ପୁରୀ କଣାସ ସହନା ଗାଁରେ ବିବାହ ଭୋଜି ଖାଇ ଅସୁସ୍ଥଙ୍କ ସଂଖ୍ୟା ୫ଶହକୁ ବୃଦ୍ଧି : ଆକ୍ରାନ୍ତଙ୍କ ଭିତରେ ଅଛନ୍ତି ୩୦ ଶିଶୁ; ସଂଗ୍ରହ ହେଲା ଖାଦ୍ୟ ଓ ପାଣି ନମୁନା

କନକ ବ୍ୟୁରୋ : ପୁରୀ କଣାସ ପଂଚାୟତ ସହନା ଗାଁରେ ବିବାହ ଭୋଜି ଖାଇ ଅସୁସ୍ଥଙ୍କ ସଂଖ୍ୟା ୫ଶହକୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ଭିତରେ ୩୦ ଶିଶୁ ଅଛନ୍ତି । ଜଣେ ପରେ ଜଣେ ଅସୁସ୍ଥ ହୋଇପଡିବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ପହଂଚି ତଦନ୍ତ କରିଥିବାବେଳେ ପାଣି ଓ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି । ସହନା ଗାଁର ମାନଗୋବିନ୍ଦ ଜୟସିଂଙ୍କ ବଡପୁଅର ବିବାହ ହୋଇଥିଲା ଗତ ୨ ତାରିଖରେ । ଶୁକ୍ରବାର ରାତିରେ ଗାଁରେ ଭୋଜି ଦିଆଯାଇଥିବାବେଳେ ଖାଇଥିଲେ ପ୍ରାୟ ୨ ହଜାର ଲୋକ ।

ସାମ୍ବାଦିକ, ଶିକ୍ଷକ, ପୋଲିସ, ତହସିଲ ଓ ବ୍ଲକ କର୍ମଚାରୀ ବି ଭୋଜି ଖାଇଥିଲେ । ହେଲେ ବିଳମ୍ବିତ ରାତିରେ ଅଚାନକ ଛାଡାବାନ୍ତି ଆରମ୍ଭ ହୋଇଯାଇଥିଲା । ଧିରେଧିରେ ଆକ୍ରାନ୍ତଙ୍କ ସଂଖ୍ୟା ୪ଶହରେ ପହଂଚିଗଲା । କେଇ ଘଂଟା ଭିତରେ ଭର୍ତି ହୋଇଗଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଭୋଜି ଖାଇଥିବା ଲୋକେ ଅସୁସ୍ଥ ହୋଇପଡିଥିବା ଅନୁମାନ କରାଯାଉଛି । ଜିଲ୍ଲା ଚିକିତ୍ସାଳୟର ୩ଟି ରାପିଡ ରେସ୍ପନ୍ସ ଟିମ୍ ଗାଁରେ ପହଂଛି ଚିକିତ୍ସା କରିଛନ୍ତି । ହସ୍ପିଟାଲରେ ଆକ୍ରାନ୍ତଙ୍କ ସାଲାଇନ, ଇଂଜେକ୍ସନ ଏବଂ ଓଆରଏସ ଦିଆଯାଇଛି । ଗାଁରେ ଆଂଟିଡାଇରିଆଲ ଡ୍ରପ ଘରେଘରେ ବଂଟାଯିବା ପରେ ଏବେ ଲୋକେ ସୁସ୍ଥ ହେଉଛନ୍ତି ।

from Kanak News
via <a href="https://ifttt.com/?

ତୋଷାଳି ସରିଲା, ଚାଲିଛି ଆଦିବାସୀ ମେଳା : ଖଣ୍ଡଗିରି ମେଳାରେ ଯାତ୍ରା ହେଲେ ବ୍ୟାପିଯିବ କରୋନା ! ବିଏମ୍‌ସିର ଅଜବ ଯୁକ୍ତି, ହୋଇପାରୁନି ନିଷ୍ପତ୍ତି

କନକ ବ୍ୟୁରୋ :  ଫେବ୍ରୁଆରି ୩ ତାରିଖରେ ଭୁବନେଶ୍ବର-ପୁରୀ ବାଇପାସ୍‌ରେ ବିଏମ୍‌ସି ପକ୍ଷରୁ ଆୟୋଜିତ ଆଲୋକୀକରଣ ପ୍ରକଳ୍ପର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଏକାଠି ହେଲେ। ସାମାଜିକ ଦୂରତା ରଖିବା ଦୂରର କଥା ଅଧିକାଂଶ ଲୋକ ମାସ୍କ ପିନ୍ଧି ନ ଥିଲେ । ରାଜଧାନୀରେ ଏବେ ସବୁ ଫିଲ୍ମ ହଲ୍‌ରେ ଯେତିକି ସିଟ୍‌ ଅଛି ସେତିକି ଲୋକ ବସି ଫିଲ୍ମ ଦେଖୁଛନ୍ତି । ଗୋଟିଏ ସୋ’ରେ ପ୍ରାୟ ୩୦୦ରୁ ୪୦୦ ଲୋକ ଏକାଠି ବସୁଛନ୍ତି । ସେଣ୍ଟ୍ରାଲ ଏସି ବି ଚାଲୁଛି । ବିିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ହେଲେ ହଜାର ହଜାର ଲୋକ ଏକାଠି ହେଉଛନ୍ତି ।

