କୋଭିଡ କଟକଣାରେ ଆରମ୍ଭ ହେଲା ଆଦିବାସୀ ମେଳା । ଭର୍ଚୁଆଲରେ ବି ଦେଖିପାରିବେ ମେଳା । ଜାଣନ୍ତୁ କେମିତି କରିବେ ପଞ୍ଜିକରଣ ?

କନକ ବ୍ୟୁରୋ : କୋଭିଡ କଟକଣା ମଧ୍ୟରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆଦିବାସୀ ମେଳା । ଏହି ମେଳା ଜାନୁଆରି ୨୬ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୯ ତାରିଖ ଯାଏଁ ଚାଲିବ । ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଲୋକମାନେ ଆଦିବାସୀ ମେଳା ବୁଲି ପାରିବେ । ଜନଜାତିଙ୍କ ଉତ୍ପାଦିତ ସାମଗ୍ରୀ ତଥା ଲଭୁ ବନଜାତ ସାମଗ୍ରୀକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିକ୍ରୟର ବ୍ୟବସ୍ଥା କରାଯାଇଛି ।

ସ୍ୱୟଂ ସହାୟକ ଗୋଷ୍ଠୀମାନେ ୨୨ଟି ଆଇଟିଡିଏ ଓ ୧୭ଟି ଅଣୁ ପ୍ରକଳ୍ପର ଅଧିକାରୀଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି । କେବଳ ୯୦ଟି ଷ୍ଟଲ ମାଧ୍ୟମରେ ବିକ୍ରିବଟାର ସୁବିଧା କରାଯାଇଛି । ଏହି ମେଳାକୁ ଭର୍ଚୁଆଲ ମୋଡରେ ମଧ୍ୟ ଖୋଲାଯାଇଛି ।

ସୁରକ୍ଷା ଦୃଷ୍ଟିରୁ ଭିଡରୁ ରକ୍ଷା ପାଇବା ପାଇଁ ଦର୍ଶକମାନେ ୱେବସାଇଟ www.adivasimela2021.com ରେ ପଞ୍ଜିକରଣ କରୁଛନ୍ତି । ଏହା ମାଧ୍ୟମରେ ଦର୍ଶକମାନେ ଜନଜାତିଙ୍କ ସହ ସାଂସ୍କୃତିକ ଆଳାପ. ଜ୍ଞାନ ଆଦାନ ପ୍ରଦାନ, ଜନଜାତି କଳା, ସ୍ଥାପତ୍ୟ, ରନ୍ଧନକଳା ଇତ୍ୟାଦି ଜିନିଷ ଦେଖିପାରିବେ । କୋଭିଡ କଟକଣା ଯୋଗୁଁ ସାମଗ୍ରୀର ଇ-ମାର୍କେଟିଂର ସୁବିଧା ମଧ୍ୟ କରାଯାଇଛି । ଆଗ୍ରହୀ ଗ୍ରାହକ ଘରେ ବସି ସାମଗ୍ରୀ ବରାଦ ଦେଇପାରିବେ ।

ପ୍ରବେଶ ଦ୍ୱାରରେ ସାନିଟାଇଜର ଓ ଥର୍ମାଲ ସ୍କାନିଂର ବ୍ୟବସ୍ଥା କରାଯାଇଛି । ଲୋକମାନଙ୍କୁ ମାସ୍କ ଓ ସାମାଜିକ ଦୂରତା ପାଳନ କରାଯିବାକୁ କୁହାଯାଇଛି । ଏହାସହ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

from Kanak News
via <a href="https://ifttt.com/?

ଚାଷୀ-ପୋଲିସ ସଂଘର୍ଷ ପରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା । ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ସେବା ସାମୟିକ ଭାବେ ବନ୍ଦ ହୋଇଛି ।

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ଚାଷୀ ଟ୍ରାକ୍ଟର ରାଲିରେ ହିଂସା ଘଟିବା ପରେ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଏହି ଅଞ୍ଚଳଗୁଡ଼ିକ ମଧ୍ୟରେ ସିଙ୍ଗୁ ସୀମା, ଟିକରି ସୀମା, ଗାଜିପୁର ସୀମା, ମୁବାରକା ଚୌକ ଏବଂ ନାଙ୍ଗଲୋଇ ଆଦି ରହିଛି । ଏସବୁ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଛି ।

ସରକାରଙ୍କ ଦ୍ୱାରା ଜାରି ଏହି ନିର୍ଦ୍ଦେଶ ଅନୁଯାୟୀ, ମଙ୍ଗଳବାର ରାତି ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ତେବେ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ଗୃହ ସଚିବ ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଥାଆନ୍ତି । ଏହି ଆଦେଶ ଏସପି କିମ୍ବା ତଦୁର୍ଦ୍ଧ୍ୱ ପଦବୀର ଜଣେ ଅଧିକାରୀଙ୍କ ମାଧ୍ୟମରେ ପଠାଯାଇଥାଏ । ଏହାପରେ ଅଧିକାରୀ ସେବା ପ୍ରଦାନକାରୀଙ୍କୁ ଇଣ୍ଟରନେଟ୍ ସେବାକୁ ବନ୍ଦ କରିବାକୁ କହିଥାଆନ୍ତି ।

