନ୍ତି । ଗୁଇନ୍ଦା ରିପୋର୍ଟ ଅନୁସାରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ କଶ୍ମୀରରେ ପୁଣି ଆତଙ୍କ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ଏନେଇ ଗୃହ ମନ୍ତ୍ରାଳୟକୁ ମଧ୍ୟ ସୂଚନା ଦିଆଯାଇଛି ।

from Kanak News
via <a href="https://ifttt.com/?

ପୁଷ୍ପଲତାଙ୍କୁ କେମିତି କରିଥିଲେ ହତ୍ୟା, କେମିତି ମଦ ପିଇ କାଟିଥିଲେ ମୁଣ୍ଡ ? ଘଟଣା ସ୍ଥଳରେ ଡେମୋ ଦେଖାଇଲେ ୨ ଅଭିଯୁକ୍ତ

କନକ ବ୍ୟୁରୋ : କଟାମୁଣ୍ଡ ପଛର ପୂରା ରହସ୍ୟ ଖୋଲିବା ପରେ ଏହି ବୀଭତ୍ସ ହତ୍ୟାକାଣ୍ଡ କିପରି କରାଯାଇଥିଲା, ଅପରାଧର ପୂରା ଘଟଣାକ୍ରମକୁ ରିକ୍ରିଏଟ୍ କରାଇଛି ଭୁବନେଶ୍ୱରର ଚନ୍ଦକା ଥାନା ପୁଲିସ । ପୁଷ୍ପଲତାଙ୍କୁ କେମିତି ହତ୍ୟା କରିଥିଲେ ଏବଂ ପ୍ରମାଣ ନଷ୍ଟ ପାଇଁ କିପରି ମୁଣ୍ଡ କାଟି ଫିଙ୍ଗି ଦେଇଥିଲେ, ତାହା ଡୋମୋ କରି ଦେଖାଇଛି ଅଭିଯୁକ୍ତ ।

ଦୁଇ ଅଭିଯୁକ୍ତ ସଂଜୟ ଓ ଚନ୍ଦୁକୁ ପ୍ରଥମେ ଫୁଲେଶ୍ୱରୀ ବସ୍ତିକୁ ନିଆଯାଇଥିଲା । ଏହି ଘରେ ହିଁ ହୋଇଥିଲା ହତ୍ୟାକାଣ୍ଡ । ପରେ ମୃତଦେହ ମିଳିଥିବା ଅନ୍ଧାରୁଆ-ଦାସପୁର ରାସ୍ତାକୁ ଉଭୟଙ୍କୁ ନେଇଥିଲା ପୁଲିସ । ରିମାଣ୍ଡରେ ପଚରାଉଚରା ବେଳେ ଦୁଇ ଅଭିଯୁକ୍ତ ଯାହା ଯାହା ପୁଲିସ ଆଗରେ ମାନିଥିଲେ, ତାର ରିକ୍ରିଏସନ୍ କରିବାକୁ ଉଦ୍ୟମ କରିଛି ପୁଲିସ । କେମିତି ମଦ ପିଇଥିଲେ ଓ ନିଶାରେ ଚୁର ହେବା ପରେ ପୁଷ୍ପଲତାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ଦେଇଥିଲେ, ଡେମୋ ଦେଖାଇଛନ୍ତି ଦୁଇ ଅଭିଯୁକ୍ତ । ତେବେ ଅଭିଯୁକ୍ତ ଯେଉଁ ଥିଓରୀ କହୁଛି, ତାହା କେତେଦୂର ସତ, ଯାଂଚ କରୁଛି ପୁଲିସ ।

ହତ୍ୟା ହୋଇଥିବା ସ୍ଥାନରେ ପୁଷ୍ପଲତାଙ୍କ ଓଢଣୀ ଓ ଅଭିଯୁକ୍ତର ପୋଷାକ ଜବତ ହୋଇଛି । ଏହି ଓଢ଼ଣୀରେ ପୁଷ୍ପଲତାର ତଂଟି ଚିପି ହତ୍ୟା କରାଯାଇଥିବା କୁହାଯାଉଛି । ଅନ୍ଧାରୁଆ -ଦାସପୁର ରାସ୍ତା ଯେଉଁଠି ମୃତଦେହ ମିଳିଥିଲା ସେଠୁ ମଦ ବୋତଲ ଜବତ ହୋଇଛି । ମଦ ବୋତଲରୁ ଫିଙ୍ଗର ପ୍ରିଂଟ ନିଆଯାଇଛି । ଫରେନ୍ସିକ ଟିମ ଉପସ୍ଥିତ ରହି ସାଇଟିଂକ ପ୍ରମାଣ ଯୋଗାଡ କରିଛନ୍ତି ।