ଯାହା ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଉଦ୍‌ଘାଟନ ଅବସରରେ ଦେଖିବାକୁ ମିଳିଥିଲା । ଏପରିକି କମ୍‌ ଜାଗାରେ ଏମିତି ଖୁନ୍ଦାଖୁନ୍ଦି ହୋଇ ଲୋକ ଛିଡ଼ା ହୋଇଥିଲେ ଯେ, ଭିଡ଼ରୁ ଜଣେ ବାହାରିବା କି ଭିଡ଼ରେ ପଶିବା ସମ୍ଭବ ନଥିଲା । ତୋଷାଳି ମେଳା ବି ସରିଗଲା, ଆଦିବାସୀ ମେଳା ଚାଲିଛି, ଜାତୀୟ ହସ୍ତତନ୍ତ ମେଳା ବି ଚାଲିଛି। ଏଭଳି ସ୍ଥିତିରେ କରୋନା ବ୍ୟାପିଲାନି । ଖଣ୍ଡଗିରି ମେଳାରେ ଯାତ୍ରା ହେଲେ କରୋନା ବ୍ୟାପିଯିବ। ବିଏମ୍‌ସିର ଏହି ଅଜବ ଯୁକ୍ତି ପାଇଁ ଏବେ ସୁଦ୍ଧା ଖଣ୍ଡଗିରି ମେଳାରେ ଯାତ୍ରା ହେବ କି ନାହିଁ, ଷ୍ଟଲ୍‌ ପଡ଼ିବ କି ନାହିଁ ତାହା ନିଷ୍ପତ୍ତି ହୋଇପାରୁନି।

ଖଣ୍ଡଗିରି କୁମ୍ଭ ମେଳାକୁ ଆଉ ମାତ୍ର ୧୨ଦିନ ରହିଲା । ଯାତ୍ରା କମିଟିଗୁଡ଼ିକ ସପ୍ତାହେ ହେଲା ଅନୁମତି ପାଇଁ ବିଏମ୍‌ସି ଅଫିସକୁ ଦଉଡ଼ୁଛନ୍ତି। ବିଏମ୍‌ସି ଅଧିକାରୀଙ୍କ ସହ ଆଲୋଚନା ସରିଲାଣି । କୋଭିଡ କଟକଣା ମାନିବା ସହିତ ବିଏମ୍‌ସି ଓ କମିସନରେଟ୍‌ ପୁଲିସର ଏସ୍‌ଓପି ମାନିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି । ତଥାପି ବି ବିଏମ୍‌ସି ଅଧିକାରୀ ଖେଳୁଛନ୍ତି । ଆଜି ଏ ମିଟିଂ ଅଛି, କାଲି ଉଦ୍‌ଘାଟନ ଅଛି, ଛୁଟି ପଡ଼ିଗଲା, କମିସନର ନାହାନ୍ତି ଏମିତି କହି କହି ଯାତ୍ରା କମିଟିକୁ ଭୁଆଁ ବୁଲାଇବାରେ ଲାଗିଛନ୍ତି । ବିଏମ୍‌ସିର ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା ଯାତ୍ରା କମିଟି ଜାଣିପାରୁନାହାନ୍ତି ।

ଏପଟେ ବିଏମ୍‌ସି କିଛି ନିଷ୍ପତ୍ତି ଜଣାଉ ନ ଥିବାରୁ ଯାତ୍ରା କମିଟିଗୁଡ଼ିକ ମଞ୍ଚ ପଡ଼ିବାକୁ ଥିବା ଅଞ୍ଚଳଗୁଡ଼ିକୁ ସଫା କରିବା ଆରମ୍ଭ କରିଦେଲେଣି । ଯାତ୍ରା ଦଳ ସହ ଯୋଗାଯୋଗରେ ଅଛନ୍ତି । ବିଏମ୍‌ସି ଅନୁମତି ଦେଲେ ଯାତ୍ରା ପଡ଼ିବ, ଷ୍ଟଲ୍‌ ପଡ଼ିବ। ଅନ୍ୟପକ୍ଷରେ ବିଏମ୍‌ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଏମ୍‌ସି ଖଣ୍ଡଗିରି ମେଳାରେ ଯାତ୍ରା କରିବାକୁ ଚାହୁଁନି । ୨୦୦ ଷ୍ଟଲ୍‌ ପଡ଼ିଲେ କିଛି ଅସୁବିଧା ନାହିଁ। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହେଉ । ରାଜଧାନୀରେ ସବୁ ମେଳା ହେଉଥି‌େଲ ହେଁ ଖଣ୍ଡଗିରି ମେଳା କାହିଁକି କରାଯାଉନି ତାହା ଉପରିସ୍ଥ ଅଧିକାରୀ କହିପାରିବେ । ଖୁବ୍‌ ଶୀଘ୍ର ବିଏମ୍‌ସି କମିସନର ସରକାରଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

