ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ହେବ ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲା । ଗାଁ ଗାଁରେ ବୁଲି ଝିଅ ଓ ଅଭିଭାବକଙ୍କୁ ବୁଝାଉଛନ୍ତି ଅଙ୍ଗନୱାଡି ଦିଦି ଓ ଆଶାକର୍ମୀ

କନକ ବ୍ୟୁରୋ : ସବୁବେଳେ ରାଜ୍ୟର ସର୍ବାଧିକ ବାଲ୍ୟ ବିବାହ ରେକର୍ଡ ହୁଏ ମାଲକାନଗିରି ଜିଲ୍ଲାରେ । ତେବେ ସେଇ ବାଲ୍ୟ ବିବାହକୁ ରୋକିବା ଲାଗି ଅଭିନବ ପ୍ରୟାସ ଆରମ୍ଭ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ମାଲ୍ୟବନ୍ତ ନନ୍ଦିନୀ ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇ ପୋଟ୍ରେଲ ପଂଚାୟତକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି । ଆଗକୁ ପୂରା ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବାକୁ ଉଦ୍ୟମ କରୁଛି ଜିଲ୍ଲା ପ୍ରଶାସନ ।

ଆଉ କଅଁଳ ବୟସରେ ବିବାହ କରିବେନି ମାଲାକନଗିରି ଝିଅ । ବାଲ୍ୟ ବିବାହ ରୋକିବାକୁ ଅଭିନବ ପ୍ରୟାସ । ମାଲ୍ୟବନ୍ତ ନନ୍ଦିନୀ କାର୍ଯ୍ୟକ୍ରମ ହାତକୁ ନେଇ ସର୍ବାଧିକ ବାଲ୍ୟ ବିବାହ ଯୁକ୍ତ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଗଠନ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଗାଁକୁ ଗାଁ, ଘରକୁ ଘର ଏବଂ ସମସ୍ତ ବିଦ୍ୟାଳୟ ବୁଲି ଛାତ୍ରୀ ଓ ଅଭିଭାବକଙ୍କୁ ସଚେତନ କରାଉଛନ୍ତି ଆଙ୍ଗନୱାଡି ଓ ଆଶା ଦିଦି । କିଶୋରୀ ଝିଅ ଥିବା ଘରେ ପୋଷ୍ଟର ମାରି ଝିଅର ନାଁ ଓ ବୟସ ସହ ବିବାହ ଯୋଗ୍ୟ ତାରିଖ ଉଲ୍ଲେଖ କରୁଛନ୍ତି ଆଙ୍ଗନଓାଡି ଦିଦି ।

ଗାଁ ଗାଁରେ ବୈଠକ କରି ୧୮ ଓ ୨୧ ବର୍ଷ ନପୁରୁଣୁ ବିବାହ ନ କରିବାକୁ ପିଲାଙ୍କୁ ଶପଥ ପାଠ କରାଉଛନ୍ତି ଗାଁ ଦିଦି । ଏହାଦ୍ୱାରା ଗତ ୨ରେ କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ପଂଚାୟତରେ ଆଦୌ ବାଲ୍ୟ ବିବାହ ହୋଇନାହିଁ । ତେଣୁ ଏହି ପୋଟ୍ରେଲ ପଂଚାୟତକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରି ସରପଂଚ ଓ କର୍ମଚାରୀଙ୍କୁ ପୁରସ୍କୃତ କରିଛି ଜିଲ୍ଲା ପ୍ରଶାସନ ।

ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ସର୍ବାଧିକ ବାଲ୍ୟ ବିବାହ ହୋଇଥାଏ । ୨୦୧୫-୧୬ ଜାତୀୟ ପରିବାର କଲ୍ୟାଳ ସର୍ଭେ ଅନୁସାରେ ମାଲକାନଗିରି ଜିଲ୍ଲାର ୩୯.୩% ବାଲ୍ୟ ବିବାହ ରେକର୍ଡ ହୋଇଥିଲା । ସେହିଭଳି ୨୦୧୮ରେ ୬୩ଟି, ୨୦୧୯ରେ ୮୦ଟି ଓ ୨୦୨୦ରେ ୧୭୮ଟି ବାଲ୍ୟ ବିବାହ ସରକାରୀ ଭାବେ ରେକର୍ଡ କରାଯାଇଛି । ତେଣୁ ବାଲ୍ୟ ବିବାହ ଘଟଣାକୁ ଅତି ଗୁରୁତର ସହ ନେଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ମାଲ୍ୟବନ୍ତ ନନ୍ଦିନୀ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଛି । ଗ୍ରାମାଂଚଳରେ ଗାଁ କମିଟି ଗଠନ କରାଯାଇ ବାଲ୍ୟ ବିବାହ ପ୍ରଥାକୁ ରୋକିବା ଲାଗି ପ୍ରୟାସ ଜାରି ରହିଛି ।

ପ୍ରଥମ ପର୍ଯ୍ୟାୟରେ ପୋଟ୍ରେଲ ଗ୍ରାମ ପଂଚାୟତର ୧୪ ଓ ସେଇ କୋରୁକୋଣ୍ଡା ବ୍ଲକର ଆଉ ୧୦ଟି ଗାରୁଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି । ୨୦୨୪ ସୁଦ୍ଧା ମାଲକାନଗିରି ଜିଲ୍ଲାକୁ ସଂପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନକୁ ନେଇ ସେଲିବ୍ରେଟି ମାନେ କରିଥିବା ଟ୍ୱିଟ୍ ଉପରେ ଯାଞ୍ଚ କରିବେ ମହାରାଷ୍ଟ୍ର ସରକାର । ବିଜେପି ଚାପରେ ଏମିତି କରିଥିବା ନେଇ କରାଯାଉଛି ସନ୍ଦେହ

