ସନ୍ଧ୍ୟା ସାଢେ ୫ଟା ପରେ କାର୍ଯ୍ୟାଳୟ ଛାଡିବେ ମହିଳା । ସିଭିଲ୍ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିର୍ଦ୍ଦେଶନାମା ପଛର କାରଣ ଓ ଉଦ୍ଦେଶ୍ୟକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ: ସଂଧ୍ୟା ସାଢ଼େ ୫ଟାରେ ଅଫିସ ଛାଡ଼ିବେ ମହିଳା କର୍ମଚାରୀ । ସିଭିଲ୍ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଚାନକ କାହିଁକି ଏପରି ଏକ ନିର୍ଦ୍ଦେଶନାମା ଦିଆଗଲା, ଏହାକୁ ନେଇ ସଂଦେହ ବଢ଼ିବାରେ ଲାଗିଛି । ଏହି ନିର୍ଦ୍ଦେଶନାମା ସପକ୍ଷରେ ସର୍ବୋଚ୍ଚ ଯନ୍ତ୍ରୀ ଯେଉଁ ଯୁକ୍ତି ବାଢ଼ିଛନ୍ତି, ତାହା ସଂଦେହକୁ ସଂପୂର୍ଣ୍ଣ ଦୂର କରିପାରୁନି । ସେ କହିଛନ୍ତି, ଫାଇଭ-ଟି ରେ ଟାଇମ୍ ଫ୍ୟାକ୍ଟରକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଠିକ୍ ସମୟରେ ଆସିବା, ଠିକ୍ ସମୟରେ କାମ କରିବା ଏବଂ ଠିକ୍ ସମୟରେ ଯିବା ପାଇଁ ସରକାରଙ୍କ ନିର୍ଦ୍ଦେଶ।

ସମୟାନୁବର୍ତି ହେବା ନେଇ ଯେଉଁ ଯୁକ୍ତି ଦର୍ଶାଯାଉଛି, ତାହା କେବଳ ମହିଳାଙ୍କ ପାଇଁ କାହିଁକି ଲାଗୁ ହେବ, ତାହା ହିଁ ବଡ଼ ପ୍ରଶ୍ନ । ଏପଟେ ପୂର୍ତ ବିଭାଗର ଉପ ସଚିବ, ମହିଳା କର୍ମଚାରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଯାହାକି ଏହା ପଛରେ ଅନ୍ୟ କିଛି କାରଣ ନେଇ ଇଙ୍ଗିତ କରୁଛି ।

ନିର୍ମାଣ ସୌଧରେ ଥିବା କାର୍ଯ୍ୟାଳୟକୁ ଯାଇ ପୂର୍ତ ବିଭାଗର ଉପସଚିବ ପାରୁଲ ପଟୁଆରି ମହିଳା କର୍ମଚାରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ପୂର୍ତ ବିଭାଗର ମହିଳା କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି । ଅଫିସରେ ମହିଳାମାନେ କେତେ ସୁରକ୍ଷିତ ଅଛନ୍ତି  ଓ କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି? ସେ ନେଇ ମହିଳା କର୍ମଚାରୀଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି ପାରୁଲ ପଟୁଆରି । ପରବର୍ତୀ ପର୍ଯ୍ୟାୟରେ ସରକାରଙ୍କୁ ଏନେଇ ସେ ରିପୋର୍ଟ ଦେବେ ।

ଯଦି ଏହା ଏକ ସାଧାରଣ ନିର୍ଦ୍ଦେଶନାମା, ତେବେ ମହିଳା କର୍ମଚାରୀଙ୍କ ସହ କାହିଁକି ଆଲୋଚନା କଲେ ମହିଳା ସୁରକ୍ଷା ଓ ନିରାପତା ପାଇଁ ଥିବା ନୋଡାଲ୍ ଅଫିସର ପାରୁଲ ପଟୁଆରି? ନିର୍ମାଣ ସୌଧରେ ଥିବା ଏହି କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କ ସୁରକ୍ଷା ନେଇ କିଛି ସମସ୍ୟା ରହିଛି କି?

from Kanak News
via <a href="https://ifttt.com/?

ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ? ତାହା ଏବେ ବି ରହସ୍ୟ ଘେରରେ । ପୁଲିସ ଏବେ ମୁଖ୍ୟ ଅଭିଯୁକ୍ତ ରାକେଶକୁ ଗିରଫ କରି କୋର୍ଟର ହାଜର କରିଛି

କନକ ବ୍ୟୁରୋ: ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ଏବେ ବି ତା ଉପରୁ ପରଦା ହଟିନି । ଏହାରି ଭିତରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । କାହାଣୀ ହତ୍ୟାକାଣ୍ଡର ମୋଡ ନେବା ପଛର କାରଣ ହେଲା ଅଭିଯୁକ୍ତ ରାକେଶ ବିରୋଧରେ ଲାଗିଛି ଦଫା ୩୦୨ ଅର୍ଥାତ ହତ୍ୟା, ୨୦୧ ପ୍ରମାଣ ନଷ୍ଟ ଓ ଭୁଲ ତଥ୍ୟ ଦେବା ଏବଂ ଏସସିଏସଟି ଧାରା ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ଧର୍ମବିହାରରେ ଥିବା ଶିବସାଇ ଗେଷ୍ଟ ହାଉସରେ ଗତ ୨୬ ତାରିଖରେ ଝରାଫୁଲଙ୍କ ସହ ଥିଲେ ଅଭିଯୁକ୍ତ ରାକେଶ ସ୍ୱାଇଁ । ସେମାନଙ୍କ ସହ ଗେଷ୍ଟ ହାଉସରେ ଆଉ କେହି ନଥିଲେ । ଝରାଫୁଲଙ୍କର ପେଟ ସମସ୍ୟା ରହିଥିଲା । ଏ ସଂପର୍କରେ ରାକେଶଙ୍କୁ ମଧ୍ୟ ପୂର୍ବରୁ ଜଣାଥିଲା । ଗେଷ୍ଟହାଉସରେ ଉଭୟ ରାତି ବିତାଇବାକୁ ମନସ୍ଥ କରିଥିଲେ । ହେଲେ ସେଦିନ ରାତିରେ ଗେଷ୍ଟହାଉସରେ କଣ ସବୁ ଘଟିଗଲା ସେନେଇ କିଛି ସ୍ପଷ୍ଟ ଚିତ୍ର ମିଳିପାରୁନାହିଁ ।

