ସ୍କୁଟି ଚାଳକଙ୍କୁ ୨୬ହଜାର ଫାଇନ୍ : ନାବାଳକଙ୍କୁ ବାଇକ୍ ଚଳାଇବା ଉପରେ କଟକଣା ରହିଥିବାରୁ କଟିଲା ଚାଲାଣ

କନକ ବ୍ୟୁରୋ : ସ୍କୁଟି ଚଳାଉଥିବା ନାବାଳକଙ୍କ ଉପରେ ମୋଟର ଆଇନ ଉଲଂଘନ ଅଭିଯୋଗରେ ୨୬ ହଜାର ଟଙ୍କା ଜରିମାନା ଚାଲଣ କଟାଯାଇଛି । ସମ୍ବଲପୁର ଜିଲ୍ଲା ସମଲେଶ୍ୱରୀ ମନ୍ଦିର ଛକଠାରେ ଜଣେ ନାବାଳକ ସ୍କୁଟି ଚଳାଇ ଯାଉଥିବା ବେଳେ ଏମଭିଆଇ ଚେକିଂରେ ଧରାପଡିଛନ୍ତି । ଦୁଇ ଜଣ ନାବାଳକ ସ୍କୁଟି ନେଇ କଲେଜକୁ ଆସୁଥିଲେ । ଉଭୟ ଚାଳକ ଓ ପଛରେ ବସିଥିବା ନାବାଳକ କେହି ହେଲମେଟ ପିନ୍ଧିନଥିଲେ । ଚେକିଂରେ ଧରାପଡ଼ିବା ପରେ ୨୬ ହଜାର ଟଙ୍କା ଜରିମାନା ଲଗାଯାଇଛି । ଗାଡ଼ି ଚାଳକଙ୍କ ମାଆଙ୍କ ନାଁରେ ସ୍କୁଟି ରହିଥିବା ଜଣାପଡିଛି ।

ସେପଟେ ୧୩ ବର୍ଷର ସ୍କୁଲ ଛାତ୍ର ଜଣକ ଏକ ବାଇକ୍‌ରେ ଅନ୍ୟ ଦୁଇ ଜଣଙ୍କୁ ବସାଇ ପରମାଣପୁର ଆଡ଼କୁ ଯିବା ବେଳେ ପରିବହନ ବିଭାଗର ମୋବାଇଲ ଟିମ୍ ହାବୁଡ଼ରେ ପଡ଼ି ଯାଇଥି‌ଲେ । ସେ ହେଲ୍‌ମେଟ୍ ପିନ୍ଧିନଥିଲେ କି ବାଇକ୍‌ର ଇନ୍‌ସ୍ୟୁରାନ୍ସ ମଧ୍ୟ ନଥିଲା । ନାବାଳକମାନଙ୍କୁ ବାଇକ୍ ଚଳାଇବା ଉପରେ କଟକଣା ରହିଥିବାରୁ ତାଙ୍କୁ ୨୫ ହଜାର ଟଙ୍କା, ଗୋଟିଏ ବାଇକ୍‌ରେ ଦୁଇରୁ ଅଧିକ ଜଣ ବ୍ୟକ୍ତି ଯାଉଥିବାରୁ ହଜାରେ ଟଙ୍କା, ହେଲ୍‌ମେଟ୍ ପିନ୍ଧିନଥିବାରୁ ହଜାରେ ଟଙ୍କା ଏବଂ ଗାଡ଼ି ବୀମାଭୁକ୍ତ ହୋଇନଥିବାରୁ ୨ ହଜାର ଟଙ୍କା ଜରିମାନା କରାଯାଇଛି। ସମ୍ବଲପୁର‌ରେ ଏଭଳି ଘଟଣା ନୂଆ ନୁହେଁ । ଆଗରୁ ବି ଅନେକ ଥର ଏଭଳି ବାଇକ୍ ଚଳାଇବା ବେଳେ ନାବାଳକମାନେ ଧରାପଡ଼ି ଜରିମାନା ଗଣିଛନ୍ତି ।

from Kanak News
via <a href="https://ifttt.com/?

