ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଖୁସି ଖବର…ଫେବ୍ରୁଆରି ୨ ତାରିଖରୁ ଖୋଲିବ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌

କନକ ବ୍ୟୁରୋ: ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଖୁସି ଖବର। ଫେବ୍ରୁଆରି ୨ ତାରିଖରୁ ଖୋଲିବ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌। ସେହିପରି ବୁର୍ଲା ପ୍ଲାନେଟାରିୟମ୍‌ ଓ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ମଧ୍ୟ ଖୋଲିବ। କରୋନା କଟକଣା ଭିତରେ ସାମାଜିକ ଦୂରତା ରକ୍ଷା କରି ଏହି ସବୁ ପ୍ଲାନେଟାରିୟମ୍‌ ଆଗ ଭଳି ସୋମବାର ବ୍ୟତୀତ ଅନ୍ୟ ସବୁ ଦିନ ଖୋଲା ରହିବ। ପ୍ଲାନେଟାରିୟମ୍‌ ପରିସରରେ ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ୍‌ କରିବା ବାଧ୍ୟତାମୂଳକ କରାଯାଇଛି।

ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ପ୍ଲାନେଟାରିୟମ୍‌ ଭିତରର ପ୍ରତିଟି ସୋ’ ପାଇଁ ଆମେ ୫୦ଜଣଙ୍କୁ ହିଁ ଅନୁମତି ଦେବୁ। ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମରେ ପ୍ରତି ସୋ’ ପାଇଁ ୧୭୦ଟି ଲେଖାଏଁ ସିଟ୍‌ ରହିଥିବା ବେଳେ ବୁର୍ଲା ପ୍ଲାନେଟାରିୟମରେ ୧୪୦ଟି ସିଟ୍‌ ରହିଛି। କିନ୍ତୁ ଏବେ ଉଭୟ ପ୍ଲାନେଟାରିୟମ୍‌ର ସୋ’ ପାଇଁ ମାତ୍ର ୫୦ଜଣଙ୍କୁ ହିଁ ଅନୁମତି ଦିଆଯିବ। ସୋ’ ହଲ୍‌କୁ ନିୟମିତ ବ୍ୟବଧାନରେ ବିଶୋଧିତ କରାଯିବ। ୨ଟି ସୋ’ ମଧ୍ୟରେ ସମୟ ଅବଧିକୁ ଏବେ ବଢ଼ାଇ ଦିଆଯାଇଛି। ଫଳରେ ହଲ୍‌କୁ ଭଲ ଭାବେ ବିଶୋଧିତ କରାଯାଇପାରିବ। ଏଥିସହ ପରବର୍ତୀ ଓ ପଛ ସିଟ୍‌କୁ ଛାଡ଼ି ଦର୍ଶକଙ୍କର ବସିବାର ବ୍ୟବସ୍ଥା ହୋଇଛି। ଏବେ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରେ ୩ଟି ସୋ’ ହିଁ ପଡ଼ିବ। ଓଡ଼ିଆରେ ‘ଆକାଶର ଅସରନ୍ତି କଥା’, ହିନ୍ଦୀରେ ‘ରହସ୍ୟମୟ ବିଶ୍ବ’ ଓ ଇଂରାଜୀରେ ‘ସିକ୍ରେଟ୍‌ସ୍‌ ଅଫ୍‌ ସନ୍‌’। ଏହି ସବୁ ସୋ’ ୩୦ରୁ ୪୦ମିନିଟ୍‌ ଭିତରେ ରହିଛି। ମଝିରେ ମଝିରେ ସୋ’ ବି ପରିବର୍ତ୍ତନ କରାଯିବାର ଯୋଜନା ହେଉଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ନିର୍ଦ୍ଦେଶକ କହିଛନ୍ତି।

from Kanak News
via <a href="https://ifttt.com/?

ପୋଲିସ ଫେରାଇଲା ଚୋରି ସାଇକେଲ: ଖୋର୍ଦ୍ଧାରୁ ଚୋରି ସାଇକେଲକୁ ଉଦ୍ଧାର କରି ୮ବର୍ଷର ଶିଶୁକୁ ଫେରାଇଲା ନୟାପଲ୍ଲୀ ଥାନା ପୋଲିସ

କନକ ବ୍ୟୁରୋ: ପୋଲିସ ଫେରାଇଲା ଚୋରି ସାଇକେଲ । ଖୋର୍ଦ୍ଧାରୁ ଚୋରି ସାଇକେଲକୁ ଉଦ୍ଧାର କରି ୮ବର୍ଷର ଶିଶୁକୁ ଫେରାଇ ଦେଲା ନୟାପଲ୍ଲୀ ଥାନା ପୋଲିସ । ଶିଶୁ ପାର୍ଥ ଦାସ ପଟ୍ଟନାୟକ ମାଉସୀଙ୍କଠାରୁ ଉପହାର ପାଇଥିଲେ ସାଇକେଲ । ହେଲେ ସାଇକେଲକୁ ଚଳାଇବା ପୂର୍ବରୁ ଏହା ଚୋରି ହୋଇ ଯାଇଥିଲା । ଯେଉଁଠି ଲକ୍ଷ ଲକ୍ଷ ଟଙ୍କାର ଗାଡ଼ି ଚୋରି ହୋଇଗଲେ ମିଳୁନି ସେଠି ଏ ସାଇକେଲ କେଉଁଠୁ ବା ମିିଳିବ । ଏଭଳି ଦ୍ୱନ୍ଦ୍ୱରେ ପରିବାର ଲୋକ ପାର୍ଥଙ୍କ ପାଇଁ ଠିକ୍ ସେହିପରି ସାଇକେଲ କିଣି ଦେବାକୁ କହିଥିଲେ । ହେଲେ ପାର୍ଥଙ୍କ ମନ ଥିଲା ସେହି ଚୋରି ସାଇକେଲ ଉପରେ ।

