ଦିନ ଯାଇଛି, ଦରଜ ଯାଇନି । ମେନ୍ଦ୍ରାଜପୁର ବସ ଟ୍ରାଜେଡିରୁ ବର୍ଷେ । ଛାତିଥରା ଦୁର୍ଘଟଣାକୁ ଏବେବି ଭୁଲିପାରୁ ନାହାନ୍ତି ବିବାହ କରିଥିବା ଦମ୍ପତ୍ତି ।

କନକ ବ୍ୟୁରୋ: ମେଣ୍ଡରାଜପୁରର ଭୟାନକ ବସ୍‌ ଅଘଟଣ ୧୦ଜଣ ବନ୍ଧୁ ପରିଜନଙ୍କ ସହ ମୋର ଦୁଇ ଭଉଣୀଙ୍କୁ ମୋ ଠାରୁ ଅଫେରା ରାଇଜକୁ ନେଇଯାଇଛି। ସେହି ଘଟଣାକୁ ବର୍ଷେ ପୂରିଛି। ସମୟ ବିତିଯାଇଛି କିନ୍ତୁ ସେହି ଛାତିଥରା ଅଘଟଣ ଆଜି ବି ମୋ ଆଖି ଆଗରେ ନାଚି ଉଠୁଛି। ଘଟଣାକୁ ସାରା ଜୀବନ ଭୁଲିବା ସମ୍ଭବ ନୁହେଁ’ ବୋଲି କହିଛନ୍ତି ଡଙ୍କଲପାଡ଼ୁ ଗାଁର ଅଶୋକ ରେଡ୍ଡୀ।

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ ଡଙ୍କଲପାଡ଼ୁ ଗ୍ରାମର ୟୁ. ସନ୍ୟାସୀ ରେଡ୍ଡୀଙ୍କ ପୁଅ ଅଶୋକଙ୍କ ବାହାଘର ଚିକରଡ଼ାର ବୁଲୁ ରେଡ୍ଡିଙ୍କ ଝିଅ ପଲ୍ଲବୀ(ପଦ୍ମା)ଙ୍କ ସହ ସ୍ଥିର ହୋଇଥିଲା। ୨୦୨୦ ଫେବ୍ରୁଆରି ୯ ତାରିଖରେ ନିର୍ବନ୍ଧ ରହିଥିଲା। ପୁଅ ଘର ଲୋକେ ‘ସିଲକ୍‌ ସିଟି’ ନାମକ ଏକ ବସରେ ନିର୍ବନ୍ଧ ପାଇଁ ଚିକରଡ଼ା ଅଭିମୁଖେ ବାହାରିଥିଲେ। ଘର ଠାରୁ ମାତ୍ର ୨କିମି ଦୂର ମେଣ୍ଡରାଜପୁର ଛକରେ ଘଟିଥିଲା ଛାତିଥରା ଅଘଟଣ। ରାସ୍ତାରେ ଯେଭଳି ମୃତ୍ୟୁ ଛକି ରହିଥିଲା। ଝୁଲି ରହିଥିବା ଏକ ୧୧କେଭି ବିଦ୍ୟୁତ ତାର ବସ୍‌ ସଂସ୍ପର୍ଶରେ ଆସିଥିଲା। ସମୁଦାୟ ବସଟି କରେଣ୍ଟ ଚାର୍ଜ ହୋଇଯିବା ସହ ୧୨ଜଣ ଆଖି ବୁଜିବା ସହ ୧୧ଜଣ ଗୁରୁତର ହୋଇଥିଲେ। ନିର୍ବନ୍ଧ ଅଧୁରା ରହି ଯାଇଥିଲା। ଦିନକ ପରେ ଅର୍ଥାତ୍ ୧୧ତାରିଖରେ ହେବାକୁ ଥିବା ଅଶୋକଙ୍କ ବାହାଘର ବି ଅନିଶ୍ଚିତ ହୋଇଯାଇଥିଲା। ଏହି ଘଟଣାର ୩ ମାସ ପରେ ସବୁ ଦୁଃଖକୁ ଛାତି ତଳେ ଚାପି ଗତ ଜୁନ୍‌ ୨୯ତାରିଖରେ ଅଶୋକ ଏବଂ ପଲ୍ଲବୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନିରାଡ଼ମ୍ବର ଭାବେ ଚିକରଡ଼ା ସ୍ଥିତ ଏକ ମନ୍ଦିରରେ ବିବାହ ଶେଷ ହୋଇଛି। ଏହି ଅଘଟଣ ପରବର୍ତ୍ତୀ ସମୟରେ ନୂଆ ଜୀବନ ଆରମ୍ଭ କରିଥିବା ନବଦମ୍ପତିଙ୍କ ଲାଗି ଏହି ଅଘଟଣ ସବୁଦିନ ଲାଗି ଅଭୁଲା ହୋଇଯାଇଛି।