ବିବାହ ବିବାଦରୁ ପୁଷ୍ପଲତାଙ୍କୁ ହତ୍ୟା କରିଥିଲା ସଂଜୟ । ତଂଟି ଚିପ ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ମୁଣ୍ଡଠୁ ଶରୀରରୁ ଅଲଗା କରିବା ପରେ ରାସ୍ତାକଡ଼ରେ ଫୋପାଡି ଦେଇଥିଲା । ମୁଖ୍ୟ ଅଭିଯୁକ୍ତ ସଂଜୟ ଓ ତା’ର ସହଯୋଗୀ ଚନ୍ଦୁକୁ ୩ ଦିନିଆ ରିମାଣ୍ଡରେ ନେଇ ପୂରା ମାମଲାର ଛାନଭିନ୍ କରୁଛି କମିସନରେଟ୍ ପୋଲିସ ।

from Kanak News
via <a href="https://ifttt.com/?

ଝରାଫୁଲ ମୃତ୍ୟୁ ମାମଲାରେ ଏବେ ବି ଯାଜପୁର ପୋଲିସ ହାତରେ ଲାଗୁନି ତଥ୍ୟ । କହୁଛନ୍ତି , ତଦନ୍ତ ଚାଲିଛି …

କନକ ବ୍ୟୁରୋ: ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର ଓ ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ । ନିକଟରେ ଏହି ଦୁଇଟି ଅପରାଧ ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଗୋଟିଏ ପଟେ ମୁଣ୍ଡ ନଥିବା ଶରୀରକୁ ଚିହ୍ନଟ କରି ଅପରାଧୀକୁ ଧରିବା ବଡ ଚ୍ୟାଲେଂଜ ଥିଲା । ଆଉ ଗୋଟିଏ ପଟେ ଅପରାଧୀ ପାଖରେ ଅଛି, ତାଠାରୁ ସତ ଉଗାଳିବା, ମୁଖ୍ୟ କାମ ଥିଲା । କିନ୍ତୁ ଓଲଟା ହେଲା । କଟାମୁଣ୍ଡ କାହାଣୀର ପର୍ଦ୍ଦାଫାସ ହେଲା , ହେଲେ ଝରାଫୁଲ କାହାଣୀ ଏବେ ବି ରହସ୍ୟ ଘେରରେ ।

ଏହି ଘଟଣାରେ ଯାଜପୁର ପୁଲିସର ନେତୃତ୍ୱ ନେଉଛନ୍ତି ରାହୁଳ ପିଆର ଏବଂ ଝରାଫୁଲ ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ପୁଲିସ ଅଧିକାରୀ ତଥା ଏସଡିପିଓ ଚିନ୍ମୟ ନାୟକ , କିନ୍ତୁ ଫଳଘର ଶୂନ । ଚିନ୍ମୟ ନାୟକ ଗତ ୧୮ ଦିନ ହେଲାଣି ତଦନ୍ତ କଲେଣି । ପାଖରେ ମୁଖ୍ୟ ଅଭିଯୁକ୍ତ ବି ଅଛି । କିନ୍ତୁ ଝରାଫୁଲକୁ କିଏ ଓ କାହିଁକି ମାରିଲା, ପଚାରିଲେ କହନ୍ତି ତଦନ୍ତ ଚାଲିଛି ।

