ଏମିତି ବି ଆସେ ଦୁର୍ଭାଗ୍ୟ…! ପଟିଆ ଷ୍ଟେସନରେ ଲୋମଟାଙ୍କୁରା ଅଘଟଣ: ଶିଶୁକନ୍ୟା ପାଇଁ ଚଳନ୍ତା ଟ୍ରେନରୁ ଡେଇଁ ପଡିଲେ ମହିଳା; ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ: ବେଳେବେଳେ ଦୁର୍ଭାଗ୍ୟ ଏମିତି ଆସେ। ନିଜର ଅନ୍ୟମନସ୍କତା ଓ ସାମାନ୍ୟ ଭୁଲ୍ ପାଇଁ ବଡ଼ ମୂଲ୍ୟ ଦେବାକୁ ପଡ଼େ। ଶନିବାର ଭୁବନେଶ୍ବର ନିକଟସ୍ଥ ପଟିଆ ଷ୍ଟେସନରେ ଏମିତି ଏକ ଲୋମଟାଙ୍କୁରା ଅଘଟଣ ଘଟିଛି। ଟିକିଏ ଭୁଲ ପାଇଁ ଜଣେ ମହିଳାଙ୍କୁ ବଡ଼ ମୂଲ୍ୟ ଦେବାକୁ ପଡ଼ିଛି। ଟ୍ରେନରେ ଚଢ଼ିଲାବେଳେ ନିଜର ୪ ବର୍ଷର ଶିଶୁକନ୍ୟାକୁ ତଳେ ଛାଡ଼ି ଦେଇଥିବାରୁ ପରେ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ି ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହତ ମହିଳା ଜଣକ ହେଲେ ପଟିଆ ନିକଟ ପଦ୍ମାବତୀ ଭିଲ୍ଲାର ଅନୂସୟା ମହାରଣା। ଶନିବାର ପୂର୍ବାହ୍ନ ପ୍ରା‌ୟ ୧୧ଟାବେଳେ ସେ କଟକ ଯିବା ଲାଗି ପୁରୀ-କଟକ ସଟଲ୍‌ ଟ୍ରେନକୁ ପଟିଆ ଷ୍ଟେସନରେ ଅପେକ୍ଷା କରିଥିଲେ। ଟ୍ରେନ୍ ଷ୍ଟେସନରେ ପହଞ୍ଚିବା ପରେ ଅନୂସୟା ପ୍ରଥମେ ତାଙ୍କ ଲଗେଜ୍ ବ୍ୟାଗଟିକୁ ଟ୍ରେନରେ ରଖି ନିଜେ ଚଢ଼ିଯାଇଥିଲେ। ମାତ୍ର ଶିଶୁକନ୍ୟାକୁ ଟ୍ରେନକୁ ଉଠାଇବାକୁ ଭୁଲି ଯାଇଥିଲେ।

ଏତିକିବେଳେ ଟ୍ରେନ୍ ଚାଲିବା ଦେଖି ତଳେ ଛିଡ଼ା ହୋଇଥିବା ଝିଅଟି କାନ୍ଦିବା ଆରମ୍ଭ କରିଥିଲା। ମହିଳା ଜଣକ କ’ଣ କରିବେ କିଛି ବୁଝିପାରି ନ ଥିଲେ। ସମ୍ଭବତଃ ତାଙ୍କ ମୁଣ୍ଡ କାମ କରି ନ ଥିଲା। ସେ ତତକ୍ଷଣାତ୍ ଚଳନ୍ତା ଟ୍ରେନରୁ ‌ବ୍ୟାଗ୍ ଧରି ତଳକୁ ଡେଇଁ ପଡ଼ିଥିଲେ। ଫଳରେ ପ୍ଲାଟଫର୍ମରେ କିଛିବାଟ ଘୋଷାଡ଼ି ଯାଇ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ପ୍ରଥମେ ଏକ ଅଟୋରେ ଆହତ ମହିଳାଙ୍କୁ ପଟିଆ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ‌ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

from Kanak News
via <a href="https://ifttt.com/?