କନକ ବ୍ୟୁରୋ : ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନକୁ ନେଇ ଏବେ ସାରା ଦେଶର ରାଜନୀତି ସରଗରମ ରହିଥିବା ବେଳେ ଏହାକୁ ନେଇ ଟ୍ୱିଟ୍ କରିଥିବା ସେଲିବ୍ରେଟି ମାନେ ଏବେ ଯାଂଚ ପରିସରଭୂକ୍ତ ହେବେ । ସେମାନେ କାହା ଚାପରେ ଏଭଳି ଟ୍ୱିଟ୍ କରିଛନ୍ତି ସେ ନେଇ ତଦନ୍ତ କରାଇବେ ମହାରାଷ୍ଟ୍ର ସରକାର । ଏନେଇ ଅଲଇଣ୍ଡିଆ କଂଗ୍ରେସ କମିଟି ସଦସ୍ୟ ତଥା ମୁମ୍ବାଇ କଂଗ୍ରେସର ପ୍ରବକ୍ତା ସଚିନ୍ ସାୱନ୍ତ ଅଭିଯୋଗ କରିଛନ୍ତି କି ବିଜେପି ଚାପରେ ସେଲିବ୍ରେଟି ମାନେ ଏଭଳି ଟ୍ୱିଟ୍ କରିଛନ୍ତି । ସଚିନ୍ ସାୱନ୍ତ ଅଭିଯୋଗ ପରେ ମହାରାଷ୍ଟ୍ର ସରକାରରେ ଗୃହମନ୍ତ୍ରୀ ଥିବା ଅନିଲ ଦେଶମୁଖ କହିଛନ୍ତି କି ରାଜ୍ୟ ଇଣ୍ଟେଲିଜେନ୍ସ ଏଜେନ୍ସି ଏହି ମାମଲାର ଯାଂଚ କରି ବାସ୍ତବ ଘଟଣା ଉପରେ ଖୋଳତାଡ କରିବ ।

ଏହି ଖବର ପ୍ରଚାରିତ ହେବା ପରେ ବିଜେପି ନେତା ରାମ କଦମ୍ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି କି, ଦେଶର ହିତ ପାଇଁ ସେଲିବ୍ରେଟି ମାନେ ଟ୍ୱିଟ୍ କରିବା କ’ଣ ଅପରାଧ କି ? । କଂଗ୍ରେସ ଏହି ସେଲିବ୍ରେଟି ମାନଙ୍କୁ କ୍ଷମା ମାଗି ନିଷ୍ପତ୍ତି ପ୍ରତ୍ୟାହାର କରିନେବା ଉଚିତ ବୋଲି ସେ କହିଛନ୍ତି ।
ବିଜେପି ନେତା ଦେଶମୁଖ କହିଥିଲେ କି, କ’ଣ ‌ସେଲିବ୍ରିଟିମାନଙ୍କ ଟୁଇଟ କୌଣସି ଚାପ ହେତୁ ସାମ୍ନାକୁ ଆସିଛି କି? ଆମର ଇଣ୍ଟେଲି‌ଜେନ୍ସ ଏଜେନ୍ସି ଏହି ଘଟଣାର ଯାଞ୍ଚ କରିବେ? କେମିତି ଅକ୍ଷୟ କୁମାର ଓ ସାଇନା ନେହୱାଲଙ୍କ ଟୁଇଟ ସମାନ ଥିଲା ତାହା ମଧ୍ୟ ଦେଖାଯିବ?
ଚାଷୀ ଆନ୍ଦୋଳନ ସମର୍ଥନରେ ପପ ଷ୍ଟାର ସିଙ୍ଗର ରିହାନାଙ୍କ ଟ୍ୱିଟ ପରେ ବିଭିନ୍ନ ବଲିଉଡ ଓ ଖେଳ ଜଗତର ସେଲିବ୍ରିଟି ଟ୍ୱିଟ କରିଥିଲେ । ଏହି କ୍ରମରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଅଜୟ ଦେବଗନ, ଲତା ମଙ୍ଗେସକର, ସଚିନ ତେନ୍ଦୁଲକର, ବିରାଟ କୋହଲି, ସୁନୀଲ ସେଟ୍ଟୀ ସମେତ ଅନେକ ସେଲିବ୍ରିଟି ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟରେ ସେମାନେ ଇଣ୍ଡିଆ ଟୁଗେଦର ଓ ଇଣ୍ଡିଆ ଏଗେନଷ୍ଟ ପ୍ରୋପାଗଣ୍ଡା ହ୍ୟାସଟ୍ୟାଗ ଦେଇଥିଲେ। କଂଗ୍ରେସ ପ୍ରତିନିଧି ମଣ୍ଡଳ ଆଜି ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସହ ଅନଲାଇନ ବୈଠକରେ ଏହି ପ୍ରସଙ୍ଗ ଉଠାଇଥିଲେ।

from Kanak News
via <a href="https://ifttt.com/?

ଭଞ୍ଜନଗରର ନିଆରା ବ୍ୟକ୍ତିତ୍ୱ ଅବସର ପ୍ରାପ୍ତ ଆଇଏଏସ ଅଫିସର ଶଙ୍କର ନାରାୟଣ । ୩୨ ବର୍ଷର ଚାକିରି ସରିବା ପରେ ଗାଁକୁ ଫେରିଲେ । ଅନ୍ଧ ବିଶ୍ୱାସକୁ ଦୂର କରିବା ଉଦେଶ୍ୟରେ ଜାରି ରଖିଛନ୍ତି ପ୍ରୟାସ ।

