ଚାଷୀ ଆନ୍ଦୋଳନ ବେଳେ ଦୋହଲିଗଲା ଦିଲ୍ଲୀ । ବେକାବୁ ହୋଇଗଲା ଟ୍ରାକ୍ଟର ରାଲି । ବ୍ୟାରିକେଡ ଭାଙ୍ଗିଲେ, ପୁଲିସ ସହ ଲଢିଲେ ଆନ୍ଦୋଳନକାରୀ 

କନକ ବ୍ୟୁରୋ : ଦିଲ୍ଲୀରେ ଟ୍ରାକ୍ଟର ରାଲିକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ତାହା ହିଁ ଘଟିଲା । କଟକଣାକୁ ଖାତିର୍ ନକରି, ନିର୍ଦ୍ଧାରିତ ସୀମାକୁ ଅତିକ୍ରମ କରି, ଚାଷୀଙ୍କ ଟ୍ରାକ୍ଟର ପରେଡ୍ ଯେତେବେଳେ ଆଗକୁ ମାଡ଼ି ଚାଲୁଥିଲା, ଚାଷୀଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା ପୁଲିସ୍ । ଆଉ ସାମ୍ନାକୁ ଆସିଥିଲା ଖଣ୍ଡଯୁଦ୍ଧର ଚିତ୍ର । ରାସ୍ତା ଉପରେ ପୁଲିସ୍-ଚାଷୀଙ୍କ ମୁହାଁମୁହିଁର ଚିତ୍ର । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍ ମୃଦୁ ଲାଠି ଚାର୍ଚ୍ଚ କଲା, ଲୁହବୁହା ଗ୍ୟାସ୍ ମାଡ଼ କଲା ।

ସିଙ୍ଘୁ ବର୍ଡର, ଗାଜିପୁର ବର୍ଡର, ନଙ୍ଗଲୋଇ, ଅସ୍କର ଧାମ, କର୍ଣ୍ଣାଲ ବାଇପାସ୍ । ଏମିତି ଏକାଧିକ ସ୍ଥାନରେ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି ପୁଲିସ୍ ଓ ଚାଷୀ । ରାଜରାସ୍ତା ଉପରେ ଯାତ୍ରୀବାହୀ ବସ୍କୁ ଭାଙ୍ଗି ଚୁରମାର କରିଦିଆଯାଇଛି । ଶାନ୍ତିପୂର୍ଣ୍ଣ ରାଲିର ଅନୁମତି ନେଇ ବାହାରିଥିବା ଟ୍ରାକ୍ଟର ରାଲି, ହିଂସାତ୍ମକ ରୂପ ନେଇଥିଲା, ଯେତେବେଳେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଯାଇଥିବା ଖବର ସାମ୍ନାକୁ ଆସିଲା । ଦଳ ଦଳ ହୋଇ ଚାଷୀ ରାସ୍ତା ଉପରକୁ ଓହ୍ଲାଇ ଆସିଲେ । ଏମିତି କି କିଛି ଲୋକଙ୍କ ହାତରେ ଥିଲା ଖଣ୍ଡା ।

ହଜାର ହଜାର ଟ୍ରାକ୍ଟର ମାଡ଼ି ଆସୁଥିଲା । ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟ କରି ମାଡ଼ି ଆସୁଛି ଟ୍ରକ୍ଟର । ଆଉ କାଳେ ନିଜ ଉପରକୁ ମାଡ଼ି ଯିବ ଟ୍ରାକ୍ଟର ଏହି ଭୟରେ ଜୀବନ ବିକଳରେ ଛିନଛତ୍ର ହୋଇଯାଉଛନ୍ତି ପୁଲିସ୍ କର୍ମୀ । ଚାଷୀଙ୍କ ଆକ୍ରମଣାତ୍ମ ଆଭିମୁଖ୍ୟ ଆଗରେ ହାତ ଟେକିଦେଇଥିଲେ ପୁଲିସ୍ କର୍ମୀ । ଆଉ ଚାଷୀ ଦିଲ୍ଲୀ ଲାଲକିଲ୍ଲା ଯାଏଁ ମାଡ଼ି ଯାଇଥିଲେ ।

ଦିଲ୍ଲୀ ରାଜରାସ୍ତାରେ ଅରାଜକତାର ଏହି ସବୁ ଦୃଶ୍ୟ ଭିତରେ- ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ବୟାନଜାରି କରି କୁହାଯାଇଛି- ଆମର ଉଦ୍ୟମ ସତ୍ୱେ କିଛି ବ୍ୟକ୍ତି, ନିର୍ଦ୍ଧାରିତ ସୀମାର ଉଲଂଘନ କରିଥିଲେ ଏବଂ ନିନ୍ଦନୀୟ ଘଟଣାରେ ଲିପ୍ତ ଥିଲେ । ଆଉ କିଛି ଅସାମାଜିକ ତତ୍ୱ ବଳପୂର୍ବକ ପଶିଆସିଥିଲେ, ତେବେ ସାମଗ୍ରୀକ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ରହିଛି । ଶାନ୍ତି ଆମର ଶକ୍ତିି, ଅଶନ୍ତି ଆନ୍ଦୋଳନକୁ ଦୁର୍ବଳ କରିବ ବୋଲି ପୂର୍ବରୁ କୁହାଯାଇଥିଲା ବୋଲି ମିଳିତ କୃଷକ ମୋର୍ଚ୍ଚ ପକ୍ଷରୁ କୁହାଯାଇଛି ।