‌ଯେକୌଣସି ଆନ୍ଦୋଳନ, ଦଙ୍ଗା ଏବଂ ହିଂସାତ୍ମକ ଘଟଣା ସମୟରେ ପୁଲିସ-ପ୍ରଶାସନକୁ ସେହି ଅଞ୍ଚଳର ଇଣ୍ଟରନେଟ୍ ସେବା ବନ୍ଦ କରିବାର ଅଧିକାର ରହିଛି । ଏହା ଏଥିପାଇଁ କରାଯାଇଥାଏ କି ଇଣ୍ଟରନେଟ ସେବା ଦ୍ୱାରା କୌଣସି ପ୍ରକାର ଗୁଜବ, ମିଥ୍ୟା ଖବର ଓ ଭୁଲ ବାର୍ତ୍ତା ପ୍ରଚାର ନକରାଯାଉ । ଯଦି କିଛି ଗୁଜବ ବା ମିଥ୍ୟା ଖବର ପ୍ରଚାର ହୋଇଯାଏ ତେବେ ପରିସ୍ଥିତି ଖରାପ ହେବାର ସମ୍ଭାବନା ରହିଥାଏ । ଏଭଳି ପଦକ୍ଷେପ ସୁରକ୍ଷା ଏବଂ ଶାନ୍ତି ବଜାୟ ରଖିବା ପାଇଁ ନିଆଯାଇଥାଏ । ଏଥିସହିତ ଲୋକମାନେ ଭୁଲ ତଥ୍ୟ ଆଧାରରେ ଭୟଭୀତ ହେବ ନାହିଁ ।

from Kanak News
via <a href="https://ifttt.com/?

ଜୟପୁର ଜେଲରେ କଏଦୀଙ୍କୁ ଶିଖାଯାଉଛି ଜୀବନ ଜିଇଁବାର କଳା । କଏଦୀ ପ୍ରସ୍ତୁତ କରୁଛନ୍ତି ହଳଦୀ ଗୁଣ୍ଡ ଓ ଫୁଲ ଝାଡୁ ।

କନକ ବ୍ୟୁରୋ : ଜେଲ ଭିତରେ ମିନି କାରଖାନା । ସଂସ୍କାର ସହିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି, କିଣିବା ପାଇଁ ଲୋକଙ୍କ ଭିଡ଼ । ଜେଲ ଭିତରକୁ ଯିଏ ଆସୁଛି ଯିବା ପାଇଁ ଇଚ୍ଛା କରୁନି । ଜେଲ ଯେ କେବଳ ଦଣ୍ଡ ବିଧାନର ଗୃହ ନୁହେଁ ସସ୍କାର ବି ଦେଇଥାଏ ।

ଜେଲ, ନାଁ ଶୁଣିଲେ ଯିଏ କେହି ବି ଭୟ କରନ୍ତି । ହେଲେ ଜେଲ୍ ଭିତରେ ଲଘୁ ଉଦ୍ୟୋଗ କଥା ଶୁଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । ଏବେ ବଜାରରେ ଅନେକ ନକଲି ଖାଦ୍ୟ ପଦାର୍ଥ ଛାଇ ଯାଇଥିବା ବେଳେ କୋରାପୁଟ ଜିଲ୍ଳାର ଜୟପୁର ଜେଲରେ ପ୍ରସ୍ତୁତ ହେଉଛି ଅସଲି ସାମଗ୍ରୀ । ଅଟା, ବେସନ, ମାଣ୍ଡିଆ ଗୁଣ୍ଡ, ହଳଦୀ ଗୁଣ୍ଡ ସହ ପ୍ରସ୍ତୁତ ହେଉଛି ଫୁଲ ଝାଡ଼ୁ । ଆଉ ଏହାକୁ ପ୍ରସ୍ତୁତ କରୁଛନ୍ତି ଜେଲ୍ ଭିତରେ ସଜା କାଟୁଥିବା କଏଦୀ ବା ଅନ୍ତେବାସୀ ।

ଜେଲ୍ ଭିତରେ କିଏ ହଳଦୀ ଗୁଣ୍ଡ ପ୍ୟାକେଟ୍ କରୁଛି ତ ପୁଣି କିଏ ମେସିନରେ ବେସନ ପ୍ରସ୍ତୁତ କରୁଛି । ମହିଳା ଅନ୍ତେବାସୀମାନେ ଫୁଲ ଝାଡ଼ୁ ପ୍ରସ୍ତୁତ କରିବାରେ ବ୍ୟସ୍ତ । ଆଉ କଏଦୀଙ୍କ ଦ୍ୱାରା ପ୍ରସ୍ତତ ହେଉଥିବା ଏହି ସବୁ ସାମଗ୍ରୀକୁ ବଜାରରେ ବିକ୍ରି କରିବା ପାଇଁ ଜେଲ୍ ଭିତରେ ଏକ କାଉଣ୍ଟର ଖୋଲିଛନ୍ତି ଜେଲ୍ କର୍ତ୍ତୃପକ୍ଷ ।

ଜୀବନରେ କରିଥିବା କିଛି ଭୁଲ୍ ପାଇଁ ଜେଲରେ ସଜା କାଟୁଥିବା ଅନ୍ତେବାସୀଙ୍କୁ ସଂସ୍କାର ଦେବା ପାଇଁ ଜୟପୁର ଜେଲର ପ୍ରତ୍ୟେକ କାନ୍ଥରେ ଜୀବନ ସଂସ୍କାର ଚିତ୍ର ଅଙ୍କା ଯିବା ସହ ମହତ ବାଣୀ ଲେଖାଯାଇଛି । ଆଗକୁ ଜେଲ୍ ପରିସରରେ ବିଭିନ୍ନ ପ୍ରକାର ଲଘୁ ଉଦ୍ୟୋଗର ଶିକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜେଲ୍ ସୁପରିଟେଣ୍ଡେଣ୍ଟ କହିଛନ୍ତି ।

from Kanak News
via <a href="https://ifttt.com/?