କନକ ବ୍ୟୁରୋ : ଗାଁରୁ ଆରମ୍ଭ ହୋଇଥିବା ଜୀବନ ଗାଁରେ ହିଁ ଶେଷ ହେବ । ଶେଷ ନିଶ୍ୱାସ ଥିବା ଯାଏଁ ଗାଁ ପାଇଁ କାମ କରିବେ । କନ୍ଧ ରାଜ୍ୟରୁ ଅନ୍ଧ ବିଶ୍ୱାସ ଦୂର କରିବା ଲକ୍ଷ୍ୟ ନେଇ ଚାକିରିରୁ ଅବସର ପରେ ଗାଁରେ ରହୁଛନ୍ତି ଆଇଏଏସ୍ ଶଙ୍କର ନାରାୟଣ ପାଣିଗ୍ରାହୀ । ନିପଟ ମଫସଲରୁ ଦିଲ୍ଲୀରେ ଚାକିରି ଜୀବନ ଶେଷ କରିବା ପରେ ଗାଁକୁ ଫେରି ଅତିନିରାଡମ୍ବର ଜୀବନ ଜିଉଁଛନ୍ତି ଶଙ୍କର ନାରାୟଣ । ଆଧ୍ୟାତ୍ମିକତା ଉପରେ ବିଶ୍ୱାସ ରଖୁଥିବା ଅବସରପ୍ରାପ୍ତ ଆଇଏଏସ ଅଫିସର ଏବେ ଅନ୍ଧ ବିଶ୍ୱାସ ଠାରୁ ଦୂରେଇ ରହିବା ପାଇଁ ଗାଁ ଗହଳିର ଲୋକଙ୍କୁ ବୁଝାଉଛନ୍ତି ।

ଧଳା ଧୋତି, ଧଳା ସାର୍ଟ ଓ ବେକରେ ନାଲି ଗାମୁଛା ପକାଇ ସାଇକେଲ ଚଲେଇ ମନ୍ଦିରକୁ ଆସୁଥିବା ଏହି ବ୍ୟକ୍ତିଙ୍କୁ ଦେଖିଲେ କେହି କେବେ ଅନୁମାନ କରିପାରିବେ ନାହିଁ ଯେ, ଏ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଆଇଏଏସ ଅଫିସର । କାରଣ ସମସ୍ତଙ୍କ ଧାରଣା ଯେ, ଜଣେ ଆଇଏଏସ ଚାକିରି କରିଥିବା ବ୍ୟକ୍ତି ବିଳାସପୂର୍ଣ୍ଣ ଚାକଚକ୍ୟ ଜୀବନ ଯାପନ କରନ୍ତି । କିନ୍ତୁ ସମସ୍ତଙ୍କ ଧାରଣା ଠାରୁ ଢେର୍ ଉଚ୍ଚରେ ୧୯୮୫ ବ୍ୟାଚ୍ର ଅବସରପ୍ରାପ୍ତ ଆଇଏଏସ ଅଫିସର ଶଙ୍କର ନାରାୟଣ ପାଣିଗ୍ରାହୀ । ପାଠ ପଢି ବଡ ଚାକିରି କରିବା ପାଇଁ ଗାଁ ଛାଡିଥିବା ଶଙ୍କର ନାରାୟଣ ଚାକିରିରୁ ଅବସର ନେବା ପରେ ଗାଁକୁ ଫେରି ଲୋକଙ୍କ ସେବାରେ ଲାଗିଛନ୍ତି ।

ଗଂଜାମ ଜିଲ୍ଲା ଭଂଜନଗର ବ୍ଲକ କୁଲାଡ ଗାଁର ସ୍ୱର୍ଗତ ପଦ୍ମନାଭ ପାଣୀଗ୍ରାହୀଙ୍କ ବଡ଼ପୁଅ ଶଙ୍କର ନାରାୟଣ । ୧୯୭୪ରେ ମାଟ୍ରିକ୍ରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ଏହି ବ୍ୟକ୍ତି ସଂସ୍କୃତରେ ଏମ୍ପିଂଲ୍ କରିବା ପରେ ଆଇଏଏସ ଅଫିସର ହେବାକୁ ଇଚ୍ଛା କରନ୍ତି । ଜଣେ ପ୍ରଶାସକ ଭାବେ ଦେଶବାସୀଙ୍କ ସେବା କରିବାକୁ ମନ ବଳାନ୍ତି । ଏବଂ ଆଇଏଏସ ପରୀକ୍ଷାରେ ଦୁଇ ଦୁଇ ଥର ବିଫଳ ହେବା ପରେ ୧୯୮୫ରେ ତୃତୀୟ ଥରରେ ସଫଳ ହୁଅନ୍ତି ।

ଆଉ ୧୯୮୭ରେ ଦିଲ୍ଲୀରୁ ଚାକିରି ଜୀବନ ଆରମ୍ଭ କରନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟରୁ ଆରମ୍ଭ ହୋଇଥିବା କର୍ମମୟ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନିଅନ୍ତି । ୩୨ ବର୍ଷ ଧରି କାମ କରିବା ପରେ ୨୦୧୮ରେ ଅବସର ଗ୍ରହଣ କରି ଗାଁକୁ ଫେରି ଆସିଛନ୍ତି ଅବସରପ୍ରାପ୍ତ ଆଇଏଏସ ଅଫିସର । ସହରର ଚାକଚକ୍ୟ ଜୀବନ ଅପେକ୍ଷା କୁଲାଡ ଗାଁରେ ଥିବା ପୈତୃକ ଘରେ ରହି କନ୍ଧ ରାଜ୍ୟରୁ ଅନ୍ଧବିଶ୍ୱାସ ଦୂର କରିବାକୁ ଲକ୍ଷ୍ୟ ରଖିଛନ୍ତି ଶଙ୍କର ନାରାୟଣ ।

ଶଙ୍କର ନାରାୟଣଙ୍କ ନିରାଡ଼ମ୍ବର ଜୀବନ ଶୈଳି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ । କାରଣ ମୋଟା ଅଙ୍କର ପେନସନ୍ ପାଉଥିବା ଜଣେ ଅବସରପ୍ରାପ୍ତ ଆଇଏଏସ ଅଫିସର ଶୋଇବା ପାଇଁ ଗୋଟିଏ ମଶିଣା ବ୍ୟବହାର କରୁଥିବା ବେଳେ ପାଖରେ ମୋବାଇ୍ଲ ନାହିଁ କି ଗାଡ଼ି ନାହିଁ । ଝରଣାରେ ଗାଧାନ୍ତି, ମନ୍ଦିରରେ ଖାଆନ୍ତି ଏହି ବିରଳ ବ୍ୟକ୍ତିତ୍ୱ ।

from Kanak News
via <a href="https://ifttt.com/?