ତାଙ୍କର ଜିଦ୍ ଥିଲା ସେହି ସାଇକେଲ ହେଲେ ଚଳେଇବି ନହେଲେ ନାହିଁ । ତେବେ ପିଲାର ଏଭଳି ଜିଦ୍ ଦେଖି ପରିବାର ଲୋକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ସାଇକେଲ ସହ ଛୋଟ ପିଲାର ଭାବପ୍ରବଣତାକୁ ଦେଖି ପୋଲିସ ଅଭିଯୋଗକୁ ଗୁରୁତର ସହ ନେଇଥିଲା ଏବଂ ଖୋର୍ଦ୍ଧାରୁ ଚୋରି ସାଇକେଲଟିକୁ ଉଦ୍ଧାର କରିଥିଲା । ତେବେ ଅଭିଯୁକ୍ତ ପ୍ରଦୀପ ମହାନ୍ତିଙ୍କୁ ଗିରଫ କରିଥିଲା ପୋଲିସ । ଚୋରି ସାଇକେଲକୁ ଉଦ୍ଧାର କରି ପୋଲିସ ପାର୍ଥଙ୍କ ଘରେ ଦେଇ ଆସିଥିଲେ ।

from Kanak News
via <a href="https://ifttt.com/?

ମାର୍ଚ୍ଚରେ ମିଳିପାରେ ‘କାଳିଆ’ ତୃତୀୟ କିସ୍ତି: ପିଏମ୍ କିଷାନର ୬ହଜାର, କାଳିଆର ୪ହଜାର ଟଙ୍କା ଦେବାକୁ ସରକାରଙ୍କ ଯୋଜନା; ୨୦୨୦ ଖରିଫ୍‌ ଓ ରବି ବାବଦ ସହାୟତା ମିଳିବ

କନକ ବ୍ୟୁରୋ: ‘କାଳିଆ’ ଯୋଜନାର ତୃତୀୟ କିସ୍ତି ଅର୍ଥ ଚାଷୀଙ୍କୁ ଆସନ୍ତା ମାର୍ଚ୍ଚରେ ପ୍ରଦାନ କରାଯିବ। ଏଥିପାଇଁ ସରକାର ସଜବାଜ ହେଲେଣି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ପୁଣି ଥରେ ‘କାଳିଆ’ ଟଙ୍କା ଦିଆଯିବ, କିନ୍ତୁ ଟିକେ ଭିନ୍ନ ଢଙ୍ଗରେ। ତୃତୀୟ କିସ୍ତି ଅର୍ଥ ପ୍ରଦାନ ବେଳେ ପିଏମ୍‌ କିଷାନ ସହାୟତା ଅର୍ଥର ସାହାରା ନେବାକୁ ସରକାର ଯୋଜନା କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପିଏମ୍‌ କିଷାନ୍‌ ସମ୍ମାନ ନିଧି ଯୋଜନାରେ ୬ ହଜାର ଟଙ୍କା ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ‘କାଳିଆ’ ସହାୟତା ଯୋଜନାରେ ୪ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଅର୍ଥାତ୍‌ ସରକାର ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନ ନେଇ ଦେଇଥିବା ପ୍ରତିଶ୍ରୁତି ପିଏମ୍‌ କିଷାନ ସହାୟତା ଅର୍ଥ ସହିତ ‘ଟପ୍‌ ଅପ୍‌’ ଭଳି ପ୍ରଦାନ କରିବେ। ଏହାଦ୍ବାରା ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ କମପଡ଼ିବ। କୃଷି ବିଭାଗରେ ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ସରକାର ଆଉ ୨୦୧୯ ରବି ଋତୁ ପାଇଁ ‘କାଳିଆ’ ସହାୟତା ପ୍ରଦାନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି ଅର୍ଥ ଚାଷୀ ହରାଇଲେ। ୨୦୨୦ ଖରିଫ୍‌ ଓ ରବି ଋତୁ ପାଇଁ ‘କାଳିଆ’ର ତୃତୀୟ ଓ ଚତୁର୍ଥ କିସ୍ତି ଅର୍ଥ ପ୍ରଦାନ କରିବାକୁ ସରକାର ସ୍ଥିର କରିଛନ୍ତି। ସେହିଭଳି ରାଜ୍ୟ ସରକାର ନିଜ ଅର୍ଥରୁ ୧୬ ଲକ୍ଷ ୯ ହଜାର ୪୦୨ ଜଣ ଭୂମିହୀନ ଚାଷୀଙ୍କୁ ଆଉ ମାତ୍ର ୨ ହଜାର ୫୦୦ ଟଙ୍କା ଲେଖାଏଁ ପ୍ରଦାନ କଲେ ପ୍ରତିଶ୍ରୁତି ମୁତାବକ ୧୨ ହଜାର ୫୦୦ ଟଙ୍କା ହେବ। ୨୦୨୧ ଖରିଫ୍‌ ବର୍ଷ ପାଇଁ ସରକାର ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି ବୋଲି ସମ୍ପୃକ୍ତ ଅଧିକାରୀ ଜଣକ କହିଛନ୍ତି।