ଭୁବନେଶ୍ୱର ଧର୍ମବିହାରରେ ଥିବା ଶିବସାଇ ଗେଷ୍ଟ ହାଉସର ସିସିଟିଭି ଚିତ୍ରରୁ ଜଣାପଡିଛି ଯେ, ଗତ ୨୬ ତାରିଖ ରାତିରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ଝରାଫୁଲ ସେଠାରେ ରହିଥିଲେ । ଏହା ପରେ ୨୭ ତାରିଖ ସକାଳେ ଗେଷ୍ଟ ହାଉସରୁ ଝରାଫୁଲକୁ ଏକ ସ୍କୁଟିରେ ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ଥିଲେ ଆଉ ଜଣେ ଯୁବକ । ସିସିଟିଭି ହାର୍ଡଡିସ୍କକୁ ପୁଲିସ ଜବତ କରି ଭିଡିଓ ଫୁଟେଜ ଆଧାରରେ ତଦନ୍ତ ଚଳାଇଛି ।

ତେବେ କେମିତି ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ହେଲା ସେ ନେଇ ଅଭିଯୁକ୍ତ ରାକେଶ ପୁଲିସ ଆଗରେ ବର୍ଣ୍ଣନା କରିଛି ।ରାକେଶର କହିବା ଅନୁସାରେ –

ଗତ ୨୬ ତାରିଖ ଦିନ ୧୧ଟା ବେଳେ ଝରାଫୁଲ ଯଶୀପୁର ଯିବା ଲାଗି ଝାଡେଶ୍ୱର ବସରେ ଚଢିଥିଲେ । ହେଲେ ପରେ ବାଣୀବିହାର ଛକରେ ଓହ୍ଲାଇ ପଡିଥିଲେ । ସେଠାରୁ ସେ ଚାଲିଚାଲି ରୁପାଲି ଛକ ଯାଏଁ ଯାଇଥିଲେ । ସେଠାରେ ଅପେକ୍ଷା କରି ରହିଥିବା ରାକେଶ ତାଙ୍କୁ ସ୍କୁଟିରେ ବସାଇ ବୁଲାବୁଲି କରିବା ପରେ ରାଜଧାନୀର ଧର୍ମବିହାରରେ ଥିବା ଗେଷ୍ଟହାଉସକୁ ନେଇଯାଇଥିଲେ । ଦୁହେଁ ଏକାଠି ରାତି ବିତାଇବା ପରେ ସକାଳୁ ଝରାଫୁଲଙ୍କ ପାଟିରୁ ଫେଣ ବାହାରୁଥିବା ଦେଖି ସେ ଭୟଭୀତ ହୋଇପଡିଥିଲେ । ଏହାପରେ ବନ୍ଧୁ ଶେଖରଙ୍କୁ ଡାକି ସ୍କୁଟରରେ ବସାଇ ଝରାଫୁଲଙ୍କୁ କଟକ ବଡ଼ ମେଡିକାଲକୁ ନେଇଥିଲେ ରାକେଶ । ହେଲେ ଝରାଫୁଲ ଅଚେତ ହୋଇପଡିଥିବା କଥା ବନ୍ଧୁଙ୍କୁ କହିନଥିଲେ ରାକେଶ । ବଂର ଅସୁସ୍ଥ ହୋଇଥିବାରୁ ହସ୍ପିଟାଲ ନେବା କଥା କହିଥିଲେ । କଟକରୁ ଆଗକୁ ଚାଲିଯିବା ପରେ ବନ୍ଧୁଙ୍କ ସନ୍ଦେହ ହେଲା । ପରେ ଘରେ ନେଇ ଛାଡିଦେବେ ବୋଲି ବନ୍ଧୁଙ୍କୁ କହିଥିଲେ । ଯାଜପୁର କୁଆଖିଆ ନିକଟରେ କିଛି ଲୋକଙ୍କର ସନ୍ଦେହ ହେବାରୁ ଝରାଫୁଲଙ୍କ ମୃତ୍ୟୁ ହୋଇଥିବା ବନ୍ଧୁଙ୍କୁ ଜଣାଇବା ସହ ମୃତଦେହକୁ ଧରି ରାସ୍ତାକଡ଼ରେ ଫିଙ୍ଗି ଦେଇ ପଳାଇ ଆସିଥିଲେ ।

ତେଣୁ ଏବେ ପ୍ରଶ୍ନ ଉଠୁଛି
ସେଦିନ ରାତିରେ ଗେଷ୍ଟହାଉସରେ ଝରାଫୁଲଙ୍କ ସହିତ କଣ ଘଟିଲା?
ଝରାଫୁଲଙ୍କ ପାଟିରୁ ଫେଣ ବାହାରୁଥିଲେ ମଧ୍ୟ ତାଙ୍କୁ ହସ୍ପିଟାଲ ନିଆଗଲା ନାହିଁ କାହିଁକି?
ବିଷପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ କି ଝରାଫୁଲ?
ଉଭୟଙ୍କ ମଧ୍ୟରେ ପ୍ରେମ ବ୍ୟାପାରକୁ ନେଇ ଝଗଡା ହୋଇଥିଲା କି?

କେଉଁ ପରିସ୍ଥିତିରେ ଝରାଫୁଲଙ୍କର ମୃତ୍ୟୁ ହେଲା ଓ ଏଥିପାଇଁ ଦାୟୀ କିଏ, ଏ ତମାମ କଥା ସେତେବେଳେ ସ୍ପଷ୍ଟ ହେବ ଯେତେବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବ ଏବଂ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ କୁଆଖିଆ ପୋଲିସ ।

from Kanak News
via <a href="https://ifttt.com/?

ଦୀର୍ଘ ବର୍ଷ ହେବ ପକ୍ଷୀମାନଙ୍କ ଅନ୍ନଦାତା ସାଜିଛନ୍ତି ଜୋସେଫ ସେକର । ଲକଡାଉନରେ ବି ପକ୍ଷୀଙ୍କୁ ରଖିନଥିଲେ ଭୋକିଲା । ୪ ହଜାର ଶୁଆଙ୍କ ପେଟକୁ ଦେଉଥିଲେ ଦାନା ।

କନକ ବ୍ୟୁରୋ : ସେ ବୁଝନ୍ତି ପକ୍ଷୀଙ୍କ ମନ ଆଉ ପେଟ କଥା । ସେଥିପାଇଁ ସକାଳ ହେଲେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ହଜାର ହଜାର ପକ୍ଷୀ ଆସି ତାଙ୍କ ଛାତ ଉପରେ ବସିଥାନ୍ତି । ଆଉ ସେହି ପକ୍ଷୀମାନଙ୍କୁ ନିଜ ହାତରେ ଖାଇବାକୁ ଦେଇଥାନ୍ତି ଏହି ବ୍ୟକ୍ତି । ପକ୍ଷୀମାନଙ୍କ ପ୍ରତି ଥିବା ତାଙ୍କର ଏଭଳି ପ୍ରେମ ପାଇଁ ତାଙ୍କୁ ଭାରତର ପକ୍ଷୀ ମଣିଷ ବୋଲି କୁହାଯାଏ ।