ଆଜି ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ: ସାନିଟାଇଜ ହେବ ଶ୍ରୀମନ୍ଦିର; ସ୍ୱାଭାବିକ ଚାଲିବ ନୀତିକାନ୍ତି, କାଳିଆ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ବନ୍ଦ ରହିବ ଜଗା ଦର୍ଶନ । ମନ୍ଦିରକୁ ସାନିଟାଇଜ କରିବା ପାଇଁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ଗତ ଗୁରୁବାର ଠାରୁ ବିନା କୋଭିଡ୍ ରିପୋର୍ଟରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନୁମତି ମିଳିବା ପରେ ପ୍ରତିଦିନ ଶ୍ରୀକ୍ଷେତ୍ରରେ ହଜାର ହଜାର ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା । ତେବେ ପ୍ରତି ରବିବାର ସାଧାରଣ ଦର୍ଶନକୁ ବନ୍ଦ ରଖି ସାନିଟାଇଜ କରାଯିବାକୁ ପୂର୍ବରୁ ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ତେବେ ଶ୍ରୀମନ୍ଦିରର ନୀତିକାନ୍ତି ପୂର୍ବ ଭଳି ଚାଲୁ ରହିବ । ଏଥିରେ କୌଣସି ବ୍ୟତିକ୍ରମ ହେବ ନାହିଁ ।

from Kanak News
via <a href="https://ifttt.com/?

ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀରେ ପହଞ୍ଚିଲେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ: ସ୍ୱତନ୍ତ୍ର ଗ୍ରୀନ୍ କରିଡରରେ ଏମ୍ସରେ ଲାଲୁ ଯାଦବଙ୍କୁ କରାଗଲା ଭର୍ତ୍ତି

କନକ ବ୍ୟୁରୋ: ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀରେ ପହଞ୍ଚିଲେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ । ସ୍ୱତନ୍ତ୍ର ଗ୍ରୀନ୍ କରିଡରରେ ତାଙ୍କୁ ନିଆଯାଇ ଏମ୍ସରେ ଭର୍ତ୍ତି କରାଯାଇଛି । ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ କହିଛନ୍ତି- ତାଙ୍କ ଫୁସଫୁସରେ ପାଣି ଜମି ଯାଇଛି । ରାଞ୍ଚିର ରିମ୍ସରେ ଚିକିତ୍ସିତ ହେଉଥିବା ସମୟରେ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା । ଫଳରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି ।

ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବଙ୍କ କହିବା ଅନୁସାରେ, ଲାଲୁଙ୍କ ଛାତିରେ ପାଣି ଜମିଛି ଏବଂ ନିଃଶ୍ୱାସ ପ୍ରଶ୍ୱାସରେ ସେ ସମସ୍ୟା ଅନୁଭବ କରୁଛନ୍ତି । ଶୁକ୍ରବାର ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବ ଏବଂ ତାଙ୍କ ସ୍ତ୍ରୀ ରାବିଡ଼ ଦେବି ଝିଅ ମିଶା ଭାରତୀ ଲାଲୁଙ୍କୁ ରିମ୍ସ ମେଡ଼ିକାଲରେ ଦେଖାକରିଥିଲେ । ଚାରା ଘୋଟାଲା ମାମଲାରେ ଲାଲୁ ଯାଦବ ରାଞ୍ଚି ଜେଲରେ ଅଛନ୍ତି । ରାଞ୍ଚିର ରିମ୍ସ ମେଡ଼ିକାଲରେ ତାଙ୍କର ଲମ୍ବା ସମୟ ଧରି ଚିକିତ୍ସା ଜାରି ରହିଥିଲା । ତେବେ ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି ।

from Kanak News
via <a href="https://ifttt.com/?

୩୦ରୁ ଆରମ୍ଭ ହେବ ମୟୂରଭଞ୍ଜ ପ୍ରିମିୟର ଲିଗ୍ ବା ଏମପିଏଲ: ଲୋଗୋ ଓ ଜର୍ସି ଉନ୍ମୋଚିତ; ବିଜେତା ଦଳକୁ ମିଳିବ ୧ ଲକ୍ଷ ଓ ଉପ-ବିଜେତାକୁ ୫୦ ହଜାର ଟଙ୍କା