ତିନିଟି ଯାତ୍ରା କମିଟି ଯାତ୍ରା କରିବା ପାଇଁ ହାଇକୋର୍ଟରୁ ଅନୁମତି ଆଣିଛନ୍ତି, ବିଏମ୍‌ସିର ଏସ୍‌ଓପି ମାନିବାକୁ ରାଜି ଅଛନ୍ତି ଏଥିରେ ବିଏମ୍‌ସି କେଁ ପୂରାଇବାର କାରଣ ଜଣାପଡ଼ୁନି । କରୋନା ପାଇଁ ବହୁ ଲୋକ ରୋଜଗାରଶୂନ୍ୟ ହୋଇଯାଇଥିବାବେଳେ ସେମାନଙ୍କୁ ପୂର୍ବା‌ବସ୍ଥାକୁ ଫେରାଇ ଆଣିବା ପାଇଁ ଖଣ୍ଡଗିରି ମେଳା ଏକ ମାଧ୍ୟମ ହୋଇପାରିବ । ଯାତ୍ରା କଳାକାରଙ୍କୁ ମଞ୍ଚ ମିଳିଲେ ସେମାନେ ବି ରୋଜଗାରକ୍ଷମ ହୁଅନ୍ତେ। ହେଲେ ସବୁଥିରେ ଏବେ ବିଏମ୍‌ସି କଣ୍ଟା ସାଜିଛି ।

from Kanak News
via <a href="https://ifttt.com/?

‘ପଦ୍ମ’ରେ ପରିବାରବାଦ ମନା ! ମୋଦିଙ୍କ ଝିଆରୀଙ୍କୁ ନିର୍ବାଚନ ଲଢିବାକୁ ଟିକେଟ୍ ଦେଲାନି ବିଜେପି

ନା ପରିବାରବାଦ ରାଜନୀତିକୁ ସମର୍ଥନ କରିବେ ନା ପରିବାରକୁ ଗୁରୁତ୍ୱର କେହି ଆରୋପ ଲଗାଇବେ | ବୋଧେ ଏଥିପାଇଁ ଗୁଜୁରାଟ ବିଜେପି ଏବେ ଏମିତି ଏକ ପଦକ୍ଷେପ ନେଇଛି, ଯାହାକି ଚର୍ଚ୍ଚାର ଖୋରାକ ଯୋଗାଇଛି | ପ୍ରକୃତରେ ଗୁଜୁରାଟର ଅହମ୍ମଦାବାଦରେ ହେବାକୁ ଥିବା ନଗର ନିଗମ ନିର୍ବାଚନ ପାଇଁ ଆଶାୟୀ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝିଆରୀ ତଥା ସାନ ଭାଇ ପ୍ରହ୍ଲାଦ ମୋଦୀଙ୍କ ଝିଅ ସୋନାଲ ମୋଦୀ |

ସୋନାଲ ଅହମ୍ମଦାବାଦ ନଗର ନିଗମ ନିର୍ବାଚନରେ କାଉନସିଲର ଭାବେ ଛିଡା ହେବାକୁ ଆବେଦନ କରିଥିଲେ ବି ଦଳ ପକ୍ଷରୁ ଏହାକୁ ସ୍ୱୀକାର କରାଯାଇନାହିଁ | ଯେହେତୁ ସିଏ ମୋଦୀଙ୍କ ଝିଆରୀ ତାଙ୍କୁ ସେଥିପାଇଁ ଟିକଟ ଦିଆଯାଇନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି | ରାଜନୈତିକ ସମୀକ୍ଷକଙ୍କ କହିବା ମୁତାବକ ମୋଦୀଙ୍କ ଝିଆରୀକୁ ନିର୍ବାଚନ ଲଢିବାକୁ ଟିକେଟ ଦେଲେ କାଳେ ବିରୋଧୀ ମୋଦୀଙ୍କ ବିରୋଧରେ ପରିବାରବାଦର ଆରୋପ ଲଗାଇବେ ସେଥିପାଇଁ ଟିକେଟ ଦିଆଯାଇନାହିଁ |

ମୋଦୀ ଯେଭଳି ଅନ୍ୟ ବିରୋଧୀ ଦଳଙ୍କୁ ପରିବାରବାଦ ନେଇ ଟାର୍ଗେଟ କରୁଛନ୍ତି, କାଳେ ଟିକେଟ ଦେଲେ ବିରୋଧୀ ପାଲଟା ଆକ୍ରମଣ କରିବେ, ସେହି ଦୃଷ୍ଟିରୁ ଟିକେଟ ଦିଆଯାଇନାହିଁ | ପ୍ରହ୍ଲାଦ ମୋଦୀ, ନରେନ୍ଦ୍ର ମୋଦୀଙ୍କ ସାନ ଭାଇ ହୋଇଥିବାବେଳେ ତାଙ୍କ ଝିଅ ସୋନାଲ ମୋଦୀ(୩୮) ପୂର୍ବରୁ ବିଜେପିର ଜଣେ କର୍ମୀ ଥିଲେ | ବିବାହ ପରେ କିଛି ବର୍ଷ ପାଇଁ ରାଜନୀତିରୁ ସନ୍ୟାସ ନେବା ପରେ ଅହମ୍ମଦାବାଦ ନଗରପାଳିକା ନିର୍ବାଚନ ପାଇଁ ବୋଡାକଦେବ ୱାର୍ଡରୁ କାଉନସିଲର ପ୍ରାର୍ଥୀ ପାଇଁ ଆବେଦନ କରିଥିଲେ | ଏହି ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବାବେଳେ ତାଙ୍କୁ ଟିକଟ ଦିଆଯାଇନାହିଁ

from Kanak News
via <a href="https://ifttt.com/?