ଗତ ଜାନୁଆରୀ ୨୬ ତାରିଖ ରାତିରେ ଭୁବନେଶ୍ୱରର ଏକ ହୋଟେଲରେ ଏକୁଟିଆ ଝରାଫୁଲ ଓ ରାକେଶ ଥିଲେ । ସକାଳୁ ମୃତ ଦେହକୁ ଧରି ଶହେ କିଲୋମିଟର ଦୂରରେ ଯାଜପୁରରେ ଫିଙ୍ଗିଦେଲା ରାକେଶ । ରାକେଶ ତ ଧରାପଡିଲା, କିନ୍ତୁ ତାସହ ପୁଲିସର ଅପାରଗତା ବି ଧରାପଡିଲା । ଝରାଫୁଲ ମାମଲାରେ ପୁଲିସ ପାଖରେ ଅଭିଯୁକ୍ତ ଅଛି, ମୃତ ଝରାଫୁଲର ପୋଷ୍ଟମର୍ଟମ ରିପୋର୍ଟ ଅଛି, ଭିସେରା ରିପୋର୍ଟ ବି ଅଛି, ମୋବାଇଲ ଅଛି, କଲ୍ ରେକର୍ଡ ଅଛି.. ସବୁ ଅଛି । କିନ୍ତୁ ପୋଲିସ ପାଖରେ ତଥ୍ୟ ନାହିଁ । ଏଭଳି ପରିସ୍ଥିତିରେ ମାମଲା କମିଶନରେଟ୍ ପୁଲିସକୁ ହସ୍ତାନ୍ତର କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

from Kanak News
via <a href="https://ifttt.com/?

ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ ହଟାଇବାକୁ ଦାବି ଭିତରେ ବିବାଦ ବଢ଼ାଇଲା ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ । ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ।

କନକ ବ୍ୟୁରୋ: ଏକାମ୍ର କ୍ଷେତ୍ର ପାଇଁ ଚାଲିଥିବା ଆନ୍ଦୋଳନ ଆଉ ରାଜନୈତିକ ଦଳ ଦେଖାଉଥିବା ଆଭିମୁଖ୍ୟ ଭିତରେ ବାସ୍ତବ କଥା କିଏ କହୁଛି ତାକୁ ନେଇ ବିତର୍କ ଆରମ୍ଭ ହୋଇଛି । ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କୁ ବିବାଦ ଭିତରକୁ ଟାଣିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରସ୍ତାବିତ ଅଧିନିୟମକୁ ଭଲ ଭାବେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ପଢ଼ିନାହାନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଠିକ ଭାବେ ବୁଝାଇ ନାହାନ୍ତି ।

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଦୀପଦାନ, ସେବାୟତଙ୍କ ୨୪ ଘଂଟାର ମହଲତ ଏବଂ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ଭିତରେ କେନ୍ଦ୍ର ବନାମ ରାଜ୍ୟର ଯେଉଁ ଅଧ୍ୟାୟ ଆରମ୍ଭ ହୋଇଥିଲା, ତାକୁ ଆଉ ପାଦେ ଆଗକୁ ବଢାଇଦେଲେ କେନ୍ଦ୍ରମନ୍ତ୍ରୀ । ହେଲେ କିଏ ସତ କହୁଛି ଆଉ କିଏ ବିଭ୍ରାନ୍ତ କରୁଛି ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଏଏସଆଇ ଦ୍ୱାରା ସଂରକ୍ଷିତ କୀର୍ତିରାଜି ନିକଟରେ ନିର୍ମାଣ ପାଇଁ ପୂର୍ବରୁ ସମାନ ନିୟମ ରହିଥିଲା । ଏପରିକି ରାଜ୍ୟ ସରକାର ମଧ୍ୟ ନିର୍ମାଣ ପାଇଁ ଭୁବନେଶ୍ୱର ବିଡ଼ିଏ ଠାରୁ ଅନୁମତି ନେଇ କାର୍ଯ୍ୟ କରୁଛନ୍ତି । ତା ସତ୍ତ୍ୱେ ବାଇ-ଲକୁ କାହିଁକି ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହାର କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି ବିଜେଡିର ସଂସଦୀୟ ପ୍ରତିନିଧି ଦଳ । ପୂର୍ବରୁ ପ୍ରହଲାଦ ପଟେଲଙ୍କୁ ଭେଟି ଦାବି ଉପସ୍ଥାପନ ବେଳେ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଓଡିଶା ସଂକ୍ରାନ୍ତରେ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହର ହେବ । ହେଲେ ଏଥିରେ ଯେତେବେଳେ ବ୍ୟତିକ୍ରମ ଦେଖିବାକୁ ମିଳିଲା, ସେନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ରଖିଛନ୍ତି ବିଜେଡି ସାଂସଦ ।

