ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୋଇପଡିଛି ସିସିଟିଭି । ଜିନିଷ ଚୋରି ହେଲେ ରାତ୍ର ଜଗୁଆଳ ମୁଣ୍ଡରେ ଅଠା ।

କନକ ବ୍ୟୁରୋ : ଅପରାଧ ରୋକିବାରେ ମୁଖ୍ୟ ଅସ୍ତ୍ର ସାଜିଛି ସିସିଟିଭି । ଦିନ ହେଉ ଅବା ରାତି ସବୁ ସମୟରେ ସୁରକ୍ଷା ଯୋଗାଉଛି । କିନ୍ତୁ ଆଜିର ଏହି ସମୟରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସିସିଟିଭି ସୁରକ୍ଷା ଠାରୁ ଦୂରରେ । ଯଦି ଏପରି ପରିସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଛି ବି ଅଘଟଣ ଘଟେ ତାକୁ ପ୍ରମାଣିତ କରିବା ପାଇଁ କୌଣସି ଉପାୟ ନାହିଁ, ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ଅନୁସାରେ ବର୍ତମାନ ଏକ ଚାରି ମହଲା କୋଠାରେ ଚାଲିଛି ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଏହାରି ଭିତରେ ବିଭିନ୍ନ ବିଭାଗର କାର୍ଯ୍ୟାଳୟ ସହିତ ଜିଲ୍ଲା ଖଣିଜ ପାଣ୍ଠି କାର୍ଯ୍ୟାଳୟ ଇତ୍ୟାଦି ରହିଛି । ଦୈନିକ ଶହଶହ ଲୋକ ଏହି କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଛନ୍ତି । ଅନେକ ସମୟରେ ବିଭିନ୍ନ ଦାବି ନେଇ ଅନେକ ସଂଗଠନର ଶହଶହ ଲୋକ ଏହାର ସମ୍ମୁଖରେ ଧାରଣା ଦେଉଛନ୍ତି । ହେଲେ ଏହା ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳଙ୍କ ଅଫିସକୁ କିଏ ଆସୁଛି କିଏ ଯାଉଛି ତାକୁ ଦେଖିବା ପାଇଁ ସିସିଟିଭି ଲାଗିଛି । ହେଲେ ଜଗିବା ବଦଳରେ ମୁଣ୍ଡ ଭାଙ୍ଗି ପଡ଼ିଛି ସିସିଟିଭି । ପୁରା କାର୍ଯ୍ୟାଳୟରେ ୨୦ରୁ ଉର୍ଦ୍ଧ ସିସିଟିଭି ଲାଗିଥିବା ବେଳେ ଦୀର୍ଘ ଦିନରୁ ସବୁ ଅଚଳ ହୋଇ ପଡିଛି । ତେବେ ଏହାର ସୁଯୋଗ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ଅଧିକାରୀ, କର୍ମଚାରୀ ଓ ସାଧାରଣ ଲୋକଙ୍କ ଗାଡ଼ି ହେଲମେଟ୍ ଚୋରି ବୃଦ୍ଧି ପାଇଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ସିସିଟିଭି ଲାଗିଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଅଭାବରୁ ତାହା ସେବାରୁ ଦୂରେଇ ଯାଇଛି । ଯାହାକି ନିକଟରେ ଏକ ଚୋରି ଘଟଣାର ପ୍ରମାଣ ନଥିବାରୁ ରାତ୍ରି ଜଗୁଆଳ ମୁଣ୍ଡରେ ଅଠା ବୋଲିବାକୁ ଉଦ୍ୟମ କରିଛନ୍ତି କିଛି କର୍ମଚାରୀ ।

ଜାନୁଆରୀ ୨୬ ଅବସରରେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବ୍ୟାଙ୍ଗମାନଙ୍କୁ କିଛି ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ବର୍ଷା ହେବାରୁ ସେଠାରେ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା । ଏଥିପାଇଁ ଟେଣ୍ଟ ହାଉସ ପକ୍ଷରୁ ଆସିଥିବା ଏକ ନୂତନ ମ୍ୟାଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପାର୍କିରୁ ଚୋରି ହୋଇଗଲା । କିନ୍ତୁ ଦୋଷ ଲୁଚାଇବାକୁ ଯାଇ ୨୭ ବର୍ଷ ହେଲା ରାତ୍ରି ଜଗୁଆଳ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମୁଣ୍ଡରେ ଅଠା ବୋଳିବାର ଉଦ୍ୟମ କରାଯାଇଥିଲା । ଯାହାକି ତାହା ଜାଣିପାରି ରାତ୍ର ଜଗୁଆଳ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ସୁରକ୍ଷା ମାଗିଥିଲେ । ତେବେ ପ୍ରଶ୍ନ ଉଠୁଛି ସୁରକ୍ଷା ପାଇଁ ଥିବା ସିସିଟିଭି ଅଚଳ ହୋଇ ପଡିଥିବା ବେଳେ କିଛି ଦୁର୍ଘଟଣା କି ଅଘଟଣ ଘଟିଲେ ଏଥିପାଇଁ କିଏ ରହିବ ଦାୟୀ । କଣ ପାଇଁ ପ୍ରଶାସନ କିମ୍ବା ସଂପୃକ୍ତ ଦାୟିତ୍ବରେ ଥିବା ଅଧିକାରୀ ସିସିଟିଭି ମରାମତି ପାଇଁ ଉଦ୍ୟମ କରୁନାହାନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ନିଜ କାର୍ଯ୍ୟାଳୟର ସୁରକ୍ଷା ପାଇଁ ସିସିଟିଭି ଗୁଡ଼ିକର ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି ।

from Kanak News
via <a href="https://ifttt.com/?