ଅନ୍ୟପକ୍ଷରେ ଭୂମିହୀନ ଚାଷୀ, କୃଷି ଶ୍ରମିକ ଓ ଭାଗଚାଷୀଙ୍କୁ ସହାୟତା ପ୍ରଦାନ ନେଇ କେନ୍ଦ୍ର ସରକାରଙ୍କ ପିଏମ୍‌ କିଷାନ ସହାୟତା ଯୋଜନାରେ କିଛି ବ୍ୟବସ୍ଥା ନାହିଁ। ସେଥିପାଇଁ ରାଜ୍ୟ ସରକାର ୨୦୨୦ ଜୁଲାଇ ୧୬ ତାରିଖରେ ସେମାନଙ୍କ ପାଇଁ ସହଜ କୃଷି ଋଣ ଓ ସାଧନ ପରିପୂରକ ଶୀର୍ଷକ ‘ବଳରାମ’ ଯୋଜନା ପ୍ରଣୟନ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ଯୋଜନା ପାଇଁ ୨୦୨୦ ସେପ୍ଟେମ୍ବର ୪ ତାରିଖରେ ସର୍ତ୍ତାବଳୀ ଜାରି କରାଯାଇ ଯୋଜନା କାର୍ଯ୍ୟକାରୀ କରାଯାଇଛି। ସର୍ତ୍ତାବଳୀ ମୁତାବକ ୩୦ଟି ଜିଲ୍ଲାରେ ଭୂମିହୀନ ଓ ଭାଗଚାଷୀଙ୍କୁ ନେଇ ଯୁଗ୍ମ ଉତ୍ତରଦାୟୀ ଗ୍ରୁପ ଗଠନ କରାଯିବ। ଆଉ ସେହି ଗ୍ରୁପକୁ ଋଣ ପ୍ରଦାନ କରାଯିବ।

ହେଲେ କୃଷି ବିଭାଗର ତଥ୍ୟ ଅନୁଯାୟୀ, ୨୦୨୧ ଜାନୁଆରି ୨୦ ତାରିଖ ସୁଦ୍ଧା ୩୦ଟି ଜିଲ୍ଲାରେ ୬୫ ହଜାର ଯୁଗ୍ମ ଉତ୍ତରଦାୟୀ ଚାଷୀ ସଂଗଠନକୁ ଋଣ ପ୍ରଦାନ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେଥିରୁ ଗତ ୨୮ ତାରିଖ ସୁଦ୍ଧା ୧୭୫୧ଟି ଚାଷୀ ସଂଗଠନକୁ ମାତ୍ର ୧ କୋଟି ୧୮ ଲକ୍ଷ ଟଙ୍କାର ଋଣ ଆବଣ୍ଟନ ହୋଇଛି। ଅର୍ଥାତ୍‌ ବଳରାମ ଯୋଜନା ପ୍ରଣୟନ ହେବାର ୪ ମାସରୁ ଅଧିକ ସମୟ ବିତିଥିଲେ ବି ଚାଷୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ସରକାରଙ୍କୁ ଆଶାନୁରୂପ ସଫଳତା ମିଳିନାହିଁ।

ଏଠାରେ ଉଲ୍ଲେଖଥାଉକି, ୨୦୧୯ ନିର୍ବାଚନ ପୂର୍ବରୁ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ। ସେବେ ସରକାର ଘୋଷଣା କରିଥିଲେ ଯେ ଖରିଫ ଓ ରବି ଋତୁରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। ମୋଟ ୫ଟି କିସ୍ତିରେ ୨୫ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ଭୂମିହୀନ ଚାଷୀଙ୍କୁ ସର୍ବକାଳୀନ ୧୨ ହଜାର ୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପର୍ଯ୍ୟନ୍ତ ମିଳିବ।

from Kanak News
via <a href="https://ifttt.com/?

ସେନାଙ୍କ ନିର୍ଭର କରୁଥିବା ଏଲପିଜି କାରଖାନା ଚଲାଉଛନ୍ତି ମହିଳା କର୍ମୀ । ହାଡଭଙ୍ଗା ଥଣ୍ଡରେ ସେନାକୁ ଠିକ୍ ସମୟରେ ଯୋଗାଉଛନ୍ତି ରୋଷେଇ ଗ୍ୟାସ

ଭାରତୀୟ ସେନା ନିର୍ଭର କରୁଥିବା ଲଦାଖର ଲେହ୍‌ ନିକଟରେ ଥିବା ଏକମାତ୍ର ‘ଏଲ୍‌ପିଜି ବଟ୍‌ଲିଙ୍ଗ୍‌ ପ୍ଲାଣ୍ଟ୍‌’ରେ କେବଳ ମହିଳାମାନେ କାର୍ଯ୍ୟ କରନ୍ତି। ୧୨ଜଣ ମହିଳା କାର୍ଯ୍ୟ କରୁଥିବା ଏହି ‘ଏଲ୍‌ପିଜି ବଟ୍‌ଲିଙ୍ଗ୍‌ ପ୍ଲାଣ୍ଟ୍‌’ରୁ ଭୀଷଣ ଥଣ୍ଡାରେ ଚୀନ୍‌ର ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ ଉପରେ ନଜର ରଖିଥିବା ୫୦, ୦୦୦ ଭାରତୀୟ ଯବାନଙ୍କ ରୋଷେଇବାସ ନିମନ୍ତେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ଯାଏ ।

