କାହିଁକି ଟିକା ନେବାକୁ ଅମଙ୍ଗ ହେଉଛନ୍ତି ସ୍ୱାସ୍ଥ୍ୟକର୍ମୀ? ପ୍ରଥମ ପର୍ଯ୍ୟାୟ ଟିକାକରଣ ସରିଆସୁଥିବା ବେଳେ କେତେ ସ୍ୱାସ୍ଥ୍ୟକର୍ମୀ ନେଲେଣି ଟିକା?

ଚଳିତ ମାସ ୧୬ ତାରିଖରୁ ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ଲାଗି ସରକାରୀ ନିଷ୍ପତ୍ତି ହୋଇଥିବାରୁ ସ୍ବାସ୍ଥ୍ୟକର୍ମୀମାନେ ଟିକା ନେଉଛନ୍ତି। ଏହା ଭିତରେ ୧୦ ଦିନ ଟିକାକରଣ ହୋଇ ସାରିଲାଣି, ତଥାପି ରାଜଧାନୀ ଭୁବନେଶ୍ବର ଏବଂ ରାଜ୍ୟର ୮ଟି ଜିଲ୍ଲାରେ ଟିକାକରଣ ନୈରାଶ୍ୟଜନକ ରହିଛି। ଆସନ୍ତା ଫେବ୍ରୁଆରି ୧୦ ସୁଦ୍ଧା ପ୍ରଥମ ଡୋଜ୍‌ ଟିକା ପ୍ରଦାନ ସାରିବା ଲାଗି ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବା ବେଳେ କିଛି ଜିଲ୍ଲାରେ ସ୍ବାସ୍ଥ୍ୟକର୍ମୀ ଟିକା ନେବା ପାଇଁ ଅମଙ୍ଗ ହେବା ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛି।

ମେସେଜ୍ ଆସିବା ସତ୍ତ୍ବେ ଯେଉଁମାନେ ଟିକା ନେଉନାହାନ୍ତି, ପରବର୍ତୀ ସମୟରେ ସେମାନଙ୍କୁ ଆଉ ମାଗଣା ଟିକା ଦିଆଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରି ଦେଇଛନ୍ତି। ଏପରିକି ଦାବି ପୂରଣ ନ ହେଲେ ଟିକା ବର୍ଜନ କରିବ‌େ ବୋଲି କହୁଥିବା ସ୍ବାସ୍ଥ୍ୟକର୍ମୀମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଟିକା ନେଇ ସାରିଲେଣି। ଆଉ ଯେଉଁମାନେ ଅଛନ୍ତି, ସେମାନେ ମଧ୍ୟ ଖୁବ୍‌ଶୀଘ୍ର ଟିକା ନେବେ ବୋଲି କହୁଛନ୍ତି। ଏହା ସତ୍ତ୍ବେ କେତେକ ଜିଲ୍ଲାରେ ଟିକାକରଣ ଆଶାନୁରୂପ ନ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଟିକାକୁ ନେଇ ରହିଥିବା ଦ୍ବନ୍ଦ୍ବ ଦୂର କରିବାରେ ସରକାରୀସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥିବା ଏହାର କାରଣ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

କରୋନା ଟିକାକରଣରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ପାଲଟିଛି। ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୩ଲକ୍ଷ ୩୮ହଜାର ୭ଶହ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଗତକାଲି ସୁଦ୍ଧା ରାଜ୍ୟରେ ୧ଲକ୍ଷ ୯୪ହଜାର ୫୮ଜଣ ଟିକା ନେଇ ସାରିଲେଣି। ସମୁଦାୟ ସ୍ବାସ୍ଥ୍ୟକର୍ମୀଙ୍କ ଏହା ହେଉଛି ୫୭.୩ ପ୍ରତିଶତ। ତେବେ ଦେବଗଡ଼ରେ ଧାର୍ଯ୍ୟ ଲକ୍ଷ୍ୟର ୪୨ପ୍ରତିଶତ ଟିକାକରଣ ହୋଇଥିବା ବେଳେ ଖୋର୍ଧାରେ ୬୧ ପ୍ରତିଶତ ହୋଇଛି। ଯାଜପୁରରେ ୬୨, ଜଗତସିଂହପୁରରେ ୬୬, ନୟାଗଡ଼ରେ ୬୭, ଭୁବନେଶ୍ବର ସହରାଞ୍ଚଳ ଓ କଟକରେ ୭୬, ସମ୍ବଲପୁରରେ ୭୭ ଓ କେନ୍ଦୁଝରେ ୭୮ ପ୍ରତିଶତ ଟିକାକରଣ ହୋଇଛି। ଏବେ ଟିକାର ପ୍ରଥମ ଡୋଜ୍ ଦିଆଯାଉଛି। ଫେବ୍ରୁଆରି ୧୫ ତାରିଖରେ ଦ୍ବିତୀୟ ଡୋଜ୍‌(୨୮ଦିନ ପରେ) ଦିଆଯିବ। ତେଣୁ ଆସନ୍ତା ୧୦ ତାରିଖ ସୁଦ୍ଧା ଏସବୁ ଜିଲ୍ଲାରେ ଶତ ପ୍ରତିଶତ ଟିକାକରଣ ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଦିଆଯାଇଛି। ଏପରିକି ଟିକା ନ ନେଲେ, ପରବର୍ତୀ ସମୟରେ ଦ୍ବିତୀୟବାର ସରକାରୀ ସ୍ତରରେ ଆଉ ଟିକା ନେଇପାରିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି। ଗୋଟିଏ ପଟେ ଓଡ଼ିଶା ଟିକାକରଣରେ ଆଗୁଆ ରହିଥିବା ବେଳେ କିଛି ଜିଲ୍ଲାରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନ ହେବା ନେଇ ଏକପ୍ରକାର ଆଶଙ୍କା ସୃଷ୍ଟି ହେଲାଣି।