କନକ ବ୍ୟୁରୋ: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବା ପାଇଁ ଯାଉଛି ମୟୁରଭଂଜ ପ୍ରିମିୟର ଲିଗ୍ ବା ଏମପିଏଲ୍ । କ୍ରିକେଟ ଓ ଫୁଟବୁଲ ଖେଳକୁ ନେଇ ମାର୍ଚ୍ଚ ୩ ତାରିଖ ଯାଏଁ ଚାଲିବ ଏହି ବଡ କ୍ରୀଡାକୁମ୍ଭ । ଏଥି ପାଇଁ ବାରିପଦାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏମପିଏଲର ଲୋଗୋ ଓ ଜର୍ସି ଉନ୍ମୋଚିତ ହୋଇଛି । ଏହି ଲୋଗା ଉନ୍ମୋଚନ ଉତ୍ସବକୁ ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟମୋକେଶ ରାୟ ପରିଚାଳନା କରିଥିଲେ ।

ସେହିପରି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତୀ ବେହେରା, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏଥିପାଇଁ ପ୍ରସ୍ତୁତି ସହ ଟିମ୍ ଚୟନ ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି । ଆଉ ଯେଉଁ ଦଳ ଫାଇନାଲରେ ଜିତିବ ସେହି ଦଳକୁ ୧ ଲକ୍ଷ , ଉପ ବିଜେତାକୁ ୫୦ ହଜାର ଓ ମ୍ୟାନ ଅଫ୍ ସିରିଜ ପାଇଁ ହିରୋ ସିବିଜେଡ୍ ଗାଡି ପୁରସ୍କାର ପାଇଁ ବ୍ୟବସ୍ଥା ହୋଇଛି । ଆଉ ଏହା ସଫଳ ହେଲେ ସାରା ରାଜ୍ୟରେ ସମାନ ଫର୍ମୂଲା ଆପଣାଇବା ନେଇ ଚର୍ଚ୍ଚା ହେଉଛି ।

from Kanak News
via <a href="https://ifttt.com/?

ଚୀନକୁ ବାୟୁସେନା ମୁଖ୍ୟଙ୍କ ଚେତାବନୀ: ଏଲଏସିରେ ଉସକାଇବା ଭଳି କାର୍ଯ୍ୟ କଲେ ଚୁପ୍ ବସିବନି ଭାରତ; ଶତ୍ରୁଙ୍କୁ ମୁହଁତୋଡ ଜବାବ ଦେବ ଭାରତୀୟ ବାୟୁସେନା

କନକ ବ୍ୟୁରୋ: ଚୀନକୁ ବାୟୁସେନା ମୁଖ୍ୟଙ୍କ ଚେତାବନୀ । ପୂର୍ବ ଲଦାଖର ଏଲଏସିରେ ଚୀନ ସହ ଲାଗି ରହିିଥିବା ବିବାଦ ନେଇ ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ ଶନିବାର ଯୋଦ୍ଧପୁର ଏୟାରବେସରୁ ବଡ ଚେତାବନୀ ଦେଇଛନ୍ତି । କହିଛନ୍ତି, ଏଲଏସିରେ ଯଦି କେହି ଉସକାଇବା ଭଳି କାର୍ଯ୍ୟ କରେ ତାହେଲେ ଭାରତ ଚୁପ୍ ବସିବ ନାହିଁ । ଭାରତୀୟ ବାୟୁସେନା ଶତ୍ରୁଙ୍କୁ ସେମାନଙ୍କ ହିମାକତର ମୁହଁତୋଡ ଜବାବ ଦେବ ।

ଆଗକୁ ଯୁଦ୍ଧ ବିମାନ ରାଫେଲ କିଣାଯିବ ନା ନାହିଁ , ଏନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ୧୧୪ ମଲ୍ଟିରୋଲ ଯୁଦ୍ଧ ବିମାନ କିଣିବାକୁ ଯୋଜନାର ରାଫେଲ ଏକ ପ୍ରମୁଖ ଦାବିଦାର । ଯୋଦ୍ଧପୁରରେ ଚାଲିଛି ଭାରତ ଓ ଫ୍ରାନ୍ସ ବାୟୁସେନାର ମିଳିତ ଯୁଦ୍ଧାଭ୍ୟାସ ଏକ୍ସରସାଇଜ୍ ଇଜର୍ଟ ନାଇଟ୍-୨୧ । ଏହି ଅବସରରେ ଦୁଇ ଦେଶର ଯୁଦ୍ଧବିମାନ ଆକାଶରେ ନୂଆ ନୂଆ କୌଶଳ ପ୍ରଦର୍ଶନ କରୁଛନ୍ତି । ତେବେ ଏହି ଯୁଦ୍ଧାଭ୍ୟାସରେ ରାଫେଲ ସମେତ ଭାରତୀୟ ବାୟୁସେନାର ସୁଖୋଇ ଓ ମିରାଜ-୨୦୦୦ ଯୁଦ୍ଧ ବିମାନକୁ ସାମିଲ କରାଯାଇଛି ।

