ସରକାରୀ ଯୋଜନାରୁ ବହୁ ଦୂରରେ ଗାଈଆଳ ନନ୍ଦଲାଲ । ଗୁହାଳଠୁ ହୀନ ଘରେ ବିତୁଛି ଜୀବନ

କନକ ବ୍ୟୁରୋ: ଗରିବ ହିତାଧିକାରୀଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ସବୁ ଯୋଜନାକୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚାଇବା ପାଇଁ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ଯାଏଁ ସମସ୍ତେ ତତ୍ପର । ହେଲେ ଏବେ ବି ଅନେକ ହିତାଧିକାରୀ ଅଛନ୍ତି, ଯେଉଁମାନଙ୍କ ସମସ୍ୟା ଆଖିକୁ ଜଳଜଳ ହୋଇ ଦେଖାଯାଉଛି, କିନ୍ତୁ ସେମାନଙ୍କ ପାଖର ପହଂଚି ପାରୁନାହିଁ ସରକାରୀ ଯୋଜନା । ସେମିତି ଜଣେ ଅସହାୟ ହିତାଧିକାରୀ କୁଚିଣ୍ଡା ଗୋଛରା ପଂଚାୟତର ଗାଇଆଳ ନନ୍ଦଲାଲ ମହାନନ୍ଦିଆ ।

ଗୁହାଳଠୁ ହୀନ ଘର
ଭଙ୍ଗା କୁଡି଼ଆରେ ଯନ୍ତ୍ରଣା ଜର୍ଜରିତ ଜୀବନ

ଏ ଦୁଃଖ ଜଣେ ଗାଇ ଜଗୁଆଳିଙ୍କର । ଭଙ୍ଗା ଦଦରା ଘର । ସ୍ତ୍ରୀ ଓ ଦିବ୍ୟାଙ୍ଗ ଝିଅ ସହ ରୁହନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଗୋଛରା ପଂଚାୟତ ହରିଜନ ପଡାର ନନ୍ଦଲାଲ ମହାନନ୍ଦିଆ । ଗାଁରେ ଗାଈ ଚରାଇ ଯାହା ଆଣନ୍ତି ସେଥିରେ ପରିବାର ଚଳେ । କିନ୍ତୁ, ସରକାରଙ୍କ ତାଲିକାରେ ନନ୍ଦଲାଲ ଗରିବ ନୁହନ୍ତି, କିମ୍ବା ସରକାରୀ ଯୋଜନାର ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ ନୁହଁନ୍ତି ।

୫ ବର୍ଷ ହେବ ସରକାରୀ ଯୋଜନାରେ ଘରଟିଏ ଓ ଦିବ୍ୟାଙ୍ଗ ଝିଅର ଭତା ପାଇଁ ଗୁହାରି କରି ଆସୁଛନ୍ତି ନନ୍ଦଲାଲ । ହେଲେ ତାଙ୍କ ଗରିବୀପଣକୁ ଦେଖି ପାରୁନାହାନ୍ତି, ସ୍ଥାନୀୟ ସରପଂଚ, ସମିତି ସଭ୍ୟ କି ଗାଁ ସାଥୀ । ଗାଇ ଗୁହାଳ ଠାରୁ ହୀନ ଘରକୁ ଦେଖିଲେ ମନରେ ଅନେକ ପ୍ରଶ୍ନ ଉଠେ । ଜଣେ ଗାଈ ଚରାଳି କଣ ଗରିବ ନୁହେଁ କି? ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ସେ ହକଦାର ନୁହେଁ କି ? ଦୟନୀୟ ସ୍ଥିତିରେ ଥିବା ନନ୍ଦଲାଲଙ୍କ ଉପରେ ସ୍ଥାନୀୟ ଜନପ୍ରତିନିଧିଙ୍କ ନଜର ପଡିନାହିଁ କେମିତି? ନାଁ ସିଏ ହାତଗୁଞା ଦେଇପାରିନାହାଁନ୍ତି ବୋଲି, ଏଯାଏଁ ଘର କି ଝିଅ ପାଇଁ ଭତାଟିଏ ପାଇ ପାରିନାହାଁନ୍ତି । ଯାହାପରେ ନନ୍ଦଲାଲଙ୍କ ଭଳି ପ୍ରକୃତ ହିତାଧିକାରୀଙ୍କୁ ଚୟନ କରି ସରକାରୀ ଯୋଜନାରେ ସାମିଲ କରିବାକୁ ଦାବି ହୋଇଛି ।

from Kanak News
via <a href="https://ifttt.com/?