ଜୋସେଫ ସେକର । ଘର ତାମିଲନାଡୁର ଚେନ୍ନାଇ ସହରରେ । ସେକର ପେଶାରେ ଜଣେ କ୍ୟାମେରା ମେକାନିକ । ତାଙ୍କର କ୍ୟାମେରା ସଜାଡିବାରଏକ ଦୋକାନ ମଧ୍ୟ ରହିଛି । ସେକର ପ୍ରତିଦିନ ସକାଳ ୪ଟାରେ ଉଠିଥାନ୍ତି । ହେଲେ ସେ ସକାଳୁ ଉଠି ନିଜ କାମ କରନ୍ତିନି, କରନ୍ତି ପକ୍ଷୀମାନଙ୍କ କାମ । ପକ୍ଷୀମାନଙ୍କ ପାଇଁ ୬୦ କେଜି ଚାଉଳ ନିଜ ଛାତ ଉପରେ ସଜାଡିକି ରଖିଥାନ୍ତି । ଆଉ ସକାଳ ହେବା ମାତ୍ରେ ପ୍ରାୟ ୪ ହଜାର ଶୁଆ ତାଙ୍କ ଛାତ ଉପରକୁ ଆସିଥାନ୍ତି ।

ଦିନେ ସେକରଙ୍କ ଛାତ ଉପରକୁ ୨ଟି ଶୁଆ ଆସିଥିଲେ । ଆଉ ତାଙ୍କୁ ଦେଖି ସେକର ଖାଇବାକୁ ଦେଇଥିଲେ । ପରେ ଦ୍ୱିତୀୟ ଦିନ ୪ଟି ଶୁଆ ଆସିଲେ । ଆଉ ତାଙ୍କୁ ବି ଖାଇବାକୁ ଦେଲେ ସେକର । ଏମିତି ପ୍ରତିଦିନ ସେକର ନିଜ ଛାତ ଉପରେ ଶୁଆଙ୍କୁ ଖାଇବାକୁ ଦେଇଥିଲେ । ଆଉ ଏବେ ଏହି ଶୁଆମାନଙ୍କ ସଂଖ୍ୟା ୪ରୁ ୪ ହଜାରରେ ପହଞ୍ଚିଛି ।

ଶୁଆମାନଙ୍କୁ ଖାଇବାକୁ ଦେବାକୁ ସେକର ନିଜ ଅର୍ଥର ୪୦ ପ୍ରତିଶତ ଖର୍ଚ୍ଚ କରନ୍ତି । ଏହି କାମ ସେ ନିଜେ ହିଁ କରିଥାନ୍ତି । ଗୋଟିଏ ଦିନ ବି ସେ ଶୁଆମାନଙ୍କ ଖାଇବା ବନ୍ଦ କରନ୍ତିନି । ଆଉ ଶୁଆମାନଙ୍କୁ ଖାଇବାକୁ ଦେବେ ବୋଲି ସେ କୁଆଡେ ବି ଯାଆନ୍ତି ନି । ଏଥିପାଇଁ ସେ କହିନ୍ତି ଯଦି ମୁଁ କୁଆଡେ ପଳେଇବେ ଶୁଆମାନେ କେମିତି ଖାଇବେ ।

ସେକର ଆଉ ଶୁଆଙ୍କ ମଧ୍ୟରେ ଥିବା ଏହି ସମ୍ପର୍କ ଆଜିର ସମାଜ ପାଇଁ ଏକ ବଡ ଉଦାହରଣ । ପକ୍ଷୀମାନଙ୍କ କଥା ବୁଝିପାରୁନଥିଲେ ମଧ୍ୟ ତାଙ୍କ କିଚିରି ମିଚିରି ରାବରେ ତାଙ୍କ ପେଟ କଥା ବୁଝିପାରନ୍ତି ସେକର । ଆଉ ତାଙ୍କୁ ଦିଅନ୍ତି ପେଟ ପୂରା ଖାଇବା । ଆଉ ଶୁଆମାନେ ମଧ୍ୟ ସେକରଙ୍କୁ ନିଜ ଅନ୍ନଦାତା ଭାବେ ମଧ୍ୟ ଗ୍ରହଣ କରି ସାରିଛନ୍ତି । କାରଣ ଦିନକୁ ଦିନ ସେକରଙ୍କ ଛାତ ଉପରେ ଶୁଆମାନଙ୍କ ସଂଖ୍ୟା ବଢିବାରେ ଲାଗିଛି ।

from Kanak News
via <a href="https://ifttt.com/?

୧୬୪୮ରୁ ୨୦୨୧ ମସିହାକୁ ଦେଖିଛି ଦିଲ୍ଲୀର ଲାଲକିଲ୍ଲା । ସିପାହୀ ବିଦ୍ରୋହଠାରୁ ଚାଷୀ ଆନ୍ଦୋଳନର ମୁକସାକ୍ଷୀ ଏହି ଲାଲଗଡ

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀର କେନ୍ଦ୍ରରେ ଅବସ୍ଥିତ ଲାଲ କିଲ୍ଲା । ଆମ ଦେଶର ସୌନ୍ଦଯ୍ୟ, ଭବ୍ୟତା ଓ ସ୍ୱାଧୀନତାର ପ୍ରତୀକ । ଦୀର୍ଘ ୪ ଶତାବ୍ଦୀ ଧରି ଏହି ଲାଲକିଲ୍ଲା ଭାରତର ଇତିହାସକୁ ଦେଖିଆସିଛି । ସେଇଥିପାଇଁ ତ ଏହି କିଲ୍ଲାକୁ ଦେଖିବାକୁ ଚାରିଆଡୁ ଲୋକମାନେ ଦିଲ୍ଲୀକୁ ଧାଇ ଆସନ୍ତି ।

ମୋଗଲ କାଳରେ ନିର୍ମାଣ ହୋଇଥିବା ଏହି ବିଶାଳ କିଲ୍ଲାକୁ ୧୮୫୭ ବିଦ୍ରୋହର କେନ୍ଦ୍ରସ୍ଥଳ ବୋଲି ବି କୁହାଯାଏ । ଯାହାକୁ ପରେ ପରେ ଇଂରେଜ ମାନେ କବଜା କରି ନେଇଥିଲେ । ଆଉ ଦେଶ ସ୍ୱାଧୀନ ହେବା ପରେ ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଏହି କିଲ୍ଲା ଉପରୁ ହିଁ ତ୍ରିରଙ୍ଗା ପତାକାକୁ ଉଡାଇଥାନ୍ତି । ଯାହା ଲାଲକିଲ୍ଲାର ଗୌରବ ।