ସେହିଦିନର ଘଟଣାକୁ ମନେପକାଇ କୋହଭରା କଣ୍ଠରେ ଅଶୋକ କହିଛନ୍ତି ଯେ, ‘ପ୍ରାୟ ୪୮ଜଣ ବନ୍ଧୁ ପରିଜନଙ୍କୁ ନେଇ ବସ୍‌ ଗାଁରୁ ବାହାରିଥିଲା। ଗାଁରୁ ଚିକରଡ଼ା ମାତ୍ର ୬କମି। କନ୍ୟା ଘରେ ପହଞ୍ଚିବା ଲାଗି ମାତ୍ର ଅଧାଘଣ୍ଟା ଲାଗିଥାନ୍ତା। ବସ୍‌ ପଛରେ ଏକ ସ୍କୁଟିରେ ମୁଁ ଯାଉଥିଲି। ବସ୍‌ ଠାରୁ ମୁଁ ୫୦ମିଟର ଦୂରରେ ଥିବା ବେଳେ ଏହି ଘଟଣା ଘଟିଗଲା। ଜଣକୁ ଉଦ୍ଧାର କରିବାକୁ ଯାଇଁ ମୁଁ ବି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲି, ହେଲେ ଅଳ୍ପକେ ବର୍ତ୍ତିଯାଇଥିଲି । ଭଗବାନ ମୋତେ ବଞ୍ଚାଇ ଦେଲେ। ଏହି ଘଟଣାଟି ମୋ ପାଇଁ ଅଭୁଲା ହୋଇ ରହିଗଲା। ଅଙ୍ଗପ୍ରତ୍ୟଙ୍ଗ ହରାଇଥିବା ଗାଁର ବାସିନ୍ଦା ଓ ବନ୍ଧୁ ପରିଜନଙ୍କୁ ଦେଖିବା କ୍ଷଣି ସେହି ଲୋମଟାଙ୍କୁରା ଘଟଣା ମନରେ ନାଚି ଉଠୁଛି। ଏଥିର ମେଣ୍ଡରାଜପୁର ଛକ ଦେଇ ଗଲାବେଳେ ସେହି ଘଟଣାସ୍ଥଳକୁ ଦେଖିବା କ୍ଷଣି ଆଖିରେ ମୋର ଲୁହ ଆସିଯାଉଛି’ ବୋଲି ଆଶୋକ କହିଛନ୍ତି। ଏହି ଘଟଣା ପରେ ଆଉ ବିବାହ କରିବିନି ବୋଲି ନିଷ୍ପତ୍ତି ନେଇଥିଲି। କିନ୍ତୁ ଆଉ କାହାର ଜୀବନ ହନ୍ତସନ୍ତ ହେଉ ତାହା କେବେ ବି ମୁଁ ଓ ଆମ ପରିବାରବର୍ଗ ଚାହିଁ ନ ଥିଲୁ। ଯେଉଁଠି ବିବାହ ସ୍ଥିର ହୋଇଥିଲା ସେଠାରେ ହିଁ ବିବାହ କରିବା ଲାଗି ନିଷ୍ପତ୍ତି ନେଇଥିଲି। ଘଟଣାର ୩ମାସ ପରେ ପଦ୍ମାଙ୍କୁ ହିଁ ବିବାହ କରିଥିଲି ବୋଲି ଅଶୋକ କହିଛନ୍ତି।

from Kanak News
via <a href="https://ifttt.com/?

ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲା । ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଜାମିନ ଆବେଦନ ଖାରଜ

କନକ ବ୍ୟୁରୋ : ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଆଜି ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି। ଜିଆର୍ କେସ୍‌ ନମ୍ବର ୧୩୫/୨୦୧୩ ତଥା ଛତ୍ରପୁର ଥାନା କେସ୍‌ ନମ୍ବର ୬୮/୧୩ରେ ଜାମିନ୍‌ ପାଇଁ ପ୍ରଦୀପଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜାରଞ୍ଜନ ପାଢୀଙ୍କ କୋର୍ଟରେ ଆବେଦନ ହୋଇଥିଲା।

ଆବେଦନର ଶୁଣାଣି କରି ମାନ୍ୟବର କୋର୍ଟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଓକିଲ ରମେଶ ଚନ୍ଦ୍ର ଚୌଧୁରୀ ଓ ଡମିନାଥ ସାହୁ ଏବଂ ପ୍ରଦୀପଙ୍କ ପକ୍ଷରୁ ଓକିଲ ସଞ୍ଜୟ ନାରାୟଣ ସାହୁ ମକଦ୍ଦମା ପରିଚାଳନା କରିଥିଲେ।

from Kanak News
via <a href="https://ifttt.com/?

ଗୋଟିଏ ଜୀବନ ବଞ୍ଚାଇବାକୁ ବାଜିରେ ଲାଗିଛି ଆଉ ଏକ ଜୀବନ : ସ୍ୱାମୀଙ୍କୁ ବଞ୍ଚାଇବାକୁ ୫ ମାସର ପୁଅକୁ ବନ୍ଧା ପକାଇଲା ମା’

କନକ ବ୍ୟୁରୋ : ଗୋଟିଏ ଜୀବନ ବଞ୍ଚାଇବାକୁ ଆଉ ଏକ ଜୀବନ ଲାଗିଲା ବାଜିରେ । ଅଭାବ ଅନଟନ ଭିତରେ ସନ୍ତୁଳି ହେଉଥିବା ପତ୍ନୀଟିଏ ସ୍ବାମୀଙ୍କ ଚିକିତ୍ସା ପାଇଁ ବଡ଼ଭଉଣୀଠୁ ୧୦ ହଜାର ଟଙ୍କା ଆଣି ତା’ବଦଳରେ ନିଜର ଜନ୍ମକଲା ପୁଅକୁ ତା’ ହାତକୁ ଟେକିଦେଇଛି । ଆଉ ଟଙ୍କା ପରିଶୋଧ ପରେ ପୁଅକୁ ପୁଣି ନିଜ କୋଳକୁ ନେବ ବୋଲି ମା’ ପଣ କରିଛି। ସମୟଚକ୍ରରେ ତାକୁ ଏହି ନିଷ୍ଠୁର ନିଷ୍ପତ୍ତି ନେବାକୁ ପଡ଼ିଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଅଧୀନ ବାରୁଡ଼ା ପଞ୍ଚାୟତ ବାଲିଆପଟା ଗ୍ରାମର ଦୁଃଖା ନାଇକଙ୍କ ପରିବାରର ଏଭଳି କିଛି କରୁଣ ଚିତ୍ର ବିଚଳିତ କରିଦେବା ଭଳି ।

ଛୋଟିଆ ଦୁର୍ଘଟଣା ପୂରା ପରିବାରକୁ ଛାର୍‌ଖାର୍ କରି ପକାଇଛି। ଘରର ମୁରବି ଅର୍କମଣ୍ୟ ହୋଇ ‌ଘରେ ପଡ଼ି ରହିଥିବା ବେଳେ ପରିବାର ବୋଝ ଏକାକୀ ପତ୍ନୀ ଝିଲି ମୁଣ୍ଡାଇଛନ୍ତି। ପରିବାରର ଖରାପ ଆର୍ଥିକ ସ୍ଥିତି ତାଙ୍କୁ ତାଙ୍କଠୁ ୫ ମାସର ଶିଶୁପୁତ୍ରକୁ ଦୂରେଇ ନେଇଛି।