ନଦୀବନ୍ଧ ମରାମତି କାମରେ ଦୁର୍ନୀତି । ପୁରୀ ଜିଲ୍ଲା ନିମାପଡାରୁ ଆସିଲା ଅଭିଯୋଗ

କନକ ବ୍ୟୁରୋ: ନଦୀବନ୍ଧ ମରାମତିରେ ଦୁର୍ନୀତି । କୁଶଭଦ୍ରା ନଦୀବନ୍ଧରେ ମୋରମ୍ ଛିଞ୍ଚି କୋଟି କୋଟି ଟଙ୍କା ହରିଲୁଟ ହୋଇଛି । ପୁରୀ ଜିଲ୍ଲା ନିମାପଡାରୁ ନାହପୁର ଯାଏଁ ନଦୀବନ୍ଧ ମରାମତି କାମ ଅତି ନିମ୍ନମାନର କରି ସରକାରୀ ଟଙ୍କା ଚଳୁ କରିଥିବା ଅଭିଯୋଗ କରିଛନ୍ତି ନଦୀକୂଳିଆ ବାସିନ୍ଦା । ନିୟମ ମୁତାବକ ନଦୀବନ୍ଧରେ ୮ ଇଂଚର ମୋରମ ପଡିବା କଥା, ହେଲେ ଏଠାରେ ଇଂଚେ ଦୁଇ ଇଂଚି ମୋରମ ପକାଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା କଥା, ନଦୀବନ୍ଧ ମରାମତି ଚାଲୁଥିବା ବେଳେ ଜଳସଂପଦ ବିଭାଗର ଅଧିକାରୀ ଆସୁନଥିବାରୁ ଠିକାଦାର ମନ ଇଛା କାମ କରୁଛନ୍ତି ।

ନିମ୍ନମାନର ରାସ୍ତା କାମକୁ ନେଇ ସ୍ଥାନୀୟ ଲୋକେ ନିମାପଡା ଜଳସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀ. ଗୋପ ଜଳସଂପଦ ବିଭାଗର ସହକାରୀ ଯନ୍ତ୍ରୀ ସଂଗ୍ରାମ କେଶରୀ ମହାନ୍ତିଙ୍କୁ ଅବଗତ କରାଇଛନ୍ତି । ହେଲେ ସେମାନେ ଏହାକୁ ଗୁରୁତର ସହ ନେଉନଥିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ଲୋକେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ କୁଶଭଦ୍ରା ନଦୀବନ୍ଧ ମରାମତି ଘଟଣାରେ ହୋଇଥିବା ଘୋଟାଲା ସଂପର୍କରେ ବିଭାଗୀୟ ଅଧିକାରୀ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାକୁ ରାଜି ହେଉନାହାନ୍ତି ।

from Kanak News
via <a href="https://ifttt.com/?

ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକରୁ ଆସିଲା ଅଭାବନୀୟ ଦୃଶ୍ୟ । ରାସ୍ତା ନିର୍ମାଣ ହୋଇଛି ଯେ ସରିବାର ନାଁ ନେଉନି । ଗ୍ରାମବାସୀ ହନ୍ତସନ୍ତ

କନକ ବ୍ୟୁରୋ: ପଦ୍ମଶ୍ରୀ ଡ.ଦିଲ୍ଲୀପ ତିର୍କୀ, ସୁଭଦ୍ରା ପ୍ରଧାନ, ଦୀପସାନ ତିର୍କୀ ଏବଂ ଅମିତ ରୋହିଦାସଙ୍କ ଭଳି ହକି ତାରକାଙ୍କ ଗାଁ ସୁନ୍ଦରଗଡ ଜିଲ୍ଲାର ସଉନାମୁରା । ପିଡବ୍ଲ୍ୟୁଡି ମୁଖ୍ୟ ରାସ୍ତାରୁ ଏହି ତାରକାଙ୍କ ଗାଁକୁ ସଂଯୋଗ କରୁଥିବା ରାସ୍ତାର ଦୁରାବସ୍ଥା କହିଲେ ନସରେ । ବହୁ ଦିନ ପରେ ଗାଁକୁ ନୂଆ ରାସ୍ତା ତିଆରି କରାଗଲା । ହେଲେ ରାସ୍ତା ନିର୍ମାଣ ହୋଇଛି ଯେ, ସରିବାରୁ ନାଁ ଧରୁନି । ଅଧ ପଅନ୍ତରିଆ ରାସ୍ତାରେ ଏବେ ସଉନାମୁରା ବାସୀ ପାଇଁ ଅସୁବିଧାର କାରଣ ପାଲଟିଛି ।