ଅନ୍ୟପଟେ ଆଜି ପୁଣି ଥରେ ଚୀନ ଓ ଭାରତର କମାଣ୍ଡର ସ୍ତରୀୟ ନବମ ବୈଠକ ବସିବ । ଚୁସୁଲଠାରେ ଭାରତର ୧୪ ଜଣିଆ ଟିମ୍ ଏହି ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେବେ । ଉଭୟ ପକ୍ଷ ସୀମାରୁ ସେନା ପଛକୁ ଘୁଞ୍ଚାଇବା ଓ ଅରୁଣାଚଳ ପ୍ରଦେଶର ବିବାଦୀୟ ଅଂଚଳରେ ନିର୍ମାଣ କାର୍ଯ୍ୟ ଏହି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହେବ ।

from Kanak News
via <a href="https://ifttt.com/?

କୃଷକଙ୍କ ଟ୍ରାକ୍ଟର ରାଲିକୁ ମିଳିଲା ଗ୍ରୀନ ସିଗନାଲ୍: ସର୍ତ୍ତମୂଳକ ଅନୁମତି ଦେଲା ଦିଲ୍ଲୀ ପୋଲିସ; ୫ଟି ରୁଟରେ ୧୦୦ କିମି ପର୍ଯ୍ୟନ୍ତ କରିିବେ ଶୋଭାଯାତ୍ରା

କନକ ବ୍ୟୁରୋ: ଜାନୁଆରୀ ୨୬ରେ ଦିଲ୍ଲୀରେ ପ୍ରବେଶ କରିବେ ଆନ୍ଦୋଳନରତ କୃଷକ । ପାଳନ କରିବେ କୃଷକ ଗଣତନ୍ତ୍ର ଦିବସ । ଏଥିପାଇଁ କୃଷକ ସଂଗଠନକୁ ସର୍ତ୍ତମୂଳକ ଅନୁମତି ଦେଇଛି ଦିଲ୍ଲୀ ପୋଲିସ । କୃଷକମାନଙ୍କୁ ଦିଲ୍ଲୀର ୫ଟି ରାସ୍ତା ଦେଇ ୧୦୦ କିମି ପର୍ଯ୍ୟନ୍ତ ଟ୍ରାକ୍ଟର ରାଲି କରିବାକୁ ଅନୁମତି ମିଳିଛି ।

ସୂଚନା ଅନୁଯାୟୀ, ସିନ୍ଧୁ, ତିଖିରୀ, ଗାଜିପୁର, ପଲୱାଲ ଓ ଶାହାଜହାନପୁରରୁ କୃଷକଙ୍କ ଟ୍ରାକ୍ଟର ରାଲି ବାହାରିବ । ତେବେ କେଉଁ ରୁଟ୍ ଦେଇ ଟ୍ରାକ୍ଟର ରାଲି ଯିବ ସେ ନେଇ ଆଜି ପୋଲିସକୁ ଲିଖିତ ଆକାରରେ ଦେବେ କୃଷକ ସଂଗଠନ । ରୁଟ୍ ଚାଟ୍ ଦେବା ପରେ ପୋଲିସ ତର୍ଜମା କରିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି । ରାଲି ସମ୍ପୂର୍ଣ୍ଣ ଭାବେ ଶାନ୍ତି ପୂର୍ଣ୍ଣ ରହିବା ସହ କୌଣସି ସରକାରୀ କାର୍ଯ୍ୟକ୍ରମ ଯେପରି ପ୍ରଭାବିତ ନହେବ, ସେଥିପାଇଁ ପ୍ରତିଶ୍ରୁତି ଦେଇଛନ୍ତି କୃଷକ ସଂଗଠନ । କୃଷକଙ୍କ ପ୍ରବେଶ ପାଇଁ ସିନ୍ଧୁ ବର୍ଡର, ତିଖିରୀ ବର୍ଡର, ଗାଜିପୁର ବର୍ଡରରୁ ବ୍ୟାରିକେଡକୁ ହଠାଇ ଦିଆଯିବ ।