ଏବେ କିନ୍ତୁ ଏହି ବିଶାଳ ଲାଲକିଲ୍ଲା ପୁଣିଥରେ ଚର୍ଚ୍ଚାରେ । କୃଷି ଆଇନକୁ ବିରୋଧ କରି ଜାନୁଆରୀ ୨୬ରେ ଚାଷୀମାନେ ଲାଲକିଲ୍ଲାରେ ଯାହା କଲେ ତାହା ସମସ୍ତେ ଦେଖିଲେ । ତ୍ରିରଙ୍ଗା ବଦଳରେ ଲାଲକିଲ୍ଲାରେ ଉଡିଥିଲା ଚାଷୀମାନଙ୍କର ନିଜସ୍ୱ ଧର୍ମୀୟ ପତାକା । ଚାଷୀମାନଙ୍କର ଏଭଳି କାର୍ଯ୍ୟକୁ ଦେଶ ପ୍ରତି ଅପମାନ ବୋଲି ମଧ୍ୟ କୁହାଗଲା । ତେବେ ଲାଲକିଲ୍ଲା କେବଳ ଏହି ଗୋଟିଏ ନୁହେଁ ଆଗରୁ ବି ବିଦ୍ରୋହ ଦେଖିଛି । ୧୮୫୭ ମସିହାର ବିଦ୍ରୋହ । ଯାହାକୁ କି ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ବି କୁହାଯାଏ , ତାହାର ମୁଖ୍ୟ କେନ୍ଦ୍ରସ୍ଥଳ ମଧ୍ୟ ଏହି ଲାଲକିଲ୍ଲା ଥିଲା ।

ତେବେ ଲାଲକିଲ୍ଲାର ନିର୍ମାଣ ହୋଇଥିଲା ୧୬୩୮ ମସିହାରେ । ସେତେବେଳେ ସାରା ଦେଶରେ ମୋଗଲ ଶାସକମାନଙ୍କର ଶାସନ ଚାଲୁଥାଏ । ଆଉ ସେ ସମୟରେ ରାଜ୍ କରୁଥାନ୍ତି ଶାହଜାହାନ୍ । ସେତେବେଳେ ଶାହାଜାହାନ ଆଗ୍ରାରୁ ଦିଲ୍ଲୀକୁ ନିଜର ରାଜଧାନୀ ଘୁଞ୍ଚାଇ ଆଣିଥିଲେ । ଆଉ ଦିଲ୍ଲୀରେ ଏକ ସୁନ୍ଦର, ସୁଦୃଢ କିଲ୍ଲା ନିର୍ମାଣ କରିବାକୁ ଇଚ୍ଛା କରିଥିଲେ । ବାସ୍ ଏହାପରେ ସେ ତାଜମହଲର ଡିଜାଇନ୍ ପ୍ରସ୍ତତ କରିଥିବା କାରିଗର ଉସ୍ତାଦ ଅହମ୍ମଦ ଲାହୋରୀଙ୍କୁ ଲାଲକିଲ୍ଲାର ଡିଜାଇନ୍ ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦେଇଥିଲେ । ଡିଜାଇନ୍ ପ୍ରସ୍ତୁତ ହେବା ପରେ ୧୬୩୮ରୁ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା । ଯାହା ଶେଷ ହେବାକୁ ୧୦ ବର୍ଷ ସମୟ ଲାଗିଥିଲା । ୧୬୪୮ ମସିହା ବେଳକୁ ଲାଲକିଲ୍ଲା ସମ୍ପୂଣ୍ଣ ଭାବେ ନିର୍ମାଣ ହୋଇସାରିଥିଲା । ଏହାପରେ ପାଖପାଖି ୨୦୦ ବର୍ଷ ଧରି ଲାଲକିଲ୍ଲା ଉପରେ ମୋଗଲ ଶାସକଙ୍କ ହୁକୁମ୍ ଚାଲିଥିଲା ।

ଏହାରି ଭିତରେ ଭାରତରେ ଇଂରେଜ ଶାସନ ମଧ୍ୟ କ୍ରମଶ ସୁଦୃଢ ହେବାକୁ ଲାଗିଥିଲା । ଆଉ ମୋଗଲ ଶାସନ କେବଳ ଲାଲକିଲ୍ଲା ଭିତରେ ସୀମିତ ରହିଯାଇଥିଲା । ୧୮୫୭ରେ ଯେତେବେଳେ ସିପାହୀ ମାନେ ଇଂରେଜ ଶାସନ ବିରୋଧରେ ବିଦ୍ରୋହ କରିଥିଲେ । ସେତେବେଳେ ଏହାର କେନ୍ଦ୍ରସ୍ଥଳ ପାଲଟିଥିଲା ଲାଲକିଲ୍ଲା । ଭାରତର ଶେଷ ମୋଗଲ ଶାସକ ବାହାଦୂର ଶାହ ଜାଫରଙ୍କ ସିପାହୀ ବିଦ୍ରୋହର ନେତୃତ୍ୱ ନେବା ସହ ଇଂରେଜମାନଙ୍କ ଦ୍ୱାରା ଗିରଫ ହୋଇଥିଲେ । ଆଉ ସେବେଠୁ ଲାଲକିଲ୍ଲା ଇଂରେଜମାନଙ୍କ ହାତକୁ ଚାଲିଯାଇଥିଲା ।

ଏହି ସମୟରେ ଇଂରେଜମାନେ ଲାଲକିଲ୍ଲାର ବିଭିନ୍ନ ସ୍ଥାନକୁ ଭାଙ୍ଗିରୁଜି ଦେଇଥିଲେ । ଲାଲକିଲ୍ଲା ଭିତରେ ଥିବା ଅନେକ ମୂଲ୍ୟବାନ ଜିନିଷକୁ ଇଂରେଜମାନେ ବ୍ରିଟେନକୁ ପଠାଇଦେଇଥିଲେ । ଆଉ ତା ପରେ ଇଂରେଜମାନେ ଲାଲକିଲ୍ଲାକୁ ବ୍ରିଟ୍ରିଶ ସେନାର ମୁଖ୍ୟାଳୟ ଭାବେ ବ୍ୟବହାର କରିଥିଲେ । ଇଂରେଜମାନେ ଦେଶରୁ ବିଦାୟ ନେବା ସହ ଭାରତରେ ଗଣତନ୍ତ୍ରର ମୂଳଦୂଆ ପଡିଥିଲା । ଯାହାର ସାକ୍ଷୀ ଥିଲା ଦିଲ୍ଲୀର ଲାଲକିଲ୍ଲା । ଆଉ ସେବେଠାରୁ ପ୍ରତିବର୍ଷ ଭାରତର ପ୍ରଧାନମନ୍ତ୍ରୀ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ରେ ଲାଲକିଲ୍ଲାରୁ ଭାରତର ଜାତୀୟ ପତାକା ତ୍ରିରଙ୍ଗାକୁ ଉଡାଇଥାନ୍ତି ।

from Kanak News
via <a href="https://ifttt.com/?