ନାଗରିକର ସ୍ୱାଧିନତା ଓ ଅଧିକାରର ଗୁଣଗାନ କରି ଯେତେବେଳେ ଦିଲ୍ଲୀର ଛାତି ଉପରେ ଗଣତନ୍ତ୍ର ଦିବସ ପାଳନ କରାଯାଉଥିଲା, ଠିକ୍ ସେତିକି ବେଳେ ସେହି ସ୍ୱାଧିନତା ଓ ଅଧିକାରର କଥା କହି, କିଛି ଲୋକ ସବୁସୀମା ଟିପି ଯାଇଥିଲେ । ଗଣତନ୍ତ୍ରର ଉତ୍ସବକୁ ଦୃଷ୍ଟିରେ ରଖି ମାତ୍ର ୫ ହଜାର ଟ୍ରକ୍ଟରକୁ ରାଲି କରିବାକୁ ଅନୁମତି ଦିଆଯାଇଥିଲା । ପ୍ରଥମରୁ ସବୁ ଠିକ୍ଠାକ୍ ବି ଚାଲିଥିଲା । ହେଲେ ଅଚାନକ୍ ବେକାବୁ ହୋଇ କିଛି ଚାଷୀ ଅରାଜକତାର ବାତାବରଣ ସୃଷ୍ଟି କରିଥିଲେ ।

ଯେତେବେଳେ ଦିଲ୍ଲୀର ଚାଷୀ ଆନ୍ଦୋଳନ ଉପରେ ସାରା ଦେଶର ନଜର ଥିଲା । କୃଷୀ ଆଇନ ପ୍ରତ୍ୟାହାର ଦାବିରେ ୨ ମାସ ହେଲା ଚାଲିଥିବା ଆନ୍ଦୋଳନ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ୁଥିଲା । ଏପରି କି କୃଷି ଆଇନକୁ ଦେଢ଼ ବର୍ଷ ଯାଏଁ, ସ୍ଥଗିତ ରଖିବାକୁ ରାଜି ହୋଇଯାଇଥିଲେ ମୋଦି ସରକାର । ଠିକ୍ ସେତିକି ବେଳେ ଦିଲ୍ଲୀରେ ଯେଉଁ ଘଟଣା ଘଟିଛି, ଯାହା ଚାଷୀ ଆନ୍ଦୋଳନର ଆଭିମୁଖ୍ୟ ଓ ଲକ୍ଷ୍ୟକୁ ନେଇ ପ୍ରଶ୍ନ ଛିଡ଼ା କରିଛି ।

from Kanak News
via <a href="https://ifttt.com/?

ଭାରତ ପାକ୍ ୱାଘା ଅଟାରୀ ସୀମାରେ ଗଣତନ୍ତ୍ର ଉତ୍ସବ । ବିଟିଂ ରିଟ୍ରିଟ୍ ଅବସରରେ ପରେଡ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ।

କନକ ବ୍ୟୁରୋ : ଭାରତ ପାକିସ୍ତାନ ୱାଘା ଅଟାରୀ ସୀମାରେ ଗଣତନ୍ତ୍ରର ସ୍ୱତନ୍ତ୍ର ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ବିଟିଂ ରିଟ୍ରିଟ୍ ବେଳେ ପରେଡ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ସାମିଲ ହୋଇଥିଲେ ଦର୍ଶକ ।

ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ ପାକିସ୍ତାନ ସହ ମିଠା ଆଦାନ ପ୍ରଦାନ ହୋଇନାହିଁ । ତେବେ ବିଏସଏଫ ପକ୍ଷରୁ ଯବାନ ମାନଙ୍କୁ ମିଠା ବଂଟାଯାଇଥିଲା । ଏହାସହ ବିଟିଂ ଦ ରିଟ୍ରିଟ୍ ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ।

from Kanak News
via <a href="https://ifttt.com/?

ଦିଲ୍ଲୀ ଷ୍ଟାଇଲରେ ଆନ୍ଦୋଳନ । ସୁନ୍ଦରଗଡରେ ଏମସିଏଲର କୋଇଲା ପରିବହନ ବିରୋଧରେ ତାତିଛନ୍ତି ଲୋକେ

କନକ ବ୍ୟୁରୋ : ଦିଲ୍ଲୀ ଷ୍ଟାଇଲରେ ଆନ୍ଦୋଳନ । ସୁନ୍ଦରଗଡ ଟପରିଆରେ ଏମସିଏଲର କୋଇଲା ପରିବହନ ବିରୋଧରେ ତାତିଛନ୍ତି ଲୋକେ । ଗାଁ ମଝିରେ କୋଇଲା ପରିବହନକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ସହ ଜନଶକ୍ତି ବିକାଶ ପରିଷଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୮ ଦିନ ହେଲା ଏଠାରେ ୨୪ ଘଂଟିଆ ଦିବାରାତ୍ର ଆନ୍ଦୋଳନ ଚାଲିଛି ।

ସୁନ୍ଦରଗଡ ଟପରିଆରେ ଏମସିଏଲର କୋଇଲା ପରିବହନ ଲୋକଙ୍କ ପାଇଁ ଆଣିଛି କଷଣ । ଗାଁ ଭିତରେ ପରିବହନ ଯୋଗୁଁ ଜନଜୀବନ ହୋଇପଡିଛି ପ୍ରଭାବିତ । ସୁନ୍ଦରଗଡର ବାଙ୍କିବାହାଲରୁ ଟପରିଆ ଛତିଶଗଡ ସୀମା ୨୬ କିଲୋମିଟର ରାସ୍ତା ପାଲଟିଛି ମରଣଯନ୍ତା । ଆଉ ଗାଁ ଭିତରେ କୋଇଲା ପରିବହନକୁ ବିରୋଧ କରି ଟପରିଆଠାରେ ସ୍ଥାନୀୟ ସଙ୍ଗଠନ ଜନଶକ୍ତି ବିକାଶ ପରିଷଦ ୮ ଦିନ ହେଲା ଚଳାଇଛି ଆନ୍ଦୋଳନ । ଆଉ ଏଥିରେ ସାମିଲ ହୋଇଛନ୍ତି ସ୍ଥାନୀୟ ଅଂଚଳର ଲୋକେ ।