ଭଞ୍ଜନଗର ବ୍ଳକ୍ ସାନକୋଦଣ୍ଡା ପଞ୍ଚାୟତ ଯୋଗୀମାରୀ ଗ୍ରାମର ମୂଳବାସିନ୍ଦା ହେଉଛନ୍ତି ଦୁଃଖା। ଦୁଃଖାଙ୍କ କହିବାନୁଯାୟୀ, ତାଙ୍କ ମାଆ ହାର ନାଇକ ଗ୍ରାମରେ ଗ୍ରୁପ୍‌ ଲୋନ୍ ଆଣିଥିଲେ। ପରେ ଆଣିଥିବା ଋଣରୁ କିଛି ପରିଶୋଧ କରିଥିବା ବେଳେ ବଳକା ଟଙ୍କା ଆଉ ପରିଶୋଧ କରିପାରି ନଥିଲେ।  ଏହାପରେ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୋଇ ଗ୍ରାମର ଘରଦ୍ବାର ବିକ୍ରି କରି ବାଲିଆପଟା ଗ୍ରାମକୁ ଚାଲି ଆସିଥିଲେ। ସେଠାରେ ଏକ ଝାଟିମାଟିରେ ଚାଳଘରେ ରହୁଥିଲେ। ୮ ବର୍ଷ ଧରି ଦୁଃଖା ଓ ତାଙ୍କ ମା’ ଏକାଠି ହୋଇ ରହିଥିଲେ। ଆଗୁଳପଡ଼ାରେ ଝିଲିଙ୍କ ସହ ଦୁଃଖା ବିବାହ କରିଥିଲେ। ବର୍ତ୍ତମାନ ମାଆ ଅଲଗା ରହୁଛନ୍ତି। ଦୁଃଖା ଓ ଝିଲିଙ୍କ ୪ ବର୍ଷର ଗୋଟିଏ ପୁଅ ଓ ୨ ବର୍ଷର ଗୋଟିଏ ଝିଅ ଥିଲେ। ଗତ ୫ ମାସ ‌ତଳେ ସେମାନଙ୍କ ଆଉ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପତିପତ୍ନୀ ଉଭୟ ଶ୍ରମିକ ଭାବ‌େ କାମ କରି ପରିବାର ପ୍ରତିପୋଷଣ କରୁଥି‌ଲେ।

ସୁଖଦୁଃଖରେ ତେଲଲୁଣର ସଂସାର ଚାଲିଥିବା ବେଳେ ହଠାତ୍ ଏହି ପରିବାର ଉପରେ ଦୁଃଖର କଳାବାଦଲ ଘୋଟି ଆସିଲା । ତିନି ମାସ ତଳେ ଦୁଃଖା ଝିଅକୁ ସାଙ୍ଗରେ ନେଇ କୌଣସି କାମରେ ଭଞ୍ଜନଗର ଆସିଥିବା ବେଳେ ରାସ୍ତା ଡିଭାଇଡର୍‌ରେ ଗୋଡ଼ ବାଜି ଖଣ୍ଡିଆ ହୋଇଯାଇଥିଲା । ଉପଯୁକ୍ତ ଚିକିତ୍ସା ନହୋଇପାରିବାରୁ ଦୁଃଖାଙ୍କ ଗୋଡ଼ ଧି‌ରେ ଧିରେ ଆଣ୍ଠୁ ପର୍ଯ୍ୟନ୍ତ ପଚିଯାଇଥିଲା। ଏହାପରେ ବିଭିନ୍ନ ଡାକ୍ତରଖାନାରେ ପରାମର୍ଶ ନେଇଥିଲେ ବି କୌଣସି ଉପଚାର ମିଳି ନଥିଲା ।

ବର୍ତ୍ତମାନ ଦୁଃଖାଙ୍କ ଯନ୍ତ୍ରଣା ବଢ଼ିବାରେ ଲାଗିଛି। ଉତ୍ତମ ଚିକିତ୍ସା ପାଇଁ ଟଙ୍କା ଦରକାର ପଡ଼ୁଥିବାରୁ ଝିଲି ତାଙ୍କ ବଡ଼ଭଉଣୀଙ୍କଠୁ ୧୦ହଜାର ଟଙ୍କା ଆଣିଛନ୍ତି। ସେଥିରେ ଦୁଃଖାଙ୍କ ମଲମପଟି କରି ଔଷଧ ଆଣିଛନ୍ତି । ହେଲେ ଘା’ ଆଜି ପର୍ଯ୍ୟନ୍ତ ଭଲ ହୋଇପାରିନି। ଆଉ ୧୦ ହଜାର ଟଙ୍କା ବଦଳରେ ନିଜ ୫ମାସର ପୁଅକୁ ବଡ଼ଭଉଣୀ ହାତକୁ ଟେକି ଦେଇଛନ୍ତି । ତାଙ୍କ ପାଖରେ ବଡ଼ପୁଅ ଓ ଝିଅ ଅଛନ୍ତି।

ବର୍ତ୍ତମାନ ଦୁଃଖା ନିଜେ କୌଣସି କାର୍ଯ୍ୟ କରିପାରୁନାହାନ୍ତି । ନିତ୍ୟକର୍ମଠୁ ଆରମ୍ଭ କରି ସବୁକିଛି ପାଇଁ ପତ୍ନୀ ଝିଲିଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି। ସେପଟେ ପରିବାରର ପୂରା ବୋଝ ଝିଲି ମୁଣ୍ଡାଇଛନ୍ତି । ସ୍ବାମୀଙ୍କ ଚିକିତ୍ସା ଏବଂ ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ମୂଲ କାମ କରିବା ପାଇଁ ସକାଳୁ ଯାଉଥିବା ବେଳେ ସନ୍ଧ୍ୟାରେ ଫେରୁଛନ୍ତି । ଏଭଳି ଦୟନୀୟ ସ୍ଥିତିରେ ଦୁଃଖାଙ୍କୁ ସରକାରୀ ସହାୟତା ଯୋଗାଇବା ଜରୁରୀ ହୋଇପଡ଼ିଛି ।

from Kanak News
via <a href="https://ifttt.com/?