ବେକାବୁ ହେଲା କୃଷକ ଆନ୍ଦୋଳନ । ଦିଲ୍ଲୀ ଲାଲକିଲ୍ଲାକୁ କବଜା କରି ଶିଖ ସଂପ୍ରଦାୟର ପତାକା ଉଡାଇଲେ ଆନ୍ଦୋଳନକାରୀ ଚାଷୀ ।

କନକ ବ୍ୟୁରୋ : ବେକାବୁ ହେବାରେ ଲାଗିଛି ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ । ଆଜି ଦିଲ୍ଲୀରେ ୭୨ ତମ ଗଣତନ୍ତ୍ର ଦିବସ ପରେଡ ଉପରେ ଯେମିତି ନଜର ରହିଥିଲା ସେମିତି ଚାଷୀଙ୍କ ଟ୍ରାକ୍ଟର ରାଲିର ରୂପରେଖ କଣ ହେବ ତା ଉପରେ ରହିଥିଲା ସାରା ଦେଶର ନଜର । ପୂର୍ବ ଘୋଷଣା ଅନୁସାରେ ଦିଲ୍ଲୀରେ ମାର୍ଚ୍ଚ କରିଛନ୍ତି ଚାଷୀ ସଂଗଠନ । ଆଉ ଏତିକିବେଳେ ପୁଲିସ ଅଟକାଇବାରୁ ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ପୁଲିସ ଓ ଚାଷୀ ସଂଗଠନ ମୁହାଁମୁହିଁ ହୋଇଛନ୍ତି ।

କୃଷକଙ୍କ ଟ୍ରାକ୍ଟର ପରେଡ ହେବା ପୂର୍ବରୁ ପୁଲିସ ବ୍ୟାରିକେଡ ଭାଙ୍ଗିଦେଇଛନ୍ତି ବିରୋଧ ପ୍ରଦର୍ଶନକାରୀ । ଆଜି ସକାଳେ ଆନ୍ଦୋଳନରତ କୃଷକ ସଂଗଠନର ଏକ ଗୋଷ୍ଠୀ ସିଙ୍ଘୁ ବର୍ଡରରେ ପୁଲିସ ବ୍ୟାରିକେଡ ଭାଙ୍ଗି ପଦଯାତ୍ରା ଆରମ୍ଭ କରିଛନ୍ତି । ହଜାର ହଜାର କୃଷକ ପତାକା ଧରି ଚାଲି ଚାଲି ସିଙ୍ଘୁ ବର୍ଡରରୁ ଦିଲ୍ଲୀ ଅଭିମୁଖେ ଶୋଭାଯାତ୍ରାରେ ବାହାରିଛନ୍ତି । ଏହି ର୍ୟାଲିରେ ୫ହଜାର ଟ୍ରାକ୍ଟର ଏବଂ ୫ହଜାର ଲୋକ ସାମିଲ ହେବା ପାଇଁ ଦିଲ୍ଲୀ ପୋଲିସଠାରୁ ଅନୁମତି ମିଳିଛି ।

ଟ୍ରାକ୍ଟର ରାଲିକୁ ଆଖିରେ ରଖି ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଆନନ୍ଦ ବିହାର ରେଳଷ୍ଟେସନରୁ ଟ୍ରେନ ଚଳାଚଳ ବନ୍ଦ ରହିବ । ସେପଟେ ଟ୍ରାକ୍ଟର ପରେଡକୁ ନେଇ ଗତକାଲି ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଏଥିରେ ଗୃହସଚିବ, ଦିଲ୍ଲୀ ପୋଲିସ କମିଶନର, ଆଇବି ମୁଖ୍ୟ ସାମିଲ ହୋଇଥିଲେ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଏହି ବୈଠକ ଡାକିଥିଲେ । ଟ୍ରାକ୍ଟର ପରେଡ ପାଇଁ ଅନୁମତି ମିଳିବା ପରେ ଆସନ୍ତା ଫେବ୍ରୁଆରୀ ୧ତାରିଖରେ ଚାଷୀମାନେ ସଂସଦ ମାର୍ଚ୍ଚ କରିବା ପାଇଁ ଘୋଷଣା କରିଦେଇଛନ୍ତି ।

from Kanak News
via <a href="https://ifttt.com/?