ଆଜି ହେଉଛି ଗୋଲାପ ଦିବସ ! ହଳଦିଆ, କମଳା ,ଧଳା ରଙ୍ଗର ଗୋଲାପ ଭିତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଲାଲ୍ ଗୋଲାପ

କନକ ବ୍ୟୁରୋ : ଭାଲେଣ୍ଟାଇନ୍ ଦିବସର ପ୍ରଥମ ପର୍ବ ଆଜିଠୁ ଆରମ୍ଭ ହୋଇଛି । ଆଜିର ଦିନଟିକୁ “ରୋଜ-ଡେ’ ଭାବରେ ସବୁ ପ୍ରେମିକ ପ୍ରେମିକା ପାଳନ କରିଥାନ୍ତି । ଆଜିଠାରୁ ଆରମ୍ଭ ହୋଇ ସପ୍ତାହ ବ୍ୟାପି ଚାଲିବାକୁ ଥିବା ଏହି ଦିବସ ଗୁଡିକୁ ସମସ୍ତେ ସ୍ମରଣୀୟ କରିବାକୁ ଚାହିଁଥାନ୍ତି । କିନ୍ତୁ ଆଉ ଗୋଟିଏ କଥା ଉପରେବି ଧ୍ୟାନ ଦେବା ଉଚିତ୍ ଯେ,ଏହିଦିନ କେବଳ ଆପଣ ଆପଣଙ୍କର ପୁରୁଷବନ୍ଧୁ କିମ୍ବା ମହିଳାବବନ୍ଧୁଙ୍କୁ ଗୋଲାପ ଦେଇପାରିବେ ତା’ନୁହଁ, କାରଣ ଗୋଲାପ ଫୁଲକୁ ସମସ୍ତେ କିଛି କିଛି ଖାସ୍ ଦିନରେ ବ୍ୟବହାର କରିଥାନ୍ତି । ଗୋଲାପ ଫୁଲର ସମସ୍ତ ରଙ୍ଗର କିଛି ଅଲଗା ମହତ୍ୱ ରହିଛି । ଆସନ୍ତୁ ଜାଣିବା ଗୋଲାପ ଫୁଲର ପ୍ରତ୍ୟେକ ରଙ୍ଗର କି ମହତ୍ୱ ରହିଛି ।

ଲାଲ ଗୋଲାପ –

ଲାଲ ରଙ୍ଗର ଗୋଲାପ ତ ସମସ୍ତଙ୍କ ପ୍ରିୟ । ପ୍ରେମର ପ୍ରତୀକ ହେଉଛି ଲାଲ୍ ଗୋଲାପ । ପ୍ରେମ ଦିବସ ଅବସରରେ ଯାହାର ଚାହିଦା ଏବଂ ଆବଶ୍ୟକତା ଅନ୍ୟ ରଙ୍ଗର ଫୁଲ ଠାରୁ ଅଧିକ ହୋଇଥାଏ ।

ଗୋଲାପୀ ରଙ୍ଗର ଗୋଲାପ –

ନିଜର ଖୁସି ସହ ନିଜ ସାଥି ପ୍ରତି ଥିବା ଭଲ ପାଇବା, କୃତଜ୍ଞ ଭାବନା ଓ ତାଙ୍କ ମହତ୍ତ୍ୱ ପାଇଁ ଗୋଲାପୀ ରଙ୍ଗର ଗୋଲାପ ଦିଆଯାଇଥାଏ।

ହଳଦିଆ ଗୋଲାପ –

ହଳଦିଆ ରଙ୍ଗର ଗୋଲାପ ଫୁଲକୁ ବନ୍ଧୁତ୍ୱର ପ୍ରତୀକ ଭାବରେ ବ୍ୟବହାର କରାଯାଏ । କୈାଣସି’ବି ଯାଗାରେ ଆମେ ଯଦି ବନ୍ଧୁତ୍ୱର ସମ୍ପର୍କକୁ ଆରମ୍ଭ କରିବାକୁ ଚାହିଁବା, ତେବେ ଆମେ ହଳଦିଆ ଗୋଲାପ ଦେଇ ଏଇ ସମ୍ପର୍କକୁ ଆରମ୍ଭ କରିବା ପୂର୍ବରୁ ମଜବୁତ କରିପାରିବା । ରୋଗରେ ପଡିଥିବା ଲୋକର ଆରୋଗ୍ୟ କାମନା କରିବା ପାଇଁ ମଧ୍ୟ ହଳଦିଆ ରଙ୍ଗର ଗୋଲାପ ଫୁଲ ଦିଆଯାଇଥାଏ ।

ଧଳା ଗୋଲାପ –

ଧଳା ରଙ୍ଗର ଗୋଲାପକୁ କୌଣସି ସମ୍ପର୍କର ଆରମ୍ଭ ବୋଲି ବିଚାର କରାଯାଇଥାଏ । ସରଳତା ଓ ଶୁଦ୍ଧତାର ପ୍ରତୀକ ଭାବରେ ଧଳା ଗୋଲାପକୁ ବ୍ୟବହାର କରାଯାଏ । ଏହାବ୍ୟତିତ ଆମେ ଯଦି କାହା ବିଷୟରେ ଭାବୁଥିବା ତାଙ୍କୁ ମଧ୍ୟ ଧଳା ଗୋଲାପ ଦେଇପାରିବା ।

from Kanak News
via <a href="https://ifttt.com/?