ବରିଷ୍ଠ ଚିକିତ୍ସକ ଡା. କ୍ଷୀରୋଦ ରାଉତଙ୍କ କହିବା ମୁତାବକ, ଲୋକଙ୍କ ମନରେ ଟିକାକୁ‌ ନେଇ ରହିଥିବା ହେଜିଟେନ୍‌ସି ବା ଦ୍ବିଧାର ଅନେକଗୁଡ଼ିଏ କାରଣ ରହିଛି। ଟିକା କେତେ ସୁରକ୍ଷିତ ଓ କେତେଦିନ ପର୍ଯ୍ୟନ୍ତ ଏହା କରୋନା ଭୂତାଣରୁ ସୁରକ୍ଷା ଦେବ, ‌ତାହାର କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ। ଏହାସହ ଟିକା ନେବା ପରେ ପାର୍ଶ୍ବ ପ୍ରତିକ୍ରିୟାକୁ ନେଇ ମଧ୍ୟ ଅନେକ ଚିନ୍ତିତ ହେବା ସ୍ବାଭାବିକ। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଟିକା ନେଉଥିବା ବେଳେ ସେମାନଙ୍କର ହୁଏତ କିଛି ଚାକିରି ସଂପର୍କିତ ଦାବି ରହିଥାଇପାରେ। ଯାହାକୁ ନେଇ ସେମାନେ ଟିକା ନେବାକୁ ଅମଙ୍ଗ ହୋଇପାରିଥାନ୍ତି। ଏହାସହ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ ଟିକା ନେବାର କ’ଣ ଆବଶ୍ୟକତା ରହିଛି, ତାହା ମଧ୍ୟ ଅନେକଙ୍କୁ ଟିକା ନେବାରେ ପଛଘୁଞ୍ଚା ଦେଇପାରେ। ଅଧିକାଂଶ ଭୂତାଣୁ ସଂକ୍ରମଣରେ ଦେଖାଯାଇଛି ଯେ ଟିକାକରଣ ଆରମ୍ଭ ହେବା ପୂର୍ବରୁ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଥାଏ। ଟିକା କ’ଣ ଜୀବନସାରା କରୋନା ସଂକ୍ରମଣରୁ ସୁରକ୍ଷା ଦେଇପାରିବ?, ତାହା ମଧ୍ୟ ଲୋକଙ୍କୁ ଆନ୍ଦୋଳିତ କରୁଛି। ସଂକ୍ରମଣ ଶୀର୍ଷରେ ଥିବା ସମୟରେ ଯଦି ଟିକାକରଣ ହୋଇଥା’ନ୍ତା, ହୁଏତ ଲୋକମାନେ ଆଗ୍ରହର ସହ ନେଇଥା’ନ୍ତେ। ତେଣୁ ଲୋକଙ୍କ ମନରେ ରହିଥିବା ଏସବୁ ଦ୍ବନ୍ଦ୍ବ ଦୂର ନ ହେବା ପର୍ଯ୍ୟନ୍ତ ଟିକାକରଣ ନେଇ ଏଭଳି ପରିସ୍ଥିତି ଦେଖା ଦେଇପାରେ ବୋଲି ଡା. ରାଉତ କହିଛନ୍ତି।

ରାଜ୍ୟରେ ପୂର୍ବରୁ ଟିକାକରଣକୁ ବର୍ଜନ ଘୋଷଣା କରିଥିଲା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ/ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ। ମହାସଂଘର ସାଧାରଣ ସଂପାଦିକା ମମତା ନାୟକ କହିଛନ୍ତି, ସଂଘ ଅଧୀନରେ ରହିଥିବା ଅଧିକାଂଶ କର୍ମଚାରୀ ଟିକା ନେଇ ସାରିଲେଣି। ରାଜ୍ୟରେ ସବୁ ସ୍ଥାନରେ ଟିକାକରଣ ଅଧିବେଶନ ଆୟୋଜିତ ହୋଇ ନ ଥିବାରୁ ଯେଉଁମାନଙ୍କୁ ମେସେଜ୍ ଆସୁଛି, ସେମାନେ ଟିକା ନେଉଛନ୍ତି। ସଂଘର ରହିଥିବା ଦାବି ପୂରଣ ଲାଗି ରାଜ୍ୟ ସରକାରଙ୍କୁ ଆହୁରି ୧ମାସ ମହଲତ ଦିଆଯାଇଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ପରବର୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମତୀ ନାୟକ କହିଛନ୍ତି।

ରାଜ୍ୟ ଟିକାକରଣର ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ପୂର୍ବରୁ ସ୍ବାସ୍ଥ୍ୟକର୍ମୀଙ୍କ ନିକଟରେ ଟିକାକୁ ନେଇ ଯେଉଁ ଦ୍ବିଧା ରହିଥିଲା, ତାହା ଏବେ ନାହିଁ। ଏବେ ସେମାନେ ଟିକା ନେବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି। ମାତ୍ର ଅନେକଙ୍କ ମନରେ ଟିକାକୁ ନେଇ ଆତ୍ମସନ୍ତୁଷ୍ଟି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। କମ୍ ଟିକାକରଣ ହେବା ପଛରେ ଅନ୍ୟ କିଛି କାରଣ ରହିଥିବା ମନେ ହେଉନାହିଁ ବୋଲି ଡା. ପାଣିଗ୍ରାହୀ କହିଛନ୍ତି।

from Kanak News
via <a href="https://ifttt.com/?

କାଲି ସଂସଦରେ ଉପସ୍ଥାପିତ ହେବ ବଜେଟ୍: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ୨୦୨୧-୨୨ର ବ୍ୟୟବରାଦ; ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ହୋଇପାରେ ବଡ ଘୋଷଣା

କନକ ବ୍ୟୁରୋ: ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍ । ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଫେବୃୟାରୀ ୧ ତାରିଖ ଦିନ ୧୧ଟାରେ ସଂସଦରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । ନିର୍ମଳାଙ୍କ ଏହା ତୃତୀୟ ତଥା କରୋନା କାଳ ପରେ ପ୍ରଥମ ବଜେଟ । ତେଣୁ ସରକାର କଣ ଆଶ୍ୱସ୍ତ ଦେବାକୁ ଯାଉଛନ୍ତି ତା’ଉପରେ ସମସ୍ତଙ୍କ ନଜର ରହିଛି । କରୋନା ମହାମାରୀ ପାଇଁ ଉଭୟ ଜୀବନ ଜୀବିକା ପ୍ରଭାବିତ କରିଥିବାରୁ ଆଶା କରାଯାଉଛି. ଉଭୟ ଅର୍ଥନୀତିକୁ ମଜବୁତ କରିବା ସହିତ ଲୋକଙ୍କୁ ରିହାତି ଦେବାଲାଗି ଅର୍ଥମନ୍ତ୍ରୀ ପଦକ୍ଷେପ ନେବେ ।

ଆଗାମୀ ବଜେଟ୍ ପୂର୍ବ ବଜେଟ ତୁଳନାରେ ଭିନ୍ନ ରହିବ ବୋଲି ପୂର୍ବରୁ ଅର୍ଥମନ୍ତ୍ରୀ କହିସାରିଛନ୍ତି । ସେହି ଦୃଷ୍ଟିରୁ ଆୟକରରେ ଅନେକ ରିହାତ ମିଳିବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ଭାରତକୁ ଆତ୍ମନିର୍ଭର କରିବା ମହତକାଂକ୍ଷା ରଖିଛନ୍ତି । ତେଣୁ ଆଗାମୀ ବଜେଟରେ ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ  ମଜବୁତ କରିବାକୁ ପଦକ୍ଷେପ ନିଆଯାଇପାରେ । ଗତବର୍ଷ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଆହ୍ୱାନ ଦେଇ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ମଂଚରେ ଏହାର ଚର୍ଚ୍ଚା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶେଷଜ୍ଞଙ୍କ ମତରେ ଏଥିପାଇଁ ସରକାର ଆମଦାନୀକୁ ମହଙ୍ଗା କରିପାରନ୍ତି, ଅର୍ଥାତ ସାମଗ୍ରୀ ଆମଦାନୀ ଉପରେ ଶଳ୍କ ବଢାଇପାରନ୍ତି ।