ଅସମ୍ଭବ ହେଲା ଆମ୍ବୁଲାନ୍ସ ଆସିବା, ସେନା ଗାଡ଼ିରେ ଜନ୍ମ ନେଲା ଶିଶୁ । କୁପୱାଡ଼ାରେ ଯବାନଙ୍କ ମହାନତାକୁ ସୋସିଆଲ ମିଡ଼ିଆରେ ସଲାମ୍

କନକ ବ୍ୟୁରୋ: ଆପଣଙ୍କ ସୁଖରେ ସଭିଁଏ ସାମିଲ ହେବେ କିନ୍ତୁ ଦୁଃଖରେ ବାହାନା କରି ଦୂରେଇ ଯିବେ । କିନ୍ତୁ ଯବାନ ସବୁ ସମୟର ସାଥୀ, ଦୁଃଖ ହେଉ କି ସୁଖ, ଯବାନ କେବେ ସୁରକ୍ଷା କବଚ ସାଜିଥାନ୍ତି ତ କେବେ ସେବାର ସାକ୍ଷାତ ଦେବତା । ଠିକ୍ ଏମିତି କିଛି ଯବାନଙ୍କ ମହାନତାର ଏକ କାହାଣୀ କୁପୱାଡ଼ାର କଳାରୁଷରୁ ଆସିଛି । ଯାହାକୁ ଦେଖିଲେ ଆପଣ ବି ସଲାମ୍ ନକରି ରହିପାରିବେ ନାହିଁ ।
ବରଫ ବର୍ଷା, କିଟିମିଟି ଅନ୍ଧକାର । ରାସ୍ତାରେ ଗାଡ଼ିଘୋଡ଼ା କିଛି ନାହିଁ, କାରଣ ବରଫ ବର୍ଷାରେ ସବୁ କିଛି ବନ୍ଦ ହୋଇପଡ଼ିଛି ଆଉ ବିଚ୍ ରାସ୍ତାରେ ଜଣ ଗର୍ଭବତୀ ଅସହ୍ୟ ଜନନୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଆମ୍ଭୁଲାନ୍ସକୁ ଫୋନ୍ କଲେ ବି ବରଫ ମାଡ଼ ଆମ୍ଭୁଲାନ୍ସକୁ ବି ଆସିବାକୁ ଦେଉନାହିଁ । ଲାଗୁଛି ଦଇବ ଯେମିତି ଦୁଃଖ ଆଉ ଦୁଃଖ ହିଁ ଭାଗ୍ୟରେ ଲେଖିଛି, ହେଲେ ଠିକ୍ ଏତିକି ବେଳେ ଦେବଦୂତ ସାଜି ହଠାତ୍ ପହଁଚିଲେ ଯବାନ୍ । ଆଉ ଜିପ୍ରେ ପ୍ରସୂତୀଙ୍କୁ ହସ୍ପିଟାଲ ନେବା ବାଟରେ ହିଁ ଶିଶୁକନ୍ୟା ଜନ୍ମ ନେଲା । ତେବେ ଉଭୟ ମା’ ଓ ଶିଶୁକନ୍ୟା ସୁସ୍ଥ ଥିବାବେଳେ ତାଙ୍କ ପରିବାର ଯବାନଙ୍କୁ ସଲାମ କରି ଭାବବିହ୍ୱଳ ହୋଇଡ଼ିଛନ୍ତି ।
ସତରେ ଆମ ଦେଶ ଯବାନ ଏଭଳି ଯବାନଙ୍କୁ ପାଇ କେତେ ମହାନ ହୋଇଯାଇଛି । ଦେଶମାତୃକାର ସୁରକ୍ଷା ପାଇଁ ଶପଥ କରିଥିବା ଯବାନ ଦେଶବାସୀଙ୍କ ସୁଖ ଦୁଃଖରେ ବି ସାହା ହେଉଛନ୍ତି, ଯେଉଁଠି ନାଁ ଅଛି କିଛି ସ୍ୱାର୍ଥ ନା କୌଣସି ଲାଳସା । ଏମିତି କର୍ତ୍ତବ୍ୟ ପରାୟଣ ମଣିଷରୂପୀ ଦେବଦୂତଙ୍କୁ ଦେଖି ମନରେ ସବୁବେଳେ ପ୍ରଶ୍ନ ଉଠୁଛି, ଯବାନ ତୁମେ ସତରେ ମଣିଷ ନା ଭଗବାନ ।

from Kanak News
via <a href="https://ifttt.com/?

ଆଜି ବିଶ୍ୱ କର୍କଟ ଦିବସ । ରାଜ୍ୟର ୧୧ଟି ଜିଲ୍ଲାରେ କର୍କଟ ରୋଗୀଙ୍କୁ ମିଳିବ ରେଡିଓ ଥେରାପି ଚିକିତ୍ସା ।

କନକ ବ୍ୟୁରୋ : ରାଜ୍ୟର ୧୧ଟି ଜିଲ୍ଲାରେ କର୍କଟ ରୋଗୀଙ୍କୁ ମିଳିବ ରେଡିଓ ଥେରାପି ଚିକିତ୍ସା । ଆସନ୍ତା ୨୦୨୬ମସିହା ସୁଦ୍ଧା ଏହି ଚିକିତ୍ସା ସୁବିଧା ଜିଲ୍ଲାସ୍ତରରେ କର୍କଟ ରୋଗୀମାନେ ପାଇପାରିବେ । ରେଡିଓ ଥେରାପି ଏକ ବ୍ୟୟବହୁଳ ଚିକିତ୍ସା ହୋଇଥିବା ବେଳେ ଜିଲ୍ଲାସ୍ତରରେ ରୋଗୀମାନେ ଏଭଳି ଚିକିତ୍ସାର ସୁଯୋଗ ନେଇପାରିବେ । ଯାହାଫଳରେ ରୋଗୀମାନଙ୍କୁ ଆଉ ଆଚାର୍ଯ୍ୟ ହରିହର ଭଳି କର୍କଟ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ।