ଭାରତୀୟ ସାମ୍ବାଦିକତାରେ ଜାନୁଆରୀ ୨୯

ଭାରତୀୟ ସାମ୍ବାଦିକତା ତଥା ସମ୍ବାଦପତ୍ର ଦୁନିଆରେ ଜାନୁଆରୀ ୨୯ର ସ୍ଥାନ ସର୍ବଦା ସ୍ୱତନ୍ତ୍ର । କାରଣ ଏହିଦିନ ୧୭୮୦ ମସିହାରେ ପ୍ରକାଶିତ ହୋଇଥିଲା ଭାରତ ତଥା ଏସିଆ ମହାଦେଶର ପ୍ରଥମ ମୁଦ୍ରିତ ସମ୍ବାଦପତ୍ର ବେଙ୍ଗଲ ଗେଜେଟ୍ । ଯାହାର ଅନ୍ୟନାମ ଥିଲା କାଲକାଟା ଜେନେରାଲ୍ ଆଡଭାଟାଜର୍ । ସେତେବେଳର ରାଜଧାନୀ କଲିକତାରୁ ଜେମସ୍ ଅଗଷ୍ଟସ୍ ହିକି ନାମଧାରୀ ଆଇରିସ୍ ବ୍ୟକ୍ତି ଦ୍ୱାରା ଏହାର ପ୍ରକାଶନ ଆରମ୍ଭ ହୋଇଥିଲା । ସେତେବେଳେ ପ୍ରଥମ କରି ମୁଦ୍ରିତ ହୋଇଥିବା ଏହି ସମ୍ବାଦପତ୍ର ବେଶ ଲୋକପ୍ରିୟ ତଥା ପ୍ରଭାବୀ ହୋଇପାରିଥିଲା । ଏହା ଏକ ସାପ୍ତାହିକ ସମ୍ବାଦପତ୍ର ଥିଲା  ଏବଂ ପ୍ରତ୍ୟେକ ଶନିବାର ପ୍ରକାଶିତ ହେଉଥିଲା ।

ଏହାର ପ୍ରକାଶକ ଏବଂ ସମ୍ପାଦକ ଜେମସ୍ ଅଗଷ୍ଟସ୍ ହିକି ଏହି ସମ୍ବାଦପତ୍ରକୁ ପ୍ରଥମେ ଏକ ନିରପେକ୍ଷ  ଏବଂ ଉନ୍ମୁକ୍ତ ଖବର କାଗଜ ଭାବେ ପ୍ରକାଶିତ କରିଥିଲେ । ଏହାହିଁ ଏହାର ପ୍ରମୁଖ ସମ୍ପାଦକୀୟ ନୀତି ଥିଲା । କିନ୍ତୁ ଧିରେ ଧିରେ ବେଙ୍ଗଲ ଗେଜେଟ୍ର ପ୍ରତିଦ୍ୱନ୍ଦୀ ସୃଷ୍ଟି ହେବାରେ ଲାଗିଲେ । ବିଶେଷକରି ଇଂରେଜ୍ ଓ ଇଷ୍ଟ ଇଣ୍ଡିଆ କମ୍ପାନି ବିରୁଦ୍ଧରେ ବିଭିନ୍ନ ଖବର ପ୍ରକାଶିତ ହେଉଥିବାରୁ ଇଂରେଜ ସରକାର ଏଥିପ୍ରତି ଆକ୍ରୋଶମୂଳକ ଆଭିମୁଖ୍ୟ ଓ ଆଚରଣ ପ୍ରଦର୍ଶନ କଲେ । ଏମିତିକି ହିକିଙ୍କ ବେଙ୍ଗଲ ଗେଜେଟର ବଢୁଥିବା ଲୋକପ୍ରିୟତାକୁ ହ୍ରାସ କରିବାକୁ ଯୋଜନା କରି ଇଣ୍ଡିଆ କମ୍ପାନି ସହ ସମ୍ପୃକ୍ତ କିଛି ବ୍ୟକ୍ତି ଇଣ୍ଡିଆ ଗେଜେଟ୍ ନାମରେ ଏକ ପ୍ରତିଦ୍ୱନ୍ଦୀ ସମ୍ବାଦପତ୍ରର ପ୍ରକାଶନକୁ ସମର୍ଥନ ଦେଲେ ।

ଏହି ଘଟଣା ଜେମସ୍ ଅଗଷ୍ଟସ୍ ହିକିଙ୍କୁ ତାଙ୍କ ସମ୍ପାଦକୀୟ ନୀତିକୁ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲା । କିଛି ସୂତ୍ରରୁ ଜଣାପଡେ ଯେ ସେତେବେଳର ଗଭର୍ଣ୍ଣର ଜେନେରାଲ ୱାରେନ୍ ହେଷ୍ଟିଙ୍ଗସଙ୍କ ପତ୍ନୀ ମାରିଆନ୍ ହେଷ୍ଟିଙ୍ଗସ୍ ହିକିଙ୍କ କାର୍ଯ୍ୟାଳୟରେ ଖୁସି ନଥିବାରୁ ଇଷ୍ଟ ଇଣ୍ଡିଆ କମ୍ପାନିର କିଛି କର୍ମଚାରୀ ଇଣ୍ଡିଆ ଗେଜେଟକୁ ଖୋଲାଖୋଲି ସମର୍ଥନ କରୁଥିଲେ । ଏଥିପାଇଁ ସାଇମନ୍ ଡ୍ରୋଜ୍ ବୋଲି ଜଣେ ବ୍ରିଟିଶ କର୍ମଚାରୀଙ୍କ ଉପରେ ହିକି ଦୋଷାରୋପ କରିଥିଲେ ।