ଜବତ ହେଲା ନକଲି କୋଲଡ୍ରିଙ୍କସ । ଲକ୍ଷାଧିକ ଟଙ୍କାର ମେସିନ୍ ଜବତ, ପୂର୍ବରୁ ମିଳିଥିଲା ନକଲି ହଳଦୀ, ଖାଇବା ତେଲ ଓ ପାଣି ।

କନକ ବ୍ୟୁରୋ : ନକଲି ନକଲି, ସବୁ ନକଲି । ବିଗତ କିଛି ଦିନ ଭିତରେ ରାଜ୍ୟରୁ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରାଯାଇଛି । ରାଜ୍ୟରେ ନକଲି କାରଖାନା ଉପରେ ଜୋରଦାର ଚଢାଉ ଚାଲିଛି । କଟକ, ସମ୍ବଲପୁର, ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରୁ ପ୍ରତିଦିନ ନକଲି ସାମଗ୍ରୀ ଠାବ କରାଯାଉଛି ।

ହଳଦୀ, ଲଙ୍କାଗୁଣ୍ଡ, ଖାଇବା ତେଲ, ନକଲି ପାଣି ପରେ ପୁଣି ବ୍ରହ୍ମପୁରରୁ ଜବତ ହେଲା ନକଲି କୋଲଡ୍ରିଙ୍କସ । ସୁକୁଣ୍ଡା ଗାଁରେ ନକଲି କୋଲଡ୍ରିଙ୍କସ କାରଖାନା ଉପରେ ପୁଲିସ ଚଢାଉ କରିଛି । ଲକ୍ଷାଧିକ ଟଙ୍କାର ମେସିନ ଜବତ କରାଯାଇଛି । ତେବେ ଦୀର୍ଘଦିନ ଧରି ଏହି କାରଖାନାରେ ନକଲି କୋଲଡ୍ରିଙ୍କସ ପ୍ରସ୍ତୁତ କରାଯାଉଥିଲା । ଏବଂ ଏହାକୁ ବଜାରକୁ ମଧ୍ୟ ଛଡାଯାଉଥିଲା । ତେବେ ଆଜି ଚଢାଉ ବେଳେ ସାଂଘାତିକ ସତ ସାମ୍ନାକୁ ଆସିଛି । ନକଲି କୋଲଡ୍ରିଙ୍କସ ପ୍ରସ୍ତୁତ କରାଯାଉଥିବା ସାମଗ୍ରୀକୁ ଜବତ କରିଛି ପୋଲିସ ।

from Kanak News
via <a href="https://ifttt.com/?

ସାମ୍ନାକୁ ଆସିଲା କାଲିମେଳା ତହସିଲ ଦୁର୍ନୀତିର ଆଉ ଏକ ସାଂଘାତିକ ସତ । ବଡବଡିଆଙ୍କୁ ସରକାରୀ ଜମି ପଟ୍ଟା ଦେବାକୁ କିରାଣୀ ନେଉଥିଲେ ଲକ୍ଷାଧିକ ଟଙ୍କା ।

କନକ ବ୍ୟୁରୋ : ଟଙ୍କା ଦିଅ ପଟ୍ଟା ନିଅ । ଉପାନ୍ତ ଅଞ୍ଚଳରେ କେମିତି ଚଞ୍ଚକତା କରି ବଡ ବଡିଆଙ୍କୁ ପଟ୍ଟା ପ୍ରଦାନ କରାଯାଉଛି । ତାହାର ନିଚ୍ଛକ ପ୍ରମାଣ ଆସିଛି ପୁଣି ସେଇ ମାଲକାନଗିରି ଜିଲ୍ଲା କାଲିମେଳା ତହସିଲ କାର୍ଯ୍ୟାଳୟରୁ । ଗରିବ ଗୁରୁବା ଓ ଭୂମିହୀନଙ୍କୁ ଥଇଥାନ କରିବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି ସତ । ତେବେ ସେଇ ନିର୍ଦ୍ଦେଶ ଆଳରେ ତହସିଲ କର୍ମଚାରୀ ମୋଟା ଅଙ୍କ ରୋଜଗାର କରି ବଡ ବଡିଆଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରୁଛନ୍ତି ତହସିଲ କର୍ମଚାରୀ । ଆଉ କେବଳ ସେତିକି ନୁହଁ ବରଂ ତହସିଲ୍ କାମ କରାଇଦେବା ଲାଗି ମୋଟା ଅଙ୍କର ଟଙ୍କା ଆଦାୟ କରାଯାଉଥିବାର ଭିଡିଓ ଏବେ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି ।

କଳା ମିଚ୍ମିଚ୍ ରାତିରେ କଳା କାରବାର । ଅନ୍ଧାର ରାତିରେ ଅନ୍ଧାରୁଆ ଲାଞ୍ଚ ନେଉଛନ୍ତି କାଲିମେଳା ତହସିଲ କାର୍ଯ୍ୟାଳୟର ସରକାରୀ ବାବୁ । ଚଞ୍ଚକତା କରି ବଡବଡିଆଙ୍କୁ ଜମି ପଟ୍ଟା ପ୍ରଦାନ କରିବା ଘଟଣାରେ ୨ ଜଣ କର୍ମଚାରୀ ନିଲମ୍ବିତ ହେବାର ଦିନକ ପରେ ସାମ୍ନାକୁ ଆସିଛି ତହସିଲ ଅଫିସରେ ଲାଞ୍ଚ କାରବାରର ଏହି ଭିଡିଓ । ଅଭିଯୋଗ ଅନୁସାରେ ୬ ଜଣଙ୍କ ପଟ୍ଟାକୁ ସରକାରୀ ୱେବସାଇଟରେ ଅପଡେଟ୍ କରାଇବା ଲାଗି ମୋଟା ଅଙ୍କ ଦାବି କରିଥିଲେ କିରାଣୀ । କାଲିମେଳା ତହସିଲର ଜଣେ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଲକ୍ଷେ ଟଙ୍କା ମାଗିଥିଲେ । ଆଉ ଭେଜାଙ୍ଗିୱାଡା ଅଂଚଳର ଜଣେ ଗ୍ରାମବାସୀଙ୍କ ଠାରୁ ୫୦ ହଜାର ଟଙ୍କା ନେଉଥିବାର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ କିଭଳି ହୋଇଥିଲା ବାର୍ତ୍ତାଳାପ