ଦାବି ପୂରଣ ନହେଲେ ଅକ୍ଟୋବର ୨ ଯାଏଁ ଜାରି ରହିବ ଆନ୍ଦୋଳନ । ଚାଷୀ ନେତାଙ୍କ ଚେତାବନୀ

କେନ୍ଦ୍ର ସରକାର ପ୍ରଣୟନ କରିଥିବା ତିନିଟି ଯାକ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିନେବା ପାଇଁ ଆନ୍ଦୋଳନରତ ଚାଷୀମାନେ ଅକ୍ଟୋବର ୨ ଯାଏ ସମୟ ଦେଇଛନ୍ତି। ଚାଷୀମାନଙ୍କ ଦାବି ପୂରଣ ନହେଲା ଯାଏ ଅନ୍ତତଃ ଆଗାମୀ ଅକ୍ଟୋବର ୨ ଯାଏ ସେମାନଙ୍କ ଆନ୍ଦୋଳନ ଏପରି ଜାରି ରହିବ ବୋଲି ଭାରତୀୟ କିଷାନ ୟୁନିଅନ୍‌(ବିକେୟୁ) ନେତା ରାକେଶ ଟିକାୟତ କହିଛନ୍ତି। ଅପରପକ୍ଷେ, ଚାପରେ ରହି ଚାଷୀ ନେତାମାନେ ସରକାରଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିପାରୁନାହାନ୍ତି। ତେବେ ଏହି ସମୟ ସୀମା ଭିତରେ ଚାଷୀମାନଙ୍କ ଦାବି ପୂରଣ ନହେଲେ ସେମାନେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସେତେବେଳେ ସ୍ଥିର କରିବେ ବୋଲି ସେ କହିଛନ୍ତି।

ଆଜି ଦେଶବ୍ୟାପୀ ଚକାଜାମ୍‌ ଆନ୍ଦୋଳନ ବେଳେ କିଛି ଲୋକ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ହିଂସାକାଣ୍ଡ ରଚାଇବା ପାଇଁ ସୂଚନା ପାଇ ସେଠାରେ ଏହି ଆନ୍ଦୋଳନ ନ କରିବା ପାଇଁ ଟିକାୟତ ଆହ୍ବାନ ଦେଇଥିଲେ। ତେବେ ଏହି ଦୁଇ ରାଜ୍ୟର ଚାଷୀଙ୍କୁ ଯେ କୌଣସି ସମୟରେ ଦିଲ୍ଲୀରେ ସମବେତ ହେବା ପାଇଁ କୁହାଯିବ ବୋଲି ସେ କହିଛନ୍ତି। ଚାଷୀମାନଙ୍କ ସହ ଆଲୋଚନା ପାଇଁ ସରକାର ତତ୍ପର ଏବଂ ଗୋଟିଏ ଫୋନ୍‌ ଦୂରରେ ହିଁ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ବୟାନକୁ ନେଇ ଆଜି ଟକାୟତ ପ୍ରଶ୍ନ ଉଠାଇଛନ୍ତି। କେଉଁ ଫୋନ୍‌ ନମ୍ବରରେ ଆମେ ଫୋନ୍‌ କରିବୁ ବୋଲି ସେ ପ୍ରଶ୍ନ କରିଛନ୍ତି।

from Kanak News
via <a href="https://ifttt.com/?

ଆସନ୍ତାକାଲିଠୁ ପୁଣି ବଢ଼ିବ ଥଣ୍ଡା : ୪ଡିଗ୍ରୀ ଖସିବ ପାରଦ; ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଆସନ୍ତା ୮ ତାରିଖରୁ ରାଜ୍ୟ‌ରେ ପୁଣି ଥଣ୍ଡା ବଢ଼ିବ। ପାରଦ ପାଖାପାଖି ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ସହ ଶୀତ ଲହରି ପ୍ରଭାବିତ ହେବ। ୧୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏପରି ସ୍ଥିତି ଲାଗି ରହିବ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏପରି ଆକଳନ କରିବା ସହ ଏହି ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ରାତିରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛି। କେନ୍ଦ୍ରର ସୂଚନା ଅନୁଯାୟୀ, ଦୁଇ ଦିନ ହେଲା ରାଜ୍ୟକୁ ପଶ୍ଚିମା ପବନ ପ୍ରବାହିତ ହେଉଥିବାରୁ ଶୀତ ପ୍ରକୋପ ଅପେକ୍ଷାକୃତ କମ୍‌ ରହିଥିଲା। ରାଜ୍ୟର ସମସ୍ତ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରା ଏହିଭଳି ରହିବ । ତେବେ ୮ ତାରିଖ ବେଳକୁ ସ୍ଥିତି ପରିବର୍ତ୍ତନ ହୋଇଯିବ। ରାଜ୍ୟରୁ ପଶ୍ଚିମା‌ ପବନ ଅପସାରିତ ହୋଇଯିବା ସହ ଉତ୍ତରା ଥଣ୍ଡା ଓ ଶୁଷ୍କ ପବନ ବିନା ବାଧା‌ରେ ପ୍ରବାହିତ ହେବ। ଏଥିଯୋଗୁଁ ଶୀତ ପ୍ରକୋପ ବଢ଼ିବ। ପ୍ରାୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ରାଜ୍ୟର ପାରଦ ନିମ୍ନଗାମୀ ହେବ । କେନ୍ଦ୍ର କହିଛି, ବିଶେ‌ଷକରି ୮ ତାରିଖରୁ ଆଭ୍ୟନ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଶୀତ ଲହରି ପ୍ରବାହ ଯୋଗୁଁ ଶୀତର ପ୍ରକୋପ ବଢ଼ିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଓ ଦେବଗଡ଼ ଆଦି ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବ ।