ପ୍ରଥମ ପର୍ଯ୍ୟାୟରେ ଭିମସାର, ଏମ୍‌କେସିଜି, କୋରାପୁଟସ୍ଥିତ ଏସ୍‌ଏଲଏନ୍‌ ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ, କେନ୍ଦୁଝର ଓ ବଡ଼ଗଡ଼ ଜିଲ୍ଲାରେ ଏହି ସୁବିଧା ମିଳିବ । ପରବର୍ତୀ ସମୟରେ ବାଲେଶ୍ବର, ବଲାଙ୍ଗୀର, ଅନୁଗୁଳ, ମୟୂରଭଞ୍ଜ ଓ ଭବାନୀପାଟଣାରେ ରେଡିଓ ଥେରାପି ଉପଲବ୍ଧ ହେବ । ଏଥିପାଇଁ ଏସବୁ ଜିଲ୍ଲାରେ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯିବ । ରାଜ୍ୟ କର୍କଟ କେୟାର ପ୍ଲାନ୍ ଅଧୀନରେ ଏହି ସୁବିଧା ଦିଆଯିବ । ପ୍ରତ୍ୟେକ ସ୍ଥାନରେ ମେସିନ୍ ସହିତ ଏହାର ଇନଷ୍ଟେଲେସନ୍ ପାଇଁ ୧୫ କୋଟି ଟଙ୍କା ଖର୍ଚ କରାଯିବ । ଏଥିପାଇଁ ସ୍ବତନ୍ତ୍ରଭାବେ ଏକ ବଙ୍କର ନିର୍ମାଣ କରାଯିବ । ଏଥିପାଇଁ ହେବାକୁ ଥିବା ଧାର୍ଯ୍ୟ ବ୍ୟୟ ଅଟକଳ କରାଯାଇଛି । ଅର୍ଥ ମଞ୍ଜୁର ହେବା ପରେ କାମ ଆରମ୍ଭ ହେବ । ଏହାସହ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ସଂପ୍ରସାରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଆଜି ହେଉଛି ବିଶ୍ୱ କର୍କଟ ଦିବସ । ଫେବ୍ରୁଆରି ୪ ତାରିଖରେ ବିଶ୍ୱସ୍ତରରେ କର୍କଟ ରୋଗର ସତର୍କତା ପାଇଁ ଏହି ଦିବସ ପାଳନ କରାଯାଉଛି । ଓଡ଼ିଶାରେ କର୍କଟ ରୋଗ ଧୀରେ ଧୀରେ ଉଦ୍‌ବେଗଜନକ ସ୍ଥିତି ଆଡ଼କୁ ଗତି କରୁଛି । ପ୍ରତିବର୍ଷ ପ୍ରାୟ ୩୫ରୁ ୫୦ ହଜାର ନୂତନ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ୩୫/୩୬ ହଜାର ଓ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଘରୋଇ ହସ୍ପିଟାଲର ରୋଗୀଙ୍କୁ ମିଶାଇ ଏହି ସଂଖ୍ୟା ପ୍ରାୟ ୫୦ ହଜାରକୁ ବୃଦ୍ଧି ପାଉଛି । ପ୍ରତିବର୍ଷ ଯେତିକି ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି, ତହିଁରୁ ଏକ ତୃତୀୟାଂଶ ରୋଗୀଙ୍କ କର୍କଟରେ ମୃତ୍ୟୁ ହୋଇଯାଉଛି । ବଳକା ଦୁଇ ତୃତୀୟାଂଶ ରୋଗୀଙ୍କ ଚିକିତ୍ସା ଚାଲୁରହିଛି । ଏଥିରୁ ମଧ୍ୟ ଅନେକ ରୋଗୀ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ସାଧାରଣ ଜୀବନ ବଞ୍ଚୁଛନ୍ତି । ରାଜ୍ୟରେ ଏବେ ପ୍ରାୟ ଦେଢ଼ଲକ୍ଷ କର୍କଟ ସର୍ଭାଇଭର୍‌ (ଚିହ୍ନଟ ଓ ସୁସ୍ଥ) ବ୍ୟକ୍ତି ରହିଛନ୍ତି ବୋଲି ଅନୁମାନ କରାଯାଉଛି ।

ରାଜ୍ୟରେ ଏବେ କର୍କଟ ରୋଗର ଶୀଘ୍ର ଚିହ୍ନଟ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଣ୍ଟିବଡ଼ି ପରୀକ୍ଷା, ଏସ୍‌ସିବିରେ ମଲେକ୍ୟୁଲାର ବାଇଓଲୋଜି ପରୀକ୍ଷାଗାର ଜରିଆରେ ରକ୍ତ ସଂଗ୍ରହ କରାଯାଇ ସ୍କ୍ରିନିଂ କରାଯାଉଛି । ଯାହାଫଳରେ ରୋଗୀଙ୍କ ଶରୀରରେ କର୍କଟ ରୋଗ ଆରମ୍ଭ ହୋଇଛି କି ନାହିଁ, ତାହା ସ୍ପଷ୍ଟ ହୋଇପାରୁଛି । ଫଳରେ ମୃତକଙ୍କ ସଂଖ୍ୟା ପୂର୍ବ ତୁଳନାରେ ଯଥେଷ୍ଟ ହ୍ରାସ ପାଇଛି । ରାଜ୍ୟରେ ଯେତିକି ସଂଖ୍ୟକ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି ତାହିଁରେ ମୁଖଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ । ତମାଖୁ ସେବନ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତମାଖୁ ବର୍ଜନ ନେଇ ବ୍ୟାପକ ସଚେତନତା ସତ୍ତ୍ବେ ଏଥିରେ ନିୟନ୍ତ୍ରଣ ଆସି ପାରୁ ନାହିଁ । ବିଦ୍ୟାଳୟଠାରୁ ୧୦୦ମିଟର ଦୂରରେ କୌଣସି ପ୍ରକାର ତମାଖୁ ସେବନକୁ ବାରଣ କରାଯାଇଛି । ମାତ୍ର ତାହା କଡ଼ାକଡ଼ି ଭାବେ ପାଳନ ହୋଇପାରୁନାହିଁ । ଏହାସହ ରାଜ୍ୟ ସରକାର ରାଜ୍ୟରେ ଗୁଟ୍‌ଖାକୁ ନିଷିଦ୍ଧ ଘୋଷଣା କରିଥିଲେ ହେଁ ତାହା ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ । ସେହିପରି ମହିଳାଙ୍କ କ୍ଷେତ୍ରରେ ସ୍ତନ ଓ ଜରାୟୁ କର୍କଟ ମଧ୍ୟ ଚିନ୍ତାଜନକ ସ୍ଥିତି‌‌ରେ ରହିଛି । ସଚେତନତା ଅଭାବରୁ ଏହି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।

from Kanak News
via <a href="https://ifttt.com/?