ଗାଁ ମଝିରେ ଏମସିଏଲର କୋଇଲା ପରିବହନ ଯୋଗୁଁ ପ୍ରଦୂଷଣ ବଢି ଲୋକଙ୍କ ବଞ୍ଚିବା ମୁସ୍କିଲ ହୋଇପଡିଛି । କୋଇଲାଗୁଣ୍ଡ ଉଡି ସିଧାସଳଖ ଚାଷ ଜମି, କୂଅ , ପୋଖରୀ, ପାଣି ଓ ଘର ଭିତରେ ପ୍ରବେଶ କରି ଖାଦ୍ୟ ପଦାର୍ଥ ଓ ଅନ୍ୟ ଜିନିଷ ନଷ୍ଟ କରୁଛି । ଚାଷ ଉଜୁଡିଯାଇଛି । ତେଣୁ ଗାଁ ମଧ୍ୟ ଦେଇ କୋଇଲା ପରିବହନ କୁ ବନ୍ଦ କରିବାକୁ ଦାବି କରିଛି ପରିଷଦ ।

ଏମସିଏଲର କୁଲଡା ଖୋଲାମୁହଁ କୋଇଲାଖଣି, ଖଣିଜ ଦ୍ରବ୍ୟ ପରିବହନ ସଂରକ୍ଷଣ ଓ ବୋଝେଇ ରେ ସମସ୍ତ ସର୍ତ ଉଲ୍ଲଘଂନ କରୁଥିବା ଅଭିଯୋଗ ହୋଇଛି । ଗାଁ ମଝିରେ କୋଇଲାଖଣି ପରିବହନ ହେବାର ନିୟମ ନାହିଁ । କିନ୍ତୁ ଏମସିଏଲ ସର୍ତ ଉଲ୍ଲଙ୍ଘନ କରି ଗାଁ ମଝିରେ କୋଇଲା ପରିବହନ କରୁଛି । ଏବେ ଦାବି ପୂରଣ ନହେଲେ ଆନ୍ଦୋଳନ ହଟିବ ନାହିଁ ବୋଲି ଶୁଣାଇ ଦେଇଛନ୍ତି ଆନ୍ଦୋଳନକାରୀ ।

from Kanak News
via <a href="https://ifttt.com/?

ରକ୍ତ ବରଫ ହୋଇଯିବା ଭଳି ଥଣ୍ଡାରେ ଗଣତନ୍ତ୍ର ଦିବସ ପାଳିଲେ ବୀର ଯବାନ । ମାଇନସ୍ ୨୫ ଡିଗ୍ରୀରେ ପତାକା ଉତୋଳନ, ବରଫ ହ୍ରଦରେ ବି ଫର ଫର ଉଡିଲା ତ୍ରିରଙ୍ଗା ।

କନକ ବ୍ୟୁରୋ : ମାଇନସ୍ ୨୫ ଡିଗ୍ରୀ ତାପମାତ୍ରାରେ ଯବାନ ପାଳିଲେ ଗଣତନ୍ତ୍ର ଦିବସ । ହିମାଳୟର ଲଦାଖ୍ ଅଂଚଳରେ ବୀର ଯବାନଙ୍କ ସାହସିକତାର ଝଲକ୍ । ବରଫପାତ ଓ ତାପମାତ୍ରା ମାଇନସ୍ ଡିଗ୍ରୀକୁ ଯିବା ସତ୍ୱେ ପତାକା ଉତୋଳନ କରିଛନ୍ତି ବୀର ଯବାନ । ଏହା ସହ ଲଦାଖରେ ମାଇନସ ଡିଗ୍ରୀ ତାପାମାତ୍ରା ଯୋଗୁଁ ବରଫ ପାଲଟିଥିବା ହ୍ରଦ ଉପରେ ପତାକା ଉଡାଇଛନ୍ତି ବୀର ଯବାନ ।

ଇଣ୍ଡୋ ତିବତ୍ ସୀମା ପୁଲିସ୍ ବା ଆଇଟିବିପି ଯବାନଙ୍କ ପତାକା ଉତୋଳନ ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ସମସ୍ତେ ସଲାମ୍ କରିଛନ୍ତି ଆଇଟିବିପି ଯବାନଙ୍କୁ । ତାପ ମାତ୍ରା ତଳେ ଥିବା ସତ୍ୱେ ବରଫଚାଦର ତଳେ ତ୍ରିରଙ୍ଗା ଉଡ଼ାଇଛନ୍ତି ଆଇଟିବିପି ଦଳ ଆଉ ୧୦ ହଜାର ଫୁଟ୍ ଉଚ୍ଚରେ ଏଭଳି କାରନାମା ସବୁ ମହଲରୁ ପ୍ରଶଂସା ପାଇଛି ।

from Kanak News
via <a href="https://ifttt.com/?

ଧୂଳିସାତ ହେଲା ହନୁମାନ ପଇସା ବିକ୍ରି କରି କୋଟିପତି ହେବାର ସ୍ୱପ୍ନ । ବ୍ରହ୍ମପୁରରୁ ଗିରଫ ହେଲେ ୭ ଜଣ

କନକ ବ୍ୟୁରୋ : ହନୁମାନ ଚିତ୍ର ଥିବା ପୁରୁଣା ମୁଦ୍ରା ବିକ୍ରି କରି କୋଟିପତି ହେବାର ସ୍ବପ୍ନ ଧୂଳିସାତ୍‌ ହୋଇଛି। ବ୍ରହ୍ମପୁରସ୍ଥିତ ବଡ଼ବଜାର ଅଂଚଳରେ ହନୁମାନ ମୁଦ୍ରା ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରିଛି। ଫଳରେ ୭ ଅଭିଯୁକ୍ତଙ୍କ ଯୋଜନା ପଣ୍ଡ ହୋଇଛି। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସମ୍ବଲପୁର କ୍ଷେତରାଜପୁର ଥାନା ଅଂଚଳର ପ୍ରଦୀପ ମହାପାତ୍ର, ସୁରେଶ ମେହେର, ସାସନ ଥାନା ଅଂଚଳର ଅନିଲ କୁସୁ, ସୁନ୍ଦରଗଡ଼ ଜିଲ୍ଲା ପାନପୋଷ ଅଂଚଳର ଜୟନ୍ତ ପ୍ରଧାନ, ବିଜେନ କୁମାର ବାଗ, ଗଂଜାମ ଜିଲ୍ଲା ସୋରଡ଼ା ଅଂଚଳର ଅକ୍ଷୟ କୁମାର ଓ କେ ନୂଆଗାଁ ଥାନା ଅନ୍ତର୍ଗତ ବୋମକେଇ ଗାଁର ଏସ ଜୟରାମ ପାତ୍ର।