ତେବେ ଶୋଭାଯାତ୍ରା ଶେଷ ହେବା ପରେ କୃଷକମାନଙ୍କୁ ଦିଲ୍ଲୀ ଭିତରେ ରହିବାକୁ ଦିଆଯିବ ନାହିଁ । ସେମାନଙ୍କୁ ପୂର୍ବସ୍ଥାନକୁ ପୁଣି ଫେରି ଆସିବାକୁ କୁହାଯାଇଛି । କୃଷକଙ୍କ ରାଲି କରିବାକୁ ଅନୁମତି ମିଳିବା ପରେ ଖୁସୀ ଜାହିର କରିଛନ୍ତି ଆନ୍ଦୋଳନରତ କୃଷକ । ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଳୀ ସୀମାରେ ପ୍ରାୟ ୨ ମାସ ହେଲା ଆନ୍ଦୋଳନ କରୁଛନ୍ତି କୃଷକ । ସରକାର ଓ କୃଷକଙ୍କ ମଧ୍ୟରେ ୧୧ ଥର ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନାହିଁ ।

from Kanak News
via <a href="https://ifttt.com/?

ନେତାଜୀ ସୁଭାଷ ବୋଷଙ୍କୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ଜୋରଦାର । କେନ୍ଦ୍ରର ନିଷ୍ପତ୍ତି ବିପରୀତ, ମମତା ପାଳୁଛନ୍ତି ଦେଶନାୟକ ଦିବସ ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ରାଜନୀତିରେ ନେତାଜୀ । ସୁବାସ ବୋଷଙ୍କ ଜନ୍ମ ଜୟନ୍ତୀକୁ ନେଇ  ପଶ୍ଚିମବଙ୍ଗରେ ଜୋର ଧରିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର । ନେତାଜୀ ଜୟନ୍ତୀକୁ କେନ୍ଦ୍ର ପରାକ୍ରମ ଦିବସ ଭାବେ ପାଳନ କରୁଛି । ପରାକ୍ରମ ଦିବସରେ ପ୍ରଧାନମନ୍ତ୍ରୀ କୋଲକାତା ଯାଇ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ନ୍ୟାସନାଲ ଲାଇବ୍ରେରୀରେ ମୋଦି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

ଏହାପରେ ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ସାମିଲ ହୋଇଛନ୍ତି । ମୋଦିଙ୍କ କାର୍ଯ୍ୟକ୍ରମରେ ମମତା ବାନାର୍ଜୀ ମଧ୍ୟ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମୋଦୀ ନେତାଜୀଙ୍କୁ ମନେ ପକାଇଛନ୍ତି । ଏବଂ ତାଙ୍କୁ ସ୍ମରଣ କଲେ ଅଧିକ ଶକ୍ତି ମିଳିଯାଏ ବୋଲି କହିଛନ୍ତି ମୋଦୀ ।

ସେପଟେ ପଶ୍ଚିମବଙ୍ଗରେ ଦେଶନାୟକ ଦିବସ ପାଳନ କରୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ନେତାଜୀ ଜୟନ୍ତୀ ଅବସରରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ପଦଯାତ୍ରା କରିଛନ୍ତି । ଟିଏମସି କର୍ମକର୍ତାଙ୍କ ସହ ଶଂଖନାଦ କରି ରୋଡ଼ ସୋର ଶୁଭାରମ୍ଭ କରିଥିଲେ ମମତା ।