ଅନ୍ୟପଟେ ଓଡିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ବାଇ-ଲକୁ ନେଇ ଚେତାବନୀ ଦିଆଯାଇଛି । ପରମ୍ପରା ଓ ଜନବିରୋଧୀ ବାଇ-ଲକୁ ତୁରନ୍ତ ପ୍ରତ୍ୟାହାର କରାନଗଲେ ଆସନ୍ତା ୧୬ ତାରିଖରେ ରାଜ୍ୟର ସମସ୍ତ ୧୮ ହଜାର ମନ୍ଦିରରେ ସେବାୟତମାନେ ପ୍ରତିବାଦ କରିବେ ବୋଲି ସଂଘର ସଭାପତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ଓଡ଼ିଶାରେ ଗାଁରେ ପଡୋଶୀ କଲା ନିର୍ବାଚନ । ସୁପ୍ରିମକୋର୍ଟରେ ମାମଲା, ହେଲେ ନିର୍ବାଚନ ପାଇଁ ଅଟଳ ରହିଲା ଆନ୍ଧ୍ର । ପ୍ରତିବାଦରେ ରାସ୍ତାରୋକ କଲେ ସ୍ଥାନୀୟ ନେତା ଓ ଜନତା ।

କନକ ବ୍ୟୁରୋ: କୋଟିଆର ନିର୍ବାଚନ କାହାଣୀ ସତେ ଯେମିତି କଟା ଘା’ରେ ଚୂନ ସଦୃଶ ସାମ୍ନାକୁ ଆସିଛି । ଷଢ଼େଇକଳା ଓ ଖରସୁଆଁର ଦୁଃଖ ମନରୁ ଲିଭି ନଥିବା ବେଳେ ପଡ଼ୋଶୀ ଆନ୍ଧ୍ର, ଓଡ଼ିଶା ମାଟିରେ କରିଛି ପଂଚାୟତ ନିର୍ବାଚନ । ଆନ୍ଧ୍ର ପ୍ରଦେଶ ଯୋଜନାର ବୁଢ଼ିଆଣୀ ଜାଲରେ ଓଡ଼ିଶାର ସୀମାନ୍ତ ଲୋକଙ୍କୁ ଏମିତି ଛନ୍ଦି ଦେଇଛି ଯେ, ସକାଳୁ ସକାଳୁ ଲୋକ ମତଦାନ କେନ୍ଦ୍ରରେ ପହଂଚିଯାଇଛନ୍ତି । କୋରାପୁଟ ଜିଲ୍ଲା କୋଟିଆ ଫାଟୁସିନେରି ପଂଚାୟତରେ ଶହ ଶହ ଓଡ଼ିଶା ଭୋଟର ଆନ୍ଧ୍ର ନିର୍ବାଚନ ପାଇଁ ଭୋଟ୍ ଦେଇଛନ୍ତି ।

ଓଡ଼ିଶାର ଫାଟୁସିନେରି ଅଂଳଚକୁ ମାଡ଼ି ବସିବା ପାଇଁ କେବଳ ନିର୍ବାଚନ କରିନି ଆନ୍ଧ୍ର ବରଂ ନିର୍ବାଚନକୁ ସଫଳ କରିବା ପାଇଁ ଓଡ଼ିଶା ଲୋକଙ୍କ ଜୀବନକୁ ବାଜି ଲଗାଇବାକୁ ପଛାଇ ନାହିଁ ଆନ୍ଧ୍ର ପ୍ରଶାସନ । ଘାଟି ରାସ୍ତାରେ ଅତି ବିପଦପୂର୍ଣ୍ଣ ଭାବେ ଗାଡିରେ ଭୋଟରଙ୍କୁ ସାମଗ୍ରୀ ଭଳି ବୋହି, ମତଦାନ କେନ୍ଦ୍ରକୁ ନେଇଛି ଆନ୍ଧ୍ର ପ୍ରଶାସନ । ଗୋଟିଏ ଗାଡିରେ ଲୋକ ଠିଆ ହୋଇଯାଉଥିବା ବେଳେ ଆଉ କିଛି ଲୋକ ବିପଦସଂକୁଳ ଭାବେ ଓହଳି ରହିଥିଲେ ।