ରାଷ୍ଟ୍ରାୟତ ତୈଳ କମ୍ପାନି ‘ଇଣ୍ଡିଆନ୍‌ ଅଏଲ୍‌’ଦ୍ୱାରା ସ୍ଥାପିତ ଏହି ‘ପ୍ଲାଣ୍ଟ୍‌’ ହେଉଛି ଲଦାଖରେ ରୋଷେଇ ନିମନ୍ତେ ଆବଶ୍ୟକ ଗ୍ୟାସ୍‌ର ଏକମାତ୍ର ଉତ୍ସ। ଏହି ପ୍ଲାଣ୍ଟ୍‌ରେ ଭରା ଯାଉଥିବା ଗ୍ୟାସ୍‌ ସିଲିଣ୍ଡର୍‌ଗୁଡ଼ିକର ପ୍ରାୟ ୪୦% ଯାଏ ପ୍ରତିରକ୍ଷା ପ୍ରତିଷ୍ଠାନକୁ।

ମହିଳାମାନଙ୍କଦ୍ୱାରା ପରିଚାଳିତ ଦେଶର ଏହି ଏକମାତ୍ର ‘ଏଲ୍‌ପିଜି ୟୁନିଟ୍‌’ରେ ମହିଳାମାନେ ଉତ୍ପାଦନ ଠାରୁ ଆରମ୍ଭ କରି ଗ୍ୟାସ୍‌ ଟାଙ୍କି ‘ସିଲ୍‌’ର ମାନ ମଧ୍ୟ ଯାଞ୍ଚ୍‌ କରନ୍ତି। ଏହା ସହ ସେମାନେ ନିରାପତ୍ତା ବ୍ୟବସ୍ଥା ମଧ୍ୟ ପରିଚାଳନା କରନ୍ତି। ନିରାପତ୍ତା ଅଧିକାରୀ ସେତାନ୍‌ ଆଙ୍ଗମୋଙ୍କୁ ଛାଡ଼ି ଦେଲେ ବାକି ସମସ୍ତେ ଠିକା କର୍ମଚାରୀ। କେବଳ ଗାଡ଼ିରେ ଟାଙ୍କି ବୋଝେଇ କରିବା ଭଳି ଓଜନଦାର ସାମଗ୍ରୀ ଉଠାଇବା କାର୍ଯ୍ୟ ୫ଜଣ ପୁରୁଷ ଲୋକ କରନ୍ତି।

ପ୍ଲାଣ୍ଟ୍‌ ଏବଂ ପରିବାର ଚଳାଉଥିବା ୨୦ରୁ ୪୦ ବର୍ଷ ବୟସ୍କା ଏହି ମହିଳାମାନେ ପ୍ରାୟ ୨୦ରୁ ୩୫ କିଲୋମିଟର୍‌ ଦୂରରେ ଥିବା ନିଜ ନିଜର ବାସସ୍ଥାନରୁ କାର୍ଯ୍ୟକ୍ଷେତ୍ରକୁ ସ୍ୱାଭାବିକ ଭାବେ ଯାତାୟାତ କରନ୍ତି।

from Kanak News
via <a href="https://ifttt.com/?

ପୋକ୍ସୋ ଆଇନକୁ ନେଇ ବିବାଦୀୟ ରାୟ ଦେବା ମହିଳା ବିଚାରପତିଙ୍କୁ ପଡ଼ିଲା ମହଙ୍ଗା: ଜଷ୍ଟିସ ପୁଷ୍ପା ଗନେଡ଼ିୱାଲଙ୍କ ସ୍ଥାୟୀ ଜର୍ଜ ନିଯୁକ୍ତି ସୁପାରିସକୁ ପ୍ରତ୍ୟାହାର କଲା ସୁପ୍ରିମକୋର୍ଟ କଲେଜିଅମ୍

କନକ ବ୍ୟୁରୋ: ଶିଶୁଙ୍କ ପ୍ରତି ଯୌନ ଅପରାଧ ହେଲେ, ଏହାକୁ ବିଚାର କରୁଥିବା ବିଚାରପତି କେତେ ସମ୍ବେଦନଶୀଳ ହେବା ଦରକାର । ଅବଶ୍ୟ ବିଚାରପତି ଆସନରେ ବସିଥିବା ବେଳେ କେବଳ ତଥ୍ୟ ପ୍ରମାଣକୁ ଆଧାର କରି ରାୟ ପ୍ରଦାନ କରିଥାନ୍ତି ବିଚାରପତି । କିନ୍ତୁ ପୋକ୍ସୋ ଆଇନକୁ ନେଇ ବିବାଦୀୟ ରାୟ ଦେଇ ଅସୁବିଧାରେ ପଡ଼ି ଯାଇଛନ୍ତି ଜଣେ ମହିଳା ବିଚାରପତି । ବମ୍ବେ ହାଇକୋର୍ଟରେ ଅତିରକ୍ତ ବିଚାରପତି ଭାବେ କାମ କରୁଥିବା ଜଷ୍ଟିସ ପୁଷ୍ପା ଗନେଡ଼ିୱାଲଙ୍କ ସ୍ଥାୟୀ ନିଯୁକ୍ତି ସୁପାରସକୁ ପ୍ରତ୍ୟାହାର କରିନେଇଛି ସୁପ୍ରିମକୋର୍ଟ କଲେଜିୟମ ।