ସେହିପରି ରପ୍ତାନୀକୁ ପ୍ରତିସ୍ପର୍ଧା କରିବାକୁ ପଦକ୍ଷେପ ନେଇପାରନ୍ତି କେନ୍ଦ୍ର ସରକାର । ଏଥିସହ ଶିକ୍ଷା ଓ କୌଶଳ ବିକାଶ ପାଇଁ ଅଧିକ ଅର୍ଥ ଆବଂଟନ ଏବଂ ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ଉପରେ ଜୋର ଦେଇ ଦେଶକୁ ଆତ୍ମନିର୍ଭର ରାସ୍ତାରେ ସରକାର ଆଗେଇ ନେଇପାରନ୍ତି । ସେପଟେ ବଜେଟ ଆଗତ ହେବା ପୂର୍ବରୁ ସେୟାର ବଜାରରେ ସେନସେକ୍ସ ତଳମୁହାଁ ହୋଇଛି । ଫଳରେ ନିବେଶକ ୧୧ ଦଶମିକ ୫୮ ଲକ୍ଷ କୋଟି ଟଙ୍କା ହରାଇଥିବା ସୂଚନା ମିଳିଛି ।

ଏପଟେ, ବଜେଟ ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ ଉଠାଇଛି ବିଜୁ ଜନତା ଦଳ । ଏହି ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା ସର୍ବଦଳୀୟ ବୈଠକରେ କହିଛନ୍ତି ପିନାକୀ ମିଶ୍ର । ଲୋକସଭାରେ ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଏହି ବୈଠକରେ କହିଛନ୍ତି-୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୭ଟି ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା ବିଜେଡି । ସେମାନଙ୍କ ମଧ୍ୟରୁ ୫ ଜଣ ପ୍ରାର୍ଥୀ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେ ଆହୁରୀ କହିଛନ୍ତି-ଦେଶର ଏକମାତ୍ର ଦଳ ଭାବେ ବିଜେଡି ଲୋକସଭା ପାଇଁ ଏକତୃତୀୟାଂଶ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା ।

from Kanak News
via <a href="https://ifttt.com/?

ଦେଶରେ ପ୍ରଥମ କରୋନା ସଂକ୍ରମଣକୁ ପୁରିଲା ବର୍ଷେ: ବର୍ଷକ ଭିତରେ ସଂକ୍ରମିତ ହୋଇଛନ୍ତି ୧ କୋଟି ୭ ଲକ୍ଷ ନାଗରିକ, ସୁସ୍ଥ ହେଲେଣି ୧କୋଟି ୪ଲକ୍ଷ

କନକ ବ୍ୟୁରୋ: ଭାରତରେ କୋଭିଡ୍‌ ମହାମାରୀର ୧ ବର୍ଷ ପୂର୍ତ୍ତି ହୋଇଛି। ଗତବର୍ଷ ୩୦ ଜାନୁଆରିରେ ଦେଶରେ ପ୍ରଥମ କୋଭିଡ୍‌ ମାମଲା ସାମ୍ନାକୁ ଆସିଥିଲା। ଏହାର ଠିକ୍‌ ବର୍ଷକ ପରେ ସ୍ଥିତି ସନ୍ତୋଷଜନକ ରହିଥିବା ସରକାରୀ ତଥ୍ୟରୁ ଜଣାଯାଇଛି। ଏହି ବର୍ଷକ ଭିତରେ ଦେଶରେ ମୋଟ କୋଟିଏ ୭ ଲକ୍ଷ ନାଗରିକ ଏହି ମହାମାରୀ କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ଭିତରୁ ପ୍ରାୟ କୋଟିଏ ୪ ଲକ୍ଷ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡ଼ିଛି।

ଗତ ୧୫ ଦିନ ହେଲା ଭାରତରେ ଦୈନିକ କୋଭିଡ୍‌ ମୃତ୍ୟୁ ୨୦୦ରୁ କମ୍‌ ରହିଥିବା ବେଳେ ମୋଟ ୧,୫୫,୦୦୦ ମୃତ୍ୟୁ ସହ ମେକ୍ସିକୋ ସମ୍ପ୍ରତି ଭାରତକୁ ଟପିଯାଇଛି। କୋଭିଡ୍‌ ମୃତ୍ୟୁ ହିସାବରେ ଭାରତ ଏବେ ୪ର୍ଥ ସ୍ଥାନକୁ ଖସିଯାଇଛି। ଅପରପକ୍ଷେ, ଦେଶରେ ପ୍ରାୟ ୩୦ ଲକ୍ଷ ହିତାଧିକାରୀଙ୍କର ଏହି ଅବସରରେ ଟିକାକରଣ ସଂପନ୍ନ ହୋଇଯାଇଛି।

ଆମେରିକା, ଇସ୍ରାଏଲ ଓ ବ୍ରିଟେନ୍‌ରେ ୩ ଲକ୍ଷ ନାଗରିକଙ୍କର ଟିକାକରଣ ପାଇଁ ଯଥାକ୍ରମେ ୧୮ ଦିନ, ୩୩ ଦିନ ଓ ୩୬ ଦିନ ଲାଗିଥିବା ବେଳେ ଭାରତରେ ମାତ୍ର ୧୩ ଦିନ ଭିତରେ ତାହାର ଦଶଗୁଣାରୁ ଅଧିକ ଲୋକଙ୍କର ଟିକାକରଣ ହୋଇପାରିଛି ଯାହାକି ବିଶ୍ବର ଦ୍ରୁତତମ ପ୍ରକ୍ରିୟା ବୋଲି ଜଣାପଡ଼ିଛି। ଯଦିଓ ଅନ୍ୟ ଦେଶ ତୁଳନାରେ ଭାରତରେ ବିଳମ୍ବରେ ଟିକାକରଣ ଆରମ୍ଭ ହୋଇଥିଲା, ତେବେ ହିତାଧିକାରୀମାନଙ୍କର ସଫଳ ପରିଚାଳନା ଏବଂ ସେମାନଙ୍କର ଏଥିପ୍ରତି ଆଗ୍ରହ ହିଁ ଏହି ପ୍ରକ୍ରିୟାକୁ ସୁଗମ କରିପାରିଛି। ଜାନୁଆରି ୧୬ରେ ଏହା ଆରମ୍ଭ ବେଳେ ଦିନକୁ ମାତ୍ର ୨ ଲକ୍ଷ ଲୋକଙ୍କର ଟିକାକରଣ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିବା ବେଳେ ସମ୍ପ୍ରତି ଅଧିକ ସଂଖ୍ୟକ ଟିକାଦାନ କେନ୍ଦ୍ର ଯୋଗୁଁ ଦୈନିକ ୫ ଲକ୍ଷ ଲୋକଙ୍କର ଟିକାକରଣ କରାଯାଇପାରୁଛି। ବର୍ତ୍ତମାନ ସୁଦ୍ଧା କେବଳ ସ୍ୱାସ୍ଥ୍ୟକର୍ମୀମାନଙ୍କର ଟିକାକରଣ କରାଯାଉଥିବା ବେଳେ ଆଗାମୀ ଫେବ୍ରୁଆରି ପ୍ରଥମ ସପ୍ତାହରୁ କୋଭିଡ୍‌ ସମ୍ମୁଖ ଯୋଦ୍ଧାମାନଙ୍କୁ ଏଥିରେ ସାମିଲ କରାଯିବା ପାଇଁ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ହୋଇସାରିଛି।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗରେ ତେଜିଲା ଦଳବଦଳ ରାଜନୀତି: ଦିଲ୍ଲୀରେ ବିଜେପିର ମିଶ୍ରଣ ପର୍ବ, ମମତାଙ୍କୁ ଶକ୍ତ ଝଟକା