ପ୍ରାୟ ଦେଢ ବର୍ଷେ ତଳୁ କାମର ଅବଧି ସରିଲାଣି ହେଲେ ରାସ୍ତାକାମ ସରୁନି । ସୁନ୍ଦରଗଡ ବାଲିଶଙ୍କରା ବ୍ଲକ ସଉନାମୁରା ପିଡବ୍ଲ୍ୟୁଡି ରାସ୍ତା ଠାରୁ ଟାଙ୍ଗରବାହାଲ ପର୍ଯ୍ୟନ୍ତ ୨ କିଲୋମିଟର ୮୫ ମିଟର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକର ଦୃଶ୍ୟ କହିଲେନସରେ । ୨୦୧୮ ମସିହା ୨୩ ତାରିଖରୁ ଆରମ୍ଭ ହୋଇଥିବା ରାସ୍ତା କାମ ୨୦୧୯ ମାର୍ଚ ୨୨ ତାରିଖ ସୁଦ୍ଧା ସାରିବା ପାଇଁ ନିର୍ଦେଶ ରହିଥିଲା । ହେଲେ ୨୦୨୦ ସରି ୨୦୨୧ ହେଲାଣି, ରାସ୍ତା ଏବେ ବି ଅଧାପଅନ୍ତରିଆ ହେଇ ପଡିରହିଛି । ଫଳରେ ରାସ୍ତା ଦେଇ ଯିବା ଆସିବା ମୁସ୍କିଲ ହୋଇପଡିଛି ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅର୍ନ୍ତଗତ ରାସ୍ତା, ଜାତୀୟ ସେତୁ ନିର୍ମାଣ ନିଗମ ପକ୍ଷରୁ ନିର୍ମାଣ କରାଯାଉଛି । ଝାଡଖଣ୍ଡର ସରୟୂଗ ଗୌତମ କନଷ୍ଟ୍ରକ୍ସନ ନାମକ ଠିକା ସଂସ୍ଥା ରାସ୍ତା କାମ ହାତକୁ ନେଇଛି । ୨.୮୫ କିଲୋମିଟର ଲମ୍ବ ରାସ୍ତା ପାଇଁ ୧ କୋଟି ୩୮ଲକ୍ଷ ୯୭ ହଜାର ଟଙ୍କା ବ୍ୟୟବରାଦ ହୋଇଛି । ରାସ୍ତା କାମ ୨୦୧୯ ମାର୍ଚ୍ଚ ୨୨ ତାରିଖ ସୁଦ୍ଧା ସାରିବା ପାଇଁ ନିର୍ଦ୍ଦେଶ ରହିଛି । ହେଲେ ଏଯାଏଁ ରାସ୍ତା ନିର୍ମାଣ ସରିନଥିବା ବେଳେ ଜିଲ୍ଲପାଳ କହିଛନ୍ତି ଚଳିତ ବର୍ଷ ମାର୍ଚ ସୁଦ୍ଧା କାମ ସାରିବା ପାଇଁ କେନ୍ଦ୍ର ସରକାର ଏବଂ ଗ୍ରାମ୍ୟ ଉନ୍ନୟନ ସଚିବଙ୍କ କଡା ନିର୍ଦେଶ ରହିଛି ।

from Kanak News
via <a href="https://ifttt.com/?

ରେଳ ବଜେଟରେ ଓଡିଶାକୁ ମିଳିଛି ୬୯୯୫.୫୮ କୋଟି । ଜାଣନ୍ତୁ କେଉଁ ପ୍ରକଳ୍ପକୁ ମିଳିଛି କେତେ ଟଙ୍କା?

କନକ ବ୍ୟୁରୋ: ଏଥର ରେଳ ବଜେଟରେ ଓଡିଶାକୁ ମିଳିଛି ୬୯୯୫. ୫୮ କୋଟି ଟଙ୍କା । ରାଜ୍ୟ ସରକାର ଏନେଇ ପୂର୍ବରୁ ୭୨୦୦ କୋଟି ଟଙ୍କା ଦାବି କରିଥିଲେ ବି କେନ୍ଦ୍ର ସରକାର ୬୯୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ଅନେକ ନୂଆ ପ୍ରକଳ୍ପକୁ ସାମିଲ କରାଯାଇଥିବାବେଳେ କିଛି ପୁରୁଣା ପ୍ରକଳ୍ପର ଉନ୍ନତିକରଣକୁ ସାମିଲ କରାଯାଇଛି । ଆସନ୍ତୁ, ଜାଣିବା କେଉଁ ପ୍ରକଳ୍ପ ପାଇଁ ମିଳିଛି କେତେ ଟଙ୍କା…
ଅନୁଗୁଳ-ସୁକିନ୍ଦା ନୂଆ ରେଳଲାଇନ୍ (୯୮.୭ କିମି) – ୪୦୦ କୋଟି
ହରିଦାସପୁର-ପାରାଦୀପ ନୂଆ ରେଳଲାଇନ୍ (୮୨ କିମି) – ୧୦୦ କୋଟି
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂଆ ରେଳଲାଇନ୍ (୨୮୯ କିମି) – ୧୦୦୦.୫୦ କୋଟି
ତାଳଚେର-ବିମିଳିଗଡ ନୂଆ ରେଳଲାଇନ୍ (୧୫୪ କିମି) – ୧୦ କୋଟି
ଜୟପୁର ମାଲକାନଗିରି ନୂଆ ରେଳଲାଇନ୍ (୧୩୦ କିମି) – ୨୮ କୋଟି
ଜୟପୁର-ନବରଙ୍ଗପୁର ନୂଆ ରେଳଲାଇନ୍ (୩୮ କିମି) – ୧୫.୧୦ କୋଟି
ଖୋର୍ଦ୍ଧାରୋଡ୍-ବିଜୟନଗରମ ବାଏ ପାସ୍ – ୧୧ କୋଟି
ସମ୍ବଲପୁର-ତାଳଚେର ରୋଡ୍ ଡବଲିଂ (୧୭୪.୧୧ କିମି) – ୧୭୩.୮୨ କୋଟି
ସମ୍ବଲପୁର-ଟିଟିଲାଗଡ ରୋଡ୍ ଡବଲିଂ (୧୮୨.୧୧ କିମି) – ୨୦୦ କୋଟି
ଟିଟିଲାଗଡ-ବିଜୟନଗରମ ଥ୍ରୀ ଲାଇନ୍ (୨୬୪.୬ କିମି) – ୩୦୦ କୋଟି
ବଂଶପାଣି-ଦୈତାରୀ-ଟୋମକା-ଜାଖପୁରା (୧୮୦କିମି) – ୨୨୮ କୋଟି
ଭଦ୍ରକ- ନେରଗୁଣ୍ଡି ତୃତୀୟ ଲାଇନ୍ (୮୦ କିମି) – ୨୨୯ କୋଟି
ଜାରପଡା-ବୁଡାପାଙ୍କ ତୃତୀୟ ଓ ଚତୁର୍ଥ ଲାଇନ୍ – ୧୦୧ କୋଟି
ବୁଡାପାଙ୍କ-ସାଲେଗାଁ ତୃତୀୟ ଓ ଚତୁର୍ଥ ଲାଇନ୍ – ୨୧୫ କୋଟି
ଜଗଦଲପୁର-କୋରାପୁଟ (୧୧୦ କିମି )- ୮୫େ କାଟି
ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନ୍ (୨୦୬କିମି ) -୧୦୦ କୋଟି
ରାଉରକେଲା-ଝାରସୁଗୁଡା ତୃତୀୟ ଲାଇନ୍ -୨୩୦ କୋଟି
ନାରାୟଣଗଡ-ଭଦ୍ରକ ତୃତୀୟ ଲାଇନ୍ – ୨୨୫ କୋଟି