ଏହାର ଜବାବରେ ୱାରେନ୍ ହେଷ୍ଟିଙ୍ଗସଙ୍କ ନିର୍ଦ୍ଦେଶରେ ବ୍ରିଟିଶ ପ୍ରଶାସନ ବେଙ୍ଗଲ ଗେଜେଟର ଡାକ ସରବରାହ ଉପରେ ଅଙ୍ଗୁଶ ଲଗାଇଥିଲେ । ନଭେମ୍ବର ୧୭୮୦ରେ ଇଣ୍ଡିଆ ଗେଜେଟ୍ ପ୍ରକାଶିତ ହେବା ସହିତ ହିକି ତାଙ୍କ ସମ୍ବାଦପତ୍ରର ନାମ କୋଲକାତା ଜେନେରାଲ ଆଡଭାଟାଇଜରକୁ ବଦଳାଇଦେଲେ । ସେ ଲୋକମାନଙ୍କୁ ଏହାଦ୍ୱାରା ଜଣାଇବାକୁ ଚାହିଁଥିଲେ ଯେ ବେଙ୍ଗଲ ଗେଜେଟ୍ ହେଉଛି ପ୍ରଥମ ସମ୍ବାଦପତ୍ର । ପରବର୍ତ୍ତୀ ସମୟରେ ହିକି-ହେଷ୍ଟିଙ୍ଗସ୍ ବିବାଦ ତୀବ୍ର ରୂପ ନେଇଥିଲା । ହିକି ହେଷ୍ଟିଙ୍ଗସଙ୍କ ଉପରେ ବାରମ୍ବାର ଅଭିବ୍ୟକ୍ତିର ସ୍ୱାଧୀନତାକୁ ଦବାଇବା ତଥା ଦୁର୍ନୀତି ଓ ଚାରିତ୍ରିକ ସ୍ଖଳନର ଆରୋପ ଲଗାଇଥିଲେ । ସେ ମଧ୍ୟ ବ୍ରିଟିଶ ପ୍ରଶାସନରର ଅନେକ ବଡ ପଦବୀରେ ଥିବା ଅଫିସରଙ୍କୁ ସମାଲୋଚନା କରିବା ସହିତ କିଛି ବିଚାରପତିଙ୍କ ଉପରେ ଦୁର୍ନୀତିର ସଙ୍ଗୀନ ଆରୋପ ଲଗାଇଥିଲେ ।

ଏହାପରେ ହିକିଙ୍ଗୁ ଜେଲ ଯିବାକୁ ପଡିଥିଲା । ହିକି ଜେଲରେ ଥାଇ ମଧ୍ୟ ଏହାର ପ୍ରକାଶନ ଜାରି ରଖିଥିଲେ  ଏବଂ ହେଷ୍ଟିଙ୍ଗସ୍ ତଥା ଇଷ୍ଟ ଇଣ୍ଡିଆ  କମ୍ପାନି ବିରୋଧରେ ଜନମତ ସୃଷ୍ଟି କରିବାରେ ଲାଗିଥିଲେ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ବ୍ରିଟିଶ ପ୍ରଶାସନ ତାଙ୍କ ପ୍ରିଣ୍ଟିଙ୍ଗ୍ ପ୍ରେସକୁ ଜବତ କରିବା ସହ ଏହାକୁ ନିଲାମ କରି ଇଣ୍ଡିଆ ଗେଜେଟକୁ ବିକି ଦେଇଥିଲେ । ଯାହା ଫଳରେ ୩୦ ମାର୍ଚ୍ଚ ୧୭୮୨ ମସିହାରେ ହିକିଙ୍କ ବେଙ୍ଗଲ ଗେଜେଟର ପ୍ରକାଶନ ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା ।

ଖୁବକମ୍ ଆୟୁଷ ଥିବା ଭାରତର ଏହି ପ୍ରଥମ ମୁଦ୍ରିତ ସମ୍ବାଦପତ୍ରର ପ୍ରଭାବ କିନ୍ତୁ ଅନେକ ଦିନ ପର୍ଯ୍ୟନ୍ତ ରହିଥିଲା । ଭାରତୀୟମାନଙ୍କୁ ନିଜର ସମ୍ବାଦପତ୍ର ମୁଦ୍ରିତ କରିବା ଦିଗରେ ପ୍ରେରିତ କରିଥିଲା । ନିଜର ଏହି ସ୍ୱଳ୍ପ ଅବଧି ମଧ୍ୟରେ ଏହା ସାମ୍ବାଦିକତାର ଅନେକ ନୂତନ ଧାରାକୁ ଜନ୍ମ ଦେଇ ପାରିଥିଲା । ସାମ୍ବାଦିକତାରେ ଆଲୋଚନା, ସମାଲୋଚନା, କଟାକ୍ଷ, ଅନୁସନ୍ଧାନ, ଜନମତ ସୃଷ୍ଟି ତଥା ଉନ୍ମୁକ୍ତ ଚର୍ଚ୍ଚା ଭଳି ଅନେକ ଆଧୁନିକ ଧାରା ସୃଷ୍ଟି କରିବାରେ ଏହି ସମ୍ବାଦପତ୍ର ସଫଳ ହୋଇପାରିଥିଲା ବୋଲି କହିଲେ ଭୁଲ୍ ହେବନାହିଁ ।

(ଏହି ସମ୍ବାଦକୀୟ ଲେଖକ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡକ୍ଟର ଦେବୀଲାଲ ମିଶ୍ରଙ୍କ ନିଜସ୍ୱ ମତ)  

from Kanak News
via <a href="https://ifttt.com/?

ଦିଲ୍ଲୀରେ ବିସ୍ଫୋରଣ । ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ । ଏକାଧିକ କାର କ୍ଷତିଗ୍ରସ୍ତ

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ହେଲା ବିସ୍ଫୋରଣ । ଶୁକ୍ରବାର ଦିଲ୍ଲୀ ସ୍ଥିତ ଇସ୍ରାଏଲ୍ ଦୂତାବାସ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଯାହା ଫଳରେ ଘଟଣା ସ୍ଥଳରେ ଥିବା ଏକାଧିକ କାର୍ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସର ଏକ ସ୍ପେଶାଲ ଟିମ୍ ପହଞ୍ଚି ଯାଇଥିବାବେଳେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।

ଦିଲ୍ଲୀ ପୋଲିସର କହିବା ମୁତାବକ, ସେମାନେ ପ୍ରଥମେ ବ୍ଲାଷ୍ଟ ହୋଇଥିବା ନେଇ ସୂଚନା ପାଇଥିଲେ । ଏହାପରେ ସେମାନେ ତୁରନ୍ତ ସେଠାକୁ ଆସି ଛାନଭିନ୍ କରୁଛନ୍ତି । ତେବେ ଏହି ବିସ୍ଫୋରଣ କିଏ ଓ କେମିତି କଲା ସେନେଇ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିପାରିନାହିଁ । ଘଟଣା ସ୍ଥଳରେ ଦମକଳ ବିଭାଗ ଉପସ୍ଥିତ ହେବା ସହିତ ଏକାଧିକ ଗାଡ଼ିର କାଚ ଭାଙ୍ଗି ପଡିଥିବା ନେଇ ସୂଚନା ରହିଛି। ଦିଲ୍ଲୀରେ ଆଜି ଧ୍ବଜାବତରଣ ସମାରୋହ ଚାଲିଥିବା ହେତୁ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି।

from Kanak News
via <a href="https://ifttt.com/?