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ସରଗରମ ହେଉଛି । ତୃଣମୂଳ କଂଗ୍ରେସର ୩ ବିଦ୍ରୋହୀ ବିଧାୟକଙ୍କ ସମେତ ୫ ଜଣ ନେତା ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ୫ ଜଣ ଟିଏମସି ନେତା ପଦ୍ମଦଳରେ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି, ମମତା ସରକାରର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବିଧାୟକ ରାଜୀବ ବାନାର୍ଜୀ ଓ ଟିଏମସିରୁ ବହିଷ୍କୃତ ନେତା ପ୍ରବୀର ଘୋଷାଲ, ବୈଶାଳୀ ଡାଲମିଆଁ ।

ସେହିପରି ହାୱଡାର ପୂର୍ବତନ ମେୟର ରଥିନ ଚକ୍ରବର୍ତ୍ତି ଓ ପାର୍ଥସାରଥୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । କୁହାଯାଉଛି, ଆଜି ହାୱଡାରେ ହେବାକୁ ଥିବା ସ୍ମୃତି ଇରାନୀଙ୍କ ରାଲିରେ ଏହି ୫ ନେତା ସାମିଲ ହେବେ । ପୂର୍ବରୁ ଜାନୁୟାରୀ ୩୦ ଓ ୩୧ରେ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ଏହି ସମୟରେ ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ସମେତ ୫ ନେତା ବିଜେପିରେ ସାମିଲ ହେବେ ବୋଲି ଶୁଣାଯାଉଥିଲା । ହେଲେ କୃଷକ ଆନ୍ଦୋଳନ ଓ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଯୋଗୁଁ ଶେଷ ମୁହୂର୍ତ୍ତରେ ଅମିତ ଶାହାଙ୍କ ଗସ୍ତ ବାତିଲ ହୋଇଥିଲା । ହେଲେ ତୃଣମୂଳ କଂଗ୍ରେସର ବିଦ୍ରୋହୀ ନେତାଙ୍କ ମିଶ୍ରଣ ପର୍ବରେ କୌଣସି ପ୍ରଭାବ ପଡିନଥିଲା ।

ଏକ ସ୍ୱତନ୍ତ୍ର ବିମାନରେ ରାଜୀବ ବାନାର୍ଜୀ, ପ୍ରବୀର ଘୋଷାଲ, ବୈଶାଳି ଡାଲମିଆଁ ସମେତ ୫ ଜଣ ନେତା ଦିଲ୍ଲୀ ଯାଇ ଶାହାଙ୍କ ଉପସ୍ଥିତିରେ ଗୈରିକ ଦଳରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ଥାଇ ଅମିତ ଶାହା ଚାଳନା କରିଥିବା ବିଚକ୍ଷଣ ରାଜନୈତିକ ଗୋଟି ମମତା ବାନାର୍ଜୀଙ୍କୁ ଶକ୍ତ ଝଟକା ଦେଇଛି । ସେପଟେ ଟିଏମସି ନେତା ବିଜେପିରେ ସାମିଲ ହେବା ଘଟଣାକୁ ନେଇ ଟିଏମସିର ପ୍ରତିକ୍ରିୟା ଆସିଛି । ବରିଷ୍ଠ ସାଂସଦ ସ୍ୱାଗତ ରୟ କହିଛନ୍ତି, ଯେଉଁମାନେ ଦଳ ଛାଡି ଯାଇଛନ୍ତି, ସେମାନଙ୍କ କୌଣସି ଲମ୍ବା ରାଜନୈତିକ ଇତିହାସ ନାହିଁ । ଏନେଇ ଆଗକୁ ତୃଣମୂଳ କଂଗ୍ରେସ ସତର୍କ ରହିବ । ସେହିପରି ମମତା ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ କହିଛନ୍ତି, ଯଦି କେହି ଦଳରୁ ଯିବାକୁ ଚାହୁଁଛି, ତେବେ କଣ କରାଯିବ । ଆମେ ଏକ ବଡ ଦଳ । ଅସନ୍ତୁଷ୍ଟ ନେତାଙ୍କୁ ସେନା ଲଗାଇ ତ ରୋକି ହେବ ନାହିଁ ।

from Kanak News
via <a href="https://ifttt.com/?

ଚାକିରି ଛାଡିଲେ, ଡାଏରୀ ଫାର୍ମ କଲେ । ନିଜେ ଆତ୍ମନିର୍ଭର ହେବା ସହ ୨୦ ଜଣଙ୍କୁ ଦେଇପାରିଛନ୍ତି ରୋଜଗାର

ଉଚ୍ଚଶିକ୍ଷା ଲାଭ କରି ବେଙ୍ଗାଲୁରୁ ଓ ଦୁବାଇରେ ଚାକିରି କରୁଥିବା ୨ଜଣ ଯୁବକ ନିଜ ମା’ ମାଟି ଓ ଗୋମାତାର ସେବା କରିବା ନିଶାରେ ଚାକିରି ଛାଡ଼ି ଏବେ ଜୟପୁର ମୁହାଁ। ଡାଏରୀ ଫାର୍ମ କରି ଅନ୍ୟଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛନ୍ତି ଦୁଇବନ୍ଧୁ। ସୂଦୁର ବାଙ୍ଗାଲୁୁରୁରେ ରହି ସୁଦ୍ଧା ଏମାନଙ୍କୁ ସହଯୋଗ କରି ଆସୁଛନ୍ତି ଆଉ ଜଣେ ବନ୍ଧୁ। କୋରାପୁଟ ଜିଲ୍ଲାର ଏହି ଦୁଇ ଉଚ୍ଚଶିକ୍ଷିତ ଯୁବକ ବଡ଼ ଚାକିରି, ସମ୍ମାନ, ବଡ ସହରରେ ରହିବା ନିଶା ଛାଡ଼ି କିଛି ଟଙ୍କା ଆୟ କରି ଅନ୍ୟଙ୍କୁ ରୋଜଗାରକ୍ଷମ କରାଇବା ନିଜ ଜିଲ୍ଲା, ଜନ୍ମମାଟିର ସେବା କରିବା ନିଶାରେ ଆଗକୁ ବଢ଼ୁଛନ୍ତି। ଜଣେ ଗାଈକୁ ଚାରା ଦେଉଛନ୍ତି ତ ଅନ୍ୟ ଜଣେ ମେସିନ ସହାୟତାରେ ଗାଈ କ୍ଷୀର ସଂଗ୍ରହ କରିବା ଏବଂ ସେବା ଓ ଦେଖା ରଖା କରିବା କାମ କରୁଛନ୍ତି। ଏମାନେ ସାମାନ୍ୟ ଦୁଗ୍ଧ ଚାଷୀ ନୁହଁନ୍ତି। ଜଣେ ବେଙ୍ଗାଲୁରୁ ସିସ୍‌କୋ, ମାକେପି କମ୍ପାନିରେ କାମ କରି ସମ୍ପ୍ରତ୍ତି ଇଣ୍ଟେଲ କମ୍ପ୍ୟୁଟର କମ୍ପାନିର ପ୍ରୋଜେକ୍ଟ ମ୍ୟାନଜର ଚାକିରୀ ଛାଡି ଆସିଥିବା ଉଚ୍ଚଶିକ୍ଷିତ ଗୁପ୍ତେଶ୍ବର ଶତପଥୀ। ଅନ୍ୟ ଜଣେ ହେଲେ ତାଙ୍କ ବନ୍ଧୁ ରାଜୀବ ପଟ୍ଟନାୟକ।