ରମାଦେବୀରେ ୪ଟି ବିଲ୍ଡିଂର ଲୋକାର୍ପଣ । ୩୩ କୋଟି ଟଙ୍କାରେ ୪ଟି ବିଲ୍ଡିଂ ନିର୍ମାଣ କରାଯାଇଛି । ଏହାସହ ୧୮ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୪ଟି ବିଲ୍ଡିଂର ଲୋକାର୍ପଣ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩ କୋଟି ଟଙ୍କାରେ ଏହି ୪ଟି ବିଲ୍ଡିଂ ନିର୍ମାଣ କରାଯାଇଛି । ଏକାଡେମିକ ବ୍ଲକ ୨ ଓ ୩ ଏବଂ ଅନ୍ୱେଷା ଛାତ୍ରୀ ନିବାସ ଲୋକାର୍ପିତ ହୋଇଛି । କୁନ୍ତଳା କୁମାରୀ ଗ୍ରନ୍ଥାଗାର ମଧ୍ୟ ଲୋକାର୍ପିତ ହୋଇଛି ।

ଏହାସହ ମୁଖ୍ୟମନ୍ତ୍ରୀ ରମାଦେବୀରେ ୧୮ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ଘୋଷଣା କରିଛନ୍ତି । ବିଶ୍ୱବିଦ୍ୟାଳୟରେ ଥିବା ସମସ୍ତ ବିଲ୍ଡିଂ, ଛାତ୍ରୀ ନିବାସ ଓ ଏକାଡେମିକ ବ୍ଲକ ଗୁଡିକର ନବୀକରଣ ଲାଗି ଏହି ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଲୋକାର୍ପିତ କାର୍ଯ୍ୟକ୍ରମ ଅବସରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

from Kanak News
via <a href="https://ifttt.com/?

ରାସ୍ତାରେ ନୀଳାଚଳ ଇସ୍ପାତ କାରଖାନାର ଶ୍ରମିକ । ବାର ଘଂଣ୍ଟିଆ ରାସ୍ତାରୋକ ଯୋଗୁଁ ଯାଜପୁର ଶିଳ୍ପାଞ୍ଚଳରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଠପ୍ ।

କନକ ବ୍ୟୁରୋ : ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଂଚଳରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ ପରିଚାଳିତ ନୀଳାଚଳ ଇସ୍ପାତ କାରଖାନାର ଶ୍ରମିକମାନେ ବାର ଘଂଟିଆ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି । ଦଶ ମାସର ବକେୟା ଦରମା ପ୍ରଦାନ ଏବଂ ଗଚ୍ଛିତ ହୋଇ ରହିଥିବା ଉତ୍ପାଦିତ ମାଲକୁ ଅନ୍ୟତ୍ର ବିକ୍ରି ପାଇଁ ହେଉଥିବା ମସୁଧାକୁ ବିରୋଧ କରି ଆନ୍ଦୋଳନ ଡାକରା ଦିଆଯାଇଛି । ଫଳରେ ଡୁବୁରୀ ଯାଜପୁର ରୋଡ ମୁଖ୍ୟରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ଘଟଣାସ୍ଥଳରେ ପୋଲିସ ପହଂଚି ପରିସ୍ଥିତି ନିୟନ୍ତ୍ରଣ କରୁଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ କଳିଙ୍ଗନଗର ଶିଳ୍ପାଂଚଳର ସମସ୍ତ କାରଖାନାକୁ ବନ୍ଦ କରିଦିଆ ଯିବ ବୋଲି ଚେତାବନୀ ଦେଇଛନ୍ତି । ପୂର୍ବରୁ ଅନେକ ଥର ଆଲୋଚନା କରାଯାଇଥିଲେ କୌଣସି ସୁଫଳ ନମିଳିବାରୁ ବାରବାର ଆନ୍ଦୋଳନ କରାଯାଇଛି । କରୋନା ସମୟରେ ଅନେକ କର୍ମଚାରୀ ପରିବା ବେପାର କରିବା ସହ ଅନେକ ଚାକିରି ଛାଡି ଘରକୁ ଫେରି ଯାଇଛନ୍ତି ।

କର୍ତୃପକ୍ଷ କାରଖାନାକୁ ରୁଗଣ କରିଦେଇଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ମାନେ । ତେଣୁ ଯଥାଶୀଘ୍ର ଦରମା ପ୍ରଦାନ ସହ କାରଖାନାକୁ ଚାଲୁ କରିବା ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ କଳିଙ୍ଗନଗର ଶିଳ୍ପାଂଚଳକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦାଳନରତ କର୍ମଚାରୀ ।

from Kanak News
via <a href="https://ifttt.com/?

କେମିତି ଥିଲା ଜଳପ୍ରଳୟର ବିକଟାଳ ରୂପ ? ଚମୋଲି ଗାଁ ଲୋକେ ବଖାଣିଲେ ଲୋମଟାଙ୍କୁରା ଅନୁଭୂତି ।

କନକ ବ୍ୟୁରୋ: ଋଷିଗଙ୍ଗା ନଦୀର ଉପରମୁଣ୍ଡରେ ରହିଥିବା ଚାମୋଲି ଜିଲ୍ଲାର ତପୋବନ ଅଞ୍ଚଳରେ ନନ୍ଦା ଦେବୀ ଗ୍ଲାସିୟରର ଗୋଟିଏ ଅଂଶ ଭୁଶୁଡ଼ି ପଡ଼ିବାରୁ (ହିମସ୍ଖଳନ) ୧୭୦ରୁ ଅଧିକ ଲୋକ ଭାସି ଯାଇଥିବାର ଆଶଙ୍କା କରାଯାଉଛି। ବର୍ତମାନ ସୁଦ୍ଧା ୧୪ ଜଣଙ୍କର ଶବ ଉଦ୍ଧାର କରାଯାଇଥିବା ବେଳେ ଋଷିଗଙ୍ଗା ନଦୀରେ ନିର୍ମାଣାଧୀନ ଏକ ବିଦ୍ୟୁତ୍ ପ୍ରକଳ୍ପ ଭାସିଯାଇଥିବାରୁ ଏଥିରେ ୨୦୨ଜଣ ଶ୍ରମିକ ମଧ୍ୟ ଭାସିଯାଇଥିବା ଅନୁମାନ କରାଯାଇଛି।