କୋରାପୁଟ ଜିଲ୍ଲା କୋଟିଆର ୩ଟି ପଂଚାୟତ ତଳଗଞ୍ଜେଇପଦର, ଫଗୁଣସିନେରି ଓ ଫାଟୁସିନେରିରେ ନିର୍ବାଚନ କରିଛି ଆନ୍ଧ୍ର । ତଳଗଂଜେଇପଦର ଓ ଫଗୁଣସିନେରିରେ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଫାଟୁସିନେରି ନିର୍ବାଚନ ସରିଛି । ଫାଟୁସିନେରି ପଂଚାୟତରେ ଆନ୍ଧ୍ରର ମାତ୍ର ଦୁଇଟି ଗାଁ ରହିଥିବାବେଳେ ଓଡିଶାରୁ ରହିଛି ୬ଟି ଗାଁ । ଓଡିଶାର ଗାଁଗୁଡିକ ହେଉଛି କନାଦୋରା, ବର୍ଣ୍ଣାପାଡୁ, ଫାଟୁସିନେରି, ମାଡକା, ଡୋଲିଆମ, ଚିକାପାରୁ । ଏହି ପଂଚାୟତରେ ମୋଟ ୧୦୨୫ ଭୋଟର ଥିବାବେଳେ ୬୧୫ ଜଣ ଭୋଟ୍ ଦେଇଛନ୍ତି ।

ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ନିର୍ବାଚନ ନକରିବାକୁ ଶୁକ୍ରବାର ବିଜୟନଗରମ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ କୋରାପୁଟ ଜିଲ୍ଲାପାଳ । ହେଲେ, ବିଜୟନଗରମ ଜିଲ୍ଲାପାଳ ଏହି ଚିଠିକୁ ଖାତିର୍ ନକରି ପୂର୍ବ ଘୋଷଣା ଅନୁଯାୟୀ ନିର୍ବାଚନ କରିଛନ୍ତି । ନିର୍ବାଚନରେ ଭାଗ ନେବା ପାଇଁ ଓଡିଶାର ଲୋକଙ୍କୁ ଆନ୍ଧ୍ର ବିଭିନ୍ନ ଲୋଭ ଦେଖାଇ ଟାଣିବାକୁ ଉଦ୍ୟମ କରିଥିବାବେଳେ ଏହାକୁ ରୋକିବାରେ କିଛି ମାତ୍ରାରେ ସଫଳ ହୋଇଛି କୋରାପୁଟ ଜିଲ୍ଲାପ୍ରଶାସନ । ନିର୍ବାଚନ ହେଉଥିବା ଗାଁଠାରୁ ଅଳ୍ପଦୂରରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଭତ୍ତା ଓ ଚାଉଳ ବାଂଟିଛି କୋରାପୁଟ ପ୍ରଶାସନ । ଫଳରେ ବହୁ ସଂଖ୍ୟାରେ ଲୋକ ଭୋଟ ଦେବାକୁ ଯାଇନଥିବା ଜଣାପଡିଛି ।

from Kanak News
via <a href="https://ifttt.com/?

ଗଂଜାମ ପାତ୍ରପୁର ବ୍ଲକର ୮ଟି ଗାଁରେ ଆନ୍ଧ୍ରର ଭୋଟ୍ । ତଥ୍ୟ ସଂଗ୍ରହ ବେଳେ କନକ ନ୍ୟୁଜ ପ୍ରତିନିଧିଙ୍କୁ ଆକ୍ରମଣ କଲେ ଆନ୍ଧ୍ର ପୋଲିସ ଓ ଅଧିକାରୀ ।

କନକ ବ୍ୟୁରୋ: ଓଡ଼ିଶା ମାଟିରେ ଆନ୍ଧ୍ର ପ୍ରଦେଶ ନିର୍ବାଚନ କରିବା ପାଇଁ ସବୁସୀମା ଟପି ଯାଇଛି । କାହାକୁ ଖାତିର୍ ନକରି, ବଳପୂର୍ବକ ନିର୍ବାଚନ ପ୍ରକ୍ରିୟା ସାରିଦେବାକୁ ଉଦ୍ୟମ କରୁଥିବା ଆନ୍ଧ୍ର ପୁଲିସ ଓ ପ୍ରଶାସନ । ଏପରିକି ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ବି ଛାଡ଼ି ନାହିଁ । ଶନିବାର ଗଜପତି ସୀମାନ୍ତରେ ଆନ୍ଧ୍ର ପୁଲିସ୍ କନକ ନ୍ୟୁଜର ଗଜପତି ଜିଲ୍ଲା ପ୍ରତିନିଧି ସୀତାନାଥ ପଣ୍ଡାଙ୍କୁ ଅଟକ ରଖିଥିଲା ।