ସୂଚନା ଅନୁସାରେ ଶାନ୍ତିନଗରରେ ହନୁମାନ ଚିତ୍ର ଥିବା ପୁରୁଣା ମୁଦ୍ରା କାରବାର ଚାଲିଥିବା ‌ବେଳେ ବଡ଼ବଜାର ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ପୁଲିସର ଏକ ସ୍ବତନ୍ତ୍ର ଟିମ କାଳ ବିଳମ୍ବ ନକରି ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପୁଲିସ ‌୩ଟି ହନୁମାନ ଚିତ୍ର ଥିବା ମୁଦ୍ରା, ନଗଦ ଦେଢ଼ ଲକ୍ଷ ଟଙ୍କା, ୨ଟି ବାଇକ୍‌, ଚୁମ୍ବକ ଓ ସ୍ପିରିଟ ଜବତ କରିଥିଲା।

ହନୁମାନ ଟଙ୍କାକୁ କିଣା-ବିକା ପାଇଁ ୨ କୋଟି ଟଙ୍କାର ଡିଲ ଚାଲିଥିବା ବୋଲି ପୁଲିସ କହିଛି। ଏହି କାରବାରରେ ସମ୍ବଲପୁର, ରାଉରକେଲା ଓ ଗଂଜାମର ୭ ଜଣ ଯୁବକ ସଂପୃକ୍ତ ଅଛନ୍ତି। ଏମାନେ ବିଭିନ୍ନ ସ୍ଥାନରୁ ପୁରୁଣା ମୁଦ୍ରା ସଂଗ୍ରହ କରି ଏହାକୁ ବାହାରକୁ ଚାଲାଣ କରିବା ପାଇଁ ଯୋଜନା କରୁଥିଲେ। ତେବେ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

from Kanak News
via <a href="https://ifttt.com/?

ଭିନ୍ନକ୍ଷମ ମାଗୁଛି ନ୍ୟାୟ, କୁଆଡେ ଗଲା ଅଭିଯୁକ୍ତ ? ଦିବ୍ୟାଙ୍ଗ ଯୁବତୀଙ୍କୁ ନିର୍ଯାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାକୁ ଖୋଜୁଛି ପୁଲିସ୍, ହେଲେ ପାଉନି ଟେର୍

କନକ ବ୍ୟୁରୋ : ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଦୁଇ ମାସ ତଳୁ ଅଭିଯୋଗ ହୋଇଥିଲେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାକୁ ଏପର୍ଯ୍ୟନ୍ତ ଧରିପାରିନି ପୋଲିସ । ଅଭିଯୋଗ ସତ୍ୱେ ସୁରେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଫେରାର ହେବାରେ ସକ୍ଷମ ହୋଇଛି ସୁରେଶ । ଅନ୍ୟପଟେ ପ୍ରଶାସନର କାର୍ଯ୍ୟକୁ ଉଠିଛି ପ୍ରଶ୍ନ ।

ଭୁବନେଶ୍ୱର ପଳାସପଲ୍ଲୀରେ ଥିବା ନିଖିଳ ଉକ୍ରଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ । ଏହି ବାବୁଙ୍କ ବିରୋଧରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଦେବା ଭଳି ସାଂଘାତିକ ଅଭିଯୋଗ ଆସିବା ପରେ ତାଙ୍କ ପତା ମିଳୁନି । କୁହାଯାଉଛି ସେ ଫେରାର ହୋଇଯାଇଛନ୍ତି । ଏବେ କେଉଁଠି ଅଛନ୍ତି ତାହା କାହାକୁ ଜଣା ନାହିଁ । ଏପଟେ ନ୍ୟାୟ ଅପେକ୍ଷାରେ ଅନାଇ ବସିଛନ୍ତି ଅଭିଯୋଗକାରିଣୀ ମହିଳା । ହେଲେ ପୋଲିସ ହାତ ଖାଲି । ଆଉ ସୁରେଶ ଫେରାର ହୋଇଯିବା ପରେ ତାକୁ ଧରିବା ପାଇଁ ସ୍ପେଶାଲ ଟିମ୍ କରିଛି କମିଶନରେଟ୍ ପୋଲିସ୍ ।

ସୁରେଶ ଫେରାର ହୋଇଯାଇଥିବା ଖବର ସାମନାକୁ ଆସିବା ପରେ ପ୍ରଶ୍ନ ଉଠାଇଛନ୍ତି ସମାଜସେବୀ । ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେବା ପରେ କାହିଁକି ସୁରେଶକୁ ଧରା ଯାଇନଥିଲା ଓ ଖୁଲମଖୁଲା ଛାଡି ଦିଆଯାଇଥିଲା ତାକୁ ନେଇ ପ୍ରଶାସନକୁ ଘେରିଛନ୍ତି । ସେହିପରି ଭିନ୍ନକ୍ଷମ କମିଶନଙ୍କ ଆଡକୁ ମଧ୍ୟ ଆଙ୍ଗୁଳି ଉଠିଛି । ଭିନ୍ନକ୍ଷମ କମିଶନ କଣ କରୁଥିଲେ ବୋଲି ପଚାରିଛନ୍ତି । ସେପଟେ ଭିନ୍ନକ୍ଷମ କମିଶନ କହିଛନ୍ତି ତାଙ୍କ ନିକଟରେ ଅଭିଯୋଗ ହୋଇନଥିଲା କିନ୍ତୁ ଜାଣିବା ପରେ ତଦନ୍ତ ଆରମ୍ଭ କରିଛନ୍ତି ।

ସୁରେଶ ଫେରାର ହେବା ଜଣାପଡିବା ପରେ ପ୍ରଶ୍ନ ଉଠୁଛି ସୁରେଶ କେବେଠାରୁ ଫେରାର ଅଛନ୍ତି? ଫେରାର ହେବା ପାଇଁ କାହିଁକି ସୁରେଶକୁ ଦୁଇ ମାସ ସୁଯୋଗ ଦିଆଯାଇଥିଲା । ସୁରେଶ ମୁଣ୍ଡରେ କାହାର ରହିଛି ହାତ ।

from Kanak News
via <a href="https://ifttt.com/?