କୋଲକାତାର ଶ୍ୟାମ ବଜାରରୁ ରେଡ ରୋଡ ଯାଏଁ ମମତା ବାନାର୍ଜି, କର୍ମୀଙ୍କ ସହ ଚାଲି ଚାଲି ଯାଇଥିଲେ । ଟିଏମସିର ପଦଯାତ୍ରା ସମୟରେ କୋଲକାତାର ରାଜରାସ୍ତାରେ ଜନସମୁଦ୍ର ଦେଖିବାକୁ ମିଳିଛି । ହଜାର ହଜାର ଲୋକଙ୍କ ଗହଣରେ ଦିଦି ପଦଯାତ୍ରା କରି ବିଜେପିକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ରାଲିକୁ ସମ୍ବୋଧନ କରି ମମତା କହିଛନ୍ତି ଦେଶରେ ୪ଟି ରାଜଧାନୀ ହେବା ଦରକାର ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀରେ ରାଜନୀତି ସରଗରମ ହୋଇଛି । ସାରା ଦେଶରେ ବିଜେପି ପରାକ୍ରମ ଦିବସ ପାଳନ କରୁଥିବା ବେଳେ ପଶ୍ଚିମବଙ୍ଗରେ ଟିଏମସି ପାଳନ କରୁଛି ଦେଶନାୟକ ଦିବସ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏହା ପୂର୍ବରୁ ମମତା ପଦଯାତ୍ରା କରି ରାଜ୍ୟରେ ଧିରେ ଧିରେ ବଳ ଗୋଟାଇ ଶକ୍ତିଶାଳୀ ହେଉଥିବା ବିଜେପିକୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।

from Kanak News
via <a href="https://ifttt.com/?

ରାଞ୍ଚିରେ ଚିକିତ୍ସିତ ହେଉଥିବା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଲା । ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍ସକୁ କରାଗଲା ସ୍ଥାନାନ୍ତରିତ ।

କନକ ବ୍ୟୁରୋ: ରାଞ୍ଚି ରେ ଚିକିତ୍ସିତ ହେଉଥିବା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛିି । ଫଳରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ଅନୁସାରେ ଲାଲୁଙ୍କ ଛାତିରେ ପାଣି ଜମିଛି । ନିଶ୍ୱାସ ପ୍ରଶ୍ୱାସରେ ସେ ସମସ୍ୟା ଭୋଗ କରୁଛନ୍ତି । ଗତକାଲି ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବ ତାଙ୍କ ସ୍ତ୍ରୀ ରାବିଡ଼ ଦେବି ଝିଅ ମିଶା ଭାରତୀ ଲାଲୁଙ୍କୁ ରିମ୍ସ ମେଡ଼ିକାଲରେ ଦେଖାକରିଥିଲେ ।

ଚାରା ଘୋଟାଲା ମାମଲାରେ ଲାଲୁ ଯାଦବ ରାଞ୍ଚି ଜେଲରେ ଅଛନ୍ତି । ରାଞ୍ଚିି ମେଡ଼ିକାଲରେ ତାଙ୍କର ଲମ୍ବା ସମୟ ଧରି ଚିକିତ୍ସା ଜାରି ରହିଛି । ତେବେ ଲାଲୁଙ୍କ ସ୍ୱାସ୍ଥ୍ରବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଦିଲ୍ଲୀ ଏମସକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁବାର ଲାଲୁଙ୍କ ଛାତିରେ ଯନ୍ତ୍ରଣା ହେବା କାରଣରୁ ତାଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଥିଲା ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ଖୋଲିଲା ପରେ ରେକର୍ଡ ସଂଖ୍ୟକ ଦାନ । ସୁନା, ରୂପା ଓ ନଗଦ ଟଙ୍କା ଦାନ କଲେ ଭକ୍ତ

କନକ ବ୍ୟୁରୋ : ଏବେ ପ୍ରଭୁ ଦର୍ଶନ ଲାଗି ନା ଆବଶ୍ୟକ କୋଭିଡ ରିପୋର୍ଟ, ନା ଆବଶ୍ୟକ ପରିଚୟ ପତ୍ର । ଭକ୍ତ-ଭଗବାନଙ୍କ ମିଳନ ମଧ୍ୟରେ କଟକଣା ସାଜୁଥିବା କୋଭିଡ ନିୟମ ଉଠାଇ ନିଆଯିବାପରେ ଶ୍ରୀମନ୍ଦିରକୁ ଛୁଟିଛି ଭକ୍ତଙ୍କ ସୁଅ । ଶ୍ରୀମନ୍ଦିରରେ ପ୍ରବେଶ ଲାଗି ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତଙ୍କ ପାଇଁ ସମସ୍ତ କଟକଣା ପ୍ରତ୍ୟାହୃତ ହୋଇଥିବାରୁ ଶ୍ରୀମନ୍ଦିରରେ ଆଜି ପ୍ରାୟ ୫୦ ହଜାରରୁ ଅଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଅନ୍ୟ ପକ୍ଷରେ ଶାମ୍ବ ଦଶମୀ ଭଳି ପର୍ବ ଭକ୍ତଙ୍କ ସଂଖ୍ୟା ବି ବଢ଼ାଇଛି।