କାହିଁକି ଆନ୍ଧ୍ର ସୀମାରେ ପଶି ଖବର ସଂଗ୍ରହ କରୁଛ କହି ଧମକ୍ ଦେଇଛି ପଡୋଶୀ ପୋଲିସ । କେବଳ ଏତିକି ନୁହେଁ ତାଙ୍କ ଠାରୁ ମୋବାଇଲ ଓ ଆଇଡି କାର୍ଡ ଛଡାଇ ନେଇଥିଲେ । ଆନ୍ଧ୍ର ଅଧିକାରୀ ଓଡିଶା ଲୋକଙ୍କୁ ପ୍ରଲୋଭନ ଦେଖାଉଥିବା ବେଳେ ମୋବାଇଲରେ ସୁଟ୍ ହୋଇଥିବା ସମସ୍ତ ଭିଡିଓକୁ ଡିଲିଟ୍ କରି ଦେଇଥିଲେ ଏବଂ ଆନ୍ଧ୍ର ସୀମାରୁ ବାହାରି ଯିବାକୁ କହି ଗିରଫଦାରିର ଧମକ ଦେଖାଇଥିଲେ ।

ଆନ୍ଧ୍ର ପ୍ରଦେଶ ସାବା କୋଟା ପଂଚାୟତରେ ନିର୍ବାଚନ କରିଥିବା ବେଳେ ଏଥିରେ ଓଡ଼ିଶାର ୫ଟି ଗାଁର ପ୍ରାୟ ଶହେ ଭୋଟରଙ୍କୁ ସାମିଲ କରିଛି । ମାଣିକପାଟଣା, ଚଂପାପୁର, ଗୁଡ଼ିଖୁଡ଼ି ଭଳି ୫ଟି ଗାଁର ଲୋକଙ୍କ ନାଁ ଏଥିପାଇଁ ଭୋଟର୍ ତାଲିକାରେ ପ୍ରକାଶ ପାଇଥିଲା । ଆଉ ଓଡ଼ିଶା ଭୋଟର୍ଙ୍କୁ ଆନ୍ଧ୍ର ନିର୍ବାଚନରେ ସାମିଲ କରିବା ପାଇଁ ଭରପୁର ପ୍ରୟାସ କରିଛନ୍ତି ଆନ୍ଧ୍ର ପ୍ରଶାସନ ।

ଅନ୍ୟପଟେ ସାମ୍ବାଦିକଙ୍କୁ ଅଟକ ରଖିବା ଏବଂ ଦୁର୍ବ୍ୟହାର କରିବା ଘଟଣାରେ ଗଜପତି ଜିଲ୍ଲା ପ୍ରତିନିଧି ସୀତାନାଥ ପଣ୍ଡା ଥାନାରେ ଏତଲା ଦେଇଛନ୍ତି । କୋରାପୁଟ କୋଟିଆ ଓ ଗଞ୍ଜାମର ପାତ୍ରପୁର ଭଳି, ଗଜପତି ଜିଲ୍ଲାର ସୀମାବର୍ତ୍ତୀ ଗାଁରେ ମଧ୍ୟ ନିର୍ବାଚନ କରିଛି ଆନ୍ଧ୍ର । ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତର ଏକାଧିକ ଗାଁ ଆନ୍ଧ୍ର ସୀମାକୁ ଲାଗି ରହିଛି । ଏହାର ସୁଯୋଗ ନେଇ ଏହି ସବୁ ଗାଁକୁ ଆନ୍ଧ୍ରପ୍ରଦେଶ ଆନ୍ଧ୍ର ସାବା କୋଟା ପଂଚାୟତ ଭୋଟର ତାଲିକାରେ ସାମିଲ କରି ନିର୍ବାଚନ କରିଛି ।

from Kanak News
via <a href="https://ifttt.com/?

ଦରଦାମ ବୃଦ୍ଧିକୁ ନେଇ ୧୫ ତାରିଖରେ କଂଗ୍ରେସର ଓଡିଶା ବନ୍ଦ ଡାକରା । ସକାଳ ୭ରୁ ଦିନ ୧ଟାଏ ଯାଏଁ କଂଗ୍ରେସ ପାଳିବ ଓଡିଶା ବନ୍ଦ