ସମ୍ବଲପୁରୀ ଗୀତ ଗାଇଲେ ବଲିଉଡ୍ ଗାୟକ ଉଦିତ ନାରାୟଣ । ୧୪ ତାରିଖରେ ଆର୍‌କେ ମିଡିଆ ୟୁଟ୍ୟୁବ୍‌ରେ ହେବ ମୁକ୍ତିଲାଭ

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ ନାରାୟଣ ସମ୍ବଲପୁରୀ ଗୀତ ଗାଇଛନ୍ତି। ଏହି ଗୀତର ନିର୍ଦ୍ଦେଶନା ଦେଇଛନ୍ତି ବୃନ୍ଦାବନ ମେହେର। ଗୀତଟି ବରଗଡ଼ ଷ୍ଟୁଡିଓ ମେଲୋଡିରେ ପ୍ରସ୍ତୁତ କରାଯାଇଛି। ଗୀତକୁ ପ୍ରଥମେ ଉଦିତଙ୍କ ପାଖକୁ ମୁମ୍ବାଇ ପଠାଯାଇଥିଲା। ସେ ସମ୍ବଲପୁରୀରେ ଏହି ଗୀତ ବୋଲିବା ପରେ ତାକୁ ପୁଣି ଏଠାରେ ବାଦ୍ୟରେ ସଜା ଯାଇଚି। ୧୪ ତାରିଖ ଆର୍‌କେ ମିଡିଆ ୟୁଟ୍ୟୁବ୍‌ରେ ଏହି ଗୀତ ଉପଲବ୍ଧ ରହିବ ବୋଲି ଜଣାପଡ଼ିଛି।

from Kanak News
via <a href="https://ifttt.com/?

ବ୍ୟାଙ୍କ ବିରୋଧରେ ଗ୍ରାହକମାନଙ୍କ ଅଭିଯୋଗ ବଢ଼ିବାରେ ଲାଗିଛି । ୨୦୧୯-୨୦ରେ ବ୍ୟାଙ୍କ ଲୋକପାଳ କାର୍ଯ୍ୟାଳୟରେ ୩ ଲକ୍ଷରୁ ଅଧିକ ଅଭିଯୋଗ ହୋଇଛି ।

କନକ ବ୍ୟୁରୋ: ବ୍ୟାଙ୍କ ବିରୋଧରେ ଗ୍ରାହକମାନଙ୍କ ଅଭିଯୋଗ ବଢ଼ିବାରେ ଲାଗିଛି। ୨୦୧୯-୨୦ରେ ବିଭିନ୍ନ ବ୍ୟାଙ୍କ ବିରୋଧରେ ବ୍ୟାଙ୍କ ଲୋକପାଳ କାର୍ଯ୍ୟାଳୟଗୁଡ଼ିକରେ ୩,୩୦,୫୪୩ ଅଭିଯୋଗ ଦାଖଲ ହୋଇଥିଲା। ୨୦୧୮-୧୯ରେ ଦାଖଲ ହୋଇଥିବା ୨,୦୦,୩୬୨ ଅଭିଯୋଗ ତୁଳନାରେ ଏହା ୬୪.୯୭% ଅଧିକ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ବ୍ୟାଙ୍କ ଲୋକପାଳ ସମ୍ପର୍କିତ ରିପୋର୍ଟରୁ ଏହା ଜଣାପଡ଼ିଛି।

ବ୍ୟାଙ୍କ ଲୋକପାଳ ସ୍କିମ୍ ଅଧୀନରେ ୨୦୧୯-୨୦ରେ ୩,୦୮,୬୩୦ ଅଭିଯୋଗ ଆସିଥିଲା। ସେଥିରୁ ୮୫.୬୫% ଅଭିଯୋଗ ଇଲେକ୍‌ଟ୍ରୋନିକ୍ସ ମାଧ୍ୟମରେ ଆସିଛି। ଅଭିଯୋଗ ଗ୍ରହଣ କରିବା ଲାଗି ରିଜର୍ଭ ବ୍ୟାଙ୍କ ଦ୍ବାରା ‘ଅଭିଯୋଗ ପରିଚାଳନା ବ୍ୟବସ୍ଥା (ସିଏସ୍‌ଏମ୍‌) ବିକଶିତ କରାଯାଇଛି। ଏହା ଜରିଆରେ ଆସିଥିବା ଅଭିଯୋଗ ମଧ୍ୟରୁ ୭୨.୧୯% ଇ-ମେଲ୍ ଜରିଆରେ ଆସିଛି। ବ୍ୟାଙ୍କ ଲୋକପାଳ ୯୨.୩୬% ଅଭିଯୋଗର ସମାଧାନ କରିଛନ୍ତି। ଏଟିଏମ୍, ଡେବିଟ୍ କାର୍ଡ ଓ ମୋବାଇଲ୍ ତଥା ଇଲେକ୍ଟ୍ରୋନିକ୍ସ ବ୍ୟାଙ୍କିଙ୍ଗ୍‌କୁ ନେଇ ସର୍ବାଧିକ ଅଭିଯୋଗ ହୋଇଛି। ମୋଟ ଅଭିଯୋଗରେ ଏଟିଏମ୍ ଓ ଡେବିଟ୍ କାର୍ଡ ସମ୍ପର୍କିତ ଅଭିଯୋଗ ମାତ୍ରା ୨୧.୯୭% ଥିବା ବେଳେ ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ ବ୍ୟାଙ୍କିଙ୍ଗ୍ ସମ୍ପର୍କିତ ଅଭିଯୋଗ ୧୩.୩୮% ରହିଛି। କ୍ରେଡିଟ୍ କାର୍ଡ, ପ୍ରତିଶ୍ରୁତି ପାଳନ ନକରିବା, ସୂଚନା ନଦେଇ ଶୁଳ୍କ ଲାଗୁ କରିବା, ଋଣ ଓ ଅଗ୍ରୀମ ଏବଂ ବ୍ୟାଙ୍କିଙ୍ଗ୍‌ କୋଡସ୍‌ ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ବୋର୍ଡ ଅଫ୍‌ ଇଣ୍ଡିଆର କୋଡ୍ ପାଳନ ନକରିବା ସମ୍ପର୍କିତ ଅଭିଯୋଗ ମଧ୍ୟ ବଢ଼ିଛି। ଡାଇରେକ୍ଟ ସେଲ୍ସ ଏଜେଣ୍ଟ୍ ଓ ରିକଭରି ଏଜେଣ୍ଟ୍‌ଙ୍କ ସମ୍ପର୍କିତ ୧୪୦୬ଟି ଅଭିଯୋଗ ଦାଖଲ ହୋଇଛି ଯାହା ପୂର୍ବବର୍ଷ ଅଭିଯୋଗ ସଂଖ୍ୟା ତୁଳନା‌ରେ ଦୁଇ ଗୁଣରୁ ଅଧିକ। ଲୋକପାଳଙ୍କ ପାଖକୁ ଅଧା (୪୯%) ଅଭିଯୋଗ ମେଟ୍ରୋ ସହରରୁ ଆସିଥିବା ‌ବେଳେ ଗ୍ରାମାଞ୍ଚଳରୁ ମାତ୍ର ୧୦% ଅଭିଯୋଗ ଆସିଥିଲା।