ତେବେ ଚମୋଲିର ତପୋବନ ନିକଟ ଏକ ଟନେଲରେ ଫସି ରହିଥିବା ୧୬ ଜଣ ଲୋକଙ୍କୁ ଆଇଟିବିପି ଯବାନମାନେ ଉଦ୍ଧାର କରିଥିଲେ। ସେହିପରି ଅନ୍ୟ ନିଖୋଜମାନଙ୍କୁ ଉଦ୍ଧାର କରିବା ଲାଗି ଆଇଟିବିପିର ୨୫୦ ଯବାନଙ୍କ ସମେତ ଭାରତୀୟ ବାୟୁସେନାର ତିନିଟି ହେଲିକପ୍ଟର ନିୟୋଜିତ ଅଛନ୍ତି। ଏନଡିଆରଏଫ୍ ଦଳ ସହ ରାଜ୍ୟ ପୁଲିସ ଓ ରାଜ୍ୟ ଦୁର୍ବିପାକ ପରିଚାଳନା ବଳର ସଦସ୍ୟମାନେ ମଧ୍ୟ ଉପକୂଳବାସୀମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଉତ୍ତରାଖଣ୍ଡର ରାଇନି ଗ୍ରାମ‌ରେ ବସବାସ କରୁଥିବା ୫୦ବର୍ଷୀୟ ଧରମ ସିଂହ କହନ୍ତି, ପ୍ରତ୍ୟେକ ଦିନ ଭଳି ରବିବାର ସକାଳେ ସବୁ କିଛି ସ୍ୱାଭାବିକ ଥିଲା। କିନ୍ତୁ ପ୍ରାୟ ୧୦ ଟା ବେଳେ ଆମେ ଏକ ଉଚ୍ଚ ଶବ୍ଦ ଶୁଣିବାକୁ ପାଇଥିଲୁ। ସେହି ସମୟରେ ଋଷିଗଙ୍ଗା ନଦୀର ଜଳ ଏବଂ କାଦୁଅ ଆମ ଆଡକୁ ମାଡ଼ି ଆସୁଥିଲା। କ’ଣ ହେଉଛି ତାହା ଆମେ ବୁଝିବା ପୂର୍ବରୁ ସବୁକିଛି ନଦୀରେ ଭାସି ଯାଇଥିଲା।

ରାଇନି ଗାଁର ଜଣେ ବ୍ୟକ୍ତି କହନ୍ତି, ଶାନ୍ତ ଦେଖାଯାଉଥିବା ଋଷିଗଙ୍ଗା ନଦୀର ଏପରି ଭୟଙ୍କର ରୂପ କେବେ ଦେଖି ନଥିଲି। ରବିବାର ସକାଳେ ଧୁଆଁଳିଆ ହୋଇ କ’ଣ ମାଡ଼ି ଆସୁଛି ଭଳି ଦେଖିବାକୁ ମିଳିଥିଲା। କିଛିସମୟ ପରେ ଋଷିଗଙ୍ଗା ନଦୀ ସହିତ ଆବର୍ଜନା ମାଡ଼ି ଆସୁଥିବା ଦେଖିବାକୁ ପାଇଥିଲୁ। ଆମେ ଗ୍ରାମବାସୀ ଏପରି ପ୍ରଳୟ କେବେ ହେଲେ ଦେଖି ନଥିଲୁ, ନା କେବେ ସ୍ବପ୍ନରେ ବି ଭାବି ଥିଲୁ କି ଋଷିଗଙ୍ଗା ଏପରି ପ୍ରଳୟ ନେଇ ଆସିବ। ଏହି ପ୍ରାକୃତିକ ପ୍ରଳୟରେ ରାଇନି ଏବଂ ତପୋବନା ଶକ୍ତି ପ୍ରକଳ୍ପ ସହିତ ଜଡିତ ଲୋକମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଦୁର୍ଘଟଣା ପରେ ଗାଁର କିଛି ଲୋକ ନିଖୋଜ ହୋଇଯାଇଥିବା ବି ସୂଚନା ମିଳିଛି।

from Kanak News
via <a href="https://ifttt.com/?

ଲୋକସଭା ବୈଠକ ପୂର୍ବରୁ କଂଗ୍ରେସର ବରିଷ୍ଠ ସଂସଦୀୟ ନେତା ଓ କିଛି ବିିରୋଧୀ ଦଳର ନେତାଙ୍କ ସହିତ ବୈଠକ କଲେ ରାହୁଲ ଗାନ୍ଧୀ । ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଲା ମାଷ୍ଟର ପ୍ଲାନ୍

କନକ ବ୍ୟୁରୋ: ଲୋକସଭା ବୈଠକ ପୂର୍ବରୁ ସୋମବାର ଦିନ ରାହୁଲ ଗାନ୍ଧୀ, କଂଗ୍ରେସର ବରିଷ୍ଠ ସଂସଦୀୟ ନେତା ଓ କିଛି ବିରୋଧୀଦଳ ନେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଂଗ୍ରେସ ସମେତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ଡିଏମକେ ଓ ଅନ୍ୟ କିଛି ଦଳର ନେତା ମାନେ ସାମିଲ ହୋଇଥିଲେ । କୁହାଯାଉଛି କି ଲୋକସଭାରେ ସରକାରଙ୍କ ଘେରିବାକୁ ଏହି ବୈଠକରେ ଯୋଜନା ପ୍ରସ୍ତୁତ ହୋଇଛି । ଆଗାମୀ ଲୋକସଭା ବୈଠକରେ ବିରୋଧୀ ମାନେ ଚାଷୀ ଆନ୍ଦୋଳନ ନେଇ କିଭଳି ସରକାରଙ୍କ ଉପରେ ଚାପ ପକାଯାଇ ପାରିବ ସେ ନେଇ ବି ଆଲୋଚନା ହୋଇଥିବା ସୂଚନା ମିଳିଛି ।