କନକ ବ୍ୟୁରୋ : ଦରଦାମ ବୃଦ୍ଧିକୁ ନେଇ ଆସନ୍ତା ୧୫ ତାରିଖରେ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଛି । ସକାଳ ୭ରୁ ଦିନ ୧ଟାଏ ଯାଏଁ କଂଗ୍ରେସ ବନ୍ଦ ପାଳନ କରିବ । ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରାଯିବ । ଦିନକୁ ଦିନ ଦେଶରେ ଦର ଦାମ ବୃଦ୍ଧି ପାଇବାରେ ଲାଗିଛି ଏହି ଉଦ୍ଦେଶ୍ୟରେ ୧୫ ତାରିଖରେ ରାଜ୍ୟରେ ବନ୍ଦ ଡାକରା ଦିଆଯାଇଛି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଆଜି କଂଗ୍ରେସ ଭବନ ଆଗରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି । ଏହାସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ନିରଞ୍ଜନ ପଟ୍ଟନାୟକ । କୋଟିଆ ପ୍ରସଙ୍ଗରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଯୋଗୁଁ ରାଜ୍ୟର କ୍ଷତି ହେଉଛି ।

ସେହିପରି କାଳିଆ ଟଙ୍କା ପ୍ରସଙ୍ଗରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କାଳିଆ କିସ୍ତି ପିଛା ପାଞ୍ଚ ହଜାର ମିଳୁଥିଲା । ଏବେ ୨ ହଜାର ଟଙ୍କା ଦେଉଛନ୍ତି ସରକାର । ଏହା ଓଡିଶା ଚାଷୀଙ୍କୁ ସମ୍ମାନ ନୁହେଁ । ଭୋଟ ପରେ ୭୫ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ଦେବେ କହି ଏବେ ୫୩ ଲକ୍ଷ ଚାଷୀଙ୍କୁ ଟଙ୍କା ଦେଉଛନ୍ତି ।

from Kanak News
via <a href="https://ifttt.com/?

ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ବଡ ଘୋଷଣା । ଲକଡାଉନ୍ ନିୟମ ଉଲ୍ଲଘଂନକାରୀଙ୍କ ମାମଲାକୁ ଉଠାଇ ନେବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ସରକାରଙ୍କ ବଡ ଘୋଷଣା । ଲକଡାଉନ୍ ନିୟମ ଭାଙ୍ଗିବା ହେତୁ ଯେଉଁ ଲୋକଙ୍କ ଉପରେ ମାମଲା ଦାୟର ହୋଇଥିଲା ସେ ସବୁକୁ ଏବେ ଉଠାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ସରକାର । ଏହାଦ୍ୱାରା ପ୍ରାୟ ଅଢେଇ ଲକ୍ଷ ଲୋକ ଏବେ କୋର୍ଟ କଚେରୀ ଚକ୍କର କାଟିବାରୁ ମୁକ୍ତିପାଇବେ ବୋଲି ଜଣାପଡିଛି ।

କରୋନା ସଂକ୍ରମଣ ବଢିବା ପରେ ସାରା ଦେଶରେ ସରକାର ଲକଡାଉନ୍ ନିୟମ କଡାକଡି କରିଥିଲେ । ଯେଉଁମାନେ ଏହି ନିୟମ ମାନିନଥିଲେ, ସେମାନଙ୍କ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରାଯିବା ସହିତ ମାମଲା ଦାୟର ହୋଇଥିଲା । ଏବେ କିନ୍ତୁ ଉତ୍ତରପ୍ରଦେଶର ଯୋଗୀ ସରକାର ଏହି ମାମଲା ସବୁକୁ ଉଠାଇ ନେବାକୁ ନିର୍ଦ୍ଦେଶ ଦେଇଛି । ଯାହାକୁ ଯୋଗୀ ସରକାରର ଏକ ବଡ ପଦକ୍ଷେପ ବୋଲି କୁହାଯାଉଛି ।

ଉତ୍ତର ପ୍ରଦେଶ ସରକାରଙ୍କ କହିବା ମୁତାବକ ଏହାଦ୍ୱାରା କୋର୍ଟର ବୋଝ ହ୍ରାସ ହେବ । ଏହାଦ୍ୱାରା କୋର୍ଟର ମୂଲ୍ୟବାନ ସମୟ ମଧ୍ୟ ବଞ୍ଚିବ । ଏହାକୁ ଆଖି ଆଗରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ରାଜ୍ୟ ଭାବେ ଲକଡାଉନ୍ ନିୟମ ଉଲ୍ଲଘଂନକାରୀଙ୍କ ମାମଲାକୁ ମାଫ୍ କରିଛି ଉତ୍ତରପ୍ରଦେଶ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started