ବ୍ୟାଙ୍କ ଲୋକପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସିଥିବା ଗ୍ରହଣଯୋଗ୍ୟ ଅଭିଯୋଗ ମଧ୍ୟରୁ କାର୍ଯ୍ୟାଳୟର ହସ୍ତକ୍ଷେପ, ମଧ୍ୟସ୍ଥତା ଓ ଆପୋଷ ବୁଝାମଣା ଜରିଆରେ ୭୨.୩୫% ଅଭିଯୋଗର ସମାଧାନ କରାଯାଇଛି। ପ୍ରତି ଅଭିଯୋଗ ପରିଚାଳନା ଲାଗି ହେଉଥିବା ଖର୍ଚ୍ଚ ମଧ୍ୟ ୨୪୧୨ ଟଙ୍କାକୁ ହ୍ରାସ ପାଇଛି। ୨୦୧୮-୧୯ରେ ୩୧୪୫ ଟଙ୍କା ଖର୍ଚ୍ଚ‌ ହେଉଥିଲା। ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା ଲୋକପାଳ ସ୍କିମ୍‌ ଅଧୀନରେ ୨୦୧୯-୨୦ରେ ୧୯,୪୩୨ଟି ଆସିଛି ଯାହା ପୂର୍ବବର୍ଷ ତୁଳନାରେ ୩୮୬.୮୯% ଅଧିକ। ସେଥି ମଧ୍ୟରୁ ୯୫.୩୪% ଅଭିଯୋଗର ସମାଧାନ କରାଯାଇଛି। ଡିଜିଟାଲ୍ କାରବାର ବିରୋଧରେ ଅଭିଯୋଗ ପରିମାଣ ୯୯.୪୦% ବୃଦ୍ଧି ପାଇ ୨୩୮୧ରେ ପହଞ୍ଚିଛି। ସେଥି ମଧ୍ୟରୁ ୯୦.୯୨% ମାମଲାର ସମାଧାନ ହୋଇଛି।

from Kanak News
via <a href="https://ifttt.com/?

ଉହାନ ଲ୍ୟାବରୁ ମିଳିଲାନି କରୋନା ଭୂତାଣୁ ବ୍ୟାପିବାର କୌଣସି ସଂକେତ । ସୂଚନା ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

 କନକ ବ୍ୟୁରୋ : ଚୀନର ଉହାନ ସ୍ଥିତ ଲାବରେଟୋରିରୁ କରୋନା ଭୂୁତାଣୁ ସାରା ବିଶ୍ୱକୁ ବ୍ୟାପିଥିବା ନେଇ ଉଠିଥିବା ଗୁଜବକୁ ଖଣ୍ଡନ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ର‌୍ୟ ସଂଗଠନ ପକ୍ଷରୁ ଉହାନରେ ତଦନ୍ତ କରୁଥିବା ଟିମ୍ । ଏହି ଟିମ୍ କହିଛି କି ଉହାନ କିମ୍ବା ଅନ୍ୟ କୌଣସି ସ୍ଥାନରୁ ଡିସେମ୍ବର ୨୦୧୯ ପୂର୍ବରୁ କରୋନା ଭୂତାଣୁ ବ୍ୟାପିଥିବା ନେଇ କୌଣସି ସୂଚନା ମିଳିନାହିଁ । ଏହା ପରେ ହିଁ ଭୂତାଣୁ ବିଭିନ୍ନ ଅଞ୍ଚଳରେ ବ୍ୟାପିଥିବା ନେଇ ଟିମ୍ ପକ୍ଷରୁ କୁହାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଟିମର ପିଟର ବେନ୍ ଏମ୍ବରେକ କହିଛନ୍ତି କି ଚୀନର ଉହାନ ଲ୍ୟାବରୁ କରୋନା ଭୂତାଣୁ ବ୍ୟାପିଥିବାରୁ କୌଣସି ସୂଚନା ମଳିପାରି ନାହିଁ । ଏହି ଭୁତାଣୁ ରୋଗ ବାହକ ପ୍ରଜାତିମାନଙ୍କ ଠାରୁ ମଣିଷ ଶରୀରରେ ପ୍ରବେଶ କରିଛି ବୋଲି ଅଧିକ ଅଶଙ୍କା କରିଛି ତଦନ୍ତକାରୀ ଟିମ୍ ।

କହିରଖୁ କି କରୋନା ଭୂତାଣୁକୁ ନେଇ ବିଭିନ୍ନ ଦେଶ ନାନା ଅଭିଯୋଗ ଆଣିଥିଲେ । କିଛି ଦେଶ ଏହି ଭୂତାଣୁ ଚୀନର ଉହାନ ଲ୍ୟାବରୁ ଉତ୍ପତି ହୋଇଥିବା କଥା ବ ଦାବି କରିଥିଲେ । ହେଲେ ଏପର୍ଯ୍ୟନ୍ତ କୌଣସି ଦାବି ପ୍ରମାଣିତ ହୋଇପାରି ନାହିଁ ।
ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ଟିମ୍ ନିକଟରେ ଏହାର ତଦନ୍ତ କରିବାକୁ ଉହାନ ସହର ଗସ୍ତ କରି ତଦନ୍ତ ଆରମ୍ଭ କରିଥିଲା । ଟିମ୍ ତରଫରୁ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ଯାଇ ସେଠାରେ ତଦନ୍ତ କରିବା ପରେ ଏଭଳି ସୂଚନା ଦେଇଛି ।

from Kanak News
via <a href="https://ifttt.com/?

ଖାକି ପୋଷାକ ବଦଳରେ କୋଲକାତା ପୋଲିସ କାହିଁକି ପିନ୍ଧେ ଧଳା ରଙ୍ଗର ୟୁନିଫର୍ମ । ଆପଣ ଜାଣିଛନ୍ତି କି?