from Kanak News
via <a href="https://ifttt.com/?

ରେଳ ବଜେଟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ । ଓଡିଶାକୁ ମିଳିଛି ୬୯୯୫ କୋଟି ୫୮ ଲକ୍ଷ ଟଙ୍କାର ଅନୁଦାନ । ଗତବର୍ଷ ଅପେକ୍ଷା ୨୬ ପ୍ରତିଶତ ଅଧିକ

କନକ ବ୍ୟୁରୋ: ରେଳ ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଳ ବଜେଟରେ ଓଡିଶାକୁ ଏଥର ୬୯୯୫ କୋଟି ୫୮ ଲକ୍ଷ ଟଙ୍କା ମିଳିଛି । ଯାହାକି ଗତବର୍ଷ ତୁଳନାରେ ୨୬ ପ୍ରତିଶତ ଅଧିକ ଅନୁଦାନ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏଥିସହ ଚଳିତ ବଜେଟରେ ଅଧୁରା କାମ ସାରିବାକୁ ଗୁରୁତ୍ୱ ଦିଆଯାଇଛି । ରେଳଲାଇନର ଆଧୁନିକୀକରଣ ଓ ସୁରକ୍ଷା ଏବଂ ଓଡିଶାରେ ଚାଲିଥିବା କାମକୁ ତୁରନ୍ତ ସାରିବାକୁ ଗୁରୁତ୍ୱ ଦିଆଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ନୂଆ ରେଳ ଲାଇନ୍ ପାଇଁ ୧୫୫୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ତା ସହ ବିଦ୍ୟୁତକରଣ ପାଇଁ ୧୬୭୩ କୋଟି ଏବଂ ସେତୁ ନିର୍ମାଣ ପାଇଁ ୩୮.୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଗୁରୁବାର ସୂଚନା ଦେଇଛନ୍ତି ।

ଏଥର ବଜେଟରେ ରେଳ ପ୍ରକଳ୍ପଗୁଡିକ ପାଇଁ ରାଜ୍ୟ ସରକାର ୭୨୦୦ କୋଟି ଦାବି କରିଥିଲେ । ହେଲେ କେନ୍ଦ୍ର ସରକାର ଓଡିଶାକୁ ୫୫୨୮ କୋଟି ଟଙ୍କା ଦେଇଛନ୍ତି । ଯାହାକି ପୂର୍ବବର୍ଷ ଠାରୁ ୨୬ ପ୍ରତିଶତ ଅଧିକ । ଗତ ଥର ରେଳ ବଜେଟରେ ଓଡିଶାକୁ ୫୭୫୯ କୋଟି ଟଙ୍କା ଦିଆଯାଇଥିଲା । ଚଳିତ ବର୍ଷ କିନ୍ତୁ ଏହା ବୃଦ୍ଧି ପାଇଛି ।

from Kanak News
via <a href="https://ifttt.com/?