ଓଡିଶାର ଗୌରବ ବଢାଇଲେ ଅଖ୍ୟାତପଲ୍ଲୀର ପୂର୍ଣ୍ଣମାସି ଜାନି । ଗଛମୂଳେ ପାଠ ପଢାଇ ପଦ୍ମ ପୁରସ୍କାର ପାଇଲେ ନନ୍ଦ ସାର୍ । 

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଚଳିତ ବର୍ଷ ମୋଟ ୧୧୯ଜଣଙ୍କୁ ମିଳିବ ଏହି ସମ୍ମାନ । ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ । ସେମାନଙ୍କ ମଧ୍ୟରୁ ଓଡିଶାରୁ ୬ଜଣ ସମ୍ମାନିତ ହେବେ ।

ଓଡିଶାରୁ ୬ଜଣ ସମ୍ମାନିତ ହେବେ ପଦ୍ମ ପୁରସ୍କାରରେ । କଳା କ୍ଷେତ୍ରରେ ଓଡିଶାର ସୁଦର୍ଶନ ସାହୁ ପାଇବେ ପଦ୍ମ ବିଭୂଷଣ ।  ସେହିଭଳି ଓଡିଶାରୁ ସମାଜସେବା  ପାଇଁ ଶାନ୍ତି ଦେବୀ, କଳାପାଇଁ ପୂର୍ଣ୍ଣମାସି ଜାନି,  ସାହିତ୍ୟ ଓ ଶିକ୍ଷା ପାଇଁ ରଜତ କୁମାର କର ପାଇବେ ପଦ୍ମଶ୍ରୀ ସମ୍ମାନ ।  ଏହାଛଡା ମେଡିସିନ ପାଇଁ ଡକ୍ଟର କ୍ରିଷ୍ଣ ମୋହନ ପାଠୀ, ଶିକ୍ଷା ଓ ସାହିତ୍ୟ ପାଇଁ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ଦେବାକୁ ଘୋଷଣା କରାଯାଇଛି ।

କଳା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଓଡିଶାର ସୁଦର୍ଶନ ସାହୁଙ୍କୁ ମିଳିବ ପଦ୍ମବିଭୁଷଣ ପୁରସ୍କାର । ଓଡିଶାକୁ ଗର୍ବିତ କରିଛନ୍ତି ପ୍ରସ୍ତର ଶିଳ୍ପୀ ସୁଦର୍ଶନ ସାହୁ । ସୁଦର୍ଶନ ନିର୍ଜିବ ପଥର ଦେହରେ ଭରି ଦେଇଥାନ୍ତି ନୂଆ ଜୀବନ । ୧୯୩୯ ମସିହାରେ ଜନ୍ମଲାଭ କରିଥିଲେ, ସୁଦର୍ଶନ ସାହୁ । ୧୯୭୭ରେ ପୁରୀରେ ଆରମ୍ଭ କରିଥିଲେ ସୁଦର୍ଶନ କ୍ରାଫ୍ଟ ମ୍ୟୁଜିୟମ । ୧୯୯୧ରେ ଓଡିଶା ସରକାରଙ୍କ ସହାୟତାରେ ଭୁବନେଶ୍ୱରେ ପ୍ରତିଷ୍ଠା କରିଥିଲେ ସୁଦର୍ଶନ ଆର୍ଟ୍ସ ଆଣ୍ଡ କ୍ରାଫ୍ଟ ଭିଲେଜ୍ । ଏଠାରେ ପଥର, କାଠ ଓ ଫାଇବର ଗ୍ଲାସରୁ କିଭଳି ମୂର୍ତି ନିର୍ମାଣ କରାଯିବ ସେହି ପ୍ରଶିକ୍ଷଣ ଦିଆଯାଏ ।

ଓଡିଶାର ପଦ୍ମ ପୁରସ୍କାର ପାଇଁ ୬ ଜଣଙ୍କ ନାଁ ଘୋଷଣା ହୋଇଥିଲେ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କନ୍ଧମାଳ ଜିଲ୍ଲାର ପୂର୍ଣ୍ଣମାସୀ ଜାନି । ପୂର୍ଣ୍ଣମାସୀ, ଟାଡିସରୁ ବାଇ ନାଁରେ ବେଶ ଲୋକପ୍ର୍ରିୟ ପରିଚିତ । ପୂର୍ଣ୍ଣମାସୀ କେବେ ସ୍କୁଲ ମାଡ଼ି ନାହାଁନ୍ତି । ହେଲେ, ସେ ବୋଲୁଥିବା କବିତା ଓ ପୌରାଣିକ ଗୀତସାର ପାଇଁ ସେ କନ୍ଧମାଳ ଜିଳ୍ଲାର ଘରେ ଘରେ ପରିଚିତ । ପୂର୍ଣ୍ଣମାସୀଙ୍କ ଘର କନ୍ଧମାଳ ଚାରିପଡ଼ା ଗାଁରେ  । ଏଯାଏଁ ତାଙ୍କର ୧୦ ହଜାରରୁ ଅଧିକ ଭଜନ  ଓ ଜଣାଣ ରେକର୍ଡିଂ କରି ରଖାଯାଇଛି ।