ଜମି ମାଲିକ- ଗୋଟେ କାମ କରନ୍ତୁ, ସପ୍ତାହ କି ୧୦ ଦିନ ଭିତରେ ଏଇଟା ଚଢେଇ ଦିଅନ୍ତୁ, ଆଉ ବାକି ଲେଟ୍ ହେଲେ ବି ଚଳିବ, ଏଇଟା ଗଣନ୍ତୁ

ସରକାରୀ ବାବୁ- କେତେ, କେତେ କହିଲେ ତ

ଜମି ମାଲିକ- ଫିଫଟି, ଗଣି ଦେଲେ ଭଲ ନା

ସରକାରୀ ବାବୁ- ଶୁଣନ୍ତୁ ବିଶ୍ୱାସ..

ଜମି ମାଲିକ- ମେନ କଥା ସେଇଟା, ବିଶ୍ୱାସ ବଡ ଜିନିଷ, ଫିଫଟି ଦେଲେ ଚଢାଇ ଦିଅନ୍ତୁ ବାକି ଧିରେ ଧିରେ.. 

ସରକାରୀ ବାବୁ- ଗୋଟେ କାମ କରନ୍ତୁ

ଜମି ମାଲିକ- ୬ ଲୋକ ହୋଇଗଲା, ୬ ଲୋକଙ୍କ ପାଖରୁ କଲେକସନ କରୁ କରୁ ବାୟା ଛାଡି ଯାଉଛି

ସରକାରୀ ବାବୁ- ମୁଁ ଜିନିଷ ମଗାଇବି ଅଫିସ ପାଇଁ ତ, ଆଉ ଗୋଟେ ସପ୍ତାହରେ ଆଉ ଗୋଟେ ଫିଫଟି ଦେଇ ଦେଲେ ଜିନିଷ ଅର୍ଡର କରିଦେବି

ଜମି ମାଲିକ-ଆପଣ ଚଳାଇ ଦିଅନ୍ତୁ ଆପଣଙ୍କର ଟେନସନ୍ ନାହିଁ

କାଲିମେଳା ତହସିଲ କାର୍ଯ୍ୟାଳୟରେ ଟଙ୍କା କାରବାର କିଛି ନୂଆ ନୁହେଁ । ଗରିବ ଆଦିବାସୀଙ୍କୁ ଓପିଏଲଇ ଆଇନ ଅନୁଯାୟୀ ଥଇଥାନ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ହେଲେ ଏଠାରେ ଏନକ୍ରୋଚମେଂଟ ଆଇନର ଉଲଂଘନ କରି ୧୮ ଜଣ ବଡବଡିଆ ବ୍ୟକ୍ତିଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ପଟ୍ଟା ପ୍ରଦାନ କରାଯାଇଛି । ଯେଉଁ ଘଟଣାରେ ରାଜସ୍ୱ ନିରୀକ୍ଷକ ସୁରେଶ ପୁଜାରୀ ଓ ଏନକ୍ରୋଚମେଂଟ ଦାୟିତ୍ୱରେ ଥିବା କିରାଣୀ ଦିବ୍ୟ ସିଂହ ପାଇକରାୟଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ । କିନ୍ତୁ ବଡବଡିଆ ଏଥିରୁ ବାଦ ପଡିଛନ୍ତି । ସେହିପରି ୨ ବର୍ଷ ପୂର୍ବେ କାଲିମେଳା ଆରକ୍ଷୀ ନିରୀକ୍ଷକ କପିଳ ନାୟକ ମଧ୍ୟ ଏପରି ଏକ ଲାଞ୍ଚ କାରବାରରେ ଛନ୍ଦି ହୋଇ ନିଲମ୍ବିତ ହୋଇଥିଲେ ।

from Kanak News
via <a href="https://ifttt.com/?

ଆମେରିକାରେ ବାଇଡେନ୍ ସରକାର ହେବା ପରେ ପାକିସ୍ତାନକୁ ପ୍ରଥମ ଝଟକା । ପାକିସ୍ତାନ ନଯିବାକୁ ଆମେରିକାବାସୀଙ୍କ ପାଇଁ ଜାରି ହେଲା ଆଡଭାଇଜାରି ।

କନକ ବ୍ୟୁରୋ : ଆମେରିକାରେ ବାଇଡେନ ସରକାର ହେବା ପରେ ପାକିସ୍ତାନକୁ ପ୍ରଥମ ଝଟକା ଲାଗିଛି । ଆମେରିକା ଦକ୍ଷିଣ ଏସିଆର ତିନିଟି ଦେଶ ପାଇଁ ନିଜ ଟ୍ରାଭେଲ ଆଡଭାଇଜାରି ଜାରି କରିଛି । ଆଉ ଏହି ଟ୍ରାଭେଲ ଆଡ଼ଭାଇଜାରୀରେ ପାକିସ୍ତାନକୁ ଯିବା ବିପଦପୂର୍ଣ୍ଣ ବୋଲି କୁହାଯାଇଛି । ଟ୍ରାଭେଲ ଆଡଭାଇଜାରି ମାଧ୍ୟମରେ ଆମେରିକା ନିଜ ଦେଶର ନାଗରିକଙ୍କୁ କହିଛି ଯେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନକୁ ଯାତ୍ରା ନକରିବା ଉଚିତ ।

ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ ତିନି ଦେଶ ପାଇଁ ସ୍ୱତନ୍ତ୍ର ଟ୍ରାଭେଲ ଆଡଭାଇଜାରି ଜାରି କରିଛି । ଟ୍ରାଭେଲ ଆଡଭାଇଜାରିରେ କୁହାଯାଇଛି ଯେ କୋଭିଡ-୧୯, ଆତଙ୍କବାଦ, ସାମ୍ପ୍ରଦାୟିକ ହିଂସାକୁ ନଜରରେ ରଖି ଆମେରିକା ନାଗରିକ ପାକିସ୍ତାନ ଯିବାକୁ ଚାଁହୁଥିଲେ ପୁନର୍ବିଚାର କରିବା ଉଚିତ । ଆମେରିକା ଆତଙ୍କବାଦ ଓ ଅପହରଣ ଘଟଣାକୁ ନଜରରେ ରଖି ପାକିସ୍ତାନର ବେଲୁଚିସ୍ତାନ ଓ ଖାଇବର ପଖତୁନ ଅଂଚଳକୁ ନଯିବାକୁ ମଧ୍ୟ ପରାମର୍ଶ ଦେଇଛି । ସେହିପରି ଭାରତ-ପାକିସ୍ତାନ ସୀମାରେ ଥିବା ଅଂଚଳକୁ ମଧ୍ୟ ନ ଯିବାକୁ ଆଡଭାଇଜାରିରେ କୁହାଯାଇଛି ।

ଏଠାରେ ଆତଙ୍କବାଦୀ ସଂଗଠନ ସକ୍ରିୟ ରହୁଥିବାରୁ ଓ ଦୁଇ ପକ୍ଷର ସୈନ୍ୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବାରୁ ନଯିବାକୁ କୁହାଯାଇଛି । ସୂଚନା ଥାଉ କି ବାଇଡେନ ସରକାର ଆସିବା ପରେ ପାକିସ୍ତାନ ଅତ୍ୟନ୍ତ ଖୁସି ହୋଇଯାଇଥିଲା । ପାକିସ୍ତାନ ପ୍ରତି ଆମେରିକାର ସକାରାତ୍ମକ ଚିନ୍ତାଧାରା ବଢିବା ବୋଲି ଆଶା କରିଥିଲା । ପାକିସ୍ତାନର ବିଦେଶ ମନ୍ତ୍ରୀ ସାହ ମହମ୍ମଦ କ୍ୟୁରେସି କହିଥିଲେ ଯେ ବାଇଡେନ ପ୍ରଶାସନ ବୁଝିବା ଦରକାର ଯେ ଗତ ୪ ବର୍ଷ ମଧ୍ୟରେ ପାକିସ୍ତାନ ବହୁତ ବଦଳିଯାଇଛି । ଏବେ ନୂଆ ପାକିସ୍ତାନ ସହ ସମ୍ପର୍କ ଆହୁରି ମଜଭୁତ ହେଉ ବୋଲି କ୍ୟୁରେସି କହିଥିଲେ ।

from Kanak News
via <a href="https://ifttt.com/?

ଦିଲ୍ଲୀରେ କୃଷକଙ୍କ ରାଲି ବେଳେ ଓଲଟିଗଲା ଟ୍ରାକ୍ଟର । ଚାଲିଗଲା ଜଣେ ଚାଷୀଙ୍କ ଜୀବନ ।

କନକ ବ୍ୟୁରୋ : ଦିଲ୍ଲୀର ସୀମାନ୍ତରେ ହଜାର ହଜାର କୃଷକ ବ୍ୟାରିକେଡ୍‌ ଭାଙ୍ଗି ପୁଲିସ ସହ ସଂଘର୍ଷ କରି ଜାତୀୟ ରାଜଧାନୀ ମଧ୍ୟକୁ ପ୍ରବେଶ ପାଇଁ ଉଦ୍ୟମ କଲାବେଳେ ହିଂସା ସୃଷ୍ଟି ହେବା ସହ ପରିସ୍ଥିତି ଉତ୍ତେଜନାମୂଳକ ହୋଇପଡ଼ିଛି । ଆଜି ଆନ୍ଦୋଳନରତ କୃଷକମାନେ ସରକାରଙ୍କର ନୂତନ କୃଷି ନିୟମ ବିରୋଧରେ ଟ୍ରାକ୍ଟର ରାଲି ବାହାର କରିଥିଲେ । ତେବେ, ନିର୍ଦ୍ଧାରିତ ମାର୍ଗ ଛାଡ଼ି ବ୍ୟାରିକେଡ୍‌ ଭାଙ୍ଗି କୃଷକମାନେ ଦିଲ୍ଲୀ ସହର ମଧ୍ୟକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ବାଧା ଦେଇଥିଲା ।