ବିଧାତା ଖେଳିଲା ବିଚିତ୍ର ଖେଳ, ବିଛଣାରେ ପରିବାରର ମେରୁଦଣ୍ଡ । ଶଯ୍ୟାଶାୟୀ ସୀତାରାମଙ୍କ ଦୁଃଖ ଶୁଣ ସରକାର…

କନକ ବ୍ୟୁରୋ: ଡିବିରି ଆଲୁଅ ଶୀଖାରେ ସିନା ଏ ଘରର ଅନ୍ଧାର ଉଭେଇ ଯିବ ହେଲେ ଏ ପରିବାରର ଅନ୍ଧାର, ପିଲାଙ୍କ ଭବିଷ୍ୟତ ଉପରେ ଘୋଡିଆସୁଥିବା ଅନ୍ଧାର କେମିତି ଦୂର ହେବ ? ଆଜି ପିଲା ଛୋଟ ଅଛନ୍ତି କାଲି ବଡ ହେବେ । କଣ ପଢିବେ, କେମିତି ଚଳିବେ… ମୁଁ ତ ଅଭାବର ଅନ୍ଧାରରେ ଅଣ୍ଡାଳି ହେଉଛି । ସେମାନଙ୍କ ଜୀବନ ବି ଅନ୍ଧାର ହୋଇଯିବ, ଭବିଷ୍ୟତ ଭାରାକ୍ରାନ୍ତ ହୋଇଯିବ । ଧିକ ଏ ଜୀବନକୁ, ଧି ମୋ ବାପପଣିଆକୁ… ପିଲାଙ୍କ କଥା ଭାବି କାନ୍ଥକୁ ଆଉଜି କିଛି ଏମିତି ଭାବୁ ଥାଇପାରନ୍ତି ଏ ଅଭାବୀ ବାପା ଜଣଙ୍କ । ଭାବିବେନି ବା କେମିତି ଭଗବାନ ପରା ତାଙ୍କୁ ଅକାମୀ କରିଦେଇଛନ୍ତି, ଅଚଳ କରିଦେଇଛନ୍ତି । ଦେହରେ ଜୁ ଥିଲେ ତ ଜୀବନକୁ ନେଇ ସ୍ୱପ୍ନଟିଏ ଦେଖନ୍ତେ । ଏବେ ସ୍ୱପ୍ନ ଦେଖିବା ମନା ।

ସୀତାରାମ ମଲ୍ଲିକ । ବୟସ ମାତ୍ର ୩୫ । ଘର କେନ୍ଦ୍ରାପଡା ଘାଗରା ଗାଁ । ଗୋଟିଏ ସ୍ତ୍ରୀ ଓ ଦୁଇ କୁନି କୁନି ପିଲାଙ୍କୁ ନେଇ ସୀତାରାମଙ୍କ ସଂସାର । ମୁଲ ମଜୁରୀ ଲାଗି ୪ ଜଣଙ୍କ ପେଟକୁ ଦାନା ଦେଇ ଦିଅନ୍ତି ସେ । ଘର ପାଇଁ ନହେଲା ନାହିଁ ପେଟ ପାଇଁ ହୋଇଯାଏ । ହେଲେ ଗତ ୮ ବର୍ଷ ହେବ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ସୀତାରାମ । ସେହି କଷ୍ଟ ଭିତରେ ବି ପରିବାର ପୋଷୁଥିଲେ ସେ । ମାତ୍ର ଏଇ ୪ ମାସ ହେବ ହଠାତ ତାଙ୍କ ହାତଗୋଡ ବଙ୍କା ହୋଇଗଲା, ଦେହରୁ ବଳ ହଟିଗଲା । ଘର ଚଳେଇବା ତ ଦୂରର କଥା ନିଜେ ଚାଲିବାକୁ ବି ବଳ ପାଇଲାନି ।

ଘରର ଆର୍ଥିକ ଅନଟନ ଭିତରେ ମାଗିଜାଚି କଟକ ମେଡିକାଲ ଦେଖାଇଥିଲେ ବି କୌଣସି ସୁଫଳ ମିଳୁନି । ତେଣୁ ଭାଗ୍ୟକୁ ନିନ୍ଦି ନିନ୍ଦି ଏଇ ଭଙ୍ଗାଘରେ ପ୍ରତି ମୁହୂର୍ତ୍ତରେ ସଙ୍ଘର୍ଷ କରୁଛନ୍ତି ସୀତାରାମ । ସେପଟେ ରୋଗୀଣା ସ୍ୱାମୀଙ୍କ ସେବା କରି କରି ନିଜେ ରୋଗୀ ପାଲଟିଗଲେଣି ସୀତାରାମଙ୍କ ସ୍ତ୍ରୀ । ନାରିଟିଏ ହାତରେ ବା ବଳ କେଉଁଠୁ ଆସିବ ନିଇତି ଏତେ ସବୁ ବୋଝ ବୋହିବାକୁ । ତେଣୁ କଷ୍ଟର କାହାଣୀ କହିବା ବେଳେ କାନ୍ଦି ପକାଉଛନ୍ତି ସୂର୍ଯ୍ୟକାନ୍ତି ।