ସେହିପରି ରାୟଗଡା ଗୁଣୁପୁରର ଜଣାଶୁଣା ସମାଜସେବୀ ଶାନ୍ତି ଦେବୀଙ୍କୁ ମିଳିବ ପଦ୍ମ ପୁରସ୍କାର । ଆଦିବାସୀ ଅଧ୍ୟୁସିତ ରାୟଗଡା ଜିଲ୍ଲାର ଆଦିବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ, ଉଚ୍ଚ ଶିକ୍ଷିତ, ଅନାଥ ଶିଶୁ କନ୍ୟା ଓ ଅସହାୟ ମହିଳାଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ୧୯୫୧ ମସିହାରୁ କାମ ଆରମ୍ଭ କରିଥିଲେ ଶାନ୍ତି ଦେବୀ ।

ମେଡିିସିନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଡକ୍ଟର କ୍ରିଷ୍ଣମୋହନ ପାଠୀଙ୍କୁ ମିଳିବ ପଦ୍ମ ପୁରସ୍କାର ।  ସେ ହେଉଛନ୍ତି ବ୍ରହ୍ମପୁରର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ । ଏଥିସହ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ।

ସେହିପରି ଶିକ୍ଷା ପାଇଁ ରଜତ କୁମାର କର ପାଇବେ ପଦ୍ମଶ୍ରୀ ସମ୍ମାନ । ୧୯୩୪ ମସିହାରେ କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ରଜତ କୁମାର କର ଜଣେ ଶିକ୍ଷାବିତ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ପରିଚିତ । ଅର୍ଥନୀତିରେ ସ୍ନାତକୋତର ଡିଗ୍ରୀ ହାସଲ କରିଥିବା ରଜତ କର ଓଡିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରି ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।

ଶିକ୍ଷା ଓ ସାହିତ୍ୟ ପାଇଁ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ଦେବାକୁ ଘୋଷଣା କରାଯାଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ମାଟିର ବର୍ଷିୟାନ ଚାଟଶାଳୀ ଶିକ୍ଷକ ନନ୍ଦକିଶୋର ପୃଷ୍ଟି ଦୀର୍ଘ ୭୪ବର୍ଷ ଧରି ଗଛମୂଳେ ଗାଁ ଛୁଆଙ୍କୁ ପାଠ ପଢାଇ ଆସୁଛନ୍ତି । ୩ରୁ ୬ବର୍ଷର ଶିଶୁମାନେ ତାଙ୍କ ଛାତ୍ରଛାତ୍ରୀ । ଆଖପାଖରେ ଚାଟଶାଳୀ ମାଷ୍ଟ୍ରେ ଭାବେ ସେ ପରିଚିତ । ୧୯୩୯ ମସିହାରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା  ନନ୍ଦ ସାର ପରିବାରର ଆର୍ଥିକ ଦୁସ୍ଥିତି ପାଇଁ ଅଧିକ ପଢିପାରିନଥିଲେ ।

from Kanak News
via <a href="https://ifttt.com/?

୭୨ତମ ସାଧାରଣତନ୍ତ୍ର ଦିବସରେ ଶକ୍ତି ଦେଖାଇଲା ଭାରତ । ଦିଲ୍ଲୀ ଆକାଶରେ ଗର୍ଜନ କରି ଉଡିଲା ରାଫେଲ ।

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଭାରତ ଦେଖାଇଛି ଶକ୍ତି ପ୍ରଦର୍ଶନ । ଅତ୍ୟାଧୁନିକ ହତିଆର, ମିସାଇଲ, ଲଢୁଆ ବିମାନ ସହ ସେନାର ଆକର୍ଷଣୀୟ ପ୍ରଦର୍ଶନ ବିଶ୍ୱକୁ ଦେଇଛି ଦୃଢତାର ବର୍ତ୍ତା । ଦିଲ୍ଲୀ ରାଜପଥରେ ରାଫେଲ, ବ୍ରହ୍ମୋସ ଓ ଅନ୍ୟ ମିସାଇଲ ପ୍ରଦର୍ଶନ ନିଶ୍ଚିତ ଭାବେ ନାଲିଆଖି ଦେଖାଇବା ପୂର୍ବରୁ ଶତ୍ରୁ ଦେଶକୁ ବାରମ୍ବାର ଚିନ୍ତା କରିବାକୁ ପଡିବ ।

୭୨ ତମ ସାଧାରଣତନ୍ତ୍ର ଦିବସରେ ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ଭାରତ ଆଜି ତାର ଶକ୍ତି ପ୍ରଦର୍ଶନ କରିଛି । ରାଜଧାନୀ ଦିଲ୍ଲୀର ରାଜପଥରେ ଗୋଟିଏ ପରେ ଗୋଟିଏ ମାର ଅସ୍ତ୍ର ଆଉ ତା ସହ ବିଶ୍ୱର ଦ୍ୱିତୀୟ ବୃହତମ ସ୍ଥଳସେନାର ଶୌର୍ଯ୍ୟ, ଯେତିକି ଆକର୍ଷଣୀୟ ଥିଲା ସେତିକି ଦୃଢତାର ବାର୍ତା ବି ସାରା ବିଶ୍ୱକୁ ଦେଉଥିଲା ।

ଭାରତ-ଚୀନ ସୀମାରେ ଉତେଜନା ମଧ୍ୟରେ ଆଜି ସାଧାରଣତନ୍ତ୍ର ଦିବସରେ ଭାରତୀୟ ସେନା ତାର ସବୁଠାରୁ ଶକ୍ତିଶାଳୀ ଲଢୁଆ ବିମାନ, ରାଫେଲକୁ ପ୍ରଦର୍ଶନ କରିଛି । ଦିଲ୍ଲୀ ଆକାଶରେ ରାଫେଲ ଯେେତେବେଳ ଗର୍ଜନ କରି ଉଡୁଥିଲା, ସମସ୍ତଙ୍କ ଛାତି କୁଣ୍ଢେମୋଟ ହୋଇଯାଉଥିଲା, ଆଉ ସମସ୍ତେ ଅନୁଭବ କରୁଥିଲେ , ଭାରତକୁ ନାଲି ଆଖି ଦେଖାଇବା ପୂର୍ବରୁ ଶତ୍ରୁକୁ ଦଶଥର ଚିନ୍ତା କରିବାକୁ ପଡିବ । ୨ ଟି ଜାଗୁଆର ଓ ୨ଟି ମିଗ ୨୧ ସହ ଏକଲବ୍ୟ ଶୈଳୀରେ କୌଶଳ ପ୍ରଦର୍ଶନ କରିଛି ରାଫେଲ ।