ଭକ୍ତ କେବଳ ଦର୍ଶନ କରି ନ ଥିଲେ ବରଂ ଶ୍ରୀମନ୍ଦିରର ଜଗମୋହନ ପାଖରେ ଥିବା ହୁଣ୍ଡିରେ ଅଜାଡି ଦେଇଥିଲେ ଦାନ । ଆଜି ଗୋଟିଏ ଦିନରେ ପାଖାପାଖି ୯ ଲକ୍ଷ ୨୯ ହଜାର ୧୪୨ ଟଙ୍କା ଦାନ ଆକାରରେ ମିଳିଥିବାବେଳେ ୧ ଗ୍ରାମ ୩୦ ମିଲିଗ୍ରାମ ସୁନା ଓ ୮୬ ଗ୍ରାମ ୨୦୦ ମିଲିଗ୍ରାମ ଓଜନର ରୂପା, ଭକ୍ତ ଦାନ ହୁଣ୍ଡିରେ ପକାଇଥିଲେ ।

ଶ୍ରୀମନ୍ଦିର ଖୋଲିବା ଦିନଠାରୁ ଏହି ଦାନ ପରିମାଣ ରେକର୍ଡ ହୋଇଥିବା ବେଳେ ୨୦୨୦ ଜାନୁୟାରୀ ୧ରେ ମଧ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ଦାନ ଆକାରରେ ମିଳିଥିଲା । ତେବେ ପୁରୀବାସୀଙ୍କ କହିବା କଥା ଯେ ଆଜି ସରକାରୀ ଛୁଟି ଥିବାବେଳେ ଆସନ୍ତାକାଲି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ତେଣୁ ଏତେ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବଢ଼ା ଦରକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ । ଶହେ ଟଙ୍କାର ମହାପ୍ରସାଦ ୩ ଶହ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ।

କନକ ବ୍ୟୁରୋ: ମହାପ୍ରସାଦର ଆକାଶଛୁଆଁ ଦର ଭକ୍ତଙ୍କୁ ଭାରି ବାଧିଛି । ଯେଉଁ ମହାପ୍ରସାଦ ୧୦୦ ଟଙ୍କାରେ ମିଳୁଥିଲା ଏବେ ତାର ଦର ପହଞ୍ଚିଛି ୩୦୦ ଟଙ୍କାରେ । ଅର୍ଥାତ ପୂର୍ବଦର ଅନୁସାରେ ମହାପ୍ରସାଦ ଦର ୩ ଗୁଣା ବଢିଛି । ଫଳରେ ଭକ୍ତମାନେ ମହାପ୍ରସାଦ ନ ପାଇ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ଅନ୍ୟପକ୍ଷରେ ପୂର୍ବରୁ ଭକ୍ତଙ୍କୁ ସୁହାଇଲା ଭଳି ଦର ତାଲିକା ଆନନ୍ଦବଜାର ଓ ଶ୍ରୀମନ୍ଦିରରେ ବିଭିନ୍ନ ସ୍ଥାନରେ ଲଗାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ତାହା ଏଯାଏଁ ଲଗାଯାଇନାହିଁ । ଯାହାକି ଶ୍ରୀମନ୍ଦିର ପ୍ରଶାସନର ନିୟନ୍ତ୍ରଣରେ ରହୁଛି । ପ୍ରଶାସନ କାହିଁକି ଏହାକୁ ଗୁରୁତର ସହ ନେଉନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଭକ୍ତ । କୋଭିଡ କଟକଣା ପରେ ମହାପ୍ରସାଦ ଦର ୩ ଗୁଣା ବଢିଥିବାରୁ ଗରିବ ଶ୍ରେଣୀର ଭକ୍ତଙ୍କ ପାଇଁ ମହାପ୍ରସାଦ ଟିକେ ପାଇବା ଏବେ ସ୍ୱପ୍ନ ହୋଇଯାଇଛି । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started