ସେପେଟ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରୁ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । କୃଷକ ଆନ୍ଦୋଳନ ନେଇ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଡିଏନଏ ପର୍ଯ୍ୟନ୍ତ କଥା ନେଇଛନ୍ତି । ପ୍ରଧାନମନ୍ତ୍ରୀ ଦେଶରେ ବୈଦେଶୀକ ପୁଞ୍ଜି ନିବେଶର ନୂଆ ପରିଭାଷା ବି ବୁଝାଇଛନ୍ତି । ସେ କହିଛନ୍ତି କି ବିରୋଧୀ ମାନଙ୍କ ପାଇଁ ଏବେ ଏଫ୍ ଡି ଆଇ ଆସିଛି । ଯାହାକି ସେମାନେ କୃଷକ ଆନ୍ଦୋଳନରେ ନିବେଶ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ କି ଏଫଡିଆଇ ବିଦେଶୀ ହେଲେ ଏବେ ସେମାନେ ଭାରତରେ ଟଙ୍କା ନୁହେଁ ସେମାନଙ୍କର ବିଚାର ବା ଆଦର୍ଶର ନିବେଶ କରୁଛନ୍ତି ।

from Kanak News
via <a href="https://ifttt.com/?

ଉତ୍ତରାଖଣ୍ଡ ଚମୋଲିର ଚିତ୍କାର ଦେଖି ମନେପଡିଗଲା ୮ ବର୍ଷ ତଳର କେଦାରନାଥ କଥା । ପ୍ରକୃତିର ପ୍ରଳୟଙ୍କାରୀ ତାଣ୍ଡବ ରୂପ ଦେଖିଥିଲା ଦେଶ ।

କନକ ବ୍ୟୁରୋ : ପ୍ରକୃତିର କରାଳ ରୂପ । ଉତରାଖଣ୍ଡରେ ଜଳପ୍ରଳୟ । ଚାରିଆଡେ କେବଳ ସୁ ସୁ ଗର୍ଜନ ଆଉ ମାଟି ପାଣି ଏକାକାର । ଏହି ଚିତ୍ରରୁ ହିଁ ଆପଣ ବୁଝିପାରୁଥିବେ ଏହା କେତେ ଭୟାନକ ହୋଇଥିବ । ଆଉ କେତେ ଲୋକ ଏଥିରେ ଜୀବନ ହାରିଥିବେ ।

ପାହାଡ ଉପରୁ ପବନ ବେଗରେ ମାଡି ଆସୁଛି ପାଣି । ଆଉ ଛାରଖାର ହେଇଯାଉଛି ଜନଜୀବନ । ଘର, ବାଡି ସବୁକିଛି ତା ଗର୍ଭରେ ଲୀନ ହେଇଯାଉଛି । ଏ ଦୃଶ୍ୟ ହେଇଛି ଉତରାଖଣ୍ଡର ଚମୋଲି ଜିଲ୍ଲା ଜୋସିମଠ ଅଂଚଳର । ଯେଉଁଠି ପ୍ରକୃତି ଦେଖାଇଛି ନିଜର ତାଣ୍ଡବ ରୂପ । ଆଉ ଜୀବନ ହାରିଛନ୍ତି ଏକାଧିକ ଲୋକ ।

ରବିବାର ଭୟଙ୍କର ହିମସ୍ପଳନ ଫଳରେ ଉତରାଖଣ୍ଡର ଜୋସିମଠ ନିକଟରେ ହଠାତ୍ ପାହାଡ ଉପରୁ କ୍ଷୀପ୍ର ବେଗରେ ଜୋଳସ୍ରୋତ ମାଡି ଆସିଥିଲା । ଆଉ ଭାସି ଯାଇଥିଲା ପୂରା ଗାଁ । ଏଥିରେ ରିଷିଗଙ୍ଗା ପାୱାର ପ୍ରୋଜେକ୍ଟ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ସେଠାରେ କାମ କରୁଥିବା ଅନେକ ଶ୍ରମିକ ମଧ୍ୟ ଜୋଳସ୍ରୋତରେ ଭାସି ଯାଇଥିଲେ ।

କେବଳ ଏହିଥରକ ନୁହେଁ । ଏହାପୂର୍ବରୁ ମଧ୍ୟ ୨୦୧୩ ମସିହାରେ ଉତରାଖଣ୍ଡ ଜଳପ୍ରଳୟ ଦେଖିଥିଲା । ଘର, ଦ୍ୱାର, ବଡ ବଡ କୋଠା ଏପରିକି ଭଗବାନ ମଧ୍ୟ ଏହି ଜଳପ୍ରଳୟର ଶିକାର ହୋଇଥିଲେ । ପ୍ରକୃତିର ଏହି ତାଣ୍ଡବ ଯୋଗୁଁ ସେତେବେଳେ ପାଖାପାଖି ୫ ହଜାରରୁ ଅଧିକ ଲୋକ ନିଜର ପ୍ରାଣ ହରାଇଥିଲେ ।