“ବ୍ର୍ରହ୍ମୋସ” ହେଉଛି ଭାରତୀୟ ସେନାର ବ୍ରହ୍ମାସ୍ତ୍ର । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଶକ୍ତିଶାଳୀ ମିଜାଇଲ ଘଂଟାପ୍ରତି ୪ ଶହ କିଲୋମିଟର ଗତି କରି, ଶତ୍ରୁପକ୍ଷରେ ବିଧ୍ୱଂସକ ହମଲା କରିବାର ଶକ୍ତି ରଖିଛି । ସେହିପରି ଟି-୯୦ ଟ୍ୟାଙ୍କ ଭୀଷ୍ମ ମଧ୍ୟ ନିଜ ଶକ୍ତି ଦେଖାଇଥିଲା । ଯେଉଁ ଟ୍ୟାଙ୍କର ନାଁ ଶୁଣିଲେ ଶତ୍ରୁପକ୍ଷ ବି ଥରିଉଠନ୍ତି । ଏହି ଟ୍ୟାଙ୍କ ରାତିରେ ୫ କିଲୋମିଟର ପରିଧି ମଧ୍ୟରେ ଶତ୍ରୁର ଆଡ୍ଡାକୁ ଧ୍ୱଂସ କରିବାର କ୍ଷମତା ରଖିଥାଏ । ଏହା ଜଳରେ ମଧ୍ୟ ଗତି କରି ଶତ୍ରୁପକ୍ଷକୁ ଛାରଖାର କରିଦେଇପାରିବ ।

୭୨ ତମ ଗଣତନ୍ତ୍ର ଦିବସରେ ପ୍ରଥମ କରି ଦିଲ୍ଲୀ ଆକାଶରେ ଉଡିଲା ଡାକୋଟା ବିମାନ । ଦୁଇଟି ମିଗ ୨୭ ବିମାନ ସହ ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ହେରିଟେଜ ବିମାନ ଡାକୋଟା ଦିଲ୍ଲୀ ଆକାଶରେ କଳାକୌଶଳ ପ୍ରଦର୍ଶନ କରିଛି । ୧୯୪୭ରେ କାଶ୍ମୀର ଘାଟି ଓ ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସୈନିକ ଓ ସାମରିକ ଉପକରଣ ପହଞ୍ଚାବାରେ ପ୍ରମୁଖ ଭୂମିକା ନେଇଥିଲା ଡାକୋଟା ।

ଦିଲ୍ଲୀୃ ରାଜପଥରେ ଆଉ ଏକ ଟ୍ୟାଙ୍କ ଟି-୭୨, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହା ଏମିତି ଏକ ଟ୍ୟାଙ୍କ ଯାହା ଅଳ୍ପ ସମୟ ମଧ୍ୟରେ ୨୦ ମିଟର ଯାଏଁ ପୋଲ ତିଆରି କରିପାରିବ । ଦୁର୍ଗମ ଅଞ୍ଚଳ , ଖାଲ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୈନିକ ଆଗକୁ ବଢିବା ପାଇଁ ଏହାଦ୍ୱାରା ତତକ୍ଷଣାତ ପୋଲ ତିଆରି କରିପାରିବ । ପରେଡରେ ଆଉ ଏକ ଆକର୍ଷଣ ଥିଲା ବାଂଲାଦେଶ ରେଜିମେଂଟର ୧୨୨ ଜଣ ଯବାନଙ୍କ ମାର୍ଚ । ଚଳିତବର୍ଷ ଭାରତ-ବାଂଲାଦେଶ ସମ୍ପର୍କର ୫୦ ବର୍ଷ ପୂର୍ତି ହେଉଥିବାରୁ ରାଜପଥରେ ପ୍ରଥମ ଥର ଏହି ରେଂଜିମେଂଟ ଅଂଶଗ୍ରହଣ କରି ସମସ୍ତଙ୍କ ମନ ମୋହିଥିଲା ।

from Kanak News
via <a href="https://ifttt.com/?

ରେଡ଼ିଓ ଚକଲେଟ ପକ୍ଷରୁ କାଇଟ ଫେଷ୍ଟିଭାଲ କାର୍ଯ୍ୟକ୍ରମ ଆୟୋଜିତ । କାଇଟ ଫେଷ୍ଟିଭାଲକୁ ଅନ୍ତର୍ଜାତୀୟ ସ୍ତରର କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ

କନକ ବ୍ୟୁରୋ : ରେଡ଼ିଓ ଚକଲେଟ ୧୦୪ FM ପକ୍ଷରୁ ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ କାଇଟ ଫେଷ୍ଟିଭାଲ ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ବାଲିଯାତ୍ରା କମିଟି ନିର୍ଦେଶକ ଜୀବନ କୁମାର ଗଡୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ସମ୍ବାଦ ଗ୍ରୁପ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ କେଉଁଭଳି ଲୋପ ପାଇଯିବାକୁ ବସୁଥିବା ଗୁଡି ଉଡା ପର୍ବକୁ ଲୋକାଭିମୁଖୀ କରାଯିବା ସହ ବ୍ୟାପକ କରାଯିବ ସେନେଇ ନିଜ ମତ ଉପସ୍ଥାପନ କରିଥିଲେ । ଗୁଜରାଟ ରାଜସ୍ଥାନ, ତେଲେଙ୍ଗାନା ଭଳି ରାଜ୍ୟରେ ଯେଉଁଭଳି ଅନ୍ତର୍ଜାତୀୟ ସ୍ତରର କାଇଟ ଫେଷ୍ଟିଭାଲ ଆୟୋଜନ ହେଉଛି ସେହିଭଳି ଓଡ଼ିଶାରେ ମଧ୍ୟ କାଇଟ ଫେଷ୍ଟିଭାଲକୁ ଅନ୍ତର୍ଜାତୀୟ ସ୍ତରର କରି ସ୍ୱତନ୍ତ୍ର ଭାବେ ପାଳନ କରିବା ହେଉଛି ଏହି କାର୍ୟ୍ୟକ୍ରମର ମୂଳ ଉଦ୍ଦେଶ୍ୟ ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱରରେ ଥିବା ବିଭିନ୍ନ ସପିଙ୍ଗ ମଲ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆସୁଥିବା ଲୋକଙ୍କୁ ପାଖାପାଖି ଦଶ ହଜାର ଗୁଡି ବଣ୍ଟା ଯାଇଥିଲା । ଆଜି ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଶତାଧିକ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଗୁଡି ଉଡାଇବା ସହ ଏହାକୁ ଉପଭୋଗ କରିଥିଲେ ।