ଦୁବାଇ ମେରାଇନରେ ପ୍ରଥମ ଡେକ୍ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ତୃତୀୟ ସହଯୋଗୀ ବସନ୍ତ ମହାରାଣା ଏବେ ବି ବେଙ୍ଗାଲୁରୁରେ କାମ କରିବା ସହ ଏହି ଦୁହେଁଙ୍କୁ ସମସ୍ତ ରକମର ଅନୁସଙ୍ଗିକ ସହଯୋଗ ଯୋଗାଇ ଆସୁଛନ୍ତି ତିନି ଜଣ ଯାକ ସ୍ଥାନୀୟ ବିକ୍ରମଦେବ ମହାବିଦ୍ୟାଳୟରେ ପାଠ ପଡ଼ିବା ପରେ ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଇଥିଲେ। ତେବେ ନିଜ ଜନ୍ମମାଟିର ମୋହ ଓ ଗୋସେବା ପ୍ରତି ପ୍ରେମରେ ଗତ ୨୦୧୭ ମସିହାରେ ହିଁ ଗୁପ୍ତେଶ୍ବରରେ ଏଭଳି ଏକ ପ୍ରକଳ୍ପ କରିବାକୁ ମନୋନିବେଶ କରିଥିଲେ। ୨୦୧୮ରେ ଏହି ଡାଏରୀ ଫାର୍ମ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ରାଜୀବ ତାଙ୍କ ସହ ମିଶିଥିଲେ। ଉଭୟ ନିଜନିଜ ବଡ଼ ଚାକିରୀ ଛାଡି ଜୟପୁର ପଳାଇ ଆସିଥିଲେ।

ଜୟପୁର ବ୍ଲକର ଡିମଳା‌ ଗ୍ରାମ ନିକଟରେ ଜର୍ସି ଓ ହଲେଷ୍ଟିଏନ ୪୦ଟି ଗାଈ ରଖି ‘ଜୟ ପ୍ୟୁରି’ (ଖୁସି ଶୁଦ୍ଧ) ଡାଏରୀ ଫାର୍ମ ଆରମ୍ଭ କରିଥିଲେ। ଏଠାରେ ଅତ୍ୟାଧୁନିକ ଯନ୍ତ୍ରପାତି ମାଧ୍ୟମରେ କ୍ଷୀର ସଂଗ୍ରହ କରାଯାଉଛି। ପ୍ରତିଦିନ ୩୦୦ ଲିଟର କ୍ଷୀର ଗାଈ ଗୁଡିକ ଦେଉଛନ୍ତି। ଏଥିରୁ ପ୍ରାୟ ୧୫୦ ଲିଟର ଘରକୁ ଘର ବୁଲି ବିକ୍ରୀ କରାଯାଉଛି। ଏହା ବାଦେ ବଳକା କ୍ଷୀରରୁ ଘିଅ, ପନିର, ଖୁଆ, କ୍ଷୀର ଜାତ ଦ୍ରବ୍ୟ ଆଦି ବଜାର ଚାହିଦା, ଅଗ୍ରୀମ ଆଦିକୁ ଦୃଷ୍ଟିରେ ରଖି ବି ପ୍ରସ୍ତୁତ କରାଯାଉଛି। ଗାଈ ଗୁଡ଼ିକୁ ସବୁ ବେଳେ ପିଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣିର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗାଈ ଠାରୁ ବାଛୁରୀକୁ ଅଲଗାରେ ରଖାଯାଉଛି।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ତଥା ଚାପ ମୁକ୍ତ କରିବା ପାଇଁ ଏହାରି ମ୍ୟୁଜିକ୍ ଥେରାପି ଦିଆଯାଉଛି। ଏହାରି ପରିସରରରେ ଲଗାଯାଉଛି ସଂଗୀତ ଓ ମହାମୃତ୍ୟୁଞ୍ଜୟ, ହନୁମାନ ଚାଳିଶା, ଗାୟତ୍ରୀମନ୍ତ୍ରୀ ଆଦି ବାଦ୍ୟ ଯନ୍ତ୍ରର ମୁର୍ଚ୍ଚନା। ଗୋଟିଏ ଗୋଟିଏ ଗାଈର ମୂଲ୍ୟ ଲକ୍ଷାଧିକ। ପ୍ରାୟ କୋଟିଏ ୩୦ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ଡାଏରୀ ଫାର୍ମ ପରିସରରେ ରହିଛି ବିରାଟ ଖୋଲା ପଡ଼ିଆ। ପଡ଼ିଆରେ କିଛି ଗାଇଙ୍କୁ ଆରମରେ କିଛି ସମୟ ବୁଲିବାକୁ ଛାଡିବା ସହ ଆଉ କିଛି ଗାଈଙ୍କୁ ଫାର୍ମ ଘର ମଧ୍ୟରେ ବାନ୍ଧିକି ରଖାଯିବା ସହ ମ୍ୟୁଜିକ୍ ଥେରାଫି ଦିଆଯାଉଛି। ଏହା ଦ୍ବାରା ଗାଈ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ କ୍ଷୀର ବି ଅଧିକା ୫ପ୍ରତିଶତ ମିଳୁଛି ବୋଲି କହିଛନ୍ତି ଗୁପ୍ତେଶ୍ବର ଓରାଜୀବ। ପ୍ରତ୍ୟେକ ଦିନ ଗାଈ ମାନଙ୍କ ଠାରୁ ମେସିନ୍ ଜରିଆରେ କ୍ଷୀର ସଂଗ୍ରହ କରାଯିବା ପରେ ଏହାକୁ ପ୍ୟାକେଟ୍ କରି ସହରକୁ ବିକ୍ରୀ କରିବାକୁ ବି ପଠାଯାଉଛି। ମା’, ମାଟିର ମମତା, ନିଜ ଅଂଚଳରେ କିଛି କରିବା ଲକ୍ଷ୍ୟ ନେଇ ଏହି ଡାୟରୀ ଫାର୍ମ ଆରମ୍ଭ କରିଛୁ। ଏବେ ୨୦ଜଣ କର୍ମ ସଂସ୍ଥାନ ପାଇଛନ୍ତି। ସେଭଳି ବର୍ଷକୁ ୫୦ଲକ୍ଷ ଟଙ୍କାର କାରବାର ଏବେ ଚାଳିଛି। ଆଗାମୀ ଦିନରେ ଏହି ପ୍ରକଳ୍ପକୁ ବୃଦ୍ଧି କରାଯିବା ଲକ୍ଷ୍ୟ ରହିଛି ବୋଲି ଉଭୟ କହିଛନ୍ତି। ନିଶ୍ଚିତ ରୁପେ ସରକାରୀ କର୍ମସଂସ୍ଥାନ ପଛରେ ଧାଉଁଥିବା ଆଜିକାର ଶିକ୍ଷିତ ଯୁବବର୍ଗ ଏମାନଙ୍କ ଠାରୁ କିଛି ଶିଖିବାର ନିଶ୍ଚିତ ରୁପେ ରହିଛି ଏଥିରେ ଦ୍ବିମତ ନାହିଁ।

from Kanak News
via <a href="https://ifttt.com/?