ବାପା ରୋଗ ବିଛଣାରେ ପଡିଛନ୍ତି ବୋଲି ମାଆର କଷ୍ଟକୁ ହାଲକା କରିବାକୁ ହାତ ବଢେଇଛି ଏ କୁନି ପୁଅ । ବାପାଙ୍କ ଗୋଡ ଘଷି ଦେବା ଠାରୁ ପାଣି ପିଆଇବା ଯାଏଁ ତା ଟିକି ହାତରେ ବାପାଙ୍କର ସବୁ କାମ କରୁଛି ଏ ପୁଅ । ସେପଟେ ନୁଆଁଣିଆଁ ଚାଳଘରକୁ, କବାଟ ନଥିବା ଘର, କି ଖରା କି ବର୍ଷା, ଗରିବ ବୋଲି କଷ୍ଟରେ ଏ ଭଙ୍ଗାଘରେ ଭୟରେ ବାଧ୍ୟରେ ରହୁଛନ୍ତି ସମସ୍ତେ ।

ଦୁନିଆର ଅନେକ ଲୋକ ଦୁଃଖୀ, ଅନେକ ଲୋକ ବି ଗରିବ । ସମସ୍ତଙ୍କୁ ସାହାଯ୍ୟ କରିବା ବି ସମ୍ଭବ ନୁହେଁ କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଗରିବଙ୍କ ଦୁଃଖ ଦେଖି ସାହାଯ୍ୟ କରିବାକୁ ଧାଇଁ ଯାଆନ୍ତି । ତେଣୁ ସରକାର ହୁଅନ୍ତୁ କି ସହୃଦୟ ବ୍ୟକ୍ତି ଯଦି ଏ ଅସହାୟ ସୀତାରାମଙ୍କୁ ସାହାଯ୍ୟ କରନ୍ତେ ତେବେ ବିଚରା ନିଜ ପୁଅମାନଙ୍କ ଭବିଷ୍ୟତକୁ ସଜାଡି ପାରନ୍ତେ…

from Kanak News
via <a href="https://ifttt.com/?

ସରୁନି ମଣ୍ଡି ବିବାଦ, ଥମୁନି ଚାଷୀ ଅସନ୍ତୋଷ । ବରଗଡ ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡିରହିଛି ହଜାର ହଜାର ଧାନବସ୍ତା ।

କନକ ବ୍ୟୁରୋ: ସରୁନି ମଣ୍ଡି ବିବାଦ, ଥମୁନି ଚାଷୀ ଅସନ୍ତୋଷ । ଦକ୍ଷିଣରୁ ପଶ୍ଚିମ-ଉପକୂଳ ସବୁଠି ସରକାରୀ ମଣ୍ଡିରେ ଧାନ କିଣାବିକାକୁ ନେଇ ବିବାଦ ଲାଗି ରହିଛି । କେଉଁଠି ଟାର୍ଗେଟ ସରିଯାଇଛି । ଆଉ କେଉଁଠି ଟାର୍ଗେଟ ଥିଲେ ବି ଚାଷୀଙ୍କୁ ଟୋକନ ମିଳୁନି । ଫଳରେ ଧାନ କିଣା ଆରମ୍ଭରୁ ଏଯାଏଁ ଖାଲି ସମସ୍ୟା ଆଉ ସମସ୍ୟା ।

ସମାନ ସମସ୍ୟା ପାଇଁ ବରଗଡ ଜିଲ୍ଲାର ବିଭିନ୍ନ ମଣ୍ଡରେ ପଡିରହିଛି ହଜାର ହଜାର ଧାନବସ୍ତା । ନଭେମ୍ବର ୯ ତାରିଖରୁ ମଣ୍ଡିରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାରି ଭିତରେ ୩ ମାସ ବିତିଲାଣି, ହେଲେ ଏଯାଏଁ ଧାନ କିଣା ବିକାରେ ସୁଧାର ଆସିନାହିଁ । ପଦ୍ମପୁର ଅଧିନସ୍ଥ ପାଣିମୋରା ମାର୍କେଟ ମଣ୍ଡିରେ ଖାଲା ଆକାଶ ତଳେ ପଡି ରହିଛି ପ୍ରାୟ ୧୬ ହଜାର ଧାନ ବସ୍ତା । ଏଠାରେ ଚାଷୀଙ୍କୁ ଟୋକନ ନମିଳିବାରୁ ଏ ଧାନ ଗୁଡିକ ବିକ୍ରି ହୋଇ ପାରିନଥିବା ଅଭିଯୋଗ କରିଛନ୍ତି ଚାଷୀ ।

from Kanak News
via <a href="https://ifttt.com/?

କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପଡିଲା ମହଙ୍ଗା । ହିଂସା ଉଦ୍ରେକକାରୀ ଟ୍ୱିଟ୍ କରିଥିବା ଅଭିଯୋଗରେ ଗ୍ରେଟା ଥନବର୍ଗଙ୍କ ନାମରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂତନ କୃଷି ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସୀମାରେ କୃଷକ ମାନେ ୨ ମାସରୁ ଅଧିକ ସମୟ ହେବ ଧାରଣାରେ ବସିଛନ୍ତି । କୃଷକଙ୍କ ଏଭଳି ଆନ୍ଦୋଳନକୁ ଦେଶ ତଥା ଦେଶ ବାହାରୁ ବହୁ ସେଲିବ୍ରେଟିମାନେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ସ୍ୱିଡେନ୍ ବାସିନ୍ଦା ତଥା ବିଶିଷ୍ଟ ପରିବେଶବିତ୍ ଗ୍ରେଟା ଥନବର୍ଗ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଏକ ଟ୍ୱିଟ୍ କରିଥିଲେ । ଏହାକୁ ନେଇ ଦିଲ୍ଲୀ ପୋଲିସ ତାଙ୍କ ନାମରେ ମାମଲା ରୁଜୁ କରିଛି । ଏହା ବ୍ୟତିତ ଏନେଇ ଦିଲ୍ଲୀ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରିବ ବୋଲି ସୂଚନା ମିଳିଛି ।
କହିରଖୁ କି ଗ୍ରେଟା ଥନବର୍ଗ ତାଙ୍କ ଟ୍ୱିଟରେ କୃଷକ ଆନ୍ଦୋଳନକୁ ସମର୍ଥନ କରିବା ସହ ଭାରତର ଶାସନ କ୍ଷମତାରେ ଥିବା ବିଜେପି ଉପରେ ପ୍ରଶ୍ନ ଛିଡା କରିଥିଲେ । ସେ ତାଙ୍କ ଟ୍ୱିଟରରେ ଲେଖିଥିଲେ କି ଭାରତ ସରକାରଙ୍କ ଉପରେ କୌଣସି ପ୍ରକାର ଚାପ ପକାଯାଇ ପାରିବ । ଏନେଇ ସେ ତାଙ୍କର କାର୍ଯ୍ୟ ଯୋଜନା ସମ୍ବଦ୍ଧିତ ଏକ ଦସ୍ତାବିଜ୍ ବି ଟ୍ୱିଟରରେ ସେୟାର କରିଥିଲେ । ତାଙ୍କର ଏଭଳି ଟ୍ୱିଟ୍ ଆସିବା ପରେ ଭାରତ ସରକାରଙ୍କ ସମେତ କିଛି ସଂଗଠନ ତାଙ୍କ ଟ୍ୱିଟ୍ କୁ କଡା ଭାଷାରେ ନିନ୍ଦା କରିଥିଲେ ।

from Kanak News
via <a href="https://ifttt.com/?

ବିଶ୍ୱର ଶହେ ଦେଶକୁ କୋଭିଡ୍ ଟିକା ଯୋଗାଇବ ସେରମ୍ ଇନଷ୍ଟିଚ୍ୟୁଟ୍ । ୟୁନିସେଫ୍ ସହ ସ୍ୱାକ୍ଷର ହେଲା ବୁଝାମଣାପତ୍ର

କନକ ବ୍ୟୁରୋ: ବିଶ୍ୱର ଶହେ ଦେଶକୁ ୧.୧ ବିଲିୟନ କୋଭିଡ୍ ଟିକା ଯୋଗାଇବ ସେରମ୍ ଇନଷ୍ଟିଚ୍ୟୁଟ୍ । ଏନେଇ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ୟୁନିସେଫ୍ ଭିତରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଭାରତ ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱର ଏକ ଆଗଧାଡିର କୋଭିଡ୍ ଟିକା ନିର୍ମାତା ଦେଶ ହୋଇଥିବାରୁ ଦୁଇ ଅନୁଷ୍ଠାନ ଭିତରେ ଏପରି ବୁଝାମଣା ପତ୍ର ସ୍ୱାକ୍ଷର ହେବା ସମ୍ଭବ ହୋଇପାରିଛି ବୋଲି କୁହାଯାଇଛି ।
ସେରମ୍ ଇନଷ୍ଟିଚ୍ୟୁଟ୍ ବର୍ତ୍ତମାନ ବିଶ୍ୱର ବିଭିନ୍ନ ଦେଶକୁ କୋଭିସିଲ୍ଡ ଟିକା ଯୋଗାଉଛି । ଆଗକୁ କମ୍ପାନୀ ନୋଭାଭାକ୍ସ ଟିକା ମଧ୍ୟ ପ୍ରସ୍ତୁତ କରିବାକୁ ଯାଉଛି । ଯାହାକୁ ବିଶ୍ୱର ଶହେ ଦେଶକୁ ପ୍ରଦାନ କରାଯିବ ।

ୟୁନିସେଫର କାର୍ଯ୍ୟକାରୀ ନିର୍ଦ୍ଦେଶକ ହେନରିଟା ଫାରେଙ୍କ କହିବା ମୁତାବକ, ସେ ପାନ୍ ଆମେରିକାନ୍ ହେଲଥ୍ ଅନୁଷ୍ଠାନ ଏବଂ ବିଭିନ୍ନ ଅନୁଷ୍ଠାନ ସହ ମିଶି ଏହି ଟିକା ପାଇଁ ଅର୍ଡର ଦେଇଛନ୍ତି । ଏହି ଟିକାକୁ ବିଶ୍ୱର ନିମ୍ନ ଓ ମଧ୍ୟମ ଆୟ କରୁଥିବା ଲୋକଙ୍କୁ ଦିଆଯିବ । ୟୁନିସେଫ୍ ଜରିଆରେ ଏହି ଟିକାକୁ ବଣ୍ଟାଯିବ ।

