କନକ ବ୍ୟୁରୋ : କୋଟିଆରେ ଆନ୍ଧ୍ରର ପଂଚାୟତ ନିର୍ବାଚନ ଘୋଷଣାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ଓଡିଶା । ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ରଣନୀତି ସ୍ଥିର କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ ବୋଲି ଜଣାପଡିଛି । ଏହାପରେ ଓଡିଶା ସରକାର ଆନ୍ଧ୍ରର ଅନୁପ୍ରବେଶ ଉପରେ ରୋକ୍ ଲଗାଇବାକୁ ଆବେଦନ କରିବେ । ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ପରାମର୍ଶରେ ସରକାର ସୁପ୍ରିମକୋର୍ଟ ଯିବାକୁ ରଣନୀତି ସ୍ଥିର କରିଛନ୍ତି । ଆନ୍ଧ୍ର ନିର୍ବାଚନ କମିଶନଙ୍କ ପକ୍ଷରୁ କୋଟିଆ ପଂଚାୟତର ତଳଗଞ୍ଜେଇପଦର, ପଟୁସିନେରୀ ଓ ଫଗୁଣସୁନେରୀ ଗାଁକୁ ପଂଚାୟତ ମାନ୍ୟତା ଦେଇ ନିର୍ବାଚନ କରିବାକୁ ଘୋଷଣା କରାଯାଇଛି ।
ଆଗାମୀ ୧୩ ତାରିଖରେ ଏହି ଅଂଚଳରେ ମତଦାନ ହେବ ବୋଲି ଘୋଷଣା କରାଯାଇଛି । ତେବେ ପୂର୍ବରୁ କେବଳ ଏହି ଅଂଚଳରେ ସରକାରୀ ଯୋଜନା ବିତରଣ କରୁଥିବା ଆନ୍ଧ୍ର ସରକାର ନିର୍ବାଚନ କରି ଓଡିଶାର ସୀମାନ୍ତ ଗାଁକୁ ନିଜ ଅକ୍ତିଆରକୁ ନେବାପାଇଁ ଷଡଯନ୍ତ୍ର କରିଛନ୍ତି । ଯାହାକୁ ପ୍ରତିହତ କରିବା ପାଇଁ ଓଡିଶା ସରକାର ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଜି ରଣନୀତି ପ୍ରସ୍ତୁତ ହେବାପରେ ସୁପ୍ରିମକୋର୍ଟରେ ଆନ୍ଧ୍ର ଚାଲବାଜିର ସମସ୍ତ ତଥ୍ୟ, ପ୍ରମାଣ ଉପସ୍ଥାପନ କରାଯିବ ବୋଲି ଜଣାପିଡିଛି ।
୧୯୩୬ ମସିହାରେ ସୀମା ନିର୍ଦ୍ଧାରଣ କରାଯାଇ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲାବେଳେ ୧୯୫୫ରେ ସୀମା କମିଟି ବସିବା ପରେ ଆନ୍ଧ୍ରପ୍ରଦେଶ ଗଠନ ହେଲା। ତେବେ ସୀମାନ୍ତ ଗାଁକୁ ନେଇ ବିବାଦ ଉପୁଜିବାରୁ ୧୯୬୮ରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଓଡ଼ିଶା ସରକାର। ସ୍ଥିତାବସ୍ଥା ବଜାୟ ରଖିବାକୁ ସେତେବେଳେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯଦି କିଛି ସମସ୍ୟା ଉପୁଜେ ତେବେ ଆପୋସ ବୁଝାମଣା ମଧ୍ୟରେ ସମାଧାନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଥିଲା। କିନ୍ତୁ ବାରମ୍ବାର ଅନୁପ୍ରବେଶ କରି ବିବାଦୀୟ ପରିସ୍ଥିତି ସୃଷ୍ଟି କରି ଚାଲିଛି ଆନ୍ଧ୍ର ।
ଏମିତି ବିବାଦ ମଧ୍ୟରେ ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ବୈଠକ ବସିଥିଲା। ଏହି ବୈଠକରେ ଆନ୍ଧ୍ର ପକ୍ଷରୁ ଓଡ଼ିଶା ସୀମାରେ କୌଣସି ବୁଥ କରାଯିବ ନାହିଁ କିମ୍ବା ଓଡ଼ିଶାର ଲୋକଙ୍କୁ ଭୋଟର କରାଯିବ ନାହିଁ ବୋଲି ଚୁକ୍ତି ସ୍ବାକ୍ଷର ହୋଇଥିଲା। କିନ୍ତୁ ଏହି ଚୁକ୍ତିକୁ ଆନ୍ଧ୍ର ଉଲ୍ଲଂଘନ କରିଛି ଏବଂ ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରକ୍ରିୟା ଜାରି ରଖିଛି । ଫଳରେ, ଚୁକ୍ତିର ଖିଲାପ କରିଥିବାରୁ ଆନ୍ଧ୍ର ସରକାରଙ୍କ ବିରୋଧରେ କୋର୍ଟରେ ମାମଲା ଲଢ଼ିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
from Kanak News
via <a href="https://ifttt.com/?