ଶିକ୍ଷୟିତ୍ରୀଙ୍କୁ ଛୁରା ମାଡ ପରେ ନିଜ ତଣ୍ଟି କାଟିଲା ଯୁବକ: କାରଣ ଅସ୍ପଷ୍ଟ, ନୟାଗଡ ଶରଣକୁଳ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ; ଗୁରୁତର ଅବସ୍ଥାରେ ଦୁହେଁ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ: ଶିକ୍ଷୟିତ୍ରୀଙ୍କୁ ଛୁରା ମାଡ କରି ନିଜ ବେକ କାଟିଦେଲେ ଯୁବକ । ନୟାଗଡ ଜିଲ୍ଲା ଶରଣକୁଳ ଥାନା ଗୋଡିପଡା ଗାଁରେ ଏହି ଅଘଟଣ ଘଟିଛି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଶିକ୍ଷୟିତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱରକୁ ସ୍ଥାନନାନ୍ତର କରାଯାଇଛି ।

ସୂଚନା ଅନୁୁସାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟ ଆଲୁପାଟଣା ଗାଁର ଲିଲିମା ବେହେରା ୮ ବର୍ଷ ହେଲା ଗୋଡିପଡା ସର୍ଦ୍ଦାର ପଟେଲ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ଗତକାଲି ଅପରାହ୍ନରେ କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ସୁକାନ୍ତ ବେହେରା ନାମକ ଜଣେ ଯୁବକ ଗୋଡିପଡାରେ ପହଞ୍ଚି ଲିଲିମାକୁ ଖୋଜାଖୋଜି କରି ସ୍କୁଲକୁ ଯାଇଥିଲେ । ସ୍କୁଲ ଛୁଟି ହେବା ପରେ ଲିଲିମା ସୁକାନ୍ତ ସହ ଭଡାରେ ରହୁଥିବା ଘରକୁ ଆସୁଥିବା ସମୟରେ କୌଣସି କଥାକୁ ନେଇ ତାଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ରାଗିଯାଇ ଯୁବକ ଜଣକ ପକେଟରୁ ଛୁରି ବାହାର କରି ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିଥିଲେ ।

ଶିକ୍ଷୟିତ୍ରୀ ଲିଲିମାଙ୍କ ଚିକ୍ରାର ଶୁଣି ଘର ମାଲିକ ଓ ଆଖପାଖର ଲୋକ ଆସି ସୁକାନ୍ତଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ । ସେଠାରୁ କୌଣସି ପ୍ରକାରେ ସୁକାନ୍ତ ଖସିଆସି ବଜାରରେ ଅନ୍ୟ ଏକ ସ୍ଥାନରେ ନିଜ ବେକକୁ କାଟି ଦେଇଥିଲେ । ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ଦୁଇ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ।

from Kanak News
via <a href="https://ifttt.com/?

ଆଜିଠୁ ୩ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ: ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଫେବ୍ରୁଆରି ୨ ଯାଏଁ ଦିଆଯିବନି ଟିକା; ରାଜ୍ୟର ୪୧ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ପୋଲିଓ ବୁନ୍ଦା

କନକ ବ୍ୟୁରୋ: ରାଜ୍ୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜିଠୁ ୩ ଦିନ କୋଭିଡ ଟିକାକରଣ ବନ୍ଦ ରହିବ । ଆଜିଠାରୁ ତିନି ଦିନ ଧରି ଅର୍ଥାତ ଫେବ୍ରୁଆରି୨ ତାରିଖ ଯାଏଁ ରାଜ୍ୟରେ କୋଭିଡ ଟିକା ଦିଆଯିବ ନାହିଁ । ତେବେ ୩ତାରିଖଠାରୁ ପୁଣିଥରେ ଟିକାକରଣ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତମାସ ୧୬ତାରିଖଠାରୁ ୩ଦିନ ବ୍ୟାପୀ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା। ମାତ୍ର ଦେଶବ୍ୟାପୀ କରୋନା ଟିକାକରଣ ଆରମ୍ଭ ହେବା ପରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ତେବେ ଆଜିଠାରୁ ପୋଲିଓ ବୁନ୍ଦା ଦିଆଯିବ। ୫ବର୍ଷରୁ କମ୍ ଶିଶୁ ଏହି ବୁନ୍ଦା ଦିଆଯିବା। ରାଜ୍ୟବ୍ୟାପୀ ୪୧,୩୧,୭୬୩ ଶିଶୁଙ୍କୁ ଏହି ଟିକା ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୟୁନିଟ୍‌-୪ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ବୋଲି ସୂଚନା ମିଳିଛି।

ଅପରପକ୍ଷରେ ଶନିବାର ରାଜ୍ୟରେ ୬୨.୨ ପ୍ରତିଶତ ଟିକାକରଣ କରାଯାଇଛି। ସମୁଦାୟ ୧୩ଟି ଅଧିବେଶନରେ ୧୯୬୭ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ଲାଗି ନିଷ୍ପତ୍ତି ହୋଇଥିବା ବେଳେ ୧୨ଟି ଅଧିବେଶନରେ ୧୨୨୪ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ଖୋର୍ଧା, ନୂଆପଡ଼ା ଓ ସମ୍ବଲପୁରରେ ହିଁ ଅଧିବେଶନ ଆୟୋଜିତ ହୋଇଥିଲା। ଖୋର୍ଧା ଜିଲ୍ଲାରେ ଭୁବନେଶ୍ବରରେ ୮ଟି ଅଧିବେଶନରେ ୯୩୨ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨ଲକ୍ଷ ୬ହଜାର ୪୨୪ ସ୍ୱାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି।

ଅପରପକ୍ଷରେ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀମାନେ ଟିକା ନେବାକୁ ଅମଙ୍ଗ ହେଉଥିବା ନଜରକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ି ଯାଇଛି। ଆସନ୍ତା ୧୦ତାରିଖ ସୁଦ୍ଧା ପ୍ରଥମ ଡୋଜ୍ ‌ଶେଷ ହେବା ପୂର୍ବରୁ ଶତ ପ୍ରତିଶତ ଟିକାକରଣ କରିବା ଲାଗି ଭୁବନେଶ୍ବର ବାଦ୍ ୮ଟି ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଦିଆଯାଇଛି। ରାଜ୍ୟରେ ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪୧ଟି ଡିପ୍ ଫ୍ରିଜର ଯୋଗାଇ ଦିଆଯାଇଛି। ଏସବୁ ଡିପ୍‌ ଫ୍ରିଜରଗୁଡ଼ିକୁ ସବୁ ଜିଲ୍ଲାକୁ ପଠାଯିବା ବ୍ୟବସ୍ଥା ଜାରି ରହିଛି। ଟିକାକୁ ସଂରକ୍ଷିତ ରଖିବା ଦିଗରେ ଏହା ସହାୟକ ହେବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ସଂରକ୍ଷଣ ପାଇଁ ଆଇଏଲ୍‌ଆର୍‌ ଦିଆଯାଇଥିଲା।

from Kanak News
via <a href="https://ifttt.com/?