କନକ ବ୍ୟୁରୋ: ପୋଲିସ ମାନେ ଆମ ବୁଝୁ ଖାକି ପୋଷାକ ପିନ୍ଧା ଜଣେ ଅଫିସର । ଆମ ଦେଶର ଯେକୌଣସି କଣକୁ ଗଲେ ପୋଲିସ ଅଫିସରମାନେ ଖାକି ପୋଷାକ ପିନ୍ଧିଥିବା ଆମେ ଦେଖିବା । ଖାକିକୁ ନେଇ ପୋଲିସ ଅଫିସରମାନେ ଗର୍ବ ବି କରନ୍ତି । ତେଣୁ ଥରେ ଖାକିରେ କଳଙ୍କ ଲାଗିଗଲେ ତା ଜଣେ ପୋଲିସ ଅଧିକାରୀ ପାଇଁ ବଡ ଅପମାନ ହୁଏ ବୋଲି କୁହାଯାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ କଥା କହିବୁ ଯାହା ବୋଧହୁଏ ଆପଣ ଜାଣିନଥିବେ । ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ପୋଲିସମାନେ ଖାକି ପୋଷାକ ପିନ୍ଧନ୍ତିନି । ଖାକି ବଦଳରେ ସେମାନେ ପିନ୍ଧିଥାନ୍ତି ଧଳା ରଙ୍ଗର ୟୁନିଫର୍ମ ।

ଭାରତରେ ଏମିତି ସ୍ଥାନ ଅଛି, ଯେଉଁଠି ପୋଲିସ ଖାକି ପୋଷାକ ବଦଳରେ ଧଳା  ରଙ୍ଗର ପୋଷାକ ପିନ୍ଧିଥାନ୍ତି । ଆଉ ସେ ଜାଗାର ନାଁ ହେଉଛି କୋଲକାତା । ସାରା ଦେଶରେ ପୋଲିସମାନେ ଖାକି ପୋଷାକ ପିନ୍ଧୁଥିବାବେଳେ କୋଲାକାତା ପୋଲିସ ହିଁ ଧଳା ରଙ୍ଗର ପୋଷାକ ପିନେ୍ଧ । ଯାହା ଅନ୍ୟମାନଙ୍କ ଅପେକ୍ଷା ବେଶ ନିଆରା । ତେବେ ଆପଣ ଭାବୁଥିବେ ସାରା ଦେଶରେ ପୋଲିସ ଖାକି ପୋଷାକ ପିନ୍ଧୁଥିବାବେଳେ କାହିଁକି କୋଲକାତା ପୋଲିସ ଧଳା ରଙ୍ଗର ୟୁନିଫର୍ମ ପିନ୍ଧୁଛି । ଏହା ଜାଣିବାକୁ ଚାହୁଁଥିଲେ ଆପଣ ବ୍ରିଟିଶ କାଳର ଏହି କଥା ଜାଣିବା ନିହାତି ଦରକାର ।

ଆମେ ସମସ୍ତେ ଜାଣିଛେ, ଆମ ଦେଶକୁ ବହୁ ବର୍ଷ ଧରି ଇଂରେଜମାନେ ଶାସନ କରିଥିଲେ । ଆଉ ଇଂରେଜମାନେ ହିଁ ଆମ ଦେଶରେ ଏହି ପୋଲିସ ବ୍ୟବସ୍ଥାର ପ୍ରଚଳନ କରିଥିଲେ । ଇଂରେଜ ଶାସନ ସମୟରେ ଯେତେବେଳ ନୂଆ କରି ପୋଲିସ ବ୍ୟବସ୍ଥା ଆରମ୍ଭ ହେଲା ।ସେତେବେଳେ ପୋଲିସ ଧଳା ରଙ୍ଗର ୟୁନିଫର୍ମ ପିନ୍ଧୁଥିଲେ । ହେଲେ ବହୁତ ସମୟ ଡ୍ୟୁଟି କରିବା ପରେ କିନ୍ତୁ ଏହି ଧଳା ପୋଷକ ଖରାପ ହେଇଯାଉଥିଲା । ଯେଉଁ କାରଣରୁ ଇଂରେଜ ଅଫିସରମାନେ ସେତେବେଳେ ଏହି ପୋଷାକର ରଙ୍ଗ ବଦଳାଇବାକୁ ଇଚ୍ଛା କରିଥିଲେ । ଆଉ ୧୮୪୭ ମସିହାରେ ଖାକି ପୋଷାକକୁ ପୋଲିସ ପୋଷାକ ଭାବେ ଘୋଷଣା କରିଥିଲେ ।

ହେଲେ କୋଲକାତା ପୋଲିସର ପୋଷାକ କିନ୍ତୁ ବଦଳିନଥିଲା । ପୂର୍ବଭଳି କୋଲକାତାର ପୋଲିସ ଧଳା ରଙ୍ଗର ପୋଷାକ ପିନ୍ଧିବା ଜାରି ରଖିଥିଲେ । କୁହାଯାଏ, କୋଲକାତା ସମୁଦ୍ର ଉପକୂୂଳରେ ରହିଥିବାରୁ ସେଠାରେ ପ୍ରବଳ ଗରମ ଅନୁଭୂତ ହୋଇଥାଏ । ଆଉ ଖାକି ପୋଷାକ ଅପେକ୍ଷା ଧଳା ରଙ୍ଗର ପୋଷାକରେ ଅଧିକ ଗରମ ହୋଇନଥାଏ । ତେଣୁ ସେତେବେଳେ ଇଂରେଜ ସରକାର କୋଲକାତା ପୋଲିସର ପୋଷାକ ପରିବର୍ତ୍ତନ କରିନଥିଲେ । ସେତେବେଳେ ସାରା ଦେଶରେ ପୋଲିସ ଅଧିକାରୀମାନେ ଖାକି ପୋଷାକ ପିନ୍ଧୁଥିବାବେଳେ କୋଲକାତା ପୋଲିସ ଧଳା ୟୁନିଫର୍ମ ପିନ୍ଧୁଥିଲା । ସ୍ୱାଧୀନତା ପରେ ବି ଏହି ଢାଂଚା ରହିଆସିଛି । ଆଉ ଏବେ ବି କୋଲକାତା ପୋଲିସର ୟୁନିଫର୍ମ ସେହି ଧଳା ରଙ୍ଗ ରହିଛି ।

from Kanak News
via <a href="https://ifttt.com/?