ଯାଜପୁର ପୋଲିସକୁ ବଡ ସଫଳତା : ୫ଲୁଟେରାଙ୍କୁ ଗିରଫ କଲା ପୋଲିସ; ବିପୁଳ ପରିମାଣର ଲୁଟ ସାମଗ୍ରୀ ଜବତ

କନକ ବ୍ୟୁରୋ : ଯାଜପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ୧୧ଟି ମୋବାଇଲ ଫୋନ, ୨ଟି ଲାପଟପ୍, ୩ଟି ଏଲଇଡି ଟିଭି, କ୍ୟାମେରା, ଜେରକ୍ସ ମେସିନ୍, ମ୍ୟୁଜିକ୍ ସିଷ୍ଟମ, ଇନଭଟର୍ ମେସିନ୍ ଓ ବ୍ୟାଟେରୀ ଏବଂ ୪ଟ । ପାଣି ପମ୍ପ୍ ଆଦି ସାମଗ୍ରୀ ଜବତ କରାଯାଇଛି ।

କିଛିଦିନ ତଳେ ଫେରୋକ୍ରମ ଗେଟ ଅଂଳଳରେ ଥିବା ଏକ ଶ୍ରମିକ ସଙ୍ଗଠନର କାର୍ଯ୍ୟାଳୟରୁ ଗୋଟିଏ ଇନଭଟର୍ ମେସିନ୍ ଓ ନଗଦ ୩୦ ହଜାର ଟଙ୍କା ଚୋରି ହୋଇଥିବା ଯାଜପୁର ରୋଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ଏହାର ଅନୁସନ୍ଧାନ ଚଳାଇଥିଲା । ତେବେ ସ୍ଥାନୀୟ ସାପଗଡିଆ ଅଂଚଳର ଜଣେ ଯୁବକ ଏହି ଚୋରି ଘଟଣାରେ ସଂପୃକ୍ତ ଥିବା ଜାଣି ପୋଲିସ ତାକୁ ଗିରଫ କରିଥିଲା ।

ପରେ ପଚରାଉଚରା ସମୟରେ ପୋଲିସ ଏହି ଡକାୟତି ଗ୍ୟାଙ୍ଗ ବିଷୟରେ ଜଣାବାକୁ ପାଇଥିଲା । ଗିରଫ ଅଭିଯୁକ୍ତର ବୟାନ କ୍ରମେ ପୋଲିସ ଚଢାଉ କରି ଏହି ଡକାୟତ ଗ୍ୟାଙ୍ଗ କୁ ଠାବ କରିବାରେ ସକ୍ଷମ ହୋଇଛି । ପୋଲିସ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଲୁଟ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

from Kanak News
via <a href="https://ifttt.com/?