ସାରଦା ଖଣିକୁ ୨ ହଜାର ୫୬ କୋଟି ଟଙ୍କାର ଜରିମାନା । ଖଣିର ନିର୍ଦ୍ଦେଶକଙ୍କୁ ଡିମାଣ୍ଡ ନୋଟିସ ପଠାଇଲେ ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକ

କନକ ବ୍ୟୁରୋ: ବେଆଇନ ଖଣି ଖନନ ପାଇଁ ସାରଦା ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ଉପରେ ୨ ହଜାର ୫୬ କୋଟି ଟଙ୍କାର ଜରିମାନା । କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ସାରଦା ଖଣିର ନିର୍ଦ୍ଦେଶକ ଅର୍ଜୁନ ସାରସ୍ୱତଙ୍କ ନିକଟକୁ ୨ ହଜାର ୫୬ କୋଟି ୩୮ ଲକ୍ଷ ୪୩ ହଜାର ୫୬୭ ଟଙ୍କା ଜରିମାନା ପାଇଁ ଡିମାଣ୍ଡ ନୋଟିସ ପଠାଯାଇଛି । ୨୫ ଜାନୁୟାରୀରେ ଡିମାଣ୍ଡ ନୋଟିସ୍ ଜାରି କରାଯାଇଛି । ଏହି ନୋଟିସରେ ଦର୍ଶାଯାଇଛି, ପରିବେଶ ମଂଜୁରୀକୁ ଉଲଂଘନ କରି ବ୍ୟାପକ ଖଣି ଖନନ କରିଛି ସାରଦା ମାଇନ୍ସ । ଠାକୁରାଣୀ ବ୍ଲକ ବି ଲୁହା ଖଣିରେ ସାରଦା ମାଇନ୍ସ ଅନୁମତି ଠାରୁ କେତେ ଅଧିକ ଖନନ କରିଛି, ତା’ର ବିବରଣୀ ମଧ୍ୟ ଏହି ନୋଟିସରେ ପ୍ରଦାନ କରାଯାଇଛି । ଡିମାଣ୍ଡ ନୋଟିସ ପଠା ଯାଇଥିଲେ ବି ବର୍ତମାନ ଖଣି ଖନନ କାର୍ଯ୍ୟ ବନ୍ଦ ହେବ ନାହିଁ । ଡିମାଣ୍ଡ ନୋଟିସ୍ ଅନୁସାରେ ଯଦି ସାରଦା ଖଣି, ପଦକ୍ଷେପ ନେବ ନାହିଁ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ପରିବେଶ ମଂଜୁରୀଠାରୁ ଅଧିକ ଖଣି ଖନନ ନେଇ ଗତବର୍ଷ ଅକ୍ଟୋବର ୬ ତାରିଖ ଓ ଚଳିତ ବର୍ଷ ଜାନୁଆରୀ ୭ ତାରିଖରେ ସାରଦା ଖଣିକୁ ନୋଟିସ କରାଯାଇଥିଲା । ଗତ ୨୫ ତାରିଖରେ ସାରଦା ମାଇନ୍ସ ପକ୍ଷରୁ ଯେଉଁ ଉତ୍ତର ରଖାଯାଇଥିଲା, ତାହା ସନ୍ତୋଷଜନକ ନଥିଲା ବୋଲି ଦର୍ଶାଇଛନ୍ତି ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକ । ଏହାପରେ ୨ ହଜାର ୫୬ କୋଟିରୁ ଅଧିକ ଜରିମାନା ପାଇଁ ଡିମାଣ୍ଡ ନୋଟିସ୍ ପଠାଯାଇଛି । ତେବେ ଏ ନେଇ ସାରଦା ଖଣି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

from Kanak News
via <a href="https://ifttt.com/?

ସଚ୍ଚୋଟ ଦେଶରେ କିଏ ଆଗରେ କିଏ ପଛରେ? ଜାରି ହେଲା ସଚ୍ଚୋଟ ଦେଶର ତାଲିକା । ଜାଣନ୍ତୁ ଭାରତର ସ୍ଥାନ କେଉଁଠି?

କନକ ବ୍ୟୁରୋ : ଜାରି ହେଲା ସଚ୍ଚୋଟ ଦେଶର ତାଲିକା । ସଚ୍ଚୋଟ ଦେଶରେ କେଉଁ ଦେଶ ସବୁଠାରୁ ଆଗରେ ରହିଛି । ଆଉ କେଉଁ ଦେଶ ଦୁର୍ନୀତିରେ ବୁଡି ରହିଛି ତାହା ଏହି ଲିଷ୍ଟ ଦେଖିଲେ ଜଣାପଡିବ । ଏହି ତାଲିକା ଜାରି କରିଛି ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ । ତେବେ ଏହି ତାଲିକା ଜାରି ହେବା ପରେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବା ଭାରତ ଏହି ତାଲିକାରେ କେତେ ନମ୍ବରରେ ରହିଛି ।

ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ରିପୋର୍ଟରେ କୁହାଯାଇଛି ଯେ କରୋନା ସମୟରେ ସବୁଠାରୁ ସଚ୍ଚୋଟ ଦେଶ ହେଉଛନ୍ତି ଡେନମାର୍କ, ନ୍ୟୁଜିଲାଣ୍ଡ, ଫିନ ଲାଣ୍ଡ, ସିଙ୍ଗାପୁର ଓ ସ୍ୱିଡେନ । ସେହିପରି ଅଧିକ ଦୁର୍ନିତୀଗ୍ରସ୍ତ ଦେଶ ହେଉଛନ୍ତି ବେନେଜୁଏଲା, ୟମନ, ସିରିୟା, ସୋମାଲିୟା ଓ ଦକ୍ଷିଣ ସୁଡାନ । ଏହି ୧୮୦ ଦେଶ ମଧ୍ୟରେ ଭାରତ ୮୬ ନମ୍ବରରେ ରହିଛି । ୨୦୧୯ରେ ଭାରତ ଦୁର୍ନୀତିରେ ୮୦ତମ ସ୍ଥାନରେ ରହିଥିଲା । ଏହି ରିପୋର୍ଟରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଯେଉଁ ଦେଶରେ ଦୁର୍ନୀତି କମ ଅଛି ସେହି ଦେଶରେ କରୋନା ମୁକାବିଲା ସଠିକ ଭାବରେ ହୋଇଛି ।

ଟ୍ରାନ୍ସପରେନ୍ସି ଇଣ୍ଟରନାସନାଲ ଏହି ରିପୋର୍ଟ ତିଆରି କରିବାକୁ ବିଭିନ୍ନ କ୍ଷେତ୍ରରେ ଥିବା ଲୋକଙ୍କ ମତ ନେଇଥାନ୍ତି । ଏହି ଆଧାରରେ ସବୁ ଦେଶକୁ ରେଟିଙ୍ଗ କରାଯାଇଥାଏ । ଏହି ତାଲିକାର ରାଙ୍କର ସ୍ଥାନ ୧୦୦ରୁ ଶୂନ ଯାଏଁ ରହିଛି । ଶୂନ ଅଙ୍କ ମିଳିଥିବା ଦେଶ ସବୁଠାରୁ ଦୁର୍ନୀତି ଗ୍ରସ୍ତ ଆଉ ୧୦୦ ଅଙ୍କ ମିଳିଥିବା ଦେଶ ସବୁଠାରୁ ସଚ୍ଚୋଟ ଦେଶ ।