ସେତେବେଳେ ପ୍ରବଳ ବର୍ଷା କାରଣରୁ ଉତରାଖଣ୍ଡରେ ଅଚାନକ ବନ୍ୟା ଭଳି ସ୍ଥିତି ଉପୁଜିଥିଲା । ଯାହା ଫଳରେ କେଦାରନାଥ ମନ୍ଦିର ଜଳରେ ବୁଡିବା ସହିତ ଏହାର ଆଖପାଖ ଅଞ୍ଚଳ ଛାରଖାର୍ ହୋଇଯାଇଥିଲା । ଏବେ ପୁଣିଥରେ ପ୍ରକୃତିର ଏହି ତାଣ୍ଡବ ରୂପକୁ ଦେଖିବାକୁ ମିଳିଛି । ଆଉ ଉତ୍ତରଖଣ୍ଡର ଏପରି ସ୍ଥିତିରେ ସାରା ଦେଶ ତା ସହ ଛିଡା ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

କେବଳ ସେତିକି ନୁହେଁ ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଉଭୟ ଉତରାଖଣ୍ଡ ସରକାର ଓ କେନ୍ଦ୍ର ସରକାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ଉତ୍ତରାଖଣ୍ଡ ସରକାର ୪ ଲକ୍ଷ ଲେଖାଏଁ ଓ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବେ ।

from Kanak News
via <a href="https://ifttt.com/?

ଭିସା ନେଇ ପାକିସ୍ତାନ ଯାଇଥିବା ୧୦୦ ଯୁବକ ନିଖୋଜ । ଆତଙ୍କୀ ସଂଗଠନରେ ଯୋଗ ଦେଇଥିବା ନେଇ ଆଶଙ୍କା । ଆହୁରି ଏମିତି ବି କରାଯାଉଛି ଅନେକ ସନ୍ଦେହ

କନକ ବ୍ୟୁରୋ : ପୂର୍ବ ୩ ବର୍ଷ ମଧ୍ୟରେ ଭାରତରୁ ବୈଧ ଭିସା ନେଇ ଅଳ୍ପଦିନ ପାଇଁ ପାକିସ୍ତାନ ଯାଇଥିବା କାଶ୍ମୀରର ୧୦୦ ଯୁବକଙ୍କର ପତ୍ତା ମଳିପାରୁ ନାହିଁ । ଏହାକୁ ନେଇ ସୁରକ୍ଷା ଏଜେନ୍ସି ସତର୍କତା ଅବଲମ୍ବନ କରିଛି । ସୁରକ୍ଷା ଏଜେନ୍ସି ଆଶଙ୍କା କରିଛି କି ଏହି ଯୁବକ ମାନେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ସହିତ ସାମିଲ ହୋଇଯାଇଛନ୍ତି ଅଥବା ଆତଙ୍କବାଦୀ ସମୁହ ପାଇଁ ସ୍ଲିପର ସେଲ ପାଲଟି ଯାଇଛନ୍ତି ।

ସୁରକ୍ଷା ବିଭାଗର ବିଭିନ୍ନ ଅଧିକାରୀ ମାନେ କହିଛନ୍ତି କି ଉତ୍ତର କାଶ୍ମୀରର ହଂଦୱାଡା ନିକଟ ଜଙ୍ଗଲରେ ଗତବର୍ଷ ଏପ୍ରିଲ ମାସରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ସୁରକ୍ଷା ବିଭାଗ ସଜାଗ ହୋଇଥିଲା । କାରଣ ମରିଥିବା ୫ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ନାଗରିକ ବୋଲି ପରିଚୟ ମିଳିଥିଲା । ଯେ କି ୨୦୧୮ ମସିହାରେ ଭିସା ନେଇ ପାକିସ୍ତାନ ଯାଇଥିଲା ।

ସୁରକ୍ଷା ଅଧିକାରୀଙ୍କ ସୂଚନା ମୁତାବକ ପୂର୍ବ ବର୍ଷ ଏପ୍ରିଲ ମାସ ୧ ରୁ ୬ ତାରିଖ ମଧ୍ୟରେ ଦକ୍ଷୀଣ କାଶ୍ମୀରର ସୋପିୟାଁ, କୁଲଗ୍ରାମ ଓ ଅନନ୍ତନାଗ ଜିଲ୍ଲାର କିଛି ଯୁବକ ମାନଙ୍କୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ଦେଖିବାକୁ ମିଳିଥିଲା । ସେମାନେ ବି ବୈଧ ଭିସା ନେଇ କାଶ୍ମୀରରୁ ପାକିସ୍ତାନ ଯାଇଥିଲେ । ହେଲେ ସେମାନେ ଆଉ ଫେରି ନଥିଲେ ।

ଏନେଇ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ବିଗତ ୩ ବର୍ଷରୁ ଅଧିକ ସମୟ ହେବ କାଶ୍ମୀରରୁ ୭ ଦିନିଆ ଭିସା ନେଇ ପାକିସ୍ତାନ ଯାଇଥିବା ଯୁବକ ମାନଙ୍କର ତାଲିକା ପ୍ରସ୍ତୁତ କରାଯାଉଛି । ସୁରକ୍ଷା ବିଭାଗ ଆହୁରି କହିଛି କି କିଛିବର୍ଷ ପୂର୍ବରୁ ଭିସା ନେଇ କାଶ୍ମୀରରୁ ପାକିସ୍ତାନ ଯାଇ ପୁଣି କାଶ୍ମୀର ଫେରିଥିବା କିଛି ଯୁବକଙ୍କୁ ସୁରକ୍ଷା ଅଧିକାରୀ ମାନେ ଜେରା କରୁଛନ୍ତି । ଏହା ସହ ସେମାନଙ୍କ ଗତିବିଧି ଉପରେ ପୁରା ନଜର ରଖିଛି ସୁରକ୍ଷା ବିଭାଗ ।
ସେପଟେ ସୁରକ୍ଷା ଏଜେନ୍ସି ଯେଉଁ ଖୋଲାସା କରିଛି ତାହା ଚକିତ କରିଦେବା ଭଳି । ଜଣେ ସୁରକ୍ଷା ଅଧିକାରୀଙ୍କ କହିବା ମୁତାବକ ଜଣେ ସାଧାରଣ ଯୁବକକୁ ଆତଙ୍କବାଦୀ ସଂଗଠନରେ ସାମିଲ କରିବା ପାଇଁ ମାତ୍ର ୬ ସପ୍ତାହର ଟ୍ରେନିଂ ଦରକାର ପଡିଥାଏ । ଏହାସହ ଯୁବକ ଜଣକ ତାଙ୍କ ସଂଗଠନରେ ସାମିଲ ହେବାର ଗୋଟିଏ ସପ୍ତାହ ଭିତରେ ବିସ୍ଫୋଟକ ପ୍ରସ୍ତୁତି କରିବାର କୌଶଳ ଶିଖାଇ ଦିଆଯାଏ । ନିଖୋଜ ଥିବା ଯୁବକ ମାନେ ମୁଖ୍ୟତ ନିମ୍ନ ମଧ୍ୟବିତ ପରିବାର ବୋଲି ସୂଚନା ମିଳିଛି । ସେମାନଙ୍କୁ ନେଇ ଆତଙ୍କବାଦୀ ମାନେ କାଶ୍ମୀରରେ ଆତଙ୍କବାଦ ଚଳାଉଛନ୍ତି ।