ଉତ୍ତରାଖଣ୍ଡ ଦୁର୍ବିପାକ ପଛରେ ପାଗ ପରିବର୍ତ୍ତନ ! କାରଣ ଖୋଜୁଛନ୍ତି ଭୂତତ୍ୱବିତ୍

ରବିବାର ଉତ୍ତରାଖଣ୍ଡରେ ହିମଶୈଳ ଫାଟି ଏପରି ବନ୍ୟା ଦୁର୍ବିପାକ ଆଣିବା ଘଟଣା ପାଣିପାଗ ବିଶେଷଜ୍ଞ ଓ ଗବେଷକମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। କାରଣ ଫେବ୍ରୁଆରି ପ୍ରଥମ ସପ୍ତାହରେ ଏପରି ଅଘଟଣ ହୋଇଛି, ଯେତେବେଳେ ଉତ୍ତରାଖଣ୍ଡର ଚାମୋଲି ପର୍ବତରେ ତାପମାତ୍ରା ଶୂନଡିଗ୍ରି ତଳକୁ ବି ଖସି ଆସିଥାଏ। ଅପରପକ୍ଷେ, ଗ୍ରୀଷ୍ମକାଳ ଆସିବାକୁ ଆହୁରି ଅନେକ ଦିନ ବାକି ଅଛି। ତେଣୁ ଏଭଳି ଥଣ୍ଡାଦିନରେ କିପରି ଓ କାହିଁକି ହିମଶୈଳ ଫାଟିଲା ବୋଲି ଭୂତତ୍ତ୍ବବିତ୍‌ମାନେ କାରଣ ଖୋଜିବାରେ ବ୍ୟସ୍ତ। ତେବେ ଏଥିପାଇଁ ଜଳବାୟୁର ତାପମାତ୍ରା ନୁହେଁ, ବରଂ ପାଣିପାଗରେ ପରିବର୍ତ୍ତନକୁ ବିଶେଷଜ୍ଞମାନେ ଦାୟୀ କରିଛନ୍ତି। ଏ ବାବଦରେ ଅଧିକ ଅନୁଶୀଳନ ପାଇଁ ଇସ୍ରୋ ବୈଜ୍ଞାନିକଙ୍କ ସହାୟତା ରାଜ୍ୟ ସରକାର ଲୋଡ଼ିଛନ୍ତି।

ସୂଚନାଯୋଗ୍ୟ, ସାଧାରଣତଃ ଶୀତଦିନେ ହିମଶୈଳଗୁଡ଼ିକ ସ୍ବାଭାବିକ ଭାବେ ଅଧିକ କଠିନ ହେବା ସହ ସ୍ଥିର ଓ ଅଚଳ ଅବସ୍ଥାରେ ରହିବା କଥା । ଏପରିକି ଏହାର କଡ଼ଗୁଡ଼ିକ ମଧ୍ୟ ମାତ୍ରାଧିକ ଟାଣ ହୋଇ ରହିଥାନ୍ତି । ତେବେ ରବିବାରର ଦୁର୍ବିପାକ କୌଣସି ଭୂସ୍ଖଳନ ଦ୍ବାରା ସମ୍ଭବ, ମାତ୍ର ଚାମୋଲିରେ ସେଭଳି କିଛି ଘଟିନଥିବା ଵାଦିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟାନ୍‌ ଜିଓଲୋଜିର ବରିଷ୍ଠ ବୈଜ୍ଞାନିକ ମନୀଶ ମେହଟା କହିଛନ୍ତି। ତାଙ୍କ କହିବା ଅନୁସାରେ, ଋଷିଗଙ୍ଗା ନଦୀର ଉପରମୁଣ୍ଡରେ ରହିଥିବା ଉତ୍ତରୀ ନନ୍ଦାଦେବୀ, ଚାଙ୍ଗବାଙ୍ଗ, ରାମ୍ନି ବାଙ୍କ, ବେଥାରତୋଳି, ତ୍ରିଶୂଲ, ଦକ୍ଷିଣୀ ନନ୍ଦାଦେବୀ, ଦକ୍ଷିଣୀ ଋଷିବାଙ୍କ ଓ ରୌନ୍ଥି ବାଙ୍କ ଆଦି ଆଠଟି ଯାକ ହିମଶୈଳ ଗତ ତିନି ଦଶନ୍ଧି ଭିତରେ ସେମାନଙ୍କର ୧୦ ପ୍ରତିଶତରୁ ଅଧିକ ଆୟତନ ହରାଇ ସାରିଲେଣି। ୧୯୮୦ ମସିହାରେ ତାହା ୨୪୩ ବର୍ଗ କିମି ଥିବା ବେଳେ ୨୦୧୭ ବେଳକୁ ତାହା ୨୧୭ ବର୍ଗ କିମିକୁ ଖସି ଆସିଛି। ସେମାନଙ୍କ ଭିତରେ ଉତ୍ତରୀ ନନ୍ଦାଦେବୀ ହିମଶୈଳରେ ସର୍ବାଧିକ ହ୍ରାସ ଦେଖାଯାଇଛି।

from Kanak News
via <a href="https://ifttt.com/?