ତେବେ ଆସନ୍ତୁ ନଜର ପକାଇବା ଏହି ତାଲିକାରେ ଭାରତର ପଡୋଶୀ ଦେଶମାନଙ୍କର କଣ ସ୍ଥିତି ରହିଛି । ଏହି ତାଲିକାରେ ପାକସ୍ତାନସ୍ଥିତି ଅତି ଶୋଚନୀୟ ରହିଛି । ପାକିସ୍ତାନ ୧୮୦ ଦେଶରୁ ୧୨୪ ତମ ସ୍ଥାନରେ ରହିଛି । ସେହିପରି ଚୀନ ୭୮, ନେପାଳ ୧୧୭ ଓ ବାଂଲାଦେଶ ୧୪୬ ତମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଏହି ତାଲିକାରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ୬୭ ତମ ସ୍ଥାନରେ ରହିଛି ।

ଏହି ବର୍ଷ ୨୬ଟି ଦେଶ ଦୁର୍ନୀତି ମାମଲାରେ ନିଜ ସ୍ଥିତିକୁ ସୁଧାରିଛନ୍ତି । ସେହି ଦେଶମାନଙ୍କ ମଧ୍ୟରୁ ଗ୍ରୀସ ସବୁଠାରୁ ଆଗରେ ରହିଛି । ଗ୍ରୀସ ଚଳିତ ବର୍ଷ ୧୪ଟି ସ୍ଥାନ ଉପରକୁ ଉଠିଛି । ସେହିପରି ମିଆଁମାର ୧୩ ସ୍ଥାନ ଓ ଇକ୍ୱାଡୋର ୭ ସ୍ଥାନ ଉପରକୁ ଉଠିଛି । ଅନ୍ୟପକ୍ଷ ଅନେକ ଦେଶ ନିଜ ସ୍ଥିତି ସୁଧାରିବାକୁ ବିଫଳ ହୋଇଛନ୍ତି ।

from Kanak News
via <a href="https://ifttt.com/?

ଭାରତୀୟ ତଦନ୍ତକାରୀ ସଂସ୍ଥା ସହ ମିଳିତ ଭାବେ ତଦନ୍ତ କରିବ ଇସ୍ରାଏଲ । ନୂଆଦିଲ୍ଲୀ ଆସୁଛନ୍ତି ଫୋନ ବମ ଓ ବିଷ ଛୁଞ୍ଚିକୁ ହତିଆର କରୁଥିବା ଗୁଇନ୍ଦା ସଂସ୍ଥା ‘ମୋସାଦ’ ।

କନକ ବ୍ୟୁରୋ : ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାକୁ ଗୁରୁତର ସହ ନେଇଛି ଇସ୍ରାଏଲ । ଏନଆଇଏ, ଏନଏସଜି ଓ ସ୍ପେଶାଲ ସେଲ୍ ଘଟଣାର ଯାଞ୍ଚ କରୁଥିବା ବେଳେ ଇସ୍ରାଏଲ ତଦନ୍ତକାରୀ ସଂସ୍ଥା ‘ମୋସାଦ’ ମଧ୍ୟ ଏହି ଯାଞ୍ଚରେ ସାମିଲ ହେବ । କୁହାଯାଏ ମୋସାଦ ବିଶ୍ୱର ସବୁଠୁ ଦୁର୍ଦ୍ଦଶ ଗୁଇନ୍ଦା ସଂସ୍ଥା । ଯେଉଁ ଦେଶରେ ଇସ୍ରାଏଲ ନାଗରିକଙ୍କ ଉପରେ ଆକ୍ରମଣ ହୁଏ ଏହି ଏଜେନ୍ସି ସେଠାରେ ଗୁପ୍ତ ଭାବରେ ପହଞ୍ଚି ଯାଞ୍ଚ କରିଥାଏ । ଇସ୍ରାଏଲ ନାଗରିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଥିବା ଏହି ଏଜେନ୍ସିର ଚର୍ଚ୍ଚିତ ଇତିହାସ ଓ କାରନାମା ଉପରେ ସମସ୍ତଙ୍କ ନଜର ରହିଥାଏ ।

ମୋସାଦ ବିଶ୍ୱର ସବୁଠାରୁ ଦୁର୍ଦ୍ଦଶ ତଦନ୍ତାକାରୀ ସଂସ୍ଥା ଭାବେ ପରିଚିତ । ୧୯୭୨ରେ ମ୍ୟୁନିକ ଅଲିମ୍ପିକରେ ଯେତେବେଳେ ଇସ୍ରାଏଲର ୧୧ଜଣ ଖେଳାଳିଙ୍କୁ ଆତଙ୍କବାଦୀ ମାନେ ହତ୍ୟା କରିଥିଲେ ସେତେବେଳେ ମୋସାଦ ଦୀର୍ଘ ୨୦ବର୍ଷ ଧରି ଗୁପ୍ତ ଅପରେସନ କରି ହତ୍ୟାକାରୀ ମାନଙ୍କୁ ଖୋଜି ଖୋଜି ମାରିଥିଲା । ଏହି ଅପରେସନର ନାମ ‘ରେଥ ଅଫ ଗଡ’ ରଖାଯାଇଥିଲା । ଏହି ଅପରେସନରେ ମୋସାଦର ସଦସ୍ୟ ମାନେ ସାରା ବିଶ୍ୱ ବୁଲି ହତ୍ୟାକାରୀଙ୍କୁ ଖୋଜି ନିପାତ କରିଥିଲେ । ମୋସାଦର ପ୍ରକୃତ ନାମ ହେଉଛି ଇନଷ୍ଟିଚ୍ୟୁଟ ଫର ଇଂଟେଲିଜେନ୍ସ ଆଣ୍ଡ ସ୍ପେଶାଲ ଅପରେସନ । ଏହା ଇସ୍ରାଏଲର ରାଷ୍ଟ୍ରୀୟ ଗୁଇନ୍ଦା ସଂସ୍ଥା । ମୋସାଦ ୧୯୪୯ରେ ପ୍ରତିଷ୍ଠା କରାଯାଇଥିଲା ।

ଶତ୍ରୁ ଠାରୁ ପ୍ରତିଶୋଧ ନେବା ପାଇଁ ଯେକୌଣସି ସ୍ତର ପର୍ଯ୍ୟନ୍ତ ଯାଇପାରେ ମୋସାଦ । ଏପରିକି ‘ରେଥ ଅଫ ଗଡ’ ଅପରେସନ ବେଳେ ଫୋନ ବମ, ବିଷ ଛୁଞ୍ଚି ଓ କାର୍ ବୋମା ବ୍ୟବହାର କରି ଆତଙ୍କବାଦୀଙ୍କୁ ନିପାତ କରିଥିଲା । ୨୦ବର୍ଷ ଧରି ଚାଲିଥିବା ଏହି ଅପରେସନରେ ୯ଜଣ ଫିଲିସ୍ତାନ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା ।

୨୦୧୨ରେ ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ବାହାରେ ଯେତେବେଳେ କାର ଯୋଗେ ଆକ୍ରମଣ କରାଯାଇଥିଲା, ସେତେବେଳେ ମୋସାଦ ନିଜର ଯାଞ୍ଚ କରିଥିଲା । ଏବଂ ଏହି ଆକ୍ରମଣ ପଛରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡସ କର୍ପସ ଏହି ଘଟଣା ପଛରେ ଥିବା ଜାଣିବାକୁ ପାଇଥିଲା । ଏବେ ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାରେ ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁଥିବା ବେଳେ ମୋସାଦ ମଧ୍ୟ ଘଟଣାର ତଦନ୍ତ କରିବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started