ସୂଚନାଯୋଗ୍ୟ ଯେ, ବିଶ୍ୱର ଏକ ଆଗଧାଡିର କୋଭିଡ୍ ଟିକା ନିର୍ମାତା କମ୍ପାନି ଭାବେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡ ଟିକା ଉତ୍ପାଦନ କରୁଛି । ଆଗାମୀ ଦିନରେ କମ୍ପାନି ନୋଭାଭାକ୍ସ ଟିକା ମଧ୍ୟ ଆଣିବାକୁ ଯାଉଛି । ଭାରତରେ ଏହାର ପରୀକ୍ଷଣ ପାଇଁ କମ୍ପାନି ଅନୁମତି ମାଗିଛି । ପରୀକ୍ଷଣ ଶେଷ ହେବା ପରେ ଏହାର ବ୍ୟବହାର ଆରମ୍ଭ ହେବ ।

from Kanak News
via <a href="https://ifttt.com/?

ସାରା ଦେଶରେ ସଭା କରି ବଜେଟ୍ ର ଲାଭ ଜଣାଇବ ବିଜେପି । ପ୍ରତି ସହରରେ ନେତା, ମନ୍ତ୍ରୀ କରିବେ ସାମ୍ବାଦିକ ସମ୍ମିଳନୀ

କନକ ବ୍ୟୁରୋ : କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାର ଫେବୃଆରୀ ୧ ତାରିଖରେ ୨୦୨୧-୨୨ ବର୍ଷ ପାଇଁ ୟୁନିୟନ ବଜେଟ୍ ଉପସ୍ଥାପନ କରିଛି । ହେଲେ ଏହାକୁ ନେଇ ବିରୋଧୀଦଳ ମାନେ କଟାକ୍ଷ କରିବା ପରେ ଏହାର ଲାଭ ଜଣାଇବାକୁ ଲୋକଙ୍କ ପାଖରେ ପହଂଚିବେ ବିଜେପିର ନେତା ଓ ମନ୍ତ୍ରୀ ମାନେ । ଏନେଇ ବିଜେପି ସାରା ଦେଶରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କେନ୍ଦ୍ରମନ୍ତ୍ରୀ ଓ ଦଳର ବରିଷ୍ଠ ନେତା ମାନଙ୍କୁ ବଜେଟର ଲାଭ ବାବଦରେ ବୁଝାଇବାକୁ ପ୍ରତି ରାଜ୍ୟର ରାଜଧାନୀ ଓ ବଡ ବଡ ସହର ମାନଙ୍କରେ ସାମ୍ବାଦିକ ସମ୍ମିଳନୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବଜେଟ୍ ଉପରେ ବିଜେପିର ଏହି ପ୍ରଚାର ଅଭିଯାନ ୬-୭ ଫେବୃଆରୀ ଓ ୧୩-୧୪ ଫେବୃଆରୀ ଦିନ ଅନୁଷ୍ଠିତ ହେବ । ୬-୭ ତାରିଖରେ ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀ ମାନେ ପ୍ରତି ରାଜ୍ୟର ରାଜଧାନୀ ରେ ସାମ୍ବାଦିକ ସମ୍ମିଳନୀ କରିବେ । ଏହି କାର୍ଯ୍ୟକ୍ରମରେ ଦେଶର ବୁଦ୍ଧିଜୀବୀ ମାନଙ୍କ ସହିତ ବିଜେପି ନେତା ଓ ମନ୍ତ୍ରୀ ମାନେ ଚର୍ଚ୍ଚା କରିବେ ବୋଲି ସୂଚନା ଦିଆଯାଇଛି । ଏହାସହ ଏଫଆଇସିସିଆଇ ଓ ଚ୍ୟାମ୍ବର ଅଫ୍ କମର୍ସ ସମେତ ଔଦ୍ଧଗିକ ଜଗତର ଲୋକମାନଙ୍କ ସହିତ ବି ଚର୍ଚ୍ଚା କାର୍ଯ୍ୟକ୍ରମ ରହିଛି ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ବିଜେପିର ସମସ୍ତ ସାଂସଦ ମାନଙ୍କୁ ୬-୭ ଓ ୧୩-୧୪ ଫେବୃଆରୀ ଦିନ ନିଜ ନିଜ ସଂସଦୀୟ କ୍ଷେତ୍ରରେ ରହି ଜନକଲ୍ୟାଣକାରୀ ବଜେଟ୍ ବାବଦରେ ଲୋକଙ୍କ ସହିତ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏହି ବଜେଟ୍ ର ଲାଭ ବାବଦରେ ସୋସିଆଲ ମିଡିଆ ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଂଚାଇବାକୁ ଲକ୍ଷ୍ୟ ରଖିଛି ଦଳ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started