ରାଜ୍ୟରେ ପୁଣି ବଢିଲା ବସ୍ ଭଡା : ସାଧାରଣ ବସ୍‌ ଭଡ଼ା‌ କିଲୋମିଟର ପିଛା ୮୦ ପଇସାକୁ ବୃଦ୍ଧି

କନକ ବ୍ୟୁରୋ : ରାଜ୍ୟରେ ବସ୍‌ ଭଡ଼ା ପୁଣି ବୃଦ୍ଧି ପାଇଛି । ସାଧାରଣ ବସ୍‌ ଭଡ଼ା‌ କିଲୋମିଟର ପିଛା ୭୪ ପଇସା ଥିଲା ବେଳେ ଏବେ ତାହା ବୃଦ୍ଧି ପାଇ ୮୦ ପଇସା ହୋଇଛି । ସେହିପରି ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୭୭ରୁ ୮୪ ପଇସା, ଡିଲକ୍ସ ବସ୍‌ ଭଡ଼ା ୧ ଟଙ୍କା ୯ ପଇସାରୁ ୧ ଟଙ୍କା ୧୧ ପଇସା, ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୩୧ ପଇସାରୁ ୧ ଟଙ୍କା ୩୯ ପଇସା ହୋଇଛି । ପ୍ରଥମ ଥର ପାଇଁ ସୁପର୍‌ ପ୍ରିମିୟମ୍‌ ବସ୍‌ ନିମନ୍ତେ ସ୍ବତନ୍ତ୍ର ଭାବେ ଦର ଧାର୍ଯ୍ୟ କରାଯାଇଛି । ଏହି ବସ୍‌ ଭଡ଼ା କିଲୋମିଟର ପିଛା ୨ ଟଙ୍କା ୧୭ ପଇସା କରାଯାଇଛି ।

ଘରୋଇ ବସ୍‌ ମାଲିକ ସଂଘ ଦେବାଶିଷ ନାୟକଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୧୩ଟି ପାରାମିଟର୍‌ ନେଇ ବସ୍‌ ଭଡ଼ା ନିର୍ଦ୍ଧାରଣ ହୁଏ । ଡିଜେଲ୍‌ ଦର ହ୍ରାସ ଓ ବୃଦ୍ଧି ଅନୁଯାୟୀ ବସ୍‌ ଭଡ଼ା ନିର୍ଦ୍ଧାରଣ ବର୍ଷ ତମାମ ଆପେ ଆପେ ହୁଏ । ତେବେ ବର୍ଷକରେ ଥରେ ଅନ୍ୟ ୧୨ଟି ପାରାମିଟର୍‌କୁ ନେଇ ବସ୍‌ ଭଡ଼ା ନିର୍ଦ୍ଧାରଣ କରାଯାଏ । ଗତ ବର୍ଷ ମାର୍ଚ୍ଚ ମାସରେ ବିଭିନ୍ନ ପାରାମିଟର୍‌କୁ ବିଚାରକୁ ନେଇ ବସ୍‌ ଭଡ଼ା ବୃଦ୍ଧି କରିବାକୁ ଉଚ୍ଚ କ୍ଷମତ‌ା ସମ୍ପନ୍ନ କମିଟି ସୁପାରିସ୍‌ କରିଥିଲା । କୋଭିଡ୍‌ ପାଇଁ ତାହା ଲାଗୁ ହୋଇ ନ ଥିଲା । ପ୍ରାୟ ଏକ ବର୍ଷ ବିଳମ୍ବରେ ଏବେ ଲାଗୁ କରାଯାଇଛି ।

from Kanak News
via <a href="https://ifttt.com/?