ସାଇବର ଠକଙ୍କ ଫୋକସରେ ପ୍ରେମୀ ଯୁଗଳ । ଭାଲେଣ୍ଟାଇନ ଡେ ପୂର୍ବରୁ ଦେଉଛନ୍ତି ଦାମିକା ହୋଟେଲରେ ରହିବାର ଅଫର, ହ୍ୱାଟସଆପରେ ମେସେଜ ପଠାଇ ଆକାଉଣ୍ଟରୁ ଟଙ୍କା ଖାଲି କରିଦେଉଛନ୍ତି ଠକ

ପ୍ରେମୀଯୁଗଳଙ୍କ ପାଇଁ ସାଇବର ଫାଶ । ଭାଲେଣ୍ଟାଇନ୍ ଡେ ନାଁରେ ଖାଲି କରିଦେଉଛନ୍ତି ଆକାଉଣ୍ଟ । ଦିନକୁ ଦିନ ଠକେଇ ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି ସାଇବର ଠକ । ଆଗକୁ ଭାଲେଣ୍ଟାଇନ୍ ଡେ ଆସୁଥିବାରୁ ଏଥର ସାଇବର ଠକଙ୍କ ଫୋକସରେ ପ୍ରେମୀଯୁଗଳ । ହ୍ୱାଟ୍ସଆପକୁ ଗୋଟିଏ ଲିଙ୍କ ପଠାଉଛନ୍ତି ସେହି ଲିଙ୍କ ଖୋଲି ପ୍ରଶ୍ନର ଉତ୍ତର ଦେଲେ, ଉତ୍ତରଦାତାଙ୍କୁ ମୁମ୍ବାଇ ତାଜ୍ ହୋଟେଲର ଟିକେଟ୍ ଦେବା ସହ ୭ଦିନ ମାଗଣା ରହିପାରିବେ ବୋଲି ଲୋଭ ଦେଖାଉଛନ୍ତି । ଏଭଳି ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ନେବା ପରେ ଟଙ୍କା ଲୁଟିନେଉଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ସାଇବର ଠକ ଭାଲେଣ୍ଟାଇନ୍ସ ଡେ ଗିଫ୍ଟ ନାଁରେ ଏକ ଲିଙ୍କ୍ ତିଆରି କରିଛନ୍ତି । ଏହି ଲିଙ୍କକୁ ଭାଇରାଲ କରିଛନ୍ତି । ବିଭିନ୍ନ ହ୍ୱାଟ୍ସଆପ ଗ୍ରୁଫରେ ଏହି ଲିଙ୍କ ଘୁରି ବୁଲୁଛି । ତାଜ୍ ହୋଟେଲରେ ମାଗଣାରେ ରହିବା ନାଁରେ ଏହି ଲିଙ୍କ ଆସୁଛି । ଏହାକୁ କ୍ଲିକ୍ କଲେ ଏକ ଫର୍ମରେ ଆଧାର କାର୍ଡ ନମ୍ବର, ପାନକାର୍ଡ ଭଳି ଏକାଧିକ ବ୍ୟକ୍ତିଗତ ତଥ୍ୟ ଦେବାକୁ କୁହାଯାଉଛି । ଏହା ପରେ ଠକ ପଠାଉଥିବା ଆପକୁ ମୋବାଇଲ୍ ଫୋନରେ ଡାଉନଲୋଡ୍ କଲେ ତାଜ୍ ହୋଟେଲରେ ରହିବାର ସୁଯୋଗ ମିଳିବ ବୋଲି ଠକ କହୁଛି । ଏହି ଆପକୁ ଡାଉନଲୋଡ କଲା ପରେ ମୋବାଇଲ୍ ପୋନର ସମସ୍ତ ତଥ୍ୟ ଠକ ପାଖକୁ ଚାଲିଯାଉଛି । ଏହାପରେ ଠକ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଉଛି ।
ତେବେ ଏଭଳି କିଛି ଠକେଇ ହେବା ପରେ ତାଜ୍ ହୋଟେଲ ପକ୍ଷରୁ ଟ୍ୱିଟ୍ କରି ସତର୍କ କରାଯାଇଛି । ତାଜ୍ ହୋଟେଲ ପକ୍ଷରୁ ଏପରି କୌଣସି ଅଫର୍ ନଥିବା ସ୍ପଷ୍ଟ କରାଯାଇଛି । ମୁମ୍ବାଇ ପୋଲିସ ମଧ୍ୟ ଏନେଇ ସତର୍କତା ଜାରି କରିଛି । ଏଭଳି ଲିଙ୍କକୁ ବିସ୍ୱାସ ନକରିବା ପାଇଁ କୁହାଯିବା ସହ ଏହାକୁ ଭାଇରାଲ ନକରିବା ପାଇଁ ପରାମର୍ଶ ଦିଆଯାଇଛି ।
କିନ୍ତୁ ଏହା ପରେବି ଅଟକିଯାଇନାହାନ୍ତି ସାଇବର ଠକ । ଟାଟା କମ୍ପାନୀ ନାଁରେ ମୋବାଇଲ୍ ପୋନ୍ ଜିତିବାର ଲୋଭନୀୟ ଅଫର ଦେଖାଇ ଲୁଟିବା ଆରମ୍ଭ କରିଦେଇଛନ୍ତି । ଗତ ଦୁଇଦିନ ହେବ ଆଉ ଏକ ଲିଙ୍କ ଭାଇରାଲ ହେବାରେ ଲାଗିଛି ।
ଯଦି ଆପଣଙ୍କ ପାଖକୁ ଏଭଳି କିଛି ଲିଙ୍କ ଆସୁଛି ତାହେଲେ ତୁରନ୍ତ ନିକଟସ୍ଥ ଥାନାରେ ଜଣାନ୍ତୁ । ଆଉ ସାଇବର ଠକଙ୍କ ଜାଲରୁ ବଞ୍ଚନ୍ତୁ ।

from Kanak News
via <a href="https://ifttt.com/?