ଏଇଠୁ ଆରମ୍ଭ ହୋଇଥିଲା ହିଂସା ଓ ବିଶୃଙ୍ଖଳା । ଆନ୍ଦୋଳନକାରୀ କୃଷକମାନେ ପୁଲିସ୍‌ ଉପରକୁ ଟେକା ପଥର ଫିଙ୍ଗିଥିଲେ । ପରେ ପୁଲିସ୍‌ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସେମାନଙ୍କ ଉପରେ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା । ନାଙ୍ଗଲୋଇରେ ବ୍ୟାରିକେଡ୍‌ ଭାଙ୍ଗି କେନ୍ଦ୍ରୀୟ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଗୋଟିଏ ଟ୍ରାକ୍ଟରରେ କିଛି ଚାଷୀ ଉଦ୍ୟମ କରୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା । ଏହି ଘଟଣାରେ ଜଣେ ଆନ୍ଦୋଳନକାରୀ ଚାଷୀଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ କେତେ ଜଣ ଆହତ ହୋଇଥିଲେ ।

from Kanak News
via <a href="https://ifttt.com/?

ନୂଆ ସକାଳ ଦେଖିଲା ସ୍ୱାଭିମାନ ଅଞ୍ଚଳ । ପ୍ରଥମ ଥର କରି ମାଓ ଉପତ୍ୟାକାରେ ଉଡିଲା ଜାତୀୟ ପତାକା । ଯବାନଙ୍କ ସହ ମିଶି ଗଣତନ୍ତ୍ରର ଜୟଗାନ କଲେ ଅଞ୍ଚଳବାସୀ ।

କନକ ବ୍ୟୁରୋ : ପ୍ରଥମ ଥର କରି ମାଓ ଉପତ୍ୟାକାରେ ଉଡିଲା ଜାତୀୟ ପତାକା । ଗଣତନ୍ତ୍ର ଭାରତର ୭୨ ବର୍ଷ ପରେ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗା ଉଡାଇଲେ ସ୍ୱାଭିମାନ ଅଂଚଳବାସୀ । ଚିତ୍ରକୋଣ୍ଡା ବ୍ଲକର ତିନୋଟି ପଞ୍ଚାୟତର ଲୋକେ ଯୋଡାମ୍ବ ଓ ଗୋରାସେତୁ କ୍ୟାମ୍ପରେ ଯବାନଙ୍କ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ଦେଶର ସମ୍ବିଧାନକୁ ସମ୍ମାନ ଜଣାଇ ମାଓ ସଙ୍ଗଠନ ଛାଡି ଅଞ୍ଚଳର ବିକାଶ ପଥରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ମାଲକାନଗିରି ଏସପି ।

ନୂଆ ସକାଳ ଦେଖିଲା ସ୍ୱାଭିମାନ ଅଞ୍ଚଳ । ମାଓବାଦର ପରାଧୀନ ଶାସନରୁ ମୁକୁଳି ଗଣତନ୍ତ୍ର ଦିବସ ପାଳିଲେ ସ୍ୱାଭିମାନ ଅଞ୍ଚଳବାସୀ । ଜୋଡାମ୍ବ ଓ ଗୋରାସେତୁ ଠାରେ ନିର୍ମିତ ନୂତନ ବିଏସଏଫ କ୍ୟାମ୍ପ ଠାରେ ତ୍ରିରଙ୍ଗା ଉଡାଇଲେ ଜୋଡାମ୍ବ, ପଣସପୁଟ ଓ ଅଣ୍ଡ୍ରାପାଲି ପଂଚାୟତର ଲୋକେ ।

ଯେଉଁମାନେ ଦିନେ ମାଓବାଦୀଙ୍କ ସମର୍ଥକ ଭାବେ ମାଓ ସମାବେଶର ନେତୃତ୍ୱ ନେଉଥିଲେ, ସେମାନେ ଜାତୀୟ ପତାକା ତଳେ ଠିଆ ହୋଇ ଜାତୀୟ ସଙ୍ଗୀତ ଗାନ କରିଛନ୍ତି । ଯେଉଁ ମାଓ ସ୍ମୃତି ସ୍ତମ୍ଭ ଓ ସ୍ମୃତି ଭବନରେ ନାଲି-କଳା ପତାକା ଉଡୁଥିଲା ସେଠି ଏବେ ଚିତ୍ର ବଦଳିଛି । ସୁରକ୍ଷାକର୍ମୀଙ୍କ କ୍ୟାମ୍ପ, ଥାନା, ବିଦ୍ୟାଳୟ ଓ ସରକାରୀ ଅନୁଷ୍ଠାନରେ ନିର୍ଭୟରେ ତ୍ରିରଙ୍ଗା ଉଡାଇଛନ୍ତି ଯବାନ ଓ ସ୍ଥାନୀୟ ବାସିନ୍ଦା ।