ଆଜି ମନ୍ତ୍ରୀପରିଷଦ ବୈଠକରେ ଚିଠା ବଜେଟ‌କୁ ମିଳିବ ଅନୁମୋଦନ : ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

କନକ ବ୍ୟୁରୋ : ଆସନ୍ତା ୧୮ ତାରିଖରୁ ବିଧାନସଭାର ବଜେଟ୍‌ ଅଧିବେଶନ ବସିବ । ତାହା ପୂର୍ବରୁ ୯ ତାରିଖ ମଂଗଳବାର ଦିନ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ଚିଠା ବଜେଟ‌କୁ ଅନୁମୋଦନ ମିଳିବ । ଏହା ସହ କ୍ୟାବିନେଟ୍‌ରେ ୨୫ଟି ପ୍ରସ୍ତାବ ଆସିବ ବୋଲି ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ପଦାକୁ ଆସିଲା ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଚାଲ : ସୀମାରେ ଭାରତ ଚୀନ ମୁହାଁମୁହିଁ ହେଉଥିବାବେଳେ ଜିଙ୍ଗପିଙ୍ଗଙ୍କ ବୟାନ, ଦୁଇ ଦେଶ ମଧ୍ୟରେ ବଢିପାରେ ଉତ୍ତେଜନା

କନକ ବ୍ୟୁରୋ : ପଦାକୁ ଆସିଲା ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଚାଲ । ଜୁନ ୨୦୨୦ ରୁ ଭାରତ-ଚୀନ ମଧ୍ୟରେ ଲାଇନ ଅଫ ଆକଚୁଆଲ କଂଟ୍ରୋଲ ବା ଏଲଏସିରେ ଲାଗି ରହିଥିବା ବିବାଦରେ ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ । ଲାଗି ରହିଥିବା ବିବାଦର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ୯ମ ଥର କମାଣ୍ଡରସ୍ତରୀୟ ବୈଠକ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ ।

ଦୁଇ ଦେଶ ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାଜି ନଥିବାବେଳେ ଏବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଚୀନ ଆର୍ମି ପିପୁଲସ ଲିବରେସନ ଆର୍ମି ବା ପିଏଲଏକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି । ଆଗକୁ ଚୀନର ନୂଆ ବର୍ଷ ଆସୁଥିବାବେଳେ ଜିନପିଙ୍ଗ ପିଏଲଏ ବାୟୁସେନା ୟୁନିଟ୍ ଗସ୍ତ କରିଥିଲେ । ଏହି ସମୟରେ ଅଭିଭାଷଣ ଦେଇ ସମଗ୍ର ସୈନ୍ୟବାହିନୀକୁ ଜାତୀୟ ସୁରକ୍ଷା ତଥା ଲୋକଙ୍କ ସୁଖ ଓ ଶାନ୍ତି ରକ୍ଷା କରିବା ପାଇଁ ଯୁଦ୍ଧ ପ୍ରସ୍ତୁତିକୁ ଦୃଢ଼ କରିବାକୁ କହିଥିଲେ । ରାଷ୍ଟ୍ରପତିଙ୍କ ଏଭଳି ବିବୃତି ପରିସ୍ଥିତିକୁ ଗମ୍ଭୀର କରିବାର ଆଶଙ୍କା ରହିଛି ।

ତେବେ ଏହା ପ୍ରଥମ ନୁହେଁ, ଗତବର୍ଷ ଅକ୍ଟୋବର ୧୪ରେ ମଧ୍ୟ ଜିନପିଙ୍ଗ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପିଏଲଏକୁ ନିର୍ଦ୍ଦେଶ ଦେଇଥିଲେ । ୨୦୨୦ ଜୁନ ମାସରୁ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହେବା ଫଳରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ସେହିପରି ଚୀନର ୪୩ ଜଣ ମୃତାହତ ହୋଇଥିବା ଜାତୀୟ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଥିଲା । ସେବେଠାରୁ ପ୍ରକୃତ ନିୟନ୍ତ୍ରଣ ରେଖାକୁ ନେଇ ଦୁଇ ଦେଶ ମଧ୍ୟରେ ଉତେଜନା ଲାଗି ରହିଛି ।

from Kanak News
via <a href="https://ifttt.com/?

ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ : ଶାନ୍ତି, ସୁରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ଉଭୟ କଲେ ଆଲୋଚନା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ଏ ବାବଦରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ବାଇଡେନ୍‌ଙ୍କ ସହ କଥାବାର୍ତ୍ତା କରିଛନ୍ତି ଏବଂ ତାଙ୍କୁ ସଫଳତା ପାଇଁ ଶୁଭକାମନା ଜଣାଇଛନ୍ତି ।

କେତେକ ଆଞ୍ଚଳିକ ପ୍ରସଙ୍ଗ ଏବଂ ଭାରତ-ଆମେରିକା ଦ୍ବିପାକ୍ଷିକ  ସଂପର୍କ ଉପରେ ଆଲୋଚନା ହୋଇଥିଲା । ଜଳବାୟୁ ପରିବର୍ତ୍ତନ ବିରୋଧରେ ଉଭୟ ଦେଶ ପରସ୍ପରିକ ସହଯୋଗ ଆଗକୁ ବଢ଼ାଇବାକୁ ମଧ୍ୟ ସହମତି ପ୍ରକାଶ ପାଇଥିଲା ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ।  ରାଷ୍ଟ୍ରପତି ଜୋ ବାଇଡେନ୍‌ ଏକ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ପାଇଁ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, ଜୋ ବାଇଡେନ ୨୦ ଜାନୁଆରିରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ଏହାପରେ  ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ଏହା ପ୍ରଥମ କଥାବର୍ତ୍ତା ।

from Kanak News
via <a href="https://ifttt.com/?

ରାଜ୍ୟରେ ଆହୁରି ବଢ଼ିବ ଶୀତ : ୮ ଜିଲ୍ଳାରେ ପ୍ରବାହିତ ହେବ ଶୀତ ଲହରି; ଜାରି ହେଲା ୟେଲୋ ୱାର୍ଣ୍ଣିଂ, ଶିଶୁ, ବୃଦ୍ଧଙ୍କୁ ସତର୍କ ରହିବାକୁ ପରାମର୍ଶ

କନକ ବ୍ୟୁରୋ : ଜାନୁଆରୀ ମାସରେ ଶୀତ ରାଜ୍ୟବାସୀଙ୍କ ସହ ଲୁଚକାଳି ଖେଳିଥିଲା । କିନ୍ତୁ, ଫେବ୍ରୁଆରୀ ମାସ ଆରମ୍ଭରୁ ରାଜ୍ୟ ମଧ୍ୟକୁ ଶୀତ ଲହରି ପ୍ରବାହିତ ହେବା ସହ ତମାମ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକଠାରୁ ଆରମ୍ଭ କରି ପଶ୍ଚିମ ଓ ଉପକୂଳ ଓଡିଶାର ଅନେକ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଯାଇଛି ଏବଂ ରାତ୍ରିରେ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିଛି ।

ଶୀତ ପ୍ରକୋପ ଆହୁରି ବଢ଼ିବ । ଏହାକୁ ଆଖି ଆଗରେ ରଖି ଆଗାମୀ ୨୪ ଘଂଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ଶୀତ ଲହରି ପ୍ରବାହିତ ହେବା ସହ ଘନ କୁହୁଡି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିନେଇ ରାଜ୍ୟର ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁର ପ୍ରଭୃତି ୮ଟି ଜିଲ୍ଲାକୁ ଚେତାବନୀ ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ସମୟ ମଧ୍ୟରେ ଶିଶୁ, ବୃଦ୍ଧ ତଥା ରୋଗୀମାନଙ୍କୁ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦେବା ସହ ଘନ କୁହୁଡିକୁ ଦୃଷ୍ଟିରେ ରଖି ଯାନବାହାନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ।

from Kanak News
via <a href="https://ifttt.com/?

ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ । ଫେବୃଆରୀ ୨୬ରେ ଭାରତ ବାଣିଜ୍ୟିକ ବନ୍ଦ ଘୋଷଣା ।

କନକ ବ୍ୟୁରୋ : ସର୍ବଭାରତୀୟ ବ୍ୟବସାୟ ସଂଘଠନ ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ଫେବ୍ରୁଆରି ୨୬ରେ ଭାରତ ବାଣିଜ୍ୟ ବନ୍ଦ ଘୋଷଣା କରିଛି । ଏହି ବନ୍ଦକୁ ସମର୍ଥନ କରି ପରିବହନ କ୍ଷେତ୍ରର ସର୍ବବୃହତ ସଂଗଠନ ଅଲ ଇଣ୍ଡିଆ ପରିବହନ କଲ୍ୟାଣ ସଂଘ ଫେବ୍ରୁଆରି ୨୬ରେ ସାରା ଦେଶରେ ଚକାଜାମ ଘୋଷଣା କରିଛି ।

ନାଗପୁରରେ ସର୍ବଭାରତୀୟ ବ୍ୟବସାୟ ସଂଘଠନ ଦ୍ୱାରା ଆୟୋଜିତ ତିନି ଦିନର ଜାତୀୟ ବ୍ୟବସାୟ ସମ୍ମିଳନୀ ଆଜି ଠାରୁ ଆରମ୍ଭ ହୋଇଛି, ଯେଉଁଥିରେ ଦେଶର ସମସ୍ତ ରାଜ୍ୟର ୨୦୦ରୁ ଅଧିକ ପ୍ରମୁଖ ବ୍ୟବସାୟିକ ନେତା ଯୋଗ ଦେଇଛନ୍ତି। ଏହି ଘୋଷଣା ମିଳିତ ଭାବେ ଜାତୀୟ ସଭାପତି ବି.ସି ଭରତୀୟା ଏବଂ ଜାତୀୟ ସାଧାରଣ ସମ୍ପାଦକ ପ୍ରଭୀନ ଖଣ୍ଡେଲୱାଲ ଏବଂ ପରିବହନ କଲ୍ୟାଣ ସଂଘର ଜାତୀୟ ସଭାପତି ପ୍ରଦୀପ ସିଙ୍ଘଲ କରିଛନ୍ତି।

ଜିଏସଟି ପରିଷଦ ନିଜ ଲାଭ ପାଇଁ ଜିଏସଟିର ପ୍ରକୃତ ନିୟମକୁ ପରିବର୍ତ୍ତନ କରୁଛନ୍ତି ବୋଲି ଭାରତୀୟା ଏବଂ ଖଣ୍ଡେଲୱାଲ ଅଭିଯୋଗ କରି କହିଥିଲେ ଯେ ଜିଏସଟି ଏକ ସମ୍ପୂର୍ଣ୍ଣ ବିଫଳ ଟିକସ ବ୍ୟବସ୍ଥା ଏବଂ ଜିଏସଟିର ମୌଳିକ ପ୍ରକୃତି ସହିତ ଖେଳାଯାଉଛି ।

from Kanak News
via <a href="https://ifttt.com/?