from Kanak News
via <a href="https://ifttt.com/?

ଧାନ ବିକିଲେ ଝିଅର ବାହାଘର ହେବ । କିନ୍ତୁ ୨୦ଦିନ ହେଲାଣି ଧାନ କିଣୁନାହାନ୍ତି ମଣ୍ଡି କର୍ତ୍ତୃପକ୍ଷ, ସାରା ରାତି ଧାନ ଜଗି ରହୁଛନ୍ତି ଚାଷୀ ।

କନକ ବ୍ୟୁରୋ : କୋକସରାରେ ଚାଷୀଙ୍କୁ ଟୋକନ ମିଳିଛି, ଚାଷୀ ଧାନ ଆଣି ମଣ୍ଡିରେ ରଖିଛି । କିନ୍ତୁ ୨୦ ଦିନ ହେଲା ଧାନ କିଣୁନାହାନ୍ତି ମଣ୍ଡି କର୍ତ୍ତୃପକ୍ଷ । ତେଣୁ ଶୀତ କାକରରେ ଧାନ ଜଗି ରହିଛନ୍ତି ଚାଷୀ । ଡାଲଗୁମା ମଣ୍ଡିରେ ଟାର୍ଗେଟ ଅଭାବରୁ ଧାନ ବିକ୍ରି କରିପାରୁନାହାନ୍ତି ୩୩ଜଣ ଚାଷୀ ।

୨୦ ଦିନ ହେବ ମଣ୍ଡିରେ ପଡିରହିଛି ଧାନ । କୋକସରା ବ୍ଲକ ଡାଲଗୁମା ମଣ୍ଡିରେ ଧାନ ବିକିବା ପାଇଁ ଟୋକନ ମିଳିବା ପରେ ଚାଷୀ ଧାନ ଆଣିଛନ୍ତି । କିନ୍ତୁ ଟାର୍ଗେଟ ନଥିବାରୁ ଧାନ ବିକ୍ରି ହୋଇପାରୁନି । ଆଉ ଚାଷୀ ଘରଦ୍ୱାର ଛାଡି ଶୀତ କାକରରେ କଷ୍ଟ ଉପାର୍ଜିତ ଅମଳକୁ ଜଗି ରହିଛନ୍ତି । ଚିତାମୁଣ୍ଡାର ଚାଷୀ ନେପୁର ଘି, ଧାନ ବିକିଲେ ଝିଅ ବାହାଘର କରିବେ । ହେଲେ ପ୍ରଥମ ଦଫାରେ ଧାନ ବିକି ପାରିଲେ ନାହିଁ କି ଏବେ ତାଙ୍କ ପାଳି ପଡିବ କି ନାହିଁ ତା’ ସ୍ପଷ୍ଟ ହୋଇପାରୁନାହିଁ । ନେପୁରଙ୍କ ଭଳି ଅନେକ ଚାଷୀ ଏମିତି ଆଶା ଆଶଙ୍କାରେ ରହିଛନ୍ତି ।

ଖରିଫ ଋତୁରେ ଧାନ ବିକିବା ପାଇଁ ୩୬୯ଜଣ ଚାଷୀ ପଂଜିକରଣ କରିଛନ୍ତି । ୨୩ ନଭେମ୍ବରରୁ ଜାନୁଆରୀ ୨୩ ସୁଦ୍ଧା ୩୪୮ ଜଣ ଚାଷୀଙ୍କ ଠାରୁ ୧୭ହଜାର ୭୪୧ କ୍ୱିଂଟାଲ ଧାନ କିଣା ହୋଇଛି । ଏବେ ଆଉ ୩୩ଜଣ ଚାଷୀଙ୍କ ପ୍ରାୟ ୨ହଜାର କ୍ୱିଂଟାଲ ଧାନ ମଣ୍ଡିରେ ପଡିରହିଛି । ଟାର୍ଟେଟ୍ କମ୍ ଥିବାରୁ ଧାନ କିଣାରେ ସମସ୍ୟା ହେଉଛି । ସାରା ରାଜ୍ୟରୁ ଏଭଳି ଖବର ଆସୁଛି । ହେଲେ ଏହାର କୌଣସି ସମାଧାନ ହୋଇ ପାରୁନାହିଁ ।

ଡାଲଗୁମା ମଣ୍ଡିରେ ଅଧିକ ଧାନ କିଣିବା ପାଇଁ ଲକ୍ଷ୍ୟଧାର୍ଯ୍ୟକୁ ବଢାଇବାକୁ ପ୍ରଶାସନକୁ ଅନୁରୋଧ କରିଛି ମା’ ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ । ହେଲେ କିଛି ଲାଭ ମିଳୁନାହିଁ । ଖୁବଶୀଘ୍ର ଧାନ ଉଠାଣ ନହେଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ କହିଛନ୍ତି ଟାଗେର୍ଟ ଆସିଲେ ଧାନ କିଣାଯିବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started