ସୀମାରେ ପୁଣି ସୈତାନ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । ଜଣେ ଯବାନ ସହିଦ ।

କନକ ବ୍ୟୁରୋ : ଜମ୍ମୁକଶ୍ମୀରର ରଜୌରି ଜିଲ୍ଲା ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ବୁଧବାର ଦିନ ପାକିସ୍ତାନୀ ସେନା ଅକାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ, ରଜୌରି ଜିଲ୍ଲାର ସୁନ୍ଦରବନ ସେକ୍ଟର୍‌ରେ ପାକିସ୍ତାନ ସୈନିକମାନେ ଅକାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରି ନିୟନ୍ତ୍ରଣ ରେଖା ଅଞ୍ଚଳରେ ଗୁଳି ବର୍ଷଣ କରିବା ସହ ମୋର୍ଟାର୍‌ (ଏକ ଜାତୀୟ ହାତ ବୋମା) ନିକ୍ଷେପ କରିଥିଲେ । ଏହି ଘଟଣାରେ ଭାରତୀୟ ସେନାରେ ସିପାହୀ ଥିବା ଲକ୍ଷ୍ମଣ ନାମକ ଜଣେ ଯବାନ ସାଙ୍ଘାତିକ ଆହତ ହୋଇଥିଲେ । ପରେ ଆହତ ଲକ୍ଷ୍ମଣଙ୍କର ଦେହାନ୍ତ ହୋଇଯାଇଛି ।

ପ୍ରତିରକ୍ଷା ବିଭାଗ ଜାରି କରିଥିବା ଏକ ବିବୃତିରେ ଉଲ୍ଲେଖ ଅଛି, ସିପାହୀ ଲକ୍ଷ୍ମଣ ଥିଲେ ଜଣେ ସାହସୀ, ଉତ୍ସର୍ଗୀକୃତ ଏବଂ ନିଷ୍ଠାପର ସୈନିକ । ତାଙ୍କର ଆତ୍ମବଳି ଏବଂ ନିଷ୍ଠାପର କର୍ତ୍ତବ୍ୟ ପରାୟଣତା ଯୋଗୁଁ ଦେଶ ଚିରକାଳ ତାଙ୍କ ନିକଟରେ ଋଣୀ ରହିବ । ଗତ କିଛି ବର୍ଷ ହେବ ଜମ୍ମୁକଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନ ନିର୍ବିଚାର ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରିଚାଲିଛି । ଏଥିଯୋଗୁଁ ସୀମାନ୍ତବର୍ତ୍ତୀ ଗାଁଗଣ୍ଡାରେ ବାସ କରୁଥିବା ହଜାର ହଜାର ବ୍ୟକ୍ତି ଦୁର୍ଦ୍ଦଶା ଭୋଗୁଛନ୍ତି । ସାଧାରଣ ଜନତାଙ୍କ ଜୀବନ, ସେମାନଙ୍କ ଗୃହପାଳିତ ପଶୁପକ୍ଷୀ, ସମ୍ପତ୍ତି ଓ କୃଷିକ୍ଷେତ୍ର ବିପନ୍ନ ହେଉଛି ।

from Kanak News
via <a href="https://ifttt.com/?

ଏପ୍ରିଲ୍‌ ସୁଦ୍ଧା ଭାରତରେ ମିଳିବ ରୁଷ୍‌ର କୋଭିଡ୍‌ ଟିକା ‘ସ୍ପୁଟ୍‌ନିକ୍‌’

ନୂଆଦିଲ୍ଲୀ: ମାର୍ଚରୁ ଏପ୍ରିଲ୍‌ ମାସ ମଧ୍ୟରେ ଭାରତରେ ରୁଷ୍‌ ନିର୍ମିତ କରୋନାଭାଇରସ୍‌ ଟିକା ସ୍ପୁଟ୍‌ନିକ-୫ ମିଳିବ ବୋଲି ‘ଡକ୍ଟର୍‌ ରେଡିସ୍‌ ଲାବ୍ରୋଟରି’ର ‘ଏପିଆଇ’ ଏବଂ ‘ଫାର୍ମା ସର୍ଭିସେସ୍‌’ର ମୁଖ୍ୟ ଦୀପକ ସାପ୍ରା କହିଛନ୍ତି । ଭାରତରେ ‘ଡକ୍ଟର୍‌ ରେଡିସ୍‌ ଲାବ୍ରୋଟରି’ ରୁଷ୍‌ ପ୍ରସ୍ତୁତ କରୋନାଭାଇରସ୍‌ ଟିକା ‘ସ୍ପୁଟ୍‌ନିକ୍‌-୫’ ଉତ୍ପାଦନ କରିବ ।

‘ସ୍ପୁଟ୍‌ନିକ୍‌-୫’ ଟିକା କରୋନାଭାଇରସ୍‌ ସଂକ୍ରମଣ ବିରୋଧରେ ୯୧.୬% ଫଳପ୍ରଦ ବୋଲି ନିକଟରେ ‘ଲାନ୍‌ସେଟ୍‌’ ଅଧ୍ୟୟନର ମଧ୍ୟବର୍ତ୍ତୀକାଳୀନ ଫଳାଫଳରୁ ଜଣାପଡ଼ିଛି ।

ଗଣମାଧ୍ୟମକୁ ଦୀପକ ସାପ୍ରା କହିଛନ୍ତି, ୧୨୫ ନିୟୁତ ଜନତାଙ୍କ ପାଇଁ (୨୫୦ ନିୟୁତ ଡୋଜ୍‌) ଟିକା ଉତ୍ପାଦନ କରିବାକୁ ଆମେ ରୁଷ୍‌ ଅଂଶୀଦାରଙ୍କ ସହ ଚୁକ୍ତି କରିଛୁ । ୧୨.୫ କୋଟି ଲୋକଙ୍କ ଏତିକ ଟିକା ଯଥେଷ୍ଟ ହେବ ।

ବୟସ ବର୍ଗ ନିର୍ବିଶେଷରେ ଅନ୍ୟାନ୍ୟ ଶାରୀରକ ସମସ୍ୟା ଥିବା ବ୍ୟକ୍ତିଙ୍କ ଶରୀରରେ ମଧ୍ୟ ଏହି ଟିକା ଫଳପ୍ରଦ ହୋଇଥିବା କଥା ୨୦ ହଜାର ଲୋକଙ୍କ ଉପରେ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି ବୋଲି ସେ କହିଛନ୍ତି । ୬୦ରୁ ଊର୍ଦ୍ଧ୍ୱ ବୟସ ବର୍ଗର ବ୍ୟକ୍ତିଙ୍କ ଠାରେ ‘ସ୍ପୁଟ୍‌ନିକ୍‌-୫’ର ୯୧.୮% ରୋଗ ପ୍ରତିରୋଧକ କ୍ଷମତାର ଫଳାଫଳଏହି ଟିକାର ସୁପ୍ରଭାବକୁ ପ୍ରମାଣିତ କରୁଛି ।