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶକୁ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ । ଫେବୃଆରୀ ୧ରେ ରିମାଣ୍ଡ ଆବେଦନର ଶୁଣାଣି 

କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶକୁ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ  । ରିମାଣ୍ଡ ଆବେଦନର ଶୁଣାଣି ଫେବୃଆରୀ ୧ରେ କରିବେ କୋର୍ଟ । ଯାଜପୁର ଜିଲ୍ଲା ଦୌରାଜଜଙ୍କଠାରେ ରିମାଣ୍ଡ ଆବେଦନ କରିଥିଲା ପୋଲିସ । ଅଭିଯୁକ୍ତ ବିରୋଧରେ ୩୦୨, ୨୦୧ ଓ ଏସସି/ଏସଟି ଆକ୍ଟ ଲାଗିଛି ।

ଝରାଫୁଲ ମୃତ୍ୟୁ ମାମଲାରେ ଗତକାଲି ପୋଲିସ ଜଣେ ଅଭିଯୁକ୍ତ ରାକେଶକୁ ଗିରଫ କରିଥିଲା । ଗିରଫ ପରେ ଅଭିଯୁକ୍ତକୁ ଯାଜପୁର ପୋଲିସକୁ ହସ୍ତାନ୍ତର କରିଥିଲା କମିଶନରେଟ ପୋଲିସ । ସେପଟେ ଝରାଫୁଲର ମୃତ୍ୟୁ ଭୁବନେଶ୍ୱରରେ ହୋଇଥିବା କହିଥିଲା ଯାଜପୁର ପୋଲିସ ।

ଅନ୍ୟପକ୍ଷରେ ଆଜି ଅଭିଯୁକ୍ତ ରାକେଶ ଦେଇଥିବା ବୟାନ ପୋଲିସର ଦ୍ୱନ୍ଦ୍ୱ ବଢାଇଦେଇଛି । ଅଭିଯୁକ୍ତ ବୟାନରେ କହିଛି ଯେ ଝରାଫୁଲର ମୃତ୍ୟୁ ଫୁଡ ପଏଜନରୁ ହୋଇଛି । ତେବେ ଏହି ଘଟଣାର ସତ୍ୟତା ଜାଣିବା ପାଇଁ ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜୁଛି ପୋଲିସ ।

from Kanak News
via <a href="https://ifttt.com/?

ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ପରିଶ୍ରମ କରି ସ୍ୱାଭିମାନର ସହ ବଞ୍ଚିବାର ପଣ କରିଛନ୍ତି ଗଞ୍ଜାମ ମଥୁରାର ପ୍ରକାଶ ପଲେଇ । ସାଇକେଲ ମରାମତି ଦୋକାନ କରି କରୁଛନ୍ତି ପରିବାର ପ୍ରତିପୋଷଣ ।

କନକ ବ୍ୟୁରୋ : ଦିବ୍ୟାଙ୍ଗ ବୋଲି ସେ ହାରି ଯାଇ ନାହାନ୍ତି, ଥକି ଯାଇ ନାହାନ୍ତି । କାହା ପାଖରେ ହାତ ପାତି ନାହାନ୍ତି । ନିଜେ ପରିଶ୍ରମ କରୁଛନ୍ତି ଆଉ ସ୍ୱାଭିମାନର ସହ ବଞ୍ଚୁଛନ୍ତି । ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୋଲାସରା ମଥୁରାରେ ସାଇକେଲ ମରାମତି ଦୋକାନ କରିଥିିବା ପ୍ରକାଶ ପଲେଇଙ୍କୁ ।

ପ୍ରକାଶଙ୍କ ଘର ଦେଓଗାଁରେ । ବୟସ ୫୫ ପାଖାପାଖି । ଜନ୍ମରୁ ଦିବ୍ୟାଙ୍ଗ । ଦୁଇହାତର ଆଗୁଠି କାମ କରୁନାହିଁ , ଗୋଡ ଦୁଇଟି ମଧ୍ୟ ଅଚଳ । କିନ୍ତୁ ହାର ମାନି ନାହାନ୍ତି ପ୍ରକାଶ । ପରିଶ୍ରମ କରି ସ୍ୱାଭିମାନର ବଂଚିବାକୁ ପଣ କରିଛନ୍ତି ସେ । ପରିବାରରେ ୩ ପ୍ରାଣୀ । ପ୍ରକାଶ, ତାଙ୍କ ସ୍ତ୍ରୀ ଓ ମାଆ । ନିଜ ସାଇକେଲ ମରାମତି ଦୋକାନରେ ପ୍ରକାଶ ସକାଳୁ ସଂଜ କାମରେ ଲାଗିଥାନ୍ତି ଓ ସେଥିରୁ ମିଳୁଥିବା ରୋଜଗାରରେ ନିଜ ପରିବାର ଚଳାଉଛନ୍ତି ।

ପ୍ରକାଶ ପ୍ରତିଦିନ ତିନିଚକିଆ ସାଇକେଲରେ ୧୫ କିଲୋମିଟର ଜଙ୍ଗଲ ରାସ୍ତା ପାର ହୋଇ ନିଜ ଦୋକାନକୁ ଆସନ୍ତି । ସକାଳ ୫ ରୁ ଘରୁ ବାହରି ଆସନ୍ତି ଓ ସନ୍ଧ୍ୟା ରେ ଘରକୁ ଫେରୁ ଫେରୁ ରାତି ୯ଟା ହୋଇଯାଏ । ପରିଶ୍ରମ କରି ସ୍ୱାଭିମାନର ସହ ବଂଚୁଥିବା ପ୍ରକାଶ ଅଂଚଳରେ ବେଶ୍ ଲୋକପ୍ରିୟ । ଗ୍ରାହକମାନେ ତାଙ୍କ କାମରେ ମଧ୍ୟ ବେଶ୍ ଖୁସି ।

from Kanak News
via <a href="https://ifttt.com/?