ସେହିପରି ୯ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ଼, ସମ୍ବଲପୁର, ବରଗଡ଼, ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର, ବାଲେଶ୍ବର, ଭଦ୍ରକ ଓ ସୋନପୁରରେ ଅତ୍ୟଧିକ ଶୀତ ଲହରି ପ୍ରବାହ ଯୋଗୁଁ ଶୀତ ବଢ଼ିବ । ଏନେଇ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୦ ତାରିଖ ଆଡ଼କୁ ଶୀତ ଲହରି ଅପେକ୍ଷାକୃତ କମ୍‌ ଅଞ୍ଚଳରେ ପ୍ରବାହିତ ହେବ। ଉକ୍ତ ଜିଲ୍ଲାଗୁଡ଼ିକ ହେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ବଲାଙ୍ଗୀର ।

ଅପରପକ୍ଷେ ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୭.୦ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ଘଟିଛି। ତଥାପି ଫେବ୍ରୁଆରି ମାସର ସ୍ବାଭାବିକ ସର୍ବନିମ୍ନ ତାପମାତ୍ରା ଅନୁସାରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମ୍‌ ରହିଛି । ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ‌ରେକର୍ଡ ହୋଇଛି । ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି କିଛି କିଛି ସ୍ଥାନରେ ଦେଖିବାକୁ ମିଳିଛି । ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ହିଁ ରହିବ । ଆସନ୍ତା ୨୪ଘଣ୍ଟାରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଖୋର୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବୌଦ୍ଧ, ଅନୁଗୁଳ ଓ ଢେଙ୍କାନାଳ ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି ।

from Kanak News
via <a href="https://ifttt.com/?

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ କେବେ ହଟିବ ପରଦା ? ହତ୍ୟାର କାରଣ ପାଖରେ ଅଟକିଛି ପୁଲିସ

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ରହସ୍ୟ ଉପରୁ କେବେ ହଟିବ ପରଦା ? ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ମୁଖ୍ୟ ଅଭିଯୁକ୍ତ ରାକେଶ ତାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ପୋଲିସ ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ଏପରିକି ଜଣେ ପେଶାଦାର ଅପରାଧୀ ଭଳି ତଥ୍ୟା, ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲା ରାକେଶ ।

– ଭୁବନଶ୍ୱରରୁ ନେଇ ଝରାଫୁଲଙ୍କ ମୃତଦେହକୁ ଯାଜପୁର କୁଆଖିଆରେ ଫିଙ୍ଗିବା
– ସ୍କୁଟରରୁ ନମ୍ବର ପ୍ଲେଟକୁ କାଢି ଲୁଚାଇ ରଖିବା
– ଏପରିକି ନିଜେ ପିନ୍ଧିଥିବା ପ୍ୟାଂଟ, ସାର୍ଟକୁ ଲୁଚାଇ ରଖିବା
– ଝରାଫୁଲଙ୍କ ମୋବାଇଲ ଫୋନକୁ ଫିଙ୍ଗିଦେବା

ଏଭଳି ଘଟଣାରୁ ରାକେଶ ଅପରାଧ କରି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିବା ସ୍ପଷ୍ଟ ହେଉଛି । ହେଲେ ନିଜ ପ୍ରେମିକାଙ୍କୁ କାହିଁକି ହତ୍ୟାକଲା ରାକେଶ, ଏହି ପ୍ରଶ୍ନ ପାଖରେ ଅଟକି ଯାଇଛି ପୋଲିସ । ତାକୁ ରିମାଣ୍ଡରେ ଆଣି ପଚରା ଉଚରା ବେଳେ ମନଗଢା କାହାଣୀ କହି ନିଜକୁ ନିର୍ଦ୍ଦୋଶ ପ୍ରମାଣ କରିବାକୁ ଚେଷ୍ଟା କରିଥିଲା ରାକେଶ । ତେଣୁ ହତ୍ୟାର କାରଣ ପାଖରେ ପହଂଚି ପାରୁନାହିଁ କୁଆଖିଆ ପୋଲିସ । ତେବେ ମିଳିଥିବା ସୂଚନା ଅନୁସାରେ ୩ଟି ଥିଓରୀକୁ ନେଇ ଆଗକୁ ବଢୁଛି ପୋଲିସ ।

– ଝରାଫୁଲଙ୍କ ତରଫରୁ ବିବାହ ପାଇଁ ରାକେଶ ଉପରେ ଚାପ ପଡୁଥିଲା କି ?
– ଅନ୍ୟ କାହାସହ ଶାରୀରିକ ସଂପର୍କ ରଖିବାକୁ ଝରାଫୁଲଙ୍କୁ ରାକେଶ ବାଧ୍ୟ କରୁଥିଲା କି ?
– ରାକେଶ ଅନ୍ୟ କୌଣସି ଯୁବତୀଙ୍କ ସହ ସଂପର୍କ ରଖି ଝରାଫୁଲଙ୍କୁ ଧୋକା ଦେଉଥିଲା କି ?