ଭାରତରେ ଏହି ଟିକାର ମୂଲ୍ୟ କେତେ ହେବ ତାହା ନିର୍ଦ୍ଧାରିତ ହୋଇ ନ ଥିଲେ ବି, ବିଶ୍ୱରେ ମିଳୁଥିବା ଅନ୍ୟ ଟିକାଗୁଡ଼ିକର ମୂଲ୍ୟ ଭଳି ସୁଲଭ ହେବ ବୋଲି ଆଶା କରାଯାଉଛି । ସାପ୍ରା କହିଛନ୍ତି, ଆମେ ସରକାର ଏବଂ ଘରୋଇ କ୍ଷେତ୍ରରେ ଥିବା ଆମ ଅଂଶୀଦାରଙ୍କ ସହ ମିଶି କାର୍ଯ୍ୟ ଜାରି ରଖିଛୁ ।

‘ସ୍ପୁଟ୍‌ନିକ୍‌-୫’ ଟିକା ଉଭୟ ତରଳ ଏବଂ ଗୁଣ୍ଡ ଆକାରରେ ଉପଲବ୍ଧ ହେବ । ତରଳ ଟିକା ରଖିବା ପାଇଁ ଲାଗି ବିଯୁକ୍ତ ୧୮ ଡିଗ୍ରି ତାପମାତ୍ରା ଆବଶ୍ୟକ ହେଉଥିବା ବେଳେ ଗୁଣ୍ଡ ଟିକା ରଖିବାକୁ ୨ ରୁ ୮ ଡିଗ୍ରି ତାପମାତ୍ରାରେ ରଖିହେବ ବୋଲି କୁହାଯାଉଛି । ଏଥିପାଇଁ ପରୀକ୍ଷାନିରୀକ୍ଷା ଚାଲିଛି ।

from Kanak News
via <a href="https://ifttt.com/?

ରେଳ ବଜେଟରେ ଓଡିଶାକୁ  ମିଳିଲା ୫୫୨୮ କୋଟି । ନୂଆ ରେଳପଥ, ଗେଜ ପରବର୍ତନ ଓ ଦୋହରୀକରଣ ପାଇଁ ୩୯ ପ୍ରକଳ୍ପ, ୪ ହଜାର ୮୭୭ କିଲୋମିଟର ରେଳପଥ ବିଚ୍ଛାଯିବାର କାର୍ଯ୍ୟକ୍ରମ

କନକ ବ୍ୟୁରୋ : ରେଳ ବଜେଟରେ ଏଥର ଓଡିଶାକୁ ମିଳିଛି  ୫୫୨୮କୋଟି ଟଙ୍କା ।  ଚଳିତବର୍ଷ ବଜେଟରେ ରେଳ ପ୍ରକଳ୍ପଗୁଡିକ ପାଇଁ  ରାଜ୍ୟ ସରକାର ୭୨୦୦ କୋଟି ଟଙ୍କା ମାଗିଥିଲେ ।  କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏ ନେଇ ଟ୍ୱିଟ କରିଛନ୍ତି । ଗୋୟଲ ଦାବି କରିଛନ୍ତି,  ୨୦୦୯-୨୦୧୪ ମଧ୍ୟରେ  ଓଡିଶାର ରେଳପ୍ରକଳ୍ପଗୁଡିକ ଲାଗି  ହାରାହାରି  ୮୩୮ କୋଟି ଟଙ୍କା ଆସିଥିବାବେଳେ ୨୦୨୧-୨୨ରେ ଏହାର ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଛି ।  ଏଥିରେ ନୂଆରେଳପଥ , ଗେଜ ପରବର୍ତନ ଓ ଦୋହରୀକରଣ  ଭଳି ୩୯ଟି ପ୍ରକଳ୍ପ ରହିଛି । ପୂର୍ବତଟ ରେଳବାଇ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ  ଏ ନେଇ ପୂର୍ବତଟ ରେଳପଥ  ବିସ୍ତୁତ ବିବରଣୀ ଦେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହି ପ୍ରକଳ୍ପ ଗୁଡ଼ିକରେ ୬୧ ହଜାର ୯ଶହ ୪୯ କୋଟି ଟଙ୍କା ଖର୍ଚ୍ଚ ହେବ । ଏବଂ ୪ ହଜାର ୮୭୭ କିଲୋମିଟର ରେଳପଥ ବିଛା ଯିବାର କାର୍ଯ୍ୟକ୍ରମ ରହିଛି ।
ଏବେ ଆସନ୍ତୁ ଦେଖିବା କେଉଁ ପ୍ରକଳ୍ପକୁ ମିଳିଛି କେତେ ଅନୁଦାନ । ମିଳିଥିବା ଖବର ଅନୁସାରେ,
-ଖୋର୍ଦ୍ଧା ରୋଡ-ବଲାଙ୍ଗୀର ୨୮୯ କି.ମି ପାଇଁ  ୫୦୦ କୋଟି
-ଅନୁଗୁଳ-ସୁକିନ୍ଦା ରୋଡ ୯୮.୭ କିଲୋମିଟର ପାଇଁ ୪ ଶହ କୋଟି
-ହରିଦାସପୁର-ପାରାଦ୍ୱୀପ  ୮୨  କିମ  ଶହେ କୋଟି
-ତାଳଚେର-ବିମଳାଗଡ ୧୫୪ କିଲୋମିଟର ପାଇଁ  ୧୦ କୋଟି ଟଙ୍କା
-ଜୟପୁର-ମାଲକାନଗିରି  ୧୩୦ କି.ମି ପାଇଁ  ୨୮ କୋଟି ଟଙ୍କା
-ଜୟପୁର-ନବରଙ୍ଗପୁର ୩୮ କିଲୋମିଟର ପାଇଁ  ୧୫ କୋଟି ଟଙ୍କା
-ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲେନ ପାଇଁ  ୨୦ କୋଟି ଟଙ୍କା
-ସମ୍ବଲପୁର-ଟିଟଲାଗଡ ପାଇଁ ୨୫ କୋଟି ଟଙ୍କା ମିଳିଛି ।

from Kanak News
via <a href="https://ifttt.com/?