ଜଣେ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ମାମଲାରେ ବିବାଦୀୟ ରାୟ ଦେଇଥିବା ମୁମ୍ବାଇ ହାଇକୋର୍ଟର ବିଚାରପତି ଜଷ୍ଟିସ ପୁଷ୍ପା ଗନେଡ଼ିୱାଲଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ସୁପ୍ରିମ୍‌କୋର୍ଟ କରିଥିବା ସୁପାରିସକୁ ପ୍ରତ୍ୟାହାର କରିନିଆଯାଇଛି। କୌଣସି ନାବାଳିକାର ବସ୍ତ୍ର ନଫିଟାଇ ଏବଂ ଚର୍ମଘର୍ଷଣ ବିନା ଶରୀରରେ କେବଳ ହସ୍ତ ସଂଚାଳନକୁ ଯୌନ ନିର୍ଯାତନା କୁହାଯାଇ ପାରିବ ନାହିଁ ବୋଲି ଗତ ୧୯ ତାରିଖରେ ଏକ ମାମଲାର ବିଚାର କରି ଜଷ୍ଟିସ ଗନେଡ଼ିୱାଲ ରାୟ ଦେଇଥିଲେ। ନାବାଳିକାଙ୍କ ବକ୍ଷୋଜରେ କେବଳ ହସ୍ତ ସଂଚାଳନ କରାଯାଇଥିବାରୁ ପୋକ୍ସୋ ଆଇନରେ ତାହାକୁ ଯୌନ ନିର୍ଯାତନା କୁହାଯାଇପାରିବ ନାହିଁ ବୋଲି ସେ ଦର୍ଶାଇଥିଲେ।

ସେଥିପାଇଁ ଯୌନାକାଂକ୍ଷା ରଖି ଚର୍ମସଂଯୋଗ ଜରୁରୀ ବୋଲି ସେ ଟିପ୍ପଣୀ କରିଥିଲେ। ତେବେ ଏଭଳି ରାୟକୁ କେନ୍ଦ୍ର କରି ନାନା ବିତର୍କ ଓ ଅଶାନ୍ତି ଆରମ୍ଭ ହେବାରୁ ତାହାକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଥିଲେ। ଅପରପକ୍ଷେ, ଜଷ୍ଟିସ ଗନେଡ଼ିୱାଲ ତାଙ୍କ ଆଇନଜୀବୀ ପେସା ବେଳେ ଏଭଳି ସମ୍ବେଦନଶୀଳ ମାମଲା ଭେଟିନାହାନ୍ତି, ତେଣୁ ତାଙ୍କୁ ହାଇକୋର୍ଟର ବିଚାରପତି ହେବା ପାଇଁ ଅଧିକ ଅଭିଜ୍ଞତା ଓ ପ୍ରଶିକ୍ଷଣ ଜରୁରୀ ବୋଲି ଅନୁଭବ କରି କଲେଜିଅମ୍‌ ତାଙ୍କର ପୂର୍ବ ସୁପାରିସ୍‌ ଫେରାଇ ନେଇଥିବା ସୁପ୍ରିମକୋର୍ଟର ଏକ ବିଶେଷ ସୂତ୍ରରୁ ଜଣାଯାଇଛି। ଜଷ୍ଟିସ୍‌ ପୁଷ୍ପାଙ୍କ ରାୟ ନେଇ ବିଭିନ୍ନ ମହିଳା ସଂଗଠନ ଏବଂ ଶିଶୁ ଅଧିକାର ସଂଗଠନ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

from Kanak News
via <a href="https://ifttt.com/?

କମ୍ବଳ ଭିତରେ ଗଂଜେଇ କାରବାର ! ଚୋରାଚାଲଣ ବେଳେ ଗଜପତିରୁ ୪୮ କେଜି ୭୦୦ଗ୍ରାମର ଗଂଜେଇ ଜବତ କଲା ପୋଲିସ

କନକ ବ୍ୟୁରୋ: କମ୍ବଳ ବୋଝେଇ ଗାଡ଼ିରେ ଜବତ ହେଲା ଗଂଜେଇ । ଚୋରା ଚାଲଣ ବେଳେ ଗଜପତି ଜିଲ୍ଲାରୁ ୪୮ କେଜି ୭୦୦ଗ୍ରାମର ଗଂଜେଇ ଜବତ କଲା ଅଡ଼ବା ପୋଲିସ । ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ପାଟ୍ରୋଲିଂ କରୁଥିବା ବେଳେ ୨ଟି ବୋଲେରୋ ମିନି ଟ୍ରକକୁ ଅଟକାଇ ଯାଂଚ କରିଥିଲା ପୋଲିସ । ଗାଡ଼ିରୁ ଶୀତ ବସ୍ତ୍ର କମ୍ବଳ ସହିତ ଗଂଜେଇ ଜବତ କରିଥିଲା ପୋଲିସ । ମାଣ୍ଡିମରା ଅଂଚଳରୁ ବ୍ରହ୍ମପୁର ଯାଉଥିଲା ଏହି ଗଂଜେଇ । ୨ଟି ଗାଡ଼ି ସହ ଗଂଜେଇ ଜବତ କରିଛି ପୋଲିସ ।

from Kanak News
via <a href="https://ifttt.com/?