ନବମ ଓ ଏକାଦଶରେ ସମସ୍ତେ ପାସ୍ ‌: ମାଟ୍ରିକ୍‌ ଓ ଯୁକ୍ତ୨ ପରୀକ୍ଷା ଦେବାକୁ ଅନୁମତି

କନକ ବ୍ୟୁରୋ : ୨୦୨୧ ମେ’ ମାସରେ ମାଟ୍ରିକ ପରୀକ୍ଷା ଦେବେ ୨୦୧୯-୨୦ରେ ନବମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ । ଅର୍ଥାତ୍ ୨୦୧୯-୨୦ରେ ନବମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ଆପେ ଆପେ ଯୋଗ୍ୟ ବିବେଚିତ ହୋଇଛନ୍ତି । ମ୍ରୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । କରୋନା ଯୋଗୁଁ ନବମ ଶ୍ରେଣୀର କ୍ଲାସ୍ ପ୍ରମୋସନ ପରୀକ୍ଷା ହୋଇ ପାରିନଥିଲା । ତେଣୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀକୁ ଉତୀର୍ଣ୍ଣ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ସମ୍ପର୍କରେ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ କୋଭିଡ୍‌ ପାଇଁ ୨୦୨୦ ମାର୍ଚ୍ଚଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ତେଣୁ ୯ମ ଶ୍ରେଣୀର ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇପାରି ନ ଥିଲା । ପରବର୍ତୀ ସମୟରେ ୨୦୨୧ ଜାନୁଆରିରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହୋଇଛି । ପରୀକ୍ଷା ଲାଗି ପିଲାଙ୍କୁ ପ୍ରସ୍ତୁତ କରିବାକୁ କୋଭିଡ୍‌-୧୯ ନିୟମାବଳି ପାଳନ କରାଯାଇ ସ୍କୁଲ ‌ଖୋଲିଛି । ମେ’ ମାସରେ ଦଶମ ‌ଶ୍ରେଣୀ ପରୀକ୍ଷା ଥିବାରୁ ପିଲାମାନେ ଏଥିପାଇଁ ପ୍ରସ୍ତୁତି ହେଉଛନ୍ତି । ଏଭଳି ସମୟରେ ସେମାନଙ୍କ ମାନସିକ ଚାପକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପିଲାଙ୍କ ଆବଶ୍ୟକତାକୁ ଭିତ୍ତିକରି ସେମାନଙ୍କ ଦ୍ବନ୍ଦ୍ବ ଦୂର ପାଇଁ ସ୍ବତନ୍ତ୍ର କ୍ଲାସ ମଧ୍ୟ ବିଦ୍ୟାଳୟସ୍ତରରେ କରାଯିବ।

ସୂଚନାଯୋଗ୍ୟ ଯେ ୯ମ ଶ୍ରେଣୀରେ ଭଲ ମାର୍କ ରଖି ନ ଥିବା କେତେଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତୃପକ୍ଷ ମାଟ୍ରିକ୍‌ ବୋର୍ଡ ପରୀକ୍ଷା ଦେବାକୁ ବାରଣ କରିଥିଲେ। ଫର୍ମ ପୂରଣ କରିବାକୁ ସୁଯୋଗ ‌ଦେଇ ନ ଥିଲେ । ବିଶେଷକରି ଭୁବନେଶ୍ବର ଆଇଆରସି ଭିଲେଜ୍‌ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହାକୁ ନେଇ ତମ୍ଭିତୋଫାନ ହୋଇଥିଲା। ଛାତ୍ରଛାତ୍ରୀ, ଅଭିଭାବକ ସ୍କୁଲ ସମ୍ମୁଖରେ ତିନି ଦିନ ଧରି ଧାରଣାରେ ବସିରହିବା ପରେ କର୍ତୃପକ୍ଷ ନିଷ୍ପତ୍ତି ବଦଳାଇଥିଲେ । ସମସ୍ତ ପିଲା ପରୀକ୍ଷା ଦେବେ ବୋଲି ଘୋଷଣା ହୋଇଥିଲା। ରାଜ୍ୟର ଆଉ କେତେକ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ସମାନ ସ୍ଥିତି ଉପୁଜିବା ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

from Kanak News
via <a href="https://ifttt.com/?

୬୪ ଲକ୍ଷରୁ ଅଧିକ ଲୋକ ନେଲେଣି ଟିକା । କରୋନା ଟିକାକରଣରେ ୯୭% ସନ୍ତୁଷ୍ଟ । ମାର୍ଚ୍ଚ ୧ ସୁଦ୍ଧା ଶେଷ ହେବ ଆଗଧାଡିର କର୍ମୀଙ୍କ ଟିକାକରଣ

କନକ ବ୍ୟୁରୋ: କରୋନା ଭାଇରସ୍‌ ସଂକ୍ରମଣ ମାମଲାରେ ଏବେ ଦେଶର ସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଛି। ବିଗତ ୫ ସପ୍ତାହରେ ଦୈନିକ ସଂକ୍ରମଣ ଯଥେଷ୍ଟ କମିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ୧୫୦ ତଳେ ରହୁଛି। ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ଟିକାକରଣ ପ୍ରକ୍ରିୟାରେ ୯୭ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି। ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ୧ ମାର୍ଚ ସୁଦ୍ଧା ସମସ୍ତ ଆଗ ଧାଡ଼ିର କର୍ମୀଙ୍କୁ ଟିକା ଦେବା ପ୍ରକ୍ରିୟା ଶେଷ କରିବାକୁ ହେବ। ଦେଶରେ ୧୫ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ବିଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ବି କୋଭିଡ୍‌ ମୃତ୍ୟୁ ଖବର ଆସିନାହିଁ। ୭ଟି ରାଜ୍ୟରେ ବିଗତ ୩ ସପ୍ତାହରେ କୌଣସି କରୋନା ମୃତ୍ୟୁ ହୋଇନାହିଁ। ୩୩ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ସକ୍ରିୟ ମାମଲା ୫ ହଜାରରୁ କମ୍‌ ରହିଛି।

ଦେଶରେ ମଙ୍ଗଳବାର ସୁଦ୍ଧା ୬୪ ଲକ୍ଷରୁ ଅଧିକ ସ୍ବାସ୍ଥ୍ୟକମୀ ତଥା ଆଗଧାଡ଼ିର କୋଭିଡ କର୍ମୀଙ୍କୁ ଟିକା ପ୍ରଦାନ କରାଯାଇଛି। ସେମାନଙ୍କ ପାଇଁ ଦ୍ବିତୀୟ ଡୋଜ୍‌ ୧୩ ଫେବ୍ରୁଆରିରୁ ଆରମ୍ଭ ହେବ। ଦେଶର ମୋଟ୍‌ ସଂକ୍ରମଣ ମାମଲାର ୪୫ ପ୍ରତିଶତ କେବଳ କେରଳରେ ଏବଂ ୨୫ ପ୍ରତିଶତ ମହାରାଷ୍ଟ୍ରରେ ରହିଛି। ଏହି ଦୁଇ ରାଜ୍ୟରେ କେନ୍ଦ୍ରୀୟ ଟିମ୍‌ ସ୍ଥିତି ଅନୁଧ୍ୟାନ କରି ସରକାରଙ୍କୁ କେତେକ ଜରୁରୀ ପଦକ୍ଷେପ ପାଇଁ ପରାମର୍ଶ କରିଛନ୍ତି।

from Kanak News
via <a href="https://ifttt.com/?