ଗତ କିଛି ମାସର ବ୍ୟବଧାନରେ ବଣ୍ଡାଘାଟି ସ୍ଥିତ ଅଣ୍ଡ୍ରାହାଲ ଓ ମାଓପ୍ରବଣ ଗୋରାସେତୁ ସମେତ ହନ୍ତାଳଗୁଡା, ଜନ୍ତାପାଇ, ବଡପଡା, ଜାନବାଇ, ଗାରଡେନପଦରରେ ବିଏସଏଫ କ୍ୟାମ୍ପ ସ୍ଥାପନ କରିଛନ୍ତି ସୁରକ୍ଷାବାହିନୀ । ସ୍ୱାଭିମାନ ଅଂଚଳର ପ୍ରାୟ ୯୦ ଭାଗ ଅଂଶକୁ ସୁରକ୍ଷା ବଳୟକୁ ନେଇ ମାଓବାଦୀଙ୍କୁ ପଛଘୁଂଚା ଦେବାକୁ ବାଧ୍ୟ କରିଛି ପୁଲିସ । ଗଣତନ୍ତ୍ର ଦିବସରେ ଦେଶର ସମ୍ବିଧାନକୁ ସମ୍ମାନ ଜଣାଇ ଆତ୍ମସମର୍ପଣ କରିବାକୁ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ମାଲକାନଗିରି ଏସପି ରିଶିକେଷ କିଲ୍ଲାରୀ ।

ବନ୍ଧୁକ ମୁନରେ ପାଳିତ ହେଲା ଗଣତନ୍ତ୍ର ଦିବସ । ମାଓବାଦୀଙ୍କ ଅଭେଦ୍ୟ ଗଡରେ ପ୍ରଥମ ଥର କରି ତ୍ରିରଙ୍ଗା ତଳେ ଏକାଠି ହୋଇ ଜାତୀୟ ସଙ୍ଗୀତ ଗାନ କଲେ ସ୍ୱାଭିମାନ ଅଂଚଳବାସୀ । ଆଉ ଆଗକୁ ପୂରା ସ୍ୱାଭିମାନ ଅଂଚଳକୁ ମାଓମୁକ୍ତ କରି ଜାତୀୟ ପତାକା ଉଡାଇବାକୁ ଲକ୍ଷ ରଖିଛି ପୁଲିସ ।

from Kanak News
via <a href="https://ifttt.com/?

କୁହୁଡି ପୋଡି ଦେଉଛି ଫସଲ । ହେକ୍ଟର ହେକ୍ଟର ଜମିରେ ପନିପରିବା ଚାଷ ନଷ୍ଟ, ନାଲି ପଡିଯାଉଛି ଫୁଲକୋବି, ଜଳି ଯାଉଛି କାକୁଡି ଗଛ, କମି ଯାଉଛି ଅମଳ ।

କନକ ବ୍ୟୁରୋ : ଘନକୁହୁଡି ପରିବା ଚାଷୀଙ୍କ ଭେଳା ବୁଡାଇଲାଣି । ୧୫ ଦିନ ହେବ ଘନ କୁହୁଡ଼ି ଯୋଗୁଁ  ପୁରୀ ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍କା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାତି ୯ଟାରୁ ସକାଳ ୯ଟା ଯାଏଁ କୁହୁଡ଼ି ଯୋଗୁଁ ପନିପରିବା ଚାଷ ପ୍ରଭାବିତ ହୋଇଛି ।

କୁହୁଡି ଯୋଗୁଁ ପୋଡି ଯାଉଛି କାକୁଡି ଗଛ । ନଷ୍ଟ ହେଉଛି ଫୁଲକୋବି ଚାଷ । କୁହୁଡ଼ି ଯୋଗୁଁ ତଳି ଘେରା ନଷ୍ଟ ହୋଇଯାଉଛି । ଫୁଲ କୋବି ସବୁ ନାଲିମାରିଯିବା ସହିତ କଢ଼ସବୁ ଫୁଟି ଯାଉଛି । ତେଣୁ ବିକ୍ରି ହୋଇନପାରି ନଷ୍ଟ ହେଉଛି । କେବଳ କୋବି ନୁହେଁ କାକୁଡ଼ି ଫଳ ଧରିବା ବେଳେ ପତ୍ର ପୋଡ଼ିଯିବାରୁ ଅମଳ କମି ଯାଉଥିବା ନିମାପଡ଼ା ବ୍ଲକ ବଳଙ୍ଗା ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି ।

କାକୁଡି, ଫୁଲକୋବି ଭଳି ବାଇଗଣ ଓ ଅନ୍ୟାନ୍ୟ ଫସଲ ବି କୁହୁଡ଼ି ଦ୍ୱାରା ପ୍ରଭାବିତ ହୋଇଛି । ହେକ୍ଟର ହେକ୍ଟର ଜମିରେ ପରିବା ଫସଲ ଚାଷ ନଷ୍ଟ ହୋଇଛି । ତେଣୁ ଧାରକରଜ କରି ଚାଷ କରିଥିବା ଚାଷୀଙ୍କ ଲାଭ ଆଶା ମଉଳି ଯିବା ସହ କରଜ ସୁଝିବା ଚିନ୍ତା ଘାରିଛି ।

ଘନ କୁହୁଡି ଯୋଗୁଁ ପନିପରିବା ଚାଷ ନଷ୍ଟ ହୋଇଗଲେ, ଚାଷୀଙ୍କର ଅମଳ କମିଯିବ । ଫସଲ ଅମଳ କମିଗଲେ, ବଜାରରେ ପନିପରିବା ଦର ବଢିବ । ଆଉ ଏଥିପାଇଁ ଚାଷୀ କ୍ଷତି ସହିବା ସହ ଖାଉଟିଙ୍କ ପକେଟ୍ ଖାଲି ହେବାର ଆଶଙ୍କା ରହିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started