ରାକେଶ ରଙ୍ଗିଲା ମିଜାଜର ହୋଇଥିବାରୁ ତୃତୀୟ ଥିଓରୀଟି ଉପରେ ପୋଲିସ ଅଧିକ ଗୁରୁତ୍ୱ ଦେଉଛି । ଧର୍ମବିହାର ଶିବସାଇ ଗେଷ୍ଟ ହାଉସରେ ଏମିତି କଣ ହେଲା ଯେ, ଦୁହିଁଙ୍କ ଭିତରେ ଝଗଡା ହେଲା ଓ ରାକେଶ ତାର ପ୍ରେମିକାଙ୍କୁ ହତ୍ୟା କରିବାକୁ ପଛାଇଲା ନାହିଁ. ଏହି ରହସ୍ୟ ପଛରେ ପଡିଛି କୁଆଖିଆ ପୋଲିସ । ସେଥିପାଇଁ ରାକେଶକୁ ପୁଣିଥରେ ପୋଲିସ ରିମାଣ୍ଡରେ ଆଣିପାରେ ବୋଲି ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

ମାର୍ଚ୍ଚରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ : ଏପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ୫୪ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଦିଆଗଲାଣି ଟିକା

କନକ ବ୍ୟୁରୋ : ମାର୍ଚ୍ଚରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ । ସାରା ଦେଶରେ ଏବେ କରୋନା ଟିକାକରଣ ଜୋରସୋରରେ ଆଗେଇ ଚାଲିଛି । ଆମ ରାଜ୍ୟରେ ଗତକାଲିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାଦାନ ଅର୍ଥାତ ଆଗଧାଡିର କରୋନା ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ ହୋଇଛି । ତେବେ ମାର୍ଚ୍ଚ ମାସର ଯେକୌଣସି ସପ୍ତାହରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବା ନେଇ ସଂସଦରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ।

ଏହି ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ସାଧାରଣ ନାଗରିକଙ୍କୁ ଟିକା ଦିଆଯିବ । ଏହାଛଡା ୫୦ ବର୍ଷରୁ କମ୍ ବୟସର ବ୍ୟକ୍ତି ଯଦି ଏକାଧିକ ରୋଗରେ ପୀଡିତ ଥିବେ ତେବେ ତାଙ୍କୁ ମଧ୍ୟ ଏହି ପର୍ଯ୍ୟାୟରେ ଅଗ୍ରାଧିକାର ଭିତିରେ ଟିକା ଦିଆଯିବ । ସେହିପରି ପ୍ରଥମ ପର୍ଯ୍ୟାୟ ଟିକା ନେଇଥିବା ବ୍ୟକ୍ତିଙ୍କୁ ଆଗାମୀ ୧୩ ତାରିଖରୁ ଦ୍ୱିତୀୟ ଡୋଜ୍ ଟିକା ଦେବା ଆରମ୍ଭ ହେବ । ଦେଶରେ ଗତ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ମେଗା ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ୫୪ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇ ସାରିଲାଣି । ଏଥିସହ ଦେଶରେ ଏବେ ଆହୁରି ୭ଟି ଟିକା ଉପରେ କାମ ଚାଲିଛି । ୩ଟି ଟିକାର ପରୀକ୍ଷା ମଧ୍ୟ ଆରମ୍ଭ ହୋଇଯାଇଛି ବୋଲି ସୂଚନା ଦେଇଛନ୍ତି ଡକ୍ଟର ହର୍ଷବର୍ଦ୍ଧନ ।

from Kanak News
via <a href="https://ifttt.com/?

ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଝାରପଡା ଜେଲକୁ ଆଣିବ ପୋଲିସ : ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ବ୍ରହ୍ମପୁର ଏମକେସିଜିରେ ହେଲା ସ୍ୱାସ୍ଥ୍ୟ ପରୀକ୍ଷା

କନକ ବ୍ୟୁରୋ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଝାରପଡା ଜେଲ ଅଣାଯିବ । ବ୍ରହ୍ମପୁର ଜେଲରୁ ସ୍ୱତନ୍ତ୍ର ଏସକର୍ଟରେ ତାଙ୍କୁ ଭୁବନେଶ୍ୱର ଝାରପଡା ଜେଲକୁ ଆଣିବ ପୋଲିସ । ପ୍ରଦୀପ ଗୋଟିଏ ଗାଡିରେ ଯିବେ ଏବଂ ତାଙ୍କ ସହ ପୋଲିସ ଅଧିକାରୀ ରହିବେ । ଏଥିସହ ସୁରକ୍ଷା ଦୃଷ୍ଟିରୁ ପୋଲିସ ଏସକର୍ଟ ପାର୍ଟି ଆଉଏକ ଗାଡିରେ ତାଙ୍କ ସହ ଯିବେ ବୋଲି ଜଣାପଡିଛି । ଟାଟା ମୋଟର୍ସରେ ଚାକିରି ନାଁରେ ଟଙ୍କା ଠକେଇ ନେଇ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ୩ଟି ମାମଲାରେ ତାଙ୍କୁ ଝାରପଡାରୁ ଆଣି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ରିମାଣ୍ଡ ଦିଆଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ୩ଦିନ ବ୍ରହ୍ମପୁର ଜେଲରେ ରଖାଯିବା ପରେ ପୁଣି ଝାରପଡା ପଠାଇ ଦିଆଯିବ ।