ରୋଷେଇ ଘରେ ମହଙ୍ଗା ମାଡ । ତିନି ମାସ ଭିତରେ ରୋଷେଇ ଗ୍ୟାସ ଦର ୧୨୫ଟଙ୍କା ବଢ଼ିଲାଣି ।

କନକ ବ୍ୟୁରୋ : ଲୋକଙ୍କ ରୋଷେଇ ଘର ଉପରେ ବଢ଼ି ଚାଲିଛି ମହଙ୍ଗା ମାଡ଼ । ତିନି ମାସ ଭିତରେ ରୋଷେଇ ଗ୍ୟାସ ଦର ୧୨୫ଟଙ୍କା ବଢ଼ିଲାଣି । ପେଟ୍ରୋଲ, ଡିଜେଲ ଦରଦାମ ବୃଦ୍ଧି ଭିତରେ ଖାଉଟି ଗ୍ୟାସ ଦର ବୃଦ୍ଧି ସାଧାରଣ ଖାଉଟି ପାଇଁ ବେଡ଼ି ଉପରେ କୋରଡ଼ା ଭଳି ହୋଇଛି । ସାଧାରଣ ଖାଉଟି ଉପରେ ଏହାର କ’ଣ ପ୍ରଭାବ ପଡ଼ିଛି ।

ଗୀତା ବେହେରା । ଘର ଭୁବନେଶ୍ୱର ଫରେଷ୍ଟ ପାର୍କ ଅଂଚଳରେ । ନିମ୍ନ ଆୟକାରୀ ବର୍ଗ ଭିତରେ ଆସୁଥିବା ଗୀତାଙ୍କ ପରିବାର ଚଳାଇବାର ଏକମାତ୍ର ମାଧ୍ୟମ ହେଉଛି ଏହି ଦୋକାନ । ଝରଣା ସାହିରେ ପରିବା ଦୋକାନ କରି ଚଳୁଛନ୍ତି ଗୀତା । ହେଲେ ତିନି ମାସରେ ଗ୍ୟାସ୍ ସିଲିଣ୍ଡର ଦାମ ୧୨୫ ଟଙ୍କା ବଢ଼ିଯିବା ତାଙ୍କ ଚିନ୍ତା ବଢ଼ାଇ ଦେଇଛି ।

ନଜର ପକାନ୍ତୁ ଏଚ୍ପି ଗ୍ୟାସ୍ରେ ଜଣେ ଗ୍ରାହକଙ୍କ ଦେୟ ଓ ସବସିଡିର ଚିତ୍ର ଉପରେ । ନଭେମ୍ବରରେ ସବ୍-ସିଡିଯୁକ୍ତ ୧୪.୨ କେଜି ଏଲପିଜି ସିଲିଣ୍ଡର ଦାମ ଥିଲା ୬୨୦ ଟଙ୍କା ୫୦ ପଇସା । ବ୍ୟାଙ୍କ୍ ଆକାଉଂଟକୁ ସବସିଡି ଫେରୁଥିଲା ୧୩ ଟଙ୍କା ୯୫ ପଇସା  । ଡିସେମ୍ବରରେ ସିଲିଣ୍ଡର ଦାମ ଦୁଇ ଥର ୫୦ ଟଙ୍କା ଲେଖାଏଁ ବଢ଼ିବା ପରେ ଫେବ୍ରୁଆରୀ ୩ରେ ପୁଣି ୨୫ ଟଙ୍କା ବଢ଼ିଛି । ଫଳରେ ତିନି ମାସ ପରେ ଗ୍ୟାସ ସିଲିଣ୍ଡର ଦାମ ୭୪୫ଟଙ୍କା ୫୦ ପଇସାରେ ପହଁଚିଯାଇଛି । ହେଲେ ଆକାଉଂଟକୁ ସବସିଡି ଫେରିବାର ପରିମାଣ ସେହି ସମାନ ୧୩ଟଙ୍କା ୯୫ ପଇସା ହିଁ ରହିଛି ।

ଅନ୍ତର୍ଜାତିକ ବଜାରରେ ତୈଳ ଦର ଖସିବା ସତ୍ୱେ ପେଟ୍ରୋଲ, ଡିଜେଲ ଗ୍ୟାସ୍ ଦର ବଢ଼ିଚାଲିଛି । ଠିକ୍ ଏତିକି ବେଳେ ଘରୋଇ ରୋଷେଇ ଗ୍ୟାସ ଦର ବୃଦ୍ଧି ଖାଉଟି ଚିନ୍ତା ବଢ଼ାଇ ଦେଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started