ଅଧାବାଟରେ ଅଟକିଗଲା ନୂଆ ସମ୍ପର୍କର ସ୍ୱପ୍ନ । ଠିକ୍ ବର୍ଷେ ତଳେ ନିର୍ବନ୍ଧ ପାଇଁ ବସରେ ଯାଉଥିବା ବେଳେ ରାସ୍ତାରେ ଝୁଲି ରହିଥିବା ବିଦ୍ୟୁତ ତାର ଲାଗି ଚାଲିଯାଇଥିଲା ୧୨ ଜୀବନ । ମନେ ପଡିଲେ ଆଜି ବି ଲୋମଟାଙ୍କୁରି ଉଠେ ।

କନକ ବ୍ୟୁରୋ: ଦୁର୍ଘଟଣାର ଏହା ଏପରି ଏକ ଛାତିଥରା କାହାଣୀ ଯାହା ମନେପଡିଲେ ଆଜି ବି ଲୋମଟାଙ୍କୁରି ଉଠୁଛି । ପୁଅର ନିର୍ବନ୍ଧ ପାଇଁ ହସଖୁସିରେ ବାହାରିଥିବା ଏକ ପରିବାରର ସ୍ୱପ୍ନ, ମଝି ରାସ୍ତାରେ ଛାରଖାର ହୋଇଯାଇଥିଲା । ମଝି ରାସ୍ତାରେ ମାଡିଆସିଲା ମୃତ୍ୟୁ, ଆଉ ନେଇଗଲା ୧୨ଟି ଜୀବନ । ଗଞ୍ଜାମ ଜିଲ୍ଲା ମେନ୍ଦରାଜପୁର ଠାରେ ଘଟିଥିବା ଏହି ଲୋମହର୍ଷଣକାରୀ ଭୟଙ୍କର ଦୁର୍ଘଟଣାକୁ ପୂରିଛି ୧ ବର୍ଷ । ବର୍ଷେ ସିନା ବିତିଯାଇଛି, ହେଲେ ସେହି ମର୍ମନ୍ତୁଦ ଘଟଣା ଆଜି ବି ମନରେ ରହିଯାଇଛି ।

ଆଉ ମାତ୍ର କିଛି କ୍ଷଣ ପରେ ନୂଆ ଏକ ସମ୍ପର୍କ ପାଇଁ ହୋଇଥାନ୍ତା ନିର୍ବନ୍ଧ । ଦୁଇ ପରିବାର ଭିତରେ ଗଢା ହୋଇଥାନ୍ତା ନୂଆ ଏକ ବନ୍ଧୁତ୍ୱ । ସେଥିପାଇଁ ସମସ୍ତେ ହସଖୁସିରେ ଗୋଟିଏ ବସରେ ବାହାରିଥିଲେ କନ୍ୟା ଘରକୁ । ବ୍ରହ୍ମପୁର ଡଙ୍ଗଲପାଡୁରୁ ପୁଅଘର, କନ୍ୟାଘର ଚିକରଡାକୁ ଯାତ୍ରା ଆରମ୍ଭ କରିଥିଲେ ।

ହେଲେ ହଠାତ ଅଧା ବାଟରେ ଉପରୁ ଖସିଲା ମୃତ୍ୟୁ । ପୁଅଘର ଯାଉଥିବା ସିଲକ ସିଟି ନାମକ ଏକ ଘରୋଇ ବସ୍, ରାସ୍ତାରେ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ପୂରା ବସରେ କରେଂଟ ଲାଗିଯାଇଥିଲା । ପୂରା ବସରେ କରେଂଟ ଏତେ ଜୋରରେ ଥିଲା ଯେ, ସେଥିରୁ ମୁକୁଳିବା କଷ୍ଟକର ହୋଇଯାଇଥିଲା । ଆଉ ରାସ୍ତା ମଝିରେ ଜଗି ବସିଥିବା ଯମ, ସମସ୍ତଙ୍କ ମୁହଁରୁ ହସ ଛଡାଇନେଲା । ବାଟ ମଝିରେ ଓହଳିଥିବା ବିଦ୍ୟୁତ ତାର ୧୨ଜଣଙ୍କର ଜୀବନ ନେଇଗଲା ।

ନିର୍ବନ୍ଧ ପାଇଁ ନେଇଯାଉଥିବା କଦଳୀ, ଥାଳିରେ ସେମିତି ଥୁଆ ହୋଇଥିଲା । ଗୋଟା ଗୋଟା ନଡିଆ ଏଣେତେଣେ ଗଡୁଥିଲା ଆଉ ସମ୍ପର୍କର ମିଠା ମୁହଁମାଡି ପଡିଥିଲା । ଦୁର୍ଘଟଣା ପରେ ବସ୍ ଭିତରର ବିକ୍ଷିପ୍ତ ଚିତ୍ର ସମସ୍ତଙ୍କ ଛାତିକୁ ଭାରି ଭାରି କରିଥିଲା । ଏହି ଘଟଣାରେ ୩୯ଜଣ ଆହତ ହୋଇଥିଲେ । ବିଦ୍ୟୁତ ସଂସ୍ପର୍ଶରେ ଆସି ଅନେକ ଦିବ୍ୟାଙ୍ଗ ବି ହୋଇଯାଇଛନ୍ତି । ଫେବୃଆରୀ ୯ । ଯେବେ ଯେବେ ଏହି ତାରିଖ ଆସିବ ଦୁର୍ଘଟଣାର ଏପରି ଲୋମଟାଙ୍କୁରା କାହାଣୀ ଆପେ ଆପେ ମନେପଡିଯିବ । ଏହା ଏମିତି ଏକ ଛାତିଥରା ଘଟଣା, ଯାହା ଆଉ କେବେ କେଉଁଠି ନଘଟୁ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started