କଲେଜ ଛାତ୍ରୀଙ୍କ ସଂଘର୍ଷ କାହାଣୀ । ପାଠପଢ଼ା ସହ ମେଣ୍ଢା ଚରାଇ ରୋଗିଣା ବାପାଙ୍କୁ ପ୍ରତିପୋଷଣ କରୁଛନ୍ତି ଖୋର୍ଦ୍ଧା ବାଲିପାଟଣାର ସସ୍ମିତା ପାଳ ।

କନକ ବ୍ୟୁରୋ : ଖରାରେ ଛତାଧରି ମେଣ୍ଢା ଚରାଉଥିବା ଏହି ଯୁବତୀ ଜଣଙ୍କ ହେଉଛନ୍ତି ସସ୍ମିତା ପାଳ । ସସ୍ମିତା ଏବେ ଯୁକ୍ତ ୩ ର ଛାତ୍ରୀ । ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ କଲେଜରେ ପାଠପଢ଼ୁଥିବା ସସ୍ମିତା କାହିଁକି ମେଣ୍ଢା ଚରାଉଛନ୍ତି ? ପରିବାରର ବୋଝରେ ସସ୍ମିତା ବାଧ୍ୟ ହୋଇଛନ୍ତି ମେଣ୍ଡା ଚରାଇବାକୁ । ସସ୍ମିତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ସେମାଣା ଶାସନ ପଂଚାୟତ ପାଳସାହି ୮ ନମ୍ବର ୱାଡରେ । ପରିବାର କହିଲେ ସସ୍ମିତା ଓ ତାଙ୍କ ବାପା ଧନେଶ୍ୱର । ୯ ବର୍ଷ ତଳୁ ମା’ ପର କରି ଆରପାରିକୁ ଚାଲିଯାଇଛନ୍ତି । ନିଜ ରୋଗଗ୍ରସ୍ତ ବାପାଙ୍କ ସହ ତମ୍ବୁ ତଳେ ରହନ୍ତି ସସ୍ମିତା । ବାପା କିଡନୀ ଓ ବ୍ଲଡପ୍ରେସର ରୋଗରେ ପୀଡ଼ିତ । ତେଣୁ ସବୁ ଦାୟିତ୍ୱ ଏବେ ସସ୍ମିତାଙ୍କ ଉପରେ ।

ସକାଳୁ ନିଜ ବାପାଙ୍କ କଥା ବୁଝି ମେଣ୍ଢା ଗୁହାଳର ଦାୟତ୍ୱ ନେଇ କଲେଜ ବାହାରି ପଡ଼ନ୍ତି ସସ୍ମିତା । ସେ ଏବେ ଜ୍ଞାନଦେବର ଡିଗ୍ରୀ ମହାବିଦ୍ୟାଳୟରେ ପଢ଼ନ୍ତି । କଲେଜରୁ ପାଠପଢ଼ା ସାରି ଘରକୁ ଫେରିଲେ ମେଣ୍ଢା ନେଇ ବାହାରରି ଯାଆନ୍ତି ଚରାଇବାକୁ । ହାତରେ ଛତା ଓ ଛୋଟିଆ ପାଣି ବୋତଲ ଧରି ମେଣ୍ଢା ଚରାନ୍ତି ସସ୍ମିତା ।

ଫନିରେ ସସ୍ମିତାଙ୍କ ଘର ଭାଙ୍ଗିଯାଇଥିଲା । ହେଲେ ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିନାହିଁ । ତମ୍ବୁ ତଳେ ଅଶ୍ରୟ ନେଇଛନ୍ତି ବାପ-ଝିଅ । କେବଳ ମିଳୁଥିବା ସରକାରୀ ଚାଉଳ ଓ ଧନେଶ୍ୱରଙ୍କୁ ମିଳୁଥିବା ଭତା ହିଁ ସାହାରା । ସେତିକିରେ କେମିତି ଚଳିବେ ? କାହିଁକି ସସ୍ମିତାଙ୍କୁ ଘର ମିଳି ନାହିଁ ? ଏପଟେ ରୋଗଗ୍ରସ୍ଥ ବାପାଙ୍କ ଦାୟିତ୍ୱ, ସେପଟେ ପାଠପଢ଼ା । ଅର୍ଥର ଅଭାବ । ଏସବୁ ସହ ଲଢ଼ି ଆଗକୁ ବଢ଼ୁଛନ୍ତି ସସ୍ମିତା । ଅପେକ୍ଷା କରିଛନ୍ତି କେବେ ମିଳିବ ସରକାରୀ ସହାୟତା ?

from Kanak News
via <a href="https://ifttt.com/?

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା । ଅଭିଯୁକ୍ତ ରାକେଶକୁ କୋର୍ଟ ଚାଲାଣ କଲା କୁଆଖିଆ ଥାନା ପୋଲିସ ।

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା । ଅଭିଯୁକ୍ତ ରାକେଶକୁ କୋର୍ଟଚାଲାଣ କଲା କୁଆଖିଆ ଥାନା ପୋଲିସ । ଯାଜପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଅଭିଯୁକ୍ତ ହାଜର । ଅଭିଯୁକ୍ତ ବିରୋଧରେ ୩୦୨, ୨୦୧ ଓ ଏସସି/ଏସଟି ଆକ୍ଟ ଲାଗିଛି । ଅଭିଯୁକ୍ତକୁ ୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ ।

ଝରାଫୁଲ ମୃତ୍ୟୁ ମାମଲାରେ ଗତକାଲି ପୋଲିସ ଜଣେ ଅଭିଯୁକ୍ତ ରାକେଶକୁ ଗିରଫ କରିଥିଲା । ଗିରଫ ପରେ ଅଭିଯୁକ୍ତକୁ ଯାଜପୁର ପୋଲିସକୁ ହସ୍ତାନ୍ତର କରିଥିଲା କମିଶନରେଟ ପୋଲିସ । ସେପଟେ ଝରାଫୁଲର ମୃତ୍ୟୁ ଭୁବନେଶ୍ୱରରେ ହୋଇଥିବା କହିଥିଲା ଯାଜପୁର ପୋଲିସ ।

ଅନ୍ୟପକ୍ଷରେ ଆଜି ଅଭିଯୁକ୍ତ ରାକେଶ ଦେଇଥିବା ବୟାନ ପୋଲିସର ଦ୍ୱନ୍ଦ୍ୱ ବଢାଇଦେଇଛି । ଅଭିଯୁକ୍ତ ବୟାନରେ କହିଛି ଯେ ଝରାଫୁଲର ମୃତ୍ୟୁ ଫୁଡ ପଏଜନରୁ ହୋଇଛି । ତେବେ ଏହି ଘଟଣାର ସତ୍ୟତା ଜାଣିବା ପାଇଁ ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜୁଛି ପୋଲିସ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started