ଇସ୍ରାଏଲ୍ ଦୂତାବାସରେ ବିସ୍ଫୋରଣ ଘଟଣା : ବିସ୍ଫୋରଣ ଅଞ୍ଚଳ ଦେଇ ଯାଇଥିବା ୧୮୨ଜଣଙ୍କ ଉପରେ ପୋଲିସର ନଜର

ଗତ ଶୁକ୍ରବାର ଅପରାହ୍ଣରେ ଇସ୍ରାଏଲ୍‌ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣର ଦୁଇ ଘଣ୍ଟା ମଧ୍ୟରେ ସେ ଅଞ୍ଚଳ ଦେଇ ଯାତାୟାତ କରିଥିବା ପ୍ରାୟ ୧୮୨ଜଣ ବ୍ୟକ୍ତିଙ୍କ ଉପରେ ଏବେ ପୁଲିସର ନଜର ରହିଛି।

ଇସ୍ରାଏଲ୍‌ ଦୂତାବାସରୁ ଦକ୍ଷିଣ ଦିଲ୍ଲୀ ଆଡ଼କୁ ପଡ଼ିଥିବା ଡକ୍ଟର୍‌ ଏପିଜେ ଅବ୍ଦୁଲ୍‌ କଲାମ୍‌ ରୋଡ୍‌ର ଗୋଟିଏ କ୍ୟାରେଜ୍ୱେରେ ଶୁକ୍ରବାର ଅପରାହ୍ଣ ୩.୧୦ ରୁ ୫.୧୦ ମଧ୍ୟରେ ସମୁଦାୟ ୬୧ଜଣ ବ୍ୟକ୍ତି ଚାଲି ଚାଲି ଯାଇଥିଲେ।

ଦକ୍ଷିଣ ଦିଲ୍ଲୀ ପଟରୁ ଦୂତାବାସ ଆଡ଼କୁ ଆସିଥିବା ଏହି ରାସ୍ତାର ଅନ୍ୟ ଏକ କ୍ୟାରେଜ୍ୱେରେ ଉକ୍ତ ସମୟ ମଧ୍ୟରେ ୧୨୧ଜଣ ବ୍ୟକ୍ତି ଚାଲି ଚାଲି ଯାଇଥିଲେ। ଏହି ୧୮୨ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କେହି ଇସ୍ରାଏଲୀୟ ଦୂତାବାସ ବାହାର ଏପିଜେ ଅବ୍ଦୁଲ୍‌ କଲାମ୍‌ ରୋଡ୍‌ କଡ଼ରେ ଥିବା ଏକ ଗଛମୂଳେ ବିସ୍ଫୋରକଟି ପକାଇ ଦେଇଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।

ସନ୍ଧ୍ୟା ୫.୧୦ରେ ଦୂତାବାସ ବାହାରେ ଏକ ନିମ୍ନ ତୀବ୍ରତାସମ୍ପନ୍ନ ବିସ୍ଫୋରଣ ଘଟିବା ଫଳରେ ପାଖରେ ରଖାଯାଇଥିବା ଅନ୍ୟୂନ ତିନୋଟି କାର୍‌ର ସମ୍ମୁଖ କାଚ ଭାଙ୍ଗି ଯାଇଥିଲା। କିନ୍ତୁ, ଏଥିରେ କେହି ମୃତାହତ ହୋଇ ନ ଥିଲେ।

ରାସ୍ତାର ବିସ୍ଫୋରଣସ୍ଥଳ ଦେଇ ଅତିକ୍ରମ କରିଥିବା ସମସ୍ତ ଲୋକଙ୍କୁ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍‌ ଚିହ୍ନଟ କରିବା ଆରମ୍ଭ କରିଛି। ଏହି ରାସ୍ତାରେ ଦିଲ୍ଲୀ ପୁଲିସ ଓ ସରକାର ଖଞ୍ଜିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ରୁ ୧୮୨ଜଣ ବ୍ୟକ୍ତିଙ୍କ ଚିତ୍ର ସଂଗ୍ରହ କରାଯାଇଛି। ପୁଲିସ ମଧ୍ୟ ଇସ୍ରାଏଲ୍‌ ଦୂତାବାସ ନିକଟରେ ଅବସ୍ଥିତ ବଙ୍ଗଳାଗୁଡ଼ିକରୁ ଫୁଟେଜ୍‌ ସଂଗ୍ରହ କରିଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି, ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଆମେ ଚିହ୍ନଟ କରି ସାରିଛୁ। ଏହି ମାମଲାରେ ସମସ୍ତଙ୍କୁ ଜେରା କରାଯିବ।

from Kanak News
via <a href="https://ifttt.com/?