from Kanak News
via <a href="https://ifttt.com/?

ଚାଇନା ଟିକା : ଯେଉଁ ଦେଶ ନେଇଛି ସିଏ ପସ୍ତେଇଛି, ଭାରତ ପାଖରୁ ଟିକା କିଣିବାକୁ ଆଗ୍ରହ ଦେଖାଇଲେ ଅନେକ ଦେଶ ।

କନକ ବ୍ୟୁରୋ : କରୋନା ଭୁତାଣୁ ଚୀନରୁ ବାହାରି ସମଗ୍ର ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଚୀନ ଆଗୁଆ ଟିକା ବାହାର କରି ଓ କେତେକ ଦେଶକୁ ଯୋଗାଣ କରି ନିଜର ପାରିବାପଣିଆ ପ୍ରମାଣିତ କରିବାକୁ ବସିଥିଲା । ତେବେ ଚୀନର ଯୋଜନା ଫସର ଫାଟିଯାଇଛି । କାରଣ ଯିଏ ଚୀନଠାରୁ ଏହି ଟିକା କିଣିଛି ସେ ପସ୍ତାଇଛି ।

ଚୀନ ଦ୍ୱାରା ପ୍ରସ୍ତୁତ ସିନୋଭାକ ଟିକା କିଣିଥିବା ତୁର୍କୀ ଓ ବ୍ରାଜିଲ ଅଭିଯୋଗ କରିଛନ୍ତି ଯେ, ଚୀନ ପକ୍ଷରୁ ଏହି ଟିକା ସମର୍କିତ ତଥ୍ୟ ଠିକ ସମୟରେ ପ୍ରଦାନ କରାଯାଉନାହିଁ । ଫଳରେ ଟିକାର ସୁରକ୍ଷା ଯାଞ୍ଚ କରିବା ସମ୍ଭବ ହୋଇପାରୁ ନାହିଁ । ଫିଲିପାଇନ୍ସ ସରକାର ଚୀନଠାରୁ ଟିକା କିଣିଥିବାରୁ ସେଠାକାର ସାଂସଦମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେହିପରି ସିଂଗାପୁର ଓ ମାଲେସିଆରେ ମଧ୍ୟ ଲୋକମାନେ ଚୀନ ଟିକାକୁ ପ୍ରବଳ ବିରୋଧ କରୁଛନ୍ତି । ସିନୋଭାକ ଟିକାର ନିରାପତ୍ତା ସମ୍ପର୍କରେ ଯଥେଷ୍ଟ ତଥ୍ୟ ନଥିବାରୁ ଲୋକମାନେ ଏହି ଟିକାକୁ ନେବାକୁ ରାଜି ହେଉନାହାନ୍ତି । ଫଳରେ ଉଭୟ ଦେଶର ସରକାର ଲୋକମାନଙ୍କୁ ଆଶ୍ୱସନା ଦେଇଛନ୍ତି ଯେ ସଂପୂର୍ଣ୍ଣ ସୁରକ୍ଷା ଯାଞ୍ଚ ନ ହେବା ପର୍ଯ୍ୟନ୍ତ ଲୋକମାନଙ୍କୁ ଟିକା ଦିଆଯିବ ନାହିଁ ।

ତାଇଓ୍ବାନର ଏକ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଚୀନର ଏହି ଟିକା ବିଶ୍ୱରେ ସବୁଠୁ ଅସୁରକ୍ଷିତ ଟିକା । ଏଥିରେ ୭୩ଟି ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଉଛି । ବିଶ୍ୱର ପ୍ରାୟ ୨୪ଟି ବିକାଶଶୀଳ ଦେଶ ଚୀନରୁ ଟିକା ଆମଦାନୀ ପାଇଁ ଚୁକ୍ତି କରିଥିଲେ । ତେବେ ଚୀନର ଟିକା ପ୍ରଭାବୀ ହୋଇପାରି ନଥିବାବେଳେ ଚୀନ କମ୍ପାନିମାନେ ମଧ୍ୟ ଠିକ ସମୟରେ ଟିକା ଯୋଗାଇ ପାରୁନାହାନ୍ତି । ଏହାଫଳରେ ସଂପୃକ୍ତ ଦେଶମାନେ ସମସ୍ୟାରେ ପଡ଼ିଯାଇଛନ୍ତି । କିନ୍ତୁ  ଏପରି ସ୍ଥିତିରେ ଭାରତ ପକ୍ଷରୁ ଟିକା ଯୋଗାଣ ଆରମ୍ଭ କରାଯିବା ଅନେକ ଦେଶମାନଙ୍କୁ ଆଶ୍ବସ୍ତ କରିଛି । ବ୍ରାଜିଲ, କେତେକ ଦକ୍ଷିଣ-ପୂର୍ବ ଏସୀୟ ଓ ମଧ୍ୟ ଏସୀୟ ଦେଶ ଭାରତରୁ ଟିକା ଆମଦାନୀ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started