ଧରା ପଡିଲା ପଡୋଶୀ ଆନ୍ଧ୍ରର ବଡ ଷଡଯନ୍ତ୍ର । ଓଡିଶାର ତିନୋଟି ଗାଁରେ ନିର୍ବାଚନ କରିବାକୁ ଆନ୍ଧ୍ରର ବିଜ୍ଞପ୍ତି, ଆସନ୍ତା ୧୩ ଓ ୧୭ ତାରିଖରେ ନିର୍ବାଚନ ପାଇଁ ଘୋଷଣା, ନାମାଙ୍କନ ଦାଖଲ ଆରମ୍ଭ

ପୁଣି ଧରାପଡିଛି ପଡୋଶୀ ଆନ୍ଧ୍ରର ଷଡଯନ୍ତ୍ର । କୋରାପୁଟ ପଟାଙ୍ଗୀ ବ୍ଲକ କୋଟିଆ ଅଂଚଳର ୩ଟି ଗାଁର ନା ବଦଳାଇଛି ଆନ୍ଧ୍ର । ଏହି ଗାଁର ନାଁ ବଦଳାଇ ଚଳିତ ମାସ ୧୩ ଓ ୧୭ ତାରିଖରେ ପଂଚାୟତ ନିର୍ବାଚନ କରିବାକୁ ପଡୋଶୀ ରାଜ୍ୟ ଘୋଷଣା କରିଛି । 

ଏହି ୩ଟି ଗାଁ ହେଲା ତଳଗଞ୍ଜେଇ ପଦର, ଫୁଗଣ ସିନେରି ଓ ଫାଟୁ ସିନେରୀ । ଆନ୍ଧ୍ରର ସାଲୁରୁ ବ୍ଲକ ପକ୍ଷରୁ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ପତ୍ର ବି ଦାଖଲ ଆରମ୍ଭ ହୋଇଛି । ପୂର୍ବରୁ ଆନ୍ଧ୍ର ମାନଚିତ୍ରରେ କୋଟିଆକୁ ଦର୍ଶାଇବା ନେଇ ବିବାଦ ଦେଖାଦେଇଥିଲା । ଏପରିକି ଏହି ଅଂଚଳର କିଛି ଗାଁରେ ଆନ୍ଧ୍ର ଦାଦଗିରି କରିଥିଲା । ଏହାକୁ ନେଇ ତୀବ୍ର ପ୍ରତିବାଦ କରିଥିଲା ଓଡିଶା । ଏହାପରେ ଉଭୟ ରାଜ୍ୟର ଅଧିକାରୀ ଆଲୋଚନା କରି ପଦକ୍ଷେପ ନେବାକୁ ରାଜି ହୋଇଥିଲେ ।  

ତେବେ ଏଠାରେ ପଡୋଶୀ ରାଜ୍ୟ ଆନ୍ଧ୍ର ଠିକ୍ ପଡୋଶୀ ଦେଶ ଚୀନ୍ ଭଳି କାର୍ଯ୍ୟ କରୁଛି । ସୀମାରେ ଚୀନ୍ ଯେଉଁଭଳି ବିସ୍ତାରବାଦୀ ନିତି ଆପଣାଇଛି ଠିକ୍ ସେହିଭଳି ଓଡିଶାର ପଡୋଶୀ ରାଜ୍ୟ ଆନ୍ଧ୍ର ବିସ୍ତାରବାଦୀ ନିତି ଆପଣାଇଛି ବୋଲି କହିଲେ ଅତ୍ୟୁପ୍ତି ହେବନି । 

from Kanak News
via <a href="https://ifttt.com/?

ରାଜଧାନୀରେ ନିର୍ମାଣ ହେବ ବିଶ୍ବସ୍ତରୀୟ କ୍ୟାନସର ହସ୍ପିଟାଲ। ଉପଲବ୍ଧ ହେବ ସବୁପ୍ରକାର ଅତ୍ୟାଧୁନିକ ଚିକିତ୍ସା ସେବା

ରାଜଧାନୀରେ ନିର୍ମାଣ ହେବ ବିଶ୍ବସ୍ତରୀୟ କ୍ୟାନସର ହସ୍ପିଟାଲ। ହସ୍ପିଟାଲରେ ସବୁପ୍ରକାର ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ହେବ। ଟାଟା ପକ୍ଷରୁ ନିର୍ମାଣ କରାଯିବାକୁ ଥିବା କ୍ୟାନସର ହସ୍ପିଟାଲ ଯୋଜନା ଏବେ ଦୋଳାୟମାନ ସ୍ଥିତିରେ ରହିଛି। ତେଣୁ ଏହାର ବିକଳ୍ପ ଭାବେ ରାଜ୍ୟ ସରକାର ଭୁବନେଶ୍ବରରେ ଏହି ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ କରିବା ପାଇଁ ଯୋଜନା କରିଛନ୍ତି। ଚଳିତମାସରେ ହସ୍ପିଟାଲ ନିର୍ମାଣ ନେଇ ସଂପୂର୍ଣ୍ଣ ରୂପରେଖ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି।

୨୦୧୯ ମସିହା ଫେବ୍ରୁଆରି ମାସରେ ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା। ବାରଙ୍ଗ ନିକଟରେ ଏକ ଷ୍ଟେଟ୍‌ ଅଫ ଦି ଆର୍ଟ ହସ୍ପିଟାଲ ନିର୍ମାଣ ପାଇଁ ଏଥିରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ସମୁଦାୟ ୮ଶହ କୋଟି ଟଙ୍କା ଖର୍ଚ ହେବାକୁ ଥିବା ବେଳେ ୫ଶହ କୋଟି ଟଙ୍କା ରାଜ୍ୟ ସରକାର ବହନ କରିଥାନ୍ତେ। ଏଥିପାଇଁ ଟାଟା ଟ୍ରଷ୍ଟକୁ ମାଗଣାରେ ୧୫ ଏକର ଜମି ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ। ଏହା ଭିତରେ ହସ୍ପିଟାଲ ନିର୍ମାଣ ନେଇ ୨ଥର ଆଲୋଚନା ହୋଇଛି। ହେଲେ ୨ବର୍ଷ ପରେ ମଧ୍ୟ କ୍ୟାନସର ହସ୍ପିଟାଲ ନିର୍ମାଣରେ ବିଶେଷ ଅଗ୍ରଗତି ହୋଇନାହିଁ। ଆଗକୁ ମଧ୍ୟ ହସ୍ପିଟାଲ ନିର୍ମାଣ ହେବ କି ନାହିଁ ତାହା ମଧ୍ୟ ସନ୍ଦେହ ଭିତରେ ରହିଛି।

ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଏକ ବିକଳ୍ପ ବ୍ୟବସ୍ଥା କରିଛନ୍ତି। ଯଦି ଟାଟା ଟ୍ରଷ୍ଟ ରାଜଧାନୀରେ ନିଜର କ୍ୟାନସର ହସ୍ପିଟାଲ ନିର୍ମାଣ ନ କରେ ତାହାଲେ ରାଜ୍ୟ ସରକାର ରାଜଧାନୀ ଉପକଣ୍ଠ ଇ‌ନଫୋଭ୍ୟାଲି-୨ରେ ଏକ ବିଶ୍ବସ୍ତରୀୟ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଯୋଜନା ହୋଇଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ହସ୍ପିଟାଲରେ ପେଲିଆଟିଭ୍ କେୟାରଠାରୁ ଆରମ୍ଭ କରି ଅନ୍ୟ ଅତ୍ୟାଧୁନିକ ଚିକିତ୍ସା ସୁବିଧା ରହିଛି। ହସ୍ପିଟାଲ ପରିସରରେ ସୁନ୍ଦର ବଗିଚା ସହିତ ମ୍ୟୁଜିକ୍ ବ୍ୟବସ୍ଥା ରହିବ। ରୋଗୀଙ୍କ ପାଇଁ କ୍ୟାବିନ୍ ବ୍ୟବସ୍ଥା କରାଯିବ। ଦେଶର ଅଗ୍ରଣ କର୍କଟ ରୋଗ ବିଶେଷଜ୍ଞ ମାସକୁ ଥରେ ଏହି ହସ୍ପିଟାଲକୁ ଆସିବେ। ଯାହାଫଳରେ ଓଡ଼ିଶାର ରୋଗୀମାନଙ୍କୁ ବାହାରକୁ ଯିବାକୁ ପଡ଼ିବ ନାହିଁ। ଏଥିପାଇଁ ହସ୍ପିଟାଲରେ ଏକ ହେଲିପ୍ୟାଡ୍‌ର ମଧ୍ୟ ବ୍ୟବସ୍ଥା କରାଯିବ। ହସ୍ପିଟାଲ ନିର୍ମାଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୪ଶହ କୋଟି ଟଙ୍କା ଖର୍ଚ କରାଯିବ ବୋଲି ବ୍ୟୟ ଅଟକଳ କରାଯାଇଛି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ କର୍ପୋରେଟ୍‌ ସଂସ୍ଥାମାନଙ୍କୁ ସାମିଲ୍ କରିବା ଉପରେ ଯୋଜନା କରାଯାଉଛି। ଖୁବଶୀଘ୍ର ରାଜ୍ୟ ସରକାର ଏ ସଂପର୍କରେ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି।

from Kanak News
via <a href="https://ifttt.com/?

ରାଉରକେଲାରୁ ଆସିଲା ଦୁଃଖଦ ଖବର । ପାର୍ସଲ ଭ୍ୟାନ ଧକ୍କାରେ ଦୁଇ ହାତୀ ମୃତ, ୨ ବଗି ବି ଲାଇନଚ୍ୟୁତ

ଟ୍ରେନ ଧକ୍କାରେ ୨ ହାତୀ ମୃତ । ରାଉରକେଲା ମୁମ୍ବାଇ ମୁଖ୍ୟ ରେଳ ପଥର ବିଶ୍ରା ଫରେଷ୍ଟ ରେଂଚ ଅନ୍ତର୍ଗତ ମହିପାଣି ଲେବୁଲ କସିଂରେ ଘଟିଛି ଏହି ଘଟଣା । ୧୨ରୁ ୧୪ ହାତୀ ପଲ ଟ୍ରେନ ଲାଇନରେ ଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ ହାତୀକୁ ଧକ୍କା ଦେଇଥିଲା । ଦୁଇଟି ମାଇ ହାତୀ ଘଟଣା ସ୍ଥଳରେ ମୃତ । ବନ୍ଧମୁଣ୍ଡା ଏୟାର ଏମ୍, ଅନ୍ୟ ପଦାଧିକାରୀମାନେ ଘଟଣା ସ୍ଥଳରେ ପହଂଚିଛନ୍ତି । ଲାଇନ ଚ୍ୟୁତ ହୋଇଥିବା ୨ଟି ବଗିର ମରାମତି ଜାରି ରହିଛି । ଝାରସୁଗୁଡ଼ା ଚକ୍ରଧରପୁର ଡ଼ାଉନ ଲାଇନରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି । ଏପଟେ ବନବିଭାଗ ଟିମ୍ ପହଂଚି ସାରିଛନ୍ତି ଖୁବଶୀଘ୍ର ଡ଼ାକ୍ତରୀ ଟିମ୍ ପହଂଚିବା ପରେ ମୃତ ହାତୀ ୨ଟି ଶବ ବ୍ୟବଚ୍ଚେଦ ପକ୍ରିୟା ଆରମ୍ଭ ହେବ । ନାସିକରୁ ସାଲିମାର ଯାଉଥିଲା ଏହି ପାର୍ସଲ ଭେନ । ଟ୍ରାକର ଦୁଇ ପାଖରେ ପଡ଼ି ରହିଛି ୨ଟି ହାତୀର ଖଣ୍ଡବିଖଣ୍ଡିତ ଶରୀର ।

ପ୍ରତିଦିନ କେଉଁଠୁ ନା କେଉଁଠୁ ଏହିଭଳି ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି । ରେଳ ଧାରଣାରେ କଟି ଅନେକ ହାତୀଙ୍କ ଜୀବନ ଯାଉଛି । କିନ୍ତୁ ଏଦିଗରେ ଆଜିଯାଏଁ ବନବିଭାଗର ନିଦ ଭାଙ୍ଗିପାରିନି । ଜଙ୍ଗଲ ମଝିରେ ଯାଇଥିବା ଟ୍ରେନ୍ ଟ୍ରାକ୍ ହାତୀ ପାର କରିବା ପାଇଁ ଯଦି କୌଣସି ସହଜ ଉପାୟ ବାହାର କରିହୁଅନ୍ତା ତେବେ ଆସନ୍ତା ଦିନରେ ଏଭଳି ଟ୍ରେନ ଧକ୍କାରେ ହାତୀ ମରୁଥିବା ଘଟଣାକୁ ରୋକି ହୁଅନ୍ତା ।

from Kanak News
via <a href="https://ifttt.com/?

Design a site like this with WordPress.com
Get started