ଭାରତକୁ ମିଳିବ ଆଉ ଏକ କରୋନା ଟିକା: ସେରମ ଇନଷ୍ଟିଚ୍ୟୁଟ୍ ମୁଖ୍ୟଙ୍କ ବଡ ଘୋଷଣା; ଜୁନ୍ ମାସରେ ଲଞ୍ଚ ହେବ ‘କୋଭାଭାକ୍ସ’ ଟିକା

କନକ ବ୍ୟୁରୋ: ଭାରତକୁ ମିଳିବ ଆଉ ଏକ କରୋନା ଟିକା । ଜୁନ୍ ମାସରେ ଶୁଭାରମ୍ଭ ହୋଇପାରେ ‘କୋଭାଭାକ୍ସ’  ଟିକା । ଏଭଳି ଘୋଷଣା କରିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଅଦାର ପୁନାୱାଲା । ଟ୍ୱିଟ୍ କରି ପୁନାୱାଲା ସୂଚନା ଦେଇଛନ୍ତି, କୋଭାଭାକ୍ସ ଟିକାର ପରୀକ୍ଷଣ ପାଇଁ ସରକାରଙ୍କୁ ଅନୁମତି ମଗାଯାଇଛି । ଜୁନ୍ ୨୦୨୧ ସୁଦ୍ଧା ଏହାର ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି । ସେରମ୍ ଇନଷ୍ଟିଚ୍ୟୁଟ୍ ନୋଭୋଭାକ୍ସ ସହ ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରୁଛି । ଏହା ସଫଳ ହେଲେ ଭାରତକୁ ତୃତୀୟ କରୋନା ଟିକା ମିଳିବ ।

ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ ଓ ଅକ୍ସଫୋର୍ଡ- ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଭାରତରେ ଚାଲିଥିବା ଟିକାକରଣରେ ବ୍ୟବହାର କରାଯାଉଛି । ଟୁଇଟ କରି ପୁନୱାଲା କହିଛନ୍ତି କରୋନା ଭାଇରସ ବିରୁଦ୍ଧରେ ଫଳପ୍ରଦ ପାଇଁ ପରୀକ୍ଷଣ ଚାଲିଥିବା କୋଭାଭାକ୍ସ ଟିକାର ଉକ୍ତୃଷ୍ଟ ଫଳାଫଳ ମିଳିଛି । ଆମେରିକୀୟ କମ୍ପାନୀ ନୋଭୋଭାକ୍ସ ଦାବି କରୁଛି ୟୁକେରେ ହୋଇଥିବା ପରୀକ୍ଷଣରେ ଏହା ୮୯ ଦଶମିକ୩ ପ୍ରତିଶତ ପ୍ରଭାବଶାଳୀ ଥିବା ଜଣାପଡିଛି । ଏହା ବ୍ରିଟେନର ନୂଆ କରୋନା ଷ୍ଟେନ୍ ବିରୋଧରେ ମଧ୍ୟ କାର୍ଯ୍ୟକ୍ଷମ ବୋଲି କମ୍ପାନୀ ଦାବି କରୁଛି । ଏହା ସହ ଗତବର୍ଷ ନୋଭୋଭାକ୍ସ ଭାରତୀୟ କମ୍ପାନୀ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ସହ ମିଳିତ ଭାବେ ୨ଶହ କୋଟି ଡୋଜର ଟିକା ଉତ୍ପାଦନ କରିବ ବୋଲି ଘୋଷଣା କରିଥିଲା ।

from Kanak News
via <a href="https://ifttt.com/?

ପୁନରୁଦ୍ଧାର ହେଉ ଶ୍ରୀଲିଙ୍ଗରାଜ ଓ ଶୁକଶାରି ମନ୍ଦିର ଚତୁଃପାର୍ଶ୍ୱରେ ଥିବା ପ୍ରାଚୀନ ମନ୍ଦିର: କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

କନକ ବ୍ୟୁରୋ: ଏକାମ୍ର କ୍ଷେତ୍ରରେ ଶୁକଶାରି ମନ୍ଦିର ପୁନରୁଦ୍ଧାର ପ୍ରସଙ୍ଗରେ ମୁଣ୍ଡ ଖେଳାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରସଙ୍ଗରେ ସେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ପତ୍ର ଲେଖିଛନ୍ତି। ଭୁବନେଶ୍ୱରର ଏକାମ୍ର କ୍ଷେତ୍ର ବିଶେଷ ଭାବରେ ପ୍ରଭୁ ଲିଙ୍ଗରାଜ ଓ ଶୁକଶାରି ମନ୍ଦିର ଚତୁଃପାର୍ଶ୍ୱରେ ଥିବା ପ୍ରଚୀନ ମନ୍ଦିରର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ତୁରନ୍ତ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସଆଇ)ର ବିଶେଷଜ୍ଞ ଦଳକୁ ଭୁବନେଶ୍ୱର ପଠାଇବାକୁ ନିର୍ଦ୍ଦେଶ ଦେବା ସହ ଏହି କ୍ଷେତ୍ରର ଖନନ କରି ବିସ୍ତୃତ ଭାବେ ଗବେଷଣାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ମତ ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ନିକଟରେ ଏଏସ୍‌ଆଇର ଭୁବନେଶ୍ୱର ଶାଖା ଦ୍ୱାରା ମନ୍ଦିରମାଳିନୀ ଭୁବନେଶ୍ୱର ସହରର ଏକାମ୍ର କ୍ଷେତ୍ରରେ ଥିବା ଶୁକଶାରି ମନ୍ଦିର ନିକଟ ୨ ଏକର ଜମିରେ ଖନନ କାର୍ଯ୍ୟ ଚାଲିଥିଲା ବେଳେ ଶାରି ମନ୍ଦିରର ଉତ୍ତର-ପଶ୍ଚିମ କୋଣରେ ଥିବା ସୋମବଂଶୀ ସମୟର ଦଶମ ଓ ଏକାଦଶ ଶତାବ୍ଦୀର ଅମୂଲ୍ୟ ଭଗ୍ନାବଶେଷ ବାହାରିଛି। ଏଏସ୍‌ଆଇ ନିକଟରେ ଦୁଇଟି ଢାଞ୍ଚା ଆବିଷ୍କାର କରିଛି, ଯାହା ଶାରି ମନ୍ଦିରର ଭଗ୍ନାବଶେଷ ବୋଲି ଜଣାପଡୁଛି। ଏଏସ୍‌ଆଇର ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଶାରି ମନ୍ଦିର ପଞ୍ଚାୟତନ ଢାଞ୍ଚାରେ ନିର୍ମାଣ ହୋଇଛି, ଯାହା ଚାରିଟି ଛୋଟ ଛୋଟ ମନ୍ଦିର ପରିସରଭୁକ୍ତ ରହିଛି। ଏକାମ୍ର କ୍ଷେତ୍ରରେ ଭୂମି ତଳେ ଅନେକ ଗୁଡ଼ିଏ ଐତିହାସିକ ଢାଞ୍ଚା ଥିବାର ଅନୁମାନ କରାଯାଉଛି।