ଟାଟା ମୋଟର୍ସ ନିଯୁକ୍ତି ଠକେଇ ମାମଲାରେ ଜେଲରେ ଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଗତକାଲି ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାବେଳେ ଶରୀର ପୀଡା ସହ ଅଂଟା ବ୍ୟଥା ହେଉଥିବା ଦର୍ଶାଇ ଚିକିତ୍ସା ଯୋଗାଇ ଦେବାକୁ ଆବେଦନ କରିଥିଲେ ତାଙ୍କ ଓକିଲ । ଏମକେସିଜି ମେଡିସିନ ଓ ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସା ପରେ ତାଙ୍କୁ ୭ ଦିନ ପାଇଁ ମେଡିସିନ ଦିଆଯାଇଛି ।

ଅନ୍ୟଏକ ଘଟଣାକ୍ରମରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଟାଟା କମ୍ପାନିରେ ଚାକିରି କରାଇଦେବା ନାଁରେ ଆକାଶ ପାଠକ ଓ ଅନ୍ୟକିଛି ବ୍ୟକ୍ତି ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ । ଯାହାକୁ ନେଇ ଟାଟା କମ୍ପାନି ପକ୍ଷରୁ କଟକ ସାଇବର ସେଲରେ ଏକ ମାମଲା କରାଯାଇଥିଲା । ଏହି ମାମଲାରେ ସମ୍ଭାବ୍ୟ ଗିରଫଦାରିକୁ ଏଡାଇବା ପାଇଁ ଦିଲ୍ଲୀପ ଆଗୁଆ ଜାମିନ ଆବେଦନ କରିଥିଲେ ।

from Kanak News
via <a href="https://ifttt.com/?

ଖୁବଶୀଘ୍ର ଶିଶୁଙ୍କ ଦେହରେ ହେବ କରୋନା ଟିକା ପରୀକ୍ଷା : ମହାରାଷ୍ଟ୍ର ନାଗପୁରର ଏକ ହସ୍ପିଟାଲରେ କ୍ଲିନିକାଲ ଟ୍ରାଏଲ ପାଇଁ ପ୍ରସ୍ତୁତ ଭାରତ ବାୟୋଟେକ

କନକ ବ୍ୟୁରୋ : କରୋନା କାଳରେ ଶିଶୁଙ୍କୁ ସ୍କୁଲ ପଠାଇବା ନେଇ ଆଶଙ୍କାରେ ଥିବା ଅଭିଭାବକଙ୍କ ପାଇଁ ଆସିଛି ବଡ ଖବର । ଆମ ଦେଶରେ ଖୁବଶୀଘ୍ର ଶିଶୁଙ୍କଠାରେ କରୋନା ଟିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରର ନାଗପୁରରେ ଏହି ପରୀକ୍ଷଣ ଆରମ୍ଭ ହେବ । ଜାତୀୟ ଗଣମାଧ୍ୟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଫେବ୍ରୁଆରୀ ଶେଷ କିମ୍ବା ମାର୍ଚ୍ଚ ଆରମ୍ଭରୁ ଏହି ପରୀକ୍ଷଣ ଆରମ୍ଭ ହୋଇଯିବ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ଟିକା କୋଭାକ୍ସିନର ପରୀକ୍ଷଣ ୧୮ ବର୍ଷରୁ କମ୍ ବୟସ୍କଙ୍କ ଉପରେ କରାଯିବ ।

ସରକାରଙ୍କଠାରୁ ଆବଶ୍ୟକ ଅନୁମତି ମିଳିଲେ ୨ରୁ ୧୮ ବର୍ଷ ବୟସ୍କଙ୍କୁ ଏହି କ୍ଲିନିକାଲ ଟ୍ରାଏଲରେ ସାମିଲ କରାଯିବ । ବିଶ୍ୱରେ ଏଭଳି ପରୀକ୍ଷଣ ପ୍ରଥମ ହେବ । ଏଥିପାଇଁ ନାଗପୁରର ଏକ ହସ୍ପିଟାଲକୁ ମଧ୍ୟ ଚୟନ କରାଯାଇଛି । ହସ୍ପିଟାଲ କର୍ତୃପକ୍ଷଙ୍କ କହିବା ହେଲା ୩ଟି ଶ୍ରେଣୀରେ ଶିଶୁମାନଙ୍କ ଟିକା ପରୀକ୍ଷା ହେବ । ୨ରୁ ୫ବର୍ଷ, ୫ରୁ ୧୨ ବର୍ଷ ଏବଂ ୧୨ରୁ ୧୮ବର୍ଷ ଏହିଭଳି ୩ଟି ବର୍ଗରେ ଶିଶୁ ଓ କିଶୋରମାନଙ୍କୁ ଭାଗକରି ଟିକା ପରୀକ୍ଷଣ କରାଯିବ । ଚଳିତବର୍ଷ ଆରମ୍ଭରୁ ଭାରତ ବାୟୋଟେକର ନିର୍ଦ୍ଦେଶକ କ୍ରିଷ୍ଣା ଇଲା କହିଥିଲେ ଯେ, ଶିଶୁଙ୍କ ପାଇଁ ଏକ ସୁରକ୍ଷିତ ଟିକା ବିକାଶ କରିବାକୁ ୩ରୁ ୪ ମାସ ସମୟ ଲାଗିବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started