ଭୁବନେଶ୍ୱରସ୍ଥିତ ଶୁକଶାରି ମନ୍ଦିର ଓ ପ୍ରଭୁ ଲିଙ୍ଗରାଜ ମନ୍ଦିର ପୁରାତନ କୀର୍ତ୍ତିରାଜି ଏବଂ ପ୍ରତ୍ନତତ୍ତ୍ବ ବିଭାଗ ଓ ଭଗ୍ନାବଶେଷ ଆଇନ (ଏମ୍‌ଏଏସ୍‌ଆର୍‌) ଅଧୀନରେ ଏଏସ୍‌ଆଇ ଦ୍ୱାରା ସୁରକ୍ଷିତ ରଖାଯାଇଛି। ତେଣୁ ଓଡ଼ିଶାର ପ୍ରଚୀନ କୀର୍ତ୍ତିରାଜିକୁ ସୁରକ୍ଷିତ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଓଡ଼ିଶାର ପ୍ରାଚୀନ ମନ୍ଦିରର ସ୍ଥାପତ୍ୟ, କାରୁକାର୍ଯ୍ୟ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ମହତ୍ୱକୁ ଧ୍ୟାନରେ ରଖି ଭୁବନେଶ୍ୱର ଏକାମ୍ର କ୍ଷେତ୍ର ବିଶେଷ ଭାବରେ ପ୍ରଭୁ ଲିଙ୍ଗରାଜ ଓ ଶୁକଶାରି ମନ୍ଦିର ନିକଟକୁ ଏକ ଏଏସ୍‌ଆଇର ବିଶେଷଜ୍ଞ ଦଳକୁ ପଠାଇବାକୁ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଏହା ଦ୍ୱାରା ଏଠାରେ ଭୂମି ତଳେ ଥିବା ଐତିହାସିକ ଢାଞ୍ଚାର ପୁନରୁଦ୍ଧାର ନିର୍ଦ୍ଧାରିତ ସମୟ ମଧ୍ୟରେ ହୋଇପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶାପ୍ରକଟ କରିଛନ୍ତି।

from Kanak News
via <a href="https://ifttt.com/?

ସାଇକେଲ ଚାଳନ ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ପାଇଁ ମେଗା ସାଇକ୍ଲୋଥନ: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରୁ ଆରମ୍ଭ ହେଲା ‘ଟୁର ଡି ଏକାମ୍ର’

କନକ ବ୍ୟୁରୋ: ସାଇକେଲରେ ଭୁବନେଶ୍ୱର ସହର ପରିଭ୍ରମଣ । ଓଡିଶା ସରକାରଙ୍କ କ୍ରିଡା ଓ ସଂସ୍କୃତି ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସାଇକ୍ଲୋଥନ ‘ଟୁର ଡି ଏକାମ୍ର’ । ଶହ ଶହ ଯୁବକ ଆଜି ସକାଳ ୭ଟାରେ କଳିଙ୍ଗ ଷ୍ଟାଡିୟମରୁ ଭୁବନେଶ୍ୱର ପରିଭ୍ରମଣରେ ବାହରିଛନ୍ତି । ତେବେ କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ଏହି ସାଇକେଲ ଯାତ୍ରାର ଗୋଟିଏ ଦଳ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯିବ ।

ସେହିପରି ଆଉ ଗୋଟିଏ ଦଳ ଚଉଷଠି ଯୋଗିନୀ ମନ୍ଦିର ଓ ଧଉଳିସ୍ତୁପ ଯାଏଁ ଯିବ । ଏନେଇ ଯୁବକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କ୍ରୀଡା ଓ ସଂସ୍କୃତି ସଚିବ ଦେବ ବିଶାଳ ଦେବ ପ୍ରମୁଖ ସାଇକ୍ଲୋଥନର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସିଆଇଆଇ, ୟଙ୍ଗ ଇଣ୍ଡିଆନ, ଓଡିଶା ବାୟରୋଡ, ପ୍ରମୁଖ ଆୟୋଜନ କରିଛନ୍ତି । ଏହାର ମିଡିଆ ପାର୍ଟନର ରହିଛି କନକ ନ୍ୟୁଜ ଓ ରେଡିଓ ଚକଲେଟ୍ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started